ରାଜଧାନୀରେ ୫୧ ପଜିଟିଭ ଚିହ୍ନଟ, ୧୬ ଲୋକାଲ କେସ୍‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୫୧ ପିଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୫ ଜଣ ହୋଇଥିବା ବେଳେ ଲୋକାଲ କେସ୍ ୧୬ । ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟ, ଚନ୍ଦ୍ରଶେଖରପୁର ୭ମ ବାଟାଲିଅନ ନିକଟରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ, ଭରତପୁର ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। କଳିଙ୍ଗବିହାର ଅଞ୍ଚଳରୁ ୨ ମହିଳା ଲୋକାଲ କଣ୍ଟାରେ ପଜିଟିଭ ଜଣାପଡ଼ିଛି। ଖାରବେଳନଗରରୁ ଜଣେ ମହିଳା, ଶାସ୍ତ୍ରୀନଗରରୁ ଜଣେ ପୁରୁଷ ଲୋକାଲ କେସ୍ ବୋଲି ଜଣାପଡ଼ିଛି। ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ୨ ଯୁବକ ମଧ୍ୟ ଲୋକାଲ କଣ୍ଟା କେସ୍ ଯୋଗୁ ହୋଇଛି।

ଶାସ୍ତ୍ରୀନଗରର ଜଣେ ମହିଳା, ଝାରପଡ଼ାର ଜଣେ ଯୁବକ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି। ନୟାପଲ୍ଲୀର ଜଣେ ଯୁବତୀ ଓ ସଂପୃକ୍ତ ଅଞ୍ଚଳରୁ ଜଣେ ଯୁବକ ପଜିଟିଭ ଚିହ୍ନଟ। ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍ କରାଯାଇଛି। ଏଯାଏଁ ଭୁବନେଶ୍ୱରରେ ୭୬୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୬୧ ଜଣ ସୁସ୍ଥ ହେଲେଣି। ୧୦ ଜଣଙ୍କର ମୃତ୍ୟୁ ଘଟିଲାଣି। ୩୯୭ ଟି କେଶ୍ ଆକ୍ଟିଭ୍ ରହିଛି।

ବିଜେଡି ଫୋକସରେ କଳାହାଣ୍ଡି….

କଳାହାଣ୍ଡି : କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ୭ଟି ବିଧାନସଭା ମଣ୍ଡଳୀ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଏଠାରୁ ୫ଟି ଆସନରେ ଜିତିଥିଲା। ଅନ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ଖରିଆଡ଼ ଓ ନୂଆପଡା ବିଧାନସଭା କ୍ଷେତ୍ର ବିଜେଡି ହାତରୁ ଚାଲିଯାଇଥିଲା ଏହି ଦୁଇ କ୍ଷେତ୍ର ଗୋଟିଏ ବିଜେପି ଓ ଅନ୍ୟଟି କଂଗ୍ରେସ ଜିତିଥିଲା। ତେବେ କଳାହାଣ୍ଡିରେ କିପରି ବିଜେଡି ଅଧିକ ଶକ୍ତିଶାଳୀ ହେବ ସେ ଉପରେ ଅଧିକ ଜୋର ଦେଇଛି ଦଳ। ଦଳକୁ ତୃଣମୂଳ ସ୍ତରରେ ଆହୁରି ଅଧିକ ସୁଦୃଢ କରିବାକୁ ଫୋକସ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)। ସେଥିପାଇଁ ଦଳର ନେତାଙ୍କ ଭଲ ମନ୍ଦ କଥା ବୁଝିଛନ୍ତି ସଂଗଠକ ସମ୍ପାଦକ। ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲାରେ ନୂତନ ଭାବରେ ନିର୍ମିତ ବିଜୁ ଜନତା ଦଳ କାର୍ୟ୍ୟାଳୟକୁ ଉଦଘାଟନ କରିଛନ୍ତି ଯାଜବିଧାୟକ  ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ଏଠାରେ କଳାହାଣ୍ଡିର ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଅନ୍ୟ କାର୍ଯ୍ୟକର୍ତା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେଠାରେ ସେ ବିଭିନ୍ନ ନେତାଙ୍କ ସହ ଦଳୀୟ ସଂଗଠନ ବାବଦରେ ଆଲୋଚନା କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ପ୍ରଣବ କୋଭିଡ ନିୟମ ଯଥା ସାମଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ କରୋନା ସମୟରେ କିପରି ଲୋକଙ୍କୁ ଅଧିକ ସାହାଯ୍ୟ କରିହେବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ।  ରକ୍ତ ଅଭାବକୁ ଦୂର କରିବା ପାଇଁ ଦଳ ତରଫରୁ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ପ୍ରଣବ ଯୋଗ ଦେଇଥିଲେ। ସେଠାରେ ସେ ଉପସ୍ଥିତ ରହି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନିତ କରିବାକୁ କହୁଥିଲେ। ଏଠାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ରକ୍ତ ଦାନ କରି ସଭିଙ୍କ ମନ ବଳକୁ ବଢ଼ାଇଥିଲେ।

ଅନୁଗୁଳ ଜିଲ୍ଲାବାସୀ ଶଟଡାଉନକୁ ସମର୍ଥନ…

() ଅନଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ବାସିନ୍ଦା ହୋଉଥିବାରୁ ବହୁ ଲୋକଙ୍କ ସହିତ ସଂସ୍ପର୍ଶରେ ଆସିଛନ୍ତି। ଏ ନେଇ ପୋକତୁଙ୍ଗା, ଧୋକୁଟା, ନନ୍ଦପୁର, ସଙ୍ଖପୁର, ବନ୍ତଳା ଓ କୁମୁରିସିଙ୍ଗା ଆଦି ୬ ଟି ପଞ୍ଚାୟତ ମଙ୍ଗଳବାର ଠାରୁ ଶୁକ୍ରବାର ପରିଯ୍ୟନ୍ତ ଶଟଡାଉନ ଘୋଷଣା କରାଯାଇଛି । ଏହି ଶଟଡାଉନକୁ ସେହି ଛଅ ଟି ପଞ୍ଚାୟତ ବାସୀ ସମର୍ଥନ ଜଣାଇବା ସହିତ କେବଳ ମେଡ଼ିସିନ ଦୋକାନ, କୃଷି ଭିତ୍ତିକ ଦୋକାନ ଓ କ୍ଷୀର ଦୋକାନ କୁ ଛାଡିଦେଲେ ବାକି ଦୋକାନ ବଜାର ବନ୍ଦ ରଖି ଛନ୍ତି। ଲୋକମାନେ ଏକାଠି ରୁଣ୍ଡ ହେଉ ନାହାଁନ୍ତି କି ଘରୁ ବାହାରୁ ନାହାନ୍ତି। ଅତି ଆବଶ୍ୟକ ପଡିଲେ ମୁହଁରେ ମାକ୍ସ ପିନ୍ଧିବା ବାହାରୁ ଛନ୍ତି। ଅନ୍ୟପକ୍ଷରେ ବାରଗୌନିଆ, ବାଳୁଅ କଟା ଓ ଖିଣ୍ଡା ଆଦି ତିନୋଟି ପଞ୍ଚାୟତ ସମର୍ଥନ ଜଣାଇବା ସହିତ ଗ୍ରାମରେ ଡେଙ୍ଗୁରା ମାଧ୍ୟମରେ ସଚେତନ କରାଇ ଛନ୍ତି। ଅଧିକ କରୋନା ରୋଗୀ ଚିହ୍ନଟ ହେଲେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

୩୧ ପର୍ଯ୍ୟନ୍ତ ସରକାରୀ ଅଫିସ ମନା….

ଗଞ୍ଜାମ : ଗଞ୍ଜାମ ଜ଼ିଲ୍ଲା ର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରଶାସନର ଚିନ୍ତା ବଢିଛି । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୩୧ତାରିଖ ପର‌୍ୟ୍ୟନ୍ତଲ୍ଲାର ସରକାରୀ ଅଫିସ୍‌କୁ ଜନସାଧାରଣଙ୍କୁ ଯିବା ପାଇଁ ସମ୍ପୂର୍ଣ ନିଷେଧ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା ସୂଚନା ଦେଇଛନ୍ତି।

ପୂର୍ବରୁ ମଧ୍ୟ ୧୦ଦିନ ପାଇଁ ଜନସାଧାରଣ ଙ୍କୁ ସରକାରୀ ଅଫିସ୍ କୁ ଯିବାକୁ ମନା କରାଯାଇଥିଲା । ଏବେ ଛତ୍ରପୁର ସ୍ଥିତ ଜ଼ିଲ୍ଲାପାଳ ଓ ଡିଆରଡିଏ ଅଫିସର କର୍ମଚାରୀ କରୋନା ପଜିଟିଭ ଚି଼ହ୍ନଟ ହେବାରେ ଲାଗିଛନ୍ତି । ଜନ ସାଧାରଣ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସହ ସତର୍କତା ଅବଲମ୍ବନ କଲେ କରୋନା ଠାରୁ ବିଜୟ ହାସଲ କରିହେବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନିମନ୍ତେ ଘରୁ ବାହାରକୁ ଗଲା ବେଳେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ମଦ ଦୋକାନଗୁଡ଼ିକ ଜାରି ହୋଇଥିବା ନିୟମ ପାଳନ ନକଲେ ୧୦ ହଜାର ଟଙ୍କା ଜରିମାନା ଓ ଉକ୍ତ ଦୋକାନକୁ ୭ଦିନ ପାଇଁ ସିଲ୍ କରାଯିବ ।

ଦ୍ୱିତୀୟଥର ପାଇଁ ନିୟମ ଉଲ୍ଲଂଘନ କଲେ ଏକ ମାସ ଦୋକାନ ସିଲ୍ ସହ ଥାନାରେ ଦୋକାନୀ ଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଜ଼ିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଧୀକୃତ ସ୍ଥାନରେ କେବଳ ମାଛ, ମାଂସ ବିକ୍ରି କରାଯାଇ ପାରିବ। ଏହି ନିୟମ ଖିଲାପ କଲେ ସାମଗ୍ରୀ ଜବତ ହେବା ସହ ୧ହଜାର ଟଙ୍କା ଜରିମାନା କରାଯିବ। ବ୍ୟାଙ୍କଗୁଡ଼ିକ ସକାଳ ୮ଟାରୁ ଅପରାହ୍ଣ ୩ଟା ପର‌୍ୟ୍ୟନ୍ତ ଖୋଲା ରହିବାକୁ ଥିବାବେଳେ ଗ୍ରାହକଙ୍କ ପାଇଁ ୮ଟାରୁ ଅପରାହ୍ଣ ୧ଟା ପର‌୍ୟ୍ୟନ୍ତ ଖୋଲା ରହିବ। କେଵଳ ୧୬ ପର‌୍ୟ୍ୟନ୍ତ ଏହି ଗାଇଡଲାଇନ ପାଳନ ହେବ ବୟସ୍କ, ମଧୁମେହ ଆକ୍ରାନ୍ତ ବ୍ୟକ୍ତି, ରକ୍ତଚାପ ଜନୀତ ଚିକିତ୍ସିତ ହେଉଥିବା ବ୍ୟକ୍ତି, କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଶେଷ ଙ୍କୁ ନିଜ ଘର ଛାଡି କୌଣସି ମତେ ବାହାରକୁ ଯିବାପାଇଁ ବାରଣ କରିଛନ୍ତି ।

ବିଜେଡି-ବିଜେପିକୁ ପ୍ରଶ୍ନ ପଚାରିଲେ ନିରଞ୍ଜନ… କଣ ପ୍ରଶ୍ନ ପଢନ୍ତୁ..

ଭୁବନେଶ୍ୱର : ମହାନଦୀ ଜଳବିବାଦକୁ ନେଇ ଛତିଶଗଡ ବିଜେପି ସରକାର ଓ ଓଡିଶା ବିଜେଡି ସରକାର ବହୁ ରାଜନୀତି କଲେ।ଜନସାଧାରନଙ୍କ ସ୍ୱାର୍ଥପାଇଁ ସେମାନଙ୍କର ଆନ୍ତରିକତା ନଥିଲା ବୋଲି ଆଜିର ପ୍ରେସବାର୍ତ୍ତାରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।ବିଜେଡି ଓ ବିଜେପି କେବଳ ଭୋଟ ରାଜନୀତି ରେ ବିଶ୍ୱାସ କରନ୍ତି।ଏବେ କିନ୍ତୁ ସତ୍ୟ ସାମ୍ନା କୁ ଆସିଛି।ଓଡ଼ିଶାର ଦାବି ଥିଲା ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ସର୍ବନିମ୍ନ ୧.୨ ମିଲିଅନ ଏକର ଫିଟ ପାଣି ଛତିଶଗଡ ସରକାର ଛାଡ଼ନ୍ତୁ।କିନ୍ତୁ ଛତିଶଗଡ଼ ବିଜେପି ସରକାର ରୋକଠୋକ ନାହିଁ କରିଦେଲେ।ହୀରାକୁଦ ବନ୍ଧ ଗୋଟେ କେନ୍ଦ୍ରୀୟ ଯୋଜନା।ଡିପିଆର ରେ ସ୍ପଷ୍ଟ ଭାବେ ଉଲ୍ଲକ୍ଷିତ ଅଛି ଓଡ଼ିଶାର ଅଂଶ ୧୨.୨୮ ମିଲିଅନ ଏକର ଫିଟ ଏବଂ ଛତିଶଗଡ଼ ଭାଗ ୮.୩୩ ମିଲିଅନ ଏକର ଫିଟ। ଛତିଶଗଡ଼ ବିଜେପି ସରକାର ଅଣମୌସୁମୀ ସମୟରେ ପାଣି ଛାଡିବାକୁ ମନା କରିଦେଲେ ଯାହାକୁ ନେଇ ବିବାଦ ସୃଷ୍ଟି ହେଲା।କିନ୍ତୁ ଏବର୍ଷ ମାର୍ଚ୍ଚ ମାସରୁ ମଇଁ ମାସ ପର୍ଯ୍ୟନ୍ତ ୬୨୪ ରୁ ୬୧୭ ଫୁଟ ପର୍ଯ୍ୟନ୍ତ ଜଳଭଣ୍ଡାର ରେ ଥୁଲା।ଯାହାକି ଅନ୍ୟାନ୍ୟ ବର୍ଷ ତୁଳନାରେ ୧୦ ରୁ ୧୫ ଫୁଟ ଅଧିକ।ଏବର୍ଷ ଛତିଶଗଡ କଂଗ୍ରେସ ସରକାର ୧.୬ ଏକର ଫିଟ ପାଣି ଛାଡିଛନ୍ତି।ପାଣି ଆସିଲା କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଯୁକ୍ତ ପଟ୍ଟନାୟକ।ଓଡ଼ିଶାକୁ ୨ ଲକ୍ଷ ମିଲିଅନ ଏକର ଫିଟ ପାଣି ଦେଲେ ଅଣମୌସୁମୀ ସମୟରେ ଓଡ଼ିଶାର ଆବଶ୍ୟକତା ପୂରଣ ହୋଇ ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପିସିସି ସଭାପତି।ଏହିକଥାକୁ ଦୁଇ ରାଜ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିପାରିଥାନ୍ତେ।କିନ୍ତୁ ତାହା ନକରି ସୁପ୍ରିମକୋର୍ଟ ଓ ଟ୍ରିବୁନାଲ ଯିବାକୁ ପଡିଲା।ସବୁ କଥାରେ ବିଜେଡ଼ି ସରକାର ବିଜେପି କୁ ସମର୍ଥନ କରୁଛନ୍ତି।ଓଡ଼ିଆ ଲୋକଙ୍କ ସ୍ୱାର୍ଥ ପାଇଁ କାହିଁକି ଏତିକି କରିପାରିଲେ ନାହିଁ ବା କରିପାରୁନାହାନ୍ତି।ଏହାର ସନ୍ତୋଷଜନକ ଉତ୍ତର ଓଡ଼ିଶା ବାସୀଙ୍କୁ କିଏ ଦେବ ବିଜେପି ନା ବିଜେଡି ? ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ।

ରାଜସ୍ଥାନ କଂଗ୍ରେସକୁ ଆଉ ଚଳେଇ ପାରିବେନି ପାଇଲଟ:ତାଙ୍କ ଦଳ କଲା ବରଖାସ୍ତ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଦେଶରେ ରାଜନୀତିର କେନ୍ଦ୍ର ବିନ୍ଦୁ ପାଲଟିଛି ରାଜସ୍ଥାନ। ଲଗାତାର ୩ ଦିନ ହେଲାଣି ଲାଗିରହିଛି ହାଇ ପ୍ରୋଫାଇଲ ଡ୍ରାମା। ଏହି ଡ୍ରାମାରେ ଆଜି ଦେଖା ଦେଇଛି ଆଜି ପଦ ହରାଇଛନ୍ତି ସଚିନ ପାଇଲଟ ଓ ତାଙ୍କ ଦୁଇ ଜଣ ସହଯୋଗୀ। ଲଗାତାର ଦୁଇ ଦିନ ବିଧାୟକ ଦଳର ବୈଠକରେ ଅନୁପସ୍ଥିତ ରହିନାରୁ ଆକ୍ସନ ନେଇଛି ହାଇକମାଣ୍ଡ ।ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ସାଚୀନଙ୍କୁ ବିଦା କରିଛି ଦଳ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରସର ଜାତୀୟ ମୁଖପାତ୍ର ରଣଦୀପ ସୂର୍ଜେୱାଲା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳଙ୍କୁ ଭେଟି ଏ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି।
କଂଗ୍ରେସର ଶୀର୍ଷ ନେତୃତ୍ୱ ମଧ୍ୟ ସଚିନ ପାଇଲଟଙ୍କ ସହ ସଂପର୍କ କରିବାକୁ ଉଦ୍ୟମ କରିଥିଲେ । ତେବେ ପାଇଲଟଙ୍କ ସହ କୌଣସି ଯୋଗାଯୋଗ ହୋଇପାରନଥିବା । ଏହାରି ଭିତରେ ରାଜସ୍ଥାନ କଂଗ୍ରେସର ଟାଣୁଆ ତଥା ଯୁବ ଚେହେରା ସଚିନ ପାଇଲଟଙ୍କୁ ଦଳ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛି କଂଗ୍ରେସ । ସଚିନ ପାଇଲଟଙ୍କ ସମର୍ଥନରେ ୩୦ ବିଧାୟକ ରହିଥିବା ତାଙ୍କର ସମର୍ଥକ ଦାବି କରିଛନ୍ତି ।

କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଫୋକସ୍‌ରେ 5ଟି ଜିଲ୍ଲା…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ରୀେ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ରୀତା ପରାମର୍ଶ ଦେଇଥିଲେ। ଏହାସହିତ କୋଭିଡ ଯୁଦ୍ଧରେ ଆଗରେ ରହି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କର ମନୋବଳକୁ ଉଚ୍ଚା ରଖିବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଦିନ ବିଭିନ୍ନ ଜିଲ୍ଲାର କୋଭିଡ ଯୋଦ୍ଧା ମାନଙ୍କ ସହିତ କଥାବର୍ତ୍ତା କରୁଛନ୍ତି।

ଏହି ଅବସରରେ ପରୀକ୍ଷା ପାଇଁ ଅଧିକ ଲାବୋରେଟୋରୀ ଟେକନିସିଆନ ଓ ଅଧିକ ଆମ୍ବୁଲାନ୍‌ସ ମୁତୟନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସେହିପରି ମୃତ୍ୟୁବରଣ କରୁଥିବା କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ସତ୍କାର କରାଯିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବିଷୟ ମାନଙ୍କ ଉପରେ କୋଭିଡ ଯୋଦ୍ଧା ମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।
ସମୀକ୍ଷାରୁ ଜଣାଯାଇଛି ଯେ ଗଞ୍ଜାମ,କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା, ଏହି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ତଥା ଯିବାଆସିବା ବୃଦ୍ଧି କାରଣରୁ ପରିସ୍ଥିତି ଆହ୍ବାନମୂଳକ ରହିଛି। ତେଣୁ ଏହିସବୁ ଜିଲ୍ଲା ଉପରେ ଅଧିକ ଫୋକସ୍‌ କରାଯାଇ ପଦକ୍ଷେପ ନିଆଯାଇଛି।
ଗଞ୍ଜାମ ଜିଲ୍ଲାରେ ଅଧିକ ମାନବ ସମ୍ବଳ ସହିତ ଅଧିକ ଭେଣ୍ଟିଲେଟର, ଆମ୍ବୂଲାନ୍‌ସ, ଶଯ୍ୟା ଆଦିର ବ୍ୟବସ୍ଥା କରି ସମସ୍ତ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ରୀ େ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଥିବା ସମସ୍ତ ନୀତି ଓ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଥିବା ଆହ୍ବାନର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭୦୦୦ ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ରାଜ୍ୟରେ ବିଶେଷତଃ କଟକ, ଭୁବନେଶ୍ବର ଓ ଗଞ୍ଜାମରେ ଥିବା କୋଭିଡ ଚିକିତ୍ସାଳୟରେ ଶଯ୍ୟା ଓ ଆଇ.ସି.ୟୁ ର କୌଣସି ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ।
ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହିସବୁ ସହର ମାନଙ୍କରେ ଆହୁରି ୨୦୦ ଆଇ.ସି.ୟୁ ବେଡ ସହିତ ଶଯ୍ୟା ସଂଖ୍ୟା ଆଗାମୀ ୭ ଦିନ ମଧ୍ୟରେ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି। ପୁରୀ ସହରରେ sero surveillance ସଂପୂର୍ଣ୍ଣ ହୋଇଥିବା ବେଳେ ଭୂବନେଶ୍ବରରେ community sero surveillance ସଂପୂର୍ଣ୍ଣ ହୋଇଛି । ତା ସହିତ high risk population sero surveillance ଜାରି ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସର୍ବଭାରତୀୟ ସ୍ତରରେ ସୁସ୍ଥତା ହାର ୬୩ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୬୪.୮୮ ପ୍ରତିଶତ ପହଞ୍ଚିଛି । ମୃତ୍ୟୁ ହାର ସର୍ବାଭାରତୀୟ ସ୍ତରରେ ୨.୬ ଥିବାବେଳେ, ଓଡିଶାରେ ଏହା ୦.୫ ପ୍ରତିଶତରେ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ଯୁବ ବର୍ଗଙ୍କ ସଂଖ୍ୟା ୬୬ ପ୍ରତିଶତ ବୋଲି ଜଣାଯାଇଛି।
ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ଲାଜମା ଥେରାପୀ ଭୁବନେଶ୍ବରର ସମ୍‌, କିମ୍‌ସ ଓ କଟକର ଅଶ୍ବିନୀ ହସ୍‌ପିଟାଲରେ ଆରମ୍ଭ କରାଯିବ। SCB Medical College ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବରେ କାମ କରିବ ବୋଲି ସୂଚନା ଦିଆଯାଇଥିଲା ।
ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା କୋଭିଡ କେୟାର ହୋମ୍‌ ଏବଂ Cluster TMC ସଂପର୍କରେ ସୂଚନା ଦେଇ ପଞ୍ଚାୟତରାଜ ପ୍ରମୁଖ ସଚିବ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ୬୧,୪୧୦ ଶଯ୍ୟା ବିଶିଷ୍ଟ ୬୧୨୮ଟି କୋଭିଡ କେୟାର ହୋମ ଖୋଲାଯାଇଥିବା ବେଳେ ସେଥିରେ ମାତ୍ର ୪୨୬ ଜଣ ରହିଛନ୍ତି। ସେହିପରି 47919 ଶଯ୍ୟା ବିଷିଷ୍ଟ ୧୧୮୩ Cluster TMC ଖୋଲାଯାଇଥିବା ବେଳେ ସେଗୁଡିକରେ ୧୮୧୫୩ ଜଣ ରହିଛନ୍ତି। ବିଭିନ୍ନ ସହରାଞ୍ଚଳରେ ୬୨୦୦ ଶଯ୍ୟା ବିଶିଷ୍ଟ ୧୭୫ଟି କୋଭିଡ କେୟାର ସେଣ୍ଟର ଖୋଲା ଯାଇଥିବା ବେଳେ ସେଥିରେ ବର୍ତ୍ତମାନ ୪୧ ଜଣ ଚିକିତ୍ସିତ ହେଉଛନ୍ତି। ସହରାଞ୍ଚଳରେ ୬୦ ହଜାର ଶଯ୍ୟା ବିଶିଷ୍ଟ ୮୧୪ଟି TMCରେ ୩୯୪୫ ଜଣ ରହିଛନ୍ତି ବୋଲି ଜଣାପଡିଛି ।
ଗ୍ରାମ କଲ୍ୟାଣ ସମିତି ସ୍ତରରେ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡୀ କର୍ମଚାରୀଙ୍କୁ ମିଶାଇ ୫ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଇତି ମଧ୍ୟରେ ତାଲିମ ପ୍ରଦାନ କରାଯାଇଛି। ଏହାସହିତ ଅଣ-କୋଭିଡ ହସ୍‌ପିଟାଲରେ କାର୍ଯ୍ୟ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ସୁରକ୍ଷା ତାଲିମ ଦିଆଯାଉଛି । ସେହିପରି ପୂର୍ବରୁ TMCରେ ରହିଥିବା ୩.୨ ଲକ୍ଷ ପ୍ରବାସୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ସେମାନେ Covid volunteer ଭାବରେ କାର୍ଯ୍ୟ କରିପାରିବେ।
ରାଜ୍ୟ ସରକାରଙ୍କର ନିଷ୍ପତ୍ତିକ୍ରମେ ସ୍ବଳ୍ପ ଲକ୍ଷଣଯୁକ୍ତ ରୋଗୀ ମାନଙ୍କୁ ଏଣିକି ଘରେ ରହି ଚିକିତ୍ସା ପାଇଁ ଅନୁମତି ଦିଆଯିବ। ତା ସହିତ ବିଭିନ୍ନ କର୍ପୋରେଟ ସଂସ୍ଥା ଗୁଡିକୁ ମଧ୍ୟ CCC ଖୋଲିବାକୁ ମଧ୍ୟ ଅନୁମତି ଦିଆଯିବ। ତେଣୁ ଏଗୁଡିକର ପରିଚାଳନାକୁ ଉପଯୁକ୍ତ ଭାବରେ ତଦାରଖ କରିବା ସହିତ ସେଗୁଡିକ ମଧ୍ୟ ମୋ ସରକାର ଅଧୀନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ପୋଲିସ ମହାନିର୍ଦ୍ଦେଶକ କହିଥିଲେ କୋଭିଡ ନିୟମାବଳୀର ଅନୁପାଳନକୁ କଡାକଡି କରାଯାଇଛି। ଉଲଂଘନ ପାଇଁ ସାରା ରାଜ୍ୟରେ ୬୯୧୯ଟି ମାମଲା ରୁଜୁ କରାଯାଇଛି ଏବଂ ମାସ୍କ ଉଲଂଘନ ପାଇଁ ୪.୫ କୋଟି ଟଙ୍କା ଏବଂ ସାମାଜିକ ଦୂରତ୍ବ ଉଲଂଘନ ପାଇଁ ୬୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହାଛଡା ଅନ୍ୟାନ୍ୟ ଉଲଂଘନ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଥିଲେ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର କୋଭିଡ Observer ମାନଙ୍କ ସହିତ ସେମାନଙ୍କ ଜିଲ୍ଲାରେ କୋଭିଡ ସ୍ଥିତି, ଚିକିତ୍ସା ସୁବିଧା, ପରୀକ୍ଷଣ ଓ ଗୋଷ୍ଠୀ ସମନ୍ବୟ ସଂପର୍କରେ ପଚାରି ବୁଝିଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଏବଂ ବିଭିନ୍ନ ବିଭାଗର ଶାସନ ସଚିବ ଓ କୋଭିଡ ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇଥିଲେ।
କୋଭିଡରୁ ସୁସ୍ଥ ୮୧ ବର୍ଷୀୟ ଗୋପୀନାଥଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଗୋପୀନାଥ ଡାକୁଆଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ କଥା ହୋଇ ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ପରିଣତ ବୟସରେ ସେ ଯେପରି ଦୃଢ ମନୋବଳ ଓ ଗଭୀର ଆତ୍ମବିଶ୍ବାସର ସହ କୋଭିଡର ମୁକାବିଲା କରି ସୁସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ।
କୋଭିଡ ସହ ତାଙ୍କ ସଫଳ ଲଢେଇର ଅନୁଭୂତି ଅନ୍ୟମାନଙ୍କୁ ସାହସ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।
କୋଭିଡ ଚିକିତ୍ସାଳୟରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବା ସହ ଉଚିତ ସେବା ଯତ୍ନ ଯୋଗାଇ ଦିଆଯାଇଥିବାରୁ ଶ୍ରୀ ଡାକୁଆ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜିଲ୍ଲା ଦାୟିତ୍ୱରେ ମହିଳା ନେତ୍ରୀ…..

ଭୁବନେଶ୍ବର:ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସଂଗଠନକୁ ମଜବୁତ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।ତେଣୁ
ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ୧୮ ମହିଳା ନେତ୍ରୀଙ୍କ ଉପରେ ନ୍ୟସ୍ତ କରିଛନ୍ତି ୩୦ ଜିଲ୍ଲାର ଦାୟିତ୍ବ । ଏହି ନେତ୍ରୀମାନେ ଦଳର ଛାମୁଆ ମହିଳା ସଙ୍ଗଠନ ତତ୍ବାବଧାନ କରିବେ ।
ତେବେ କାହାକୁ କେଉଁ ଜିଲ୍ଲାର ଦାୟିତ୍ୱ ମିଳିଛି ଆସନ୍ତୁ ଜାଣିବା:

ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦୁଝର
ଗୀତା ବସ୍ତିଆ-ଗଜପତି, ଗଞ୍ଜାମ
କସ୍ତୁରି ମହାପାତ୍ର-ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର
ଉର୍ମିଲତା ଦାସ- ଭଦ୍ରକ, ମୟୁରଭଞ୍ଜ
ପ୍ରଭାସିନି ଷଡ଼ଙ୍ଗୀ-କଟକ
ଜ୍ୟୋତି ପାଣିଗ୍ରାହୀ-ଝାରସୁଗୁଡ଼ା, ସୁନ୍ଦରଗଡ଼
ସ୍ନିଗ୍ଧା ପାଣିଗ୍ରାହୀ-ରାୟଗଡ଼ା, ନବରଙ୍ଗପୁର
ନିବେଦିତା ମହାନ୍ତି-କୋରାପୁଟ, ମାଲକାନଗିରି
କୁଞ୍ଜଲତା-ନୟାଗଡ଼
ପୁଷ୍ପାଞ୍ଜଲି ରାଣା-ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ
ମୀନତି ଦେବତା-ସମ୍ବଲପୁର , ବରଗଡ଼
ଭାରତୀ ସିଂହ-ବାଲେଶ୍ୱର
ସରୋଜିନୀ ରାଜ-ବଲାଙ୍ଗୀର, ସୋନପୁର
ସଙ୍ଘମିତ୍ରା ଦଳେଇ- କନ୍ଧମାଳ, ବୌଦ୍ଧ
ରେଜୱାନା ବେଗମ-ଯାଜପୁର
ମୀତା ରାଉତ-କେନ୍ଦ୍ରାପଡ଼ା
ସ୍ନେହାଞ୍ଜଲି ମହାନ୍ତି-ଜଗତସିଂହପୁର
ସଞ୍ଜୁକ୍ତା ମହାନ୍ତି- କଳାହାଣ୍ଡି, ନୂଆପଡ଼ା

ମହିଳା ସମିତି ର ସଭାପତିଙ୍କ ବିୟୋଗ ।

0

ବ୍ୟାସନଗର :  ବ୍ୟାସନଗର ମହିଳା ସମିତିର ପ୍ରତିଷ୍ଠାତା ତଥା ସଭାପତି ଗୋଲାପ ମହାରଣାଙ୍କ ବିୟୋଗ ଘଟିଛି         ସମାଜସେବୀ ଡାକ୍ତର ସ୍ବର୍ଗତ ବଜେନ୍ଦ୍ର ମହାରଣାଙ୍କ ସହଧର୍ମିଣୀ ଥିଲେ । ବ୍ୟାସନଗରର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ବ୍ୟାସନଗର ମହିଳା ସମିତି ଦ୍ବାରା ଏକ ଶୋକସଭା ଆୟୋଜନ କରାଯାଇଥିଲା  ସେ ଜଣେ ପରୋପକାରି ମହିଳା ଥିଲେ  । ତାଙ୍କ ଦ୍ୱାରା ମହିଳା ସମିତି ତରଫରୁ ଅନେକ ଜନହିତକର କାର୍ଯ୍ୟକ୍ରମ କରାଯାଇଛି । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି  ବୋଲି ଉପସ୍ଥିତ ସଦ୍ୟସ ମାନେ ମତବ୍ୟକ୍ତ କରିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ  । ଏହି ଶୋକ ସଭାରେ , ଉପ-ସଭାପତି ବିଶ୍ୱବନ୍ଦିତା ମହାପାତ୍ର ,ସହ -ସଂପାଦିକା ସବିତା ରାଉତ, ବ୍ରଜେଶ୍ବରୀ ସିଂହ, ବ୍ୟାସନଗର ପୌରପାଳିକା ର ପୂର୍ବତନ ଅଧ୍ୟକ୍ଷା ବନ୍ଦିତା ପରିଡା, ସବିତା ନାୟକ, ଇତି ପଣ୍ଡା , ମମତା ଦାସ , ସୁଧାରାଣୀ ମିଶ୍ର, ରାଜଶ୍ରୀ ପରିଡା, ଉଷା ମସ୍କରା, ସଂପାଦିକା ଦେବୀ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ ।

ବ୍ୟାସନଗର ରୁ ଅଜୟ କୁମାର ସାହୁ (ବିଗ୍ ନିଉଜ୍ ଓଡିଶା)

ବ୍ରହ୍ମପୁର ସୀମା ସିଲ୍‌……

ଭୁବନେଶ୍ୱର :  ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଦ୍ରୁତ ଗତିରେ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏବେ ବ୍ରହ୍ମପୁୁର ସୀମା ସିଲ୍ କରାଯାଇଛି । ଗଞ୍ଜାମ ଜିଲ୍ଲାର ସହରାଂଚଳ ଓ ୫ଟି ବ୍ଲକର ହେଡକ୍ୱାର୍ଟରରେ ୫ଦିନିଆ ଶଟଡାଉନ ଆଜି ଶେଷ ହୋଇଛି । ଆସନ୍ତାକାଲି ଠାରୁ ଏଠାରେ ଲକଡାଉନ ଆରମ୍ଭ ହେବ । ଲକଡାଉନ ସମୟରେ କେବଳ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ଲୋକଙ୍କୁ ଛଡାଯିବ ଏବଂ ସବୁଠି ପୋଲିସ ପକ୍ଷରୁ କଡା ଚେକିଂ କରାଯିବ ବୋଲି ଆଜି ପ୍ରେସମିଟ୍ କରି କହିଛନ୍ତି ଏସପି ପିନାକୀ ମିଶ୍ର ।

ଏସପି କହିଛନ୍ତି ଯେ ଏହି ସମୟରେ ଯାତାୟତ କରୁଥିବା ବ୍ୟକ୍ତିଙ୍କୁ ପାସ୍ ଦେଖାଇବାକୁ ପଡିବ । ଏଥିପାଇଁ ଥାନାକୁ ନଯାଇ ୧୦୦ ନମ୍ବର କିମ୍ବା ଥାନା ଅଧିକାରୀଙ୍କ ମୋବାଇଲକୁ ଫୋନ କରି ଅଭିଯୋଗ ଜଣାଇବାକୁ କୁହାଯାଇଛି । ବର୍ତମାନ ସୁଦ୍ଧା ୯୦ଜଣ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ୭୯ଜଣ ସୁସ୍ଥ ହୋଇଛନ୍ତି । ଘଡିସନ୍ଧି ସମୟରେ ପୋଲିସକୁ ସାହାଯ୍ୟ କରନ୍ତୁ କୋଭିଡ ଗାଇଡଲାଇନ୍‌କୁ ପାଳନ କରନ୍ତୁ । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି । ସେହିପରି ରାସ୍ତାକଡରେ ପନିପରିବା ଓ ଆମିଷ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କଡା ନଜର ରଖାଯିବା ସହ ସେମାନଙ୍କୁ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି କହିଛନ୍ତି । ଏବଂ ବିନା କାରଣରେ ବାହାରେ ବୁଲିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପିନାକି ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news