ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

 ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା, ବିକାଶ ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ମିଳିତ ଭାବେ ଆଗେଇ ନେବା ଉଦ୍ଦେଶ୍ୟରେ ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ) ଡିମ୍ଡ୍‌ ଟୁ ବିଶ୍ୱବିଦ୍ୟାଳୟ ଏବଂ କୋଲକାତାସ୍ଥିତ କୃଷିବନ୍ଧୁ କ୍ରପ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ (କେବିସି) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣାପତ୍ର ମାଧ୍ୟମରେ ସୋଆର ସେଣ୍ଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍) ଏବଂ କେବିସି ମଧ୍ୟରେ ଗବେଷଣା ଓ ଉତ୍ପାଦ ବିକାଶ କ୍ଷେତ୍ରରେ ଏକ ଦୀର୍ଘମିଆଦୀ ସହଯୋଗୀ ସମ୍ପର୍କ ସ୍ଥାପନ କରାଯିବ। ସିଆଇବିଆର୍ ପକ୍ଷରୁ ଜୈବ ସାର ସମେତ ବିଭିନ୍ନ ଜୈବ କୃଷି ଉତ୍ପାଦ ପ୍ରସ୍ତୁତ କରାଯାଉଛି।

ଚୁକ୍ତି ଅନୁଯାୟୀ, କେବିସି ବିପଣନ ଓ ଗବେଷଣା ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହା ଉତ୍ପାଦର ପ୍ରଚାର, ସଚେତନତା ସୃଷ୍ଟି, କୃଷକଙ୍କ ନିକଟରେ ପହଞ୍ଚିବା, କ୍ଷେତ୍ର ପ୍ରଦର୍ଶନୀ, ବିପଣନ ଏବଂ ବିତରଣ କାର୍ଯ୍ୟକ୍ରମକୁ ପରସ୍ପର ସହମତି ଭିତ୍ତିରେ ପରିଚାଳନା କରିବ।

ଏହି ବୁଝାମଣାପତ୍ର ଅନୁସାରେ ଉଭୟ ସଂସ୍ଥା ମିଳିତ ଭାବେ ବଜାର ବିସ୍ତାର, କୃଷକଙ୍କ ଦ୍ୱାରା ଜୈବ ପ୍ରଯୁକ୍ତିର ଅଧିକ ବ୍ୟବହାରକୁ ପ୍ରୋତ୍ସାହନ ଏବଂ କ୍ଷେତ୍ରସ୍ତରୀୟ ପରୀକ୍ଷଣ ମାଧ୍ୟମରେ ଉତ୍ପାଦର କାର୍ଯ୍ୟଦକ୍ଷତା ସମ୍ପର୍କିତ ବୈଜ୍ଞାନିକ ଓ ବାଣିଜ୍ୟିକ ତଥ୍ୟ ସଂଗ୍ରହ କରିବେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କେବିସିର ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶୈବାଲ ମିତ୍ର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

କେବିସି ବର୍ତ୍ତମାନ ‘ରାଇସ୍ କାର୍ବନ ପ୍ରୋଜେକ୍ଟ’ କାର୍ଯ୍ୟକାରୀ କରୁଛି, ଯାହା ଗତ ତିନି ବର୍ଷ ଧରି ପଶ୍ଚିମବଙ୍ଗ ଓ ଓଡ଼ିଶାର ୫,୭୫୦ ହେକ୍ଟର ଧାନ ଜମିରେ ଦୁଇଟି ଚାଷ ଋତୁକୁ ନେଇ ସଫଳତାର ସହ ଚାଲିଛି। ଜଳ ପରିଚାଳନା ପ୍ରଯୁକ୍ତି ‘ଆଲ୍ଟରନେଟ୍ ୱେଟିଂ ଆଣ୍ଡ ଡ୍ରାଇଂ (ଏଡବ୍ଲ୍ୟୁଡି)’ ବ୍ୟବହାର ମାଧ୍ୟମରେ ଜଳସେଚିତ ଧାନ ଚାଷରୁ ମିଥେନ ଗ୍ୟାସ ନିର୍ଗମନ ହ୍ରାସ କରିବା ସହ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ।

ଓଡ଼ିଶାରେ ଏହି ପ୍ରକଳ୍ପ ୨,୫୦୦ ହେକ୍ଟର ଜମିରେ ୨,୨୦୯ ଜଣ କୃଷକଙ୍କୁ ଅନ୍ତର୍ଭୁକ୍ତ କରିଛି। ପରିବେଶ ଅନୁକୂଳ ଏହି ଚାଷ ପଦ୍ଧତିକୁ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରୁଥିବା ପ୍ରତ୍ୟେକ କୃଷକଙ୍କୁ ପ୍ରତି ଋତୁରେ ପ୍ରତି ହେକ୍ଟର ପିଛା ୧,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାର ୮୦,୦୦୦ ହେକ୍ଟର ଜମିକୁ ଏହି ପ୍ରକଳ୍ପରେ ସାମିଲ କରିବାକୁ କେବିସି ଲକ୍ଷ୍ୟ ରଖିଛି।

ଏହି ଅବସରରେ ସୋଆର କୃଷି ବିଜ୍ଞାନ ଅନୁଷ୍ଠାନର ଡିନ୍ ପ୍ରଫେସର ଏସ୍‌. କେ. ରାଉତ, ସିଆଇବିଆର୍‌ର ନିର୍ଦ୍ଦେଶକ ପ୍ରଫେସର ଏଚ୍‌. ଏନ୍‌. ଥାଟୋଇ, ସେଣ୍ଟର ଫର୍ ବାୟୋଟେକ୍ନୋଲୋଜିର ପ୍ରଫେସର ଇ. ସୁବୁଦ୍ଧି, ସିଆଇବିଆର୍‌ର ସହକାରୀ ପ୍ରଫେସର ଡ଼. ମେଘା କବିରାଜ, ସୋଆର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ତମ ପରି ବନ୍ଧୁ ସଭିଙ୍କୁ ମିଳୁ

ବନ୍ଧୁ କେଉଁଠି ଅଛୁ?

ତୁ ଯେଉଁଠି ଅଛୁ, ମୁଁ ପହଞ୍ଚୁଛି

ଏଇ ଦୁଇଟି ବାକ୍ୟ ହିଁ ବନ୍ଧୁତ୍ୱର ସବୁଠୁ ବଡ଼ ପରିଚୟ।

ବନ୍ଧୁତ୍ୱରେ ନାହିଁ ଧନୀ-ଗରିବର ଭେଦ, ନାହିଁ ଜାତି-ଧର୍ମର ସୀମା, ନାହିଁ ବୟସର ପ୍ରତିବନ୍ଧକ। ବନ୍ଧୁ ପୁରୁଷ ବି ହୋଇପାରେ, ମହିଳା ବି; ମଣିଷ ବି ହୋଇପାରେ, ପଶୁ ବି। ଯାହା ସହ ହୃଦୟ ନିଜେ ନିଜେ ଯୋଡ଼ି ହୋଇଯାଏ, ସେଇ ହେଉଛି ପ୍ରକୃତ ବନ୍ଧୁ।

ବନ୍ଧୁତ୍ୱ କୌଣସି ଚୁକ୍ତି ନୁହେଁ, କୌଣସି ନିୟମରେ ବନ୍ଧା ସମ୍ପର୍କ ନୁହେଁ। ଏହା କେବଳ ବିଶ୍ୱାସ, ନିସ୍ୱାର୍ଥ ଭଲପାଇବା ଏବଂ ହୃଦୟର ଏକ ଅଦୃଶ୍ୟ ବନ୍ଧନ। ଏହାକୁ ବୁଝାଯାଏ ନାହିଁ… କେବଳ ଅନୁଭବ କରାଯାଏ।

ଯିଏ କହେ, “ମୁଁ ଅଛି ନା… ତୁ ଚିନ୍ତା କରନି,” ସେ କେବଳ ବନ୍ଧୁ ନୁହେଁ, ସେ ଆମ ଜୀବନର ସବୁଠୁ ବଡ଼ ଶକ୍ତି। ସୁଖରେ ହସିବାକୁ ଅନେକ ଲୋକ ମିଳିଯାନ୍ତି, କିନ୍ତୁ ଦୁଃଖରେ କାନ୍ଧରେ ହାତ ରଖି ଛିଡ଼ା ହେବା ଲୋକଟିଏ ହିଁ ପ୍ରକୃତ ବନ୍ଧୁ।

ପିଲାଦିନର ଦୁଷ୍ଟାମି ହେଉ କି ବୟସର ଦାୟିତ୍ୱ, ଜୀବନର ପ୍ରତ୍ୟେକ ମୋଡ଼ରେ ବନ୍ଧୁ ଆମକୁ ନୂଆ ସାହସ ଦିଏ। କେବେ ବାପା ପରି, କେବେ ମା’ ପରି, କେବେ ଭାଇ, କେବେ ଜୀବନସାଥୀ ପରି… ବନ୍ଧୁ ସବୁବେଳେ ଆମ ପାଇଁ ରକ୍ଷାକବଚ ହୋଇ ରହେ।

ପୁରାଣରୁ କଳିଯୁଗ ପର୍ଯ୍ୟନ୍ତ ବନ୍ଧୁତ୍ୱ ତ୍ୟାଗ, ବିଶ୍ୱାସ ଓ ପ୍ରେମର ସବୁଠୁ ସୁନ୍ଦର ଉଦାହରଣ ହୋଇଆସିଛି। ଅଗଷ୍ଟର ପ୍ରଥମ ରବିବାର ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ, କିନ୍ତୁ ସତ କଥା ହେଉଛି—ବନ୍ଧୁତ୍ୱ ପାଇଁ କୌଣସି ଗୋଟିଏ ଦିନ ନାହିଁ। ପ୍ରତ୍ୟେକ ଦିନ ବନ୍ଧୁର, ପ୍ରତ୍ୟେକ ମୁହୂର୍ତ୍ତ ବନ୍ଧୁତ୍ୱର।

ପ୍ରାର୍ଥନା କେବଳ ଏତିକି…ତମେ ଯେଉଁଠି ଥାଅ, ସବୁବେଳେ ହସୁଥାଅ। ଆମ ବନ୍ଧୁତ୍ୱ ଏମିତି ଅତୁଟ ରହୁ, ଆଉ ତମ ପରି ଜଣେ ସତ ବନ୍ଧୁ ସଭିଙ୍କ ଜୀବନରେ ମିଳୁ।

ସମ୍ ନର୍ସିଂ କଲେଜ ପକ୍ଷରୁ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍‌’ ଶୀର୍ଷକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ ଆୟୋଜିତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ନିକଟରେ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍‌’ ଶୀର୍ଷକ ଦିନିକିଆ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ୍ (ଏଫ୍‌ଡିପି) ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୭୦ ଜଣ ଫ୍ୟାକଲ୍ଟି ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଥିଲା ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍ କ୍ଷେତ୍ରରେ ଅଧ୍ୟାପକମାନଙ୍କର ଗବେଷଣା ଦକ୍ଷତାକୁ ସୁଦୃଢ଼ କରିବା ।ଏହି କାର୍ଯ୍ୟକ୍ରମରେ ଦୁଇଟି ବୈଜ୍ଞାନିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ସିଷ୍ଟମାଟିକ୍ ରିଭ୍ୟୁର ମୌଳିକ ଧାରଣା ସହିତ ଏହାର ଏଭିଡେନ୍ସ-ବେସ୍ଡ ରିସର୍ଚ୍ଚର ଗୁରୁତ୍ୱ, ପାରଂପରିକ ସାହିତ୍ୟ ସମୀକ୍ଷାଠାରୁ ଏହାର ପାଥର୍କ୍ୟ, ପିଆଇସିଓ ଫ୍ରେମ୍‌ୱାର୍କ ଆଧାରରେ ଗବେଷଣା ପ୍ରଶ୍ନ ପ୍ରସ୍ତୁତି, ପ୍ରୋଟୋକଲ୍ ବିକାଶ, ସାହିତ୍ୟ ସନ୍ଧାନ କୌଶଳ ଏବଂ ପୂର୍ବ ନିର୍ଦ୍ଧାରିତ ଅନ୍ତର୍ଭୁକ୍ତି ଓ ବର୍ଜନ ମାନଦଣ୍ଡ ଆଧାରରେ ଅଧ୍ୟୟନ ଚୟନ ସଂପର୍କରେ ଫ୍ୟାକଲ୍ଟିମାନଙ୍କୁ ଅବଗତ କରାଯାଇଥିଲା ।

ଏହି ଅଧିବେଶନ ପରିଚାଳନା କରିଥିବା ଏମ୍ସ ଭୁବନେଶ୍ୱରର ଶିଶୁରୋଗ ବିଭାଗର ଡ଼ଃ କେତନ କୁମାର ପ୍ରିଜ୍‌ମା (ପ୍ରିଫର୍ଡ ରିପୋଟିଂ ଆଇଟମ୍ସ ଫର୍ ସିଷ୍ଟମାଟିକ୍ ରିଭ୍ୟୁ ଆଣ୍ଡ ମେଟା-ଆନାଲିସିସ୍‌) ନିର୍ଦ୍ଦେଶାବଳୀ, ସିଷ୍ଟମାଟିକ୍ ରିଭ୍ୟୁ ପରିଚାଳନାର ସଂପୂର୍ଣ୍ଣ ପ୍ରକ୍ରିୟା ଏବଂ ଲିଟରେଚର ସନ୍ଧାନ କୌଶଳ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଦ୍ୱିତୀୟ ଅଧିବେଶନକୁ ଏମ୍ସ ଭୁବନେଶ୍ୱରର ଶିଶୁରୋଗ ବିଭାଗର ପ୍ରଫେସର ଡାକ୍ତର ରଶ୍ମି ରଞ୍ଜନ ଦାସ ପରିଚାଳନା କରିଥିଲେ । ସେ ମେଟା-ଆନାଲିସିସ୍ ଫଳାଫଳର ବ୍ୟାଖ୍ୟା, ରିପୋର୍ଟିଂ ମାନଦଣ୍ଡ, ଗବେଷଣା ପ୍ରକାଶନ କୌଶଳ ଏବଂ ସିଷ୍ଟମାଟିକ୍ ରିଭ୍ୟୁ କରିବା ସମୟରେ ସମ୍ମୁଖୀନ ହେଉଥିବା ସାଧାରଣ ପଦ୍ଧତିଗତ ଆହ୍ୱାନ ସଂପର୍କରେ ଆଲୋଚନା କରିଥିଲେ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଏଭିଡେନ୍ସ-ବେସ୍ଡ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଉଚ୍ଚମାନର ବୈଜ୍ଞାନିକ ପ୍ରମାଣ ସୃଷ୍ଟି ପାଇଁ ଅଧ୍ୟାପକ ଓ ଗବେଷକମାନଙ୍କୁ ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍ ପଦ୍ଧତି ଅନୁସରଣ କରିବାକୁ ଉତ୍ସାହିତ କରିଥିଲେ ।ଶେଷରେ ଏକ ଆନ୍ତରିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣକାରୀମାନେ ସଫ୍ଟୱେୟାର ବ୍ୟବହାର, ପରିସଂଖ୍ୟାନଗତ ବିଶ୍ଳେଷଣ ଓ ସିଷ୍ଟମାଟିକ୍ ରିଭ୍ୟୁର ପ୍ରକାଶନ ସଂର୍ପକିତ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିଥିଲେ ।

ଧର୍ମେନ୍ଦ୍ର ଇସ୍ତଫା ଦେଇନାହାନ୍ତି, ଦେଶର ଛାତ୍ରଛାତ୍ରୀ ତାଙ୍କୁ ବିଦା କଲେ : ଭକ୍ତ

0

ଧର୍ମେନ୍ଦ୍ର ଇସ୍ତଫା ଦେଇନାହାନ୍ତି, ଦେଶର ଛାତ୍ରଛାତ୍ରୀ ତାଙ୍କୁ ବିଦା କଲେ : ଭକ୍ତ

*‘ନିତ୍ୟାନନ୍ଦଙ୍କୁ ବିଦା ନ କଲେ ଆନ୍ଦୋଳନ’*

*‘ଭୁବନେଶ୍ବରରେ ମଧ୍ୟ ଛାତ୍ରଯୁବ ବର୍ଗ ଯନ୍ତରମନ୍ତର ପରିବେଶ ସୃଷ୍ଟି କରିବାକୁ ହେବ’*

*‘ଡିସିସିର କ୍ୟାଣ୍ଡଲ ଶୋଭାଯାତ୍ରା, ସତ୍ୟାଗ୍ରହ ତଥା ବ୍ଲକ୍ ସ୍ତରୀୟ ବିକ୍ଷୋଭ ପୂର୍ବଭଳି ଚାଲିବ’*

ଦେଶର ଛାତ୍ରସମାଜର ନ୍ୟାୟୋଚିତ ଆନ୍ଦୋଳନ, ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ଦଳର ଦେଶବ୍ୟାପି ବିକ୍ଷୋଭ ଯୋଗୁଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରଦାନ ଗଣତନ୍ତ୍ରର ବିଜୟ। ତେବେ ଏହା ପ୍ରକୃତରେ ଇସ୍ତଫା ନୁହେଁ, ଦେଶର ଅଗଣିତ ଛାତ୍ରଛାତ୍ରୀଙ୍କ ଦ୍ବାରା ତାଙ୍କର ବହିଷ୍କାର। ଏହା ଆରମ୍ଭ ମାତ୍ର। ଦେଶର ଶିକ୍ଷାବବ୍ୟବସ୍ଥାର ଗୈରୀକରଣ ନାମରେ ଦେଶର ଯୁବସମାଜର ଗରୀବକରଣ କରାଇ ମୋଦୀ ସରକାର ଯେଉଁ ପାପ କରିଛନ୍ତି, ତା’ର ପ୍ରାୟଶ୍ଚିତ ନ କଲେ ଦେଶର ଯୁବଛାତ୍ର ସମାଜ ତଥା କଂଗ୍ରେସ ଦଳ ଅଟକିବ ନାହିଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଶନିବାର ଅପରାହ୍‌ଣରେ ଦିଲୀରୁ ଫେରି ସାମ୍ବାଦିକମାନଙ୍କୁ କହିଛନ୍ତି।*

*ଶ୍ରୀ ଦାସ କହିଥିଲେ, ନିଟ୍-ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ୨୪ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଦେଶର ପ୍ରଧାନମନ୍ତ୍ରୀ ଅନୁତପ୍ତ ହାେଇନାହାନ୍ତି କି ଯନ୍ତରମନ୍ତରଠାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଦମନଲୀଳା କରିଥିବା ପୁଲିସ ଅଧିକାରୀ ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। ଦେଶର ଶିକ୍ଷାବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ାଇ ଦେଇଥିଲେ ମଧ୍ୟ ତା’ର ନିରାକରଣ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ତେଣୁ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ କଂଗ୍ରେସ ଦଳର ଆନ୍ଦୋଳନ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଓଡ଼ିଶାର ସ୍କୁଲ୍ ପାଠ୍ୟପୁସ୍ତକରେ ୨୨ ଶହରୁ ଅଧିକ ଭୁଲ୍ କରି ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସରକାର ଅନ୍ଧକାର ମଧ୍ୟକୁ ଠେଲିଦେଇଥିଲେ ହେଁ ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ସୁଦ୍ଧା ଦେଇନାହାନ୍ତି। ଯେ ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେଇନାହାନ୍ତି ସେ ଯାଏ ରାଜ୍ୟରେ କଂଗ୍ରେସ ଆହୁରି ଜୋରଦାର ଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।*

*ଶ୍ରୀ ଦାସ ଆହୁରି କହିଛନ୍ତି, ଓଡ଼ିଶାରେ ସ୍କୁଲ ପାଠ୍ୟପୁସ୍ତକରେ ୨୨ ଶହରୁ ଅଧିକ ତ୍ରୁଟି ସତ୍ତ୍ବେ ରାଜ୍ୟର ଯୁବଛାତ୍ର ସମାଜ ଭୁବନେଶ୍ବରରେ ଏକ ଯନ୍ତରମନ୍ତର ପରି ପରିବେଶ ସୃଷ୍ଟି ନ କରିବା ଆଶ୍ଚର୍ଯ୍ୟଜନକ। ତେବେ ଆଶା, ବିଳମ୍ବରେ ହେଲେ ମଧ୍ୟ ରାଜ୍ୟର ଯୁବଛାତ୍ର ବର୍ଗ ତେଜିବେ। କଂଗ୍ରେସ ଦଳ କେବଳ ମନ୍ତ୍ରୀଙ୍କ ଇସ୍ତଫା ଦାବି ନୁହେଁ, ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ସଂସ୍କାରିତ କରିବା ପାଇଁ ଆନ୍ଦୋଳନ କରିଚାଲିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସି ଘୋଷଣା କରିଥିବା ଆନ୍ଦୋନାତ୍ମକ କାର୍ଯ୍ୟକ୍ରମ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରିପ୍ରେକ୍ଷୀରେ ସ୍ଥଗିତ ରହିବ କି ବୋଲି ସାମ୍ବାଦିକଙ୍କ ଉତ୍ତରରେ ଶ୍ରୀ ଦାସ କହିଥିଲେ, ଏକାଧିକ ଦାବି ମଧ୍ୟରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ଅନ୍ୟତମ ଦାବି ଥିଲା। ଯେ ପର୍ଯ୍ୟନ୍ତ ସରକାର ସମସ୍ତ ଦାବିକୁ ମାନି ନ ନେଇଛନ୍ତି, ସେ ଯାଏ ସମସ୍ତ କାର୍ଯ୍ୟକ୍ରମ ପୂର୍ବଭଳି ଚାଲିବ।*

ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା

 ଯୁବ ସମାଜର ମାନସିକ ସ୍ୱାସ୍ଥ୍ୟ, ଭାବନା ଓ ମାନସିକ ଚାପ, ଜୀବନଶୈଳୀ, ଡିଜିଟାଲ ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗକୁ ନେଇ ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ ନଅ ଦିନିଆ କର୍ମଶାଳା ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି ।

‘ଯୁବ ମାନସିକତା, ଦୃଢ଼ମନା ଯୁବପିଢ଼ି, ଉଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗକୁ ନେଇ ଆୟୋଜିତ କର୍ମଶାଳାର ଶୀର୍ଷକ ରହିଥିଲା “ଯୁବ ସମାଜକୁ ଦୃଢ଼ିଭୂତ କରିବା: ସାମଗ୍ରିକ ସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା” । ଏହି କର୍ମଶାଳାରେ ଅନୁଭୂତି ଭିତିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ଅସ୍ୱାସ୍ଥ୍ୟକର ଭାବନାତ୍ମକ ଆଚରଣ ଉପରେ ସିମ୍ୟୁଲେସନ୍‌, ଦୃଢ଼ତା ଏବଂ ସୁସ୍ଥ ମୁକାବିଲା କୌଶଳ ସମ୍ପର୍କିତ ବିଭିନ୍ନ ଆଲୋଚନା ଆୟୋଜିତ ହୋଇଥିଲା ।

କର୍ମଶାଳାରେ କିଶୋରାବସ୍ଥାର ମାନସିକ ସ୍ୱାସ୍ଥ୍ୟ, ଭାବନା ଓ ମାନସିକ ଚାପ, ସକାରାତ୍ମକ ମାନସିକ ସ୍ୱାସ୍ଥ୍ୟ, ଜୀବନ କୌଶଳ, ସମସ୍ୟା ସମାଧାନ କ୍ଷମତା, ଡିଜିଟାଲ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା, ଦୃଢ଼ତା ଓ ସୁସ୍ଥ ମୁକାବିଲା କୌଶଳ ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଅଂଶଗ୍ରହଣକାରୀମାନେ ଇମୋସନାଲ ହ୍ୱିଲ୍‌, ଷ୍ଟ୍ରେସ୍ ବେଲୁନ୍‌, ରେଜିଲିଏନ୍ସ ଟ୍ରି ଆଣ୍ଡ ଭିଜନ୍ ବୋର୍ଡ ଭଳି ଅଭିନବ କାର୍ଯ୍ୟକଳାପରେ ଉତ୍ସାହର ସହ ଭାଗ ନେଇ ନିଜର ଭାବନାକୁ ଚିହ୍ନଟ କରିବା, ମାନସିକ ଚାପ ପରିଚାଳନା, ବ୍ୟକ୍ତିଗତ ସାମର୍ଥ୍ୟର ବିକାଶ, ସହଯୋଗୀ ବ୍ୟବସ୍ଥା ଗଢ଼ି ତୋଳିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକତା, ଭାବନାତ୍ମକ ସୁସ୍ଥତା, ବ୍ୟକ୍ତିଗତ ବିକାଶ, କ୍ୟାରିୟର ଓ ପରିବାର କ୍ଷେତ୍ରରେ ଭବିଷ୍ୟତ ଲକ୍ଷ୍ୟ ସ୍ଥିର କରିବା ସଂର୍ପକରେ ଶିକ୍ଷାଲାଭ କରିଥିଲେ । ଏହାଛଡ଼ା କେସ୍ ଷ୍ଟଡି, ପୁସ୍ତକ, ଜର୍ଣ୍ଣାଲ, ପୋଷ୍ଟର ଓ ଖବରକାଗଜର ପ୍ରବନ୍ଧ ମାଧ୍ୟମରେ ଆଲୋଚନାକୁ ଅଧିକ ସମୃଦ୍ଧ କରାଯାଇଥିଲା ।

କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ, ଡିନ୍ ପ୍ରଫେସର ସସ୍ମିତା ଦାସ, ଅତିରିକ୍ତ ଡିନ୍ ପ୍ରଫେସର ତପତୀ ସାହା ଏବଂ ସହଯୋଗୀ ପ୍ରଫେସର ଦେବଜାନୀ ନାୟକ ଉପସ୍ଥିତ ଥିଲେ ।

ବୈଜ୍ଞାନିକ ଅଧିବେଶନରେ ସହଯୋଗୀ ପ୍ରଫେସର ସୁଚିସ୍ମିତା ପାହାନ୍ତା ସିଂହ, ଡା. ଅମିୟ କୃଷ୍ଣ ପଣ୍ଡା, ଡା. ରିୟା ଶେଟ୍ଟୀ, ଡା. କୀର୍ତି ଅନୁରାଗ, ଡା. ଶୁଭେନ୍ଦୁ ନାରାୟଣ ମିଶ୍ର, ଡା. ହିରଣ୍ମୟ ମହାପାତ୍ର, ଶ୍ରୀମତୀ ରୀତା ରାଣୀ ନାୟକ ଏବଂ ଶ୍ରୀମତୀ ଶେଫାଳୀ ମହାରଣା ବିଶେଷଜ୍ଞ ଭାବେ ଅଧିବେଶନ ପରିଚାଳନା କରିଥିଲେ ।

ପ୍ରଥମ ବର୍ଷ ଏମ୍‌.ଏସ୍‌.ସି. ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଫେସର ତପତୀ ସାହାଙ୍କ ତତ୍ୱାବଧାନରେ ଏହି କର୍ମଶାଳାର ଯୋଜନା ଓ ପରିଚାଳନା କରାଯାଇଥିଲା । ଛାତ୍ର ଅମିତ ସାହୁ ଓ ଛାତ୍ରୀ ପାୟଲ ପଣ୍ଡା ଏହାର ସଂଯୋଜନା କରିଥିଲେ । କର୍ମଶାଳାରେ ପ୍ରତିଦିନର ପୁନରାବୃତି ଅଧିବେଶନ, ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା, ଦଳଗତ ଉପସ୍ଥାପନା, ପୋଷ୍ଟ-ଟେଷ୍ଟ, କର୍ମଶାଳା ମୂଲ୍ୟାଙ୍କନ ଓ ମତାମତ ସଂଗ୍ରହ କରାଯାଇଥିଲା ।

ସମାପନୀ ଉତ୍ସବରେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଏବଂ ଡା. ରଶ୍ମିମାଳା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ଯୋଗ୍ୟ ଅଂଶଗ୍ରହଣକାରୀ ଓ ଆୟୋଜକ କମିଟି ସଦସ୍ୟଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହିତ ଅଧ୍ୟାପକମାନଙ୍କୁ ସମ୍ମାନିତ କରାଯାଇଥିଲା । କର୍ମଶାଳାର ରିପୋର୍ଟ ଉପସ୍ଥାପନ, ବିଶ୍ଳେଷଣ ଓ ଅଂଶଗ୍ରହଣକାରୀଙ୍କ ମତାମତ ସଂଗ୍ରହ ସହିତ ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ଦୃଢ଼ତା, ଆଶାବାଦ ଓ ସାମଗ୍ରିକ ସୁସ୍ଥତାର ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି ଅଭିନବ ପଦକ୍ଷେପର ସଫଳ ସମାପନ ହୋଇଥିଲା ।

ଇସ୍ତଫା ପରେ ଏମିତି କହିଲେ ଧର୍ମେନ୍ଦ୍ର ପ୍ରାଧନ

ମୁଁ ବିଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ ରହିଆସିଛି । ମୋର ସଦାସର୍ବଦା ଏହି ବିଶ୍ୱାସ ରହିଛି ଯେ, ଗୋଟିଏ ସଶକ୍ତ, ସମାବେଶୀ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ଗୋଟିଏ ସଶକ୍ତ ରାଷ୍ଟ୍ରର ଆଧାରଶୀଳା ।

ମୁଁ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କର ନ୍ୟାୟୋଚିତ ଅପେକ୍ଷାକୁ ଗଭୀର ସମ୍ମାନ କରେ । ଭାରତର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କ ରାଜନୈତିକ ଏବଂ ସାମାଜିକ ଜୀବନର ନୈତିକ ସଂକଳ୍ପ ରହିଆସିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ରାଷ୍ଟ୍ରର ସେବା କରିବାର ଯେଉଁ ସୁଯୋଗ ମୋତେ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଜୀଙ୍କୁ କୃତଜ୍ଞତା ଜଣାଉଛି ।

କିନ୍ତୁ ୩ ମଇ ୨୦୨୬ରେ ହୋଇଥିବା NEET-UG ପରୀକ୍ଷାରେ ଅନିୟମିତତା ନଜରକୁ ଆସିଥିଲା। ଭାରତ ସରକାର ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଭାର CBIକୁ ହସ୍ତାନ୍ତର କଲେ, ପରୀକ୍ଷାକୁ ବାତିଲ କଲେ ଏବଂ ପୁନଃ ପରୀକ୍ଷାର ତାରିଖ ଘୋଷଣା କଲେ । ଏହା ସହିତ ଆସନ୍ତା ବର୍ଷ ଠାରୁ ଏହି ପରୀକ୍ଷାକୁ CBT (Computer-based-test) ମୋଡ୍‌ରେ କରାଇବାକୁ ନିଷ୍ପତ୍ତି ନିଆଗଲା।

ଏହି ସମୟ ମଧ୍ୟରେ ଆମର ମୁଖ୍ୟ ପ୍ରାଥମିକତା ଥିଲା ଯେ, ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯେପରି ସୁଚାରୁରୂପେ ଆୟୋଜିତ ହୋଇପାରିବ । ଏଥିପାଇଁ Whole of Government Approach ଅଧୀନରେ କାମ କରାଗଲା । ଏଥିରେ ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର, ବିଶେଷକରି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହା ସହିତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପିତାମାତାଙ୍କ ସହଯୋଗରେ ୨୧ ଜୁନ୍ ୨୦୨୬ରେ ଏହି ପରୀକ୍ଷା ସମ୍ପୂର୍ଣ୍ଣ ହେଲା।ପ୍ରଥମ ଦିନରୁ ହିଁ, ଏହା ଉପରେ ମୁଁ ନିଜେ ଦାୟିତ୍ୱ ନେଲି ଏବଂ ଏହି ପରିସ୍ଥିତିରୁ କେବେହେଲେ ମୁହଁ ଫେରାଇ ନାହିଁ । ମୋର ଏହି ସଂକଳ୍ପ ଥିଲା ଯେ, ଆମେ କୌଣସି ବି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ଯୋଗୁଁ ନଷ୍ଟ ହେବାକୁ ଦେବୁ ନାହିଁ ଏବଂ କୌଣସି ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ଦେବୁ ନାହିଁ ।

୧୬ ଜୁଲାଇରେ ଘୋଷିତ ନିଟ୍-ୟୁଜି ଫଳାଫଳ ସନ୍ତୋଷଜନକ ରହିଥିଲା, ଯେଉଁଥିରେ ଗରିବ ପୃଷ୍ଠଭୂମିରୁ ଆସିଥିବା ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫଳତା ମିଳିଛି ।

କିନ୍ତୁ ଏହି ସମୟ ମଧ୍ୟରେ ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ପଦବୀରେ ବସିଥିବା ବ୍ୟକ୍ତିବିଶେଷ ବାଧା ସୃଷ୍ଟି କରିବାକୁ ଚେଷ୍ଟା କଲେ, ଯାହା ଦ୍ୱାରା ମନ ଅତ୍ୟନ୍ତ ବ୍ୟଥିତ ହେଲା ।

ମୁଁ ସଦାସର୍ବଦା ଆମ ଗଣତନ୍ତ୍ରର ଶକ୍ତି ଉପରେ ଅଟଳ ବିଶ୍ୱାସ ରଖିଆସିଛି ଏବଂ ଯୁବପିଢ଼ିଙ୍କ ଆକାଂକ୍ଷା, ସ୍ୱପ୍ନ ଓ ଅପେକ୍ଷାକୁ ଗଭୀର ସମ୍ମାନ କରିଆସିଛି । ସେମାନେ କେବଳ ଭାରତର ଭବିଷ୍ୟତ ନୁହଁନ୍ତି, ବରଂ ଏକ ନୂତନ ଓ ବିକଶିତ ଭାରତର ବାହକ, ନିର୍ମାତା ଏବଂ ଭବିଷ୍ୟତର ଶିଳ୍ପକାର ମଧ୍ୟ ଅଟନ୍ତି ।

 

ବିଗତ ୧୦ ଦିନର ଘଟଣାକ୍ରମ ଦେଖି ମୋ ମନ ଦୁଃଖିତ ଅଛି । ଏହା ମୋ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ ।

ଭାରତର ଯୁବଶକ୍ତି ହିଁ ଏହି ଦେଶର ପ୍ରକୃତ ଶକ୍ତି ।

ଦେଶର ଯୁବଶକ୍ତିଙ୍କୁ ଭ୍ରମର କୁଚକ୍ରରେ ଫସିବାକୁ ଦେବୁ ନାହିଁ, ଏହା ହିଁ ମୋର ସଂକଳ୍ପ ।

ଯନ୍ତର-ମନ୍ତରରେ ଏବଂ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏହାର ଫାଇଦା ଯେପରି ରାଷ୍ଟ୍ରବିରୋଧୀ ଶକ୍ତିମାନେ ନ ଉଠାନ୍ତୁ, ଦେଶର ଏକତା ବଜାୟ ରହୁ, ଭାରତର ଜଣେ ହେଲେ ବି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଆଇନଗତ ଜଟିଳତା ମଧ୍ୟରେ ନ ଫସୁ, ଆମ ପିଲାମାନେ ସେମାନଙ୍କ ସମୟ ପଢ଼ାପଢ଼ିରେ ଲଗାନ୍ତୁ ଏବଂ କ୍ୟାରିୟର ଗଢ଼ିବା ଉପରେ ଫୋକସ୍ କରନ୍ତୁ, ଏହି କଥାକୁ ବିଚାର କରି ମୁଁ ମୋର ଇସ୍ତଫା ପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ ଜୀଙ୍କ ପାଖକୁ ପଠାଇ ଦେଇଛି ।

ମୁଁ ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସହଯୋଗ ପାଇଁ ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି । ଏହା ସହିତ ମନ୍ତ୍ରୀ ପରିଷଦର ମୋର ସମସ୍ତ ସମ୍ମାନିତ ସହଯୋଗୀ, ମନ୍ତ୍ରାଳୟର ଅଧିକାରୀ ଓ କର୍ମଚାରୀ ଏବଂ ସେହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି, ଯାହାଙ୍କ ସହ ମୋତେ କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଥିଲା । ରାଷ୍ଟ୍ରସେବା ମୋ ଜୀବନର ସର୍ବୋଚ୍ଚ ପ୍ରାଥମିକତା, ମୁଁ ଏହା ପାଇଁ ସଦାସର୍ବଦା ସମର୍ପିତ ରହିବି ।

ପ୍ରଭୁ ଶ୍ରୀଜଗନ୍ନାଥ ଜୀଙ୍କ ଆଶୀର୍ବାଦରୁ ମୁଁ ଭବିଷ୍ୟତରେ ମଧ୍ୟ ଭାରତ ମାତା, ଓଡ଼ିଶାର ଜନସାଧାରଣ ତଥା ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ ପାଇଁ ସବୁ ସମ୍ଭବ ନିଜକୁ ସମର୍ପିତ ରଖିବି ।

ଆପଣଙ୍କର,

ଧର୍ମେନ୍ଦ୍ର ପ୍ରଧାନ

ଆଠମଲ୍ଲିକ ପ୍ରଦୀପ ଚନ୍ଦ୍ର ଦେଓଙ୍କର ପରଲୋକ

ଆଠମଲ୍ଲିକ ଗଡ଼ଜାତ ର ଚୌରାଳିସ ତମ ରାଜା ପ୍ରଦୀପ ଚନ୍ଦ୍ର ଦେଓ ଙ୍କର ଶନିବାର ସକାଳ ସମୟରେ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇ ଯାଇଚି..ମୃତ୍ୟୁ ସମୟରେ ତାଙ୍କୁ ସତାଅଶୀ ବର୍ଷ ବୟସ ହୋଇଥିଲା…କିଛି ଦିନ ହେବ ସେ ଅସୁସ୍ଥ ଥିଲେ…ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ପରେଶ ଦେଓ, ପୁତୁରା ତଥା ଖଣ୍ଡପଡ଼ା ର ରାଜା ଓ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ଦୁଇ ନାତି ବିଶ୍ଵରାଜ ଓ ପୃଥ୍ଵୀ ରାଜ୍ ଉପସ୍ଥିତ ଥିଲେ…ପୁରୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସାନ ନାତି ପୃଥ୍ୱୀରାଜ ମୁଖାଗ୍ନି ଦେଇଥିଲେ..ତାଙ୍କ ମୃତ୍ୟୁରେ ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି…

ସଂସଦରେ ଭର୍ତ୍ତୃହରି ଦାବି,ଗୋଟିଏ ଅନୁଷ୍ଠାନ, ଗୋଟିଏ ସହର, ଗୋଟିଏ ନର୍ସିଂ କଲେଜ ପ୍ରଥାର କର ଉଚ୍ଛେଦ

 ଗୋଟିଏ ଅନୁଷ୍ଠାନ ପକ୍ଷରୁ ଗୋଟିଏ ସହରରେ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ରହିଥିବା କଟକଣାକୁ ହଟେଇବାକୁ ସଂସଦରେ ଆଜି ଦାବି କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଲୋକସଭାରେ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଜରିଆରେ ସେ ଏହି ଦାବି ଉପସ୍ଥାପନା କରିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦେଶର ସ୍ବାସ୍ଥ୍ୟସେବା ପାଇଁ ତାଲିମପ୍ରାପ୍ତ ନର୍ସଙ୍କର ବହୁତ ଆବଶ୍ୟକତା ରହିଛି। ନର୍ସମାନେ ହେଉଛନ୍ତି ସ୍ବାସ୍ଥ୍ୟସେବାର ମେରୁଦଣ୍ଡ ଏବଂ ସେମାନେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ପ୍ରାଥମିକ ସେତୁ ଭଳି କାର୍ଯ୍ୟ କରିଥାନ୍ତି। କିନ୍ତୁ ବର୍ତ୍ତମାନର ଏହି କଟକଣା ଯୋଗୁ ନର୍ସିଂ ଶିକ୍ଷାର ବିକାଶର ଏକ ବଡ ବାଧକ ସାଜିଛି। ଦେଶରେ ବଢୁଥିବା ସ୍ବାସ୍ଥ୍ୟସେବାର ଚାହିକାକୁ ଦେଖିଲେ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡିକରେ ବହୁ ସଂଖ୍ୟାରେ ତାଲିମପ୍ରାପ୍ତ ନର୍ସଙ୍କ ଆବଶ୍ୟକତା ରହିଛି।

ସଂସଦରେ ଭାରତୀୟ ନର୍ସିଂ କାଉନସିଲ ବଦଳରେ ନ୍ୟାସନାଲ ନର୍ସିଂ କମିଶନ ଗଠନ ପାଇଁ ସଂସଦରେ ବିଲ ପାସ ହୋଇସାରିଛି। ଏହି ସମୟରେ ଗୋଟିଏ ଅନୁଷ୍ଠାନ ଦ୍ବାରା ଗୋଟିଏ ସହରରେ ଗୋଟିଏ ନର୍ସିଂ କଲେଜ ଭଳି ପୂରୁଣା ପ୍ରଥାର ଉଚ୍ଛେଦ କରାଯିବାର ସୁଯୋଗ ସୃଷ୍ଟି ହୋଇଛି। ଏହି କଟକଣା ହଟାଗଲେ ପ୍ରତିଷ୍ଠିତ ଅନୁଷ୍ଠାନ, ସୋସାଇଟି କିମ୍ବା ଟ୍ରଷ୍ଟଗୁଡିକ ତାଲିମପ୍ରାପ୍ତ ବୃତିଗତ ନର୍ସ ସୃଷ୍ଟି କରିବା ପାଇଁ ଭିତ୍ତିଭୂମି ସୃଷ୍ଟି କରିପାରିବେ ବୋଲି ସେ କହିଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

ମାନବ ଶରୀର ସଂରକ୍ଷଣ ବିଜ୍ଞାନ (ପ୍ଲାଷ୍ଟିନେସନ୍‌) କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଜନ ଡକ୍ଟର ଶିଶିର କୁମାରଙ୍କ ରଚିତ ‘ପ୍ରିଜର୍ଭିଂ ଆନାଟୋମି : ଦି ୱାର୍ଲ୍ଡ ଅଫ୍ ପ୍ଲାଷ୍ଟିନେସନ’ ଶୀଷର୍କ ପୁସ୍ତକ ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନିକଟରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଆନାଟୋମି ବିଭାଗର ପ୍ରଫେସର ଡାକ୍ତର ଶିଶିର କୁମାର ଏହି ପୁସ୍ତକରେ ପ୍ଲାଷ୍ଟିନେସନ୍‌ର ବୈଜ୍ଞାନିକ ପ୍ରକ୍ରିୟା, ଶିକ୍ଷା, ଗବେଷଣା ଏବଂ ଶରୀର ବିଜ୍ଞାନ ଅଧ୍ୟୟନରେ ବହୁମୁଖୀ ପ୍ରୟୋଗ ସଂପର୍କରେ ବିସ୍ତୃତ ଭାବେ ଉପସ୍ଥାପନା କରିଛନ୍ତିି । ଏହା ମେଡିକାଲ୍ ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ ଏବଂ ଆନାଟୋମି କ୍ଷେତ୍ରରେ କାର୍ଯ୍ୟରତ ବୃତିଜୀବୀମାନଙ୍କ ପାଇଁ ଏକ ଉପଯୋଗୀ ସନ୍ଦର୍ଭ ଗ୍ରନ୍ଥ ଭାବେ ସହାୟକ ହେବ ବୋଲି ପ୍ରଫେସର ନାୟକ ଆଶା ବ୍ୟକ୍ତ କରିଛନ୍ତି ।

ପୁସ୍ତକର ‘ରିସର୍ଚ୍ଚ ଆପିକ୍ଳେସନ୍ ଅଫ୍ ପ୍ଲାଷ୍ଟିନେସନ’ ଶୀଷର୍କ ଅଧ୍ୟାୟଟି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ରିପ୍ରକ୍ଟିଭ୍ ମେଡିସିନ୍ ଆଣ୍ଡ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର(ଡାକ୍ତର) ସୁଜାତା ପ୍ରଧାନ ରଚନା କରିଛନ୍ତି । ଏଥିରେ ପ୍ଲାଷ୍ଟିନେସନ୍ ପ୍ରଯୁକ୍ତିର ଗବେଷଣା କ୍ଷେତ୍ରରେ ବିଭିନ୍ନ ପ୍ରୟୋଗ ଓ ସମ୍ଭାବନା ସଂର୍ପକରେ ଆଲୋକପାତ କରାଯାଇଛି ।

ଡା. ଶିଶିର କୁମାର ଜର୍ମାନୀର ହାଇଡେଲବର୍ଗସ୍ଥ ବାୟୋଡୁର ଜିଏମବିଏଚ୍ ସେଂଟର ଫର୍ ପ୍ଲାଷ୍ଟିନେସନ ଠାରେ ଉନ୍ନତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସେ ପ୍ଲାଷ୍ଟିନେସନ୍ ବିଜ୍ଞାନର ପ୍ରବର୍ତକ ଡା. ଗୁନ୍ଥର ଭନ୍ ହାଗେନ୍ସଙ୍କ ଦଳର ସଦସ୍ୟମାନଙ୍କଠାରୁ ସିଧାସଳଖ ପ୍ରଶିକ୍ଷଣ ଲାଭ କରିଥିବାରୁ ଏହି କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ–୩, ବ୍ରହ୍ମପୁରର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ଉପସ୍ଥିତ ଥିଲେ ।

ସମ୍ପର୍କ ଥାଉ, ଦୂରତା ରହୁ 

କଥାରେ ଅଛି ଦୂର ବନ୍ଧୁ ସୁନ୍ଦର। ସମ୍ପର୍କଟା ଜୀବନ ରେଖାରେ ବନ୍ଧା. କେତେବେଳେ କିଏ ଏ ସଂମ୍ପର୍କରେ ଯୋଡିହୋଇଯାଏ ଓ ଛିଣ୍ଡିଯାଏ ତାହା ଜଣାପଡେ ନାହିଁ ସମୟ ଅନୁସାରେ ସମ୍ପର୍କର ଡୋରି ଆଗେଇ ଚାଲେ। ସମ୍ପର୍କ ଆନନ୍ଦ ଦିଅ ପୁଣି କନ୍ଦାଏ। ଅନେକ କହନ୍ତି ସମ୍ପର୍କ ବଜାୟ ରଖିବା ଏତେଟା ସହଜ ନୁହେଁ। ସବୁ ଠିକ ଠାକ ଥିଲେ ବି ଏଥରେ ବ୍ରେକ ଲାଗେ ପୁଣି ବିନା ବ୍ରେକରେ ସମ୍ପର୍କ ଗାଡି ଗଡିଚାଲେ ଆପେ ଆପେ। ବୁଝିବା ଲୋକ ସମ୍ପର୍କର ମୂଲ୍ୟ ବୁଝେ। ବିନା ସ୍ୱାର୍ଥରେ ଭଗବାନଙ୍କ ଆଶୀର୍ବାଦରୁ ଯୋଡି ହୋଇଥିବା ସଂମ୍ପର୍କ ନିବିଡ଼ ହେଲେ କାହିଁକି ଯେ ଏତେ ସ୍ୱାର୍ଥ ଖୋଜାପଡେ ତାହା ବୁଝିବା କଷ୍ଟ। ସମ୍ପର୍କ ଡୋରି ଉଭୟ ପଟୁ ସମାନ ଭାବେ ଟଣାଯାଏ। ଯାହା ଭରିଦିଏ ମିଠା।

ଆଜିକାଲି ସମ୍ପର୍କର ପରିଭାଷା ବଦଳିଯାଇଛି।କଣ ପାଇବି ଓ କଣ ହରାଇବି ମାପକାଠିରେ ଯୋଡି ହେଇଛି ସମ୍ପର୍କ। ଯାହା କଳାବୈଶାଖୀ ବର୍ଷା ପରି। କାଳବୈଶାଖୀ ବର୍ଷା ଯେମିତି କେଉଁଠି ଖୁସି ଦିଏ ତ କ୍ଷତି କରେ. ଏହି ଖୁସି ଓ କ୍ଷତି ଭୁଲିଯାଇ ଆଗକୁ ବଢିଲେ ସମ୍ପର୍କ ଆଗେଇଚାଲେ। ସମ୍ପର୍କକୁ ଅଧିକ ନିକତର କରି ଅତ୍ୟଧିକ ଝୁରିଲେ ଏହା ଖଟା ପଡ଼ିଯାଏ। ଦହିର ମଧୁରତା ଯେମିତି ଖଟାରେ ଥାଏ, ସମ୍ପର୍କରେ ରାଗରୁଷା ବି ଦରକାର. ସାମାଜରେ ବଂଚିବା ପାଇଁ ସହିତ ଆଉ ଗୋଟେ ପରିବାରର ସମ୍ପର୍କ ଯୋଡି ହୋଇଯାଏ। ସର୍ବପରି ସାମାଜିକ ଓ ପାରିବାରିକ ଶାନ୍ତି ପାଇଁ ସମ୍ପର୍କରେ ଦୂରତା ଟିକେ ଆବଶ୍ୟକ। ଯାହା ସଭିଙ୍କ ପାଇଁ ଅନୁକରଣୀୟ ହୋଇଥାଏ।

Follow us

20,832FansLike
0FollowersFollow
14,700SubscribersSubscribe

Latest news