ଅରୁଣଙ୍କ ଗଣତନ୍ତ୍ର ସୁରକ୍ଷା ବାଣୀ, ଆଣିବ କି ବିପ୍ଳବ

0
125

ବରିଷ୍ଠ ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ ଗଣତନ୍ତ୍ର ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଲୋକସଭା, ରାଜ୍ୟସଭା, ବିଧାନସଭା , ବିଧାନ ପରିଷଦରେ ବିତର୍କ ଗଣତନ୍ତ୍ର ଶାସନକୁ ସଶକ୍ତ କରିଥାଏ। ଖାସ୍ ସେଥିପାଇଁ ଏବେ ଜଣେ ଅଭିଜ୍ଞ ବିଧାୟକ ଭାବେ ଅରୁଣ ସାହୁ ଅଣ୍ଟା ଭିଡିଛନ୍ତି । ବିଶେଷ କରି ଓଡିଶା ବିଧାନସଭା କିପରି କାର୍ଯ୍ୟସୂଚୀ ଅନୁସାରେ ଚାଲିବ ଓ ବିଭିନ୍ନ ପ୍ରସଂଗରେ ଗୃହରେ ବିତର୍କ ହେବ ସେନେଇ ବିପ୍ଲବ ଆଣିବାକୁ ସେ ଲାଗିପଡିଛନ୍ତି। ସମାଜର ସବୁ ବର୍ଗର ଲୋକଙ୍କର ମତାମତ ନେଉଛନ୍ତି ଅରୁଣ। ନିକଟରେ ଯୁବ ଶକ୍ତିଙ୍କୁ ନେଇ ଏକ ଆଲୋଚନା ଚକ୍ର ମଧ୍ୟ କରିଥିଲେ। ଶିକ୍ଷିତ ଯୁବ ଶକ୍ତିମାନେ ବିଧାନସଭା ଚାଲିବା ଦରକାର ଓ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ବିତର୍କ ହେବାର ଆବଶ୍ୟକ ଅଛି ବୋଲି ମତ ପ୍ରକାଶ କରିଥିଲେ। କେହି କେହି ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କୁ ବିଧାନସଭାରେ କାହିଁକି ଜାଣିଜାଣି ବନ୍ଦ କରାଯାଉଛି, କାହିଁକି ଶାସକ ଓ ବିରୋଧୀ ଦଳ ବିତର୍କ ଅପେକ୍ଷା ହଟଗୋଳରେ ସମୟ ନଷ୍ଟ କରୁଛନ୍ତି ବୋଲି ଅରୁଣଙ୍କୁ ପ୍ରଶ୍ନ କରିଥିଲେ । ମୁକ୍ତ କଣ୍ଠରେ ଅରୁଣ ଏହାର ଉତ୍ତର ରଖିଥିଲେ।

କାହିଁକି ପୂର୍ବ ଅଧିବେଶନରେ ବିଧାନସଭା ଗେଟ୍ ଭାଙ୍ଗିବାକୁ ଆପଣମାନେ ପ୍ରୟାସ କରିଥିଲେ ବୋଲି ଜଣେ ଯୁବକ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଦେଇଥିଲେ ଅରୁଣ। ଯୁବଶକ୍ତି ଜରିଆରେ ଗଣତନ୍ତ୍ର ବ୍ୟବସ୍ଥାକୁ ଦୃଢ଼ କରିବାକୁ ଅରୁଣଙ୍କ ଏପରି ପ୍ରୟାସ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଅନେକ ମଧ୍ୟ ପ୍ରଶ୍ନ କରୁଛନ୍ତି କାହିଁକି ଶାସକ ଦଳର ବିଧାୟକ ଥିବା ବେଳେ ଅରୁଣ ଏପରି ଚେଷ୍ଟା କରୁନଥିଲେ। ହଠାତ୍ କାହିଁକି ଅରୁଣଙ୍କ ମନରେ ଏପରି ବିପ୍ଳବ ଜାଗ୍ରତ ହେଲା । ଏ ପ୍ରଶ୍ନର ଉତ୍ତର ହୁଏତ ବରିଷ୍ଠ ବିଧାୟକ ଡକ୍ଟର ଅରୁଣ ସାହୁଙ୍କ ପାଖରେ ଥିବ। ହେଲେ ଅରୁଣ ଏପରି ଗଠନମୂଳକ ପ୍ରସ୍ତାବକୁ ଶାସକ ଦଳ ବିଧାନସଭା ଚାଲୁଥିବା ସମୟରେ କେତେ ଗ୍ରହଣ କରୁଛି ତାହା ଆସନ୍ତା ୧୮ତାରିଖରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେସନରୁ ସ୍ପଷ୍ଟ ହେବ। ସ୍ଵଳ୍ପ ସମୟ ଅଧିବେସନରେ ବିତର୍କ ହେଉଛି ନା ନିଜ ନିଜର ଦବଦବା ପାଇଁ ପୁଣି ପୁରୁଣା ନୀତିକୁ ଆପଣାଇବେ ଉଭୟ ଶାସକ ଓ ବିରୋଧୀ ତାହା ଦେଖିବାର କଥା। ହେଲେ ଅରୁଣ କିନ୍ତୁ ନିଜ ଅଭିଯାନ ଜାରୀ ରଖିବେ ବୋଲି ସୋସିଆଲ ମିଡିଆ ଜରିଆରେ ସ୍ପଷ୍ଟ କରିସାରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ଅରୁଣଙ୍କ ଅଭିନବ ପ୍ରୟାସ ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛି। ଏଥିପାଇଁ ଅରୁଣ ଯେତିକି ଚର୍ଚ୍ଚାରେ, ସେତିକି ସମାଲୋଚନାର ପାତ୍ର ମଧ୍ୟ।