ନୂଆଦିଲ୍ଲୀ :ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। କୋଭିଡ୧୯ ଲକ୍ଷଣ ଦେଖାଯିବାରୁ ସେ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସେ ଚିକିତ୍ସାଧୀନ ରହିଥିବା ଜଣାପଡିଛି।
ସେ ଦଳର ମୁଖପାତ୍ର ଭାବରେ ବିଭିନ୍ନ ଜାତୀୟ ଗଣ ମାଧ୍ୟମରେ ବିଜେପିର ପକ୍ଷ ରଖିଥାନ୍ତି। ସବୁବେଳେ ବିରୋଧୀ ଉପରେ ଭାରି ପଡ଼ିଥାନ୍ତି ସମ୍ବିତ। ଏହାସହ ୨୦୧୯ ଲୋକ ସଭା ନିର୍ବାଚନ ରେ ସେ ପୁରୀରୁ ମଧ୍ୟ ପ୍ରତିନିଧିତ୍ୱ କରି ହାରିଥିଲେ।ସେ ବିଜେପିର ଜଣେ ଆଗ ଧାଡିରେ ନେତା
ସମ୍ବିତ ପାତ୍ରଙ୍କ ଦେହରେ କରୋନା ଲକ୍ଷଣ : ହସ୍ପିଟାଲରେ ଭର୍ତ୍ତି..
ଶନିବାର ବନ୍ଦେ ଉତ୍କଳ ଜନନୀ ଏକତ୍ର ହୋଇ ଗାନ କରିବାକୁ ନବୀନ କଲେ ଅପିଲ….
ଭୁବନେଶ୍ୱର : ଦୁଇ ମାସ ଧରି ସାରା ଦୁନିଆ ଏକ ବହୁତ ବଡ ଜଟିଳ ପରିସ୍ଥିତିର ସାମନା କରୁଛି । ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ ଆତଙ୍କ ସୃଷ୍ଟି କରିଛି । ସେହି ଏକା ସମୟରେ ଆମ ଓଡିଶା ବି କୋଭିଡ ବିରୁଦ୍ଧରେ ତାର ଯୁଦ୍ଧ ଆରମ୍ଭ କଲା ।
କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ମୋ ସରକାରଙ୍କ ପ୍ରାଥମିକତା ଥିଲା । ପ୍ରତିଟି ଜୀବନର ସୁରକ୍ଷା ହେଉଛି ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ସେତେବେଳେ ଆମେ ଯାହା ବି ନୀତି, ଯାହା ବି ପଦକ୍ଷେପ ଗ୍ରହଣ କରିଥିଲୁ, ତାର ଏକମାତ୍ର ଲକ୍ଷ୍ୟ ଥିଲା ମୋର ପ୍ରିୟ ସାଢେ ଚାରି କୋଟି ଓଡିଶାବାସୀଙ୍କ ଜୀବନ ରକ୍ଷା ।
ଏବେ ଦୁଇ ମାସରୁ ଅଧିକ ସମୟ ହୋଇଗଲା । କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଛି। କୋଭିଡରେ ଓଡିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍ । କରୋନା ପୀଡିତ ମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ଓଡିଶା ପରି ଗୋଟିଏ ରାଜ୍ୟ ତଥା ଆମ ଓଡିଶାବାସୀଙ୍କ ପାଇଁ ଏହା ଏକ ବଡ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି । ଆଜିକା ଦିନରେ ଓଡିଆ ଜାତି ପାଇଁ ଏହା ଏକ ଅଭୂତପୂର୍ବ ସଫଳତା ।
ଏହି ସମୟରେ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡିଆ ଭାଇଭଉଣୀ ଘରକୁ ଫେରିଛନ୍ତି। ତଥାପି କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛୁ । ଏହା ପଛରେ ରହିଛି କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା । ସିଏ ଯିଏ ବି ହୁଅନ୍ତୁ – ଲୋକ ପ୍ରତିନିଧି, ସରକାରୀ ବା ବେସରକାରୀ କର୍ମଚାରୀ; ସମସ୍ତେ ନିଜ ନିଜର ସୁଖଦୁଃଖକୁ ପଛରେ ପକାଇ ଯେଭଳି ସେବା ଯୋଗାଇ ଚାଲିଛନ୍ତି, ତାର ତୁଳନା ନାହିଁ । ସେହିପରି ଏହି ଯୁଦ୍ଧରେ ସାରା ଓଡିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଏହାସହିତ ମହାପ୍ରଭୂଙ୍କ ଆଶୀର୍ବାଦ ମଧ୍ୟ ସବୁବେଳେ ଆମ ସଥିରେ ରହିଛି।
ଏହି ପରିପ୍ରେକ୍ଷୀରେ ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ, ଆମର ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ ମୁଁ ଅନୁରୋଧ କରୁଛି ଯେ ମଇ ୩୦ ତାରିଖ ଶନିବାର ଦିନ ସଂଧ୍ୟା ୫ଟା ସମୟରେ ଆପଣମାନେ ଦୁନିଆରେ ଯେଉଁଠାରେ ବି ଥାଆନ୍ତୁ, ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରନ୍ତୁ । ଏହାର ଉଦ୍ଦେଶ୍ୟ ହେଉଛି ଆମର କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା । ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା।
ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବୀ ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ । ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ବର୍ତ୍ ମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ।
ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ । ଆଗାମୀ ଦିନର ଆହ୍ବାନକୁ ସଫଳ ଭାବରେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ। ଏ ବିଶ୍ବାସ ମୋର ଅଛି । ଏହି ବାର୍ତ୍ତା ଓଡିଶା ବାସୀଙ୍କୁ ଦେଇଛନ୍ତି ନବୀନ l
ରାଜ୍ୟରେ ଆଜି ନୂଆ ୬୭ ଜଣ ଆକ୍ରାନ୍ତ ଚିହ୍ନଟ@୧୬୬୦…
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାସହ ରାଜ୍ୟରେ ଆଉ ୬୭ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଗଞ୍ଜାମରୁ ସର୍ବାଧିକ ୨୬ ଆକ୍ରାନ୍ତ ଚିହ୍ନଟ । ଯାଜପୁର -୧୧, ଖୋର୍ଦ୍ଧା -୧୧, ନୟାଗଡ-୭, ବଲାଙ୍ଗୀର-୨, ଜଗତସିଂହପୁର-୨, କେନ୍ଦୁଝର-୧, ସମ୍ୱଲପୁର-୨, ସୋନପୁର-୪ ଓ ବରଗଡରୁ ଜଣେ ଚିହ୍ନଟ ହୋଇଛନ୍ତି ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି ।ସେଥିମଧ୍ୟରୁ କ୍ବାରେଣ୍ଟିନ୍ ସେଣ୍ଟରରୁ ୬୫ ଓ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପଂହଚିଛି । ଏହାସହ ୮୪୧ ଜଣ ଚିକିତ୍ସାଧୀନ,୮୧୨ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।
ଦେଶରେ ୨୪ ଘଣ୍ଟାରେ ୬,୫୬୬ କରୋନା ଆକ୍ରାନ୍ତ ଚିହ୍ମଟ…
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୧,୫୮,୩୩୩ ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଆଉ ୪,୫୩୧ଜଣଙ୍କର ମୃତ୍ୟୁ ହୋଇଛି ଓ ୬୭,୬୯୧ଲୋକ ସୁସ୍ଥ ହେଲେଣି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ୬,୫୬୬ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୬ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୧୮୯୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟ ୯୩୮, ମଧ୍ୟପ୍ରଦେଶ ୩୧୩, ଦିଲ୍ଲୀରେ ୩୦୩, ପଶ୍ଚିମବଙ୍ଗ ୨୮୯, ଉତ୍ତର ପ୍ରଦେଶ ୧୮୨, ରାଜସ୍ଥାନରେ ୧୭୩ମୃତ ଏପର୍ଯ୍ୟନ୍ତ ହେଲାଣି ।
ମଧ୍ୟ ରାତିରୁ ଆରମ୍ଭ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା…
ପୁରୀ :ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗକୁ ନେଇ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।ସେଥିରେ ସ୍ନାନ ଯାତ୍ରା ପାଇଁ ନୀତିନର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତା ଜୁନ ୫ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ନିଷ୍ପତ୍ତି ଅନୁସାରେ ସ୍ନାନଯାତ୍ରା ମଧ୍ୟରାତ୍ରରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ପୂର୍ବରୁ ଶେଷ ହେବ।
ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ କହିବା ଅନୁସାରେ ଜୁନ୍ ୫ ତାରିଖ ରାତି ୧ଟାରୁ ଭୋର ୪ଟା ମଧ୍ୟରେ ସ୍ନାନଯାତ୍ରା ପହଣ୍ଡି ହେବ। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି, ଭୋର୍ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ। ଭୋର ୪ଟା ୪୦ରେ ମଇଲମ ଓ ୫ଟାରେ ଠାକୁରଙ୍କୁ ତଡ଼ପ ଲାଗି କରାଯିବ। ଏବେ କରୋନା ମହାମାରୀ ପାଇଁ ଦେଶରେ ଲକ୍ ଡାଉନ ଜାରି ହୋଇଛି। ଏପରି କି ସମସ୍ତ ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏପରି କି ମହାପ୍ରଭୁଙ୍କ ସ୍ନାନ ଯାତ୍ରାକୁ ସାଧାରଣ ଲୋକଙ୍କୁ ଭିତରକୁ ଯିବା ମନା। ବିନା ଭକ୍ତରେ ଏଥର ଠାକୁର ଗାଧେଇବେ।
ଆସନ୍ତୁ ଜାଣିବା ବରମୁଣ୍ଡା ବସ ଷ୍ଟାଣ୍ଡ ଠାରୁ କେଉଁ ଜିଲ୍ଲାକୁ କେତେ ରହିଛି ଭଡା….
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଘରୋଇ ବସ୍ ଗଡିବ।ଏନେଇ ସୂଚନା ଦେଇଛି ରାଜ୍ୟ ପରିବହନ ବିଭାଗ। ପୁର୍ବ ନିର୍ଦ୍ଧାରିତ ବସ ଭଡା ଅନୁସାରେ ଏବେ ମଧ୍ୟ ଭଡା ନିଆଯିବ। ଏହାସହ ଯାତ୍ରୀ ବସ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବେ । ଏଥିସହିତ ବସରେ ଯେତୋଟି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିବେ । ତେବେ ଆସନ୍ତୁ ଜାଣିବା ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ବିଭିନ୍ନ ଜିଲ୍ଲାକୁ କେତେ ରହିଛି ଭଡା
ଗଡ଼ିଲା ବସ : ସ୍ୱାଭାବିକ ହେଲା ଯାତାୟତ…
ଭୁବନେଶ୍ୱର :ରାଜ୍ୟରେ ଆଜିଠୁ ଗଡିବ ଘରୋଇ ବସ । ଏନେଇ ଗତକାଲି ବସ ମାଲିକ ସଂଘର ନିଷ୍ପତ୍ତି ହୋଇଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି କି ବଢିବ ନାହିଁ ବସ୍ ଭଡା ।ମାର୍ଚ୍ଚ ୨୧ ରେ ନିର୍ଦ୍ଧାରିତ ବସ ଭଡା ଏବେ ମଧ୍ୟ ଲାଗୁହେବ। ସିଟ୍ ସଂଖ୍ୟା ଅନୁଯାୟୀ ବସରେ ଯାତ୍ରା କରିବେ ଯାତ୍ରୀ । ସାମାଜିକ ଦୂରତାକୁ ଦିଆଯିବ ଗୁରୁତ୍ୱ ।
ଦୀର୍ଘ ଦୁଇମାସ ପରେ ଆଜି ରାଜ୍ୟରେ ବସ ସେବା ଆରମ୍ଭ ହେବ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।କୋଭିଡ ୧୯ ଗାଇଡ଼ ଲାଇନ ଅନୁଯାୟୀ ରାଜ୍ୟରେ ବସ ଚଳାଚଳ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ବସରେ ଯେତିକି ସିଟ ଆଛି ସେତିକି ଯାତ୍ରୀ ହିଁ ଯିବେ। କେହି ଠିଆ ହୋଇ ଯାଇପାରିବେ ନାହିଁ। ଏହାସହ ମାସ୍କ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫୦ ପ୍ରତିଶତ ବସ ଚାଲିବ। ପରେ ୧୦ ଦିନ ମଧ୍ୟରେ ରାଜ୍ୟରେ ଶତ ପ୍ରତିଶତ ବସ ଚଳାଇବାକୁ ରାଜ୍ୟ ସରକାର ଯୋଜନା ରଖିଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ଭଡାରେ କୌଣସି ପରିବର୍ତ୍ତନ ହେବ ନାହିଁ। ମାର୍ଚ୍ଚ ୨୧ତାରିଖରେ ନିର୍ଦ୍ଧାରିତ ଭଡା ଆଧାରରେ ଚାଲିବ। ଗତ କାଲି ଚଣ୍ଡୀଖୋଲରେ ବସିଥିବା ବସ ମାଲିକ ସଂଘର ବୈଠକରେ ନିଷ୍ପତ୍ତି ହୋଇଛି।
ରାହୁଲ ଓ ନିରଞ୍ଜନଙ୍କୁ ଦାମଙ୍କ ଟାର୍ଗେଟ…..
ଭୁବନେଶ୍ୱର : “ବୁଦ୍ଧି ନ ଦିଶଇ ଘରକୁ,କହିଦେଉଥାଏ ପରକୁ ” । ଏମିତି କିଛି ବ୍ୟଙ୍ଗ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ। କଂଗ୍ରେସ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ରାଜ୍ୟରେ ଲକ୍ ଡାଉନ ବିଫଳ ହୋଇଛି ବୋଲି କହିଛନ୍ତି। ତାର ଉତ୍ତରରେ ବରିଷ୍ଠ ନେତା ଦାମ ରାଉତ କଂଗ୍ରେସ ଏପରି କଟାକ୍ଷ କରିଛନ୍ତି। ଶ୍ରୀ ରାଉତ କହିଛନ୍ତି , ଦେଶ ଏବେ କରୋନା ମହାମାରୀ ସହ ଲଢ଼ୁଛି।ହେଲେ କଂଗ୍ରେସ ଏଥିରୁ ରାଜନୈତିକ ଛକା ମାରିବାକୁ ପ୍ରୟାସ କରୁଛି। ଚାରିଆଡୁ କରୋନାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାର ସୁଅ ଛୁଟୁଛି।ଖୋଦ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ଅନେକ ମନ୍ତ୍ରୀ ଏହା ମାନୁଛନ୍ତି। ସେତେବେଳେ କଂଗ୍ରେସର ଏପରି ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ ରାଉତ କହିଛନ୍ତି। କଂଗ୍ରେସ ପ୍ରଥମେ ତାର ଭାଗୁଆଳି ରାଜ୍ୟ ମହାରାଷ୍ଟ୍ର କଥା ଚିନ୍ତା କରିବା ଉଚିତ । କଂଗ୍ରେସ ୧୯୯୯ ମହାବାତ୍ୟା ଅନୁଭୂତିକୁ ଭୁଲିବା ଉଚିତ ନୁହଁ। ତାହାକୁ ମନେ ପକେଇ କରି ନବୀନଙ୍କ ପରାମର୍ଶ ନେବାକୁ ନିରଞ୍ଜନଙ୍କୁ ତେର୍ଚ୍ଚା ବାଣ ମାରିଛନ୍ତି ଦାମ ରାଉତ।
କାଲିଠୁ କଂଗ୍ରେସର ସ୍ପିକ୍ ଅଫ୍ ଇଣ୍ଡିଆ ଅଭିଯାନ….
ଭୁବନେଶ୍ୱର – ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିଷ୍ପତିକ୍ରମେ ସାରା ଭାରତବର୍ଷରେ କଂଗ୍ରେସ ଦଳର ସମସ୍ତ ସଦସ୍ୟ ତଥା ନେତୃବୃନ୍ଦ ଏବଂ ଭାରତବର୍ଷର ଜନସାଧାରଣ ଏକ ସ୍ୱରରେ ଭାରତ
ସରକାରଙ୍କ ନିକଟରେ ୩ଟି ସମସ୍ୟାକୁ ନେଇ ଆସନ୍ତା କାଲି ଦିନ ୧୧ ଟାରୁ ଦିନ ୨ ଟା ମଧ୍ୟରେ ସାମାଜିକ ଗଣମାଧ୍ୟମ ଯଥା
ଫେସ୍ବୁକ୍, ଟ୍ୱିଟର ଏବଂ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ଦାବି ଉପସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯେଉଁ ୩ଟି ମୁଖ୍ୟ ସମସ୍ୟା ପ୍ରତି ଆଜି କେନ୍ଦ୍ର ସରକାର ସଂପୂର୍ଣ୍ଣ ଉଦାସୀନ ଏବଂ ନିରବ ରହିଛନ୍ତି ଓ କିଭଳି ଭାବରେ ସରକାରଙ୍କୁ ଏ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ଏବଂ ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ । ପ୍ରଥମ ସମସ୍ୟାଟି ଭାରତବର୍ଷର ଯେଉଁ ପ୍ରବାସୀ ଶ୍ରମିକମାନଙ୍କୁ ସିଧାସଳଖ ଆସନ୍ତା ୬ ମାସ ପାଇଁ ମାସକୁ ୭୫୦୦ ଟଙ୍କା ଲେଖାଏଁ
ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ କରିବା ଏବଂ ତତ୍କ୍ଷଣାତ ସେମାନଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ ଆକାରରେ
ସେମାନଙ୍କ ଖାତାରେ ଜମା କରାଯାଉ । ଯଦ୍ୱାରା ଭାରତବର୍ଷର କୋଟି କୋଟି ଶ୍ରମିକମାନେ ତାଙ୍କ ଜୀବନକୁ ବଂଚାଇ ପାରିବେ
ନଚେତ୍ ଆସନ୍ତା ଦିନରେ କୋଭିଡ – ୧୯ ମହାମାରୀ ଠାରୁ ଅନାହାର ମୃତ୍ୟୁଜନିତ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବ ।
୨ୟତଃ କୃଷକମାନଙ୍କର ରବି ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ମାର୍ଚ୍ଚ ମାସ ୨୫ ତାରିଖ ପାଖରୁ ଆଜି
ପର୍ଯ୍ୟନ୍ତ କୃଷକମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟ ଯଥା ପନିପରିବା ଠାରୁ ଆରମ୍ଭ କରି ଧାନ, ମୁଗ, ବିରି ବଜାରରେ ବିକ୍ରୀ କରିପାରିଲେ ନାହିଁ । ରବି ଋତୁର ଋଣ ଏବଂ ଋଣ ଉପରେ ସୁଧ କୃଷକଙ୍କ ମୁଣ୍ଡ ଉପରେ ନଳିତା ବିଡା ସଦୃଶ । ଆଉ ଅଳ୍ପ କେତେଦିନ ପରେ ଖରିପ୍ ଫସଲ ପାଇଁ କୃଷକ କ୍ଷେତ୍ର ପ୍ରସ୍ତୁତ କରିବ କିନ୍ତୁ କୃଷକ ହାତରେ ଅର୍ଥ ନାହିଁ । ସମସ୍ୟା ଘେରରେ ଥିବା କୃଷକ, ଶ୍ରମିକ ଏଭଳି ଏକ ସ୍ଥିତିରେ ଆସନ୍ତା ଖରିଫ୍ ଋତୁ ପାଇଁ କୃଷକମାନଙ୍କୁ ବିହନ ଠାରୁ ଆରମ୍ଭ କରି ସାର, କୀଟନାଶକ ଔଷଧ ଏବଂ ନଗଦ ଅର୍ଥର ସହାୟତା ପ୍ରଦାନ କରାଯାଉ । ଯଦ୍ୱାରା କୃଷକର କିଛିମାତ୍ରରେ ଦୁଃଖ ଲାଘବ ହୋଇପାରିବ । ୩ୟତଃ ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ତୁରନ୍ତ କେନ୍ଦ୍ର ସରକାର ଟ୍ରେନ୍ ଯୋଗେ ନିଜ ଅଂଚଳରେ ଆଣି ପହଂଚାନ୍ତୁ । ଏ ଶ୍ରମିକଙ୍କୁ ରାଜ୍ୟ ରାଜ୍ୟ ଭିତରେ ନ ବାଂଟି, ନିର୍ଦ୍ଦିଷ୍ଟ ରାଜ୍ୟର ଶ୍ରମିକ ନକହି ସେମାନଙ୍କୁ ଭାରତ ବର୍ଷର ଶ୍ରମିକ, ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ ପ୍ରଗତିର ମୂଳ ଚାବିକାଠି ବୋଲି ଗ୍ରହଣ କରି ତାଙ୍କୁ ଅତିଶୀଘ୍ର ନିଜ ଅଂଚଳକୁ ଫେରାଇ ଆଣିବାର ବ୍ୟବସ୍ଥା କରିବା ସହିତ ଯାତ୍ରା ସମୟରେ ତାଙ୍କର ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଭାରତବର୍ଷ ଏହି ୬୪ ଦିନ କାଳ ଦେଖୁଛି ଶ୍ରମିକମାନେ ଆଜିବି ମଧ୍ୟ ରାଜରାସ୍ତାରେ ଭୋକ ଉପାସରେ ଚାଲିଛନ୍ତି । ଏହା ଏକ ଅତ୍ୟନ୍ତ ହୃଦୟ ବିଦାରକ ଯନ୍ତ୍ରଣା । ଏକ ଅମାନବୀୟ ପରିସ୍ଥିତିରୁ ମୁକୁଳିବା ପାଇଁ ଯଥାଶୀଘ୍ର କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିବା ପାଇଁ ବାଧ୍ୟ ହେବେ । ତେଣୁ ଏହି କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ, ନେତୃବୃନ୍ଦ, ଛାମୁଆ ସଂଗଠନ ତଥା କଂଗ୍ରେସ ପ୍ରେମୀ ବନ୍ଧୁ ଏବଂ ଓଡିଶାର ସଚେତନ ନାଗରିକଙ୍କୁ ଅନୁରୋଧ ଏହା ଅଧିକରୁ ଅଧିକତର ସାମାଜିକ ଗଣମାଧ୍ୟମରେ ଏହି ୩ଟି
ଦାବିକୁ ଉପସ୍ଥାପନ କରିବାକୁ ପିସିସି ସଭାପତି ନିବେଦନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସୋସିଆଲ ମିଡିଆ
ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମୁଖପାତ୍ର ରଜନୀ କୁମାର ମହାନ୍ତି, ଉପସ୍ଥିତ ଥିଲେ ।
ଖରାରେ ଖରଡ଼ି ହେଉଛି ଅନୁଗୁଳ…..
ଭୁବନେଶ୍ୱର: ରାଜ୍ୟରେ ଏବେ ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବାରେ ଲାଗିଛି। ୧୪ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଆଜି ଅନୁଗୁଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି।ଅନୁଗୋଳରେ ସର୍ବାଧିକ ୪୩.୭ ଡିଗ୍ରୀ ତାପମାତ୍ରା ରହିଛି ।ତେବେ ଆସନ୍ତୁ ଜାଣିବା ଆଜି କେଉଁ କେଉଁ ସହର ୪୦ ଡିଗ୍ରୀ ଉପରେ ଥିଲା।
ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୩.୭ ଡ଼ିଗ୍ରୀ। ଟିଟିଲାଗଡ଼ ୪୩,ବୌଦ୍ଧ ୪୨.୮,ସମ୍ବଲପୁର ୪୨.୬,ହୀରାକୁଦ ୪୨.୫,ବଲାଙ୍ଗୀର ୪୨.୫,ତାଳଚେର ୪୨.୫,ସୋନପୁର ୪୨.୪,ଝାରସୁଗୁଡ଼ା ୪୨.୨। ଏପରି ଖରା ଆଉ କିଛି ଦିନ ଯାଏଁ ଲାଗିରହି ପାରେ।














