ଦିନକରେ ୨ ମନ୍ତ୍ରୀ ହେଲେ କରୋନା ଆକ୍ରାନ୍ତ
ଭୁବନେଶ୍ବର : ଆଜି ପୁଣି ୨ ଜଣ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ଉଭୟ ଟୁଇଟ କରି ସୂଚନା ଦେଇଛନ୍ତି । କୋଭିଡ୍-୧୯ର ଲକ୍ଷଣ ଦେଖାଯିବା ପରେ ଉଭୟ କରୋନା ପରୀକ୍ଷା କରାଇଥିଲେ । ଏବେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟ ହୋମ୍ କ୍ବାରେଣ୍ଟାଇନ୍ ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବା ସହ ସେମାନଙ୍କର କରୋନା ପରୀକ୍ଷଣ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି ।
ଦିନକରେ ୨ ମନ୍ତ୍ରୀ ହେଲେ କରୋନା ଆକ୍ରାନ୍ତ…
ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ୍…….
ଭୁବନେଶ୍ୱର : ବନ୍ୟା ପ୍ରଭାବିତଙ୍କ ଚାଷୀଙ୍କ ସହାୟତା ପାଇଁ ଆଜି ୩୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତମାସ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ଏହି ସହାୟତ ରାଶି ଘୋଷଣା ହୋଇଛି । ୩୩%ରୁ କମ୍ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୬.୮୦୦ ଟଙ୍କା ଦିଆଯିବ ।
ସେହିପରି ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ମିଳିବ । ବାରମାସୀ ଫସଲ ପାଇଁ ଏକର ପ୍ରତି ୧୮ ହଜାର ଟଙ୍କା ମିଳିବ । ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା ମିଳିବ । ୫୦% ସବସିଡିରେ ୨୦୦୦ ପାଣି ପମ୍ପ ସେଟ ମିଳିବ ।
ତ୍ରିତୋଲ ଉପନିର୍ବାଚନ ପାଇଁ ପାଗ ଭିଡ଼ିଲାଣି ବିଜେଡି ..
ଭୁବନେଶ୍ୱର : ଏବେ ଯେ କୌଣସି ମୁହୂର୍ତ୍ତରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ରାଜ୍ୟର ପ୍ରମୁଖ ତିନି ଦଳ ଏବେ ଜୋରଦାର ନିର୍ବାଚନି ପ୍ରସ୍ତୁତିରେ ଲାଗିପଡିଛନ୍ତି । ହେଲେ ଏହି ପ୍ରସ୍ତୁତିରେ ଶାସକ ବିଜେଡି ଦଳ ସବୁଠାରୁ ଆଗରେ ଅଛି। ଆଜି ୧.୩୦ ସମୟରେ ତ୍ରିତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକ ଠାରେ ବିଜୁ ଜନତା ଦଳର ଏକ ଗୁରୁତ୍ବପୂର୍ଣ୍ଣ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବିଧାନସଭା ଉପନିର୍ବାଚନ ସଠିକ୍ ଭାବରେ ଲଢ଼ିବା ସହିତ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତିବା ପାଇଁ ନିବେଦନ କରିଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଜଳସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ବିଜୁ ଜନତା ଦଳର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଏବଂ ଜଗତସିଂହପୁର ର ମାନ୍ୟବର ସାଂସଦ ଡକ୍ଟର ରାଜଶ୍ରୀ ମଲିକ ।। ସେହିପରି ଅପରାହ୍ନ ୪ଟା ସମୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ତେନ୍ତୁଳି ପଦା ଠାରେ ଆଉ ଏକ କର୍ମୀ ସମ୍ମିଳନୀ ହୋଇଥିଲା। ସମସ୍ତ କର୍ମୀମାନଙ୍କୁ ଏକଜୁଟ ହୋଇ ବିଜେଡିର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ନବୀନ ପଟ୍ଟନାୟକଙ୍କ ଜନ ମଙ୍ଗଳ ଯୋଜନା କେମିତି ଲୋକଙ୍କ ପାଖରେ ପହଂଚିବ ସେ ନେଇ ସବୁ କର୍ମୀକୁ ଗୁରୁମନ୍ତ୍ର ଦେଇଥିଲେ ସଞ୍ଜୟ କୁମାର ଦାସବର୍ମା।
ଯୁବ କଂଗ୍ରେସ ଆରମ୍ଭ କଲା VoiceOfOdisha. କ୍ୟାମ୍ପେନ
ଭୁବନେଶ୍ୱର : ବେରୋଜଗାରିକୁ ନେଇ ସରକାରଙ୍କୁ ବିରୋଧରେ ସ୍ୱର ଶାଣିତ କରିବ ରାଜ୍ୟରେ ଯୁବ କଂଗ୍ରେସ। ସୋସିଆଲ ମିଡିଆରେ ଗ୍ରାମାଞ୍ଚଳ ବ୍ଲକ ସ୍ତରରୁ ଯୁବକମାନେ ବେକାରୀ ସମସ୍ୟାକୁ ନେଇ ନିଜର ବକ୍ତବ୍ୟ ରଖିବେ ସୋସିଆଲ ମିଡିଆରେ। #VoiceOfOdisha ମାଧ୍ୟମରେ ଯୁବ ବକ୍ତାମାନେ ବଡୁଥିବା ବେରୋଜଗାରିକୁ ନେଇ ନିଜର ବକ୍ତବ୍ୟ ପୋଷ୍ଟ କରିବେ। ଭଲ ବକ୍ତାଙ୍କୁ ଯୁବ କଂଗ୍ରେସର ମୁଖପାତ୍ର ହେବାକୁ ସୁଯୋଗ ମିଳିବ। ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମିଳନୀରେ ଏହି କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ଜାତୀୟ ଯୁବ କଂଗ୍ରେସର ସଚିବ ରିଆଜ ଅହମ୍ମଦ। ଦେଶରେ ଓ ରାଜ୍ୟରେ ବଢୁଥିବା ବେକାରୀକୁ ନେଇ ସରକାରଙ୍କ ବିରୋଧରେ ସ୍ୱର ଶାଣିତ କରିବା ପାଇଁ ଯୁବକ ମାନଙ୍କୁ ଆଗକୁ ଆଣିବା ଓ ଯୁବକ ମାନଙ୍କୁ ସଂଗଠିତ କରିବାର ଏହା ଏକ ପ୍ରୟାସ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା। ବେରୋଜଗାରୀ କୁ ନେଇ ରାହୁଲ ଗାନ୍ଧିଙ୍କ ତରଫରୁ #SpeakUpForJob କ୍ୟାମ୍ପେନ ଚାଲିଥିବା ବେଳେ ରାଜ୍ୟରେ ଯୁବ କଂଗ୍ରେସ ପକ୍ଷରୁ #VoiceOfOdisha କୁ ନେଇ କ୍ୟାମ୍ପେନ ଆରମ୍ଭ କରିଛନ୍ତି l
ସଫେଇ କର୍ମଚାରୀଙ୍କ ପାଇଁ ୫୦ କୋଟି…..
ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ଗରିମା’ କାର୍ଯ୍ୟକ୍ରମ
୫୦ କୋଟିର କର୍ପସ ପାଣ୍ଠି ଏବଂ ସଫେଇ କର୍ମଚାରୀଙ୍କ ପାଇଁ
ରାଜ୍ୟ କମିଶନ ଗଠନ କରାଯିବ – ମୁଖ୍ୟମନ୍ତ୍ରୀ
ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗୃହନିର୍ମାଣ ପାଇଁ ମିଳିବ ସହାୟତା
ଭୁବନେଶ୍ୱର : ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ସେପ୍ଟିକ୍ ଟାଙ୍କି ତଥା ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢୁଥିବା ସଫେଇ କର୍ମଚାରୀମାନେ ଏହାଦ୍ବାରା ଉପକୃତ ହେବେ । ଏଥିପାଇଁ ପ୍ରାଥମିକ ଅବସ୍ଥାରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ ଏବଂ ୨୦ ହଜାର ସଫେଇ କର୍ମଚାରୀଙ୍କ ସମେତ ସେମାନଙ୍କର ୧ ଲକ୍ଷ ପରିବାର ସଦସ୍ୟ ଉପକାର ପାଇବେ ।
ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ବ ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି । ମହାତ୍ମା ସାରା ଜୀବନ ସମାଜର ଏହି ଅବହେଳିତ ବର୍ଗର କଲ୍ୟାଣ, ଅଧିକାର ଓ ମର୍ଯ୍ୟାଦା ପାଇଁ ଲଢେଇ କରିଛନ୍ତି। ପରିମଳକୁ ଗାନ୍ଧିଜୀ ସ୍ବାଧୀନତାଠାରୁ ଅଧିକ ଗୁରୁତ୍ବ ଦେଉଥିଲେ । ତେଣୁ ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ‘ଗରିମା’ ଯୋଜନା ବାପୁଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବାପୁଙ୍କ ସ୍ବପ୍ନକୁ ସାକାର କରିବା ସହିତ ସଫେଇ କର୍ମଚାରୀଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ସେହିପରି କୋଭିଡ ଯୁଦ୍ଧ ସମୟରେ ସେମାନେ ଯେପରି ନିଜ ଜୀବନକୁ ବିପଦରେ ପକାଇ ସେବା କରିଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ ।
‘ଗରିମା’ ଯୋଜନାରେ ବିପଦପୂର୍ଣ୍ଣ ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦା ଉପରେ ଗୁରୁତ୍ବ ଦିଆଯାଇଛି । ସେମାନଙ୍କର କଠିନ ଓ ବିପଦପୂର୍ଣ୍ଣ କାମକୁ ସମ୍ମାନ ଜଣାଇ ସ୍ବତନ୍ତ୍ର ଭତ୍ତା, ସ୍ବାସ୍ଥ୍ୟ ସୁବିଧା, ଜୀବନ ବୀମା, ପିଲାଙ୍କ ପାଇଁ ଉଚ୍ଚଶିକ୍ଷା, ଗୃହନିର୍ମାଣ ଓ ଦୁଇ ଚକିଆ ଗାଡି ପାଇଁ ୯୦ ପ୍ରତିଶତ ଅନୁଦାନ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅନୁକମ୍ପାମୂଳକ ସହାୟତା, EPF, ESI ଏବଂ ପରିବାର ପେନ୍ସନ ଆଦି ବିଭିନ୍ନ କଲ୍ୟାଣ ଯୋଜନାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ରାଜ୍ୟରେ ଚାଲିଥିବା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କ୍ଷେତ୍ରରେ ଏହା ଆଉ ଏକ ସଫଳ ଅଧ୍ୟାୟ ଆରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ପରିମଳ କର୍ମଚାରୀଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗରିମା ଯୋଜନା ସଂପର୍କିତ ଏକ ଭିଡିଓ ଓ ଲୋଗୋ ଉନ୍ମୋଚନ କରିଥିଲେ । ‘ଗରିମା’ ଯୋଜନାକୁ ଆଗେଇ ନେବା ପାଇଁ ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ଏବଂ ଅହମ୍ମଦାବାଦର Urban Management Centre ମଧ୍ୟରେ ବୈଷୟିକ ସହଯୋଗ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନସ୍ ମୁତୟନ, ଅଧିକ ICU Bed: ନିଯୁକ୍ତ ହେଲେ ସ୍ୱତନ୍ତ୍ର ଅଧିକାରୀ
କୋଭିଡ ମୁକାବିଲାମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନସ୍ ମୁତୟନ, ଅଧିକ ICU Bed
ସହିତ ନିୟମର କଡାକଡି ଅନୁପାଳନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଆସନ୍ତା ସପ୍ତାହ ମଧ୍ୟରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡାକଡି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ICU ବେଡ୍ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍ସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସପ୍ତାହରେ ଭୁବନେଶ୍ବର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ସେହିପରି ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ ମଧ୍ୟ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବା ନଜରକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ପୋଲିସ, ସ୍ବାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ବୟ ରଖି ନିୟମାବଳୀ କଡାକଡି ପାଳନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅନେକ ଲୋକ ନିୟମାବଳୀ ଠିକ୍ ଭାବରେ ପାଳନ କରୁଥିବା ବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।
ଗଞ୍ଜାମ, ସୁନ୍ଦରଗଡ, ଗଜପତି ଓ କୋରାପୁଟରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ବ୍ରହ୍ମପୁର ମଡେଲ ଅନୁସରଣ କରିବା ପାଇଁ କଟକ-ଭୁବନେଶ୍ବର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ।
ଯେଉଁ ଜିଲ୍ଲା ମାନଙ୍କରେ କୋଭିଡ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ TMC, Covid Care Centre ଏବଂ Covid Care Home ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଘରୋଇ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ସଂରକ୍ଷିତ ରଖିବା, ଡାକ୍ତରଖାନା ଗୁଡିକରେ ଗୁଣାତ୍ମକ ସେବା ଯୋଗାଇବା ଏବଂ ଗୃହ ସଂଗରୋଧରେ ଥିବା ରୋଗୀମାନଙ୍କ ଚିକିତ୍ସା ତଦାରଖ କରିବା, ଗୋଷ୍ଠୀକୁ ସାଥିରେ ନେଇ ବିଭିନ୍ନ ଜୋନ୍ଭିତ୍ତିକ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ବିଭିନ୍ନ ସରକାରୀ କର୍ମଚାରୀ ମାନେ ସଂକ୍ରମିତ ହେଉଥିବା ଖବରରେ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ସରକାରୀ ଅଫିସରେ କୋଭିଡ ନିୟମାନବଳୀକୁ ଆହୁରି କଡାକଡି ପାଳନ କରିବାପାଇଁ ପରାମର୍ଶ ଦେଇଥିଲେ।
ହଟ୍ସ୍ପଟ୍ ଜିଲ୍ଲାକୁ ଅଧିକ ଡାକ୍ତର ଏବଂ ପ୍ରଶାସନିକ ଅଧିକାରୀ ପଠାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।
କୋଭିଡ ପରିଚାଳନା ସଂପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୭୭.୮ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ଠାରୁ ସାମାନ୍ୟ ଅଧିକ। ସେହିପରି ମୃତ୍ୟୁ ହାର ସାରା ଦେଶରେ ସର୍ବନିମ୍ନ ରହିଛି ଏବଂ ଏହା ୦.୪୩ ପ୍ରତିଶତ । ଗୁରୁତର ରୋଗୀଙ୍କ ପାଇଁ Step-down ICU ସୁବିଧା କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ଖୋର୍ଦ୍ଧା ଓ କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦ୍ବୟ ଏବଂ ଭୁବନେଶ୍ବର-କଟକ ମ୍ୟୁନିସପାଲ କର୍ପୋରେସନର କମିଶନର ଦ୍ବୟ କୋଭିଡ ପରିସ୍ଥିତ ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ଏବଂ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି କହିଥିଲେ।
ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ, ଭୁବନେଶ୍ବର-କଟକର ପୋଲିସ କମିଶନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବୈଠକ ସଂଚାଳନା କରିଥିଲେ।
ଚାଣକ୍ୟଙ୍କ ନୂଆ ରଣନୀତି…….
ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସ (ବବି )। ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ । ବର୍ତ୍ତମାନ ସମୟରେ ଓଡ଼ିଶା ରାଜନିତୀର ସବୁଠାରୁ ଚର୍ଚ୍ଚିତ ନାଁ । ଏ ଚର୍ଚ୍ଚା ଏଥିପାଇଁ କି, ନିଜର ସାଙ୍ଗଠନିକ ଦକ୍ଷତା ଓ ରାଜନୈତିକ ପରିପକ୍ୱତା ପାଇଁ l ଯାହା ଓଡିଶା ରାଜନୀତିରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଆଣିଛି l ଯେଉଁଠି ପାଇଁ କେବଳ ବିଜେଡି ନୁହେଁ, ସେ ରାଜ୍ୟରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି। ନବୀନ ତାଙ୍କୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର କରିଛନ୍ତି । ସଂଗଠନ ସମ୍ପାଦକ ହେବା ପର ଠାରୁ ପ୍ରଣବ ତୃଣମୂଳ ସଂଗଠନ ଅଧିକ ଚଳଚଞ୍ଚଳ କରିଛନ୍ତି ନିଜର କୌଶଳ ବଳରେ l
ବର୍ତ୍ତମାନ ସମୟରେ ବବି ହେଉଛନ୍ତି ଓଡ଼ିଶା ରାଜନୀତିର ଚାଣକ୍ୟ। ଯାହାକି ବିଜେପୁର ଉପନିର୍ବାଚନ ଓ ୨୦୧୯ ନିର୍ବାଚନ ଓ ପାଟକୁରା ନିର୍ବାଚନରେ ସେ ଦେଖାଇ ସାରିଛନ୍ତି । କାରଣ ବିରୋଧୀ ବବିଙ୍କ ରଣନୀତିକୁ ବୁଝିବାରେ ସମ୍ପୂର୍ଣ୍ଣ ବିଫଳ ହେଉଛନ୍ତି । ଫଳରେ ଏସବୁ ନିର୍ବାଚନରେ ବିଜେଡି ବୃହତ ବ୍ୟବଧାନରେ ବିଜୟ ଲାଭ କରି ଦଳ ରାଜ୍ୟରେ ଏକ ନମ୍ବର ହୋଇ ଥିଲା ଓ ରହିବ ତାହା ପୁଣି ଥରେ ପ୍ରମାଣିତ କରିଥିଲା । ସବୁଠାରୁ ବଡ଼ କଥା ହେଲା ନିର୍ବାଚନ ଆସିଲେ ସବୁ ଦଳ ନିଜର ନିର୍ବାଚନ ପ୍ରସ୍ତୁତି କରନ୍ତି। ହେଲେ ବିଜେଡି କିନ୍ତୁ ଗୋଟେ ନିର୍ବାଚନ ବିଜୟ ଲାଭ କଲା ପର ଦିନ ଭବିଷ୍ୟତ ପାଇଁ କାମ ଆରମ୍ଭ କରିଦିଏ। ଯାହା କି ବର୍ତ୍ତମାନ ଦେଖିବାକୁ ମିଳୁଛି ପ୍ରଣବଙ୍କ ଭରଚୁଆଲ ବୈଠକରୁ। ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲାର ଯୁବ , ଛାତ୍ର , ମହିଳା ସଂଗଠନ ସହ ଆଲୋଚନା କରି ପ୍ରଣବ ସଂଗଠନ ଆହୁରୀ ମଜବୁତ କରିବା ପାଇଁ ଗୁରୁମନ୍ତ୍ର ଦେଉଛନ୍ତି । ଏହି ବୈଠକ ଘଣ୍ଟା ଘଣ୍ଟା ଧରି ହେଉଥିଲେ ମଧ୍ୟ ସେ ନିଜ ଜାଗାରୁ ଉଠିକି ଯାଉ ନାହାଁନ୍ତି ସେ l ନେତା କର୍ମୀ କଥା ଶୁଣୁଛନ୍ତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡିଶା ଗଠନର ସୂତ୍ର ବି ବୁଝାଉଛନ୍ତି l ଦଳର ନୀତି ଆଦର୍ଶ ବାବଦରେ ସବୁ ସଦସ୍ୟମାନଙ୍କୁ ଅବଗତ କରାଉଛନ୍ତି । ଯେମିତି ସମସ୍ତେ ନବୀନଙ୍କ ପରି ସରଳ ଜୀବନ ଯାପନ କରି ଲୋକଙ୍କ ସମସ୍ୟା ସମାଧାନ କରିବା ଦିଗରେ ଆଗଭର ହେବେ ତାକୁ ଗୁରୁତ୍ୱ ଦେଉଛନ୍ତି ପ୍ରଣବ । ପ୍ରଣବଙ୍କ ଏପରି ରଣକୌଶଳକୁ ରାଜନୈତିକ ସମୀକ୍ଷକ ମାନେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି l ସମୀକ୍ଷକଙ୍କ କହିବା କଥା ହେଲା ବବି ଏବେ ନବୀନଙ୍କ ନିର୍ଦେଶରେ ନେତାଙ୍କ ଦକ୍ଷତା ମାପୁଛନ୍ତି ଏହି ଭରଚୁଆଲ ବୈଠକ ଜରିଆରେ l ଏହା ସହ ଦଳ ପାଇଁ ତୃଣମୂଳ ସ୍ତରର ନେତାଙ୍କ କଣ ଚିନ୍ତାଧାରା ଓ କଣ ପ୍ଲାନ ତାହାବି ଯାଉଛନ୍ତି l ସଭିଙ୍କ ପରାମର୍ଶରେ ବିଜେଡିକୁ ଏକ ବଡ କ୍ୟାଡରବେଷ୍ଟ ପାଟିରେ ପରିଣତ କରି ଓଡିଶାବାସୀଙ୍କ ସୁଖ ଦୁଃଖରେ ପାହାଡ଼ ପରି ଛିଡା ହେବା ପାଇଁ ଲମ୍ବା ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରଣବ l ଯେଉଁଥିରେ ଦଳ ବରିଷ୍ଠ ଓ ଯୁବ ନେତାଙ୍କୁ ସେ ସାରଥୀ କରିଛନ୍ତି l
ଯେଉଁଥିପାଇଁ ବିଜେଡି ତାର ସାଙ୍ଗଠନିକ ଅବଧିକୁ ବୃଦ୍ଧି କରିଛି। ଜୁମ୍ବ ଟିମ ଗଠନ କରିଛି । ଏଥିରେ ଅନେକ ନୂଆ ଯୁବ ଚେହେରାକୁ ସ୍ଥାନ ଦେଇଛନ୍ତି । ସେମାନେ ଏହି ମହାମାରୀ ସମୟରେ କିପରି ଲୋକଙ୍କ ସେବା କରୁଛନ୍ତି । ଏହି ଭରଚୁଆଲ ବୈଠକ ମାଧ୍ୟମରେ ସମୀକ୍ଷା ବି କରୁଛନ୍ତି l କାରଣ ସେ ଜାଣିଛନ୍ତି ରାଜନୀତି ନିଜର ବିଳାସ ବେଶନକରିବା ପାଇଁ ନୁହେଁ ବରଂ ରାଜନିତୀର ଧର୍ମ ହେଉଛି ଲୋକଙ୍କ ଅସୁବିଧାକୁ ସୁବିଧା ଠିଆ ହେବା l ସେଥିପାଇଁ ସେ ନିଜେ ମଧ୍ୟ ବିପଦ ସମୟରେ ଲୋକଙ୍କ ସହ ଦିନରାତି ରହି କାମ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି l ସବୁବେଳେ ଓଡିଶାର ସାଢେ ଚାରିକୋଟି ଜନତାଙ୍କ ଉନ୍ନତି ପାଇଁ ଲାଗିଥାନ୍ତି। ଏହି ବୈଠକରେ ପ୍ରଣବଙ୍କ ସହ ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଲବନ୍ତ ରାୟ, ଅମରେଶ ପତି, ରାଣା ପ୍ରତାପ ପ୍ରମୁଖ ଉପସ୍ଥିତ ରହି ଦଳକୁ ସଶକ୍ତ କରିବାରେ ଲାଗିଛନ୍ତି ।
2024 ପାଇଁ ବିଜେଡି ତାର ସାଙ୍ଗଠନିକ କାର୍ଯ୍ୟକ୍ରମର ଲମ୍ବା ରଣନୀତି ପ୍ରସ୍ତୁତ କରି କାମ କରୁଛି l ଯାହା ଫଳରେ ଦଳ ରାଜ୍ୟରେ ଏକ ନମ୍ବର ଦଳ ହୋଇପାରିଛି। ଯାହାର ରିମୋଟ କଣ୍ଟ୍ରୋଲ ରହିଛି ଏବେ ନବୀନ ଓ ପ୍ରଣବଙ୍କ ହାତରେ । ପ୍ରଣବ ଯେଉଁ ରଣନୀତି କରୁଛନ୍ତି ତାହା ବିରୋଧୀଙ୍କୁ ଚିନ୍ତାରେ ପକାଇଛି l
ପଜିଟିଭ ବିଧାୟକଙ୍କୁ ବିଧାନସଭା ମନା…..
- ଭୁବନେଶ୍ୱର : ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ବିଧାୟକଙ୍କ କରନା ଟେସଟିଙ୍ଗ ହେବ। ବିଧାନସଭା ପରିସରରେ ହେବ ଟେଷ୍ଟ। ଆର ଟି ପିସିଆର ଟେଷ୍ଟ କରାଯିବ। ଯେଉଁମାନଙ୍କର ନେଗେଟିଭ ପ୍ରବେଶ ପାଇଁ ସେଇମାନଙ୍କୁ ଅନୁମତି ଦିଆଯିବ। 5 ଦିନ ପରେ ଆଉ ଥରେ ଟେଷ୍ଟ ହେବ। ଯେଉଁ ବିଧାୟକ ମାନଙ୍କର ପଜିଟିଭ ବାହାରିବ ସେମାନେ ଅନୁମତି ମିଳିବନି। ବିଧାନସଭା ଆସିବ ସମୟରେ ଲକ୍ଷଣ ଦେଖା ଗଲେ ଆଂଟିଯେନ ଟେଷ୍ଟ ହେବ। ବିଧାନସଭା ପରିସରରେ ହିଁ ବିଧାନସଭା ବସିବ। ଯେଉଁମାନଙ୍କର ବୟସ 60 ବର୍ଷରୁ ଉର୍ଦ୍ଧ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସିଟ ଆରେଞ୍ଜମେଣ୍ଟ କରାଯିବ। ଯେଉଁ ବିଧାୟକ ମାନେ ବିଧାନସଭା ଆସିବେ ସେମାନେ ସଂଗରୋଧ ରେ ରହିବେ। କାହା ସହ ମିଶିବେନି।
ଭଦ୍ରକର ବନ୍ୟା ମନୁଷ୍ୟକୃତ : ପିସିସି ଟିମ
ଭୁବନେଶ୍ୱର : ଗତ ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ପ୍ରଭାବିତ ୨୦ଟି ଜିଲ୍ଲା ମଧ୍ୟରୁ କ୍ଷୟକ୍ଷତି ହୋଇଥିବା ଭଦ୍ରକ ଜିଲ୍ଲା ଗ୍ରସ୍ତ କରିଛନ୍ତି ଏଆଇସିସି ଦ୍ୱାରା ନିଯୁକ୍ତ ପିସିସି ବନ୍ୟା କମିଟି ସଦସ୍ୟ।ଉକ୍ତ କମିଟି ରେ ସଦସ୍ୟ ଥିବା ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଓ ଜୟପୁର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀ ତାରାପ୍ରସାଦ ବାହିନୀପତି ଙ୍କ ନେତୃତ୍ଵରେ ଭଦ୍ରକ ଜିଲ୍ଲା ସଭାପତି ଅଶୋକ କୁମାର ଦାସ,କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି,ବିଧାୟକ ପାର୍ଥି ସୁବ୍ରତ ଦାସ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ .ପ୍ରମୁଖ ଭଦ୍ରକ ଜିଲ୍ଲାର ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀର ଆମ୍ବଗାଡ଼ିଆ ଘାଇ,ବାଲି ପୋଖରୀ ଏସକେପ ,ମାଲତ ଏବଂ ଧାମନଗର ର ଗେଙ୍ଗୁଟି ନଦୀର ଉଭୟ ପାର୍ଶ୍ଵ ପରିଦର୍ଶନ କରିବା ସହ ବିଭିନ୍ନ ବନ୍ୟାଞ୍ଚଳ ବୁଲି ଅସନ୍ତୋଷ ଜାହିର କରିଛନ୍ତି ।
ଆମ୍ବଗାଡ଼ିଆ ନଦୀବନ୍ଧର ସ୍ଥିତି ପରିଦର୍ଶନ ବେଳେ ସେମାନେ ଯେତିକି ପାଣି ନଈରେ ପ୍ରବାହିତ ହୋଇଛି ସେଥିରେ ଘାଇ ହେବାର ପ୍ରଶ୍ନ ଉଠୁନି ବୋଲି ପ୍ରତିନିଧି ମଣ୍ଡଳୀ ହୃଦୟଙ୍ଗମ କରିଥିଲେ ଏବଂ ନିମ୍ବ ମାନର ବନ୍ଧ କାମହେଇଥିବାରୁ ବନ୍ଧ ଫାଟି ଯାଇ ଘାଇ ସୃଷ୍ଟି ହେଇଛି ବୋଲି ପ୍ରକାଶ କରିଥିଲେ।ସେହିପରି ବାଲିପୋଖରୀ ଏସକେପ ପରିଦର୍ଶନ କରି କହିଥିଲେ ପ୍ରତିବର୍ଷ ବନ୍ୟାରେ ବନ୍ଧ ରାସ୍ତା ଧୋଇହୋଇ ଘାଇ ସୃଷ୍ଟି ହଉଛି ଏହାର ସ୍ଥାୟୀ କାର୍ଯ୍ୟ କରାଯାଉଉନାହିଁ।ଏଥିରେ ମାଲାମାଲ ହେଉଛନ୍ତି କଣ୍ଟ୍ରାକ୍ଟର ଓ ବିଜେଡି ନେତା କର୍ମୀ।ଏଥିଯୋଗୁଁ ବହୁ ଚାଷୀଙ୍କ ଜମି ସମ୍ପୂର୍ଣ୍ଣ ଉଜୁଡି ଯାଇଛି।ଭଣ୍ଡାରିପୋଖରୀର ଗେଙ୍ଗୁଟି ନଦୀର ଉଭୟ ପାର୍ଶ୍ଵ ରେ ଥିବା ବନ୍ଧ ଅତି ବିପଦ ସଂକୁଳ ଅବସ୍ଥାରେ ରହିଛି।ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖାଲି ବନ୍ଧ ମରାମତି କରାଯାଉଛି ବିଜେଡି ନେତା ଓ କଣ୍ଟ୍ରାକ୍ଟରଙ୍କ ପକେଟ ଗରମ ପାଇଁ।କ୍ଷୟକ୍ଷତି ଅଂଚଳରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଠିକ୍ ଭାବରେ ହେଉନଥିବା କଥା କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଥିଲେ ଏବଂ ବିଶେଷକରି ଘାଇ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏବେସୁଦ୍ଧା କିଛି ଦିଆଯାଇନାହିଁ ଖାଲି ପ୍ରଚାର ଚାଲିଛି। ଯେଉଁ କିଛି ଲୋକଙ୍କୁ ଦିଆଯାଉଛି ତାହା କେବଳ ସରକାରୀ ଦଳର କର୍ମୀଙ୍କୁ। ରିଲିଫ ଦେବାରେ ପାତ୍ର ଅନ୍ତର କରୁଥିବା ସାଧାରଣଲୋକ ଅଭିଯୋଗ କରିଥିଲେ ।ଏହି ଅବସରରେ କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ।ସେହିପରି ଏନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ଓ ବିଧାୟକ ବାହିନିପତି ଜିଲ୍ଳାପାଳଙ୍କୁ ଅବଗତ କରାଇବା ସହ ଖୁବ୍ଶୀଘ୍ର ଘାଇ ମରାମତି ସହ ସ୍ଥାୟୀ ପ୍ରତିକାର ପାଇଁ ପରାମର୍ଶ ଦେବା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କ କିପରି ରିଲିଫ ସାମଗ୍ରୀ ଓ ପଲିଥିନ ମିଳିବ ତାହାର ସୁ ବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କରିଥିଲେ।ଜିଲ୍ଲାପାଳଙ୍କୁ ଭେଟିବା ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଓ ଶ୍ରୀ ବାହାନିପତି ଭଦ୍ରକ ବନ୍ୟା ମନୁଷ୍ୟ କୃତ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ସରକାରଙ୍କ କାର୍ଯ୍ୟକାରିତା ଉପରେ ଅନେକ ପ୍ରଶ୍ନ କରିଛନ୍ତି। ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହିତ ସାରା ,କୀଟନାଶକ ଔଷଧ ,ବିହନ ତଳି ଯୋଗେଇବା ସହ ଆବଶ୍ୟକ ସ୍ଥଳେ ବନ୍ୟା ପ୍ରପିଡ଼ିତଙ୍କୁ ପାଲ ,ରିଲିଫ ସାମଗ୍ରୀ ଯୋଗାଇବାକୁ ଦାବି କରିଛନ୍ତି।ଯେଉଁ ଜାଗାରେ ସରକାରୀ ଅଫିସରଙ୍କ ଅବହେଳା ପାଇଁ ତାହାର ଉଚ୍ଚ ସ୍ତରୀୟ ସ୍ତରୀୟ ତଦନ୍ତ ପାଇଁ ଶ୍ରୀ ଜେନା ଓ ଶ୍ରୀ ବାହିନୀପତି ଦାବି କରିଛନ୍ତି।ଜଳବନ୍ଦୀ ଅଞ୍ଚଳରେ ୫୦ କିଲୋ ଚାଉଳ ଓ ୫୦୦ ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହାଉପରେ ପ୍ରଶ୍ନ ବାଚି ସୃଷ୍ଟି କରିବା ସହିତ ଏହାକୁ ସମଗ୍ର ବନ୍ୟା ପ୍ରଭାବିତ ଅଞ୍ଚଳରେ ଦିଆଯାଉ ବୋଲି ଦାବି କରିଛନ୍ତି।
ଯାଜପୁର ଝିଅ ଓଡ଼ିଶା ଟପର……
ଯାଜପୁର: ଶନିବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଏହି ପରୀକ୍ଷାରେ ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ ୯୧ ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରଖିଛନ୍ତି। ସମ୍ଭାବନା +୨ ପରୀକ୍ଷାରେ ସର୍ବାଧିକ ୫୪୬ ନମ୍ବର ରଖିଛନ୍ତି। ଟପ୍ପର ହେବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୂଅ । ଭବିଷ୍ୟତରେ ସେ ଶିକ୍ଷକତା କରିବାକୁ ଲକ୍ଷ୍ୟ ରଖିଛନ୍ତି ସମ୍ଭାବନା ।
ସମ୍ଭାବନାଙ୍କ ଘର ଯାଜପୁର ସଦର ବ୍ଲକ ଭୁଇଁପୁର ପଞ୍ଚାୟତର କଲ୍ୟାଣପୁର ଗାଁରେ । ତେବେ ତାଙ୍କ ବାପା ଗୋପାଳ ଚନ୍ଦ୍ର ସାହୁ ପାଣିକୋଇଲି ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ କାମ କରନ୍ତି। ନିଜ ସଫଳତାର ଶ୍ରେୟ ସମ୍ଭାବନା ନିଜ ପିତା ମାତାଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ।













