ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

 ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) ପକ୍ଷରୁ ଆୟୋଜିତ ଇଞ୍ଜିନିୟର୍ସ କପ୍ ୨୦୨୬ରେ ସଫଳତା ହାତେଇଛି ସୋଆ। ଓୟୁଟିଆର ବିଶ୍ୱବିଦ୍ୟାଳୟର ଏହି ବାର୍ଷିକ କ୍ରୀଡ଼ା ମହୋତ୍ସବକୁ ଗେମ୍‌ସ ଆଣ୍ଡ ସ୍ପୋର୍ଟ୍ସ ସୋସାଇଟି ଆୟୋଜନ କରିଥିବା ବେଳେ ୭ଟି କ୍ରୀଡ଼ା ବିଭାଗରେ ସଫଳତା ସାଉଁଟିଛି ସୋଆ। ଏହି ସଫଳତା ହାସଲ ନେଇ ବିଜୟୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ।

ଆୟୋଜିତ ପ୍ରତିଯୋଗିତାରେ ସୋଆର ଭଲିବଲ ପୁରୁଷ ଟିମ୍ ରନର୍ସ ଅପ୍ ଟାଇଟଲ ହାସଲ କରିଥିବା ବେଳେ ଖୋ ଖୋ ପୁରୁଷ ଟିମ୍ ଓ ଖୋ ଖୋ ମହିଳା ଟିମ୍ ମଧ୍ୟ ରନର୍ସ ଅପ୍ ଟାଇଟଲ୍ ହାସଲ କରିଛନ୍ତି। ସେହିପରି କବାଡି ପୁରୁଷରେ ମଧ୍ୟ ରନର୍ସ ଅପ୍ ଟାଇଟଲ୍ ହାସଲ କରିଛି ସୋଆ।

କ୍ରିକେଟ ପ୍ରତିଯୋଗିତାରେ ସୋଆ ବିଜେତା କପ୍ ହାତେଇଛି। ସେହିପରି ବ୍ୟାଡମିଂଟନ ମହିଳା ଓ ଇ-ସ୍ପୋର୍ଟ୍ସରେ ମଧ୍ୟ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଛି ସୋଆ।

ବୁଧବାର ବିଜେତା ଟିମ୍ ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତୋରତର କାମନା କରିଛନ୍ତି ପ୍ରଫେସର ନାୟକ।

ସୂଚନା ଯୋଗ୍ୟ ଯେ କବାଡି ଟିମ୍‌ର କୋଚ୍ ବିରଂଚି ନାରାୟଣ ନାୟକ ରହିଥିବା ବେଳେ ଖୋ ଖୋର କୋଚ ଭାବେ ରାକେଶ ଦାସ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଟେବୁଲ ଟେନିସ୍ କୋଚ ସାହିଦ୍ ହୁସେନ୍ ରହିଥିବା ବେଳେ ଭଲିବଲ୍‌ର ଆସିଷ୍ଟାଂଟ କୋଚ ହେଉଛନ୍ତି ପ୍ରିୟମ୍ବଦା ଦାଶ।

ବିଜେତା ଟିମ୍ ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଫ୍ୟାକଲ୍ଟି କୋଅର୍ଡିନେଟର ସ୍ପୋର୍ଟ୍ସ (ଆଇଟିଇଆର୍‌) ଡକ୍ଟର ତନ୍ମୟ ପରିଡ଼ା, ଆସିଷ୍ଟାଂଟ ସ୍ପୋର୍ଟ୍ସ ମ୍ୟାନେଜର ଶ୍ରୀ ପ୍ରିୟମ୍ ମଲ୍ଲିକ, ବିଜେତା ଟିମ୍ ଓ ତାଙ୍କ କୋଚ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡାର ନୂଆ କାହାଣୀ କହିଲେ ଅରୁଣ : ବୁଝାଇଲେ ସମୟ ଜ୍ଞାନ ମୂଲ୍ୟ

ଅରୁଣ ସାହୁ l ଓଡିଶା ରାଜନୀତିର ଜଣେ ଭିନ୍ନ ଚରିତ୍ର ରାଜନେତା l ସେ ଯେତିକି ସରଳ ସେତିକି ସଫଳ l ସବୁବେଳେ ନିଜର ନିଆରା ପଣ ପାଇଁ ସେ ଚର୍ଚ୍ଚା ରେ l ଜଣେ ରାଜନେତାର ସମୟ ଜ୍ଞାନ କେତେ ଜରୁରୀ ତାହା ସେ ଆଜି ପୁଣି ସମାଜର ସବୁ ସ୍ତରର ଲୋକଙ୍କୁ ଏକାଠି କରି ସଚେତନ କରି ଛନ୍ତି l ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ: ଲୋକାର୍ପିତ ହେଲା ଡଃ ଅରୁଣ କୁମାର ସାହୁଙ୍କ ପୁସ୍ତକ ‘ପୀଡ଼ା’ ଓ ସଙ୍ଗୀତ ‘ଶୀତୁଆ ସନ୍ଧ୍ୟା’

– “୬.୧୮ ରୁ ୭.୩୮: ଉତ୍କଳ ମଣ୍ଡପରେ ଅରୁଣଙ୍କ ସମୟାନୁବର୍ତ୍ତିତାର ନିଆରା ଝଲକ ଦେଖିଥିଲେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ମାନେ l ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ ବରିଷ୍ଠ ରାଜନେତା ତଥା ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ରଚିତ ଜୀବନଧର୍ମୀ ପୁସ୍ତକ ପୀଡ଼ା ଓ ସୁଗମ ସଙ୍ଗୀତ ଶୀତୁଆ ସନ୍ଧ୍ୟାର ଲୋକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷାବିତ୍ ତଥା ସାରସ୍ଵତ ସାଧକ ମନୋରଞ୍ଜନ ସାହୁ ଏବଂ ମହାନ ଚଇତି ନୃତ୍ୟ ଗୁରୁ ପଦ୍ମଶ୍ରୀ ଡଃ ଉତ୍ସବ ଚରଣ ଦାସ । ଚିରାଚରିତ ଭିଡ଼ରୁ ବାହାରି କିଛି ଭିନ୍ନ କରିବାର ଝୁଙ୍କ ଅରୁଣଙ୍କୁ ଏକ ନିଆରା ପରିଚୟ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମର ସ୍ଵତନ୍ତ୍ରତା ହେଉଛି ଏହା ସନ୍ଧ୍ୟା ୬.୧୮ରୁ ଆରମ୍ଭ ହୋଇ ୭.୩୮ ରେ ସମାପନ ହୋଇଥିଲା ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋରଧରିଛି। ସବୁବେଳେ ସମୟାନୁବର୍ତ୍ତିତାର ବାର୍ତ୍ତା ଦେଉଥିବା ଅରୁଣ ଏହି ସଭା ମାଧ୍ୟମରେ ଏହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି। ଦୁଃସ୍ଥ, ଅସହାୟ, ନୋଚାଲାଖିର ଜୀବନକୁ ଭିନ୍ନ ଏକ ଢଙ୍ଗରେ ପରିବେଷଣ କରି ପୀଡ଼ା ପୁସ୍ତକକୁ ଜୀବନଧର୍ମୀ କରିଛନ୍ତି ଡଃ ଅରୁଣ କୁମାର ସାହୁ। ଦ୍ୱେଷ, ଅସୂୟା, ନକାରାତ୍ମକତାରୁ ଉର୍ଦ୍ଧ୍ବକୁ ଉଠି ଦୃଢ଼ ମାନବବାଦର ଏକ ଦୃଢ଼ ପ୍ରତୀକ ଭାବେ ଉଭା ହୋଇଛି ଏହି ପୁସ୍ତକ। ସେହିପରି ବେହାଲ ବର୍ଷା ସଙ୍ଗୀତର ଅହେତୁକ ସଫଳତା ପରେ ଅରୁଣଙ୍କ କଲମରୁ ଝରି ଆସିଛି ଶୀତୁଆ ସନ୍ଧ୍ୟା, ଯାହାକୁ ସଙ୍ଗୀତରେ ସଜେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଓ ଗାଇଛନ୍ତି ଉଦୀୟମାନ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ । ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତିରେ ଏହି ଉତ୍ସବ ସଫଳ ଭାବେ ଶେଷ ହୋଇଛି ଏବଂ ଏଥିପାଇଁ ସବୁ ମହଲରୁ ଡଃ ଅରୁଣ ସାହୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଉପସ୍ଥାପକ ଅଂଶୁମାନ ଜେନା ଏହି ସଫଳ ଉତ୍ସବର ସଞ୍ଚାଳନ କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ।ନୂଆପଡା ଉପନିର୍ବାଚନରେ ଯାଇ ସେ ସାଉଁଟିଥିବା ନୂଆ ଅନୁଭୂତି ନିଜ ଲେଖାରେ ପ୍ରକାଶ କରିଥିଲେ l ଏହି ପୃଷ୍ଠଭୂମୀରୁ ଆରମ୍ଭ ହୋଇଥିଲା ତାଙ୍କ କଲମ ଯାହା ଏକ କ୍ଷୁଦ୍ର ଉପନ୍ୟାସ ପୀଡା ଭାବେ ଆତ୍ମପ୍ରକାଶ କରିଛି। ନୂଆପଡା ଉପନିର୍ବାଚନ ସମୟରେ ଅରୁଣଙ୍କ ଭେଟ ହୋଇଛି ନୋଚା ଲାଖି ନାମକ ଜଣେ ବ୍ୟକ୍ତି ସହ। ଯାହାଙ୍କ ଠାରେ ସେ ଅପପୃଷ୍ଟି ଓ ଦାରିଦ୍ର୍ୟତାର ନଗ୍ନ ଚିତ୍ର ଦେଖିଥିଲେ। ନୋଚା ଲାଖି ପରିବାର ଜରିଆରେ ତାଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ବିକାଶ, ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧି, ସାମାଜିକ ସ୍ଥିତିରେ ଉନ୍ନତି ଏବଂ ସର୍ବୋପରି ନିର୍ବାଚନ ପରିଚାଳନା ପର୍ଯ୍ୟନ୍ତ ୭୭ ବର୍ଷର ସବୁ ପ୍ରଶାସନିକ ବିଧି ବ୍ୟବସ୍ଥାର ବିଶ୍ଲେଷଣ କରିବାକୁ ବାଧ୍ୟ କରିଛି। ସମୟ ଆସିଛି ଶିକ୍ଷା, ଭାଷା, ସଂସ୍କୃତି, ସାମାଜିକ ଚଳଣୀ, ଧର୍ମୀୟ ଭାବନା, ରୋଜଗାରର ମାଧ୍ୟମ, ବଞ୍ଚିବାର ମାନ, ସନ୍ତୁଳିତ ଖାଦ୍ୟ, ଆଇନକୁ ସମ୍ମାନ, ସାହାଯ୍ୟ ସହାୟତା ପାଇଁ ମାନସିକତାକୁ ନେଇ ନିଜ ଲେଖନୀ ମାଧ୍ୟମରେ ଆଲୋଚନା କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ଦାୟୀ କିଏ? ସମାଜର ଉପରସ୍ତରର ଲୋକେ ନା ତଳ ସ୍ତରରେ ରହୁଥିବା ଗରିବ ପରିବାର। ସମାଜର ଉପର ସ୍ତରର ଲୋକେ ସବୁ ସମୟରେ ସହଜରେ ସାଧାରଣ ଲୋକଙ୍କୁ ଦାୟୀ କରିଦେଉଛନ୍ତି। ଆଉ ସେମାନେ ସରକାର ଓ ପ୍ରଶାସନକୁ ମଧ୍ୟ ପ୍ରଭାବିତ କରିପାରୁଛନ୍ତି। ହେଲେ ପ୍ରତିବାଦର ସ୍ବର ଉଠାଇ ପାରୁନାହାଁନ୍ତ ତଳ ସ୍ତରରେ ରହୁଥିବା ଲୋକମାନେ। ଏହି ସ୍ଥିତି ପାଇଁ ନିର୍ବାଚନ ପକ୍ରିୟାକୁ ମଧ୍ୟ ଦାୟୀ କରାଯାଇପାରେ। ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କ ନିର୍ବାଚନ ପ୍ରକ୍ରିୟା ଉପରେ ନିୟନ୍ତ୍ରଣ ଅଛି କି, ନିର୍ବାଚନରେ ଅଜସ୍ର ଅର୍ଥ ଖର୍ଚ୍ଚ ଉପରେ ରୋକ ଲାଗି ପାରୁଛି କି, ସର୍ବୋପରି ଭୋଟରଙ୍କୁ ରାଜନୈତିକ ଦଳମାନେ ଯେଉଁ ଭଳି ବ୍ୟବହାର କରୁଛନ୍ତି ତା ଉପରେ ନିୟନ୍ତ୍ରଣ ଅଛି କି। ଏପ୍ରଶ୍ନ ସେ ନିଜ ଦଳ, ପୂର୍ବର ବିଜେଡି ସରକାର ଓ ବର୍ତ୍ତମାନର ସରକାରକୁ ମଧ୍ୟ ପୀଡା ଜରିଆରେ ପଚାରିଛନ୍ତି। ରାଜ୍ୟର ଜଣେ ସୁନାମଧନ୍ୟ ଅବସରପ୍ରାପ୍ତ ଶିକ୍ଷକ, ସାହିତ୍ୟିକ ସ୍ବର୍ଗତ ମନୋରଂଜନ ସାହୁ ଓରଫ ମନୁ ମାଷ୍ଟ୍ରେ ଦ୍ବାରା ଏହି ଉପନ୍ୟାସର ଆଜି ଲୋକର୍ପଣ ହୋଇଛି। ଆଜି ସଭାରେ ବରିଷ୍ଠ ରାଜନେତା, ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସାମ୍ବାଦିକ, ସାହିତ୍ୟିକ ଓ ସାଧାରଣ ଲୋକମାନେ ସାମିଲ ହୋଇଥିଲେ l

ପୀଡାରେ ଅରୁଣଙ୍କ ବିପ୍ଲବୀ ପ୍ରଶ୍ନ : ଯଦି ଆମ ଯୋଗୁଁ ତୁମର ପ୍ରତିଷ୍ଠା, ତେବେ ଆମେ କାହିଁକି ପତିତ?

ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁଙ୍କ ସଙ୍ଗୀତ “ଶୀତୁଆ ସଂଧ୍ୟା” ଓ ପୁସ୍ତକ “ପୀଡା”ର ଶୁଭ ଉନ୍ମୋଚନ ହୋଇଛି l ପୀଡା ପୁସ୍ତକରେ ଚତୁର ରାଜନେତା ଅରୁଣ ସାହୁ ବିପ୍ଳବର ବାର୍ତ୍ତା ଦେଇଛନ୍ତି l ଗଣତନ୍ତ୍ର, ନିର୍ବାଚନ, ଶାସନ, ପ୍ରଶାସନ ଭୂମିକା କଣ ଓ ସେମାନେ କଣ କରୁଛନ୍ତି । ତାହା ନୂଆପଡାର ନିର୍ବାଚନ ସମୟରେ ଅରୁଣ ନିଜର ବାସ୍ତବ ଅନୁଭୂତି ଓ ବ୍ୟବସ୍ଥାକୁ ସାହିତ୍ୟ ଜରିଆରେ ଫୁଟେଇବା ଚାହିଁଛନ୍ତି l ରାଜନୀତି ଓ ସାମାଜିକ ବ୍ୟବସ୍ଥାରେ ସଂସ୍କାର ଏବେ କେତେ ଜରୁରୀ ତାହା ବି ନିଜ ଲେଖାରେ ପ୍ରକାଶ କରିଛନ୍ତି l ବ୍ୟକ୍ତିର ପ୍ରଶ୍ନ ପଚାରିବା ଅଧିକାର ଆଜି କିପରି ନାହିଁ ଓ ଭୟ ସୁଷ୍ଟି କରିଛି ତାହା ସେ ଲେଖିଛନ୍ତି l ଗୋଟିଏ ପରିବାର କାହାଣୀ ଲେଖି ଆଜିର ବ୍ୟବସ୍ଥା ଓ ରାଜନୀତି ଗତିଵିଧି ଓ ଲୋକସେବା ନାଁରେ କିପରି ଲୋକ ବିରୋଧୀ ନୀତି ଆଦର୍ଶକୁ ଆମେ ଆପଣାଇଛନ୍ତି ତାହା ଉଲ୍ଲେଖ କରିଛନ୍ତି l ନିଜ ଦଳ ସହ ଅନ୍ୟ ଦଳକୁ ଏ ବ୍ୟବସ୍ଥା ପାଇଁ ସେ ପରୋକ୍ଷରେ ଦାୟୀ କରିଛନ୍ତି l ଅଧିକାର ଓ ପ୍ରାପ୍ୟ ନପାଇଲେ ସାଧାରଣ ମଣିଷଟି କିପରି ସବୁ ଭୟ ଛାଡି ପ୍ରଶ୍ନ କରେ ତାହା ସେ ନୋଚା ଚରିତ୍ର ମାଧମରେ ଲେଖିଛନ୍ତି l ସମାଜ ସେବା ନାଁ ରେ କିଛି ବ୍ୟକ୍ତି କିପରି କ୍ଷମତା ଅପହରଣ କରିବାକୁ ଚେଷ୍ଟା କରିଛନ୍ତି , ତାହା ଅରୁଣ ନିଜ ପୀଡା ପୁସ୍ତକରେ ଲେଖିଛନ୍ତି l ଯଦି ଆମ ଯୋଗୁଁ ତୁମର ପ୍ରତିଷ୍ଠା ତେବେ ଆମେ କାହିଁକି ପତିତ? ବୋଲି ପ୍ରଶ୍ନ କରିବା ସହ ଉତ୍ତର ମାଗିଲେ କାହିଁକି ଡରଭୟ ଦେଖାଅ ବୋଲି ପଚାରିଛନ୍ତି। ଏହାସହ ସ୍ୱାଧୀନତା କଣ କେବଳ ତୁମମାନଙ୍କ ପାଇଁ l ଆମ ଅଧିକାର ତୁମେ କେମିତି ସତ୍ତ୍ଵାଧିକାରୀ? ଏହା କହିବା ସହ ମନର କ୍ଷୋଭକୁ ଆମ ଶ୍ରମ, ପରିଶ୍ରମ, ପାଇଁ କଷ୍ଟ ଲାଗେନି, ବରଂ ତୁମ ମାନଙ୍କର ପ୍ରବଞ୍ଚନା ଆମକୁ ପୀଡା ଦିଏ ବୋଲି ଦୁନିଆର ବାସ୍ତବ ଚିତ୍ରକୁ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ ଓ ବାର୍ଷିକ ଉତ୍ସବ ‘ରିଦିମ୍ -୨୦୨୬’ ଆୟୋଜିତ

  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି)ର ୨୦୨୫-୨୬ ବ୍ୟାଚ୍‌ର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ କଲେଜର ବାର୍ଷିକ ଉତ୍ସବ ଏଠାରେ ଶୁକ୍ରବାର ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ନର୍ସମାନେ ହେଉଛନ୍ତି ତ୍ୟାଗ ଓ ସେବାର ପ୍ରତୀକ । ତାଙ୍କ ହାତରେ ମଣିଷର ଜୀବନ ନିର୍ଭର କରେ । ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରିବା ଆବଶ୍ୟକ । ଏହା ଏକ ମହତ ବୃତି ଯାହାକୁ ତୁଲାଇବାକୁ ହେଲେ ନିଜ ଭିତରେ ଦୟା, କରୁଣା ଓ ସେବା ମନୋବୃତି ରଖିବା ଜରୁରୀ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇନଜୀବି, ସ୍ୱେଚ୍ଛାସେବୀ ତଥା ମା’ଘର ଫାଉଣ୍ଡେସନ୍ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଶ୍ରୀମତି ଋତୁପୂର୍ଣ୍ଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । କ୍ଲାସ୍ ରୁମ୍ ପାଠ ସହ କ୍ଲିନିକାଲ୍ ଶିକ୍ଷାର ମଧ୍ୟ ଅନେକ ଗୁରୁତ୍ୱ ରହିଛି । ତେଣୁ ସାବଧାନତାର ସହ ରୋଗୀ ସେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

  ସତ୍ୟ, ନିଷ୍ଠା, ସକାରାତ୍ମକ ଚିନ୍ତାଧାରା, ନିଃସ୍ୱାର୍ଥପର ମନୋଭାବ, ଧର୍ମପରାୟଣତା, ଶୃଙ୍ଖଳିତ ଓ ସେବା ମନୋଭାବ ସହ ନିଜର କାର୍ଯ୍ୟ ପ୍ରତି ସମର୍ପିତ ହୋଇ ସେବା କରିବା ଜରୁରୀ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ଦ୍ଦେଶିକା ତଥା ଲେଖିକା ଶ୍ରୀମତି ବିୟତପ୍ରଜ୍ଞା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ଯେ ପ୍ରତ୍ୟେକ ଚିକିତ୍ସାଳୟରେ ନର୍ସମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସ୍ନେହ, ଦୟା ମନୋଭାବ, ମଣିଷପଣିଆ ଓ ଯତ୍ନ ନେବା ଶିକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ନର୍ସମାନଙ୍କୁ ସ୍ୱାସ୍ଥ୍ୟକ୍ଷେତ୍ରର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ୱାସ୍ଥ୍ୟକ୍ଷେତ୍ରରେ ଡାକ୍ତର ଓ ନର୍ସମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ହସ୍ପିଟାଲରେ ଭର୍ତି ହେବା ଠାରୁ ସଂପୂର୍ଣ୍ଣ ରୂପରେ ସୁସ୍ଥ ହୋଇ ଘରକୁ ଫେରିବା ପର୍ଯ୍ୟନ୍ତ ରୋଗୀ ସହିତ ନର୍ସ ଓତଃପ୍ରୋତ ଭାବରେ ଜଡିତ ହୋଇ ରହିଥାଏ । ତେଣୁ ରୋଗୀଟିର ମୁହଁରେ ହସ ଫୁଟେଇବାରେ ନର୍ସ ସହାୟକ ହୋଇଥାଏ ବୋଲି ଶ୍ରୀମତି ତ୍ରିପାଠୀ କହିଥିଲେ ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍ସ ନର୍ସିଂ କଲେଜର ଅଧ୍ୟକ୍ଷା ପ୍ରଫେସର (ଡକ୍ଟର) ଆଶା ପି. ସେଟ୍ଟୀ ବୃତିଗତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କୋଭିଡ୍ ସମୟରେ ନର୍ସମାନେ ଯୋଦ୍ଧା ପରି ଅହରହ ଭାବେ ସେବା କରି ଚାଲିଥିଲେ । ଏହା ଏକ ମହାନ ବୃତି । ଏହି ବୃତିକୁ ଚୟନ କରିଥିବାରୁ ସେ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ଏଥିରେ ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏସ୍‌ଏନ୍‌ସି-୧ର ଡିନ୍ ପ୍ରଫେସର ସସ୍ମିତା ଦାସ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଏସ୍‌ଏନ୍‌ସି-୧ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ତପତି ସାହା ବକ୍ତବ୍ୟ ରଖିଥିବା ବେଳେ ଆସୋସିଏଟ୍ ପ୍ରଫେସର ଦେବଜାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ଶପଥ ପାଠ କରାଇଥିଲେ । ।

 ଏହି କାର୍ଯ୍ୟକ୍ରମରେ ୨୦୦ ଜଣ ୨୦୨୫-୨୬ ବ୍ୟାଚ୍‌ର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍ ଛାତ୍ରଛାତ୍ରୀ ଶପଥ ପାଠ କରିବା ସହିତ ଏକ ପୁସ୍ତିକା ଉନ୍ମୋଚନ ମଧ୍ୟ କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏସ୍‌ଏନ୍‌ସିର ଚାଇଲ୍ଡ ହେଲଥ୍ ନର୍ସିଂ ବିଭାଗର ଆସୋସିଏଟ୍ ପ୍ରଫେସର ରୁବି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଜେଡି ଉତ୍ତରାଧିକାରୀ ଚର୍ଚ୍ଚାକୁ ଫିକା କଲେ ଅରୁଣ

କ୍ଷମତାରୁ ଗଲା ପରେ ବିଜେଡି ନେତାଙ୍କ ତୁଣ୍ଡରେ ଲଗାମ ନାହିଁ l ଯିଏ ଯାହା ପାରୁଛନ୍ତି ଗଣମାଧ୍ୟମ ଆଗରେ ମନଖୋଲା ବଖାଣିଦେଉଛନ୍ତି l ମନ୍ତ୍ରୀ ଓ ଦଳୀୟ ଦାୟିତ୍ୱରେ ଥିବା ବେଳେ ଯେଉଁ ନେତାଙ୍କ ତୁଣ୍ଡି ଖୋଲୁନଥିଲା ସେ ନେତା ମାନେ ଏବେ ଦଳକୁ ନେଇ ଭବିଷ୍ୟତବାଣୀ ଦେବାକୁ ପଛାଉ ନାହାନ୍ତି l ଯାହାକୁ ନେଇ ବିଜେଡି ରାଜନୀତି ହଲଚଲ ହେଉଥିବା ବେଳେ ଗଣମାଧ୍ୟମରେ ବିଜେଡି ସବୁବେଳେ ଶିରୋନାମା ପାଲଟିଛି l ଶାସନରେ ଥାଇ ବିଜେପି ଯେତିକି ଚର୍ଚ୍ଚାରେ ନାହିଁ ନିର୍ବାଚନ ହାରି ବିରୋଧୀ ଦଳରେ ରହି ତାହାଠାରୁ ଅଧିକ ଚର୍ଚ୍ଚାରେ ବିଜେଡି l ଯାହା ବିଜେଡିକୁ ବେଶ ସୁହାଉଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି l 2024 ନିର୍ବାଚନରେ ବିଜେଡି 24 ବର୍ଷ ପରେ କ୍ଷମତାରୁ ଗଲା ପରେ ଦଳରେ ଉତ୍ତରାଧିକାରୀ ଚର୍ଚ୍ଚା ଜୋର ଧରିଛି l ନବୀନଙ୍କ ପରେ କିଏ, ଗଣମାଧ୍ୟମ ବିଜେଡି ନେତାଙ୍କୁ ପ୍ରଶ୍ନ ପଚାରିପଚାଲିଥିବା ବେଳେ ଉତ୍ତର କିନ୍ତୁ ଯାହା ଆସୁଛି ତାହା ସବୁଠୁ ଅଧିକ ଖୋରାକ ଯୋଗାଉଛି ଗଣମାଧ୍ୟମକୁ l ପୂର୍ବତନ ମନ୍ତ୍ରୀ ତଥା ଯୁବ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବୟାନ ଏବେ ଚର୍ଚ୍ଚାରେ l ଦିବ୍ୟଶଙ୍କର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ମଞ୍ଚ ଠାରୁ ଆରମ୍ଭ କରି ଗଣମାଧ୍ୟମରେ କହିଛନ୍ତି କି ବିଧାୟକ କଳିକେଶ ସିଂଦେଓ ରାଜ୍ୟ ନେତୃତ୍ୱ ନିଅନ୍ତୁ । ତାଙ୍କୁ ରାଜ୍ୟ ନେତୃତ୍ୱ ଦାୟିତ୍ଵ ପ୍ରଦାନ କରାଯାଉ। ତାଙ୍କ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ବି ଦିନେ ରାଜ୍ୟ ରାଜନୀତିରେ ନିଜର ପତିଆରା ରଖି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୁରା ପଶ୍ଚିମ ଓଡ଼ିଶା ପାଇଁ ଗର୍ବର ବିଷୟ । ସେମିତି ଆଗାମୀ ଦିନରେ ଆମେ କଳିକେଶ ସିଂଦେଓଙ୍କୁ ବନାଇ ଲିଡର କରି ଠିଆ କରିବା ଯେମିତି ରାଜ୍ୟ ତାଙ୍କୁ ଗ୍ରହଣ କରିବ । ବଲାଙ୍ଗୀର କଳାହାଣ୍ଡି ଭଳି ସବୁ ଜିଲ୍ଲାବାସୀ ମିଶି କରିବା । ସତକୁ ସତ୍ କହିବାର ସାହସ ରଖିବା ଆବଶ୍ୟକ । କଳିକେଶ ସିଂଦେଓ ଜଣେ ଡାଇନାମିକ ଲିଡର। ତାଙ୍କ ପାଖରେ ସ୍ପିଡ, ୟୁଥ୍ ନେସ, ବ୍ୟଗ ଗ୍ରାଉଣ୍ଡ ଓ ମୁମେଣ୍ଟ ରହିଛି । ଓଡ଼ିଶା ରାଜନୀତିରେ ନେତୃତ୍ୱ ନେବାରେ କିଛି ଅସୁବିଧା ନାହିଁ। ରାଜ୍ୟର ନେତୃତ୍ୱ ପୁଣି ଥରେ ବଲାଙ୍ଗୀର ନେଉ ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରୁଛି ଦିବ୍ୟଶଙ୍କର ମିଶ୍ର କହିଛନ୍ତି l ଦିବ୍ୟ ଶଙ୍କର ଙ୍କ ବୟାନ ରେ ଏକମତ ହୋଇନାହାନ୍ତି ବିଜେଡି ର ବରିଷ୍ଠ ବିଧାୟକ ମାନେ l ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଉତ୍ତରାଧିକାରୀ ବ୍ୟବସ୍ଥା ସାମନ୍ତବାଦୀ ଚିନ୍ତାଧାରା । ମୁଁ ବ୍ୟକ୍ତିଗତ ଭାବେ ସେଥିରେ ସହମତ ନୁହେଁ । କିଏ କେତେ ଯୋଗ୍ୟ କେତେ ଦକ୍ଷ ସେଇଟା ଜନସାଧାରଣ ଙ୍କ ଆର୍ଶୀବାଦ ଓ କାର୍ଯ୍ୟ ପନ୍ଥା ଉପରେ ନିର୍ଭର କରିବ । ଦିବ୍ୟଶଙ୍କର ଙ୍କ ବୟାନ କୁ ନେଇ କହିଛନ୍ତି ଜଣେ ଜଣଙ୍କ ନିର୍ବାଚନ ମଣ୍ଡଳୀ କୁ ଯିବା ଅବସରରେ କଣ କହିଛନ୍ତି । ସେ କଥା କୁ ନେଇ ଅଧିକ ଚର୍ଚ୍ଚା ହେବା କଥା ନୁହେଁ । ନବୀନ ପଟ୍ଟନାୟକ ବର୍ତ୍ତମାନ ନେତୃତ୍ବ ନେଉଛନ୍ତି । ଦିବ୍ୟଶଙ୍କର ମିଶ୍ର କଣ କହିଛନ୍ତି ଜାଣିନି କିନ୍ତୁ ଏତିକି କହିବି ବିନା ଦକ୍ଷତା ରେ କେହି ନିର୍ବାଚନ ଜିତି ନାହାନ୍ତି । ଯେଉଁମାନେ ନିର୍ବାଚନ ଜିତିଛନ୍ତି ସମସ୍ତଙ୍କ ପାଖରେ ଦକ୍ଷତା ରହିଛି । ଲକ୍ଷ ଲକ୍ଷ କର୍ମୀ ଓ ନେତା କାମ କରୁଥିବା ତୁ ବିଜେଡି ଆଜି ଏଠି ପହଞ୍ଚିଛି । ଯୋଗ୍ୟତା ଓ ଦକ୍ଷତା ସମସ୍ତ ଙ୍କର ଅଛି ବୋଲି ନିର୍ବାଚନ ଜିତନ୍ତି କିନ୍ତୁ କେଉଁ ପୋଷ୍ଟ ପାଇଁ କିଏ କେତେ ଯୋଗ୍ୟ କେତେ ଦକ୍ଷ ସେଇଟା ଜନସାଧାରଣ ଙ୍କ ଆର୍ଶୀବାଦ ଓ କାର୍ଯ୍ୟ ପନ୍ଥା ଉପରେ ନିର୍ଭର କରେ । ଉତ୍ତରାଧିକାରୀ ର ଆବଶ୍ୟକ ଅଛି କି ନାହିଁ ଦଳ ନିଷ୍ପତ୍ତି କରିବ ଆଉ ସୁପ୍ରିମୋ ନିଷ୍ପତ୍ତି କରିବେ ତାକୁ ନେଇ ଆଜି ଠୁ କାହିଁକି ବ୍ୟସ୍ତ ହେଉଛନ୍ତି ସବୁ ବୋଲି ଅରୁଣ ପାଲଟା ପ୍ରଶ୍ନ କରିଛନ୍ତି ଗଣମାଧ୍ୟମ କୁ l ସେହିପରି କଳିକେଶ ନାରାୟଣ ସିଂ ଦେଓ ଙ୍କୁ ବିଜେଡି ଦାୟିତ୍ୱ ନେଇ ଦିବ୍ୟ ଶଙ୍କର ଙ୍କ ବୟାନ ପରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ମତ ରଖିଛନ୍ତି l ସେ କହିଛନ୍ତି ଯେ ଦଳରେ ଦବଦବା ସମସ୍ତଙ୍କ ଅଛି | ବିଧାୟକଙ୍କ ବି ଦବଦବା ଅଛି | ବିଜେଡି ର ଉତ୍ତରାଧିକାରୀ କିଏ ହେବ ନବୀନ ନିଷ୍ପତି ନେବେ | ଆମ ସଭାପତି ସଫଳ, ସକ୍ଷମ, ଅକ୍ଷମ ନୁହନ୍ତି | ଉତ୍ତରାଧିକାରୀ ଚର୍ଚ୍ଚା ଆସିଲା କେଉଁଠୁ | ଆମ ସର୍ବମାନ୍ୟ ନେତା ନବୀନ | ସେ ତାଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି | ଯୁବ ନେତା ଙ୍କୁ ଗୁରୁତ୍ୱ ବିଜେଡି ଦିଏ | ଟିକେଟ ବଣ୍ଟନ ଠାରୁ ଦଳୀୟ ପଦ ପଦବୀ ରେ ଦେଖୁ |ଦିବ୍ୟ ଶଙ୍କର କଣ ପାଇଁ କହିଲେ ସେ ତାର ଉତ୍ତର ଦେଇପାରିବେ ବୋଲି ଗଣେଶ୍ୱର ବେହେରା କହିଛନ୍ତି l

ସୋଲରେ ଝଲସୁଛି ମଣିଷ ଯୋଗାଯୋଗର ଯାତ୍ରା: ସାଙ୍କେତିକ ଯୁଗରୁ… କୃତ୍ରିମ ମେଧା ଯୁଗ ଯାଏ

*ସୋଲରେ ଝଲସୁଛି ମଣିଷ ଯୋଗାଯୋଗର ଯାତ୍ରା*

*ସାଙ୍କେତିକ ଯୁଗରୁ… କୃତ୍ରିମ ମେଧା ଯୁଗ ଯାଏ*

ଯାଜପୁର: ମଣିଷ ନିଜ ନିଜ ଭିତରେ ଯୋଗାଯୋଗ କରିବା ଆରମ୍ଭ କରେ ପଥର ଓ ମାଟି ସିଲଟ (କ୍ଲେ ଟ୍ୟାବ୍‌ଲେଟ୍‌) ପିଠିରେ ସଙ୍କେତ ଆଙ୍କି । ସେହି ସାଙ୍କେତିକ ଯୁଗରେ ଗୁମ୍ଫା ଚିତ୍ର ଓ ଚିତ୍ରଲେଖ ମଧ୍ୟ ଯୋଗାଯୋଗ ବ୍ୟବସ୍ଥାର ପ୍ରମୁଖ ରୂପ ଥିଲା । ପରେ ଆସିଲା ଲେଖା ଯୁଗ । ତାଳପତ୍ର ପୋଥିଠାରୁ ଆରମ୍ଭ କରି ଗଛ ବକଳରେ ଲେଖିବା ହେଉ କି ଦୁଆତ ଏବଂ କାଳି ସାହାଯ୍ୟରେ ଲେଖିବା; ଏସବୁ ଥିଲା ଯୋଗାଯୋଗର ଗୋଟିଏ ଗୋଟିଏ ମାଧ୍ୟମ । ଏହିପରି ଏକ ନିଆରା ଅନୁଚିନ୍ତା (ଥିମ୍‌) ଭେଟି ଦେଇଛି ଭବାନୀଗଞ୍ଜ ରାଉତରାପୁର ୟୁନିଟ୍‌-୩ ସରସ୍ୱତୀ ପୂଜା କମିଟି । ପୂଜା ବୁଲି ଆସୁଥିବା ଦର୍ଶକମାନେ ଏହିପରି ଏକ ଭିନ୍ନ ବିଷୟବସ୍ତୁକୁ ବେଶ୍ ପ୍ରଶଂସା କରିଛନ୍ତି ।

   ଚଳିତ ବର୍ଷ ଥିମ୍‌ର ନାମ ରହିଛି ‘ଯୋଗାଯୋଗର ଯାତ୍ରା’ । ଏଥିରେ ସାଙ୍କେତିକ ଯୁଗ, ଲେଖା ଯୁଗ, ମୁଦ୍ରଣ ଯୁଗ, ବୈଦ୍ୟୁତିକ ଯୁଗ, ଡିଜିଟାଲ ଯୁଗ, କୃତ୍ରିମ ମେଧା ଯୁଗ ପରି ୬ଟି ଯୁଗର କଥା ଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇଛି । ଯେମିତି ପଂଚଦଶ ଶତାବ୍ଦୀ ମଝାମଝି ବେଳକୁ ମୁଦ୍ରଣ ଯନ୍ତ୍ର ଆସିବା ଫଳରେ ବହି, ଖବରକାଗଜ, ପୋଷ୍ଟର, ପାମ୍ପ୍‌ଲେଟ୍ ଆଦିର ପ୍ରକାଶନ ଆରମ୍ଭ ହେଲା । ଆଉ ସେଥିରେ ଯୋଡ଼ି ହୋଇଗଲା ଟାଇପ୍‌ରାଇଟର । ପରବର୍ତୀ ବୈଦ୍ୟୁତିକ ଯୁଗରେ ରେଡିଓ, ଟେଲିଭିଜନ୍‌, ଟେଲିଫୋନ୍ ଆଦି ଯୋଗାଯୋଗକୁ ଆହୁରି ବଳିଷ୍ଠ କରିଲା । ଆଉ ବିଂଶ ଶତାବ୍ଦୀ ଶେଷ ଆଡ଼କୁ ତଥା ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ମୁଖ୍ୟତଃ ଡିଜିଟାଲ୍ ଯୁଗ ଭାବେ ଜଣା । ଏହି ସମୟରେ କମ୍ପ୍ୟୁଟର, ଇଂଟରନେଟ୍‌, ମୋବାଇଲ୍ ଫୋନ୍‌, ସ୍ମାର୍ଟ ଫୋନ୍‌, ସୋସିଆଲ ମିଡିଆ ଓ ବିଭିନ୍ନ ଡିଜିଟାଲ୍ ପ୍ଲାଟ୍‌ଫର୍ମର ଉଦ୍ଭାବନ ଏବଂ ବ୍ୟବହାର ବଢ଼ିବାରେ ଲାଗିଲା । ସାଧାରଣ ଲୋକେ ଅତି ସହଜରେ ଯୋଗାଯୋଗ କରିପାରିଲେ । ମଣିଷର ହାତମୁଠାରେ ସମଗ୍ର ବିଶ୍ୱ ରହିଲା । ଏବେ କୃତ୍ରିମ ମେଧାର ଯୁଗ । ମଣିଷ ଓ ଯନ୍ତ୍ର ଏକସଙ୍ଗେ ଭାବୁଛନ୍ତି, ଯୋଗାଯୋଗ ମଧ୍ୟ କରିପାରୁଛନ୍ତି । ମଣିଷର କଥା ଯନ୍ତ୍ର ବୁଝିପାରୁଛି ଆଉ ଯନ୍ତ୍ର ମଧ୍ୟ ମଣିଷ ସହ ଅତି ସୁନ୍ଦର ଭାବେ କଥାବାର୍ତା କରିପାରୁଛି । ଏହା ସମ୍ଭବ ହୋଇପାରିଛି ଅତ୍ୟାଧୁନିକ ବୈଷୟିକ ବିପ୍ଳବ ମାଧ୍ୟମରେ । ବିନା ଡ୍ରାଇଭରରେ ଯାନ ଚାଲିବାଠାରୁ ଆରମ୍ଭ କରି ହ୍ୟୁାମାନ୍‌-ମେସିନ୍ କୋଲାବୋରେସନ୍ ପର୍ଯ୍ୟନ୍ତ ସବୁକିଛିର ଝଲକ ଏହି ବିଶେଷ ଥିମ୍‌ରେ ଦେଖିବାକୁ ମିଳିଛି । ଏହାର ପରିକଳ୍ପନା ଓ ଡିଜାଇନ୍ କରିଛନ୍ତି ପୂଜା କମିଟିର ଜଣେ ଯୁବ ସଦସ୍ୟ । ସେହିପରି ପୂଜା କମିଟି ସଦସ୍ୟମାନେ ଏହାର ପ୍ରଦର୍ଶନ ଦାୟିତ୍ୱ ନେଇ ଅତି ଚମତ୍କାର ଭାବେ କାନ୍ଥରେ ଉତାରିଛନ୍ତି । ସୋଲରେ ପ୍ରସ୍ତୁତ ଏହି ଡିଜାଇନ୍ ସାଉଁଟୁଛି ଖୁବ୍ ଆଦର ।

   ରବିବାରଠାରୁ ପୂଜା କମିଟି ପକ୍ଷରୁ ତିନିଦିନିଆ ସଂକୀର୍ତନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପ୍ରଥମ ସନ୍ଧ୍ୟାରେ କଳସ ସ୍ଥାପନ ସହ ଅଧିବାସ ଅନୁଷ୍ଠିତ ହୋଇଥିଲା । ସେହିଭଳି ସୋମବାର ପ୍ରସାଦ ସେବନ ଏବଂ ମଙ୍ଗଳବାର ନଗର ପରିକ୍ରମା ହେବାର କାର୍ଯ୍ୟସୂଚୀ ରହିଛି । ୧୯୯୬ ମସିହାରେ ସ୍ଥାପନ ହୋଇଥିବା ଏହି ପୂଜା କମିଟି ଏଥର ୩୦ ବର୍ଷ ପୂର୍ତି ପାଳନ କରୁଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ପୂଜା ମଣ୍ଡପ ମଧ୍ୟ ସଜା ହୋଇଛି । ମା’ଙ୍କ ମୃଣ୍ମୟୀ ମୂର୍ତିଙ୍କ ଆଗରେ ଏକ ଛୋଟ ପୋଖରୀ ନିର୍ମିତ କରାଯାଇ ଦୁଇଟି କଳସରୁ ପାଣି ପଡୁଥିବାର ଦୃଶ୍ୟ ମନୋରମ ହୋଇପାରିଛି । ଏହି ପୋଖରୀର ଶୋଭା ବଢ଼ାଉଛି ପଦ୍ମଫୁଲ, ପଦ୍ମପତ୍ର ଆଉ ଦୁଇଟି ହଂସ । ଏହାର ଡିଜାଇନ୍ ମଧ୍ୟ ପୂଜା କମିଟିର ଜଣେ ଯୁବ ସଦସ୍ୟ କରିଛନ୍ତି ଏବଂ ପ୍ରସ୍ତୁତିରେ ଅନ୍ୟ ସଦସ୍ୟମାନେ ସହଯୋଗ କରିଛନ୍ତି ।

ଭାରାକ୍ରାନ୍ତ ମନର ହାଲକା କାହାଣୀ

0

ସମସ୍ତେ ରେଡି l ବାହାରିଲେ ପିକନିକ ସ୍ପଷ୍ଟକୁ l ଆଗ ପଛ ହୋଇ ସବୁ ପହଞ୍ଚିଗଲେ l ସଭିଙ୍କ ମନରେ ଆନନ୍ଦ ଉଲ୍ଲାସ l କାରଣ ବହୁ ବର୍ଷ ପରେ ସମସ୍ତଙ୍କ ମନପ୍ରାଣ ଏକ ହୋଇଛି ନୂଆବର୍ଷ ଭୋଜି ପାଇଁ l ନୂଆ ବର୍ଷ ଭୋଜିରେ ସାନରୁ ବଡ଼ ଯାଏଁ ସଭିଏଁ ସାଙ୍ଗ l ଦିନର 12ଘଣ୍ଟା ଯେମିତି ସଭିଙ୍କ ପାଇଁ ମୁକ୍ତ ବିଶ୍ୱପରି l ଯିଏ ଯାହା ଚାହିଁବ କରିବ। ନାଚ ଗୀତ ସହ ମନଭରି ଖିଆପିଆର ଆସର। ଘର, ଅଫିସ, ବେପାର କି କିଛି ପାଇବା ବା ହରେଇବାର ମଧ୍ୟ ଚିନ୍ତା ନାହିଁ l ଦିନଟା ଖାଲି ମସ୍ତି ଆଉ ମସ୍ତିରେ କଟିବ l ପ୍ରକୃତି କୋଳରେ ପୁରା ଦିନ କାଟି ପ୍ରକୃତ ଭଲ ପାଇବାକୁ ସାଉଁଟିବା ପାଇଁ କିଏ ବା ହାତଛଡା କରିବ।

    ଠିକ ଏତିକି ବେଳେ ଆରମ୍ଭ କିଏ ଜଣେ ଆସି କହିଦେଲା ପକୋଡା ରେଡି, ମ୍ୟୁଜିକ ବି l ବାସ ଆଉ କିଏ କାହାକୁ ଅଟକାଇବ, ସୌମ୍ୟ କହିଲା ରକି ଆରମ୍ଭରୁ ତୁ କେବେ ନା କେବେ ତୋ ମନ ଦେବୁ କାହାକୁ, ମତେ ଦେଇ ଦେଲେ ଅସୁବିଧା କେଉଁଠି ଗୀତ ବଜା l ତା ପରକୁ ଚିରିଙ୍ଗ ଚିରିଙ୍ଗ ନିଶା ଟା ଛାଡିଲା ଗୀତ ଆରମ୍ଭ ହେଲା କ୍ଷଣି କିଏ କାହାକୁ ବା ଅଟକାଇବ, ପୁରା ପରିବେଶ ଧୂଳି ଉଡିଲା l ମଝିରେ ମଝିରେ କେତେ ଗପ କେତେ ଚର୍ଚ୍ଚା l କେତେବେଳେ ପୁରୁଣା ସ୍ମୃତି ତାଜା ହେଉଥାଏ ତ କେତେବେଳେ ବର୍ଷ ତମାମ ଖୁସି ବାଣ୍ଟି ହୋଇଯାଉଥାଏ l କବିତା ଅସାର ସହ ପ୍ରେମ ଆଳାପ ପୁରା ପରିଵେଶ ଉଷ୍ମ କରୁଥାଏ l

ଏମିତି ଗପ ସବ ଓ ମଜା ମସ୍ତି ଭିତରେ ମଧୁର ମନେ ପଡି ଯାଇଛି ପୁରୁଣା ପ୍ରେମର ମିଠା ଅନୁଭୂତି l ଦୁଇ ପ୍ୟାଗ ପରେ ମଧୁ ହଜିଯାଇଛି ପ୍ରେମର ରାଇଜରରେ l ମଧୁ ବିବାହକୁ 20ବର୍ଷ ବିତିଛି, ହେଲେ ଆଜି ବି ତା ପ୍ରେମ ତାଜା l ଭାବୁଛି ସୋନି ସହ ହୋଇଥିବା ପ୍ରେମଟା କଣ ମିଛ ନାଁ, ସମୟ ଟା ମିଛ ଥିଲା l ଏତେ ନିବିଡ଼ ସମ୍ପର୍କରେ ଥାଇ ବି ଆଜି ସୋନି ସ୍ଥାନରେ ଆଉ କିଏ ତା ମୋ ଜୀବନ ସାଥି l ପ୍ରକୃତି କୋଳରେ ଭୋଜି ଆସର ଭିତରେ ମଧୁର ଏହି ଭିଜାଭରା ଭାବନା ତାକୁ କିଛି ସମୟ ପାଇଁ ହଜେଇ ଦେଇଥିଲା l

ତାହାହିଁ ଭିତରେ ନବ ଗାଇଦେଲା ମିଛରେ କହିଦେ ଭଲ ପାଉ ବୋଲି ଆଉ କିଛି ଦିନ ବଞ୍ଚିଯିବି l ନବ କଥା ଶୁଣି କିଏ ଜଣେ କହିଲା ଆରେ ଖୁସିରେ ବଂଚିବା ପାଇଁ ତ ଏତେ ନାଟ l

ମଧୁ ଓ ନବ ପ୍ରେମ ଭାବନା ପୁରା ପରିବେଶକୁ କରୋନା ଭାଇରସ ପରି କେହି ମିନିଟରେ ସଭିଙ୍କୁ ପ୍ରେମିକ କରିଦେଲା l ଆଉ ଆରମ୍ଭ ହୋଇଗଲା ଭିନ୍ନ ଏକ ପରିବେଶ l ସମୟ ଗଡ଼ିଲା ସବୁ କଥା ଓ ବ୍ୟଥା ସମୟ ସହ ଗଡ଼ିଗଲା l ମଜା ମସ୍ତି ପରେ ଭୋଜି ଭାତ ଆସର ବି ଶେଷ ହେଲା l ପୁରୁଣା ଓ ନୂଆ ସ୍ମୃତି ଯୋଡି ହୋଇ ସଭିଙ୍କ ଜୀବନରେ ନୂଆ ବର୍ଷ ନୂଆଫର୍ଦ ଯୋଡିଲା l ସାଙ୍ଗ, ସାଥି ମିଳିମିଶି ଭୋଜି ସ୍ଥାନରୁ ନିଜ ନିଜ ଘରକୁ ଫେରିଲା ବେଳେ ସମସ୍ତେ କହୁଥାନ୍ତି ନୂଆବର୍ଷ ନୁହେଁ “ମ” ମଝିରେ ମଝିରେ ଏମିତି ଭୋଜି ଟିକେ ଦରକାର l ଭାରକ୍ରାନ୍ତ ମନଟା ଟିକେ ହାଲକା ହେବା ଦରକାର l

ଅରୁଣ ଦେଲେ ରାଜ୍ୟସଭା ଗଣିତର ନୂଆ ଫଣ୍ଡା

ଏପ୍ରିଲ ମାସରେ ଓଡିଶାର ୪ଟି ରାଜ୍ୟସଭା ଆସନ ଖାଲିପଡିବ । ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ କରିବା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ରାଜ୍ୟସଭା ସଂଖ୍ୟା ଗଣିତ କହୁଛି ବିଜେପି ଦୁଇଟି ଆସନ ଓ ବିଜେଡି ଗୋଟିଏ ଆସନ ପାଇବ l ଚତୁର୍ଥ ଆସନ କାହାର ହେବ ସେନେଇ ନାନା ଚର୍ଚ୍ଚା ଓ ଆକଳନ । ଅଙ୍କ କହୁଛି ଚତୁର୍ଥ ଆସନ ପାଇଁ ନା ବିଜେଡି ନା ବିଜେପି ପାଖେ ସଂଖ୍ୟା ଅଛି l ଠିକ ଏତିକି ବେଳେ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ଚତୁର୍ଥ ରାଜ୍ୟସଭା ଆସନ ପାଇଁ ଉଭୟ ବିଜେପି ଓ ବିଜେଡିକୁ ରାଜ୍ୟସଭା ପ୍ରାର୍ଥୀ କିପରି ହେବା ଦରକାର ସେନେଇ ବ୍ୟକ୍ତିଗତ ଭାବେ ପ୍ରସ୍ଥାବ ଦେଇଛନ୍ତି l ଅରୁଣଙ୍କ ଯୁକ୍ତି ହେଉଛି ରାଜ୍ୟସଭା ବିଜ୍ଞପ୍ତି ପ୍ରକାଶ ପାଇଲେ ବିଜୁ ଜନତା ଦଳ ନିଷ୍ପତି ନେବ l ଦଳର ସଭାପତି ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତ୍ତି ନେବେ l ରାଜ୍ୟସଭା ଅଙ୍କ କାହାକୁ ଜଣା ନାହିଁ। ୪ଟି ଆସନ ପାଇଁ ବିଜେପିର ୨ଟି ଓ ବିଜେଡିର ଗୋଟିଏ ଯିବା ନିଶ୍ଚିତ l କଂଗ୍ରେସ ପାଖେ ସଂଖ୍ୟା ନାହିଁ l ଚତୁର୍ଥ ଆସନ ପାଇଁ ଆଲୋଚନା ହେଉଛି lଏହାର ଭାଗ୍ୟ କଣ ହେବ କାହାକୁ ଜଣା ନାହିଁ l ମୁଁ ଅପିଲ କରିବି ଚତୁର୍ଥ ଆସନ ପାଇଁ ଓଡିଶାର ଜଣେ ପ୍ରତିଭାବାନ ବ୍ୟକ୍ତିକୁ ରାଜ୍ୟସଭା ପଠାଇବା ପାଇଁ ଆଲୋଚନା କରାଯାଉl ଅରୁଣ ଚତୁର୍ଥ ଆସନ ପାଇଁ ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କୁ ପଠାଇବା ପାଇଁ ସବୁ ଦଳକୁ ପ୍ରସ୍ଥାବ ଦେବା ରାଜ୍ୟସଭା ରାଜନୀତିରେ ନୂଆ ସମୀକରଣ ସୁଷ୍ଟି କରିଛି l ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହନ୍ତ, ମୁନା ଖାଁ ଓ ନିରଂଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି l ଏହି 4ଟି ଆସନ ପାଇଁ ନିର୍ବାଚନ ହେବ l 3ଟି ରାଜ୍ୟସଭା ଆସନ ଚିତ୍ର ସ୍ପଷ୍ଟ ଥିବା ବେଳେ ଚତୁର୍ଥ ଆସନ ଅସ୍ପଷ୍ଟ ରହିଛି l ଯଦି ଚତୁର୍ଥ ଆସନ ବିଜେଡି ବିଜେପି କୁ ସମର୍ଥନ କରିବ, ତେବେ ବିଜେପି ଓ ବିଜେଡି ମିଶିକି ଅଛନ୍ତି ସେ କଥା ଓଡିଶାବାସୀଙ୍କ ପାଖରେ ପହଂଚିବ l ଅନ୍ୟପଟେ ଯଦି ବିଜେଡି ଚତୁର୍ଥ ଆସନ ପାଇଁ କଂଗ୍ରେସ କୁ ସମର୍ଥନ କରିବ ତେବେ 2024 ପରେ ବିଜେପି ସହ ସମ୍ପର୍କ ତୁଟାଇ କଂଗ୍ରେସର ହାତ ଧରିଲା ବିଜେଡି ବୋଲି ବାର୍ତ୍ତା ଯିବ l ବିଜେଡି ସବୁବେଳେ ସମଦୂରତା ନୀତିକୁ ବିଶ୍ୱାସ କରି ଉଭୟ ବିଜେପି ଓ କଂଗ୍ରେସ ଠାରୁ ରାଜନୈତିକ କ୍ଷେତ୍ରରେ ସମଦୂରତା ବଜାୟ ରଖିଛି l ତେଣୁ ଚତୁର୍ଥ ଆସନ ପାଇଁ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରାର୍ଥୀ ଫଣ୍ଡା ଏବେ ଶଙ୍ଖ ଓ ପଦ୍ମ କ୍ୟାମ୍ପରେ ନୂଆ ଆଲୋଚନା ଆରମ୍ଭ ହୋଇଛି ରାଜ୍ୟସଭା ଗଣିତକୁ ନେଇ l

ରାଜଧାନୀରେ ସାମ୍ୱାଦିକଙ୍କ ବନ୍ଧୁ ମିଳନ

ଆରେ ଆଜି ଷ୍ଟୋରୀ କଣ କରିବା l କାହା ପାଖରୁ ବାଇଟ ଆଣିବା l ନବୀନ ନିବାସ କି ଶଙ୍ଖ ଭବନରେ କିଛି ବୈଠକ ଅଛି କି? ପିସିସି ସଭାପତି ରାଜଧାନୀରେ ଅଛନ୍ତି l ବିଜେପି କାର୍ଯ୍ୟାଳ ୟ କଣ ବୈଠକ ଅଛି l ପୃଥ୍ୱୀରାଜ ଭାଇ ଘରେ ଅଛନ୍ତି, ଅରୁଣ ଭାଇଙ୍କ ପାଖକୁ ଗଲେ ବି ଚଳିବ l

୨୧ ଜାନୁଆରୀ ୨୦୨୬ ସକାଳେ କିନ୍ତୁ ଏସବୁ ଚିନ୍ତା ନଥିଲା l ଗୋଟିଏ ଚିନ୍ତା ଥିଲା କେବେବେଳେ ଜୟଦେବ ବାଟିକା ଯିବା l ରାଜଧାନୀର ଅଧିକାଂଶ କାର୍ଯ୍ୟରତ ସାମ୍ବାଦିକ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ “ଶକ୍ତି ପ୍ରଦର୍ଶନ ସାମାଜିକ ଅନୁଷ୍ଠାନ” ର ସାମୁହିକ ଭୋଜିରେ ସାମିଲ ହୋଇଥିଲେ l ଜୟ ଦେବ ବାଟିକାର ପ୍ରାକୃତିକ ପରିବେଶ ଭିତରେ ଗୋଟେ ଘୋ ଘୋ ହୋଇଥିଲା। ଭୋଜି ଭାତ ସହ ସମ୍ବର୍ଦ୍ଧନା ପର୍ବ, କବିତା ପାଠ ଓ ଶେଷରେ କିଛି ସାମ୍ବାଦିକ ସଂକୃତିକ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଏକତାକୁ ଅଧିକ ଦୃଢ଼ କରିପାରିଛି। ” ଭାଇଚାରା ତଥା ଆମେ ସମସ୍ତେ ଏକ” ନିଆରା ବାର୍ତ୍ତା ଦେଇ ରାଜଧାନୀରେ ଏଭଳି ବୃହତ ଆୟୋଜନ ପାଇଁ “ଶକ୍ତି ପ୍ରଦର୍ଶନ ସାମାଜିକ ଅନୁଷ୍ଠାନ” ର ସମସ୍ତ ସଦସ୍ୟଙ୍କୁ ଆନ୍ତରିକ କୃତଜ୍ଞତା ଜଣାଯାଉଛି। ବିଶେଷ କରି କାର୍ଯ୍ୟକ୍ରମର ସ୍ମୃତିକୁ ଜୀବନ୍ତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ସାମ୍ବାଦିକ ଜଗଦୀଶ ଦାସ , ମୌସୁମୀ ମହାନ୍ତି, ଦେବାଶିଷ ସାସମଲ,ପ୍ରିୟପ୍ରିତମ ମହାନ୍ତି, ରକି ଭାଇ, ମାନସ ବରାଳ, ପ୍ରଦୀପ୍ତ ମହାପାତ୍ର, ଅମିୟ ରଂଜନ ସିଂ, ଚିନ୍ମୟ ପଟନାୟକ, ନବ କିଶୋର ସାହୁ,ବିବର୍ତ୍ତନ ପଣ୍ଡା,ସମୀକ୍ଷା ପଟନାୟକ, ମହେଶ ପ୍ରସାଦ ନନ୍ଦ, ଦୁଷ୍ମନ୍ତ ବେହେରା, ସୁମନ୍ତ ସୁନ୍ଦରାଏ, ରଶ୍ମି ଭାଇ, ହରିହର ଚାନ୍ଦ, ରୋଶନ, ମନରଞ୍ଜନ ଶଙ୍ଖୁଆ , ପ୍ରଶାନ୍ତ ସ୍ୱାଇଁ, ,ସ୍ଵାତି ଜେନା, ଚିନ୍ମୟ ମହାପାତ୍ର ,ଦୀପକ ମହାନ୍ତି, ଲକ୍ଷ୍ମୀଧର ମହାପାତ୍ର, ଚନ୍ଦନ ପାଇକରାୟ, ବିଶ୍ୱଜିତ ପାତ୍ର, ଅକ୍ଷୟ ଦାସ, ସରୋଜ ରଞ୍ଜନ ପ୍ରମୁଖ ସାମିଲ ହୋଇଥିଲେ l ଜୟଦେବ ବାଟିକାରେ “ବନ୍ଧୁ ମିଳନ – ୨୦୨୬ ସ୍ମୃତି ଚିରଦିନ ପାଇଁ ସାଇତି ହୋଇ ହୃଦୟରେ ରହିବ। ଆଶା ଆଗାମୀ ଦିନରେ ମଧ୍ୟ “ଶକ୍ତି ପ୍ରଦର୍ଶନ ସାମାଜିକ ଅନୁଷ୍ଠାନ” ର ବନ୍ଧନ ଏମିତି ଅତୁଟ ରହିବ।

ଶୀତଳାପଲ୍ଲୀ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଜଟିଳ ନ୍ୟୁରୋସର୍ଜରୀ ସଫଳ

 ଦକ୍ଷିଣ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଅଭୁତପୂର୍ବ ସଫଳତା ଆଣିଛି ବ୍ରହ୍ମପୁର, ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୩ । ଏହି ହସ୍ପିଟାଲର ଡାକ୍ତରୀ ଟିମ୍ ଜଣେ ୫୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରେ ଥିବା ଟ୍ୟୁମରଟିକୁ ଏକ ଜଟିଳ ସ୍ନାୟୁଶଲ୍ୟ ଅସ୍ତ୍ରୋପଚାର ମାଧ୍ୟମରେ କାଢ଼ିବାରେ ସଫଳ ହୋଇଛନ୍ତି । ଏହି ଟ୍ୟୁମରଟି ଯୋଗୁଁ ମହିଳାଙ୍କର ଜୀବନ ପ୍ରତି ବିପଦ ମଧ୍ୟ ରହିଥିଲା ।

ଦକ୍ଷିଣ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅତ୍ୟାଧୁନିକ ସ୍ନାୟୁଶଲ୍ୟ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସମ୍ପନ୍ନ ହୋଇଥିବା ବେଳେ ଏହି ଅଂଚଳର ସ୍ୱାସ୍ଥ୍ୟ ସେବାକୁ ଶୀତଳାପଲ୍ଲୀ ସମ୍ ଆହୁରି ସୁଦୃଢ଼ କରିପାରିଛି ।

ହୀରାମଣି ସାହୁ ନାମକ ମହିଳା ରୋଗୀ ଜଣେ ତାଙ୍କର ପ୍ରବଳ ମୁଣ୍ଡ ବ୍ୟଥା ଏବଂ ଶରୀରରେ ଦୁର୍ବଳତାର ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ । ତାଙ୍କ ଠାରେ ସ୍ନାୟୁଶଲ୍ୟ ସମସ୍ୟାର ଗୁରୁତର ଅବସ୍ଥାକୁ ଦେଖି ଡାକ୍ତରମାନେ ତୁରନ୍ତ ଏମଆରଆଇ ସ୍କାନ୍ କରାଇଥିଲେ । ସ୍କାନିଂ ରିପୋର୍ଟରୁ ମସ୍ତିଷ୍କର ଡାହାଣ ପାଶ୍ୱର୍ରେ ଏକ ବୃହତ ଇଂଟ୍ରାଭେଂଟ୍ରିକୁଲାର ବ୍ରେନ୍ ଟ୍ୟୁମର ଥିବାର ଜଣାପଡ଼ିଥିଲା । ଏହା ଏକ ଜଟିଳ ଏବଂ ଗୁରୁତର ସମସ୍ୟା ରହିଥିଲା କାରଣ ଟ୍ୟୁମରଟି ମସ୍ତିଷ୍କର ଅତ୍ୟନ୍ତ ଗଭୀର ପାଶ୍ୱର୍କୁ ଚାଲିଯାଇଥିବା ବେଳେ ଅସ୍ତ୍ରୋପଚାର ପାଇଁ ଏହା ବେଶ ଜଟିଳ ହୋଇଥିଲା ।

ଏହି ଅସ୍ତ୍ରୋପଚାରକୁ ହସ୍ପିଟାଲ୍ ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର (ଡାକ୍ତର) ପ୍ରଭାତ କୁମାର ଜଗଦେବ ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ନ୍ୟୁରୋଆନେସ୍‌ଥେସିଆ ବିଶେଷଜ୍ଞ ଡାକ୍ତର ପ୍ରତ୍ୟୁଷ କେ. ମିଶ୍ରଙ୍କ ସମେତ ନ୍ୟୁରୋସର୍ଜିକାଲ୍ ଅପରେସନ୍ ଥିଏଟର ଟିମ୍ ସହଯୋଗ କରିଥିଲେ ।

ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟରେ ଧିରେ ଧିରେ ଉନ୍ନତି ଘଟୁଛି ବୋଲି ହସ୍ପିଟାଲ୍‌ର କର୍ତୃପକ୍ଷ ସୂଚନା ଦେଇଛନ୍ତି ।

  ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୩ ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାସ ଡାକ୍ତରୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ହସ୍ପିଟାଲ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ କାର୍ଯ୍ୟ ହାତକୁ ନେଉଛି ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ବର୍ତମାନ ଶୀତଳାପଲ୍ଲୀ ସମ୍‌ରେ ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି, ମେଡିକାଲ୍ ଆଣ୍ଡ ସର୍ଜିକାଲ୍ ଅଙ୍କୋଲୋଜି, ହେମାଟୋଲୋଜି, କ୍ରିଟିକାଲ୍ କେୟାର, ଟ୍ରମା ସର୍ଭିସେସ, ଡାଇଲିସିସ୍‌, କାର୍ଡିଓଲୋଜି, ଅର୍ଥୋପେଡିକ୍ସ, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ଏବଂ ୟୁରୋଲୋଜି ଭଳି ସୁପର ସ୍ପେଶିଆଲିଟି ସ୍ୱାସ୍ଥ୍ୟ ସେବା ସହିତ ଅତ୍ୟାଧୁନିକ ଆଇସିୟୁ ଏବଂ ଏଚ୍‌ଡିୟୁ ମଧ୍ୟ ସୁବିଧା ଉପଲବ୍ଧ ରହିଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news