ବ୍ରହ୍ମପୁର ଚିକିତ୍ସା କ୍ଷେତ୍ରରେ ମାଇଲଖୁଂଟ :ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

 ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ବ୍ରହ୍ମପୁର, ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌-୩ ର ସର୍ଜିକାଲ୍ ଟିମ୍ ଦ୍ୱାରା ଜଣେ ୬୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ ବିପଜ୍ଜନକ ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।

ସରସ୍ୱତୀ ବେହେରା ନାମକ ମହିଳା ଅସହ୍ୟ ମୁଣ୍ଡବିନ୍ଧା, ବାମ ହାତ ଓ ଗୋଡ଼ରେ ଦୁର୍ବଳ ଅନୁଭବ କାରଣରୁ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ସ୍ନାୟବିକ ଲକ୍ଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ ଏମ୍‌ଆର୍‌ଆଇ କରାଯାଇଥିଲା ।

ଇମେଜିଙ୍ଗରୁ ଜଣାପଡିଥିଲା ଯେ ତାଙ୍କ ମସ୍ତିଷ୍କରେ ଏକ ବୃହତ ଟ୍ୟୁମର ରହିଛି । ମସ୍ତିଷ୍କର ଏହି ସ୍ଥାନରେ ଟ୍ୟୁମର ହେବା ଅତ୍ୟନ୍ତ ଜଟିଳ, କାରଣ ଏହା ମସ୍ତିଷ୍କର ମୂଳ ଅଂଶରେ ଥାଏ ଏବଂ ଚେହେରାର ଚଳପ୍ରଚଳ ଓ ଶ୍ରବଣ ଶକ୍ତି ନିୟନ୍ତ୍ରଣ କରୁଥିବା ସୂକ୍ଷ୍ମ ସ୍ନାୟୁଗୁଡ଼ିକ ଏହାର ନିକଟବର୍ତୀ ହୋଇଥାନ୍ତି ।

ଏହି ଜଟିଳ ଅସ୍ତ୍ରୋପଚାର ପାଇଁ ନ୍ୟୁରୋସର୍ଜରୀ ବିଭାଗର ଉଚ୍ଚକୋଟୀର ଜ୍ଞାନକୌଶଳ ଏବଂ ବିଶେଷଜ୍ଞଙ୍କ ସହାୟତା ନେଇଥିଲା । ହାଇ-ପ୍ରିସିସନ ନ୍ୟୁରୋସର୍ଜିକାଲ୍ ମାଇକ୍ରୋସ୍କୋପ୍ ସାହାଯ୍ୟରେ ଡାକ୍ତରମାନେ ମସ୍ତିଷ୍କର ଅତି ସୂକ୍ଷ୍ମ ଅଂଶ ଏବଂ ରକ୍ତବାହିକାଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିପାରିଥିଲେ ।

ସିୟୁଏସ୍‌ଆଇ (କାର୍ଭିଟ୍ରନ୍ ଅଲଟ୍ରାସୋନିକ ସର୍ଜିକାଲ୍ ଆସ୍ପିରେଟର୍‌) ଭଳି ଅତ୍ୟାଧୁନିକ ମେସିନ୍ ଅଲଟ୍ରାସୋନିକ ଫ୍ରିକ୍ୱେନ୍ସି ବ୍ୟବହାର କରି ସୁସ୍ଥ ମସ୍ତିଷ୍କ ଏବଂ ସ୍ନାୟୁକୁ ସୁରକ୍ଷିତ ରଖି ଟ୍ୟୁମରଟିକୁ ଖଣ୍ଡ ଖଣ୍ଡ କରି ବାହାର କରିଥାଏ ।

ଏହି ସଫଳ ଅସ୍ତ୍ରୋପଚାର ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଭାତ କୁମାର ଜଗଦେବଙ୍କ ନେତୃତ୍ୱରେ କରାଯାଇଥିବାବେଳେ ଏଥିରେ ନ୍ୟୁରୋ-ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତର ପ୍ରତ୍ୟୁଷ କୁମାର ମିଶ୍ର, ଆଇସିୟୁ, ଓଟି ଏବଂ ନର୍ସିଂ ଟିମ୍ ସହଯୋଗ କରିଥିଲେ ।

ଏହି ସଫଳ ଅସ୍ତ୍ରୋପଚାର ବ୍ରହ୍ମପୁରର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ସଫଳତା । ଏହା ପ୍ରମାଣିତ କରିଛି ଯେ ବର୍ତମାନ ଜଟିଳ ନ୍ୟୁରୋସର୍ଜରୀ ପାଇଁ ବାହାର ରାଜ୍ୟ କିମ୍ବା ବଡ଼ ସହରକୁ ଯିବା ପରିବର୍ତେ ସ୍ଥାନୀୟ ଅଂଚଳରେ ଏହି ସେବା ଉପଲବ୍ଧ ହୋଇପାରିବ ବୋଲି ଆଇଏମଏସ୍ ଏବଂ ସମ୍ ହସ୍ପିଟାଲ-୨ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ କହିଛନ୍ତି ।

ଏହି ସଫଳତା କେବଳ ଜଣେ ରୋଗୀଙ୍କ ଜୀବନ ରକ୍ଷାର କଥା ନୁହେଁ, ବରଂ ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶାରେ ଉନ୍ନତ ନ୍ୟୁରୋସର୍ଜରୀ ସେବାର ଏକ ନୂଆ ଅଧ୍ୟାୟର ଆରମ୍ଭ । ଆମର ଲକ୍ଷ୍ୟ ହେଉଛି ରୋଗୀମାନଙ୍କୁ ବଡ଼ ସହର କିମ୍ବା ଅନ୍ୟ ରାଜ୍ୟକୁ ନଯାଇ ସ୍ଥାନୀୟ ସ୍ତରରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବା ବୋଲି ସେ କହିଛନ୍ତି ।”

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ 

ରଜ ଉପଲକ୍ଷେ ଜୟ ମାଆ ଭବାନୀ ଟ୍ରଷ୍ଟ ପକ୍ଷରୁ ନବମ ବାର୍ଷିକ ସେବା ରତ୍ନ ସମ୍ମାନ ଅନୁଷ୍ଠିତ ହୋଇଯାଇଥିବାବେଳେ ବିଶିଷ୍ଟ ଚିକିତ୍ସକ ଡାକ୍ତର ସ୍ୱରୂପ ପଟ୍ଟନାୟକଙ୍କୁ ୨୦୨୬ର ପ୍ରଥମ ସେବା ରତ୍ନ ସମ୍ମାନ ପ୍ରଦାନ କରାଯାଇଛି ଜୟଦେବ ବିହାରସ୍ଥିତ ଓଡିଶୀ ରିସର୍ଚ୍ଚ ସେଂଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଅଦ୍ୱେତ୍ୟ ଗଡ଼ନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ସତ୍ୟନାରାୟଣ ରାଉତରାୟ ଓ ବିଶିଷ୍ଟ ଅତିଥି ଭାବେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଯୋଗଦେଇ ଡାକ୍ତର ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ  ଏହି ଅବସରରେ ମହାପ୍ରଭୁଙ୍କ ପୂଜା ପଣ୍ଡା ସେବାୟତ ରାମନାରାୟଣ ପୂଜାପଣ୍ଡା, ନିଶିକାନ୍ତ ମିଶ୍ର ଓ ସଂସ୍କୃତି ଗବେଷକ ବନୋଜ ରାୟଙ୍କୁ ଉତ୍କଳ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ଡାକ୍ତର ଶୁଭମ୍ ମହାନ୍ତି, ଡାକ୍ତର ମନୋଜ ସାହୁ, ଡାକ୍ତର ପ୍ରିୟବ୍ରତ ରଥ, ମାମିନା ମହାନ୍ତି, ଯୁବ ଉଦ୍ୟୋଗୀ ଅମ୍ବିକା ପ୍ରସାଦ, ସମାଜ ସେବୀ ଅନାମ ସାହୁ, ପ୍ରଶାସନିକ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ, ଜ୍ୟୋତିର୍ବିଦ ବିଭୂଦାନନ୍ଦ ଶତପଥୀ, ରଶ୍ମି ପରିଡା, ଧୀର ମଲ୍ଲିକ ଓ କଣ୍ଠ ଶିଳ୍ପୀ ଶଶାଙ୍କ ଶେଖରଙ୍କୁ ସେବାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ।ଏହି ଅନୁଷ୍ଠାନର ସଂପାଦକ ନାରାୟଣ ମହାପାତ୍ର ମଂଚରେ ଉପସ୍ଥିତ ଥିଲେ ।ଶେଷରେ ରଜ ଦୋଳି,ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପିଠା ଓ ପାନ ସହ ଖାଦ୍ୟପେୟରେ ଅତିଥି ମାନଙ୍କୁ ଆତିଥ୍ୟ ପ୍ରଦାନ କରାଯାଇଥିଲା ।

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

 ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ଶୁକ୍ରବାର ରଜ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।

ଏହି ପ୍ରତିଯୋଗିତାରେ ୧୮ବର୍ଷରୁ ଉର୍ଦ୍ଧ୍ୱ ଯୁବତୀ ଓ ମହିଳାମାନେ ପ୍ରସ୍ତୁତ କରି ଆଣିଥିବା ବିଭିନ୍ନ ପ୍ରକାର ପିଠା ପ୍ରଦର୍ଶିତ ହୋଇଥିଲା । ପ୍ରାୟ ୩୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ବିଭିନ୍ନ ପ୍ରକାରର ପୋଡପିଠା ଯଥା ସପୁରୀ ଚାଉଳ ପୋଡପିଠା, କଖାରୁ ପୋଡପିଠା, ଚାଉଳ ପୋଡପିଠା, କ୍ଷୀର ପୋଡପିଠା, ବିରି ପୋଡପିଠା, ଛତୁ ପୋଡପିଠା, ମହୁଲ ପୋଡପିଠା, ମାଣ୍ଡିଆ ପୋଡପିଠା, ଅମୃତ ଭଣ୍ଡା ପୋଡପିଠା ଓ ଲାଉ ପୋଡପିଠା ଏହି ପ୍ରତିଯୋଗିତାରେ ପ୍ରଦର୍ଶିତ କରାଯାଇଥିଲା ।

ସେହିପରି ବୁଢା ଚକୁଳି, ଛେନାମଣ୍ଡା, ବିରି ଖଜା, ସୋୟାବିନ୍ ଛୁଙ୍କ, ଜାମୁକୋଳି ଚିତଉ ପିଠା, ଆମ୍ବ କାକରା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା ପିଠା, ପାଳୁଅ ମଣ୍ଡା, କ୍ଷୀର ଗଇଁଠା, ଜାମୁକୋଳି ମିଠା, ଜାମୁନ୍ ମଣ୍ଡା, ଜାମୁନ୍ ମୋଦକ, ଗାଜର ଚିିତଉ, ମାଣ୍ଡିଆ କନ୍ଦମୂଳ ରସାବଳୀ, ମାଣ୍ଡିଆ ଖିରି ଗଇଁଠା, ମାଣ୍ଡିଆ ପିଠା, ମାଣ୍ଡିଆ କାକରା, ଆମ୍ବ ଚିତଉ, ବେଲ ପିଠା, କଦମ୍ବ ପିଠା, ଆରିସା ମୁଆଁ ପିଠା, ଛେନା ଫୁଲ, ଏଣ୍ଡୁରୀ, ମାଣ୍ଡିଆ ମଣ୍ଡା, ନଡିଆ ମୋଦକ, ଖୁଆ ଗଇଁଠା ପିଠା, ଅପରାଜିତା ଗଇଁଠା ପିଠାଖିରୀ, ସାଗୁ ରସାବଳି, ଆମ୍ବ କାକରା, ଭୃଷଙ୍ଗ ପତ୍ର ଚକୁଳି ଭଳି ଅନେକ ପ୍ରକାରର ପିଠା ପ୍ରଦର୍ଶିତ ହୋଇଥିଲା ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଲାଇଫ୍ ହୋଟେଲ ଭୁବନେଶ୍ୱରର ଏଚ୍‌ଆର ହେଡ୍ ଶ୍ରୀ ଜଚ୍ଚିନ୍ଦର ଜେନା, ସେଫ୍ ଶ୍ରୀ ସତ୍ୟସୌଭନ ଲେଙ୍କା ଓ ପ୍ରଫେସର ପତିତପାବନ ଲେଙ୍କା ବିଚାରକ ଭାବେ ଯୋଗଦେଇ ଖାଦ୍ୟର ମାନ ନିରୂପଣ କରିଥିଲେ ।

ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କର ଖାଦ୍ୟର ସ୍ୱାଦ, ପ୍ରସ୍ତୁତି, ରୂପ, ପରିବେଷଣ ଓ ଭିନ୍ନତାକୁ ନେଇ ବିଚାର କରାଯାଇଥିଲା ।

ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଚଇନି ସ୍ୱାଗତ ଭାଷଣ ଦେଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ଜେନା କହିଥିଲେ ଯେ ଓଡିଶାର ସଂସ୍କୃତିକୁ ଖୁବ୍ ନିଆରା ଭାବରେ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ପିଠା ପ୍ରତିଯୋଗିତା । ଏହା କେବଳ ପ୍ରତିଯୋଗିତା ନୁହେଁ ଏହା ମହିଳାମାନଙ୍କ ଭିତରେ ଲୁକ୍କାୟିତ ଥିବା ପ୍ରତିଭାକୁ ପରିପ୍ରକାଶ କରିବା ନିମନ୍ତେ ଏକ ସୁଯୋଗ ।

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ସୋଆ ଏସ୍‌ଏଚଏମ୍‌ର ଦ୍ୱାରା ପ୍ରସ୍ତୁତ ହୋଇଥିବା ପିଠା ପ୍ରତିଯୋଗିତାରେ ମହିଳା ଓ ଝିଅମାନଙ୍କ ମଧ୍ୟରେ ଥିବା ପ୍ରତିଭା ଓ କଳା ଗୁଡିକୁ ପ୍ରକାଶ କରିବା ନିମନ୍ତେ ଏହିଭଳି ଅଭିନବ ପ୍ରୟାସ ପାଇଁ ସେ ଶିକ୍ଷାନୁଷ୍ଠାନକୁ ପ୍ରଶଂସା କରିଥିଲେ ।

 ସମ୍ମାନିତ ଅତିଥି ଭାବେ ସୋଆ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ କହିଥିଲେ ଯେ ନାରୀମାନେ ସ୍ୱାବଲମ୍ବୀ ହେବା ଏବଂ ସେମାନଙ୍କ ପାଖରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ପୁଟିତ କରିବା ଜରୁରୀ । ପ୍ରତିଯୋଗୀମାନଙ୍କର ଅଭିନବ ଚିନ୍ତାଧାରା ପାଇଁ ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମ ଶେଷରେ ପ୍ରୋଗାମ୍ କୋର୍ଡିନେଟର ତଥା ଏସ୍‌ଏଚ୍‌ଏମ୍‌ର ପ୍ରଫେସର (ଡକ୍ଟର) ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସ୍ମୃତିରେ ମହକୁଛି ରଜ

ମୋର ବି ଡ୍ରେସ ହେବ। ମୁଁ ବି ରଜରେ ନୂଆ ପିନ୍ଧିବି ଆଉ ସାଙ୍ଗଙ୍କ ସହ ବୁଲିବି। ନାନୀର ନୂଆ ମାନେ ମୋର ବି ନୂଆ। ରଜ କଣ କେବଳ ଝିଅମାନଙ୍କ ପାଇଁ। ଏମିତି ଅନେକ କଥା କହି ଚିଣ୍ଟୁ ବାପାଙ୍କ ପାଖରେ ଅଳି କରୁଥିଲା ରଜର 15 ଦିନ ପୂର୍ବରୁ। ଚିଣ୍ଟୁର ଗୋଟିଏ ଜିଦ ନାନୀ ପିଙ୍କିର ନୂଆ ଡ୍ରେସ ହେଉଛି ମାନେ ତାହାର ହେବ। ତାର ଏହି ଅଳିରେ ଭଲପାଇବାର ପରିଭାଷା ଭିନ୍ନ।

ବାପାଙ୍କ ପାଖରେ ଚିଣ୍ଟୁ ରଜ ପୂର୍ବରୁ ସ୍ନେହ, ଆଦର, ଅଭିମାନ ଓ ମଧୁର ରାଗ ପ୍ରକାଶ କରି ଜିଦ ଧରିଛି ନାନୀ ପରି ତାର ନୂଆ ଡ୍ରେସ ହେବ

। ଏ ଅଳି ତାର କେବଳ ରାଗ ନୁହେଁ, ଏହା ହୃଦୟର କଥା।

ପିଲାଦିନେ ଏପରି ଅନେକ ରଜରେ ଅନେକଙ୍କ ଜୀବନରେ ଏ କାହାଣୀ ସତ ପରି ଲାଗୁଥିବ। ହେଲେ ଆଜି ରଜ ଆସିଲେ କଣ ସେହି ଅଳି ଅଛି ଘରେ? ଏ ପ୍ରଶ୍ନର ଅଧିକାଂଶ ଉତ୍ତର ଆସିବ ନା,। କାହିଁକି ଜାଣିଛନ୍ତି ଆଉ ଆଗଭଳି ଆମ ପିଲାଙ୍କ ମନରେ ଏ ଅଳି ନାହିଁ. ସମୟ ସହ ସବୁକିଛି ହଜିଯାଇଛି। ଆଧୁନିକତାର ଛାପ ଏତେ ମାତ୍ରରେ ଆମକୁ ଗ୍ରାସ କରିଛି ଯେ ଆମେ ସେ ମାୟାଜାଲରେ ଫସି ଯାଇଛନ୍ତି।

ରଜ ତିନି ଦିନ, ଗାଁଠାରୁ ସହର ରଜ ମହକେ । ନୂଆ ଡ୍ରେସ, ପୋଡ଼ପିଠା, ପଣସ ମଞ୍ଜି ସକରା ତରକାରି ପରେ ମିଠା ପାନ ଆଉ ଦୋଳି ଖେଳ। ତିନି ଦିନ ଦିନରାତି କେତେବେଳେ ହୁଏ ତାହା ବି ଜଣାପଡେ ନାହିଁ। କାରଣ ମା ବସୁମତୀ ରାଜବତୀ ହୁଏ। ତେଣୁ ଚାଷ କାମ ବନ୍ଦ, ଘରେଘରେ ପିଠାପଣାର ଆସର।

ଗାଁ ପଡିଆରେ କବାଡି ଖେଳ, ଗାଁ ବରଗଛ ମୂଳେ ତାସ ଖେଳ, ଘର ଅଗଣାରେ ପଞ୍ଚି ଖେଳ, ଲୁଡୁ ଖେଳ ଦେଖିବାକୁ ମିଳେ। ଆଜି ବି କିଛି ସ୍ଥାନରେ ଏ ପରମ୍ପରା ଜାରି ରହିଛି। ଆଉ ସହରରେ ଏହା ଫେସନ ପାଲଟିଛି। ତଥାପି ଆମେ ରଜ ପରି ବିଶେଷ ପର୍ବରେ ଅଳି କରିବସୁ ଭିନ୍ନ ଭିନ୍ନ ଇଚ୍ଛା ପାଇଁ।

ସେମିତି ହଷ୍ଟେଲ ଝରକା ପାଖରେ ବସି ପିଙ୍କି ଭାବୁଥିଲା ବିଦେଶ ମାଟିରେ ରଜ ପର୍ବରେ ତା ପିଲାଦିନରୁ ଯୌବନ ସମୟ କଥା। ସେ ଏବେ ବିବାହ କରି ବିଦେଶରେ । କିନ୍ତୁ ତାର ମନେପଡ଼େ ସେଦିନର ସ୍ମୃତି । ସେ କେମିତି ରଜ ତିନି ଦିନରେ ଭଳିକି ଭଳି ଡ୍ରେସ ପିନ୍ଧି ସାଙ୍ଗସାଥୀଙ୍କ ମେଳରେ ବୁଲେ। ଆଉ ଚାହେଁ ତା ସଜବାଜ ବେଶକୁ ରଂଜନ ଟିକେ ଦେଖୁ । ସେ ରଂଜନ ପ୍ରତି ଆକର୍ଷିତ ଥିଲା । ଆଉ ରଂଜନ ମଧ୍ୟ । ରଜତ ସମୟରେ ଖାଲି ପିଙ୍କି ନୁହେଁ । ରଂଜନ ବି ଅପେକ୍ଷା କରୁଥିଲା ପିଙ୍କିକୁ । ସଜବାଜ ହେଇ ପିଙ୍କି କେତେବେଳେ ତାଙ୍କ ପଡ଼ିଶା ଘର ରଘୁ ମାଷ୍ଟର ଝିଅ ମୀନା ପାଖକୁ ଆସିବ, ତାକୁ ଚାତକ ପରି ଚାହିଁବସିଥାଏ ରଂଜନ । ଏମିତିକି ତା ବାପା ମାମୁ ଆଉ ମଉସା ଘରକୁ ଯିବାକୁ ଯେତେ କହିଲେ ବି ସିଏ ବାହାନା କରି ଯାଏନି, ପିଙ୍କି ନଆସିବା ପର୍ଯ୍ୟନ୍ତି । ଏ ଥିଲା ସେଦିନର କଥା ସବୁ ।

ଆଜି ଜୁନ ମାସ ୧୪ ତାରିଖ. ପହିଲି ରଜ। ହେଲେ ସେ ମହକ ଆଉ କାଇଁ ଯେ ? ପୁରୁଣା ମହକ ଏତେ ଜୋରେ ବାସୁଥିଲା ଯେ ଆଜି ଯାଏ ତାହା ସଭିଙ୍କ ମନକୁ ମହକାଉଛି ରଜ ଆସିବା ପୂର୍ବରୁ।

ଟ୍ରାକକୁ ଫେରିଲେ ବବି

ପ୍ରଣବ ପ୍ରକାଶ ଦାସ (ବବି )। ବିଜେଡି ରାଜନୀତିର ବଡ଼ ଚେହେରା। ନବୀନ ପଟ୍ଟନାୟକଙ୍କ ବ୍ଲୁ ୟାର୍ଡ୍ ବୟ। ଦଳର ଜଣେ ଦକ୍ଷ ସଂଗଠକ ଓ ଯୁବ ଗୋଷ୍ଠୀଙ୍କ ଆଦର୍ଶ। 2ଳ୨୦୨୪ ନିର୍ବାଚରେ‌ ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ବବି ବିଜେଡି ସଂଗଠନ କିପରି ପୁଣି ଚଳାଚଞ୍ଚଳ ହେବ ଓ ନବୀନ ପଟ୍ଟନାୟକ ପୁଣି କେମିତି ମୁଖ୍ୟମନ୍ତ୍ରୀ ହେବେ ସେନେଇ ଲମ୍ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପ୍ରାୟ ଦୁଇ ବର୍ଷ ହେବ ବବି ପ୍ରଥମେ ବିଜେଡିର ଗଡ଼ ଯାଜପୁରରେ ସଂଗଠନ ଶକ୍ତିଶାଳୀ କରିବା ଉପରେ ଫୋକସ କରିବା ସହ ପୂର୍ବରୁ ନବୀନ ପଟ୍ଟନାୟକ ଦେଇଥିବା ଜିଲ୍ଲା ଗୁଡିକର ସଂଗଠନକୁ ପୁଣି କିପରି ତୃଣମୂଳ ସ୍ତରରେ ଅଧିକ ଶକ୍ତିଶାଳୀ କରାଯିବ ତାକୁ ଗୁରୁତ୍ୱ ଦେଇଥିଲେ। ଆଉ ଏବେ ପୂରା ଓଡ଼ିଶାର ବିଜେଡି ସଂଗଠନକୁ ସଜାଡି଼ଵା ପାଇଁ ବବି ପୁଣି ବାହାରିପଡ଼ିଛନ୍ତି।

୨୦୨୭ରେ ପଂଚାୟତ ନିର୍ବାଚନ ପାଇଁ ବିଜେଡି ପାଗଭିଡା ଆରମ୍ଭ କରିଛି। ୨ବର୍ଷର ବିଜେପି ସରକାର ବାଦନାମ ହେବାରେ ଲାଗିଛି। ବିଜେଡି ଅଭିଯୋଗ କରିଛି ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ବିଜେପି ଶାସନକୁ ଆସିଥିଲେ ମଧ୍ୟ୍ୟ ନିଜେ ଦେଇଥିଵା ପ୍ରତିଶୃତି ପାଳନ କରିନାହିଁ। ଯାହାକୁ ନେଇ ଓଡିଶାବାସୀ ବିଜେପି ସରକାର ଆଡୁ ମୁହଁ ଫେରାଇଲେଣି। ଠିକ ଏତିକି ବେଳେ ଶଙ୍ଖ ଭବନରେ ୨୦୨୪ ନିର୍ବାଚନରେ ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ନବୀନ ପଟ୍ଟନାୟକ ସାଙ୍ଗଠନିକ ବୈଠକ କରିଛନ୍ତି। ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ସହ ବିଜେପି ସରକାରର ବିଫଳତାକୁ ଗାଁ ଗାଁ ରେ ପହଞ୍ଚାଇବା ସହ ଲୋକଙ୍କ ସହ ଯୋଡି ହୋଇ ରହିବାକୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି ଦଳୀୟ ନେତାଙ୍କୁ। ନବୀନଙ୍କ ନେତାଙ୍କୁ ଦେଇଥିବା ଟ୍ୟାକ୍ସକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଯେଉଁ କେତେଜଣ ନେତା ଅଣ୍ଟା ମଙ୍ଗ ଧରି ତ୍ୱରାନ୍ୱିତ କରିବେ ସେମାନଙ୍କ ମଧ୍ୟରୁ ପୂର୍ବତନ ସାଙ୍ଗଠନିକ ସମ୍ପାଦକ ତଥା ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ (ବବି ) ଅନ୍ୟତମ।

ବବି ଦାସ ବିଜେଡି ସଂଗଠନରେ ପୁଣି ଟ୍ରାକକୁ ଆସିବା ଦୁଇ ଜାତୀୟ ଦଳକୁ ଚିନ୍ତାରେ ପକାଇଥିବା ବେଳେ ବିଜେଡି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି। ନବୀନ ପଟ୍ଟନାୟକଙ୍କ ପରି ସବୁବେଳେ ଚତୁର ରାଜନୈତିକ ଗୋଟି ଚଳାଉଥିବା ବବି ପଂଚାୟତ ଓ ପୌର ନିର୍ବାଚନରେ ଦଳକୁ କେତେ ସଫଳତା ଦେଉଛି ତାହା ସମୟ କହିବ। ବବି ଦାସଙ୍କ ସାଙ୍ଗଠନିକ ଦକ୍ଷତାକୁ ନବୀନ ପୁଣି ଦଳର ସଂଗଠନକୁ ଚଳାଚଞ୍ଚଳ କରିବାକୁ ଲମ୍ବା ରଣନୀତି ପ୍ରସ୍ତୁତ କରିଛନ୍ତି।

ଦୁଇ ବର୍ଷର ମୋହନ ସରକାର :ପ୍ରଚାର ନୁହେଁ, ଆତ୍ମସମୀକ୍ଷାର ବେଳ

୨୦୨୪ ଜୁନ ୪ ତାରିଖ, ୨୪ବର୍ଷର ଶାସନରେ ବ୍ରେକ ଲାଗିବା ସହ ଓଡିଶା ଶାସନର ପଟ୍ଟପରିବର୍ତ୍ତନ ହୋଇଥିଲା। ୨୪ ବର୍ଷର ନବୀନ ଶାସନର ଯୁଗ ଅନ୍ତ ହୋଇ ପ୍ରଥମଥର ଲାଗି ରାଜ୍ୟରେ ବିଜେପି ଏକାକୀ ଶାସନଭାର ଗ୍ରହଣ କରିଥିଲା। ଜୁନ ୧୨ ତାରିଖରେ ଓଡିଶାରେ ଆରମ୍ଭ ହୋଇଥିଲା ମୋହନ ସରକାର। ମୋହନ ସରକାର ଲୋକଙ୍କ ସରକାର ଆକ୍ଷା ଦେଇ ବିଜେପି ଓଡିଶାବାସୀଙ୍କ ସେବାରେ ସରକାରକୁ ନିୟୋଜିତ କରିଥିଲା । ସରକାର ଆସିବା ପରେ ବିଜେପିର ନିର୍ବାଚନୀ ପ୍ରତିଶୃତି ଅନୁସାରେ ପ୍ରଥମେ ଚାରିଦ୍ବାରା ଖୋଲିବା ସହ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ ସବସିଡ଼ି ପ୍ରଦାନ କରାଯାଇଥିଲା। ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ୨ବର୍ଷରେ ୫୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇ ବର୍ଷକୁ ଦୁଇଥର ୧୦ ହଜାର ଟଙ୍କା ଦେଉଛନ୍ତି ମୋହନ ସରକାର। ଭତ୍ତା ୩୫୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇ ସରକାର ୮୦ ବର୍ଷ ପରେ ୩୫ଶହ ଟଙ୍କା ଦେବାକୁ କହିଲେ । ସାମାଜିକ ସୁରକ୍ଷା ଭତ୍ତାକୁ ମଧ୍ୟ ମାସକୁ ମାସ ଦେବାରେ ବ୍ୟତିକ୍ରମ ଦେଖାଦେଇଛି। ରାଜ୍ୟ ସଚିବାଳୟ ବା ଲୋକସେବା ଭବନକୁ ସାମ୍ବାଦିକ ପ୍ରବେଶ କଟକଣାକୁ ହଟାଇଲେ ସତ, ହେଲେ ଗୋଟିଏ ସଂସ୍ଥାରୁ ମାତ୍ର ଜଣେ ସାମ୍ବାଦିକ ପ୍ରବେଶ ପାଇଁ ସୁଯୋଗ ଦିଆଗଲା। ବିଧାନସଭାରେ ଲବି ପାସକୁ ବନ୍ଦ କରିଦେଲେ । ଏହାସହ ସାମ୍ବାଦିକଙ୍କୁ ପେନସନ ଓ ସୁରକ୍ଷା ଦେବାରେ ବିଫଳ ହେଲେ । ୩୦୦ ୟୁନିଟ ବିଜୁଳି ମାଗଣା ଦେବାକୁ କହି ଓଡିଶାବାସୀଙ୍କ ଉପରେ ଟାଟା ପାଓ୍ବାର ଜରିଆରେ ବିଜୁଳି ବୋଝ ଏପରି ଲଦିଦେଲେ ଯେ ଖୋଦ ଶାସକ ଦଳର ବିଧାୟକ ଓ ସାଂସଦମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କଲେ। ଚାଷୀଙ୍କ ସବୁ ଧାନ କିଣିବାର ପ୍ରତିଶୃତି ଦେଇଥିବା ମୋହନ ସରକାର ଧାନ କିଣାରେ ଅବ୍ୟବସ୍ଥାର ସମାଧାନ କରିବାରେ ବିଫଳ ହେଲେ। ଏପରିକି ଏଫସିଆଇ ୧୩ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇନଥିବାରୁ ବାରମ୍ବାର କେନ୍ଦ୍ର ସହ ଆଲୋଚନା ଚାଲିଛି କହି ଚାଷୀଙ୍କ ଠାରୁ ଚାଉଳ କିଣିପାରୁନାହାଁନ୍ତି ସରକାର। ଅବଶ୍ୟ ପୂର୍ବ ସରକାର ଅପେକ୍ଷା ଅଧିକ ଧାନ କିଣା ଯାଇଛି ବୋଲି ସରକାର ଦାବି କରୁଛନ୍ତି । ସେହିପରି ମହାନଦୀ, ପୋଲାଭରମ, କୋଟିଆ ସହ ବିଭିନ୍ନ ବଡବଡ ରାଜ୍ୟସ୍ବାର୍ଥ ସମ୍ବଳିତ ଦାବି ପୂରଣ କରିବାରେ ସେପରି କିଛି ଠୋସ ପଦକ୍ଷେପ ନେଇନାହାନ୍ତି ମୋହନ ସରକାର। ବିଜେପି ସରକାରର ୨ ବର୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ଯାହାକୁ ବିରୋଧୀ ସରକାର ବିରୋଧରେ ମୁଖ୍ୟ ଅସ୍ତ୍ର କରି ସମାଲୋଚନା କରୁଛନ୍ତି । ଅବଶ୍ୟ ପୂର୍ବ ସରକାର ଷ୍ଟାଇଲରେ ବଡବଡ ଦୁର୍ନୀତି ଖୋର ସରକାରୀ ବାବୁଙ୍କୁ ମୋହନ ସରକର ସାବାଡ କରିବା ପୁରା ସଫଳ ହୋଇଛନ୍ତି।

ମୋହନ ସରକାରରେ ୨ବର୍ଷରେ ପ୍ରଚାର ଓ ପ୍ରସାର ସହ ରଙ୍ଗ ବଦଳାଇବା, ଯୋଜନା ନାଁ ପରିବର୍ତ୍ତନ କରିବାରେ ଅଧିକ ଫୋକସ ଦିଆଯାଇଛି। ଯାହା ଏକ ସ୍ବାଭାବିକ ପ୍ରକ୍ରିୟା । ୨ ବର୍ଷରେ ବିଜେପି ସରକାର ଯେତେ ସଫଳତା ପାଇନାହିଁ ତାହାଠାରୁ ଅଧିକ ବଦନାମ ହୋଇଛି, ଯାହା ବିରୋଧୀଙ୍କୁ ବଳ ଯୋଗାଇଛି। ସରକାରକୁ ଆସିବା ପରେ ବିଜେପି ବିରୋଧୀ ଶିବିରକୁ ଫୁସ କରିବାରେ ବହୁମାତ୍ରାରେ ସଫଳ ହୋଇଛି। ନୂଆପଡ଼ା ଉପନିର୍ବାଚନ ଠାରୁ ଆରମ୍ଭ କରି ରାଜ୍ୟସଭା ନିର୍ବାଚନ ଯାଏ ମୋହନ ସଫଳ ଗୋଟିଚାଳନ କରି ସଫଳ ହୋଇଛନ୍ତି। ବିକାଶର ନକ୍ସା କେବଳ ଆଙ୍କିଥିଲେ ମଧ୍ୟ ୨ବର୍ଷ ଭିତରେ ସେପରି କିଛି ବିକାଶର ଝଲକ ଓଡିଶାବାସୀ ବିଜେପି ସରକାରରେ ଦେଖିନାହାନ୍ତି। ବିଜେପି ସରକାର କିନ୍ତୁ ନିଜର ୨ବର୍ଷର ରିପୋର୍ଟ କାର୍ଡ଼କୁ ନିଜେ ତର୍ଜମା କରି ମୋହନ ସରକାର କିପରି କଥାରେ ନୁହେଁ, କାମରେ ଲୋକଙ୍କ ସରକାର ହୋଇପାରିବ ତାହାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ନହେଲ ୨୪ ବର୍ଷର ନବୀନ ସରକାର ଯେମିତି କିଛି ବୁଝିବା ପୂର୍ବରୁ ଶାସନ ଗାଦିରୁ ଲୋକେ ହଟାଇଦେଲେ, ସମାନ ଦଶା ମୋହନ ସରକାର ଭୋଗିବେ ବୋଲି ରାଜନୈତିକ ସମୀକ୍ଷକମାନେ ଏବେଠାରୁ ଆକଳନ କଲେଣି।

ବଦଳିଯାଆନ୍ତୁ ଖୁସିରେ ରୁହନ୍ତୁ 

ଆରେ ତୁ ତ ପୁରା ବଦଳିଯାଇଛୁ। ଆଉ ଆଗ ପରି ନାହିଁ ରୋହନ। ରୋହନ ଭିତରେ ଏତେ ବଡ଼ ପରିବର୍ତ୍ତନ ଦେଖି ରୋହନର ସାଙ୍ଗ ସାଥି ଠାରୁ ଆରମ୍ଭ କରି ତା ଗୁରୁଜନମାନେ ବି ବିଶ୍ୱାସ କରିପାରୁନାହାନ୍ତି ସେ ଏତେ ବଦଳିଯିବ। ଜୀବନରେ ବେଳେ ବେଳେ ଏମିତି ଏକ ଟନିଙ୍ଗ ପଏଣ୍ଟ ଆସେ ଯେ ଶହେରୁ ଚାଳିଶ ପ୍ରତିଶତ ମଣିଷ ନିଜକୁ ବଦଳାଇ ଦିଅନ୍ତି। ସେମାନଙ୍କ ବ୍ୟବହାର, ଚାଲିଚଳଣି, ଅଭ୍ୟାସ ସବୁ କିଛି ଆପେ ଆପେ ପରିବର୍ତ୍ତନ ହୋଇଯାଏ। ଯିଏ ସମୟ ଓ ପରିସ୍ଥିତି ଦେଖି ନିଜକୁ ଆରଜେଷ୍ଟ କରି ଦିଅ ସେ ତ ଖୁସି ପାଏ ଆଉ ଯିଏ ନିଜକୁ ସେ ସମୟରେ ପରିବର୍ତ୍ତନ କରିଦିଏ ସେ ବି ଖୁସି ପାଏ। ରୋହନ ଜୀବନରେଖାରେ ବୋଧେ ସେମିତି କିଛି ହେଲା ଯେଉଁଥି ପାଇଁ ତାର ଏ ପରିବର୍ତନ।

ଏମିତି କିଛି ସେଦିନ ଖଟିରେ ରୋହନକୁ ନେଇ ଆଲୋଚନା ଚାଲିଥାଏ ଆଉ ତାହାରି ଭିତରେ ମନୋଜ କହିଲା ଆରେ ସେ ସୁନାପୁଅ ହୋଇଯାଇଛି। ହେଲେ ମୁଁ କଣ ତାହା କରିପାରିବି। ଘରେ ଅଫିସ ଠାରୁ ଆରମ୍ଭ କରି ସାଙ୍ଗସାଥି, ପ୍ରେମିକା, ଚଲା ସମ୍ପର୍କ ମଣିଷମାନେ କିଏ କେତେ ଥର ମତେ କହିଲେଣି ତୁ ମଦ , ଗୁଟୁଖା, ସିଗାରେଟ ଛାଡ଼। ହେଲେ ମୁଁ କଣ ସେସବୁ ପରିବର୍ତନ କରିପାରୁଛି। ମତେ ତ ଲାଗୁଛି ମରିଵାଯାଏ ତାହା ପରିବର୍ତନ କରିପାରିବି କି ନାହିଁ ତାହା ଉପରେ ଗ୍ୟାରେଣ୍ଟି ଦେଇପାରୁନାହିଁ। ହେଲେ ରୋହନକୁ ମାନିବାକୁ ପଡିବ ସେ ବହୁତ କିଛି ପରିବର୍ତନ କରିପାରିଛି ତା ଜୀବନ ଶୈଳୀରେ।

ଏମିତି କଥା ଚାଲିଥାଏ, ହଠାତ ଫୋନ ରିଙ୍ଗ ହୋଲା, ମନୋଜ କହିଲା ରୋହନ ତୁ ଠିକ କରିଛୁ। ବଦଳିଯିବାରେ ହଁ ପ୍ରକୃତ ଖୁସି, କାଲିଠାରୁ ମୁଁ ନିଷ୍ପତି ନେଇଛି କାହାକୁ କିଛି ନକହି ମୁଁ ନିଜେ ବଦଳିଯିବି। ଉଭୟ ରୋହନ ଓ ମନୋଜ କଣ ବଦଳିଲେ ତାହା ଆମକୁ ଜଣା ନାହିଁ। ପରିବର୍ତ୍ତନ ତ ନିହାତି ଆବଶ୍ୟକ ଜୀବନରେ, ତାହା ସେମାନେ ଡେରୀରେ ବୁଝିଲେ।

ସମ୍‌ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ ପାଳିତ

0

 ମଣିଷର ଜୀବନ ରକ୍ଷା ଏବଂ ଅକ୍ଷମତା ହ୍ରାସ କରିବାରେ ଜରୁରୀକାଳୀନ ଚିକିତ୍ସା ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ମେ ୩୦ ତାରିଖ ଦିନ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ ହୋଇଯାଇଛି ।

ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ର ବିଷୟବସ୍ତୁ ରହିଥିଲା \”ଜରୁରୀକାଳୀନ ଚିକିତ୍ସକ ଓ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା ।’ ଏହି ବିଷୟବସ୍ତୁ କାର୍ଯ୍ୟକ୍ଷେତ୍ରରେ ହିଂସା, ଭିଡ଼, ଜରୁରୀ ବିଭାଗରେ ଆତଙ୍କ, କର୍ମଚାରୀ ଅଭାବ, ମାନସିକ ଚାପ ଏବଂ ଜରୁରୀକାଳୀନ ଯତ୍ନ ନେଉଥିବା କର୍ମଚାରୀ ସମ୍ମୁଖୀନ ହେଉଥିବା ବୃତିଗତ ବିପଦ ସଂପର୍କରେ ବଢ଼ୁଥିବା ଚିନ୍ତା ପ୍ରତି ଧ୍ୟାନ ଆକଷର୍ଣ କରେ । ଏହି ବିଷୟବସ୍ତୁକୁ ଭିତି କରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ୟୁରୋପିଆନ୍ ସୋସାଇଟି ଫର୍ ଏମରଜେନ୍ସି ମେଡିସିନ୍ ଆଣ୍ଡ ଶ୍ରୀଲଙ୍କା କଲେଜ୍ ଅଫ୍ ଏମରଜେନ୍ସି ଫିଜିସିଆନ୍ସର ମିଳିିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଜରୁରୀକାଳୀନ ଔଷଧ ବିଭାଗ ପୂର୍ବ ଭାରତରେ ଜରୁରୀକାଳୀନ ଯତ୍ନ ପାଇଁ ଏକ ପ୍ରମୁଖ କେନ୍ଦ୍ର । ଏକ ଉନ୍ନତ ସେବା ଦେଉଥିବା ଶିକ୍ଷାଗତ ପ୍ରତିଷ୍ଠାନ ଭାବରେ ବିଭାଗଟି ବ୍ୟାପକ, ୨୪- ଘଂଟିଆ ଜରୁରୀକାଳୀନ ସେବା ପ୍ରଦାନ କରେ ଏବଂ ବିଭିନ୍ନ ପ୍ରକାରର ଚିକିତ୍ସା ପରିସ୍ଥିତି ସହିତ ଉପସ୍ଥିତ ରୋଗୀଙ୍କ ପାଇଁ ପ୍ରଥମ ଯୋଗାଯୋଗ କେନ୍ଦ୍ର ଭାବରେ କାର୍ଯ୍ୟ କରେ । ବିଭାଗଟି ମେଡ଼ିସିନ ଚିକିତ୍ସା, ଶଲ୍ୟଚିକିତ୍ସା, ଆଘାତ, ଶିଶୁ, ପ୍ରସୂତି, ହୃଦ, ସ୍ନାୟୁ ଏବଂ ଗୁରୁତର କ୍ରିଟିକାଲ ସେବା ସମେତ ବିଭିନ୍ନ ଜରୁରୀକାଳୀନ ଚିକିତ୍ସା ପରିଚାଳନା କରିଥାଏ ଯାହା ଦ୍ରୁତ ମୂଲ୍ୟାଙ୍କନ, ସ୍ଥିରୀକରଣ ଏବଂ ନିର୍ଣ୍ଣାୟକ ପରିଚାଳନା ସୁନିଶ୍ଚିତ କରେ ।

ଆଧୁନିକ ଭିତିିଭୂମି, ଉନ୍ନତ ମନିଟରିଂ ସିଷ୍ଟମ, ପଏଂଟ୍‌-ଅଫ୍‌-କେୟାର ଡାଇଗ୍ନୋଷ୍ଟିକ୍ସ, ଜରୁରୀକାଳୀନ ଅଲ୍‌ଟ୍ରାସାଉଣ୍ଡ ସୁବିଧା ଏବଂ ଏକ ଉଚ୍ଚ ଦକ୍ଷ ବହୁବିଧ ଦଳ ସହିତ ସଜ୍ଜିତ ବିଭାଗ ସମୟୋଚିତ, ପ୍ରମାଣ-ଭିତିିକ ଏବଂ ରୋଗୀ-କୈନ୍ଦ୍ରିକ ଚିକିତ୍ସା ପ୍ରଦାନ କରିବାକୁ ପ୍ରତିବଦ୍ଧ । ବିଭିନ୍ନ ବିଶେଷଜ୍ଞ ଏବଂ ସୁପର-ସ୍ପେଶାଲିଟି ବିଭାଗ ସହିତ ଘନିଷ୍ଠ ସହଯୋଗରେ କାର୍ଯ୍ୟ କରି ଏହି ବିଭାଗ କ୍ଲିନିକାଲ୍ ଉତ୍କଷର୍ତା ଏବଂ ରୋଗୀ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖି ଗୁରୁତର ଅସୁସ୍ଥ ଏବଂ ଆହତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

କ୍ଲିନିକାଲ୍ ଦାୟିତ୍ୱ ବ୍ୟତୀତ ଏହି ବିଭାଗ ଶିକ୍ଷାଗତ କାର୍ଯ୍ୟକଳାପ ଏବଂ ଦକ୍ଷତା ବିକାଶରେ ଗଭୀର ଭାବେ ନିୟୋଜିତ । ଏହା ସଂରଚିତ ଶିକ୍ଷାଦାନ କାର୍ଯ୍ୟକ୍ରମ, ଶଯ୍ୟାପାର୍ଶ୍ୱ ତାଲିମ, ସିମୁଲେସନ୍‌-ଆଧାରିତ ଶିକ୍ଷା ଏବଂ ନିରନ୍ତର ଡାକ୍ତରୀ ଶିକ୍ଷା ପଦକ୍ଷେପ ମାଧ୍ୟମରେ ସ୍ନାତକ ଏବଂ ସ୍ନାତକୋତର ଡାକ୍ତରୀ ଶିକ୍ଷାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରେ । ବିଭାଗ ନିୟମିତ ଭାବରେ ସ୍ୱାସ୍ଥ୍ୟସେବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀକାଳୀନ ପ୍ରକ୍ରିୟା ଉପରେ କର୍ମଶାଳା ମଧ୍ୟ ଆୟୋଜନ କରେ ।

କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଙ୍ଘମିତ୍ରା ମିଶ୍ର, ମେଡିକାଲ୍ ଅଧୀକ୍ଷକ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ବିଭାଗୀୟ ମୁଖ୍ୟ ପ୍ରଫେସର ଶୁକଦେବ ନାୟକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ସେବା ଓ ଔଷଧର ଗୁରୁତ୍ୱ ସଂପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଶ୍ରୀଲଙ୍କା କଲେଜ ଅଫ୍ ଏମର୍ଜେନ୍ସି ଫିଜିସିଆନ୍ସ ଏବଂ ୟୁରୋପିଆନ୍ ସୋସାଇଟି ଅଫ୍ ଏମର୍ଜେନ୍ସି ମେଡିସିନ୍ ସହଯୋଗରେ ଏକ ଆନ୍ତର୍ଜାତିକ ହାଇବ୍ରିଡ୍ ୱେବିନାର ମଧ୍ୟ ଆୟୋଜିତ ହୋଇଥିଲା । ଶ୍ରୀଲଙ୍କା ଜରୁରୀ କାଳୀନ ଡାକ୍ତର ସଂଘର ଅଧ୍ୟକ୍ଷ ଏବଂ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଇନୁକା ଏବଂ ଡକ୍ଟର ବନ୍ଦାରା ଆଭାସୀ ବ୍ୟକ୍ତବ୍ୟ ରଖିଥିଲେ । ସେହିପରି ୟୁରୋପୀୟ ଜରୁରୀ କାଳୀନ ଡାକ୍ତର ସମାଜର ସଭାପତି ଡକ୍ଟର ଜିମ୍ ଏବଂ କମିଟି ସଦସ୍ୟ ଡକ୍ଟର ସୁଲେୟା ଓ ଲଣ୍ଡନର ଡକ୍ଟର ସୁମା ଅହମେଦ ଅନ୍‌ଲାଇନ୍‌ରେ ଯୋଡି ହୋଇଥିଲେ ।

ସେହିପରି ଏମ୍ସ ଦିଲ୍ଲୀର ପ୍ରଫେସର ଡାକ୍ତର ରାକେଶ ଗର୍ଗ, ଡାକ୍ତର ଭାରତ ଗୋପୀନାଥ ଓ ଡାକ୍ତର ହାନା ଚାୱାଙ୍ଗଙ୍କ ମଧ୍ୟ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିମ୍‌ହାନ୍ସ ବାଙ୍ଗାଲୋରର ଅବସରପ୍ରାପ୍ତ ମୁଖ୍ୟ ପ୍ରଫେସର ସନ୍ତୋଷ ଚତୁବେର୍ଦୀ, ଏମ୍ସ ନାଗପୁରର ଶ୍ରୀ ରାକେଶ, ସିଏମ୍‌ସି ଭେଲୋରର ଡାକ୍ତର ଜ୍ୟୋତି ସ୍ୱରୂପ ମଧ୍ୟ ଅନ୍‌ଲାଇନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ । ଓଡ଼ିଶାରୁ ଏମ୍ସ, ଭୁବନେଶ୍ୱରର ଡାକ୍ତର ଚିନ୍ମୟ ଦାସ ଓ ଡାକ୍ତର ଅଜୁତେଶ ସାହୁ, ଜନସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ, ଡାକ୍ତର ନିରଞ୍ଜନ ମିଶ୍ର, ସମ ହସ୍ପିଟାଲର ପ୍ରଫେସର ସୁକଦେବ ନାୟକ ଏବଂ ପିଜି ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱରର ପ୍ରଫେସର ନିବେଦିତା ପାଣି ଯୋଗ ଦେଇ ଜରୁରୀକାଳୀନ ଔଷଧର ଉପାଦେୟତା ସଂପର୍କରେ ଗୁରୁତା୍ୱରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଡାକ୍ତର ତପନ ରାୟ, ଡାକ୍ତର ଗୋଲକ ପ୍ରସାଦ ପାତ୍ର , ଡାକ୍ତର ବୋଡେଲା ସୃତି, ଡାକ୍ତର ଅଭିପସା ବର୍ମା, ଡାକ୍ତର ଶାଶ୍ୱତା ପଟ୍ଟନାୟକ ଓ ଡାକ୍ତର ଅମଲ ରାଜ ପରିଚାଳନା କରିଥିଲେ । ଡାକ୍ତର ଆନନ୍ଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ

 ତମାଖୁ ସେବନର ଭୟାବହତା ଓ ଅପକାରିତା ଏବଂ ତମାଖୁ ମୁକ୍ତ ଜୀବନ ସଂପର୍କରେ ସଚେତନତା ବାଂଟିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ବୁଧବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି ।

ଆଇଡିଏସ୍‌ରୁ ଏହି ରାଲି ଆରମ୍ଭ ହୋଇ ସମ୍ ହସ୍ପିଟାଲ ଛକ ଓ ଏପିଜେ ଅବଦୁଲ କଲାମ୍ ପାର୍କ ଅତିକ୍ରମ କରି ପୁଣି କଲେଜକୁ ପ୍ରତ୍ୟାବର୍ତନ କରିଥିଲା । ଏହି ରାଲିରେ ଫ୍ୟାକଲ୍ଟି ସଭ୍ୟ, ଇନ୍‌ଟର୍ଣ୍ଣ ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ । ସେହିପରି ରାଲିରେ ସାମିଲ ହୋଇଥିବା ଆଇଡିଏସ୍‌ର ଇନ୍‌ଟର୍ଣ୍ଣମାନେ କାର୍ଯ୍ୟକ୍ରମକୁ ସଫଳ କରିବା ସହ ସଚେତନତାମୂଳକ ପ୍ରଚାର ଜନସାଧାରଣଙ୍କୁ ବାଂଟିଥିଲେ ।

 ରାଲିକୁ ଆଇଡିଏସ୍ ର ଟୋବାକୋ ସିସେସନ୍ ସେଂଟରର ନୋଡାଲ୍ ଅଫିସର ପ୍ରଫେସର ସନତ୍ କୁମାର ଭୂୟାଁ ଶୁଭାରମ୍ଭ କରିଥିବାବେଳେ ତାଙ୍କ ସହିତ ଡାକ୍ତର ବସନ୍ତ ଚୌଧୁରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଡାକ୍ତର ଗାଥା ମହାନ୍ତି, ଡାକ୍ତର ସ୍ମିତା ପ୍ରିୟଦର୍ଶନୀ ଓ ଡାକ୍ତର ସୁମିତା ମିଶ୍ର ପରିଚାଳନା କରିଥିଲେ ।

 ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହେବା ସହ ଓଡିଶାକୁ ସୁସ୍ଥ ଓ ତମାଖୁ ମୁକ୍ତ କରିବା ନେଇ ଏକ ବାର୍ତା ପ୍ରଦାନ କରିଥିଲେ ।

ସମାଲୋଚନା ପ୍ରତି ସରକାରଙ୍କ ଦୃଷ୍ଟିଭଙ୍ଗି ସକରାତ୍ମକ ହେବା ଉଚିତ- ସୂର୍ଯ୍ୟବଂଶୀ ସୁରଜ

ସମାଲୋଚନା ପ୍ରତି ସରକାରଙ୍କ ଦୃଷ୍ଟିଭଙ୍ଗି ସକରାତ୍ମକ ହେବା ଉଚିତ। ଆମର ନୂଆ ସରକାର ହେଲା ବେଳେ ଗଣମାଧ୍ୟମ ବହୁ ସରକାରୀ ବିରୋଧୀ ଖବର ବାହାରିଥିଲା। ଯାହା ଆମକୁ ବହୁତ କିଛି ଶିଖେଇଲା। ଆମେ ମଧ୍ୟ ତାହା ଚାହୁଁଥିଲୁ। ମୁଁ ବ୍ୟକ୍ତିଗତ ଭାବେ ମୋ ବିଭାଗ ଅନେକ ଭୂଲକୁ ସୁଧାରିଲି। ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରାଜ୍ୟ ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବସେବା ଭାଷା ସାହିତ୍ୟ,ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

 ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନରେନ୍ଦ୍ର ରୟାଲ୍ସ ଭଦ୍ରକ ଠାରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓୟୁଜେର ରାଜ୍ଯ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବସେବା ଭାଷା ସାହିତ୍ୟ,ସଂସ୍କୃତି ମନ୍ତ୍ରୀ ଆହୁରୀ କହିଥିଲେ ଟିଆରପି ଯୁଗରେ ଗଠନ ମୂଳକ ସମ୍ବାଦ ପ୍ରଭାବିତ ହୋଇଛି । ସାମ୍ବାଦିକ ବିନା ଇତିହାସ ଅଧୁରା ବୋଲି ମନ୍ତ୍ରୀ କହିଥିଲେ।

କାର୍ଯ୍ଯକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବିଶେଷ ଅତିଥି ଓ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ,ସନସାଇନ ହସ୍ପିଟାଲ ଭୁବନେଶ୍ୱରର ନିର୍ଦ୍ଦେଶକ ଅୟସକାନ୍ତି ମହାନ୍ତି ସ୍ୱତନ୍ତ୍ରଅତିଥି ଭାବେ ଯୋଗଦେଇ ନିରପେକ୍ଷ ସାମ୍ୱାଦିକତା ଉପରେ ଗୁରୁତ୍ୱ ଦେଇଥିଲେ । ଭଦ୍ରକ ଜିଲ୍ଲାପାଳ ଡଃ.ଦିଲ୍ଲୀପ ରାଉତରାୟ,ଓୟୁଜେର ରାଜ୍ଯ ସାଧାରଣ ସମ୍ପାଦକ କିଶାନ ରାଉତ,ଭଦ୍ରକ ଜିଲ୍ଲା ସଭାପତି ପ୍ରିୟଦର୍ଶନ ବୋଇତି,ସଧାରଣ ସମ୍ପାଦକ ଜଗବନ୍ଧୁ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ନୀତି ନୈତିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଓୟୁଜେର ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେମନ୍ତ ସିଂହ ଅତିଥିଙ୍କୁ ମଞ୍ଚ ଆବାହନ କରିଥିବାବେଳେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ କାର୍ଯ୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ ବର୍ଗରେ ସଫଳତା ସହ ଜନକଲ୍ୟାଣ ଦିଗରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ବ୍ୟକ୍ତି ମାନଙ୍କୁ ଓୟୁଜେ ପରିବାର ପକ୍ଷରୁ ବଶିଷ୍ଠ ସାମ୍ବାଦିକ ରାମ ନାରାୟଣ ରାୟ, ପ୍ରହଲ୍ଲାଦ ବାରିକ,ସ୍ମୁତିରଞ୍ଜନ ସାହୁ,ବୈକୁଣ୍ଠ ସାହୁ,ପ୍ରଖ୍ୟାତ ହୋମିଓପାଥିକ ଡାକ୍ତର ବିକାଶ ନନ୍ଦ, ବରିଷ୍ଠ ସମ୍ବାଦ ପତ୍ର ବିତରକ ସେକ୍ ଆସିଫ ଅଲ୍ଲୀ,ସାମାଜିକ କର୍ମୀ ସୋମେନ୍ଦ୍ର ସାହୁ,ସମାଜସେବୀ ମାନସ ଜେନାଙ୍କୁ ସମ୍ବର୍ଦ୍ଧିନା ଦିଆଯାଇଥିବା ବେଳେ କମ୍ଭୁପାଣି ମିଶ୍ର,ପ୍ରଦୀପ୍ତ ମିଶ୍ର,ଅମର ବାରିକଙ୍କୁ ଓୟୁଜେ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସକାଳ ୭ଘଟିକା ଠାରୁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓୟୁଜେର ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ସାଧାରଣ ସଂପାଦକ କିଷାନ ରାଉତ, ଉପସଭାପତି ପରୀକ୍ଷିତ ବିଶ୍ୱାଳ, ସନ୍ତୋଷ ସିଂଦେଓ, ସମ୍ପାଦକ ଆର୍ଚାର୍ୟ୍ଯ ବିଶ୍ୱରଞ୍ଜନ, ଦେବ ପ୍ରକାଶ ଦାସ, ଋତୁ ରାଜ ସିଂ, ରୂପେଶ ସାହୁ, କୋଷାଧକ୍ଷ ଅମୁଲ୍ୟ ସ୍ୱାଇଁ, ସଙ୍ଗଠନ ସମ୍ପାଦକ ଅଶୋକ ମହାକୁଡ଼, ରବୀନ୍ଦ୍ର ମହାକୁଡ଼, ସୁକାନ୍ତ ସାହୁଙ୍କ ସମେତ ରାଜ୍ୟର ସମସ୍ତ ୩୧ଜିଲ୍ଲା ସହ ଭୁବନେଶ୍ୱରର ସାଙ୍ଗଠନିକ ସଭାପତି ଓ ସଧାରଣ ସମ୍ପାଦକ ମାନେ ସେମାନଙ୍କ ସଂଘୀୟ ବିକାଶ ଓ ଅବଶ୍ୟକ ପଦକ୍ଷେପ ସମ୍ପର୍କିତ ବକ୍ତବ୍ଯ ପ୍ରଦାନ କରିଥିଲେ । ଏହି ସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦୦ ରୁ ଅଧିକ ସାମ୍ବାଦିକ ଯୋଗଦେଇ ଥିଲେ।ଶେଷରେ ସାମ୍ୱାଦିକ କୃଷ୍ଣଚନ୍ଦ୍ର ଜେନା ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଶୁଭଦିପ ମଲ୍ଲିକ , ଶାନ୍ତନୁ ପଣ୍ଡା ,ଡ଼ ହରିହର ନାୟକ ,ଅଜୟ ପଣ୍ଡା , ଅଭିଷେକ ପଟ୍ଟନାୟକ ,ମହେଶ ପ୍ରସାଦ ମିଶ୍ର , ଜୟ ଜଗନ୍ନାଥ ମଲ୍କିକ , ବିଜୟ କୁଅଁର , ଶୁଭ୍ରକାନ୍ତ ରାଉତ ରାଏ , ସୀତାକାନ୍ତ ପାଢ଼ୀ , ପ୍ରମୋଦ ନାୟକ , ମହେଶ ମିଶ୍ର ,ସରୋଜ ସେଠୀ , ସୁଧାକର ଦାସ , ସନ୍ତୋଷ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ |

Follow us

20,832FansLike
0FollowersFollow
14,700SubscribersSubscribe

Latest news