ପରମ୍ପରାକୁ ବଞ୍ଚାଇଲା ରିଲ୍ସ !

- Advertisement -

ହଜି ଯାଇଥିବା ଜିନିଷ ଯେବେ ଅଚାନକ ମିଳିଯାଏ ସେ ଖୁସି କଣ ତାହା ପାଇଥିବା ମଣିଷ ହିଁ କହିପାରେ। ଜେନ-ଜି ଯୁଗରେ କଣ ଆମ ସଂସ୍କୃତି,ପରମ୍ପରା ପୁଣି ଫେରିବ ତାହା କଣ କେବେ କିଏ ଚିନ୍ତା କରିପାରିବ…। ହେଲେ ରିଲ୍ସ ଯୁଗରେ ତାହା ସମ୍ଭବ। ଆଧୁନିକତାର ଯୁବ ବୟସରେ ବି ଗାଁଠାରୁ ସହର ଝଟକୁଛି ପରମ୍ପରା ଓ ସଂସ୍କୃତି

ଆଉ ମିତା ଅପାର ଖୁଦୁରୁକୁଣୀ କଥା ହେଉ ଅବା ବଡ଼ ମାଆର ବାଟ ଓଷା, ପୁଣି ବୋଉର ବସୁମତୀ ପୂଜା ହେଉ ଅବା ଚିତାଲାଗୀ ଅମାବାସ୍ୟାରେ ଚିତୋଉପିଠା ନଦୀ ଓ ପୋଖରୀରେ ପକାଇବା ପରମ୍ପରା। ଜେଜେବାପା, ଜେଜେମା’, ବାପା,ମା’ କେବେ ଚିନ୍ତା କରିପାରିନଥିଲେ ସେମାନେ ପାଳୁଥିବା ଏହି ସବୁ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ତାଙ୍କ ତିନିପିଢ଼ି ଅଣନାତି ମାନେ କେବେ ପାଳିବେ। ଆଧୁନିକତାର ମର୍ଡନ ଲାଇଫ ଭିତରେ ନମିତା,ମାମାଲି,ଝିଲି, ପ୍ରିୟାର ବି ଏତେ ଆକର୍ଷଣ ରହିବ ତାହା ରିଲ୍ସ ଦେଖିଲେ ବିଶ୍ୱାସ କରିହେଉନାହିଁ। ସହର ସଭ୍ୟତାରେ ରହି କାହିଁ କେଉଁକାଳରୁ ଦେଖାଯାଉଥିବା ପରମ୍ପରା, ପର୍ବ, ପୂଜାକୁ ପୂର୍ବରୁ ଯେଉଁ ଢଙ୍ଗରେ ପାଳନ କରାଯାଉଥିଲା ସେପରି ପାଳିବାକୁ ଆଜିର ଯୁବପିଢ଼ି ପାଗଳ ହେଉଛନ୍ତି। ଆମେରିକା,ଲଣ୍ଡନ, ମୁମ୍ବାଇ, ବାଙ୍ଗାଲୋର, ଭୁବନେଶ୍ୱରରେ ରହୁଥିବା ଉଚ୍ଚ ଶିକ୍ଷିତ ଝିଅ ଡେଜି ବି ଖୁଦୁରୁକୁଣୀ ଓଷା ପାଇଁ ଶନିବାର ରାତି 3ଟାରୁ ଉଠି ପର ବାଡିରୁ ଫୁଲ ତୋଳିବାକୁ ଯାଉଛି କିଛି ଗାଁ ଝିଅଙ୍କ ସହ, ଯେଉଁମାନେ ଆଜକୁ 5ବର୍ଷ ପୂର୍ବରୁ କିଣାଫୁଲରେ ଓଷା କରୁଥିଲେ। ଆପଣ ଜାଣନ୍ତି ଡେଜି ଫୁଲ ତୋଳିବା,ମାଳ କରିବାଠାରୁ ଆରମ୍ଭ କରି ପୂରା ପୂଜା ପରମ୍ପରାକୁ ନିଜ ମୋବାଇଲରେ ସୁଟିଂ କରି ଶେଷରେ ଛୋଟ ରିଲ୍ସ କରି ସୋସିଆଲ ମିଡିଆରେ ଛାଡ଼ୁଛି। ଏହାଦ୍ୱାରା ଆମ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ପୂଜା ମାତ୍ର କେଇ ମିନିଟରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଂଚିଯାଉଛି। ଏଥିରେ ଡେଜି ବି ଅର୍ଥ ଉପାର୍ଜନ କରିବା ସହ ଆମ ସଂସ୍କୃତି ଓ ପରମ୍ପରା କେତେ ମହାନ ତାହା ବୁଝୁଛି।

ଏମିତି ଏ ଘଟଣା ଆଜି ଆମ ଆଖି ସାମ୍ନାରେ ଦେଖିବାକୁ ମିଳୁଛି, ଯେମିତି ପଖାଳ ଦିବସ। ବାସୀପଖାଳ,ପିଆଜ, ଲଙ୍କା ଲୁଣ ଆମ ଓଡ଼ିଆଙ୍କ ଖାଦ୍ୟ। ଆଳୁ ଚଟଣୀ, ଶାଗଭଜା, ବଡ଼ିଚୁରା, ଶୁଖୁଆ ପୋଡ଼ା କି ମାଛ ଭଜା ହୋଇଗଲେ ଓଡ଼ିଆଙ୍କ ମନ ଶାନ୍ତି। ପଖାଳ କହିଲେ ଗରିବ ଲୋକଙ୍କ ଖାଦ୍ୟରେ ଗଣା। ହେଲେ ରିଲ୍ସ ପାଇଁ ଆଜି ପାଖରେ ପଞ୍ଚତାରକା ହୋଟେଲରେ ପହଁଚିଛି. ସଭିଏଁ ଏବେ ଏମିତି ପଖାଳପ୍ରେମୀ ହୋଇଛନ୍ତି ଯେ ପଖାଳ ଦିବସ ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି। ସେମିତି ଜେଜେବାପା, ଜେଜେ ମା’, ବାପାମାଆଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀରେ କେକକାଟି ଭିଡିଓ ଓ ରିଲ୍ସ କରିବାର ବି ଆମ ଜେନ-ଜିମାନେ ମସଗୁଲ। ଯେଉଁ ଜେଜେ ଜୀବନରେ କେବେ ଜନ୍ମଦିନରେ କେକ କଟାଯାଏ ବୋଲି ଜାଣିନଥିଲେ ସିଏ ଆଜି 75 ବର୍ଷ ବୟସରେ ରଙ୍ଗୀନ ଆଲୋକମାଳରେ କେକ କାଟୁଛନ୍ତି। ଏ ଖୁସି ତା ନାତୁଣୀ ବୋହୂ ପାଇଁ ସମ୍ଭବ ହୋଇପାରିଛି।

ଏମିତି ଅନେକ କଥା ସବୁଦିନ ଆପଣଙ୍କ ଜୀବନରେ ଘଟୁଛି ଓ ଆପଣ ବି ଦେଖୁଛନ୍ତି। ଇଣ୍ଟରନେଟ ଯୁଗରେ କେମିତି ଆମ ପରମ୍ପରା ବଂଚିଛି ତାହା ମୋବାଇଲ ଖୋଲିଦେଲେ ଗୋଟିଏ ପରେ ଗୋଟେ ରିଲ୍ସରୁ ଆପଣ ବୁଝିପାରୁଥିବେ।

ଏମିତି ଲେଖୁ ଲେଖୁ ପଡ଼ିଶା ମଉସା ମହାନ୍ତିବାବୁଙ୍କ ପ୍ରେମ ରିଲ୍ସ ଦେଖି ଚିନୁର ମନରେ ଖେଳିଛି ରିଲ୍ସ ନିଶା। ଠିକ ଏତିକି ବେଳେ କେହି ଜଣେ କହୁଛି ଗଣେଶପୂଜା ଆସିଲାଣି ଏଥର ସବୁ ହେବ ପୁରୁଣା ଢାଞ୍ଚାରେ. ଆଉ ଡିଜେ ସାଉଣ୍ଡ ନୁହେଁ ବେଣ୍ଡ ପାର୍ଟି ଵାଲା ଗୀତ ଗୀତିକାର ବୋଲିବ ଆଗରେ ଗାମୁଛା ଉଡ଼ିବ। ଖରାବେଳେ ପ୍ରସାଦସେବନ ଆଉ ରାତିରେ ମେଲୋଡି…ବାସ। ଏସବୁ ସୋସିଆଲ ମିଡିଆରେ ଛାଡ଼ିବା।

ରିଲ୍ସ ଯୁଗରେ ସବୁ ସମ୍ଭବ। ହେଲେ ଆମ ଜେନ-ଜି କିପରି ଏହାକୁ ଆଗକୁ ନେଇଛନ୍ତି ତାହା ବି ଚର୍ଚ୍ଚାରେ। ବଞ୍ଚୁ ପରମ୍ପରା ତାଜା ହେଉ ମଉଳି ଯାଉଥିବା ସ୍ମୃତି…..

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles