ଦିନକୁ ଦିନ ବଢୁଛି ଲକଡାଉନ୍ କଟକଣା, ତଥାପି ମାନୁନାହାନ୍ତି ଅମାନିଆ ।

0

ବ୍ୟାସନଗର: ଆଜିକୁ ବାଇସି ଦିନରେ ପହଞ୍ଚିଛି ଲକଡାଉନ୍ । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ୍ କୁ ବଳବତ୍ତର ପାଇଁ ପ୍ରାୟ ପ୍ରତିଦିନ ନୂଆ ନୂଆ ନିୟମ ମାନ ପ୍ରଚଳନ ହେଉଛି । କେତେବେଳେ ଅତ୍ଯାବଶ୍ଯକ ସାମଗ୍ରୀ ଦୋକାନ ଖୋଲିବା ନିୟମ ତ କେତେବେଳେ ଯାନବାହନ କଟକଣା । ଏହିପରି ଭାବେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବହୁ ସମୟରେ ନିୟମକୁ ପରିବର୍ତ୍ତନ ମଧ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଯାନବାହାନ କଟକଣାକୁ ଗୁରୁତ୍ୱ ସହ ସାମାଜିକ ଦୂରତା ପ୍ରତି ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯାଉଥିବା ନଜରକୁ ଆସୁଛି ।କିନ୍ତୁ କିଛି ଅମାନିଆ ଯେପରି ଏହି ନିୟମକୁ ମାନିବାକୁ ଜମାରୁ ପ୍ରସ୍ତୁତ ନଥିବା ଭଳି ଲାଗୁଛି ।ଗତକାଲି ଲକଡାଉନ୍ ଅମାନ୍ଯର ଦୁଇଟି ମାମଲା ରୁଜ୍ଜୁ ହେବା ସହ ୩୯ଟି ଦୁଇ ଚକିଆ ଓ ୨ଟି ଚାରି ଚକିଆ ଜବତ୍ କରାଯାଇଥିଲା ।ସେହି ସବୁ ଗାଡି ଚାଳକଙ୍କଠାରୁ ୧୫୦୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।ସେହିପରି ଆଜି ମଧ୍ୟ ନିୟମକୁ ଅବମାନନା କରୁଥିବା ୫୦ରୁ ଉର୍ଦ୍ଧ୍ବ ଦୁଇ ଚକିଆ ସହିତ ଗୋଟିଏ ଚାରି ଚକିଆ ଜବତ୍ କରାଯାଇଛି ।ଦୋକାନୀମାନଙ୍କ ପାଇଁ ହୋଇଥିବା ନିୟମକୁ ଖିଲାଫ କରିବା ଅଭିଯୋଗରେ ୫ଟି ଦୋକାନୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତା ସହ ମୋଟର ଯାନ ନିୟମ ଅନୁଯାୟୀ ୨୫୦୦୦ରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରାଯାଇଛି । ମତେ ଯେତେ ମାଠିବୁ ମାଠ୍ ମୁଁ ସେହି ଦରପୋଡା କାଠ ଉକ୍ତି ଅନୁସାରେ, ଅମାନିଆଙ୍କୁ ଯେତେ କଠୋର ନିୟମ ହେଲେ ମଧ୍ୟ କିଛି ଫରକ ପଡୁନଥିବା ପରି ପ୍ରତୀୟମାନ ହେଉଅଛି ।

କରୋନା ପାଇଁ କାଲି ବସିବ ମନ୍ତ୍ରୀ ସ୍ତରୀୟ କମିଟିର ବୈଠକ ..

ଭୁବନେଶ୍ୱର : ଆସନ୍ତାକାଲି ଉଚ୍ଚ କ୍ଷମତାସମ୍ପନ୍ନ ମନ୍ତ୍ରୀ ସ୍ତରୀୟ କମିଟିର ବୈଠକ ! ଭିଡିଓ କନ୍‍ଫରେନ୍ସି ମାଧ୍ୟମରେ ବସିବ ବୈଠକ ! ବୈଠକରେ କରୋନା ମୁକାବିଲା ନେଇ ହେବ ଆଲୋଚନା !
ବୈଠକରେ ଅଧ୍ୟକ୍ଷତା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ !

୭ ଟି ସ୍ଥାନରେ ୪୦.ଡ଼ିଗ୍ରୀ ଉପରେ ତାପମାତ୍ରା….

ଭୁବନେଶ୍ୱର :ଆଜିର ପାଣିପାଗ କଣ ରହିଛି ଦେଖନ୍ତୁ l
ଭୁବନେଶ୍ୱର- ୪୧.୨ ଡ଼ିଗ୍ରୀ ସି.
ବାଲେଶ୍ୱର -୩୪.୮ ଡ଼ିଗ୍ରୀ ସି.
ଚାନ୍ଦବାଲି – ୩୯.୦ ଡ଼ିଗ୍ରୀ ସି.
କଟକ -୩୯.୮ ଡ଼ିଗ୍ରୀ ସି.
ପାରାଦୀପ- ୩୧.୮ ଡ଼ିଗ୍ରୀ ସି.
ଗୋପାଳପୁର -୩୧.୯ ଡ଼ିଗ୍ରୀ ସି.
ପୁରୀ -୩୨.୮ ଡ଼ିଗ୍ରୀ ସି.
#ଅନୁଗୁଳ – ୪୦.୫ ଡ଼ିଗ୍ରୀ ସି.
ବାରିପଦା -୩୮.୬ ଡ଼ିଗ୍ରୀ ସି.
ଝାରସୁଗୁଡା – ୩୯.୬ ଡ଼ିଗ୍ରୀ ସି.
କେନ୍ଦୁଝର – ୩୮.୨ ଡ଼ିଗ୍ରୀ ସି.
ସମ୍ବଲପୁର- ୩୯.୮ ଡ଼ିଗ୍ରୀ ସି.
ହୀରାକୁଦ – ୩୮.୫ ଡ଼ିଗ୍ରୀ ସି.
#ତାଳଚେର-୪୧.୧ ଡ଼ିଗ୍ରୀ ସି.
ଭବାନୀପାଟଣା -୩୮.୬ ଡ଼ିଗ୍ରୀ ସି.
#ବଲାଙ୍ଗୀର – ୪୧.୫ ଡ଼ିଗ୍ରୀ ସି.
ଟିଟଲାଗଡ – ୩୯.୦ ଡ଼ିଗ୍ରୀ ସି.
କୋରାପୁଟ -୩୫.୦ ଡ଼ିଗ୍ରୀ ସି.
ମାଲକାନଗିରି – ୩୫.୮ ଡ଼ିଗ୍ରୀ ସି.
#ସୋନୁପୁର – ୪୧.୦ ଡ଼ିଗ୍ରୀ ସି.
ଦାରିଙ୍ଗିବାଡ଼ି – ୩୪.୫ ଡ଼ିଗ୍ରୀ ସି.
#ନୟାଗଡ -୪୦.୦ ଡ଼ିଗ୍ରୀ ସି.
#ବୌଦ୍ଧ -୪୦.୫ ଡ଼ିଗ୍ରୀ ସି.
ଛତ୍ରପୁର – ୩୪.୪ ଡ଼ିଗ୍ରୀ ସି.
ପାରଳାଖେମୁଣ୍ଡି – ୩୮.୦ ଡ଼ିଗ୍ରୀ ସି.
ରାୟଗଡ – ୩୪.୫ ଡ଼ିଗ୍ରୀ ସି.
ଫୁଲବାଣୀ -୩୬.୦ ଡ଼ିଗ୍ରୀ ସି.

୭ ଟି ସ୍ଥାନରେ ୪୦.୦ ଡ଼ିଗ୍ରୀ ସି କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୪ ଟି ସ୍ଥାନରେ ୪୧ କିମ୍ବା ତା ଠାରୁ ରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି |*

ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୫ ଡ଼ିଗ୍ରୀ ସି. ବଲାଙ୍ଗୀର ରେ ରେକର୍ଡ କରାଯାଇଛି*

ଆସନ୍ତା ୨ ରୁ୩ ଦିନ ଯାଏ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସ୍ଵାଭିବିକ ତାପମାତ୍ରା ଠାରୁ ୨ରୁ ୩ ଡ଼ିଗ୍ରୀ ସି. ଅଧିକ ରହିବ ସହିତ କିଛି କିଛି ଜିଲ୍ଲା ଗୁଡିକରେ ଆଗାମୀ ୩ ରୁ ୪ ଦିନ ଯାଏ ୪୦.୦ ଡ଼ିଗ୍ରୀ ସି. କିମ୍ବା ତା ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ ର ସମ୍ଭାବନା ଅଛି |

କରୋନାକୁ ନେଇ କଣ ଅଛି ଭୁଲ୍ ଧାରଣା ଆସନ୍ତୁ ଜାଣିବା.

ଭୁବନେଶ୍ୱର : ସବୁଦିନ ପରି ଆଜି ମଧ୍ୟ ସୁବ୍ରତ ବାଗଚି ପ୍ରେସ କନଫରେନ୍ସ କରିଥିଲେ । ଏଥିରେ ସେ ଏକ ଉଲେଖନୀୟ ଦିଗ ଉପରେ ଆଲୋଚନା କରିଛନ୍ତି । ଏବେ କରୋନାକୁ ନେଇ ଚାରିଆଡେ ଅନେକ ଉଡା ଖବର ପ୍ରସାରିତ ହେଉଛି। କଣ ଏହୂ ୧୨ ଟି ଉଡା ଖବର ଆସନ୍ତୁ ଜାଣିବା
୧-ନାକକୁ ଲୁଣ ପାଣିରେ ଧୋଇଲେ କରୋନା ପଳେଇବ।
୨-ଗରମ ପାଣିରେ ଗାଧେଇଲେ କରୋନା ହେବନି।
୩- କରୋନା ଥରେ ହେଲେ ଆଉ କେବେ ହେବନି।
୪- ପ୍ରଶ୍ୱାସକୁ ୧୦ ସେକେଣ୍ଡ ବନ୍ଦ କରି ରଖିପାରୁଥିବା ବ୍ୟକ୍ତିଙ୍କ ପାଖରେ କରୋନା ନାହିଁ।
୫- ମଦ ପିଇଲେ କରୋନା ହେବନି।
୬- ମଶା କାମୁଡ଼ିଲେ କରୋନା ହୁଏ ।
୭- ରସୁଣ ଖାଇଲେ କରୋନା ହୁଏ ନି ।
୮- ଛୁଆ ଓ ଯୁବକଙ୍କୁ କରୋନା ହୁଏନି।
୯- ଆଣ୍ଟିବାୟୋଟିକ ଖାଇଲେ କରୋନା ହୁଏନି ।
୧୦- କ୍ଲୋରିନ ପାଣିରେ କୁଳି କଲେ କରୋନା ହେବନି ।ଏହା ମଧ୍ୟ ଭୁଲ୍।କାରଣ ଏପରି କୁଳି କରିବା ଦେହ ପାଇଁ ଅଧିକ କ୍ଷତିକାରକ।
୧୧-ଲୁଣ ପାଣିରେ କୁଳି କଲେ କରୋନା ହେବନି।
୧୨-ପୋଷା କୁକୁର ,ବିଲେଇ ଅନ୍ୟ ଗୃହ ପାଳିତ ପଶୁ ଠାରୁ କରୋନା ବ୍ୟପେ ନାହିଁ।
ଏମିତି ୧୨ଟି ଭୁଲ୍ ଧାରଣା ଏବେ ଅନେକ ସ୍ଥାନରେ ପ୍ରଚାରିତ ହେଉଛି ।ଏହାକୁ ବିଶ୍ୱାସ ନ କରିବା ପାଇଁ ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚି ଲୋକଙ୍କୁ କହିଛନ୍ତି।

କରୋନା ପାଇଁ ଅଣ୍ଡା ଉତ୍ପାଦନ ଶିଳ୍ପରେ ତାଲା ଝୁଲିବା ଅବସ୍ଥା : ଆସୋସିଏସନ

ଭୁବନେଶ୍ୱର : ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ପରପ୍ରେକ୍ଷୀରେ ଓଡିଶାରେ ଅଣ୍ଡା ଉତ୍ପାଦନ କରୁଥିବା ଲେୟାର ଚାଷୀମାନଙ୍କ ମେରୁଦଣ୍ଡ ଦୋହଲି ଗଲାଣି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରାଜ୍ୟରେ ୨୦ହଜାର ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଥିବା ଏହି ଶିଳ୍ପ ଏବେ ତିଷ୍ଠି ରହିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
ଅଲ ଓଡିଶା ଲେୟାର ଫାମର୍ସ ଆସୋସିଏସନର ଅଧ୍ୟକ୍ଷ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଲେଖିଥିବା ପତ୍ରରେ ଦର୍ଶାଯାଇଛନ୍ତି ଯେ ବର୍ତ୍ତମାନର ପ୍ରତିକୂଳ ପରିସ୍ଥିତିରେ ତିଷ୍ଠି ରହିବାପାଇଁ ସଂଗ୍ରାମ କରୁଥିବା ରାଜ୍ୟର ଅଣ୍ଡା ଉତ୍ପାଦନକାରୀ ଚାଷୀମାନେ ସର୍ବଦା ରାଜ୍ୟ ସରକାରଙ୍କ ସହିତ ରହି ଆସିଛନ୍ତି । ଅଳ୍ପ ଦିନ ତଳେ ଓଡିଶାକୁ ଅଣ୍ଡା ଓ କୁକୁଡା ମାଂସ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବାପାଇଁ ସରକାର ଆହ୍ୱାନ ଦେବା ପରେ ଉଦ୍ୟୋଗୀମାନେ ଆଗକୁ ଆସି କୁକୁଡା ଶିଳ୍ପରେ ପୁଞ୍ଜି ଖଟାଇଥିଲେ । ଫଳରେ ମାତ୍ର ୪ବର୍ଷ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ଦୁଇଗୁଣା ହେବା ସହିତ ପଡୋଶୀ ରାଜ୍ୟରୁ ଅଣ୍ଡା ଆମଦାନୀ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ୨୦୧୫ ମସିହାରେ ରାଜ୍ୟରୁ ଦୈନିକ ୪୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବାବେଳେ ୨୦୨୦ ବେଳକୁ ତାହା ୬୫ଲକ୍ଷରେ ପହଞ୍ଚିଥିଲା । ଏହି କ୍ଷେତ୍ରରୁ ସରକାର ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ସେହଭଳି ଅଣ୍ଡା ଉତ୍ପାଦନରେ ରାଜ୍ୟର ପ୍ରାୟ ୨୦ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମସଂସ୍ଥାନ ପାଇଥିବାବେଳେ ଚନ୍ଦ୍ରଗିରି ସେମତ ଗଞ୍ଜାମ, ଉମରକୋଟ ଓ ନବରଙ୍ଗପୁର ଜିଲ୍ଲାର ଉତ୍ପାଦିତ ୯୦ ପ୍ରତିଶତ ମକା କୁକୁଡାଶିଳ୍ପ ଦାନା ଭାବେ ବ୍ୟବହାର ହେଉଛି । ଏଥିଯୋର୍ଗୁ ରାଜ୍ୟରେ ଗତ ୫ବର୍ଷ ଭିତରେ ମକା ଉତ୍ପାଦନ ୪୦ ପ୍ରତିଶତ ବଢିଛି ଯାହାକି ସେହିସବୁ ଅଞ୍ଚଳର ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି ।
ବର୍ତ୍ତମାନ ରାଜ୍ୟରେ ଅଣ୍ଡା ବ୍ୟବହାର ଆଶାତୀତ ଭାବେ ହ୍ରାସ ପାଇଥିବାବେଳେ ଅଣ୍ଡା ଉତ୍ପାଦନ କରୁଥିବା ଉଦ୍ୟୋଗୀମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ବିଭିନ୍ନ ଗଣମାଧ୍ୟମରେ କରୋନା ସଂକ୍ରମଣକୁ ନେଇ ମିଥ୍ୟା ଖବରମାନ ପ୍ରକାଶ ପାଇପାରୁ ଲୋକେ ଭୟରେ ଅଣ୍ଡା ଖାଉ ନାହାନ୍ତି । ସେହିଭଳି ବିଦ୍ୟାଳୟ ଗୁଡିକ ବନ୍ଦ ଯୋଗୁଁ ମଧ୍ୟାହ୍ନଭୋଜନ ଓ ସ୍ୱତନ୍ତ୍ର ପୁଷ୍ଟିକର ଯୋଜନା (ଏସ୍‍ଏନ୍‍ପି) ରେ ମଧ୍ୟ ଅଣ୍ଡା ଯୋଗାଣ ବାଧାପ୍ରାପ୍ତ ହୋଇଛି । ସମଗ୍ର ଦେଶରେ ଲକ୍‍ଡାଉନ୍‍ ଜାରି ହୋଇଥିବାରୁ ବଜାର ବନ୍ଦ ସହିତ ଅଣ୍ଡା ପରିବହନ ମଧ୍ୟ ବନ୍ଦ ରହିଛି । ଗତବର୍ଷ ରାଜ୍ୟରେ ଆସିଥିବା ବାତ୍ୟା ଫନି, ଏହା ପରେ ପରେ ବାର୍ଡ ଫ୍ଲ୍ୟୁ ଓ ଏବେ କରୋନା ଆସି କୁକୁଡାଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଅବସ୍ଥା ଆସି ଏଭଳି ସ୍ଥିତିରେ ପହଞ୍ଚିଛି ଯେ ଏଥିରୁ ଟଙ୍କାଟିଏ ଫେରି ପାଇବା କଷ୍ଟକର ହୋଇପଡିଛି । ରାଜ୍ୟର ପାଖାପାଖି ୧୨ଟି ଅଣ୍ଡା ଉତ୍ପାଦନକାରୀ ଫାର୍ମ ଆର୍ଥିକ ସଙ୍କଟରୁ ବନ୍ଦହେବାକୁ ବସିଲାଣି । ଋଣ ବୋଝ ଯୋଗୁଁ ବହୁ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉଥିବା ଏହି ସଂସ୍ଥାରେ ତାଲା ଝୁଲିବା ପୂର୍ବରୁ ଏହାକୁ ଚଳାଇ ରଖିବାପାଇଁ ସଂଘ ପକ୍ଷରୁ ସରକାରଙ୍କୁ କେତେ ଗୁଡିଏ ପ୍ରସ୍ତାବ ଦିଆଯାଇଛି ।
ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ମଧ୍ୟରେ କୁକୁଡା ଚାଷ ପାଇଁ ହୋଇଥିବା ସମସ୍ତ ପ୍ରକାର ଋଣ ଉପରେ ୫ ପ୍ରତିଶତ ସୁଧ ରିହାତି, ଋଣ ପରିଶୋଧକୁ ଏକ ବର୍ଷ ସ୍ଥଗିତ ରଖିବା, ମୂଳ ପୁଞ୍ଜି ପାଇଁ ହୋଇଥିବା ଋଣକୁ ଟର୍ମ ଲୋନ୍‍ରେ ପରିବର୍ତ୍ତନ ସହିତ ତାହାକୁ ୫ବର୍ଷ ମଧ୍ୟରେ ପରିଶୋଧ ଲାଗି ସୁଯୋଗ ଦିଆଯିବା, ଫାର୍ମ ଚଳାଇ ରଖିବାଲାଗି ଚାଷୀମାନଙ୍କୁ ଆବଶ୍ୟକ ମୂଳଧନ ପାଇଁ ଋଣ ପ୍ରଦାନ, ରାଜ୍ୟରେ ଥିବା ସମସ୍ତ ପ୍ରକାର କୁକୁଡା ଶିଳ୍ପ (ଲେୟାର ଏବଂ ବ୍ରଏଲର) କୁ ଆର୍ଥିକ ସହାୟତା ପ୍ୟାକେଜ ପ୍ରଦାନ ସହିତ କୁକୁଡା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କଞ୍ଚାମାଲ ଉପରୁ ଜିଏସ୍‍ ଛାଡ କରିବାପାଇଁ ସଂଘ ଅନୁରୋଧ କରିଛି ।
ସଂଘ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ କେତେକ ସୋସିଆଲ ଗଣମାଧ୍ୟମରେ ବ୍ୟାପକ ଅପପ୍ରଚାର ଯୋଗୁଁ ରାଜ୍ୟରେ ଅଣ୍ଡା ବ୍ୟବହାର ଆଶାତୀତ ଭାବେ ହ୍ରାସ ପାଇଛି । ତେଣୁ ଅଣ୍ଡା ବ୍ୟବହାର ବୃଦ୍ଧି ଲାଗି ମଧ୍ୟାହ୍ନଭୋଜନ ଓ ଏସ୍‍ଏନ୍‍ପି ଭଳି ଅନ୍ୟାନ୍ୟ ସରକାରୀ ଯୋଜନାରେ ଅଣ୍ଡା ଯୋଗାଣ ପାଇଁ ଅନୁମତି ଦେବା ସହିତ ସ୍କୁଲର ଛୁଟିରେ ପିଲାଙ୍କୁ ଅଣ୍ଡା ଯୋଗାଣ କରାଯାଉ । ଏହା ଦ୍ୱାରା ଗତ କିଛି ଦିନ ହେଲା କୁକୁଡାଚାଷୀମାନେ ଯେଭଳି କମ୍‍ ଦରରେ ଅଣ୍ଡା ବିକ୍ରି କରି ଅଧିକ ଦରରେ ଦାନା କିଣି ବ୍ୟାପକ କ୍ଷତି ସହୁଛନ୍ତି ସେମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରିବ । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ଲାଗି ରାଜ୍ୟ ସରକାରଙ୍କୁ ସଂଘ ପକ୍ଷରୁ ଅନୁରୋଧ କରାଯିବା ସହିତ ସାମ୍ପ୍ରତିକ କରୋନା ବିପତ୍ତିର ମୁକାବିଲା ପାଇଁ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଶକ୍ତି ଓ ଧୈର୍ଯ୍ୟ ଦେବାପାଇଁ ପ୍ରାର୍ଥନା କରାଯାଇଛି ।

କରୋନା ଯୋଦ୍ଧାଙ୍କ ମନବଳ ବଢ଼ାଇଲେ ଜିଲ୍ଲାପାଳ…

ଯାଜପୁର : କରୋନା କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ସମୟରେ କରୋନା ମୁକାବିଲା ପାଇଁ ଦିନ ରାତି ଏକ କରୁଥିବା କରୋନା ଯୋଦ୍ଧା ଙ୍କ ପାଖରେ ଜିଲ୍ଲା ପ୍ରଶାସନ । କରୋନାକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ଡାକ୍ତର,ନର୍ସ,ସଫେଇ କର୍ମଚାରୀ ଏମାନେ ଦିନ ରାତି ଏକ କରି ଯୁଦ୍ଧର ଯୋଦ୍ଧା ସାଜିଛନ୍ତି। ଆଜି ସକାଳୁ ଯାଜପୁର ଜିଲ୍ଲା ପ୍ରଶାସନ ଯାଜପୁର ଟାଉନ ପୋୖରାଞ୍ଚଳରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାନଙ୍କ ପାଖରେ ପହଂଚି କରୋନା ଯୁଦ୍ଧର ପ୍ରକୃତ ଯୋଦ୍ଧା ବୋଲି ବିବେଚିତ କରି ମନୋବଳ ଦୃଢ କରିବା ସହିତ ସେମାନଙ୍କୁ ମାସ୍କ,ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏଥିସହ ଏହି ଯୁଦ୍ଧକୁ ଜିତିବା ପାଇଁ ସହରକୁ ପରିଷ୍କାର ପରିଛନ ରଖିବା ନିତ୍ୟାନ୍ତ ଆବଶ୍ୟକ ଓ ଏହାକୁ ସୁଚାରୁରୂପେ ପାଳନ କରୁଥିବାରୁ ଧନ୍ୟବାଦ ମଧ୍ୟ ପ୍ରଦାନ କରିଥିଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।

ବାବାସାହେବ୍ ଙ୍କ ଜନ୍ମ ଅବସରରେ ରକ୍ତଦାନ ଶିବିର ,୫୫ ୟୁନିଟ୍ ରକ୍ତ ସଂଗ୍ରହ ।

0

କୋରାପୁଟ: ଭାରତରତ୍ନ ଡ଼ଃ.ବାବାସାହେବ ବି.ଆର୍.ଆମ୍ବେଦକର୍ ଙ୍କ ୧୨୯ତମ ଜୟନ୍ତୀ ପାଳନ ଅବସରରେ ସୁନାବେଡା ହାଲ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ତଥା ଅଫିସର୍ଶ ଆସୋସିଏସନ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ତାଲାବନ୍ଦ ପରିସ୍ଥିତିରେ କୋରାପୁଟ ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବକୁ ପୂରଣ କରିବା ଉଦେଶ୍ୟନେଇ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ ପକ୍ଷରୁ ଆରମ୍ଭ କରାଯାଇଥିବା ଭ୍ରାମ୍ଯମାଣ ରକ୍ତସଂଗ୍ରହ ଅଭିଯାନର ଏକାଦଶ ଦିବସରେ ରକ୍ତସଂଗ୍ରହ ଯାନ ସୁନାବେଡାର ମିଗନଗରୀରେ ପହଂଚି ଥିଲା । ଏହି ଅବସରରେ ସର୍ବ ପ୍ରଥମେ ଡ଼ଃ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଭକ୍ତିପୂତ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆସୋସିଏସନର ସଭାପତି ପି.ବି.ସୋରେନ, ସମ୍ପାଦକ ସୁବାଷ ଚନ୍ଦ୍ର ସେଠି, ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ.ମଧୁସୁଦନ ବଳିୟାରସିଂ, ଫୋରମ ସଭାପତି ଜି.ସଂଜୀବକୁମାର ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ ଭ୍ରାମ୍ୟମାଣ ରକ୍ତଦାନ ଶିବିରରେ ହାଲ୍ ଅନୁସୂଚିତ ଜାତି ଓ ଜନଜାତି ଆସୋସିଏସନର ବରିଷ୍ଟ କର୍ମକର୍ତା ବିରିଆ ହେମ୍ବ୍ରମ, ମନୋଜ କୁମାର ଶୀରିକା,ମନୋରଞ୍ଜନ ସେଠି,ବିଚା ଓରାମ,ପ୍ରଶାନ୍ତ କୁମ୍ଭୀର,ସାନୁ ମୁଣ୍ଡା,ସୁରେଶ କୁମାର ନାୟକ,ସୁରଜ ଖଡିଆ,ପ୍ରସନ୍ନ କଟପାଲି,ଜୟ ସରକାର ଏବଂ ପ୍ରମୋଦ କିଣ୍ଡୋଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ତାଲାବନ୍ଦର ନିୟମ ମାନି ସାମାଜିକ ଦୂରତ୍ୱ ରକ୍ଷାକରି ଅତି ଶୃଙ୍ଖଳୀତ ଭାବରେ ରକ୍ତଦାନ କରିଥିଲେ । ଜିଲ୍ଲା ରକ୍ତଦାତା ସଂଘର କର୍ମକର୍ତା ଜି.ସଂଜୀବ କୁମାର,ରାଜେଶ ଯାଦବ,ଶେଖ ଇବ୍ରାହିମ,ଶାହେଦା ପରବିନ,ଗୋବିନ୍ଦ ବଲ୍ଲଭ ପାଢୀ, ସ୍ୱରାଜ ରାୟ, ଭ୍ରାମ୍ୟମାଣ ଶିବିରର ପରିଚାଳନା କରିଥିବା ବେଳେ ଡ଼ଃ ଉମା ଶଙ୍କର ପ୍ରସାଦ ପାତ୍ର,ଦୁର୍ଗା ପ୍ରସାଦ ପାତ୍ର, ଆନନ୍ଦମୌଳି ପଟ୍ଟନାୟକ,ଗଣେଶ ଚନ୍ଦ୍ର ସାହୁ, ମମତା ମହାକୁଡ,ଲକ୍ଷ୍ମଣ ମୂଥାଇ,ରାମଦାଶ କିସକୋ, ମାର୍ଶଲ ରାମ ହାଁସଦା ସହଯୋଗ କରିଥିଲେ । କୋରାପୁଟ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ମଧୁସୁଦନ ବଳିଆରସିଂଙ୍କ ତତ୍ୱାବଧାନରେ ରକ୍ତ ଭଣ୍ଡାରର ସହକର୍ମୀ ମାନେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନକୁ ସମ୍ପୂର୍ଣ ସେନେଟାଇଜ କରି ରକ୍ତ ସଂଗ୍ରହ କରିଥିଲେ ।ଏହି ଅବସରରେ ମୋଟ ୫୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏଥି ସହ ପ୍ରବାଦ ପୁରୁଷଙ୍କ ଦେଶ ତଥା ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୁତ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ। ଦୀର୍ଘଦିନ ଧରି ଦଳ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ (ରକ୍ତ ସଂଗ୍ରହ ) କାର୍ଯ୍ୟ ଜାରି ରଖିବେ। ଜଣେ ବି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସ୍ଵାସ୍ଥ୍ୟଗତ ସମସ୍ୟାରେ ନ ପଡନ୍ତି, ସେଥି ପ୍ରତି ଦୃଷ୍ଟି ଦେବାକୁ ବିଜେଡ଼ି ସଭାପତି ଦଳର ପ୍ରତିଟି କର୍ମୀ,ନେତା ଏବଂ ଶୁଭେଚ୍ଛୁଙ୍କୁ ନିବେଦନ କରିଛନ୍ତି।। ମାନ୍ୟବର ସଭାପତିଙ୍କର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସଫଳତାର ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଥିବାରୁ,ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।। ଏଭଳି ଏକ କଠିନ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଦେଶସେବା ଓ ଉସର୍ଗ୍ରୀକୃତ ମନୋଭାବକୁ ସବୁଦିନ ମନେ ରଖିବି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ, ନେତୃ ମଣ୍ଡଳୀ, ଛାମୁଆ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ନିବେଦନ କରାଯାଉଛି କୌଣସି ପରିସ୍ଥିତିରେ ପଦାକୁ ନ ବାହାରି ଘର ଭିତରେ ପ୍ରବାଦ ପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ନିବେଦନ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା, ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।

ମୁମ୍ବାଇରେ ଗୁଜବ: ଏକାଠି ହେଲେ ହଜାର ହାଜର ଲୋକ

ମୁମ୍ବାଇ :ବର୍ତ୍ତମାନ ସାରା ଦେଶରେ କରୋନା ଭୟଙ୍କର ରୁପ ନେଉଛି।ଏହାକୁ ଦେଖି ଗତକାଲି ପ୍ରଧାନମନ୍ତ୍ରୀ ଲକ୍ ଡାଉନକୁ ଆଉ ୧୯ ଦିନ ପାଇଁ ବୃଦ୍ଧି କରିଛନ୍ତି। ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ ମେ ୩ ତାରିଖରେ ଖୋଲିବ ।ଇତି ମଧ୍ୟରେ ଗତକାଲି ମୁମ୍ବାଇରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଗୁଜବ ପ୍ରଭାବରେ ହାଜର ହଜାର ଲୋକ ବାନ୍ଦ୍ରାଠାରେ ଏକାଠି ହୋଇଥିଲେ । ଯାହାକି ଚିନ୍ତାର ବିଷୟ। କାରଣ ବର୍ତ୍ତମାନ ମହାରାଷ୍ଟ୍ର ଭାରତର କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ। ଏଠାରେ ଲୋକ ଏକାଠି ହେବାର ମୁଖ୍ୟ କାରଣ ଏକ ଗୁଜବ ବୋଲି କୁହାଯାଇଛି। ଏଥିପାଇଁ ପୋଲିସ ବିନୟ ଦୁବେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।
ଲକ୍‌ଡାଉନ୍‌ ଶେଷ ହେବ ଓ ଟ୍ରେନ୍‌-ବସ୍‌ ଚଳାଚଳ ଆରମ୍ଭ ହେବ ଏଭଳି ଏକ ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲା। ଯାହା କି ବିନୟ ଦୁବେ ନାମକ ଜଣେ ବ୍ୟକ୍ତି କରିଥିଲା। ଏହା ଶୁଣିଲା ପରେ ଘଣ୍ଟାକ ମଧ୍ୟରେ ବିଭିନ୍ନ ରାଜ୍ୟରୁ ରହୁଥିବା ଲୋକମାନେ ସେଠାରେ ରୁଣ୍ଡ ହେବାରେ ଲାଗିଥିଲେ। ନିଜ ରାଜ୍ୟକୁ ଯିବା ପାଇଁ । ଶ୍ରମିକ ମାନଙ୍କ କହିବା କଥା ହେଉଛି କରୋନା ଦାଉଠାରୁ ଭୋକର ଦାଉ ସେମାନଙ୍କ ପାଇଁ ଅଧିକ କଷ୍ଟକର ହୋଇପଡିଛି। ସେମାନେ ଏବେ ନିଜ ଘରକୁ ଯିବା ପାଇଁ ଚଂହୁଛନ୍ତି।ହଠାତ୍ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଭିଡ଼କୁ ଦେଖି ମୁମ୍ବଇ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହାପରେ ଭିଡ଼ ଘଉଡାଇବା ପାଇଁ ପୋଲିସ ପ୍ରଥମେ ସେଠାରେ ଥିବା ଲୋକଙ୍କୁ ବୁଝାଥିଲା ।ପରେ ଭିଡ଼ ବଢିବା ଦେଖି ବାଧ୍ୟ ହୋଇ ଲାଠି ଚାଳନା କରିବାକୁ ପଡିଥିଲା ମୁମ୍ବାଇ ପୋଲିସକୁ ।
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଗୋଟେ ଗୁଜବ ଶୁଣି ଯେଉଁଠି ହଜାର ହଜାର ଲୋକ ରୁଣ୍ଡ ହେଉଛନ୍ତି। ସେଠି ସରକାର କେମିତି ଜାଣିପାରିଲେ ନାହିଁ ।

ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ରଚିଲେ ନୂଆ ଇତିହାସ ।

0

କୋରାପୁଟ: ରାଜ୍ୟ ତମାମ୍ ଚାଲିଥିବା ଲକଡାଉନ୍ କୁ ୨୧ଦିନ ପୁରିବା ଆଗରୁ ରାଜ୍ୟ ସରକାର ଏହାକୁ ଅପ୍ରେଲ ୩୦ ଓ କେନ୍ଦ୍ର ସରକାର ମେ ମାସ ୩ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ଏହି କରୋନା ଯୁଦ୍ଧରେ କିପରି ଭାରତ ବିଜୟୀ ହେବ ସେ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମାନି ସାଧାରଣ ଜନତା,ବିଭିନ୍ନ ଶିଳ୍ପସଂସ୍ଥା ତଥା ସରକାରୀ ଓ ବେସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ କର୍ମକ୍ଷେତ୍ରକୁ ନଯାଇ ଘରେ ରହି କାମ କରୁଛନ୍ତି । କିନ୍ତୁ ପୌରପରିଷଦର ସଫେଇ କର୍ମଚାରୀ ମାନେ ନିଜ ନିଜର ଘର ପରିବାର,ପିଲାଛୁଆଙ୍କୁ ଛାଡି ସହରାଞ୍ଚଳ ଓ ବିଭିନ୍ନ ବସ୍ତିକୁ ଆବର୍ଜନା ମୁକ୍ତ କରିବାରେ ଲାଗିପଡିଛନ୍ତି । ପୌରପରିଷଦର ସାହି,ବସ୍ତିରେ ଥିବା ନାଳନର୍ଦ୍ଦମା,ରାସ୍ତାଘାଟ ଗୁଡିକୁ ସଫା କରିବାରେ ଲାଗିପଡିଛନ୍ତି । ଏହି ପରିପ୍ରେକ୍ଷୀରେ କିଏ ରନ୍ଧାଖାଦ୍ୟ ବାଣ୍ଟୁଥିବା ବେଳେ କେହି ଶୁଖିଲାଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳୁଛି ।କିନ୍ତୁ ଏପରି ସମୟରେ ସଫେଇ କର୍ମଚାରୀମାନଙ୍କ ମନୋବଳ ବଢାଇବାକୁ ଏକ ପ୍ରୟାସ ନଜରକୁ ଆସିଛି । ସେହି ସଫେଇ କର୍ମଚାରୀଙ୍କ ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରି ଭିନ୍ନ ଏକ ଇତିହାସ ରଚିଛନ୍ତି ସେମିଳିଗୁଡା ଅଞ୍ଚଳର କିଛି ସ୍ବେଛାସେବୀ ଓ ଯୁବନେତା । ପୌରପରିଷଦର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ଚନ୍ଦନଟୀକା ଲଗାଇ ଫୁଲମାଳ ସହ ବସ୍ତ୍ର,ରନ୍ଧାଖାଦ୍ୟ ପୁଡିଆ,ହ୍ୟାଣ୍ଡଗ୍ଲୋବସ୍,ମାସ୍କ,ସାବୁନ ଏବଂ ସାନିଟାଇଜର୍ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ନେତା ଇଶ୍ୱର ଆଲ୍ଲାଡ, ଅଶୋକ କୁମାର ପ୍ରଧାନ, ପ୍ରଭାତ ସୁତାର, କେ.ସମେଶ୍ଵର ରାଓ, ସ୍ବେଛାସେବୀ କୈଳାସ ଚନ୍ଦ୍ର ଲେଙ୍କା, ଇଭାରାଣୀ ପଟ୍ଟନାୟକ,ସିଷ୍ଟର ଶିନଥିଆ, ବସନ୍ତ କୁମାର ସ୍ୱାଇଁ, ଏ.ନାଗରାଜୁ, ଶଙ୍କର୍ ଜେନ୍, ଘନଶ୍ୟାମ ବରାଡ, ଶଙ୍କର ମହାପାତ୍ର, ବିଦ୍ୟାଧର ପରିଡା,ଜୟ ବାଡତ୍ୟା,ସୁଶାନ୍ତ କୁମାର ସାହୁ,ତ୍ରିନାଥ ସ୍ୱାଇଁ ଏବଂ ସେମିଲିଗୁଡା ସ୍ବେଛାସେବୀ ସଂଗଠନର ସଭାପତି ବାସୁଦେବ ବରାଡ, ଉପଦେଷ୍ଟା ଶଶଧର ରାଉତ,ସମ୍ପାଦକ କୃତିବାସ ପ୍ରଧାନ ଓ କୋଷାଧକ୍ଷ ବି. ନାଗେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କାର୍ଯ୍ୟ ସମ୍ପାଦନ କରିଥିଲେ । ଏପରି ଏକ ଅଭିନବ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।ଏହା ଫଳରେ ସଫେଇ କର୍ମଚାରୀମାନେ ଅଧିକ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ବୃଦ୍ଧି ହେବ ବୋଲି ସଂଗଠନ ପକ୍ଷରୁ ସଭାପତି ବାସୁଦେବ ବରାଡ ମତ ବ୍ଯକ୍ତ କରିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news