ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଦାବିରେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଭେଟିବ*

- Advertisement -

*ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ କଂଗ୍ରେସ ତୃଣମୂଳ ସ୍ତର ଯାଏ ନେବ: ଭକ୍ତ*

* *ପିଏସି ବୈଠକରେ କଂଗ୍ରେସ ନେତାଙ୍କ ଉତ୍ସାହ ଏହି ଆନ୍ଦୋଳନକୁ ସଫଳ କରିବାର ପୂର୍ବାଭାଷ: ଦେଶାଇ*

* *ପେସା ଆଇନକୁ ଅଣଦେଖା ପରେ ଏମଏମ୍‌ଡିଆର ଆଦିବାସୀଙ୍କ ବେଡ଼ି ଉପରେ କୋରଡ଼ା: କଡ଼ାମ*

> *ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଦାବିରେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଭେଟିବ*

କଂଗ୍ରେସ ଭବନଠାରେ ଆଜି ଦଳର ଗୁରୁତ୍ୱପୂର୍ଣ ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓପିସିସି ସଭାପତି ଭକ୍ତ ଚରଣ ଦାସ, ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାରଙ୍କ ସମେତ କମିଟିର ପ୍ରାୟ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଶେଷତଃ ଏମଏମଡିଆର ବିଲକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ତଥା ଦଳର ଆଗାମୀ କାର୍ଯ୍ୟପନ୍ଥା ବିଷୟ ସ୍ଥିର ହୋଇଥିଲା l ଗତ ୧୮ ତାରିଖ ଏ ନେଇ ହୋଇଥିବା ସର୍ବଦଳୀୟ ବୈଠକର ନିର୍ଯାସକୁ ସର୍ବସମ୍ମତ କ୍ରମେ ଗୃହୀତ କରାଯାଇଥିଲା। ରାଷ୍ଟ୍ରପତି ତୁରନ୍ତ ଏହି ଓଡ଼ିଶା-ବିରୋଧୀ ଓ ଆଦିବାସୀ ବିରୋଧୀ ଆଇନକୁ ପ୍ରତ୍ୟାହାର ନ କଲେ ରାଜ୍ୟର ଖଣିଖାଦାନ ଥିବା ଜିଲ୍ଲାମାନଙ୍କରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକିବା ସହ ଏକ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ଦାବି ଦୋହରାଯାଇଥିଲା। ଅନ୍ୟ ପକ୍ଷରେ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଡାକି କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ଦାବି କରାଯାଇଥିଲା। ଆବଶ୍ୟକ ସ୍ଥଳେ ଏହି ଆନ୍ଦୋଳନକୁ ପଂଚାୟତ ସ୍ତର ଯାଏ ନେବାକୁ ପ୍ରସ୍ତାବ ଦିଆଯାଇଥିଲା। ଦଳର ବରିଷ୍ଠ ନେତାମାନେ ପର୍ଯ୍ୟବେକ୍ଷକ ଭାବେ ତୃଣମୂଳ ସ୍ତରକୁ ଯାଇ ଆନ୍ଦୋଳନକୁ ସଠିକ ଦିଗ୍‌ଦର୍ଶନ ଦେବାକୁ ଆହ୍ବାନ କରାଯାଇଥିଲା। ଅସାଧୁ ଅଣଓଡ଼ିଆ ଖଣିମାଲିକମାନେ ଲୁଟ୍ କରୁଥିବାରୁ ଓଡ଼ିଶାର ସମସ୍ତ ଖଣିଖାଦାନର ପରିଚାଳନା ଓଏମ୍‌ସିକୁ ରାଜ୍ୟ ସରକାର ଅର୍ପଣ କରନ୍ତୁ ବୋଲି ପୂର୍ବତନ ସଭାପତି ଜୟଦେବ ଜେନା ପ୍ରସ୍ତାବ ଦେଇଥିଲେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ, ତେବେ ସେ ଯଦି ତାଙ୍କ ରାଜ୍ୟର ବକେୟା ଦେୟ ସଂଗ୍ରହ କଲେ, ଓଡ଼ିଶାର ଆଦିବାସୀ ମୁଖ୍ୟମନ୍ତ୍ରୀ କାହିଁକି କଲେନାହିଁ ବୋଲି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ରାଜ୍ୟରେ ଏକ ବଡ଼ ଆନ୍ଦୋଳନ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକ ସୁଯୋଗ ଦେଇଛନ୍ତି। କଂଗ୍ରେସ ଏହି ସୁଯୋଗକୁ ଏକ ବଡ଼ ଆନ୍ଦୋଳନରେ ପରିଣତ କରୁ ବୋଲି ସେ କହିଥିଲେ। ପେସା ଆଇନ କାର୍ଯ୍ୟକାରୀ ନ କରିବା ପରେ ଏବେ ଏମଏମଡିଆର୍ ଆଦିବାସୀଙ୍କ ବେଡ଼ି ଉପରେ କୋରଡ଼ା ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ମତ ଦେଇଥିଲେ।

ଏହି ପରିପେକ୍ଷୀରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ପ୍ରଭାରୀ ଶ୍ରୀ ଦେଶାଇ କହିଛନ୍ତି ଯେ, ସରକାର କୌଣସି ଆଲୋଚନା ଓ ମତାମତ ଗ୍ରହଣ ନକରି ଏମଏମଡିଆର ଆଇନ ସଂସଦରେ ପାସ କରିଦେଲେ l ଏହି ଆଇନ ଦ୍ୱାରା ଦେଶରେ ସବୁଠୁ ବେଶୀ ଓଡ଼ିଶାର କ୍ଷତି ହେବ l ରାଜ୍ୟର ଖଣି କର ସ୍ୱାୟତ୍ତତା କେନ୍ଦ୍ର ନିଜ ହାତକୁ ନେଇ ନିଜ ଅନୁଗାମୀଙ୍କୁ ଖଣି ତଥା ସମସ୍ତ ସୁବିଧା ଯୋଗେଇଦେବା ପାଇଁ କେନ୍ଦ୍ର ସରକାର ଏକ ମସ୍ତବଡ଼ ଷଡଯନ୍ତ୍ର କରିଛନ୍ତି l ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି l ଦେଶକୁ ଆଦିବାସୀ ରାଷ୍ଟ୍ରପତି ଓ ରାଜ୍ୟକୁ ଆଦିବାସୀ ମୁଖ୍ୟମନ୍ତ୍ରୀ ଦେଲୁ ବୋଲି ବିଜେପି ବାରମ୍ବାର କହୁଛି l କିନ୍ତୁ ପ୍ରକୃତରେ ଏମାନଙ୍କଠାରୁ ସରକାର ବିଲ ଦସ୍ତଖତ କରାଇ ଓଡିଶାବାସୀଙ୍କୁ ଠକାମୀ କରି ଆଦିବାସୀଙ୍କ ଅଧିକାର ଉଚ୍ଛେଦ କରିଛନ୍ତି ବୋଲି ଶ୍ରୀ ଦେଶାଇ କହିଛନ୍ତି l

ପ୍ରେସ୍ ବିବୃତ୍ତି ସମୟରେ ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ। ଆଜିର ପରିବର୍ଦ୍ଧିତ ପିଏସି ବୈଠକରେ ବିଧାୟକଗଣ ଓ ପ୍ରଭାବିତ ୧୦ ଜିଲ୍ଲାର ଡିସିସି ସଭାପତି ମଧ୍ୟ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ୨୧ ତାରିଖ ଶୁକ୍ରବାର କଂଗ୍ରେସ ବିଧାୟକମାନେ ଶ୍ରୀ କଡ଼ାମଙ୍କ ନେତୃତ୍ବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ସାକ୍ଷାତ କରି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି ଜଣାଇବେ।

ଆଜିର ପିଏସି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ନଗେନ୍ଦ୍ରନାଥ ପ୍ରଧାନ, ସୁରେଶ ରାଉତରାୟ, କିଶୋର ପଟେଲ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ଆଇନଜୀବୀ ଶିବାନନ୍ଦ ରାୟ, ବିଧାୟକ ଡା.ରାଜନ ଏକ୍କା, ସାଗର ଦାସ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ପିଓ୍ବାଇସି ସଭାପତି ରଣଜିତ ପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଉପସଭାପତି ସସ୍ମିତା ବେହେରା, ଛାତ୍ରକଂଗ୍ରେସ ସଭାପତି ବିଭୁତି ମହାପାତ୍ର ଓ ଡିସିସି ସଭାପତିବୃନ୍ଦ ଆନ୍ଦୋଳନର ରୂପରେଖ ନେଇ ନିଜନିଜ ମତ ରଖିଥିଲେ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles