ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ହୁ ହୁ ହୋଇ ବଢିଚାଲିଛି। ମୂଖ୍ୟତଃ ଗଞ୍ଜାମ ଭୁବନେଶ୍ୱରରେ ବିଶେଷ କରି ଏହା ତାର କାୟା ବିସ୍ତାର କରିଚାଲିଛି। ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୦ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ରାଜଧାନୀରୁ ୧୩୦ ମଧ୍ୟ ସୁସ୍ଥ ହୋଇଛନ୍ତି।
ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୟୁନିଟ-୯ ବସ୍ତିର ବାୟାବାବା ମଠ ନିକଟ ବସ୍ତିରୁ ସର୍ବାଧିକ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି ଓ ସେମାନଙ୍କର ବୟସ ୨୪ରୁ ୬୪ ବର୍ଷ ମଧ୍ୟରେ ରହିଛି। ସେହିପରି ଏକ ଘରୋଇ ହସ୍ପିଟାଲରୁ ଜଣେ ୩୧ ବର୍ଷୀୟ ମହିଳା କର୍ମଚାରୀଙ୍କ ସମେତ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ପକ୍ଷରେ ସାଲିଆ ସାହିରୁ ମଧ୍ୟ ଆଜି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଇଗିଣିଆରୁ ୧୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।ଏହାସହ ଭୁବନେଶ୍ୱରରେ ମୋଟ ୨୩୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୧୧୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୦୯ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିପରି ୧୩ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।
ରାଜଧାନୀରେ କରୋନା ରାଜ: ଗୋଟିଏ ଦିନରେ ୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ
କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ….
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ୧୫ ଦିନ ତଳେ କଟକ SCBରେ ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ ହୋଇଥିଲା। ଖୁବ୍ ଶୀଘ୍ର ରାଉରକେଲାର ଆଇ.ଜି.ଏଚ୍, ବୁର୍ଲାର ଭୀମସାର ଏବଂ ବ୍ରହ୍ମପୁରର MKCG ମେଡିକାଲରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ ମୁକାବିଲାରେ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପିର ପ୍ରୟୋଗ ଅତ୍ୟନ୍ତ ଉତ୍ସାହଜନକ ହୋଇଥିବାରୁ ଏହି ଚିକିତ୍ସା ପଦ୍ଧତିକୁ ଅଧିକରୁ ଅଧିକ ଭାବେ ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ନୂତନ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ରାଜ୍ୟର କେହି ଜଣେ ବି ବ୍ୟକ୍ତି ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ SCB Medical Collegeର ଡାକ୍ତରମାନେ ରାଜ୍ୟରେ ଆଧୁନିକ ପ୍ଲାଜମା ଥେରାପିର ସଫଳ ପ୍ରୟୋଗ କରି ଓଡିଶାକୁ ଗର୍ବିତ କରିଛନ୍ତି। କୋଭିଡରୁ ଆରୋଗ୍ୟ ଲାଭ କରିଥିବା ଏପର୍ଯ୍ୟନ୍ତ ୨୩ ଜଣ ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯାଇଛି । ଜଣେ ବ୍ୟକ୍ତିଙ୍କ ପ୍ଲାଜମା ଦୁଇ ଜଣ ରୋଗୀଙ୍କୁ ଦିଆଯାଇପାରିବ । ତେଣୁ ଏହାଦ୍ବାରା ୪୬ଜଣ ରୋଗୀ ଚିକିତ୍ସିତ ହୋଇପାରିବେ। ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ଚିକିତ୍ସା ସେବା ସଂପ୍ରସାରିତ କରିବା ପାଇଁ ଏହା ଆମକୁ ପ୍ରେରଣା ଦେଇଛି।
କୋଭିଡ-୧୯ ପରି ଏକ ଅସାଧାରଣ ପରିସ୍ଥିତିରେ ରାଜ୍ୟର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଯେଭଳି ନିଷ୍ଠା ଓ ତ୍ୟାଗର ସହ କୋଭିଡ ଯୁଦ୍ଧରେ ସାମିଲ ହୋଇ ସେବା ଜାରି ରଖିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଛନ୍ତି। ଏଭଳି କଠିନ ସମୟରେ କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳକୁ ଦୃଢ ରଖିବା ପାଇଁ ଆମେ ସମସ୍ତେ କାମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ପ୍ଲାଜମାଦାତା ମାନଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟର ଦାୟିତ୍ବବାନ ନାଗରିକ ଭାବରେ ସମାଜ ପ୍ରତି ସେମାନଙ୍କ ଦାୟିତ୍ବ, କର୍ତ୍ତବ୍ୟବୋଧ ଓ ମାନବିକତାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ଲାଜମା ଦାନ କରିଥିବା ଓଡିଶା ପୋଲିସର ଜବାନ, NDRFର ଜବାନ ଏବଂ ଅଗ୍ନିଶମ ସେବାର କର୍ମଚାରୀ ମାନଙ୍କର ମହତ୍ କାର୍ଯ୍ୟ ସଂପର୍କରେ ସ୍ବତନ୍ତ୍ର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଖୁବ ଶୀଘ୍ର ପ୍ଲାଜମା ଦାନ ଏକ ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।
ସୂଚନାଯୋଗ୍ୟ ଯେ କଟକରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଅହ୍ବାନ ଜଣାଇଥିଲେ। ଏହାସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ରାଜ୍ୟରେ ପ୍ଲାଜମା ଚିକିତ୍ସା କୋଭିଡ ରୋଗର ମୁକାବିଲା କ୍ଷେତ୍ରରେ ଏକ ସଫଳ ତଥା ଉଲ୍ଲୋଖନୀୟ ଭୂମିକା ଗ୍ରହଣ କରିପାରିବ ବୋଲି ଆଶା କରାଯାଉଛି ।
ପ୍ଲାଜମା ଦାନ କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଯେଭଳି ସୁବିଧାରେ Registration କରିପାରିବେ, ସେଥିପାଇଁ ରାଜ୍ୟ ଇଲ୍କ୍ଟୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ବିକଶିତ ଏକ web portalକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏହି ପୋର୍ଟାଲରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କର Databaseକୁ ମଧ୍ୟ ସନ୍ନିବେଶିତ କରାଯାଇଛି। https:// covid19.odisha.gov.in/ରେ login କରି ‘Plasma Donor Self Registration’ click କରିବାକୁ ପଡିବ। ଏଥିରେ ଦାତାମାନଙ୍କ ଯୋଗ୍ୟତା ଏବଂ ସମ୍ମତି ଆଦି ବିଷୟ ମଧ୍ୟ ସ୍ଥାନିତ ହେବ।
ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ପ୍ଲାଜମା ଦାନ ଅଭିଯାନକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇବା ସହିତ ଅଧିକରୁ ଅଧିକ ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ଆହ୍ବାନ ଜଣାଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ପ୍ଲାଜମା ଦାନ ପାଇଁ IEC ଅଭିଯାନକୁ ଜୋରଦାର କରାଯିବ ବୋଲି କହିଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ଲାଜମା ଚିକିତ୍ସା ପଦ୍ଧତି ସଂପର୍କରେ ଖୁବ ଶୀଘ୍ର SOP ଜାରି କରାଯିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଲାଜମା ଚିକିତ୍ସା ପଦ୍ଧତି ସଂପର୍କରେ ଏକ Video Film ଏବଂ ଏହି ଚିକିତ୍ସା ସଂପର୍କିତ FAQ Brochure (both Print & Digital) ଉନ୍ମୋଚନ କରିଥିଲେ ।
ବାଲେଶ୍ବରର ପ୍ଲାଜମା ଦାତା ଶ୍ରୀ ରଶ୍ମୀରଞ୍ଜନ ବେହେରା କୋଭିଡ ରୋଗ ସଂପର୍କରେ ତାଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ଏପରି ମହତ କାର୍ଯ୍ୟ ପାଇଁ ସରକାର ସୁଯୋଗ ସୃଷ୍ଟି କରିଥିବାରୁ ଧନ୍ୟବାଦ ଜଣାଇଥିଲେ।
ତାତିଲେ ଜୟନାରାୟଣ , ଭାଙ୍ଗିଲେ ନିୟମ….
ସମ୍ବଲପୁର : ବହୁଦିନ ପରେ ପୁଣି ଚର୍ଚ୍ଚାରେ ବିଜେପି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । କରୋନା ମହାମାରୀ ସମୟରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦବଙ୍ଗଗିରିକୁ ନେଇ ଏବେ ଚରିଆଡ଼େ ଚର୍ଚ୍ଚା । କୋଭିଡ଼ ନିୟମ ଉଲଘଂନ କରି ବିଧାୟକ ଜିଲ୍ଲାପାଳ କାର୍ଯ୍ୟାଳୟରେ ତମୂଳକାଣ୍ଡ କରିଛନ୍ତି । ଅଗଷ୍ଟ ୩୧ ଯାଏ ଜିଲ୍ଲାପାଳଙ୍କ ଅଫିସକୁ ଜନ ସାଧାରଣ ପ୍ରବେଶ କଟକଣା ଥିବା ରହିଛି । ବିଧାୟକ ଜୟ ନାରାଣ ମିଶ୍ର ସମ୍ବଲପୁର ସହରରେ ପରିମଳ ବ୍ୟବସ୍ଥା ନେଇ ଜିଲ୍ଳାପାଳଙ୍କୁ ରେଙ୍ଗଲୀ ବିଧାୟକ ନାଉରୀ ନାୟକ ଓ କିଛି ସମର୍ଥକଙ୍କ ସହ ଭେଟିବାକୁ ଜିଦ ଧରିଥିଲେ । ହେଲେ ପୋଲିସ ତାଙ୍କୁ ଅଟକାଇଥିଲା । ଏହାପରେ ବିଧାୟକ ଉତ୍ତେଜିତ ହୋଇ ପୋଲିସ ସହ ଗଣ୍ଡଗୋଳ କରିଥିଲେ । ଏକଥା ଏତିକିରେ ଅଟକି ନଥିଲା । ପୋଲିସକୁ ବିଧାୟକ ଗାଳିଗୁଳଜ କରିବା ସହ ଧସ୍ତାଧସ୍ତି ହୋଇଥିଲା । କୋଭିଡ ନିୟମ ଯୋଗୁଁ ପୋଲିସ ବିଧାୟକଙ୍କୁ ଅଟକାଇଥିଲା । ହେଲେ ଏହାକୁ ଖାତି ନକରି ବିଧାୟକ। ଜୋରଜବରଦସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଶିଥିଲେ । ତେବେ ଜଣେ ଜନ ପ୍ରତିନିଧିଙ୍କ ଏପରି ଆଚଂରଣ ଏବେ ସାଧାରଣରେ ଚର୍ଚ୍ଚାରେ ବିଷୟ ପାଲଟିଛି । କୋଭିଡ଼ ନିୟମ ମାନିବାକୁ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ବାରମ୍ବାର ଅପିଲ କରୁଛନ୍ତି ଠିକ ସେତିକି ବେଳେ ଜଣେ ବିଧାୟକଙ୍କ ଆଇନକୁ ଫୁ କରି ଜୋର ଜବରଦସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟକୁ ପଶିବା ନେଇ ପ୍ରଶ୍ନ କରିଛି ବିଜେଡ଼ି । ତେବେ ବିଧାୟକ ଜୟ ନାରାୟଣ ପୂର୍ବରୁ ମଧ୍ୟ ବହୁବାର ଏପରି ଦବଙ୍ଗିରି କରିଥିବାର ନଜର ଆସିଛନ୍ତି ।
ଅଗଷ୍ଟ 15 ଭିତରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ
ଭୁବନେଶ୍ୱର : ଅଗଷ୍ଟ ମାସ 20 ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ l ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ l ଯୁକ୍ତ ଦୁଇ ଖାତା ଦେଖା ଚାଲିଛି। ଫଳାଫଳ ସମୟ ଏବେ କହି ହେବନି। ହୁଏତ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ଅଗଷ୍ଟ 15 ଭିତରେ ନହେଲେ ଅଗଷ୍ଟ ତୃତୀୟ ସପ୍ତାହରେ ବାହାରିବ। କଳା ଫଳାଫଳ ଅଗଷ୍ଟ ଶେଷ ସପ୍ତାହରେ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି l
ଜୁଲାଇ 29 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ଜୁଲାଇ 29 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ୨୮, ୮୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ୬୦ ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା। ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୬ ମେ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କରନା ଯୋଗୁ lockdown ହେବାରୁ ଏହା ସ୍ଥଗିତ ରହିଛି। ସେହିପରି ମେ 20ରେ ସ୍ଥିର ହୋଇଥିଲା ଖାତା ଦେଖା। ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ 21କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳରେ ବାତ୍ୟା ପ୍ରଭାବି ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। କରୋନା ଯୋଗୁଁ ମାଟ୍ରିକ ଖାତା ଦେଖାରେ ଅସୁବିଧା ହୋଇଥିଲା l ତେବେ ଏଥର ଫଳାଫଳ ଭଲ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି l
ବିଜେପି ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି : କଂଗ୍ରେସ
ଭୁବନେଶ୍ୱର -କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି।ରାଜସ୍ଥାନରେ ବହୁମତ ପାଇ ସରକାର ଗଠନ କରିଥିବା କଂଗ୍ରେସ ଦଳର ବିଧାୟକ ମାନଙ୍କୁ ଅର୍ଥ ଓ ମନ୍ତ୍ରୀପଦ ପ୍ରଲୋଭନ ରେ ଆକୃଷ୍ଟ କରି ସରକାରରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହେଲଟ ଙ୍କ କ୍ୟାବିନେଟ ଅନୁମୋଦନ ରେ ଜରୁରି ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳଙ୍କୁ ଦିଆଯାଇଥିବା ପ୍ରସ୍ତାବ କୁ ବିଜେପିର ପ୍ରରୋଚନାରେ ରାଜ୍ୟପାଳ ଗ୍ରହଣ ନକରିବା ଅଗଣତାନ୍ତ୍ରୀକ। କଂଗ୍ରେସ ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜଭବନ ସମ୍ମୁଖରେ ଆଜି ଅନୁଷ୍ଠିତ ବିକ୍ଷୋଭରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେପି ଅର୍ଥବଳ ଓ ବାହୁବଳ ଖଟାଇବା ସହ କେନ୍ଦ୍ରୀୟ ପ୍ରଶାସନିକ ବ୍ୟବସ୍ଥାର ଦୁରୁପଯୋଗ କରି ନିର୍ବାଚିତ ବିଧାୟକ ମାନଙ୍କୁ ଅର୍ଥର ପ୍ରଲୋଭନ ଦେଖାଉଛି।ଗୋଟିକ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ କଂଗ୍ରେସ ଦଳର ବିଧାୟକ ମାନଙ୍କୁ ବହୁଳ ଅର୍ଥ ଏବଂ କ୍ଷମତାର ଲୋଭରେ ବଶୀଭୂତ କରି ନିଜ ଆଡକୁ ନେବାପାଇଁ ଉଦ୍ୟମ କରୁଛି।ଅତି ଚତୁରତାର ସହ ଦଳବଦଳ ଆଇନରୁ ବର୍ତ୍ତିବା ଉଦ୍ଦେଶ୍ୟ ରେ ଆବସ୍ୟକ ସଂଖ୍ୟକ ବିଧାୟକ ମାନଙ୍କୁ ଅର୍ଥ ଓ କ୍ଷମତା ଦ୍ୱାରା ବଶୀଭୂତ କରିବାରେ ବିଫଳ ହେଲେ ବାହୁବଳ ପ୍ରୟୋଗ ପାଇଁ ବିଜେପି ର ନେତାମାନେ ପଛାଉ ନାହାନ୍ତି।ଏପରିକି ନିର୍ବାଚିତ ବିଧାୟକ ମାନଙ୍କୁ ବାଉଁସର ଲଗାଇ ଜୋର ଜବରଦସ୍ତ ହୋଟେଲ ଓ ଗେଷ୍ଟହାଉସ ରେ ନଜରବନ୍ଦୀ ଭାବେ ରଖାଯାଉଛି।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ,ଗୃହମନ୍ତ୍ରୀ ଶ୍ରୀ ସାହାଙ୍କ ସମେତ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ଏହିପରି କୁସତ୍ଚିତ ବ୍ୟବସ୍ଥା କୁ ପ୍ରାଥମିକତା ଦେଉଛନ୍ତି।ଫଳରେ ଭାରତବର୍ଷର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପନ୍ନ ହୋଇଛି।ଗତ କିଛିଦିନ ତଳେ ଅର୍ଥ ଓ ବାହୁବଳ ପ୍ରୟୋଗରେ ମୋଦି ଏବଂ ସାହାଙ୍କ ବିଜେପି ଗୋଆ,କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶ ଲୋକଙ୍କ ଦ୍ଵାରା ନିର୍ବାଚିତ କଂଗ୍ରେସ ସରକାରଙ୍କୁ ଭାଙ୍ଗିବା ରେ ସକ୍ଷମ ହୋଇଥିଲେ।
ଦେଶରେ କରୋନା ମାହାମାରୀ କରାଳ ଛାୟା ବିସ୍ଥାର କରିଥିବାବେଳେ ସାଧାରଣ ଜନତା ଙ୍କ ଜୀବନ ଅପେକ୍ଷା କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବା ମୋଦି ସରକାରଙ୍କ ପ୍ରାଥମିକତା ହୋଇଛି।ଦେଶରେ କରୋନା ପରିସ୍ଥିତି ଅତି ସଙ୍ଗିନ,ଗରିବ ଲୋକେ ନିଜର ବେଉସା ଓ ଜୀବିକା ହରାଇଛନ୍ତି।ସେମାନଙ୍କ ଜୀବନ ଓ ଜୀବିକା କୁ ସହାୟତା ଦେବା ପରିବର୍ତ୍ତେ ରାଜସ୍ଥାନରୁ କଂଗ୍ରେସ ସରକାରଙ୍କୁ ହଟାଇବା ପାଇଁ ଅତି ହୀନ ଉଦ୍ୟମ କରାଯାଉଛି।ସଂଖ୍ୟା ଗରିଷ୍ଠ କଂଗ୍ରେସ ସରକାରକୁ ବିଧାନସଭାରେ ପ୍ରମାଣ ଦେବାପାଇଁ ସୁଯୋଗ ଦିଆଯାଉନାହିଁ।ରାଜସ୍ଥାନର ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ବିଜେପି ର ନେତୃବର୍ଗ ସାମ୍ବିଧାନିକ ବ୍ୟବସ୍ଥାର ଦୁରୂପଯୋଗ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଆମ ଦେଶ ଗଣତନ୍ତ୍ର ଓ ସାର୍ବଭୌମ ର ଦେଶ।ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଅର୍ଥ ଓ କ୍ଷମତା ଲିପ୍ସୁ କରାଇ ନିଜ ପକ୍ଷକୁ ଟାଣିବା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନୁହେଁ।ଏପରି ହେଲେ ଭାରତ ବର୍ଷରେ ଗଣତନ୍ତ୍ର ର ବିଲୋପ ଘଟିପାରେ।ଦେଶରେ ବିଜେପି ସରକାର ଆସିବା ଦିନଠାରୁ ଏପରି ଅସାମ୍ବିଧାନିକ ଆଚାର ବ୍ୟବହାର ଦିନକୁ ଦିନ ବଢିଚାଲିଛି।
ବିଜେପି ତଥା କେନ୍ଦ୍ର ସରକାରଙ୍କର ଏତାଦୃଶ ଆଚରଣର ପ୍ରତିବାଦ କରି ଏବଂ ଗଣତନ୍ତ୍ର ଓ ସମିଧାନର ସୁରକ୍ଷାପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକର୍ମରେ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ,ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନା,ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଙ୍କ ସମେତ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ,ତାରାପ୍ରସାଦ ବାହିନୀପତି,ପଞ୍ଚାନନ କାନୁନଗୋ,ଦେବାଶିଷ ପଟ୍ଟନାୟକ,ଜଗନ୍ନାଥ ପଟ୍ଟନାୟକ, ବିପିନ ଦାଶ,ସିବାନନ୍ଦ ରାୟ,ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଜ୍ଞାନରଞ୍ଜନ ବେହୁରା,ବିଶ୍ୱରଂଜନ ଦାଶ,ରାଜୀବ ପଟ୍ଟନାୟକ,ସୁଦର୍ଶନ ଦାଶ,ଅଭିଷେକ ମହାନନ୍ଦ, ରଶ୍ମି ମହାପାତ୍ର,ହଳଧର ସେଠି, ରଜନୀ କୁମାର ମହାନ୍ତି, ଅମୀୟ ପାଣ୍ଡବ,,ପଦ୍ମାକର ଗୁରୁ,ଜାନକୀ ବଲ୍ଲଭ ପଟ୍ଟନାୟକ,ବୁଶ୍ୱଜିତ ଦାଶ, ଦୀପକ କୁମାର ମହାପାତ୍ର,ମାନଶ ଆଚାର୍ଯ୍ୟ,ସୁଶାନ୍ତ ତ୍ରିପାଠୀ,ଲିଙ୍ଗରାଜ ସାହୁ,ଚିନ୍ମୟ ଦାଶ, ତରୁଣ ମିଶ୍ର,ପ୍ରକାଶ ମିଶ୍ର,ୟାଶୀର ମହମ୍ମଦ,ଜମ୍ବେଶ୍ୱର ମଲ୍ଲିକ,ପ୍ରତ୍ୟୁଷ ଜେନା,ଦେଓ ପ୍ରସାଦ,ନରେଶ ମହାନ୍ତି,ଜୟକୃଷ୍ଣ ସୁବୁଦ୍ଧି,ପ୍ରସନ୍ନ ନାୟକ,ମୋହନ ଜେନା,ଲଲାଟେନ୍ଦୁ ଦାଶ, ସୁଶାନ୍ତ ବେହେରା,କନକଲତା ମଲ୍ଲିକ,ସଂକୁନା କଂହର,ଆଦିତ୍ୟ ପ୍ରୀତମ ଦାସ,ନିରଞ୍ଜନ ନାୟକ,ରଞ୍ଜିତ ପାତ୍ର,ମନୋରଞ୍ଜନ ରାଉତରାୟ,ଲୁଲୁ ମିଶ୍ର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ସମ ହସ୍ପିଟାଲରେ Covaxinର ମାନବ ପରୀକ୍ଷଣ…
ଭୁବନେଶ୍ୱର : ପୁଣି ଓଡ଼ିଶାର ସମ ହସ୍ପିଟାଲ ସଫଳତା ଆଉ ଏକ ପାଦ ଥାପିଛି l ଦେଶର 12ଟି ସ୍ଥାନରେ Covaxin ଭ୍ୟାକସିନର ପରୀକ୍ଷଣ ହୋଇଥିବା ବେଳେ ଆମ ରାଜ୍ୟରେ ସମ ହସ୍ପିଟାଲରେ ମଧ୍ୟ ଏହି ପରୀକ୍ଷଣ କରାଯାଇଛି l ଯାହା ଓଡିଶାବାସୀଙ୍କ ମନବଳ ବୃଦ୍ଧି କରିଛି l କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ସୋମବାର ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହୋଇଛି | ସମ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ 20 ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟରେ ସ୍ବେଛାସେବୀ ମାନଙ୍କ ଶରୀରରେ ଏହି ଭ୍ୟାକସିନର ପ୍ରୟୋଗ କରାଯାଇଛି |
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଇଥିବ। Covaxin ନାମକ ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଉଥିବା ସୂଚନା ଦେଇଛନ୍ତି ଏହି ପରୀକ୍ଷଣ ପ୍ରକ୍ରିୟାର ମୁଖ୍ୟ ପରୀକ୍ଷକ ଡ଼ଃ ଇ. ଭେଙ୍କଟ ରାଓ ।
ବିଭିନ୍ନ ପର୍ଯ୍ୟାୟରେ ସ୍କ୍ରିନିଂ କରାଯିବା ପରେ ସ୍ବେଛାସେବୀ ମାନଙ୍କ ଶରୀରରେ ଭ୍ୟାକସିନ ପ୍ରୟୋଗ କରାଯାଇଥିବା ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଡ଼ଃ ରାଓ ସୂଚନା ଦେଇଛନ୍ତି |
ପରୀକ୍ଷଣ ପରେ ସ୍ବେଛାସେବୀ ମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଓ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡ଼ଃ ରାଓ ସୂଚନା ଦେଇଛନ୍ତି |
ଭାରତ ବାୟୋଟେକକୁ ଏହି ଭ୍ୟାକସିନ ପରୀକ୍ଷଣରେ ସହଯୋଗ କରୁଥିବା ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର ) ପରୀକ୍ଷଣ ନିମନ୍ତେ ଦେଶର 12 ଟି ସ୍ବାସ୍ଥ୍ୟ ସେବା ଅନୁଷ୍ଠାନକୁ ବାଛିଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି |
ଇଛୁକ ସ୍ବେଛାସେବୀ ମାନେ ptctu.soa.ac.in ୱେବସାଇଟ ରେ ରେଜିଷ୍ଟ୍ରସନ କରିପାରିବେ। ଏହି ବ୍ୟକ୍ତି ରୋଗମୁକ୍ତ ହୋଇଥିବା ସହ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ କେତେକ ପ୍ରଶ୍ନର ଉତ୍ତର ଦେଇ ୱେବସାଇଟରେ ନିଜ ନାମ ପଂଜିକୃତ କରି ପାରିବେ |
ପ୍ଲାଜମା ସଂଗ୍ରହକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଲେ ପ୍ରଣବ…
ଯାଜପୁର: ରାଜ୍ୟରେ ସଫଳ ହେବାରେ ଲାଗିଛି ପ୍ଲାଜମା ଥେରାପି। ଏଯାଏଁ ୧୫ ଜଣରୁ ଆଧିକଙ୍କୁ ପ୍ଲାଜମା ଥେରାପି ଦ୍ଵାରା ଚିକିତ୍ସା କରାଗଲାଣି । କଟକର ୪୮ ବୟସର ମହିଳା ମହିଳା ଠିକ୍ ହୋଇ ଘରକୁ ଫେରିଛନ୍ତି ।ଜଣେ ଲୋକ ପ୍ଲାଜମା ଦାନ କଲେ ୨ଜଣ ରୋଗୀ ଭଲ ହୋଇ ପାରିବେ। ୧୮ ବର୍ଷରୁ ୬୦ ବର୍ଷର ଵ୍ୟକ୍ତି ଯେ କି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବେ ସେ ଏହି ପ୍ଲାଜମା ଦେଇ ପାରିବେ। ଏବେ ପ୍ଲାଜମା ଥେରାପି କରୋନାକୁ ଭଲ କରିବା ପାଇଁ ନୂଆ ଆଶା ସଞ୍ଚାର କରିଛି। ଏହା ଦ୍ଵାରା ଉଭୟ ରୋଗୀ ଓ ଡାକ୍ତରଙ୍କ ମଧ୍ୟ ଆତ୍ମ ବିଶ୍ୱାସ ବଢିଛି। ଏବେ ପ୍ଲାଜମା ଦାନ ଅଭିଯାନକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ସେହି ଅନୁସାରେ ମନ୍ତ୍ରୀମାନେ ଦାୟିତ୍ବ ଦିଆଯାଇଥିବା ଜିଲ୍ଲାରେ ପ୍ଲାଜମା ଦାନ ପାଇଁ ଲୋକ ମାନଙ୍କୁ ଉତ୍ସାହିତ କରିବା କାମରେ ଲାଗି ଗଲେଣି। ହେଲେ ମୁଖ୍ୟମନ୍ତ୍ରୀ କେବଳ କାହିଁକି ପ୍ଲାଜମା ଦାୟିତ୍ୱ ମନ୍ତ୍ରୀମାନଙ୍କୁ ଦେଲେ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ କେବଳ ମନ୍ତ୍ରୀମାନେ ନୁହେଁ ବିଧାୟକମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯିବା ଉଚିତ। ବିରୋଧୀ ଦଳ ନେତା ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେପଟେ ବିଧାୟକ ଓ ଦାୟିତ୍ୱ କଣ ହେବା ଦରକାର ସେ ସନ୍ଦେଶ ଦେଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ନିଜ ନିର୍ବାଚନ ମଣ୍ଡଳୀର କରୋନାରୁ ସୁସ୍ଥ ହୋଇଥିବା ଲୋକ କିପରି ପ୍ଲାଜମା ଦାନ କରିବେ ସେ ଉପରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଯାଜପୁର ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସେଠାକାର ଅନ୍ୟ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କରିଛନ୍ତି। ତେଣୁ ଯାଜପୁରରେ ପ୍ଲାଜମା ଦାନ ସଫଳ ହେବ ବୋଲି ଅନୁମାନ କରାଯାଉଛି । ଅସୁବିଧା ସମୟରେ କିପରି ଲୋକ ସୁବିଧା ସୁଯୋଗ ପାଇବେ ସେଥିପାଇଁ ପ୍ରଣବ ଆଗଭର ରହନ୍ତି ସବୁବେଳେ। ଖାସ ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ରାଜ୍ୟ ସରକାର ଯୋଗାଉଥିବା ସୁବିଧା ସୁଯୋଗ ସବୁ କିପରି ମିଳିବ ସେଥିପାଇଁ ପ୍ରଣବ ସବୁବେଳେ ଯତ୍ନଶୀଳ ଥାଆନ୍ତି । ସେଥିପାଇଁ ତ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକମାନେ ଗର୍ବରେ କହନ୍ତି ନେତା ହେବତ ପ୍ରଣବଙ୍କ ପରି।ତେବେ କେବଳ ଯାଜପୁର ନୁହେଁ, ସାରା ରାଜ୍ୟରେ କିପରି ପ୍ଲାଜମା ସଂଗ୍ରହ ସଫଳ ହେବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରଣବ ।
ମନ୍ତ୍ରୀଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ …
ଭୁବନେଶ୍ୱର : କରୋନା ମୁକାବିଲା ଓ ଲୋକଙ୍କକ ଜୀବନ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ପୁଣି ଏକ ବଡ଼ ଦାୟିତ୍ୱ ଦେଇଛନ୍ତି । ପ୍ଲାଜମା ଦାନ ପାଇଁ କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କୁ ମନ୍ତ୍ରୀମାନେ ବୁଝାଇବେ । ମନ୍ତ୍ରୀମାନେ ଜିଲ୍ଲାଗସ୍ତ କରି ଲୋକଙ୍କୁ ବୁଝାଇବାକୁ ନବୀନ ମନ୍ତ୍ରୀ ମାନଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି । ତେବେ ନଜର ପକାନ୍ତୁ କେଉଁ ମନ୍ତ୍ରୀ କେଉଁ ଜିଲ୍ଲାଦାୟିତ୍ୱରେ ରହିବେ । ଅର୍ଥମନ୍ତ୍ରୀ ନିରଜଂନ ପୂଜାରୀ ପୁରୀ, ପ୍ରତାପ ଜେନା କଟକ ଓ ମୟୁରଭଞ୍ଜ, ଅରୁଣ ସାହୁ- ନୟାଗଡ଼, ଖୋର୍ଦ୍ଧା, ସୁଶାନ୍ତ୍ ସିଂହ ବଲାଙ୍ଗୀର, ସମ୍ବଲପୁର,ନବଦାସ କଳାହାଣ୍ଡି,ନୂଆପଡ଼ା, ଟୁକୁନି ସାହୁ ଦେବଗଡ଼, ଦିବ୍ୟଶଙ୍କର ମିଶ୍ର ଢେଙ୍କାନାଳ,ଅଶୋକ ପଣ୍ଡା ଅନୁଗୁଳ, ସମୀର ଦାସ ଯାଜପୁର,ଜ୍ୟୋତି ପାଣିଗ୍ରାହୀ ବାଲେଶ୍ୱର, ପ୍ରେମାନନ୍ଦ ନାୟକ କେନ୍ଦୁଘର, ରଘୁନନ୍ଦନ ଦାସ ନବରଙ୍ଗପୁର, ଗଜତସିଂହପୁର, ପଦ୍ମିନୀ ଦିଆନ ରାୟଗଡ଼ା, ତୁଷାରକାନ୍ତି ବେହେରାଙ୍କୁ ମାଲକାନାଗରି ,ବିକ୍ରମ ଆରୁଖ କନ୍ଧମାଳ ଓ ଗଂଜାମ, ପ୍ରଫୁଲ ମଲ୍ଲିକଙ୍କୁ ବରଗଡ଼,ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭଦ୍ରକ ଓ କେନ୍ଦ୍ରାପଡ଼ା ପଦ୍ମନାଭ ବେହେରାଙ୍କକୁ ଝାରସୁଗୁଡ଼ା, ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟସଭାର ଉପାଧ୍ୟକ୍ଷ କମିଟିରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର : ରାଜ୍ୟସଭା ଛପାଧ୍ୟକ୍ଷ କମିଟିର ପୁନଗଠନ କରାଯାଇଛି । ୬ଜଣିଆ ତାଲିକାରେ ବିଜେଡ଼ିର ଯୁବ ସାଂସଦ ସସ୍ମିତ ପାତ୍ର ସ୍ଥାନ ପାଇଛନ୍ତି । ରାଜ୍ୟସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ୬ଜଣଙ୍କ ନାଁ ଘୋଷଣା କରାଯାଇଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟସଭା ଅଧ୍ୟକ୍ଷ ଅନୁପସ୍ଥିତ ରହିଲେ ଏହି ୬ଜଣଙ୍କ ମଧ୍ୟରୁ ଜଣେ ରାଜ୍ୟସଭାରେ ସଭାପତିତ୍ୱ କରିବେ । ୨୦ବର୍ଷ ପରେ ବିଜେଡ଼ି ପକ୍ଷରୁ ସସ୍ମିତ ପାତ୍ରଙ୍କୁ ଏପରି ଦାୟିତ୍ୱ ମିଳିଛି । ବର୍ତ୍ତମାନ ରାଜ୍ୟସଭାରେ କୌଣସି ଉପାଧ୍ୟକ୍ଷ ନାହାନ୍ତି । ସସ୍ମିତଙ୍କୁ ଏହି ଗୁରୁଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।














