ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବାର କେନ୍ଦ୍ର ପାଲଟିଛି ସମ୍‌

 ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା ଓ ଗବେଷଣା କ୍ଷେତ୍ରରେ ପ୍ରମୁଖ କେନ୍ଦ୍ର ପାଲଟିଛି । ହସ୍ପିଟାଲର ଟ୍ରାନ୍ସଫ୍ୟୁଜନ୍ ମେଡିସିନ ବିଭାଗରେ ନିଆଯାଇଥିବା ଆଧୁନିକ ବ୍ୟବସ୍ଥାର ପଦକ୍ଷେପ ରକ୍ତ ସୁରକ୍ଷା ମାନଦଣ୍ଡରେ ଉଲ୍ଲେଖନୀୟ ସୁଧାର ଆଣିଛି ବୋଲି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲଠାରେ ଆଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଣାଳୀରେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଗୁରୁତ୍ୱକୁ ନେଇ ‘ଇଣ୍ଡିଆନ୍ ସୋସାଇଟି ଅଫ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଆଣ୍ଡ ଇମ୍ୟୁନୋହେମାଟୋଲୋଜି’(ଆଇଏସ୍‌ବିଟିଆଇ) ଓଡିଶା ରାଜ୍ୟ ଶାଖା ପକ୍ଷରୁ ଦୁଇ ଦିନିଆ ସମ୍ମିଳନୀକୁ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଉଦ୍‌ଘାଟନ କରି କହିଥିଲେ ସମ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଓଡିଶାରେ ନୂତନ ମାଇଲ ଖୁଂଟ ସ୍ଥାପନ କରିଛି । ଆଇଏସ୍‌ବିଟିଆଇ ରାଜ୍ୟ ଶାଖା ସହଯୋଗରେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଶୀର୍ଷକ କର୍ମଶାଳାରେ ସମ୍ ହସ୍ପିଟାଲର ପୋଷ୍ଟ ଗ୍ରାଜୁଏଟ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଭୁବନେଶ୍ୱର କ୍ୟାମ୍ପସ୍‌-୧, ଫୁଲନଖରା କ୍ୟାମ୍ପସ-୨ ସମେତ ସମ୍ ଅଲ୍ଟିମେଟ୍ ମେଡିକେୟାର ସାମିଲ ହୋଇଥିଲା । ଆଇଏସ୍‌ବିଟିଆଇର ନ୍ୟାସ୍‌ନାଲ୍ ପ୍ରେସିଡେଂଟ ଡାକ୍ତର ୟୁଧବୀର ସିଂ କହିଥିଲେ ଯେ ଏହି ସଂସ୍ଥାର ଲକ୍ଷ୍ୟ ହେଉଛି ରୋଗୀଙ୍କ ପାଇଁ ୧୦୦% ରକ୍ତର ଉପଲବ୍ଧତା ସୁନିଶ୍ଚିତ କରାଇବା । ସେ କହିଥିଲେ ଯେ ୧୯୭୧ର ଭାରତ- ପ୍ରାକ୍ ଯୁଦ୍ଧରେ ଆହତ ସୈନିକ ମାନଙ୍କର ରକ୍ତ ଆବଶ୍ୟକ ହୋଇଥିଲା । ଏହି ପରିପ୍ରେକ୍ଷୀରେ ୧୯୭୨ରେ ଆଇଏସ୍‌ବିଟିଆଇ ସ୍ଥାପନ କରାଯାଇଥିଲା ।

ରକ୍ତ ଯୋଗାଇବା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ସମଗ୍ର ଓଡିଶାରେ ଉଲ୍ଲେଖନୀୟ ପଦକ୍ଷେପ ନେଇ ନେତୃତ୍ୱ ପ୍ରଦାନ କରିବା ଦରକାର ବୋଲି ସେ କହିଥିଲେ ।

ଆଇଏସ୍‌ବିଟିଆଇ (ମୋଟିଭେସନାଲ) ଭାଇସ୍ ପ୍ରେସିଡେଂଟ ଡାକ୍ତର ଟି.ଆର. ରୈନା କହିଥିଲେ ଯେ ସାରା ଦେଶରେ ସ୍ୱେଚ୍ଛାକୃତ ରକ୍ତଦାନ ନିଶ୍ଚିତ କରିବା ହେଉଛି ଆଇଏସ୍‌ବିଟିଆଇର ମୂଳମନ୍ତ୍ର । ଆଇଏସ୍‌ବିଟିଆଇ ସାଧାରଣ ସମ୍ପାଦିକା ଡାକ୍ତର ସଙ୍ଗୀତା ପାଠକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ(ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ)ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏଠାରେ ଏପର୍ଯ୍ୟନ୍ତ ୩ଟି ସିଏଆର-ଟି ପ୍ରକ୍ରିୟା ସହିତ ୧୦୦ରୁ ଅଧିକ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଳାଟେଂସନ୍ କରାଯାଇଛି । ଭାରତରେ ହୋଇଥିବା ପ୍ରଥମ ୩ଟି ସିଏଆର –ଟି ପ୍ରକ୍ରିୟା ମଧ୍ୟରୁ ଗୋଟିଏ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ହୋଇଥିଲା ବୋଲି ସେ କହିଥିଲେ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର)ଗିରିଜା ନନ୍ଦିନୀ କାନୁନ୍‌ଗୋ କହିଥିଲେ ଯେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଆଧୁନିକ ଚିକିତ୍ସା ପଦ୍ଧତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ।

ଏହି ସମ୍ମିଳନୀର ଆୟୋଜକ ସମ୍ପାଦକ ତଥା ସମ୍ ଅଲ୍ଟିମେଟ୍ ମେଡିକେୟାରର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର କନ୍‌ସଲ୍‌ଟାଂଟ ଆଣ୍ଡ ଇନ୍‌ଚାର୍ଜ ଡାକ୍ତର ନାଲାଗୋଣ୍ଡଲା ତୁଳସୀରାମ ଧନ୍ୟବାଦ ଅର୍ପଣ କରିଥିଲେ ।

ଚାଲ ଫେରିଯିବା ଆକଟ ରାଇଜକୁ 

 ବସରେ ଗଲାବେଳେ ଜଣେ 80ବର୍ଷର ମଉସା କହିଲେ ଆଜିକାଲି କଣ କିଛି ଆକଟ ଅଛି,  ପିଲାଏ ଚପଳାମୀ ବୟସରେ ଭୁଲ କରୁଥିଲେ ଡରିବେ। ଆଜିକାଲି ତ ନିଜ ନାତି ନାତୁଣୀଙ୍କୁ ମଧ୍ୟ କିଛି କହିହେଉନାହିଁ। ଆଉ ପର ପିଲାଙ୍କୁ କହିବ କଣ। ଟିକେ 30ବର୍ଷ ତଳକୁ ଚାଲିଯାଆନ୍ତୁ, ଗାଁରେ ଯଦି କେହି ପିଲା ଭୁଲ ରାସ୍ତାରେ ଯାଉଥିଲା କି କିଛି ଭୁଲ କରୁଥିଲା ସେତେବେଳେ ଗାଁର ବୟସ୍କ ଵା ଗୁରୁଜନ ସେ ପିଲାକୁ ଆକଟ କରୁଥିଲେ, ଗାଳି କରୁଥିଲେ ଆଉ ମାଡ଼ ବି ମାରୁଥିଲେ ଭୁଲ କାମ ପାଇଁ। ଫଳରେ ପିଲାଟି ଆଉ କେବେ ସେ ଭୁଲ କରୁନଥିଲା। ତାର ଭୟ ରହିଲା ଭୁଲ କାମ ପ୍ରତି। ଘରଲୋକଙ୍କ ସହ ଗାଁ ଗୁରୁଜନଙ୍କ ଆକଟ ପିଲାଟିକୁ ସଂସ୍କାରୀ କରିବା ସହ ଭଲ ମଣିଷ ହେବାକୁ ବାଟ ଦେଖାଉଥିଲା ।  ଆଜି ଆଉ ସେ ସମୟ ନାହିଁ। ପିଲାଙ୍କୁ ଆକଟ କଥା କେହି ଚିନ୍ତା ବି କରିପାରୁନାହାନ୍ତି। କାରଣ ଏବେ ପିଲାଙ୍କୁ କହିବାକୁ ଡର ଲାଗିଲାଣି। ଯଦି ଗାଁର କେଉଁ ପିଲା ଭୁଲ କରୁଛି, ଆଉ ଗୁରୁଜନ ଭାବେ ଯଦି ସେ ପିଲାର ଜଣାଶୁଣା ଲୋକ କିଛି କହୁଛି ତେବେ ପ୍ରଥମେ ସେ ପିଲାର ବାପା, ମା’ କହୁଛନ୍ତି ଆମ ପୁଅ ଯାହା କଲା ଆମେ ବୁଝିବୁ, ତମେ କହିବାକୁ କିଏ। ଏତିକିରେ ବୁଝିନିଅନ୍ତୁ ପିଲାଟି ଯେଉଁ ଭୁଲ ପାଇଁ ଗୁରୁଜନଙ୍କଠାରୁ ଗାଳି ଖାଇଥିଲା, ସେ ଭୁଲ ପୁଣି ସେ କରିବକି ନାହିଁ।

ଆଜି କାଲି ସହର ଅପେକ୍ଷା ସୁନାର ଗାଁ ବିଗିଡିଯାଇଛି। ଗାଁ ଗାଁରେ ଚାଲିଛି ନିଶା କାରବାର। ସମୟ ଏମିତି ହେଲାଣି ସଂଧ୍ୟା ହେଲେ ଆଉ ଛକ ବଜାର କି ଖୋଲା ପଡିଆ କି କୌଣସି ଫାଙ୍କା ସ୍ଥାନରେ ଆଉ ବସିହେବ ନାହିଁ। ସବୁଠି ନିଶାପାଣି ଆସର ଜୋର। ଏଥିପାଇଁ ଆମେ କାହାକୁ ଦାୟୀ କରିବା ? ନିଜକୁ ନା ସମାଜକୁ ? ସମାଜକୁ କିଏ କଲା ଏତେ ପ୍ରଦୁର୍ଷିତ ? ଆକଟ ରହିଲାନି ବୋଲି ସମାଜ ବିଗିଡିଗଲାକି ? କାହାର କାହା ପ୍ରତି ଭୟ ନରହିଵା ସମାଜ ବିଗିଡିଯିବାର ମୂଳକାରଣ। ସ୍କୁଲରେ ଶିକ୍ଷକ ଛାତ୍ରକୁ ଆକଟ କରିପାରିବେନି, ଘରେ ବଡ଼ ଭାଇ ପୁଅକୁ ବଡ଼ବାପା, ବଢିଲା ଝିଅକୁ ସାନ ମା’, ସାନ ଭାଇକୁ ବଡ଼ ଭାଇର ସାଙ୍ଗ ଯଦି ଭୁଲ ପାଇଁ ଆକଟ କରିବନି ତେବେ ସମାଜ କିପରି ଭଲ ହେବ ?

ଏମିତି ଅନେକ କଥା ଉଦାହରଣ ଦେଇ ମଉସା କହିଲେ ଯଦି ଆଜି ଆକଟ ରାଇଜକୁ ଫେରିଯାଆନ୍ତେ ତେବେ ପୁଣିଥରେ ସୁନ୍ଦର ସମାଜ ଗଢିଯାଆନ୍ତା। ୟାକୁ ନେଇ ଆପଣ କଣ ଭାବୁଛନ୍ତି ନିଜର ମତାମତ ଦିଅନ୍ତ।

ନିଖୋଜ ଖୁସି 

ନିଖୋଜ ହୋଇଯାଇଛି ଖୁସି। ପାଖରେ ଥାଇ ବି ନଥିଲା ପରି । ସବୁ ଅଛି, ହେଲେ କିଛି ନାହିଁ। ଯେମିତି ଜୀବନ ରେଖା ଖୁସି ଥାଇ ବି ନଥିଲା ପରି ଲାଗୁଛି । ଯନ୍ତ୍ରଣା ଭିତରେ ବି ଖୁସି ସାଉଁଟି ହୁଏ। କିଏ ପ୍ରକୃତି ଭିତରେ ସହଜରେ ପାଇଯାଏ ତ ଆଉ କିଏ ନିଜ ଇଚ୍ଛା ଅନୁସାରେ ତାକୁ ସୁହାଇଲା ପରି ଜୀବନ ବିତାଇ ଖୁସିକୁ ଖୋଜେ । ସେଥିରେ ସେ ଖୁସି ପାଏ ହେଲେ ନିଖୋଜ ପରି ।

ଏକ ଲମ୍ବା ଭ୍ରମଣରେ ସେଦିନ ମନୋଜ କହିଲା ଭାଇ ମୁଁ ଖୁସି ପାଇଁ ଟିକେ ବିୟର ପିଉଛି । ଆରେ ଖୁସି ପାଇଁ କଣ ନିଶାପାଣି ନିହାତି ଦରକାର. ନା ଏ ଗୋଟେ ବାହାନା । ସେ ତ ପର କଥା, ହେଲେ ମନୋଜ ଯେ ନିଶା ଖାଇ ଜମାରୁ ଖୁସି ନୁହେଁ ଏକଥା ତା ହାବଭାଗ କହୁଥିଲା । ସତେ ଯେମିତି ଲାଗୁଥିଲା ମନୋଜ ଖୁସି କେଉଁଠି ନିଖୋଜ ହୋଇଯାଇଛି । ପାଇବା ଆଶାରେ ମନୋଜ ନିଶା ଭିତରେ ଖୋଜୁଛି ମନୋଜ ।

ନିଖୋଜ ଖୁସିକୁ ପାଇବାର ମାଧ୍ୟମ କେବେ ନିଶା ହୋଇନପାରେ ।

ବରଂ ନିଜକୁ ନିଜେ ଚିହ୍ନିଲେ ତାହା ମିଳିବ । ସବୁଠି ଖୁସି ଅଛି ଭାବନା କେବଳ ଆମର ମନର ଭାବନା ତାହା ପାଖରେ ପହଂଚିବା ଦରକାର । ନିଶାରେ ନିଖୋଜ ଖୁସିକୁ ଖୋଜଯାଇ ନପାରେ । ବରଂ ଖୁସି ଯେଉଁଠି ଅଛି ସେଠିକି ଆମେ ପହଂଚିବା ଦରକାର. ଯେମିତି ସୂର୍ଯ୍ୟର ତେଜ ଯେତେ ବଢିଲେ କୃଷ୍ଣଚୁଡା ଯନ୍ତ୍ରଣା ଭିତରେ ଖିଲି ଖିଲି ହସି ଚମକୁ ଥାଏ ଖୁସିରେ । ଠିକ ସେମିତି ପ୍ରେମ ଯନ୍ତ୍ରଣା ଓ ବିରହ ଭିତରେ ଖୁସି ମଧ୍ୟ ସେମିତି ମହକେ ଆପେ ଆପେ। ଯଦି ସବୁ ଜାଣି ମଣିଷ ନିଜେ ନିଖୋଜ ହୁଏ, ତେବେ ସେ ନିଖୋଜ ଖୁସିକୁ ପାଇବ କିପରି ।

ଭାଇ

ରାବଣ ରାମଙ୍କ ଦ୍ୱାରା ପରାସ୍ତ ହୋଇ ଯେବେ ଅନ୍ତିମ ନିଃଶ୍ୱାସ ନେଉଥାଆନ୍ତି, ସେତେବେଳେ ସେ କାହିଁକି ରାମଙ୍କଠାରୁ ହାରିଗଲେ ତାହା ପ୍ରଭୁ ରାମଚନ୍ଦ୍ରଙ୍କୁ କହିଛନ୍ତି ରାବଣ। ରାବଣଙ୍କ କହିବା କଥା ହେଉଛି ତାଙ୍କ ପାଖରେ ଶୋଇବା ପାଇଁ ସୁନାର ଲଙ୍କା ଥିଲା, ରାମଙ୍କ ଠାରୁ ବଡ଼ ପରିବାର ଥିଲା, 10ଟି ମୁଣ୍ଡ ଥିଲା, ବହୁ ବରଦାନ ପାଇ ସେ ଶକ୍ତିଶାଳୀ ଥିଲେ, ହେଲେ ହାରିଲେ କାରଣ, ରାମଚନ୍ଦ୍ରଙ୍କ ପାଖରେ ଥିଲେ l ଭାଇ ଲଷ୍ମଣ। ରାବଣଙ୍କର ଭାଇ ତ ଥିଲେ ହେଲେ ତାଙ୍କ ସହ ତାଙ୍କ ସମ୍ପର୍କ ମଧୁର ନଥିଲା।ସେହିପରି କୃଷ୍ଣ ଓ ବଳରାମ ମହାରାଜ କଂଶକୁ ମଧ୍ୟ ପରାସ୍ତ କରିଥିଲେ। ବଡ଼ଭାଇ ବଳଭଦ୍ର ଓ ଜଗନ୍ନାଥ ଜଗତ ଉଦ୍ଧାର କରିଛନ୍ତି ନୀଳାଚଳ ଧାମରେ ବସି। ରଥଯାତ୍ରା ବେଳେ ସ୍ତ୍ରୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କୁ ନେଇ 9ଦିନ ଧରି ବଡ଼ଦାଣ୍ଡକୁ ଓଲ୍ଲାଇଆସନ୍ତି।

ଏ ହେଉଛି ଆମ ପୁରାଣ ଏବଂ ପରମ୍ପରାର କଥା। ଆମ ଓଡ଼ିଆରେ ଗୋଟେ କଥା ଅଛି। ଦୁଧ ଯଦି ଖାଇ ବସିବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି କରିବସିବୁ ସାଙ୍ଗରେ ଥିବ ଭାଇ।

ଭାଇ ଶବ୍ଦଟି ବହୁତ ବିଶାଳ। ଭାଇ ଅଛି ତ ଦୁନିଆରେ ସବୁ ଅଛି। ବଡ଼ଭାଇ ବାପାଙ୍କ ସହ ସମାନ। ଭାଇ ସାଙ୍ଗ ପୁଣି ଭାଇ ପ୍ରେମିକା। ଭାଇ ପାଖରେ ମନକଥା ସବୁ ଖୋଲି କହିହୋଇଯାଏ। କିନ୍ତୁ ଆଜି ସେହି ସମ୍ପର୍କ କେମିତି ଅଛି ?? ସମାଜର ଭାଇ ଭାଇର ସମ୍ପର୍କ ଆଜି ଲୋଭ, ମାୟା ଓ ସ୍ୱାର୍ଥ ପାଇଁ ହଜିଯାଉଛି। ଆଜି ଭାଇ ଭାଇର ପରମ ଶତ୍ରୁ ବନିଯାଉଛି ମାତ୍ର ଇଞ୍ଚେ ଜମି, କିଛି ଟଙ୍କା ପାଇଁ। ପୁଣି କେତେବେଳେ ଭାଇକୁ ଭାଇ ମାରିଦେଉଛି ତ କେତେବେଳେ ଭାଇ ଭାଇ ମଧ୍ୟରେ ଭାରତ ପାକିସ୍ତାନ ପରି ସମ୍ପର୍କ ଉପୁଜୁଛି। ସମାଜର ଏପରି ଅଧୋପତନ ପାଇଁ କେବଳ ଆମେ କାହାକୁ ଦୋଷ ଦେବା ?? କେହି ଦାୟୀ ନୁହେଁ, ସେଥିପାଇଁ ଦାୟୀ ଆମେ ସମସ୍ତେ । କାହିଁକି ଆମେ କୃଷ୍ଣ ବଳରାମ, ବଳଭଦ୍ର, ଜଗନ୍ନାଥ, ରାମ ଲଷ୍ମଣ ପରି ଭାଇ ହୋଇ ଅନ୍ୟ ପାଇଁ ଉଦାହରଣ ହୋଇପାରିବା ନାହିଁ।

ଆରେ ଭାଇ, ଭାଇ ହିଁ ସୁଖ ଓ ଦୁଃଖର ସାଥି। ଭାଇ ଶେଷ ସାହାରା। ଭାଇ ହିଁ ଚଳନ୍ତି ଭଗବାନ। ଭାଇ ଠାରୁ କାହିଁକି ଭାଇ ଅଲଗା ହେବ। କଥାରେ ପା ଅଛି ଧନ, ଯୌବନ ସବୁ କ୍ଷଣସ୍ଥାୟୀ। ସମ୍ପର୍କ ଓ ଭାଇପଣ ଚିରସ୍ଥାୟୀ। ଭାଇ ଡାକରେ ଯେଉଁ ମଧୁରପଣ ଅଛି, ତାହା ଯିଏ ଡାକୁଛି ସେ ହିଁ ଜାଣିଛି। ଯେତେବେଳେ ଦୁନିଆ ସାମ୍ନାରେ ଛିଡା ହେବାକୁ ଡର ଲାଗେ, ଭାଇଟି କାନ୍ଧରେ ହାତ ରଖିଦେଲେ ସାହସ ଆପେଆପେ ଆସିଯାଏ । ଭାଇ ଭୁଲକୁ ଘୋଡେଇ ରଖେ, ଠିକ୍ ରାସ୍ତା ଦେଖାଇଦିଏ । ଭାଇ ହେଉଛି ରକ୍ଷା କବଜ ଜୀବନ ଯାତ୍ରାରେ।

ସମ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ରକ୍ତ କର୍କଟ ଦିବସ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ରକ୍ତ କର୍କଟ ଆଉ ଦୂରାରୋଗ୍ୟ ନୁହେଁ, ଏହାକୁ ପରାସ୍ତ କରିହେବ : ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି

ସମ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ରକ୍ତ କର୍କଟ ଦିବସ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

 ରକ୍ତ କର୍କଟ ଆଉ ଦୂରାରୋଗ୍ୟ ହୋଇ ରହିନାହିଁ । ଏହାର ଚିକିତ୍ସା ସମ୍ଭବ ଓ ଏହାକୁ ପରାସ୍ତ କରିବା ସହ ରୋଗୀ ସୁସ୍ଥ ଜୀବନ ଶୈଳୀରେ ବଂଚିପାରିବ ବୋଲି କହିଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡାକ୍ତର) ମାନସ ରଞ୍ଜନ ସାହୁ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଅନ୍ତର୍ଗତ କ୍ଲିନିକାଲ୍ ହେମାଟୋଲୋଜି, ହେମାଟୋଅଙ୍କୋଲୋଜି ଓ ଷ୍ଟେମ୍ ସେଲ ଟ୍ରାନ୍ସପ୍ଲାଂଟ ବିଭାଗ ପକ୍ଷରୁ ବିଶ୍ୱ କର୍କଟ ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସାହୁ ସମ ହସ୍ପିଟାଲ୍‌ର ସ୍ୱତନ୍ତ୍ର ବିଭାଗ ପକ୍ଷରୁ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାକୁ ନେଇ ଉଚ୍ଚ ପ୍ରଶଂସା କରିବା ସହ ଏହି ବିଭାଗ ଦ୍ୱାରା ୧୦୦ଟି ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ କରାଯାଇଥିବା ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ କ୍ଲିନିକାଲ୍ ହେମାଟୋଲୋଜି ବିଭାଗ ପକ୍ଷରୁ ସଫଳତାର ସହ ୧୦୦ ରୁ ଅଧିକ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ ସମ୍ପନ୍ନ କରାଯିବା ନେଇ ସମ୍ପୃକ୍ତ ବିଭାଗକୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରକ୍ତ କର୍କଟ ବ୍ୟାଧିରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ କୁଳପତି କହିଥିଲେ ଯେ କର୍କଟ ରୋଗ କେବଳ ରୋଗୀକୁ ନୁହେଁ ସମଗ୍ର ପରିବାରକୁ କଷ୍ଟ ଦେଇଥାଏ ତେଣୁ ରୋଗୀଟି ସୁସ୍ଥ ହେବା ପରିବାର ପାଇଁ ଏକ ଆଶ୍ୱସ୍ତିର ବିଷୟ ।

କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ରକ୍ତ କର୍କଟ ରୋଗରେ ରୋଗୀଙ୍କ ସେବା ଓ ଯତ୍ନ ନିହାତି ଜରୁରୀ । ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ ନେଇ ସଫଳ ପଦକ୍ଷେପ ନିଆଯାଉଥିବା ପ୍ରଫେସର ମହାପାତ୍ର କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅନୁପସ୍ଥିତ ଥିବା ବେଳେ ଏକ ଶୁଭେଚ୍ଛା ବାର୍ତା ପ୍ରଦାନ କରିଥିଲେ ଯାହାକୁ ପ୍ରଫେସର ସାମଲ ପଢ଼ି ଶୁଣାଇଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଯୋଗ ଦେଇ ରକ୍ତ କର୍କଟ ରୋଗର ସମସ୍ୟା ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇଥିଲେ ।

ପ୍ରଫେସର ଲେଙ୍କା କହିଥିଲେ ଯେ ପ୍ରାଥମିକ ପର୍ଯ୍ୟାୟରେ କର୍କଟ ରୋଗର ଚିହ୍ନଟ ଓ ଚିକିତ୍ସା ଆରମ୍ଭ କରାଗଲେ ରୋଗୀର ସୁସ୍ଥ ହେବାର ସମ୍ଭାବନା ଅଧିକ । ରକ୍ତ କର୍କଟ ରୋଗୀ ସଂଖ୍ୟା କ୍ଷେତ୍ରରେ ବିଶ୍ୱରେ ଭାରତ ତୃତୀୟ ବୃହତ ଦେଶ । ପ୍ରତ୍ୟେକ ବର୍ଷ ଏକ ଲକ୍ଷ ରୁ ଊର୍ଦ୍ଧ୍ୱ ନୂତନ ମାମଲା ସାମ୍ନାକୁ ଆସିଥିଲା ବେଳେ ୭୦ ରୁ ୮୦ ହଜାର ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି ବୋଲି ପ୍ରଫେସର ଲେଙ୍କା ସୂଚନା ଦେଇଥିଲେ ।

ଏହି ରୋଗ ବିରୁଦ୍ଧରେ ଯୁଦ୍ଧ ନିମନ୍ତେ ଲୋକମାନେ ଅଧିକ ସଂଖ୍ୟାରେ ଷ୍ଟେମ୍ ସେଲ ଦାନ କରିବା ଆବଶ୍ୟକ ବୋଲି ପ୍ରଫେସର ଲେଙ୍କା କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ରକ୍ତ କର୍କଟ ଚିକିତ୍ସା ଦିଗରେ ବହୁବିଧ ବିଭାଗର ସହଯୋଗ ରହୁଛି ।

ପ୍ରଥମେ ଯେତେବେଳେ ଭାରତରେ ୩ଟି କାର-ଟି ଥେରାପି ଆରମ୍ଭ କରାଯାଇଥିଲା ସେତେବେଳେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଅନ୍ୟତମ ଥିଲା ଏବଂ ବର୍ତମାନ ଏହାର ସଂଖ୍ୟା ୪ରେ ପହଂଚିଛି । ସେହିପରି ଓଡ଼ିଶାରେ ପ୍ରଥମ ହାପ୍‌ଲୋ ଆଇଡିଂଟିକାଲ୍ ଆଲୋଜେନିକ୍ ଷ୍ଟେମ୍‌ସେଲ ଟ୍ରାନ୍ସପ୍ଲାଂଟ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୧୪ଟି ଆଲୋଜେନିକ୍ ଟ୍ରାନ୍ସପ୍ଲାଂଟ କରାଯାଇଥିବା ପ୍ରଫେସର ସାମନ୍ତସିଂହାର କହିଛନ୍ତି ।

କ୍ଲିନିକାଲ୍ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍‌: ବିଶେଷଜ୍ଞ 

 ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍ ଏବଂ ଏହାକୁ ଅର୍ଥନୈତିକ ବିକାଶ ସହ ଯୋଡ଼ିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର କହିଛନ୍ତି ଜାତୀୟ ସ୍ମାରକି କର୍ତୃପକ୍ଷର ପୂର୍ବତନ ଅଧ୍ୟକ୍ଷ ତଥା କୋଲକାତା ସ୍ଥିତ ଭାରତୀୟ ନୃତତ୍ୱ ସର୍ବେକ୍ଷଣର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସା ।

ବିଶ୍ୱ ମାନଚିତ୍ରରେ ଲୋକମାନେ ବର୍ତମାନ ନୂତନ ଏବଂ ବିଭିନ୍ନ କଳା ସଂସ୍କୃତି ସହ ଯୋଡ଼ି ହେଉଛନ୍ତି ଏବଂ ପରସ୍ପର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାର ସୁଯୋଗ ପାଉଛନ୍ତି ବୋଲି କହିଛନ୍ତି ପ୍ରଫେସର ବାସା । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ସେଂଟର ଫର୍ ପ୍ରିଜରଭେସନ୍ ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନସିଏଂଟ କଲଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆଲୋଚନା ଏବଂ ବିକାଶ ନିମନ୍ତେ ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରଫେସର ବାସା ଏହା କହିଛନ୍ତି ।

ଏହି କାର୍ଯ୍ୟକ୍ରମ ସହିତ ପ୍ରାଚୀନ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ କର୍ମଶାଳାର ଉଦ୍‌ଯାପନୀ ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ୪୧ ଜଣ ଗବେଷକ ଯୋଗ ଦେଇଥିଲେ ।

ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବାସା କହିଥିଲେ ଯେ ସାଂସ୍କୃତିକ ଆଦାନ ପ୍ରଦାନ ଦ୍ୱାରା ଅଭିନବ ପର୍ଯ୍ୟଟନ ଏବଂ ଅର୍ଥନୀତିର ବିକାଶ ମଧ୍ୟ ହୋଇପାରିବ । ସେ ଭୂପ୍ରସିଦ୍ଧ ମୟୁରଭଞ୍ଜର ଛଉ ନୃତ୍ୟର ଉଦାହରଣ ଦେଇ ଏହା କିପରି ଓଡ଼ିଶା କଳା ସଂସ୍କୃତିର ଏକ ପ୍ରମୁଖ ଅଂଗ ସେ ନେଇ କହିବା ସହ ଲୋପ ପାଉଥିବା କଳା ସଂସ୍କୃତିର ପୁନରୁଦ୍ଧାର ଆବଶ୍ୟକତା ଜରୁରୀ ବୋଲି କହିଥିଲେ ।

ପ୍ରାଚୀନର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ କାର୍ଯ୍ୟକ୍ରମରେ ପୁରୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଏବଂ ଲେଖକ ଓ ସିନେ ନିର୍ମାତା ଶ୍ରୀ ଦେବ ରଞ୍ଜନ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ପ୍ରଫେସର ଆଚାର୍ଯ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟକୁ ପ୍ରକାଶନ କରିବା ନେଇ ପ୍ରାଚୀନକୁ ପ୍ରଶଂସା କରିବା ସହ ଭାଷା ଓ ସାହିତ୍ୟର ବିକାଶ ନିମନ୍ତେ ସୋଆ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ନିମନ୍ତେ ପ୍ରସ୍ତାବ ଦେଇଥିଲେ ।

ଶ୍ରୀ ଦେବରଞ୍ଜନ ତାଙ୍କ ବୃତଚିତ୍ରର ‘ଫର୍ମଲେସ୍ ଫର୍ମ’ ସମ୍ପର୍କରେ କହିବା ସହ ସନ୍ଥ ଭୀମଭୋଇଙ୍କ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।

ପ୍ରଫେସର ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ ପୁରାତନ ଲେଖା ସମ୍ପାଦନା ଏବଂ ଆଲୋଚନା ଏବଂ ବିକାଶ ନିମନ୍ତେ ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ ପାଳନ ନେଇ ଆୟୋଜିତ କର୍ମଶାଳା ଖୁବ୍ ନିବିଡ଼ ଭାବେ ଜଡ଼ିତ । କାରଣ ଏହା ବିଶାଳ ସାଂସ୍କୃତିକ ବିବିଧତା ଏବଂ ମଣିଷର ମାନସିକତା ଯୋଡ଼ି ରଖିଛି ।

ଗବେଷଣା କେବଳ ନୂଆ ଉଦ୍ଭାବନର ନାମ ନୁହେଁ ବରଂ ଏହା ଲୋପ ପାଉଥିବା ଜ୍ଞାନର ପୁନଃ ଉଦ୍‌ଭାବନ ଏବଂ ସଂରକ୍ଷଣ ସହ ଜଡ଼ିତ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ପ୍ରାଚୀନର କଲ୍‌ଚର ଷ୍ଟଡିଜ୍‌ର ଆଡ୍‌ଜଂଟ ପ୍ରଫେସର ଗୌରାଙ୍ଗ ଚରଣ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଆସୋସିଏଟ ପ୍ରଫେସର (ଡକ୍ଟର) ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଭାରତର ଦ୍ୱିତୀୟ ହସ୍ପିଟାଲ୍ ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଡିଜିସ୍କାନର ସ୍ଥାପନ

 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଅନ୍ତର୍ଗତ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଫିଲିପ୍ସ ପାଥୋଲୋଜି ସ୍କାନର ଏସ୍‌ଜି ୩୦୦ ଶୁକ୍ରବାର ସ୍ଥାପନ କରାଯାଇଥିବା ବେଳେ ଏହା ଜଟିଳ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ତ୍ୱରିତ ପରୀକ୍ଷଣ କରିବାରେ ସକ୍ଷମ ହୋଇପାରିବ ବୋଲି ଜଣାଯାଇଛି । ଏହି ସ୍କାନରର ଏକ ଘଂଟାରେ ୬୦ଟି ସ୍ଲାଇଡ ସ୍କାନ କରିବାର କ୍ଷମତା ରହିଛି । ଏଥିରେ ପାଥୋଲୋଜି ସ୍ଲାଇଡ୍‌ଗୁଡ଼ିକ ସଫ୍ଟୱେୟାର ଫର୍ମାଟରେ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ରହିଥିବା ବେଳେ ଏହା ଦ୍ୱାରା ଗ୍ଲାସ୍ ସ୍ଲାଇଡ୍‌ଗୁଡ଼ିକର ବ୍ୟବହାର ହ୍ରାସ ପାଇବ ଏବଂ ରୋଗୀର ଚିକିତ୍ସାରେ ଅତ୍ୟନ୍ତ ସହାୟକ ହୋଇପାରିବ ବୋଲି ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର କହିଛନ୍ତି ।

ଏହି ମେସିନ୍ ଦ୍ୱାରା ପ୍ରତିଷ୍ଠିତ ଡାକ୍ତରୀ କେନ୍ଦ୍ର ଗୁଡ଼ିକ ସହିତ ଟେଲି କନ୍‌ଫରେନ୍ସିଂ କରାଯାଇପାରିବ ଯାହା ଦ୍ୱାରା ବିଳମ୍ବିତ ପରୀକ୍ଷଣକୁ ହ୍ରାସ କରାଯାଇପାରିବ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ଏହି ସ୍କାନରରେ ୫ ବର୍ଷ ଯାଏଁ ସ୍ଲାଇଡଗୁଡ଼ିକୁ ସଂରକ୍ଷିତ ରଖିବାର ସୁବିଧା ରହିଛି ଯାହା ଦ୍ୱାରା କି ଜଟିଳ ସମସ୍ୟାରେ ପୀଡ଼ିତ ଥିବା ରୋଗୀମାନଙ୍କର ରେକର୍ଡ ଦୀର୍ଘ ବର୍ଷ ପରେ ମଧ୍ୟ ମିଳିପାରିବ । ଏହି ସ୍କାନର ମେସିନ୍ ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସ୍ଥାପନ କରାଯାଇଛି । ଏହାକୁ ସ୍ଥାପନ କରିବାରେ ସମ ହସ୍ପିଟାଲ ଭାରତରେ ଦ୍ୱିତୀୟ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ଡିଜିସ୍କାନର ସ୍ଥାପନ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ଏହା ଦ୍ୱାରା ପରୀକ୍ଷଣ ତ୍ୱରାନ୍ୱିତ ହେବ ଏବଂ ରେକର୍ଡଗୁଡ଼ିକୁ ସଂରକ୍ଷିତ କରିବାର ପ୍ରକ୍ର୍ରିୟାରେ ଉନ୍ନତି ଘଟିବ । ଏହା ଦ୍ୱାରା ଶିକ୍ଷା ପ୍ରଦାନର ମାନ ବୃଦ୍ଧି ହେବା ସହ ଏହା କର୍ମଶାଳା ଏବଂ ଗବେଷଣା କ୍ଷେତ୍ରରେ ସାହାଯ୍ୟ କରିବ ବୋଲି ସେ କହିଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର କହିଥିଲେ ଯେ ଏହି ସ୍କାନର ଜଟିଳ ରୋଗ କ୍ଷେତ୍ରରେ ଚିକିତ୍ସାରେ ସହାୟକ ହେବ ଏବଂ ପରୀକ୍ଷଣର ମାନ ମଧ୍ୟ ବୃଦ୍ଧି ପାଇବ । ଏହା ଦ୍ୱାରା ରୋଗୀ ସେବା ଓ ଗବେଷଣାର ସ୍ତର ଉନ୍ନତ ହେବ ବୋଲି ସେ କହିଥିଲେ ।

ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏହି ଅତ୍ୟାଧୁନିକ ମେସିନ ପରୀକ୍ଷଣର ସମୟକୁ ମଧ୍ୟ ହ୍ରାସ କରିବ ଏବଂ ପିଜି ଛାତ୍ରଛାତ୍ରୀଙ୍କର ଶିକ୍ଷା ଗ୍ରହଣ ଓ ପ୍ରଶିକ୍ଷଣରେ ସହାୟକ ହେବ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଆଡିସ୍‌ନାଲ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା ଏବଂ ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଶ୍ରୀମତି ମନୋରମା ପରିଡ଼ା ଉପସ୍ଥିତ ଥିଲେ । ଫିଲିପ୍ସ କମ୍ପାନୀର ସହଯୋଗରେ ଏହି ମେସିନ୍‌ର ସ୍ଥାପନ କରାଯାଇଛି ।

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏକ ୪ ଜଣିଆ ଛାତ୍ରଛାତ୍ରୀ ଟିମ୍ ‘ଟେକ୍‌ଜିଅମ୍ ୨୦୨୬’ କାର୍ଯ୍ୟକ୍ରମରେ ସମ୍ମାନ ଜନକ ‘ପିପୁଲ୍ସ ଚଏସ୍ ଆୱାର୍ଡ’ ବିଜେତା ହୋଇଛନ୍ତି । ଏଲ୍ ଆଣ୍ଡ ଟି ଟେକ୍ନୋଲଜି ସର୍ଭିସେସ୍ (ଏଲ୍‌ଟିଟିଏସ୍‌) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ନବମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଗତ ୧୪ ଏବଂ ୧୫ ତାରିଖରେ ମହୀଶୂର ସ୍ଥିତ ଏଲଟିଟିଏସ୍ କ୍ୟାମ୍ପସ୍‌ରେ ଆୟୋଜିତ ହୋଇଥିଲା ।

ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାର ଲକ୍ଷ୍ୟ ନେଇ ଓ ଉଦ୍‌ଭାବନ କ୍ଷେତ୍ରରେ ଯୁବପିଢ଼ିଙ୍କୁ ଏଆଇ, ରୋବୋଟିକ୍ସ ଏବଂ ସ୍ମାର୍ଟ ମ୍ୟାନୁଫ୍ୟାକ୍‌ଚରିଂ କ୍ଷେତ୍ରରେ ଅଧିକ ନିୟୋଜିତ କରିବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

ଏହି କାର୍ଯ୍ୟକ୍ରମରେ ସୋଆ ଏବଂ ଅଟଳ ଇନୋଭେସନ୍ ସେଂଟର – ସୋଆ ଫାଉଣ୍ଡେସନ୍‌ର ବିଶେଷ ସଫଳତା ପରିଲକ୍ଷିତ ହୋଇଥିଲା । କୌସ୍ତଭ ବେରା, ତନିସ୍କ ଭାକୁନି, ଶ୍ୱେତାଞ୍ଜନା ମାଇତି ଏବଂ ଆୟନ୍ ଭଟ୍ଟାଚାର୍ଜୀଙ୍କୁ ନେଇ ଗଠିତ ଟିମ୍‌ର ମାର୍ଗଦର୍ଶନ କରିଥିଲେ ଡକ୍ଟର ଅୟସ ଚିନ୍ମୟ । ଏହି ଟିମ୍ ତାଙ୍କର ଅଭିନବ ପ୍ରକଳ୍ପ ‘ଚିରଞ୍ଜିବୀ’ ନିମନ୍ତେ ବିଜୟୀ ହୋଇଥିଲେ । ସାରା ଦେଶରୁ ପ୍ରାୟ ୫୪୦ ରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୬୨ ହଜାର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଦୀର୍ଘ ୯ ମାସ ଧରି ଏହି ଯାତ୍ରା ଜାରୀ ରହିଥିବା ବେଳେ ଏଲ୍‌ଟିଟିଏସ୍‌ର ଇଞ୍ଜିନିୟର ଏବଂ ଶିଳ୍ପ କ୍ଷେତ୍ରର ମେଂଟର ମାନେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରାଇଥିଲେ । ବିଭିନ୍ନ ପର୍ଯ୍ୟାୟ ପରେ ୩୪ଟି ଟିମ୍ ଫାଇନାଲ୍ ଷ୍ଟେଜ୍‌ରେ ପହଂଚିଥିଲେ ଏବଂ ତାଙ୍କର ଅଭିନବ କାର୍ଯ୍ୟ, ଶିଳ୍ପ, ଶିକ୍ଷା ଏବଂ ବିଶ୍ଳେଷଣ କ୍ଷେତ୍ରର ନେତୃବର୍ଗଙ୍କୁ ନେଇ ଗଠିତ ବିଶିଷ୍ଟ ବିଚାରକ ମଣ୍ଡଳୀ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ବିଜେତାମାନଙ୍କୁ ୧୮ ଲକ୍ଷରୁ ଊର୍ଦ୍ଧ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ସିଏସ୍‌ଆଇଆର-ନ୍ୟାସ୍‌ନାଲ୍ ଏରୋସ୍ପେସ୍ ଲାବାରୋଟୋରୀଜ୍‌ର ପଦ୍ମଶ୍ରୀ ବିଜେତା ଡକ୍ଟର ଶୁଭା ଭି. ଆୟଙ୍ଗାର ଯିଏକି ଭାରତର ସ୍ୱଦେଶୀ ରନ୍‌ୱେ ଭିଜିବିଲିଟି ସିଷ୍ଟମ୍ ‘ଦ୍ରିଷ୍ଟି’କୁ ବିକଶିତ କରିଛନ୍ତି ସିଏ ଶେଷ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଟେକ୍‌ଜିଅମ୍ ମୁଖ୍ୟତଃ ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଥିବା ଦୂରତ୍ୱକୁ ଯୋଡ଼ିବା ସହ ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିନିୟରିଂ କ୍ଷେତ୍ରରେ ଉତ୍କର୍ଷ ଆଣିବାରେ ସକ୍ଷମ ହୋଇପାରିଛି ।

ଆଇଟିଇଆର ଟିମ୍ ନିଜ ସଫଳତା ଦ୍ୱାରା ଅନୁଷ୍ଠାନ କିଭଳି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା, କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ, ନବୀକରଣ ଶକ୍ତି ଏବଂ ନୂତନ ବୈଷୟିକ ଜ୍ଞାନକୌଶଳକୁ ନେଇ ଉତ୍କର୍ଷ କେନ୍ଦ୍ର ପାଲଟିଛି ତାହା ପ୍ରତିପାଦିତ କରିଥିଲେ ।

ଏଆଇସି-ସୋଆ ଫାଉଣ୍ଡେସନ୍‌, (ଅଟଳ ଇନ୍‌କ୍ୟୁବେସନ୍ ସେଂଟର) ଯାହାକି ନୀତି ଆୟୋଗ ଅଧିନସ୍ଥ ଅଟଳ ଇନୋଭେସନ୍ ମିଶନ୍ ଦ୍ୱାରା ପରିଚାଳିତ ତାହା ଷ୍ଟାର୍ଟ ଅପ୍‌, ଡିପ୍ ଟେକ୍ ଇନୋଭେସନ୍‌, ମେନ୍‌ଟୋରିଂ ଏବଂ ଇନ୍‌କ୍ୟୁବେସନ୍ ଭଳି କାର୍ଯ୍ୟରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରୁଛି ।

ସୋଆରେ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ 

ପୁରାତନ ପୋଥିର ଗନ୍ତାଘର ଭାରତରେ ଏହି ଅମୂଲ୍ୟ ସମ୍ପତି ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ବିଶିଷ୍ଟ ଶିଳାଲେଖ ବିଶାରଦ ଓ ପ୍ରାଚୀନ ଲିପି ଗବେଷକ ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ କହିଛନ୍ତି ।

ଶିକ୍ଷା ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର ପ୍ରୋପାଗେସନ୍, ପି୍ରଜରଭେସନ୍ ଆଣ୍ଡ ରେେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆନ (ପ୍ରାଚୀନ) ଦ୍ୱାରା ଶୁକ୍ରବାର ଆୟୋଜିିତ ଏକ ସପ୍ତାହ ବ୍ୟାପୀ ଲେଖା ସମ୍ପାଦନା କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ଆଚାର୍ଯ୍ୟ ଏହା କହିଛନ୍ତି ।

ଡକ୍ଟର ଆଚର୍ଯ୍ୟ କହିଥିଲେ ଯେ ଭାରତର ଅସରନ୍ତି ସାହିତ୍ୟ ଭଣ୍ଡାର ବିଶେଷ ଭାବେ ସଂସ୍କୃତରେ ଲିଖିତ ପୋଥି ଗୁଡ଼ିକ ଉପରେ ଗବେଷଣା ହେବା ଆବଶ୍ୟକ । ଦେଶରେ ଉପଲବ୍ଧ ଏହି ସାହିତ୍ୟ ନିଧିର ମାତ୍ର ୨୦ ପ୍ରତିଶତର ଏପର୍ଯ୍ୟନ୍ତ ସଂପାଦନା ହୋଇପାରିଛି ବୋଲି ସେ କହିଥିଲେ ।

ଏହି କର୍ମଶାଳାରେ ୪୧ ଜଣ ଗବେଷକ ଯୋଗ ଦେଇଛନ୍ତି । ସେମାନଙ୍କୁ ପ୍ରାଚୀନର ୪ ଜଣ ବିଶେଷଜ୍ଞ ପ୍ରଫେସର ଜଗନ୍ନାଥ ଦାସ, ପ୍ରଫେସର ଗୋ÷ରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଯୋଗ ଦେଇ କର୍ମଶାଳାର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଡକ୍ଟର ଆଚାର୍ଯ୍ୟ କହିଥିଲେ ଯେ ଅଷ୍ଟବିଂଶ ଓ ଊନବିଂଶ ଶତାବ୍ଦୀରେ ଇଉରୋପର ଐତିହାସିକମାନେ ଭାରତରେ ପହଂଚିବା ପରେ ମନେ କରିଥିଲେ ଯେ ଏହି ଦେଶର କୋ÷ଣସି ଇତିହାସ ଓ ସଂସ୍କୃତି ନାହିଁ । ସେମାନଙ୍କ ମଧ୍ୟରେ ଭାଷାବିତ ସାର ଉଇଲିୟମ ଜୋନସ୍ ଭାରତରେ ପୁରାତନ ପୋଥି ଓ ଶିଳାଲେଖ ସଂଗ୍ରହ କରିବାକୁ ଆରମ୍ଭ କରିଥିଲେ ଏବଂ ଏଥିରେ ତାଙ୍କୁ ଆଉ ଜଣେ ଗବେଷକ ଚାର୍ଲସ ଉଇଲକିନସ ସହାୟତା କରିଥିଲେ । ୧୭୮୪ ମସିହାରେ ସାର ଜୋନସ କୋଲକାତା ଠାରେ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ ସ୍ଥାପନ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଏଥିରେ ସେମାନେ ସେତେବେଳର ଭାରତୀୟ ପଣ୍ଡିତ ମାନଙ୍କ ସହାୟତା ନେଇଥିଲେ ।

୧୮୦୮ ମସିହା ବେଳକୁ ସାର ଜୋନସ୍ ଓ ଉଇଲକିନସ କାଳିଦାସଙ୍କ ଶକୁନ୍ତଳା କାବ୍ୟକୁ ଇଂରାଜୀ ଭାଷାରେ ଅନୁବାଦ କରିସାରିଥିଲେ । କାଳକ୍ରମେ ଇଂରେଜମାନେ ଭାରତର ଉନ୍ନତ ସାହିତ୍ୟ ଓ ସଂସ୍କୃତିର ପରିଚୟ ପାଇ ପାରିଥିଲେ ବୋଲି ଡକ୍ଟର ଆଚାର୍ଯ୍ୟ କହିଥିଲେ । ଇଂରେଜମାନଙ୍କ ପରେ ଜର୍ମାନୀର ବିଶାରଦମାନେ ଭାରତର ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ପ୍ରଫେସର ଗାୟତ୍ରୀବାଳା ପଣ୍ଡା ପ୍ରାଚୀନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ତଥ୍ୟ ଉପସ୍ଥାପନା କରି ଏହା ସାରୋଳଦାସଙ୍କ ମହାଭାରଥକୁ ସମ୍ପାଦନା କରି ଅନେକ ଗୁଡ଼ିଏ ସଂଖ୍ୟା ପ୍ରକାଶିତ କରିଥିବା ଜଣାଇଥିଲେ । ଏହା ଛଡ଼ା ପ୍ରାଚୀନ ପକ୍ଷରୁ ୭ ଲକ୍ଷରୁ ଊଦ୍ଧ୍ୱର୍ ପୁରାତନ ପୋଥିର ପୃଷ୍ଠାକୁ ଡିଜିଟାଲାଇଜ୍ଡ କରାଯାଇଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଗୋ÷ରାଙ୍ଗ ଚରଣ ଦାସ ବକ୍ତବ୍ୟ ରଖି ପ୍ରାଚୀନ ଦ୍ୱାରା ଦ୍ୱିତୀୟ ଥର ପାଇଁ ଏପରି ଲେଖା ସମ୍ପାଦନା ଉପରେ କର୍ମଶାଳା ଆୟୋଜିତ ହୋଇଥିବା କହିଥିଲେ । କାର୍ଯ୍ୟକ୍ରମରେ ଡକ୍ଟର ନିହାର ରଞ୍ଜନ ମିଶ୍ର, ଆସୋସିଏଟ୍ ପ୍ରଫେସର, ଶ୍ରୀ ଜୀବନ କୁମାର ପଣ୍ଡା, ଶ୍ରୀ ବିଭୁତି ପ୍ରସାଦ ସାହୁ ଏବଂ ଶ୍ରୀ ସମ୍ବିତ ପଟ୍ଟନାୟକ ଉପସ୍ଥିତ ଥିଲେ ।

ସାବିତ୍ରୀ ବ୍ରତ : ଆସ୍ଥା, ପରମ୍ପରା ଓ ଅତୁଟ ସମ୍ପର୍କର ମହାପର୍ବ”

() ଘରେ ଘରେ ଆଜି ଭକ୍ତି ଓ ପାରମ୍ପରିକତାର ପରିବେଶ ମଧ୍ୟରେ ପାଳିତ ହେଉଛି ପବିତ୍ର “ସାବିତ୍ରୀ ବ୍ରତ”। ବିବାହିତ ନାରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ପରିବାରର ମଙ୍ଗଳ କାମନା କରି ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ପର୍ବ ଓଡ଼ିଆ ସଂସ୍କୃତିର ଏକ ପ୍ରମୁଖ ପାରମ୍ପରିକ ଉତ୍ସବ ଭାବେ ପରିଚିତ।

ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ମହିଳାମାନଙ୍କ ମଧ୍ୟରେ ବ୍ରତକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ସ୍ନାନ ସାରି ନୂତନ ଶାଢ଼ୀ ପରିଧାନ କରି, ଶଂଖା, ପଳା ଓ ସିନ୍ଦୂରରେ ସଜେଇ ମହିଳାମାନେ ବଟବୃକ୍ଷ ନିକଟରେ ପୂଜାର୍ଚ୍ଚନା କରି ଉପବାସ ରଖି ବଟ ବୃକ୍ଷରେ ସୂତା ବାନ୍ଧି ସ୍ୱାମୀଙ୍କ ମଙ୍ଗଳ କାମନା କରିଥାନ୍ତି। ବିଭିନ୍ନ ଦେବାଳୟ ଓ ପୂଜାସ୍ଥଳୀରେ ଭକ୍ତମାନଙ୍କ ଭିଡ଼ ରହିଥାଏ। ପୌରାଣିକ କଥାନୁସାରେ, ସାବିତ୍ରୀ ନିଜର ଅଦମ୍ୟ ସାହସ ଓ ଅତୁଟ ଭକ୍ତି ଦ୍ୱାରା ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁର ମୁଖରୁ ଫେରାଇ ଆଣିଥିଲେ। ସେହି ସ୍ମୃତିରେ ଏହି ବ୍ରତ ପାଳନ କରାଯାଏ। ଏହା ନାରୀଙ୍କ ତ୍ୟାଗ, ସମର୍ପଣ ଓ ପରିବାର ପ୍ରତି ଥିବା ତାଙ୍କର ଭଲପାଇବା କୁ ଦର୍ଶାଏ।

ସାବିତ୍ରୀ ବ୍ରତକୁ ନେଇ ବଜାର ମଧ୍ୟ ଚଳଚଞ୍ଚଳ ହୋଇପଡ଼େ। ଫଳ, ଫୁଲ ଓ ପୂଜା ସାମଗ୍ରୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ। ଆମ୍ବ, କଦଳୀ, ନଡ଼ିଆ, ପଣସ, ଖଜୁରୀ ସହ ବିଭିନ୍ନ ଫଳର ଚାହିଦା ରହିଥାଏ। ରାଜ୍ୟର ବିଭିନ୍ନ ସହରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ ହୋଇଥାଏ। ପୂଜକମାନେ ସାବିତ୍ରୀ-ସତ୍ୟବାନଙ୍କ ପୌରାଣିକ କଥା ପାଠ କରିବା ସହ ବ୍ରତର ମହତ୍ତ୍ୱ ବିଷୟରେ ମହିଳାମାନଙ୍କୁ ଅବଗତ କରାଇଥାନ୍ତି। ଅନେକ କିଛି ସ୍ଥାନରେ ସାମୂହିକ ବଟବୃକ୍ଷ ପୂଜା ଓ ଭଜନ ପରିବେଷଣ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳେ।

ଆଜିର ଏହି ଆଧୁନିକ ସମୟରେ ମଧ୍ୟ ସାବିତ୍ରୀ ବ୍ରତର ଗୁରୁତ୍ୱ କମିନାହିଁ। ଯୁବପିଢ଼ିର ମହିଳାମାନେ ମଧ୍ୟ ପାରମ୍ପରିକ ରୀତିନୀତିକୁ ଆଦର ସହ ପାଳନ କରୁଥିବା ଦେଖାଯାଇଛି। ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ସାବିତ୍ରୀ ବ୍ରତର ଗୁରୁତ୍ୱ ଅନେକ ଅଧିକ। ପରିବାରର ସମସ୍ତ ସଦସ୍ୟଙ୍କୁ ଏକତ୍ର କରିବା ସହ ପାରିବାରିକ ସମ୍ପର୍କକୁ ଆହୁରି ମଜବୁତ କରିଥାଏ ଏହି ପର୍ବ। ଏହା ମାଧ୍ୟମରେ ନୂତନ ପିଢ଼ି ଆମ ପରମ୍ପରା ଓ ସଂସ୍କୃତି ବିଷୟରେ ଜାଣିପାରୁଛନ୍ତି। ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଥିବା ସାବିତ୍ରୀ ବ୍ରତ ଓଡ଼ିଆ ସଂସ୍କୃତିର ଗୌରବକୁ ଆହୁରି ସମୃଦ୍ଧ କରିଛି। ପରମ୍ପରା, ଆସ୍ଥା ଓ ପାରିବାରିକ ମୂଲ୍ୟବୋଧର ଏହି ମହାପର୍ବ ଆଗାମୀ ପିଢ଼ିକୁ ମଧ୍ୟ ସମାନ ଭାବେ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ଆଶା ପ୍ରକାଶ କରୁଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news