ଭାରତର ଦ୍ୱିତୀୟ ହସ୍ପିଟାଲ୍ ଭାବେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ରେ ଅତ୍ୟାଧୁନିକ ଡିଜିସ୍କାନର ସ୍ଥାପନ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଅନ୍ତର୍ଗତ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଫିଲିପ୍ସ ପାଥୋଲୋଜି ସ୍କାନର ଏସ୍ଜି ୩୦୦ ଶୁକ୍ରବାର ସ୍ଥାପନ କରାଯାଇଥିବା ବେଳେ ଏହା ଜଟିଳ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ତ୍ୱରିତ ପରୀକ୍ଷଣ କରିବାରେ ସକ୍ଷମ ହୋଇପାରିବ ବୋଲି ଜଣାଯାଇଛି । ଏହି ସ୍କାନରର ଏକ ଘଂଟାରେ ୬୦ଟି ସ୍ଲାଇଡ ସ୍କାନ କରିବାର କ୍ଷମତା ରହିଛି । ଏଥିରେ ପାଥୋଲୋଜି ସ୍ଲାଇଡ୍ଗୁଡ଼ିକ ସଫ୍ଟୱେୟାର ଫର୍ମାଟରେ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ରହିଥିବା ବେଳେ ଏହା ଦ୍ୱାରା ଗ୍ଲାସ୍ ସ୍ଲାଇଡ୍ଗୁଡ଼ିକର ବ୍ୟବହାର ହ୍ରାସ ପାଇବ ଏବଂ ରୋଗୀର ଚିକିତ୍ସାରେ ଅତ୍ୟନ୍ତ ସହାୟକ ହୋଇପାରିବ ବୋଲି ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର କହିଛନ୍ତି ।
ଏହି ମେସିନ୍ ଦ୍ୱାରା ପ୍ରତିଷ୍ଠିତ ଡାକ୍ତରୀ କେନ୍ଦ୍ର ଗୁଡ଼ିକ ସହିତ ଟେଲି କନ୍ଫରେନ୍ସିଂ କରାଯାଇପାରିବ ଯାହା ଦ୍ୱାରା ବିଳମ୍ବିତ ପରୀକ୍ଷଣକୁ ହ୍ରାସ କରାଯାଇପାରିବ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ଏହି ସ୍କାନରରେ ୫ ବର୍ଷ ଯାଏଁ ସ୍ଲାଇଡଗୁଡ଼ିକୁ ସଂରକ୍ଷିତ ରଖିବାର ସୁବିଧା ରହିଛି ଯାହା ଦ୍ୱାରା କି ଜଟିଳ ସମସ୍ୟାରେ ପୀଡ଼ିତ ଥିବା ରୋଗୀମାନଙ୍କର ରେକର୍ଡ ଦୀର୍ଘ ବର୍ଷ ପରେ ମଧ୍ୟ ମିଳିପାରିବ । ଏହି ସ୍କାନର ମେସିନ୍ ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲ୍ରେ ସ୍ଥାପନ କରାଯାଇଛି । ଏହାକୁ ସ୍ଥାପନ କରିବାରେ ସମ ହସ୍ପିଟାଲ ଭାରତରେ ଦ୍ୱିତୀୟ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।
ଡିଜିସ୍କାନର ସ୍ଥାପନ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ଏହା ଦ୍ୱାରା ପରୀକ୍ଷଣ ତ୍ୱରାନ୍ୱିତ ହେବ ଏବଂ ରେକର୍ଡଗୁଡ଼ିକୁ ସଂରକ୍ଷିତ କରିବାର ପ୍ରକ୍ର୍ରିୟାରେ ଉନ୍ନତି ଘଟିବ । ଏହା ଦ୍ୱାରା ଶିକ୍ଷା ପ୍ରଦାନର ମାନ ବୃଦ୍ଧି ହେବା ସହ ଏହା କର୍ମଶାଳା ଏବଂ ଗବେଷଣା କ୍ଷେତ୍ରରେ ସାହାଯ୍ୟ କରିବ ବୋଲି ସେ କହିଥିଲେ ।
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର କହିଥିଲେ ଯେ ଏହି ସ୍କାନର ଜଟିଳ ରୋଗ କ୍ଷେତ୍ରରେ ଚିକିତ୍ସାରେ ସହାୟକ ହେବ ଏବଂ ପରୀକ୍ଷଣର ମାନ ମଧ୍ୟ ବୃଦ୍ଧି ପାଇବ । ଏହା ଦ୍ୱାରା ରୋଗୀ ସେବା ଓ ଗବେଷଣାର ସ୍ତର ଉନ୍ନତ ହେବ ବୋଲି ସେ କହିଥିଲେ ।
ସମ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏହି ଅତ୍ୟାଧୁନିକ ମେସିନ ପରୀକ୍ଷଣର ସମୟକୁ ମଧ୍ୟ ହ୍ରାସ କରିବ ଏବଂ ପିଜି ଛାତ୍ରଛାତ୍ରୀଙ୍କର ଶିକ୍ଷା ଗ୍ରହଣ ଓ ପ୍ରଶିକ୍ଷଣରେ ସହାୟକ ହେବ ।
କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଆଡିସ୍ନାଲ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା ଏବଂ ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଶ୍ରୀମତି ମନୋରମା ପରିଡ଼ା ଉପସ୍ଥିତ ଥିଲେ । ଫିଲିପ୍ସ କମ୍ପାନୀର ସହଯୋଗରେ ଏହି ମେସିନ୍ର ସ୍ଥାପନ କରାଯାଇଛି ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy