ବିଜେଡି ଓ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟକୁ ବିଜେପି ତରଫରୁ ନିନ୍ଦା

ମହିଳା ସୁରକ୍ଷାକୁ ଆଳ କରି ଗତ କିଛି ଦିନ ହେଲା ଓଡିଶା ବନ୍ଦ, ଘେରାଓ, କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଉଭୟ ବିଜେଡି ଓ କଂଗ୍ରେସ ଦଳ କୁମ୍ଭୀର କାନ୍ଦଣା କାନ୍ଦିବାର ଦୃଶ୍ୟ ଓଡିଶାବାସୀ ଦେଖୁଛନ୍ତି । ଅନ୍ୟ ପଟେ ମହିଳା ଦୁଷ୍କର୍ମରେ ଅଭିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଏବଂ ବିଏମ୍‌ସି କର୍ପୋରେଟର ତଥା ବିଜେଡି ନେତା ଅମରେଶ ଜେନାଙ୍କ କ୍ଷେତ୍ରରେ ଉଭୟ ଦଳର ମୁଖିଆଙ୍କ ତୁଣ୍ଡି ବନ୍ଦ । ବାସ୍ତବରେ ମହିଳା ସୁରକ୍ଷା ପ୍ରସଙ୍ଗରେ ଉଭୟ ଦଳର ଦୋମୁହାଁ ନୀତି ପଦାରେ ପଡିଛି । ନିଜ ଅସଲ ଚିତ୍ର ଧରାପଡିବା ଭୟରେ ଅତ୍ୟନ୍ତ ନିମ୍ନସ୍ତରକୁ ଯିବା ପାଇଁ ମଧ୍ୟ ପଛାଉ ନାହାନ୍ତି ଉଭୟ ଦଳ । ଏହାର ପ୍ରତିବାଦ କରି ଆଜି ଭୁବନେଶ୍ୱର ଜିଲ୍ଲା ତରଫରୁ ମାଷ୍ଟରକ୍ୟାଂଟିନ ଛକଠାରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏବଂ କଂଗ୍ରେସର ତଥାକଥିତ ମୁଖିଆ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟବାସୀଙ୍କ ନିକଟରେ ଉଭୟ ଦଳର ଅସଲ ଚରିତ୍ର, ସ୍ୱଭାବ ଓ ମାନସିକତାକୁ ମନେ ପକାଇ ଦେବା ପାଇଁ ସମସ୍ତ ଜିଲ୍ଲାରେ ବ୍ୟାପକ ଓ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର କହିଛନ୍ତି ।

ମହିଳା ଦୁଷ୍କର୍ମ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଦଳ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ନିଜ ଶାସନ କାଳର ଅପକର୍ମ ଓ କୁକର୍ମକୁ ଜନମାନସରୁ ଦୁରେଇ ରଖିବା ପାଇଁ ଉଭୟ କଂଗ୍ରେସ ଏବଂ ବିଜେଡି ଦଳ ଅପପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ବିଜେପି ସରକାର ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ଓ ସମର୍ପିତ ସରକାର । ମହିଳା ସୁରକ୍ଷା ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଶକ୍ତ, ତ୍ୱରିତ ଏବଂ ସଚେତନଧର୍ମୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତମାନ ବିଜେପି ସରକାରର କଡା ଅଭିମୁଖ୍ୟ ଦେଖି ରାଜ୍ୟର ମାଁ ଓ ଭଉଣୀଙ୍କ ଆତ୍ମବିଶ୍ୱାସ ବଢିଛି । ରାଜ୍ୟର ମାଁ ଓ ଭଉଣୀମାନଙ୍କୁ ନ୍ୟାୟ ଓ ସମ୍ମାନ ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହି ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ମହିଳାମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ରଶ୍ମୀରେଖା ଦାସ, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁବାଷିନୀ ପୃଷ୍ଟିଙ୍କ ସମେତ ଜିଲ୍ଲା ଓ ରାଜ୍ୟର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ

ବାଇଁଆ ତୁମ ଜ୍ୱାଇଁ ପୁଅ : କଂଗ୍ରେସ

ନାରୀ ନିର୍ଯାତନାରେ ସାରା ଦେଶରେ ଚାଞ୍ଚଲ୍ୟ କରିଛି ଓଡ଼ିଶା । ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି । ଏବିଭିପିର ସଦସ୍ୟା ସୌମ୍ୟା ଘଟଣା, ବଳଙ୍ଗା ପୋଡ଼ି ଘଟଣା ମର୍ମଭେଦ କରିଛି । କିନ୍ତୁ ଘୋର ଆଶ୍ଚର୍ଯ୍ୟର କଥା ବିଜେପି ମହିଳା ମୋର୍ଚ୍ଚା ଏସବୁ ନିର୍ଯାତନା ଘଟଣାରେ କୁଆଡ଼େ ଲୁଚିକିଥିଲେ । ବର୍ତ୍ତମାନ ନାରୀ ନ୍ୟାୟ ପାଇଁ ରାଜରାସ୍ତାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁଦଳ ସରକାରରେ ଅଛି ବ୍ୟବସ୍ଥା ଦେଖୁଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଟୀକା ଟିପ୍ପଣୀ ଦେଉଛନ୍ତି । ବିଜେପି ନିଚ୍ଚତାର ସୀମା ଲଙ୍ଘନ କରି ନିଜ ଦୋଷ ଘୋଡ଼ାଇବା ପାଇଁ ଆଜି ମହିଳାଙ୍କ ଆଶ୍ରୟ ନେବାକୁ ମଧ୍ୟ ପଛାଉନାହିଁ । ବିଜେପି ମହିଳା ମୋର୍ଚ୍ଚାର ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ଟିପ୍ପଣୀ ଯେତିକି ଲଜ୍ଜାଜନକ ସେତିକି ହାସ୍ୟାସ୍ପଦ ମଧ୍ୟ । ବାଇଁଆ ଜେନା ପ୍ରସଙ୍ଗରେ ନିଜ ସରକାରକୁ ଘେରିବା ଛାଡ଼ି କଂଗ୍ରେସକୁ ପ୍ରଶ୍ନ ପଚାରୁଛି । ବାଇଁଆକୁ ନିଜ ଦଳର ଜ୍ୱାଇଁ ପୁଅ କରିଛ । ଅଧିକାଂଶ ନେତାଙ୍କ ସହ ତାର ସମ୍ପର୍କ । ବାଇଁଆ ଗତ ନିର୍ବାଚନରେ କାହାପାଇଁ ପ୍ରଚାର କରୁଥିଲା ନିଜକୁ ପଚାରି ଦେଖ ।

ମୁଖପାତ୍ର ମନିଷା ଦାସ ପଟ୍ଟନାୟକ କହିଲେ ଯେ ଆମେ ଆଜି କିଛି ଚୂଡ଼ି ନେଇକି ଆସିଛୁ । କାରଣ ଚୂଡ଼ି ପିନ୍ଧିବା କେତେଯେ କଷ୍ଟ ସେମାନେ ହୃଦୟଙ୍ଗମ କରନ୍ତୁ ବୋଲି ଆଣିଛୁ । ସେମାନେ ଯଦି ଏହି କଷ୍ଟ ଜାଣିଥାନ୍ତେ ତେବେ ସେମାନେ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣାବେଳେ ଆଗକୁ ଆସିଥାନ୍ତେ, ଲୁଚି ନଥାନ୍ତେ । ବୋଧହୁଏ ବିଜେପି ମହିଳା ମୋର୍ଚ୍ଚା ନିଜ ସରକାରଙ୍କ ଉପରେ ଭରଷା ନାହିଁ ସେଥିପାଇଁ ରାଜରାସ୍ତାରେ ଆସି ହାସ୍ୟାସ୍ପଦ ବିରୋଧ ପ୍ରଦର୍ଶନ କରୁଛନ୍ତି । ମୁଖପାତ୍ର ଜୟଶ୍ରୀ ପାତ୍ର ତାଙ୍କ ବିବୃତିରେ କହିଲେ ଯେ ତୁମ ଦଳ ସରକାରରେ ଅଛି ଏବଂ ତୁମେ ରାଜରାସ୍ତାରେ ଚିତ୍କାର କରୁଛ ଏହା ଆଶ୍ଚର୍ଯ୍ୟକର ନୁହେଁକି? କେଉଁ ଅଭିଯୁକ୍ତକୁ ଗିରଫ କରାଯିବ ଏବଂ କାହାକୁ ଅନୁକମ୍ପାମୂଳକ ସୁରକ୍ଷା ଦିଆଯିବ ସରକାର ନିଜ ଆତ୍ମିୟସ୍ୱଜନ ବିଚାର କରୁଛନ୍ତି । ଏହା ପ୍ରକୃତରେ ଲୋକଙ୍କ ସରକାର ନା କିଛି ଲୋକଙ୍କ ସରକାର ବୋଲି ପ୍ରଶ୍ନ କରିଛନ୍ତି । ଠିକ ସେମିତି ମୁଖପାତ୍ର ଝୁନା କୁମାରୀ ବିଜେପି କେତେ ନିଚ୍ଚ ଏବଂ ଅସହିଂଶୁ ତା’ର ଉଦାହାରଣ ଦେଖିବାକୁ ମିଳିଲା ବାଣୀବିହାର ଠାରେ । ସେଥାରେ ଥିବା ବିଜେପି ପୋଷ୍ଟର ନିଖୁଣ ଥିବା ବେଳେ ପାଖରେ ଲଗାଯାଇଥିବା ସୌମ୍ୟାଶ୍ରୀର ଶ୍ରଦ୍ଧାଞ୍ଜଳି ପୋଷ୍ଟର ଚିରାଯିବା ଘଟଣା ଏଥିରୁ ଜଣାପଡ଼ୁଛି ନାରୀ ନିର୍ଯାତନା ପାଇଁ ଏମାନେ କେତେ ବ୍ୟଥିତ । ମୁଖପାତ୍ର ମଧୁସ୍ମିତା କହିଲେ ବର୍ତ୍ତମାନ ରାଜ୍ୟର ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଜାଣିଲେଣି । ଦୁଷ୍କର୍ମ, ନିର୍ଯାତନା ଘଟଣା ଗୁଡ଼ାକୁ ଆଉ ଘଂଟ ଘୋଡ଼ଇ ସରକାର ରଖିପାରିବେ ନାହିଁ ।

ଶେଷରେ ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ମୁଖପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ପୃଥ୍ୱୀରାଜ ଓ ସୁରଜଙ୍କ ପଲାଭାରୀ 

 ଆଇନ ମନ୍ତ୍ରୀ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ସଂସ୍କୃତି ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବାଦ ପଡିବେ ନାହିଁ। ବିଜେପି ସରକାରରେ ଏହି ଦୁଇମନ୍ତ୍ରୀଙ୍କ ଦବଦବା ବି କିଛି କମ୍ ନୁହେଁ। ବିଜେପି ଅନ୍ଦରମହଲର ଚର୍ଚ୍ଚା ଅନୁସାରେ ଉଭୟଙ୍କ ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଦଳର କିଛି ବିଧାୟକ ଅସନ୍ତୋଷ ଜାହିର କରିଛନ୍ତି ଦଳର ଶୀର୍ଷ ନେତୃତ୍ଵଙ୍କ ପାଖରେ।କାଳେ ବିଧାୟକ କଥା ବି ମନ୍ତ୍ରୀମାନେ ଶୁଣୁନାହାନ୍ତି। ଖୋଲାଖୋଲି ବିଧାୟକ ମାନେ କହୁଛନ୍ତି ଯେ ଦୁଇମନ୍ତ୍ରୀଙ୍କ ଅହଂକାର କାଳେ ବହୁତ ବଢିଯାଇଛି। ଫଳରେ ଦଳୀୟ କର୍ମୀ କି ବିଧାୟକଙ୍କୁ ସେମାନେ ପଚାରୁନାହାନ୍ତି।

ହେଲେ ଉଭୟ ମନ୍ତ୍ରିମଣ୍ଡଳର ଶକ୍ତିଶାଳୀ ମନ୍ତ୍ରୀ। ତେଣୁ ସଂପ୍ରସାରଣ ସମୟରେ ବାଦ ନୁହେଁ, ବରଂ ଉଭୟଙ୍କ ଠାରୁ ଶକ୍ତିଶାଳୀ ବିଭାଗ କାଡିନେବାକୁ ବିଜେପିର ଶୀର୍ଷ ନେତୃତ୍ଵ କସରତ ଆରମ୍ଭ କରିଛନ୍ତି ।ଆଇନ ମନ୍ତ୍ରୀ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ସଂସ୍କୃତି ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଭାଗ୍ୟ କଣ ହେବ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି। ଦୁଇ ମନ୍ତ୍ରୀ ରିପୋର୍ଟ କାର୍ଡରେ ଯାହା ମାର୍କ ପାଆନ୍ତୁ, ନିଜର ପାରିବାପଣ ଓ ଦଳରେ ଦବଦବା ଯୋଗୁଁ ମନ୍ତ୍ରୀପଦ ବଜାୟ ରଖିବେ ଏଥିରେ ସନ୍ଧେହ ନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ସୋଆର ମହିଳା ୱର୍କଫୋର୍ସକୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ମାନ ପ୍ରଦାନ

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କର୍ଷତା ଓ ଏହାର ଅଗ୍ରଣୀ ଭୂମିକା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ୱର୍କଫୋର୍ସକୁ ଫେମିନା ୱିମେନ୍ ଆଚିଭର୍ସ ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି ।

ଶନିବାର ଭାରତର ଅଗ୍ରଣୀ ମହିଳା ଭିତିକ ପ୍ରତ୍ରିକା ଫେମିନା ପକ୍ଷରୁ ଆୟୋଜିତ ଫେମିନା ଆଚିଭର୍ସ ଆୱାର୍ଡ ସମ୍ମାନ, ଓଡ଼ିଶା ୨୦୨୫ ସମ୍ମାନ ପ୍ରଦାନ ଉତ୍ସବରେ ସୋଆର ମହିଳା ୱର୍କଫୋର୍ସକୁ ଦୁଇଟି ସମ୍ମାନ ପ୍ରଦାନ କରାଯାଇଛି ।

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ନେତୃତ୍ୱ ନେଇ ସୋଆର ୱିମେନ୍ ୱର୍କଫୋର୍ସକୁ ‘ଏକ୍ସିଲେନ୍ସ ଇନ୍ ଏଜୁକେସ୍‌ନାଲ ଲିଡରସିପ୍‌’ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ରୁଚି ଭୂୟାଁ, ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତି ତ୍ରିପାଠୀ, ଡିନ୍ ପ୍ରଫେସର ସସ୍ମିତା ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନ୍‌ସେସ୍ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟସ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଓ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଏହି ସମ୍ମାନ ଗ୍ରହଣ କରିଥିଲେ ।

ସେହିପରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କର୍ଷତା ନେଇ ସୋଆ ଗ୍ରୁପ୍ ଅଫ୍ ହସ୍ପିଟାଲ୍‌ସର ମହିଳା ଶାଖାକୁ ‘ଆଉଟଷ୍ଟାଣ୍ଡିଙ୍ଗ କଂଟ୍ରିବ୍ୟୁସନ୍ ଟୁ ୱିମେନ୍ ଏମ୍ପାୱାରମେଂଟ ଇନ୍ ଏଜୁକେସନ ଆଣ୍ଡ ହେଲ୍‌ଥ କେୟାର’ ସମ୍ମାନ ପ୍ରଦାନ କରାଯାଇଛି ।

ସୋଆ ପକ୍ଷରୁ ଚିଫ୍ ଫ୍ୟାସିଲିଟେଟିଙ୍ଗ ଅଫିସର ଶ୍ରୀମତି ପ୍ରତିମା ରାଉତରାୟ, ସୋଆ ଫାର୍ମାସୀ ମୁଖ୍ୟ ଡକ୍ଟର ଜସ୍ମୀନ ପଣ୍ଡା, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୱାଲିଟି ବିଭାଗର ମୁଖ୍ୟ ପ୍ରଫେସର ଅରୋଲିପି ଦାସ, ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଇଂ ମନୋରମା ପରିଡ଼ା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିଜିଏମ୍ ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ୍‌, ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମୀନତି ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ – ୨ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ, ସୋଆ ରେଡିଓର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ, ସୋଆ ଫାର୍ମସୀର ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ, ସୋଆ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପ୍ରଫେସର ସସ୍ମିତା ମହାନ୍ତି ଓ ପ୍ରଫେସର ସ୍ମିତା ସୁଚରିତା ମହାପାତ୍ର ଏବଂ ସୋଆ ଆଲୁମିନାଇର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ଏହି ସମ୍ମାନ ଗ୍ରହଣ କରିଥିଲେ ।

ସେହିପରି ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ନେଇ ବିଶିଷ୍ଟ ସାହିତ୍ୟିକା ତଥା ସୋଆର ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କୁ ‘ଏକ୍ସିଲେନ୍ସ ଇନ୍ ଲିଟରେଚର’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଶିକ୍ଷା, ସ୍ୱାସ୍ଥ୍ୟ, ଚିକିତ୍ସା, କଳା, ସାହିତ୍ୟ, ବିଜ୍ଞାନ, ଗବେଷଣା, ବ୍ୟବସାୟ, କ୍ରୀଡ଼ା, ଫ୍ୟାଶନ୍‌, ସାମାଜିକ ନେତୃତ୍ୱ, ସମାଜ ସେବା, ଚଳଚ୍ଚିତ୍ର, ସାମ୍ବାଦିକତା, ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ପ୍ରାୟ ୨୫ ଜଣ ମହିଳାଙ୍କୁ ଫେମିନା ଆଚିଭର୍ସ ସମ୍ମାନ ପ୍ରଦାନ କରାଯାଇଥିଲା ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମେୟର ଶ୍ରୀମତି ସୁଲୋଚନା ଦାସ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଏସ୍‌.ଏନ୍‌ଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ ମହାନ୍ତି, ଜ୍ୟାକ୍ ଅଲିଭଲ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜର୍ଶୀ ଦାସ, ନିର୍ଦ୍ଦେଶିକା ଶ୍ରୀମତି ତପତି ଦାସ, ଫେମିନାର ମ୍ୟାନେଜିଂ ଏଡିଟର ପ୍ରିମ୍‌ରୋଜ ମଂଟେରିଓ ଡି’ସୁଜା ତଥା ଟାଇମ୍ସ ଗ୍ରୁପର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ତଥା ରିଜିଓନାଲ୍ ହେଡ୍ (ଇଷ୍ଟ) ଶ୍ରୀ ବିମାନ ଦତ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବଲିଉଡ୍ ଅଭିନେତା ଅମୋଲ୍ ପରାଶର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ୱିମେନ୍ ଆଚିଭର୍ସଙ୍କୁ ଅନ୍ୟ ଅତିଥି ମାନଙ୍କ ସହ ସମ୍ମାନିତ କରିଥିଲେ ।

ଧର୍ମେନ୍ଦ୍ରଙ୍କ ବିନା ଗତିନାହିଁ

 କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଜେପି ଦଳର ବଡ ଚେହେରା। ଓଡ଼ିଶାରେ ବିଜେପି ଶାସନକୁ ଆସିବାରେ ତାଙ୍କ ଭୂମିକା କିଛି କମ୍ ନୁହେଁ। ୨୦୦୯ରୁ ବିଜେପିକୁ ଓଡ଼ିଶାରେ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ସେ ଗୁରୁତ୍ଵପୂର୍ଣ୍ଣ ଭାବେ କାମ କରୁଥିଲେ। ଯାହାଫଳରେ ଓଡ଼ିଶା ବିଧାନସଭାରେ ବିଜେପି ୨୦୦୯ରେ ୬ଟି ବିଧାୟକ ରୁ ୨୦୨୪ରେ ୭୮ ବିଧାୟକ ନିର୍ବାଚିତ ହୋଇ ଦଳ ପ୍ରଥମଥର ଓଡ଼ିଶାରେ ଏକକ ସରକାର ଗଠନ କରିବାରେ ସର୍ମଥ ହୋଇଛି। ଦଳୀୟ ସଂଗଠନ ସଶକ୍ତ କରିବା ସହ କେନ୍ଦ୍ରମନ୍ତ୍ରୀ ଭାବେ ଓଡ଼ିଶାକୁ ଅଧିକ ଫୋକସ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ବିଜେପିର ସଶକ୍ତ କରିଥିଲେ। ୨୦୨୪ ନିର୍ବାଚନ ପରେ ବିଜେପି ରାଜ୍ୟ ଶାସନ ଭାର ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଜେପି ନେତୃତ୍ଵ ଏକଘରିଆ କରିଥିବା ଚର୍ଚ୍ଚା ଲାଗିରହିଛି। ଓଡିଶା ବିଜେପି ରାଜନୀତିରେ ଘଟୁଥିବା କିଛି ଘଟଣା ମଧ୍ୟ ଏ କଥାକୁ ପ୍ରମାଣିତ କରୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଉ ଆଗପରି ଓଡ଼ିଶା ରାଜନୀତିରେ ପତିଆରା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ଲାଗି ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବାକୁ କସରତ ଆରମ୍ଭ କରିଛନ୍ତି । ଏଥିଲାଗି ଭୁବନେଶ୍ଵରରୁ ଦିଲ୍ଲୀ ଯାଏ ଚାଲିଛି ଭେଟଘାଟ ଓ ଆଲୋଚନା। ମନ୍ତ୍ରିମଣ୍ଡଳରରେ କିଏ ରହିବେ ଓ କିଏ ବାଦ ପଡିବେ ସେ ଚର୍ଚ୍ଚା ମଧ୍ୟ ଜାରୀ ରହିଛି। ଏହାରି ଭିତରେ ରାଜ୍ୟପାଳ ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ରାଜନୈତିକ ମହଲରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ବିଜେପି ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଗତିନାହିଁ। କେନ୍ଦ୍ରମନ୍ତ୍ରୀଙ୍କୁରାଜ୍ୟପାଳ ସୌଜନ୍ୟମୂଳକ ସାକ୍ଷାତ କାର କରିଛନ୍ତି । ହେଲେ  ଏହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଯାଏନାନା ଚର୍ଚ୍ଚା।

ବିପଦର ବନ୍ଧୁ ପ୍ରଣବ: ଅସୁସ୍ଥ ସତ୍ତ୍ବେ ବନ୍ୟା ବିପନ୍ନଙ୍କ ନିକଟରେ

ବୈତରଣୀ ନଦୀର ଆସିଛି ବନ୍ୟା, ଯାଜପୁର ନିର୍ବାଚନୀ ମଣ୍ଡଳୀର ବହୁ ଗାଁ ପାଣି ଘେରରେ। ଏ ସମୟରେ ଲୋକଙ୍କ ପାଖରେ ପହଞ୍ଚି, ସେମାନଙ୍କ ବଳ ବୃଦ୍ଧି କରିବାକୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସହ କାନ୍ଧରେ କାନ୍ଧମିଶାଇ ଛିଡାହୋଇଛନ୍ତି ଯାଜପୁରବାସୀଙ୍କ ଦୁଇ ଭାଇ ବବି ଓ ଭବ । ଅସୁସ୍ଥ ଥିବା ସତ୍ତ୍ବେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚି ବିଜେଡି ଉପସଭାପତି ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଲୋକଙ୍କ ସୁଖ ଦୁଃଖ ବୁଝିଛନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବୈତରଣୀରେ ଜଳସ୍ତର ବଢିବା ଯୋଗୁ ଦଶରଥପୁର ଅଞ୍ଚଳରେ ବନ୍ୟା ଜଳ ମାଡିଯାଇଛି।

କିଛି ଦିନତଳେ ରାଜଧାନୀରେ ଆଇନ ଶୁଙ୍ଖଳା , ନାରୀ ନିର୍ଯାତନାଓ ରାଜ୍ୟରେ ମହିଳାମାନଙ୍କୁ ବିଜେପି ସରକାର ସୁରକ୍ଷା ଯୋଗାଇ ଦେବା ଦାବିରେ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା। ଏହି ସମୟରେ ପ୍ରଣବଙ୍କ ଗୋଡରେ ଆଘାତ ଲାଗିଥିଲା। ହେଲେ ଅସୁସ୍ଥ ସତ୍ତ୍ବେ ଆଜି ବନ୍ୟା ଅଂଚଳରେ ଯାଜପୁରବାସୀଙ୍କ ପାଖରେ ଛିଡା ହୋଇଛନ୍ତି ପ୍ରଣବ। ଯେଉଁଠି ସରକାର ଏଯାଏ ପହଞ୍ଚି ପାରିନାହାନ୍ତି ସେଠାରେ ବିରୋଧୀ ଦଳର ସଦସ୍ୟ ପ୍ରଣବ ପ୍ରକାଶ ଦାସ ପ୍ରଭାବିତ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ବନ୍ୟାବିପନ୍ନ ସୁରକ୍ଷା ପାଇଁ ଆବଶକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ପ୍ରଣବ।

ଅଶି ଓ ନବେ ଦଶକରେ ଓଡ଼ିଶାର ସାଲିସ ବିହୀନ ନେତା ସ୍ଵର୍ଗତ ଅଶୋକ ଦାସ , ଯେତେବେଳେ ବନ୍ୟା ବା ପ୍ରାକୃତିକ ବିପର୍ଯ୍ୟୟରେ ଯାଜପୁର ପ୍ରଭାବିତ ହେଉଥିଲା । ସେତେବେଳେ ସେ ଜଣେ ରାଜନେତା ଭାବରେ ନୁହେଁ ଯାଜପୁରର ମୁରବି ଭାବରେ ଦିନରାତି ଏକ କରି ବିପନ୍ନଙ୍କ ପାଖରେ ଛିଡା ହେଉଥିଲେ । ବନ୍ୟାରେ ଯେମିତି ଘାଇ ସୃଷ୍ଟି ନହେବ ନିଜେ ବାଲିବସ୍ତା ନେଇ ନଦୀବନ୍ଦରେ ପକାଉଥିଲେ ଓ ବନ୍ୟାବିପନ୍ନ ସହ ରହି କାମ କରୁଥିଲେ । ନଦୀବନ୍ଦ ଓ ତଳିଆ ଅଞ୍ଚଳରେ ରାତି କଟାଉଥିଲେ। ବନ୍ୟାବିପନ୍ନ ପାଖରେ କିଭଳି ସହାୟତା ପହଞ୍ଚିବ , ଲୋକେ କିଭଳି ବିପଦ ମୁକ୍ତ ହେବେ ସେନେଇ ତତ୍ପର ହେଉଥିଲେ । ଠିକ୍ ବାପାଙ୍କ ପରି ତାଙ୍କ ପୁଅ ତଥା ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ପାଖରେ ଏହି ଗୁଣ ଦେଖିବାକୁ ମିଳୁଛି। ତାଙ୍କ ସହ ଯୁବନେତା ଭବ ପ୍ରକାଶ ବି। ରାଜନୀତି ପାଇଁ ନୁହେଁ, ଦୁଇ ଭାଇ ଲୋକଙ୍କ ସେବା ପାଇଁ ଯେ ରାଜନୀତି କରୁଛନ୍ତି ତାହା ବନ୍ୟା ସମୟରେ ଉଭୟ ବିପନ୍ନଙ୍କ ସହ  ରହି ପ୍ରମାଣିତ କରିଛନ୍ତି l

ଯେତେବେଳ ବି ବୈତରଣୀ ନଦୀରେ ବଡ ବନ୍ୟା ଆସିଛି । ଏଥିରେ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଆଉ ବିପନ୍ନଙ୍କ ଦୁଖଃରେ ନବୀନଙ୍କ ଦୁଇ ଯୁବ ଯୋଦ୍ଧା ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପୌର ପରିଷଦ ଅଧକ୍ଷ ଭବ ପ୍ରସାଦ ଦାସ ଛିଡା ହୋଇଛନ୍ତି । ଯାଜପୁର ବାସୀଙ୍କ ଦୁଃଖରେ ଏହି ଦୁଇ ଭାଇ ସବୁବେଳେ ସହାୟତାର ହାତ ବଢାଇଥାନ୍ତି। କାରଣ ସେମାନେ ଲୋକଙ୍କ ନେତା। ସୁଖ, ଦୁଃଖର ସାଥି । କାମ ତାଙ୍କର ପରିଚୟ । ବନ୍ୟା ହେଉ ଅବା ଅନ୍ୟ କିଛିି ସମସ୍ୟା ସବୁବେଳେ ଲୋକଙ୍କ ସହ ରହନ୍ତି ସେ । ନିଷ୍ଠାପର ଓ ପରିଶ୍ରମ ପାଇଁ ଲୋକେ ତାଙ୍କୁ ରାଜନେତା ଭାବେ ନୁହେଁ, ବଂର ନିଜର ଭାଇ ବୋଲି ଭାବନ୍ତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନାନା ସମସ୍ୟା ଭିତରେ ଲୋକେ ଅଛନ୍ତି । ଆଉ ଲୋକଙ୍କ ଏହି ର୍ଦୁଦଶା ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି ଯାଜପୁର ଦୁଇ ଭାଇ ପ୍ରଣବ ଓ ଭବ ।ଲୋକେ ବି ତାଙ୍କ କାନ୍ଦରେ କାନ୍ଦ ମିଶାଇ କାମ କରୁଛନ୍ତି ।

ସାରା ଓଡିଶା ନେତା ସାଜିଥିବା ପ୍ରଣବ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ଯାଜପୁରବାସୀ ଯେତେବେଳେ ବିପଦରେ ପଡ଼ିଥିବେ ସେତେବେଳେ ସେ ସବୁ ଭୁଲି ଯାଆନ୍ତି ।ଏପରି ନିଜ ପରିବାରକୁ । ଯାହା ପୁଣିଥରେ ଦେଖିବାକୁ ମିଳିଛି ଏହି ବନ୍ୟାରେ । ଯାଜପୁର ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବନ୍ୟାପାଣି ମାଡି ଯାଇଛି। ଏଥିଲାଗି ଯାଜପୁରବାସୀଙ୍କ ଭାଇ ପ୍ରଣବ ପ୍ରକାଶ ଦାସ ଓ ଯୁବ ନେତା ଭଵ ପ୍ରସାଦ ଦାସ ଲୋକ ସମସ୍ୟା ପଚାରି ବୁଝିବା ସହ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବନ୍ୟାରେ ଯେପରି କୌଣସି ଲୋକ ଅସୁବିଧାରେ ନପଡ଼ିବେ ସେଥିପାଇଁ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ପାଖରେ ଦାବି କରିଛନ୍ତି । ଲୋକେ କହୁଛନ୍ତି ନେତା ହେବ ତ ପ୍ରଣବ ଓ ଭଵଙ୍କ ପରି ।ଯେ କି ଲୋକଙ୍କ ଦୁଃଖରେ ଦୁଖୀ ଓ ସୁଖରେ ସାଥି ହୋଇ ସବୁବେଳେ ପାଚେରୀ ପରି ଠିଆ ହେବେ । କ୍ଷମତାରେ ଥିବା ବେଳେ ଯେମିତି, ବିରୋଧୀ ଦଳରେ ଥିବା ବେଳେ ବବି ଓ ଭବ ଯାଜପୁରବାସୀଙ୍କ ସହ ସେମିତି ଅଛନ୍ତି ।

୨୪ପରେ ରାଜନୀତିର ଅକୁହାକଥା

 ୨୦୨୪ ସାଧାରଣ ନିର୍ବାଚନ ପରେ ଓଡିଶା ରାଜନୀତିର ପାଣିପାଗ ଗୋଳମାଳିଆ ହୋଇଛି । ବିଜେପି, ବିଜେଡି ଓ କଂଗ୍ରେସ ଶିବିରର ରାଜନୀତି କେତେବେଳେ କେଉଁ ଦିଗ ଦେଇ ଗତିକରୁଛି ତାହା ବୁଝିବା ମୁସ୍କିଲ । ଶାସକ, ଶାସକ ଦଳର ଭୂମିକା ନିଭାଉଛି କି ନାହିଁ ତାହା ସନ୍ଦେହରେ ଥିବା ବେଳେ ମୁଖ୍ୟ ବିରୋଧୀ ବିଜେଡି ବିରୋଧୀ ଭୂମିକାରେ ଅଛି କି ନାହିଁ ତାହା ଜଣାପଡୁନାହିଁ । କଂଗ୍ରେସ ଟିକେ ଜୋସରେ ଥିଲେ ମଧ୍ୟ ଭକ୍ତ ବିରୋଧରେ ଅସନ୍ତୋଷର ନିଆଁ ବି ଦଳ ଭିତରେ କୁହୁଳୁଛି। ଏପରି ସ୍ଥିତିରେ ଓଡିଶାବାସୀଙ୍କ ସ୍ବାର୍ଥ ଓ ସ୍ବପ୍ନ କେତେପୂରଣ ହେଉଛି ବାସ୍ତବରେ ତାହାକୁ ନେଇ ଆରମ୍ଭ ହୋଇଛି ଅବଗଣନା।

ବିଜେପି

୧୩ ମାସର ବିଜେପି ସରକାର ଓଡିଶାରେ। ବିଜେପି ଶାସକ ଦଳରେ ଥିଲେ ମଧ୍ୟ ସରକାରଙ୍କର କାର୍ଯ୍ୟଶୈଳୀ ଲୋକଙ୍କୁ ସେତେଟା ପ୍ରଭାବିତ କରିପାରୁନାହିଁ । ଶାସକ ଦଳର ସଫଳତା ଅପେକ୍ଷା ବିଫଳତା ବେଶି ଲୋକଙ୍କ ପାଖକୁ ଯାଉଛି । ଶାସକ ଦଳ ଲୋକଙ୍କ କଥା କଣ ବୁଝିବ, ଖୋଦ ନିଜ ବିଧାୟକଙ୍କ କଥାକୁ ମନ୍ତ୍ରୀମାନେ ଶୁଣୁନାହାନ୍ତି ବୋଲି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରୁଥିବା ଚର୍ଚ୍ଚା ହେଉଛି । ସମାନ ଅଭିଯୋଗ ସାଂସଦମାନେ ଦିଲ୍ଲୀ ବୈଠକରେ ରାଜ୍ୟ ସଭାପତି ଓ ସଂଗଠନ ସମ୍ପାଦକଙ୍କ ପାଖରେ କରିଛନ୍ତି । ଦଳ କ୍ଷମତାରେ ଥିଲେ ମଧ୍ୟ ବିଧାୟକ ଓ ସାଂସଦଙ୍କ କାମ ହେଉନଥିବାରୁ ଦଳରେ ଅସନ୍ତୋଷ ଉଗ୍ରରୂପ ନେଇଛି । କେହି କାହାକୁ ମାନିବାକୁ ନାରାଜ ହୋଇଛନ୍ତି । ଫଳରେ ବିକାଶ କାମ ଧିମେଇ ଯିବା ସହ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଦଳ ୩ଗୋଷ୍ଠୀରେ ବିଭକ୍ତ ହୋଇଥିବାରୁ ୧୩ ମାସ ହେବ ଖାଲିପଡିଥିବା ୬ଟି ମନ୍ତ୍ରୀପଦ ପୂରଣ ହୋଇପାରୁଛି ନାଁ ନିଗମ ବଣ୍ଟନ ହୋଇପାରୁଛି । ଲାଗୁଛି ଯେମିତି ବିଜେପର ଶତ୍ରୁର ବିରୋଧୀ ନୁହେଁ, ବିଜେପିର ଶତ୍ରୁ ବିଜେପି । ଯାହାକୁ ନେଇ କେନ୍ଦ୍ରୀୟ ନେତୃତ୍ବ ଚିନ୍ତାରେ ପଡିଛନ୍ତି ।

ବିଜେପି ଓଡିଶାରେ ଚେହେରା ସାଜିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ଅପରାଜିତା ଷଢଙ୍ଗୀ, କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂଗଠନ ସମ୍ପାଦକ ମାନସ । ଏହି ଗୋଷ୍ଠୀର ସ୍ବର ଏକ ହୋଇପାରୁନଥିବାରୁ ବିଜେପିରେ ପ୍ରତ୍ୟେକ ଦିନ ଅନେକ ଅକୁହା କଥା ଘଟୁଛି । ଯାହା ନା ଦଳ ସହିପାରୁଛି ନା କାହାକୁ କହିପାରୁଛି ।

ବିଜେଡି –

୨୪ରେ ବିଜେଡି ପ୍ରଥମଥର ପାଇଁ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି ଓଡିଶା ରାଜନୀତିରେ । ୫୧ଜଣ ବିଧାୟକଙ୍କ ସହ ସଶକ୍ତ ଦଳ ଭାବେ ଉଭା ହୋଇଛି । ୧୩ମାସରେ ବିଜେପି ସରକାର ବିଫଳତା ଚରମସୀମାରେ ପହଞ୍ଚିଥିବା ବେଳେ ମୁଖ୍ୟ ବିରୋଧୀ ଭାବେ ବିଜେଡି ଯେପରି ସରକାରଙ୍କ ବିରୋଧରେ ଆଭିମୁଖ୍ୟ ରଖିବା କଥା ତାହା ରଖିପାରୁନାହିଁ । ବିଜେପି ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନ କ୍ଷମତାରେ ରହିଥିବାରୁ ବିଜେଡି, ବିଜେପି ସରକାର ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନାହଁମ । ବିଶେଷକରି ବିଜେପି ବିରୋଧରେ ବିଜେଡି ଲଢିବ କି ବୁଝାମଣାରେ ରହିବ ତାହା ବି ଦଳ ସଠିକ ଭାବେ ନିଷ୍ପତି ନେଇପାରୁନାହିଁ । ଯାହା ବିଜେଡି ଦଳ ଭିତରେ ଅସନ୍ତୋଷରେ ନିଆଁ ଲଗାଇଛି । ଓ୍ବାକଫ ବିଲ ତାହାର ସଦ୍ୟ ଉଦାହରଣ । ଏହାସହ କାର୍ତ୍ତିକ ପାଣ୍ଡିଆନ ଓ ସୁଜତା ପାଣ୍ଡିଆନ ବିଜେଡି ରାଜନୀତିରେ ଆଗକୁ କେଉଁ ଭୂମିକାରେ ରହିବେ ତାହା ବି ସସପେନ୍ସ ଦୂର କରୁନାହିଁ ଦଳ । ଯାହା ଦଳକୁ ଅଡୁଆରେ ପକାଇଛି ।

କଂଗ୍ରେସ

ଭକ୍ତ ଦାସ ପିସିସି ସଭାପତି ହେବା ପରେ କଂଗ୍ରେସକୁ ଜୋସକୁ ଆସିଛି । ପିସିସି ସଭାପତିଙ୍କ ଏକଲା ଚାଲୋ ନୀତି ଦଳରେ ଅସନ୍ତୋଷର ଦାନା ବାନ୍ଧିଛି। ଗୁପ୍ତରେ ଭକ୍ତ ବିରୋଧୀ ନେତାମାନେ ଏକଜୁଟ ହୋଇ ଭକ୍ତଙ୍କୁ ପିସିସି ସଭାପତି ଅଭିଯାନରୁ ହଟାଇବା ପାଇଁ ରଣନୀତି କରୁଛନ୍ତି । ଭକ୍ତଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ନେତାଙ୍କ ସହଯୋଗ ସେତେଟା ନଥିବା ବେଳେ ଭାଗ୍ୟବଳରେ ପିସିସି ସଭାପତି ୩ଟି ବଡ ବଡ଼ କାର୍ଯ୍ୟକ୍ରମରେ ସଫଳତା ପାଇଛନ୍ତି । ସେ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ ହେଉ ଅବା ଓଡିଶା ବନ୍ଦ ଡାକରା । ସବୁଠାରୁ ବଡ କଥା ହେଉଛି ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇ ରହିଥିବା ବେଳେ ପିସିସି ସଭାପତି ହେବା ୮ ମାସ ପରେ ବି ଭକ୍ତ ଦାସ ଜିଲ୍ଲା ସଭାପତି ବାଛି ପାରୁନାହାନ୍ତି । ଫଳରେ ନା କଂଗ୍ରେସ ତୃଣମୂଳସ୍ତରେ ସଂଗଠିତ ହେଉଛି ନା କାହାର ମନ କାହା ସହ ମିଶୁଛି । କେବଳ ଗଣମାଧ୍ୟମ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରି ଦଳ ଚର୍ଚ୍ଚାରେ ରହିଛି ।

ସରକାର ଶୁଣିଲେନି, ଆମେ ଶୁଣିବୁ: କଂଗ୍ରେସ

ରାଜ୍ୟରେ ନାରୀ ପ୍ରତି ଦୁଷ୍କର୍ମ, ଗଣ ଦୁଷ୍କର୍ମ ହେବା ସହିତ ହତ୍ୟା ହେଉଛି। କୌଣସି ପୀଡିତାର ଅଭିଯୋଗ କେହି ଶୁଣୁ ନାହାନ୍ତି ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ତେବେ ଯେଉଁ ପୀଡିତାଙ୍କ କଥା କେହି ଶୁଣୁ ନାହାନ୍ତି, କଂଗ୍ରେସ ତାର କଥା ଶୁଣିବ। ସେଥିପାଇଁ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରାଯିବା ସହ ‘ଆପ’ ଆରମ୍ଭ ହୋଇଛି। ଏହା ସହିତ ଦଶ ଜଣ ଓକିଲ ନିଯୁକ୍ତ କରାଯାଇଛି। ପ୍ରତି ଜିଲ୍ଲାରେ ମଧ୍ୟ ଜଣେ ଓକିଲ ରହିବେ। ପୀଡ଼ିତାଙ୍କୁ ସାହାଯ୍ୟ କରିବ ମହିଳା କଂଗ୍ରେସ ଓ ପିସିସି। ସରକାର ନାରୀ ନିର୍ଯାତନା ତନା ବିରୁଦ୍ଧରେ କୌଣସି ପଦକ୍ଷେପ ନେଲେନି। ସେଥିପାଇଁ ଗୋଟେ ପରେ ଗୋଟେ ଦୁଷ୍କର୍ମ ହେଉଛି। ଆଜି ଓଡିଶାରେ ନାରୀଙ୍କ ସୁରକ୍ଷା ଏତେ ବଡ଼ ପ୍ରସଙ୍ଗ ହୋଇଗଲା ଯେ ଆମେରିକାର ରାଷ୍ଟ୍ରପତିଙ୍କୁ ଓଡିଶା ରାଜ୍ୟ ନାରୀଙ୍କ ପାଇଁ ଅସୁରକ୍ଷିତ ବୋଲି କହିବାକୁ ପଡିଲା। ସୁପ୍ରିମକୋର୍ଟ ଆମେ ଖୋଦ ଲଜ୍ଜିତ ବୋଲି କହିଲେ। ଏସବୁକୁ ଦୃଷ୍ଟିରେ ରଖି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦୂର କଥା, ନିଜର ଭୁଲ ସ୍ୱୀକାର କରିବାକୁ ମଧ୍ୟ ପଛାଉଛନ୍ତି। ଏବେ ସାଧାରଣ ନାଗରିକ ଜାଗରୁକ ହେଲେ ନାରୀ ନିର୍ଯାତନା ରୋକିହେବ। ପୁଲିସକୁ ଅପରାଧ ରୋକିବାକୁ ବ୍ୟବହାର ନ କରି ନିଜ ସୁରକ୍ଷା ପାଇଁ ବ୍ୟବହାର କରୁଛନ୍ତି ସରକାର। ପୁଲିସ ମଧ୍ୟ କେବଳ ଶାସକ ଦଳକୁ ଖୁସି କରିବାରେ ମାତିଛନ୍ତି। ନିର୍ବାଚିତ ସରକାର ତାଙ୍କ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।

       କଂଗ୍ରେସ ଭବନରେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଆରମ୍ଭ କରି ଭକ୍ତ କହିଲେ, ନାରୀଙ୍କୁ ନ୍ୟାୟ ମିଳିବା ନେଇ ଆମେ ପାଞ୍ଚ ମାସ ହେଲା ସଂଗ୍ରାମ କରୁଛୁ। ବାଲେଶ୍ୱର ପୀଡ଼ିତାଙ୍କ ଘଟଣା ବେଳେ ଆମେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରିବୁ ବୋଲି ଘୋଷଣା କରିଥିଲୁ। ସେଠି ମହିଳାମାନେ ନାମ କହି କିମ୍ବା ଗୋପନ ରଖି ଅଭିଯୋଗ କରିପାରିବେ। ଏବେ ରାଜ୍ୟରେ ମହିଳାମାନେ ସଚେତନ ହୋଇଛନ୍ତି। କୌଣସି ଘଟଣା ହେବା ପରେ ଜଣାଉଛନ୍ତି। ଆଉ ଲୁଚାଉ ନାହାନ୍ତି। ବନ୍ଦ ଶାନ୍ତିପୂର୍ଣ ହୋଇଥିଲା ବୋଲି ନ୍ୟାୟା୍ଳୟ କହିଛନ୍ତି। ସରକାର ସୁପ୍ତ ଅଛି ତେଣୁ ନାରୀ ନ୍ୟାୟର ଗୁରୁତ୍ୱ ଆଦୌ ଅନୁଭବ କରିପାରୁନି। ତେଣୁ ଆମେ ‘ଆପ’ କରିଛୁ। ‘ଆପ’ ଦ୍ୱାରା ସମ୍ପୂର୍ଣ ସମାଧାନ ନ ହୋଇ ପାରିଲେ ବି ସଂଗ୍ରାମ କରିପାରିବୁ। ଦୀର୍ଘ ଦିନ ଧରି ଏହି ଆନ୍ଦୋଳନ ଜାରି ରହିବ। ମହିଳାଙ୍କ ପାଇଁ ଏହି ‘ଆପ’ ଉତ୍ସର୍ଗୀକୃତ କରାଯାଉଛି।

  ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି, ନ୍ୟାୟ ପାଇଁ ମହିଳାମାନେ ଲଢୁଛନ୍ତି। ଯେଉଁମାନେ ନ୍ୟାୟ ପାଉନାହାନ୍ତି, ସେମାନେ ‘ଆପ’ ମାଧ୍ୟମରେ ନ୍ୟାୟ ପାଇବେ।ଏବେ ପୋର୍ଟାଲ ଭାବେ ଅଛି। ପନ୍ଦର ଦିନ ପରେ ‘ଆପ’ ହୋଇପାରିବ। ସେହିପରି ଇମେଲ ବି ରହିବ ବୋଲି ସୂଚନା ଦେଇଛନ୍ତି। କଂଗ୍ରେସ ଭବନରେ ଏହା ଖୋଲିବ। ଚବିଶ ଘଣ୍ଟା ଅଭିଯୋଗ ହୋଇ ପାରିବ। ଆମେ ଉଦ୍ୟମ କରିବୁ ସମାଧାନ ପାଇଁ। ଆମେ ସରକାରରେ ନାହୁଁ। ତେଣୁ ଚାପ ସୃଷ୍ଟି କରିବୁ। ସୌମ୍ୟାଶ୍ରୀ ସରକାରର ବହୁ ଲୋକଙ୍କୁ କହିବା ପରେ ମଧ୍ୟ କେହି ଶୁଣିନଥିଲେ। ମାତ୍ର ଆମେ କେମିତି ଅଭିଯୋଗ ଉପରେ କାମ ହେବ ଚେଷ୍ଟା କରିବୁ। ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହେବ ବୋଲି ଭକ୍ତ କହିଛନ୍ତି।

 ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମାଜିକ ଗଣମାଧ୍ୟମ ଉପାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ,ଗୀତାଞ୍ଜଳି ମହାନ୍ତି, ପ୍ରଣତି ମିଶ୍ର,ଚୈତାଳୀ ପଟ୍ଟନାୟକ,ଜୟଶ୍ରୀ ପାତ୍ର,ଜାନକୀ ମଲ୍ଲିକ,ଉର୍ବଶୀ ମିଶ୍ର,ଅନିମା ମିଞ୍ଜ,ଶ୍ରୀୟାସ୍ମିତା ପଣ୍ଡା,କୁସୁମ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ।

ନୂଆରୂପ ନେବ ମନ୍ତ୍ରିମଣ୍ଡଳ : ଜୟ, ସୁରୁମାଙ୍କୁ ମିଳିବ ସୁଯୋଗ 

୧୩ମାସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିପାରନ୍ତି।ମୋହନଙ୍କ ନୂଆ ଟିମରେ କିଏ ସ୍ଥାନ ପାଇବେ ଓ କିଏ ବାଦ ପଡିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାକୁ ଭିଟାମିନ ଦେଇଛି ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ଆଲୋଚନା କରିବା । ଚର୍ଚ୍ଚା ହେଉଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ବଣ୍ଟନ କରିବେ ମୋହନ। ୧୩ ମାସ ଧରି ମୋହନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବହୁ ମନ୍ତ୍ରୀଙ୍କୁ ସମ୍ପ୍ରସାରଣ ବେଳେ ବାଦ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୋଲି ପାୱାର କରିଡର ଚର୍ଚ୍ଚା ଜୋର ।

କିଛି ବିବାଦୀୟ ମନ୍ତ୍ରୀଙ୍କ ଠାରୁ ବିଭାଗ କାଢିନେଇପାରନ୍ତି ମୁଖ୍ୟମନ୍ତ୍ରୀ। ବିଭାଗ ଅଦଳବଦଳ ତାଲିକାରେ ମୋହନଙ୍କ ଟିମର ହେବିଓ୍ବେଟ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ପ୍ରଭାତୀ ପରିଡା, ସୁରଜ ସୂର୍ଯ୍ୟବଂଶୀ , କୃଷ୍ଣଚନ୍ଦ୍ର ପାତ୍ର, ରବି ନାୟକ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି । ସେହିପରି ମନ୍ତ୍ରିମଣ୍ଡଳରୁ ବାଦ ପଡିବା ତାଲିକାରେ ଗୋକୁଳ ଚନ୍ଦ୍ର ମଲ୍ଲିକ, ସୁରଜ ସୂର୍ଯ୍ୟବଂଶୀ ,ପ୍ରଦୀପ ବଳସାମାନ୍ତ ନାଁ ଚର୍ଚ୍ଚାରେ ରହିଛି । ସେହିପରି ମନ୍ତ୍ରିମଣ୍ଡଳରେ ସାମିଲ ହେବା ତାଲିକାରେ ଅଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ପ୍ରଶାନ୍ତ ଜଗଦେବ, ଇରାର୍ଷିଶ ଆଚାର୍ଯ୍ୟ, ମନରଂଜନ ଦ୍ୟାନ ସାମନ୍ତରାୟ,ଆଶ୍ରୀତ ପଟ୍ଟନାୟକ, ଆକାଶ ଦାସ ନାୟକ, ଅମର ନାୟକ, ସନାତନ ବିଜୁଳି ପ୍ରମୁଖ । ସେହିପରି ବାଚସ୍ପତି ସୁରୂମା ପାଢୀକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି ମୁଖ୍ୟମନ୍ତ୍ରୀ।

ଭାସ୍କର ମଢେଇ, ସୀମାରାଣୀ ସାହୁଙ୍କ ନାଁ ବାଚସ୍ପତି ରେସରେ ରହିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହାରି ଭିତରେ ବିଜେପି ରାଜ୍ୟସଭାପତି, ସଂଗଠନ ସମ୍ପାଦକ,ଓ ମୁଖ୍ୟମନ୍ତ୍ରୀ ଯେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାଙ୍କ ତାଲିକା ପ୍ରସ୍ତୁତ କରି ଗୋଟେ ପର୍ଯ୍ୟାୟ ଆଲୋଚନା ଆରମ୍ଭ କରିଦେଇଛନ୍ତି ।ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ ବହୁ ବିଧାୟକ କିଛି ମନ୍ତ୍ରୀଙ୍କ ନାଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ଭକ୍ତଙ୍କ ଅନାସ୍ଥା ବଳ : କଂଗ୍ରେସ ନା ବିଜେଡି 

ରାଜ୍ୟରେ ପ୍ରଥମଥର ଲାଗି ବିଜେପି ଏକାକୀ ସରକାର ଗଠନ କରିଛି । ସରକାରକୁ ମାତ୍ର ୧୩ ମାସ ହୋଇଛି । ୧୩ ମାସ ଭିତରେ ସରକାର ବିରୋଧରେ ବଡ ବଡ ପ୍ରସଙ୍ଗ ମୁଣ୍ଡ ଟେକିଥିବା ବେଳେ ଶାସନ ବ୍ୟବସ୍ଥାକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରି ରାଜରାସ୍ତାରେ ସରକାରଙ୍କ ବିରୋଧରେ ଲଢେଇ ଜୋରଦାର କରିଛନ୍ତି ।

ଓଡିଶାରେ ମହିଳାମାନେ ଅସୁରକ୍ଷିତ , ଏକଥା ବିଜେପି ସରକାର ବର୍ଷେ ଭିତରେ ବାଲେଶ୍ବରରୁ ବଳଙ୍ଗା ଘଟଣା ସାମ୍ନାକୁ ଆସିବା ପରେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ଆମେରିକା ମଧ୍ୟ ଚିନ୍ତିତ ହୋଇଛି ଓଡିଶା ମହିଳା ଅସୁରକ୍ଷିତ ନେଇ । ଓଡିଶାରେ ୨୪ ବର୍ଷର ନବୀନ ଶାସନର ପରିବର୍ତ୍ତନ ହେବା ପରେ ଓଡିଶା ଜାତୀୟସ୍ତରରେ ବଦନାମ ହୋଇଛି । ଯାହାକୁ ନେଇ ହଲଚଲ ହୋଇଛି ଓଡିଶା ରାଜନୀତି ।

୨୦୨୪ ନିର୍ବାଚନରେ ଓଡିଶା ବିଧାନସଭାର ୧୪୭ଟି ଆସନରେ ବିଜେପି ୭୮, ବିଜେଡି ୫୧, କଂଗ୍ରେସ ୧୪ ଓ ସ୍ବାଧୀନ ୩ଟି ଆସନ ପାଇଛନ୍ତି । କଂଗ୍ରେସ ୧୪ ଓ ବିଜେଡି ୫୧ ମିଶିଲେ ୬୫ ବିଧାୟକ ହେଉଛନ୍ତି , ଯେତେବେଳେ କି ସରକାର ଗଠନ ଲାଗି ମ୍ୟାଜିକ ନମ୍ବର ହେଉଛି ୭୪ । ହେଲେ ଯଦି ସ୍ବାଧୀନର ୩ଜଣ ବିଧାୟକ ଓ ବାମଦଳ ବିଧାୟକ ସମର୍ଥନ କରନ୍ତି ତେବେ ଏହି ସଂଖ୍ୟା ୬୯ରେ ପହଞ୍ଚିଛି । ବିଜେପି ସରକାରକୁ ଭାଙ୍ଗିବାକୁ ହେଲେ ସ୍ବାଧୀନ ବିଧାୟକଙ୍କ ସମର୍ଥକଙ୍କ ସହ ବିଜେଡି ଓ କଂଗ୍ରେସକୁ ଆହୁରୀ ୫ଜଣ ବିଧାୟକ ଆବଶ୍ୟକ । କେଉଁ ଦମ୍ଭରେ ପିସିସି ସଭାପତି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସତ ସାହସ କଲେ । କାହା ବଳରେ ବଳମାନ ହୋଇଛନ୍ତି ଭକ୍ତ । ଘୋଡା ବେପାର କି ବିଜେପିର ବିଦ୍ରୋହର ଗନ୍ଧ ବାରିଛନ୍ତି କି ପିସିସି ସଭାପତି ? ଯେଉଁ ସାହସରେ ଭକ୍ତ ମୋହନ ସରକାରକୁ ଭାଙ୍ଗିଦେବେ ବୋଲି କହୁଛନ୍ତି ।

ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ନବୀନଙ୍କ ୨୪ ବର୍ଷ ଶାସନରେ ୯ ବର୍ଷ ବିଜେପି ଓ ବିଜେଡି ମେଣ୍ଟରେ ଥିଲେ । ଯଦି ଏପରି ଆକଳନ କରାଯାଏ ତେବେ ବିଜେଡି କଂଗ୍ରେସ ସହ ଯିବ କି ବିଜେପି ସହ ଯିବ ତାହା ବି ବଡ ପ୍ରଶ୍ନ। ଇଣ୍ଡିଆମେଣ୍ଟରେ ବିଫଳ ହେବା ପରେ ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବ ଓଡିଶାରେ ବିରୋଧୀଙ୍କୁ ଏକାଠି କରିବାର ନୂଆ ରଣନୀତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।ତେଣୁ ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବ କଂଗ୍ରେସର ଶକ୍ତି ନୁହେଁ, ବଂର ବିଜେଡି ଶକ୍ତି ପାଇଁ ତାହା ଏବେ ପୁରା ଓଡିଶାରେ ଚର୍ଚ୍ଚା ।

Follow us

20,832FansLike
0FollowersFollow
14,700SubscribersSubscribe

Latest news