ଧର୍ମେନ୍ଦ୍ରଙ୍କ ବିନା ଗତିନାହିଁ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଜେପି ଦଳର ବଡ ଚେହେରା। ଓଡ଼ିଶାରେ ବିଜେପି ଶାସନକୁ ଆସିବାରେ ତାଙ୍କ ଭୂମିକା କିଛି କମ୍ ନୁହେଁ। ୨୦୦୯ରୁ ବିଜେପିକୁ ଓଡ଼ିଶାରେ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ସେ ଗୁରୁତ୍ଵପୂର୍ଣ୍ଣ ଭାବେ କାମ କରୁଥିଲେ। ଯାହାଫଳରେ ଓଡ଼ିଶା ବିଧାନସଭାରେ ବିଜେପି ୨୦୦୯ରେ ୬ଟି ବିଧାୟକ ରୁ ୨୦୨୪ରେ ୭୮ ବିଧାୟକ ନିର୍ବାଚିତ ହୋଇ ଦଳ ପ୍ରଥମଥର ଓଡ଼ିଶାରେ ଏକକ ସରକାର ଗଠନ କରିବାରେ ସର୍ମଥ ହୋଇଛି। ଦଳୀୟ ସଂଗଠନ ସଶକ୍ତ କରିବା ସହ କେନ୍ଦ୍ରମନ୍ତ୍ରୀ ଭାବେ ଓଡ଼ିଶାକୁ ଅଧିକ ଫୋକସ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ବିଜେପିର ସଶକ୍ତ କରିଥିଲେ। ୨୦୨୪ ନିର୍ବାଚନ ପରେ ବିଜେପି ରାଜ୍ୟ ଶାସନ ଭାର ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଜେପି ନେତୃତ୍ଵ ଏକଘରିଆ କରିଥିବା ଚର୍ଚ୍ଚା ଲାଗିରହିଛି। ଓଡିଶା ବିଜେପି ରାଜନୀତିରେ ଘଟୁଥିବା କିଛି ଘଟଣା ମଧ୍ୟ ଏ କଥାକୁ ପ୍ରମାଣିତ କରୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଉ ଆଗପରି ଓଡ଼ିଶା ରାଜନୀତିରେ ପତିଆରା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ଲାଗି ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବାକୁ କସରତ ଆରମ୍ଭ କରିଛନ୍ତି । ଏଥିଲାଗି ଭୁବନେଶ୍ଵରରୁ ଦିଲ୍ଲୀ ଯାଏ ଚାଲିଛି ଭେଟଘାଟ ଓ ଆଲୋଚନା। ମନ୍ତ୍ରିମଣ୍ଡଳରରେ କିଏ ରହିବେ ଓ କିଏ ବାଦ ପଡିବେ ସେ ଚର୍ଚ୍ଚା ମଧ୍ୟ ଜାରୀ ରହିଛି। ଏହାରି ଭିତରେ ରାଜ୍ୟପାଳ ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ରାଜନୈତିକ ମହଲରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ବିଜେପି ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଗତିନାହିଁ। କେନ୍ଦ୍ରମନ୍ତ୍ରୀଙ୍କୁରାଜ୍ୟପାଳ ସୌଜନ୍ୟମୂଳକ ସାକ୍ଷାତ କାର କରିଛନ୍ତି । ହେଲେ ଏହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଯାଏନାନା ଚର୍ଚ୍ଚା।
ବିପଦର ବନ୍ଧୁ ପ୍ରଣବ: ଅସୁସ୍ଥ ସତ୍ତ୍ବେ ବନ୍ୟା ବିପନ୍ନଙ୍କ ନିକଟରେ
ବୈତରଣୀ ନଦୀର ଆସିଛି ବନ୍ୟା, ଯାଜପୁର ନିର୍ବାଚନୀ ମଣ୍ଡଳୀର ବହୁ ଗାଁ ପାଣି ଘେରରେ। ଏ ସମୟରେ ଲୋକଙ୍କ ପାଖରେ ପହଞ୍ଚି, ସେମାନଙ୍କ ବଳ ବୃଦ୍ଧି କରିବାକୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସହ କାନ୍ଧରେ କାନ୍ଧମିଶାଇ ଛିଡାହୋଇଛନ୍ତି ଯାଜପୁରବାସୀଙ୍କ ଦୁଇ ଭାଇ ବବି ଓ ଭବ । ଅସୁସ୍ଥ ଥିବା ସତ୍ତ୍ବେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚି ବିଜେଡି ଉପସଭାପତି ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଲୋକଙ୍କ ସୁଖ ଦୁଃଖ ବୁଝିଛନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବୈତରଣୀରେ ଜଳସ୍ତର ବଢିବା ଯୋଗୁ ଦଶରଥପୁର ଅଞ୍ଚଳରେ ବନ୍ୟା ଜଳ ମାଡିଯାଇଛି।
କିଛି ଦିନତଳେ ରାଜଧାନୀରେ ଆଇନ ଶୁଙ୍ଖଳା , ନାରୀ ନିର୍ଯାତନାଓ ରାଜ୍ୟରେ ମହିଳାମାନଙ୍କୁ ବିଜେପି ସରକାର ସୁରକ୍ଷା ଯୋଗାଇ ଦେବା ଦାବିରେ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା। ଏହି ସମୟରେ ପ୍ରଣବଙ୍କ ଗୋଡରେ ଆଘାତ ଲାଗିଥିଲା। ହେଲେ ଅସୁସ୍ଥ ସତ୍ତ୍ବେ ଆଜି ବନ୍ୟା ଅଂଚଳରେ ଯାଜପୁରବାସୀଙ୍କ ପାଖରେ ଛିଡା ହୋଇଛନ୍ତି ପ୍ରଣବ। ଯେଉଁଠି ସରକାର ଏଯାଏ ପହଞ୍ଚି ପାରିନାହାନ୍ତି ସେଠାରେ ବିରୋଧୀ ଦଳର ସଦସ୍ୟ ପ୍ରଣବ ପ୍ରକାଶ ଦାସ ପ୍ରଭାବିତ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ବନ୍ୟାବିପନ୍ନ ସୁରକ୍ଷା ପାଇଁ ଆବଶକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ପ୍ରଣବ।
ଅଶି ଓ ନବେ ଦଶକରେ ଓଡ଼ିଶାର ସାଲିସ ବିହୀନ ନେତା ସ୍ଵର୍ଗତ ଅଶୋକ ଦାସ , ଯେତେବେଳେ ବନ୍ୟା ବା ପ୍ରାକୃତିକ ବିପର୍ଯ୍ୟୟରେ ଯାଜପୁର ପ୍ରଭାବିତ ହେଉଥିଲା । ସେତେବେଳେ ସେ ଜଣେ ରାଜନେତା ଭାବରେ ନୁହେଁ ଯାଜପୁରର ମୁରବି ଭାବରେ ଦିନରାତି ଏକ କରି ବିପନ୍ନଙ୍କ ପାଖରେ ଛିଡା ହେଉଥିଲେ । ବନ୍ୟାରେ ଯେମିତି ଘାଇ ସୃଷ୍ଟି ନହେବ ନିଜେ ବାଲିବସ୍ତା ନେଇ ନଦୀବନ୍ଦରେ ପକାଉଥିଲେ ଓ ବନ୍ୟାବିପନ୍ନ ସହ ରହି କାମ କରୁଥିଲେ । ନଦୀବନ୍ଦ ଓ ତଳିଆ ଅଞ୍ଚଳରେ ରାତି କଟାଉଥିଲେ। ବନ୍ୟାବିପନ୍ନ ପାଖରେ କିଭଳି ସହାୟତା ପହଞ୍ଚିବ , ଲୋକେ କିଭଳି ବିପଦ ମୁକ୍ତ ହେବେ ସେନେଇ ତତ୍ପର ହେଉଥିଲେ । ଠିକ୍ ବାପାଙ୍କ ପରି ତାଙ୍କ ପୁଅ ତଥା ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ପାଖରେ ଏହି ଗୁଣ ଦେଖିବାକୁ ମିଳୁଛି। ତାଙ୍କ ସହ ଯୁବନେତା ଭବ ପ୍ରକାଶ ବି। ରାଜନୀତି ପାଇଁ ନୁହେଁ, ଦୁଇ ଭାଇ ଲୋକଙ୍କ ସେବା ପାଇଁ ଯେ ରାଜନୀତି କରୁଛନ୍ତି ତାହା ବନ୍ୟା ସମୟରେ ଉଭୟ ବିପନ୍ନଙ୍କ ସହ ରହି ପ୍ରମାଣିତ କରିଛନ୍ତି l
ଯେତେବେଳ ବି ବୈତରଣୀ ନଦୀରେ ବଡ ବନ୍ୟା ଆସିଛି । ଏଥିରେ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଆଉ ବିପନ୍ନଙ୍କ ଦୁଖଃରେ ନବୀନଙ୍କ ଦୁଇ ଯୁବ ଯୋଦ୍ଧା ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପୌର ପରିଷଦ ଅଧକ୍ଷ ଭବ ପ୍ରସାଦ ଦାସ ଛିଡା ହୋଇଛନ୍ତି । ଯାଜପୁର ବାସୀଙ୍କ ଦୁଃଖରେ ଏହି ଦୁଇ ଭାଇ ସବୁବେଳେ ସହାୟତାର ହାତ ବଢାଇଥାନ୍ତି। କାରଣ ସେମାନେ ଲୋକଙ୍କ ନେତା। ସୁଖ, ଦୁଃଖର ସାଥି । କାମ ତାଙ୍କର ପରିଚୟ । ବନ୍ୟା ହେଉ ଅବା ଅନ୍ୟ କିଛିି ସମସ୍ୟା ସବୁବେଳେ ଲୋକଙ୍କ ସହ ରହନ୍ତି ସେ । ନିଷ୍ଠାପର ଓ ପରିଶ୍ରମ ପାଇଁ ଲୋକେ ତାଙ୍କୁ ରାଜନେତା ଭାବେ ନୁହେଁ, ବଂର ନିଜର ଭାଇ ବୋଲି ଭାବନ୍ତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନାନା ସମସ୍ୟା ଭିତରେ ଲୋକେ ଅଛନ୍ତି । ଆଉ ଲୋକଙ୍କ ଏହି ର୍ଦୁଦଶା ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି ଯାଜପୁର ଦୁଇ ଭାଇ ପ୍ରଣବ ଓ ଭବ ।ଲୋକେ ବି ତାଙ୍କ କାନ୍ଦରେ କାନ୍ଦ ମିଶାଇ କାମ କରୁଛନ୍ତି । 
ସାରା ଓଡିଶା ନେତା ସାଜିଥିବା ପ୍ରଣବ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ଯାଜପୁରବାସୀ ଯେତେବେଳେ ବିପଦରେ ପଡ଼ିଥିବେ ସେତେବେଳେ ସେ ସବୁ ଭୁଲି ଯାଆନ୍ତି ।ଏପରି ନିଜ ପରିବାରକୁ । ଯାହା ପୁଣିଥରେ ଦେଖିବାକୁ ମିଳିଛି ଏହି ବନ୍ୟାରେ । ଯାଜପୁର ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବନ୍ୟାପାଣି ମାଡି ଯାଇଛି। ଏଥିଲାଗି ଯାଜପୁରବାସୀଙ୍କ ଭାଇ ପ୍ରଣବ ପ୍ରକାଶ ଦାସ ଓ ଯୁବ ନେତା ଭଵ ପ୍ରସାଦ ଦାସ ଲୋକ ସମସ୍ୟା ପଚାରି ବୁଝିବା ସହ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବନ୍ୟାରେ ଯେପରି କୌଣସି ଲୋକ ଅସୁବିଧାରେ ନପଡ଼ିବେ ସେଥିପାଇଁ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ପାଖରେ ଦାବି କରିଛନ୍ତି । ଲୋକେ କହୁଛନ୍ତି ନେତା ହେବ ତ ପ୍ରଣବ ଓ ଭଵଙ୍କ ପରି ।ଯେ କି ଲୋକଙ୍କ ଦୁଃଖରେ ଦୁଖୀ ଓ ସୁଖରେ ସାଥି ହୋଇ ସବୁବେଳେ ପାଚେରୀ ପରି ଠିଆ ହେବେ । କ୍ଷମତାରେ ଥିବା ବେଳେ ଯେମିତି, ବିରୋଧୀ ଦଳରେ ଥିବା ବେଳେ ବବି ଓ ଭବ ଯାଜପୁରବାସୀଙ୍କ ସହ ସେମିତି ଅଛନ୍ତି ।
୨୪ପରେ ରାଜନୀତିର ଅକୁହାକଥା
୨୦୨୪ ସାଧାରଣ ନିର୍ବାଚନ ପରେ ଓଡିଶା ରାଜନୀତିର ପାଣିପାଗ ଗୋଳମାଳିଆ ହୋଇଛି । ବିଜେପି, ବିଜେଡି ଓ କଂଗ୍ରେସ ଶିବିରର ରାଜନୀତି କେତେବେଳେ କେଉଁ ଦିଗ ଦେଇ ଗତିକରୁଛି ତାହା ବୁଝିବା ମୁସ୍କିଲ । ଶାସକ, ଶାସକ ଦଳର ଭୂମିକା ନିଭାଉଛି କି ନାହିଁ ତାହା ସନ୍ଦେହରେ ଥିବା ବେଳେ ମୁଖ୍ୟ ବିରୋଧୀ ବିଜେଡି ବିରୋଧୀ ଭୂମିକାରେ ଅଛି କି ନାହିଁ ତାହା ଜଣାପଡୁନାହିଁ । କଂଗ୍ରେସ ଟିକେ ଜୋସରେ ଥିଲେ ମଧ୍ୟ ଭକ୍ତ ବିରୋଧରେ ଅସନ୍ତୋଷର ନିଆଁ ବି ଦଳ ଭିତରେ କୁହୁଳୁଛି। ଏପରି ସ୍ଥିତିରେ ଓଡିଶାବାସୀଙ୍କ ସ୍ବାର୍ଥ ଓ ସ୍ବପ୍ନ କେତେପୂରଣ ହେଉଛି ବାସ୍ତବରେ ତାହାକୁ ନେଇ ଆରମ୍ଭ ହୋଇଛି ଅବଗଣନା।
ବିଜେପି–
୧୩ ମାସର ବିଜେପି ସରକାର ଓଡିଶାରେ। ବିଜେପି ଶାସକ ଦଳରେ ଥିଲେ ମଧ୍ୟ ସରକାରଙ୍କର କାର୍ଯ୍ୟଶୈଳୀ ଲୋକଙ୍କୁ ସେତେଟା ପ୍ରଭାବିତ କରିପାରୁନାହିଁ । ଶାସକ ଦଳର ସଫଳତା ଅପେକ୍ଷା ବିଫଳତା ବେଶି ଲୋକଙ୍କ ପାଖକୁ ଯାଉଛି । ଶାସକ ଦଳ ଲୋକଙ୍କ କଥା କଣ ବୁଝିବ, ଖୋଦ ନିଜ ବିଧାୟକଙ୍କ କଥାକୁ ମନ୍ତ୍ରୀମାନେ ଶୁଣୁନାହାନ୍ତି ବୋଲି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରୁଥିବା ଚର୍ଚ୍ଚା ହେଉଛି । ସମାନ ଅଭିଯୋଗ ସାଂସଦମାନେ ଦିଲ୍ଲୀ ବୈଠକରେ ରାଜ୍ୟ ସଭାପତି ଓ ସଂଗଠନ ସମ୍ପାଦକଙ୍କ ପାଖରେ କରିଛନ୍ତି । ଦଳ କ୍ଷମତାରେ ଥିଲେ ମଧ୍ୟ ବିଧାୟକ ଓ ସାଂସଦଙ୍କ କାମ ହେଉନଥିବାରୁ ଦଳରେ ଅସନ୍ତୋଷ ଉଗ୍ରରୂପ ନେଇଛି । କେହି କାହାକୁ ମାନିବାକୁ ନାରାଜ ହୋଇଛନ୍ତି । ଫଳରେ ବିକାଶ କାମ ଧିମେଇ ଯିବା ସହ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଦଳ ୩ଗୋଷ୍ଠୀରେ ବିଭକ୍ତ ହୋଇଥିବାରୁ ୧୩ ମାସ ହେବ ଖାଲିପଡିଥିବା ୬ଟି ମନ୍ତ୍ରୀପଦ ପୂରଣ ହୋଇପାରୁଛି ନାଁ ନିଗମ ବଣ୍ଟନ ହୋଇପାରୁଛି । ଲାଗୁଛି ଯେମିତି ବିଜେପର ଶତ୍ରୁର ବିରୋଧୀ ନୁହେଁ, ବିଜେପିର ଶତ୍ରୁ ବିଜେପି । ଯାହାକୁ ନେଇ କେନ୍ଦ୍ରୀୟ ନେତୃତ୍ବ ଚିନ୍ତାରେ ପଡିଛନ୍ତି ।
ବିଜେପି ଓଡିଶାରେ ଚେହେରା ସାଜିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ଅପରାଜିତା ଷଢଙ୍ଗୀ, କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂଗଠନ ସମ୍ପାଦକ ମାନସ । ଏହି ଗୋଷ୍ଠୀର ସ୍ବର ଏକ ହୋଇପାରୁନଥିବାରୁ ବିଜେପିରେ ପ୍ରତ୍ୟେକ ଦିନ ଅନେକ ଅକୁହା କଥା ଘଟୁଛି । ଯାହା ନା ଦଳ ସହିପାରୁଛି ନା କାହାକୁ କହିପାରୁଛି ।
ବିଜେଡି –
୨୪ରେ ବିଜେଡି ପ୍ରଥମଥର ପାଇଁ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି ଓଡିଶା ରାଜନୀତିରେ । ୫୧ଜଣ ବିଧାୟକଙ୍କ ସହ ସଶକ୍ତ ଦଳ ଭାବେ ଉଭା ହୋଇଛି । ୧୩ମାସରେ ବିଜେପି ସରକାର ବିଫଳତା ଚରମସୀମାରେ ପହଞ୍ଚିଥିବା ବେଳେ ମୁଖ୍ୟ ବିରୋଧୀ ଭାବେ ବିଜେଡି ଯେପରି ସରକାରଙ୍କ ବିରୋଧରେ ଆଭିମୁଖ୍ୟ ରଖିବା କଥା ତାହା ରଖିପାରୁନାହିଁ । ବିଜେପି ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନ କ୍ଷମତାରେ ରହିଥିବାରୁ ବିଜେଡି, ବିଜେପି ସରକାର ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନାହଁମ । ବିଶେଷକରି ବିଜେପି ବିରୋଧରେ ବିଜେଡି ଲଢିବ କି ବୁଝାମଣାରେ ରହିବ ତାହା ବି ଦଳ ସଠିକ ଭାବେ ନିଷ୍ପତି ନେଇପାରୁନାହିଁ । ଯାହା ବିଜେଡି ଦଳ ଭିତରେ ଅସନ୍ତୋଷରେ ନିଆଁ ଲଗାଇଛି । ଓ୍ବାକଫ ବିଲ ତାହାର ସଦ୍ୟ ଉଦାହରଣ । ଏହାସହ କାର୍ତ୍ତିକ ପାଣ୍ଡିଆନ ଓ ସୁଜତା ପାଣ୍ଡିଆନ ବିଜେଡି ରାଜନୀତିରେ ଆଗକୁ କେଉଁ ଭୂମିକାରେ ରହିବେ ତାହା ବି ସସପେନ୍ସ ଦୂର କରୁନାହିଁ ଦଳ । ଯାହା ଦଳକୁ ଅଡୁଆରେ ପକାଇଛି ।
କଂଗ୍ରେସ–
ଭକ୍ତ ଦାସ ପିସିସି ସଭାପତି ହେବା ପରେ କଂଗ୍ରେସକୁ ଜୋସକୁ ଆସିଛି । ପିସିସି ସଭାପତିଙ୍କ ଏକଲା ଚାଲୋ ନୀତି ଦଳରେ ଅସନ୍ତୋଷର ଦାନା ବାନ୍ଧିଛି। ଗୁପ୍ତରେ ଭକ୍ତ ବିରୋଧୀ ନେତାମାନେ ଏକଜୁଟ ହୋଇ ଭକ୍ତଙ୍କୁ ପିସିସି ସଭାପତି ଅଭିଯାନରୁ ହଟାଇବା ପାଇଁ ରଣନୀତି କରୁଛନ୍ତି । ଭକ୍ତଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ନେତାଙ୍କ ସହଯୋଗ ସେତେଟା ନଥିବା ବେଳେ ଭାଗ୍ୟବଳରେ ପିସିସି ସଭାପତି ୩ଟି ବଡ ବଡ଼ କାର୍ଯ୍ୟକ୍ରମରେ ସଫଳତା ପାଇଛନ୍ତି । ସେ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ ହେଉ ଅବା ଓଡିଶା ବନ୍ଦ ଡାକରା । ସବୁଠାରୁ ବଡ କଥା ହେଉଛି ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇ ରହିଥିବା ବେଳେ ପିସିସି ସଭାପତି ହେବା ୮ ମାସ ପରେ ବି ଭକ୍ତ ଦାସ ଜିଲ୍ଲା ସଭାପତି ବାଛି ପାରୁନାହାନ୍ତି । ଫଳରେ ନା କଂଗ୍ରେସ ତୃଣମୂଳସ୍ତରେ ସଂଗଠିତ ହେଉଛି ନା କାହାର ମନ କାହା ସହ ମିଶୁଛି । କେବଳ ଗଣମାଧ୍ୟମ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରି ଦଳ ଚର୍ଚ୍ଚାରେ ରହିଛି ।
ସରକାର ଶୁଣିଲେନି, ଆମେ ଶୁଣିବୁ: କଂଗ୍ରେସ
ରାଜ୍ୟରେ ନାରୀ ପ୍ରତି ଦୁଷ୍କର୍ମ, ଗଣ ଦୁଷ୍କର୍ମ ହେବା ସହିତ ହତ୍ୟା ହେଉଛି। କୌଣସି ପୀଡିତାର ଅଭିଯୋଗ କେହି ଶୁଣୁ ନାହାନ୍ତି ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ତେବେ ଯେଉଁ ପୀଡିତାଙ୍କ କଥା କେହି ଶୁଣୁ ନାହାନ୍ତି, କଂଗ୍ରେସ ତାର କଥା ଶୁଣିବ। ସେଥିପାଇଁ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରାଯିବା ସହ ‘ଆପ’ ଆରମ୍ଭ ହୋଇଛି। ଏହା ସହିତ ଦଶ ଜଣ ଓକିଲ ନିଯୁକ୍ତ କରାଯାଇଛି। ପ୍ରତି ଜିଲ୍ଲାରେ ମଧ୍ୟ ଜଣେ ଓକିଲ ରହିବେ। ପୀଡ଼ିତାଙ୍କୁ ସାହାଯ୍ୟ କରିବ ମହିଳା କଂଗ୍ରେସ ଓ ପିସିସି। ସରକାର ନାରୀ ନିର୍ଯାତନା ତନା ବିରୁଦ୍ଧରେ କୌଣସି ପଦକ୍ଷେପ ନେଲେନି। ସେଥିପାଇଁ ଗୋଟେ ପରେ ଗୋଟେ ଦୁଷ୍କର୍ମ ହେଉଛି। ଆଜି ଓଡିଶାରେ ନାରୀଙ୍କ ସୁରକ୍ଷା ଏତେ ବଡ଼ ପ୍ରସଙ୍ଗ ହୋଇଗଲା ଯେ ଆମେରିକାର ରାଷ୍ଟ୍ରପତିଙ୍କୁ ଓଡିଶା ରାଜ୍ୟ ନାରୀଙ୍କ ପାଇଁ ଅସୁରକ୍ଷିତ ବୋଲି କହିବାକୁ ପଡିଲା। ସୁପ୍ରିମକୋର୍ଟ ଆମେ ଖୋଦ ଲଜ୍ଜିତ ବୋଲି କହିଲେ। ଏସବୁକୁ ଦୃଷ୍ଟିରେ ରଖି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦୂର କଥା, ନିଜର ଭୁଲ ସ୍ୱୀକାର କରିବାକୁ ମଧ୍ୟ ପଛାଉଛନ୍ତି। ଏବେ ସାଧାରଣ ନାଗରିକ ଜାଗରୁକ ହେଲେ ନାରୀ ନିର୍ଯାତନା ରୋକିହେବ। ପୁଲିସକୁ ଅପରାଧ ରୋକିବାକୁ ବ୍ୟବହାର ନ କରି ନିଜ ସୁରକ୍ଷା ପାଇଁ ବ୍ୟବହାର କରୁଛନ୍ତି ସରକାର। ପୁଲିସ ମଧ୍ୟ କେବଳ ଶାସକ ଦଳକୁ ଖୁସି କରିବାରେ ମାତିଛନ୍ତି। ନିର୍ବାଚିତ ସରକାର ତାଙ୍କ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।
କଂଗ୍ରେସ ଭବନରେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଆରମ୍ଭ କରି ଭକ୍ତ କହିଲେ, ନାରୀଙ୍କୁ ନ୍ୟାୟ ମିଳିବା ନେଇ ଆମେ ପାଞ୍ଚ ମାସ ହେଲା ସଂଗ୍ରାମ କରୁଛୁ। ବାଲେଶ୍ୱର ପୀଡ଼ିତାଙ୍କ ଘଟଣା ବେଳେ ଆମେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରିବୁ ବୋଲି ଘୋଷଣା କରିଥିଲୁ। ସେଠି ମହିଳାମାନେ ନାମ କହି କିମ୍ବା ଗୋପନ ରଖି ଅଭିଯୋଗ କରିପାରିବେ। ଏବେ ରାଜ୍ୟରେ ମହିଳାମାନେ ସଚେତନ ହୋଇଛନ୍ତି। କୌଣସି ଘଟଣା ହେବା ପରେ ଜଣାଉଛନ୍ତି। ଆଉ ଲୁଚାଉ ନାହାନ୍ତି। ବନ୍ଦ ଶାନ୍ତିପୂର୍ଣ ହୋଇଥିଲା ବୋଲି ନ୍ୟାୟା୍ଳୟ କହିଛନ୍ତି। ସରକାର ସୁପ୍ତ ଅଛି ତେଣୁ ନାରୀ ନ୍ୟାୟର ଗୁରୁତ୍ୱ ଆଦୌ ଅନୁଭବ କରିପାରୁନି। ତେଣୁ ଆମେ ‘ଆପ’ କରିଛୁ। ‘ଆପ’ ଦ୍ୱାରା ସମ୍ପୂର୍ଣ ସମାଧାନ ନ ହୋଇ ପାରିଲେ ବି ସଂଗ୍ରାମ କରିପାରିବୁ। ଦୀର୍ଘ ଦିନ ଧରି ଏହି ଆନ୍ଦୋଳନ ଜାରି ରହିବ। ମହିଳାଙ୍କ ପାଇଁ ଏହି ‘ଆପ’ ଉତ୍ସର୍ଗୀକୃତ କରାଯାଉଛି।
ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି, ନ୍ୟାୟ ପାଇଁ ମହିଳାମାନେ ଲଢୁଛନ୍ତି। ଯେଉଁମାନେ ନ୍ୟାୟ ପାଉନାହାନ୍ତି, ସେମାନେ ‘ଆପ’ ମାଧ୍ୟମରେ ନ୍ୟାୟ ପାଇବେ।ଏବେ ପୋର୍ଟାଲ ଭାବେ ଅଛି। ପନ୍ଦର ଦିନ ପରେ ‘ଆପ’ ହୋଇପାରିବ। ସେହିପରି ଇମେଲ ବି ରହିବ ବୋଲି ସୂଚନା ଦେଇଛନ୍ତି। କଂଗ୍ରେସ ଭବନରେ ଏହା ଖୋଲିବ। ଚବିଶ ଘଣ୍ଟା ଅଭିଯୋଗ ହୋଇ ପାରିବ। ଆମେ ଉଦ୍ୟମ କରିବୁ ସମାଧାନ ପାଇଁ। ଆମେ ସରକାରରେ ନାହୁଁ। ତେଣୁ ଚାପ ସୃଷ୍ଟି କରିବୁ। ସୌମ୍ୟାଶ୍ରୀ ସରକାରର ବହୁ ଲୋକଙ୍କୁ କହିବା ପରେ ମଧ୍ୟ କେହି ଶୁଣିନଥିଲେ। ମାତ୍ର ଆମେ କେମିତି ଅଭିଯୋଗ ଉପରେ କାମ ହେବ ଚେଷ୍ଟା କରିବୁ। ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହେବ ବୋଲି ଭକ୍ତ କହିଛନ୍ତି।
ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମାଜିକ ଗଣମାଧ୍ୟମ ଉପାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ,ଗୀତାଞ୍ଜଳି ମହାନ୍ତି, ପ୍ରଣତି ମିଶ୍ର,ଚୈତାଳୀ ପଟ୍ଟନାୟକ,ଜୟଶ୍ରୀ ପାତ୍ର,ଜାନକୀ ମଲ୍ଲିକ,ଉର୍ବଶୀ ମିଶ୍ର,ଅନିମା ମିଞ୍ଜ,ଶ୍ରୀୟାସ୍ମିତା ପଣ୍ଡା,କୁସୁମ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ।
ନୂଆରୂପ ନେବ ମନ୍ତ୍ରିମଣ୍ଡଳ : ଜୟ, ସୁରୁମାଙ୍କୁ ମିଳିବ ସୁଯୋଗ
୧୩ମାସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିପାରନ୍ତି।ମୋହନଙ୍କ ନୂଆ ଟିମରେ କିଏ ସ୍ଥାନ ପାଇବେ ଓ କିଏ ବାଦ ପଡିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାକୁ ଭିଟାମିନ ଦେଇଛି ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ଆଲୋଚନା କରିବା । ଚର୍ଚ୍ଚା ହେଉଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ବଣ୍ଟନ କରିବେ ମୋହନ। ୧୩ ମାସ ଧରି ମୋହନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବହୁ ମନ୍ତ୍ରୀଙ୍କୁ ସମ୍ପ୍ରସାରଣ ବେଳେ ବାଦ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୋଲି ପାୱାର କରିଡର ଚର୍ଚ୍ଚା ଜୋର ।
କିଛି ବିବାଦୀୟ ମନ୍ତ୍ରୀଙ୍କ ଠାରୁ ବିଭାଗ କାଢିନେଇପାରନ୍ତି ମୁଖ୍ୟମନ୍ତ୍ରୀ। ବିଭାଗ ଅଦଳବଦଳ ତାଲିକାରେ ମୋହନଙ୍କ ଟିମର ହେବିଓ୍ବେଟ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ପ୍ରଭାତୀ ପରିଡା, ସୁରଜ ସୂର୍ଯ୍ୟବଂଶୀ , କୃଷ୍ଣଚନ୍ଦ୍ର ପାତ୍ର, ରବି ନାୟକ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି । ସେହିପରି ମନ୍ତ୍ରିମଣ୍ଡଳରୁ ବାଦ ପଡିବା ତାଲିକାରେ ଗୋକୁଳ ଚନ୍ଦ୍ର ମଲ୍ଲିକ, ସୁରଜ ସୂର୍ଯ୍ୟବଂଶୀ ,ପ୍ରଦୀପ ବଳସାମାନ୍ତ ନାଁ ଚର୍ଚ୍ଚାରେ ରହିଛି । ସେହିପରି ମନ୍ତ୍ରିମଣ୍ଡଳରେ ସାମିଲ ହେବା ତାଲିକାରେ ଅଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ପ୍ରଶାନ୍ତ ଜଗଦେବ, ଇରାର୍ଷିଶ ଆଚାର୍ଯ୍ୟ, ମନରଂଜନ ଦ୍ୟାନ ସାମନ୍ତରାୟ,ଆଶ୍ରୀତ ପଟ୍ଟନାୟକ, ଆକାଶ ଦାସ ନାୟକ, ଅମର ନାୟକ, ସନାତନ ବିଜୁଳି ପ୍ରମୁଖ । ସେହିପରି ବାଚସ୍ପତି ସୁରୂମା ପାଢୀକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି ମୁଖ୍ୟମନ୍ତ୍ରୀ।
ଭାସ୍କର ମଢେଇ, ସୀମାରାଣୀ ସାହୁଙ୍କ ନାଁ ବାଚସ୍ପତି ରେସରେ ରହିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହାରି ଭିତରେ ବିଜେପି ରାଜ୍ୟସଭାପତି, ସଂଗଠନ ସମ୍ପାଦକ,ଓ ମୁଖ୍ୟମନ୍ତ୍ରୀ ଯେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାଙ୍କ ତାଲିକା ପ୍ରସ୍ତୁତ କରି ଗୋଟେ ପର୍ଯ୍ୟାୟ ଆଲୋଚନା ଆରମ୍ଭ କରିଦେଇଛନ୍ତି ।ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ ବହୁ ବିଧାୟକ କିଛି ମନ୍ତ୍ରୀଙ୍କ ନାଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ।
ଭକ୍ତଙ୍କ ଅନାସ୍ଥା ବଳ : କଂଗ୍ରେସ ନା ବିଜେଡି
ରାଜ୍ୟରେ ପ୍ରଥମଥର ଲାଗି ବିଜେପି ଏକାକୀ ସରକାର ଗଠନ କରିଛି । ସରକାରକୁ ମାତ୍ର ୧୩ ମାସ ହୋଇଛି । ୧୩ ମାସ ଭିତରେ ସରକାର ବିରୋଧରେ ବଡ ବଡ ପ୍ରସଙ୍ଗ ମୁଣ୍ଡ ଟେକିଥିବା ବେଳେ ଶାସନ ବ୍ୟବସ୍ଥାକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରି ରାଜରାସ୍ତାରେ ସରକାରଙ୍କ ବିରୋଧରେ ଲଢେଇ ଜୋରଦାର କରିଛନ୍ତି ।
ଓଡିଶାରେ ମହିଳାମାନେ ଅସୁରକ୍ଷିତ , ଏକଥା ବିଜେପି ସରକାର ବର୍ଷେ ଭିତରେ ବାଲେଶ୍ବରରୁ ବଳଙ୍ଗା ଘଟଣା ସାମ୍ନାକୁ ଆସିବା ପରେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ଆମେରିକା ମଧ୍ୟ ଚିନ୍ତିତ ହୋଇଛି ଓଡିଶା ମହିଳା ଅସୁରକ୍ଷିତ ନେଇ । ଓଡିଶାରେ ୨୪ ବର୍ଷର ନବୀନ ଶାସନର ପରିବର୍ତ୍ତନ ହେବା ପରେ ଓଡିଶା ଜାତୀୟସ୍ତରରେ ବଦନାମ ହୋଇଛି । ଯାହାକୁ ନେଇ ହଲଚଲ ହୋଇଛି ଓଡିଶା ରାଜନୀତି ।
୨୦୨୪ ନିର୍ବାଚନରେ ଓଡିଶା ବିଧାନସଭାର ୧୪୭ଟି ଆସନରେ ବିଜେପି ୭୮, ବିଜେଡି ୫୧, କଂଗ୍ରେସ ୧୪ ଓ ସ୍ବାଧୀନ ୩ଟି ଆସନ ପାଇଛନ୍ତି । କଂଗ୍ରେସ ୧୪ ଓ ବିଜେଡି ୫୧ ମିଶିଲେ ୬୫ ବିଧାୟକ ହେଉଛନ୍ତି , ଯେତେବେଳେ କି ସରକାର ଗଠନ ଲାଗି ମ୍ୟାଜିକ ନମ୍ବର ହେଉଛି ୭୪ । ହେଲେ ଯଦି ସ୍ବାଧୀନର ୩ଜଣ ବିଧାୟକ ଓ ବାମଦଳ ବିଧାୟକ ସମର୍ଥନ କରନ୍ତି ତେବେ ଏହି ସଂଖ୍ୟା ୬୯ରେ ପହଞ୍ଚିଛି । ବିଜେପି ସରକାରକୁ ଭାଙ୍ଗିବାକୁ ହେଲେ ସ୍ବାଧୀନ ବିଧାୟକଙ୍କ ସମର୍ଥକଙ୍କ ସହ ବିଜେଡି ଓ କଂଗ୍ରେସକୁ ଆହୁରୀ ୫ଜଣ ବିଧାୟକ ଆବଶ୍ୟକ । କେଉଁ ଦମ୍ଭରେ ପିସିସି ସଭାପତି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସତ ସାହସ କଲେ । କାହା ବଳରେ ବଳମାନ ହୋଇଛନ୍ତି ଭକ୍ତ । ଘୋଡା ବେପାର କି ବିଜେପିର ବିଦ୍ରୋହର ଗନ୍ଧ ବାରିଛନ୍ତି କି ପିସିସି ସଭାପତି ? ଯେଉଁ ସାହସରେ ଭକ୍ତ ମୋହନ ସରକାରକୁ ଭାଙ୍ଗିଦେବେ ବୋଲି କହୁଛନ୍ତି ।
ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ନବୀନଙ୍କ ୨୪ ବର୍ଷ ଶାସନରେ ୯ ବର୍ଷ ବିଜେପି ଓ ବିଜେଡି ମେଣ୍ଟରେ ଥିଲେ । ଯଦି ଏପରି ଆକଳନ କରାଯାଏ ତେବେ ବିଜେଡି କଂଗ୍ରେସ ସହ ଯିବ କି ବିଜେପି ସହ ଯିବ ତାହା ବି ବଡ ପ୍ରଶ୍ନ। ଇଣ୍ଡିଆମେଣ୍ଟରେ ବିଫଳ ହେବା ପରେ ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବ ଓଡିଶାରେ ବିରୋଧୀଙ୍କୁ ଏକାଠି କରିବାର ନୂଆ ରଣନୀତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।ତେଣୁ ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବ କଂଗ୍ରେସର ଶକ୍ତି ନୁହେଁ, ବଂର ବିଜେଡି ଶକ୍ତି ପାଇଁ ତାହା ଏବେ ପୁରା ଓଡିଶାରେ ଚର୍ଚ୍ଚା ।
ଧର୍ମେନ୍ଦ୍ରଙ୍କୁ ଛାଡି ଦିଲ୍ଲୀରେ ବିଜେପିର ବଡ ରଣନୀତି
ବିଜେପି ରାଜନୀତିରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ଦରବାରରେ। ଓଡ଼ିଶାର ପୋଷ୍ଟର ବୟ ଓ ଓଡିଶା ବିଜେପିର ସବୁଠାରୁ ଚର୍ଚ୍ଚିତ ଚେହେରା ତଥା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତିରେ ବିଜେପି ବଡ ବୈଠକ କରିଛି। ସଂସଦ ଅଧିବେଶନ ଚାଲିଥିବା ବେଳେ ବିଜେପିର ୧୮ଜଣ ସାଂସଦ, ରାଜ୍ୟ ସଭାପତି, ପ୍ରଭାରୀ, ସଙ୍ଗଠନ ସମ୍ପାଦକ,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀରେ ବିଜେପି ସାଂସଦଙ୍କ ସହ ସଭାପତି ମନମୋହନ ସାମଲଙ୍କ ଆଲୋଚନା କରିଛନ୍ତି । ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ରହି ଦଳୀୟ ରଣନୀତି ଉପରେ ଆଲୋଚନା ହୋଇଛି। ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ବିରୋଧୀ ସକ୍ରିୟ ହେଉଥିବାରୁ ବିଜେପି ଏହାର କିପରି ଦୃଢ଼ ଜବାବ ଦେବ ତାହା ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।
ସବୁଠାରୁ ବଡ କଥା ହେଉଛି ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶା ନୁହେଁ ଦିଲ୍ଲୀ ଦରବାରରେ ରାଜ୍ୟ ସଭାପତି ଗ୍ରୁପ ଏହି ବୈଠକ ଜରିଆରେ ପାୱାର ଦେଖାଛନ୍ତି ।
ଯେହେତୁ ଓଡ଼ିଶାର ବିଭିନ୍ନ ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଦିଲ୍ଲୀ ଦରବାରରେ ହାଲାବୋଲ କରିବା ପାଇଁ ଋଣ ହୁଙ୍କାର ଦେଇଛନ୍ତି ଏହାର କାଉଣ୍ଟର ଜବାବ ଦେବାକୁ ବିଜେପି ସାଂସଦ ମାନଙ୍କୁ ନେଇ ବଡ ବୈଠକ କରି ରଣନୀତି ପ୍ରସ୍ତୁତ କରିଛି। ମୋଦୀ ଓ ବିଜେପି ସରକାରଙ୍କୁ ବିରୋଧୀ ଯେତେବେଳେ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ସେତେବେଳ ମୋଦୀ ଓ ଶାହାଙ୍କ ଅତି ଘନିଷ୍ଠ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଆସି କଡା ଜବାବ ଦିଅନ୍ତି ବିରୋଧୀଙ୍କୁ। ୨୦୨୪ ନିର୍ବାଚନ ପରେ ହଠାତ୍ ଓଡିଶା ରାଜନୀତିରୁ କେନ୍ଦ୍ରମନ୍ତ୍ରୀଙ୍କୁ ସାଇଡ କରାଯାଉଛି। ଚର୍ଚ୍ଚା ହେଉଛି ଆଗକୁ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ବଣ୍ଟନ ବେଳେ ଦିଲ୍ଲୀ ବୈଠକର ବଡ ପ୍ରଭାବ ପଡ଼ିବ। ତେବେ କାହିଁକି ଓ କେଉଁ କାରଣରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବୈଠକରେ ଅନୁପସ୍ଥିତ ରହିଲେ ତାହାକୁ ନେଇ ଦିଲ୍ଲୀରୁ ଓଡିଶା ଯାଏ ଚର୍ଚ୍ଚା। ଓଡ଼ିଶାର ଅନ୍ୟ ୨ଜଣ କେନ୍ଦ୍ରମନ୍ତ୍ରୀ ଅନୁପସ୍ଥିତ ରହି ଜାଣିଜାଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଇଡ କରିଦିଆଯାଇ ନାହିଁ ତ ? ତାହା ଏବେ ଓଡିଶା ରାଜନୀତିରେ ବଡ ଚର୍ଚ୍ଚା।
ଅରୁଣଙ୍କ ଟାର୍ଗେଟରେ ମୋହନ ସରକାର
ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ମୋହନ ସରକାରଙ୍କୁ ସିଧା ନିଶାନା କରୁଛନ୍ତି ମିଡିଆରେ। ମୋହନ ସରକାର ଯେତେ ପାକଳ ହେଉଛନ୍ତି ବିରୋଧୀ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଯେତେ ତେରେଛା ବାଣ ମାରୁଛନ୍ତି ସରକାରଂକ ବିଫଳତା ନେଇ । ଅରୁଣଙ୍କ ମିଡିଆ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ବିଜେଡି କର୍ମୀଙ୍କୁ ତୃଣମୂଳ ସ୍ତରରେ ଉତ୍ସାହିତ କରୁଥିବା ବେଳେ ବିଜେପିର ଟେନସନ୍ ବଢ଼ାଇଛି। ଆଜି କେଉଁ ପ୍ରସଙ୍ଗରେ କିପରି ସରକାରଙ୍କୁ ଜବାବ ଦେଇଛନ୍ତି ଅରୁଣ ପଢନ୍ତୁ
୪୭ ଅଫିସରଙ୍କ ଅଦଳବଦଳ କାହିଁକି…
ଅଫିସରଙ୍କ ଅଦଳବଦଳ କରିବା ସରକାରଙ୍କ ନିଷ୍ପତ୍ତି । କିନ୍ତୁ ଅଦଳ ବଦଳ କହୁଛି କି ସରକାର କାହା ଉପରେ ବିଶ୍ୱାସ ରଖି ପାରୁନାହାନ୍ତି । ସରକାରରେ ବିଶ୍ୱାସର ସଙ୍କଟ ବଢିଯାଇଛି। କେଉଁ ଅଫିସରଙ୍କୁ କେଉଁଠି ନିଯୁକ୍ତି ଦେବେ ବୁଝିପାରୁ ନାହାନ୍ତି। ସରକାର ହେଉଛନ୍ତି ଅଫିସରଙ୍କର ଯନ୍ତ୍ରତନ୍ତ୍ର । କେମିତି ସେମାନେ ଡେଲିଭରି କରିବେ ଆଦାୟ କରିବାର ଅଛି । ସରକାର ଅସ୍ଥିର ହୋଇଥିବାରୁ ସମସ୍ତଙ୍କୁ ଅବିଶ୍ୱାସ କରୁଛନ୍ତି । ବିପୁଳ ପରିମାଣରେ ଅଫିସର ବଦଳି ପ୍ରତିଦିନ ହେଉଛନ୍ତି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ।
ମନ୍ତ୍ରିମଣ୍ଡଳ କଟାକ୍ଷ
ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବ ବୋଲି ଆମେ ବହୁତ ଦିନ ହେଲା ଶୁଣୁଛୁ । ଏବେ ହେବ ହେଇ ଆସିଲା। କିଏ ରାଜ୍ୟପାଳ ଭବନ ଗଲାଣି ତ କିଏ ଦିଲ୍ଲୀ। ସେଟା ତାଙ୍କ ଇଚ୍ଛା ଦିନ ବ୍ୟାପାର। କିନ୍ତୁ ୧୩ମାସରୁ ଅଧିକ ଦିନ ହେଲାଣି ଛଅଟି ମନ୍ତ୍ରୀପଦ ଖାଲି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛଅଟି ବିଭାଗ ଅଛି। ୮୭ଟି କରପୋରେସନ ନିଗମ ମାନ ଖାଲି ପଡିଛି । ଏମାନଙ୍କର ବର୍ଷ ଏକ ଖାଲି ପଡିଥିବାର ଉପଲବ୍ଧି ଅନେକ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ।
ପେସା ଆଇନ ଜବାବ.
ପେସା ଆଇନ ଏବେ ପେଶି ହୋଇଗଲାଣି। ତାଙ୍କ ମନ୍ତ୍ରୀ ମଣ୍ଡଳ ଗଢିବା ଚକରରେ। କିଏ ବାଦ ପଡିବ କି ନାହିଁ । ଆଗେ ସେମାନେ ଥଇଥାନ ହୁଅନ୍ତୁ। ବିରୋଧୀ ଦଳରେ ଥିବା ବେଳେ ବଡପାଟିରେ କହୁଥିଲେ ପେସା ଆଇନ ଆଣିବୁ ପେସା ଆଇନ ଆଣିବୁ। ପେସା ଆଇନ ବର୍ତ୍ତମାନ ପେଶି ହୋଇଗଲାଣି ସରକାର ବୋଲି ବିଜେଡି ବିଧାୟକଅରୁଣ ସାହୁ କହିଛନ୍ତି ।
କୋର୍ଟ ପ୍ରସଙ୍ଗରେ…
କେହି ଜଣେ ହାଇକୋର୍ଟରେ ଆବେଦନ କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ନଜରକୁ ଆସିଲା ସେତେବେଳେ କୋର୍ଟ କହିଲେ ତଦନ୍ତ ଯାହା ଅଛି ଠିକ ଅଛି। ଯାହା ସରକାରଙ୍କ ଏଜି ତଥ୍ୟ ଦେଇଛନ୍ତି। ସେଥିରେ ଅନ୍ୟ କେହି ପକ୍ଷ ନାହାନ୍ତି। ହାଇକୋର୍ଟ ନିଜସ୍ଵ ନୋଟିସ ମାଗିଛନ୍ତି କାହିଁକି ବନ୍ଦ କରିଥିଲେ। ତାହାକୁ ତର୍ଜମା କରିବାକୁ ହେବ। କିନ୍ତୁ ବିଜେପି ଓ ତାଙ୍କ ସରକାର ଉଲ୍ଲସିତ ହେବା ଆବଶ୍ୟକ ନାହିଁ । କାହିଁକି ନା ସୁପ୍ରିମ କୋର୍ଟର ଖଣ୍ଡପିଠ ଏକ ମନ୍ତବ୍ୟ ଦେଇଛନ୍ତି ବଳଙ୍ଗା ଏବଂ ବାଲେଶ୍ଵର ଘଟଣାକୁ ନେଇ କହିଛନ୍ତି ଏହା ଏକ ଲଜ୍ଜ୍ୟା। ମାନ୍ୟବର ସୁପ୍ରିମକୋର୍ଟ କହୁଛନ୍ତି ଏହା ଲଜ୍ଜ୍ୟା ତାଠୁ ବଡ ରିମାର୍କ କଣ ହୋଇପାରେ । ଲଜ୍ଜ୍ୟା ଲଜ୍ଜ୍ୟା ଲଜ୍ଜ୍ୟା। ଓଡ଼ିଶାବାସୀଙ୍କ ମୁଣ୍ଡକୁ ତଳକୁ କରିଦେଲେ ବିଜେପି ସରକାର। ଜାତୀୟ ଲଜ୍ଜ୍ୟା ହୋଇଗଲା ନାରୀ ନିର୍ଯ୍ୟାତନା। ଏମାନେ ପଶ୍ଚ୍ୟାତାପ ଓ ଅନୁତାପ କରନ୍ତୁ। ଆଇନଶୃଙ୍ଖଳା ନ ବିଗିଡିବ। ମହିଳା ହିସାଂ ନ ଘଟିବ ତାହାକୁ ଧ୍ୟାନ ଦିଅନ୍ତୁ। ଗତକାଲି ମନ୍ତ୍ରୀ, ଅଫିସରଙ୍କ ବାସଭବନ ଆଗରେ ତଥା ଭୁବନେଶ୍ୱର ବୁକୁ ଉପରେ ଯେଉଁଠି ହଜାର ହଜାର ପୋଲିସ ଅଛନ୍ତି ସେଠି ଅଭାବନୀୟ ଘଟଣା ଘଟିଲା। ଏମାନେ କଣ କରିବେ। ପୋଲିସ କଥା କହି ଘଟଣା ଛୋଟିଆ କରିବା ନାହିଁ । ସରକାର ଦୁର୍ବଳ । ସରକାରଙ୍କୁ ଦୁର୍ବଳ ଭାବିନେଲେଣି ।ସେଥିପାଇଁ ଅପରାଧୀ ଆଉ ମାନୁନାହାନ୍ତି।ସରକାର ଦୁର୍ବଳ ହେବା କାରଣରୁ ସରକାରଙ୍କର ହାତ ଗୋଡ ଅସ୍ତ୍ରସସ୍ତ୍ରବି ଦୁର୍ବଳ ହେବାରେ ଲାଗିଲାଣି ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି।















