ନବୀନଙ୍କ ସପ୍ତରଥି

()୨୦୨୪ ନିର୍ବାଚନରେ ବିଜେଡି ପରାଜୟକୁ ବର୍ଷେ ପୁରିଛି । ୨୪ ବର୍ଷ ପରେ ବିଜେଡି ହାତରୁ ଶାସନ ଚାଲି ଯାଇଛି । ୫୧ ଜଣ ବିଧାୟକଙ୍କୁ ନେଇ ଦଳ ଏବେ ସଶକ୍ତ ବିରୋଧୀ ଦଳର ଭୂମିକା ଲିଭାଉଛି।ପରାଜୟ ପରେ ବିଜେଡି ସରକାର ଅପେକ୍ଷା ଗଣମାଧ୍ୟମରେ ଅଧିକ ଚର୍ଚ୍ଚାରେ ରହୁଛି ସବୁଦିନ। ପରାଜୟ ପରେ ବିରୋଧୀ ବିଜେଡିର ଭବିଷ୍ୟତ ନେଇ ସମାଲୋଚନା ଅଧିକ ହେଉଥିବା ବେଳେ ଏହି ସମାଲୋଚନାକୁ ଖୋରାକ ଯୋଗାଉଛି କିଛି ବିଜେଡି ନେତାଙ୍କ ବୟାନବାଜି । ଯାହାକୁ ନେଇ କ୍ଷମତାରୁ ଯିବା ପରେ ବି ସବୁଠି ବିଜେଡି ଚର୍ଚ୍ଚା । ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ଭାଙ୍ଗିବା ପାଇଁ ସ୍ଵାଭାବିକ ଭାବେ ଶାସକ ଦଳ ପ୍ରୟାସ ଜାରୀ ରହିଛି । ଏହାରି ଭିତରେ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡିର ନେତା ଓ କର୍ମୀମାନେ । ଯାହାର ନେତୃତ୍ଵ ନେଉଛନ୍ତି ବିଜେଡିର ସପ୍ତରଥି ଦଳର ବିପର୍ଯ୍ୟୟ ସମୟରେ ବିଜେଡିର ସପ୍ତରଥି ଏବେ ଦଳର ଭଲମନ୍ଦ ବୁଝିବା ସହ ସଂଗଠନକୁ ଚଳଚଞ୍ଚଳ କରିବାକୁ ପୁଣିଥରେ ଅଣ୍ଟା ଭିଡିଛନ୍ତି । ଏହି ସପ୍ତରଥି ହେଉଛନ୍ତି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ବରିଷ୍ଠ ବିଧାୟକ ଅରୁଣ ସାହୁ, ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ସଂତୃପ୍ର ମିଶ୍ର, ପ୍ରତାପ ଦେବ ଓ ଉପ ସଭାପତି ପ୍ରଣବ ପ୍ରକାଶ ଦାସ । ଏହି ନେତାମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିକୁ ଅଧିକ ସଂଗଠିତ କରିବା ସହ ପୁଣିଥରେ କିପରି କ୍ଷମତାକୁ ଦଳ ଆସିବ ସେ ନେଇ ରାଜନୈତିକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ନିକଟରେ ବିଜେପି ସରକାର ବର୍ଷପୂର୍ତ୍ତି ବିଫଳତାକୁ ଜନ ଜାଗରଣ ଅଭିଯାନ ଜରିଆରେ ଓଡିଶାବାସୀଙ୍କୁ ସଚେତନ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ନବୀନଙ୍କ ସପ୍ତରଥି । ଭୁବନେଶ୍ବରରେ ସମସ୍ତ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତାମାନେ ଏକାଠି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବା, ଯାଜପୁରରେ ରାଜ୍ୟ ସ୍ତରୀୟ ମହିଳା ସମାବେଶ କରି ଜନ ଜାଗରଣ କରିବା, ଏହାପରେ ପୁରୀ ଯୁବ ସମାବେଶ କରିବାକୁ ଅଣ୍ଟା ଭିଡିଛନ୍ତି। କ୍ଷମତାରେ ବିଜେଡି ଥାଉ କି ନଥାଉ ଓଡିଶାବାସୀଙ୍କ ଦୁଃଖ ଓ ସୁଖରେ ସବୁବେଳେ ବିଜେଡି ରହିବ ତାହା ଜନ ଜାଗରଣ ଅଭିଯାନ ଜରିଆରେ ବାର୍ତ୍ତା ଦେଇଛି ଦଳ । ହାରିବା ଦିନଠାରୁ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗଠନମୂଳକ ସମାଲୋଚନା କରି ଶାସକ ଦଳକୁ ପ୍ରଶ୍ନ କରିଚାଲିଛି । ନବୀନ ପଟ୍ଟନାୟକ ସପ୍ତରଥି ବିଜେଡି ଭବିଷ୍ୟତ ନେଇ ଯେଉଁ ଗୁଜବ ପ୍ରଚାର କରାଯାଉଛି ତାହାର ଶତ କଣ ଓଡିଶାବାସୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବିଶ୍ୱାସ ଜିଣି ସମାଲୋଚକଙ୍କୁ ଜବାବ ଦେଉଛନ୍ତି ।ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ l ନବୀନଙ୍କ ଏହି ସପ୍ତରଥି ଦଳକୁ କେତେ ସଫଳତା ଦେଉଛନ୍ତି ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ନିଷ୍କପଟ ପ୍ରେମ ଓ ତ୍ୟାଗର ପ୍ରତୀକ ବାପା 

ବରଗଛ ପରି ପୁରା ପରିବାରକୁ ସୁରକ୍ଷା ଦିଅନ୍ତି ବାପା। ବାପା ଆକାଶ ଭଳି ଛାତ ଟିଏ,ପାହାଡ ଭଳି ଭରସାର ଉତ୍ସ,ସାଗର ଭଳି ଗଭୀର ଓ ବ୍ୟାପକ। ବାପାଙ୍କ ଦୁଃଖ କିଏ କେବେ ଦେଖିଛି ନା ଜାଣିଛି । ନା କେଉଁ ପୁଅ ଝିଅଙ୍କୁ ବାପା ତାଙ୍କ ଦୁଃଖ ଅନୁଭବ ବି କେବେ କରାଇ ଦିଅନ୍ତି। ପୁଅ ଓ ଝିଅର ସବୁ ଇଚ୍ଛା ଚୁଟକିରେ ଯିଏ ପୂରଣ କରିବା ପାଇଁ ଆଗଭର ହୁଅନ୍ତି ସେ ବାପା। ପୁଅ ଓ ଝିଅ ପାଇଁ ସଂସାରର ସବୁ ଅଦୃଶ୍ୟ ବୋଝକୁ ଯିଏ ସହଜରେ ବୋହିନେଇ ପାରନ୍ତି ସେ ବାପା। ଯିଏ,ପାହାଡ ଭଳି ଭରସାର ଉତ୍ସ,ସାଗର ଭଳି ଗଭୀର ଓ ବ୍ୟାପକ ସେ ବାପା । ସବୁ ଦିନ ,ସବୁ ମୁହୂର୍ତ୍ତ ହିଁ ବାପାଙ୍କ ତାଙ୍କ ଜୀବନ ଉତ୍ସର୍ଗୀକୃତ କରିଥାନ୍ତି ପୁଅ ଓ ଝିଅଙ୍କ ପାଇଁ । ସବୁ ସନ୍ତାନଙ୍କ ଜୀବନରେ ପିତାଙ୍କ ଅବଦାନ ଅନେକ । ସେ ଆମର ମାର୍ଗଦର୍ଶକ, ଆମ ଭରସା, ଆମ ଆତ୍ମବିଶ୍ଵାସ । ତାଙ୍କରି ଆଙ୍ଗୁଠି ଧରି ଆମେ ଜୀବନର ଚଲାପଥରେ ଚାଲିବା ଶିଖିଥାଉ। ତାଙ୍କ ନିଷ୍କପଟ ପ୍ରେମ ଓ ତ୍ୟାଗର ତୁଳନା ନାହିଁ । ବରଗଛ ପରି ପୁରା ପରିବାରକୁ ସେ ସବୁବେଳେ ସୁରକ୍ଷା ଦିଅନ୍ତି । ବାପା କାନ୍ଦନ୍ତି କି ନାହିଁ, ବରଂ ପରିବାରର କୌଣସି ସଦସ୍ୟ କେବେ କାନ୍ଧ କଣ ଜଣାଇ ଦିଅନ୍ତନି ସେଥିଲାଗି ଦିନରତି ଏକ କରିଦିଅନ୍ତି ସେ । ବାପା ଆକାଶରୁ ଜହ୍ନମାମୁଁ ଆଣିପାରନ୍ତି ଓ ପାହାଡ ଉପରେ ପୁଅ ଓ ଝିଅର ଖୁସି ପାଇଁ ଚଢିପାରନ୍ତି । ବୟସ ଯେତେ ହେଉ ବାପା କିନ୍ତୁ ସବୁବଳେ ସନ୍ତାନ ପାଇଁ ନିଜକୁ ଫିଟ୍ ଭାବନ୍ତି । ସନ୍ତାନର ସୁଖ ପାଇଁ ବାପାଙ୍କ ଆଖିକୁ ନିଦ ଆସେନି କି ପେଟକୁ ଭୋକ ଲାଗେନି। ସବୁ ଝଡ, ଯନ୍ତ୍ରଣାକୁ ଛାତିତଳେ ଚାପିରଖି ସେ ଆଗକୁ ବଢ଼ିନ୍ତି। ବର୍ଷ ସାରା ପୁରୁଣା ସାଟ ପ୍ୟାଣ୍ଟ ଓ ବାରମ୍ୱାର ମୋଚି ଠାରୁ ସିଲେଇ କରି ଚପଲ ବିନ୍ଧୁଥିଲେ ମଧ୍ୟ ସବୁ ପର୍ବପର୍ବାଣୀରୁ ଆରମ୍ଭ କରି ପୁଅ ଓ ଝିଅଙ୍କ ପାଇଁ ମନ ପସନ୍ଦର ଡ୍ରେସ କିଣି ଦିଅନ୍ତି । ସେଥିରେ ସେ ଆନନ୍ଦ ପାଆନ୍ତି, ପଚାରିଲେ କହନ୍ତି ତମେ କାହିଁକି ଚିନ୍ତା କରୁଛ ମୁଁ ଅଛି । ଛୁଆ ବେଳେ କାନ୍ଧରେ ବସାଇ ସୁନ୍ଦର ପୃଥିବୀକୁ ଯିଏ ଆମକୁ ଦେଖାଇ ଥିଲେ, ଆମ ଜୀବନଟା କେମିତି ପୁରା ସୁନ୍ଦର ହେବ ସେ ରକ୍ତକୁ ପାଣି କରିଦେଇଥାନ୍ତି। ଆଜି ମୁଁ ବଡ ହୋଇଛି, ଲୋକେ କହୁଛନ୍ତି ବାପା କାଳେ ବୁଢ଼ା ହୋଇଯାଇଛନ୍ତି । ହେଲେ ଜୀବନର ଏ ବାସ୍ତବ ଶତକୁ କଣ କୌଣସି ବାପା ଗ୍ରହଣ କରନ୍ତି। ୭୦ ବର୍ଷ ବୟସରେ ବି ସେ ମତେ ତାଙ୍କ କାନ୍ଧରେ ବସେଇ ନେବାର ଆତ୍ମ ବିଶ୍ୱାସ ଭରନ୍ତି।ଦୁନିଆରେ ଭଗବାନ ଅଛନ୍ତି , ହେଲେ ସଂସାରରେ ଚଳନ୍ତି ଭଗବାନ ହେଉଛନ୍ତି ବାପା। ସଂସାରର ସମସ୍ତ ପିତାଙ୍କ ପାଇଁ ପିତୃ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ। କୌଣସି ଦିବସରେ ସୀମିତ ନୁହେଁ ବାପା। ବାପାଗୁରୁ, ସାଙ୍ଗ , ବାପା ଭାଇ ଓ ବାପା ଜୀବନର ସବୁକିଛି ।ବାପାଙ୍କ ତୁଳନା ନାହିଁ, ତାଙ୍କ ପାଇଁ ଯେତେ ଲେଖିଲେ ଯଥେଷ୍ଟ ହେବନି । ଯାହାଙ୍କର କୌଣସି ବିକଳ୍ପ ନାହିଁ, ସେ ହିଁ ବାପା ଆଉ ବାପା।

ପ୍ରଣବଙ୍କ ଗଡରେ ବିଶାଳ ମହିଳା ସମାବେଶ : ସୁଭଦ୍ରା ମିଛ ପାଇଁ କ୍ଷୋଭ

() ସରକାରଙ୍କ ବିଫଳତାକୁ ପର୍ଦ୍ଦାଫାଶ କରିବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଯାଜପୁର ନିର୍ବାଚନୀ ମଣ୍ଡଳୀର ବରୁଆ ଦଶହରା ପଡିଆରେ ବିଜେଡି ଉପ ସଭାପତି ତଥା ଯାଜପୁରର ଲୋକପ୍ରିୟ ନେତା ପ୍ରଣବ ପ୍ରକାଶ ଦାସ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଶାଳ ମହିଳା ସମାବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ୨୦୨୪ ନିର୍ବାଚନରେ ମହିଳା ମାନଙ୍କୁ ସ୍ୱପ ଦେଖାଇ କିପରି ଧୂଳିଶାତ କରିଛି ବିଜେପି ତାହାକୁ ମହିଳା ସମାବେଶରେ ବିଜେଡିର ନେତାମାନେ ବଖାଣିଥିଲେ। ଏବେ ନଜର ପକାନ୍ତୁ ବିଜେଡିର ନେତାମାନେ କିଏ କଣ କହିଲେ..

ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଜେଡି ଉପ ସଭାପତି 

ରାତି ପାହିଲେ ରଜ ପର୍ବ । ଯାଜପୁରରେ ରଜ ଧୁମଧାମରେ ପାଳନ କରାଯାଏ । ଆଜି ମା ମାନଙ୍କର ବେଶୀ କାମ, ହେଲେ ଏସବୁ ଛାଡ଼ି ହଜାର ହଜାର ସଂଖ୍ୟାରେ ମା ମାନେ ଆଜି ଯୋଗଦେଇ ଥିବାରୁ ମୁଁ ତାଙ୍କ ପାଦତଳେ ଶତ ପ୍ରଣାମ ଜଣାଉଛି । ମା ଙ୍କ ସୁଖ ଦୁଃଖରେ ସବୁବେଳେ ବିଜେଡି ଅଛି ଓ ରହିବ ।ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ମା ମାନେ ଆଜି ସଂକଳ୍ପ ନେଇଛନ୍ତି ।

ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ମୁଖ୍ୟ ସଚେତକ 

ବିଜେପି ସରକାର ଆସିବା ଦିନରୁ ମହିଳାମାନେ ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ମହିଳା ମାନଙ୍କୁ ମିଛ କଥା କହି ଭୋଟ ନେଇଛନ୍ତି । ତାହା ବିରୋଧରେ ମହିଳାମାନେ ସଚେତନ ହେଲେଣି ।

ସ୍ନେହାଙ୍ଗୀନି ଛୁରିଆ, ବରିଷ୍ଠ ବିଜେଡି ଉପ ସଭାନେତ୍ରୀ 

ଓଡ଼ିଶାରେ ଅଚଳ ଇଞ୍ଜିନ ଚାଲିଛି । ଏହା ବିରୋଧରେ ମହିଳାମାନେ ଏକାଠି ହୋଇ କାମ କରିବ । ଆଜି ସଙ୍କଳ୍ପର ଦିନ, ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ମଜବୁତ କରିବାକୁ ପଡିବ।

ପ୍ରିିତୀ ରଂଜନ ଘଡାଇ  ପୂର୍ବତନ ବିଧାୟକ 

ମହିଳା ଅତ୍ୟାଚାର ଓଡ଼ିଶାରେ ୮ ପ୍ରତିଶତ ବଢିବା ଡବଲ ଇଞ୍ଜିନ ସରକାର ମହିଳାମାନଙ୍କୁ ଭେଟି ଦେଇଛି । ଏନେଇ ମହିଳାମାନେ ଆଗାମୀ ଦିନରେ ଜବାବ୍ ଦେବେ ମହିଳାମାନେ । ୮୪୦୩ କୁନି କୁନି ପିଲାମାନେ ଡବଲ ଇଞ୍ଜିନ ସରକାରରେ ନିଖୋଜ ।

ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ

ଗୋଟିଏ ସରକାର ଆପଣ ଦେଖିଥିଲେ କଥା କମ୍, କାମ ଅଧିକ କରୁଥିଲେ । ଏବେ ଗୋଟେ ସରକାର ଚାଲିଛି କାମ କମ, କଥା ଅଧିକ । ଏ ସରକାର ମା ଙ୍କ ଆଖିରେ ଲୁହ ଦେଇଛି ।

ସୁଲତା ଦେଓ, ସାଂସଦ ବିଜେଡି

ମହିଳାଙ୍କ ପାଇଁ ନବୀନ ପଟନାୟକ ମିଶନ ଶକ୍ତି କରିଥଲେ, ମହିଳା ମାନଙ୍କ ପାଇଁ ଲକ୍ଷ୍ମୀ ବସ କରିଥିଲେ, ମହିଳା ମାନଙ୍କୁ ପାଇଁ ନବୀନ ପଟ୍ଟନାୟକ ବିଜୁ ସ୍ଵାସ୍ଥ୍ୟ କାର୍ଡରେ ମହିଳା ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କା ଚିକିତ୍ସା ସହାୟତା ଦେଇଥିଲେ । ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ କରିଛନ୍ତି ବିଜେପି ସରକାର । ୫ହଜାର ଟଙ୍କା ଦେଇ ବିଜେପି ସରକାର ଲକ୍ଷ ପତି ଦିଦି କେମିତି କଲେ  ।

ଅରୁଣ ସାହୁ, ବରିଷ୍ଠ ବିଜେଡି ବିଧାୟକ

ବିଜେପି ମିଛ ସଫଳତାର କାହାଣୀ କହୁଛି , ଆମେ ଓଡ଼ିଶାବାସୀଙ୍କୁ ଶତ ବିଫଳତା କହିବୁ । ଯାଜପୁରରେ ରାଜ୍ୟସ୍ତରୀୟ ମହିଳା ସମାବେଶ କରିଛୁ । ଯାଜପୁର ମହିଳା ସମାବେଶ ପ୍ରମାଣିତ କରିଛି ଏବେ ବି ଓଡ଼ିଶାବାସୀଙ୍କ ହୁଦୟରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ । ୭୫ ପ୍ରତିଶତ ମହିଳା ମହିଳାମାନଙ୍କୁ ନବୀନ ପଟନାୟକ କ୍ଷମତା ଦେଇଥିଲେ । ବିଜେପି କଥା ଦେଇଥିଲା ୫୦ ହଜାର ଟଙ୍କା ବ୍ୟବସାୟୀ କରିବା ପାଇଁ ଦେବୁ ସୁଭଦ୍ରା ଯୋଜନାରେ । ହେଲେ କ୍ଷମତାକୁ ଆସିବା ପରେ ୫ହଜାର ଟଙ୍କା ଦେଲେ । ସେହି ଟଙ୍କାରୁ ଜିଏସଟି ମଧ୍ୟ ନେଉଛନ୍ତି । ୫ହଜାର ବାମ ହାତରେ ଦେବେ, ଦରଦାମ ଆକାଶ ଛୁଆଁ କରି ଡାହାଣ ହାତରେ ସେହି ଟଙ୍କା ନେଉଛନ୍ତି ବିଜେପି ସରକାର । ନବୀନ ପଟ୍ଟନାୟକ ସବୁବେଳେ ଶିକ୍ଷା ଓ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇଛନ୍ତି । ନବୀନଙ୍କ ବିକାଶ ଯାଜପୁରରେ କଥା କହୁଛି । କେବଳ ଯାଜପୁର ନୁହେଁ ପୁରା ଓଡ଼ିଶାରେ ଏହି ବିକାଶ ଦେଖାଯାଉଛି । ବିଜେପି ସରକାରର ଆୟୁଷମାନ ଯୋଜନା କରିଛି ନାଁ ଶ୍ମଶାନ ଯୋଜନା କରିଛି ବିଜେପି ସରକାର ଜବାବ ଦେଉ । ନବୀନ ପଟ୍ଟନାୟକ ଯାହା ବିକାଶ କରିଛନ୍ତି ତାହାକୁ ବିଜେପି ସରକାର କେବଳ ଉଦଘାଟନ କରୁଛି । ବିଜେପି ସରକାର ଆସିବା ଦିନ ଠାରୁ ରାଜରାସ୍ତାରେ ମୁଣ୍ଡ ଗଡୁଛି, ଓଡ଼ିଶାରେ ଦାଦନ ଶ୍ରମିକ ସଂଖ୍ୟା ବଢିଛି । ଆଜି ସଂକଳ୍ପ ନେବା ନବୀନ ସରକାରକୁ ପୁଣି ଥରେ ଆଣିବା । ବର୍ଷ ଏକ, ପ୍ରତାରଣା ଅନେକ, ବର୍ଷ ଏକ ପ୍ରତାରଣା ଅଧିକ, ବର୍ଷ ଏକ ଭତ୍ତା ବଢ଼ିନି, ମହାନଦୀ ପାଣି ନାହିଁ, ବର୍ଷ ଏକ ପୋଲାଭରମ ଦୁଃଖ, ଦରଦାମ ବୃଦ୍ଧି, ଦାଦନ ଶ୍ରମିକ ଅନେକ, ଖଣି ଖାଦାନ ଲୁଟ, କାମ ନାହିଁ ତ କଥା ଅନେକ । ବର୍ଷ ଏକ ଅତ୍ୟାଚାର ଅନେକ । ଓଡ଼ିଶା ମାଟିରେ ପୁଣି ନବୀନ ପଟ୍ଟନାୟକ ସରକାର ଆଣିବା । ସେଥିପାଇଁ ସଙ୍କଳ୍ପ ନେବା

ସଂଞ୍ଜୟ ଦାସବର୍ମା, ବରିଷ୍ଠ ବିଜେଡି ଉପ ସଭାପତି

ଓଡିଶାର ମହିଳାମାନଙ୍କୁ ଆଗକୁ ନେବାକୁ ମିଶନ ଶକ୍ତି ଗଢିଲେ ନବୀନ ପଟ୍ଟନାୟକ । ଯାହା ମହା ଆନ୍ଦୋଳନରେ ପରିଣତ ହୋଇଥିଲା । ବିଜେପି ସରକାର ଆସିଲା ପରେ ଗାଁ ସାଥି, ଏମବିକେ ମାନେ ଦରମା ପାଉନାହାନ୍ତି । ଆଜି ମା ମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି । ୩୦୦ୟୁନିଟ ମାଗଣା ବିଜୁଳି ଠାରୁ ଆରମ୍ଭ କରି ଭତ୍ତା ୩୦୦୦ ହଜାର ଟଙ୍କା ଦେବାକୁ କହିଥିଲେ ବିଜେପି ସରକାର। ତାହା ଆଜି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଥଲେ।

ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ବିଜେଡି ଉପ ସଭାପତି

ମହିଳା ମାନଙ୍କୁ ସାମାଜିକ, ରାଜନୈତିକ, ଆର୍ଥିକ କ୍ଷେତ୍ରରେ ନବୀନ ପଟ୍ଟନାୟକ ସଶକ୍ତ କରିଥିଲେ ।ଏବେ କଥାକୁହା ସରକାର ଚାଲିଛି । ମା ମାନଙ୍କୁ ପ୍ରତାରଣା କରିଛନ୍ତି । ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡ଼ିଶାର ଯେଉଁ ପ୍ରଗତି ହୋଇଛି ସେଥିରେ ବାଧକ ସାଜିଲା ବିଜେପି ସରକାର । ମାତୃଶକ୍ତିର ଅବହେଳାର ଜବାବ ଦେବାକୁଆଜି ମହିଳା ସମାବେଶରେ ମହିଳାମାନେ ସଂକଳ୍ପ ନେଇଛନ୍ତି ।

 

ବ୍ୟୋମକେଶ ରାୟ, ବିଜେଡି ବିଧାୟକ

ମଧ୍ୟ ପ୍ରଦେଶରେ ମହିଳାମାନଙ୍କୁ ଅଢେଇ ହଜାର ଟଙ୍କା ମିଳୁଛି, ଦିଲ୍ଲୀରେ ୨ ହଜାର ଟଙ୍କା ଦିଆଯାଉଛି, ହେଲେ ଓଡ଼ିଶାରେ ମାସକୁ ୨୭ ଟଙ୍କା ଦିଆଯାଉଛି । ବିଜେପି ସରକାରରେ ବର୍ଷେ ଭିତରେ ଗାଁରେ ମାଟିଟିଏ ପଡ଼ିନାହିଁ । ବିକାଶ ଠପ ହୋଇଛି l

ସଂତୃପ୍ତ ମିଶ୍ର , ବରିଷ୍ଠ ସାଧାରଣ ସମ୍ପାଦକ ବିଜେଡି

ଓଡିଶାରେ ବିଜେପି ସରକାର ନିଜର ସଫଳତାର ଡିଣ୍ଡିବ ପିଟୁଛନ୍ତି । ହେଲେ ବିଜେପି ସରକାର ସରକାରର ଅର୍ଥ ବୁଝିନାହି । କେବଳ ମୋ ବସ ର ନାଁ ପରିବର୍ତନ କଲେ ସଫଳତା ମିଳିବନି । ବିଜେପି ବିଫଳ ହୋଇଛି, ସେମାନଙ୍କର ବିଫଳତାକୁ ସାମ୍ନାକୁ ଆଣିବ ବିଜେଡି ।

ବିଜେଡି ଡଙ୍ଗାର ଅରୁଣ ନାଉରୀ

() ଶୁଣ ସରକାର , ଏ ଲଢ଼େଇ ଚାଲିଛିରେ ଚାଲିବ, ରାସ୍ତାଘାଟରେ ଲଢେଇ ହେବ, ପାନ ଖିଆ ଛେତେଲା ପାଟିଆ ସରକାର, ଆରେ ବିକାଶ ବାହନ କୁଆଡେ ଗଲା ଧିକି ଧିକି, ଗାଁ ଗହଳିରେ କାମ ଠପ୍ ଧିକି ଧିକି, ସହରର ଉନ୍ନତି ନାହିଁ ବିଜେପି ସରକାର ଧିକି ଧିକି, ଗୋ ବ୍ୟାକ ବିଜେପି ସରକାର ଗୋ ବ୍ୟାକ୍, ଗାଦି ଛଡ଼ା ବିଜେପି ସରକାର ଗାଦି ଛାଡ । ଏମିତି ଗୋଟିଏ ପରେ ଗୋଟିଏ ସ୍ଲୋଗାନ ଦେଇ ବିଜେପି ସରକାର ଏକ ବର୍ଷ ବିଫଳତା ବିରୋଧରେ ମୁଖ୍ୟ ବିରୋଧୀ ବିଜେଡି ରାଜଧାନୀରେ ଗର୍ଜନ କରିଛି ।ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ବିଜେଡି ଡଙ୍ଗାର ନାଉରୀ ସାଜି ବିଜେପି ସରକାର ବିରୋଧରେ ବିଜେଡିର ପ୍ରତିବାଦକୁ ଅଧିକ ଶାଣିତ ଓ ପ୍ରଭାବୀ କରିଥିଲେ । ଅରୁଣଙ୍କ ସରକାରୀ ବିରୋଧି ସ୍ଲୋଗାନ ଦଳର ବରିଷ୍ଠ ଓ ଯୁବ ନେତାଙ୍କ ମନରେ ଉତ୍ସାହ ଭରିଥିଲା ପ୍ରତିବାଦ ସଭାରେ ।ବିଧାୟକ ଅରୁଣ ସାହୁଙ୍କ ସହ ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସଞ୍ଜୀବ ମଲ୍ଲିକ, ରୋମାଞ୍ଚ ରଜଂନ ବିଶ୍ଵାଳ, ବିଜେଡି ନେତା ପ୍ରଶାନ୍ତ ମୁଦୁଲି, ବିଜେଡି ନେତ୍ରୀ ଶର୍ମିଷ୍ଠା ସେଠି, ଲେଖାଶ୍ରୀ ସାମନ୍ତସିଂହାର ଆଦି ବିଭିନ୍ନ ସ୍ଲୋଗାନ ଦେଇ ବିଜେପି ସରକାର ବିରୋଧରେ ଲୋକଙ୍କ ସ୍ଵର ସାଜି ପ୍ରତିବାଦ କରିଛନ୍ତି ।ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ଅପାରଗତା ବିରୋଧରେ ବିଜେଡି ମାଷ୍ଟର କ୍ୟାଣ୍ଟିନରେ ବିଜେଡିର ବରିଷ୍ଠ ନେତା, ବିଧାୟକ ତଥା ପ୍ରମୁଖ ମହିଳା ନେତ୍ରୀ ମାନେ ପ୍ଲାକାର୍ଡ ଧରି ସରକାର ବିଫଳତା ବଖାଣିଥିଲେ । ମହାନଦୀ ପାଣି ଯାଇଛି ଶୁଖିବା, ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ରଙ୍ଗ ମାରିବା, ନାଁ ବଦଳାଇବା, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା ମିଳିବା ଓ ଓଡିଶା ପ୍ରତି ଅବିଚାର,ଧାନରେ କଟନି ଛଟନୀ, ନାରୀ ନିର୍ଯ୍ୟାତନା ଆଦି ବହୁ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥଲେ ବିଜେଡି ନେତାମାନେ।

ବଦଳିଲା ବିଜେପିର ଆଭିମୁଖ୍ୟ : ୨୪ ନୁହେଁ ୧୫ 

()ବର୍ଷପୂର୍ତ୍ତିରେ ବିଜେପି ଅନେକ ଆଭିମୁଖ୍ୟକୁ ନେଇ ଚର୍ଚ୍ଚାରେ ଥିବା ବେଳେ ବିଜେଡିକୁ ନେଇ ବିଜେପି ହିସାବ ଗଣିତ ବଦଳିଛି । ଏଣିକି ୨୪ ବର୍ଷ ନୁହେଁ, ୧୫ ବର୍ଷର ହିସାବ ମାଗିବ ଦଳ । ବିଜେପି ରାଜ୍ୟରେ ଏକାକୀ ଶାସନଭାର ଗ୍ରହଣ କରିବା ଦିନଠୁ  ଦଳୀୟ ବିଧାୟକ, ସାଂସଦ , ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳୀୟ ନେତାମାନେ ବିଜେଡି ୨୪ ବର୍ଷ ଶାସନକୁ ନେଇ ସମାଲୋଚନା କରୁଥିଲେ l ହେଲେ ବର୍ଷପୂର୍ତ୍ତି ଏହି ଅଭିଯୋଗ ବଦଳିଯାଇଛି l  କାରଣ ୨୦୦୦ ମସିହାରୁ ୨୦୦୯ ଯାଏ ବିଜେଡି ବିଜେପି ମେଣ୍ଟ ସରକାର ଚାଲିଥିଲା ରାଜ୍ୟରେ । ବିଜେପି ବାରମ୍ବାର ୨୪ ବର୍ଷ ଶାସନକୁ ନେଇ ସମାଲୋଚନା କରୁଥିବାରୁ ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରୁଥିଲେ । କଂଗ୍ରେସ କହୁଥିଲା ବିଜେପି –ବିଜେଡି ଭାଇଭାଇ , ସେମାନେ ମିଳିମିଶି ଓଡିଶାକୁ ଲୁଟ କରିଛନ୍ତି । ଭାଗୁଆଳ ସରକାରେ ବିଜେପି ଓ ବିଜେଡି କାମ କରୁଥିଲେ । କଂଗ୍ରେସର ଅଭିଯୋଗ ହେଉଛି ୨୪ ବର୍ଷ ବିଫଳତାରେ ବିଜେପିର ୯ ବର୍ଷ ଭାଗ ରହିଛି । ସେହିପରି ବିଜେଡି ମଧ୍ୟ ବିଜେପି ଯେତେବେଳେ ୨୪ ବର୍ଷ କଥା କହୁଥିଲା ସେତେବେଳେ ବିଜେଡି ନେତା କହୁଥିଲେ ୯ ବର୍ଷ ଧରି ଆମ ସହ ବିଜେପି ଥିଲା । ତେଣୁ ବିଜେପି ସମୟରେ ଅଧିକ ବିଫଳ ହୋଇଛି ବିଜେଡି ସରକାର  ବୋଲି ବିଜେଡି ଓଡ଼ିଶାରେ ଧାରଣା ସୃଷ୍ଟି ହୋଇଥିଲା। ବିଜେପି ରାଜ୍ୟରେ ଏକକ ସରକାର କରିବାର ବର୍ଷପୂର୍ତ୍ତିରେ ଏ ଆଭିମୁଖ୍ୟକୁ ବଦଳାଇଦେଲା ବିଜେପି । ଏଣିକି ବିଜେପି ନେତା ଆଉ ୨୪ ବର୍ଷ ନୁହେଁ, ବିଜେଡିର ୧୫ ବର୍ଷ ଶାସନର ବିଫଳତା ଗାଇବେ । ଏକଥାକୁ ବର୍ଷପୂର୍ତ୍ତିରୁ ଆରମ୍ଭ କରିଛି ଦଳ । ୨୦୦୦୯, ୨୦୧୪, ୨୦୧୯ରେ ବିଜେଡି ସରକାର କଣ ପ୍ରତିଶ୍ରତି ଦେଇଥିଲା ଓ କଣ ପାଳନ କରିଛି ତାହାକୁ ନେଇ ଦଳୀୟ ନେତା ବିଜେଡିକୁ ହିସାବ ମାଗିବା ଆରମ୍ଭ କରିଛନ୍ତି । ତେବେ ବର୍ଷ ପୂର୍ତ୍ତି ପରେ ବିଜେପିର ଆଭିମୁଖ୍ୟ ବଦଳିବା ପରେ ବିଜେଡି ତାର ନୂଆ ଆଭିମୁଖ୍ୟ ବିଜେପି ବିରୋଧରେ କଣ ରଖୁଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ମୋହନ _ନବୀନ @ ୧ବର୍ଷ 

୨୦୨୪ ସାଧାରଣ ନିର୍ବାଚନ ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ବିଜେପି ପ୍ରଥମଥର ଲାଗି ଓଡିଶାରେ ଏକାକି ସରକାର ଗଠନ କରି ରାଜ୍ୟ ଶାସନର ମଙ୍ଗ ଧରିଥିବା ବେଳେ ୨୪ ବର୍ଷ ପରେ ବିଜେଡି ବିରୋଧୀ ଦଳ ଭୂମିକା ଉଭା ହୋଇଛି । ରାଜ୍ୟ ଶାସନର ମଙ୍ଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧରିଥିବା ବେଳେ ମୁଖ୍ୟ ବିରୋଧୀ ଦଳର ଦାୟିତ୍ବ ତୁଲାଉଛନ୍ତି ନବୀନ ପଟ୍ଟନାୟକ । ଓଡିଶା ରାଜନୀତର ନୂଆ ଅଧ୍ୟାୟରେ ମୋହନ ଓ ନବୀନ ପଟ୍ଟନାୟୟଙ୍କୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶାସନ ଶୈଳୀ ଓ ନବୀନ ପଟ୍ଟନାୟକଙ୍କ ବିରୋଧୀ ଦଳ ଭୂମିକା ନେଇ ଓଡିଶାବାସୀ ମାର୍କସିଟ ଦେବା ଆରମ୍ଭ କରିଛନ୍ତି ବର୍ଷକ ଭିତରେ। ବିକଶିତ ଓଡିଶା ନାରା ଦେଇ ମୋହନ ସରକାର ଆଗେଇ ଚାଲିଥିବା ବେଳେ ବିକାଶରେ ଯେମିତି ବ୍ରେକ ନଲାଗିବ ତାହାକୁ ଗୁରୁତ୍ବ ଦେଇଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ : ଜୁନ ୧୨ ତାରିଖ ୨୦୨୪ରେ ଓଡିଶାର ମୁଖ୍ୟମନ୍ତ୍ରୀ ଶପଥ ନେଲେ କେନ୍ଦୁଝର ଚାରିଥର ବିଧାୟକ , ଆଦିବାସୀ ନେତା ଓ ପୂର୍ବତନ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଦାୟିତ୍ବ ନେବାକ ସଙ୍ଗେ ସଙ୍ଗେ କ୍ୟାବିନେଟ ବୈଠକ ଡାକି ୪ଟି ବଡ ନିଷ୍ପତି ନେଲେ ମୋହନ । ଶ୍ରୀମନ୍ଦିର ଚାରିଦ୍ବାରା ଖୋଲା, ଲୋକସଭା ଭବନକୁ ସାମ୍ବାଦିକ ପ୍ରବେଶ, ୧୦୦ ଦିନରେ ସୁଭଦ୍ରା ଯୋଜନା ଲାଗୁ । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ସରଳ ପଣ ଦେଖାଇ ମଧ୍ୟ ଚର୍ଚ୍ଚାକୁ ଆସିଲେ । କେଉଁଠି ଖାଇବା ହେଲାଣୀ ତ ଆଉ କେଉଁଠି ଖେଳ ଷ୍ଟାଡ଼ିୟମରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି ସମ୍ବୋଧିତ କରି ଡାକିବା । ପୁଣି କେତେବେଳେ ଆଦିବାସୀ ଝିଅମାନେ ଦେଖିବାକୁ ସଫା ନୁହନ୍ତି ବୋଲି କହିବା ସହ ସଫା ଝିଅକୁ ବିବାହ କରିବା ହେଉ l ସେହିପରି ବିଡିଓମାନେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ବେଳେ ବିଡିଓମାନେ ମୁଖ୍ୟମନ୍ତ୍ରୀ ଭାଷଣ କାଟିଦେଉଥିବା କଥା ମଧ୍ୟ କହି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚର୍ଚ୍ଚାକୁ ଆସିଛନ୍ତି । ବର୍ଷେ ଭିତରେ ମୋହନ ସରକାରଙ୍କ ବଡ଼ ସଫଳତାରେ ହେଉଛି ସୁଭଦ୍ରା ଯୋଜନା, ଚାଷୀଙ୍କୁ ଇନପୁଟ ସବସିଡ଼ି, ସଚିବାଳୟକୁ ସାମ୍ବାଦିକ ପ୍ରବେଶ , ରାଜ୍ୟରେ ବାବୁ ଶାସନର ମୂଳପୋଛ, ସୋମବାର ମୁଖ୍ୟମନ୍ତ୍ରୀ ଜନଶୁଣାରୀ ହେବା, ବର୍ଷପୂର୍ତ୍ତିରେ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକ ସହ ହିସାବ ନିକାଶ କରିବା ଓ କ୍ୟାବିନେଟ ପରେ ଅଧିକାଶ ସମୟ ପ୍ରେସକୁ ସୂଚନା ଦେବା ପରି ସଫଳତା ଯୋଡି ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶାସନ ଇତିହାସରେ । ବର୍ଷେ ହେବ ଜଣେ ସରଳ ବ୍ୟକ୍ତି ଭାବେ ମୁଖ୍ୟମନ୍ତ୍ରୀ ନିଜର ଭାବମୃର୍ତ୍ତି ତିଆରି କରିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି । ସେହିପରି ବିରୋଧୀ ଦଳ ଉପରେ ଆକ୍ରୋଶମୂଳକ କାର୍ଯ୍ୟକ୍ରମ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି ମୋହନ ସରକାର । ବିଧାନସଭାରେ ତାଙ୍କ ସରକାର କଂଗ୍ରେସର ସମସ୍ତ ବିଧାୟକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଳରେ ଗଣତନ୍ତ୍ ଅଧିକାର ଛଡ଼ାଇବା, ସାମ୍ବାଦିକଙ୍କୁ ବିଧାନସଭା ଖବର ବେଳେ ମୋବାଇଲ ମନା, ଦଳୀୟ ନେତାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ କରି ମଂଚରେ ବସାଇବା ଆଦିକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ମୋହନ ସରକାର । ରାଜନୈତିକ ସମୀକ୍ଷକଙ୍କ ମତରେ ମୋଟାମୋଟି ଭାବେ କହିଲେ ମୋହନ ସରକାରଙ୍କ ୧ବର୍ଷ ୫୦ ପ୍ରତିଶତ ସଫଳ ଓ ୫୦ ପ୍ରତିଶତ ବିଫଳ । 

ନବୀନ ପଟ୍ଟନାୟକ : ୨୦୨୪ ଜୁନ ୧୯ ତାରିଖ ଦିନ ନବୀନ ପଟ୍ଟନାୟକ ପ୍ରଥମଥର ଲାଗି ବିରୋଧୀ ଦଳ ନେତାଭାବେ ଦାୟିତ୍ବ ନେଲେ। ଜୁନ ୪ତାରିଖରେ ନିର୍ବାଚନ ପରାଜୟ ପରେ ଜୁନ ୧୨ ତାରିଖରେ ନବୀନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ପାଠ ଉତ୍ସବରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଥିଲେ। ଏହାପର ରଥଯାତ୍ରାରେ ସାମିଲ ହୋଇଥିଲେ । ନିର୍ବାଚନ ପରାଜୟ ପରେ ନବୀନ ପଟ୍ଟନାୟକ ଲୋକପ୍ରିୟତା ଉପରେ କିଛି ପ୍ରଭାବ ପଡ଼ିନାହିଁ ତାହା ଏହି ଦୁଇଟି ଘଟଣା ପ୍ରମାଣିତ କରିଥିଲା । ଏହାପରେ ନବୀନ ସରକାରଙ୍କ କାର୍ଯ୍ୟ ଓ ଦୋଷ ଦୁର୍ବଳତାକୁ ଛାୟୀ ପରି ଜଗିବା ପାଇଁ ବିଜେଡିର ୫୦ ଜଣ ବିଧାୟକଙ୍କୁ ନେଇ ଛାୟା କ୍ୟାବିନେଟ ଗଢିଥିଲେ । ଏଥିରେ ନେତାଙ୍କୁ ଗୁରୁ ଦାୟିତ୍ବ ମଧ୍ୟ ଦେଇଥିଲେ । ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନବୀନ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ । ହେଲେ ଗଠନମୂଳକ ବିରୋଧୀ ଦଳ ଭୂମିକା ତୁଳାଇଥିଲେ ସତ ନିଜ ଷ୍ଟାଇଲରେ। ହେଲେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଯେପରି ସରକାରଙ୍କ ବିରୋଧରେ ଆକ୍ରମଣ ଭୂମିକା ଲିଭାଇବା କଥା ତାହା କମ ଦେଖିବାକୁ ମିଳିଥିଲା । ସରକାର ଗଠନରେ ୫ମାସ ପରେ ଦରଦାମ ଅହେତୁକ ବୃଦ୍ଧିକୁ ନେଇ ଜନତାଙ୍କ ସ୍ବର ସାଜି ସରକାରଙ୍କ ବିରୋଧରେ ଋଣହୁଙ୍କାର ଦେଇଥିଲେ ନବୀନ । ଲୋୟର ପିଏମଜି ଜନସମୁଦ୍ର ପାଳଟିଥିଲା । ହେଲେ ଏହାପରେ ଓବିସିକୁ ନେଇ ରାଜଧାନୀରେ ବିଜେଡି ବଡ ପ୍ରତିବାଦ ସମାବେଶକୁ ଆସିନଥିଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ଯେମିତି ଥିଲେ ବିରୋଧୀ ଦଳ ନେତା ଭାବେ ସେମିତି ଦେଖିବାକୁ ମିଳିଛି । ଓଡିଶାର ବିକାଶ ଓ ସରକାରଙ୍କ ଜନ ବିରୋଧୀ ନିଷ୍ପତି ଯେତେବେଳେ ସରକାର ନେଇଛନ୍ତି ତାହା ବିରୋଧରେ ନବୀନ ସ୍ବର ଉଠାଇନ୍ତି । ବିରୋଧୀ ଦଳ ନେତା ବେଳେ କି କଥା କମ କାମ ଅଧିକ ନୀତିକୁ ନବୀନ ଗୁରୁତ୍ବ ଦେଇଛନ୍ତି । ଯାହାକୁ ନେଇ ବର୍ଷ ତମାନ ନବୀନ ଚର୍ଚ୍ଚାରେ ରହିଛନ୍ତି । ବିରୋଧୀ ଦଳ ନେତାଭାବେ ନବୀନଙ୍କ ଲୋକପ୍ରିୟତା ବି କିଛି କମ ହୋଇଛି । ବର୍ଷେ ଭିତରେ ନବୀନ ବିରୋଧୀ ଦଳ ନେତା ଭାବେ ୫୦ ପ୍ରତିଶତ ସଫଳ ହୋଇଥିବା ବେଳେ ୫୦ ପ୍ରତିଶତ ବିଫଳ ହୋଇଛି ।

ସମ ହସ୍ପିଟାଲରେ ପ୍ରଥମ ଥର ପାଇଁ ଫିଜିଓଥେରାପି ମାଧ୍ୟମରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା ଆୟୋଜିତ .

(): ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଟ୍ରାନ୍ସଭଜାଇନାଲ୍ ଓ ଟ୍ରାନ୍ସରେକ୍ଟାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା ଗତ ଜୁନ୍ ୭ ଓ ୮ ତାରିଖ ଦୁଇ ଦିନ ଧରି ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି । ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସାରା ଦେଶରୁ ପ୍ରାୟ ୭୭ ଜଣ ମହିଳା ଫିଜିଓଥେରାପିଷ୍ଟ ଯୋଗ ଦେଇଥିବା ବେଳେ ଅହମ୍ମଦାବାଦର ବିଶିଷ୍ଟ ଫିଜିଓଥେରାପି ବିଶେଷଜ୍ଞ ଡାକ୍ତର ଧାରା ଶାହ କର୍ମଶାଳାର ପ୍ରସଙ୍ଗକୁ ନେଇ ତଥ୍ୟ ପ୍ରଦାନ କରିଥିଲେ । ଶରୀରରେ ପେଲଭିକ ଫ୍ଲୋର ମାଂସପେଶୀ ଖୁବ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ମୂତ୍ରାଶୟ, ଗର୍ଭାଶୟ, ଗର୍ଭାଶୟ ନଳୀ, ଡିମ୍ବାଶୟ, ମୂତ୍ରନଳୀ, ମଳାଶୟ, ମଳାଶୟ ନଳୀ, ଡିମ୍ବକୋଷ ତଥା ମଳତ୍ୟାଗ ଓ ମୂତ୍ର୍ରାଶୟର ନିୟନ୍ତ୍ରଣ କାର୍ଯ୍ୟରେ ସହଯୋଗ କରିଥାଏ ।  କର୍ମଶାଳାରେ ପରିସ୍ରା ଏବଂ ମଳ କ୍ଷରଣ ଏବଂ କୋଷ୍ଟକାଠିନ୍ୟ, ଯୌନ କାର୍ଯ୍ୟରେ ଅନିୟମିତତା ଭଳି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।  ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ ପ୍ରଥମ ଥର ପାଇଁ ଏକ ଇଂଟିମେଟ ହେଲ୍‌ଥ ଚେକ୍‌ଅପ୍ କ୍ଲିନିକ୍ ଆରମ୍ଭ କରିବାର ଯୋଜନା କରୁଥିବା ହସ୍ପିଟାଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ରାଜ୍ୟର ପ୍ରଥମ ଥର ପାଇଁ ମହିଳା ଫିଜିଓଥେରାପିଙ୍କୁ ନେଇ ଏଭଳି କର୍ମଶାଳା ଆୟୋଜନ କରାଯାଇଥିଲା ।

ଗୁରୁ ସେ ଏମିତି: ବିଦାୟ ନୁହେଁ, ପ୍ରେରଣାର ନୂଆ ଅଧ୍ୟାୟ…

()ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପହଙ୍ଗା ପଞ୍ଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ଇନ୍ଦ୍ରମଣି କରଙ୍କୁ ତାଙ୍କ ଅବସରରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। 1988 ମସିହାରେ ଶିକ୍ଷକ ଭାବରେ ଏହି ବିଦ୍ୟାଳୟରେ ଯୋଗ ଦେଇଥିବା ଶ୍ରୀ କର, ଦୀର୍ଘ ୩୧ ବର୍ଷ ଧରି ନିଷ୍ଠା, ସମର୍ପଣ ସହିତ ଶିକ୍ଷା ଦାନ କରି ଅନେକ ପିଢ଼ିର ଛାତ୍ରଛାତ୍ରୀଙ୍କ ଜୀବନ ଗଠନ କରିଛନ୍ତି। ତାଙ୍କ ବିଦାୟୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରବିନ୍ଦ୍ର ଘଡ଼ାଇ ସଭାପତିତ୍ୱ କରିଥିଲେ, ଯେଉଁଥିରେ ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦେଶକ ଡ଼ା. ଶୁଭେନ୍ଦୁ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। FASTA ର ରାଜ୍ୟ ସଂପାଦକ ସଦୀପ୍ତ ମହାନ୍ତି ଓ ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପାତ୍ର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ସଭାରେ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀମାନେ ଉପସ୍ଥିତ ଥିବା ସହ ସଭାକୁ ସ୍ମୃତିମୟ କରିଥିଲେ। ଶ୍ରୀ କରଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା, ଓ ସମସ୍ତଙ୍କ ପାଇଁ ଭୋଜନର ଆୟୋଜନ ମଧ୍ୟ ଥିଲା। ବିଦ୍ୟାଳୟ ପରିସରରୁ ବାଜା ବାଣ ଓ ଆଲୋକ ଶୋଭା ମଧ୍ୟରେ ତାଙ୍କୁ ବିଦାୟ ଦିଆଯାଇ ଘରପର୍ଯ୍ୟନ୍ତ ଛାଡ଼ି ଆଣାଯାଇଥିଲା। ଜଣେ ନିଷ୍ଠାଶୀଳ ଓ ଆଦର୍ଶ ଶିକ୍ଷକ ଭାବେ ଶ୍ରୀ କର ଏହି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ମନରେ ଚିରଞ୍ଜୀବୀ ରହିବେ।

୨୦୩୫ ସୁଦ୍ଧା ସ୍ଥାପନ ହେବ ଭାରତର ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର: ଇସ୍ରୋ ଅଧ୍ୟକ୍ଷ

() ମହାକାଶ ଗବେଷଣା ସଂସ୍ଥା ଅର୍ଥାତ୍ ଇସ୍ରୋ ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର – “ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍‌’’ ସ୍ଥାପନ କରିବାର ଯୋଜନା ରଖିଛି ବୋଲି ବୁଧବାର ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ୍ କହିଛନ୍ତି ।ବିଏଏସ୍‌ର ସ୍ଥାପନା ମହାକାଶ ଗବେଷଣା ଏବଂ ତତ୍‌ସମ୍ପର୍କିତ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟିମାନଙ୍କ ସହିତ ଆଲୋଚନା ପରିପ୍ରେକ୍ଷୀରେ ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ । ଭାରତର ପ୍ରଥମ ମାନବ ମହାକାଶ ମିଶନ, ‘ଗଗନାୟନ’ ୨୦୨୭ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବା ନିମନ୍ତେ ପ୍ରଚେଷ୍ଟା ଚାଲିଥିବା ବେଳେ ଏଥି ନିମନ୍ତେ ୪ ଜଣ ଟେଷ୍ଟ ପାଇଲଟଙ୍କୁ ମହାକାଶଚାରୀ ଭାବେ ପ୍ରଶିକ୍ଷଣ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ମନୁଷ୍ୟ ନ ଥାଇ ଏହି ପରୀକ୍ଷା କରାଯିବ ।ସେହିପରି ୨୦୪୭ ସୁଦ୍ଧା ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ନିଜକୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏପର୍ଯ୍ୟନ୍ତ ଋଷିଆ, ଯୁକ୍ତରାଷ୍ଟ ଆମେରିକା ଏବଂ ଚୀନ୍ ହିଁ ମହାକାଶକୁ ମାନବ ପଠାଇବାରେ ସଫଳ ହୋଇପାରିଛନ୍ତି ବୋଲି ସେ କହିଥିଲେ । ଜଣେ ରକେଟ ବିଶେଷଜ୍ଞଭାବେ ପରିଚିତ ଡକ୍ଟର ନାରାୟଣନ କହିଥିଲେ ଯେ ଯଦିଓ ଭାରତର ମହାକାଶ ଅଭିଯାନ ୧୯୬୨ରେ ଆରମ୍ଭ ହୋଇଥିଲା ଏହି ଯାତ୍ରା ଖୁବ୍ ଲମ୍ବା ଥିଲା । ଦେଶ ଏବେ ଜଣେ ଭାରତୀୟଙ୍କୁ ନିରାପଦ ଭାବେ ଚନ୍ଦ୍ରକୁ ପଠାଇ ପୁଣି ସଫଳତାର ସହ ଫେରାଇ ଆଣିବା ନିମନ୍ତେ ଲକ୍ଷ୍ୟ ରଖିଛି ।  ସେ କହିଥିଲେ ୧୯୬୯ ମସିହାରେ ଯେତେବେଳେ ଇସ୍ରୋ ପ୍ରତିଷ୍ଠା ହୋଇଥିଲା ସେତେବେଳକୁ ଯୁକ୍ତରାଷ୍ଟ୍ର ଆମେରିକା ସଫଳତାର ସହ ନିଲ ଆର୍ମଷ୍ଟ୍ରଙ୍ଗଙ୍କୁ ଚନ୍ଦ୍ରକୁ ପଠାଇସାରିଥିଲା । ତେବେ ବିଳମ୍ବରେ ଆରମ୍ଭ ହେବା ସତ୍ୱେ ଇସ୍ରୋ ଖୁବ୍ ଦୃଷ୍ଟାନ୍ତମୂଳକ ବିକାଶ କରିପାରିଛି । ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଭାରତ ମହାକାଶକୁ ୩୫ କେଜିର ସାଟେଲାଇଟ୍ ପଠାଇବାରେ ସଫଳ ହୋଇପାରିଥିଲା । ପରବର୍ତୀ ସମୟରେ ଭାରତ ୬ଟି ପିଢ଼ିର ଲଂଚ ଭେହିକଲ ନିର୍ମାଣ କରିବାକୁ ସକ୍ଷମ ହୋଇଛି । ମାତ୍ର ୨୭ ଦିନ ମଧ୍ୟରେ ଏକ ୪୦ ମହଲା ଉଚ୍ଚର ରକେଟ ପ୍ରସ୍ତୁତ କରିବା ଭାରତ ନିମନ୍ତେ ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଥିଲେ । ଡ. ନାରାୟଣନ୍ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ କ୍ରାୟୋଜେନିକ ଇଞ୍ଜିନ୍ ର ଜ୍ଞାନକୌଶଳ ନିମନ୍ତେ ଭାରତ ଅନ୍ୟ ଦେଶମାନଙ୍କର ସାହାଯ୍ୟ ଲୋଡ଼ି ଅପଦସ୍ତ ଓ ଅପମାନିତ ହୋଇଥିଲା । ମାତ୍ର ଦେଶ ଏହା ଏବେ ନିଜେ ନିର୍ମାଣ କରିବାକୁ ସକ୍ଷମ ଅଟେ । ଏ ପର୍ଯ୍ୟନ୍ତ ଭାରତ ୩ଟି କ୍ରାୟୋଜେନିକ ଇଞ୍ଜିନ୍ ପ୍ରସ୍ତୁତ କରିସାରିଥିବା ବେଳେ ସେଥିରୁ ୨ଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ବୋଲି ସେ କହିଥିଲେ । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ୍‌-୩କୁ ଅବତରଣ କରାଇପାରିବା ସହ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ପାଇପାରିଥିବା ଏକ ବିରାଟ ସଫଳତା ବୋଲି ପ୍ରକାଶ କରି ସେ ଭାରତ ଗୋଟିଏ ମିଶନ୍‌ରେ ମହାକାଶରେ ୧୦୦ରୁ ଅଧିକ ସାଟେଲାଇଟ୍ ସ୍ଥାପନ କରି ବିଶ୍ୱ ରେକର୍ଡ କରିଥିବା କହିଥିଲେ । ଭାରତ ହେଉଛି ଏକ ମାତ୍ର ଦେଶ ଯିଏକି ପ୍ରଥମ ପ୍ରୟାସରେ ହିଁ ମଙ୍ଗଳ ଗ୍ରହର ଅରବିଟରେ ପହଂଚିବାରେ ସକ୍ଷମ ହୋଇପାରିଛି ବୋଲି ସେ କହିଥିଲେ । ଡକ୍ଟର ନାରାୟଣନ୍ କହିଥିଲେ ଯେ ଚନ୍ଦ୍ରାୟାନ -୪ ଏକ ଜଟିଳ ମିଶନ ଭାବେ ଉଭା ହୋଇପାରେ । କାରଣ ଏହି ମିଶନ ଜରିଆରେ ଚନ୍ଦ୍ରରେ ଥିବା ପଦାର୍ଥକୁ ଆଣିବାର ଯୋଜନା ରଖାଯାଇଛି । ସେହିପରି ଭାରତ ଜାପାନ୍‌ର ସହଭାଗିତାରେ ଚନ୍ଦ୍ରାୟାନ-୫ ଲଂଚ୍ କରିବାର ଯୋଜନା ରଖିଥିବା ସେ କହିଛନ୍ତି । ସୋଆରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର ଅନ୍ତରାଷ୍ଟ୍ରୀୟ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡକ୍ଟର ନାରାୟଣନ୍‌ଙ୍କୁ ସ୍ୱାଗତ କରିଥିବା ବେଳେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏବଂ ବିଭିନ୍ନ ଅନୁଷ୍ଠାନର ଡିନ୍ ମାନେ ଉପସ୍ଥିତ ଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଭକ୍ତ ହଟାଓ ଅଭିଯାନ : ଆନ୍ଦୋଳନ ଦେଲା ସଙ୍କେତ ! 

()ପିସିସି ସଭାପତି ହେବାର ୩ ମାସ ମଧ୍ୟରେ କଂଗ୍ରେସ ମୁଖିଆ ଭକ୍ତ ଦାସଙ୍କୁ ପରିବର୍ତ୍ତନ କରିବା ଲାଗି କଂଗ୍ରେସର ଗୋଟେ ଗୋଷ୍ଠୀ ଏକାଠି ହେଲେଣୀ । ପିସିସି ସଭାପତିଙ୍କ ୩୦ ଜଣିଆ ପିସିସି ଟିମକୁ ନେଇ କଂଗ୍ରେସ ଅନ୍ଦର ମହଲରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛିl ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ ସମୟରେ। ପଛୁଆ ବର୍ଗକୁ ୧୧ ନୁହେଁ, ୨୭ ପ୍ରତିଶତ ସଂରକ୍ଷଣ ଦେବା ଦାବିରେ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ୨୪ ଘଣ୍ଟିଆ ଧାରଣା ଦେଇଛି । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଏପରି ବଡ ଆନ୍ଦୋଳନରେ ଦଳର ବହୁ ହେବିଓ୍ବେଟ ନେତା ଅନୁପସ୍ଥିତ ରହିବାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ପଛୁଆ ବର୍ଗଙ୍କ ପାଇଁ ସବୁବେଳେ ସ୍ବର ଉଠାଉଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କଂଗ୍ରେସର ଅନ୍ଦୋଳନରୁ ଦୂରେଇ ରହିବା ସିଧାବାର୍ତ୍ତା ଦେଇଛି ପିସିସି ସଭାପତିଙ୍କ ଆନ୍ଦୋଳନ ଡାକରାକୁ ସେ ଅସହଯୋଗ କରିଛନ୍ତି । କାରଣ ସେ ଭକ୍ତଙ୍କ ନେତୃତ୍ବକୁ ଗ୍ରହଣ କରିବାକୁ ସେ ନାରାଜ। ଶ୍ରୀକାନ୍ତ ଜେନା କୌଣସି ଗୋଟିଏ ପ୍ରସ୍ତାବକୁ ଭକ୍ତ ଦାସ ତାଙ୍କ ଟିମ ଗଠନ ବେଳେ ଗ୍ରହଣ କରିନଥିବାରୁ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଆନ୍ଦୋଳନରେ ସାମିଲ ହେଲେ ନାହିଁ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ସେହିପରି ଭାବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଜଂନ ପଟ୍ଟନାୟକ ବି ଭକ୍ତ ଦାସଙ୍କ ସାଥ ଦେଇନାହାନ୍ତି।ଉଭୟଙ୍କ ପୁଅଙ୍କୁ ଭକ୍ତ ଦାସ ଦଳର କୌଣସି ପଦ ଦେଇନାହାନ୍ତି କି ତାଙ୍କ ଗୋଷ୍ଠୀର ନେତାଙ୍କୁ ସେତେଟା ଗୁରୁତ୍ବ ଦେଇନାହାନ୍ତି। ଏଥିଲାଗି ଦଳର ଏହି ଦୁଇ ବରିଷ୍ଠ ନେତା ଆଜିର ପଛୁଆ ବର୍ଗ ଆନ୍ଦୋଳନରୁ ଦୂରେଇ ରହିଲେ। ଚର୍ଚ୍ଚା ହେଉଛି ଖୁବଶୀଘ୍ର ଭକ୍ତ ଦାସ ନିରଂଜନ ପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଗୁରୁ ଦାୟିତ୍ବ ଦେଇପାରନ୍ତି । ହେଲେ ପ୍ରଥମ କମିଟିରେ ନିରଂଜନଙ୍କ ଲିଗାସୀକୁ ଭକ୍ତ ଗୁରୁତ୍ବ ଦେଇନଥିବାରୁ ସେ ଏହି ଆନ୍ଦୋଳନରୁ ଦୂରେଇ ରହିଲେ । ସେହିପରି ପୂର୍ବତନ ବିଧାୟକ ମହମ୍ମଦ ମୋକିମ କି ତାଙ୍କ ଝିଅ ବିଧାୟିକା ସୋଫିଆ ଫରଦୋଷକୁ ଦଳ ଗୁରୁତ୍ବ ଦେଇନଥିରୁ ଉଭୟ ଏହି ଆନ୍ଦୋଳନରୁ ଦୁରେଇ ରହିଛନ୍ତି । ନିରଂଜନଙ୍କ ପରି ଚର୍ଚ୍ଚା ହେଉଛି ମୋକିମଙ୍କ ଝିଅକୁ ମଧ୍ୟ କଂଗ୍ରେସ ମହିଳା ସଭାପତି କରିପାରେ । ସେହିପରି ବହୁ ହେବିଓ୍ବେଟ କଂଗ୍ରେସ ନେତା ଆଜିର ଆନ୍ଦୋଳନରେ ସାମିଲ ନହେବା ନେଇ ଭକ୍ତ ବିରୋଧୀ ଧୀରେଧୀରେ ଏକାଠି ହେଲେଣୀ ତାହାର ସଙ୍କେତ ଦେଖିବାକୁ ମିଳିଛି । ଏପରିକି ଭକ୍ତ ଦାସ ନିଦ୍ଦିଷ୍ଟ ଗୋଷ୍ଠୀଙ୍କୁ ନେଇ ସଂଗଠନ ଚଳାଉଥିବା ଅଭିଯୋଗ କରି ନେତାମାନେ ଏବେ ଦିଲ୍ଲୀମୁହାଁ ହୋଇଛନ୍ତି। ସେହିପରି ଶରତ ପଟ୍ଟନାୟକ , ଅନନ୍ତ ପ୍ରସାଦ ସେଠୀ , ରମେଶ ଜେନା, ବିଶ୍ବ ମହାନ୍ତି, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ଦାଶରଥୀ ଗମାଙ୍ଗ ଅନୁପସ୍ଥିତ ଥିଲେ । ଦଳର ବହୁ ବରିଷ୍ଠ ନେତା ନିଜ ନାଁ ଗୋପନୀୟ ରଖି କହିଛନ୍ତି ଯେ ଭକ୍ତ ଦାସଙ୍କ ଅହଂଙ୍କାର ଯୋଗୁଁ କଂଗ୍ରେସର ଆନ୍ଦୋଳନକୁ କଂଗ୍ରେସ ପ୍ରଭାରୀ ଉପସ୍ଥିତ ରହିବା ସ୍ବର୍ତ୍ତେ ୫୦୦ ଲୋକ ଏକାଠି ନହେବା ଦଳରେ ଭକ୍ତ ବିରୋଧି ଗୋଷ୍ଠୀ ସକ୍ରିୟ ହୋଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news