ଦୀପାବଳିର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ….

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ରାଜ୍ୟବାସୀଙ୍କୁ ଦୀପାବଳିର   ଅଭିନନ୍ଦନ  ଜଣାଇଛନ୍ତି   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ଲେଖିଛନ୍ତି ଯେ ପବିତ୍ର କାଳୀପୂଜା ଓ ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚଳିତ ବର୍ଷ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନତା ଓ ସତର୍କତା ବଜାୟ ରଖନ୍ତୁ। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ।

ଦୀପାବଳିର ଅଭିନନ୍ଦନ ଜଣାଇଲେ ପ୍ରଣବ….

ଭୁବନେଶ୍ୱର : ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ଦୀପାବଳି l ଏନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ l ମା କାଳୀ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭାରିଦିନ୍ତୁ ଏବଂ ସମସ୍ତଙ୍କ ଜୀବନ ଉଜ୍ଜଳମୟ କାମନା କରିଛନ୍ତି l ଦୀପଜାଳି ଆଲୋକର ପର୍ବକୁ ପରିବାର ସହ ଆନନ୍ଦରେ ପାଳନ କରିବା ସହ ବାଣ ନଫୁଟାଇବାକୁ  ସେ ଅନୁରୋଧ କରିଛନ୍ତି l

ଆସନ୍ତା ୧୭ରୁ ବିଧାନସଭାରେ ୩ ଦିନିଆ କୋଭିଡ ଟେଷ୍ଟ…..

ଭୁବନେଶ୍ୱର : ଆସନ୍ତା 20ତାରିଖରୁ ବିଧାନସଭା ର ଶୀତ ଅଧିବେଶନ ବସିବ l କୋଭିଡ କଟକଣା ଭିତରେ ଅଧିବେଶନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି l ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକ, ସାମ୍ବାଦିକ, ସୁରକ୍ଷା କର୍ମଚାରୀ ମାନଙ୍କର ହେବ କୋରୋନା ଟେଷ୍ଟ l ଏଥିପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୧୭, ୧୮, 19, ତାରିଖ ଦିନ ପରିକ୍ଷା କରାଯିବ । ସକାଳ ୮.୩୦ ରେ ଏହି ପରିକ୍ଷା କରାଯିବ ।ଏନେଇ ଆରଏମସି କୁ ଜଣାଇଯାଇଛି ।ଏଥିପାଇଁ ମହାନଗର ନିଗମ ସମସ୍ତ ସରଞ୍ଜାମ ଯୋଗଦେବ । ବିଧାନସଭା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, pso ମାନଙ୍କର ବି କୋଭିଡ ଟେଷ୍ଟ କରାଯିବ l ଏଥିଲାଗି ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ l

ନେହେରୁଙ୍କ ପୁନଃ ଆବିଷ୍କାର ଜରୁରୀ : ଦାସ ବେନହୁର

ଭୁବନେଶ୍ୱର :  ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ଭାରତ ନିର୍ମାଣରେ ନେହେରୁଙ୍କ ଆଦର୍ଶ ଓ ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭିକ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନେହେରୁଙ୍କୁ ଆଧୁନିକ ଭାରତର ନିର୍ମାତା ବୋଲି ଅଭିହିତ କରିଥିଲେ । ତାଙ୍କର ତ୍ୟାଗ ଓ ଆଦର୍ଶରେ ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ କରିଥିଲେ ।
ବକ୍ତା ଭାବରେ ଯୋଗଦେଇ ଶ୍ରୀ ଦାସ ବେନହୁର କହିଲେ ଯେ ୧୯୪୭ ମସିହା ପୂର୍ବରୁ ଭାରତ ଓ ୧୯୪୭ ସ୍ୱାଧିନତା ପରର ଭାରତ ମଧ୍ୟରେ ନେହେରୁ ଥିଲେ ସୁବର୍ଣ୍ଣ ସେତୁ । କେବଳ ଭାରତର କାହିଁକି, ସେ ଜଣେ ବିଶ୍ୱ ବନ୍ଦିତ ନେତା ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବ୍ରିଟିଶ ଯେତେବେଳେ ଭାରତବର୍ଷକୁ ଛାଡି ଚାଲିଗଲେ ସେତେବେଳେ ଏକ ସମ୍ବଳହୀନ ଭାରତବର୍ଷକୁ ଛାଡି ଯାଇଥିଲେ । ଏହି ପରିସ୍ଥିତିରେ ସ୍ୱାଧିନ ଭାରତବର୍ଷକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ନେହେରୁ ଯେଭଳି ପଦକ୍ଷେପ ଗ୍ରହଣ କରିଥିଲେ, ତା’ର ପଟ୍ଟାନ୍ତର ନାହିଁ । ବିଜ୍ଞାନ, କାରିଗରୀ ଓ ଶିଳ୍ପର ବିକାଶକୁ ସେ ପ୍ରାଥମିକତା ଦେଇଥିଲେ । ସେହିଭଳି କୃଷିର ଉନ୍ନତି ପାଇଁ ନଦୀବନ୍ଧ ଯୋଜନା ତାଙ୍କର ଅନବଦ୍ୟ କୃତୀ । ଦୀର୍ଘ ବର୍ଷ କାରାବରଣ କରିଥିଲେ ମଧ୍ୟ ତାଙ୍କ ଲକ୍ଷ୍ୟରୁ କେବେ ସେ ବିଚ୍ୟୁତ ହୋଇନାହାନ୍ତି । ଭାରତକୁ ସ୍ୱାଧିନତା ଦେବାରେ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ ହୋଇଥିଲେ ମଧ୍ୟ ଦେଶକୁ ଆଧୁନିକ ଭାରତରେ ପରିଣତ କରିଥିଲେ ସ୍ୱର୍ଗତ ନେହେରୁ । ଆଜି ଦେଶରେ ନେହେରୁଙ୍କ ପୁନଃ ଆବିଷ୍କାରର ଆବଶ୍ୟକତା ରହିଛି । ଭାରତ ନିର୍ମାଣରେ ନେହେରୁଙ୍କ ତ୍ୟାଗ ଓ ଆଦର୍ଶକୁ ଆଜିର ଯୁବ ସମାଜ ଲୋକଲୋଚନରେ ପହଂଚାଇବା ନିତାନ୍ତ ଜରୁରୀ ବୋଲି ଶ୍ରୀ ବେନହୁର କହିଥିଲେ ।
ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା କହିଲେ ଯେ ନେହେରୁଙ୍କର ତ୍ୟାଗ ଓ ଆଦର୍ଶର ବ୍ୟାପକତାକୁ ଆଜି କେବଳ ଶିଶୁ ଦିବସ ପାଳନରେ ସଂକୁଚିତ କରାଯାଇଛି । ନେହେରୁଙ୍କ ରଚିତ ଆତ୍ମଜୀବନୀର ଗୁରୁତ୍ୱ ଏତେ ବେଶି ଯେ ଯଦି ସେ ପ୍ରଧାନମନ୍ତ୍ରୀ ନହୋଇଥିଲେ ବି ଆତ୍ମଜୀବନୀ ପାଇଁ ବିଶ୍ୱରେ ଖ୍ୟାତ ହୋଇଥାନ୍ତେ । ଶେଷରେ ବରିଷ୍ଠ ଆଇନଜୀବୀ ଶ୍ରୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ସୁରେଶ କୁମାର ରାଉତରାୟ, ବିପିନ୍ ଦାସ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ହଳଧର ସେଠୀ, ସ୍ୱାଗତିକା ପଟ୍ଟନାୟକ, ସଂଜୀବ ଗିରି, ଦେଓ ପ୍ରସାଦ, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ସ୍ୱାଧିନବାଳା ଦାସ, ଶ୍ରିୟାସ୍ମିତା ପଣ୍ଡା, ସୁଶାନ୍ତ ତ୍ରିପାଠୀ, ନାସିର ଅହମ୍ମଦ ଖାନ, ରସିକ ପଟ୍ଟନାୟକ, ନିରୁପମା ପାତ୍ର, କୁସୁମ ପ୍ରଧାନ, ଅଶୋକ ଦାସ, ଶମ୍ଭୁ ପାଣିଗ୍ରାହୀ, ଜୟକୃଷ୍ଣ ସୁବୁଦ୍ଧି, ଅନାମ ନାୟକ, ସଂକୁନା କହଁର, ସୁବ୍ରତ ମହାପାତ୍ର, ଚୈତାଳି ପଟ୍ଟନାୟକ, ରାମାନନ୍ଦ ଶ୍ରୀଚନ୍ଦନ, ମନୋଜ ସାହୁ, ସାଗର ପରିଡା ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଯୋଗ ଦେଇଥିଲେ ।

ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ

ଭୁବନେଶ୍ୱର : ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ବାଣିଜ୍ୟିକ ମାମଲାଗୁଡିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି । ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ର ଧାରା ୩ ର ପଠନ ସହିତ ଏବଂ ବିଧା ବିଭାଗର ଅଧିସୂଚନା ସଂଖ୍ୟା ୧୨୬୪୦, ବିଧି ତା ୨୬.୧୦.୨୦୧୭ର ଅଧିକ୍ରମଣରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସୁପାରିସ ଏବଂ ପରାମର୍ଶକ୍ରମେ ଏତଦ୍ୱାରା କଟକ ସଦର , ଭୁବନେଶ୍ୱର . ବ୍ରହ୍ମପୁରରେ ଓ ସମ୍ବଲପୁର ଠାରେ ୪ ଗୋଟି ସିଭିଲ ଜଜ୍ ( ସିନିୟର ଡିଭିଜନ ) କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ନିଷ୍ପତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏହା ବର୍ତମାନ ବିଦ୍ୟମାନ ଥିବା ସେହି କୋର୍ଟ ଗୁଡିକ ସହିତ ପ୍ରତିଷ୍ଠିତ ହେବ । ଏହି ବାଣିଜ୍ୟିକ କୋର୍ଟ ଗୁଡିକର ସ୍ଥାନୀୟ ସୀମା ଯଥାକ୍ରମେ କଟକ , ଅନୁଗୋଳ . ଢେଙ୍କାନାଳ . ଜାଜପୁର ଏବଂ ଖୋର୍ଦ୍ଧା ଓ ଗଞ୍ଜାମ , କନ୍ଧମାଳ , ବୌଦ୍ଧଏବଂ ଗଜପତି ଜଜ୍ ସିପ୍ ଗୁଡିକର ଅଧିକାରିତାରେ ସୀମିତ ରହିବ ।ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏ ନେଇ ବିଧି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

ଏଣିକି ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ…..

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ
ବନ୍ଦେ ଉତ୍କଳ ଜନନୀ
ଭୁବନେଶ୍ୱର : ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି।
ସୂଚନାଯୋଗ୍ୟ ଯେ ନିକଟରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମଇ ୩୦ ତାରିଖରେ ସାରା ରାଜ୍ୟ ତଥା ସାରା ବିଶ୍ବର କୋଣ ଅନୁକୋଣରେ ଥିବା ଓଡିଆ ଭାଇ ଭଉଣୀମାନେ ଏହି ସଂଗୀତକୁ ଏକ ସମୟରେ ଗାନ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ।
ଗୌରବମଣ୍ଡିତ ଉତ୍କଳ ଜନନୀଙ୍କ ଜୟଗାନ କରୁଥିବା ଏହି ମହାନ ସଂଗୀତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଜାତୀୟତାର ଭାବକୁ ସୁଦୃଢ କରିବା ସହିତ ଓଡିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା – ମୁଖ୍ୟମନ୍ତ୍ରୀ

କୃଷି ବିଭାଗରେ ୫-ଟି କାର୍ଯ୍ୟକ୍ରମ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷକ ଓଡିଶା ଓ ବିଭିନ୍ନ ଅନ୍‌ଲାଇନ ସେବାର ଶୁଭାରମ୍ଭ

ରାଜ୍ୟର ୭୬ ଲକ୍ଷ ଚାଷୀ ‘କୃଷକ ଡାଟାବେସ୍‌’ର ଅନ୍ତର୍ଭୁକ୍ତ

କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍‌, କୃଷିସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍‌ସ ପ୍ରଦାନ, ଦକ୍ଷ କର୍ମଚାରୀ ମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ବିଭିନ୍ନ ଅନ୍‌ଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷକ ଓଡିଶାରେ ଆମର ୭୬ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କ Database ରଖାଯିବା ବହୁତ ଭଲ ଉଦ୍ୟମ।ଏହାସହିତ ସବୁ ଚାଷୀ ମାନଙ୍କୁ କୃଷକ ପରିଚୟ ପତ୍ର ମଧ୍ୟ ଦିଆଯିବ।ଏହାଦ୍ବାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ।

ସୂଚନାଯୋଗ୍ୟ ଯେ କୃଷକ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟର ୭୬ ଲକ୍ଷ ଚାଷୀ ମାନଙ୍କୁ ନେଇ କୃଷକ ଡାଟାବେସ୍‌ର ଶୁଭାରମ୍ଭ କରାଯାଇଛି।ଏହି ଡାଟାବେସ୍‌ର ଯାଂଚ ପ୍ରକ୍ରିୟା ୧୦୦ ଦିନ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କୃଷକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ।ଏହାଦ୍ବାରା କୃଷକମାନେ ବିଭିନ୍ନ ଯୋଜନା ଓ ସେବାର ସୁଫଳ ଅତି ଶୀଘ୍ର ପାଇପାରିବେ l

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଭାଇଭଉଣୀ ନିଜ କାମ ଛାଡି ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ନ ଆସି ଘରେ ରହି ଅନ୍‌ଲାଇନ ଜରିଆରେ ସେବା ପାଆନ୍ତୁ ବୋଲି ସେ ଚାହାନ୍ତି।ଆଜିର ୫-ଟି initiative ଏହାକୁ ସଫଳ କରିଛି ବୋଲି ସେ ପ୍ରକାଶ କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ ହେଉଥିବା କୃଷକ ଓଡିଶା, Input Dealer ମାନଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍‌ସ, OUAT student ମାନଙ୍କୁ ଅନ୍‌ଲାଇନ ସାର୍ଟିଫିକେଟ, Agriculture Field Staff ମାନଙ୍କ ପାଇଁ ‘ଦକ୍ଷତା’ ଆଦି କାର୍ଯ୍ୟକ୍ରମ ବିଭାଗକୁ ଚାଷୀ ମାନଙ୍କ ସହିତ ସିଧା ଯୋଡିବାରେ ସହାୟକ ହେବ।

ଭଲ କାମ କରୁଥିବା କୃଷି ବିଭାଗର କର୍ମଚାରୀ ମାନଙ୍କୁ ସ୍ବୀକୃତି ଦେବା ପାଇଁ ହେଉଥିବା ଉଦ୍ୟମକୁ ସେ ପ୍ରଶଂସା କରି ଦକ୍ଷ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିଚାଲିବା ପାଇଁ ସେ ଆହ୍ବାନ ଦେଇ କହିଥିଲେ ଯେ ଚାଷ ଆମ ଅର୍ଥନୀତିର ମେରୁଦଣ୍ଡ। କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା ଭାବରେ ଦେଖାଦେଇଛି।ଏବର୍ଷ ଆମେ bumper crop ଆଶା କରୁଛୁ । ଏଥିପାଇଁ ଆମର ଚାଷୀ ଭାଇଙ୍କୁ ସେ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ସାମଗ୍ରୀ ବିକ୍ରେତା ମାନଙ୍କ ପାଇଁ ଇ-ଲାଇସେନ୍‌ସ ପ୍ରଦାନ ସହିତ ୬ଟି ଅନ୍‌ଲାଇନ ସେବା ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ ସାର୍ଟିଫିକେଟ ଓ ମାର୍କସିଟ୍‌ ଆଦି ୯ଟି ସେବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।ଦକ୍ଷତା କାର୍ଯ୍ୟକ୍ରମରେ ଦକ୍ଷ କୃଷି କର୍ମଚାରୀ ମାନଙ୍କୁ ସ୍ବୀକୃତି ଓ ପୁରସ୍କାର ପ୍ରଦାନ କରାଯାଉଛି।ଏହି କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସରେ ୨୨ ଜଣ କର୍ମଚାରୀ ଓ ଅକ୍ଟୋବର ମାସରେ ୩୮ ଜଣ କର୍ମଚାରୀଙ୍କୁ ସ୍ବୀକୃତି ପ୍ରଦାନ କରାଯାଇଛି ।

ଏହି ଅବସରରେ ନୂଆପଡା ଓ ଗଞ୍ଜାମ ଜିଲ୍ଲାର ଦକ୍ଷ କର୍ମଚାରୀ ଓ କୃଷକ ସରକାରୀ ଯୋଜନାର ସଫଳ ପରିଚାଳନା ସଂପର୍କରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ।୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆମ କୃଷି କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ମୋବାଇଲ ଫୋନ ଭିତ୍ତିକ କୃଷି ପରାମର୍ଶ ସେବା ପ୍ରଦାନ କରାଯାଉଛି।୨୦୧୮ ମସିହାରେ ମାତ୍ର ୫୦ ହଜାର ଚାଷୀଙ୍କୁ ଧାନ ଫସଲ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ୧୦ ଲକ୍ଷ ଚାଷୀଙ୍କୁ ୧୫ ଗୋଟି ଫସଲ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଉଛି ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ କୃଷି ବିଭାଗ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛି ।୫-ଟି କାର୍ଯ୍ୟକ୍ରମକୁ ବିଭାଗ ନିଷ୍ଠାର ସହ ଅନୁପାଳନ କରୁଛି ବୋଲି ସେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭାଗର ଅନ୍‌ଲାଇନ ସେବା, ଦକ୍ଷତା କାର୍ଯ୍ୟକ୍ରମ, ଆମ କୃଷି ଆଦି ସଂପର୍କରେ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା ।ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସ୍ବତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, OUATର କୁଳପତି, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

ନବୀନ କହିଲେ ମୁଁ ଋଣୀ : ମା’ମାନେ ଆମ ଦଳକୁ ଆର୍ଶୀବାଦ କରିଛନ୍ତି ..

ଭୁବନେଶ୍ୱର : ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୃତିି ପୂରଣ କରିବୁ । ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନରେ ବିଜେଡ଼ି ଭଲ ବ୍ୟବଧାନରେ ବିଜୟ ଲାଭ କରିବା ପରେ ବାଲେଶ୍ୱରବାସୀ ଓ ତିର୍ତ୍ତୋଲବାସୀଙ୍କକୁ ସମ୍ବୋଧନ କରି ନବୀନ ସେମାନଙ୍କ ପାଖରେ ଋଣୀ ବୋଲି କହିଛନ୍ତି । ଏହାସହ କୋଭିଡ଼ ସମୟରେ କର୍ମୀମାନେ ଦକ୍ଷତାର ସହ କାମ କରିଥିବାରୁ କର୍ମୀ ଓ ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ଲକ୍ଷ ନେଇ ବିଜେଡ଼ି ୨୦ ବର୍ଷ ଧରି କାମ କରୁଛି ସେ ମନ୍ତ୍ର ନବ ନିର୍ବାଚିତ ଦୁଇ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସଙ୍କୁ ଗୁରୁମନ୍ତ୍ରୀ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଥିଲେ ଯେ ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସମସ୍ୟା ସହ ନିଜକୁ ଜଡ଼ିତ ରୁହ  ଓ ସମସ୍ୟ ସମାଧାନ ନହେଲେ ମତେ ଜଣାଅ । ନିରନ୍ତରଣ ସେବା ଜାରୀ ରଖ । ଭର୍ଚ୍ଚୁଆଲ ସଭାରେ ନବୀନଙ୍କ ଏହି କେଇ ପଦ ବାଣୀ ନେତା ଓ କର୍ମୀଙ୍କୁ ଉତ୍ସlହିତ କରିଛି । ଏହାସହ ବାଲେଶ୍ୱର ଓ ତିର୍ତ୍ତୋଲ ବିଜୟ ଲୋକଙ୍କ ବିଜୟ ବୋଲି ନବୀନ କହିଛନ୍ତି । ବିଶେଷକରି ମା’ମାନେ ଆମ ଦଳକୁ ଆର୍ଶୀବାଦ କରିଛନ୍ତି । ୨୦ବର୍ଷ ଧରି ନବୀନଙ୍କ ଏପରି ଆଭିମୁଖ୍ୟ ଯୋଗୁଁ ଓଡ଼ିଶାବାସୀ ନବୀନଙ୍କୁ ବାରମ୍ବାର ଭୋଟ ଦେଇ ବିଜୟ କରି ଆସୁଛନ୍ତି । ଯାହା ବିଜେଡ଼ିର ସବୁଠାରୁ ବଡ଼ ସଫଳତା ।

ବିଜେଡ଼ି ବିଜୟର ରହସ୍ୟ …..

ଭୁବନେଶ୍ୱର : ୧୯୯୯ ମସିହାରୁ ଗଠିତ ହୋଇଥିବା ବିଜୁ ଜନତା ଦଳ (ବିଜେଡ଼ି) ଦୁଇ ଦଶନ୍ଧି ଧରି ରାଜ୍ୟରେ ଏକସ୍ଥିର ଶାସନ ଚଳାଇ ଆସୁଛି l ୫ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଏକ ଇତିହାସ ସୃଷ୍ଟି କରିଥିବା ବେଳେ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳ ଏହି ଇତିହାସ ପୃଷ୍ଠାରେ ରେକର୍ଡ଼ ପରେ ରେକର୍ଡ଼ ଲିପିବନ୍ଧ କରୁଛି । ୨୦୦୦ ମସିହାରୁ ବିଜେପି ସହ ମେଣ୍ଟ କରି  ୨୦୦୯ ପର୍ଯ୍ୟନ୍ତ ନବୀନ ସରକାର ଗଠନ କରିଥିଲେ । ଏହାପରେ ବିଜେଡ଼ି ଏକାକି ନିର୍ବାଚନ ଲଢୁଛି ଓ ସରକାର ଚଳାଉଛି । ଏହାରି ଭିତରେ ଯେତେ ନିର୍ବାଚନ ଆସୁଛି ସୁବଥିରେ ଲୋକେ ବିଜେଡ଼ିକୁ ବିପୁଳ ଭୋଟ ଦେଇ ବିଜୟ କରାଉଛନ୍ତି । ଏହାର ମୁଖ୍ୟ ଆଧାର ହେଉଛି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଜନ କଲ୍ୟାଣ ଯୋଜାନା । ଓଡ଼ିଶାରେ ଯେମିତି ନବୀନଙ୍କ ଲୋକପ୍ରିୟତା ଆଗରେ ସବୁ ଫିକା ପଡ଼ିଛି । କାରଣ ଲୋକସେବାଭବନରେ ରାଜ୍ୟବାସୀଙ୍କ ପାଇଁ ଯେଉଁ ଯୋଜନା କରାଯାଉଛି ତାହା ଗ୍ରାଉଣ୍ଡରେ ଠିକ ସେ କାର୍ଯ୍ୟକ୍ଷମ ହେଉଛି କି ନାହିଁ ତାହାର ରୀତିମତ ତର୍ଜମା କରୁଛନ୍ତି ସରକାର । ତେଣୁ ବିରୋଧୀ ନବୀନ ଓ ସରକାରଙ୍କ ବିରୋଧରେ ଯେତେେ ରଣହୁଙ୍କାର ଦେଲେ ବି ତାହା କାମ କରୁନାହିଁ ।

ନିର୍ବାଚନ ସଫଳତାର ରହସ୍ୟ …
ବିଜେଡ଼ି ନିର୍ବାଚନ ଜିତିବାର ସବୁଠାରୁ ବଡ଼ ରହସ୍ୟ ହେଉଛି ଦଳ ନିର୍ବାଚନ ପରିଚାଳନାକୁ ସଠିକ ଭାବେ କରିଥାଏ । ଯାହା କି ଅନ୍ୟ ଦଳରେ ଠିକ ସେ ହୁଏ ନାହିଁ । ପ୍ରାର୍ଥୀ ଚୟନ, ପ୍ରଚାର ଠାରୁ ଆରମ୍ଭ କରି ଭୋଟ ଶେଷ ପର୍ଯ୍ୟନ୍ତ । ସବୁଥିରେ ବିଜେଡ଼ି ଦାୟିତ୍ୱର ସହ ଦଳର ନେତା ଓ କର୍ମୀମାନେ କାମ କରନ୍ତି । ନବୀନଙ୍କ ଦେଇଥିବା ଟିମ ୱାର୍କ ମନ୍ତ୍ରରେ  ସିଭଁଏ ବନ୍ଧା ହୋଇ କାମ କରନ୍ତି । ଯୁବ,ଛାତ୍ର,ମହିଳା ସହ ବରିଷ୍ଠ ନେତାମାନେ ଏକାଠି ହୋଇ କାମ କରିବାର ପରିଶ୍ରମ ଦଳ ପାଏ ନିର୍ବାଚନରେ । ବିଶେଷକରି ୨୦୧୪ ନିର୍ବାଚନ ପରୁ ଠାରୁ ନବୀନଙ୍କ ହାତ  ମୁଠାକୁ ଦଳର ଯୁବ ବିଗ୍ରେଡ଼ିୟମାନେ ଯେପରି ମଜବୁତ କରି  ଓ ଦକ୍ଷତାର ସହ କାମ କରୁଛନ୍ତି ତାହା ବିଜେଡ଼ିକୁ ଏବେ ଓଡ଼ିଶା ରାଜନୀତିର ଏକ ପାହଡ଼ ପରି ଛିଡ଼ା କରାଇଛି । ବିରୋଧୀ ଯେତେ ଚେଷ୍ଟା ଓ ଯେତେ  ରାଜନୈତିକ ଗୋଟି ଚାଳନ କଲେ ମଧ୍ୟ ଏହାକୁ  ଭେଦ କରିପାରୁନାହିଁ । ଖାସ ସେଥିପାଇଁ ତ ନବୀନ ଯୁବ ବିଗ୍ରେଡ଼ିୟଙ୍କୁ ଦଳରେ ପ୍ରାଧାନ୍ୟ ଦେଇଛନ୍ତି । ପ୍ରଥମଥର ଲାଗି ଦଳରେ ସଂଗଠନ ସମ୍ପାଦକ ପଦ ସୃଷ୍ଟି କରି ଏହି ଦାୟିତ୍ୱ ପରିଶ୍ରମୀ ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଦେଲେ ନବୀନ । ଏହାପରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ପାଦକ ଦାୟିତ୍ୱ ପୂର୍ବତନ ବିଧାୟକ ସଂଜୟ ଦାସ ବର୍ମାକୁ ଦେଲେ । ସେହିପରି ନିଜ ମନ୍ତ୍ରୀ ମଣ୍ଡଳରେ ଯୁବ ନେତାଙ୍କୁ ଗୁରୁୂଦାୟିତ୍ୱ ଦେଇଛନ୍ତି । ଯାହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଖୋଦ ନବୀନ ହିଁ ବିଜେଡ଼ିର ଚାଣକ୍ୟ ହୋଇ ଏହି ରଣନୀତି ପ୍ରସ୍ତୁତ କରିଛନ୍ତି । ଯାହାର ସୂତ୍ରଧର ସାଜିଛନ୍ତି  ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ । ପ୍ରଣବ ନବୀନଙ୍କ ଏହି ସବୁ  ଲକ୍ଷ୍ୟକୁ ସଠିକ ଭାବେ ଦଳରେ ପରିଚଳାନା କରି ଦଳକୁ ତୃଣମୂଳସ୍ତରୁ ଅଧିକ ଶକ୍ତିଶାଳୀ କରିବା ସହ ବିଜେଡି ସଂଗଠନକୁ ଅଧିକ ମଜବୁତ କରିଛନ୍ତି । ଦଳର ଏପରି ପ୍ରସ୍ତୁତି ଓ ରଣନୀତି ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଲାଣୀ । ଯଦି ଏମିତି ଦଳ  ଅଙ୍କ କଷିବ ତେବେ ୨୦୨୪ କଣ ଲମ୍ବା ସମୟ ଧରି ବିଜେଡ଼ି ଯେ କ୍ଷମତାରେ ରହିବ ତାହା ସଙ୍କେତ ଗୋଟିଏ ପରେ ଗୋଟିଏ ନିର୍ବାଚନ ଦେଉଛି ।

ସମ ହସ୍ପିଟାଲର ସଫଳତା : ୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି…

ଭୁବନେଶ୍ୱର, ୧୨ /୧୧: ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର ।  ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । ଏହି ମଞ୍ଜି ଅଟକିଥିବା ଯୋଗୁଁ  ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା ।
ବରଗଡ ଜିଲ୍ଲା ଅତାବିରା ଅଂଚଳର ହେମଲତା ଯାଦବ ନାମକ ଏହି ୧୨ ମାସର ଶିଶୁ କନ୍ୟାଟି ଗତ ଅକ୍ଟୋବର ୩୦ ତାରିଖ ଦିନ ଘରେ ଖେଳୁଥିବା ସମୟରେ ଭୁଲବଶତଃ ଆତ ମଞ୍ଜିଟିକୁ ଗିଳି ଦେଇଥିଲା ଯାହାକି ତା’ର ଶ୍ୱାସନଳୀରେ ଅଟକି ଯାଇଥିଲା । ଏହା ଦ୍ୱାରା ଶିଶୁଟିର ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିଥିଲା ।
ବ୍ୟସ୍ତ ବିବ୍ରତ ହୋଇ ତା’ର ବାପା-ମା ଶିଶୁଟିକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରୁ ତାକୁ ଅନ୍ୟ କୌଣସି ବଡ଼ ହସ୍ପିଟାଲକୁ ତୁରନ୍ତ ନେଇଯିବା ପାଇଁ କୁହାଯାଇଥିଲା । ଶିଶୁଟିକୁ ଦୀର୍ଘ ୧୦ ଦିନ ଧରି ବାପା-ମା ଅନେକ ହସ୍ପିଟାଲ୍ ଘୁରି ବୁଲିଥିଲେ ମଧ୍ୟ କେହି ତା’ର ସଫଳ ଚିକିତ୍ସା କରିପାରି ନଥିଲେ । ଶେଷରେ ସେମାନେ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଆସିଥିଲେ ।
ଗୁରୁତର ଅବସ୍ଥାରେ ଶିଶୁଟି ସମ୍ମମ୍‌ରେ ଭର୍ତି ହୋଇଥିଲା ଓ ପରୀକ୍ଷାରୁ  ତା’ ଶରୀରରେ ରକ୍ତହୀନତା ଥିବା ତଥା ସେ ଯକ୍ଷ୍ମା ରୋଗରେ ପୀଡିତ ଥିବା ଜଣାପଡିଥିଲା । ସମସ୍ତ ପରୀକ୍ଷା ନୀରିକ୍ଷା ପରେ ସମ୍ମମ୍‌ର ଇଏନ୍‌ଟି ଏବଂ ସ୍କଲ ବେସ୍ ସର୍ଜରୀର ମୁଖ୍ୟ ଡ. ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଶିଶୁର ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତି ନେଇଥିଲେ । ତେବେ ଗୁରୁତର ଅବସ୍ଥାରେ ଥିବା ଶିଶୁଟିକୁ ନିଶ୍ଚେତକ ଦେଇ ଅପରେସନ୍ କରିବା ଖୁବ୍ ବଡ୍ ଆହ୍ୱାନ ଥିଲା । ତେବେ ଡ. ସାହୁ ଏବଂ ସମ୍ମମ୍‌ର ସିନିୟର ଆନେସ୍‌ଥେସିଆ ବିଭାଗର କନ୍‌ସଲ୍‌ଟାଂଟ ଡ. ଦୀପଙ୍କର ପଢ଼ିହାରୀ ଏବଂ ନିଶ୍ଚେତକ ଟିମ୍ ଶିଶୁଟିର ଜୀବନ ବଂଚାଇବା ପାଇଁ ଏହି ଅପରେସନ୍‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ ।
ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍ ଫୋରସେପ୍ ବ୍ୟବହାର କରାଯାଇ ଶିଶୁର ଶ୍ୱାସନଳୀରୁ ସଫଳତାର ସହ ଏକ ବଡ ଆତ ମଞ୍ଜି ବାହାର କରାଯାଇଥିଲା । ଏହି ବୟସର ଶିଶୁଙ୍କର ଅମ୍ଳଜାନ ସ୍ତର ଖୁବ୍ ଶୀଘ୍ର କମିଯାଉଥିବାରୁ ସେମାନଙ୍କୁ ଆନେସ୍‌ଥେସିଆ ପ୍ରୟୋଗ କରିବା ସମସ୍ୟା ଜଡିତ ବୋଲି ଡ. ସାହୁ କହିଥିଲେ ।
ନିକଟରେ ଡ. ସାହୁ ଏହିଭଳି ଅନେକ ଜଟିଳ ପ୍ରକ୍ରିୟାରେ ଅସ୍ତ୍ରୋପଚାର କରି ଛୋଟ ଛୋଟ ଶିଶୁଙ୍କର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି । ଏଭଳି ପ୍ରକ୍ରିୟାରେ ଅସ୍ତ୍ରୋପଚାର କରିବାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଖୁବ୍ ସଫଳ ହୋଇପାରିଛି

Follow us

20,832FansLike
0FollowersFollow
14,700SubscribersSubscribe

Latest news