
ବର୍ଷକୁ ଥରେ ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି। କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ପାଇଁ ଅପେକ୍ଷା କରିଥାନ୍ତି ଭକ୍ତ। ଭାବର ଠାକୁର କାଳିଆ ସାଆନ୍ତେ ବି ଭକ୍ତର ମନକୁ ବୁଝି ଭାବ ଲଗାଇଦିଏ ଭକ୍ତଙ୍କ ମନରେ। ବ୍ୟାକୁଳ ହୋଇ ଭକ୍ତ ଛୁଟି ଆସନ୍ତି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ପାଇଁ। ରତ୍ନବେଦୀରୁ ଜନ୍ମବେଦୀକୁ ଓହ୍ଲାଇ ଆସନ୍ତି ଶ୍ରୀଜୀଉ। ନବଯୌବନ ଦର୍ଶନ ପରଦିନ ପହଣ୍ଡିରୁ ଆରମ୍ଭ ହୁଏ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ବଡ ଠାକୁର, ଚକ୍ରରାଜ ସୁଦର୍ଶନ, ସୁଭଦ୍ରା ଓ କାଳିଆ ସାଆନ୍ତେ ଝୁଲି ଝୁଲି ଆସନ୍ତି। ମହାପ୍ରଭୁ ଧାଡି ପହଣ୍ଡିରେ ବାଇଶି ପାହାଚଦେଇ ଦେଉଳରୁ ବାହାରକୁ ବାହାରି ଆସନ୍ତି। କି ଅପୂର୍ବ ଦୃଶ୍ୟ। ଚକାଚକା ସହ ଆଖି ମିଶାଇବା ପାଇଁ ଭକ୍ତ ଆକୁଳ ଓ ବ୍ୟାକୁଳ ହୋଇଥାଏ। ପହଣ୍ଡି ସମୟରେ ମହାପ୍ରଭୁ ଝୁଲିଝୁଲି ଆସୁଥିବେ ଭକ୍ତମାନେ ମଧ୍ୟ ଝୁଲିଝୁଲି ମହାପ୍ରଭୁଙ୍କୁ ଦେଖୁଥାନ୍ତି ଠେଲାପେଲା ହୋଇ। ମହାପ୍ରଭୁଙ୍କୁ ଚାହିଁ ନିଜ ଜୀବନକୁ ସାର୍ଥକ ମଣନ୍ତି ଶ୍ରଦ୍ଧାଳୁ। ଦିବ୍ୟ ନୟନ ସହ ଚର୍ମ ନୟନର ମିଳନର ଆନ୍ଦନ କେବଳ ଅନୁଭବ କରିହୁଏ। ସେଥିପାଇଁ ତ ସେ ଜଗତ ଠାକୁର, ଭକ୍ତ ପ୍ରେମରେ ବନ୍ଧା। ତା ପ୍ରେମରେ ସବୁ ପାଗଳ। ତେଣୁ ସେ ଲଗାଇ ଦିଏ ନାଟ।
ଏଥର ଗୁଣ୍ଡିଚାରେ ଲଘୁଚାପ ବର୍ଷା ଲାଗିରହିଥାଏ। କୋଟି ଓଡ଼ିଆଙ୍କ ମଉଡ଼ମଣିର ରଥଯାତ୍ରାରେ କିନ୍ତୁ ଏହାର ପ୍ରଭାବ କିଛି ନଥିଲା। ବର୍ଷା ଯେତେ ହେଉଥାଏ ଭକ୍ତ ଓ ଭଗବାନ କିନ୍ତୁ ବଡଦାଣ୍ଡରେ ପରସ୍ପରକୁ ଦେଖିବା ପାଇଁ ସେତେ ବ୍ୟାକୁଳ ହେଉଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ ଠାକୁର, ସୁଭଦ୍ରା ମା’ଙ୍କ ଧାଡି ପହଣ୍ଡି ପରେ ବାହାରିଲେ ଜଗତକର୍ତ୍ତା କାଳିଆ ସାଆନ୍ତେ। ଗୁମୁଟରୁ ସିଂହଦ୍ୱାର ପର୍ଯ୍ୟନ୍ତ ସାଆନ୍ତେ ଲଗାଇଦେଲେ ନାଟ। ଝୁଲିଝୁଲି, କଚାଡି ହୋଇ ପ୍ରଭୁ କେତେବେଳେ ଡାହାଣକୁ ତ କେତେବେଳେ ବାମକୁ, କେତେବେଳେ ପଛକୁ ତ କେତେବେଳେ ଆଗକୁ, ପୁଣି କେତେବେଳେ ଉପରକୁ ତ କେତେବେଳେ କେଉଁ କୋଣକୁ ଚାହାଣୀ ଦେଇ ଦେବଦେବୀ ଠାରୁ ମଣିଷ, କୀଟପତଙ୍ଗ ସଭିଙ୍କୁ ଚକାନୟନରେ ଚାହିଁ ଯେମିତି ପଚାରୁଛନ୍ତି ଆସିଚ ?? ହଉ ଦୁଃଖସୁଖ ହେବା। ଚକାନୟନର ଚାହାଣୀ ଏମିତି ଯେ ପୂରା ବିଶ୍ୱ ସେଥିରେ ପାଗଳ। ପ୍ରଭୁ ସଭିଙ୍କୁ ଦେଖି ଝୁଲିଝୁଲି ଓହ୍ଲାଇଆସିଲେ। ଭକ୍ତ ଓ ଭକ୍ତି, ପ୍ରେମ, ଭାବରେ ବନ୍ଧା କାଳିଆ ସାଆନ୍ତେ କାହିଁକି ଓ କେଉଁ କାରଣରୁ ବିନା ଟାହିଆରେ ବାଇଶି ପାହାଚରୁ ଓହ୍ଲାଇଲେ ତାହା ନାଟୁଆ ଠାକୁରଙ୍କୁ ଜଣା, ହେଲେ ଏଥର ଗୁଣ୍ଡିଚା ଯାତ୍ରାରେ ବିନା ଟାହିଆରେ ଜାଗତରନାଥ ଜଗନ୍ନାଥ ଓହ୍ଲାଇ ଆସିବାକୁ ନେଇ ଲାଗିଲା ନାଟ। ସେବାୟତ ଟାହିଆ ବିନା ମହାପ୍ରଭୁ ଆସିବା କାରଣ ବର୍ଷା ବୋଲି ଯୁକ୍ତି ବାଢିଥିଲେ। କିଛି ଭକ୍ତ କହିଥିଲେ ଏହା ମନ୍ଦିର ପ୍ରଶାସନ ଓ ସରକାରଙ୍କ ବିଫଳତା ତ ଆଉ କିଛି ଭକ୍ତ କହିଲେ ମହାପ୍ରଭୁ ରାଗିଛନ୍ତି ତେଣୁ ଘରୁ ବାହାରିବା ବେଳକୁ ମୁଣ୍ଡରୁ ଟାହିଆ କାଢ଼ିଦେଇ ଆସିଲେ। କିଏ ତ କହିଲେ ଭକ୍ତ ଯେତେବେଳେ ଭିଜିଛନ୍ତି ବର୍ଷାରେ ତେଣୁ ମହାପ୍ରଭୁ ବି ଭିଜିଭିଜି ଆସିଲେ ବିନା ଟାହିଆରେ ବଡ ଦାଣ୍ଡକୁ। ଏମିତି ଚର୍ଚ୍ଚା ଏଥର ସାଆନ୍ତେଙ୍କୁ ନେଇ ଆରମ୍ଭ ହୋଇଛି। ସାଆନ୍ତେ କାହିଁକି ଏମିତି ନାଟ ଲଗାଇଲେ ତାହା ସାଆନ୍ତେଙ୍କୁ ଜଣା। ଟାହିଆ ବିନା ସାଆନ୍ତେ ପୂରା ବିଶ୍ୱକୁ ନୂଆ ରୂପ ଦେଖାଇଲେ। ମହାପ୍ରଭୁଙ୍କ ଏପରି ରୂପଦେଖି ସମସ୍ତେ ପାଗଳ।
ମହାପ୍ରଭୁଙ୍କ ଇଚ୍ଛା ବିନା ପତ୍ରଟିଏ ହଲେ ନାହିଁ। ହୁଏତ ମହାପ୍ରଭୁ କେଉଁ ଭକ୍ତର ଇଚ୍ଛା ପୂରଣ ପାଇଁ ଏପରି ନାଟ ଲଗାଇଥିବେ। ନହେଲେ ଏପରି ନାଟ କରି ପୂରା ବିଶ୍ୱକୁ କିଛି ବାର୍ତ୍ତା ଦେଇଥିବେ। କିଏ ବା ବୁଝିବ ସାଆନ୍ତେଙ୍କ ଏ ନାଟ। ହଟିଆଠାକୁର ହରି ଭକ୍ତଭାବରେ ବନ୍ଧା। ସେଥିପାଇଁ ତ ସମସ୍ତେ କହୁଛନ୍ତି ଜଗାରେ ତୋ ନାଟ ତତେ ହିଁ ଜଣା। ଆମେ ତ ନିମିତ୍ତ ମାତ୍ର।

ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟିର ୨୦ତମ ପ୍ରତିଷ୍ଠା ଦିବସ ଗଭୀର ଉତ୍ସାହ ଓ ଆନନ୍ଦପୂର୍ଣ୍ଣ ପରିବେଶରେ ଶୁକ୍ରବାର ପାଳିତ ହୋଇଥିବା ବେଳେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱବିଦ୍ୟାଳୟ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା, ଉତ୍କର୍ଷତା ଓ ଅଗ୍ରଗତିକୁ ସ୍ମରଣ କରାଯିବା ସହ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ ଅଧିକ ଉଚ୍ଚ ସଫଳତା ହାସଲ କରିବା ନେଇ ଆହ୍ୱାନ ଦିଆଯାଇଥିଲା ।
୨୦ତମ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ୪ ଜଣ ପୂର୍ବତନ କୁଳପତି ନିଜ ଅଭିଜ୍ଞତା ବଖାଣିବା ସହ ସୋଆର ଉଲ୍ଲେଖନୀୟ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ସୋଆର କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ସଭାପତିତ୍ୱ କରି ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୦ ବର୍ଷ ମଧ୍ୟରେ ସୋଆକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଓ ବିକଶିତ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ ।
ସେ କହିଥିଲେ ଯେ \”୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ପୂରଣରେ ସୋଆ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା ସହ ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇବା ଉଚିତ ।”
ପୂବର୍ତନ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର (ଡାକ୍ତର) ବାନାର୍ଜୀଙ୍କ ସମେତ ପୂର୍ବତନ କୁଳପତି ପ୍ରଫେସର ମହୀପାଲ ଜୈନ, ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ସୋଆର ବର୍ତମାନ କୁଳପତି ଭାବେ ଅବସ୍ଥାପିତ ଥିବା ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ଏହି ଅବସରରେ ଉଦ୍ବୋଧନ ଦେଇଥିଲେ ।
ପ୍ରଫେସର ନନ୍ଦ କହିଥିଲେ ଯେ, ପୂର୍ବତନ କୁଳପତିମାନେ ବିଭିନ୍ନ କଠିନ ପରିସ୍ଥିତିରେ ସୋଆକୁ ସଫଳତାର ସହ ଆଗେଇ ନେଇଥିଲେ । \”ସୋଆର ବିଶେଷତ୍ୱ ହେଉଛି, ଏହା ପ୍ରତ୍ୟେକ ଆହ୍ୱାନର ସାମ୍ନା କରି ସଫଳତାର ସହ ଆଗକୁ ବଢ଼ିଛି,\” ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ସୋଆକୁ ଏକ ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ପ୍ରଶଂସା କରିଥିବା ସେ ଉଲ୍ଲେଖ କରିଥିଲେ ।
ସୋଆରେ ଗୁଣାତ୍ମକ ଗବେଷଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ବିଶ୍ୱବିଦ୍ୟାଳୟରେ ୧୮ଟି ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଏବଂ ୬୦ଟି ଗବେଷଣା ପରୀକ୍ଷାଗାର ସ୍ଥାପିତ ହୋଇଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
ବର୍ତମାନ ସମୟରେ ଅନୁବାଦାତ୍ମକ (ଟ୍ରାନ୍ସଲେସନାଲ) ଏବଂ ସହଯୋଗାତ୍ମକ ଗବେଷଣାର ଆବଶ୍ୟକତା ଥିବା ବେଳେ ସୋଆ ଏପର୍ଯ୍ୟନ୍ତ ୧୦୭ଟି ପାଟେଂଟ ହାସଲ କରିଥିବା ବେଳେ ସେଥିମଧ୍ୟରୁ ୩ଟିର ବ୍ୟାବସାୟିକ ବ୍ୟବହାର ଆରମ୍ଭ ହୋଇସାରିଛି ବୋଲି ସେ ସୂଚନା ଦେଇଥିଲେ ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦୃଢ଼ ନେତୃତ୍ୱର ପ୍ରଶଂସା କରି ପ୍ରଫେସର ନନ୍ଦ କହିଥିଲେ ଯେ, କଠିନ ସମୟରେ ସେ ଅବିଚଳ ରହି ଦୃଢ଼ତାର ସହ ବିଶ୍ୱବିଦ୍ୟାଳୟକୁ ଆଗେଇ ନେଇଥିଲେ, ଯାହା ଫଳରେ ସୋଆ ଆଜି ଦେଶର ଅଗ୍ରଣୀ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି ।
କାର୍ଯ୍ୟକ୍ରମରେ ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓଡ଼ିଶାରେ ବୈଷୟିକ ଶିକ୍ଷାର ପ୍ରତିଷ୍ଠା ନେଇ ଯେଉଁ ଦୂରଦୃଷ୍ଟି ରଖିଥିଲେ ତାହା ବର୍ତମାନ ୨୦ ବର୍ଷ ପରେ ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲ ଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ସହାୟକ ହେଉଛି ।
ପ୍ରଫେସର (ଡାକ୍ତର) ବାନାର୍ଜୀ କହିଥିଲେ ଯେ, ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ)-୨୦୨୫ ର୍ୟାଙ୍କିଙ୍ଗରେ ଦେଶରେ ୧୫ତମ ସ୍ଥାନ ଅଧିକାର କରିଥିବା ସୋଆ ପୂର୍ବ ଭାରତର ବେସରକାରୀ କ୍ଷେତ୍ରରେ ପ୍ରଥମ ପ୍ରାଣୀ ଚିକିତ୍ସାଳୟ ସ୍ଥାପନ କରିଛି । ବିଶ୍ୱବିଦ୍ୟାଳୟର ଗବେଷଣା ପ୍ରବନ୍ଧ ଓ ପ୍ରକାଶନର ଗୁଣବତା ମଧ୍ୟ ଅତ୍ୟନ୍ତ ଉଚ୍ଚମାନର ବୋଲି ସେ କହିଥିଲେ ।
ପୂର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ସୋଆକୁ ଏକ ସାମାଜିକ ଅର୍ନ୍ତଭୁକ୍ତିକରଣ ଭିତିକ ବିଶ୍ୱବିଦ୍ୟାଳୟ ବୋଲି ବର୍ଣ୍ଣନା କରି ଶିକ୍ଷାଦାନ ପ୍ରଣାଳୀ ଓ ଗବେଷଣାର ପଦ୍ଧତିରେ ଆସୁଥିବା ପରିବର୍ତନକୁ ଦୃଷ୍ଟିରେ ରଖି ଏକ ନୂତନ ଦୂରଦୃଷ୍ଟିପୂର୍ଣ୍ଣ ଦସ୍ତାବିଜ ଓ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ନାୟକଙ୍କ ଉଦ୍ୟୋଗୀ ମନୋଭାବର ମଧ୍ୟ ପ୍ରଶଂସା କରିଥିଲେ ।
ପୂର୍ବତନ କୁଳପତି ପ୍ରଫେସର ମହୀପାଲ ଜୈନ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବ୍ୟକ୍ତିତ୍ୱର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ।
କାର୍ଯ୍ୟକ୍ରମରେ ସୋଆର ରେଜିଷ୍ଟ୍ରାର ତଥା ଉପ-କୁଳପତି ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ପ୍ରଫେସର ନୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
୧୯୯୬-୯୭ ଶିକ୍ଷାବର୍ଷରେ ‘ଶିକ୍ଷା ଓ ଅନୁସନ୍ଧାନ’ ଅଧୀନରେ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପ୍ରତିଷ୍ଠା ମାତ୍ର ୧୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ କେବଳ ଏକ ନୂତନ ଇଞ୍ଜିନିୟରିଂ କଲେଜ ନୁହେଁ, ବରଂ ଓଡ଼ିଶାର ବୈଷୟିକ ଶିକ୍ଷାରେ ଏକ ନୂତନ ଦିଗନ୍ତର ଶୁଭାରମ୍ଭ ଥିଲା । ଆଜି ୧୦ଟି ଶିକ୍ଷା କ୍ଷେତ୍ରରେ ୧୩ଟି ସମ୍ବିଧାନିକ ଅନୁଷ୍ଠାନକୁ ନେଇ ସୋଆ ଏକ ବହୁବିଷୟକ ବିଶବିଦ୍ୟାଳୟରେ ପରିଣତ ହୋଇଛି । ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ସୋଆକୁ ‘ଡିମଡ୍ ଟୁ ବି ୟୁନିଭର୍ସିଟି’ ମାନ୍ୟତା ପ୍ରଦାନ କରିଥିଲା ।

ବର୍ଷସାରା ଯେଉଁ ଦିନକୁ ଅପେକ୍ଷା, ସେ ଦିନ ପାଖେଇ ଆସୁଛି। ଭକ୍ତ ବର୍ଷ ଆଗରୁ ଭାବି ରଖିଥାଏ— ଏବର୍ଷ ରଥ ଉପରେ ମହାପ୍ରଭୁଙ୍କୁ ଦେଖିବି, ତାଙ୍କୁ ମନକଥା କହିବି। ଏହା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ପର୍ବ। ଓଡ଼ିଶାର ସବୁଠାରୁ ବଡ଼ ପର୍ବ। ଆଉ ଏହି ପର୍ବ ପାଇଁ ସମସ୍ତଙ୍କ ମନ ବ୍ୟାକୁଳ।
କେତେବେଳେ ପହଣ୍ଡିରେ ଝୁଲି ଝୁଲି ମହାପ୍ରଭୁ ବଡଦାଣ୍ଡକୁ ଓହ୍ଲାଇ ଆସିବେ, ସେହି କ୍ଷଣକୁ ଚାହିଁ ସମସ୍ତେ ଅପେକ୍ଷା କରି ବସିଛନ୍ତି। ଦେବତାଙ୍କଠାରୁ ଆରମ୍ଭ କରି ଦାନବ ପର୍ଯ୍ୟନ୍ତ ସମସ୍ତେ ଚାହିଁ ରହିଛନ୍ତି ମହାପ୍ରଭୁଙ୍କ ଆଗମନର ବାଟକୁ। ସେଥିପାଇଁ ସଭିଙ୍କ ମନ ବ୍ୟାକୁଳ। ରଥ ଉପରେ ମନଭରି ମହାପ୍ରଭୁଙ୍କୁ ଦେଖିବା ପାଇଁ।
ଭକ୍ତ ଯେମିତି ବ୍ୟାକୁଳ, ସ୍ନାନପୂର୍ଣ୍ଣିମା ପରେ ସୁସ୍ଥ ହୋଇ ମହାପ୍ରଭୁ ମଧ୍ୟ ସେମିତି ଉଚ୍ଛନ୍ନ ହୋଇ ରହିଥାନ୍ତି ନିଜ ଭକ୍ତଙ୍କୁ ଦେଖିବା ପାଇଁ। ମହାପ୍ରଭୁ ହେଉଛନ୍ତି ଭାବର ଠାକୁର, ଭକ୍ତିର ଠାକୁର। ତାଙ୍କୁ ଯିଏ ଯେମିତି ଡାକିଛି, ଯେଉଁଠି ଭକ୍ତିର ସହ ଡାକିଛି, ସେ ସେଠି ପହଞ୍ଚି ଯାଇଛନ୍ତି।
କୋଳାହଳ ଭିତରେ ମଧ୍ୟ ଭକ୍ତ ଓ ଭଗବାନଙ୍କ ମନକଥାର ପରମ୍ପରା କାହିଁ କେଉଁ ଯୁଗରୁ ଚାଲି ଆସୁଛି। ବଡଦାଣ୍ଡକୁ ଓହ୍ଲାଇ ମହାପ୍ରଭୁ ଜଗତର ଦୁଃଖ ବୁଝିବା ସହ ଭକ୍ତଙ୍କ ସହ ମନଖୋଲି ଆଲୋଚନା କରନ୍ତି। ସେଥିପାଇଁ କେତେ ବିଧି, କେତେ ପରମ୍ପରା ଓ କେତେ ବ୍ୟବସ୍ଥା।
ନୀଳାଚଳଧାମରେ ମହାପ୍ରଭୁଙ୍କ ମାନବୀୟ ଲୀଳା ସମଗ୍ର ବିଶ୍ୱକୁ ଏକ ବଡ଼ ଶିକ୍ଷା ଦେଇଥାଏ। ଅନେକଙ୍କ ଭିତରେ ଏକ, ଆଉ ଏକରୁ ଅନେକ— ଏହା ହେଉଛି ତାଙ୍କର ଦର୍ଶନ। ଏଠାରେ ନାହିଁ ଛୁଆଁ-ଅଛୁଆଁର ଭେଦଭାବ, ନାହିଁ ବଡ଼-ଛୋଟର ବିଭାଜନ। ବଡଦାଣ୍ଡରେ ସମସ୍ତଙ୍କ ହୃଦୟ ବଡ଼ ହୋଇଯାଏ। ଦୟା, ପ୍ରେମ ଓ ଭାବରେ ସମସ୍ତେ ବନ୍ଧା ହୋଇଯାଆନ୍ତି।
ବଡଦାଣ୍ଡକୁ କେହି କିଛି ନେବା ପାଇଁ ଆସନ୍ତି ନାହିଁ, ବରଂ ଦେବା ପାଇଁ ଆସନ୍ତି। ଏଠି ପାପ କି ପୁଣ୍ୟର ବିଚାର ମଧ୍ୟ ନଥାଏ। କେବଳ ଭାବରେ ସମସ୍ତେ ବନ୍ଧା ହୋଇଯାଆନ୍ତି। ଜଗାର ପ୍ରେମ ସତରେ ଟିକେ ନିଆରା। ସେହି ପ୍ରେମରେ ସମସ୍ତେ ପାଗଳ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଜଗା ମଧ୍ୟ ବିଭୋର ହୋଇଯାଆନ୍ତି।
ନଅ ଦିନର ଏହି ଦିବ୍ୟ ଯାତ୍ରା ଶେଷ କରି ମହାପ୍ରଭୁ ଜନ୍ମବେଦୀରୁ ପୁଣି ଫେରିଆସନ୍ତି ରତ୍ନବେଦୀକୁ। ତେବେ କିଏ ବା ବ୍ୟାକୁଳ ନହେବ ଏହି ମହାଯାତ୍ରାରେ ସାମିଲ ହେବା ପାଇଁ? ସେଥିପାଇଁ ତ ପୁରୀ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଓ ଭକ୍ତିର ଉତ୍ସାହରେ ଉଛୁଳି ପଡ଼ୁଛି। କାରଣ, ଏହା କେବଳ ଏକ ଯାତ୍ରା ନୁହେଁ— ଏହା ଭକ୍ତି, ଭାବ ଓ ମହାପ୍ରଭୁଙ୍କ ସହ ଅପୂର୍ବ ମିଳନର ମହାପର୍ବ।
ମୂଳ ଭାବ ଓ ଶବ୍ଦକୁ ଅପରିବର୍ତ୍ତିତ ରଖି କେବଳ ବାକ୍ୟ ଗଠନ, ବିରାମଚିହ୍ନ ଓ ଭାଷାର ପ୍ରବାହକୁ ଅଧିକ ସୁନ୍ଦର କରାଯାଇଛି।

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି : ବିଜେଡି
* ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
* ବିଶୃଙ୍ଖଳା ଆଚରଣ ପାଇଁ ଦଳରୁ ବହିଷ୍କାର ହୋଇଥିଲେ।
ଭୁବନେଶ୍ୱର : ପୂର୍ବତନ ବିଜେଡି ବିଧାୟକ ଶ୍ରୀ ପ୍ରଭାତ ବିଶ୍ୱାଳ ଆଜି ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ବେଳେ ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିବା ପରେ ବିଜେପି ଚିଟଫଣ୍ଡ ଅଭିଯୁକ୍ତ ପ୍ରଭାତଙ୍କୁ ପାର୍ଟିରେ ସାମିଲ କରିବାକୁ ନେଇ କଟାକ୍ଷ କରିଛି।ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି କହିଛନ୍ତି, ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ହେବା ପରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ଗତ କିଛି ମାସ ତଳେ ତାଙ୍କର ବିଶୃଙ୍ଖଳା ଆଚରଣ ଯୋଗୁ ତାଙ୍କୁ ଦଳରୁ ବହିଷ୍କାର କରା ଯାଇଥିଲା। ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏହା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ଡ ମହାନ୍ତି କହିଥିଲେ, ବିଜେପି ଗତ ନିର୍ବାଚନ ବେଳେ କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅଠର ମାସ ଭିତରେ ଟଙ୍କା ଫେରସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ, ଟଙ୍କା ଫେରାଇବା କଥା ଦୂରେ ଥାଉ, ଏବେ ଜଣେ ଚିଟଫଣ୍ଡ ଅଭିଯୁକ୍ତ ନେତାଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି। ଏହା ଓଡିଶାର ଅଗଣିତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପ୍ରତି ଉପହାସ। ଏହା ବିଜେପିର ନୈତିକ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି।

ଦେଶର ଶିଳ୍ପ ଓ ଅର୍ଥନୈତିକ ବିକାଶକୁ ଗତିଶୀଳ କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଅପରିହାର୍ଯ୍ୟ ବୋଲି ଶନିବାର ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଥିବା ଭାରତୀୟ ଜାତୀୟ ଯାନ୍ତ୍ରିକ ଏକାଡେମୀ (ଆଇଏନଏଇ) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଦ୍ୱିତୀୟ ଟେକ୍ନୋଲୋଜି କନ୍କ୍ଲେଭରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ପଣ୍ଡା କହିଥିଲେ ଯେ, ଭାରତରେ ଇସ୍ପାତ ଉତ୍ପାଦନ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇନାହିଁ ଏବଂ ଦେଶର ସମସ୍ତ ଇସ୍ପାତ କାରଖାନା ବିଦେଶରୁ ଅଣାଯାଇଥିବା ପ୍ରଯୁକ୍ତି ଉପରେ ନିର୍ଭର କରୁଛି ।
ସେ କହିଥିଲେ, “ଇସ୍ପାତ ଉତ୍ପାଦନରେ ପ୍ରଦୂଷଣ ହ୍ରାସ କରିବା ସହ ସ୍ୱଦେଶୀ ପ୍ରଯୁକ୍ତିର ବିକାଶ ପାଇଁ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି ।”
ଇସ୍ପାତ ଉତ୍ପାଦନ ଏକ ଅତ୍ୟନ୍ତ ପ୍ରଦୂଷଣକାରୀ ପ୍ରକ୍ରିୟା ହୋଇଥିବାରୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଶିକ୍ଷାବିତ୍, ବୈଷୟିକ ବିଶେଷଜ୍ଞ ଓ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରହିବା ଆବଶ୍ୟକ ବୋଲି ଡକ୍ଟର ପଣ୍ଡା କହିଥିଲେ । ବ୍ଲାଷ୍ଟ ଫର୍ଣ୍ଣେସ୍ରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ବଡ଼ ଆହ୍ୱାନ ହୋଇଥିବା ବେଳେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ହିଁ ଏହାର ସମାଧାନର ରାସ୍ତା ବାହାର କରିପାରିବ ବୋଲି ସେ କହିଥିଲେ ।
ବର୍ତମାନ ବାର୍ଷିକ ୧୬୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନକୁ ଆଗାମୀ ଚାରିରୁ ପାଂଚ ବର୍ଷ ମଧ୍ୟରେ ପ୍ରାୟ ୩୦୦ ନିୟୁତ ଟନ୍କୁ ବୃଦ୍ଧି କରିବା ଭାରତର ଲକ୍ଷ୍ୟ ଥିବା ବେଳେ ଇସ୍ପାତ ଉତ୍ପାଦନରେ କୋକ୍ ପରିବର୍ତେ ହାଇଡ୍ରୋଜେନ୍୍ ବ୍ୟବହାର ଏକ ପରିବେଶ ଅନୁକୂଳ ବିକଳ୍ପ ହୋଇପାରିବ ବୋଲି ସେ କହିଥିଲେ ।
ସେଲର ପାଂଚଟି ପ୍ରମୁଖ ଇସ୍ପାତ କାରଖାନାରେ କ୍ଷମତା ବୃଦ୍ଧି ସହ ଡିଜିଟାଲାଇଜେସନ୍ ଓ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ମାଧ୍ୟମରେ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରାଯାଉଥିବା ଡକ୍ଟର ପଣ୍ଡା କହିଥିଲେ । ପ୍ରଯୁକ୍ତିଭିତିକ ଷ୍ଟାର୍ଟଅପଗୁଡ଼ିକ ମଧ୍ୟ ଏହି କ୍ଷେତ୍ରରେ ଉନ୍ନତ ପ୍ରଯୁକ୍ତି ବିକାଶରେ ସହଯୋଗ କରିପାରିବେ ବୋଲି ସେ କହିଥିଲେ ।
ଆଇଏନଏଇର ସଭାପତି ଶ୍ରୀ ଜେ.ଡି. ପାଟିଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସମାରୋହରେ ପୂର୍ବତନ ଆଇଏନଏଇ ସଭାପତି ଓ ବିଟ୍ସ ମେସ୍ରାର କୁଳପତି ପ୍ରଫେସର ଇନ୍ଦ୍ରନୀଲ ମାନ୍ନା, ଡାନିଏଲି ଇଣ୍ଡିଆର ସିନିୟର ଭାଇସ୍ ପ୍ରେସିଡେଂଟ ଶ୍ରୀ ମନୋରଞ୍ଜନ ରାମ ଏବଂ ଆଇଏନଏଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ତଥା ସୋଆର ଆନ୍ତର୍ଜାତିକ ଊପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ବକ୍ତବ୍ୟ ରଖିଥିଲେ ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଆଇଟି ଭୁବନେଶ୍ୱରର ଗବେଷଣା ଡିନ୍ ତଥା ଆଇଏନଏଇ ଭୁବନେଶ୍ୱର ଚାପ୍ଟରର ସମ୍ପାଦକ ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀ ମନୋରଞ୍ଜନ ରାମ କହିଥିଲେ ଯେ ଭାରତ ଏପର୍ଯ୍ୟନ୍ତ ଇସ୍ପାତ ଉତ୍ପାଦନରେ ବିଦେଶୀ ପ୍ରଯୁକ୍ତି ଉପରେ ନିର୍ଭରଶୀଳ । “ସ୍ୱଦେଶୀ ପ୍ରଯୁକ୍ତି ବିକାଶ ବିନା ଭାରତ କେବେ ମଧ୍ୟ ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ,” ବୋଲି ସେ କହିଥିଲେ ।
ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତର ବ୍ୟୟ ତୁଳନାତ୍ମକ ଭାବେ କମ୍ ଥିବାରୁ ନୂତନ ପ୍ରଯୁକ୍ତି ବିକାଶ ପାଇଁ ସରକାରୀ ପୁଞ୍ଜିନିବେଶ ବୃଦ୍ଧି ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।
ଦୁଇ ଦିନିଆ ଏହି କନ୍କ୍ଲେଭରେ ବିତରଣ ଭିତିକ କ୍ଷୁଦ୍ର ଓ ମଧ୍ୟମ ଆକାରର ପରମାଣୁ ରିଆକ୍ଟର ମାଧ୍ୟମରେ ଦୀର୍ଘମିଆଦୀ ଶକ୍ତି ସୁରକ୍ଷା, ତୈଳ ଓ ପ୍ରାକୃତିକ ଗ୍ୟାସ ଅନ୍ୱେଷଣ, କୋଇଲା ଗ୍ୟାସିଫିକେସନ୍, ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ରେଆର ଆର୍ଥର୍ ଉତୋଳନ, ସ୍ୱାସ୍ଥ୍ୟ ପ୍ରଯୁକ୍ତି, ପରିବହନ ଓ ଲଜିଷ୍ଟିକ୍ସ ଏବଂ ପରବର୍ତୀ ପିଢ଼ି ଯୋଗାଯୋଗ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ ।
ଦେଶର ବିଭିନ୍ନ ସ୍ଥାନରୁ ପ୍ରଯୁକ୍ତିବିଦ୍ୟା, ଗବେଷକ, ଅଧ୍ୟାପକ, ଶିଳ୍ପ ବିଶେଷଜ୍ଞ ଓ ନୀତି ନିର୍ଦ୍ଧାରକମାନେ ଏହି କନ୍କ୍ଲେଭରେ ସାମିଲ ହୋଇଛନ୍ତି । ଗତବର୍ଷ ଆଇଆଇଟି ବମ୍ବେରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି କନ୍କ୍ଲେଭ ହେଉଛି ୪୦ ବର୍ଷ ପୁରୁଣା ଆଇଏନଏଇର ଏକ ପ୍ରମୁଖ କାର୍ଯ୍ୟକ୍ରମ ।
ପ୍ରଫେସର ଦାମୋଦର ଆଚାର୍ଯ୍ୟ କହିଥିଲେ ଏହି କନ୍କ୍ଲେଭର ଉଦ୍ଦେଶ୍ୟ ହେଉଛି ଯୁବ ଯାନ୍ତ୍ରିକ ପେସାଦାରମାନଙ୍କୁ ଦେଶର ଉଦୀୟମାନ ପ୍ରଯୁକ୍ତିଗତ ସମସ୍ୟା ସହ ପରିଚିତ କରାଇବା ସହ ସେଗୁଡ଼ିକର ସମାଧାନ ପାଇଁ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା । ଏହା ସହିତ ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଅଭିନବ ପ୍ରଯୁକ୍ତି ପ୍ରଦର୍ଶନ ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିବ ।
ଏହି କନ୍କ୍ଲେଭରେ ନ୍ୟୁକ୍ଲିୟର ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁବନ ଚନ୍ଦ୍ର ପାଠକ, ଅଏଲ୍ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରଞ୍ଜିତ ରଥ, ଅନୁରାଗ ବିଶ୍ୱବିଦ୍ୟାଳୟର କୁଳାଧିପତି ଓ ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ୟୁ.ବି. ଦେଶାଇ, ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ମୁମ୍ବାଇର ପ୍ରଫେସର ଜି.ଡି. ଯାଦବ, ଆଇଆଇଟି ମାଡ୍ରାସର ପ୍ରଫେସର ଶାନ୍ତି ପବନ ଏବଂ ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରବି ନାରାୟଣ ପାତ୍ର ବକ୍ତବ୍ୟ ରଖିବେ ।
ଏଥି ସହ ପରିବହନ ଓ ଲଜିଷ୍ଟିକ୍ସ, ସ୍ୱାସ୍ଥ୍ୟ ପ୍ରଯୁକ୍ତି ଏବଂ ଶକ୍ତି ନିର୍ଭରଶୀଳ ଶିଳ୍ପଗୁଡ଼ିକରେ ଶକ୍ତି ବ୍ୟବହାର ହ୍ରାସ ଓ ବିବିଧୀକରଣ ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ ।
ଏହି କନ୍କ୍ଲେଭରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରନ୍ଦିକର, ଡିଆରଡିଓର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମର ମହାନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ ଦେବ ପ୍ରମୁଖ ଯୋଗଦେଇ ମତ ରଖିବେ ।

୨୪ ବର୍ଷ ବହୁ ପରିଶ୍ରମ କରିଛି | ଦଳ ପାଇଁ ନିଷ୍ଠା ଦେଖାଇଛି | ୩୦ ବର୍ଷ ହେଲା ଜନ ସେବା କରୁଛି : ପ୍ରଭାତ
ମୁଁ ଭାବିଥିଲି ସୁନାକୁ ଚିନ୍ହିବେ କିନ୍ତୁ ମୋ ଆକଳନ ଭୁଲ ହେଲା | ବଣିଆ ହୋଇ ସୁନା ଚିହିଁଲେ ନାହିଁ : ପ୍ରଭାତ
*ଖାଣ୍ଟି ସୁନାକୁ ଚିହ୍ନିଲା ନାହିଁ କିନ୍ତୁ ବିଳମ୍ବ ହେଉ ପଛେ ବିଜେପି ସୁନାକୁ ଚିହ୍ନିଲା : ପ୍ରଭାତ*
*୭ ଦିନ ଧରି ଡେରା ପକାଇଛନ୍ତି, କର୍ପରେଟରମାନଙ୍କୁ ଅଟକାଇ ରଖିଛନ୍ତି : ପ୍ରଭାତ*
*ଗୁଣ୍ଡୁଚି ମୂଷା ଭଳି ବିଜେପି କାମ କରିବି ବୋଲି ପ୍ରଭାତ କହିଛନ୍ତି…*
ବିଶାଳ ସଂଗଠନ ରେ ମୁଁ ସାଧାରଣ କର୍ମୀ ବହୁ ଲୋକର ଜାତକ ମୋ ପାଖେ ଅଛି ବୋଲି କହିଲେ ପ୍ରଭାତ | ଶେଷ ପର୍ଯ୍ୟନ୍ତ ସତ୍ୟର ଜୟ ହୋଇଛି | ୧୨ ବର୍ଷ ଜଣକ ଦାୟିତ୍ଵ ରେ ପ୍ରଚ୍ଛଦ ପଟରେ କାମ କରିଥିଲି ଏବଂ ଅନ୍ୟ ୧୨ ବର୍ଷ ଆଉ ଜଣଙ୍କ ନେତୃତ୍ବରେ ରହିଲା | ମୋଠୁ ସହଯୋଗ ବି ନେଉଥିଲେ…
ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇ ମୁଁ ଆନନ୍ଦିତ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦର୍ଶ | ଓଡିଶା ଓ ପଶ୍ଚିମ ବଙ୍ଗ ନିର୍ବାଚନ ତାହାର ଉଦାହରଣ | ଏହି ମଞ୍ଚ ରୁ ତାଙ୍କୁ ପ୍ରଣାମ | ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ରାଜ୍ୟ ଓ ଦେଶ ଆଗକୁ ଯିବ | ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ମୁଁ ବହୁ ପୂର୍ବରୁ ଜାଣିଛି | ବିଧାନସଭାରେ ଭେଟ, କଟକ ଆସନ୍ତି | କେନ୍ଦୁଝର ଗଲେ ମତେ ଖୁବ୍ ଆତିଥ୍ୟ ଦିଅନ୍ତି | ମୋହନ ମାଝି ଲୋକଙ୍କ ସରକାର | ଜନେ ଭଲ ମଣିଷ, ଦରଦୀ ଲୋକ | ଆମକୁ ତାଙ୍କ ସାଙ୍ଗରେ ସାମିଲ କରିଛନ୍ତି | ରାଜ୍ୟ ସଭାପତି ମତେ ବ୍ୟକ୍ତିଗତ ବହୁ ଭଲ ପାଆନ୍ତି | ରାଜ୍ୟ ସଭାପତି ପରିଶ୍ରମର ଚିନ୍ତାଧାରା | କଟକ ଜିଲାରେ ସମସ୍ତ ନେତୃତ୍ବଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି ବୋଲି ପ୍ରଭାତ ବିଶ୍ୱାଳ, କହିଛନ୍ତି।

ତା 10.6 ରିଖ ସରକାରଙ୍କ ‘କେଜି ରୁ ପିଜି’ ମାଗଣା ଶିକ୍ଷା ଏବଂ ଏହାକୁ ନେଇ ହୋଇଥିବା ଠକାମୀ ଉପରେ ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଯୋଗଦେଇ କହିଲେ, ବିଜେପି ସରକାରଙ୍କ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘କେଜି ରୁ ପିଜି’ ମାଗଣା ଶିକ୍ଷାର ଢେଣ୍ଡୁରା କେବଳ ଏକ ପ୍ରଚାର ସର୍ବସ୍ୱ ମାୟାଜାଲ । ସରକାରୀ ବିଜ୍ଞପ୍ତିକୁ ନିରେଖି ଦେଖିଲେ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି, ଏହା ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ନୁହେଁ, ବରଂ କେବଳ ‘ନାମଲେଖା ଫି’ (Admission Fee) ଛାଡ଼ର ଏକ ଭେଳିକି ।
ଯେଉଁ ରାଜ୍ୟରେ ଶିକ୍ଷକ ନାହାନ୍ତି, ସ୍କୁଲ-କଲେଜରେ ଭିତ୍ତିଭୂମି ନାହିଁ ଏବଂ ପାଠ୍ୟପୁସ୍ତକରେ ମାଳ ମାଳ ଭୁଲ୍ ରହୁଛି, ସେଠାରେ ଏଭଳି ଘୋଷଣା ଓଡ଼ିଶାର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଏକ କ୍ରୁର ପରିହାସ ବୋଲି ଶ୍ରୀ ନାୟକ କହିଥିଲେ l
ପିସିସିର ମୁଖପାତ୍ର ଆଡ଼ଭୋକେଟ ଜୟଶ୍ରୀ ପାତ୍ର କହିଛନ୍ତି ଯେ, ବିଜେପି ସରକାର କେବଳ ପାଠ୍ୟପୁସ୍ତକ କେଳେଙ୍କାରୀକୁ ଲୁଚାଇ ନଜର ହଟାଇବା ପାଇଁ ଏହି ମିଛ ପ୍ରଚାର ପ୍ରସାର ତିଆରି କରୁଛି ।
କେବଳ ନାମଲେଖା ଫି ଛାଡ଼ କଣ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା?
ସରକାରୀ ଚିଠିରେ କେବଳ “Admission Fee” ଛାଡ଼ କରିବାକୁ କୁହାଯାଇଛି । ତେବେ ଟ୍ୟୁସନ ଫି, ପରୀକ୍ଷା ଫି, କଲେଜ ବିକାଶ ପାଣ୍ଠି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ କଣ ସରକାର ବହନ କରିବେ? ଯଦି ନା, ତେବେ ଏହାକୁ “ସମ୍ପୂର୍ଣ୍ଣ ମାଗଣା” କହି ଓଡ଼ିଶାବାସୀଙ୍କୁ କାହିଁକି ବିଭ୍ରାନ୍ତ କରାଯାଉଛି?
ବିନା ଶିକ୍ଷକରେ ମାଗଣା ଶିକ୍ଷା କିଭଳି ସମ୍ଭବ?
ପିଲାଙ୍କ ପାଇଁ ପାତରଅନ୍ତର କାହିଁକି?
ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ପଢ଼ୁଥିବା ବୈଷୟିକ ବା ପ୍ରଫେସନାଲ୍ କୋର୍ସଗୁଡ଼ିକୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି । ଏହା ଦ୍ଵାରା କଣ ରାଜ୍ୟର ଅର୍ଦ୍ଧେକରୁ ଅଧିକ ଉଚ୍ଚଶିକ୍ଷା କରୁଥିବା ଗରିବ ପିଲା ବଞ୍ଚିତ ହେବେ ନାହିଁ କି?
ଶିକ୍ଷା ବିଭାଗର ସମନ୍ୱୟ ଅଭାବ କାହିଁକି?
ସ୍କୁଲ୍ ଆଣ୍ଡ ମାସ ଏଜୁକେସନ ଡିପାର୍ଟମେଣ୍ଟ ଗୋଟିଏ ପଟେ ଚିଠି ଲେଖି ଫି ଛାଡ଼ର ବାହାବା ନେଉଛି, କିନ୍ତୁ ନିଜ ଅଧୀନରେ ଥିବା ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଏଭଳି ସମନ୍ୱୟହୀନ ସରକାରଙ୍କୁ ଓଡ଼ିଶାର ଜନସାଧାରଣ କାହିଁକି ବିଶ୍ୱାସ କରିବେ?ତେଣୁ ଏହା ମାଗଣା ଶିକ୍ଷା ନାଁ ରେ ମାନହୀନ ଶିକ୍ଷା ବ୍ୟବସ୍ଥା ବୋଲି ଶ୍ରୀମତୀ ପାତ୍ର ଅଭିହିତ କରିଛନ୍ତି l
ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଦ୍ବୟ କଂଗ୍ରେସର ନିମ୍ନଲିଖିତ ଦାବୀ ଏହି ଜ୍ଞାନଦୋୟ ଯୋଜନାରୁ ଲୁଚିଥିବା ସର୍ତ୍ତ ହଟାନ୍ତୁ। ଖାଲି ଆଡମିଶନ ଫି ନୁହେଁ, ସମସ୍ତ ପ୍ରକାରର କଲେଜ ଡେଭଲପମେଣ୍ଟ ଫି, ଟ୍ୟୁସନ ଫି ଏବଂ ବୈଷୟିକ ବା ପ୍ରଫେସନାଲ୍ କୋର୍ସକୁଏଥିରେ ସାମିଲ କରାଯାଉ। ପ୍ରକୃତରେ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ଦିଅନ୍ତୁ ବୋଲି ଉପସ୍ଥାପନ କରିଛନ୍ତ

କକର୍ଟ ରୋଗ ଓ ବଂଶଗତ ରୋଗର ସଠିକ୍ ନିର୍ଣ୍ଣୟ ଓ ବ୍ୟକ୍ତି କୈନ୍ଦ୍ରିକ ଚିକିତ୍ସା (ପ୍ରିସିଜନ୍ ମେଡିସିନ୍) କ୍ଷେତ୍ରରେ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏକ ଐତିହାସିକ ସଫଳତା ହାସଲ କରିଛି । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ଏକ ସଂପୂର୍ଣ୍ଣ ଇନ୍-ହାଉସ୍ ଜିନୋମିକ୍ସ ଲ୍ୟାବ୍ ସ୍ଥାପନ କରିଛି । ଏହା ଫଳରେ ଅତ୍ୟାଧୁନିକ ଜିନୋମିକ୍ ପରୀକ୍ଷା ପାଇଁ ରୋଗୀମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।
ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ (ଏନ୍ଜିଏସ୍), ସାଇଟୋଜେନେଟିକ, ଫ୍ଲୁରେସେନ୍ସ ଇନ୍ ସିଟୁ ହାଇବ୍ରିଡାଇଜେସନ୍ (ଏଫ୍ଆଇଏସ୍ଏଚ) ଏବଂ ଅନ୍ୟ ମଲିକ୍ୟୁଲାର ପରୀକ୍ଷାଗୁଡ଼ିକ ଏହି ଅତ୍ୟାଧୁନିକ ଜିନୋମିକ୍ ପରୀକ୍ଷଣ ଲ୍ୟାବ୍ରେ କରାଯାଉଥିବା ସୂଚନା ଦେଇଛନ୍ତି ହସ୍ପିଟାଲର ମଲିକ୍ୟୁଲାର ଡାଏଗ୍ନୋସିସ୍ ଆଣ୍ଡ ଜିନୋମିକ୍ସ ବିଭାଗର ମୁଖ୍ୟ ଡାକ୍ତର ଶିବାଙ୍ଗୀ ହାରଣଖେଡକର । ଡାକ୍ତର ହାରଣଖେଡକର କହିଛନ୍ତି ଯେ ବିଭିନ୍ନ ଅଣୁସ୍ତରୀୟ ପରୀକ୍ଷା ଇତ୍ୟାଦି ସୁବିଧାରେ ସୁସଜ୍ଜିତ ଏହି ଲ୍ୟାବ୍ କର୍କଟ ରୋଗ, ରକ୍ତ ସମ୍ବନ୍ଧୀୟ ରୋଗ ଏବଂ ବଂଶଗତ ରୋଗର ସଠିକ୍ ନିର୍ଣ୍ଣୟ, ରୋଗର ପ୍ରକୃତ ନିର୍ଦ୍ଧାରଣ ଓ ଚିକିତ୍ସାର ଅଗ୍ରଗତି ଉପରେ ନଜର ରଖିବାରେ ସହାୟକ ହେଉଛି ।
\”କର୍କଟ ରୋଗର ଚିକିତ୍ସା ଏବେ କେବଳ ମାଇକ୍ରୋସ୍କୋପ୍ରେ ଦେଖାଯାଉଥିବା ଚିତ୍ର ଉପରେ ନିର୍ଭର କରୁନାହିଁ । ଜେନେଟିକ୍ ସୂଚନାର ବିଶ୍ଳେଷଣ ମାଧ୍ୟମରେ ରୋଗର ପ୍ରକୃତ କାରଣ ଜାଣି ବ୍ୟକ୍ତି କୈନ୍ଦ୍ରିକ ଚିକିତ୍ସା ସମ୍ଭବ ହେଉଛି । ଆମେ ପ୍ରିସିଜନ୍ ମେଡିସିନ୍ର ଯୁଗରେ ପ୍ରବେଶ କରିଛୁ,\” ବୋଲି ସେ କହିଛନ୍ତି ।
ଏମ୍ସ, ନୂଆଦିଲ୍ଲୀ ଏବଂ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲର ଆଡ୍ଭାନ୍ସଡ ସେଂଟର ଫର ଟ୍ରିଟମେଂଟ, ରିସର୍ଚ୍ଚ ଆଣ୍ଡ ଏଜୁକେସନ୍ରେ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ହାରଣଖେଡକର କହିଛନ୍ତି ପୂର୍ବରୁ ଓଡ଼ିଶାର ରୋଗୀମାନେ ଉନ୍ନତ ଜିନୋମିକ୍ ପରୀକ୍ଷା ପାଇଁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ କିମ୍ବା ବେଙ୍ଗାଲୁରୁ ଭଳି ସହର ଉପରେ ନିର୍ଭର କରୁଥିଲେ । ବର୍ତମାନ ଏହି ସୁବିଧା ଭୁବନେଶ୍ୱରରେ ଉପଲବ୍ଧ ହୋଇଥିବାରୁ ରୋଗୀମାନଙ୍କ ସମୟ ଓ ଖର୍ଚ୍ଚ ଉଭୟ ହ୍ରାସ ପାଇବ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ବର୍ତମାନ ଓଡ଼ିଶାର ଏକମାତ୍ର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଯେଉଁଠାରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଜିନୋମିକ୍ସ ଲ୍ୟାବ୍ ରହିଛି । ଏହା କେବଳ ରୋଗୀ ସେବା ନୁହେଁ ମାତ୍ର ଡାକ୍ତରୀ ଛାତ୍ରଛାତ୍ରୀ, ସ୍ନାତକୋତର ଓ ସୁପରସ୍ପେଶାଲିଟି ରେସିଡେଂଟଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ ଏବଂ ଗବେଷଣାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି ।
ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି, ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ଲ୍ୟାବକୁ ନମୁନା ଆସୁଥିବାରୁ ରୋଗୀମାନଙ୍କୁ ଆଉ ଦୂର ସହରକୁ ନମୁନା ପଠାଇବାକୁ ପଡ଼ୁନାହିଁ । ଏହା ଦ୍ୱାରା ରିର୍ପୋଟ ଶୀଘ୍ର ମିଳିବା ସହିତ ଦୁର୍ଗମ ଅଂଚଳର ରୋଗୀମାନେ ମଧ୍ୟ ଉନ୍ନତ ଜେନେଟିକ୍ ସେବାର ସୁବିଧା ପାଇପାରୁଛନ୍ତି ।
ଅତ୍ୟାଧୁନିକ ସିକ୍ୱେନ୍ସିଂ ପ୍ଲାଟଫର୍ମ, ପିସିଆର, ଏଫ୍ଆଇଏସ୍ଏଚ, ସାଇଟୋଜେନେଟିକ୍ସ ଓ ଅନ୍ୟାନ୍ୟ ଅଣୁସ୍ତରୀୟ ପ୍ରଯୁକ୍ତିକୁ ଏକାଠି କରି ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ ଓଡ଼ିଶାରେ ଜିନୋମିକ୍ ମେଡିସିନ୍ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛି ବୋଲି ପ୍ରଫେସର (ଡାକ୍ତର) ସାମନ୍ତସିଂହାର କହିଛନ୍ତି ।

ବିଦେଶରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ପୁରୀ ଶ୍ରୀମନ୍ଦିରରେ ପାଳିତ ପାରମ୍ପରିକ ବୈଦିକ ତିଥି ଅନୁଯାୟୀ ଆୟୋଜନ କରିବା ପାଇଁ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କରିଥିବା ଅନୁରୋଧକୁ ଇସ୍କନ ପ୍ରତ୍ୟାଖ୍ୟାନ କରିଥିବା ଘଟଣାକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି ଖଣ୍ଡପଡ଼ା ଗଡ଼ଜାତର ରାଜା, ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିରର ବଂଶାନୁକ୍ରମିକ ଟ୍ରଷ୍ଟି (Hereditary Trustee) ଏବଂ ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ମର୍ଦରାଜ।
ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ମର୍ଦରାଜ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ପ୍ରାଚୀନ ପରମ୍ପରାର ଉଲ୍ଲଙ୍ଘନ କେବଳ ଓଡ଼ିଆ ଜାତି ପ୍ରତି ନୁହେଁ, ବରଂ ସମଗ୍ର ହିନ୍ଦୁ ସମାଜର ଧାର୍ମିକ ଭାବାବେଗ ପ୍ରତି ଅସମ୍ମାନ ସଦୃଶ। ସେ କହିଛନ୍ତି ଯେ, ପୁରୀ ଗଜପତି ମହାରାଜ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଏବଂ ଚଳନ୍ତି ପ୍ରତିମା ଭାବେ ସର୍ବଜନବିଦିତ। ତେଣୁ ତାଙ୍କର ଅନୁରୋଧକୁ ଇସ୍କନ ଏଭଳି ପ୍ରତ୍ୟାଖ୍ୟାନ କରିବା ଅତ୍ୟନ୍ତ ଅନୁଚିତ ଓ ଦୁର୍ଭାଗ୍ୟଜନକ।ଶ୍ରୀ ମର୍ଦରାଜ କହିଛନ୍ତି ଯେ, ବିଦେଶରେ ରଥଯାତ୍ରା ପାଳନ ସମ୍ପର୍କିତ ଏହି ପ୍ରସଙ୍ଗକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ, ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାର ଗୁରୁତ୍ୱର ସହ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବା ଉଚିତ।
ସେ ଆହୁରି କହିଛନ୍ତି ଯେ, ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିରରେ ପୁରୀ ଶ୍ରୀମନ୍ଦିରର ସମସ୍ତ ନୀତିନିୟମ ଓ ପରମ୍ପରାକୁ ଅନୁସରଣ କରାଯାଇ ରଥଯାତ୍ରା ସହ ସମସ୍ତ ପର୍ବପର୍ବାଣୀ ପାଳନ କରାଯାଏ। ଏହି ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସମସ୍ତ ଜଗନ୍ନାଥପ୍ରେମୀଙ୍କ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବିଦେଶରେ ରଥଯାତ୍ରା ତିଥି ପରିବର୍ତ୍ତନ ପ୍ରସଙ୍ଗରେ ଗତ ଜୁଲାଇ ୪ ତାରିଖରେ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଇସ୍କନର ଗଭର୍ଣ୍ଣିଂ ବଡି କମିଶନ (ଜିବିସି)କୁ ଚିଠି ଲେଖି ଏହାର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଜୁଲାଇ ୭ରେ ଜିବିସି ଅଧ୍ୟକ୍ଷ ଶ୍ରୀ ମଧୁସେବିତା ଦାସ ଇ-ମେଲ୍ ମାଧ୍ୟମରେ ଜଣାଇଥିଲେ ଯେ, ଇସ୍କନ ତାହାର ନୀତିରେ କୌଣସି ପରିବର୍ତ୍ତନ କରିବ ନାହିଁ ଏବଂ ଏହି ପ୍ରସଙ୍ଗରେ ଆଉ କୌଣସି ଆଲୋଚନାର ସୁଯୋଗ ନାହିଁ।
ଶ୍ରୀ ମର୍ଦରାଜଙ୍କ ମତରେ, ଶ୍ରୀଜଗନ୍ନାଥ ସଂସ୍କୃତିର ପାରମ୍ପରିକ ବିଧାନ ଅନୁଯାୟୀ ରଥଯାତ୍ରା କେବଳ ପୁରୀ ଶ୍ରୀମନ୍ଦିରରେ ପାଳିତ ଶାସ୍ତ୍ରସମ୍ମତ ତିଥିରେ ହିଁ ଅନୁଷ୍ଠିତ ହେବା ଉଚିତ। ତିଥି ପରିବର୍ତ୍ତନ କରି ରଥଯାତ୍ରା ପାଳନ କରିବା ମହାପ୍ରଭୁଙ୍କ ପ୍ରାଚୀନ ପରମ୍ପରା ଓ ଆଚାରବିଧି ସହ ସଙ୍ଗତିପୂର୍ଣ୍ଣ ନୁହେଁ ବୋଲି ସେ କହିଛନ୍ତି।

ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରମାନେ ମାତ୍ର ୨୪ ସପ୍ତାହରେ ଜନ୍ମ ହୋଇଥିବା ଗୋଟିଏ ଅସୁସ୍ଥ ଏବଂ ଅପରିପକ୍ୱ ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ।
ଅନ୍ୟ ଏକ ହସ୍ପିଟାଲରେ ଜନ୍ମ ହୋଇଥିବା ଏହି ଶିଶୁଟିର ଓଜନ ସମ୍ ହସ୍ପିଟାଲରେ ଭର୍ତି ସମୟରେ ମାତ୍ର ୬୩୦ ଗ୍ରାମ ଥିଲା । ଶିଶୁଟିକୁ ଗୁରୁତର ଅବସ୍ଥାରେ ସମ୍ ହସ୍ପିଟାଲର ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ (ଏନ୍ଆଇସିୟୁ)ରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା ।
ଏଭଳି ଅତ୍ୟନ୍ତ ଅପରିପକ୍ୱ ଶିଶୁଙ୍କ କ୍ଷେତ୍ରରେ ବଂଚିବାର ସମ୍ଭାବନା ସାଧାରଣତଃ କମ୍ ଥିବାରୁ ଶିଶୁଟିକୁ ଇନଭେସିଭ୍ ମେକାନିକାଲ୍ ଭେଂଟିଲେସନ୍ ଓ ପରବର୍ତୀ ସମୟରେ ନନ୍-ଇନଭେସିଭ୍ ଭେଂଟିଲେସନ୍ (ଏନ୍ଆଇଭି), ସିପିଏପି ଏବଂ ପାରେନ୍ଟେରାଲ୍ ନ୍ୟୁଟ୍ରିସନ୍ ଭଳି ଉନ୍ନତ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା ।
ଡାକ୍ତର ଓ ନର୍ସମାନଙ୍କର ନିରନ୍ତର ତତ୍ୱାବଧାନ ଏବଂ ସଠିକ୍ ଚିକିତ୍ସା ଫଳରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସିଥିଲା । ନବଜାତ ଶିଶୁରୋଗ ବିଭାଗର ସମସ୍ତ ଡାକ୍ତର ଓ ନର୍ସମାନଙ୍କର ସମନ୍ୱିତ ପ୍ରୟାସ ଏହି ସଫଳତାର ମୂଳ କାରଣ ବୋଲି ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ନନ୍ଦ କହିବା ସହ ଏହି ସଫଳତା ପାଇଁ ସମଗ୍ର ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶିଶୁଟିକୁ ଚିକିତ୍ସା କରିଥିବା ଡାକ୍ତରୀ ଟିମରେ ଡାକ୍ତର ଭବଗ୍ରାହୀ ମଲ୍ଲିକ, ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନୀତ ପାଣିଗ୍ରାହୀ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର କଳ୍ପିତା ସାହୁ, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ସୀତିକାନ୍ତ ନାୟକ, ଡାକ୍ତର ଶ୍ରୁତିପ୍ରଜ୍ଞା କର, ଡାକ୍ତର ଶରତ ଚନ୍ଦ୍ରିକା, ଡାକ୍ତର ଆଦ୍ୟାଶା କାନୁନ୍ଗୋ ଏବଂ ଡାକ୍ତର ଶୁଭଲକ୍ଷ୍ମୀ ସାହୁ ସାମିଲ ଥିଲେ ।
ଡାକ୍ତର ନନ୍ଦ ଶିଶୁଟିର ଅଭିଭାବକଙ୍କ ଧୈର୍ଯ୍ୟ, ସହଯୋଗ ଏବଂ ଚିକିତ୍ସା ପ୍ରକ୍ରିୟାରେ ସକ୍ରିୟ ଭୂମିକା ପାଇଁ ମଧ୍ୟ ପ୍ରଶଂସା କରିଥିଲେ ।
ଶିଶୁଟିର ଅଭିଭାବକ ସଂପୂର୍ଣ୍ଣ ନବଜାତ ଶିଶୁରୋଗ ଟିମ୍ ପ୍ରତି କୃତଜ୍ଞତା ଜଣାଇବା ସହ ସେମାନଙ୍କ ଶିଶୁକୁ ନୂଆ ଜୀବନ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ ।
ଏହି ଜଟିଳ ମାମଲାର ସଫଳ ପରିଚାଳନା ପାଇଁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଙ୍ଘମିତ୍ରା ମିଶ୍ର ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମସ୍ତ ଆବଶ୍ୟକ ପ୍ରଶାସନିକ ଓ ଲଜିଷ୍ଟିକ୍ ସହଯୋଗ ପ୍ରଦାନ କରିଥିଲେ ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy