ଭୁବନେଶ୍ୱର : ଦୁର୍ନୀତିକୁ ବରଦାସ୍ତ କରିବେନି ନବୀନ l ଯାହା ନାଁରେ ଅଭିଯୋଗ ଆସିଲା ତଦନ୍ତ କରି ଦୋଷୀ ହୋଇଥିଲେ ସାଙ୍ଗେ ସାଙ୍ଗେ ବିଦା କରନ୍ତି l ପୁଣି ଦୁର୍ନୀତି ଖଣ୍ଡା ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ l ଆଉ ୧୬ ଜଣଙ୍କ ଚାକିରିରୁ ବିଦା କଲେ ମୁଖ୍ୟମନ୍ତ୍ରୀ l
ଗତ ମାସ ୧୭ ତାରିଖରେ ୧୫ ଜଣ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଥିଲେ । ୩୧ ତାରିଖରେ ବିଦା ହେଲେ ୬ ଜଣ । ତାଲିକାରେ ଏବେ ଯୋଡି ହୋଇଛନ୍ତି ଆଉ ୧୬ ଜଣ । ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଂଜିନିୟର, ୨ ଆରଆଇ, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ଜଣେ ପଞ୍ଚାୟତ ଅଫିସର ଏବଂ ୨ ଜଣ କିରାଣୀଙ୍କୁ ଆଜି ଚାକିରିରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିପରି ଭାବେ ମାସକ ଭିତରେ ୩୭ ଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀ ବରଖାସ୍ତ ହୋଇଥିବା ବେଳେ ୬ ଜଣଙ୍କ ପେନସନ ବନ୍ଦ କରାଯାଇଛି । ଦୁର୍ନୀତି ଅଭିଯୋଗରେ ଭିଜିଲାନସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ଏହି କର୍ମଚାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କଠୋର ହୋଇଛନ୍ତି । ୧୯ ବର୍ଷ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ଦୁର୍ନୀତି ବିକାଶର ବଡ଼ ପ୍ରତିବନ୍ଧକ ବୋଲି ମୁଖ୍ୟମନ୍ତ୍ରୀ ବୁଝିପାରି ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି ।
ଆକ୍ସନ ମୁଡ଼ରେ ନବୀନ : ଦୁର୍ନୀତି ଅଫିସର ବିଦା
ସେବା ଓ ନାଗରିକ ସଂଯୋଗକୁ ଗୁରୁତ୍ୱ….
ଭୁବନେଶ୍ୱର, ୧୩-୯-୧୯: ଅନେକ ଦିନ ଧରି ସାଲିଆ ସାହିର ରାସ୍ତାଘାଟ ଖୋଳତାଡ ହୋଇ ପଡିଛି । ଲୋକେ ଯିବଆସିବା କରିବାକୁ କଷ୍ଟ ଭୋଗୁଛନ୍ତି । ଜଣେ ଦାୟିତ୍ୱବାନ କର୍ମଚାରୀ ଏହାକୁ ଦେଖି ଚୁପ୍ ରହିବା ପରେ ବିଏମ୍ସି ପକ୍ଷରୁ ଆଜି କଡା ପଦକ୍ଷେପ ନିଆଯାଇଛି । ଗତ ୫ ମାସ ଧରି ଜଳ ଯୋଗାଣ ନିଗମ “ୱାଟକୋ”ଦ୍ୱାରା ସାଲିଆ ସାହିରେ କରାଯାଇଥିବା ବିଭିନ୍ନ ଅଞ୍ଚଳର ପ୍ରାୟ ୫ କିଲୋମିଟର ରାସ୍ତାକୁ ଖୋଳି ଛାଡି ଦେଇଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ପରିମଳ ଏବଂ ସାଧାରଣ ଜୀବନଯାତ୍ରା ଏଥିପାଇଁ ନିଶ୍ଚିତ ଭାବେ ବାଧକ ସାଜିଥିବାରୁ ଦେଖିପାରିଥିଲେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ସୁରଥ୍ଚନ୍ଦ୍ର ମଲ୍ଲିକ । ଆଜି ନିଜର କ୍ଷେତ୍ର ପରିଦର୍ଶନରେ ଏହି ଅବସ୍ଥା ଦେଖି ବିଏମ୍ସି ପକ୍ଷରୁ ସଂପୃକ୍ତ ଅଧିକାରୀଙ୍କ ନାମରେ ଏତଲା ଦିଆଯାଇଛି । ୫ ମାସ ହେଲା ପାଣି ପାଇପ୍ ପକାଇ ଆଉ ରାସ୍ତା ବାବଦରେ କୌଣସି ପଦକ୍ଷେପ ନନେଇ ଚୁପ୍ ରହିଥିଲେ ୱାଟକୋ ଡିଭିଜନ ୱାନ୍ର ଜେନେରାଲ ମ୍ୟାନେଜର । ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ଭୃକ୍ଷେପ କରିନଥିଲେ । ଏହି ପରି ପରିଦର୍ଶନ ବେଳେ ନାଗରିକମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନି ବୋଲି କ୍ଷେତ୍ର ପରିଦର୍ଶନରେ ଅତିରିକ୍ତ କମିଶନର ଶ୍ରୀ ମଲ୍ଲିକଙ୍କୁ କିଛି ନାଗରିକ ବ୍ୟକ୍ତି ଗୁହାରି ଜଣାଇଥିଲେ । ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜେନାଲ୍ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ନିର୍ଦ୍ଦେଶ ଦେଇ ୱାଟ୍କୋ ଅଧିକାରୀ (ଜେନେରାଲ୍ ମ୍ୟାନେଜର ୱାଟକୋ ଡିଭିଜନ-୧ଙ୍କ ନାମରେ) ସ୍ଥାନୀୟ ନୟାପଲ୍ଲୀ ସ୍ଥାନରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଆଜି ଅପରାହ୍ନରେ ନୟାପଲ୍ଲୀ ଥାନାରେ ଭାରପ୍ରାପ୍ତ ଅଧିକାରୀଙ୍କୁ ଏହି ଏତଲା ଦେଇ ବିଗତ ପଞ୍ଚ ମାସ ହେବ ସଂପୃକ୍ତ ଅଧିକାରୀଙ୍କ ଅବହେଳା ସାଧାରଣ ଯାତାୟା ପରିମଳ ଓ ଟ୍ରାଫିକ୍ ସମସ୍ୟାର କାରଣ ସାଜିଛି ବୋଲି ଜଣାଇଛନ୍ତି, ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି । ସୂଚନାଯୋଗ୍ୟ କି ଗତ ୯ ତାରିଖରେ ବିଏମ୍ସି ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ଯାତାୟତ ତଥା ପରିମଳକୁ ଗୁରୁତ୍ୱ ଦେଇ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସାଙ୍ଗକୁ ଭୁବନେଶ୍ୱର ମହାନଗର ନିଗମାଞ୍ଚଳର ୧୩ଟି ସବ୍ଜୋନ ଅଧିକାରୀଙ୍କୁ ନିୟମିତ କ୍ଷେତ୍ର ପରିଦର୍ଶନକୁ ଆହୁରି କଡାକଡି କରି ଦିଆଯାଇଥିବା ଜଣାପଡିଛି । ନାଗରିକ ସଂଯୋଗ, ଜୀବନ ଯାତ୍ରା ତଥା ପରିମଳ ରକ୍ଷାକୁ ଗୁରୁତ୍ୱ ଦେଇ ଏପରି ପଦକ୍ଷପ ନେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ପୁରୀ ବିଶ୍ୱ ଐତିହ ନଗରୀ ପ୍ରକଳ୍ପ କାର୍ଯ୍ୟରେ ଯୋଗଦେବେ 5 ଶିକ୍ଷାନବୀଶ ଆଇ.ଏ.ଏସ ଅଫିସର….
ପୁରୀକୁ ବିଶ୍ୱ ଐତିହ ଭାବରେ ବିକଶିତ କରିବାପାଇଁ ରାଜ୍ୟସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି l ଏଥିପାଇଁ ପୁରୀର ଭିତିଭୂମି ବିକାଶ, କୀର୍ତିରାଜିର ସଂରକ୍ଷଣ ସୁରକ୍ଷା କୁ ଦୃଷ୍ଟିରେ ରଖି 500 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଇଛି l ଏହି ସବୁବେଳେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଞ୍ଚଜଣ probationer IAS officer ମାନଙ୍କୁ ପୁରୀରେ ନିଯୁକ୍ତ କରିଛନ୍ତି, ସେମାନେ ପୁରୀ ବିକାଶ ପାଇଁ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ୱରେ ରହିବେ l ଏହି ଶିକ୍ଷାନବୀଶ ଆଏ.ଏ.ଏସ ଅଫିସର ମାନେ ହେଲେ ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶ.ଶ୍ରୀ କୀର୍ତ୍ତିଭାସନ ଭି. ଡ଼କ୍ଟର ଶୁଭଙ୍କର ମହାପାତ୍ର. ଶ୍ରୀ ଜେ ସୋନାଲ. ଶ୍ରୀ ଭୁବନେଶ ଦେବଦାସ ପାଟିଲ l ଏମାନେ ସମସ୍ତେ 2018 ବ୍ୟାଚର ଆଇ.ଏ.ଏସ ଅଫିସର l ଏମାନେ ସମସ୍ତେ ଆଜି ପୁରୀର କାର୍ଯ୍ୟରେ ଯୋଗ ଦେଇଛନ୍ତି l ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର. ବାଲକ୍ରିଷ୍ଣନ ଏବଂ ମୁଖ୍ୟମନ୍ତ୍ରୀ 5-T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ବୁଝେଇଥିଲ ଏବଂ ରାଜ୍ୟସରକାରଙ୍କ ଏହି ମହତ୍ତ୍ୱକାଂକ୍ଷୀ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ l
ପାଠ ପଢିଲେ ବିଧାୟକ : ନବୀନ କହିଲେ ସରଳ ହୁଅ
ଭୁବନେଶ୍ୱର : ପାଠ ପଡିଛନ୍ତି ବିଧାୟକ l ବିଧାନସଭାରେ ଶୁକ୍ରବାର ବିଧାୟକଙ୍କୁ ପାଠ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାଳୀନତା ଓ ସରଳ ଜୀବନଯାପନ କରିବାକୁ ନବୀନ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ କାମ କରିବାକୁ ମଧ୍ୟ କହିଛନ୍ତି । ବାରମ୍ବାର ନବୀନ ବିଧାୟକ ମାନଙ୍କୁ ଏହି ପରାମର୍ଶ ଦେଉଛନ୍ତି l ଯାହା ଫଳରେ ବିଧାୟକମାନେ ଧୀରେ ଧୀରେ ସରଳ ହେଉଛନ୍ତି l ବିଧାନସଭା ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ନବୀନ କହିଥିଲେ ଯେ
ଲୋକଙ୍କୁ ଆଖି ଆଗରେ ସେମାନଙ୍କ ଉନ୍ନତି କରିବା ଶିଖ । ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ । ଜନତା ରିଅଲ ମାଷ୍ଟର ଅଫ ଡେମୋକ୍ରାସି । ଲୋକଙ୍କ ନିକଟତର ହୁଅ, ସେମାନଙ୍କ ଯାବତୀୟ ସମସ୍ୟା ବୁଝ । ଯେତେ ବଡ଼ ପଦବୀରେ ଥିଲେ ମଧ୍ୟ ଲୋକଙ୍କ ହିତ ପାଇଁ କାମ କର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ କହିଛନ୍ତି ।
ନୂଆ ବିଧାୟକମାନେ ନବୀନଙ୍କ ପରାମର୍ଶକୁ କିପରି ମାନୁଛନ୍ତି ତାହା ଦେଖିବାର କଥା l
ବିଧାନସଭା କମିଟି ବ୍ୟବସ୍ଥା ଓ ବୈଧାନିକ ଉପରେ ବିଧାୟକ/ବୀଧାୟିକାଙ୍କ ଟ୍ରେନିଂ ଦିଆଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବାଚସ୍ପତି ଓ ବିରୋଧୀ ଦଳ ନେତା ଉପସ୍ଥିତ ଅଛନ୍ତି । ବିଧାୟକଙ୍କୁ ପାଠ ପଡାଉଛନ୍ତି ଲୋକସଭା ସଚିବାଳୟ ଅଧିକାରୀ l ପ୍ରଥମ ଦିନରେ ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଦିଆଯାଉଛି ।
ଯାହା କଲାନାହିଁ ପ୍ରଶାସନ , ତାହା କଲେ ସାମ୍ବାଦିକ..
ବ୍ୟାସନଗର : ଫନି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କରାଯାଉଛି । ଗଛ ଲଗାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଲୋକସେବା ଭବନରୁ ମନ୍ତ୍ରୀ, ସଚିବ, ବିଧାୟକ ଯାଏ ବସି ବ୍ୟାପକ ଗଛ ଲଗାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଅନେକ ସ୍ଥାନରେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ବିଶିଷ୍ଟ ବ୍ୟକ୍ତିମାନେ ଗଛ ଲଗାଉଛନ୍ତି ଓ ତାହା ବଡ଼ବଡ଼ ଖବର ଆକାରରେ ଖବର କାଗଜରେ ପ୍ରକାଶ ପାଉଛି । ହେଲେ ଯେଉଁ ଗଛ ଲଗାଯାଉଛି ତାହାର ଯତ୍ନନେବାକୁ ଯେପରି କାହାର ନିଘା ନାହିଁ । ଫଳରେ ରାଜ୍ୟରେ ଯେତେ ମାତ୍ରାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଗଲେ ମଧ୍ୟ ମାସକ ପରେ ଅଧିକାଂଶ ଗଛ ମରିଯାଉଛି। ଅର୍ଥାତ ଗୋଦରା କୋଡେ ଯେତେ,ମାଡ଼େ ସେତେ ଭଳି ଚାଲିଛି ରାଜ୍ୟରେ ଗଛ ଲଗା ଅଭିଯାନ । ଏହା କୌଣସି ବ୍ୟକ୍ତି ବିଶେଷକୁ ଆକ୍ଷେପ କରିବା ପାଇଁ ନୁହେଁ,କି ଯେଉଁମାନେ ଗଛ ଲଗାଉଛନ୍ତି ସେମାନଙ୍କୁ ନିରୁତ୍ସାହିତ କରିବା ପାଇଁ ନୁହେଁ । ବଂର ଯାହା ବାସ୍ତବରେ ଘଟୁଛି ତାହା ଆମ ମାଧ୍ୟମରେ ସରକାରଙ୍କୁ ଜଣାଇବା ପାଇଁ ଯାଜପୁର ବ୍ୟାସନଗର ଅଂଚଳର କିଛି ସ୍ୱେଚ୍ଚାସେବୀ ଏପରି ଅଭିଯୋଗ କରିଛନ୍ତି ।
ଘଟଣାଟ ଏପରି । ଯାଜପୁର ରୋଡ ବ୍ୟାସଦେବ ଟାଉନହଲ ପରିସରରେ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତୀ ପରିସରରେ ଗଛ ଲଗାଯାଇଥିଲା । ଏହି ଗଛର ଯତ୍ନ ନେବା ବାରମ୍ବାର ପ୍ରଶାସନକୁ ଅବଗତ କରିଥିଲେ ସ୍ଥାନୀୟ ଲୋକେ । ହେଲେ ପୌର ପ୍ରଶାସନ ନଶୁଣିବାରୁ କିଛି ସଚେତନ ସ୍ଥାନୀୟ ସାମ୍ବାଦିକ ନିଜ ବଳରେ ଗଛର ଯତ୍ନ ନେଇଥିଲେ । ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ସଭାପତି ଓ କାର୍ଯ୍ୟକାରୀ ସଭାପତି ପ୍ଲାଷ୍ଟିକ୍ ଜାଲି ଲଗାଇ ଗଛଗୁଡିକୁ ଗାଇ,ଛେଳି, ଦାଉରୁ ରକ୍ଷା ପାଇଁ ଚେଷ୍ଟା କରିଥିଲେ । ଯାହା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ । କାରଣ ଯାହା କଲା ନାହିଁ ପ୍ରଶାସନ ତାହା କଲେ ସାମ୍ବାଦିକମାନେ । ଯେପରି ଏହି ସାମ୍ବାଦିକମାନଙ୍କୁ ଗଛ ଡ଼ାକି କହିଲା ଯେ ମୁଁ ଫନି ବାତ୍ୟାପରେ ପୁଣିଥରେ ବଂଚିବାକ ଚାହୁଁଛି । ମତେ ଟିକେଟ ବଢିବାକୁ ସହଯୋଗ କର । ଏହି ଟିକେ ସେବା କଲେ ମୁଁ ତମକୁ ସାରା ଜୀବନ ସେବା କରିବି । ଗଛର ଏହି କେହି ପଦ କଥା ବୋଧେ ସାମ୍ବାଦିକଙ୍କ ମନକୁ ଭେଦ କଲା । ଯେଉଁଥି ପାଇଁ ସାମ୍ବାଦିକମାନେ ଗଛର ଯତ୍ନ ନେବା ପାଇଁ ଆଗଭର ହୋଇଛନ୍ତି । ଏଥିରେ ଗୋଟେ ବାର୍ତ୍ତା ମଧ୍ୟ ସାମ୍ବାଦିକମାନେ ଦେବାକୁ ଚାହିଁଛନ୍ତି ସବୁ କାର୍ଯ୍ୟରେ ପ୍ରଶାସନକୁ ଅପେକ୍ଷା ନକରି ଯଦି ସମ୍ଭବ ଲୋକମାନେ ସେ କାମ କରିଦେବା ଉଚିତ ।ଏଠାରେ ଉଲ୍ଲେଖ କରାଯାଇପାରେ ଉକ୍ତ ବ୍ୟାସନଗର ପ୍ରେସ୍ ଫୋରମ୍ ପ୍ରତେକ ବର୍ଷ ବହୁ ସମାଜ ମଙ୍ଗଳ କାର୍ଯ୍ୟ ମାନ କରିଥାଏ ।
କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ଇତିହାସ ପାଠ : ଜୋରଧରିଲା ରାଜନୀତି
ଭୁବନେଶ୍ୱର : ଭାରତର ଇତିହାସ ଭୂଲ । ଏକଥା କହି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ଓଡ଼ିଶାରେ ପ୍ରତାପ କହିଛନ୍ତି ଯେ ଭାରତ ଇତିହାସ ଭ୍ରମାତ୍ମକ ଓ ଭାରତର ଇତିହାସ ବହୁତ ପୁରୁଣା । ପ୍ରତାପଙ୍କ ଯୁକ୍ତି ହେଉଛି ବିଦେଶୀମାନେ ଯାହା କହିଛନ୍ତି ତାହାକୁ ନେଇ ଲେଖାଯାଇଛି ଇତିହାସ । ଯାହାକୁ ସେ ମାନିବାକୁ ନାରାଜ । ତେଣୁ ତାହା ଭୂଳ ଇତିହାସ । କେବଳ ଆଦିବାସୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତଙ୍କୁ ବିଦେଶୀ ବୋଲି ଇତିହାସରେ ବର୍ଣ୍ଣନା କରାଯାଇଛି । ସେ କହିଛନ୍ତି ଭାରତୀୟ ଇତିହାସରେ ବ୍ୟକ୍ତିଗତ ମିଶ୍ରଣ ବୈଦିକ କାଳରୁ ରହି ଆସିଛି ।
ଭଗବାନ ବ୍ୟାସଦେବଙ୍କ ମା’ ଜଣେ ଧୀବର କନ୍ୟା ଓ ବାପା ବ୍ରାହ୍ମଣ ପରାସର ମୁନୀ । ବ୍ୟାସଦେବ ବେଦର ରଚୟିତା ନୁହଁନ୍ତି । ସେ ବେଦର ସଂକଳନ କରିଛନ୍ତି । ବିଶ୍ୱର ସର୍ବଶ୍ରେଷ୍ଠ ଭକ୍ତିଗ୍ରସ୍ତ ଶ୍ରୀମଦ ଭଗବତ ଗୀତା ବ୍ୟାସଦେବ ରଚନା କରିଛନ୍ତି । ବୈଦିକ ସାହିତ୍ୟରେ ବ୍ରାହ୍ମଣର ଯେତିକି ଅଧିକାର ଅଛି ଆଦିବାସୀର ମଧ୍ୟ ସେତିକି ଅଧିକାର ଅଛି । । ସମାନତାର ମନ୍ତ୍ର ଆମର ପରମ୍ପରା ।ହେଲେ ଇତିହାସରେ ଅନେକ ଭୁଲ ତଥ୍ୟ ପ୍ରଦାନ କରାଯାଇଛି । ଯାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି । ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ଇତିହାସ ଭୂଲ ବୟାନ ଆଗମୀ ଦିନରେ କଣ ସୂଚନା ଦେଉଛି ତାହା ଉପରେ ସଭିଁଙ୍କ ନରଜ । ବୋଲି ପ୍ରତାପ ଯୁକ୍ତି ବାଢିଛନ୍ତି । ପ୍ରତାପଙ୍କ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି କେନ୍ଦ୍ରମନ୍ତ୍ରୀ ଏପରି ବୟାନକୁ ସମାଲୋଚନା କରିଛନ୍ତି । ବିଧାନସଭା, ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରତାଷ ଷଢଙ୍ଗୀଙ୍କ ପରି ଜଣେ ବରିଷ୍ଠ ରାଜନେତା କାହିକିଁ ଏପରି ମନ୍ତବ୍ୟ ରଖିଲେ ଓ ଏହି ମନ୍ତବ୍ୟ ପଛରେ ରହସ୍ୟ କଣ ତାହାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ ।
ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଅନ୍ତିମ ଦିନରେ କତାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା…
ଭାରତ-କତାର ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ୍ ହେବ – ଧର୍ମେନ୍ଦ୍ର ପ୍ରଧାନ ଭାରତର ଗ୍ୟାସ ଭିତିଭୂମି କାମରେ କତାରର ପୁଞ୍ଜିନିବେଶ ନେଇ ଆଲୋଚନା କତାର/ଭୁବନେଶ୍ୱର, ସେପ୍ଟେମ୍ବର ୧୨ – ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଅନ୍ତିମ ଦିନରେ କତାରର ପ୍ରଧାନମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ନାଜିର୍ ବିନ୍ଙ୍କ ସହ ଆଲୋଚନା ପରେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ଦୁଇ ଦେଶ କ୍ରେତା-ବିକ୍ରେତା ସମ୍ପର୍କ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ର ସମ୍ବନ୍ଧିତ କାର୍ଯ୍ୟକୁ ବୃଦ୍ଧି କରିବା ଦିଗରେ ଆଲୋଚନା କରିଥିଲେnା ଭାରତରେ ବୃଦ୍ଧି ପାଉଥିବା ଗ୍ୟାସ ଭିତିଭୂମି ଉପରେ କାତାରର ପୁଞ୍ଜିନିବେଶ କରିବା ଦିଗରେ ଗୁରୁତ୍ୱାରୋପ କରିବା ସହ କତାରରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତୀୟ କମ୍ପାନୀର ଭାଗିଦାରୀ ଉପରେ ମଧ୍ୟ ଆଲୋଚନା କରିଥିଲେ । ଆଜିର ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ଅନ୍ୟାନ୍ୟ ପ୍ରତିନିଧିମାନଙ୍କୁ ଭେଟି ମଧ୍ୟ ଫଳପ୍ରଦ ଆଲୋଚନା କରିଛନ୍ତି । କତାରର ଶକ୍ତି ମନ୍ତ୍ରୀ ତଥା ପେଟ୍ରୋଲିୟମ ବିଭାଗର ଅଧ୍ୟକ୍ଷ ସାଦ୍ ଶେରୀଦା ଅଲ୍ କାବୀଙ୍କୁ ଭେଟି ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କତାର ଭାରତ ପାଇଁ ଦୀର୍ଘ ସମୟ ଧରି ଉର୍ଜା କ୍ଷେତ୍ରରେ ସହଯୋଗୀ ହୋଇ ରହିଛି । ଏହାସହ ଭାରତକୁ ଏଲଏନଜି ଏବଂ ଏଲପିଜି ଯୋଗାଣ କରିବାରେ କତାର ସର୍ବବୃହତ ଦେଶ ବୋଲି ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାର ଠାରୁ ଏଲଏନଜି କ୍ରୟ କରିବା ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ । ହାଇଡ୍ରୋକାର୍ବନ କ୍ଷେତ୍ରରେ କ୍ରେତା-ବିକ୍ରେତା ସମ୍ବନ୍ଧରେ କାର୍ଯ୍ୟ କରିବା ନେଇ ଉଭୟ ମନ୍ତ୍ରୀ ସମ୍ମତି ଜଣାଇଥିଲେ । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁପରିବେଶକୁ ସୁହାଉଥିବା ଉର୍ଜାକୁ ବିକଶିତ କରିବା ପାଇଁ କତାରକୁ ସହଯୋଗ କରିବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ । ଏହ୍ୟାତିତ ଗ୍ୟାସ ରପ୍ତାନୀ ଦେଶ ଫୋରମ(ଜିଏଫସିଏଫ)ର ସାଧାରଣ ସଚିବଙ୍କ ସହ ଅନ୍ତରାଷ୍ଟ୍ରୀୟ ଗ୍ୟାସ ବଜାରର ସ୍ଥିତି ଏବଂ ଉର୍ଜା ଉପରେ ଆଲୋଚନା କରିଥିଲେ । ଭାରତରେ ଗ୍ୟାସ ବଜାରରେ ଅଧିକ ଅନୁଧ୍ୟାନ କରିବା ପାଇଁ ଶ୍ରୀ ପ୍ରଧାନ ଜିଇସିଏଫର୍ ସହ ସହଯୋଗ ଲୋଡିଥିଲେ । ଉଲ୍ଲେଖନୀୟ ଯେ ଆଲୋଚନା କାଳରେ କତାରର ପ୍ରଧାନମନ୍ତ୍ରୀ ଭାରତ ସହ ଐତିହାସିକ ମଜବୁତ ପ୍ରସଙ୍ଗକୁ ମନେପକାଇବା ସହ କତାରରେ ଭାରତୀୟ ସମୁଦାୟଙ୍କ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେପକାଇଥିଲେ । କତାରର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୯ ନିର୍ବାଚନରେ ବଡ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଚତୁର୍ଥ ଦିନରେ କେନ୍ଦ୍ରମନ୍ତ୍ରୀ….
ତୈଳ, ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ବିଦେଶ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ
ବିଭିନ୍ନ ପେଟ୍ରୋଲିୟମ ଉତ୍ପାଦ ବ୍ୟବସାୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ ଭାରତ-ୟୁଏଇ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି ନେଇ ମଧ୍ୟ ଆଲୋଚନା ଆବୁଧାବି/ଭୁବନେଶ୍ୱର, ସେପ୍ଟେମ୍ବର ୧୧ – ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବି ସ୍ଥିତ ଭାରତୀୟ ତୈଳ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ (ଇଆଇଏଲ୍)କୁ ପରିଦର୍ଶନ କରିବା ସହ ବିଭିନ୍ନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ତୈଳ, ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ବିଭିନ୍ନ ରାଷ୍ଟ୍ର ସହ ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରର ସମୀକ୍ଷା ମଧ୍ୟ କରିଥିଲେ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବିର ଭାରତୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଇଆଇଏଲ୍ କମ୍ପାନୀକୁ ପରିଦର୍ଶନ କରିବା ଅବସରରେ କହିଥିଲେ ଯେ ଏହି କମ୍ପାନୀ ତୈଳ, ଗ୍ୟାସ ଓ ପେଟ୍ରୋକେମିକାଲ ଶିଳ୍ପକୁ କେନ୍ଦ୍ରରେ\nରଖି ଟେକ୍ନୋଲୋଜି ଆଧାରରେ କାର୍ଯ୍ୟ କରୁଅଛି ଏବଂ ଭାରତ ତଥା ବିଦେଶରେ ଉର୍ଜା ଭିତିଭୂମିକୁ ବିକଶିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜିର ଦିନରେ ଶ୍ରୀ ପ୍ରଧାନ ଆଜରବାଇଜାନର ଉର୍ଜା ମନ୍ତ୍ରୀ ପରଭିଭ୍ ଶାହବାଜଭଙ୍କୁ ସାକ୍ଷାତ କରିଥିଲେ । ଉଭୟେ ଭାରତୀୟ ତୈଳ କମ୍ପାନୀ ଦ୍ୱାରା ଉର୍ଜା ବ୍ୟାପାରକୁ କିପରି ସୁଦୃଢ କରାଯାଇପାରିବ ସେ ଦିଗରେ ଆଲୋଚନା କରିଥିଲେ । ଏହାବ୍ୟତିତ ଆଜରବାଇଜାନର ଅନ୍ୱେଷଣ ଓ ଉତ୍ପାଦନ ଏବଂ ଏଲଏନଜି କ୍ଷେତ୍ରରେ ସହଯୋଗ କରିବା ତଥା ଭାରତୀୟ ପୁଞ୍ଜି ନିବେଶ ଉପରେ ସମୀକ୍ଷା କରିଥିଲେ ଶ୍ରୀ ପ୍ରଧାନ ।ସେହିପରି ଥାଇଲ୍ୟାଣ୍ଡର ଶକ୍ତି ମନ୍ତ୍ରୀ ସୋନିଟାଟ୍ ସୋଂଟିଜୀରାୱଙ୍ଗଙ୍କୁ ଶ୍ରୀ ପ୍ରଧାନ ଭେଟିବା ସହ ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ ବ୍ୟବସାୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରରେ ଭାରତ ଓ ଥାଇଲାଣ୍ଡର ପୁଞ୍ଜିନିବେଶ ନେଇ ମଧ୍ୟ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ । ଜୈବ ଇନ୍ଧନ କ୍ଷେତ୍ରରେ ଥାଇଲ୍ୟାଣ୍ଡର ଅଗ୍ରଣୀ ସ୍ଥିତି ଏବଂ ଭାରତ ବିଶାଳ ଜୈବ ଇନ୍ଧନ କାର୍ଯ୍ୟକ୍ରମକୁ ସ୍ୱୀକୃତି ଦେବା ସହ ଏ ଦିଗରେ ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା ।ୟୁଏଇ ରାଷ୍ଟ୍ରମନ୍ତ୍ରୀ ତଥା ଏନଡିଓସିର ଅଧ୍ୟକ୍ଷ ସୁଲତାନ ଅହମଦ ଅଲ୍ ଜାବରଙ୍କୁ ଭେଟିବା ସହ ୟୁଏଇର ଅପଷ୍ଟ୍ରିମ୍ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶର ସମୀକ୍ଷା କରିବା ସହ ଭାରତ-ୟୁଏଇ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗକୁ ବଢାଇବା ନେଇ ବିଭିନ୍ନ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ଇସ୍ପାତ୍ କ୍ଷେତ୍ରରେ ମଧ୍ୟ ସହଯୋଗ ନେଇ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାରତ ଏବଂ ୟୁଏଇ ଉର୍ଜା କ୍ଷେତ୍ରରେ ଏକ ବହୁପାକ୍ଷିକ ସମ୍ବନ୍ଧ ରହିଛି । ୟୁଏଇ ଭାରତର ୃଣନୈତିକ ପେଟ୍ରୋଲିୀୟମ ଭଣ୍ଡାର (ଏସପିଆର) କାର୍ଯ୍ୟକ୍ରମରେ ସାମିଲ ହେବାର ପ୍ରଥମ ଦେଶ ଥିଲା । ଏସପିଆର କାର୍ଯ୍ୟକ୍ରମରେ ଏନଡିଓସିର ନିରନ୍ତର ଭାଗୀଦାରୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି ମନ୍ତ୍ରୀଙ୍କୁ ଭେଟିବା ପରେ ଶ୍ରୀ ପ୍ରଧାନ କହିଥିଲେ ।
ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ପ୍ରସଙ୍ଗରେ ୩୦ ଜିଲ୍ଲାରେ ବିଜେପି ପାଳିବ ରାଷ୍ଟ୍ରୀୟ ଏକତା ଅଭିଯାନ…
ଭୁବନେଶ୍ୱର, ୧୧/୦୯: ରାଷ୍ଟ୍ରର ଏକତାରେ ବାଧା ସୃଷ୍ଟି କରିଥିବା ଜାମ୍ମୁ କାଶ୍ମୀରର ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପାଇଁ ନେଇଥିବା ନିଷ୍ପତି ଏବେ ସାରା ଦେଶ ପାଇଁ ଏକ ଐତିହାସିକ ନିଷ୍ପତି । ଏହି ଅବସରରେ ବିଜେପି ସାରା ଦେଶରେ ରାଷ୍ଟ୍ରୀୟ ଏକତା ଅଭିଯାନ ପାଳିବ । ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ଧାରା ୩୭୦ ଉପରେ ଦଳ ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ କରାଇ ଧାରା ୩୭୦ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରାଯିବ । ସେହିପରି ଏକ ରାଜ୍ୟସ୍ତରୀୟ ସମ୍ମିଳନି ମଧ୍ୟ କରାଯିବା । ଏଥି ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଉପ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜାମ୍ମୁ କାଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦କୁ ହଟାଇଲା ପରେ ରାଷ୍ଟ୍ରୀୟ ଏକତା ଅଭିଯାନ ସାରା ଦେଶ ଏକ ଐତିହାସିକ ନିଷ୍ପତି ନେଇଛି । ଏପରି ଏକ ବ୍ୟବସ୍ଥା ଯାହା କାରଣରୁ ଜାମ୍ମୁ-କାଶ୍ମୀର ଓ ଲଦାଖର ଭାଇ-ଭଉଣୀ ମାନେ ସେମାନଙ୍କ ଅଧିକାରରୁ ବଂଚିତ ହୋଇଥିଲେ । ଯାହା ସେମାନଙ୍କ ବିକାଶରେ ବଡ ବାଧକ ଥିଲା, ତାହା ଏବେ ଦୂର ହୋଇଛି । ଯେଉଁ ସ୍ୱପ୍ନର ସର୍ଦ୍ଦାର ପଟେଲଙ୍କର ଥିଲା, ବାବା ସାହେବ ଆମ୍ବେଦକରଙ୍କର ଥଲା, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଥିଲା, ଅଟଳ ଜୀ ଏବଂ କୋଟି କୋଟି ଦେଶଭକ୍ତଙ୍କର ଥିଲା ତାହା ଏବେ ପୂରଣ ହୋଇଛି । ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏବେ ଦେଶର ସମସ୍ତ ନାଗରିକମାନଙ୍କର ଅଧିକାର ମଧ୍ୟ ସମାନ, ଦାୟିତ୍ୱ ମଧ୍ୟ ସମାନ । ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଜାମ୍ମୁ-କାଶ୍ମୀରକୁ ବିଚ୍ଛିନ୍ନତାବାଦ, ଆତଙ୍କବାଦ ପରିବାରବାଦ ଏବଂ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ ବ୍ୟାପିଥିବା ଭ୍ରଷ୍ଟାଚାର ବ୍ୟତୀତ କିଛି ଦେଇନାହିଁ । ଏହି ଦୁଇଟି ଅନୁଚ୍ଛେଦକୁ ଦେଶ ବିରୋଧରେ, କିଛି ଲୋକଙ୍କ ଭାବନାକୁ ଉତେଜିତ କରିବା ଲାଗି ପାକିସ୍ତାନ ପକ୍ଷରୁ ଏକ ଅସ୍ତ୍ର ଭାବେ ଉପଯୋଗ କରାଯାଉଥିଲା । ଏହି କାରଣରୁ ଗତ ତିନି ଦଶନ୍ଧି ମଧ୍ୟରେ ପାଖାପାଖି ୪୨ହଜାର ନିର୍ଦ୍ଦୋଷ ଲୋକଙ୍କୁ ଜୀବନ ହରାଇବାକୁ ପଡିଛି । ଆମ ଦେଶର ଗଣତନ୍ତ୍ର ସବୁ ସୁଦୃଢ । ଜାମ୍ମୁ-କାଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି ହଜାର ହଜାର ସଂଖ୍ୟାରେ ଏପରି ଭାଇ-ଭଉଣୀ ରହୁଛନ୍ତି ଯେଉଁମାନଙ୍କ ନିକଟରେ ଲୋକସଭା ନିର୍ବାଚନରେ ଭୋଟ ଦେବାର ଅଧିକାର ତ ଥିଲା, କିନ୍ତୁ ସେମାନେ ବିଧାନସଭା ଏବଂ ସ୍ଥାନୀୟ ପଂଚାୟତ ନିର୍ବାଚନରେ ମତଦାନ କରିପାରୁନଥିଲେ । ଦେଶର ଜନସାଧାରଣଙ୍କୁ ଏ ବିଷୟରେ ଅବଗତ କରାଯିବ । ଏହି କର୍ମଶାଳାରେ ରାଜ୍ୟରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ବୁଦ୍ଧିଜୀବି ପ୍ରକୋଷ୍ଠର ଆବାହକ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।














