ବିଜେପିର ସଂକଟ ମୋଚକ ଧର୍ମେନ୍ଦ୍ର

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ପ୍ରସଂଗରେ କେନ୍ଦ୍ରର ବିଜେପି ସରକରଙ୍କୁ ଟାର୍ଗେଟ କରୁଛନ୍ତି। କିଛି ରାଜ୍ୟରେ କିପରି ଭୋଟ ଗଡବଡ ହୋଇଛି ତାହାର ତଥ୍ୟ ଦେଇ ବିଜେପି ସରକାରକୁ ସିଧାସଳଖ ନିଶାନା କରୁଛି କଂଗ୍ରେସ। ରାହୁଲ ଅଭିଯୋଗ ଦେଶରେ ଚାଲିଛି ଭୋଟ ଚୋରିର ସରକାର । ଭୋଟ କେମିତି ଚୋରୀ ହୋଇଛି ସେ ନେଇ ରାହୁଲ ଗାନ୍ଧିଙ୍କ ଭିଡିଓ ଜାରୀ କରି ବିଜେପି ସରକାରକୁ ଟାର୍ଗେଟ କରୁଛି। ଦେଶର କୋଣ ଅନୁକୋଣରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି। ଏନ୍ ଡିଏ ବିରୋଧୀ ମେଣ୍ଟ ଦଳ ଗୁଡିକ ସଂସଦରୁ ସଡ଼କ ଯାଏ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୋଟ ଚୋରୀ ପ୍ରସଂଗରେ ନିର୍ବାଚନ କମିଶନ ଓ ଶାସକ ଦଳ ହାତ ମିଶାଇ ଭୋଟ ଚୋରୀ କରିଛନ୍ତି ବୋଲି କଂଗ୍ରେସ ସବୁ ରାଜ୍ୟରେ ଅଭିଯୋଗ କରି ବିଜେପିକୁ ସମାଲୋଚନା କରୁଛି। ବିଜେପି ବିରୋଧରେ ଭୋଟ ଚୋରୀ ଅଭିଯୋଗ ରାହୁଲ ଗାନ୍ଧି ଆଣିବା ପରେ କେନ୍ଦ୍ର ସରକାର ପକ୍ଷରୁ କଂଗ୍ରେସକୁ ଟାର୍ଗେଟ କରିବାକୁ ଆଗେଇ ଆସିଛନ୍ତି ମୋଦୀଙ୍କ ସଂକଟ ମୋଚକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ବିଭିନ୍ନ ଉଦାହରଣ ଦେଇ କଂଗ୍ରେସ ଓ ଇଣ୍ଡିମେଣ୍ଟକୁ ଟାର୍ଗେଟ କରିଛନ୍ତି ଓଡିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗଣତନ୍ତ୍ରରେ ଅସ୍ଥିରତା ସୃଷ୍ଟି କରିବାକୁ ହେଉଛି ପ୍ରୟାସ ।

ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ ସମ୍ବିଧାନ ପୁସ୍ତକ ଧରି ବୁଲୁଥିବା ଲୋକ ସାମ୍ବିଧାନିକ ସଂସ୍ଥା ଭାଙ୍ଗିବାକୁ କରୁଛନ୍ତି ପ୍ରୟାସ । ନିର୍ବାଚନ କମିଶନ, ସୁପ୍ରିମକୋର୍ଟ ଉପରେ କାହିଁକି ବିରୋଧୀଙ୍କ ଅବିଶ୍ବାସ ?`ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ଯୋଡିବାକୁ ଚାହୁଁଛି ଇଣ୍ଡି ମେଣ୍ଟ’ ବୋଲି କେନ୍ଦ୍ରମନ୍ତ୍ରୀ ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିଛନ୍ତି । କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ କି କିଛି ନୀତି ନାହିଁ ବୋଲି କଂଗ୍ରେସ ଏପରି ଅଭିଯୋଗ କରୁଥିବା ଧର୍ମେନ୍ଦ୍ର ବିରୋଧୀଙ୍କୁ ଜବାବ ଦେଇଛନ୍ତି । ଯେତେବେଳ ବି ମୋଦୀ ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଛନ୍ତି ସେତେବେଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଆସି ବିରୋଧୀଙ୍କୁ ଦୃଢ଼ ଜବାବ ଦେବାର ଦେଖିବାକୁ ମିଳୁଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସଂକଟ ମୋଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ରାଜନୈତିକ ସମୀକ୍ଷକ କରିଛନ୍ତି ।

ନିର୍ବାଚନରେ ସ୍ୱଚ୍ଛତା ପ୍ରତିପାଦନ କରିବାରେ ନିର୍ବାଚନ କମିସନ ବିଫଳ: ବିଜେଡି

୮ ମାସ ତଳେ ବିଜୁ ଜନତା ଦଳ ତରଫରୁ ଗତ ନିର୍ବାଚନରେ ପରିଲକ୍ଷିତ ଭୋଟ ଅସଙ୍ଗତିକୁ ନେଇ ନିର୍ବାଚନ କମିସନରଙ୍କ ନିକଟରେ ତଥ୍ୟ ପ୍ରଦାନ କରାଯାଇ ଉତ୍ତର ମଗାଯାଇଥିଲା, ଯାହାର ସନ୍ତୋଷଜନକ ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ । ତେଣୁ, ବିଜୁ ଜନତା ଦଳ ଏହି ମାମଲାକୁ ନେଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଆଜି ସୂଚନା ଦେଇଛି ।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ଶ୍ରୀ ଅମର ପଟ୍ଟନାୟକ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ଓ ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଅମର ପଟ୍ଟନାୟକ କହିଥିଲେ, ଗତ ନିର୍ବାଚନରେ ଭୋଟ ଶେଷ ହେବା ପରେ ନିର୍ବାଚନ କମିସନରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଥିଲା । ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ହିସାବରେ, ବିଜେଡି ତରଫରୁ ନିର୍ବାଚନ କମିସନରଙ୍କୁ ଏହି ତାରତମ୍ୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଏହି ତାରତମ୍ୟ ମୁଖ୍ୟତଃ ତିନୋଟି ବିନ୍ଦୁରେ କେନ୍ଦ୍ରିତ ଥିଲା । ପ୍ରଥମଟି ଥିଲା, ରାଜ୍ୟର ସମସ୍ତ ସଂସଦ କ୍ଷେତ୍ରରେ, ଇଭିଏମରେ ପଡ଼ିଥିବା ଭୋଟ ସଂଖ୍ୟା ଅପେକ୍ଷା ଗଣତି ହୋଇଥିବା ଭୋଟ ସଂଖ୍ୟା ଅଧିକ ଥିଲା । ଦ୍ୱିତୀୟଟି ହେଲା ସଂସଦ କ୍ଷେତ୍ରର ଭୋଟ ସଂଖ୍ୟା ଅପେକ୍ଷା ଏହା ମଧ୍ୟରେ ଆସୁଥିବା ବିଧାନସଭାର ସମୁଦାୟ ଭୋଟ ସଂଖ୍ୟା ମଧ୍ୟରେ ଉଲ୍ଲେଖନୀୟ ତାରତମ୍ୟ ରହିଥିଲା । ତୃତୀୟଟି ହେଲା, ନିର୍ବାଚନ ସମୟ ଶେଷ ହୋଇଯିବା ପରେ ଭୋଟ ପଡିବା ସଂଖ୍ୟା ପ୍ରାୟ ୭ ପ୍ରତିଶତରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା । ପଚାଶ ପ୍ରତିଶତ ବିଧାନସଭା ଆସନରେ ଏହି ତାରତମ୍ୟ ୧୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା ।
ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୨୪ ମସିହା ଡିସେମ୍ୱର ୧୯ ତାରିଖରେ ବିଜେଡି ତରଫରୁ ଏହି ସମ୍ୱନ୍ଧରେ ଅଭିଯୋଗ ଦାଖଲ କରାଯାଇ, ଏହାର ଉତ୍ତର ରଖିବାକୁ ଅନୁରୋଧ କରାଯାଇଥିଲା । ଏହାଛଡା, ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପାରଦର୍ଶିତା କରିବା ପାଇଁ, ଭୋଟର ଲିଷ୍ଟ ପ୍ରସ୍ତୁତିରୁ ଆରମ୍ଭ କରି ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଅଡିଟ୍ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ନିର୍ବାଚନ ପ୍ରକ୍ରିୟାର ଏପରି ଅଡିଟ୍ ବ୍ୟବସ୍ଥା ସମସ୍ତ ବିକଶିତ ରାଷ୍ଟ୍ର ମାନଙ୍କରେ ରହିଛି । ସେହିପରି ଭିଭିପ୍ୟାଡ଼ ବ୍ୟବସ୍ଥାରେ, କେବଳ ୫%ରେ ସୀମିତ ନରଖି, ସମସ୍ତ ଭୋଟ ପାଇଁ ଲାଗୁ କରାଯାଉ ବୋଲି ଅନୁରୋଧ କରାଯାଇଥିଲା । ନିୟମ ଅନୁଯାୟୀ ନିର୍ବାଚନ ପରେ, ଫର୍ମ ୧୭ ସି ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯିବା କଥା, କିନ୍ତୁ, ନିର୍ବାଚନ କମିସନ ତାହା ଦେଉନାହାନ୍ତି । ନିର୍ବାଚନ କମିସନ ଆମର ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି । ଭୋଟ ତାରତମ୍ୟ ସମ୍ପର୍କରେ ନିର୍ବାଚନ କମିସନଙ୍କ ତରଫରୁ କୁହାଯାଇଥିଲା, ଯେଉଁ ଇଭିଏମରେ ତ୍ରୁଟି ଥିଲା ସେହି ବାକ୍ସକୁ ଗଣତି ପାଇଁ ବିଚାର କରାଯାଇ ନଥିଲା । କିଛି ଇଭିଏମ୍ରେ ମକ୍ ପୋଲ ସମୟରେ ପଡ଼ିଥିବା ଭୋଟ ଗୁଡିକୁ ବାଦ୍ ଦିଆଯାଇ ନଥିବା କାରଣରୁ ଭୋଟ ଅଧିକ ହୋଇଥିଲା । କିନ୍ତୁ, ଏହାକୁ ବାଦ୍ ନଦେଇ ଭୋଟ ସଂଗ୍ରହ କରିବା ଏକ ଅପରାଧ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଯେହେତୁ, କିଛି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଫଳାଫଳକୁ ନେଇ ଉଚ୍ଚନ୍ୟାୟାଳୟରେ କେସ୍ ଦାଖଲ ହୋଇଛି, ସେଥିପାଇଁ ଫର୍ମ ୧୭ ସି ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିସନଙ୍କ ଉତ୍ତର ସନ୍ତୋଷଜନକ ନୁହେଁ । କାରଣ, ଓଡିଶାରେ ମାତ୍ର ୨୮ଟି ନିର୍ବାଚନ ମଣ୍ଡଳୀରେ କେସ୍ ହୋଇଛି । ଏହାକୁ ଛାଡି ଅନ୍ୟ ନିର୍ବାଚନ ମଣ୍ଡଳୀ ଗୁଡିକର ଫର୍ମ ୧୭ ସି ପ୍ରଦାନ କରିବା କଥା, କିନ୍ତୁ ନିର୍ବାଚନ କମିସନ ସେଗୁଡିକ ମଧ୍ୟ ପ୍ରଦାନ କରୁନାହାନ୍ତି ।
ଶ୍ରୀ ପଟ୍ଟନାୟକ କହିଥିଲେ, ନିକଟରେ ରାହୁଲ ଗାନ୍ଧୀ ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ପରେ ରାଜ୍ୟରେ କଂଗ୍ରେସ ମଧ୍ୟ ପ୍ରଶ୍ନ କରିଛି । କିନ୍ତୁ, ଏହାର ବହୁ ପୂର୍ବରୁ ବିଜୁ ଜନତା ଦଳ ଏହି ପ୍ରସଙ୍ଗ ଉଠାଇଥିଲା । ବିଜେଡି ଦ୍ୱାରା ପୂର୍ବରୁ ଦାବି କରାଯାଇଥିବା ଅଡିଟ୍ ବ୍ୟବସ୍ଥାକୁ ମଧ୍ୟ ରାହୁଲ ଗାନ୍ଧୀ ଦୋହରେଇଛନ୍ତି । ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟବାସୀଙ୍କ ମନରେ ନିର୍ବାଚନର ସ୍ୱଚ୍ଛତାକୁ ସୃଷ୍ଟି ହୋଇଥିବା ସନେ୍ଦହକୁ ଦୂର କରିବାରେ ନିର୍ବାଚନ କମିସନ ସକ୍ଷମ ହୋଇପାରି ନାହାନ୍ତି, ଯେଉଁଥିପାଇଁ ବିଜୁ ଜନତା ଦଳ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଶ୍ରୀମତୀ ଶର୍ମିଷ୍ଠା ସେଠି କହିଥିଲେ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପରଦିନ ମୁଁ ନିର୍ବାଚନ କମିସନଙ୍କୁ ଯାଜପୁର ସଂସଦ କ୍ଷେତ୍ରର ଫର୍ମ ୧୭ ସି ପାଇଁ ଆବେଦନ କରିଥିଲି । ଏହା ମୋତେ ପ୍ରଦାନ କରା ନ ଯିବାରୁ, ମୁଁ ଭାରତର ନିର୍ବାଚନ କମିସନଙ୍କୁ ଚିଠି ଲେଖିଥିଲି, କିନ୍ତୁ, ମୋତେ ସନ୍ତୋଷଜନକ ଉତ୍ତର ମିଳି ନଥିଲା । ଯାହା ଫଳରେ, ମୁଁ ବାଧ୍ୟହୋଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲି । ଏବେ ତାହା ବିଚାରାଧୀନ ରହିଛି ।

ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ : ଆଇନ ମନ୍ତ୍ରୀ

ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର । ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସଂପୂର୍ଣ୍ଣ ଅଲଗା । କିଛି ଦିନ ତଳେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଏବଂ ମହାପ୍ରସାଦ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ଯଦିଓ ମହାପ୍ରସାଦ ଦେଶ ବିଦେଶରେ ଭକ୍ତଙ୍କ ପାଖରେ ପହଞ୍ଚିବା ସୁବିଧା ହେବ । କିନ୍ତୁ ମହାପ୍ରସାଦର ପବିତ୍ରତା ଦୃଷ୍ଟି କୋଣରୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି । କାରଣ ଅନଲାଇନରେ ମହାପ୍ରସାଦ ନିଆଗଲେ, ତାର ପବିତ୍ରତା ଅକ୍ଷୁର୍ଣ୍ଣ ରଖି ପାରିବେ ନାହିଁ ବୋଲି ସନ୍ଦେହ ରହିଛି । ତେଣୁ ମନ୍ଦିର ପ୍ରଶାସନ ଏବଂ ସରକାର ଅନଲାଇନ ମହାପ୍ରସାଦ ବିକ୍ରିକୁ ନେଇ ସହମତ ନାହାନ୍ତି । ସମସ୍ତ ଭକ୍ତଙ୍କୁ ଅନୁରୋଧ, ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇବାର ସୌଭାଗ୍ୟ ପାଆନ୍ତୁ । ମହାପ୍ରସାଦ ଅନଲାଇନ ବିତରଣ ହେଉନାହିଁ । ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିରେ ସରକାର ରାଜି ନାହାନ୍ତି । ଏହା ଅନ୍ୟ ମନ୍ଦିର ପ୍ରଶାସନକୁ ଅନୁରୋଧ ଯେ, ମନ୍ଦିର ପ୍ରସାଦକୁ ଅନଲାଇନରେ ହୋଟେଲ ଖାଦ୍ୟ ଭଳି ବିତରଣ କରନ୍ତୁ ନାହିଁ । ମନ୍ଦିର ଆସି ପ୍ରସାଦ ପାଇବା ହିନ୍ଦୁ ମନ୍ଦିରର ରୀତିନୀତି ।*ଅନ୍ୟପଟେ ଖୁବଶୀଘ୍ର ଅଭଡ଼ା ଦର ରେଟ ଚାର୍ଟ ଲାଗୁ କରାଯିବ । ଏ ବାବଦରେ ବୈଠକ ସରିଛି  ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ସମ ହସ୍ପିଟାଲ-୨ରେ ବିରଳ, ଗୁରୁତ୍ୱପୂର୍ଣ୍ଣ ଶ୍ୱାସନଳୀ ଅସ୍ତ୍ରୋପଚାର: ବଂଚିଲା କର୍କଟ ରୋଗୀଙ୍କ ଜୀବନ

ଆଧୁନିକ  ଚିକିତ୍ସା ଏବଂ ଦଳଗତ କାର୍ଯ୍ୟର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ଫୁଲନଖରା ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ-୨ର ଡାକ୍ତରମାନେ ଜଣେ ୪୦ ବର୍ଷୀୟ କର୍କଟ ରୋଗୀଙ୍କ ରୁଦ୍ଧ ଶ୍ୱାସନଳୀକୁ ସଫଳତାର ସହ ଉନ୍ମୁକ୍ତ କରି ଉଦାହରଣ ସୃଷ୍ଟି କରିଛନ୍ତି ।
ରୋଗୀଙ୍କ ଡାହାଣ ପାଶ୍ୱର୍ ମୁଖ୍ୟ ବ୍ରୋଙ୍କସ ସମ୍ପୂର୍ଣ୍ଣ ଅବରୋଧ ହେତୁ ନିଃଶ୍ୱାସ ନେବାରେ କଷ୍ଟ ହେଉଥିଲା ।
କଟକ ଜିଲ୍ଲା ନିଆଳୀର ବାସିନ୍ଦା ଏହି ରୋଗୀ ୨୦୨୪ ମସିହାରେ ଜିଭ କର୍କଟ ରୋଗ ନିମନ୍ତେ ଅସ୍ତ୍ରୋପଚାର, କେମୋଥେରାପି ଏବଂ ରେଡିଏସନ ୍‌ଥେରାପି ମଧ୍ୟ ଦିଆ ଯାଇଥିଲା । ତେବେ ଗତ ଦୁଇ ମାସ ମଧ୍ୟରେ ତାଙ୍କର ଶ୍ୱାସକ୍ରିୟାରେ କ୍ରମଶଃ ଅସୁବିଧା ଉପୁଜିବା ସହ ଅଧିକ ମାତ୍ରାରେ କାଶ ହେବା ଆରମ୍ଭ ହୋଇଥିଲା । ଅଗଷ୍ଟ ୧ ତାରିଖରେ ତାଙ୍କୁ ହସ୍ପିଟାଲର ପଲମୋନାରୀ ମେଡିସିନ ବିଭାଗରେ ଭର୍ତି କରାଯିବା ସମୟରେ ତାଙ୍କ ଶରୀରରେ ଅମ୍ଳଜାନର ମାତ୍ରା ବିପଦ୍‌ଜନକ ଭାବରେ କମି ଯାଇ ୮୪ ପ୍ରତିଶତକୁ ଖସି ଆସିଥିଲା ।
ଛାତିର ଏକ ସିଟି ସ୍କାନ୍ ଦ୍ୱାରା ବାଇଲେଟରାଲ ହିଲାର୍ ଲଙ୍ଗ ମାସେସ୍ ଥିବା ଜଣାପଡ଼ିଥିଲା । ସେହିପି ଭିଡିଓ ବ୍ରୋଙ୍କୋସ୍କୋପି ରିପୋର୍ଟରେ ଟ୍ୟୁମର ବୃଦ୍ଧି ଦ୍ୱାରା ଡାହାଣ ମୁଖ୍ୟ ବ୍ରୋଙ୍କସ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା ଯାହା ଡାହାଣ ଫୁସ୍‌ଫୁସ୍ ନିମନ୍ତେ ବାୟୁ ପ୍ରବାହକୁ ବନ୍ଦ କରିଦେଇଥିବା ଜଣାପଡ଼ିଥିଲା । ରୋଗୀଙ୍କ ପରିସ୍ଥିତି ଜଟିଳ ହେବାରୁ ଡାକ୍ତରୀ ଦଳ ସେଂଟ୍ରାଲ୍ ଏୟାରୱେ ଟ୍ୟୁମର ଡିବଲକିଂ- ଯାହାକି ଏକ ଅତ୍ୟନ୍ତ ଜଟିଳ ପ୍ରକିୟା କରିବାକୁ ନିଷ୍ପତି ନେଇଥିଲେ ।
ଅସ୍ତ୍ରୋପଚାରର ଦୁଇଟି ପର୍ଯ୍ୟାୟରେ ପ୍ରଥମେ ଅଗଷ୍ଟ ୨ ଏବଂ ଦ୍ୱିତୀୟ ଥର ପାଇଁ ଅଗଷ୍ଟ ୭ ରେ କରାଯାଇଥିଲା । ସାଧାରଣ ଆନେସ୍‌ଥେସିଆ ପ୍ରୟୋଗ ତଥା ଅତ୍ୟାଧୁନିକ କ୍ର୍ରାୟୋ ପ୍ରୋବ୍ ଏବଂ ଇଲେକ୍ଟ୍ରୋସ୍ନେର ଟେକ୍ନୋଲୋଜି ବ୍ୟବହାର କରି ଅତି ସାବଧାନତାର ସହିତ ଏହି ଉପଚାର କରାଯାଇ ଟ୍ୟୁମରକୁ ବାହାର କରାଯିବା ସହ ଶ୍ୱାସନଳୀକୁ ପୁନଃ ଉନ୍ମୁକ୍ତ କରାଯାଇଥିଲା ।
ଅସ୍ତ୍ରୋପଚାର ପରେ ରୋଗୀଙ୍କ ଶରୀରରେ ଅମ୍ଳଜାନର ମାତ୍ର ୯୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ‘ଯେତେବେଳେ ଶ୍ୱାସନଳୀ ସମ୍ପୂର୍ଣ୍ଣ ଭାବରେ ଅବରୋଧିତ ହୋଇଯାଏ, ପ୍ରତ୍ୟେକ ମୁହୂତ୍ୱର୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ଏହିପରି ପାର୍ଥକ୍ୟ ସୃଷ୍ଟିକାରୀ ସଫଳ ଚିକିତ୍ସା କରିବା ସମ୍ଭବପର ଅଟେ’, ବୋଲି ପଲ୍‌ମୋନାରୀ ମେଡିସିନ୍ ବିଭାଗର ସହଯୋଗୀ ପ୍ରଫେସର ଏବଂ ଏହି କ୍ଷେତ୍ରରେ ମୁଖ୍ୟ ସର୍ଜନ ଡାକ୍ତର ସ୍ୱଦେଶ କୁମାର ମହାନ୍ତି କହିଥିଲେ ।
ଡାକ୍ତର ମହାନ୍ତି, ଡାକ୍ତର ରଚିତା ମହାନ୍ତି, ଡାକ୍ତର ସୂର୍ଯ୍ୟ ଶଙ୍କର ମେହେର ଏବଂ ଡାକ୍ତର ରାଜକୃଷ୍ଣ ବେହେରାଙ୍କୁ ନେଇ ଗଠିତ ପଲ୍‌ମୋନାରୀ ମେଡିସିନ୍ ଅସ୍ତ୍ରୋପଚାର ଦଳ ଏବଂ ବିଭାଗୀୟ ମୁଖ୍ୟ ଡାକ୍ତର ସୁଦୀପ ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ଆନେସ୍‌ଥେସିଆ ଦଳ ମଧ୍ୟରେ ଘନିଷ୍ଠ ସହଯୋଗ ଯୋଗୁଁ ଏହି ଅସ୍ତ୍ରୋପଚାର ସଫଳ ଭାବେ ସମ୍ଭବ ହୋଇପାରିଥିଲା । ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଡାକ୍ତର ଜଗଦୀଶ ଜେନା, ଡାକ୍ତର ରଞ୍ଜିତା ବକ୍ସି, ଡାକ୍ତର ପ୍ରଜ୍ଞା ନନ୍ଦ, ଡାକ୍ତର ରୋହନ ରୋଶନ ନାୟକ ଏବଂ ଡାକ୍ତର ପ୍ରତ୍ୟାଶା ନାୟକ ରହିଥିଲେ ।
ଏହି ଗୁରୁତ୍ୱପୂର୍ଣ୍ଣ ଏୟାରୱେ ପ୍ରକ୍ରିୟା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଶେଷଜ୍ଞ ଦଳ ଦ୍ୱାରା ସମ୍ପାଦିତ ହୋଇଥିଲେ ମଧ୍ୟ ଏହା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟିର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ ପ୍ରତିଫଳିତ କରିଛି । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଭିତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ପ୍ରତି ପ୍ରଫେସର ନାୟକଙ୍କ ପ୍ରତିବଦ୍ଧତା ରାଜ୍ୟ ମଧ୍ୟରେ ଏପରି ଜଟିଳ ଏବଂ ଜୀବନ ରକ୍ଷାକାରୀ ହସ୍ତକ୍ଷେପ ଉପଲବ୍ଧ କରିପାରିଛି ।
କାୟୋ ଏବଂ ଇଲେକ୍ଟ୍ରୋସ୍ନେର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଂଟ୍ରାଲ୍ ଏୟାରୱେ ଟ୍ୟୁମର ଡିବଲକିଂ ଚିକିତ୍ସା ଓଡ଼ିଶାର କେବଳ କିଛି ହାତଗଣିତ କେନ୍ଦ୍ରରେ ଉପଲବ୍ଧ । ଏହି ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ନିମନ୍ତେ ଅତ୍ୟାଧୁନିକ ହସ୍ପକ୍ଷେପକାରୀ ପଲମୋନୋଲଜି ପ୍ରକ୍ରିୟା ବ୍ୟବହାର କରିବା କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ପାଲଟିଛି ।

ସମ୍ମମ୍‌ ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ

ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିତ କର୍ମଶାଳା ଏବଂ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି ।ଆୟୋଜିତ ଏହି ଦିନିକିଆ କର୍ମଶାଳାରେ ଓଡିଶାର ବିଭିନ୍ନ ସ୍ଥାନରୁ ପୁରୁଷ ଚିକିତ୍ସାବିଜ୍ଞାନୀ ଉପସ୍ଥିତି ରହିଥିଲେ ।ଏହି କାର୍ଯ୍ୟକ୍ରମରେ ନ୍ୟାସ୍‌ନାଲ୍ ମେଡିକାଲ୍ କମିଶନ (ଏନ୍‌ଏମ୍‌ସି)ର ଅଧ୍ୟକ୍ଷ ଡକ୍ଟର ବିଜୟ ଓଜା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ବିଶିଷ୍ଟ ବିଶେଷଜ୍ଞମାନଙ୍କ ମଧ୍ୟରେ ବରିଷ୍ଠ ୟୁରୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଏବଂ ଟ୍ରାନ୍ସପ୍ଲାଂଟ ସର୍ଜନ, ପ୍ରଫେସର (ଡାକ୍ତର) ଦତେଶ୍ୱର ହୋତା, ସମ୍ ଅଲ୍ଟିମେଟର ମେଡିକେୟାର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ସମ୍ ହସ୍ପିଟାଲର ୟୁରୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଦେବବ୍ରତ ସାବତ ଏବଂ ସମ୍ମମ୍‌ର ୟୁରୋଲୋଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଣବ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରତିଷ୍ଠିିତ ଚିକିତ୍ସା ବିଜ୍ଞାନୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରିଥିଲା । ସେମାନଙ୍କ ମଧ୍ୟରେ ଡାକ୍ତର ଦୀପକ ଗୁପ୍ତେ, ଡାକ୍ତର ପ୍ରଶାନ୍ତ ପଟ୍ଟନାୟକ, ଡାକ୍ତର ପ୍ରିୟଙ୍କା କୋଠାରି (ମୁମ୍ବାଇ), ଡାକ୍ତର ପ୍ରିୟରଂଜନ ନନ୍ଦୀ, ଡାକ୍ତର ନିଳାଞ୍ଜନ ମିତ୍ର (କୋଲକାତା), ଡାକ୍ତର ବିନୀତ ମାଲହୋତ୍ରା (ଦିଲ୍ଲୀ), ଡାକ୍ତର କାର୍ତିକେୟାନ୍ ଭି.ଏସ୍ (ଚେନ୍ନାଇ), ଡାକ୍ତର ପୁଭାଇ ମୁରୁଗାନ୍ (କୋଏମ୍ବାଟୁର), ଡାକ୍ତର ହରପ୍ରୀତ ସିଂ (ଜାମସେଦପୁର) ଏବଂ ଡାକ୍ତର ପ୍ୟାରିଲାଲ୍ ତ୍ରିପାଠୀ (ବରଗଡ) ପ୍ରମୁଖ ଉପସ୍ଥିତ ଥିଲେ ।

ଡାକ୍ତର ଓଜା କହିଥିଲେ ଯେ “ ଆଣ୍ଡ୍ରୋଲୋଜି ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଆମର ଡାକ୍ତରୀ ଶିକ୍ଷା ବ୍ୟବସ୍ଥାରେ ଏହାର ସୀମିତ ଉପସ୍ଥିତି ରହିଛି । ବର୍ଦ୍ଧିତ ପରିସର, ବିଶେଷଜ୍ଞଙ୍କ ଯୋଗ୍ୟତା ଏବଂ କେନ୍ଦ୍ରିତ ତାଲିମ ସହିତ ଏହାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସଂସ୍କାର ଅଣାଯାଉଛି ବୋଲି ଡାକ୍ତର ଓଜା କହିଥିଲେ ।

ପ୍ରଫେସର(ଡାକ୍ତର) ହୋତା ପୁରୁଷ ଯୌନ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏହି ପ୍ରସଙ୍ଗକୁ ସମ୍ମୁଖକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ । “ଏହା ସ୍ୱାସ୍ଥ୍ୟ ଶିକ୍ଷାରେ ଏକ ଅବହେଳିତ ବିଷୟ ହୋଇ ରହିଛି । ଯେଉଁ କାରଣରୁ ଅନେକଙ୍କୁ ନୀରବରେ କଷ୍ଟ ଭୋଗିବାକୁ ବାଧ୍ୟ କରୁଛି । ଏହି କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କୁ ଏପରି ଚିନ୍ତାଧାରାକୁ ପ୍ରଭାବଶାଳୀ ଭାବରେ ଚିହ୍ନଟ କରିବା, ସମାଧାନ କରିବା ଏବଂ ଚିକିତ୍ସା କରିବା ପାଇଁ ଉତ୍ସାହିତ କରିବ । ଏହି କ୍ଷେତ୍ରରେ ଏହା ଏକ ପରିବର୍ତନର ଆରମ୍ଭ ବୋଲି ସେ କହିଥିଲେ ।”

ବ୍ରିଗେଡିୟର (ଡାକ୍ତର) ମିଶ୍ର ଏହି ବିଷୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ “ପୂର୍ବ ଭାରତରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାର ପୁରୁଷ ଯୌନ ସ୍ୱାସ୍ଥ୍ୟ ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି । ଯାହା ପ୍ରମୁଖ ବିଶେଷଜ୍ଞ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ଏକତ୍ରିତ କରିଛି । ଆଣ୍ଡ୍ରୋଲୋଜିକୁ ମୁଖ୍ୟଧାରାରେ ସାମିଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆମର ପ୍ରତିବଦ୍ଧତାକୁ ସୁଦୃଢ କରିପାରିଛି ବୋଲି ସେ କହିଥିଲେ ।”

ସମ୍ ଅଲ୍ଟିମେଟ ମେଡିକେୟାର ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ପ୍ରକୃତ ସ୍ୱାସ୍ଥ୍ୟସେବା ମାନବ କଲ୍ୟାଣର ପ୍ରତ୍ୟେକ ଦିଗକୁ ସମ୍ବୋଧିତ କରେ । ଏପରିକି ଅକଥିତ ବିଷୟଗୁଡିକୁ ମଧ୍ୟ ପୁରୁଷ ଯୌନସ୍ୱାସ୍ଥ୍ୟ ଜୀବନର ଗୁଣବତା ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ସୋଆ ସର୍ବଦା ଚିକିତ୍ସା ଜ୍ଞାନ ଏବଂ ନବସୃଜନକୁ ଆଗକୁ ବଢାଇବାରେ ସହାୟକ ହୋଇଛି । ଆଣ୍ଡ୍ରୋଏକ୍ସେଲ୍ ପୁରୁଷ ଯୌନ ସ୍ୱାସ୍ଥ୍ୟ ଏବଂ ବନ୍ଧ୍ୟାତ୍ୱ ଭଳି ଅଣଦେଖା କ୍ଷେତ୍ରଗୁଡିକୁ ସମାଧାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହା ରୋଗୀଙ୍କ ପାଇଁ ଲାଭଦାୟକ ପରିବର୍ତନ ଆଣିଥାଏ । ଡାକ୍ତରମାନଙ୍କୁ ସଶକ୍ତ କରିଥାଏ ଏବଂ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ୍‌କୁ ସୁଦୃଢ କରିଥାଏ ବୋଲି ପ୍ରଫେସର ନାୟକ କହିଛନ୍ତି ।

କୋରାପୁଟରେ ମୁଖ୍ୟମନ୍ତ୍ରୀ ଦେଲେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି

“ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ  ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି ବୋଲି ଆଜି କୋରାପୁଟ ଜିଲ୍ଲାର  ଜୟପୁର ଠାରେ ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ, କୋରାପୁଟ ଜିଲ୍ଲାରେ, ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୪୩୬ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ୩୦୯.୪୨ କୋଟି ଟଙ୍କା ମୂଲ୍ୟର ୧୨୬ ଟି ନୂତନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ।

ସୂଚନା ଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ କୋରାପୁଟ ଜିଲ୍ଲାରେ ୭୬୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ସେତୁ, ସଡକ, ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନମୂଳକ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ଜିଲ୍ଲାର ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହିତ ଖୁବ ଶୀଘ୍ର ଜୟପୁର ରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ଯ ଘୋଷଣା କରିଛନ୍ତି ଯେ, ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ ଓ ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଆର୍ଥିକ ଅଭାବରୁ ଯେଉଁ ମା’ ମାନେ ନିଜ ସ୍ୱପ୍ନକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି, ସେମାନଙ୍କ ପାଇଁ ଆଶାର କିରଣ ସାଜିଛି ‘ସୁଭଦ୍ରା’। ସରକାରଙ୍କ ଲକ୍ଷ୍ୟ ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା ଓ ଆତ୍ମନିର୍ଭର ଭାରତ ଗଢିବାରେ ସାମିଲ ହେବା। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ମା’ ମାନେ ନିଜ ନିଜ ଛୋଟ ବଡ ବ୍ୟବସାୟ ଆରମ୍ଭ କରିପାରିଛନ୍ତି, ଆଉ କିଛି ଅଧିକ ପୁଞ୍ଜି ବିନିଯୋଗ କରି ନିଜ ନିଜର କ୍ଷୁଦ୍ର ବ୍ୟବସାୟକୁ ବୃଦ୍ଧି କରିଛନ୍ତି।

ଆମ ସରକାର ନିଜର ଆନ୍ତରିକ ପ୍ରଚେଷ୍ଟାରେ କୋଟିଆ ଗ୍ରାମ ପଞ୍ଚାୟତ ରେ ବସବାସ କରୁଥିବା ମହିଳା ମାନଙ୍କୁ ସଫଳ ଭାବେ ‘ସୁଭଦ୍ରା’ ଯୋଜନା ସହ ଯୋଡି ପାରିଛନ୍ତି ।
କୋଟିଆ ଗ୍ରାମ ପଞ୍ଚାୟତରେ ମୋଟ ୨୦୭୮ଟି ଆବେଦନ ମଧ୍ୟରୁ ୧୭୯୭ ଜଣ ପ୍ରଥମ କିସ୍ତି ଓ ୧୭୯୫ ଜଣ ଦ୍ୱିତୀୟ କିସ୍ତି ଅର୍ଥ ରାଶି ପାଇଛନ୍ତି । ଆଜି ତୃତୀୟ କିସ୍ତି ବାବଦରେ କୋଟିଆର ୧୭୮୩ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେ, ଆମ ସରକାରଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ସେମାନେ କେବଳ ଏକ ଭୋଟ ବ୍ଯାଙ୍କ ନୁହନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ମହିଳା ସଶକ୍ତିକରଣ ନାଁ ରେ ରାଜ୍ୟର କୋଟି କୋଟି ମହିଳାଙ୍କୁ କେବଳ ରାଜନୈତିକ ପଶାପାଲିରେ ଗୋଟିଭାବେ ବ୍ୟବହାର କରାଯାଉଥିଲା। ଏହା ସମଗ୍ର ନାରୀ ସମାଜ ପାଇଁ ଅପମାନ। ଆମ ସରକାର ଆସିବାର ପ୍ରାୟ ଏକ ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣକୁ ଏକ ନୂତନ ଦିଗନ୍ତ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାର ଉଦାହରଣ ହେଉଛି, ‘ଲକ୍ଷପତି ଦିଦି’। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପରିକଳ୍ପିତ ଏହି ସଶକ୍ତିକରଣ କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ଆମ ଓଡ଼ିଶାରେ ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ସୁଭଦ୍ରା ଯୋଜନା ଅଧିନରେ ଆମର ମା’ମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ପ୍ଲସ, ଉଦ୍ୟୋଗୀ କରିବା ପାଇଁ ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକାରୀ କରାଯାଇଥିବା ବେଳେ କିଶୋରୀମାନଙ୍କ ପାଇଁ ସୁଭଦ୍ରା କିଶୋରୀ, ସଞ୍ଚୟ ପାଇଁ ସୁଭଦ୍ରା ସଞ୍ଚୟ, ସୁରକ୍ଷା ପାଇଁ ସୁଭଦ୍ରା ସୁରକ୍ଷା ଏବଂ ସାମୁହିକ ନେତୃତ୍ୱର ବିକାଶ ପାଇଁ ସୁଭଦ୍ରା ସଖୀ ଯୋଜନା କାର୍ଯ୍ୟକାରୀ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେଯେ କୋରାପୁଟର କୋଟିଆ ଗ୍ରାମ ପଞ୍ଚାୟତରେ ମୋଟ ୨୦୭୮ଟି ଆବେଦନ ମଧ୍ୟରୁ ୧୭୯୭ ଜଣ ପ୍ରଥମ କିସ୍ତି ଓ ୧୭୯୫ ଜଣ ଦ୍ୱିତୀୟ କିସ୍ତି ଅର୍ଥ ରାଶି ପାଇଛନ୍ତି । ଆଜି ତୃତୀୟ କିସ୍ତି ବାବଦରେ କୋଟିଆର ୧୭୮୩ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି। ଖୁସିର କଥା ଆମ ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟାରେ କୋଟିଆ ଗ୍ରାମ ପଞ୍ଚାୟତର ମହିଳାମାନେ ମଧ୍ୟ ଆମ ସୁଭଦ୍ରା ଯୋଜନା ସହିତ ଯୋଡି ହୋଇଛନ୍ତି ।

ସୁଭଦ୍ରା ମାଧ୍ୟମରେ ଆମେ କେବଳ ଆର୍ଥିକ ସ୍ୱାଧୀନତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁନାହୁଁ ବରଂ ଶିକ୍ଷା, ଦକ୍ଷତା, ଏବଂ ରୋଜଗାରର ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ମଧ୍ୟ ଦୂର କରୁଛୁ । ସୁଭଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତାକୁ ପୁଞ୍ଜି ଭାବେ ବ୍ୟବହାର କରି ଆଜି ରାଜ୍ୟର ଲକ୍ଷ ଲକ୍ଷ ମା’ ଓ ଭଉଣୀମାନେ ଛୋଟ ବଡ ବ୍ୟବସାୟ ଆରମ୍ଭ କରି ନିଜ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇ ପାରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନିଜ ଅଭିଭାଷଣରେ କହିଛନ୍ତି।

ଗୋଟିଏ ବର୍ଷ ତଳେ ମହିଳାଙ୍କ ଆଖିରେ ଯେଉଁ ବିଶ୍ୱାସ ଆମେ ଦେଖିଥିଲୁ, ସେ ବିଶ୍ୱାସ ଆଜି ଫଳପ୍ରଦ। ସରକାରଙ୍କ ଲକ୍ଷ୍ୟ ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା । ଏହି ଯୋଜନା ମାଧ୍ୟମରେ ସରକାର ମହିଳାମାନଙ୍କ ଜୀବନର ଏକାଧିକ ଦିଗରୁ ଉନ୍ନତ କରିବାର ଲକ୍ଷ୍ୟ ରଖିଛନ୍ତି ଏବଂ  ଏହା ସେମାନଙ୍କ ସାମାଜିକ ଅବସ୍ଥାକୁ ମଜବୁତ କରିବା, ସଫଳତା ପାଇଁ ସାଧନ ଓ ସୁଯୋଗ ଆଦି ଯୋଗାଇବା ଦିଗରେ ସରକାରଙ୍କ ଦୃଢ ସଂକଳ୍ପକୁ  ପ୍ରତିପାଦନ କରୁଅଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି ଅବସରରେ କହିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟମନ୍ତ୍ରୀଙ୍କ ହାତରେ ସୁଭଦ୍ରା ରାକ୍ଷୀ ବାନ୍ଧି ଏହି ସମାରୋହକୁ ପାରମ୍ପାରିକ ଭାବେ ଅନୁଷ୍ଠାନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଏକ କୋଟି ମହିଳା ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଏଥି ସହିତ ମଞ୍ଚ ଉପରେ ସୁଭଦ୍ରା ଯୋଜନାରୁ ସଫଳତା ପାଇଥିବା ମହିଳାଙ୍କୁ ଓ ଏହି ଯୋଜନାକୁ ସଫଳ କରାଉଥିବା ମହିଳାଙ୍କୁ ସମ୍ମାନିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ, ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଖଣି ଓ ଷ୍ଟିଲ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ନବରଙ୍ଗପୁର ସାଂସଦ, ଶ୍ରୀଯୁକ୍ତ ବଳଭଦ୍ର ମାଝି
ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ, ନରସିଂହ ମାଡକାମୀ, ଗୌରୀ ଶଙ୍କର ମାଝୀ, ମହିଳା ଓ ଶିଶୁ ବିକାଶ ବିଭାଗ, ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଓ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୁପୁ ଭତ୍ରା ଧନ୍ୟବାଦ ଦେଇଥିଲେ।

ଚାଷୀ ପାଇଁ ବରଗଡରେ ମହା ସମାବେଶ କରିବ ବିଜେଡି

 ବିଜେପି ସରକାରଙ୍କ ଗତ ୧୩ ମାସର ଶାସନ ସମୟରେ ଚାଷୀକୂଳର ସ୍ୱାର୍ଥକୁ ଅଣଦେଖା କରିଛନ୍ତି, ଯେଉଁଥିପାଇଁ ଚାଷୀ ଭାଇମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ଓ ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ବରଗଡ଼ ଠାରେ ବିରାଟ ଚାଷୀ ସମାବେଶ କରିବ ବୋଲି ବିଜୁ ଜନତା ଦଳ ଆଜି ଘୋଷଣା କରିଛି ।

  1. ଦଳର କୃଷକ ସେଲ୍ର ଆବାହକତ୍ୱରେ ଆଜି ରାଜ୍ୟସ୍ତରୀୟ ଏକ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା । ବୈଠକକୁ କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ କୃଷକ ପ୍ରତିନିଧିମାନଙ୍କ ସହିତ ଦଳର ବରିଷ୍ଠ ନେତା ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀ ଅରୁଣ ସାହୁ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପ୍ରତାପ ଜେନା, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ପ୍ରୀତିରଞ୍ଜନ ଘଡେଇ, ଶ୍ରୀ ବଦି୍ର ପାତ୍ର, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଅମର ପଟ୍ଟନାୟକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀ ରମେଶ ମାଝୀଙ୍କ ସହିତ ଦଳୀୟ ବିଧାୟକଗଣ ଓ ବିଭିନ୍ନ ଜିଲ୍ଲାର ସଭାପତିମାନେ ଅଂଶଗ୍ରହଣ କରିଥିଲେ । ରାଜ୍ୟରେ କୃଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।

  2. ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ, ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଉପରେ ବର୍ଷିଥିଲେ ।

  3. ଶ୍ରୀ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି । ଏହି କାରଣରୁ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ କୃଷି ଉତ୍ପାଦନର ବିକାଶ ହାର ୭.୮% ଥିଲାବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୩.୮%କୁ ଖସିଆସିଛି । ସେହିପରି, ଡବଲ ଇଞ୍ଜିନ ଓ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ସମୟରେ କେନ୍ଦ୍ରୀୟ ଅନୁଦାନ କମିଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ, ୨୦୨୪-୨୫ ଆର୍ଥିକ ବର୍ଷରେ, କେନ୍ଦ୍ରୀୟ ଅନୁଦାନ ୧୮.୧୯% କମିଥିବା ବେଳେ କୃଷି କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ କମିଛି । ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୬ କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ୩୨ କୋଟି ଟଙ୍କାକୁ ଖସି ଆସିଛି । ସେହିପରି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡିଶାକୁ ୨୨୩ କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ କୌଣସି ଅନୁଦାନ ମିଳିଲା ନାହିଁ ।

  4. ଶ୍ରୀ ଆଚାର୍ଯ୍ୟ ଆହୁରି କହିଥିଲେ, ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ରବି ଧାନ କିଣା ପାଇଁ ଚାଷୀମାନଙ୍କୁ ପଞ୍ଜିକୃତ କରିବାକୁ ଆହ୍ୱାନ କରାଯାଇଥିବା ବେଳେ ଏହି ପଞ୍ଜିକରଣ ପାଇଁ ଯେଉଁସବୁ ସର୍ତ୍ତ ରଖାଯାଇଛି ତାହା ଅତ୍ୟନ୍ତ ଜଟିଳ ହୋଇଥିବାରୁ ଅଧିକାଂଶ ଚାଷୀମାନେ ପଞ୍ଜିକରଣ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି । ଜମିର ମାଲିକାନା ଥିବା ବ୍ୟକ୍ତିଙ୍କ ସମସ୍ତ ପରିବାର ସଦସ୍ୟଙ୍କ ସ୍ୱୀକୃତି ପତ୍ର ଦାଖଲ କରିବା ପାଇଁ କୁହାଯାଇଛି, ଯାହା ଅଧିକାଂଶ ଚାଷୀଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ରାଜ୍ୟର ଚାଷୀଭାଇ ମାନଙ୍କୁ ଧାନ ବିକ୍ରି ପ୍ରକ୍ରିୟାରୁ ନିବୃତ କରିବା ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ଚାଲ୍ । କାରଣ, ଧାନ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି ପ୍ରଦାନ ସରକାରଙ୍କ ପ୍ରତିଶ୍ରୁତି ରାଜ୍ୟର ଆର୍ଥିକ ବୋଝକୁ ବଢ଼ାଉଛି । ଏଥିରୁ ମୁକୁଳିବା ପାଇଁ ରାଜ୍ୟ ସରକାର ଏଭଳି ଫନ୍ଦି ବାହାର କରିଛନ୍ତି ।

  5. ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ବିଜେପି ବିନା କଟ୍ନୀ ଛଟ୍ନୀରେ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, ଖରିଫ ଧାନ କିଣା ସମୟରେ, ରାଜ୍ୟ ସରକାର ଧାନ କିଣା ସମୟରେ, ଗ୍ରେଡ୍ ଆନାଲାଇଜର ଲଗାଇଲେ ଯାହା ଫଳରେ ଧାନ ପ୍ରତି କୁଇଣ୍ଟାଲରେ ପ୍ରାୟ ଦଶରୁ ପନ୍ଦର କେଜି କଟ୍ନୀ ଛଟ୍ନୀ ହେଲା । ବିଜେପିର ବିନା କଟ୍ନୀ ଛଟ୍ନୀରେ ଧାନ କିଣା ଓ ଦଲାଲ ମୁକ୍ତ ଧାନ କିଣା ପ୍ରତିଶ୍ରୁତି ବାସ୍ତବରେ ଏକ ଧୂଅାଁବାଣରେ ପରିଣତ ହୋଇଛି ।

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ନିର୍ବାଚନ ସମୟରେ ବିଜେପି ତରଫରୁ ସ୍ୱାମୀନାଥନ କମିସନଙ୍କ ସୁପାରିଶ ଅନୁଯାୟୀ ଧାନର ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାର ଇନ୍ପୁଟ୍ ସବ୍ସିଡି ନାମରେ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ, ଖରିଫ ଓ ରବି ଧାନ କିଣା ସମୟରେ, ଟୋକନ ମିଳିଥିବା ଅଧିକାଂଶ ଚାଷୀମାନଙ୍କ ଧାନ ଉଠିପାରିଲା ନାହିଁ । ଯୋଗାଣ ବିଭାଗର ରିପୋର୍ଟ ଅନୁଯାୟୀ, ପ୍ରାୟ ୧ ଲକ୍ଷ ୫୩ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇ ପାରିନାହିଁ, ଯେଉଁଥିପାଇଁ ସମଗ୍ର ଓଡିଶାରେ ଚାଷୀମାନେ ହଇରାଣ ହରକତ ହେଉଛନ୍ତି । ସେହି ସମସ୍ୟା ସମାଧାନ ହୋଇନଥିବା ବେଳେ, ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଖରିଫ ଧାନ ପାଇଁ ପଞ୍ଜିକରଣ ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ ଓ ଚାଷୀ ମାରଣ ପାଇଁ ଉଦ୍ଦିଷ୍ଟ । ଏହି ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ବିଜୁ ଜନତା ଦଳ ଦାବି କରୁଛି । ଓଡ଼ିଶାର ଚାଷୀକୂଳ ଆଜି ପ୍ରତାରିତ ହୋଇଛି । ପ୍ୟାକ୍ସ ଜରିଆରେ ଯେଉଁ ସାର ମିଳିବା କଥା ଆଜି ତାହା ମିଳିପାରୁ ନାହିଁ । ଓଡିଶା ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ପ୍ରତିବାଦ କରି ଚଳିତ ମାସ ୧୮ ତାରିଖରେ ବରଗଡ଼ ଠାରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହେବ, ଯେଉଁଥିରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଚାଷୀ ମାନେ ଯୋଗଦେଇ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ରଣହୁଙ୍କାର ଦେବେ ।

ଓଡ଼ିଶାରେ ଚାଲିଛି ଭୋଟ ଚୋରୀ ସରକାର: କଂଗ୍ରେସ

 ଗତକାଲି ଭାରତୀୟ ଗଣତନ୍ତ୍ରକୁ ପତନରୁ ବଞ୍ଚାଇବା ପାଇଁ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ମହାନ ଉଦ୍ୟମ ଥିଲା ଏବଂ ଭାରତୀୟ ଗଣତନ୍ତ୍ରରେ ଏହି ଦିନ ଐତିହାସିକ ହୋଇ ସବୁ ଦିନ ପାଇଁ ସ୍ଥାନ ପାଇବ । ଗତକାଲି ଅଖିଳ ଭାରତ କଂଗ୍ରେସ କମିଟି ଅଫିସଠାରେ ରାହୁଳ ଗାନ୍ଧୀ ଭୋଟ ଚୋରୀ କେମିତି ନିର୍ବାଚନ ଆୟୋଗ କରିଛନ୍ତି ତାହାକୁ ନେଇ ବିସ୍ଫୋରଣ କରିଥିଲେ । ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମଙ୍କ ସମ୍ମୁଖରେ ଭାରତୀୟ ନିର୍ବାଚନ ଆୟୋଗ କିଭଳି “ଭୋଟ ଚୋରୀ” ମାଧ୍ୟମରେ ବିଜେପିକୁ କ୍ଷମତାସୀନ କରିଛନ୍ତି ତାହା ସମ୍ପୂର୍ଣ ତଥ୍ୟ ଏବଂ ପ୍ରମାଣ ସହ ପ୍ରାୟ ୧ ଘଣ୍ଟାରୁ ଉର୍ଧ୍ଵ ସମୟ ଧରି ବର୍ଣ୍ଣନା କରିଥିଲେ । ନିର୍ବାଚନ ଆୟୋଗଙ୍କ ଏହି ଭୋଟ ଚୋରୀ ପରିପେକ୍ଷୀରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନେତା ବିପକ୍ଷ ରାହୁଳ ଗାନ୍ଧୀଙ୍କ ତଥ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଭୋଟ ଚୋରୀ ବିଷୟରେ ତାର୍କିକ ବିବରଣୀ ପ୍ରଦାନ କରିଥିଲେ ।

ପିସିସି ସଭାପତି ଦାସ କହିଲେ, ଯଦି ଏଭଳି ଭୋଟ ଚୋରୀ ମାଧ୍ୟମରେ ସରକାର ଗଠନ ହୁଏ ତେବେ ଭୋଟର ମର୍ଯ୍ୟାଦା ହାନୀ ହେବା ସହ ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ହେବେ ନାହିଁ । ଲୋକମତ ଚୋରୀ କରି କ୍ଷମତାକୁ ଆସିଥିବା ବ୍ୟକ୍ତି କେବେ ଗଣତାନ୍ତ୍ରିକ ବ୍ୟବହାର କରି ପାରିବ ନାହିଁ । ଗତ ଲୋକସଭା ନିର୍ବାଚନରେ ବିଜେପି ସମ୍ପୂର୍ଣ ହାରିବା ସ୍ଥିତିରେ ଥିଲା ଯଦି ବିହାରରେ ଜେଡିୟୁ, ଆନ୍ଧ୍ରରେ ଟିଡିପି ଏବଂ ଓଡିଶାରେ ବିଜେଡି ସୁପ୍ରିମୋ ସାଲିସ କରି ନ ଥାନ୍ତେ ତେବେ ଦିଲ୍ଲୀରେ ଇଣ୍ଡିଆ ଗଟବନ୍ଧନ ସରକାର କ୍ଷମତାକୁ ଅସିଥାନ୍ତା । ମହାରାଷ୍ଟ୍ରରେ ଗୋଟିଏ କୋଟି ଭୋଟ ଚୋରୀ କରାଯାଇଛି । ସମସ୍ତ ଏକଜିଟ ପୁଲ, ଜନମତ ଏବଂ ରାଜନୈତିକ ଗତି ମିଥ୍ୟା ସାବ୍ୟସ୍ତ ହେଲା ଏବଂ ବିଜେପି ମହାରାଷ୍ଟ୍ରରେ ବିଜୟ ଲାଭ କଲା । ଏହା କେବଳ ସମ୍ଭବ ହୋଇଛି ନିର୍ବାଚନ ଆୟୋଗଙ୍କ ଭୋଟ ଚୋରୀ ମାଧ୍ୟମରେ ।

ଓଡିଶା ସଂସଦୀୟ ନିର୍ବାଚନ ପରେ ୪୨ ଲକ୍ଷ ଅଧିକ ଭୋଟ ପଡ଼ିଥିବା କଥା ବିଶିଷ୍ଟ ସାମ୍ବାଦିକ ପୁଣ୍ୟ ପ୍ରସୂନ ବାଜପେୟୀ ବାରମ୍ବାର ଉପସ୍ଥାପନ କରିଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଆୟୋଗ ନେଇ ନଥିଲେ । ଆଶ୍ଚର୍ଯ୍ୟର କଥା ବିଜେଡି ୫୧ ଗୋଟି ବିଧାନସଭା ଆସନ ଜିତିଥିଲେ କିନ୍ତୁ ଗୋଟାଏ ଲୋକସଭା ଆସନ ମଧ୍ୟ ଜିତି ପାରିଲେ ନାହିଁ । ଏହା ଅସମ୍ଭବ । ଧନ୍ୟବାଦ ରାହୁଳ ଗାନ୍ଧୀ ଯିଏ କି ବିଗତ ବର୍ଷ ବର୍ଷ ଧରି ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ସତ ସାହସ ଦେଖାଇଛନ୍ତି ଏବଂ ଭୋଟ ଚୋରୀ ରହସ୍ୟ ଜନତାଙ୍କ ଆଗରେ ଉଜାଗର କରିଛନ୍ତି ।

ନିର୍ବାଚନ କମିଶନ କେମିତି ଭୋଟ ଚୋରୀ ମାଧ୍ୟମରେ ଲୋକଙ୍କ ସହିତ ବିଶ୍ୱାସଘାତ କରି ବିଜେପିକୁ କ୍ଷମତାସୀନ କରିଛି ଏସବୁ ବିଷୟରେ କଂଗ୍ରେସ ଆସନ୍ତା ସୋମବାର ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଜଣାଇବା ସହିତ ଗ୍ରାମ ଗ୍ରାମରେ ଭୋଟ ଚୋରୀ ବିଷୟରେ ଲୋକଙ୍କୁ ସଚେତନ କରାଯିବ । ରାହୁଳ ଗାନ୍ଧୀଙ୍କ ଗଣତନ୍ତ୍ର ବଞ୍ଚାଇବା ସତସାହସକୁ ଏକ ବିରାଟ ଆନ୍ଦୋଳନର ରୂପ ଦିଆଯିବ ବୋଲି ସଭାପତି ଦାସ କହିଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନିଜ ବକ୍ତବ୍ୟରେ କହିଲେ ଯେ, ଆମେ ଜିନିଷ ପତ୍ର ଚୋରୀ ହେବା ଶୁଣିଛୁ ଏବଂ ଦୀର୍ଘ ଦଶନ୍ଧି ହେବ ଗଣତାନ୍ତ୍ରିକ ରାଜନୀତିରେ ଅଛୁ କିନ୍ତୁ ଏଭଳି ଭୋଟ ଚୋରୀ କାର୍ଯ୍ୟ ଆମେ କେବେ ଶୁଣି ନ ଥିଲୁ । ରାହୁଳ ଗାନ୍ଧୀ ତଥ୍ୟ ପ୍ରମାଣ ସହ ନିର୍ବାଚନ ଆୟୋଗଙ୍କ ଭୋଟ ଚୋରୀର ପର୍ଦାଫାଶ ପାଇଁ ଯେଉଁ ସାହାସିକତା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ । ରାହୁଳ ଗାନ୍ଧୀ ନିର୍ବାଚନ ଆୟୋଗଙ୍କୁ ଭୋଟର ଲିଷ୍ଟର ଡିଜିଟାଲ ଡାଟା ଏବଂ ସିସିଟିଭି ଫୁଟେଜ ପ୍ରଦାନ କରିବା ପାଇଁ ଲିଖିତ ଭାବରେ ଅନୁରୋଧ କରିଥିଲେ କିନ୍ତୁ ଆୟୋଗ ପ୍ରଦାନ କରି ନଥିଲେ । ଯଦି ନିର୍ବାଚନ ଆୟୋଗ ଦୋଷୀ ନୁହନ୍ତି ତେବେ ଡାଟା ଏବଂ ଫୁଟେଜ ପ୍ରଦାନ କଲେ ନାହିଁ କାହିଁକି? ପୁଣି ଭୋଟ ଚୋରୀ ପର୍ଦାଫାଶ କରିବା ପରେ ମହାରାଷ୍ଟ୍ର ସମେତ ଚାରି ଗୋଟି ରାଜ୍ୟର ନିର୍ବାଚନ ଆୟୋଗଙ୍କ ୱେବ ସାଇଟରୁ ଭୋଟର ବିଭାଗ ଡିଲିଟ କରି ଦେଲେ କାହିଁକି ? ଏସବୁରୁ ସ୍ପଷ୍ଟ ଜଣାପଡୁଛି ନିର୍ବାଚନ ଆୟୋଗ ଭୋଟ ଚୋରୀ କରି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ପୂର୍ଣ ଜଳାଞ୍ଜଳି ଦେଇଛନ୍ତି ।

କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଯୋଗ ଦେଇଥିଲେ ।

ଆଜି ରାକ୍ଷୀ ପୂର୍ଣ୍ଣିମା; ଭାଈର ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ…

() ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର ସାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ । ତେବେ ଏହି ଦିନଟି ପାଇଁ ଭଉଣୀ ଟିଏ ତା ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଚାତକ ଭଳି ଅନେଇ ବସିଥାଏ ।

ରାକ୍ଷୀର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ବଜାରରେ ବିଭିନ୍ନ ପ୍ରକାର ରାକ୍ଷୀର ସମ୍ଭାର ନେଇ ଖୋଲେ ଦୋକାନ ମାନ । ଆଉ ଭଳିକି ଭଳି ରାକ୍ଷୀ ହୁଏ ବିକ୍ରି । ଆଉ ଆଜି ଏନେଇ ଉତ୍ସବ ମୁଖର ହୋଇଉଠିଛି ଗାଁରୁ ସହର । ଘରେ ଘରେ ପିଠା ପଣାର ଆସର । ପରିବାର ଭିତରେ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ଦିନଟି ବିତିଥାଏ । ଆଉ ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଆଉ ଭାଇ ତାର ସର୍ବଦା ରକ୍ଷା କବଚ ହେଇ ତା ସହିତ ଜୀବନ ଯୁଦ୍ଧରେ ରହିଥାଉ ବୋଲି ଭଉଣୀ କାମନା କରିଥାଏ।

ଏହି ପର୍ବଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ।ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆଜି ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ। ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ। ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ।

ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ ତଥା ଖଣ୍ଡପଡ଼ା ଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ବିଳମ୍ବିତ ରାତିରେ ପରଲୋକ ପରଲୋକ ହୋଇଯାଇଛି ।ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ହୃଦ୍ ରୋଗ ଜନିତ ସମସ୍ୟାରେ କିଛି ଦିନ ହେବ ସେ ଅସୁସ୍ଥ ଥିଲେ ।୧୯୮୦, ୧୯୮୫ ଓ ୧୯୯୫ ରେ ତିନି ଥର ସେ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜଡିତ ଥିଲେ ।ମୃତ୍ୟୁ ଖବର ପାଇବା ପରେ ଅନେକ ମାନ୍ୟଗଣ ବ୍ୟକ୍ତି ତାଙ୍କ ଭୁବନେଶ୍ୱର ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ ।

ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଓ ଶ୍ରୀ ମାନସ ମଙ୍ଗରାଜ ତଥା ଓଡିଶା କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଟୁଇଟ କରି ଶୋକ ପ୍ରକାଶ କରିବା ସହ ମର୍ଦ୍ଧରାଜଙ୍କ ପୁତ୍ର ସିଦ୍ଧାର୍ଥଙ୍କୁ ସମବେଦନା ଜଣାଇଛନ୍ତି ।

ତାଙ୍କ ମର ଶରୀରକୁ ବିଧାନସଭା ପରିସରକୁ ଅଣାଯାଇ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ବିଧାନସଭା ପରିସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ନରସିଂହ ଭୋଇ, ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମତ୍ସ୍ୟ ତଥା ପଶୁ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ବିଜେଡିର ବରିଷ୍ଠ ଉପସଭାପତି ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ତାଙ୍କର ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଜଣେ ଉତ୍ସାହୀ କ୍ରୀଡାବିତ୍, ସଂଗୀତ ପ୍ରେମୀ ଏବଂ ସମାଜସେବୀ ଶ୍ରୀ ସିଂହ ମର୍ଦ୍ଦରାଜ ତିନିଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ଜାନୁଆରୀ ୪, ୧୯୫୫ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସିଂହ ମର୍ଦ୍ଦରାଜ ଭୁବନେଶ୍ୱରର ବି.ଜେ.ବି. କଲେଜରେ ଶିକ୍ଷା ଗ୍ରହଣ କରିଥିଲେ। ସେ ତାଙ୍କ କଲେଜ ଅଧ୍ୟୟନ ସମୟରେ ଜଣେ ପ୍ରମୁଖ ଛାତ୍ର ନେତା ଭାବରେ ଉଭା ହୋଇଥିଲେ ଏବଂ ୧୯୮୦ରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଶାସକ କଂଗ୍ରେସ (ଆଇ)ରେ ଯୋଗ ଦେଇଥିଲେ। ସେ ୧୯୮୧-୮୪ ମଧ୍ୟରେ ପୁରୀ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ୧୯୮୦ ମସିହାରେ ୨୫ ବର୍ଷ ବୟସରେ ସବୁଠାରୁ କମନ୍ ନିର୍ବାଚିତ ପ୍ରତିନିଧି ଭାବରେ ସାଧାରଣ ସମ୍ପତ୍ତି ସଂସଦୀୟ ସମ୍ମିଳନୀରେ ପ୍ରତିନିଧିତ୍ୱ କରିଥିଲେ।

ସେ ଏହାପରେ ୧୯୮୫ ଏବଂ ୧୯୯୫ ମସିହାରେ ଖଣ୍ଡପଡ଼ା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଦୁଇଥର ଗୃହକୁ ନିର୍ବାଚିତ ହୋଇଥିଲେ। ସେ ୧୯୮୯ ମସିହାରେ ହେମାନନ୍ଦ ବିଶ୍ବାଳ ମନ୍ତ୍ରୀମଣ୍ଡଳରେ ପର୍ଯ୍ୟଟନ ଏବଂ ସଂସ୍କୃତି, ଯୋଜନା ଏବଂ ସମନ୍ୱୟ ବିଭାଗରେ ରାଜ୍ୟମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଭାବରେ କାର୍ଯ୍ୟ କରିଥିଲେ।ଶ୍ରୀ ସିଂହ ମର୍ଦ୍ଦରାଜଙ୍କୁ ୧୯୯୬ ମସିହାରେ ବିଧାନସଭାର ଉପବାଚସ୍ପତି ମନୋନୀତ କରାଯାଇଥିଲା ଏବଂ ଚାରି ବର୍ଷ ପାଇଁ ସେ ଏହି ପଦବୀରେ ରହିଥିଲେ।

ଶ୍ରୀ ମର୍ଦ୍ଦରାଜଙ୍କର ଏକମାତ୍ର ପୁଅ ସିଦ୍ଧାର୍ଥ ଶେଖର ସିଂହ ଓ ଝିଅ ରାଜକୁମାରୀ ଆରାଧନା ଦେବୀ ଅଛନ୍ତି ।ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ୨୦୦୯ ରୁ ୨୦୧୪ ଖଣ୍ଡପଡ଼ାର ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି ।ତାଙ୍କର ଫଟୋଗ୍ରାଫି ଏବଂ କ୍ରିକେଟ୍ ରେ ବେଶ ଆଗ୍ରହ ରହିଥିଲା ଏବଂ ସେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ଆଜୀବନ ସଦସ୍ୟ ଥିଲେ। ସେ ଖଣ୍ଡପଡ଼ା ରାଜ୍ୟର ଇତିହାସକୁ ଇଂରାଜୀରେ ମଧ୍ୟ ସଂକଳନ କରିଛନ୍ତି।

ମେଳାପୀ ଏବଂ ମୃଦୁଭାଷୀ, ଶ୍ରୀ ସିଂହ ମର୍ଦ୍ଦରାଜ ରାଜନୈତିକ ମହଲରେ ଲୋକପ୍ରିୟ ଥିଲେ। ସେ ଚିନ୍ମୟ ମିଶନର ଉପାଧ୍ୟକ୍ଷ, ଭୁବନେଶ୍ୱର ପ୍ଲାଣ୍ଟ ଲଭର୍ସ ଆସୋସିଏସନର ଆଜୀବନ ସଦସ୍ୟ ଏବଂ ଭୁବନେଶ୍ୱର କ୍ଲବର ସଦସ୍ୟ ଥିଲେ। ବିଜେବି ଫ୍ରେଣ୍ଡସ୍ ବିଜେବି କଲେଜର ଆଲୁମ୍ନି ଆସୋସିଏସନର ସେ ଜଣେ ପ୍ରମୁଖ ସଦସ୍ୟ ଥିଲେ । ସେ ଥାଇଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ମରିସସ୍, ୟୁକେ, ମାଲେସିଆ, ସିଙ୍ଗାପୁର ଏବଂ ଅନେକ ୟୁରୋପୀୟ ଦେଶ ଗସ୍ତ କରିଥିଲେ। ତାଙ୍କର ଶେଷକୃତ୍ୟ ଖଣ୍ଡପଡ଼ାରେ ଶୁକ୍ରବାର ଦିନ ସମ୍ପନ୍ନ କରାଯିବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news