ବିଜେପି ସରକାରଙ୍କ ଗତ ୧୩ ମାସର ଶାସନ ସମୟରେ ଚାଷୀକୂଳର ସ୍ୱାର୍ଥକୁ ଅଣଦେଖା କରିଛନ୍ତି, ଯେଉଁଥିପାଇଁ ଚାଷୀ ଭାଇମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ଓ ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ବରଗଡ଼ ଠାରେ ବିରାଟ ଚାଷୀ ସମାବେଶ କରିବ ବୋଲି ବିଜୁ ଜନତା ଦଳ ଆଜି ଘୋଷଣା କରିଛି ।
-
ଦଳର କୃଷକ ସେଲ୍ର ଆବାହକତ୍ୱରେ ଆଜି ରାଜ୍ୟସ୍ତରୀୟ ଏକ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା । ବୈଠକକୁ କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ କୃଷକ ପ୍ରତିନିଧିମାନଙ୍କ ସହିତ ଦଳର ବରିଷ୍ଠ ନେତା ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀ ଅରୁଣ ସାହୁ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପ୍ରତାପ ଜେନା, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ପ୍ରୀତିରଞ୍ଜନ ଘଡେଇ, ଶ୍ରୀ ବଦି୍ର ପାତ୍ର, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଅମର ପଟ୍ଟନାୟକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀ ରମେଶ ମାଝୀଙ୍କ ସହିତ ଦଳୀୟ ବିଧାୟକଗଣ ଓ ବିଭିନ୍ନ ଜିଲ୍ଲାର ସଭାପତିମାନେ ଅଂଶଗ୍ରହଣ କରିଥିଲେ । ରାଜ୍ୟରେ କୃଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।
-
ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ, ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଉପରେ ବର୍ଷିଥିଲେ ।
-
ଶ୍ରୀ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି । ଏହି କାରଣରୁ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ କୃଷି ଉତ୍ପାଦନର ବିକାଶ ହାର ୭.୮% ଥିଲାବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୩.୮%କୁ ଖସିଆସିଛି । ସେହିପରି, ଡବଲ ଇଞ୍ଜିନ ଓ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ସମୟରେ କେନ୍ଦ୍ରୀୟ ଅନୁଦାନ କମିଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ, ୨୦୨୪-୨୫ ଆର୍ଥିକ ବର୍ଷରେ, କେନ୍ଦ୍ରୀୟ ଅନୁଦାନ ୧୮.୧୯% କମିଥିବା ବେଳେ କୃଷି କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ କମିଛି । ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୬ କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ୩୨ କୋଟି ଟଙ୍କାକୁ ଖସି ଆସିଛି । ସେହିପରି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡିଶାକୁ ୨୨୩ କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ କୌଣସି ଅନୁଦାନ ମିଳିଲା ନାହିଁ ।
-
ଶ୍ରୀ ଆଚାର୍ଯ୍ୟ ଆହୁରି କହିଥିଲେ, ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ରବି ଧାନ କିଣା ପାଇଁ ଚାଷୀମାନଙ୍କୁ ପଞ୍ଜିକୃତ କରିବାକୁ ଆହ୍ୱାନ କରାଯାଇଥିବା ବେଳେ ଏହି ପଞ୍ଜିକରଣ ପାଇଁ ଯେଉଁସବୁ ସର୍ତ୍ତ ରଖାଯାଇଛି ତାହା ଅତ୍ୟନ୍ତ ଜଟିଳ ହୋଇଥିବାରୁ ଅଧିକାଂଶ ଚାଷୀମାନେ ପଞ୍ଜିକରଣ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି । ଜମିର ମାଲିକାନା ଥିବା ବ୍ୟକ୍ତିଙ୍କ ସମସ୍ତ ପରିବାର ସଦସ୍ୟଙ୍କ ସ୍ୱୀକୃତି ପତ୍ର ଦାଖଲ କରିବା ପାଇଁ କୁହାଯାଇଛି, ଯାହା ଅଧିକାଂଶ ଚାଷୀଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ରାଜ୍ୟର ଚାଷୀଭାଇ ମାନଙ୍କୁ ଧାନ ବିକ୍ରି ପ୍ରକ୍ରିୟାରୁ ନିବୃତ କରିବା ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ଚାଲ୍ । କାରଣ, ଧାନ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି ପ୍ରଦାନ ସରକାରଙ୍କ ପ୍ରତିଶ୍ରୁତି ରାଜ୍ୟର ଆର୍ଥିକ ବୋଝକୁ ବଢ଼ାଉଛି । ଏଥିରୁ ମୁକୁଳିବା ପାଇଁ ରାଜ୍ୟ ସରକାର ଏଭଳି ଫନ୍ଦି ବାହାର କରିଛନ୍ତି ।
-
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ବିଜେପି ବିନା କଟ୍ନୀ ଛଟ୍ନୀରେ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, ଖରିଫ ଧାନ କିଣା ସମୟରେ, ରାଜ୍ୟ ସରକାର ଧାନ କିଣା ସମୟରେ, ଗ୍ରେଡ୍ ଆନାଲାଇଜର ଲଗାଇଲେ ଯାହା ଫଳରେ ଧାନ ପ୍ରତି କୁଇଣ୍ଟାଲରେ ପ୍ରାୟ ଦଶରୁ ପନ୍ଦର କେଜି କଟ୍ନୀ ଛଟ୍ନୀ ହେଲା । ବିଜେପିର ବିନା କଟ୍ନୀ ଛଟ୍ନୀରେ ଧାନ କିଣା ଓ ଦଲାଲ ମୁକ୍ତ ଧାନ କିଣା ପ୍ରତିଶ୍ରୁତି ବାସ୍ତବରେ ଏକ ଧୂଅାଁବାଣରେ ପରିଣତ ହୋଇଛି ।



