
*ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ କଂଗ୍ରେସ ତୃଣମୂଳ ସ୍ତର ଯାଏ ନେବ: ଭକ୍ତ*
* *ପିଏସି ବୈଠକରେ କଂଗ୍ରେସ ନେତାଙ୍କ ଉତ୍ସାହ ଏହି ଆନ୍ଦୋଳନକୁ ସଫଳ କରିବାର ପୂର୍ବାଭାଷ: ଦେଶାଇ*
* *ପେସା ଆଇନକୁ ଅଣଦେଖା ପରେ ଏମଏମ୍ଡିଆର ଆଦିବାସୀଙ୍କ ବେଡ଼ି ଉପରେ କୋରଡ଼ା: କଡ଼ାମ*
> *ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଦାବିରେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଭେଟିବ*
କଂଗ୍ରେସ ଭବନଠାରେ ଆଜି ଦଳର ଗୁରୁତ୍ୱପୂର୍ଣ ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓପିସିସି ସଭାପତି ଭକ୍ତ ଚରଣ ଦାସ, ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାରଙ୍କ ସମେତ କମିଟିର ପ୍ରାୟ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଶେଷତଃ ଏମଏମଡିଆର ବିଲକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ତଥା ଦଳର ଆଗାମୀ କାର୍ଯ୍ୟପନ୍ଥା ବିଷୟ ସ୍ଥିର ହୋଇଥିଲା l ଗତ ୧୮ ତାରିଖ ଏ ନେଇ ହୋଇଥିବା ସର୍ବଦଳୀୟ ବୈଠକର ନିର୍ଯାସକୁ ସର୍ବସମ୍ମତ କ୍ରମେ ଗୃହୀତ କରାଯାଇଥିଲା। ରାଷ୍ଟ୍ରପତି ତୁରନ୍ତ ଏହି ଓଡ଼ିଶା-ବିରୋଧୀ ଓ ଆଦିବାସୀ ବିରୋଧୀ ଆଇନକୁ ପ୍ରତ୍ୟାହାର ନ କଲେ ରାଜ୍ୟର ଖଣିଖାଦାନ ଥିବା ଜିଲ୍ଲାମାନଙ୍କରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକିବା ସହ ଏକ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ଦାବି ଦୋହରାଯାଇଥିଲା। ଅନ୍ୟ ପକ୍ଷରେ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଡାକି କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ଦାବି କରାଯାଇଥିଲା। ଆବଶ୍ୟକ ସ୍ଥଳେ ଏହି ଆନ୍ଦୋଳନକୁ ପଂଚାୟତ ସ୍ତର ଯାଏ ନେବାକୁ ପ୍ରସ୍ତାବ ଦିଆଯାଇଥିଲା। ଦଳର ବରିଷ୍ଠ ନେତାମାନେ ପର୍ଯ୍ୟବେକ୍ଷକ ଭାବେ ତୃଣମୂଳ ସ୍ତରକୁ ଯାଇ ଆନ୍ଦୋଳନକୁ ସଠିକ ଦିଗ୍ଦର୍ଶନ ଦେବାକୁ ଆହ୍ବାନ କରାଯାଇଥିଲା। ଅସାଧୁ ଅଣଓଡ଼ିଆ ଖଣିମାଲିକମାନେ ଲୁଟ୍ କରୁଥିବାରୁ ଓଡ଼ିଶାର ସମସ୍ତ ଖଣିଖାଦାନର ପରିଚାଳନା ଓଏମ୍ସିକୁ ରାଜ୍ୟ ସରକାର ଅର୍ପଣ କରନ୍ତୁ ବୋଲି ପୂର୍ବତନ ସଭାପତି ଜୟଦେବ ଜେନା ପ୍ରସ୍ତାବ ଦେଇଥିଲେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ, ତେବେ ସେ ଯଦି ତାଙ୍କ ରାଜ୍ୟର ବକେୟା ଦେୟ ସଂଗ୍ରହ କଲେ, ଓଡ଼ିଶାର ଆଦିବାସୀ ମୁଖ୍ୟମନ୍ତ୍ରୀ କାହିଁକି କଲେନାହିଁ ବୋଲି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ରାଜ୍ୟରେ ଏକ ବଡ଼ ଆନ୍ଦୋଳନ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକ ସୁଯୋଗ ଦେଇଛନ୍ତି। କଂଗ୍ରେସ ଏହି ସୁଯୋଗକୁ ଏକ ବଡ଼ ଆନ୍ଦୋଳନରେ ପରିଣତ କରୁ ବୋଲି ସେ କହିଥିଲେ। ପେସା ଆଇନ କାର୍ଯ୍ୟକାରୀ ନ କରିବା ପରେ ଏବେ ଏମଏମଡିଆର୍ ଆଦିବାସୀଙ୍କ ବେଡ଼ି ଉପରେ କୋରଡ଼ା ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ମତ ଦେଇଥିଲେ।
ଏହି ପରିପେକ୍ଷୀରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ପ୍ରଭାରୀ ଶ୍ରୀ ଦେଶାଇ କହିଛନ୍ତି ଯେ, ସରକାର କୌଣସି ଆଲୋଚନା ଓ ମତାମତ ଗ୍ରହଣ ନକରି ଏମଏମଡିଆର ଆଇନ ସଂସଦରେ ପାସ କରିଦେଲେ l ଏହି ଆଇନ ଦ୍ୱାରା ଦେଶରେ ସବୁଠୁ ବେଶୀ ଓଡ଼ିଶାର କ୍ଷତି ହେବ l ରାଜ୍ୟର ଖଣି କର ସ୍ୱାୟତ୍ତତା କେନ୍ଦ୍ର ନିଜ ହାତକୁ ନେଇ ନିଜ ଅନୁଗାମୀଙ୍କୁ ଖଣି ତଥା ସମସ୍ତ ସୁବିଧା ଯୋଗେଇଦେବା ପାଇଁ କେନ୍ଦ୍ର ସରକାର ଏକ ମସ୍ତବଡ଼ ଷଡଯନ୍ତ୍ର କରିଛନ୍ତି l ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି l ଦେଶକୁ ଆଦିବାସୀ ରାଷ୍ଟ୍ରପତି ଓ ରାଜ୍ୟକୁ ଆଦିବାସୀ ମୁଖ୍ୟମନ୍ତ୍ରୀ ଦେଲୁ ବୋଲି ବିଜେପି ବାରମ୍ବାର କହୁଛି l କିନ୍ତୁ ପ୍ରକୃତରେ ଏମାନଙ୍କଠାରୁ ସରକାର ବିଲ ଦସ୍ତଖତ କରାଇ ଓଡିଶାବାସୀଙ୍କୁ ଠକାମୀ କରି ଆଦିବାସୀଙ୍କ ଅଧିକାର ଉଚ୍ଛେଦ କରିଛନ୍ତି ବୋଲି ଶ୍ରୀ ଦେଶାଇ କହିଛନ୍ତି l
ପ୍ରେସ୍ ବିବୃତ୍ତି ସମୟରେ ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ। ଆଜିର ପରିବର୍ଦ୍ଧିତ ପିଏସି ବୈଠକରେ ବିଧାୟକଗଣ ଓ ପ୍ରଭାବିତ ୧୦ ଜିଲ୍ଲାର ଡିସିସି ସଭାପତି ମଧ୍ୟ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ୨୧ ତାରିଖ ଶୁକ୍ରବାର କଂଗ୍ରେସ ବିଧାୟକମାନେ ଶ୍ରୀ କଡ଼ାମଙ୍କ ନେତୃତ୍ବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ସାକ୍ଷାତ କରି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି ଜଣାଇବେ।
ଆଜିର ପିଏସି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ନଗେନ୍ଦ୍ରନାଥ ପ୍ରଧାନ, ସୁରେଶ ରାଉତରାୟ, କିଶୋର ପଟେଲ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ଆଇନଜୀବୀ ଶିବାନନ୍ଦ ରାୟ, ବିଧାୟକ ଡା.ରାଜନ ଏକ୍କା, ସାଗର ଦାସ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ପିଓ୍ବାଇସି ସଭାପତି ରଣଜିତ ପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଉପସଭାପତି ସସ୍ମିତା ବେହେରା, ଛାତ୍ରକଂଗ୍ରେସ ସଭାପତି ବିଭୁତି ମହାପାତ୍ର ଓ ଡିସିସି ସଭାପତିବୃନ୍ଦ ଆନ୍ଦୋଳନର ରୂପରେଖ ନେଇ ନିଜନିଜ ମତ ରଖିଥିଲେ।

ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରାରେ ମାନସିକ ରୋଗ ବିଭାଗ ପକ୍ଷରୁ ଅତ୍ୟାଧୁନିକ ମୋଡିଫାଏଡ୍ ଇଲେକ୍ଟ୍ରୋକନଭଲସିଭ୍ ଥେରାପି (ଇସିଟି) ସେବା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଉନ୍ନତ ମାନସିକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ହୋଇପାରିବ ।
ହସ୍ପିଟାଲ୍ରେ ସ୍କିଜୋଫ୍ରେନିଆରେ ପୀଡ଼ିତ ଜଣେ ରୋଗୀଙ୍କ ଉପରେ ସଫଳତାର ସହ ପ୍ରଥମ ମୋଡିଫାଏଡ୍ ଇସିଟି ପ୍ରୟୋଗ କରାଯିବା ସହ ଏହି ନୂତନ ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ।
ଏହି ଅବସରରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଭବାନୀ ଶଙ୍କର କହିଛନ୍ତି ଯେ, ତୀବ୍ର ମାନସିକ ବିଭ୍ରାଟରେ ଥିବା ରୋଗୀଙ୍କ ପାଇଁ ମୋଡିଫାଏଡ୍ ଇସିଟି ଏକ ଅତ୍ୟନ୍ତ ପ୍ରଭାବଶାଳୀ ଓ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପଦ୍ଧତି । ପାରଂପରିକ ଇସିଟି ତୁଳନାରେ ମୋଡିଫାଏଡ୍ ଇସିଟି ସାଧାରଣ ନିଶ୍ଚେତନ ଓ ମାଂସପେଶୀ ଶିଥିଳକରଣ ମାଧ୍ୟମରେ କରାଯାଏ, ଯାହା ରୋଗୀଙ୍କ ସୁରକ୍ଷା ଓ ଆରାମକୁ ଅଧିକ ନିଶ୍ଚିତ କରିଥାଏ ।
ଏହି ସେବାର ସଫଳ ଆରମ୍ଭ ପାଇଁ ମାନସିକ ରୋଗ ଓ ନିଶ୍ଚେତନ ବିଭାଗର ଟିମ୍ର ସମନ୍ୱିତ ପ୍ରୟାସକୁ ଡାକ୍ତର ଶଙ୍କର ପ୍ରଶଂସା କରିଥିଲେ । ଏଥିସହ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍-୨ର ଡିନ୍ ପ୍ରଫେସର (ଡାକ୍ତର) ସ୍ନିଗ୍ଧା ପ୍ରଭା ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କାଙ୍କ ନିରନ୍ତର ସହଯୋଗ, ନେତୃତ୍ୱ ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ ।
ଏହି ଅବସରରେ ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର)ଲଗ୍ନଜିତ୍ ଦାଶ କହିଥିଲେ ଯେ, ଏହି ୟୁନିଟ୍ ସଂପୂର୍ଣ୍ଣ ଭାବେ ସୁସଜ୍ଜିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଫଳରେ ଗୁରୁତର ମାନସିକ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ଓ ତ୍ୱରିତ ଆରୋଗ୍ୟ ସୁବିଧା ପ୍ରଦାନ କରିବା ସମ୍ଭବ ବୋଲି ଡାକ୍ତର ଦାଶ କହିଥିଲେ ।

ମାତ୍ର ୧୪ ବର୍ଷ ବୟସରେ ପୁସ୍ତକ ରଚନା କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଡିଏଭି ପବ୍ଲିକ୍ ସ୍କୁଲ୍, ପୋଖରୀପୁଟର ନବମ ଶ୍ରେଣୀ ଛାତ୍ରୀ ଶ୍ରେୟାଶୀ ପଟ୍ଟନାୟକ । ତାଙ୍କ ରଚିତ ପ୍ରଥମ ପୁସ୍ତକ ‘ଲାଇଫ୍: ଏ ସିରିଜ୍ ଅଫ୍ ପ୍ରୋକ୍ରାଷ୍ଟିନେସନ୍’ ବିଳମ୍ବନ ଅର୍ଥାତ୍ କାର୍ଯ୍ୟକୁ ଟାଳିବାର ଅଭ୍ୟାସ ଉପରେ ଆଧାରିତ ।
ଅଗଷ୍ଟ ୧୫ ତାରିଖରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଶ୍ରେୟାଶୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ ।
ସରଳ ଓ ଚିନ୍ତନଶୀଳ ଶୈଳୀରେ ଲିଖିତ ଏହି ପୁସ୍ତକରେ କାମ, ନିଷ୍ପତି ଓ ସ୍ୱପ୍ନକୁ ‘ପରେ କରିବା’ ନୀତିରେ ଟାଳିବାର ପ୍ରବୃତି ସଂପର୍କରେ ଆଲୋକପାତ କରାଯାଇଛି । ପ୍ରୋକ୍ରାଷ୍ଟିନେସନ୍ କେବଳ ଅଳସୁଆପଣ ନୁହେଁ, ବରଂ ଭୟ, ଅନିଶ୍ଚିତତା, ସବୁକିଛି ଠିକ୍ କରିବାର ଚାପ ଏବଂ ସ୍ୱପ୍ନକୁ ଅନ୍ୟ ଏକ ଦିନ ନିମନ୍ତେ ରଖି ଦେବା ଭଳି ମାନବୀୟ ଭାବନା ସହ ଜଡିତ ବୋଲି ପୁସ୍ତକରେ ଦର୍ଶାଯାଇଛି ।
ଛାତ୍ରଛାତ୍ରୀ ଓ ଯୁବ ସ୍ୱପ୍ନଦ୍ରଷ୍ଟାଙ୍କ ପାଇଁ ଏହି ପୁସ୍ତକର ମୁଖ୍ୟ ବାର୍ତା ହେଉଛି ଜୀବନରେ କିଛି ଆରମ୍ଭ କରିବା ପାଇଁ ସବୁ କିଛି ସଂପୂର୍ଣ୍ଣ ହେବା ଆବଶ୍ୟକ ନୁହେଁ ବରଂ ପ୍ରଥମ ପଦକ୍ଷେପ ନେବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ।
ଶ୍ରେୟାଶୀ ପାଠପଢ଼ା ସହ ଚିତ୍ରକଳା ଓ ନୃତ୍ୟକୁ ମଧ୍ୟ ଭଲ ପାଆନ୍ତି । ଦୈନନ୍ଦିନ ଜୀବନର ଛୋଟ ଛୋଟ ଘଟଣା ମଧ୍ୟରେ କାହାଣୀ ଖୋଜିବା ତାଙ୍କର ବିଶେଷ ରୁଚି । ତାଙ୍କର ଏହି ଉତ୍ସୁକତା ଓ ପର୍ଯ୍ୟବେକ୍ଷଣ ଶକ୍ତି ତାଙ୍କୁ ଲେଖାଲେଖି ପାଇଁ ପ୍ରେରିତ କରିଛି ।
ଶ୍ରେୟାଶୀ ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ର ଆସୋସିଏଟ୍ ପ୍ରଫେସର ଡକ୍ଟର ସୋଭନ ପଟ୍ଟନାୟକ ଏବଂ ସମ ହସ୍ପିଟାଲ୍ର ଫାର୍ମାସି ବିଭାଗର ମୁଖ୍ୟ ଡକ୍ଟର ଜସ୍ମିନ ପଣ୍ଡାଙ୍କ କନ୍ୟା ।
ଏତେ କମ୍ ବୟସରେ ଶ୍ରେୟାଶୀଙ୍କ ଏହି ସଫଳତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, କଳ୍ପନା ଶକ୍ତି ଓ ସାହିତ୍ୟିକ ପ୍ରତିଭାର ବିକାଶ ସହ ନିଜ ଚିନ୍ତାଧାରାକୁ ଆତ୍ମବିଶ୍ୱାସର ସହ ପ୍ରକାଶ କରିବାର କଳାକୁ ପ୍ରତିଫଳିତ କରୁଛି ।

ଭୁଲିଯିବା ଗୋଟେ ଭଲ ଅଭ୍ୟାସ। ବେଳେବେଳେ ଜୀବନରେ କିଛି କଥାକୁ ମନେ ରଖିବାଠାରୁ ଭୁଲିଯିବା ଅଧିକ ଶାନ୍ତି ଦିଏ। ଆଜିର ଦୁନିଆରେ ଯିଏ ଯେତେ ଶୀଘ୍ର ଭୁଲିବା ଶିଖିଯାଏ, ସେ ବୋଧହୁଏ ସେତେ ଶାନ୍ତିରେ ବଞ୍ଚିପାରେ। ସବୁକିଛି ମନେ ରଖି ଲାଭ ବି କ’ଣ? ମଣିଷର ଜୀବନଟା ଯେମିତି ଗୋଟେ ଲମ୍ବା ରେଖା । ଯାହାର ଗୋଟିଏ ପାର୍ଶ୍ୱରେ ସ୍ମୃତି, ଆଉ ଅନ୍ୟ ପାର୍ଶ୍ୱରେ ଭୁଲିଯିବା। ଆଜି ଟିକେ ଭାବନ୍ତୁ ତ… ଆପଣ ଆପଣଙ୍କ ବାପାଙ୍କୁ ମନେ ରଖିଛନ୍ତି, ବାପାଙ୍କ ବାପାଙ୍କୁ ବି ହୁଏତ ମନେ ରଖିଛନ୍ତି। କିନ୍ତୁ ତାଙ୍କ ବାପାଙ୍କ ନାଁ? ତାଙ୍କ ଚେହେରା? ତାଙ୍କ ଜୀବନର କାହାଣୀ? ତିନି-ଚାରି ପୁରୁଷ ପଛକୁ ଗଲେ ଆମ ସ୍ମୃତି ଧୀରେ ଧୀରେ ଧୂସର ହୋଇଯାଏ। ଆମେ ସେମାନଙ୍କୁ ଭୁଲିଯାଉ। ତଥାପି ଆମେ ଖୁସିରେ ଅଛୁ। ଘର ଅଛି, ଜମି ଅଛି, ଧନସମ୍ପତ୍ତି ଅଛି, ନିଜର ଗୋଟେ ଦୁନିଆ ଅଛି। ତାହେଲେ କହନ୍ତୁ, ଏଠି ଭୁଲିଯିବାଟା ଆଶୀର୍ବାଦ ନୁହେଁ କି? ଦିନେ ରୋଜି ବି ମୁନାକୁ ଭୁଲିଯାଇଥିଲା। ଏକଦିନ ଯେଉଁ ମଣିଷଟା ତା’ ଜୀବନର ସବୁଠାରୁ ବଡ଼ କାହାଣୀ ଥିଲା, ସମୟ ଗଡ଼ିବା ସହ ସେହି କାହାଣୀଟା ଧୀରେ ଧୀରେ ପୁରୁଣା ହୋଇଗଲା। ଆଜି ମୁନା ନିଜ ଜୀବନରେ ଖୁସି, ରୋଜି ବି ନିଜ ଜୀବନରେ ଖୁସି।
ଯଦି ଦୁହେଁ ସେହି ପୁରୁଣା ପ୍ରେମ, ପୁରୁଣା ଅଭିମାନ, ପୁରୁଣା କଥାକୁ ଆଜି ବି ମନେ ରଖିଥାନ୍ତେ, ତେବେ ହୁଏତ ଦୁହିଁଙ୍କ ଜୀବନ ଆଜି ବି କଷ୍ଟରେ ଥାଆନ୍ତା। ସମୟର ଚକ୍ର ଦୁହିଁଙ୍କୁ ପରସ୍ପରଠାରୁ ଦୂରେଇ ଦେଲା, ଆଉ ଦିନେ ପରସ୍ପରକୁ ଭୁଲିଯିବା ହିଁ ସେମାନଙ୍କ ପାଇଁ ଭଲ ହୋଇଗଲା।
କିଛି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ମଧ୍ୟ କେତେବେଳେ କିଛି କଥାକୁ ଭୁଲିଯିବାକୁ ପଡ଼େ।ଧରନ୍ତୁ, ଆପଣଙ୍କ ଅତି ଭଲ ବନ୍ଧୁ ସହ କୌଣସି କଥାକୁ ନେଇ ଝଗଡ଼ା ହେଲା। ରାଗରୁଷା ହେଲା। ମନ ଖରାପ ହେଲା। ସେହି ଘଟଣାକୁ ବାରମ୍ବାର ମନେ ପକାଇଲେ କ’ଣ ହେବ? ରାଗ ଆହୁରି ବଢ଼ିବ। ଦୂରତା ଆହୁରି ବଢ଼ିବ। କିନ୍ତୁ ସେହି କଥାକୁ ଯଦି ଦୁହେଁ ଭୁଲିଯାଆନ୍ତି, ତେବେ ସମ୍ପର୍କଟା ହୁଏତ ପୁଣି ଆଗଭଳି ହୋଇପାରେ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ତ ଭୁଲିଯିବାର ମୂଲ୍ୟ ଆହୁରି ଅଧିକ। ଦୁଇଜଣ ମଣିଷ ଏକାଠି ରହିଲେ ମତଭେଦ ହେବ, ଝଗଡ଼ା ହେବ, ଅଭିମାନ ହେବ। କିନ୍ତୁ ପ୍ରତିଟି ଝଗଡ଼ାର ହିସାବ ଯଦି ଜୀବନସାରା ଖାତାରେ ଲେଖି ରଖାଯାଏ, ତେବେ ସେହି ସମ୍ପର୍କରେ ଭଲପାଇବା ପାଇଁ ଜାଗା କେଉଁଠି ରହିବ?
ତେଣୁ କିଛି କଥା ଭୁଲିଯିବା ଦରକାର। କିଛି ଅଭିମାନ ଭୁଲିଯିବା ଦରକାର। କିଛି ଝଗଡ଼ା ଭୁଲିଯିବା ଦରକାର। ଅଫିସଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନ ପର୍ଯ୍ୟନ୍ତ ଆମ ସହ ପ୍ରତିଦିନ ଅନେକ ଘଟଣା ଘଟେ। କେହି କିଛି କହିଦିଏ, କେହି ମନ ଦୁଃଖ ଦିଏ, କେହି ଅବହେଳା କରେ, କେହି ଧୋକା ଦିଏ। ସବୁକିଛି ଯଦି ମନ ଭିତରେ ଧରି ବସିବା, ତେବେ ଜୀବନଟା କେବେ ହାଲୁକା ହେବ?
କିନ୍ତୁ ଏଠି ଗୋଟେ ପ୍ରଶ୍ନ ଅଛି—ସତରେ କ’ଣ ଭୁଲିଯିବା ଏତେ ସହଜ?
ନା।
ଭୁଲିଯିବା କଥାଟା ଯେତିକି ସହଜ ଶୁଣାଯାଏ, ପ୍ରକୃତରେ ସେତିକି ସହଜ ନୁହେଁ। କିଛି ସ୍ମୃତି ମଣିଷ ଚାହିଁଲେ ବି ଭୁଲିପାରେ ନାହିଁ। କିଛି ଘଟଣା ସମୟ ସହ ଧୂସର ହୋଇଯାଏ, କିନ୍ତୁ ପୂରାପୂରି ହଜିଯାଏ ନାହିଁ। ପୁରାଣଠାରୁ ସାମାଜିକ ଚଳଣି ପର୍ଯ୍ୟନ୍ତ ଯଦି ମଣିଷ ସବୁକିଛି ଭୁଲିଯାଇଥାନ୍ତା, ତେବେ ହୁଏତ ଆଜିର ଦୁନିଆ ଏତେ ଆଗକୁ ଆସିପାରିନଥାନ୍ତା। ଇତିହାସ ଆମକୁ ଶିଖାଏ, ଅତୀତ ଆମକୁ ସତର୍କ କରେ। ସେଥିପାଇଁ ସବୁକିଛି ଭୁଲିଯିବା ଭଲ ନୁହେଁ।
କିଛି କଥା ମନେ ରଖିବା ଦରକାର।ଆଉ କିଛି କଥା ଭୁଲିଯିବା ଦରକାର।ଯେଉଁ କଥା ଆପଣଙ୍କୁ କଷ୍ଟ ଦିଏ, ଚିନ୍ତା ବଢ଼ାଏ, ମନରେ ରାଗ ଭରିଦିଏ, ଅନ୍ୟକୁ ଘୃଣା କରିବା ଶିଖାଏ—ସେହି କଥାକୁ ଯେତେ ଶୀଘ୍ର ଛାଡ଼ିପାରିବେ, ସେତେ ଭଲ।
ଯେଉଁ ସ୍ମୃତି ଆପଣଙ୍କ ହସ ଛଡ଼ାଇଦିଏ, ଯେଉଁ ଘଟଣା ଆପଣଙ୍କୁ ଶିଖାଏ, ଯେଉଁ ଲୋକ ଆପଣଙ୍କୁ ଭଲ ମଣିଷ ହେବାକୁ ପ୍ରେରଣା ଦିଏ—ସେମାନଙ୍କୁ ମନେ ରଖନ୍ତୁ।
ବାକି ସବୁକୁ ବେଳେବେଳେ ଭୁଲିଯାଆନ୍ତୁ।
କାରଣ ଜୀବନର ସବୁଠାରୁ ବଡ଼ ଶାନ୍ତି ବୋଧହୁଏ ସବୁକିଛି ପାଇବାରେ ନୁହେଁ, କିଛି କିଛି ଜିନିଷକୁ ଛାଡ଼ିଦେବାରେ ଅଛି।
ତେଣୁ ଭୁଲିଯିବାର ଅଭ୍ୟାସ କରନ୍ତୁ।
ମଝିରେ ମଝିରେ ନିଜ ମନକୁ ଟିକେ ଖାଲି କରନ୍ତୁ।
ଦେଖିବେ—
ମନଟା ହାଲୁକା ଲାଗିବ,
ରାଗ କମିଯିବ,
ଅଭିମାନ ହଜିଯିବ,
ସମ୍ପର୍କଗୁଡ଼ିକ ପୁଣି ସୁନ୍ଦର ଲାଗିବ।
ଆଉ ଜୀବନଟା…
ହୁଏତ ଆଗଠାରୁ ଟିକେ ଅଧିକ ଆନନ୍ଦମୟ ଲାଗିବ।
କାରଣ ସବୁକିଛି ମନେ ରଖି ବଞ୍ଚିବା ଜୀବନ ନୁହେଁ; କିଛି କଥାକୁ ଭୁଲିଯାଇ ହସିପାରିବା ହିଁ ବୋଧହୁଏ ଜୀବନର ସବୁଠାରୁ ବଡ଼ କଳା।

ଜନସେବା ରାଜନୀତିର ମୂଳମନ୍ତ୍ର । କେବଳ ସ୍ଲୋଗାନ ନୁହେଁ, ଏହା ବାସ୍ତବତା।ରାଜନୀତିକୁ ଆସିବା ଦିନଠୁ ପ୍ରଣବ ପଦପଦବୀ କି କ୍ଷମତା ଲୋଭୀ ନଥିଲେ। ପଦପଦବୀ ଠାରୁ ଦୂରେଇ ରହି ନେତା ଓ ଲୋକଙ୍କ ପାଇଁ ଦିନରାତି ଏକ କରି କାମ କରିବାରେ ସେ ଆନନ୍ଦ ପାଆନ୍ତି ।
ପ୍ରଣବ ଯେବେ ରାଜ୍ୟ ରାଜନୀତିରେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ସେତେବେଳେ ସେ ଯାଜପୁରକୁ ନୂଆ ବିକାଶର ପରିଚୟ ଦେଇଥିଲେ । ନବୀନଙ୍କ ନୀତିରେ କଥା କମ, କାମ ଅଧିକରେ ବିଶ୍ୱାସ ରଖନ୍ତି l ଦଳ କ୍ଷମତାରେ ଥିଲା ବେଳେ ଯେମିତି କ୍ଷମତାରୁ ଗଲା ପରେ ମଧ୍ୟ ବବିଙ୍କ କାମ କରିବାର ତରିକା ପୁରା ସମାନ। ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ବୁଝନ୍ତି। ଜନତାଙ୍କ ଦୁଃଖ ଓ ସୁଖର ସାଥି ବବି କାମ କରନ୍ତି। ପ୍ରବଳ ବର୍ଷା ଯୋଗୁଁ ଯାଜପୁର ବୈତରଣୀ ନଦୀରେ ଦୁଇଥର ବନ୍ୟା ଆସିବା ଯୋଗୁଁ ଯାଜପୁର ନିର୍ବାଚନୀ ମଣ୍ଡଳରେ ଥିବା ଦୁଇଟି ବ୍ଲକରେ ହଜାର ହଜାର ଲୋକ ପାଣି ଘେରରେ ରହିଲେ ଓ ପ୍ରଭାବିତ ମଧ୍ୟ୍ ହେଲେ । ଲୋକେ ଯେତେବେଳେ ଅସୁବିଧାରେ ରହିଲେ ଲୋକଙ୍କ ନେତା ବବି ଦିନରାତି ଏକ କରି ଲୋକଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କଲେ। କେଉଁଠି ଗାଁ ଲୋକଙ୍କ ସହ ମିଶି ବାଲିବସ୍ତା ପକାଇ ଘାଇ ରୋକିବାକୁ ପ୍ରୟାସ ତ କେଉଁଠି ବନ୍ୟା ବିପନ୍ନ ପାଖରେ କିପରି ରନ୍ଧାଖାଦ୍ୟ,ଚୁଡା ଗୁଡ଼, ପଲିଥିନ ପାଲ ଓ ଔଷଧ ପହଞ୍ଚାଇବାର ବ୍ୟବସ୍ଥା କଲେ। ବନ୍ୟାପାଣିକୁ ଖାତିର ନକରି ଅଣ୍ଟାଏ ପାଣିରେ ପଶି କାହା ଦାଣ୍ଡପିଣ୍ଡା ବାରଣ୍ଡାରେ ବସି ସାହସ ଜୁଟାଇଲେ ବନ୍ୟା ପ୍ରଭାବିତ ଲୋକଙ୍କର ତ କାହା ଭଙ୍ଗାଘର ଦେଖି ଭାବପ୍ରବଣ ହେଲେ ବବି । ନିର୍ବାଚନୀ ପ୍ରତିଶ୍ରୁତି ନୁହେଁ, ବର୍ଷାରେ ଭିଜିଭିଜି ବନ୍ୟା ସମୟରେ ବିପଦର ବନ୍ଧୁ ହୋଇ ଲୋକସେବାରେ ଲାଗିପଡିଲେ ପ୍ରଣବ ପ୍ରକାଶ ଦାସ (ବବି ) ଦାସ। ସେଥିପାଇଁ ପୁରା ଓଡିଶାରେ ଗୋଟିଏ କଥା ବବି ଅଛି ତ ସବୁ ଅଛି। ଆଜି ବି ଯାଜପୁରବାସିଙ୍କ ପାଖରେ ତାଙ୍କ ବବି ଭାଇ ପ୍ରଭାବଶାଳୀ ଓ କ୍ଷମତାଶାଳୀ। କାରଣ ବବି ହେଉଛନ୍ତି ବିଶ୍ୱାସ ଓ ଭରସାର ପ୍ରତୀକ। ସବୁବେଳେ ଯାଜପୁର ବାସୀଙ୍କ ସୁଖ ଓ ଦୁଃଖରେ ସେ ଓ ତାଙ୍କ ପରିବାର ଠିଆ ହୋଇଥାନ୍ତି ପରିବାରର ସଦସ୍ୟ ଭାବେ। ଜୁନ 4 ତାରିଖ ବିଜେଡି ଶାସନରୁ ଗଲା ପରେ ବବି ଯେମିତି କି ସେମିତି ଜନସେବା ଜାରି ରଖିଛନ୍ତି। ଯାଜପୁରବାସୀ କହୁଛନ୍ତି ଆମ ପାଖେ ଆମ ଭାଇ ଅଛି..

ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କ ସ୍ମୃତିଚାରଣ ମଧ୍ୟରେ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନେ ଏକତ୍ରିତ ହୋଇ ସ୍ୱାଧୀନତାର ମୂଲ୍ୟବୋଧକୁ ସ୍ମରଣ କରିଥିଲେ।
ରାଜ୍ୟ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ। ଏହି
ଅବସରରେ ଶ୍ରୀଯୁକ୍ତ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶର ସ୍ୱାଧୀନତା କେବଳ ଏକ ଐତିହାସିକ ଘଟଣା ନୁହେଁ, ଏହା ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଓ ଆତ୍ମବଳିଦାନର ଫଳ। ବ୍ରିଟିଶ ଶାସନର ଅତ୍ୟାଚାର ବିରୋଧରେ ଦେଶର ଅଗଣିତ ବୀର ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇଥିଲେ। ସେମାନଙ୍କ ତ୍ୟାଗ ଓ ଦେଶ ପ୍ରେମକୁ ଆମେ କେବେ ଭୁଲିପାରିବା ନାହିଁ। ଆଜିର ପିଢ଼ି ସେହି ତ୍ୟାଗରୁ ପ୍ରେରଣା ନେଇ ଦେଶର ଏକତା, ଅଖଣ୍ଡତା, ଗଣତନ୍ତ୍ର ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ, ଗଣମାଧ୍ୟମ ଗଣତନ୍ତ୍ରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସାମ୍ବାଦିକମାନଙ୍କ ଉପରେ ସତ୍ୟ ଓ ନିରପେକ୍ଷ ଖବର ଲୋକଙ୍କ ନିକଟରେ ପହଞ୍ଚାଇବାର ବଡ଼ ଦାୟିତ୍ୱ ରହିଛି। ସମାଜର ଅବହେଳିତ, ନିଷ୍ପେଷିତ ଓ ସମସ୍ୟା ଗ୍ରସ୍ତ ଲୋକଙ୍କ ସ୍ୱରକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନିର୍ଭୀକ ଭାବେ ଉଠାଇବା ସାମ୍ବାଦିକତାର ମୂଳ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଓଡ଼ିଶାର ଏକମାତ୍ର ସଂଗଠନ ଓୟୁଜେ ଯେକି ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଅହରହ ସଂଗ୍ରାମ ଜାରୀ ରଖିଛି। ରାଜ୍ୟ ସାଧାରଣ ସମ୍ପାଦକ
କିଷାନ ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସେ ସ୍ୱାଧୀନତା ଦିବସର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ସ୍ୱାଧୀନତା ପରେ ଦେଶ ଗଠନରେ ସାଧାରଣ ନାଗରିକଙ୍କ ଭୂମିକା ଉପରେ ମତ ରଖିଥିଲେ। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ସମାଜରେ ଭାଇଚାରା, ସହନଶୀଳତା ଓ ପରସ୍ପର ସମ୍ମାନର ଭାବନାକୁ ମଜବୁତ କରିବା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ସମ୍ପାଦକ ବିଶ୍ୱରଂଜନ ଆଚାର୍ଯ୍ୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ନିଜର ମତ ପ୍ରକାଶ କରିଥିବା ବେଳେ ଅନ୍ୟତମ ବରିଷ୍ଠ ସଦସ୍ୟ ପ୍ରମୋଦ ସାମନ୍ତରାୟ
ସ୍ୱାଧୀନତା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସ୍ୱାଧୀନତା ସଂଗ୍ରାମର ଦୀର୍ଘ ଇତିହାସ, ସ୍ୱାଧୀନତା ସଂଗ୍ରାମୀଙ୍କ ଅସୀମ ତ୍ୟାଗ ଏବଂ ସ୍ୱାଧୀନ ଭାରତର ନାଗରିକ ଭାବେ ଆମର କର୍ତ୍ତବ୍ୟ ଉପରେ ସେ ଆଲୋଚନା କରିଥିଲେ। ଦେଶର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ିକୁ ଦେଶପ୍ରେମ, ଶୃଙ୍ଖଳା ଓ ଦାୟିତ୍ୱବୋଧର ବାର୍ତ୍ତା ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ। ଉପସ୍ଥିତ ସାମ୍ବାଦିକ ମାନେ ସ୍ୱାଧୀନତାର ସୁରକ୍ଷା ସହ ଗଣତନ୍ତ୍ରରେ ସ୍ୱାଧୀନ ଓ ଦାୟିତ୍ୱଶୀଳ ଗଣମାଧ୍ୟମର ଭୂମିକା ନେଇ ମତ ବିନିମୟ କରିଥିଲେ। ସାମ୍ବାଦିକତା କେବଳ ଖବର ପରିବେଷଣରେ ସୀମିତ ନ ରହି ଜନସାଧାରଣଙ୍କ ସମସ୍ୟା, ସରକାରୀ ଯୋଜନାର ବାସ୍ତବ ସ୍ଥିତି ଏବଂ ସମାଜର ବିଭିନ୍ନ ଅସଙ୍ଗତିକୁ ଲୋକଲୋଚନକୁ ଆଣିବାରେ ଅଧିକ ସକ୍ରିୟ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ପ୍ରସନ୍ନ ପାଇକରାୟ, ଚିନ୍ମୟ ମହାପାତ୍ର, ସୁଧାଂଶୁ ପରିଡ଼ା ଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ।
ଶେଷରେ ଦେଶର ଏକତା ଓ ଅଖଣ୍ଡତା ଅକ୍ଷୁଣ୍ଣ ରଖିବା, ସମ୍ବିଧାନର ମର୍ଯ୍ୟାଦାକୁ ସମ୍ମାନ କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲା। ସ୍ୱାଧୀନତା ଦିବସର ଏହି ଆୟୋଜନ ଓୟୁଜେ ର ସାମ୍ବାଦିକ ମହଲରେ ଦେଶପ୍ରେମ ଓ ସାମାଜିକ ଦାୟିତ୍ୱବୋଧର ଏକ ସୁନ୍ଦର ବାର୍ତ୍ତା ଦେଇଥିଲା।

ବିଜେଡି ରାଜନୈତିକ କମିଟି ବୈଠକ ।
ଚାଷୀ ସମସ୍ୟା, ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା, ଖଣି ବିଲ, SIR ପଂଚାୟତ ନିର୍ବାଚନ ଓ ସାଂଗଠନିକ ବିଷୟ ରେ ଆଲୋଚନା। ଖଣି ବିଲ ଓ ଶିକ୍ଷା ଅବ୍ୟବସ୍ଥା ପ୍ରସଙ୍ଗରେ ବିଜେଡି ରାସ୍ତାକୁ ଓଲ୍ହାଇବ।
ବିଜୁ ଜନତାଦଳ ରାଜନୈତିକ କମିଟି ବୈଠକ ଆଜି ଦଳ ସଭା ପତି ଶ୍ରୀ ନବୀନ ପଟ୍ଟ ନାୟକ ଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ଚାଷୀ ପ୍ରସଙ୍ଗ, ଖଣି ବିଲ, ଶିକ୍ଷା ଅବ୍ୟବସ୍ଥା, SIR, ପଂଚାୟତ ନିର୍ବାଚନ ଓ ସଂଗଠନିକ ବିଷୟ ରେ ଆଲୋଚନା ହୋଇଥିଲା।
ଖରିଫ ଧାନ ବିକ୍ରି ନିମନ୍ତେ ରେଜିଷ୍ଟ୍ରସନ ପାଇଁ ଭାଗ ଚାଷୀ ମାନେ ଯେପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିରେ ସଭ୍ୟ ମାନେ ଉଦବେଗ ପ୍ରକାଶ କରିବା ସହ ଚାଷୀଙ୍କ ସ୍ୱାର୍ଥ ସହ ନ ଖେଳିବା ପାଇଁ ସରକାର ଙ୍କୁ ସତର୍କ କରିଦେଇଛନ୍ତି। ନିକଟରେ ପାର୍ଲାମେଣ୍ଟ ରେ ଗୃହୀତ MMDR ବିଲ ଯୋଗୁ ଓଡିଶା ପ୍ରଭୂତ କ୍ଷତି ସହିବ।
ଏ ବିଷୟ ନେଇ ସଭ୍ୟ ମାନେ ଚିନ୍ତା ପ୍ରକଟ କରିଥିଲେ। ଓଡିଶା ର ସ୍ୱାର୍ଥ ପାଇଁ ବିଜେଡି ଏଥିପାଇଁ ଆଇନ ଗତ ପଦକ୍ଷେପ ନେବା ସହ ରାସ୍ତା କୁ ଓଲ୍ହାଇବ ବୋଲି ନିଷ୍ପତ୍ତି ହୋଇଥିଲା। ସୂଚନା ଯୋଗ୍ୟ ଯେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟ ନାୟକ ଆଜି ଏ ବିଷୟରେ ମୁଖମନ୍ତ୍ରୀଙ୍କୁ ପତ୍ର ଲେଖି ସର୍ବଦଳୀୟ ବୈଠକ ଓ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବୀ ଜଣାଇଛନ୍ତି। SIR ର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଏଵେ ଖୁବ ଶୀଘ୍ର ଶେଷ ହେବ। ତେଣୁ ଯେପରି ଯୋଗ୍ୟ ଭୋଟର ତାଲିକା ରୁ ବାଦ ନ ପଡିବେ ସେଥିପ୍ରତି ସଜାଗ ରହିବାକୁ ଶ୍ରୀ
ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହା ସହତ ପଂଚାୟତ ନିର୍ବାଚନ ପାଇଁ ରଣକୌଶଳ ପୃସ୍ତୁତି ସହ ବ୍ଲକ ଓ ପଂଚାୟତ ସ୍ତରୀୟ କମିଟି ଗଠନ ଉପରେ ବୈଠକ ରେ ଗୁରୁତ୍ୱ ଆରୋପ କରାଯାଇଥିଲା।
ରାଜ୍ୟ ରେ ଶିକ୍ଷା କ୍ଷେତ୍ର ରେ ଚରମ ଅବ୍ୟବସ୍ଥା ଆଜି ସାରା ରାଜ୍ୟ ରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ପିଲାମାନଙ୍କୁ ସଂଶୋଧିତ ପୁସ୍ତକ ଯୋଗାଇବାରେ ବିଫଳ ହୋଇଥିବାରୁ ଏଥିପାଇଁ ଉତ୍ତରଦାୟିତ୍ୱ ଦାବୀ କରି ଆଗାମୀ ଦିନରେ ବିଜେଡି ତାର ଆନ୍ଦୋଳନ କୁ ଆହୁରି ତୀବ୍ର କରିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଥିଲା।

*ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସ ଦେବ ଦୁଇ ଦିନିଆ ଅହରାତ୍ର ଧାରଣା*
ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଘରୁ ବାହାରିପାରିବେ ନାହିଁ
*ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରାଯାଉ, ନଚେତ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଭୂତି ମହାପାତ୍ର*
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି ଓଡ଼ିଶା ଛାତ୍ର କଂଗ୍ରେସ। ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଦୀର୍ଘଦିନ ଧରି ଛାତ୍ର ସଂସଦ ନିର୍ବାଚନ ନହେବାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଘୋଷଣା କରାଯାଇଛି।
ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବ ନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସରକାର ଏଥିପ୍ରତି ଉଦାସୀନ ରହିଛନ୍ତି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରାଯାଉଥିବା ଅଭିଯୋଗ କରି ସେ ଏହା ବିରୋଧରେ ଛାତ୍ର କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।
ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ। ଏହି ଦାବିରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଦୁଇ ଦିନିଆ ଅହରାତ୍ର ଧାରଣା କରାଯିବ ବୋଲି ବିଭୂତି ଭୂଷଣ ମହାପାତ୍ର ଘୋଷଣା କରିଛନ୍ତି।
ସେ କହିଛନ୍ତି, “ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଛାତ୍ର କଂଗ୍ରେସର ଆନ୍ଦୋଳନ ଜାରି ରହିବ।”
ସେହିପରି, ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ଘେରିଛି ଛାତ୍ର କଂଗ୍ରେସ। ଦୁଇ ବର୍ଷ ଧରି ବିଶ୍ୱବିଦ୍ୟାଳୟ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ନହେବାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଇସ୍ତଫା ଦେବାକୁ ଦାବି କରିଛି ଛାତ୍ର କଂଗ୍ରେସ।
ଶ୍ରୀ ମହାପାତ୍ର କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର। ଏହି ଅଧିକାରକୁ କେହି ଛଡ଼ାଇ ନେଇପାରିବେ ନାହିଁ। ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରନ୍ତୁ, ନଚେତ ଉଚ୍ଚଶିକ୍ଷା ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ।”
ଛାତ୍ର କଂଗ୍ରେସର ଦୁଇଟି ପ୍ରମୁଖ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି।
ଛାତ୍ର କଂଗ୍ରେସର ପ୍ରମୁଖ ଦାବି:
1. ପାଠ୍ୟପୁସ୍ତକର ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ।
2. ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରାଯାଉ।
3. ଛାତ୍ର ସଂସଦ ନିର୍ବାଚନ କରିବାରେ ବିଫଳତା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଇସ୍ତଫା ଦିଅନ୍ତୁ।
4. ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ କରାଯାଉ।

ପରିବେଶ ପ୍ରଦୁଷଣ ଓ ଏହାର ସୁରକ୍ଷା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବା ବେଳେ ଏହାର ସନ୍ତୁଳନ ଲାଗି ବୃକ୍ଷରୋପଣ ସମସ୍ତଙ୍କର ଦାୟିତ୍ୱ ରହିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।
ଶୁକ୍ରବାର ସୋଆ କ୍ୟାମ୍ପସ – ୪ ପରିସରରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ସବୁକ୍ୟାମ୍ପସକୁ ସବୁଜ କ୍ୟାମ୍ପସ କରାଯିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି ।
ସୋଆ ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍), ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରି (ଆଇଭିଏସ୍ଏଏଚ୍) ଏବଂ ଆଇନ ମହାବିଦ୍ୟାଳୟ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍ଏନ୍ଆଇଏଲ୍)ର ମିଳିତ ଆନୁକୂଲ୍ୟରେ ଏହି ବିଶାଳା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ପରିବେଶର ସୁରକ୍ଷା ନିମନ୍ତେ ଏହି ମହତ୍ କାର୍ଯ୍ୟର ଆୟୋଜନ କରାଯାଇଥିବା ବେଳେ ବଉଳ, ସୁନାରୀ, କାଂଚନ, ଅର୍ଜୁନ, ପିସ୍ତାବାଦାମ, ଜାମ୍ମୁ, ବାହାଡା, କୃଷ୍ଣଚୂଡ଼ା ଓ ବଡ଼ ଚାକୁଣ୍ଡା ଭଳି ୧୨ ପ୍ରକାରର ୫୦୦ଟି ବୃକ୍ଷ ରୋପଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସୋଆର ବରିଷ୍ଠ ପଦାଧିକାରୀ, ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ ।

ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ ଗଣିତ ବିଭାଗ ପକ୍ଷରୁ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ‘ଇଂଟରନ୍ୟାସନାଲ୍ କନଫରେନ୍ସ ଅନ୍ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ ଫର୍ ଇଞ୍ଜିନିୟରିଂ ସାଇନ୍ସେସ୍ ଆଣ୍ଡ ହେଲ୍ଥକେୟାର (ଆଇସିସିଏମ୍ଇଏସ୍ଏଚ୍-୨୦୨୬)’ର ଗୁରୁବାର ଉଦ୍ଘାଟିତ ହୋଇଯାଇଛି ।
ଏହି ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶର ବିଶିଷ୍ଟ ଶିକ୍ଷାବିତ୍, ଗବେଷକ, ବୈଜ୍ଞାନିକ ଏବଂ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେଇ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ ଏବଂ ଏହାର ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟସେବା ଓ ଆନ୍ତଃବିଭାଗୀୟ ବିଜ୍ଞାନ କ୍ଷେତ୍ରରେ ପ୍ରୟୋଗ ସଂପର୍କିତ ଅତ୍ୟାଧୁନିକ ଗବେଷଣା ଉପରେ ମତ ବିନିମୟ କରିବେ ।
ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀଲଙ୍କାର ୟୁନିଭର୍ସିଟି ଅଫ୍ କଲମ୍ବୋର ଚେୟାର ପ୍ରଫେସର ଅଫ୍ ମ୍ୟାଥମାଟିକ୍ସ ତଥା ସେଂଟର ଫର ମ୍ୟାଥମାଟିକାଲ୍ ମଡେଲିଂର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ପେରେରା ମୁଖ୍ୟ ଅତିଥି ଏବଂ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଗଣିତ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆୟୋଜକ ଅଧ୍ୟକ୍ଷ ପ୍ରଫେସର ସୁନିତା ଚାନ୍ଦ, ସମ୍ମିଳନୀର ଆବାହକ ପ୍ରଫେସର ମିତାଲୀ ମଧୁସ୍ମିତା ନାୟକ ଏବଂ ସହ-ଆବାହକ ଡଃ ସୌଭାଗ୍ୟ କୁମାର ସାହୁ ଓ ଡଃ ପିନାକୀ ପ୍ରସାଦ କର ଉପସ୍ଥିତ ଥିଲେ ।
ଉଦ୍ଘାଟନୀ ଭାଷଣରେ ପ୍ରଫେସର ସଞ୍ଜୀବ ପେରେରା ସଂକ୍ରାମକ ରୋଗ ସମେତ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରର ଜଟିଳ ଚ୍ୟାଲେଞ୍ଜର ମୁକାବିଲାରେ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ, ଗାଣିତିକ ମଡେଲିଂ ଏବଂ କୃତ୍ରିମ ବୁଦ୍ଧିମତାର (ଏଆଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।
ନିଜ ଅଭିଭାଷଣରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ବର୍ତମାନ ସମୟରେ ବାସ୍ତବ ଜୀବନର ବହୁମାତ୍ରିକ ସମସ୍ୟାର ସମାଧାନ କ୍ଷେତ୍ରରେ କଂପ୍ୟୁଟେସନାଲ୍ ସାଇନ୍ସେସ୍ର ଭୂମିକା କ୍ରମଶଃ ବୃଦ୍ଧି ପାଉଛି । ଉଚ୍ଚମାନର ଗବେଷଣା, ନବସୃଜନ ଏବଂ ଆନ୍ତର୍ଜାତୀୟ ଶୈକ୍ଷିକ ସହଯୋଗକୁ ସୋଆ ସଦାସର୍ବଦା ପ୍ରାଧାନ୍ୟ ଦେଇଆସୁଛି ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ସମ୍ମାନସ୍ୱରୂପ ସ୍ମାରକ ପ୍ରଦାନ କରାଯାଇଥିବା ବେଳେ ସମ୍ମିଳନୀର ଅବଷ୍ଟ୍ରାକ୍ଟ ବୁକ୍ ଉନ୍ମୋଚିତ ହୋଇଥିଲା ।
ସମ୍ମିଳନୀରେ ବିଶ୍ୱପ୍ରସିଦ୍ଧ ଗଣିତଜ୍ଞ ତଥା ଫ୍ରାକ୍ସନାଲ୍ କାଲ୍କୁଲସ୍ ଓ ଗାଣିତିକ ପଦାର୍ଥ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରଫେସର ଡୁମିତ୍ରୁ ବାଲେନୁ, ଆଇଆଇଟି ରୁରକି ର ଗଣିତ ବିଭାଗ ମୁଖ୍ୟ ପ୍ରଫେସର ମିଲେ ପନ୍ତ, ଆଇଆଇଟି ପାଟନାର ପ୍ରଫେସର ପ୍ରଶାନ୍ତ କୁମାର ଶ୍ରୀବାସ୍ତବଙ୍କ ସମେତ ବହୁ ବିଶିଷ୍ଟ ବକ୍ତା ଯୋଗ ଦେଇଛନ୍ତି ।
ଏହାବ୍ୟତୀତ ଆଇଆଇଟି ମାଡ୍ରାସ୍ର ଡକ୍ଟର ଆର୍ଯ୍ୟ କୁମାର ବେଦବ୍ରତ ଚାନ୍ଦ, ଆଇଆଇଟି ମଣ୍ଡିର ଡକ୍ଟର ନୀତୁ କୁମାରୀ, ଆଇଆଇଇଏସ୍ଟି ଶିବପୁର, ହାୱାଡାର ଡକ୍ଟର ବାପ୍ପନ ଘୋଷ, ସିମ୍ବାସିସ୍, ପୁଣେର ଡକ୍ଟର ଜିତେନ୍ଦ୍ର କୌଶିକ, ଆଇଆଇଟି ରୁପାରର ପ୍ରଫେସର ଏସ୍. ସି. ମାର୍ଥା, ଆଇଆଇଟି ଇନ୍ଦୋରର ପ୍ରଫେସର ଏମ୍. ତନଭୀର ଏବଂ ଆଇଆଇଟି ଗୌହାଟିର ଡକ୍ଟର ରବୀନ୍ଦ୍ର ଝା ପ୍ରମୁଖ ଏହି ସମ୍ମିଳନୀରେ ବକ୍ତବ୍ୟ ରଖିବେ । ସେମାନଙ୍କ ବ୍ୟାଖ୍ୟାନ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ, ସ୍ୱାସ୍ଥ୍ୟସେବା, ଇଞ୍ଜିନିୟରିଂ, କୃତ୍ରିମ ବୁଦ୍ଧିମତା, ଅପ୍ଟିମାଇଜେସନ୍ ଓ ତଥ୍ୟ-ଭିତିକ ଗବେଷଣା କ୍ଷେତ୍ରର ସାଂପ୍ରତିକ ଉନ୍ନତି ସଂପର୍କରେ ମୂଲ୍ୟବାନ ଦିଗଦର୍ଶନ ପ୍ରଦାନ କରିବ ।
ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟ ବକ୍ତବ୍ୟ, ଆମନ୍ତ୍ରିତ ବ୍ୟାଖ୍ୟାନ, ବୈଷୟିକ ଗବେଷଣାପତ୍ର ଉପସ୍ଥାପନା ଏବଂ ବିଭିନ୍ନ ଆନ୍ତଃକ୍ରିୟାତ୍ମକ ଏକାଡେମିକ୍ ଅଧିବେଶନ ଅନୁଷ୍ଠିତ ହେବ । ଭାରତ ସମେତ ବିଭିନ୍ନ ଦେଶର ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଓ ଶିଳ୍ପ ସଂସ୍ଥାର ଅଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀ ଓ ପେସାଦାରମାନଙ୍କର ଉଲ୍ଲେଖନୀୟ ଅଂଶଗ୍ରହଣ ଏହି ସମ୍ମିଳନୀକୁ ଆନ୍ତର୍ଜାତୀୟ ଜ୍ଞାନ ବିନିମୟର ଏକ ଗୁରୁତ୍ୱପୂର୍ଣ୍ଣ ମଂଚରେ ପରିଣତ କରିଛି ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy