ବକ୍ସର ବିଜେନ୍ଦର ଙ୍କ ଓଡିଶା କଂଗ୍ରେସ ର ସାମାଜିକ ଗଣମାଧ୍ୟମକୁ ଆହ୍ଵାନ

ଭୁବନେଶ୍ୱର -ଅଲମ୍ପିକ ପଦକ ବିଜେତା ବିଜେନ୍ଦର ସିଂ ଓଡିଶାର ସାମାଜିକ ଗଣମାଧ୍ୟମକୁ ପରାମର୍ଶ ଦେଇ ଅଧିକ ରୁ ଅଧିକ ସତ୍ୟ ଏବଂ ନ୍ୟାୟ ଆଧାରିତ ଖବର ଗୁଡିକୁ ଜନମାନସରେ ପ୍ରସାର କରିବା ପାଇଁ ଉତ୍ସାହିତ କରିଛନ୍ତି।

.ଆଜି ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆର ଅଧକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଏବଂ ତାଙ୍କର ୧୦୦ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ମାନଙ୍କ ସହ ବକ୍ସର ଶ୍ରୀ ସିଂ ଅନଲାଇନ ଜରିଆରେ ସିଧାସଳଖ ଆଲୋଚନା କରିଥିଲେ।କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗକୁ ପରାମର୍ଶ ଦେଇ ଶ୍ରୀ ସିଂ କହିଲେ ଯେ ବିଶ୍ୱାସ ଓ କଠିନ ପରିଶ୍ରମ ଦ୍ୱାରା ସବୁ ସମ୍ଭବ ଏବଂ ଜନତାଙ୍କ ମନ ବି ଜିଣିହୁଏ।ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ଉତ୍ତର ରଖି ଶ୍ରୀ ସିଂ କହିଥିଲେ କଂଗ୍ରେସ ର ନୀତି,ଆଦର୍ଶ ଓ ଐତିହ୍ୟ ସହ ଜାତିର ଜନକ ମାହାତ୍ମା ଗାନ୍ଧିଙ୍କ ଉତ୍ସଗ୍ରୀକୃତ ଅବଦାନ ମୋ ଜୀବନକୁ ପ୍ରଭାବିତ କରିଥିବାରୁ ମୁଁ କଂଗ୍ରେସ ଦଳକୁ ପସନ୍ଦ କରେ।ଏଣୁ ଏହି ଦଳରେ ଅବଶିଷ୍ଟ ସମୟ ସେବାରେ ଲଗାଇ କଂଗ୍ରେସ କୁ ମଜବୁତ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ପଟ୍ଟନାୟକ ଙ୍କୁ ଉତ୍ତର ରଖିଥିଲେ।ଓଡ଼ିଶାର ଯୁବକ ମାନଙ୍କ ପାଇଁ ସନ୍ଦେଶ ଦେଇ ସେ କହିଲେ ରାଜ୍ୟର ଯୁବ ସମାଜ ଅଧିକାଂଶ ସାଧାରଣତଃ ମଧ୍ୟବିତ ପରିବାରର ଅଟନ୍ତି।ମଧ୍ୟବିତ୍ତ ପରିବାରରୁ ଶ୍ରୀ ସିଂ ଆସି ଅନ୍ତର୍ଜାତୀୟ ଅଲମ୍ପିକ ଖେଳରେ ଖ୍ୟାତି ଅର୍ଜନ କରିବା ସମ୍ଭବ ହୋଇଥିବାରୁ ରାଜ୍ୟ ଯୁବକ ମାନଙ୍କ ପାଇଁ ଓଡିଶା ବିକାଶର ଗୁରୁ ଦାଇତ୍ୱ ନେବା ଆଦୌ କଷ୍ଟକର ବ୍ୟାପାର ନୁହେଁ। ଯୁବକ ମାନେ ଚାହିଁଲେ ଦେଶର ବିତଶାଳୀ ତଥା ବଳବାନ ଲୋକଙ୍କୁ ସହଜରେ ପରାସ୍ତ କରିପାରିବେ।କଂଗ୍ରେସ ର ଗୁଣମତ୍ତା ତଥା ଆଇନ ସିଦ୍ଧ କାର୍ଯ୍ୟ ସବୁବେଳେ ଦେଶ ବିକାଶରେ ସହାୟକ ହୋଇଛି।ସାଂପ୍ରତିକ ରାଜସ୍ଥାନ ରାଜନୀତିରେ ବିଜେପି ର କୁଶଛିତ କ୍ଷମତା ଲୋଭ ଆଜି ପଦାରେ ପଡିଛି।ଅନ୍ୟଦଳର ଅର୍ଥ,ବାହୁବଳ ଏବଂ ଅନ୍ନ୍ୟାୟୋଚିତ କାର୍ଯ୍ୟରେ ବ୍ୟତିବ୍ୟସ୍ତ ହେବା ଆବଶ୍ୟକ ନୁହେଁ।ସୂର୍ଯ୍ୟ ମଧ୍ୟ ଅସ୍ତ ହୁଅନ୍ତି,ଆଉ ରାତି ପାହି ସକାଳ ଭି ହୁଏ।କଂଗ୍ରେସ କର୍ମୀମାନେ ମଧ୍ୟ ସେହିପରି ସକାଳ ପାଇଁ ଧର୍ଯ୍ୟ ର ସହ ଅପେକ୍ଷା କରିବା ଦରକାର।
ପିସିସି ସଭାପତିଙ୍କ ବିଭିନ୍ ସାଂଗଠନିକ ପ୍ରଶ୍ନର ଉତ୍ତର ରଖିଥିବା ବେଳେ ଶ୍ରୀ ସିଂ ନିକଟ ଭବିଷ୍ୟତରେ ଓଡିଶା ଆସିବା ପାଇଁ ସହମତି ପ୍ରକାଶ କରିଥିଲେ।ପିସିସି ସାମାଜିକ ଗଣମାଧ୍ୟମ ଅଧକ୍ଷ ଶ୍ରୀ ଅଭିଷେକ ମହନନ୍ଦ ଙ୍କ ଦ୍ୱାରା ପ୍ରାୟୋଜିତ ଏହି ଅନଲାଇନ କାର୍ଯ୍ୟକ୍ରମରେ ପିସିସି ସଭାପତି ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ବିପିନ ଯାଦବଙ୍କ ସହ ଯୁବ ବିଧାୟକ ରମେଶ ଜେନା,ଯୁବନେତା ନବଜ୍ୟୋତି ପଟ୍ଟନାୟକ,ପୀତବାସ ପଣ୍ଡା, ଜୋୟତା ରାୟ,ସମସିଦା ତାଏବ,ଚନ୍ଦନ ରାୟ,ରଞ୍ଜନ ପାଣି,ମୁକେଶ ଅଗ୍ରୱାଲ,ଗୌରବ ତଣ୍ଡି, ପ୍ରମୁଖ ଯୋଗଦେଇ ଶ୍ରୀ ସିଂ ସହ ବାର୍ତ୍ତାଳାପ କରିଥିବା ବେଳେ ଓଡିଶା ସାମାଜିଜ ଗଣମାଧ୍ୟମର ସାଧାରଣ ସମ୍ପାଦକ ଚନ୍ଦନ ରାୟ ଓ ଏହି କାର୍ଯ୍ୟକ୍ରମକୁ ଚେତନ ମିଶ୍ର ପରିଚାଳନା କରିଥିଲେ।ଏହିପରି କାର୍ଯ୍ୟକ୍ରମ ଆଗକୁ ହେବ ବୋଲି ଅନ୍ୟତମ ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।

ସେବା ଓ ଦ୍ରବ୍ୟକର ପ୍ରାପ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ଠକିଛି : କଂଗ୍ରେସ

ଭବନେଶ୍ୱର –  ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଭାଜପାକୁ ପ୍ରଶ୍ନ ପଚାରି କହିଛନ୍ତି ଯେ, ଦୁଃଖ ଓ ପରିତାପର ସହିତ କହିବାକୁ ହେଉଛି ଯେ ଭାରତୀୟ ଜନତାପାର୍ଟି ଓ ତା’ର ନେତାମାନେ ସମସ୍ତ ରାଜ୍ୟବାସୀଙ୍କୁ ମୁର୍ଖ ବିବେଚନା କରି ଅନେକ ସମୟରେ ଅସତ୍ୟ ଓ ବିଭ୍ରାନ୍ତିକର ତଥ୍ୟମାନ ଦେବାରେ ଲାଗିଛନ୍ତି । ନିଜ ଭିତରେ ଓ ଦଳୀୟ ଅଫିସ୍ରେ ଉତ୍ସବ ମନାଉଥିବା ଦେଖାଯାଉଛି ।
 ସେବା ଓ ଦ୍ରବ୍ୟକର ବାବଦରେ ଶ୍ରୀ କାନୁନ୍ଗୋ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ଦେଉଥିବା ଅର୍ଥ କ’ଣ ରାଜ୍ୟକୁ ଦାନ ଓ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ନୁହେଁ ? ସେବା ଓ ଦ୍ରବ୍ୟ କର ଆଇନାନୁସାରେ ଏହି ନେତାମାନେ କ’ଣ ଜାଣନ୍ତି ନାହିଁ ଯେ ରାଜ୍ୟକୁ ୨୦୧୫-୧୬ ବର୍ଷକୁ ମୂଳବର୍ଷକରି ପ୍ରତିବର୍ଷ ୧୪% ବର୍ଦ୍ଧିତ ଟିକସ୍ ହାରରେ ରାଜ୍ୟମାନଙ୍କୁ ୨୦୨୧-୨୨ ମସିହା ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ଅଛି?
 ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ କେଉଁ ସ୍ୱାର୍ଥରେ କେଉଁ ସ୍ୱାଭିମାନରେ କେନ୍ଦ୍ର ସରକାରଙ୍କର ଅନୁଗୃହୀତ ଓ କାହା ସ୍ୱାର୍ଥରେ ଦାନୀ ପଣିଆକୁ ପ୍ରଶ୍ନ କରି ନାହାନ୍ତି ତାହା ତାଙ୍କୁ ଓ ତାଙ୍କ ଅଫିସରମାନଙ୍କୁ ଜଣା । ମାତ୍ର ୨୦୧୯-୨୦ ବର୍ଷପାଇଁ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ୬.୨୦୦ କୋଟି ଟଙ୍କା ଜି.ଏସ୍.ଟି ରାଜସ୍ୱ କ୍ଷତିପୂରଣ ପାଇବା କଥା । ରାଜ୍ୟ ପାଇଛି ମୋଟ୍ ୫୧୨୨କୋଟି ଟଙ୍କା । ଏକଥା କ’ଣ ଭାଜପା ନେତାମାନେ ହିସାବ କରି ନାହାନ୍ତି କାରଣ ଗତବର୍ଷ (୨୦୧୯-୨୦) ପାଇଁ ରାଜ୍ୟର ଜି.ଏସ୍.ଟି. ଆଦାୟ ୭.୮୬% ଥିଲା । ଅବଶିଷ୍ଟ ୬.୧୪% କେନ୍ଦ୍ର ଭରଣା କରିବା କଥା ।
 ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟ କ’ଣ ଜାଣନ୍ତି ନାହିଁ ମହାମାରୀ ସାଙ୍ଗରେ ଏହି ପ୍ରାପ୍ୟର କୌଣସି ସଂପର୍କ ନାହିଁ ?
 ଶ୍ରୀ ପ୍ରଧାନ କ’ଣ ଜାଣନ୍ତି ନାହିଁ ଯେ କେନ୍ଦ୍ର ଅର୍ଥ ସଚୀବ ଶ୍ରୀଫାଡେ ଷ୍ଟାଣ୍ଡିଂ କମିଟି ଆଗରେ ପ୍ରାପ୍ୟ ଅର୍ଥ ଦେଇ ନ ପାରିବାର ଅକ୍ଷମତା ପ୍ରକାଶ କରିଛନ୍ତି । କାରଣ କେନ୍ଦ୍ର କ୍ଷତି ଭରଣା ପାଇଁ ଆଦାୟ କରୁଥିବା ସେସ୍ ବହୁ ପରିମାଣରେ କମିବାରେ ଲାଗିଛି । କେନ୍ଦ୍ର ସରକାରର ଏହି ଅପରାଗତା ଓ ଅକ୍ଷମତା କ’ଣ ଭାଜପା ନେତା ଜାଣନ୍ତି ନାହିଁ ?​
 ଯେଉଁମାନେ ଦିନେ “ଏକ ଦେଶ, ଏକ ଟିକସ” କଥା କହି ଜି.ଏସ୍.ଟି ରାତିଅଧିଆ ଲାଗୁକଲେ ଉତ୍ସାହିତ ହୋଇ ଐତିହାସିକ ନିଷ୍ପତି କହୁଥିଲେ ସେମାନେ ହିଁ ଆଜି ରାଜ୍ୟ ଆର୍ଥିକ ସଂକଟର କାରଣ । ଏକଥା ଧର୍ମେନ୍ଦ୍ରବାବୁ ଓ ତାଙ୍କ ଦଳ ଲୁଚାଇଲେ କ’ଣ ଲୁଚିବ ?

ଆସିଲା ଅନଲକ୍ ୩.୦ର ରୂପ ରେଖ: ଉଠିଲା ରାତ୍ରି କାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧ ତାରିଖରୁ ଦେଶରେ ଲାଗୁହେବ ଅନଲକ୍ ୩.୦। ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ନୂତନ ଗାଇଡ଼ ଲାଇନ ଜାରି କରାଯାଇଛି। ଏଥରର ନିୟମରେ କିଛି କୋହଳ କରିଛନ୍ତି କେନ୍ଦ୍ର ସରକାର। ହେଲେ ଏହା କଣ୍ଟେନମେଣ୍ଟ୍ ଜୋନରେ ଲାଗୁହେବ ନାହିଁ। ତେବେ ସବୁଠାରୁ ବଡ଼ କଥା ହେଉଛି ଲକ୍ ଡାଉନ ୩.୦ ରେ ରାତ୍ରି କାଳୀନ କର୍ଫ୍ୟୁକୁ ଉଠେଇ ଦିଆଯାଇଛି। ମାନେ ଏଥର ରାତିରେ ଲୋକମାନେ ଯାତାୟାତ କରିପାରିବେ। ସେହିପରି ଜିମ ଓ ଯୋଗ ଶିକ୍ଷାକେନ୍ଦ୍ରକୁ ଖୋଲିବାକୁ ଅନୁମତି ମିଳିଛି। ଅଗଷ୍ଟ ୫ ତାରିଖରୁ ଏସବୁ ଖୋଲା ଯାଇପାରିବ। ହେଲେ ଏଥିପାଇଁ କେନ୍ଦ୍ର ସରକାରଙ୍କର ଏସଓପିକୁ ମାନିବାକୁ ପଡିବ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି।ତେବେ ପୂର୍ବ ପରି ସାମାଜିକ ଦୂରତା ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି।
ତେବେ ଏଥର ମଧ୍ୟ କିଛି ଜରୁରୀ ବ୍ୟବସ୍ଥାକୁ ମଧ୍ୟ ଅନୁମତି ମିଳିନାହିଁ । ଆସନ୍ତୁ ଜାଣିବା ସେ ସବୁ କଣ
୧-ସିନେମା ହଲ୍,ସୁଇମିଂ ପୁଲ୍,ମନୋରଂଜନ ପାର୍କ,ବାର ମଧ୍ୟ ଖୋଲିବ ନାହିଁ।
୨-ଧର୍ମୀୟ ଆୟୋଜନକୁ ମଧ୍ୟ ଅନୁମତି ନାହିଁ।
୩-ମେଟ୍ରୋ,ଟ୍ରେନ୍ ଓ ସିନେମା ଅନଲକ୍ ୩ କାଳରେ ଖୋଲିବ ନାହିଁ।
୪-ରାଜନୈତିକ ଦଳ ରାଲି କିମ୍ବା ସଭା କରିପାରିବେ ନାହି।
୫-ସ୍କୁଲ,କଲେଜ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।
୬-ଧର୍ମୀୟ ଆୟୋଜନକୁ ଅନୁମତି ମିଳି ନାହିଁ।

ଯାଜପୁରରେ ପ୍ଲାଜମା ସଂଗ୍ରହ ପାଇଁ ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ

ଯାଜପୁର: ଜଣେ ପ୍ଲାଜମା ଦାନ କଲେ ୨ ଜଣ କରୋନା ରୋଗୀ ସୁସ୍ଥ ହୋଇପାରିବେ। ପ୍ଲାଜମା ଦାନ ମହତ ଦାନ ।ଏହାକୁ ସଫଳ କରିବା ପାଇଁ ବ୍ୟାପକ ଜନ ସଚେତନ ଆବଶ୍ୟକ। କରୋନା ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରୋଗୀମାନେ କିପରି ଅଧିକରୁ ଅଧିକ ପ୍ଲାଜମା ଦାନ କରିବେ ସେ ନେଇ ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ପ୍ଲାଜମା ସଂଗ୍ରହର ସମୀକ୍ଷା ବୈଠକ। ଜିଲ୍ଲା ଦାୟିତ୍ୱରେ ଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ  ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟର ଜୀବନ ରକ୍ଷା ପାଇଁ ସ୍ୱଚ୍ଛକୃତ ଭାବେ ଲୋକମାନେ କିପରି ପ୍ଲାଜମା ଦାନ କରିବେ ଓ ଅଧିକ ରୋଗୀ ସାମିଲ ହୋଇ କିପରି ସୁସ୍ଥ ହେବେ ସେନେଇ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ   ସୁସ୍ଥ ହୋଇଥିବା ରୋଗୀମାନେ କିପରି ପ୍ଲାଜମା ଦାନ କରିବେ ସେ ନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ପ୍ରଥମ  ପ୍ଲାଜମା ଥେରାପିର  ସଫଳ ପ୍ରୟୋଗ ପରେ କରୋନାରୁ କଟକର ଜଣେ ୪୮ ବର୍ଷୀୟ ମହିଳା ସୁସ୍ଥ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ ୧୫ରୁ ଅଧିକ ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି ଓ ଏଥିରେ ରୋଗୀ ସୁସ୍ଥ ମଧ୍ୟ ହେଲେଣି । ତେଣୁ ଜିଲ୍ଲାରେ ଏହି ଅଭିଯାନକୁ ଜୋରଦାର କରିବା ପାଇଁ ବୈଠକରେ ମତ ଦେଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଏହି ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ ,ଅଶୋକ ବଳ, ସୁନନ୍ଦା ଦାସ, ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଜୟ ନାରାୟଣଙ୍କ ପାଇଁ ସମୀରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର : ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଗତକାଲି ଯେଭଳି ଶହେରୁ ଅଧିକ ସମର୍ଥକଙ୍କ ସହିତ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଛନ୍ତି। ସେ ଯେପରି ଭାବେ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିଲେ ତାହାକୁ ସମ୍ବଲପରୁର ଜନସାଧାରଣଙ୍କ ସମେତ ସମଗ୍ର ରାଜ୍ୟବାସୀ ଦେଖିଛନ୍ତି ।ଏହା ଅତ୍ୟନ୍ତ ନିନ୍ଦନିୟ।ଯଦି ଶ୍ରୀ ମିଶ୍ର ଜନସ୍ୱାର୍ଥ ପ୍ରସଙ୍ଗ ନେଇ ଜିଲ୍ଲାପାଳ ଅଫିସ
ଆସିଥିଲେ ତେବେ ଦୁଇ ତିନଜିଣ ସହ ଆସିପାରିଥାନ୍ତେ ବୋଲି ବିଜେଡି ମୁଖାତ୍ର ଡକ୍ଟର ସସ୍ମିତ ପାତ୍ର ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ବିଧାୟକ ଶ୍ରୀ ମିଶ୍ର ଦଳର ବରିଷ୍ଠ ନେତା। ଏପଟେ
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର କୋଭିଡ ନିୟମ ପାଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । କିନ୍ତୁ ବିଧାୟକ ଯେ ନାରାୟଣ ମିଶ୍ର ଲୋକଙ୍କୁ ଦେଖାଇବା ପାଇଁ କୋଭିଡ କଟକଣାକୁ ଅମାନ୍ୟ କରିଛନ୍ତି । ଏହାସହ ସେ ନିଜ ମୁହଁରୁ ମାସ୍କ କାଢି , ଯେଭଳି ଦଳବଳ ସହିତ ଆସିଲେ ଏବଂ ମହାମାରୀ
ସମୟରେ ଜଣେ ଲୋକ ପ୍ରତିନିଧି ଭାବେ ଯେଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ଖରାପ ଉଦାହରଣ ସୃଷ୍ଟି କରିଛି । ସେ ଭିଡ଼ିଓକୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଯେ ବିଧାୟକ କୋଭିଡ ଯୋଦ୍ଧାଙ୍କୁ ଧମକଚମକ ଦେବା ସହିତ ଖରା ବ୍ୟବହାର କରୁଛନ୍ତି । ଏପରିକି କୋଭିଡ ମୁକାବିଲା
ସମୟରେ କାର୍ଯ୍ୟ କରୁଥିବା ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ସେ ଧମକ ଦେଇଛନ୍ତି । ଆମେ ସମସ୍ତେ ଏବେ କରୋନା ମହାମାରୀ ସହିତ ଲଢୁଥିବାବେଳେ ଜଣେ ଲୋକ ପ୍ରତିନିଧିଙ୍କର ଏହା କି ପ୍ରକାର ବ୍ୟବହାର। ଏହାସହ ଦିନରାତି କରୋନା ମୁକାବିଲା କରୁଥିବା ଯୋଦ୍ଧାଙ୍କ ମନୋବଳ ଏହାଦ୍ୱାରା ଭାଙ୍ଗୁନାହିଁ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।
ବିଜେପି ବିଧାୟକ ଶ୍ରୀ ମିଶ୍ର ଅତୀତରେ ସରକାରୀ ଅଫିସର ଏପରିକି ତାଙ୍କ ଦଳର ବରିଷ୍ଠ ନେତାଙ୍କୁ ଖରାପ ବ୍ୟବହାର କରିବା
ସଂକ୍ରାନ୍ତରେ ସମ୍ବଲପୁରବାସୀ ବେଶ୍‍ ଅବଗତ । ହତ୍ୟା ଭଳି ମାମଲାରେ ଜଡିତ ଶ୍ରୀ ମିଶ୍ର ଜାମିନ୍‍ ପାଇ ଏବେ ବାହାରେ ଅଛନ୍ତି । ତେବେ ତାଙ୍କର ମହାମାରୀ ସମୟରେ ଏଭଳି ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବୋଧହୁଏ ଭୁଲିାଇଛନ୍ତି ୨୦୧୭ ମସିହାରେ ସମ୍ବଲପୁର ଠାରେ ତାଙ୍କ ଉପରେ କିଭଳି ଆକ୍ରମଣ ହୋଇଥିଲା ଓ ଏଭଳି ମରଣାନ୍ତକ ଆକ୍ରମଣ ପଛରେ କିଏ ଥିଲା । ସମ୍ବଲପୁରଠାରେ ବିଧାୟକ ଶ୍ରୀ ମିଶ୍ର ପ୍ରଦର୍ଶନ କରିଥିବା ଆଚରଣକୁ ରାଜ୍ୟ ବିଜେପି ସଭାପତି ଭାବେ ଶ୍ରୀ ମହାନ୍ତି ଦୃଢ ଭାବେ ନିନ୍ଦା କରିବେ ବୋଲି ଆଶା କରାଯାଉ ନ ଥିବାବେଳେ ସେ ଯେଭଳି ଏହାକୁ ସମର୍ଥନ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।ବିଜେପି ନେତାମାନେ ଏଭଳି ହିଂସାତ୍ମକ ଆଚରଣ ପ୍ରଦର୍ଶନ ନକରି କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡିଶା ଓ କେନ୍ଦ୍ର ସରକାରଙ୍କୁ ସହାୟତା କରିବା ଆବଶ୍ୟକ । ମହାମାରୀ ସମୟରେ ଆପତ୍ତି ଅଭିଯୋଗ ଜଣାଇବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । ଲୋକଙ୍କ ପାଇଁ ହେଉଥିବା ବାସ୍ତବ କାର୍ଯ୍ୟ ଓ ଡ୍ରାମାବାଜି ଭିତରେ ଥିବା ଫରକକୁ ଜନସାଧାରଣ ବେଶ୍‍ ଭଲଭାବେ
ଜାଣିଛନ୍ତି ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

ଜୟନାରାୟଣଙ୍କ ପାଇଁ ଓକିଲାତି କଲେ ସମୀର…

ଭୁବନେଶ୍ୱର : ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପାଇଁ ଆଜି ଓକିଲାତି କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ କୋଭିଡ଼ ନିୟମ ଉଲଘଂନ କରି ଧସେଇ ପଶିଥିଲେ ବିଧାୟକ ଜୟ ନାରାୟଣ ମିଶ୍ର ଓ ବିଧାୟକ ନାଉରୀ ନାୟକ । ଉଭୟ ନିଜର ସମର୍ଥକଙ୍କ ସହ କୋଭିଡ଼ ନିୟମ ଭାଙ୍ଗୀ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସୁଥିବା ବେଳେ ତାଙ୍କୁ ପୋଲିସ ଅଟକାଇଥିଲା । ଏଥିରେ ଉତ୍ତୋଜିତ ହୋଇ ବିଧାୟକ ପୋଲିସକୁ ଗାଳିଗୁଳଜ କରିବା ସହ କଡ଼ା ଭାଷାରେ ତାଗିତ କରିଥିଲେ । ଏହାପରେ ଗେଟ ଭିତରେ ପଶି ଜିଲ୍ଲାପାଳଙ୍କୁ ଭେଟି ସମ୍ବଲପୁର ପରିମଳ ବ୍ୟବସ୍ଥା ଉପରେ କହିଥିଲେ । ଜଣେ ବିଧାୟକ ଭାବେ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିବାରେ କିଛି ଅସୁବିଧା ନାହିଁ । ହେଲେ ଯେପରି ତରିକାରେ ସେ କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ । ବାରମ୍ବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଦୂରତା ବଜାୟ ରଖିବା, କୋଭିଡ଼ ନିୟମ ମାନିବା ନେଇ ଗଣମାଧ୍ୟମରେ ଅପିଲ କହୁଥିଲେ ମଧ୍ୟ ତାଙ୍କ ଦଳର ବିଧାୟକ ହୋଇ ଏସବୁ ନିୟମକୁ କିପରି ଜୟ ନାରାୟଣ ମିଶ୍ର ମାନୁନାହାନ୍ତି ସେନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡ଼ି । ଦେଶ ଯେତେବେଳେ କରୋନା ମହାମାରୀ ଘଡ଼ିସନ୍ଧି ମୁହୃର୍ତ୍ତରେ ଗତି କରୁଛି ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମେସ୍ତ ଜୀବନ ରକ୍ଷା ଓ ସାମାଜିକ ଦୂରତା ସହ କୋଭିଡ଼ ନିୟମ ମାନିବାକୁ ବାରମ୍ବାର ଅନୁରୋଧ କରିଛନ୍ତି । ସେତେବେଳେ ଜଣେ ବରିଷ୍ଠ ବିଧାୟକ କୋଭିଡ଼ ନିୟମ ଉଲଘଂନ କରିଥିଲେ ମଧ୍ୟ ସେହି ଦଳର ରାଜ୍ୟ ସଭାପତି କାହାକୁ ସମର୍ଥନ କରିବାକୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ସେପଟେ କୋଭିଡ଼ ନିୟମ ଉଲଘଂନ କରି ବିଧାୟକଙ୍କ ନାଁରେ ମାମଲା ହେବା ପରେ ରାଜ୍ୟ ସଭାପତି ତାଙ୍କ ପାଇଁ ଓକିଲାତି କରିଛନ୍ତି । ସମୀର କହିଛନ୍ତି ଯେ କୋଭିଡ଼ ନିୟମକୁ ଆଳ କରି ଜନ ପ୍ରତିନିଧିଙ୍କ କଥାକୁ ଶୁଣୁନାହାନ୍ତି ସରକାର । ଏ ଦୁଇ ନେତାଙ୍କ ଭୂଲ ନଧରି ଓଲଟି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସମୀର ଟାର୍ଗେଟ କରି ନାଲି ଆଖି କଥା ଉଠାଇ ନିଜେ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ନାଲିଆଖି ଦେଖାଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଜଣେ ବିଧାୟକଙ୍କ ଭୂଲକୁ ଦଳର ସଭାପତି ସମର୍ଥନ କରିବେ ତେବେ ବିଧାୟକ ଆଗକୁ ଆହୁରୀ ଭୂଲ କରିବେନି ତ ? ପ୍ରଧାନମନ୍ତ୍ରୀ ଅପିଲକୁ ରାଜ୍ୟ ବିଜେପି କାହିକିଁ ମାନିବାକୁ ନାରାଜ ? ତେବେ ବିଧାୟକ ଜୟ ନାରାୟଣ ପୂର୍ବରୁ ମଧ୍ୟ ବହୁବାର ଏପରି ଦବଙ୍ଗିରି କରିଥିବାର ନଜର ଆସିଛନ୍ତି । କେତେବେଳେ ପ୍ରଶାସନକରୁ ନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରି ଖଣ୍ଡା ବୁଲାଇଛନ୍ତି ତ ଆଉ କେତେବେଳେ ନିୟମକୁ ଫୁ କରି କାମ କରିଛନ୍ତି । ଯେଉଁଥି ପାଇଁ ତାଙ୍କ ନାଁରେ ଅଭିଯୋଗର ଲମ୍ବା ତାଲିକା ଅଛି । ଏପରିକି ତାଙ୍କ ନାଁରେ ଫୌଜଦାରୀ ମାମଲା ଦାୟର ମଧ୍ୟ ହୋଇ ସେ ଜେଲ ଯାଇଛନ୍ତି । ତେବେ ଜୟ ନାରାୟଣଙ୍କ ଏପରି ଆଚରଣକୁ ନେଇ ଅନ୍ୟ ଦଳର ନେତାମାନେ ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି କରିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ,ପଂଚାନନ କାନୁନଗୋ ଜଣେ ଜନ ପ୍ରତିନିଧିଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ସେପଟେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ଏ ପ୍ରସଙ୍ଗରେ ବିଜେପି ରାଜ୍ୟସଭାପତି ଓ ଦୁଇବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ଦାମ କଟାକ୍ଷ କହିଛନ୍ତି ଯେ ବିଜେପି ନେତାଏ ଯେତେଭୂଲ କଲେ ବି ମୋଦିଙ୍କ ନାଁ ନେଇ ସେ ପାପରୁ ମୁକ୍ତି ହୋଇଯାଉଛନ୍ତି । ଜଣେ ଜନ ପ୍ରନିନିଧିଙ୍କ ଏପରି ଆଚରଣ ଦୁର୍ଭାଗ୍ୟ ଜନକ ବୋଲି ଦାମ କହିଛନ୍ତି । ତେବେ ଏ ପ୍ରସଙ୍ଗକରେ ବିଜେଡ଼ି ମଧ୍ୟ କଡ଼ା ସମାଲୋଚନା କରିଛି ବିଜେପି । ବାରମ୍ବାର ବିଜେପି ନେତାଏ କୋଭିଡ଼ ନିୟମ ଭାଙ୍ଗୁଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ତେବେ ଏନେଇ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକିୟା ମିଳିପାରି ନାହିଁ ।

ବିଧାୟକଙ୍କୁ ନବୀନଙ୍କ ମନ୍ତ୍ର : ଲୋକଙ୍କ ଜୀବନ ରକ୍ଷା ମୂଳଲକ୍ଷ୍ୟ

ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର

ଲୋକଙ୍କ ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ରହିବ ନାହିଁ

କୋଭିଡ ଯୋଦ୍ଧା ଦରମା ପାଇଁ ନୁହେଁ,ଲୋକଙ୍କ ଜୀବନ ରକ୍ଷା ପାଇଁ ମିଶନ ଭଳି ସେବା କରିଚାଲିଛନ୍ତି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଲୋକଙ୍କ ଜୀବନ ରକ୍ଷା ହେଉଛି ଆମର ପ୍ରାଥମିକତା । ତେଣୁ ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦୃଢତାର ସହ ଘୋଷଣା କରିଛନ୍ତି। କୋଭିଡ-୧୯ ସଂପର୍କରେ ବିଧାୟକମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସମ୍ବଳର କେବେ ବି ଅଭାବ ରହିବ ନାହିଁ।

କୋଭିଡ ଯୋଦ୍ଧା ମାନଙ୍କର ନିଷ୍ଠା ଓ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ କୋଭିଡ ଯୋଦ୍ଧା ଭାବରେ କାମ କରୁଥିବା ଓଡିଆ ଭାଇଭଉଣୀ ମାନେ ଦରମା ପାଇଁ ନୁହେଁ, ଏହି ଲଢେଇକୁ ଏକ ମିଶନ ଭାବରେ ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି। ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡିଶା ପାଇଁ ପ୍ରେରଣା। ସେମାନଙ୍କ ଭିତରେ, ସେମାନଙ୍କ ତ୍ୟାଗରେ ଜଣେ ଜଣେ ଗୋପବନ୍ଧୁ ଦାସ, ମଧୁବାବୁ, ମା ରମାଦେବୀ ଓ ପାର୍ବତୀ ଗିରି ଭଳି ମହାନ୍‌ ଦେଶସେବକ ରହିଛନ୍ତି। ସେହି ଯୋଦ୍ଧା ମାନଙ୍କ ତ୍ୟାଗକୁ ଓଡିଆ ଜାତି ସବୁଦିନ ପାଇଁ ମନେ ରଖିବ ଏବଂ ଏହା ଭବିଷ୍ୟତ ପୀଢିକୁ ପ୍ରେରଣା ଦେବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବାପାଇଁ ସେ ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହେଉଛନ୍ତି। ଏହି କଷ୍ଟସାଧ୍ୟ ଲଢେଇରେ ସେମାନଙ୍କ ମନୋବଳକୁ ଉଚ୍ଚ ରଖିବା ପାଇଁ ସେମାନଙ୍କ ତ୍ୟାଗକୁ ଆମେ ସମସ୍ତେ ସମ୍ମାନ ଜଣାଇବା ସହିତ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ନିବେଦନ କରିଥିଲେ।
ଓଡିଶା ଆଜି ଏହି ଆହ୍ବାନକୁ ଦୃଢତାର ସହ ମୁକାବିଲା କରୁଛି । ଏହି ଲଢେଇରେ ସାମିଲ ହୋଇ ଆଗ ଧାଡିରେ ରହି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର କୃତଜ୍ଞତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ କଠିର ପରିଶ୍ରମ, ତ୍ୟାଗ ଯୋଗୁ ଆଜି ଆମ ରାଜ୍ୟର ୧୮ ହଜାର ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଆମେ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ । ଏକ ଅନିଶ୍ଚିତ ପରିବେଶ ଭିତରେ ନିରନ୍ତର ଭାବରେ କାମ କରିବା ସହଜ କଥା ନୁହେଁ । କିନ୍ତୁ ନିଜେ ସଂକ୍ରମିତ ହେବା ସତ୍ତ୍ବେ ନିଜ ପରିବାର ଲୋକମାନେ ସଂକ୍ରମିତ ହେବା ସତ୍ତ୍ବେ ଏବଂ ଅନେକ କ୍ଷେତ୍ରରେ ନିଜେ ମୃତ୍ୟୁବରଣ କରୁଥିଲେ ମଧ୍ୟ, ଆମର କୋଭିଡ ଯୋଦ୍ଧା ମାନେ ଯେଭଳି ବୀରତ୍ବର ସହ ଗତ ୧୫୦ ଦିନ ହେଲା କାମ କରିଚାଲିଛନ୍ତି, ତାର ପଟାନ୍ତର ନାହିଁ ।

ଗତ ମାର୍ଚ୍ଚ ୧୩ ତାରିଖରେ ରାଜ୍ୟ ବିଧାନସଭାରେ ତାଙ୍କ ସମ୍ବୋଧନ ବିଷୟରେ ସ୍ମରଣ କରାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପୃଥିବୀ ଇତିହାସରେ ବହୁତ କମ୍‌ ସମୟ ମାନବଜାତି ତା କଳ୍ପନା ବାହାରେ ଏଭଳି ଏକ ଆହ୍ବାନର ସମ୍ମୁଖୀନ ହେଇଛି । ପ୍ରାୟ ଗତ ୫ ମାସ ହେଲା ସାରା ବିଶ୍ବର ବିଭିନ୍ନ ଦେଶକୁ ଏହି ମହାମାରୀ ପ୍ରଭାବିତ କରିଛି। ଏପରିକି ଯେଉଁ ଦେଶମାନେ ମହାମାରୀରୁ ମୁକ୍ତ ହୋଇସାରିଥିଲେ, ସେମାନେ ମଧ୍ୟ ପୁଣି ଥରେ ତା କବଳକୁ ଆସିଯାଇଛନ୍ତି। ଭାରତର ପ୍ରତ୍ୟେକ ରାଜ୍ୟ ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ପ୍ରତି ଦୁଇ ଦିନରେ ଏକ ଲକ୍ଷ ନୂଆ ସଂକ୍ରମିତ ସୃଷ୍ଟି ହେଉଛନ୍ତି। ଭାରତ ଆଜି ବିଶ୍ବର ତୃତୀୟ ସ୍ଥାନରେ ଅଛି ।
ଓଡିଶାରେ କୋଭିଡ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାତ୍ରାରୁ ସଂଗରୋଧ, ପରୀକ୍ଷା, Tracing, ଚିକିତ୍ସା,ଖାଦ୍ୟ, ରହଣୀ ସବୁକିଛି ଏଠାରେ କୋଭିଡ ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । ଯେତେବେଳେ ଅନ୍ୟ ରାଜ୍ୟର ଡାକ୍ତରଖାନା ଗୁଡିକ କୋଭିଡ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବୀ କରୁଛନ୍ତି, ଓଡିଶା ସରକାର ସବୁକିଛି ମାଗଣାରେ ଯୋଗାଉଛନ୍ତି। ସାରା ବିଶ୍ବରେ ଯେକୌଣସି ଅଞ୍ଚଳରେ କୋଭିଡ ରୋଗ ପାଇଁ ଶ୍ରେଷ୍ଠ ଚିକିତ୍ସା ମିଳୁଛି, ତାକୁ ଆମେ ଓଡିଶାରେ କାର୍ଯ୍ୟକାରୀ କରୁଛୁ ଏବଂ କେହି ଲୋକ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହେବେ, ସେଥିପାଇଁ ମାଗଣାରେ ଯୋଗାଇ ଦେଉଛୁ ।
ଏହି ଅବସରରେ ପ୍ଲାଜମା ଚିକିତ୍ସା ପଦ୍ଧତିର ଉତ୍ସାହଜନକ ସଫଳତା ଏବଂ କୋଭିଡ ଟୀକା ସଂପର୍କରେ Serum Instituteର CEOଙ୍କ ସହ ତାଙ୍କ ଆଲୋଚନା ବିଷୟରେ ମୁଖ୍ୟମନ୍ତ୍ରୀ ଅବତାରଣା କରିଥିଲେ।
ମହାମାରୀର କୁପ୍ରଭାବ ସଂପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଏହି ମହାମାରୀ ଦ୍ବାରା ପୃଥିବୀର ପ୍ରତ୍ୟେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସ୍ଥାନୀୟ, ଜାତୀୟ ଏବଂ ବିଶ୍ବସ୍ତରରେ ଅର୍ଥନୀତିକୁ ଏହା ବିପୁଳ ଭାବରେ କ୍ଷତିଗ୍ରସ୍ତ କରିଛି । ଆମ ରାଜ୍ୟ ଓଡିଶା ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ତଥା ଶିଳ୍ପ ପାଇଁ କିଛି ନୂଆ ଉଦ୍ୟମ ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଉଦ୍ୟମ କରିଛି । ଏହା ଫଳପ୍ରଦ ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡିଶା ଅନେକ ବିପର୍ଯ୍ୟୟର ମୁକାବିଲା କରିଛି। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଏବଂ ପୁଣିଥରେ ଦୃଢ ଭାବରେ ପୂର୍ବ ସ୍ଥିତିକୁ ଫେରିଆସିବାର ଶକ୍ତି ପ୍ରତିଟି ଓଡିଆଙ୍କ ରକ୍ତରେ ରହିଛି । ମହାମାରୀ ଚାଲିଯିବା ପରେ ଓଡିଶା ଅଧିକ ଦୃଢ ଓ ସମୃଦ୍ଧ ଭାବରେ ତାର ସ୍ଥିତି ଜାହିର କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାପୋଷଣା କରିଥିଲେ ।
ଏହି ଅବସରରେ ବିଧାନସଭାର ମାନ୍ୟବର ବିଧାୟକ ମାନେ ବ୍ୟକ୍ତିଗତଭାବେ ନିଜର ଯତ୍ନ ନେବା ସହିତ ସେମାନଙ୍କ ଅଞ୍ଚଳରେ ଏହି ପରିସ୍ଥିତିରେ ପ୍ରେରଣାଦାୟୀ ନେତୃତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। କୋଭିଡରେ ସଂକ୍ରମିତ ହୋଇଥିବା ୩ ଜଣ ବିଧାୟକ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦବ୍ୟକ୍ତ କରିଥିଲେ ।
ବିଧାୟକମାନେ ସେମାନଙ୍କ ଅଞ୍ଚଳରେ କୋଭିଡ ଯୋଦ୍ଧା ମାନଙ୍କର ଯତ୍ନ ନେବା ସହିତ ପ୍ଲାଜମା ଦାନକୁ ଉତ୍ସାହିତ କରିବା ଏବଂ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହାତ ଧୋଇବା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏହି ଅବସରରେ ରାଜ୍ୟର ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ କୋଭିଡ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ହେଉ, ବା ମହାମାରୀ ପ୍ରତ୍ୟେକଟି ମଣିଷର ଜୀବନ ରକ୍ଷା କରିବା ତାଙ୍କର ପ୍ରାଥମିକ ଦାୟିତ୍ବ। ସରକାର କୋଭିଡ ନିୟମାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ସବୁ ଘରେ ବା ସବୁ ରାସ୍ତାରେ ରହିବା ସମ୍ଭବ ନୁହେଁ । ସମସ୍ତେ ଏକାଠି ହୋଇ ଏହି ମହାମାରୀ ବିରୁଦ୍ଧରେ ଲଢେଇ କରିବା ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଦାୟିତ୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଭାରତର ସେନାର ବଢିବ ମନୋବଳ , ଭାରତ ମାଟିକୁ ଛୁଇଁଲା ରଫାଲ୍ ।

0

ବ୍ଯୁରୋ  : ଆଜି ଅପରାହ୍ନ ୩ଟା ୦୮ ମିନିଟ୍ ରେ ହରିୟାଣା ର ଅମ୍ବାଲା ଏୟାର୍ ବେସ୍ ରେ ଭାରତ ମାଟିକୁ ଛୁଇଁଲା ବହୁ ପ୍ରତୀକ୍ଷିତ ରଫାଲ୍ ବିମାନ । ଆବୁଧାବିର ମେରିନେକ୍ ରୁ ଭାରତୀୟ ସମୟ ୧ଟା ୦୨ମିନିଟ୍ ରୁ ଉଡାଣ ଆରମ୍ଭ କରି ଅମ୍ବାଲା ଏୟାର୍ ବେସ୍ ରେ ପହଞ୍ଚିଛି ପାଞ୍ଚ ରଫାଲ୍ ବିମାନ। ଯେଉଁ ରଫାଲ୍ ବିମାନ କିଣାକୁ ନେଇ ବିଗତ କିଛି ବର୍ଷ ତଳେ ରାଜନୈତିକ ତୁମ୍ବି ତୂଫାନ ହୋଇଥିଲା। ତାହାର ଆଜି ଅନ୍ତ ଘଟିଛି । ପ୍ରଥମ ପର୍ଯ୍ୟାୟରେ ଭାରତକୁ ପାଞ୍ଚୋଟି ବିମାନ ଆସିଥିବା ବେଳେ ଆଗାମୀ ଦିନରେ ଚୁକ୍ତି ଅନୁଯାୟୀ ବାକି ୩୧ଟି ବିମାନ ଆସିବାକୁ ଅଛି।  ଯାହାଦ୍ବାରା ଭାରତୀୟ ବାୟୁ ସେନା ଅଧିକ ଶକ୍ତିଶାଳୀ ହୋଇପାରିବ । ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମସ୍ତ ପାଇଲା ଙ୍କ ସହ ସମଗ୍ର ବାୟୁସେନା ଓ ଦେଶ ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଟୁଇଟ୍ କରି ଶତୃ ଦେଶ ମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦୀର୍ଘ ୪୧ ବର୍ଷ ପୂର୍ବେ ୧୯୭୯ ମସିହା ଜୁଲାଇ ୨୭ ତାରିଖରେ ଏହି ଅମ୍ବାଲା ଏୟାର୍ ବେସ୍ ରେ ଜାଗୁଆର୍ ନାମକ ଯୁଦ୍ଧ ବିମାନ ଅବତରଣ କରି ବାୟୁସେନାରେ ସାମିଲ୍ ହୋଇଥିଲା।

ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂ ଗବେଷଣାକୁ ନେଇ ଆନ୍ତର୍ଜାତିକ ଭର୍ଚୁଆଲ୍ ସମ୍ମିଳନୀ 

ଭୁବନେଶ୍ୱର : ନବୀକରଣକ୍ଷମ ଶକ୍ତି ସମ୍ପର୍କିତ ନୂତନ ଦ୍ରବ୍ୟର ବିକାଶ ଏବଂ ଏହାର ପ୍ରୟୋଗବିଷୟବସ୍ତୁକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀଭର୍ଚୁଆଲି ଆୟୋଜିତ ହୋଇଯାଇଛି ।ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଅଧିନସ୍ଥମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଆନ୍ତର୍ଜାତିକ ସମ୍ମିଳନୀର ବିଷୟବସ୍ତୁ ଥିଲା “ରିସେଂଟ୍‌ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” ।ଏହି ସମ୍ମିଳନୀରେ ଉଭୟ ଶିକ୍ଷା ଏବଂ ଶିଳ୍ପ ସ୍ତରୀୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ଗବେଷକଙ୍କ ପକ୍ଷରୁ ୧୬୭ଟି ଗବେଷଣା ପତ୍ର, ତଥ୍ୟ ଏବଂ ଆବେଦନ ପତ୍ର ପ୍ରଦାନ କରାଯାଇଥିଲା । ସମ୍ମିଳନୀରେ ଭାଗ ନେଇଥିବା ଅତିଥିମାନେ ନବୀକରଣ ଶକ୍ତି ସହିତ ଥର୍ମାଲ ଇଞ୍ଜିନିୟରିଂ, ମାନୁଫ୍ୟାକ୍‌ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ୍‌ ଇଞ୍ଜିନିୟରିଂ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଶିକ୍ଷା ଏବଂ ଶିଳ୍ପ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନେକିଭଳି ଏ ଦିଗରେ ଅଧିକ ଲାଭ ଉଠାଇପାରିବେ ତାହା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଥିଲା । ଶକ୍ତି ଗବେଷଣା କ୍ଷେତ୍ରର ନୂତନ ଦିଗ ସମ୍ପର୍କରେ ୟୁଏସ୍‌ଏର ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଏସ୍‌. ଏ, ସେରିଫମତବ୍ୟକ୍ତ କରିଥିବା ବେଳେ ଇଟାଲୀର ପ୍ରଫେସର ଇ. ଗଲୋନୀ ୱେଷ୍ଟ ହିଟ୍ ରିକଭରୀ’ ସମ୍ପକ ଆଲୋଚନା ହୋଇଥିଲା l

ନବୀନଙ୍କ ବଡ଼ ଘୋଷଣା : କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
କୋଭିଡ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା 
ଅଣ-କୋଭିଡ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। କୋଭିଡ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ସହାୟତା କୋଭିଡ ଯୁଦ୍ଧରେ ନିୟୋଜିତ କର୍ମଚାରୀ ଓ ଜନପ୍ରତିନିଧିଙ୍କ (ସରପଞ୍ଚ ଓ ଅନ୍ୟ ପ୍ରତିନିଧି) ନିକଟତମ ଆତ୍ମୀୟମାନେ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ସେହିପରି କୋଭିଡ-୧୯ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ନିକଟତମ ଆତ୍ମୀୟମାନେ ଯଥାକ୍ରମେ ମାସିକ ୭୫୦୦ ଟଙ୍କା ଏବଂ ୫୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ମୃତ ଅଙ୍ଗନବାଡି ଓ ଆଶାକର୍ମୀ ମାନେ ବଞ୍ଚିଥିଲେ ସେମାନଙ୍କୁ ଯେବେ ୬୦ ବର୍ଷ ହୋଇଥାନ୍ତା, ସେପର୍ଯ୍ୟନ୍ତ ଏହି ସହାୟତା ସେମାନଙ୍କ ପରିବାରବର୍ଗଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଭଳି ଦୁଃଖଦ ଘଟଣା କ୍ଷେତ୍ରରେ ଯୋଦ୍ଧା ମାନଙ୍କ ପରିବାର ଯେପରି ଅବିଳମ୍ବେ ସହାୟତା ରାଶି ପାଇପାରିବେ, ସେଥିପାଇଁ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟରେ ଅଣ-କୋଭିଡ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉ ନଥିବାର କେତେକ ଅଭିଯୋଗ ଆସୁଥିବାରୁ, ସେମାନଙ୍କ ଚିକିତ୍ସାରେ ଯେପରି ସାମାନ୍ୟତମ ଅବହେଳା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରାଜ୍ୟରେ ଆମ୍ବୁଲାନ୍‌ସ ନେଟୱାର୍କକୁ ସୁଦୃଢ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୋଗୀଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା। ଆମର ସବୁ ପଦକ୍ଷେପକୁ ଏହା ଉପରେ କେନ୍ଦ୍ରୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ କୋଭିଡ ପରିଚାଳନାରେ ପ୍ରଶାସନର ଆଗୁଆ ପ୍ରସ୍ତୁତି ଏବଂ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ଫଳପ୍ରଦ ଭୂମିକା ଗ୍ରହଣ କରିଛି। ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ନଥିବା ସ୍ବଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ କୋଭିଡ ରୋଗୀ ମାନଙ୍କୁ ସେମାନଙ୍କ ଘରେ ରହି ଚିକିତ୍ସିତ ହେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଉଭୟ ସହର ଓ ଗ୍ରାମାଞ୍ଚଳରେ ଲାଗୁ ହୋଇଛି। ଘରୋଇ ପରିବେଶରେ ରୋଗୀମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ସହିତ ଡାକ୍ତରଖାନା ଉପରେ ଚାପ ହ୍ରାସରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହିତ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବା ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କୋଭିଡରେ ମୃତ୍ୟୁବରଣ କରୁଥିବା ରୋଗୀ ମାନଙ୍କ ଶବସତ୍କାର ଏକ ସମ୍ବେଦନଶୀଳ ପ୍ରଶ୍ନ ହୋଇଥିବାରୁ, ଉଭୟ ଆବେଗିକ ଓ ଧାର୍ମିକ ବିଶ୍ବାସକୁ ନେଇ ସମ୍ମାନଜନକ ଭାବରେ ଶବସଂସ୍କାର ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଉପରେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।
ବିଭିନ୍ନ ଡାକ୍ତରଖାନା ଓ କେୟାର ସେଣ୍ଟର ମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀମାନେ ଯେପରି ଗୁଣାତ୍ମକ ସେବା ପାଇପାରିବେ, ସେଥିପାଇଁ ସେମାନଙ୍କ ଠାରୁ Feedback ସଂଗ୍ରହ କରି ତଦ୍‌ନୁଯାୟୀ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ କୋଭିଡ ଲଭେଇ ଜିତିବା ପାଇଁ ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।
ଆଜି ଅନୁଗୁଳ, ଢେଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୁରଭଂଜ, ବଲାଙ୍ଗୀର, ବରଗଡ ଓ ନୂଆପଡା ଆଦି ଜିଲ୍ଲାର ପରିସ୍ଥିତି ଓ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି ଜିଲ୍ଲା ଗୁଡିକରେ କୋଭିଡ ପରିଚାଳନାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ପର୍ଯ୍ୟବେକ୍ଷକମାନେ କେତେକ ପ୍ରସ୍ତାବ ମଧ୍ୟ ରଖିଥିଲେ। ଏହି ପ୍ରସ୍ତାବ ଗୁଡିକୁ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ତଥା ଜିଲ୍ଲାସ୍ତରରେ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news