ଶିକ୍ଷା, ଗବେଷଣା ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କୁ ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ମନୋନୀତ କରାଯାଇଛି ।
ଭାରତର ସର୍ବ ବୃହତ ଘରୋଇ ଷ୍ଟାର୍ଟ ଅପ୍ ବିଜିନେସ୍ ଟକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚେଞ୍ଜ ମେକର ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି ।
ଇଂରାଜୀ ଭାଷା, ଗଣମାଧ୍ୟମ ଓ ଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଡକ୍ଟର ଶତପଥୀଙ୍କର ଗବେଷଣା ଏବଂ ସନ୍ଦର୍ଭ ପ୍ରକାଶନ କ୍ଷେତ୍ରରେ ମଧ୍ୟ ଦକ୍ଷତା ରହିଛି ।ଶୈକ୍ଷିକ ଉତ୍କର୍ଷତା ସହିତ ମୂଲ୍ୟବୋଧ ଭିତିକ ଶିକ୍ଷା, ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଏବଂ ନାରୀ-ପୁରଷ କ୍ଷେତ୍ରରେ ସମାନତା ଦିଗରେ ଡକ୍ଟର ଶତପଥୀ ଅନେକ କାର୍ଯ୍ୟ କରିଛନ୍ତି ।
ଏହି ସମ୍ମାନ ନିମନ୍ତେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କର ସାହାଯ୍ୟ ଓ ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି ।

ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ
ସ୍ୱର ହୁଅ: ନବୀନ ପଟ୍ଟନାୟକ
ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ନେଇ ଦଳୀୟ ନେତାଙ୍କ ସହ ବିସ୍ତୃତ ଆଲୋଚନା
ରାଜ୍ୟବାସୀଙ୍କ ସ୍ୱର ହିସାବରେ ଲୋକଙ୍କ ସମସ୍ୟାକୁ ନେଇ ବିଜେଡି ତୀବ୍ର ଲଢ଼େଇ କରିବ
ନବୀନଙ୍କ ନେତୃତ୍ୱରେ ୨୦୨୭ ପଞ୍ଚାୟତ ଓ ୨୦୨୯ ସାଧାରଣ ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ
ବିଜୁ ଜନତା ଦଳର ମାନ୍ୟବର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରି ବିଧାୟକ ତଥା ଦଳର ଉପସଭାପତି ଡ଼ ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ନେଇ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟବାସୀଙ୍କ ସ୍ୱର ହିସାବରେ ତୀବ୍ର ଲଢ଼େଇ କରିବ ।
ଆଜି ଅପରାହ୍ନରେ ଡ଼ ଅରୁଣ ସାହୁଙ୍କ ସହିତ ଦଳର ବରିଷ୍ଠ ନେତା ଶ୍ରୀ ଚିରଞ୍ଜୀବ ବିଶ୍ୱାଳ, ଶ୍ରୀ ଭୃଗୁ ବକ୍ସିପାତ୍ର, ଡ଼ ଲେନିନ ମହାନ୍ତି, ଶ୍ରୀ ପ୍ରଫୁଲ୍ଲ ସିଂ, ଶ୍ରୀ ରଘୁନାଥ ସାହୁ, ମହମ୍ମଦ ସକିଲ, ଶ୍ରୀମତୀ ଲୋରା ମହାପାତ୍ର, ନବୀନ ନିବାସରେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଓ ଜନବିରୋଧୀ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ନିଜକୁ ଲୋକଙ୍କ ସରକାର କହୁଥିବା ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଚାଷୀ ସାର ପାଉନଥିବା ବେଳେ ବ୍ୟାପକ କଳାବଜାରୀକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ମହିଳା ସୁରକ୍ଷାକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ଓଡିଆ ଅସ୍ମିତାର ନାରାଦେଇ ସରକାରକୁ ଆସିଥିବା ବିଜେପି, ପ୍ରତ୍ୟେକ ଦିନ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରୁଛି । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱର ହିସାବରେ ବିଜୁ ଜନତା ଦଳ ବିଜେପି ସରକାରଙ୍କ ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବ ବୋଲି ଡ଼ ସାହୁ କହିଥିଲେ ।
ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ୨୦୨୭ ପଞ୍ଚାୟତ ନିର୍ବାଚନ ଓ ୨୦୨୯ ସାଧାରଣ ନିର୍ବାଚନରେ ଦଳ ନିଶ୍ଚିତ ବିଜୟ ହାସଲ କରିବ ।

ବରିଷ୍ଠ ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ ଗଣତନ୍ତ୍ର ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଲୋକସଭା, ରାଜ୍ୟସଭା, ବିଧାନସଭା , ବିଧାନ ପରିଷଦରେ ବିତର୍କ ଗଣତନ୍ତ୍ର ଶାସନକୁ ସଶକ୍ତ କରିଥାଏ। ଖାସ୍ ସେଥିପାଇଁ ଏବେ ଜଣେ ଅଭିଜ୍ଞ ବିଧାୟକ ଭାବେ ଅରୁଣ ସାହୁ ଅଣ୍ଟା ଭିଡିଛନ୍ତି । ବିଶେଷ କରି ଓଡିଶା ବିଧାନସଭା କିପରି କାର୍ଯ୍ୟସୂଚୀ ଅନୁସାରେ ଚାଲିବ ଓ ବିଭିନ୍ନ ପ୍ରସଂଗରେ ଗୃହରେ ବିତର୍କ ହେବ ସେନେଇ ବିପ୍ଲବ ଆଣିବାକୁ ସେ ଲାଗିପଡିଛନ୍ତି। ସମାଜର ସବୁ ବର୍ଗର ଲୋକଙ୍କର ମତାମତ ନେଉଛନ୍ତି ଅରୁଣ। ନିକଟରେ ଯୁବ ଶକ୍ତିଙ୍କୁ ନେଇ ଏକ ଆଲୋଚନା ଚକ୍ର ମଧ୍ୟ କରିଥିଲେ। ଶିକ୍ଷିତ ଯୁବ ଶକ୍ତିମାନେ ବିଧାନସଭା ଚାଲିବା ଦରକାର ଓ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ବିତର୍କ ହେବାର ଆବଶ୍ୟକ ଅଛି ବୋଲି ମତ ପ୍ରକାଶ କରିଥିଲେ। କେହି କେହି ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କୁ ବିଧାନସଭାରେ କାହିଁକି ଜାଣିଜାଣି ବନ୍ଦ କରାଯାଉଛି, କାହିଁକି ଶାସକ ଓ ବିରୋଧୀ ଦଳ ବିତର୍କ ଅପେକ୍ଷା ହଟଗୋଳରେ ସମୟ ନଷ୍ଟ କରୁଛନ୍ତି ବୋଲି ଅରୁଣଙ୍କୁ ପ୍ରଶ୍ନ କରିଥିଲେ । ମୁକ୍ତ କଣ୍ଠରେ ଅରୁଣ ଏହାର ଉତ୍ତର ରଖିଥିଲେ।
କାହିଁକି ପୂର୍ବ ଅଧିବେଶନରେ ବିଧାନସଭା ଗେଟ୍ ଭାଙ୍ଗିବାକୁ ଆପଣମାନେ ପ୍ରୟାସ କରିଥିଲେ ବୋଲି ଜଣେ ଯୁବକ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଦେଇଥିଲେ ଅରୁଣ। ଯୁବଶକ୍ତି ଜରିଆରେ ଗଣତନ୍ତ୍ର ବ୍ୟବସ୍ଥାକୁ ଦୃଢ଼ କରିବାକୁ ଅରୁଣଙ୍କ ଏପରି ପ୍ରୟାସ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଅନେକ ମଧ୍ୟ ପ୍ରଶ୍ନ କରୁଛନ୍ତି କାହିଁକି ଶାସକ ଦଳର ବିଧାୟକ ଥିବା ବେଳେ ଅରୁଣ ଏପରି ଚେଷ୍ଟା କରୁନଥିଲେ। ହଠାତ୍ କାହିଁକି ଅରୁଣଙ୍କ ମନରେ ଏପରି ବିପ୍ଳବ ଜାଗ୍ରତ ହେଲା । ଏ ପ୍ରଶ୍ନର ଉତ୍ତର ହୁଏତ ବରିଷ୍ଠ ବିଧାୟକ ଡକ୍ଟର ଅରୁଣ ସାହୁଙ୍କ ପାଖରେ ଥିବ। ହେଲେ ଅରୁଣ ଏପରି ଗଠନମୂଳକ ପ୍ରସ୍ତାବକୁ ଶାସକ ଦଳ ବିଧାନସଭା ଚାଲୁଥିବା ସମୟରେ କେତେ ଗ୍ରହଣ କରୁଛି ତାହା ଆସନ୍ତା ୧୮ତାରିଖରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେସନରୁ ସ୍ପଷ୍ଟ ହେବ। ସ୍ଵଳ୍ପ ସମୟ ଅଧିବେସନରେ ବିତର୍କ ହେଉଛି ନା ନିଜ ନିଜର ଦବଦବା ପାଇଁ ପୁଣି ପୁରୁଣା ନୀତିକୁ ଆପଣାଇବେ ଉଭୟ ଶାସକ ଓ ବିରୋଧୀ ତାହା ଦେଖିବାର କଥା। ହେଲେ ଅରୁଣ କିନ୍ତୁ ନିଜ ଅଭିଯାନ ଜାରୀ ରଖିବେ ବୋଲି ସୋସିଆଲ ମିଡିଆ ଜରିଆରେ ସ୍ପଷ୍ଟ କରିସାରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ଅରୁଣଙ୍କ ଅଭିନବ ପ୍ରୟାସ ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛି। ଏଥିପାଇଁ ଅରୁଣ ଯେତିକି ଚର୍ଚ୍ଚାରେ, ସେତିକି ସମାଲୋଚନାର ପାତ୍ର ମଧ୍ୟ।

ରାଜ୍ୟରେ ସାରର ଅଭାବକୁ ନେଇ କୃଷକମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛି। ଦଳର ବରିଷ୍ଠ ନେତା ତଥା ବିଧାୟକ ଡ. ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ସାରର ନିଅଣ୍ଟ ସ୍ଥିତି ଦେଖା ଦେଇଥିବା ବେଳେ, ସାର ବିକ୍ରିରେ ଅନିୟମିତତା, କଳାବଜାରୀ ଓ ଅତ୍ୟଧିକ ଦର ବୃଦ୍ଧି ଚାଷୀକୂଳକୁ ହନ୍ତସନ୍ତ କରୁଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ରାଜ୍ୟ ସରକାର ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଛନ୍ତି, କିନ୍ତୁ କୃଷକମାନେ କଣ ରାଜ୍ୟର ଲୋକ ନୁହଁନ୍ତି କି ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି।
ସେ କହିଥିଲେ, ରାଜ୍ୟର ଚାଷୀକୂଳଙ୍କ ସମସ୍ୟାକୁ ବୁଝି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖି, ଏହାର ତ୍ୱରିତ ସମାଧାନ ପାଇଁ ଦାବି କରିଛନ୍ତି।
ସେ ଆହୁରି କହିଥିଲେ, ଏକଦା ଚାଉଳ ନିଅଣ୍ଟିଆ ରାଜ୍ୟ ଭାବେ ପରିଚୟ ଥିବା ଓଡିଶା ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଚାଉଳ ବଳକା ରାଜ୍ୟରେ ପରିଣତ ହେବା ସହିତ ଚାଉଳ ଉତ୍ପାଦନ କ୍ଷେତ୍ରରେ ଦେଶର ତୃତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି। ଏହି ସ୍ଥିତିରେ, ରାଜ୍ୟ ସରକାର କୃଷକ ମାନଙ୍କ ସ୍ଵାର୍ଥକୁ ପ୍ରାଥମିକତା ଦେଇ ତାଙ୍କୁ ସାର ଭଳି ଆବଶ୍ୟକୀୟ ସାମଗ୍ରୀ ସୁବିଧାରେ ଯୋଗାଇ ଦେବାର ଆବଶ୍ୟକତା ରହିଛି। ସାର ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି, ଯାହାକୁ ନେଇ କୃଷକ ମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାର ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଁ, ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ, ନଚେତ ରାଜ୍ୟବ୍ୟାପୀ କୃଷକ ଆନ୍ଦୋଳନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଡ.ସାହୁ କହିଥିଲେ।

୨୦୨୪ ନିର୍ବାଚନରେ ଓଡିଶା ରାଜନୀତିରେ ପାଣ୍ଡିଆନ ଚର୍ଚ୍ଚାରେ ଶୀର୍ଷରେ ଥିଲେ। ପାଣ୍ଡିଆନ କାମ କରିବାର କାର୍ଯ୍ୟଶୈଳୀ ଯେତିକି ପ୍ରଶଂସାର ପାତ୍ର ଥିଲା ରାଜନୈତିକ ସଭା ସମିତି ସେତିକି ସମାଲୋଚନା ଥିଲା । ଆଉ ଏସବୁ ଭିତରେ ଓଡିଶା ରାଜନୀତିର ପଟପରିବର୍ତ୍ତନ ହୋଇଥିଲା। ୨୪ବର୍ଷ ନବୀନ ଶାସନର ଯୁଗ ଶେଷ ହୋଇ ଓଡ଼ିଶାରେ ବିଜେପି ଶାସନ ଆରମ୍ଭ ହୋଇଥିଲା। ଏହାରି ଭିତରେ ୧୫ମାସ ବିତିଛି। ପାଣ୍ଡିଆନ ବି ରାଜନୀତି ସନ୍ନ୍ୟାସ ନେଇ ସାରିଛନ୍ତି । ଏଯାଏ ପାଣ୍ଡିଆନ ଓଡିଶା ରାଜନୀତିକୁ ଫେରିବେ କି ନାହିଁ ତାହା ମଧ୍ୟ ସେ କି ବିଜେଡି ସଭାପତି କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇନାହାନ୍ତି । ତେବେ ପାଣ୍ଡିଆନକୁ ନେଇ ଏତେ ଚର୍ଚ୍ଚା କାହିଁକି। ବିଜେଡି ନେତାମାନେ ପାଣ୍ଡିଆନକୁ ନେଇ ଚର୍ଚ୍ଚା କରିବା ଓ ବିବାଦୀୟ ବୟାନ ହେବା ସ୍ଵାଭାବିକ। ହେଲେ ବିରୋଧୀ ଦଳର ନେତାମାନେ ପ୍ରତ୍ୟେକ ଦିନ ପାଣ୍ଡିଆନକୁ ନେଇ ବୟାନବାଜିରେ ଲାଗିଛନ୍ତି । ଯାହା ଆଗାମୀ ଦିନରେ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତିରେ ବେଶ କିଛି ଘଟିବାକୁ ଯାଉଛି ତାହାର ପୂର୍ବ ସଂକେତ ଏବେଠାରୁ ମିଳିଲାନି।
ବିଜେଡି ରାଜନୀତିରେ ତ ବିଚିତ୍ର ଘଟଣା ସବୁ ଘଟୁଛି ନିର୍ବାଚନରେ ଦଳ ବିରୋଧୀ ଆସନରେ ବସିବାରୁ। ଦଳକୁ ସଶକ୍ତ କରିବା ସ୍ଲୋଗାନ ଦେଉଥିବା ନେତାମାନେ ଏବେ ନିଜର ବୟାନବାଜିରେ ଦଳକୁ ବିଭାଜନ ମୁହାଁକୁ ନେଲେଣୀ। ଯେମିତି ଗୋଟିଏ ଛତା ତଳେ ରହିବାକୁ ଆଉ କାହାର ଇଚ୍ଛା ନାହିଁ। ଯଦି ନିର୍ବାଚନ ହାରିବାର ମାତ୍ର ୧୫ମାସରେ ନେତାଙ୍କ ମଧ୍ୟରେ ଏମିତି ବାଦବିବାଦ ସୃଷ୍ଠି ହୋଇଛି, ତେବେ ଆଗକୁ କଣ ହେବ। ରାଜନୈତିକ ସମୀକ୍ଷକ ଙ୍କ କହିବା ଅନୁସାରେ ବିଜେଡିର ଅନୁଶାସନ ଟିକେ ଢିଲା ହୋଇଥିବାରୁ ଦଳରେ ଏମିତି ବୟାନବାଜି ଚାଲିଛି। ଯଦି ଏବେଠାରୁ ଏ ବୟାନ ବାଜିକୁ ରୋକାଯିବ ନାହିଁ ତାହାଲେ ଆଗକୁ ଏହା ଉଗ୍ରରୂପ ନେବ। ମୁଖ୍ୟ ବିରୋଧୀ ବା ଓଡ଼ିଶାରେ ସବୁଠୁଁ ଲମ୍ବା ସମୟ ଧରି ଶାସନ କରୁଥିବା ଆଂଚଳିକ ଦଳର ଏପରି ଗୋଳିଆ ରାଜନୀତିରୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଫାଇଦା ନେବାକୁ ପ୍ରସ୍ତୁତ । ରାଜନୈତିକ ସମୀକ୍ଷକ ଯୁକ୍ତି ପାଣ୍ଡିଆନ ଅସ୍ପପ୍ଟ ରାଜନୈତିକ ଆଭିମୁଖ୍ୟ ଯୋଗୁଁ ରାଜ୍ୟ ରାଜନୀତିରେ ଏବେ ପାଣ୍ଡିଆନ ଭୁତ ନେତାଙ୍କ ଠାରୁ ନେତାଙ୍କୁ ଡେଉଛି।
୨୦୨୬ରେ ରାଜ୍ୟସଭା ନିର୍ବାଚନ ସମୟରେ ପାଣ୍ଡିଆନ ଭୁତ ରାଜ୍ୟ ରାଜନୀତିରେ ବଢିବ ନା ରାଜନୀତି ଗୁଣିଆର ମନ୍ତ୍ର ସାଧନା ବଳରେ କମିବ ତାହା ଦେଖିବାର କଥା। ରାଜ୍ୟର ବହୁ ବରିଷ୍ଠ ସାମ୍ବାଦିକ ମାନେ ବିଜେଡି ଦଳର ଭବିଷ୍ୟତ ନେଇ ଆକଳନ କରିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସହ ରହିବ ମୂଳ ବିଜେଡି ଓ କିଛି ଅସନ୍ତୋଷ ନେତା ଅନ୍ୟ ଦଳରେ ଯିବେ ନହେଲେ ରାଜ୍ୟରେ ଚର୍ଚ୍ଚା ହେଉଥିବା ନୂଆ ରାଜନୈତିକ ସମୀକରଣରେ ସାମିଲ ହେବେ। ତେବେ ହେଇ ହଲଚଲ ଆଗକୁ ବଡ ରାଜନୈତିକ ହଟଚମଟ ସୃଷ୍ଟି କରିବ।
ଯାଜପୁର ସହରର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ(ବବି)। ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ନିକଟରେ ଭକ୍ତି ଓ ଶ୍ରଦ୍ଧାରେ ପ୍ରାର୍ଥନା କରି ଯାଜପୁରବାସୀଙ୍କ ଶୁଭ କାମନା କରିଛନ୍ତି ।
ସହରବାସୀଙ୍କ ମଙ୍ଗଳ ସହ ସମୃଦ୍ଧି ପାଇଁ ବିଘ୍ନହର୍ତ୍ତା ପାଖରେ କାମନା କରିଛନ୍ତି ପ୍ରଣବ। ସୁଉଚ୍ଚ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ସାଜସଜାରେ ସଜେଇ ହୋଇଛି ଯାଜପୁର ସହରର ବିଭିନ୍ନ ପୂଜାମଣ୍ଡପ । ଯାଜପୁର ଟାଉନ କୋଟବସନ୍ତପୁର ମା ମଙ୍ଗଳା ପୂଜା କମିଟି ୨୫ ବର୍ଷ ପଦାର୍ପଣ କରିଛି। ଏହି କମିଟିରେ ଏବର୍ଷ ଧୁମ୍ ଧାମରେ ପୂଜା କରାଯାଉଛି।
ଯାଜପୁର ହେଉଛି ଭାଇଚାରାର ସହର। ପ୍ରତିବର୍ଷ ପରି ଏଥର ମଧ୍ୟ ଶାନ୍ତିଶୁଙ୍ଖଳାର ସହ ପୂଜା ଶେଷ କରିବାକୁ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଅଣ୍ଟା ଭିଡିଛନ୍ତି। ପ୍ରଣବଙ୍କ ପରି ଯୁବନେତା ଭବ ପ୍ରସାଦ ଦାସ ମଧ୍ୟ ଯାଜପୁର ସହରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ।ଯାଜପୁରବାସୀଙ୍କ ହୁଦୟର ରାଜା ହେଉଛନ୍ତି ପ୍ରବଣ ପ୍ରକାଶ ଦାସ। ସେ ଯାଜପୁରବାସୀଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ରହିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁ ଯୁବ ବିଜେଡି ସଭାପତି ଭାବେ ଦାୟିତ୍ଵ ଦେଇଛି ବିଜେଡି। ଚିନ୍ମୟ ସାହୁଙ୍କ ସାଙ୍ଗଠନିକ ଦକ୍ଷତା ଦେଖି ତାଙ୍କୁ ନବୀନ ଏହି ଗୁରୁ ଦାୟିତ୍ବ ଦେଇଛନ୍ତି । ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସାଧାରଣ ସମ୍ପାଦିକା ତଥା ରମାଦେବୀ ମହିଳାବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରୀ ସଂସଦ ସଭାନେତ୍ରୀ ଇପ୍ସିତା ସାହୁ ଛାତ୍ର ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଦଳପ୍ରତି ଆନୁଗତ୍ୟ ପାଇଁ ଇପ୍ସିତା ମିଳିଛି ପୁରସ୍କାର। ୪ ଜଣ ନେତାଙ୍କୁ ବିଜେଡି ଛାତ୍ର ବ୍ୟାପାର ଦାୟିତ୍ୱ ମିଳିଛି। ଦେବାଶିଷ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ୱାଳ । ସେହିପରି
ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜେଡି ଯୁବ ୱିଙ୍ଗର ବରିଷ୍ଠ ସାଧାରଣ ସଂପାଦକ ଯୁକ୍ତ କରାଯାଇଥିବା ବେଳେ ରାଜେନ୍ଦ୍ର କୁମାର ସାହୁ, ଅମରେଶ ପତ୍ରୀ ଓ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ନିଯୁକ୍ତ କରାଯାଇଛି। ଚିନ୍ମୟ ଓ ଇପ୍ସିତାଙ୍କୁ ନବୀନ ଯୁବ ଓ ଛାତ୍ର ସଂଗଠନର ଗୁରୁ ଦାୟିତ୍ବ ଦେବା ପରେ ଉଭୟ ନବୀନ ନିବାସ ଯାଇ ନବୀନଙ୍କ ଆଶିର୍ବାଦ ନେଇଛନ୍ତି ।

ଆଇନରୁ ଉର୍ଧ୍ଵରେ କି ମନ୍ତ୍ରୀ ମୁକେଶ ?
ଜାତି ପ୍ରମାଣପତ୍ର କେଳେଙ୍କାରୀ: ଇସ୍ତଫା ଦିଅନ୍ତୁ, ନଚେତ ମୁଖ୍ୟମନ୍ତ୍ରୀ ବରଖାସ୍ତ କରନ୍ତୁ
ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ ଭବନ ଠାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜାତିଗତ ତଥ୍ୟ ଜାଲିଆତିକୁ ନେଇ ପିସିସି ମିଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ ମନ୍ତ୍ରୀଙ୍କ ଜାଲିଆତି ଉଜାଗର କରାଯାଇଛି। ବରିଷ୍ଠ ନେତା ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ଅଭିଷେକ୍ ମହାନନ୍ଦ, ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ବିଭୁତି ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜାଲିଆତିର ବିଭିନ୍ନ ତଥ୍ୟପ୍ରମାଣ ଉପସ୍ଥାପନ କରିଥିଲେ। ମୁଖପାତ୍ର ଅଭିଷେକ୍ ମହାନନ୍ଦ କହିଥିଲେ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବରୁ ଜାଲ ଜାତି ପ୍ରମାଣପତ୍ର ଦେଇ ପାଠ ପଢିବା ସହ ସରକାରୀ ଚାକିରି କରିବା ଆଦି ଅନ୍ୟାନ୍ୟ ସରକାରୀ ସୁବିଧା ହାସଲ କରିଥିଲେ। ମନ୍ତ୍ରୀଙ୍କ ଏହି ଜାଲିଆତିକୁ ନେଇ ଅନେକ ଦିନ ତଳୁ ପାଟଣାଗଡ଼ର ଡିଙ୍ଗର କୁମ୍ଭାର ନାମକ ଜଣେ ଆଇନଜୀବି ତଥା ସମାଜସେବୀ କୋର୍ଟଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀଙ୍କ ଏହି କାରସାଦି ଧରା ପଡିବା ପରେ ସାରା ରାଜ୍ୟରେ ଆନ୍ଦୋଳନ କରାଯାଇଥିଲା ଓ ନିଜେ କଂଗ୍ରେସ ନେତା ଅଭିଷେକ ମହାନନ୍ଦ କିଛି ଦିନ ତଳେ ପ୍ରେସ କନଫରେନସ କରି ମନ୍ତ୍ରୀଙ୍କ ଜାଲିଆତିର ପର୍ଦ୍ଦାଫାଶ କରିଥିଲେ ବୋଲି ନିଜେ ଅଭିଷେକ କହିଛନ୍ତି। ଶ୍ରୀ ମହାନନ୍ଦ କହିଛନ୍ତି, ବାରମ୍ବାର ଅଭିଯୋଗ ହେଲେ ସୁଦ୍ଧା ଭାଜପା ସରକାର ,ମନ୍ତ୍ରୀଙ୍କ ଜାଲିଆତି ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୁର୍ନବାର ସମାଜସେବୀ ଡିଙ୍ଗର କୁମ୍ଭାର ପଦମପୁର ଥାନାରେ ମନ୍ତ୍ରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଥାନା ଆଇଆଇସି କେଶ୍ ଟିକୁ ରୁଜୁ କରିନଥିଲେ। ପରେ ଏନେଇ ଏକ ମାମଲା ହାଇକୋର୍ଟରେ ଅଭିଯୋଗ କାରି ଆବେଦନ କରିବା ପରେ ହାଇକୋର୍ଟ ପଦମପୁର ଏସଡିଜେଏମ୍ କୋର୍ଟକୁ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପଦମପୁର ଏସଡିଜେଏମ୍ କୋର୍ଟ ମନ୍ତ୍ରୀଙ୍କ ବିରୁଦ୍ଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପାଇଲା ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍। ମନ୍ତ୍ରୀଙ୍କ ଜାଲିଆତିର ଯଥେଷ୍ଟ ପ୍ରମାଣ ଥିଲେ ସୁଦ୍ଧା ପୋଲିସ କାହିଁକି ଏତଲା ରୁଜୁ କରୁନାହିଁ? କୋର୍ଟ କହୁଛି ଏଫଆଇଆର ରୁଜୁ କର ଆଉ ଏପଟେ ପୋଲିସ ନୀରବ। ଏସଡିଜେଏମ୍ କୋର୍ଟଙ୍କ ଆଦେଶ କୁ କେଉଁ ସାହସରେ ପୋଲିସ ଅବମାନନା କରୁଛି ? କାହା ଚାପରେ ରହୁଛି ପୋଲିସ ? ଏଠି ମନ୍ତ୍ରୀ ମୁକେଶଙ୍କ ପ୍ରଭାବ କାମ କରୁଛି କି ? ଗୋଟିଏ ପଟେ କେନ୍ଦ୍ର ସରକାର ଦାଗୀ ନେତାଙ୍କ ପାଇଁ ଆଇନ ଆଣୁଛନ୍ତି । ଜାଲିଆତି ଧରାପଡିଲେ ଏପରିକି ପ୍ରଧାନମନ୍ତ୍ରୀ କି ମୂଖ୍ୟମନ୍ତ୍ରୀ ବି ଏଥିରୁ ବାଦ୍ ପଡିବେନି ବୋଲି କହୁଥିବା ବେଳେ ମନ୍ତ୍ରୀ ମୁକେଶଙ୍କ ବେଳେ ସରକାର ଚୁପ୍ କାହିଁକି ବୋଲି କଂଗ୍ରେସ ନେତା ଅଭିଶଷକ୍ କହିଛନ୍ତି । ପୁର୍ବରୁ ଭାଜପା ଭୋଟ ଚୋରି କରୁଥିବା ଅଭିଯୋଗ ହେଉଥିଲା ବେଳେ ଏବେ ଦଳ ଜାତି ଚୋରି ଭଳି ଚଂଚକତାରେ ବ୍ୟସ୍ତ ବୋଲି ସେ କହିଛନ୍ତି । କୋର୍ଟଙ୍କ ଆଦେଶ ଅନୁଯାୟୀ ମନ୍ତ୍ରୀଙ୍କ ବିରୁଦ୍ଧରେ ତୁରନ୍ତ ଏଫଆଇଆର ରୁଜୁ କରିବା ସହିତ ନ୍ୟାୟାଳୟଙ୍କ ନିରୀକ୍ଷଣରେ ନିରପେକ୍ଷ ତଦନ୍ତ ହେବା ସହିତ ତଦନ୍ତକୁ ପ୍ରଭାବମୁକ୍ତ କରିବା ପାଇଁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଆଜି କଂଗ୍ରେସ ମୁଖପାତ୍ର ଦାବୀ କରିଛନ୍ତି ।
ବରିଷ୍ଠ ଆଇନଜୀବି ତଥା ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଏସଡିଜେଏମ କୋର୍ଟ ନିର୍ଦେଶ ଦେଲାପରେ ମଧ୍ୟ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଏହା ସିଧାସଳଖ କୋର୍ଟଙ୍କ ନିର୍ଦେଶ ଅବମାନନା ଅଟେ । ଗୋଟିଏ ପଟେ କେନ୍ଦ୍ର ବିଜେପି ସରକାର ଅପରାଧିକ ମାମଲାରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆଦି ପଦବୀ ହରାଇବେ ବୋଲି ଲୋକସଭାରେ ବିଲ ଆଗତ କରିଥିବାବେଳେ ଅନ୍ୟ ପଟେ ଓଡ଼ିଶାରେ ତାଙ୍କ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାମରେ ଜାତି ପ୍ରମାଣପତ୍ର ଜାଲିଆତି ମାମଲା ପ୍ରମାଣ ସହିତ ଜଣା ପଡିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।
ଆଇନଜୀବୀ ତଥା ଅନ୍ୟତମ ମୁଖପାତ୍ର ନିଶିକାନ୍ତ ମିଶ୍ର ଏହି ମାମଲାର ଆଇନଗତ ଦିଗ ତର୍ଜମା କରି କହିଛନ୍ତି ଯେ ସରକାର କେବଳ ନିରୀହ ଜନତାଙ୍କ ଉପରେ ଆଇନ କାନୁନ ଭୟ ଦେଖାଇ ମୁହଁ ବନ୍ଦ କରିବା ଜାଣିଛି କିନ୍ତୁ କ୍ଷମତାରେ ଥିବା ଲୋକଙ୍କ ଉପରେ ଆଇନ କାମ କରୁନି । ଏଭଳି ହେଲେ ସମାଜରେ ଅରାଜକତା ନିଶ୍ଚୟ ବ୍ୟାପିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତଦନ୍ତରେ ସ୍ୱଚ୍ଛତା ଆସିବା ପାଇଁ ନୈତିକତା ଦୃଷିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଲୋକେ ଦୁଃଖରେ ଥିବେ, ନେତାଙ୍କ ଆଖିରୁ ନିଦ ହଜି ଯାଇଛି। ବିପନ୍ନଙ୍କ ପାଖରେ ରାତି ଅଧରୁ ପହଁଚିଗଲେ ନେତା। ବନ୍ୟା ବିପନ୍ନଙ୍କ ମନବଳ ବୃଦ୍ଧି କରିବା ସହ ଲୋକଙ୍କ ସମସ୍ୟାକୁ ସବୁବେଳେ ନିଜ ସମସ୍ୟା ଭାବି ଡେରା ପକାଇବସିଲେ ଗାଁରେ । ବିପନ୍ନଙ୍କୁ ଗୋଟିଏ ବାର୍ତ୍ତା। ମୁଁ ଅଛି ତମ ମାନଙ୍କସହ ଚିନ୍ତା କରନି। ବିପଦ ସମୟରେ ପାଖରେ ନିଜର ବିପଦର ବନ୍ଧୁଙ୍କୁ ପାଖରେ ପାଇଁ ବନ୍ୟା ବିପନ୍ନମାନେ ଶତ ସାହସ ପାଇଛନ୍ତି। ଯାଜପୁର ବୈତରଣୀ ନଦୀରେ ବନ୍ୟା ଆସିବାରୁ ଯାଜପୁର ଓ ଦଶରଥପୁର ଅଂଚଳର ବହୁ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲୋକମାନେ ସମସ୍ୟାରେ ଥିବା ବେଳେ ପ୍ରଶାସନ ସମସ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ। ଲୋକଙ୍କର ଏହି ବିପଦ ସମୟରେ ଲୋକଙ୍କ ପାଖରେ ଶକ୍ତିଶାଳୀ ପାଚେରୀ ଭାବେ ଛିଡା ହୋଇଛନ୍ତି ତାଙ୍କର ପ୍ରିୟ ନେତା ପ୍ରଣବ ପ୍ରକାଶ ଦାସ (ବବି) ।
ବିଜେଡି ଦଳର ଉପ ସଭାପତି ତଥା ଯାଜପୁରରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଦିନରାତି ଏକକରି ଲୋକଙ୍କ ସହ ରହି, ଲୋକଂକ ସୁଖ ଓ ଦୁଃଖର ସାଥୀ ସାଜଛନ୍ତି । ଯେଉଁଥି ପାଇଁ ସେ ଯାଜପୁର ନୁହେଁ ପୁରା ଓଡ଼ିଶାରେ ସଭିଙ୍କ ଭାଇ ଭାବେ ବେଶ ପରିଚିତ।
ବୈତରଣୀ ନଦୀ ଓ କାଣି ନଦୀରେ ଦ୍ଵିତୀୟବାର ବନ୍ୟା ଆସିବା ଫଳରେ ଦଶରଥପୁର ବ୍ଳକର ବିଶେଷ ଭାବେ ପ୍ରଭାବିତ ହୋଇଛି । ବନ୍ୟା ଯୋଗଁ ବିଭିନ୍ନ ପଞ୍ଚାୟତ ଓ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ଥିବା ବେଳେ ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ (ବବି) ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡିଛନ୍ତି । ସତର୍କ ରହିବା ସହ ନଦୀବନ୍ଧ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ସଚେତନ କରାଇଛନ୍ତି ସ୍ଥାନୀୟ ଲୋକଙ୍କୁ ।ଯେଉଁଠି ସରକାର ଏଯାଏ ପହଞ୍ଚି ପାରିନାହାନ୍ତି ସେଠାରେ ବିରୋଧୀ ଦଳର ସଦସ୍ୟ ତଥା ଲୋକଙ୍କ ନେତା ପ୍ରଣବ ପ୍ରକାଶ ଦାସ ପ୍ରଭାବିତ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କ ପାଖରେ କିଭଳି ସହାୟତା ପହଞ୍ଚିବ , ଲୋକେ କିଭଳି ବିପଦ ମୁକ୍ତ ହେବେ ସେନେଇ ତତ୍ପର ହୋଇଛନ୍ତି ପ୍ରଣବ । ତାଙ୍କ ସହ ଯୁବନେତା ଭବ ପ୍ରକାଶ ବି ଓ ବିଜେଡି ଜିଲ୍ଲା ସଭାପତି ଓ ନେତାମାନେ ସାମିଲ ହୋଇ ଲୋକସେବାରେ ଲାଗିଛନ୍ତି । ବିପନ୍ନଙ୍କ ଦୁଖଃରେ ନବୀନଙ୍କ ଦୁଇ ଯୁବ ଯୋଦ୍ଧା ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପୌର ପରିଷଦ ଅଧକ୍ଷ ଭବ ପ୍ରସାଦ ଦାସ ଛିଡା ହୋଇଛନ୍ତି l ଯାଜପୁର ବାସୀଙ୍କ ଦୁଃଖରେ ଏହି ଦୁଇ ଭାଇ ସବୁବେଳେ ସହାୟତାର ହାତ ବଢାଇଥାନ୍ତି। କାରଣ ସେମାନେ ଲୋକଙ୍କ ନେତା। ସୁଖ, ଦୁଃଖର ସାଥି ।
ଶାସନରେ ଥିବା ବେଳେ ଯେମିତି ବିରୋଧୀ ଦଳରେ ଥିବା ବେଳେ ବି ସେମିତି ଜନସେବାକୁ ଗୁରୁତ୍ଵ ଦେଇ ପ୍ରଣବ ଓ ଭବ କାମ କରୁଛନ୍ତି ଯାଜପୁରବାସୀଙ୍କ ପାଇଁ।

ସରକାରଙ୍କ ବିଫଳତା ଲୁଚାଇବାକୁ ବିଜେପି ବିଧାୟକଙ୍କ ଅବାଂଛିତ ମନ୍ତବ୍ୟ: ବିଜେଡି
୨୦୨୭ ପଞ୍ଚାୟତ ଓ ୨୦୨୯ ସାଧାରଣ ନିର୍ବାଚନରେ ସଫଳତା ନେଇ ବିଜେଡିର ଦୃଢ଼ୋକ୍ତି
ଡବଲ ଇଞ୍ଜିନ ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଛି
ବାଲି ମାଫିଆଙ୍କୁ ବିଧାୟକ ସରୋଜ ପାଢ଼ୀ ଚାନ୍ଦା ମାଗିବା ଅଡିଓ ଭାଇରାଲ ହୋଇଥିଲା
ବିଜେପି ବିଧାୟକ ସରୋଜ ପାଢ଼ୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ଦେଇଥିବା ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକି୍ରୟା ଦେଇ, ସରକାରଙ୍କ ବିଫଳତାକୁ ଲୁଚାଇବାକୁ ବିଧାୟକ ଏପରି ଅବାଂଛିତ ମନ୍ତବ୍ୟ ଦେଇଛନ୍ତି ।
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା ଓ ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି, ବିଧାୟକ ସରୋଜ ପାଢ଼ୀ ଓ ବିଜେପି ଉପରେ ବର୍ଷିଥିଲେ । ଶ୍ରୀ ପଣ୍ଡା କହିଥିଲେ ଯେ, ଆସିକା ବିଧାୟକ ବିଭିନ୍ନ ଅସାମାଜିକ କାର୍ଯ୍ୟ ଯଥା ଜୁଆ ଖେଳ ଭଳି ଘୃଣ୍ୟ କାମରେ ଲିପ୍ତ ଥିବା ରେକର୍ଡ ରହିଛି । ୨୦୨୨ ମସିହାରେ ଶ୍ରୀ ପାଢ଼ୀ ଜୁଆ ଖେଳରେ ସମ୍ପୃକ୍ତି ପରେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ, ଯାହାପରେ ତାଙ୍କ ପରିବାର ସଦସ୍ୟ ପୋଲିସ୍ରେ ଅଭିଯୋଗ କରିଥିଲେ । ଏହାର କିଛିଦିନ ପରେ ସେ ରାମେଶ୍ୱରରୁ ଉଦ୍ଧାର ହୋଇଥିଲେ । ସେତେବେଳେ ନିଜର ମାନସିକ ସ୍ଥିତି ଠିକ୍ ନଥିବା ସେ ଗଣମାଧ୍ୟମକୁ କହିଥିଲେ । ବିଧାୟକ ହେବା ପରେ, ବାଲି ମାଫିଆଙ୍କ ଠାରୁ ଜୋରଜବରଦସ୍ତି ଚାନ୍ଦା ମାଗୁଥିବାର ଅଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଆସିକା ନିର୍ବାଚନ ମଣ୍ଡଳୀରେ ବିଚ୍ ରାସ୍ତାରେ ବି ସେ ପିସି ମାଗିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି, ଯେଉଁଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ହେଉଥିବା ଦୁର୍ନୀତିରେ ସେ ସିଧାସଳଖ ସମ୍ପୃକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହିଭଳି ଜଣେ ବ୍ୟକ୍ତିଙ୍କୁ, ବିଜୁ ଜନତା ଦଳ ଓ ଓଡ଼ିଶାର ଲୋକପି୍ରୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବା ପାଇଁ ବିଜେପି ମନୋନୀତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ।
ଡ଼ ମହାନ୍ତି କହିଥିଲେ ଯେ, ଗତ ୧୪ ମାସରେ ରାଜ୍ୟରେ ବିଜେପି ଶାସନରେ ସମସ୍ତ କ୍ଷେତ୍ରରେ ବିଫଳତା ଶିଖର ଛୁଇଁଛି । ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ଶାସନ ସମୟରେ କେନ୍ଦ୍ରୀୟ ଅନୁଦାନ ବଢ଼ିବା ପରିବର୍ତ୍ତେ ୧୮.୧୯% କମିଛି । ନାରୀ ନିର୍ଯାତନାକୁ ନେଇ ଓଡ଼ିଶା ସମଗ୍ର ଦେଶ ଓ ବିଶ୍ୱରେ ନିନ୍ଦିତ ହୋଇଛି । କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ । ବାଲି, ମୋରମ ଭଳି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣରେ ବିଜେପି ନେତାଙ୍କ ସମ୍ପୃକ୍ତି ଲାଗି ସରକାରୀ ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ବିଜେପି ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ ସରକାର ଚଳାଇବାରେ ଅପାରଗତା ଜଳ ଜଳ ହୋଇ ଦିଶୁଛି । ରାଜ୍ୟର ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ । ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ମାନୁନାହାନ୍ତି । ଦୀର୍ଘ ୧୫ ଦିନ ହେଲା ଅମଲା ଆନେ୍ଦାଳନ ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ, ରାଜସ୍ୱ ମନ୍ତ୍ରୀ ଏଥିରେ ବିଜେଡିର ସମ୍ପୃକ୍ତି ଅଭିଯୋଗ କରିଛନ୍ତି, ଯାହା ତାଙ୍କ ହତାଶାଭାବର ପରିଚୟ ଦେଉଛି । ଦୀର୍ଘ ୧୪ ମାସ ପରେ ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ପୂରଣ ହୋଇପାରୁ ନାହିଁ । ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବିଜୁ ଜନତା ଦଳ ଉପରେ ଏହିଭଳି ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବା ପାଇଁ ଉଦ୍ୟମ କରିଛି ବିଜେପି । ଏହା ବିଜେପିର ହତାଶାଭାବର ପରିଚୟ ।
ଡ଼ ମହାନ୍ତି ଆହୁରି କହିଥିଲେ, ବିଜେପି ତରଫରୁ ବାରମ୍ବାର ଭି.କେ ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ବିଭ୍ରାନ୍ତିକର ଓ କଟୁ ମନ୍ତବ୍ୟ ପ୍ରଦାନ କରାଯାଉଛି । ଓଡ଼ିଶାବାସୀ ଭଲ ଭାବରେ ଜାଣନ୍ତି ଯେ, ଭି.କେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ନୁହଁ । ତେଣୁ ଭି.କେ ପାଣ୍ଡିଆନଙ୍କୁ ନେଇ କୁତ୍ସିତ ରାଜନୀତି ନ ହେଉ ।
ବିଜେଡି ଏକ ସଫଳ ରାଜନୈତିକ ଦଳ ଏବଂ ଏହାର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସର୍ବାଧିକ ଲୋକପି୍ରୟ ନେତା । ବିଜେପିର ଏହିଭଳି କୁତ୍ସିତ ଉଦ୍ୟମକୁ କେବେ ବି ରାଜ୍ୟବାସୀ ଗ୍ରହଣ କରିବେ ନାହିଁ । ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଓ ୨୦୨୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେଡି ସଫଳତା ହାସଲ କରିବ ବୋଲି ଡ଼ ମହାନ୍ତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
1...303132...448Page 31 of 448
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy