ଭଗବାନ ରୂପରେ ଆସିଛି ବନ୍ଧୁ…

ଭଗବାନଙ୍କ ଶ୍ରେଷ୍ଠ ଉପହାର ହେଉଛି ବନ୍ଧୁ । କାରଣ ବାପା,ମାଆ ଆମେ ଆମ ନଜର ଇଚ୍ଛାରେ ପାଇନଥାଉ । ଭଗବାନ ହିଁ ଆମକୁ ଏହି ୩ ଅମୂଲ୍ୟ ସଂପର୍ତ୍ତି ଦେଇଥାନ୍ତି । କାରଣ ପ୍ରତ୍ୟେକ ବ୍ୟକ୍ତିକୁ ଭଗବାନ ସବୁବେଳେ ସୁଖ ଓ ଦୁଃଖରେ ସାହର୍ଯ୍ୟ ଓ ସହଯୋଗ କରିନ୍ତି । ବିଶ୍ୱାସ କରାଯାଏ ବନ୍ଧୁ ରୂପରେ ଆସି ଭଗବନା ଏହି ସାହାର୍ଯ୍ୟ କରିଥାନ୍ତି । ତେଣୁ ଜୀବନରେ ଭଲ ବନ୍ଧୁଟିଏ ପାଇବା ବି ଭାରୀ କଷ୍ଟ । ଜୀବନର ପ୍ରତ୍ୟେକ ପାହାଚରେ ଆମେ ବନ୍ଧୁ ଭାବେ କାହାକୁ ନା କାହାକୁ ପାଇଥାଉ । ସେ ପିଲାବେଳେ ହେଉ ଅବା ବୃଦ୍ଧ ବୟସରେ । ଯିଏ ଆମର ଦୁଖ,ସୁଖ ବୁଝେ କିଛି ନଦେଲେ ବି ତାହା ସହିତ ଆଲୋଚନା କଲେ ମନ ହାଲକା ହୋଇଯାଏ ଓ ମନରେ ଅନେକ ବିଶ୍ୱାସ ଆସିଥାଏ ସେ ହେଉଛି ବନ୍ଧୁ । ଯେମିତି ବନ୍ଧୁ ବିନା ଜୀବନଟା ସତରେ ଫିକା । ହୁଏତ ଆଜିର ଦିନରେ କୃଷ୍ଣ ସୁଦାମାଙ୍କ ପରି ବନ୍ଧୁ ପାଇବା ଟିକେ କଷ୍ଟ ।ହେଲେ ତଥାପି ଏ ଦୁନିଆରେ ଅନେକ ବନ୍ଧୁ ସର୍ମ୍ପକ ଅଛନ୍ତି ସେମାନେ କୃଷ୍ଣ ସୁଦାମ ହୋଇଛନ୍ତି କି ନାହିଁ ମୁଁ ଜାଣିନାହିଁ , ହେଲେ ଜୀବନରେ ସେମାନେ କୃଷ ସୁଦାମ ବନ୍ଧୁପଣଙ୍କ ପରି ଆଦର୍ଶଭାବେ ଗ୍ରହଣ କରିଛନ୍ତି । ଜୀବନରେ ବନ୍ଧୁ ଯେ କେବଳ ସମାନ ବୟସରେ ଥାଆନ୍ତି ତାହାନୁହେଁ, ଯିଏ ତମକୁ ବୁଝିଲା ଓ ତମେ ତାକୁ ବିଝିଲ ଓ ବିନାସ୍ୱାର୍ଥରେ ସର୍ମ୍ପକ ଗଢିଉଠିଲା ସେ ତ ପ୍ରକୃତ ବନ୍ଧୁ । ଯଦି ବନ୍ଧୁ ଶବ୍ଦର ସଂଜ୍ଞା ଆଜି କିଏ କୁହେ କଣ ଅନେକ କହିବେ ଯିଏ ମୋ ହୃଦୟକୁ ମା,ବାପାଙ୍କ ପରି ବୁଝେ ଓ ମୁଁ ତା ହୃଦୟକୁ ବୁଝେ ସେ ତ ମୋର ପ୍ରିୟ ବନ୍ଧୁ । ଯା ପ୍ରତି ମୁଁ କେମିତି ଓ କିଭଳି ଆକର୍ଷିତ ହୁଏ ତାହା ଭଗବନାଙ୍କୁ ଜଣା । ବନ୍ଧୁ ବା ସାଙ୍ଗ କଥା ଯେତେବେଳେ ମନକୁ ଆସେ ସେତେବେଳେ ପ୍ରତ୍ୟେକଙ୍କ ମନକୁ କୃଷ୍ଣ ସୁଦାମ ସର୍ମ୍ପକ ମନେ ପଡ଼େ । ଏହି ସାଙ୍ଗ ସର୍ମ୍ପକରେ ସୁଖ , ଦୁଖ ଦାନ ଓ ପ୍ରତିଦାନ ବି ଦେଖିବାକୁ ମିଳେ । ଆଜି ବି ମୋ ସାଙ୍ଗ ମାନଙ୍କ କ୍ଷେତ୍ରରେ ତାହା ମୁଁ ଦେଖିବାକୁ ପାଏ । ପିଲାଦିନେ ଯେତେବେଳେ ମୁଁ ଦୁନିଆ କଣ ଜାଣିଲି ସେତେବେଳେ ସାଙ୍ଗ ହୋଇ କେତେ ଯେ ମଜାମସ୍ତି କରିଛି ତାହା ଆଜି ବନ୍ଧୁତା ଦିବସରେ ମନେପଡ଼େ । ସାଙ୍ଗ ସହ ଖେଳିଛି,ବୁଲିଚି, ପାଠ ପଢିଛି, କାହା ବାଡ଼ିରେ ପଶି କୋଳି,କରମଙ୍ଗା, ବିଜୁଳି, ଖଜୁରୀ,ଆମ୍ବ ଓ ପୁଲ ଚୋରୀ କରିଛି ତ ଲୁଚିଲୁଚି ଫିଲ୍ମ ଦେଖୁବାକୁ ମଧ୍ୟ ଯାଇଛି । ସକାଳେ ପରିବାରକୁ ଛାଡ଼ିବା ପରେ ଯଦି କାହା ସହିତ ଜୀବନ ବଂଚେ ସେ ହେଉଛି ବନ୍ଧୁ । ଯାହାକୁ ମୁଁ ମୋ ପରିବାରର ଓ ମୋର ନିଜର ସୁଖ,ଦୁଖ କହି ମନକୁ ହଲାକା କରେ । ମୁଁ ବିପଦରେ ପଡ଼ିଲେ ସେ ଶୋଇପାରେ ନାହିଁ କି ସେ ବିପଦରେ ବଡ଼ିଲେ ମୁଁ ଶୋଇପାରେନାହିଁ । ଅବଶ୍ୟ ଆଜିର ସ୍ୱାର୍ଥପର ଦୁନିଆରେ ବନ୍ଧୁ ବା ସାଙ୍ଗକୁ ସବୁକିଛି ସହଯୋଗ କରିହେଉ ନାହିଁ କି ସମୟ ଦେଇହେଉନାହିଁ । ତାହାମାନେ ନୁହେଁ, ଯେ ତା ପ୍ରତି ମୋ ଭଲ ପାଇବା କମିଯାଇଛି କି ମୋ ପ୍ରତି ତାହାର ଭଲ ପାଇବା କମିଛି । ପିଲାଦିନୁୂ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ପାହାଚରେ ମୋ ବହୁ ବନ୍ଧୁ ବା ସାଙ୍ଗ ଙ୍କ ସହ ସଂପର୍କ ଯୋଡ଼ିହୋଇଯାଉଛି । ହେଲେ ପୁରୁଣା ବନ୍ଧୁ ବା ସାଙ୍ଗ ବି ଆଜିର ଡ଼ିଜିଟାଲ ଯୁଗରେ ଆମେ ଆମେ ଭଗବନା ପୁଣି ଯୋଡ଼ିଦେଉଛନ୍ତି । ସେ ପୃଥିବୀର ଯେଉଁ କୋଣରେ ଥାଉ ଭଗବାନ ତାହା ସହିତ ପୁଣି କେମିତି ଯୋଡ଼ି ଦେଉଛି ତାହା ପ୍ରତ୍ୟେକ ବ୍ୟକ୍ତି ଆଜିର ଦିନରେ ଅନୁଭବ କରିପାରୁଥିଲେ । ବନ୍ଧୁ ବି ବେଳେବେଳେ ଦୁଃଖ ଦିଏ ମନରେ । ହେଲେ ତାପରେ ସେ ଯେତେବେଳେ ନିଜର ଭୁଲ ବୁଝିପାରେ ସେତେବେଳେ ହୁଏତ ଜଣେ ପ୍ରକୃତବନ୍ଧୁ ହିଁ ତାକୁ ଆପଣାଇପାରେ । ସାଙ୍ଗ ତ ବିଶ୍ୱାସର ପ୍ରତୀକ । ଯେଉଁଥି ପାଇଁ ନିଦ୍ୱନ୍ଦରେ ମୁଁ ମୋ ବନ୍ଧୁକୁ ସୁବୁକିଛି କହିଦିଏ । ଯାହା ବାପା,ମାଆ, ସ୍ତ୍ରୀକୁ କହି ହୁଏ ନା ତାହା ବନ୍ଧୁ ବା ସାଙ୍ଗକୁ କହିଦିଏ ଏ ମନ । ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଉଛି । ହେଲେ ସାଙ୍ଗ ପାଇଁ ତ ବର୍ଷ ସାରା ଦିବସ ପାଳନ ହେବା ଦରକାର ଏହା ପ୍ରତ୍ୟେକ ସାଙ୍ଗର ମନ କହୁଛି ।

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ
ଶଯ୍ୟା ସଂଖ୍ୟା ୩୦୦ (୧୫୦+୧୫୦)
ଗଞ୍ଜାମରେ ସଂକ୍ରମଣ ହାର କମୁଛି
ଗହଳିକୁ ଯାଆନ୍ତୁ ନାହିଁ, କୋଭିଡ ନିୟମକୁ ହାଲ୍‌କା ଭାବରେ ନିଅନ୍ତୁ ନାହିଁ, ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି। କିନ୍ତୁ ଯେପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତ୍ତି ନ ବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ । ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ । ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଏହି ଅବସରରେ ନିବେଦନ କରିଥିଲେ। ଗହଳି ନ ଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ Unlock one ପରେ ଦେଶର ହଟସ୍ପଟ ଅଞ୍ଚଳରୁ ଆମର ଭାଇଭଉଣୀମାନେ ଘରକୁ ଫେରିଛନ୍ତି। ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୁଦ୍ଧରେ ସଫଳତାର ସହ ଲଢେଇ ଜାରି ରଖିଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏବଂ ଗଞ୍ଜାମର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । କରୋନା ମହାମାରୀ କବଳରୁ ଲୋକମାନଙ୍କ ଜୀବନରକ୍ଷା ନିମନ୍ତେ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସାମାଜିକ ଦୂରତ୍ବ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଗୁରୁତ୍ବ ଦେଇଥିଲେ। ବ୍ରହ୍ମପୁରର ଏହି ଦୁଇଟି ହସ୍‌ପିଟାଲ ଜିଲ୍ଲାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ସହାୟକ ହେବ ବୋଲି ଜଂଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଶାପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରର ସାସଂଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ । ବ୍ରହ୍ମପୁର ମ୍ୟୁନିସ୍‌ପାଲ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ ବ୍ରହ୍ମପୁରର କନିଷି ଠାରେ ଥିବା ଅମିତ୍‌ ହସ୍‌ପିଟାଲରେ କଟକର ଅଶ୍ବିନୀ ହସ୍‌ପିଟାଲ ପକ୍ଷରୁ ଏହି ୧୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍‌ପିଟାଲ ସ୍ଥାପନ କରାଯାଇଥିବାବେଳେ ଏଥିରେ ୨୪ଟି ICU ବେଡ୍ ରହିଛି। ସେହିପରି MKCG ହସ୍‌ପିଟାଲର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍‌ପିଟାଲ ଆରମ୍ଭ କରାଯାଇଛି । ଏଥିରେ ମଧ୍ୟ ୧୫୦ଟି ଶଯ୍ୟା ରହିଛି ଏବଂ ୨୪ଟି ICU ବେଡ୍ ଅଛି। ପୂର୍ବରୁ ବ୍ରହ୍ମପୁରର ଶିତଳାପଲ୍ଲୀଠାରେ ଟାଟା କୋଭିଡ ହସ୍‌ପିଟାଲରେ ଚିକିତ୍ସା ଜାରି ରହିଛି ।

ଅନଲକ୍ ୩.୦ରେ ଓଡ଼ିଶାର ତିନୋଟି ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଅଗଷ୍ଟ ୩୧ ଯାଏଁ କରୋନା ଲଢ଼େଇର ନିୟମାବଳି ଜାରିକରିଛନ୍ତି। ଅନଲକ୍ ୩.୦ ରେ ତିନୋଟି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
କେନ୍ଦ୍ର ସରକାର ରାତ୍ରି କାଳୀନ କର୍ଫ୍ୟୁକୁ ଉଠେଇ ଦେଇଥିବା ବେଳେ ଏହାକୁ ରାଜ୍ୟ ସରକାର କିନ୍ତୁ ବଳବତ୍ତର ରଖିଛନ୍ତି।
୧-ରାତ୍ରି କର୍ଫ୍ୟୁ କଟକଣା ରାତି ୯ରୁ ସକାଳ ୫ ଯାଏଁ ରହିବ।
୨-୪ ଜିଲ୍ଲା ଓ ରାଉରକେଲା ସହରରେ ଶନିବାର ଓ ରବିବାର ସଟଡାଉନ
ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା ଓ ରାଉରକେଲା ସହର।
୩- ମାକ୍ସ ନ ପିନ୍ଧିଲେ ୫୦୦୦ ଫାଇନ ଓ ବାହାଘର ନିୟମ ଉଲଂଘନ କଲେ   ୧୦ହଜାରରୁ ଅଧିକ ଟଙ୍କା ଫାଇନ ଦେବାକୁ ପଡିବ। ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ l ସିନେମା ହଲ,ସ୍ୱିମିଙ୍ଗ ପୁଲ ବନ୍ଦ l ସ୍କୁଲ, କଲେଜ ବନ୍ଦ କିନ୍ତୁ ପରୀକ୍ଷା ହୋଇ ପାରିବ। ଅଗଷ୍ଟ ୫ ରୁ ଯୋଗକେନ୍ଦ୍ର ଓ ଜିମ ଖୋଲିବ ।
ଆନ୍ତର୍ଜାତୀୟ ବିମାନ ବନ୍ଦ l

ପଶ୍ଟିମ ଓଡିଶାର ପ୍ରଥମ Plasma Bank ରାଉରକେଲାର IGHରେ

କୋଭିଡ ମୁକାବିଲା
ପଶ୍ଟିମ ଓଡିଶାର ପ୍ରଥମ Plasma Bank
ରାଉରକେଲାର IGHରେ ଉଦ୍‌ଘାଟିତ, ରାଜ୍ୟର ତୃତୀୟ
ସାରା ରାଜ୍ୟରେ ୭୦ ୟୁନିଟ୍‌ ପ୍ଲାଜମା ସଂଗୃହୀତ, ୮ ଜଣ ସୁସ୍ଥ, ୧୭ ଜଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି
ରାଜ୍ୟର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦକ୍ଷତା ଉପରେ
ଆମର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ତୃତୀୟ ତଥା ପଶ୍ଚିମ ଓଡିଶାର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ରାଉରକେଲାର IGH ଠାରେ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ପଶ୍ଚିମ ଓଡିଶାରେ ଗୁରୁତର କୋଭିଡ ରୋଗୀମାନଙ୍କ ଚିକିତ୍ସାରେ ଅଧିକ ସଫଳତା ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସାରା ବିଶ୍ବ ବର୍ତ୍ତମାନ କରୋନା ମହାମାରୀର ସାମ୍‌ନା କରୁଥିବା ବେଳେ ଅଗଣିତ କୋଭିଡ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଏକ ଆଶାର କିରଣ ହୋଇପାରିଛି। ଓଡିଶାରେ ପ୍ଲାଜମା ଥେରାପି ଏକ ସଫଳ ଚିକିତ୍ସା ପଦ୍ଧତି ରୂପେ ବିଶ୍ବାସ ସୃଷ୍ଟି କରିଛି। ଏଥିପାଇଁ, ସାରା ରାଜ୍ୟର ଲୋକଙ୍କ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁଁ ଆମର ପ୍ରତିଶ୍ରୁତିବଦ୍ଧତାକୁ କାର୍ଯ୍ୟକାରୀ କରିବାକୁ ଯାଇ ପ୍ଲାଜମା ଥେରାପିକୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ସଂପ୍ରସାରିତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ।
କଟକ-ଭୁବନେଶ୍ବରରେ ଏହାର ସଫଳ ପ୍ରୟୋଗ ପରେ ପଶ୍ଚିମ ଓଡିଶାରେ ତୃତୀୟ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଖୁସିର କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ପଦ୍ଧତି ଉପରେ ଜନସାଧାରଣଙ୍କର ବହୁତ ଆଶା ଓ ବିଶ୍ବାସ ଥିବାରୁ ରାଉରକେଲା IGHର ଦାୟିତ୍ବ ଆଜି ଅନେକ ପରିମାଣରେ ବଢିଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ଜନସାଧାରଣଙ୍କ ଆଶୀର୍ବାଦରେ ଏହି ନୂଆ କେନ୍ଦ୍ର ଲୋକଙ୍କୁ ଉତ୍ତମ ସେବା ଦେବା ସହ ସେମାନଙ୍କ ଭରସାକୁ ପୂରଣ କରିବାରେ ସଂପୂର୍ଣ୍ଣ ସଫଳ ହେବ ବୋଲି ଆଶାପ୍ରକାଶ କରିଥିଲେ।
ନିଜ ଉକ୍ତିକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜଣେ ବି ବ୍ୟକ୍ତି ସବୁଠାରୁ ଉତ୍ତମ ଚିକିତ୍ସା ପାଇବାରୁ କେବେ ବି ବଞ୍ଚିତ ହେବେ ନାହିଁ । ଆମର ଏହି ପ୍ରତିଶ୍ରୃତି ରାଜ୍ୟର ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ଉପରେ ଥିବା ଆମର ଆଶା ଓ ଭରସା ଉପରେ ପର୍ଯ୍ୟବେସିତ। ଏଭଳି ଆହ୍ବାନମୂଳକ ସମୟରେ ସେମାନେ ବହୁତ ଭଲ କାମ କରୁଥିବରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟର ସବୁ କୋଭିଡ ଯୋଦ୍ଧା ମାନଙ୍କ ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରିବା, ସେମାନଙ୍କୁ ସମର୍ଥନ ଦେବା ତଥା ଏପରି ସମୟରେ ସେମାନଙ୍କ ସହିତ ଦୃଢ ଭାବରେ ଠିଆ ହେବାରେ ତାଙ୍କ ସହ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଜଣାଇଥିଲେ।
ପ୍ଲାଜମା ଦାନ ଆଜି ଏକ ଜନଆନ୍ଦୋଳନର ରୂପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଏଥିପାଇଁ ରାଜ୍ୟ ସରକାର ପୁରା ସମର୍ଥନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ସ୍ବାଗତଯୋଗ୍ୟ ଯେ ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ୭୦ଟି ପ୍ଲାଜମା ୟୁନିଟ୍‌ ସଂଗୃହୀତ ହୋଇଛି, ୮ ଜଣ ପ୍ଲାଜମା ଚିକିତ୍ସିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୭ ଜଣ ରୋଗୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ଉଦ୍ୟମକୁ ଆହୁରି ଆଗକୁ ନେବାପାଇଁ ରାଜ୍ୟର ସବୁ ବିଧାୟକ ମାନଙ୍କୁ ପ୍ଲାଜମା ଦାନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ଏବଂ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ଅନୁରୋଧ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଖୁବ ଶୀଘ୍ର ବ୍ରହ୍ମପୁରର MKCG Medical College ଓ ବୁର୍ଲାର ଭୀମସାର ଠାରେ ପ୍ଲାଜମା ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହାଦ୍ବାରା ରାଜ୍ୟର ସବୁ ଅଞ୍ଚଳରେ ପ୍ଲାଜମା ଚିକିତ୍ସାର ସୁବିଧା ସହଜରେ ମିଳିପାରିବ ଏବଂ ଆମେ ସମସ୍ତେ ଆମର ଏକ ଗୁରୁଦାୟିତ୍ବକୁ ପୂରଣ କରିପାରିବୁ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଜନସ୍ବାସ୍ଥ୍ୟ ଓ ଚିକିତ୍ସା ସେବାରେ ସବୁଠାରୁ ଉଚ୍ଚ ମାନ ବଜାୟ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କରୋନାକୁ ହରାଇବାରେ ପ୍ଲାଜମା ଥେରାପିର ସଫଳତା ଦ୍ବାରା ପଶ୍ଚିମ ଓଡିଶାବାସୀ ମଧ୍ୟ IGH ପ୍ଲାଜମା ବ୍ୟାଙ୍କ ଦ୍ବାରା ବିଶେଷ ଉପକାର ପାଇବେ।
ମୁଖ୍ୟଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ପ୍ଲାଜମା ଦାନକୁ ଉତ୍ସାହିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ IGHରେ ପ୍ଲାଜମା ଥେରାପି ଉପରେ ସୂଚନା ଦେଇଥିଲେ। ଅଧିକରୁ ଅଧିକ ଲୋକ ପ୍ଲାଜମା ଦାନ କଲେ ରାଜ୍ୟର ସୁସ୍ଥତା ହାର ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ।
IGH ରାଉରକେଲାରେ ପ୍ରଥମ ପ୍ଲାଜମା ଦାନ କରିଥିବା ଶ୍ରୀ ସୀମାଞ୍ଜଳ ଗୌଡ କରୋନା ରୋଗ ସଂପର୍କରେ ତାଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ ଏବଂ ସମସ୍ତଙ୍କୁ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଥିଲେ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ମିଛ ଖବର ପ୍ରଚାରର ସୀମା ଟପୁଛି ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ୱର: ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖାପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନବାଡିକର୍ମୀ, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୁଲିସ୍‍ ଓ ସରକାରୀ କର୍ମଚାରୀମାନେ କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବାପାଇଁ ଦିନ ରାତି କାର୍ଯ୍ୟ କରୁଛନ୍ତି । ସେମାନଙ୍କ ପାଇଁ ଆହା ପଦେ କହିବା ବଦଳରେ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କ କାର୍ଯ୍ୟକୁ ତାତ୍ସଲ୍ୟ କରିବାରେ ଲାଗିଛନ୍ତି । ଗଞ୍ଜାମ ଜିଲ୍ଲାରେ ତିନି ଚାରି ମାସ ଧରି କାର୍ଯ୍ୟ କରୁଥିବା ଏହି କରୋନ ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ବଦଳରେ ବିଜେପି ନେତାମାନେ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଉଛନ୍ତି । କରୋନା ବିରୁଦ୍ଧ ଲଢେଇ ପାଇଁ ଗଞ୍ଜାମ ଜିଲ୍ଲାକୁ ଡେପୁଟେସନରେ ଯାଉଥିବା ଡାକ୍ତରମାନଙ୍କୁ କିଭଳି ବିରୋଧ ହେଉଛି ତାହା ସମସ୍ତେ ଦେଖୁଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ
ଗଞ୍ଜାମ ଜିଲ୍ଲାରେ ମହାମାରୀ ନିୟନ୍ତ୍ରଣ ଲାଗି ଅଧିକ ଡାକ୍ତର ନିଯୁକ୍ତି ହେବା ସେମାନେ ଚାହାନ୍ତି ନାହିଁ । ଗତକାଲି ମଧ୍ୟ ବିରୋଧିଦଳ ନେତା କରୋନା ଯୁଦ୍ଧରେ ଗଞ୍ଜାମକୁ ସମର୍ଥନ କରିନଥିଲେ । ଏଥିରୁ ମଧ୍ୟ ବିଜେପିର ମନୋଭାବ ପଦାରେ ପଡିଯାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଭ୍ରୁଗୁ ବକ୍ସିପାତ୍ର କହିଛନ୍ତି ଯେ ଗଞ୍ଜାମରେ ଲୋକମାନେ ପୋକ ମାଛି ଭଳି ମରୁଛନ୍ତି । ଲୋକଙ୍କୁ ପୋକ ଓ ମାଛି ବୋଲି ସମ୍ବୋଧନ କରିବା ଫଳରେ ଗଞ୍ଜାମ ଲୋକଙ୍କ ପ୍ରତି ବିଜେପିର ମନୋଭାବ କ’ଣ ତାହା ପଦାରେ ପଡିଯାଇଛି । ଦେଶରେ ପ୍ରତି ଦୁଇ ଦିନରେ ଲକ୍ଷେ ସଂକ୍ରମିତ କରୋନା ତାଲିକାରେ ଯୋଡିହୋଇ ଯାଉଛନ୍ତି । ଯେଉଁ ହାରରେ କରୋନା ରୋଗୀ ବଢୁଛନ୍ତି ସେଥିରୁ ବିଶ୍ୱ କରୋନା ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ହଞ୍ଚିବାର ସମ୍ଭାବନା ଉୁଜିଲାଣି । ଏଭଳି ସ୍ଥିତିରେ ଶ୍ରୀ ବକ୍ସିପାତ୍ର ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲାରେ ଲାଗିଥିବା ଯୋଦ୍ଧାମାନଙ୍କ ପ୍ରତି ତାତ୍ସଲ୍ୟ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସଫଳ କରୋନା ମୁକାବିଲା ପାଇଁ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି । ନିକଟରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ କରୋନା ପରିଚାଳନା ଓ ତଥ୍ୟ ପ୍ରଦାନ କ୍ଷେତ୍ରରେ ଓଡିଶା ଦେଶର ଶ୍ରେଷ୍ଠ ତିନିଟି ରାଜ୍ୟ ମଧ୍ୟରେ ରହିଛି । ହେଲେ ବିଜେପି ନେତାମାନେ ଏକଥାକୁ ଭୁଲି ଯାଉଛନ୍ତି ।

ପ୍ରେସ ମିଟରେ ବିଜେଡିକୁ ଏମିତି ଟାର୍ଗେଟ କଲେଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : ଜୁଲାଇ ୧୩ ରେ ଆମେ ଗଞ୍ଜାମ ଜିଲ୍ଲାର କରୋନା ନିୟନ୍ତ୍ରଣରେ ଯେଉଁ ବ୍ୟତିକ୍ରମ ହେଉଛି ସେନେଇ ଦଳ ତରଫରୁ ସରକାରଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରିଥିଲୁ। ୧୭ ଦିନ ପରେ ବି କୋୖଣସି ଉତ୍ତର ମିଳିଲାନି। ଆମ ଦାବି ପରେ ବ୍ରହ୍ମପୁରରେ ୧୦୦ ବେଡ୍ ହସ୍ପିଟାଲ୍ ଘୋଷଣା କଲେ। ହେଲେ ୧୫ ଦିନ ପରେ ବି ଏହା ସ୍ଥାପନ ହୋଇନି। ଟେଷ୍ଟ ବଢ଼ାଇବାକୁ ଦାବି କଲୁ, ହେଲେ ଏଯାଏ ତାହା ହେଲାନି। ଏପର୍ଯ୍ୟନ୍ତ ଗୋଟିଏ ବି opd ଖୋଲିଲେନି। କରନା ବ୍ୟତିରେକ ରୋଗ ପାଇଁ ଗୋଟିଏ ମେଡିକାଲ ର opd ଖୋଲିବାକୁ ଦାବି କରିଥିଲୁ। ମାତ୍ର ହେଲାନି ଏଯାଏ। ପ୍ରଶାସନ ପୋଲିସ କୁ ଲଗାଇ ଗୁଣ୍ଡାଗିରି କରୁଛି। ଯାହାର ଉଦାହରଣ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକଙ୍କ ନାଁ ରେ fir। ଆଗରୁ ମୃତ୍ୟୁ ସଂଖ୍ୟା ଲୁଚାଉ ଥିଲେ। ଏବେ ଶବ ଲୁଚାଉ ଛନ୍ତି। କରୋନା କୁ ନିୟନ୍ତ୍ରଣ କଣ କରିବେ, ଏବେ କଥା ତଦନ୍ତ ଆଡକୁ ଗଲାଣି। ଆମ୍ବୁଲାନ୍ସ, ଆଇସିୟୁ, ventilator ବିଫଳ। ଅଧିକାଂଶ ଡ଼କ୍ଟର ଏବେ ଗଞ୍ଜାମ ରେ ହେଲେ ଆୟୁଷ ଡାକ୍ତର। ପ୍ଲାଜମା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଗଞ୍ଜାମରେ ହେଲାନି। ମୁଖ୍ୟମନ୍ତ୍ରୀଙ୍କୁ ଗଞ୍ଜାମରୁ ଏକପାଖିଆ ସମର୍ଥନ ମିଳିଥିବାରୁ ଆଜି ସେ ଶାସନ କରୁଛନ୍ତି। ୪/୫ IAS ଅଫିସର୍ ଶାସନ କରୁଛନ୍ତି। ବିଧାୟକଙ୍କ କଥା ରହୁନି। ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ହେଉଛି ଗଞ୍ଜାମ। ଦିଲ୍ଲୀ ଅମିତ୍ ସାହା ଙ୍କ ସହଯୋଗ ମାଗି କରନା ନିୟନ୍ତ୍ରଣ କଲା। ଦଳୀୟ ରାଜନୀତିରୁ ଉପରକୁ ଉଠି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ନ୍ତୁ, ଆମେ ଯୋଡ ହସ୍ତରେ ନିବେଦନ କରୁଛୁ। ଏକଥା ସମ୍ଭବ ହେବ ସେତେବେଳେ , ଯେତେବେଳ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସହଯୋଗ ମାଗିବେ।

ଦିଲ୍ଲୀ ସରକାରଙ୍କୁ ଅନୁକରଣ କରନ୍ତୁ ନବୀନ-ନିରଞ୍ଜନ

ଭୁବନେଶ୍ୱର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମହାଶୟ ୩୦ % ଭ୍ୟାଟକୁ ଆଜି କମେଇ ୧୬.୭୫ % କୁ ନେଇଆସିବା ଫଳରେ ଆଜି ଡିଜେଲ ତୈଳଦର ମୂଲ୍ୟ ଲିଟର ପିଛା ୮ ଟଙ୍କା ୩୬ ପଇସା କମିଯାଇଛି।ଏହାଦ୍ୱାରା ଦିଲ୍ଲୀର ଜନସାଧାରଣ ଉପକୃତ ହେବେ ଏବଂ ସବୁ ସାମଗ୍ରୀର ମୂଲ୍ୟ କମିବ ଏତତବ୍ୟତୀତ ଅର୍ଥ ନିତିର ଅଭିବୃଦ୍ଧି ଘଟିବ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି। ଦିଲ୍ଲୀ ଭଳି ଓଡିଶା ରାଜ୍ୟ ମଧ୍ୟ ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଛି। ବେକାରୀ ବେରୋଜଗାରୀ ବଢ଼ିଛି। ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି। ଏଭଳି ଏକ କଠିନ ସମୟରେ ଦିଲୀ ସରକାର ଯେଉଁ ପଦକ୍ଷେପ ଗ୍ରହଣ କଲେ ଓଡିଶା ସରକାର ସେଭଳି କିଛି ନିଷ୍ପତି ନିଅନ୍ତୁ ବୋଲି ପିସିସି ସଭାପତି କହିଛନ୍ତି।
ଖାଲି ସେତିକି ନୁହେଁ,ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଏହିପରି ପଦକ୍ଷେପ ରାଜ୍ୟ ସରକାର ନେଲେ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଭାବରେ ଉପକୃତ ହେବେ। ଓଡ଼ିଶାର ଅର୍ଥନୀତିକୁ ବିକାଶ ପଥରେ ଆଗେଇ ନେବାକୁ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଉଦ୍ୟମ କରିବେ ଓ ରାଜ୍ୟରେ ଦରଦାମ କମେଇବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂ ଗବେଷଣାକୁ ନେଇ ଆନ୍ତର୍ଜାତିକ ଭର୍ଚୁଆଲ୍ ସମ୍ମିଳନୀ

ଭୁବନେଶ୍ୱର : ନବୀକରଣକ୍ଷମ ଶକ୍ତି ସମ୍ପର୍କିତ ନୂତନ ଦ୍ରବ୍ୟର ବିକାଶ ଏବଂ ଏହାର ପ୍ରୟୋଗ ବିଷୟବସ୍ତୁକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଭର୍ଚୁଆଲି ଆୟୋଜିତ ହୋଇଯାଇଛି ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଅଧିନସ୍ଥ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଆନ୍ତର୍ଜାତିକ ସମ୍ମିଳନୀର ବିଷୟବସ୍ତୁ ଥିଲା “ରିସେଂଟ୍‌ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” ।ଏହି ସମ୍ମିଳନୀରେ ଉଭୟ ଶିକ୍ଷା ଏବଂ ଶିଳ୍ପ ସ୍ତରୀୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ଗବେଷକଙ୍କ ପକ୍ଷରୁ ୧୬୭ଟି ଗବେଷଣା ପତ୍ର, ତଥ୍ୟ ଏବଂ ଆବେଦନ ପତ୍ର ପ୍ରଦାନ କରାଯାଇଥିଲା । ସମ୍ମିଳନୀରେ ଭାଗ ନେଇଥିବା ଅତିଥିମାନେ ନବୀକରଣ ଶକ୍ତି ସହିତ ଥର୍ମାଲ ଇଞ୍ଜିନିୟରିଂ, ମାନୁଫ୍ୟାକ୍‌ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ୍‌
ଇଞ୍ଜିନିୟରିଂ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଶିକ୍ଷା ଏବଂ ଶିଳ୍ପ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନେ କିଭଳି ଏ ଦିଗରେ ଅଧିକ ଲାଭ ଉଠାଇପାରିବେ ତାହା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଥିଲା । ଶକ୍ତି ଗବେଷଣା
କ୍ଷେତ୍ରର ନୂତନ ଦିଗ ସମ୍ପର୍କରେ ୟୁଏସ୍‌ଏର ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଏସ୍‌. ଏ, ସେରିଫ ମତବ୍ୟକ୍ତ କରିଥିବା ବେଳେ ଇଟାଲୀର ପ୍ରଫେସର ଇ. ଗଲୋନୀ ‘ୱେଷ୍ଟ ହିଟ୍ ରିକଭରୀ’ ସମ୍ପର୍କରେ ଆଲୋକପାତ କରିଥିଲେ ।

କ୍ୟୁଏସ୍ ଆଇ-ଗଜ୍‌ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ସ୍ଥାନ ପାଇଲା ସୋଆ

ସୋଆ ନାଁରେ ଯୋଡିହେଲା ଇତିହାସ

 ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇ-ଗଜ୍‌ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ସ୍ଥାନ ପାଇଲା ସୋଆ

ଓଡିଶାକୁ ପୁଣି  ଗର୍ଵିତ କଲା ସୋଆ  

ଭୁବନେଶ୍ୱର, : ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି) । କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ ।ଏହି ସଫଳତା ହାସଲ କରିବା ପରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି ଯେ ଡାଇମଣ୍ଡ ରେଟିଂ ହାସଲ କରିବା ନେଇ ସୋଆ ଅଭୁୁତପୂର୍ବ ପାରଦର୍ଶିତା ପ୍ରଦର୍ଶନ କରିଛି ।
ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସଫଳତା ହାସଲ କରି ସୋଆ ।ଏହି ରେଟିଂର ପ୍ରାଥମିକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷା ପ୍ରଦାନ ଏବଂ ଶିକ୍ଷା ଗ୍ରହଣ,ଗବେଷଣା, ସାମାଜିକ ଦାୟିତ୍ୱ, ଫ୍ୟାକଲ୍ଟିମାନଙ୍କ ଗୁଣବତା, ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି ନିମନ୍ତେ ଯୋଗ୍ୟତା ଓ ଉପଲବ୍ଧ ସୁବିଧା ସୁଯୋଗ ଇତ୍ୟାଦିର ମୂଲ୍ୟାୟନ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ରହିଥିଲା । ଏହି ସମସ୍ତ ମାପଦଣ୍ଡକୁ ନେଇ ସୋଆ ଡାଇମଣ୍ଡ ରେଟିଂ ହାସଲ କରିଛି ବୋଲି କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି । ଉନ୍ନତମାନର ଗୁଣବତା ଏବଂ ଉଚ୍ଚ ପାରଦର୍ଶିତାକୁ ନେଇ ସୋଆ କ୍ୟୁଏସ୍ ଆଇ-ଗଜ୍‌ ରେଟିଂରେ ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଡାଇମଣ୍ଡ ରେଟିଂ ହାସଲ କରିଥିବାରୁ ଏହି ସଫଳତା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ସୋଆକୁ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି କ୍ୟୁଏସ୍ ଆଇ-ଗଜ୍‌ର କ୍ଲାଏଂଟ ରିଲେସନ୍‌ସ ନିର୍ଦ୍ଦେଶକ ଶ୍ରୀ ଶୁଭାୟୁ ନାଏକ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ର‌୍ୟାଙ୍କିଙ୍ଗ୍ ଫ୍ରେମୱାର୍କରେ ଦେଶର ଶ୍ରେଷ୍ଠ ୨୦ତମ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସ୍ଥାନୀତ ହୋଇଥିବା ବେଳେ ନ୍ୟାକ୍ ଦ୍ୱାରା ଏ ଗ୍ରେଡ୍‌ରେ ସ୍ୱୀକୃତି ପାଇଛି
ସୋଆ ।

ପୁଣି ଉଦାହରଣ ସାଜିଲେ ନବୀନ : ସାମ୍ବାଦିକଙ୍କ ପରିବାରକୁ ଦେଲେ ୧୫ଲକ୍ଷ ସହାୟତା

ଭୁବନେଶ୍ୱର: ଯାହା କହନ୍ତି , ତାହା କରନ୍ତି । ଖାସ ଏଥିଲାଗି ଓଡ଼ିଶାବାସୀ ତାଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି । ପୁରା ଓଡ଼ିଶାକୁ ନିଜର ପରିବାର ଭାବେ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସାରା ଦେଶ ପାଇଁ ଉଦାହରଣ ସାଜିଛନ୍ତି । ଓଡ଼ିଶାରେ କରୋନାରେ ମୃତ୍ୟୁବରଣ କରିଥିବା ଦୁଇଜଣ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୧୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥକ ସହାୟତା ରାଶୀ ପ୍ରଦାନ କରିଛନ୍ତି । ଏନେଇ ସୂଚନା ଓ ଲୋକସର୍ମ୍ପକ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ ଟ୍ୱିଟ କରି ଜଣାଇଛନ୍ତି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବି ଦେଇଛନ୍ତି ମାନସ ମଙ୍ଗରାଜ । କରୋନ ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ସାମ୍ବାଦିକମାନେ ଖବର ସଂଗ୍ରହ କରିବା ସହ ଲୋକଙ୍କ ପାଖରେ ସଠିକ ତଥ୍ୟ ପହଞ୍ଚାଉଛନ୍ତି । ଖାସ୍ ସେଥିପାଇଁ ସାମ୍ବାଦିକମାନଙ୍କ ସୁରକ୍ଷା ଉପରେ ମହାମାରୀ ଆରମ୍ଭ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିଲେ । ଓଡ଼ିଶାରେ ଯଦି କେହି କର୍ତ୍ତିବ୍ୟରତ ସାମ୍ବାଦିକ କରୋନରେ ପ୍ରାଣ ହରାନ୍ତି ତେବେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଆର୍ଥକ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କରୋନା ମହାମାରୀ ସମୟରେ ଗଂଜାମର ଦୈନିକ ସମାଜର ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ.ସିଏଚ ପ୍ରାଣ ହରାଇବା ପରେ ଏହି ସହାୟତା ରାଶୀ ତାଙ୍କୁ ପ୍ରଧାନ କରାଯାଇଛି । ଏଥିଲାଗି ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମିଡ଼ିଆ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଦିଆଯାଇଛି । ଘୋଷଣା କରିବା ଓ କାର୍ଯ୍ୟକାରୀ କରିବାରେ ନବୀନ ସାରା ଦେଶରେ ସବୁବେଳେ ଉଦାହରଣ ସାଜିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଅନ୍ୟ ରାଜ୍ୟ ପଶ୍ଚିମବଙ୍ଗ ଓ ଆସାମ ବୀମା ଘୋଷଣା କରିଥିଲେ ମଧ୍ୟ ଏଯାଏ ଆର୍ଥକ ସହାୟତା ରାଶୀ ଘୋଷଣା କରିନାହାନ୍ତି । ହେଲେ ଏଦିଗରେ ନବୀନଙ୍କ ପଦକ୍ଷପ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ । ଓୟୁଜେ ତରଫରୁ କରୋନାରେ ପ୍ରାଣ ହରାଇଥିବା ଦୁଇ ସାମ୍ବାଦିକଙ୍କ ପରିବାରକୁ ମିଳିଥିବା ଅନୁକମ୍ପା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଓ ମିଡ଼ିଆ ଉପଦେଷ୍ଟାଙ୍କୁ ଧନ୍ୟବାଦ ଦେଇଛି । ପୂର୍ବରୁ ସାମ୍ବାଦିକ ଥିବା ଓ ବହୁବର୍ଷ ଧରି ସାମ୍ବାଦିକମାନଙ୍କ ସମସ୍ୟା ସହ ଜଡ଼ିତ ଥିବା ମାନଓ ମଙ୍ଗରାଜ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରୁଥିବା ସବୁ ସୁବିଧା ପ୍ରତ୍ୟେକ ସାମ୍ବାଦିକ କିପରି ପାଇପାରିବେ ସେନେଇ ସରକାରି ସ୍ତରରେ ଜୋରଦାର ଉଦମ୍ୟ କରନ୍ତି । ଯାହାର ଲାଭ ଗାଁଠାରୁ ସହର ଯାଏଁ ସାମ୍ବାଦିକଟିଏ ପାଇଥାଏ । ତେଣୁ କରୋନାରେ ମୁତ୍ୟୁବରଣ କରିଥିବା ଦୁଇଜଣ ସାମ୍ବାଦିକଙ୍କୁ ଯେପରି ତୁରନ୍ତ ସହାୟତା ରାଶୀ ମିଳିଛି ସେନେଇ ମାନସ ମଙ୍ଗରାଜଙ୍କ ଉଦ୍ୟମକୁ ଏବେ ବିଭିନ୍ନ ସାମ୍ବାଦିକ ସଂଘ ପ୍ରଶଂସା କରିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news