ବନ୍ୟା ବିପନ୍ନଙ୍କ ପାଖରେ ବବି

ପ୍ରଣବ ପ୍ରକାଶ ଦାସ (ବବି)। ବିଜେଡି ଦଳର ଉପ ସଭାପତି ଓ ଓଡ଼ିଶା ଯୁବ ମାନସର ନେତା ପ୍ରଣବ ପ୍ରକାଶ ଦାସ। ନିଜ ନେତାଙ୍କ ପରି କଥା କମ, କାମ ଅଧିକକୁ ବିଶ୍ବାସ କରନ୍ତି । ତାଙ୍କର ସବୁଠୁ ବଡ ପରିଚୟ ହେଉଛି ଓଡିଶାରେ ଯେଉଁଠି ସମସ୍ୟା, ସେଠି ଉଭା ହୁଅନ୍ତି ବବି। ଲୋକଙ୍କ ସହ ରହି, ଲୋକଂକ ସୁଖ ଓ ଦୁଃଖର ସାଥୀ ସାଜନ୍ତି ସେ। ଯେଉଁଥି ପାଇଁ ସେ ଯାଜପୁର ନୁହେଁ ପୁରା ଓଡ଼ିଶାରେ ବବି ଭାଇ ଭାବେ ବେଶ ପରିଚିତ।

ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଆସିଛି ବନ୍ୟା । ଯାଜପୁର ନିର୍ବାଚନୀ ମଣ୍ଡଳୀର ବହୁ ଗାଁ ପାଣି ଘେରରେ। ଏ ସମୟରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ପ୍ରଣବ ପ୍ରକାଶ ଦାସ। ବନ୍ୟାକୁ କିପରି ସାହସର ସହ ସବୁ ପରିସ୍ଥିତିରେ ମୁକାବିଲା କରିହେବ ସେନେଇ ଲୋକଙ୍କ ମନବଳ ବୃଦ୍ଧି କରିବାକୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ କାନ୍ଧରେ କାନ୍ଧ ମିଶାଇ ଛିଡାହୋଇଛନ୍ତି ସେମାନଙ୍କ ସୁଖ ଓ ଦୁଃଖର ସାଥୀ ବବି । ବୈତରଣୀ ନଦୀ ଓ କାଣି ନଦୀରେ ଦ୍ଵିତୀୟବାର ବନ୍ୟା ଆସିବା ଫଳରେ ଦଶରଥପୁର ବ୍ଳକର ବିଶେଷ ଭାବେ ପ୍ରଭାବିତ ହୋଇଛି । ବନ୍ୟା ଯୋଗଁ ବିଭିନ୍ନ ପଞ୍ଚାୟତ ଓ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ଥିବା ବେଳେ ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ (ବବି ଭାଇ) ବୋଟ୍ ଦ୍ଵାରା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡିଛନ୍ତି । ସତର୍କ ରହିବା ସହ ନଦୀବନ୍ଧ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ସଚେତନ କରାଇଛନ୍ତି ସ୍ଥାନୀୟ ଲୋକଙ୍କୁ।ଯେଉଁଠି ସରକାର ଏଯାଏ ପହଞ୍ଚି ପାରିନାହାନ୍ତି ସେଠାରେ ବିରୋଧୀ ଦଳର ସଦସ୍ୟ ତଥା ଲୋକଙ୍କ ନେତା ପ୍ରଣବ ପ୍ରକାଶ ଦାସ ପ୍ରଭାବିତ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କ ପାଖରେ କିଭଳି ସହାୟତା ପହଞ୍ଚିବ , ଲୋକେ କିଭଳି ବିପଦ ମୁକ୍ତ ହେବେ ସେନେଇ ତତ୍ପର ହୋଇଛନ୍ତି ପ୍ରଣବ । ତାଙ୍କ ସହ ଯୁବନେତା ଭବ ପ୍ରକାଶ ବି। ରାଜନୀତି ପାଇଁ ନୁହେଁ, ଦୁଇ ଭାଇ ଲୋକଙ୍କ ସେବା ପାଇଁ ଯେ ରାଜନୀତି କରୁଛନ୍ତି ତାହା ବନ୍ୟା ସମୟରେ ଉଭୟ ବିପନ୍ନଙ୍କ ପାଖରେ ଛିଡା ହେବାରୁ ହିଁ ସ୍ପଷ୍ଟ ସଙ୍କେତ ମିଳୁଛି ।
ଯେତେବେଳ ବି ବୈତରଣୀ ନଦୀରେ ବଡ ବନ୍ୟା ଆସିଛି । ଏଥିରେ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଆଉ ବିପନ୍ନଙ୍କ ଦୁଖଃରେ ନବୀନଙ୍କ ଦୁଇ ଯୁବ ଯୋଦ୍ଧା ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପୌର ପରିଷଦ ଅଧକ୍ଷ ଭବ ପ୍ରସାଦ ଦାସ ଛିଡା ହୋଇଛନ୍ତି । ଯାଜପୁର ବାସୀଙ୍କ ଦୁଃଖରେ ଏହି ଦୁଇ ଭାଇ ସବୁବେଳେ ସହାୟତାର ହାତ ବଢାଇଥାନ୍ତି। କାରଣ ସେମାନେ ଲୋକଙ୍କ ନେତା। ସୁଖ, ଦୁଃଖର ସାଥି । କାମ ତାଙ୍କର ପରିଚୟ । ବନ୍ୟା ହେଉ ଅବା ଅନ୍ୟ କିଛିି ସମସ୍ୟା ସବୁବେଳେ ଲୋକଙ୍କ ସହ ରହନ୍ତି ସେ । ନିଷ୍ଠାପର ଓ ପରିଶ୍ରମ ପାଇଁ ଲୋକେ ତାଙ୍କୁ ରାଜନେତା ଭାବେ ନୁହେଁ, ବଂର ନିଜର ଭାଇ ବୋଲି ଭାବନ୍ତି । ସାରା ଓଡିଶା ନେତା ସାଜିଥିବା ପ୍ରଣବ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ଯାଜପୁରବାସୀ ଯେତେବେଳେ ବିପଦରେ ପଡ଼ିଥିବେ ସେତେବେଳେ ସେ ସବୁ ଭୁଲି ଯାଆନ୍ତି । ଏପରି ନିଜ ପରିବାରକୁ । ଯାହା ପୁଣିଥରେ ଦେଖିବାକୁ ମିଳିଛି ଏହି ବନ୍ୟାରେ । ସେଥିପାଇଁ ତ ଲୋକେ କହୁଛନ୍ତି ନେତା ହେବ ତ ପ୍ରଣବ ପ୍ରକାଶ ଦାସ ପରି। ଶନିବାର ଓ ରବିବାର ସେଥିପାଇଁ ତ ପ୍ରଣବଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲାଗେ ଜନତାଙ୍କ ଭିଡ । ସଭିଏ କହନ୍ତି ବବି ଅଛି ତ ସବୁ ଅଛି ।

ଧର୍ମେନ୍ଦ୍ର ଓ ସୌମ୍ୟ ସମ୍ପର୍କ: କଭି ଖୁସି କଭି ଗମ୍

ଭୁବନେଶ୍ୱର ଠାରେ ଖ୍ୟାତନାମା ଲେଖକ ଡଃ ନେତାଜୀ ଅଭିନନ୍ଦନ ଓ ପ୍ରୀତ୍ ବୁବନାଙ୍କ ଦ୍ୱାରା ରଚିତ “Voices and Votes: Odisha’s Electoral Renaissance of 2024” ପୁସ୍ତକ ଉନ୍ମୋଚନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ମଧ୍ୟରେ ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ବାକଯୁଦ୍ଧ ଦେଖିବାକୁ ମିଳିଛି। ପ୍ରଥମେ ସୌମ୍ୟ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ଯେ ୨୦୨୪ ନିର୍ବାଚନରେ ଅସ୍ମିତା ନୁହେଁ ଅହଂକାରର ବିରୋଧରେ ଭୋଟ ପଡିଲା। ବିଜେପି ବିଜେଡି ଠାରୁ କମ ଭୋଟ ପାଇଁ ମଧ୍ୟ ସଂଖ୍ୟା ଅଙ୍କରେ ସରକାର ଗଠନ କରିଛି । ଏହି ଗଣିତକୁ ଦେଖିଲେ ଓଡ଼ିଶାରେ ନୂଆ ଆଂଚଳିକ ଦଳ ଗଠନ ଆବଶ୍ୟକତା ରହିଛି। ବିଜେପି କଣ କେବେ ସରକାର କରିବ। ତାହା ତ ପୁଣି ହେଲା। ତେଣୁ ଓଡ଼ିଶାରେ ଆଉ ଗୋଟିଏ ଆଞ୍ଚଳିକ ଦଳ କାହିଁକି ସଫଳ ହୋଇପାରିବ ନାହିଁ ବୋଲି ସେ କହିଥିଲେ । ପୁସ୍ତକ ଉନ୍ମୋଚନ ଉତ୍ସଵରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୌମ୍ୟ ଏହି ମନ୍ତବ୍ୟର ପ୍ରତି ଜବାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ରଖିଥିଲେ । ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଏକ ଆକ୍ସିଡେଣ୍ଟାଲ୍ ପାର୍ଟି ଭାବରେ ନୁହେଁ, ବରଂ ଅନେକ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ସମର୍ପଣ ବଳରେ ହୋଇଛି। ବିଜେପି ବିଶ୍ୱର ସର୍ବବୃହତ ଦଳ ଭାବରେ ଅଭ୍ୟୁଦୋୟ ହୋଇଛି ଏବଂ ଜନ ଆଶୀର୍ବାଦରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକକ ସରକାର ଗଠନ କରିଛି । ଭାରତୀୟ ଜନସଙ୍ଘ କିମ୍ବା ଭାରତୀୟ ଜନତା ପାଟି କେବଳ ଏକ ସଂଗଠନ ନୁହେଁ ବରଂ ଏକ ବିଚାର ଧର୍ମେନ୍ଦ୍ର କହିଥିଲେ ।

‘ଓଡ଼ିଆ ଅସ୍ମିତା’ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏକ ସାଂସ୍କୃତିକ, ଅର୍ଥନୈତିକ ଆକାଂକ୍ଷା, ଗୋଟିଏ ସଭ୍ୟତାକୁ ପ୍ରତିଫଳିତ ଓ ପ୍ରବାହିତ କରିବା ତଥା ଭବିଷ୍ୟତକୁ ସୁରକ୍ଷିତ କରିବାର ଏକ ଅବଧାରଣା । ଗଣତନ୍ତ୍ରରେ ସମସ୍ତଙ୍କର ନିଜର ନିଜର ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଅଛି। ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ତେବେ ବିଜେପି ଆକ୍ସିଡେଣ୍ଟାଲ୍ ଭାବେ ନୁହେଁ ବରଂ ନିରନ୍ତର ପ୍ରଚେଷ୍ଟା ପରେ ହିଁ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଥିବାରୁ ରାଜ୍ୟରେ ସରକାର ହୋଇଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ସଫଳତା ଏହି ଆଜି ବିଜେପିକୁ ଓଡ଼ିଶାର ଏକକ ସରକାର ଗଠନ କରିବାରେ ସହାୟକ ହୋଇଛି।ପୁସ୍ତକ ଉନ୍ମୋଚନ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକଙ୍କ ଅଭିଭାଷଣ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ।

ରାଜ୍ୟସ୍ତରୀୟ ସୃଜନ କମିଟି ଓ ୱାର ରୁମ କମିଟି ଗଠନ କଲା କଂଗ୍ରେସ

ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଓଡ଼ିଶାର ୩୫ ଗୋଟି ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ପ୍ରକ୍ରିୟା ନିମନ୍ତେ ଅଖିଳ ଭାରତ କଂଗ୍ରେସ କମିଟି ୩୫ ଜଣ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଏହି ପର୍ଯ୍ୟବେକ୍ଷକ ମାନଙ୍କ ସହିତ ଯୋଗାଯୋଗ ଓ ସମନ୍ୱୟ ରଖିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ରାଜ୍ୟସ୍ତରୀୟ ସୃଜନ କମିଟି ଏବଂ ୱାରରୁମ କମିଟି ଗଠନ କରିଛନ୍ତି । ଉପରୋକ୍ତ ଦୁଇ କମିଟି ମିଳିତ ଭାବେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ସୃଜନ କମିଟି ରେ ଅଧ୍ୟକ୍ଷ ଭାବେ ଡ. ଦେବାଶିଷ ପଟ୍ଟନାୟକ ରହିଥିବା ବେଳେ ସହ ଅଧ୍ୟକ୍ଷ ଭାବେ ସୁଧାଂଶୁ ଶେଖର ଦେଓ ରହିଛନ୍ତି । ସେହିପରି ୱାରରୁମ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ମନୋରଞ୍ଜନ ଦାଶ ରହିଥିବା ବେଳେ ସଭ୍ୟ ଭାବରେ ତରୁଣ ମିଶ୍ର, ବାଙ୍କନିଧି ବେହେରା, ଶାନ୍ତନୁ କୁମାର ସାହୁ ଓ ଜୟଶ୍ରୀ ପାତ୍ର ରହିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ଇସ୍ତହାରରେ କୁହାଯାଇଛି ।

ହାତିର ଦେଖାଇବା ଓ ଖାଇବା ଦାନ୍ତ ଅଲଗା : ଡ. ସ୍ଵାଧନ କୁମାର ଦାଶ

ଭାଇ ଭାଇଙ୍କ ମଧ୍ୟରେ ହସ୍ତିନାପୁର ସିଂହାସନ ପାଇଁ ଯେଉଁ ଅଠର ଦିନ ମହାଭାରତ ଯୁଦ୍ଧ ସଂଗଠିତ ହୋଇଥିଲା ତାହାର ପରିସମାପ୍ତି ଘଟିସାରିଥାଏ । ପାଣ୍ଡବମାନେ ଶତ୍ରୁ ପକ୍ଷର ସମସ୍ତ ସୈନ୍ୟ ସମାନ୍ତଙ୍କୁ ପରାସ୍ତ କରି ସିଂହାସନ ଆହୋରଣ ମହୋତ୍ସବ ଲାଗି ପଥ ପ୍ରସ୍ତୁତି କରିସାରିଥାନ୍ତି । ସର୍ବ ସମ୍ମତି କ୍ରମେ ଧର୍ମରାଜ ଯୁଧୁଷ୍ଠିରଙ୍କୁ ଯୋଗ୍ୟତାପୂର୍ବକ ଶ୍ରେଷ୍ଠ ଅଧିକାର ବିବେଚନା ପୂର୍ବକ ରାଜସିଂହାସନ ଆହରଣ କରିବାର ନିଷ୍ପତି ସରିଥାଏ । କିନ୍ତୁ ଧର୍ମରାଜ ଯୁଧୁଷ୍ଠିରଙ୍କ ଯୁକ୍ତିଥିଲା ପ୍ରାସଙ୍ଗିକ, ତାଙ୍କ ଦୃଷ୍ଟିରେ ସଂକୀର୍ଣ୍ଣତା ହିଁ ପାପ। ତେଣୁ ତ ସ୍ୱାର୍ଥର ଉର୍ଦ୍ଧକୁ ଯାଇ ପିତାମହ ଭୀଷ୍ମଙ୍କୁ ସମର କ୍ଷେତ୍ରରେ ଦର୍ଶନ ଓ ପ୍ରଣାମ କରି ଔପଚାରିକତା ପୂର୍ବକ, ରାଜଗାଦି ଆହାଣ କରିବେ; ନତୁବା ନୁହେଁ । ଅତଏବ ସେ ଓ ତାଙ୍କର ସମସ୍ତ ଭାଇଙ୍କ ସହ ରଣକ୍ଷେତ୍ରରେ ଭୂମି ଉପରେ ରକ୍ତ ଜୁଡୁବୁଡୁ ହୋଇ ଲୋଟି ପଡିଥିବା ପିତାମହଙ୍କୁ ଦର୍ଶନ ମାତ୍ରକେ ଏଇ ସବୁଲାଗି ମୁଁ ଦାୟୀ ବୋଲି ବିଳାପୀ ଉଠିବା ସହିତ ନିଜକୁ ପାପୀ ସମ୍ବୋଧନ କରିବାକୁ ତୀଳେ ମାତ୍ରେ କୁଣ୍ଠାବୋଧ କରି ନଥିଲେ ଓ ଏହି ପାପରୁ କିପରି ମୁକ୍ତି ପାଇବି ଦୟାପରବଶ ହୋଇ ମାର୍ଗଦର୍ଶନ କରିବାର ଅଭିପ୍ରାୟ କୃତଞ୍ଜଳୀ ପୁଟରେ ତାଙ୍କୁ ନିବେଦନ କରନ୍ତି । ପିତାମହ ମଧ୍ୟ ନିଜର ଜ୍ଞାନ ବିବେକ ପ୍ରଦର୍ଶନ ପୂର୍ବକ ଯୁଧୁଷ୍ଠିରଙ୍କୁ ସାର୍ଚ୍ଚନା ଦେବାସହ ବିଭିନ୍ନ ଉପଦେଶ ଓ ରାଜ୍ୟ ସମ୍ବାଳିବାର ବିଭିନ୍ନ ମାର୍ଗ ଓ ଉପଦେଶାତ୍ମକ ଆର୍ଶିବାଦ ପ୍ରଦାନ କରିଥିଲେ । ଏତ ଥିଲାଦ୍ୱାପର ଯୁଗର ରାଜନୀତିର ହାରଜିତ ରଣରୁ ସିଂହାସନ ଆହୋରଣ ପର୍ଯ୍ୟନ୍ତ କଥା ଓ ଗାଥା । ସେ ସମୟରେ ବିଜୟ ପକ୍ଷ ପରାସ୍ତବରଣ କରିଥିବା ପକ୍ଷଙ୍କ ପ୍ରତି ସମବେଦନା, ଭାତୃତ୍ଵ ଓ ସମ୍ମାନ ପ୍ରଦର୍ଶନ କରିବାରେ ତିଳେମାତ୍ର ହେଳା କରୁ ନଥିବାର ଏହା ଥିଲା ଏକ ନିଦର୍ଶନ ମାତ୍ର।

ବର୍ତମାନ ମଧ୍ୟ ସେହି ରାଜନୀତି ଅଛି। କେବଳ ଯାହା ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରାଯାଇ ରାଷ୍ଟ୍ର ଓ ରାଜ୍ୟରେ ମୁଣ୍ଡିଆଳଙ୍କୁ ସାମ୍ବିଧାନିକ ଶପଥ ମନ୍ତ୍ରରେ ଅଭିମନ୍ତ୍ରିତ କରି ଗଣତନ୍ତ୍ରର ପୁଜାରୀ ପଦରେ ଅଭିଷିକ୍ତ କରାଯାଏ । ଖାଲି ସେତିକି ନୁହେଁ ସେମାନଙ୍କର ମତ, ଉପଦେଶ ଓ ଆଲୋଚନାକୁ ବିୟରକୁ ନେଇ ଅନେକ ଆଇନ୍ ପ୍ରଣୟନ, ସଂଶୋଧନ ଓ କାର୍ଯ୍ୟକାରୀ କରାଯାଇଥାଏ | ଏହିସବୁ ନିର୍ବାଚିତ ନେତୃତ୍ୱ ସମୂହର ମହନ୍ତ ଭାବେ ରାଜ୍ୟ ଓ ରାଷ୍ଟ୍ର ଯୋଗ୍ୟ ବ୍ୟକ୍ତିକୁ ବଛାଯାଏ । କିନ୍ତୁ ଯୋଗ୍ୟତା ବାଛିବାର ମାନଦଣ୍ଡ କେବଳ ନିଜ ଦଳକୁ ସଂଗଠିତ ରଖୁବାର କ୍ଷମତା, କଥା କୁହାଳିଆପଣିଆ ଓ ଛାମୁଆ ଦଳିୟ ନେତୃମଣ୍ଡଳିଙ୍କୁ ପ୍ରଶନ୍ନ କରି ଦୀର୍ଘଦିନ କ୍ଷମତା ଉପଭୋଗକରିବାର କଳା କୌଶଳ ଯାହାର ଥାଏ ତାକୁ ମୁଖ୍ୟ ବୋଲି ବିବେଚନା କରାଯାଏ । ମାପକାଠିର ମାନଦଣ୍ଡ ନିର୍ୟାୟକ ପୂର୍ବକ ଉକ୍ତି ବ୍ୟକ୍ତିଙ୍କୁ ମହନ୍ତଭାବେ ଭାବେ ଘୋଷଣ କରି ମୁଖ୍ୟ ଆସନରେ ଅଭିଶିକ୍ତ କରାଯାଏ। ଅଧୁନା ଯୋଗ୍ୟତାର ମାପକାଠି ଶବ୍ଦକୁ ବ୍ୟବଚ୍ଛେଦ କଲେ ଏହାର ଅର୍ଥ ଅବାନ୍ତର ପରି ଲାଗେ, ଯାହାଦ୍ୱାରା ରାଜନୀତି ପରି ପବିତ୍ର ରାଜକର୍ମ ଦିନକୁଦିନ ଅଧୋଗତି ଆଡ଼କୁ ଗତିକରି ଋଲୁଛି । ଯେଉଁ ଗାନ୍ଧୀଙ୍କୁ ନେଇ ଭାରତ ଗଣତନ୍ତ୍ରରେ ସର୍ବୋଚ୍ଚ ମର୍ଯ୍ୟାଦା ଓ ସମ୍ମାନ ପ୍ରଦାନ କରାଯାଏ, ଯାହାଙ୍କର ଛବି ପ୍ରତ୍ୟେକଟି ସରକରୀ ଦସ୍ତରରେ ଆଜିବି ଦେଖିବାକୁ ମିଳେ । ସେହି ମହାନ୍‌ ମନୀଷୀଙ୍କର ଆଦର୍ଶ କେବଳ ଭାଷଣରେ ବା ଲିଖୁତ ପୁସ୍ତକରେ ସିମୀତ, କିନ୍ତୁ ଗାନ୍ଧୀଙ୍କର ନିତୀ, ଆଦର୍ଶ ଆଦି ମଧ୍ୟ ପ୍ରାସଙ୍ଗିକ ମନେହୁଏ। ସେ ରାଜନୀତିକୁ କେବେ ହେଲେ ନୀତି, ନୈତିକତାର ମୂଲ୍ୟବୋଧର ଉର୍ଦ୍ଧରେ ରଖୁନଥିଲେ । ଏଠାରେ ମହାନ୍‌ ବ୍ରିଟିଶ ରାଜନେତା, ସାମରିକ ଅଧିକାରୀ, ବିଶିଷ୍ଠ ଲେଖକ ଓ ଚିନ୍ତାନାୟକସାର୍ ୱିନ୍ସଟନ୍ ଚର୍ଜିଲ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ, ମାର୍ମିକ ଓ ତାତ୍ଵିକ ମଧ୍ୟ । ତାଙ୍କ ମତରେ ରାଜନୀତିରେ ଓ ଯୁଦ୍ଧରେ ମୃତ୍ୟୁବରଣ କରିବାକୁ ପଡିଥାଏ । ଯଦିଓ ଯୁଦ୍ଧରେ ଗୋଟାଏ ଥରରେ ମୃତ୍ୟୁବରଣ କରିବାକୁ ପଡେ କିନ୍ତୁ ରାଜନୀତିରେ ବାରମ୍ବାର ମୃତ୍ୟୁବରଣ କରିବାକୁ ପଡେ । ଆଉ ଯିଏ ମୃତ୍ୟୁ ଭୟରେ ନିଜର ନିତି ନୈତିକତାର ମୂଲ୍ୟକୁ ବନ୍ଧାଦେଇ ସ୍ୱାର୍ଥ ସର୍ବସ୍ୱ କରି ରାଜନୀତି କରେ ତାକୁ ହୁଏତ ଥଇଥାନ ପୂର୍ବକ ଅନ୍ୟକିଛି ପୁରସ୍କାର ସ୍ୱରୂପ ପଦ ପ୍ରଦାନ କରିବା ସ‌ହ ନିଜର ସୁବିଧାବାଦୀ ସ୍ୱାର୍ଥ ସର୍ବସ୍ଵ ହେଲେ ଏହା ଏକଦା ଆତ୍ମଘାତୀ ନେବ ନିଶ୍ଚୟ ।

ନିଷ୍ଠୁର ବାସ୍ତବତା ଯାହା ତାହା ଉଲ୍ଲେଖ କଲେ ଅନେକ ଗୋସେଇଁଙ୍କର ଦେହରେ ପୋଡାଜଳା ହେବା ସ୍ୱଭାବିକ । ଏହା ଏଥିପାଇଁ ଆମେ କହୁଛୁ ଏଥର ଓଡ଼ିଶା ବିଧାନସଭାର ଫଳାଫଳକୁ ବିସ୍ତର କରାଗଲେ ଜନମତ ବିଜେପି ସପକ୍ଷରେ ଆସି ୭୮ଟି ଆସନ ଅକ୍ତିଆର କରି ସରକାର ଗଠନ କରିବାରେ ସକ୍ଷମ ହେଲା । ଏହି ଫଳାଫଳ ଯେ ଅପ୍ରତ୍ୟାସିତ ଥିଲା ଏହାକୁ ଅନେକଙ୍କୁ ସ୍ଵୀକାର କରିବାକୁ ବାଧ୍ଯ କରିବ ନିଶ୍ଚୟ । ନିର୍ବାଚନ ଫଳାଫଳଟି ପ୍ରମାଣିତ କଲା ଯେ ରାଜନୀତିରେ ଆକଳନ, ମୂଲ୍ୟାୟନ, ଇତିହାସ ଓ ସପକ୍ଷ ବିପକ୍ଷର ମାନସାଙ୍କ ଅନେକାଂଶରେ ଭୁଲ ପ୍ରମାଣିତ ହୁଏ ।

ସରକାର ଗଠନ ପରେ ଶାସକ ଦଳର ନେତା ଓ କର୍ମୀ ଯେତେ ଉତ୍ସାହିତ ତଦନୁପାତିକ ବିଭୋର, ଭୋଟ୍ ଦେଇ ଜିତାଇଥିବା ସାଧାରଣ ଭୋଟର। କାରଣ ନୂଆ ସରକାର କିଛି ନୂଆ କରି ଦେଖାଇବା ସହିତ ପ୍ରତିଶୃତି ଦେଇ ନର୍ବାଚନୀ ବୈତରଣୀ ପାର ହୋଇଛନ୍ତି । ରାଜ୍ୟ ଓ ଜନସାଧାରଣଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟିଦେବାର ଆଶା ଓ ଭରଷା ଅନେକାଂଶରେ ପରିପୂରତିତ ହେବ ଓ ଆଶା ମଧ୍ୟ ଜନସାଧାରଣଙ୍କର ଅଛି । ଅନ୍ୟ ପକ୍ଷରେ ଦେଖୁଲେ ଏଥର ବିଧାନସଭାକୁ ଅନେକ ବିଧାୟକ ପ୍ରଥମଥର ଲାଗି ନିର୍ବାଚନ ଜିତି ଆସିଥିବା ଅନେକ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି । ବିଶେଷକରି ସେହିମାନେ ଅଳ୍ପ ସମୟରେ ଅନେକ କିଛି କରିପକାଇବାର ପ୍ରଚେଷ୍ଟାରେ ରତହୋଇ ବିଧୂ ବ୍ୟବସ୍ଥାକୁ ଅଣଦେଖା କରୁଥିବାର ଦେଖାଯାଏ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ବାରିହୋଇପଡେ ଅନେକ ମନ୍ତ୍ରୀ ବିଭାଗୀୟ ସମନ୍ଵୟ ରକ୍ଷାକରିବାର କଳା କୌଶଳକୁ ପାଶୋରି ଅଳ୍ପ ସମୟରେ ଅନେକ କିଛି କରିବାରେ ବିଭୋର । ଉଦାହରଣ ସ୍ଵରୂପ ଭାତହାଣ୍ଡିରୁ ଗୋଟିଏ ଭାତ ଦେଖିଦେଲେ ବୁଝାପଡେ ଭାତଗୁଡିକର ମାନ, ଠିକ୍ ସେହିପରି ସରକାରଙ୍କର ବିଭାଗୀୟ ମନ୍ତ୍ରୀମାନଙ୍କର କଥା ମଧ୍ୟରେ ତାଳମେଳ ନଥୁଲା ପରି ମନେହୁଏ । କହିବା ବାହୁଲ୍ୟ ଆଳୁର ଅଭାବ ବିକ୍ରି ଓ ଚଢ଼ାଦରକୁ ନେଇ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ରାଜ୍ୟ ସରକାର ଆଳୁର ଅଭାବ ଓ ଚଢ଼ାଦରର ବିକ୍ରି ଖାଉଟିଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ । କାରଣ ସରକାର ପଶ୍ଚିମବଙ୍ଗକୁ ତୋସାମଦ ନ କରି ଅନ୍ୟ ରାଜ୍ୟରୁ ଚାହିଦା ମୁତାବକ ଆଳୁ ମଗାଇବେ କିନ୍ତୁ ପରିତାପର ବିଷୟ କିଛିମାସ ନ ଯାଉଣୁ ବିଭାଗ ମନ୍ତ୍ରୀ ପୁଣି ତାଙ୍କ ପକାଇଥିବା ଛେପକୁ ଢୋକି କହିଲେଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସହ ସାକ୍ଷାତ କରି ଆଳୁ ଅଭାବକୁ ପରିପୂରିତ କରିବି । ଏଥରୁ ସ୍ପଷ୍ଟ ଅନୁମେୟ ବର୍ତମାନ ରାଜ୍ୟର ଗତି କେଉଁ ଆଡେ ? ସେହିପରି ଆଇନ୍ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ପରି ଅନେକ ସମସ୍ୟା ମଧ୍ୟରେ ରାଜ୍ୟ ସରକାର ଛନ୍ଦି ହୋଇ ଜନସାଧାରଣଙ୍କୁ ତାଙ୍କର ଉଚିତ୍ ନ୍ୟାୟ ଦେଇ ସନ୍ତୁଷ୍ଟି କରିପାରିବେ ତ ?

ରାଜନୈତୀକ ଘଟଣା କ୍ରମରେ ବିଶେଷ ଭାବରେ ଯାହା ଆଲୋଚନା ହେଉଛି ତାହା ହେଲା ଅନେକ ନେତା ଜନାଦେଶ ପାଇ ଚୌକି ଅକ୍ତିଆର କଲାପରେ ପୂର୍ବପରି ଜନସେବାର ବ୍ୟାକୁଳ ମାନସିକତା ପରିପୋଷଣ କରୁଥିବାର କ୍ଵଚିତ ନଜର ଆସେ । ବାସ୍ତବିକ ଜଣେ ନେତାର କାର୍ଯ୍ୟକରିବାର ଦକ୍ଷତା, ନେତୃତ୍ୱ ନେବାର ପରାକାଷ୍ଠା ସେତେବେଳେ ଜଣାପଡେ । ଯେତେବେଳେ ଜନସାଧାରଣଙ୍କ ସହିତ ଆଲୋଚନାକରି ପୁଙ୍ଖାନୁଫୁଖ ଭାବେ ସମସ୍ୟାକୁ ବୁଝି ଉପଯୁକ୍ତ ନିଦାନ ପୂର୍ବକ ସମସ୍ୟାର ଯଥାଯଥ ସମାଧାନ କରିଥାଏ । ତାଙ୍କୁ ହିଁ ଲୋକେ ଜନନେତା ଭାବେ ବିବେଚିତ କରିଥାନ୍ତି । ଓଡ଼ିଶାର ଏକ ଲୋକକଥା ଏଠାରେ ପ୍ରଯୁଯ୍ୟ “କାହ୍ନୁ ପାଇଁ ସିନା ଦୋଳଯାତରା” ଅର୍ଥାତ୍ ଦୋଳ ମେଳଣରେ ଦୋଳଗୋବିନ୍ଦଙ୍କୁ ବାଦଦେଲେ ଯେପରି ତାହା ମୂଲ୍ୟହୀନ ଲାଗେ ଠିକ୍ ସେହିପରି ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ମାଲିକ, ଅତଏବ ଜନସାଧାରଣଙ୍କ ହିତକୁ ବାଦ ଦେଇ ଭାବପ୍ରବଣତାକୁ ନେଇ ଦଳିତ ଗରୀବ ଖଟିଖିଆଙ୍କ ଘରେ ଭୋଜନ ଓ ଜନସାଧାରଣଙ୍କୁ ସମ୍ବୋଧନ କଲାବେଳେ ଅନେକ ମନଗଢ଼ା ଅତୀତର ତାଙ୍କର ଦୁଃଖପୂର୍ଣ କାହାଣୀର ପସରା ମେଲାଇ ଭୋଟ ବ୍ୟାଙ୍କକୁ ହାତେଇବାର ବୃଥା ଅପଚେଷ୍ଟା କେତେକାଂଶରେ ଜନସାଧାରଣଙ୍କୁ ଭୁଆଁ ବୁଲାଇବାରେ ସମର୍ଥ ହୁଏ ତ ଓ ଅନେକାଂଶରେ କିଛି ସଚେତନ ନାଗରିକ ଏସବୁ ଶୁଣି ସେହି ପୁରୁଣା ମଦ ନୂଆ ବୋତଲର ଉକ୍ତିଟି ମନେ ପକାଇ ମୁରୁକି ହସାମାରି ନେତାଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ଠିକ୍ ବୁଝିନିଅନ୍ତି ।

ପ୍ରକୃତରେ ଜଣେ ନେତା ଯଦି ନିଜକୁ ବାସ୍ତବିକ ଆଦର୍ଶ ନେତା କରିବାକୁ ଋହେଁ, ତେବେ ପ୍ରକୃତି ମୁଖୀ ପରତନ୍ତ୍ରୀ ଚଳନି ରୂପକ ଅକ୍ଟୋପସ କବଳରୁ ମୁକୁଳି ନିଜର ସ୍ୱାର୍ଥ ସମ୍ବଳିତ ରହିବାକୁ ପଛରେ ପକାଇ ଜନସାଧାରଣଙ୍କ ପାଇଁ ସରକାରୀ ସ୍ତରରେ ହେଉଥିବା ଯୋଜନା ସମୂହର ସଫଳ ରୂପାୟନ ଦିଗରେ ଯତ୍ନବାନ ହୋଇ ତତ୍ ସଂକ୍ରାନ୍ତିୟ ପ୍ରଚେଷ୍ଟା କଲେ ହୁଏତ ଜନସାଧାରଣଙ୍କର ଅନେକ ସମସ୍ୟା ସମାଧାନ ହେବା ସହିତ ନିଜେ ନେତା ହେବାର ସାର୍ଥକତା ଉପଲବ୍ଧି କରିପାରିବେ । ଅଧୁନା ଏସବୁ ତ ବିରଳ । ଭଦ୍ରମୁଖା ତଳେ କ୍ଷମତା ଲୋଭୀ, ପିପାଷୁ ନେତାମାନେ ସମ୍ବିଧାନକୁ ବାଏଁ ବାଏଁ ଉଡାଇ ନିଜ ସାତ ପୁରୁଷ ଲାଗି ପୁଞ୍ଜି ଗଚ୍ଛିତ କରିବାରେ ବ୍ୟସ୍ତ । ସମ୍ବିଧାନ ବା ଗଣତନ୍ତ୍ରର କଥା କିଏ ପଚାରେ । କ୍ଷମତା ଲୋଭରେ ମତୁଆଲା ଏହି ନେତାମାନଙ୍କୁ ପଦପଦବୀ ଓ ଚୌକିର ଅଫିମ ନିଶା ଏତେ ମାତ୍ରାରେ ଘାରିଥାଏ, ତାହା ଶୀତଦିନର କାଠୁଆ ଜାଡ଼ରେ ନିଆଁ ପିଉଥିବାର ଆନନ୍ଦ ପରି ମନେହୁଏ ।

ହେ ବରେଣ୍ୟ ନେତୃମଣ୍ଡଳୀ ଏହି ଶସ୍ତା ହୀନ ରାଜନିତୀ ଛାଡି ମାଟି ମା’ର ସେବା କରିବାର ଯେଉଁ ଅବକାଶ ଜନସାଧାରଣ ପ୍ରଦାନ କରିଛନ୍ତି ତାକୁ ସୂଚରୁ ରୂପେ ସମ୍ପାଦନ କରି ନିଜ ପାରିବା ପଣିଆର ପରାକାଷ୍ଠା ପ୍ରଦାନ କରନ୍ତୁ ନତୁବା ଦିନ ଆସିବ ଶାସନ ବ୍ୟବସ୍ଥା ଥିବା ବଡ଼ପଣ୍ଡା ମାନଙ୍କର ଅପାରଗତା, ଦୂରଦୃଷ୍ଟି ବାଧୂତ ଜ୍ଞାନ ଓ ଆନ୍ତରିକତା ହୀନ ସେବା ଦ୍ଵାରା ନିଜର ରାଜନୈତିକ ଭବିଷ୍ୟତ ଅନ୍ଧାରକୁ ଯିବା ପରି ରାଜ୍ୟ ଓ ରାଷ୍ଟ୍ରକୁ ନିମ୍ନମୁଖୀ କରିବା କ’ଣ ସମାଜପତି ନେତାଙ୍କ ଚରମ ବିଶ୍ଵାସଘାତକତା ନୁହେଁକି ।

ଖଣ୍ଡଗିରି, ଭୁବନେଶ୍ଵର

ମୋ.୯୯୩୭୭୮୧୦୧୨

ନବୀନଙ୍କ ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୂଖ୍ୟମନ୍ତ୍ରୀଙ୍କ ପ୍ରାର୍ଥନା

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥ ଖବର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି ଯେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣିବାକୁ ପାଇଲି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।
ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟା 5 ଟା 15 ମିନିଟ୍ ସମୟରେ Dehydration ହେତୁ ଭୁବନେଶ୍ୱର ସମ୍ ଆଲ୍ଟିମେଟ୍ ମେଡିକେୟାର୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ଏବଂ ସେ ଚିକିତ୍ସାରେ ଭଲ ଭାବରେ ସ୍ୱସ୍ଥ ହେଉଛନ୍ତି। ନବୀନ ଅସୁସ୍ଥ ଖବର ଜଣାପଡ଼ିବା ପରେ ତାଙ୍କ ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

ନବୀନ ପଟ୍ଟନାୟକ ଅସୁସ୍ଥ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟା 5 ଟା 15 ମିନିଟ୍ ସମୟରେ Dehydration ହେତୁ ଭୁବନେଶ୍ୱର ସମ୍ ଆଲ୍ଟିମେଟ୍ ମେଡିକେୟାର୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ଏବଂ ସେ ଚିକିତ୍ସାରେ ଭଲ ଭାବରେ ସ୍ୱସ୍ଥ ହେଉଛନ୍ତି।  ସମ୍ ଆଲ୍ଟିମେଟ୍ ମେଡିକେୟାର୍‌ ପକ୍ଷରୁ ସୂଚନା ଦିଆଯାଇଛି।।

ଆଜି ପବିତ୍ର ଜନ୍ମାଷ୍ଟମୀ; ମାନବ ରୂପରେ ଧରାବତରଣ କରିବେ ଭଗବାନ…

() ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ। ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର। କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଅଷ୍ଟମ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର-ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ।

ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି,ସେ ଜନ୍ମ ନେଇଛନ୍ତି। ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁରକୁ ଗଲେ। ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

କୃଷ୍ଣ ମଥୁରାରେ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଜନ୍ମ ହୋଇଥିଲେ। ଅତ୍ୟାଚାରୀ କଂସଙ୍କୁ ବଧ କରିବା ପାଇଁ ସେ ମାନବ ଜନ୍ମ ନେଇଥିଲେ। କୃଷ୍ଣ ହିଁ କଂସର ମୃତ୍ୟୁର କାରଣ ହେବ ଏହା କଂସକୁ ଭବିଷ୍ୟବାଣୀ ହୋଇଥିଲା। ଏଥିପାଇଁ ସେ ଜନ୍ମରୁ ହିଁ କୃଷ୍ଣଙ୍କୁ ମାରି ଦେବାକୁ ଚାହୁଁଥିଲା। କୃଷ୍ଣଙ୍କୁ ବଞ୍ଚେଇବା ପାଇଁ ଜନ୍ମ ପରେ କୃଷ୍ଣଙ୍କୁ ପିତା ବସୁଦେବ ଗୋପପୁରରେ ଅର୍ଥାତ ନନ୍ଦ ଓ ଯଶୋଦାଙ୍କ ପାଖରେ ଛାଡ଼ି ଆସିଥିଲେ। ଏହାପରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା। କୃଷ୍ଣଙ୍କ ଜନ୍ମ ପରଦିନ ଗୋପପୁରରେ ଅର୍ଥାତ ନନ୍ଦରାଜାଙ୍କ ଘରେ ଉତ୍ସବ ପାଳିତ ହୋଇଥିଲା। ସେଥିପାଇଁ ଏହାକୁ ନନ୍ଦ ଉତ୍ସବ ବୋଲି କୁହାଯାଏ ଏହା ଜନ୍ମାଷ୍ଟମୀର ପରଦିନ ପାଳିତ ହୋଇଥାଏ।

ରାଜଧାନୀରେ “ଭୋଟ ଚୋର, ଗାଦି ଛାଡ” ମଶାଲ ଶୋଭାଯାତ୍ରା

  ନିର୍ବାଚନ କମିଶନଙ୍କ ଭୋଟ ଚୋରି ମାଧ୍ୟମରେ ବିଜେପିକୁ କ୍ଷମତାକୁ ଆସିବାକୁ ସହାୟତା ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କ ଆଗରେ ତଥ୍ୟ ଓ ପ୍ରମାଣ ସହ ଜାଲିଆତିର ପର୍ଦ୍ଦାଫାଶ କରି ଦେଶରେ ଆଲୋଡନ ସୃଷ୍ଟି କରିଥିଲେ । ଏହାକୁ ନେଇ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦେଶର ସମସ୍ତ ଜିଲ୍ଲା ସଦର ମହକ୍କୁମା ଠାରେ “ଭୋଟ ଚୋର, ଗାଦି ଛାଡ” ମଶାଲ ଶୋଭାଯାତ୍ରା ପାଇଁ ଆହ୍ୱାନ କରିଥିଲେ । ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିଶ୍ୱଜିତ ଦାସଙ୍କ ତତ୍ୱାବଧାନରେ ଆଜି ଏକ ବିଶାଳ ମଶାଲ ଶୋଭାଯାତ୍ରା ରାଜମହଲ ଛକ ଠାରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।
ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଥିଲେ ଯେ ବିଜେପିର ଭୋଟ ଚୋରି ଆଜି ସାରା ଦେଶରେ ପ୍ରମାଣିତ । ନିର୍ବାଚନ ଆୟୋଗକୁ ବ୍ୟବହାର କରି ‘ଗଣତନ୍ତ୍ର’ର ହତ୍ୟା ଉଦ୍ୟମ, ବିଜେପିର ହୀନ ମାନସିକତାକୁ ଦର୍ଶାଉଛି । ଭାରତ ବର୍ଷର ଗଣତନ୍ତ୍ର ଆଜି ସଂପୂର୍ଣ୍ଣ ବିପଦ ଗ୍ରସ୍ତ । ନିର୍ବାଚନ କମିଶନ ଭାରତ ବର୍ଷରେ ବିଜେପି ଦଳକୁ କ୍ଷମତାରେ ରଖିବା ପାଇଁ ଗତ ସାଧାରଣ ନିର୍ବାଚନରେ ଭୋଟ୍ ଚୋରି କରି ମୋଦୀଙ୍କୁ କେନ୍ଦ୍ରରେ କ୍ଷମତାସୀନ କରିବା ସହିତ ମହାରାଷ୍ଟ୍ର, ହରିୟାନା, ମଧ୍ୟପ୍ରଦେଶ, ଛତିଶଗଡ ରାଜ୍ୟରେ ବିଜେପିର ସରକାର ପ୍ରତିଷ୍ଠା କରିବାରେ ସହାୟକ ହୋଇଛନ୍ତି । ଏହା ଆମ ସମ୍ବିଧାନ ପ୍ରତି ବଡ଼ ଧୋକା ଏବଂ ଭାରତ ବର୍ଷର ଜନସାଧାରଣଙ୍କ ନିଷ୍ପତ୍ତିକୁ ବଦଳାଇ ଆଜି ନିର୍ବାଚନ କମିଶନ, ମୁଖ୍ୟ କମିଶନର ଓ ଅନ୍ୟ ସଦସ୍ୟମାନେ ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କ ସହଯୋଗ ଫଳପ୍ରଦ ହେବ ଏବଂ ଗଣତନ୍ତ୍ର ବିରୋଧୀ ନିଶ୍ଚିତ ପରାସ୍ତ ହେବେ । ଭୋଟ ଚୋରି ବନ୍ଦ କରିବା ସହିତ ଆମ୍ଭ ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ ଏବଂ ଆମ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏ ମଶାଲ ଶୋଭାଯାତ୍ରା ।
ଆଜିର କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ଜେନା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ମନୋରଞ୍ଜନ ଦାସ, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ମହାପାତ୍ର, ଅରବିନ୍ଦ ଦାସ, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତି, ପ୍ରସନ୍ନ ନାୟକ, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ପ୍ରଣତୀ ମିଶ୍ର, ଆଶିଷ ମଲ୍ଲିକ, ରଞ୍ଜିତ ପାତ୍ର, ମୋହନ ଜେନା, ଶ୍ରୀନିବାସ ରାଉତରାୟ, ଚନ୍ମିୟ ସୁନ୍ଦର ଦାସ, ଗୀତାଞ୍ଜଳି ମହାନ୍ତି, ତରୁଣ ମିଶ୍ର, ମାନସ ସେଠୀ, ବଳଦେବ ରଥ, ସଂକୁନା କଅଁର, ସେକ୍ ତାକ୍ୱିମ୍‌, ଏସ୍‌.କେ. କମର ଅଲ୍ଲି, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ ଦାସ, ଦେବାଶିଷ ମହାପାତ୍ର, ଦେବାଶିଷ ରାଉତ, କବିତା ପ୍ରିୟଦର୍ଶନୀ, ପ୍ରଭାତ ପ୍ରତାପ ସିିଂ, ଦିପକ ସାହୁ, ପ୍ରାଚୀ ରାଉତରାୟ, ଶ୍ରୀୟା ମହାନ୍ତି, ଶ୍ରୀୟା ପଣ୍ଡା, କୁସୁମ୍ ପ୍ରଧାନ, ଜୟଶ୍ରୀ ପାତ୍ର, ଲିଙ୍ଗରାଜ ସାହୁ, ତାପସ ସେଠୀ, ମନୋରଞ୍ଜନ ରାଉତରାୟ, ପ୍ରଦ୍ୟୁମ୍ନ ଦାସ, ରାଜ କିଶୋର ବାରିକ, ନାରଣ ଜେନା, ସୁଶାନ୍ତ ତ୍ରିପାଠୀ, ବଳରାମ ନନ୍ଦ, କାର୍ତ୍ତିକ କାଣ୍ଡି, ଦେଓ ପ୍ରସାଦ, ଆତ୍ମାରାମ ପତି, ମଣ୍ଟୁ ମଲ୍ଲିକ, ଜମ୍ବେଶ୍ୱର ମଲ୍ଲିକ, ବେଣୁଧର ପାତ୍ର, ଦେବବ୍ରତ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ପ୍ରତିକ୍ ଦାସ, ଅନିଲ ଦାସ, ଏମ୍‌ଡି ସାହାଦୁଲ୍ଲା, ଉଷାରାଣୀ ବେହେରା, ଖଗେଶ୍ୱର ମଲ୍ଲିକ, ବୈଲୋଚନ ସାହୁ, ପ୍ରସନ୍ନ ପାଇକରାୟ, ଜ୍ୟୋତିଷ ସାହୁ, ମଧୁସ୍ମିତା ଆଚାର୍ଯ୍ୟ, ଜିତେନ୍ଦ୍ର ପଣ୍ଡା,ଧରିତ୍ରୀ ଜେନା, ସଦାଶିବ ମହାପାତ୍ର, ମନୋଜ ସାହୁ, ମଜିବୁର୍ ରେହେମାନ ଖାନ୍‌, ସଂଜୟ ରାଉତ, ସୁବାସ ପ୍ରଧାନ ପ୍ରମୁଖ ବହୁ ଛାତ୍ର, ଯୁବ ଓ ମହିଳା ଏବଂ ଭୁବନେଶ୍ୱର ଜିଲ୍ଲା କଂ୍େରଗସ କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଆଜି ସଂଧ୍ୟା ୬.୩୦ ରେ ସମସ୍ତ ଜିଲ୍ଲାରେ ୨ କିଲୋମିଟର ପର୍ଯ୍ୟନ୍ତ ‘ଭୋଟ୍ ଚୋର ଗାଦି ଛାଡ଼ ‘ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ଟାଟା ପାୱାର ପାଖରେ ବନ୍ଧା ପଡିଛି ମୋହନ ସରକାର : କାନୁନଗୋ

– ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା କମ୍ପାନୀ ଟାଟା ପାୱାର ଏବଂ ରାଜ୍ୟ ବିଜେପି ସରକାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତା ନାହିଁ ନଥିବା ଶୋଷଣର ଶିକାର ହେଉଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।

ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ବିତରଣ କମ୍ପାନୀ ଟାଟା ପାୱାରର ମୁଖ୍ୟ ଦାଇତ୍ୱ ହୋଇଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ ଦୁର୍ବିସହ କରୁଛି । ଶ୍ରୀ କାନୁନଗୋ ଏକ ହିସାବ ଦେଇ କହିଥିଲେ ଯେ ପ୍ରତ୍ୟେକ ଦିନ ହେଉଥିବା ଅଘୋଷିତ ବିଦ୍ୟୁତ କାଟକୁ ଯଦି ଯୋଗ କରାଯାଏ, ମାସକୁ ଅତି କମରେ ଗୋଟିଏ ଦିନ ସମ୍ପୂର୍ଣ ଭାବେ ଘର ଅନ୍ଧାର ରହୁଛି । ଅର୍ଥାତ ତିରିଶ ଦିନରେ ଗୋଟିଏ ଦିନ ସମ୍ପୂର୍ଣ ରୂପେ ବିନା ବିଜୁଳିରେ ଉପଭୋକ୍ତା ମାନଙ୍କୁ ସମୟ କାଟିବାକୁ ବାଧ୍ୟ କରାଯାଉଛି ଏବଂ ସେହି ମାସରେ ଗୋଟିଏ ଦିନର ବିଦ୍ୟୁତ ବିଲ କମ୍ପାନୀ ଅସୁଲ କରୁଛି ।

ଓଡ଼ିଶାରେ ସରକାର ସବୁଜାଣି ଅଜଣା ଭଳି ବ୍ୟବହାର କରୁଛନ୍ତି, ବର୍ତ୍ତମାନର ବିଜେପି ସରକାର ମଧ୍ୟ ପୂର୍ବ ବିଜେଡି ସରକାର ଭଳିଆ ଟାଟା ପାୱାର ହାତରେ ବନ୍ଧା ପଡିଛି । ଓଡ଼ିଶାରେ ୧ କୋଟିରୁ ଉର୍ଧ୍ଵ ବିଦ୍ୟୁତ ଉପଭୋକ୍ତା ଅଛନ୍ତି ।
ବର୍ଷକୁ ବାର ଦିନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବ୍ୟବହାର କରୁ ନଥିବା ବିଦ୍ୟୁତ ଉପରେ ମଧ୍ୟ କମ୍ପାନୀ ବିଜୁଳି ବିଲ ଆଦାୟ କରୁଛି, ଯାହାକି ସମ୍ପୂର୍ଣ ବେଆଇନ ଅଟେ ।

ଆମ ରାଜ୍ୟର କୋଇଲା ଏବଂ ପାଣିରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ଯୋଗୁଁ ସମଗ୍ର ଦେଶରେ ଦ୍ଵିତୀୟ ସର୍ବାଧିକ ବିଦ୍ୟୁତ ଶକ୍ତି ଉତ୍ପାଦନକାରୀ ରାଜ୍ୟ ଭାବରେ ପରିଗଣିତ ହୋଇଛି । କିନ୍ତୁ ପରିତାପର ବିଷୟ ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଥିଲେ ସୁଦ୍ଧା ଆମ ରାଜ୍ୟର ବିଦ୍ୟୁତ ଦେୟ ସର୍ବ ଭାରତୀୟ ସ୍ତରରେ ସବୁଠୁ ଅଧିକ । ଓଡ଼ିଶାରେ ୟୁନିଟ ପିଛା କ୍ରୟ ଦର ଟ ୨.୪୦ ପଇସା ହୋଇଥିବା ବେଳେ ବିକ୍ରୟ ଦର ଟ ୭.୬୦ ପଇସା ଯାହାକି ଦେଶର ସବୁଠୁ ବେଶୀ ।

ଓଡିଶାରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ୮୨% କୋଇଲା, ୧୧% ଜଳ ବିଦ୍ୟୁତ, ୪% ଅକ୍ଷୟ ଶକ୍ତି ଏବଂ ୩% ଅନ୍ୟାନ୍ୟ ସୂତ୍ରରୁ ମିଳେ । ଆଜିର ଦିନରେ ଟ୍ରାନ୍ସମିଶନ ଏବଂ ଡିସଟ୍ରିବ୍ୟୁସନ କ୍ଷତି ୪୧% ରୁ କମି ୧୭% ପହଞ୍ଚିବା ସତ୍ୱେ ବିଦ୍ୟୁତ ଦର କମିବାର ନାମ ନେଉନାହିଁ । ରାଜ୍ୟରେ ୯୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଶକ୍ତି ଥିବାବେଳେ ୫୫୦୦ ମେଗାୱାଟ ଉତ୍ପାଦିତ ହେଉଅଛି ଏବଂ ୪୩୦୦ – ୪୭୦୦ ମେଗାୱାଟ ଖର୍ଚ୍ଚ ହେଉଛି । ଏସବୁ ସତ୍ୱେ କମ୍ପାନୀର ଦରବୃଦ୍ଧି ପ୍ରୀତିକୁ ରାଜ୍ୟ ସରକାର ଅନ୍ଧଭଳି ସମର୍ଥନ ଦେଉଥିବାରୁ କଂଗ୍ରେସ ଘୋର ବିରୋଧ କରୁଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ରାଜ୍ୟରେ ୧ କୋଟି ୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୩୬ ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ବ୍ୟବହାର ୨ କିଲୋୱାଟରୁ କମ । ଏନର୍ଜି ଚାର୍ଜେସ ନାମରେ କମ୍ପାନୀ ଆଦାୟ କରୁଥିବା ଅତିରିକ୍ତ ଦେୟ ହଟାଇବା ପାଇଁ ଶ୍ରୀ କାନୁନଗୋ ଦୃଢ ଦାବୀ କରିଛନ୍ତି । ସ୍ମାର୍ଟ୍ ମିଟର ନାମରେ ସାଧାରଣ ଲୋକଙ୍କୁ ଶୋଷଣ କରାଯାଇଛି।

ପ୍ରଥମ ଥର ପାଇଁ ବିଦ୍ୟୁତ ସଂଯୋଗ କରୁଥିବା ଉପଭୋକ୍ତାଙ୍କ ଘର ଯଦି ଦୂରରେ ଅଛି ତେବେ ଖୁଣ୍ଟ, ତାର ଏବଂ ଅନୁଷାଙ୍ଗିକ ଜିନିଷ ପାଇଁ ଉପଭୋକ୍ତାଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି । ଯାହା ସେମାନଙ୍କ ଉପରେ ଏକ ଶକ୍ତ ବୋଝ ହେଉଛି । ମୁମ୍ବାଇ ଏବଂ ଦିଲ୍ଲୀ ଭଳି ଢାଞ୍ଚାରେ ରାଜ୍ୟ ସରକାର ୫୦ %, ବିତରଣ କମ୍ପାନୀ ୨୫% ଏବଂ ବିଦ୍ୟୁତ୍ ଉପଭୋକ୍ତା ୨୫% ଅନୁଷାଙ୍ଗିକ ଖର୍ଚ୍ଚ ବହନ କରନ୍ତୁ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ପ୍ରଦେଶ କଂଗ୍ରେସ ତରଫରୁ ଶ୍ରୀ କାନୁନଗୋ ରାଜ୍ୟ ସରକାରଙ୍କ ନିକଟରେ ୪ ଗୋଟି ଦାବୀ ଉପସ୍ଥାପନ କରିଛନ୍ତି

୧) ଗ୍ରାମାଞ୍ଚଳରେ ଥିବା ସମସ୍ତ ପଞ୍ଚାୟତ, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ, ସରକାରୀ ପାଣି ଟାଙ୍କି, ପଞ୍ଚାୟତ ରାସ୍ତା ଆଲୋକୀକରଣ ଆଦିର ବିଦ୍ୟୁତ ଖର୍ଚ୍ଚ ରାଜ୍ୟ ସରକାର ସମ୍ପୂର୍ଣ ବହନକରୁ ।
୨) ସ୍ମାର୍ଟ ମିଟରର ସମସ୍ତ ଖର୍ଚ୍ଚ ସରକାର କିମ୍ବା କମ୍ପାନୀ ବହନ କରୁ।
୩) ସର୍ବନିମ୍ନ ଶକ୍ତି ଦେୟ( ମିନିମମ୍ ଏନର୍ଜି ଚାର୍ଜେସ) କିଲୋୱାଟ ପିଛା ନିଆ ଯାଉଥିବା ୨୦ ଟଙ୍କା ଦରକୁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରନ୍ତୁ ଏବଂ ଏ ସଂକ୍ରାନ୍ତରେ କମ୍ପାନୀକୁ ସ୍ପଷ୍ଟ ନିର୍ଦେଶନାମା ଦିଅନ୍ତୁ ।
୪) ବିଦ୍ୟୁତ କମ୍ପାନୀର ପରିବହନ
ଏବଂ ବିତରଣ ଖର୍ଚ୍ଚ ୪୧ % ରୁ ୧୭ % କମିଥିବା ହେତୁ ଉପଭୋକ୍ତାଙ୍କ ଠାରୁ ୟୁନିଟ ପିଛା ଦର କମ କରାଯାଉ ।

ବର୍ତ୍ତମାନ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ପ୍ରଚେଷ୍ଟାରେ କଂଗ୍ରେସ ଆଗେଇ ଚାଲିଛି । ଜନସାଧାରଣଙ୍କୁ କଂଗ୍ରେସ ଶୋଷଣ ହେବାକୁ ଦେବ ନାହିଁ ଏଥିପାଇଁ ଅବିରାମ ସଂଗ୍ରାମ କରିବ । ଏହା କଂଗ୍ରେସର ଲଢେଇ ନୁହଁ ଏହା ଜନସାଧାରଣଙ୍କ ଅଧିକାରର ଲଢେଇ ତେଣୁ ବିଦ୍ୟୁତ କମ୍ପାନୀର ଶୋଷଣ ବିରୁଦ୍ଧରେ ପ୍ରଚାର ପ୍ରସାର କରିବାକୁ ଶ୍ରୀ କାନୁନଗୋ ଗଣମାଧ୍ୟମକୁ ନିବେଦନ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ପ୍ରଶାନ୍ତ ଶତପଥୀ, ନଳିନୀକାନ୍ତ ନାୟକ, ଦେବାଶିଷ ଭୂୟାଁ ଓ ଅମ୍ରିତା ଦାସ ମୁଖପାତ୍ରଗଣ ଉପସ୍ଥିତ ଥିଲେ । ତେବେ ଏନେଇ ଟାଟା ପାୱାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅରୁଣଙ୍କ ବେହାଲ ବର୍ଷାରେ ଭିଜିଲେ ଦର୍ଶକ

 ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସଂପାଦିତ ‘ସାଇତା ସତ’ ପୁସ୍ତକ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବେ ବର୍ଷୀୟାନ୍ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ l ପ୍ରକାଶକ ବିଜୟ ମହାପାତ୍ରଙ୍କ ବି. କେ. ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସାଇତା ସତ’ରେ ଚମତ୍କାର ଭାବେ ସତ ଓ ମିଛର ପରିଭାଷା ବର୍ଣ୍ଣନା ସହ ଦାର୍ଶନିକ ତତ୍ତ୍ଵ ମାଧ୍ୟମରେ ସାରକଥାଟି କିପରି ଶେଷକୁ ସଂରକ୍ଷିତ ହୋଇ ରହି ‘ସାଇତା ସତ’ ହୋଇଯାଏ, ତାହା ଉପସ୍ଥାପିତ ହୋଇଛି l ସେହିପରି ସଙ୍ଗୀତକାର ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ ଗାଇଥିବା ଡ଼ ଅରୁଣ ସାହୁଙ୍କ ରଚିତ ‘ବେହାଲ୍ ବର୍ଷା’ ସଙ୍ଗୀତରେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରଣୟର ସୁନ୍ଦର ସଙ୍ଗମ ହୋଇଛି l କାର୍ଯ୍ୟକ୍ରମରେ ଅତିଥି ଦର୍ଶକ ଭାବେ ବରିଷ୍ଠ ରାଜନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଉମାକାନ୍ତ ସାମନ୍ତରାୟ, ବିଶିଷ୍ଟ ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖ କଳା, ସାହିତ୍ୟ, ସଙ୍ଗୀତ ଓ ରାଜନୀତି ଦୁନିଆର ପ୍ରଖ୍ୟାତ ବ୍ୟକ୍ତିବିଶେଷମାନେ ଯୋଗ ଦେଇ ଉପଭୋଗ କରିଥିଲେ l ଚିରାଚରିତ କାର୍ଯ୍ୟକ୍ରମ ଶୈଳୀରୁ ବାହାରି ଡ଼ ଅରୁଣ ସାହୁଙ୍କ ପରିକଳ୍ପନାରେ ସାହିତ୍ୟ ଓ ସଙ୍ଗୀତର ଅପୂର୍ବ ସମନ୍ଵୟରେ ଏପରି କାର୍ଯ୍ୟକ୍ରମ ଓଡ଼ିଶାରେ ନିଆରା ବୋଲି ମତ ପ୍ରକାଶ ପାଇବା ସହ କାର୍ଯ୍ୟସୂଚୀ ଅନୁଯାୟୀ ସମାନ୍ ସନ୍ଧ୍ୟା ୬.୧୮ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୭.୩୩ରେ ଶେଷ ହେବାକୁ ଉପସ୍ଥିତ ଦର୍ଶକ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ l
ଫେରିଲା ସମୟରେ ସମସ୍ତେ ଗୁଣୁଗୁଣାଉ ଥିଲେ ବେହାଲ୍ ବର୍ଷା, ମତୁଆଲା ମନ…

Follow us

20,832FansLike
0FollowersFollow
14,700SubscribersSubscribe

Latest news