ସୋଲରେ ଝଲସୁଛି ମଣିଷ ଯୋଗାଯୋଗର ଯାତ୍ରା: ସାଙ୍କେତିକ ଯୁଗରୁ… କୃତ୍ରିମ ମେଧା ଯୁଗ ଯାଏ

- Advertisement -

*ସୋଲରେ ଝଲସୁଛି ମଣିଷ ଯୋଗାଯୋଗର ଯାତ୍ରା*

*ସାଙ୍କେତିକ ଯୁଗରୁ… କୃତ୍ରିମ ମେଧା ଯୁଗ ଯାଏ*

ଯାଜପୁର: ମଣିଷ ନିଜ ନିଜ ଭିତରେ ଯୋଗାଯୋଗ କରିବା ଆରମ୍ଭ କରେ ପଥର ଓ ମାଟି ସିଲଟ (କ୍ଲେ ଟ୍ୟାବ୍‌ଲେଟ୍‌) ପିଠିରେ ସଙ୍କେତ ଆଙ୍କି । ସେହି ସାଙ୍କେତିକ ଯୁଗରେ ଗୁମ୍ଫା ଚିତ୍ର ଓ ଚିତ୍ରଲେଖ ମଧ୍ୟ ଯୋଗାଯୋଗ ବ୍ୟବସ୍ଥାର ପ୍ରମୁଖ ରୂପ ଥିଲା । ପରେ ଆସିଲା ଲେଖା ଯୁଗ । ତାଳପତ୍ର ପୋଥିଠାରୁ ଆରମ୍ଭ କରି ଗଛ ବକଳରେ ଲେଖିବା ହେଉ କି ଦୁଆତ ଏବଂ କାଳି ସାହାଯ୍ୟରେ ଲେଖିବା; ଏସବୁ ଥିଲା ଯୋଗାଯୋଗର ଗୋଟିଏ ଗୋଟିଏ ମାଧ୍ୟମ । ଏହିପରି ଏକ ନିଆରା ଅନୁଚିନ୍ତା (ଥିମ୍‌) ଭେଟି ଦେଇଛି ଭବାନୀଗଞ୍ଜ ରାଉତରାପୁର ୟୁନିଟ୍‌-୩ ସରସ୍ୱତୀ ପୂଜା କମିଟି । ପୂଜା ବୁଲି ଆସୁଥିବା ଦର୍ଶକମାନେ ଏହିପରି ଏକ ଭିନ୍ନ ବିଷୟବସ୍ତୁକୁ ବେଶ୍ ପ୍ରଶଂସା କରିଛନ୍ତି ।

   ଚଳିତ ବର୍ଷ ଥିମ୍‌ର ନାମ ରହିଛି ‘ଯୋଗାଯୋଗର ଯାତ୍ରା’ । ଏଥିରେ ସାଙ୍କେତିକ ଯୁଗ, ଲେଖା ଯୁଗ, ମୁଦ୍ରଣ ଯୁଗ, ବୈଦ୍ୟୁତିକ ଯୁଗ, ଡିଜିଟାଲ ଯୁଗ, କୃତ୍ରିମ ମେଧା ଯୁଗ ପରି ୬ଟି ଯୁଗର କଥା ଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇଛି । ଯେମିତି ପଂଚଦଶ ଶତାବ୍ଦୀ ମଝାମଝି ବେଳକୁ ମୁଦ୍ରଣ ଯନ୍ତ୍ର ଆସିବା ଫଳରେ ବହି, ଖବରକାଗଜ, ପୋଷ୍ଟର, ପାମ୍ପ୍‌ଲେଟ୍ ଆଦିର ପ୍ରକାଶନ ଆରମ୍ଭ ହେଲା । ଆଉ ସେଥିରେ ଯୋଡ଼ି ହୋଇଗଲା ଟାଇପ୍‌ରାଇଟର । ପରବର୍ତୀ ବୈଦ୍ୟୁତିକ ଯୁଗରେ ରେଡିଓ, ଟେଲିଭିଜନ୍‌, ଟେଲିଫୋନ୍ ଆଦି ଯୋଗାଯୋଗକୁ ଆହୁରି ବଳିଷ୍ଠ କରିଲା । ଆଉ ବିଂଶ ଶତାବ୍ଦୀ ଶେଷ ଆଡ଼କୁ ତଥା ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ମୁଖ୍ୟତଃ ଡିଜିଟାଲ୍ ଯୁଗ ଭାବେ ଜଣା । ଏହି ସମୟରେ କମ୍ପ୍ୟୁଟର, ଇଂଟରନେଟ୍‌, ମୋବାଇଲ୍ ଫୋନ୍‌, ସ୍ମାର୍ଟ ଫୋନ୍‌, ସୋସିଆଲ ମିଡିଆ ଓ ବିଭିନ୍ନ ଡିଜିଟାଲ୍ ପ୍ଲାଟ୍‌ଫର୍ମର ଉଦ୍ଭାବନ ଏବଂ ବ୍ୟବହାର ବଢ଼ିବାରେ ଲାଗିଲା । ସାଧାରଣ ଲୋକେ ଅତି ସହଜରେ ଯୋଗାଯୋଗ କରିପାରିଲେ । ମଣିଷର ହାତମୁଠାରେ ସମଗ୍ର ବିଶ୍ୱ ରହିଲା । ଏବେ କୃତ୍ରିମ ମେଧାର ଯୁଗ । ମଣିଷ ଓ ଯନ୍ତ୍ର ଏକସଙ୍ଗେ ଭାବୁଛନ୍ତି, ଯୋଗାଯୋଗ ମଧ୍ୟ କରିପାରୁଛନ୍ତି । ମଣିଷର କଥା ଯନ୍ତ୍ର ବୁଝିପାରୁଛି ଆଉ ଯନ୍ତ୍ର ମଧ୍ୟ ମଣିଷ ସହ ଅତି ସୁନ୍ଦର ଭାବେ କଥାବାର୍ତା କରିପାରୁଛି । ଏହା ସମ୍ଭବ ହୋଇପାରିଛି ଅତ୍ୟାଧୁନିକ ବୈଷୟିକ ବିପ୍ଳବ ମାଧ୍ୟମରେ । ବିନା ଡ୍ରାଇଭରରେ ଯାନ ଚାଲିବାଠାରୁ ଆରମ୍ଭ କରି ହ୍ୟୁାମାନ୍‌-ମେସିନ୍ କୋଲାବୋରେସନ୍ ପର୍ଯ୍ୟନ୍ତ ସବୁକିଛିର ଝଲକ ଏହି ବିଶେଷ ଥିମ୍‌ରେ ଦେଖିବାକୁ ମିଳିଛି । ଏହାର ପରିକଳ୍ପନା ଓ ଡିଜାଇନ୍ କରିଛନ୍ତି ପୂଜା କମିଟିର ଜଣେ ଯୁବ ସଦସ୍ୟ । ସେହିପରି ପୂଜା କମିଟି ସଦସ୍ୟମାନେ ଏହାର ପ୍ରଦର୍ଶନ ଦାୟିତ୍ୱ ନେଇ ଅତି ଚମତ୍କାର ଭାବେ କାନ୍ଥରେ ଉତାରିଛନ୍ତି । ସୋଲରେ ପ୍ରସ୍ତୁତ ଏହି ଡିଜାଇନ୍ ସାଉଁଟୁଛି ଖୁବ୍ ଆଦର ।

   ରବିବାରଠାରୁ ପୂଜା କମିଟି ପକ୍ଷରୁ ତିନିଦିନିଆ ସଂକୀର୍ତନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପ୍ରଥମ ସନ୍ଧ୍ୟାରେ କଳସ ସ୍ଥାପନ ସହ ଅଧିବାସ ଅନୁଷ୍ଠିତ ହୋଇଥିଲା । ସେହିଭଳି ସୋମବାର ପ୍ରସାଦ ସେବନ ଏବଂ ମଙ୍ଗଳବାର ନଗର ପରିକ୍ରମା ହେବାର କାର୍ଯ୍ୟସୂଚୀ ରହିଛି । ୧୯୯୬ ମସିହାରେ ସ୍ଥାପନ ହୋଇଥିବା ଏହି ପୂଜା କମିଟି ଏଥର ୩୦ ବର୍ଷ ପୂର୍ତି ପାଳନ କରୁଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ପୂଜା ମଣ୍ଡପ ମଧ୍ୟ ସଜା ହୋଇଛି । ମା’ଙ୍କ ମୃଣ୍ମୟୀ ମୂର୍ତିଙ୍କ ଆଗରେ ଏକ ଛୋଟ ପୋଖରୀ ନିର୍ମିତ କରାଯାଇ ଦୁଇଟି କଳସରୁ ପାଣି ପଡୁଥିବାର ଦୃଶ୍ୟ ମନୋରମ ହୋଇପାରିଛି । ଏହି ପୋଖରୀର ଶୋଭା ବଢ଼ାଉଛି ପଦ୍ମଫୁଲ, ପଦ୍ମପତ୍ର ଆଉ ଦୁଇଟି ହଂସ । ଏହାର ଡିଜାଇନ୍ ମଧ୍ୟ ପୂଜା କମିଟିର ଜଣେ ଯୁବ ସଦସ୍ୟ କରିଛନ୍ତି ଏବଂ ପ୍ରସ୍ତୁତିରେ ଅନ୍ୟ ସଦସ୍ୟମାନେ ସହଯୋଗ କରିଛନ୍ତି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles