ନୀଳାମୟଙ୍କ ଲୀଳା ତାକୁ ଜଣା….

() ସେ ନୀଳାମୟ । ନୀଳାମୟ ଠାକୁରଙ୍କ ନୀଳା ହେଉଛି ଅଣପାରମ୍ପରିକ । ତାଙ୍କ ଲୀଳା ତାଙ୍କୁ ହିଁ ଅଗୋଚର । ତାଙ୍କ ବିନା ପତ୍ରଟିଏ ବି ହଲେନି । ତାଙ୍କ ଇଚ୍ଛାରେ ଚାଲେ ଜଗତ । ଏଥର ବି ନୀଳାମୟଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ପୁଣିଥରେ ସଂକ୍ରମଣ ଭିତରେ ଜୁଲାଇ ୧୨ ତାରିଖରେ ହେବାକୁ ଥିବା ଘୋଷଯାତ୍ରା ଆଉ ଏକ ଇତିହାସ ରଚିବ । ଭକ୍ତ ଭାବରେ ବନ୍ଧା ଜଗତର ନାଥ ଜଗନ୍ନାଥ ବିନା ଭକ୍ତରେ ରଥାରୁଢ ହେବେ ଓ ନ’ ଦିନ ଧରି ଯାତ୍ରା କରିବେ । ଯେଉଁ ଘୋଷଯାତ୍ରା ଏ ଜାତିର ଆବେଗ, ତାହା କିପରି ସୁରୁଖୁରରେ ସରିବ ସେନେଇ ଏବେଠାରୁ ପ୍ରସ୍ତୁତ ଜୋରଦାର ହୋଇଛି । ସଂକ୍ରମଣ ପାଇଁ ଏଥର ବି ବିନା ଭକ୍ତରେ କେବଳ ପୁରୀରେ ରଥଯାତ୍ରା ହେବ । ଏଥିରୁ ସ୍ପଷ୍ଟ ଯେ କାଳିଆ ଯାତ୍ରା ପାଇଁ କାଳିଆ ନିଜେ ଏବେ ଆଗୁଆ ପ୍ରସ୍ତୁତି ହୋଇସାରିଛି । ହେଲେ ଏ ଲୀଳା ଯେ କଣ ତାହା କାଳିଆକୁ ଜଣା ।

କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବେଶ ଭୟଙ୍କର ଥିଲା । ଦ୍ରୃତ ସଂକ୍ରମଣ ସହ ଅନେକ ଲୋକଙ୍କ ଜୀବନ ନେଇଛି ଦ୍ୱିତୀୟ ଲହର । କାହାର ସଂସାର ଉଜାଡ଼ି ଦେଇଛି ତ ଆଉ କାହାକୁ ବେସାହାରା କରିଛି । ଜୀବନ , ଜୀବିକା ଦ୍ୱନ୍ଦ୍ଵ ବି ଜାରି ରହିଛି । ସଭିଁଏ ପ୍ରାର୍ଥନା କରୁଛନ୍ତି ଯେ ମହାପ୍ରଭୃ ଏ କରୋନା ଦାଉରୁ ଆମକୁ ରକ୍ଷା କର । ଠିକ ଏତିକି ବେଳେ ରାଜ୍ୟରେ ସଂକ୍ରମଣ ହାର କମିବା ସହ ବିଭିନ୍ନ ଜିଲ୍ଲାରେ କରୋନା ଗ୍ରାଫ ଖସୁଛି । ରାଜ୍ୟ ସରକାର ଜୁନ ୧୭ ପରେ ଲକଡ଼ାଉନ କୋହଳ କରିବାକୁ ଚିନ୍ତା କରୁଛନ୍ତି । ବିଶେଷଜ୍ଞ ଓ ବିଭିନ୍ନ ଗବେଷଣା କହୁଛନ୍ତି ଜୁନ ମାସ ପରେ ସଂକ୍ରମଣ ୫ ପ୍ରତିଶତ ତଳକୁ ଯିବ । ଅର୍ଥାତ ପୂରା ନକମିଲେ ମଧ୍ୟ ନିୟନ୍ତ୍ରଣରେ ରହିବ ।
ହେଲେ ଠିକ ଏମିତି ବେଳେ ଭକ୍ତ ଭାବରେ ବନ୍ଧା କାଳିଆ ଦୁଆରେ କାହିଁକି କଟକଣା । କାହିଁକି ବିନା ଭକ୍ତରେ ପୁଣି ମହାପ୍ରଭୃଙ୍କ ଘୋଷଯାତ୍ରା ହେବ । କଣ ଚାହୁଁଛି କାଳିଆ ? ଗଲାଥର ଘୋଷଯାତ୍ରା ହେବ କି ନ ହେବ ସେନେଇ ଯେଉଁ ଦ୍ୱନ୍ଦ୍ଵ ଶେଷ ପର୍ଯ୍ୟନ୍ତ ଲାଗି ରହିଥିଲା ଏଥର କିନ୍ତୁ ସେ ଦ୍ୱନ୍ଦ୍ଵ ନାହିଁ । ଗଲାଥର ପ୍ରଶାସନ, ରାଜ୍ୟ ସରକାର, ସୁପ୍ରିମକୋର୍ଟ ଘୋଷଯାତ୍ରା ନେଇ ଶେଷ ଯାଏ ନିଷ୍ପତି ନେଇପାରିନଥିଲେ । ଘୋଷଯାତ୍ରା ହେବ ନାହିଁ ବୋଲି ପ୍ରଥମେ ଖବର ହେଲା । ଏହାର ୨୪ ଘଣ୍ଟା ଭିତରେ ପୁଣି ହେବ ବୋଲି ନିଷ୍ପତି ହେଲା । ଅତି ସୁରୁଖୁରରେ ମହାପ୍ରଭୃଙ୍କ ଘୋଷଯାତ୍ରା ସରିଲା । ସଭିଁଏ ମୁହଁରେ ଗୋଟିଏ କଥା ଯିଏ ଯାହା କରୁ କାଳିଆ ଇଚ୍ଛା ଯାହା ତାହା ଘଟୁଛି ଓ ଘଟିବ । ଅଦୃଶ୍ୟ ଭୂତାଣୁ ପୂରା ବିଶ୍ୱକୁ ସାମୂହିକ ଭାବେ ରୋକିଦେଇଥିଲେ ମଧ୍ୟ କାଳିଆ ଦୁଆରେ ଚିଟପଟାଙ୍ଗ ମାରିଥିଲା । ତର୍କ, ବିତର୍କ , ଆଲୋଚନା , ପର୍ଯ୍ୟାଲୋଚନା, ରାଜନୀତି ,କଟକଣା , ସରକାର, କୋର୍ଟ ସଭିଁଙ୍କୁ ପଛରେ ପକାଇ କାଳିଆ ବାର୍ତ୍ତା ଦେଇଥିଲା ଯେ ତମ ଉପରେ ମୁଁ ଅଛି । ମୋ ଘୋଷଯାତ୍ରା ଦାୟିତ୍ୱ ମୋର ।
ତେବେ ଏଥର ସେ ଦ୍ୱନ୍ଦ୍ଵ ନାହିଁ । ରଥଯାତ୍ରା ଲାଗି ଜୋରଦାର ରଥଖଳାରେ କାମ ଚାଲିଛି । ଯାହାର ଯାହା ଦାୟିତ୍ୱ ସେ ସେବାରେ ସଭିଁଏ ଲାଗିଛନ୍ତି । ହେଲେ କାଳିଆ କିନ୍ତୁ ଏଥର କଣ ବାର୍ତ୍ତା ଦେବାକୁ ଚାହୁଛି ତାହା ତାକୁ ଜଣା । ସେ ପରା ଭାବର ଦିଅଁ , ନୀଳାମୟ ଓ ବିଶ୍ୱକର୍ତ୍ତା । ତେଣୁ ସଂକ୍ରମଣ ସମୟରେ କଟକଣା ଭିତରେ ଓ ବିନା ଭକ୍ତରେ ରଥଯାତ୍ରାର କଣ ରହସ୍ୟ ରହିଛି ତାହା କାଳିଆ ଜାଣିଥିବ । ଆମେ ତ ନିମିତ ମାତ୍ର ।
*ଜୟ ଜଗନ୍ନାଥ*

ଭାର ଓ ବୋଝ…..

() ଜୀବନ ଜଞ୍ଜାଳ ବୋଝ ସାଙ୍ଗକୁ କରୋନା ବୋଝ ଅତିଶୟ ହେଲାଣି । କାଲି ନୁହେଁ, ଆଜି କେମିତି ସଂସାର ଚଳିବ ସେ ଚିନ୍ତା ଘାରିଛି ରାମବାବୁଙ୍କୁ । ବାହାରକୁ ବାହାରିଲେ ଅଦୃଶ୍ୟ ଭୂତାଣୁରୁ ଭୟ , ଦୋକାନ ଖୋଲିଲେ ପୋଲିସ ଭୟ , ପୁଣି ଘରେ ରହିଲେ ପରିବାର ଭୟ । ଏହାରି ଭିତରେ ପେଶି ହୋଇଯାଇଛନ୍ତି ରାମବାବୁ । କଣ କରିବେ , କେମିତି ଚଳିବେ ସେ ଚିନ୍ତା ତାଙ୍କୁ ଘାରିଛି । ବେଶୀ ବଡ଼ ପରିବାର ନହେଲେ ମଧ୍ୟ ଦୁଇଟି ଛୁଆ , ସ୍ତ୍ରୀ,ବାପା,ମାଆଙ୍କୁ ମିଶାଇ ମୋଟ ୬ଜଣ ମେମ୍ବର । ଏକମାତ୍ର ସେ ଜଣେ ରୋଜଗାରିଆ । ଯାହା ରୋଜଗାର କରି ଆଣନ୍ତି ଚଳିଯାଆନ୍ତି ଦୁଃଖେ, ସୁଖେ । ହେଲେ ଦୁଇବର୍ଷ ହେବ ସେ ଯେଉଁ ଯନ୍ତ୍ରଣାରେ ସମୟ କାଟୁଛନ୍ତି ତାହା ନକହିବା ଭଲ । ତେଲଭାଜି ଦୋକାନ କରି ଯାହା ବି ସଂଞ୍ଜୟ କରିଥିଲେ ତାହା ବି ସହିଗଲାଣୀ । ଏବେ କଷ୍ଟେ ମଷ୍ଟେ ଧାର କରଜ କରି ସହରରେ ଚଳିଯାଉଛନ୍ତି । ଘରଭଡ଼ା ଦେବାକୁ ବି ସକ୍ଷମ ନୁହେଁ । ହେଲେ ଭଗବାନଙ୍କ ଆଶୀର୍ବାଦରୁ ଘର ମାଲିକ ବି ଏ ଦୁର୍ଦ୍ଦଶା ସମୟରେ ମହାନ୍ତି ବାବୁଙ୍କ ଠାରୁ ଘର ଭଡ଼ା ନେଉନାହାନ୍ତି । ଲକଡ଼ାଉନ, ସଟ ଡ଼ାଉନ ଯେମିତି ତାଙ୍କ ଠାରୁ ସବୁ କିଛି ଛଡ଼ାଇ ନେଇଛି । ଏହାରି ଭିତରେ ଆସୁଛି ଅନେକ ପର୍ବ ଓ ପାର୍ବଣୀ । ଖାଇବାକୁ ପଇସା ନଥିବା ଦାସବାବୁ କିପରି ବଂଚିବେ ସେ ଚିନ୍ତା ତାଙ୍କୁ ଘାରିଥିବା ବେଳେ ଘର ଲୋକଙ୍କ ସହଯୋଗ ବି ତାକୁ ମିଳୁଛି । ବୁଢା ବାପା ପଇସା ଅଭାବରୁ ଔଷଧ ବି ଖାଇ ପାରୁନାହିଁ । କି ଏଥର ପୁଅର ଜନ୍ମ ଦିନରେ ନୂଆ ଡ଼୍ରେସ କି କେକ କାଟିବାକୁ ପୁଅ ବି ଅଳିକରି ନାହିଁ । ସତେ ଯେମିତି ଦୁଃଖ ସମୟରେ ପୁରା ପରିବାର ଏକ ହୋଇ ଲଢେଇ କରୁଛନ୍ତି । କେବଳ ଲକଡ଼ାଉନ ସମୟରେ ନିଜ ହାତ ଛଣା ପକୁଡ଼ି, ବରା, ପାଖ ପଡ଼େଶୀ ଓ କିଛି ଖାସ ଗ୍ରାହକଙ୍କୁ ପଠାଇ ଦୁଇ ପଇସା ରୋଜଗାର କରୁଛନ୍ତି ଦାସବାବୁ । ସେଥିରେ ଚଳୁଛି ତାଙ୍କର ୬ଜଣ ସଦସ୍ୟ ପରିବାର ।
ଓଡ଼ିଆ ମାନଙ୍କର ବଡ଼ ପର୍ବ ହେଉଛି ରଜ ଓ ସାବିତ୍ରୀ । ଏହି ଦୁଇ ପର୍ବରେ ଭାର ଆସିବାର ପରମ୍ପରା ରହିଛି କାହିଁ କେଉଁ କାଳରୁ । ଝିଅ ଘରୁ ଏକାଥରେ ସାବିତ୍ରୀ ଓ ରଜ ଭାର ପଠାଇଥାନ୍ତି ବାପଘର ଲୋକ । ଯାହାର ଯାହା ଶକ୍ତି । ଆମ୍ବ, ପଣସ, ବିରି , ଚାଉଳ , ହଳଦୀପତ୍ର ଠାରୁ ଆରମ୍ଭ କରି ନୂଆ ଶାଢୀ , ଓ କିଛି ଅର୍ଥ ବି ପଠାନ୍ତି ବାପଘର ଲୋକ । ହେଲେ କରୋନା ସମୟରେ ସେତକ ଯେ ଏବେ ସବୁ ବାପାଘରୁ ଭାର ଆକାରରେ ଆସବ ତାହା କେହି ବିଶ୍ୱାସ କରିବା ଭୂଲ । ଗରିବ ଘରର ଝିଅଟି କଣ କେବେ ତା ବାପଘରୁ ଏ ବର୍ଷ ସାବିତ୍ରୀ ଓ ରଜ ଭାର ଆସିବ ସେ ଆଶା କରିଥିବ । ସେଦିନ ମଧ୍ୟ ରାମବାବୁଙ୍କ ସ୍ତ୍ରୀ ବି ସେକଥା ଭାବିଛି । କାରଣ ତା ବାପା ତ ଦିନ ମଜୁରିଆ କେଉଁଠୁ ଆଣିବ ଟଙ୍କା ଯେ ଦେବା ଭାର । ଲକଡ଼ାଉନ ଓ ସଟଡ଼ାଉନ ପାଇଁ ତ ସବୁ ବନ୍ଦ । କାମ ଧନ୍ଦା କିଛି ମିଳୁନାହିଁ । ଏକଥା ଜାଣି ଭାର ଆସିବା କଥା କେବେ ଭାବିନାହାନ୍ତି ଦାସବାବୁ କି ତାଙ୍କ ସ୍ତ୍ରୀ । ହେଲେ ବାପଘର ଯେତେ ଅସୁବିଧାରେ ଥାଆନ୍ତୁ ନା କାହିକିଁ ସାବିତ୍ରୀ, ରଜ, ଦୁତିଆ ଓଷାରେ ଭାର ଝିଅ ଘରକୁ ପଠାନ୍ତି ।
ସାବିତ୍ରୀରେ କେମିତି ସ୍ତ୍ରୀ ପାଇଁ ନୂଆ ଶାଢୀ ଆଣିବେ ଦାସବାବୁ ସେ ଚିନ୍ତା କରୁଥାନ୍ତି । ତାହା ସହ ରଜରେ ଏଥର ପୋଡ଼ପିଠା କରିବା ପାଇଁ ଅଳିଅଳି ଝିଅ ବାରମ୍ବାର କହୁଛି । ତେଣୁ ଚିନ୍ତାରେ ଥାଆନ୍ତି ଦାସବାକୁ । ଠିକ ଏମିତି ବେଳେ ଡ଼ାକ ପିଅନ କହିଲା ଦାସବାବୁ ଆପଣଙ୍କ ନାଁରେ ମନି ଅର୍ଡ଼ର ଆସିଛି ୨ ହଜାର ଟଙ୍କା । ଦସ୍ତଖତ କରି ଟଙ୍କା ନିଅନ୍ତୁ । ଦାସ ବାବୁ ଦେଖିଲା ବେଳକୁ ଏ ମନିଅର୍ଡ଼ର ଟଙ୍କା ଆସଛି ତାଙ୍କ ଶଶୁର ଘରୁ । ସାବିତ୍ରୀ ଓ ରଜ ଭାର ଆକାରରେ । କିଛି ନଭାବି ଦାସବାବୁ ସ୍ତ୍ରୀକୁ ଯାଇ କହିଲେ ହଇଟି ଶୁଣୁଛ ତମ ବାପା ୨ହଜାର ଟଙ୍କା ଭାର ପଠାଇଛନ୍ତି । ଏ ଭାର ଟଙ୍କା ହୁଏତ ଦାସବାବୁଙ୍କ ସାବିତ୍ରୀ ଓ ରଜ ପାଳନ କରିବାର ବୋଝକୁ କମାଇ ଦେଲା । ହେଲେ ଦାସବାବୁଙ୍କ ସ୍ତ୍ରୀର ମନର ଭାର କିନ୍ତୁ ବଢାଲା ଦେଲା ଏ ୨ହଜାର ଟଙ୍କାର ଭାର…

୧୮ରୁ୪୪ ବୟସ୍କଙ୍କ ପାଇଁ ଟିକାଦାନ ପାଇଁ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ 

ଦେବଗଡ, ୭/୬:ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ଆଜି  ଠାରୁ ଦେବଗଡ ପୌରାଂଚଳରେ ୧୮-୪୪ ବର୍ଷ ବୟସ ମଧ୍ୟରେ ଥିବା ଜନସାଧାରଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି। ଟୀକା ନେବା ପାଇଁ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ପ୍ରବଳ ଉସ୍ଛାହ ଥିବା  ଆଜି   ବିଭିନ୍ନ ଟୀକା କେନ୍ଦ୍ର ରେ ଦେଖିବାକୁ ମିଳିଛି ।  ଆଜି ରାଜା ବାସୁଦେବ ହାଇସ୍କୁଲ ହଷ୍ଟେଲ ରେ ୩୦୦ଜଣ ଏବଂ ପୁରୁଣାଗଡ଼ ଏମ ଇ ସ୍କୁଲ ରେ ୪୦୦ଜଣ ଟୀକା ନେଇଥିବା ଜଣାଯାଇଛି  । ଟୀକାକରଣ ପାଇଁ ସ୍ଲଟ ବୁକିଂ ଗତକାଲି ସନ୍ଧ୍ୟା ୬ଟା ପରଠାରୁ ତିନିଦିନ ପାଇଁ ଆରମ୍ଭ ହୋଇଥିଲା । ମାତ୍ର ଏକଘଣ୍ଟା ମଧ୍ୟରେ ତିନିଦିନ ପାଇଁ ଦୁଇହଜାର ବ୍ୟକ୍ତି ବୁକିଂ କରିଥିଲେ । ପୌରାଂଚଳର ୨ ଟି ସ୍ଥାନରେ ଟୀକାକରଣ ବ୍ୟବସ୍ଥା କରାଯାଇଛି । ପୁରୁଣାଗଡ ସ୍ଥିତ ଧରଣୀଧର ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ଦୈନୀକ ପରିବା ମାର୍କେଟ ପାଖରେ ଥିବା ରାଜା ବାସୁଦେବ ଉଚ୍ଚ ବିଦ୍ୟାଳର ହଷ୍ଟେଲ (ପୁରୁଣା ନବୋଦୟ ବିଦ୍ୟାଳୟ) ପରିସରରେ ଟୀକାକରଣ କରାଯାଉଛି ।ଉଭୟ ଟୀକା କେନ୍ଦ୍ର ରେ ଆଜି ସକାଳୁ ଭିଡ ଦେଖିବା କୁ ମିଳିଥିଲା । ଟୀକା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇନ ରେ ଛିଡା ହୋଇ ରହିବା କୁ ପଡିଥିଲା । ଟୀକା କେନ୍ଦ୍ର ରେ  ଏକ ସ୍ବେଚ୍ଛାସେବୀ ସଂଘଟନ ର ସଭ୍ୟ ମାନେ ଶାନ୍ତି ଶୃଙ୍ଖଳା ପାଇଁ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ,  ଧରଣୀଧର ମଧ୍ୟ ଇଂରାଜୀ ବିଦ୍ୟାଳୟ କେନ୍ଦ୍ରରେ ସକାଳ ୮ ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଠିକାଦାନ କରାଯିବ । ସେହିପରି  ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ହଷ୍ଟେଲ କେନ୍ଦ୍ରରେ କେବଳ ସକାଳ ୮ ଟାରୁ ୧ଟା ପର୍ଯ୍ୟନ୍ତ ଟୀକା ଦାନ କରାଯିବ । ଏହାସହ ଏହି ଟୀକାଦାନ କେନ୍ଦ୍ରରେ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ୪୫ ବର୍ଷରୁ ଉଦ୍ଦ୍ୱର୍ ଲୋକଙ୍କୁ ଟୀକାଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ୧୮-୪୪ ବର୍ଷ ବୟସର ଲୋକମାନଙ୍କୁ ରାଜ୍ୟସରକାରଙ୍କ ପ୍ରଦତ ଟୀକା ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ମନୀଷାର ଆଶା…

() ମନୀଷା ମହାପାତ୍ର । ବାପାଙ୍କ ଅଳିଅଳି ଝିଅ । ପୁଣି ଉଚ୍ଚ ଶିକ୍ଷିତ । ଉଚ୍ଚଶିକ୍ଷା ପରେ ଅନେକ ଆଶା ବାନ୍ଧିଥିଲା ସେ ତାର ଭବିଷ୍ୟତକୁ ନେଇ । ରାଜଧାନୀରେ ରହିବ , ରୋଜଗାର କରିବ, ସମାଜରେ ସମ୍ମାନର ସହ ବଂଚିବ । ନିଜ ଗୋଡ଼ରେ ନିଜେ ଛିଡ଼ା ହେବ । କାହା ପାଇଁ ବୋଝ ହେବ ନାହିଁ । ଘରକୁ ସହଯୋଗ କରିବ । ଏମିତି କେତେ କଣ ସ୍ୱପ୍ୱ ଦେଖିଥିଲା ସେ । ଝିଅ ଜନ୍ମ ପାଇଥିଲେ ମଧ୍ୟ ପୁଅଙ୍କଠାରୁ ସେ କିଛି କମ ନୁହେଁ , ଏମିତି କି ସେ ପିଲାଦିନୁ ନିଜର ଦକ୍ଷତା ଦେଖାଇ ଆସିଛି । ସବୁ ସମୟ ଓ ସବୁବେଳେ ସାହସର ସହ ଲଢିଛି ଓ ଜିତିଛି ବି । ସେ ଆଧୁନିକ ଯୁଗର ଝିଅ । ଭାରୀ ସ୍ମାର୍ଟ । ଭଲ ପାଠ ବି ପଢେ । ହେଲେ ଭାଗ୍ୟ ବେଳେ ବେଳେ ତା ସାଥ ଦିଏ ନାହିଁ । ଯେଉଁଥିପାଇଁ ସେ ଟିକେ ପଛରେ ପଡ଼ିଯାଏ ।
ଦୁଇବର୍ଷ ହେବ କରୋନା । ଲକ୍‌ଡ଼ାଉନ , ସଟଡ଼ାଉନ, ଅନେକ କଟକଣା । ସର୍ଭେ ରିର୍ପୋଟ ଅନୁସାରେ ଦେଶ ଓ ରାଜ୍ୟରେ ବି ବେକାରୀ ହୁହୁ ହୋଇ ବଢିଚାଲିଛି । ନୂଆ ନିଯୁକ୍ତି ନାହିଁ । ବରଂ ଅନେକ ଘରୋଇ କମ୍ପାନୀ ଚାକିରୀ ଛଟେଇ କରୁଛନ୍ତି । ଏପରି ସ୍ଥିତିରେ ଉଚ୍ଚଶିକ୍ଷତା ମନୀଷାର ଭବିଷ୍ୟତ କଣ ହେବ । ସେ କଥା ଭାବିଭାବି ବେଳେବେଳେ ସେ ଚିନ୍ତିତ ହୋଇପଡ଼ୁଛି । ସବୁଠାରୁ ବଡ଼କଥା ହେଉଛି ତା ସହ ପଢୁଥିବା ତାର ଅତି ଘନିଷ୍ଠ ସାଙ୍ଗମାନେ ଭାଗ୍ୟ ଜୋର ବଳରେ ମହାମାରୀ ସମୟରେ ବି ଚାକିରୀ ଖଣ୍ଡେ ଖଣ୍ଡେ ପାଇ ରାଜଧାନୀରେ ରହୁଛନ୍ତି । ଦୁଇ ବର୍ଷ ଭିତରେ କିଛି ହେଉ କି ନ ହେଉ ସେତେଟା ଟେନସନରେ ନାହାନ୍ତି ମନୀଷାର ସାଙ୍ଗମାନେ । ହେଲେ ମନୀଷା କିନ୍ତୁ ଚାକିରି ସନ୍ଧାନରେ ପ୍ରତ୍ୟେକ ଦିନ । କେମିତି କେଉଁଠି ଗୋଟିଏ ଚାକିରି ମିଳିବ ସେନେଇ ପ୍ରତ୍ୟେକ ଦିନ କେଉଁ ସଂସ୍ଥାକୁ ନା କେଉଁ ସଂସ୍ଥାରେ ସେ ଚାକିରୀ ଆବେଦନ କରୁଛି । ଅନେକ ସହଯୋଗୀ ଓ ଚିହ୍ନାଜଣା ଲୋକଙ୍କୁ ବି ନିବେଦନ କରୁଛି। ଏମିତି ସେ ଯେଉଁ କ୍ଷେତ୍ରରେ ପାଠ ପଢିଛି ସେ କ୍ଷେତ୍ରରେ ଯଦି ଚାକିରୀ ନ ମିଳୁଛି ତେବେ ଅନ୍ୟ ଚାକିରୀ କରିବାକୁ ସେ ରାଜି । ପରିବାର ଲୋକ କହୁଛନ୍ତି ଝିଅ ତତେ ପାଠ ପଢାଇଲୁ , ଯାହା କହିଲୁ କଲୁ ହେଲେ ତୁ କେବେ ଚାକିରୀ କରିବୁ । ବେଳେବେଳେ ମନୀଷା ପରିବାର ଲୋକଙ୍କ ଠାରୁ ଏକଥା ଶୁଣି ଭାରି ମନ ଦୁଃଖ କରୁଛି । ଯେମିତି ସେ ଉଚ୍ଚ ଶିକ୍ଷିତ ହେବା ଗୋଟେ ପାପ ପାଲଟି ଯାଇଛି । ଅନେକ ସମୟରେ ଏ କଥାକୁ ନେଇ ସେ ଘର କୋଣରେ , ଛାତ ଉପରେ କାନ୍ଦେ ବି । ହେଲେ କଣ କରିବ । ସମୟ ତ ଠିକ ଚାଲିନିି । ସବୁ ଚେଷ୍ଟା ସେ ଜାରୀ ରଖିଛି ଚାକିରୀ ଖଣ୍ଡିଏ ପାଇଁ । ପାଠପଢା ସମୟରେ ସେ ଯେଉଁ ସ୍ୱପ୍ନ ଦେଖିଥିଲା ନିଜ ଭବିଷ୍ୟତକୁ ନେଇ ସେ ସ୍ୱପ୍ନ ଯେମିତି ସ୍ୱପ୍ନ ହୋଇ ରହିଯିବ । ସେକଥା ବି ମନୀଷା ମନକୁ ବାରମ୍ବାର ଆସୁଥାଏ । ଏକଥା ସେ ତାର ଅତି ଘନିଷ୍ଠ ବନ୍ଧୁକୁ କହୁଥାଏ । ବନ୍ଧୁ ଜଣକ ବି ମନିଶା ପାଇଁ ବେଶ ଚିନ୍ତିତ ଥାଏ । ସେ ବି ଚେଷ୍ଟା କରୁଥାଏ ।
ହଠାତ ଦିନେ ଦିନ ୧୨ଟା ବେଳେ ମନିଷା ଫୋନକୁ କଲ ଆସିଲା । ଫୋନ କରିଥିବା ବ୍ୟକ୍ତି ଜଣକ କହିଲେ ଆପଣ ମନୀଷା ମହାପାତ୍ର କହୁଛନ୍ତି । ମନୀଷା କହିଲା ହଁ । ଆପଣ ୧୩ ତାରିଖ ଦିନ ୧୦ଟା ବେଳେ ଅଫିସକୁ ଆସନ୍ତୁ । ଆପଣଙ୍କ ମେଲକୁ ସବୁ ତଥ୍ୟ ଦିଆଯାଇଛି । ସେଥିରେ ଅଫିସ ଠିକଣା ବି ଅଛି । ଚାକିରୀ ସନ୍ଧାନରେ ଥିବା ମନୀଷା ଏହି ଫୋନ କଲ ପାଇଁ ତା ମନରେ ଆନନ୍ଦ କହିଲେ ନ ସରେ । ଅନ୍ୟ ଆଖିରେ ନୁହେଁ, ନିଜ ଭବିଷ୍ୟତ ପାଇଁ ନିଜ ଆଖିରେ ସ୍ୱପ୍ନ ଦେଖିଥିଲା । ପରିଶ୍ରମ ବିି କରିଥିଲା । ଆଉ ଯାହା ଆଶା କରିଥିଲା ତାହା ବି ପାଇଲା । ….
ମନୀଷାର ଆଶା ସିନା ପୂରଣ ହେଲା, ହେଲେ ମହାମାରୀ ପାଇଁ ଦେଶ ଓ ରାଜ୍ୟର ଅନେକ ମନୀଷା ପରି ଉଚ୍ଚଶିକ୍ଷତ ଘର କଣରେ ଚାକିରୀ ଖଣ୍ଡିଏ ପାଇଁ ଲୁହ ଗଡ଼ାଉଛନ୍ତି । ହେଲେ ମନୀଷା ପରି ସେମାନଙ୍କ ଆଶା ଯେ ଦିନ ପୂରଣ ହେବ ହଠାତ ତାହା ସେମାନେ ବୁଝିବା ଦରକାର ।

ନୂଆ ପରିବର୍ତ୍ତନ….

() ସମୟ ଚକ୍ରରେ ଅନେକ ପରିବର୍ତ୍ତନ ଆସେ । ସେହି ପରିବର୍ତ୍ତନ ସହ ଆମେ ନିଜକୁ ଖାପ ଖୁଆଇ ଚାଲୁ । ସୁଖ , ଦୁଃଖ ଜୀବନ ରାସ୍ତାରେ ଚାଲେ । ଇଚ୍ଛା ଥାଉକି ନ ଥାଉ ବୁଦ୍ଧିମାନ ବ୍ୟକ୍ତି ସବୁବେଳେ ସମୟ ଉପଯୋଗୀ କାମ କରିବାକୁ ପସନ୍ଦ କରେ । ତେବେ ଯାଇ ଆମେ ଆଗକୁ ବଢିବା ଓ ସୁଖରେ ରହିବା । ସମୟ ବେଳେବେଳେ ଅନେକ ଆହ୍ୱାନ ବି ଦେଇଥାଏ । କଣ କରିବା ଦରକାର ଓ କଣ ନ କରିବା ଦରକାର । ଆଉ ସମୟର ଏହି ଆହ୍ୱାନ ଆମକୁ କ୍ଷତି ଅପେକ୍ଷା ଲାଭ ଅଧିକ ଦିଏ । ଦୁଃଖ ଅପେକ୍ଷା ସୁଖ ଅଧିକ ଦିଏ । ଚକା ଉଭଁରୀ ପରି ସମୟ ଗତିରେ ମଣିଷ ସମାଜ ଚଳେ ।
ଦୁଇ ବର୍ଷ ହେବ ପୁରା ବିଶ୍ୱ ନୂଆ ଅଦୃଶ୍ୟ ଶକ୍ତି ସହ ଲଢୁଛି । ମଝିରେ ଟିକେ ଶାନ୍ତ ପଡିଥିବା ମହାମାରୀ ଏବେ ପୁଣି ସକ୍ରୀୟ ହୋଇଛି । ଅନେକ ଲୋକଙ୍କ ଜୀବନ ଯାଉଛି । ଏହାରି ଭିତରେ କରୋନା ଅନେକଙ୍କ ଜୀବନ ,ଜୀବିକା ଯାଇଛି । ଯେଉଁଥି ପାଇଁ ପ୍ରାୟ ସମସ୍ତେ ମାନସିକ ଭାବେ ନିଜରକୁ ପ୍ରସ୍ତୁତ କରିଦେଲେଣୀ । ସେହି ଅନୂୁସାରେ ବି ଲୋକେ ନିଜକୁ ପରିବର୍ତ୍ତନ କଲେଣୀ । ସବୁ ଦୁର୍ଘଟଣାର ଯେମିତି ଭଲ ଓ ମନ୍ଦ ରହିଥାଏ । ଠିକ ସେହିପରି ଅଦୃଶ୍ୟ ଶକ୍ତି ଯୋଗୁଁ ଆମ ସମାଜରେ ବି ଅନେକ ଭଲ ପ୍ରଭାବ ପକାଇଛି ।
ବିବାହ: କରୋନା ଯୋଗୁଁ ବିବାହ ପରମ୍ପରାର ବଡ଼ ପରିବର୍ତ୍ତନ ଘଟିଛି । ପୂର୍ବ ପରି ବାଜା,ରୋଷଣି ସହ ଶହଶହ ବରଯାତ୍ରୀ ନୁହେଁ ବରଂ ଅତି କମରେ ଯେତିକି ଲୋକ ନିହାତି ଆବଶ୍ୟକ ସେତିକି ଲୋକଙ୍କୁ ନେଇ ଏବେ ବିବାହ ହେଉଛି । ଏଥିରେ କିଛି ଲୋକଙ୍କ କ୍ଷତି ହେଉଥିବା ବେଳେ କିଛି ଲୋକଙ୍କ ଲାଭ ବି ହେଉଛି । ବିଶେଷକରି ଅନେକ ଗରିବ ବାପାମାଆ ଝିଅ କି ପୁଅ ବାହାଘରରେ ଖର୍ଚ୍ଚ ଚିନ୍ତାରୁ ଟିକେ ମୁକ୍ତି ପାଇଛନ୍ତି ।
ପୂଜା,ପର୍ବ, ପରମ୍ପରା : ପୂଜା, ପର୍ବ ଓ ପରମ୍ପରାରେ ବି ଅନେକ ପରିବର୍ତ୍ତନ ଆସିଛି । ଯାହାର ବଡ଼ ଉଦାହରଣ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା । ଲକ୍ଷଲକ୍ଷ ଭକ୍ତଙ୍କ ଭିତରେ ନୁହେଁ, ବିନା ଭକ୍ତରେ ବି ରଥଯାତ୍ରା ହୋଇଛି । ସେହିପରି ସବୁ ଧର୍ମରୁ ପୂଜାପର୍ବ ଓ ପରାମ୍ପରା ବି କରାଯାଉଛି କଟକଣା ଭିତରେ । କେବଳ ସେତିକି ନୁହେଁ, ବିଭିନ୍ନ ପୂଜା ମଣ୍ଡପରେ ସାଜସଜା , ମନରଂଜନ ପାଇଁ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା ତାହା ବି ହେଉନାହିଁ । ପୂଜା,ପର୍ବ,ପର୍ବାଣୀରେ ଏପରି ନୂଆ ପରମ୍ପରା ଅନେକଙ୍କୁ କ୍ଷତି ପହଞ୍ଚାଉଥିବା ବେଳେ ଅନେକ ଲାଭ ବି ଦେଉଛି ।
ସଭା-ଶୋଭାଯାତ୍ରା– ବହୁ ସମୟରେ ଆମ ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ରାଜନୈତିକ, ଧାର୍ମିକ ଓ ବିଭିନ୍ନ ସାଂସୃତିକ ସଭା ଓ ଶୋଭାଯାତ୍ରା ହେଉଥିଲ । ହଜାର ହଜାର ସଂଖ୍ୟକ ଲୋକ ଏକାଠି ହେଉଥିଲେ । ଏବେ ସବୁଥିରେ ରୋକ ଲାଗିଛି ।
ଖଟି-ଗହଳୀ : ଅଯଥାରେ ଅନେକ ସ୍ଥାନରେ ଖଟି ଓ ଗହଳି ଲାଗୁଥିଲା । ହେଲେ ଦୁଇବର୍ଷ ହେବେ ସେଥିରେ ମଧ୍ୟ ରୋକ ଲାଗିଛି । ଭୂତାଣୁର ଭୟ ଏମିତି ଘାରିଛି ଓ ସରକାରଙ୍କ କଟକଣା ଯୋଗୁଁ ଏସବୁ ବନ୍ଦ ଧୀରେଧୀରେ ବନ୍ଦ ହେବାରେ ଲାଗିଛି ।
ପରିବେଶ, ପ୍ରକୃତି ଓ ଜୀବଜନ୍ତୁ : ଅଦୃଶ୍ୟ ଶକ୍ତିର ପ୍ରଭାରରେ ପରିବେଶ ଅନେକ ପରିବର୍ତ୍ତନ ହୋଇଛି । ଲକଡ଼ାଉନ ଯୋଗୁଁ ପରିବେଶ ପ୍ରଦୂଷଣ କମିବା ସହ ଲୋକମାନେ ପ୍ରକୃତି ଓ ଜୀବଜନ୍ତୁ ବି ମଣିଷ ସମାନ ସହ ସାମନ ଭାବେ ବଞ୍ଚିପାରିବେ। ସେ ଭାବନା ସୃଷ୍ଟି ହୋଇଛି ଅଧିକାଶ ଲୋକଙ୍କ ମନରେ । ଯାହା ଏକ ବଡ଼ ପରିବର୍ତ୍ତନ ।
ହୁଏତ ଲମ୍ବା ସମୟ ପର୍ଯ୍ୟନ୍ତ ଏସବୁ ନୂଆ ପରିବର୍ତ୍ତନ ରହିବ କି ନାହିଁ ତାହା କାହାକୁ ଜଣା ନାହିଁ । ହେଲେ ଏତିକି କୁହଯାଇପାରେ ସମୟ ଛକରେ ଏପରି ପରିବର୍ତ୍ତନ ଯେତେ ଦୁଃଖ ଓ ସେତେ ଖୁସି ଦେଇଛି ଲୋକଙ୍କୁ ।

ଆଜି ବି ତୁ ବେଶୀ ମନେପଡ଼ୁ…..

() ଏ ମାଟିର ମହକ ବେଶ୍ ମିଠା। ତାର ସବୁ ମହକରେ ଥାଏ ଖୁସି ଆଉ ଖୁସି । ତାର ସବୁ ଝଲକ ଆଜି ବି ସମସ୍ତଙ୍କୁ ଆକର୍ଷଣ କରେ । ଆଉ ଏଠାକାର ପାଣି, ପବନ, ଜଙ୍ଗଲ, ପାହାଡ଼, ସୁନ୍ଦର ରାସ୍ତା , ଅଣଓସାରିଆ ଗଳିକନ୍ଦି, ପ୍ରକୃତି, ବିସ୍ତୁୃତ ସବୁଜିମା ଓ ୬ଟି ନଦୀର ସଂଯୋଗ; ସବୁ କିଛି ଯେମିତି ଏ ମାଟିକୁ କୋଳେଇ ନେଇଛି । ପୁଣି ଐତିହ୍ୟ, ସଂସ୍କୃତି, ପରମ୍ପରାଠାରୁ ଆରମ୍ଭ କରି ଭାଇଚାରା ଏହି ମାଟିକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ପୁରାଣ ଆଉ ଇତିହାସ ବି ତା ଦେହରେ ଛାପିହୋଇଛି । ସମୟ ବଦଳିଛି, ହେଲେ ସେ କିନ୍ତୁ ଯେମିତି ଥିଲା ସେମିିତି । ଆଉ ତାର ସବୁ ଇତିହାସ ଆଜି କାନେ କାନେ କହୁଛି ମୁଁ ବଦଳିନି , ତମେ ବି ବଦଳିନାହଁ । ସମୟ ସବୁବେଳେ ଗତିଶୀଳ । ଏହି ସମୟ ଦେଇ ଅନେକ ମୋ କୋଳରେ ଯାଇଛନ୍ତି , ଆଉ ମତେ ଝୁରୁଛନ୍ତି । ଆଜି ମୋର ବି ସେକଥା ମନେ ପଡ଼ୁଛି ।

*ଭୋଜି* : ଭୋଜି କହିଲେ ସମସ୍ତେ ବୁଝନ୍ତି ଯେ ବିବାହ, ବ୍ରତଘର, ଜନ୍ମଦିନ , ଏକାଦଶାହ ଏମିତି ଅନେକ ସମୟରେ ଆମର ପ୍ରଥା ଅନୁସାରେ, ଖୁସିରେ ଭୋଜି କରାଯାଏ । ସ୍ମୃତି, ଭାଇଚାରା ସମ୍ପର୍କର ଯେ ବଡ଼ ଡ଼ୋରୀ ଏ ଭୋଜି ତାହା କେବଳ ପ୍ରମାଣ ଦିଏ । ସବୁ ବୟସର ପିଲାଙ୍କଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ସମୟ କାଟିବା ପାଇଁ ସପ୍ତାହର ଅଧିକାଂଶ ସମୟ ଭୋଜି କରନ୍ତି ମୋ ମାଟିରେ । ଏ ଭୋଜି ବି ଟିକେ ନିଆରା । କେମିତି ଆୟୋଜନ ହୁଏ , କିଏ କିଏ ସାମିଲ ହୁଅନ୍ତି ତାହା ବି ଟିକେ ନିଆରା । କେଉଁଠି ସାଙ୍ଗସାଥି ଗ୍ରହଣରେ ଭୋଜି ହୁଏ ତ ଆଉ କେଉଁଠି ପୁଅର ସାଙ୍ଗସାଥିଙ୍କ ଭୋଜିରେ ବାପା ସାମିଲ ହୋଇ ଖୁସିରେ ଚିକେନ କି ମଟନ କରିଦିଏ । ଆଉ କିଏ କିଏ ଚିକେନ କଷା ଭୋଜି। ପୁଣି ଆଉ କେବେ ଭୋଜିରେ ସାମିଲ ହୁଅନ୍ତି ପୂରା ପରିବାର, ସାଙ୍ଗସାଥୀ କି ପାଖ ସହଯୋଗୀ। ଏମିତିକି ଜମାରୁ ଆମିଶ ଖାଉନଥିବା ମଣିଷଟି ମଟନ ଭୋଜି କରିବା ପାଇଁ ସବୁଠୁ ଅଧିକ ଉତ୍ସାହିତ ହୁଏ ତ ଆଉ କିଏ କେବଳ ମଟନ ଖାଇବା ପାଇଁ ଭୋଜି ଶେଷରେ ପହଞ୍ଚେ । ଅନେକ ତ ଘରୁ ଜିନିଷ ଆଣି ଭୋଜି କରନ୍ତି। ଅନେକେ କାହାଠାରୁ ଖୁସିର ଚାନ୍ଦା ଆଣି ଭୋଜିରେ ମାତନ୍ତି । ଯେମିତି ଭୋଜି ପାଇଁ ଏ ମାଟିର ଏକ ଆହ୍ୱାନ ରହିଛି ।

*ସକାଳୁ ସଞ୍ଜ ସ୍ଵାଦ ଖୋଜା :* ସାଧାରଣ ତେଜଭାଜି ଜଳଖିଆ ସକାଳେ କି ଖରାବେଳେ ଖିଆଯାଏ । ସ୍ୱାସ୍ଥ୍ୟ ଚିନ୍ତା ପାଇଁ ତାହା ବି ଅନେକ ଖାଇବାକୁ ପସନ୍ଦ କରନ୍ତିନି । ଏ ମାଟିର ଅନେକ ଲୋକ କିନ୍ତୁ ତେଲଭାଜି ପ୍ରିୟ । ସକାଳେ ଘୁଗୁନି ସହ ଗୁଲୁଗୁଲା , ବରା, ଆଳୁଚପ ହେଉ ଅବା ଉଦୁଉଦିଆ ଖରାବେଳେ ଆଳୁକଷା ସହ ବୁଟଡ଼ାଲି ପକୁଡ଼ି ସହ ଅଣ୍ଡାଚପ । ପୁଣି ସନ୍ଧ୍ୟାରେ ଗରମ ଗରମ ବିରିବରା, ଶି ଆଉ ବିଭିନ୍ନ ଚପ୍ । ଛ୍ରୁଆ ଠାରୁ ବୁଢା ଏହି ଜଳଖିଆ ଖାଇବାରେ ପୂରା ଓସ୍ତାତ୍। ସେଥିରେ ପୁଣି ଖୋଜାପଡେ ନିଜର ନିଜର ଅଂଚଳରେ କିଛି ପ୍ରସିଦ୍ଧ ଦୋକାନରୁ । ମେଯତି କ୍ୱାଲିଟିି ସୁଇଟରୁ ଭେଜିଟେବୁଲ ଚପ, ବିରଜା ସୁଇଟ୍ସରୁ ସିଙ୍ଗଡ଼ା ଓ ଚଟଣି, ଚଢେଇସାହୁ ବରା, ଗରିଆପୁରର ରାଜୁନନା ଛେଚାମସଲା ଯୁକ୍ତ ଘୁଘୁନି ସହ ଟଙ୍କିକିଆ ବିରି, ବୁଟ ବରା, ଟଙ୍କିକିଆ ପଣସ ଚପ, ଆଳୁଚପ ଆଦି । ସେହିପରି କିଆନାଳି ଛକରେ ସିରିଆ ଅଣ୍ଡାଚପ, ନାରାୟଣ ଛକରେ ଅନନ୍ତବିଳାସର ଦୋଷା, ଗାନ୍ଧୀ ଛକରେ ବଳିଆ ଚାଟ, ବଡ଼ବଜାରରେ ଘଇନ ମିକ୍ସର ଆଦି ଖାଇବାର ସ୍ୱାଦ ଟିକେ ନିଆରା । ମୋଟାମୋଟି ଭାବେ କହିବାକୁ ଗଲେ ଏସବୁ ଖାଇବାରେ ଥାଏ ମହା ଆନନ୍ଦ ।

*ଖଟି :* ଖଟି ପାଇଁ ଯେମିତି ଏମାଟିରେ କୌଣସି ସମୟ ନାହିଁ କି ବୟସ ନାହିଁ । ବିଶ୍ୱଠାରୁ ଆରମ୍ଭ କରି ଗାଁ ଦାଣ୍ଡ ପ୍ରସଙ୍ଗ । ପାଣିପାଗ, ରାଜନୀତି , ଅର୍ଥନୀତି, ସଂସ୍କୃତି, ପ୍ରେମ, କିକ୍ରେଟ କେତେ କଣ ଲମ୍ବା ପ୍ରସଙ୍ଗ ଆସେ ଖଟିରେ । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ । ସେ ଚା ଦୋକାନ, ଖେଳପଡ଼ିଆ ହେଉ କି ନଦୀକୂଳ , ରାସ୍ତା କଡ, କଲେଜ୍ ଗଛମୂଳ ପୁଣି ଖୋଲା ପଡିଆ । ଯଦି ୨ଜଣରୁ ଅଧିକ ଏକାଠି ହୋଇଗଲେ ତେବେ ଖଟି ଜମିଲା । ଖଟିରେ ସମସ୍ତେ ଏମିତି ମାତନ୍ତି ଯେ ସମୟ ଭୁଲିଯାଆନ୍ତି । ଯେମତି ଖଟିର ଅନ୍ତୁଡ଼ିଶାଳ ଏ ମାଟି ।

*ଭାଇଚାରା :* କଥାରେ ଅଛି ଦୁଧ ଯଦି ଖାଇବୁ ଘରେ ଥିବ ଗାଈ , ଯୁଦ୍ଧ ଯଦି କରିବୁ ସାଙ୍ଗେ ଥିବ ଭାଇ । ଏ ମାଟି ତ ଭାଇଚାରାର ବଡ଼ ପ୍ରତୀକ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ ସବୁ ଧର୍ମର ମିଳନ ସ୍ଥଳୀ ଏମାଟି । ଏଠି ଭାଇଚାରା ସମ୍ପର୍କ ଏମିତି ନିବିଡ଼ ଯେ ସଭିଁଏ ସଭିଁଙ୍କ ସହ ଏକ ହୋଇ ସବୁକାମ କରନ୍ତି । ଏ ମାଟିରେ ମୁସଲମାନ କରେ ହିନ୍ଦୁ ଦେବଦେବୀଙ୍କ ପୂଜା, ପର୍ବରେ ସାମିଲ ହୁଏ ଆଉ ହିନ୍ଦୁ ପାଳେ ରମରାନ, ଇଦ ।

*ମାମଲତିକାର :* ଏମାଟିର ଅନେକ ମାମଲତିକାର ଦେଖାଇବା ପାଇଁ ଭଲ ପାଆନ୍ତି । ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୂରାଇବା ପରି ଅନେକ ବ୍ୟକ୍ତି ଏଠି ଅଛନ୍ତି । ସବୁ କଥାରେ ମାମଲତିକାର ଦେଖାଇବାକୁ ଅନେକ ଭଲ ପାଆନ୍ତି । ଅଯଥାରେ ଅନ୍ୟ କଥାରେ ମୁଣ୍ଡ ପୂରାଇ ମାମଲତିକାର କରିବାର ନଜର ଅନେକ ଦେଖାଯାଏ ମାଟିରେ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଇ ମାମଲତିକାର ପାଇଁ ଟାଉଟର ଭାବେ ଧରା ପଡ଼ିଯାଆନ୍ତି ।

*ଜନ୍ମମାଟିକୁ ଭଲ ପାଇବା :* “ମାତୃଭୂମି , ମାତୃଭାଷାରେ ଯାହା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ।” ମାତୃଭୂମି ପ୍ରତି ସମସ୍ତଙ୍କର ଭଲ ପାଇବା ରହିଛି । ହେଲେ ଏମାଟିର ଲୋକଙ୍କ ଟିକେ ଅଧିକ । ଯିଏ ଯେଉଁଠି ଥାଆନ୍ତୁ , ମାଟି ପ୍ରତି କିନ୍ତୁ ରହିଥାଏ ଅହେତୁକ ଦୁର୍ବଳତା । ଯେତେବେଳେ ଟିକେ ବି ସମୟ ମିଳେ ଆଗ ଚିନ୍ତା ଘାରେ କେମିତି ଯିବି ମୋ ଗାଁକୁ , ମୋ ମାଟିକୁ । ଯଦି କିଏ ବି କେବେ କହେ କି ବଡ଼ ସୁଯୋଗ ମିଳିଲେ ତମେ କେଉଁଠିକି ଯିବ ଏହି ମାଟିର ଶତ ପ୍ରତିଶତ ଲୋକ କହିବେ ମୁଁ ମୋ ମାଟି କୋଳକୁ ଯିବି ଓ ମୋ ଗାଁକୁ ଯିବ ।
ସେ ଭାଇଚାରା , ସେ ଖୁସିର ମାଟି । ଆଧୁନିକତାର ଯେଉଁ ଛବି ଓ ଯେଉଁ ପରିସ୍ଥିତିରେ ଥିଲେ ବି ସେ ବେଶୀ ମନେପଡ଼େ। ଆଜି ବି ତୁ ବେଶୀ ମନେପଡ଼ୁ ସବୁଦିନ ପରି। ସେଇଥିପାଇଁ ତୁ ଯାଜପୁର….

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା….

 

ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ପରିଚାଳନା ସଂପର୍କିତ ବିଭିନ୍ନ ପଦକ୍ଷେପ ସଂପର୍କରେ ଡକୁମେଣ୍ଟେସନ୍‌ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,
ଭବିଷ୍ୟତ ବିପର୍ଯ୍ୟୟ ପରିଚାଳନା ପାଇଁ ଶିକ୍ଷଣୀୟ ହେବ – ମୁଖ୍ୟମନ୍ତ୍ରୀ

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକୁମେଣ୍ଟେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପଦର୍ଶନ କରି ଲୋକଙ୍କ ଜୀବନ ସୁରକ୍ଷା କରିଛନ୍ତି । ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍‌ ସମୟ ମଧ୍ୟରେ କରାଯାଇପାରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ କାର୍ଯ୍ୟର ଡକୁମେଣ୍ଟେସନ କରିବାର ଆବଶ୍ୟକତା ସଂପର୍କରେ କହିଥିଲେ । ବାତ୍ୟାର ଲ୍ୟାଣ୍ଡ ଫଲ୍‌ର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକୁମେଣ୍ଟେସନ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାରେ ସମୁଦାୟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା । ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି ବୋଲି ସେ କହିଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା ।

ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ କାମ କରିଥିଲା ଏବଂ ଏଥିରେ ପ୍ରାୟତଃ ସଫଳ ହୋଇଛି । ସେ କହିଥିଲେ ଯେ ଏଥିରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତିର କ୍ଷତି ହୋଇଛି । ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା । ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ।

କୃଷି ବିଭାଗର କ୍ଷୟକ୍ଷତି ସଂପର୍କରେ ଆଲୋକପାତ କରି ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଥିଲେ ଯେ ସମୁଦ୍ରକୂଳ ପ୍ରଭାବିତ ଜିଲ୍ଲା ଗୁଡିକରେ ଲୁଣି ପାଣି ମାଡି ଯିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି । ତେଣୁ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନଙ୍କୁ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରିବା ପାଇଁ କୁହାଯାଇଛି । ଏହି ବୈଜ୍ଞନିକ ମାନେ ବର୍ତ୍ତମାନ ପ୍ରଭାବିତ ସ୍ଥାନରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ରିପୋର୍ଟ ଆସିବ ବୋଲି ସେ କହିଥିଲେ।

ବିଭାଗୀୟ ସଚିବ ମାନେ ସେମାନଙ୍କ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଏଥିରେ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ଏବଂ ଏଥିରେ ୯୯.୮ ପ୍ରତିଶତ ଉପଭୋକ୍ତାଙ୍କୁ ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି ବୋଲି ସେ କହିଥିଲେ । ୨୩୦ଟି transformer ଆଜି ସୁଦ୍ଧା ବଦଳାଯାଇ ନୂଆ transformer ଲଗାଯିବ ବୋଲି ସୂଚନା ଦିଆଯାଇଥିଲା । ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମୂତୟନ କରାଯାଇଥିଲା। ଏହା ସାରା ଭାରତରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୂଚନା ଦିଆଯାଇଥିଲା । ମଇ ୩୧ ସୁଦ୍ଧା ସମସ୍ତ ଟ୍ୟୁବୱେଲ ଓ ପାଇପ ୱାଟର ପ୍ରକଳ୍ପର ଜଳ ଉତ୍ସ୍ୟକୁ ବିଶୋଧନ କରାଯାଇଥିଲା। ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ ରୋଡର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୮ଟି ସହରାଞ୍ଚଳର ୫୮ଟି ସଡକ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ ଆଦି କ୍ଷତିର ସମ୍ମୁଖୀନ ହୋଇଛି। ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା।
ସେହିପରି ଜଳସଂପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଓ ରାସ୍ତାରେ ହୋଇଥିବା ଘାଇ ସଂପର୍କରେ ସୂଚନା ଦିଆଯାଇଥିଲା। ସମୁଦାୟ କ୍ଷତିର ପରିମାଣ ୧୦୮ କୋଟି ଟଙ୍କା ।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସଡକ ଗୁଡିକୁ ଗଛ କାଟି ତୁରନ୍ତ ଅବରୋଧମୁକ୍ତ କରାଯାଇଥିଲା। ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି । କ୍ଷତିର ପରିମାଣ ୭୫ କୋଟି ଟଙ୍କା। ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷତିର ପରିମାଣ ୬୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି ।

ବୈଠକରି ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଆବଶ୍ୟକତା ସଂପର୍କରେ ଦୃଷ୍ଟି ଆକର୍ଣଣ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

ସବୁଦିନ ଦେଖୁଛି ମୁଁ ଭଗବାନଙ୍କୁ ……

() ଭଗବାନ, ଇଶ୍ୱର, ଠାକୁର । ସବୁ ଶବ୍ଦର ଅର୍ଥ ସମାନ । ପୁରାଣରେ କୁହାଯାଇଛି ଭଗବାନ ସବୁଠି ଅଛନ୍ତି । ପ୍ରତ୍ୟେକ ମଣିଷ ଶରୀରରେ ଅଛନ୍ତି । ଆମ ଚାରିପାଖରେ ଅଛନ୍ତି । ତାହାର ଅନେକ ପ୍ରମାଣ ବହୁବାର ପ୍ରମାଣିତ ହୋଇଛି । ସେ ଭକ୍ତ ପ୍ରହ୍ଲାଦ ଉଦାହାଣ ହେଉ ଅବା ଦାଶିଆ ବାଉରୀ । ଭଗବାନ ସବୁବେଳେ ସବୁ ସମୟରେ ଆମ ପାଖରେ ଓ ଆମ ସହ ଥାଆନ୍ତି । ଭକ୍ତି ବଳରେ ଭଗବାନ ମିଳନ୍ତି, ବିନା ଭକ୍ତିରେ ବି ଆପଣଙ୍କୁ ଭଗବନା ଦେଖାଦଅନ୍ତି ଓ ସେବା କରନ୍ତି ।
ସଭ୍ୟତା ପରେ ସଭ୍ୟତା ଆସୁଛି ।ଆଉ ଏବେ ଆମେ ଆଧୁନିକ ବା ବୈଜ୍ଞାନିକ ଯୁଗରେ ପହଞ୍ଚିଛନ୍ତି । ବିଜ୍ଞାନର ଜ୍ଞାନ କୌଶଳ ଏତେ ଆଗକୁ ଗଲାଣୀ ଯେ ଆମେ ଚନ୍ଦ୍ର ପୃଷ୍ଠରେ ପହଞ୍ଜି ଗଲେଣୀ । ବହୁ କ୍ଷେତ୍ରରେ ଆମେ ସବୁଦିନ ଆଗେଇ ଚାଲିଛନ୍ତି । ହେଲେ ବିଜ୍ଞାନ ଯେତେ ଆଗେଇ ଥିଲେ ମଧ୍ୟ ଜୀବନ ଟିଏ କାହାକୁ ଦେଇ ପାରୁନାହିଁ । ଏହା କେବଳ ଭଗବାନଙ୍କ ଦାନ । ତାହା ଧରାପୃଷ୍ଠରେ ଜନ୍ମ ନେଇଥିବା ପ୍ରତ୍ୟେକ ଜୀବ ପାଇଁ ବରଦାନ । ଯିଏ ସୃଷ୍ଟି , ସେ ସ୍ରଷ୍ଟା ପୁଣି ସେ ସଂହାରକର୍ତ୍ତା । ଦିନରାତି ଭିତରେ ଜୀବନ ଚାଲିଛି । ସମୟରେ ହେଲେ ସଭିଁଏ ନିଜର ଅଭିନୟ ଛାଡ଼ି ଏ ଦୁନିଆରୁ ଯାଇ ଶୂନ୍ୟରେ ମିଶିଯିବେ।
ବେଳେବେଳେ ଆମେ ଏକ ବଡ଼ ପ୍ରଶ୍ନର ସାମ୍ନା କରନ୍ତି । ତାହା ହେଲା ଭଗବାନଙ୍କୁ ଦେଖିଛ । ଅଧିକାଂଶ କୁହନ୍ତି ନା ଦେଖିନି କେବଳ ଅନୂଭବ କରିଛି । କିଛି ଲୋକ କୁହନ୍ତି ହଁ ମୁଁ ଦେଖିଛି । ହେଲେ ପ୍ରତ୍ୟେକ ଦିନ ଆମେ ଭଗବାନଙ୍କ ସହ ଭେଟଭାଟ ହୁଅନ୍ତି ତାଙ୍କ ସହ କଥା ହୁଅନ୍ତି ତାହା ପୁଣି ଭିନ୍ନଭିନ୍ନ ରୂପରେ । ସେକଥା କିନ୍ତୁ ଖୁବ କମ ଲୋକ କୁହନ୍ତି । ସିଧାସିଧା କହିବାକୁ ଗଲେ ଯିଏ ଆମକୁ ଜନ୍ମ ଦେଇଛି ସେ ଭଗବନା ଓ ଯିଏ ଜୀବନ ନେଉଛି ସେ ବି ଭଗବାନ । ତାହାର ଇଚ୍ଛାରେ ଆମ ଜୀବନ ରଥ ଚାଲିଛି ।
ଏକଥା ତ ସମସ୍ତଙ୍କୁ ଜଣା । ଏଥିରେ ନୂଆକଥା କଣ । ହଁ , ନୂଆ କଥା ହେଉଛି ଯିଏ ମରଣ ମୁହଁରୁ ଆମକୁ ଉଦ୍ଧାର କରି ନୂଆ ଜୀବନ ଦିଏ ସେ ବି ଭଗବନା । ଏ ଦୁନିଆ ଓ ସଂସାର ତାକୁ ଦ୍ୱିତୀୟ ଭଗବାନ ବୋଲି ଆଖ୍ୟା ଦେଇଛି ।
ମହାମାରୀ ସମୟ । ଏକ ଅଦୃଶ୍ୟ ଶକ୍ତି ଆମ ଚାରିପଟେ ବୁଲୁଛି । କେତେବେଳେ କାହାକୁ ବି ଗ୍ରାସ କରୁଛି । ଅକାରଣେ ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ । ଏହି ଅଦୃଶ୍ୟ ଶକ୍ତି ଦୁନିଆକୁ ହଲଚଲ କରିଦେଇଛି । ସବୁଥିରେ ଆଣିଛି ପରିବର୍ତ୍ତନ । ଭଗବନ ଭକ୍ତ ଭିତରେ ଛିଡ଼ା କରିଛି ପାଚେରୀ । ସବୁ ଯେମିତି ନିରୁପାୟ ହୋଇ ଯାଇଛନ୍ତି । ଆଉ ଠିକ ଏହି ସମୟରେ ଦ୍ୱିତୀୟ ଭଗବାନ ରୂପରେ ଏହି ଅଦୃଶ୍ୟ ଶକ୍ତି କବଳରୁ ଆମ ଜୀବନକୁ ବଞ୍ଚାଉଛନ୍ତି ଡ଼ାକ୍ତର, ନର୍ସ ଓ ମେଡ଼ିକାଲ କର୍ମଚାରୀମାନେ । ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଇ ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ଲୋକଙ୍କ ଜୀବନକୁ ମୃତ୍ୟୁମୁଖରୁ ଟାଣିଆଣି ନୂଆ ଜୀବନ ଦେଉଛନ୍ତି । ସବୁଦିନ ଆମେ ଅତି ପାଖରୁ ଏହି ଦ୍ୱିତୀୟ ଭଗବାନଙ୍କୁ ଦେଖୁଛନ୍ତି । ଅନୁଭବ ନୁହେଁ, ସିଧାସଳଖ ଆଲୋଚନା କରୁଛନ୍ତି । ସେ ସିନା ଜୀବନ ଦେଇ ପାରନ୍ତିନି ହେଲେ ଅନେକ ସମୟରେ ଆମକୁ ମୃତ୍ୟୁମୁଖରୁ ଟାଣିଆଣନ୍ତି ।
ଜୟ ଜଗନ୍ନାଥ

ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ : ସମ ଅଲ୍ଟିମଟେ ମେଡିକାୟରରେ ସଫଳ ଚିକିତ୍ସା

ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ–
ସମ ଅଲ୍ଟିମଟେ ମେଡିକାୟରରେ ସଫଳ ଚିକିତ୍ସା
ଭୁବନେଶ୍ୱର : ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣେ ୪୪ ବର୍ଷୀୟ ବ୍ୟକ୍ତି ସମ ଆଲଟିମେଟ ମେଡିକେୟାରରେ ସଫଳ ଚିକିତ୍ସା ପାଇବା ଯୋଗୁଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସମମରେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ସୁସ୍ଥ କରାଯାଇଛି |

ଗଞ୍ଜାମ ଅଂଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ | ଦଶ ଦିନ ଚିକିତ୍ସା ପାଇବା ପରେ ସେ ଡିସ୍ଚାର୍ଜ ହୋଇଥିଲେ | ସେ ମଧୁମେହ ରୋଗୀ ଥିବା ସହ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିବା କାରଣରୁ ତାଙ୍କ ଷ୍ଟେରଏଡ଼ ଦେଇ ଚିକିତ୍ସା କରାଯାଇଥିଲା |
ତେବେ କୋଭିଡ ହସ୍ପିଟାଲରୁ ଡିସ୍ଚାର୍ଜ ହେବାର ୫ ଦିନ ପରେ ତାଙ୍କ ବାମ ପାର୍ଶ୍ୱ ମୁହଁ ଫୁଲିଯିବା ସହ ଆଖିରେ ପାଣି ଜମି ଫୁଲିଯାଇଥିଲା |
ସମ୍ପୃକ୍ତ ରୋଗୀଙ୍କୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତୁରନ୍ତ ସମ ଆଲଟିମେଟ ରେ ଭର୍ତି କରାଯାଇଥିଲା | ହସ୍ପିଟାଲର ଇଏନଟି ଓ ସ୍କଲ ବେସ ସର୍ଜରୀ ମୁଖ୍ୟ ଡକ୍ଟର ରାଧାମାଧବ ସାହୁଙ୍କ ନେତୃତ୍ୱରେ ଏକ ଟିମ ତୁରନ୍ତ ତାଙ୍କର ନ।ସାଲ ଏନ୍ଡୋସ୍କୋପି କରିବା ସହ ଏହାର ସାମ୍ପଲକୁ ଫଙ୍ଗଲ ଷ୍ଟ୍ରେନ ଓ କଲଚର ଲାଗି ପଠାଇଥିଲେ |

ପରୀକ୍ଷାରୁ ସେ ମୁକୋରମାଇକୋସୀସ ଅର୍ଥାତ ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କୁ ଡକ୍ଟର ସାହୁ ତୁରନ୍ତ ହସ୍ପିଟାଲରେ ଆଡ଼ମିସନ କରାଇଥିଲେ |
ଏହି ରୋଗର ଚିକିତ୍ସା ନିମନ୍ତେ ଲାଇପୋଜୋମାଲ ଅମ୍ଫୋଟେରିସିନ ଔଷଧ ମାର୍କେଟରେ ଉପଲବ୍ଧ ନ ଥିବାରୁ ରୋଗୀ ଜଣଙ୍କୁ କନଭେନସନାଲ ଅମ୍ଫୋଟେରିସିନ ଵି ଦିଆଯାଇ ଅପେରସନ ର ଯୋଜନା କରାଯାଇଥିଲା ବୋଲି ଡ଼ା ସାହୁ କହିଛନ୍ତି |ଏହି ରୋଗ ସମ୍ପୃକ୍ତ ରୋଗୀର ନାସାର ରନ୍ଧ୍ର, ପାଟିର ହାଡ ଏବଂ ଇନ୍ଫ୍ରାଟେମ୍ପରାଲ ଫୋସା ଏବଂ ଆର୍ବିଟ ରେ ଦେଖା ଦେବା ଯୋଗୁଁ ଆରବୀଟାଲ ଡ଼ିକମ୍ପ୍ରେସନ ସହିତ ଏଣ୍ଡୋସ୍କୋପିକ ଡେବ୍ରିମେଣ୍ଟ କରାଯାଇ ବ୍ଲାକ ଫଙ୍ଗସ ବ୍ୟାପିଥିବା ସ୍ଥାନ କୁ ଅସ୍ତ୍ରୋପଚାର ଦ୍ଵାରା କଢ଼ା ଯାଇଥିଲା। ଏଥି ନିମନ୍ତେ ମୁହଁରେ କୌଣସି ଦାଗ ରହି ନଥିଲା ବୋଲି ଡ଼ଃ ସାହୁ କହିଛନ୍ତି |

ଏହାଦ୍ୱାରା ରୋଗୀ ଜଣକ ଠିକ ଭାବେ ଦେଖିବାରେ ସକ୍ଷମ ହୋଇଥିଲା ଏବଂ ନିୟମିତ ଆଣ୍ଟି ଫଙ୍ଗଲ ଥେରାପି ଓ ଏନ୍ଡୋସ୍କୋପିକ ପରୀକ୍ଷା ଦ୍ୱାରା ସେ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା |

କୋଭିଡ ସଂକ୍ରମଣ ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ବ୍ଲାକ ଫଙ୍ଗସ ରୋଗ ଦେଖାଦେଉଥିବା ବେଳେ ଏ ଜନିତ ମୃତ୍ୟୁ ହାର ମଧ୍ୟ ପ୍ରାୟ ୫୦ ପ୍ରତିଶତ | ତେବେ ଠିକ ସମୟରେ ଚି଼ହ୍ନଟ ଓ ଚିକିତ୍ସା ଦ୍ୱାରା ରୋଗୀଙ୍କ ଜୀବନ ବଞ୍ଚାଇହେବ ବୋଲି ଡକ୍ଟର ସାହୁ କହିଛନ୍ତି |ସମ ଆଲଟିମେଟ ରେ ଏ ପର୍ଯ୍ୟନ୍ତ ୫ ଜଣ ଏଭଳି ରୋଗୀଙ୍କର ସଫଳ ଚିକିତ୍ସା ହୋଇ ସ।ରିଥିବା ବେଳେ ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ତର୍ଜମା କରାଯାଉଥିବା ସେ କହିଛନ୍ତି।

ନାକ ଫୁଲିଯିବା, ଦୁର୍ଗନ୍ଧ ଯୁକ୍ତ ପଦାର୍ଥ ତଥା କଳା ରକ୍ତ ନାକରୁ ବାହାରିବା, ନାକ, ମୁହଁ ଓ ଆଖିରେ ଯନ୍ତ୍ରଣା ହେବା, ଆଖିକୁ ଠିକ ଭାବେ ନ ଦିଶିବା, ମୁହଁ ବଙ୍କା ହେବା ଓ ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ବ୍ଲାକ ଫଙ୍ଗସ ରୋଗୀଙ୍କ କ୍ଷେତ୍ରରେ ଦେଖା ଦେଇଥାଏ |

ସମ୍ପୃକ୍ତ ରୋଗୀଙ୍କ ଚିକିତ୍ସା ଓ ଅପରେସନ ନିମନ୍ତେ ସମ ଆଲଟିମେଟ ଡାକ୍ତରଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଟିମରେ ଡକ୍ଟର ସାହୁଙ୍କ ସମେତ ନିଉରୋଲୋଜି ମେଡ଼ିସିନ ବିଭାଗର କନ୍ସଲଟାଣ୍ଟ ଡକ୍ଟର ଅଖିଳ କୁମାର ପଣ୍ଡା, ଅପଥାଲମୋଲୋଜି ବିଭାଗର ଡକ୍ଟର ସ୍ଵାତି ସାମନ୍ତ, ଏଣ୍ଡୋକ୍ରାଇନୋଲୋଜି ବିଭାଗର ଡକ୍ଟର ଅଭୟ କୁମାର ସାହୁ, ମାଇକ୍ରୋବାୟୋଲଜୀ ବିଭାଗର ଡକ୍ଟର ପୁରବୀ ବରାଳ, ପାଥୋଲୋଜି ବିଭାଗର ଡକ୍ଟର ସୁବାସିସ ମହାନ୍ତି, ରେଡ଼ିଓଲୋଜି ବିଭାଗର ଡକ୍ଟର ଗୋଲକ ପାସା ଓ ଅନେସ୍ଥେସିଓଲୋଜି ବିଭାଗର ଡକ୍ଟର ଦୀପଙ୍କର ପଢ଼ିଆରୀ ପ୍ରମୁଖ ସାମିଲ ଥିଲେ |

ଡାକ୍ତର ସାହୁ କହିଛନ୍ତି ଯେ ପୂର୍ବ ଭାରତର ସବୁଠାରୁ ଉତ୍କୃଷ୍ଟ ଓ ଉପଯୋଗୀ ହସ୍ପିଟାଲ ଭାବେ ଉଭା ହୋଇଥିବା ସମ ଆଲଟିମେଟ ମେଡିକେୟାର ହିଁ ପ୍ରଥମ ହସ୍ପିଟାଲ ଯେଉଁଠାରେ ଓଡିଶାର ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚି଼ହ୍ନଟ ହୋଇପାରିଛି |

ଖୁସିର ଘୋଷାଣା…

() ସନ୍ଧ୍ୟାରେ ଆସିବ ଗରମ ପକୁଡ଼ି ଓ ଗରମ ଜିଲାପି । ସମୟ ସନ୍ଧ୍ୟା ୭ଟା ବେଳେ । ସେଦିନ ଚିନ୍ମୟ ଏମିତି ଘୋଷଣା କଲା । ଏହି ଘୋଷଣା ଯେମିତି ନିମିଷକ ପାଇଁ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ କାମ କରୁଥିବା କର୍ମଚାରୀଙ୍କ ବୋଝ ଟିକେ କମ କରିଦିଏ । ମାସରେ ୩୦ଦିନ ଏପରି ଘୋଷଣା ହୁଏ । କିଏ କିଏ ଘୋଷଣା ହେବା କ୍ଷଣି କହନ୍ତି ଟିକେ ଜଲଦି ମଗାଇ ଦିଅ । ମୋର ପା ଡ଼୍ୟୁଟି ସରିଲାଣି । ଭାଇ ସତରେ ଆସିବ ତ ? ଆଉ କିଏ କହେ ଦେଖ ଚିନୁ ମୁଁ ଏବେ ଜଳଖିଆ ଖାଇବାକୁ ବାହାରୁଥିଲି ତମ ଘୋଷଣା ଶୁଣି ଆଉ ଯାଉନି । ଅପେକ୍ଷାରେ ରହିଲି ୭ଟା ବେଳକୁ । ତାହାରି ଭିତରେ ଅନେକ ମନେ ମନେ ପକୁୂଡ଼ି କେମତି ଆସିବ ସେ ଚିନ୍ତା ବି କରୁଥାନ୍ତି । ନିଜେ ଆଣିଥିବା ଟିଫିନ ଦେଖି ମନେ ମନେ ଭାବୁଥାନ୍ତି ମୁଢି ମିକ୍ସଚର ସହ ପକୁଡ଼ି ଟିକେ ହୋଇଗଲେ ଭଲ ଲାଗିବ । ଆଉ କିଏ କହୁଥାଏ ଭାଇ ପକୁଡ଼ି ସହ ଟିକେ କଞ୍ଚାଲଙ୍କା ଓ ପିଆଜ ହେଲେ ଭଲ । ଆଉ ବସନ୍ତ ଭାଇ କହନ୍ତି ପକୁଡ଼ି ଖାଇବା ପରେ ଅଫିସର ଫେଣବାଲା କଫି ପିଇଦେବି । ସନ୍ଧ୍ୟା ଭଲରେ କଟିବ । ଆଉ କିଏ କହୁଥାଏ ଭାଇ ତେଲଭାଜି ନୁହେଁ, ଆଉ କଣ ଟିକେ ଭଲ ଜିନିଷ ମଗାନ୍ତୁ । ଆଜି ବାରଟା ଅଛି ପା । ଚିକେନ କି ବାଲି ଚିଙ୍ଗୁଡ଼ି ଟିକେ ହେଉ । ସାଙ୍ଗେ ସାଙ୍ଗେ ଚିନୁ କହେ ମଗାନ୍ତି ଯେ ହେଲେ ଆଜି ମଙ୍ଗଳବାର ମୁଁ ଖାଇବିନି କି ଅନେକ ଆଜି ଖାଇବେନି । ତେଣୁ ରସାବଳୀ କି ପୋଡ଼ ନେଇଆସିବା । ଆଉ ଠିକ ଏତିକି ବେଳେ ଏକାସ୍ୱରରେ ଦୁଇଜଣ କହନ୍ତି ଟିକେ ଅଧିକ ପବନ ହୋଇଗଲା । ଏଭଳି ଘୋଷଣା ସରିବା ପରେ ଚିନୁ କହେ ହେଉ ପିକୁଡ଼ି ଆସୁ । ଅପେକ୍ଷା କର । ଏହାକହି ନିଜର ସହକର୍ମୀ ଭାଇମାନଙ୍କ ସହ ଚିନୁ ଚାଲିଆସେ ହାଲକା ପବନରେ ଟିକେ ଚା ପିଇବା ପାଇଁ ତଳକୁ ।
ପ୍ରାୟ ୨୦ ମିନିଟ ପରେ ଯେତେବେଳେ ଚିନୁ ଅଫିସକୁ ଏଣ୍ଟ୍ରି ମାରେ କିଏ ନା କିଏ ପଚାରନ୍ତି ଭାଇ ପିକୁଡ଼ି କେତେବାଟରେ ହେଲାଣି । କିଛି ଖାଦ୍ୟ ପ୍ରିୟ ଗୋଷ୍ଠୀ କହନ୍ତି ଆରେ ପକୁଡ଼ି ସତରେ ଆସିବ ତ!ନହେଲେ ମୁଁ ବୁଢା ଦୋକାନକୁ ଯାଉଛି ଖାଇବାକୁ ଯିବି ଜଳଖିଆ । କାରଣ ମୋର ରାତି ୧୧ଟା୩୦ ଯାଏଁ ଡ଼୍ୟୁଟି । ନହେଲେ ତମ ଭରସାରେ ଭୋକରେ ମଲି । ଆଉ କିଏ କହେ ମୁଁ ତରତର ହୋଇ ଅଫିସ ଆସିଛି , କିଛି ଆଣିନି । ଏମିତି କେତେ କଣ ଆଲୋଚନା ହୁଏ ଘୋଷଣା ପରେ ।
ଅଫିସରେ ଚିନୁର ଏହି ଘୋଷଣା ନୂଆ ନୁହେଁ। ଅଧିକାଶ ସମୟରେ ସେ ଜଳଖିଆ ଘୋଷଣା କରେ ଓ କିଛି ନା କିଛି ମଗାଏ । କାହାଠାରୁ ପଇସା ନେଇ ଆଣୁ ଅବା ନିଜେ ଦେଇ ସେ କିଛି ତେଲଭାଜି ସନ୍ଧ୍ୟାରେ ଆଣିବା ଥୟ । ଶିଙ୍ଗଡ଼ା, ବରା, ଚପ , ମିଠା ସହ ବେଳେବେଳେ ସ୍କୁଲରେ ପଢ଼ୁଥିବାବେଳେ ସେ ଖାଉଥିବା ନଳି ବି ଅଫିସ ଷ୍ଟାଫକୁ ଆଣି ଖୁଆଏ। ପଇସା ଯାହାର ହେଉ ପଛେ । ଅଧିକାଶ ସମୟରେ ୩ଶହ ଟଙ୍କା କି ୫ଶହ ଟଙ୍କା ହୋଇଗଲେ କାମ ସରିଲା । ଚିନୁର ଘୋଷଣା ବେଳେବେଳେ ଏମିତି ହୁଏ ଯେ ପବନ ପରି ଲାଗେ । ହେଲେ ବାସ୍ତବ ସତ ହେଲା ସେ କାହାଠାରୁ ପଇସା ନେଇ ଆଣେ ଓ ଅଧିକାଂଶ ସମୟରେ ଆବଶ୍ୟକ ପଇସା ଦାତା ଦେଇ ନଥିବାରୁ ନିଜେ କିଛି ପଇସା ମିଶାଇ ଆଣେ । ଲକ୍ଷ ଅଫିସ ଏଡ଼ିଟର , ସିଇଓଙ୍କଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ଯେମିତି ସମସ୍ତେ ସେ ଆଣିଥିବା ଖାଦ୍ୟ ଖାଇବେ ସେ ଦାୟିତ୍ୱ ସେ ନିଜେ ନିଏ । ନିଜେ ବାଣ୍ଟେ । ନହେଲେ ଯାହାକୁ ବାଣ୍ଟିବାକୁ ଦାୟିତ୍ୱ ଦିଏ ତାହା ଉପରେ କଡ଼ା ନଜର ରଖେ । ଏହି ଜଳଖିଆ ପ୍ରାୟ ସମସ୍ତେ ପାଆନ୍ତି । ହେଲେ କ୍ୟାମେରା ବିଭାଗ ଅଭିଯୋଗ କରେ ଭାଇ ଆମେ ପାଉନୁ। ଆଉ ମାସକୁ ୫ଥର ଯଦି ଆଇଟି ବିଭାଗ ଚିନୁ ଆଣିଥିବା ଜଳଖିଆ ପାଇଥିବ ତାହା ଭାଗ୍ୟର କଥା । ହେଲେ ଅଧିକାଶ ସମୟ ଚିନୁ ଆଳୁଚପ, ବରା, ଶିଙ୍ଗଡ଼ା, ପକୁଡ଼ି ଆଣେ ଓ ବାଣ୍ଟେ । ହେଲେ ୩୦ଦିନରୁ ୩ଦିନ ଯଦି ସେ ଗୋଟେ ଖାଇଥିବ ତାହା ବଡ଼ କଥା । ଏଥିପାଇଁ ନୀଳାଚଳ ଭାଇ ସବୁବେଳେ କହନ୍ତି ଭାଇ ତମେ ଆମକୁ ଏହି ଜିନିଷ ଖାଇବାକୁ ଦେବ ଆମ ଦେହ ଖରାପ କରିବ , ହେଲେ ନିଜେ ଖାଇବନି ନା। ଏଟା କଣ ଠିକ । ଅନେକ ସମୟରେ ଚ୍ୟାନେଲର ମୁଖ୍ୟମାନେ କହନ୍ତି କାହିଁକି ଏଗୁଡ଼ାକ ଆଣୁଛୁ । ହେଲେ କିଛି କର୍ମଚାରୀ ଅଛନ୍ତି ଯେଉଁମାନେ ସଭିଁଙ୍କ ପାଇଁ ଆସୁଥିବା ଏହି ଜଳଖିଆକୁ ଅଧିକ ଖାଇ ଦିଅନ୍ତି । ତାଙ୍କ ଲକ୍ଷ୍ୟ ନିଜ ପେଟ ଆଗେ ପୂରୁ । ଏମିତି କେତେ କଣ ମଜା ହୁଏ । ଏସବୁ ଜଳଖିଆ ଆସିବାର ବାହାନା କଣ କମ ଥାଏକି। କେଉଁ ଦିନ କାହାର ଜନ୍ମ ଦିନ ଥିବ କି କାହାର ବିବାହ ବାର୍ଷିକୀ ଥିବ , କି କାହାର ଝିଅ, ପୁଅ ଜନ୍ମଦିନ। ପୁଣି କାହାର ଭଉଣୀ, କି ଶାଳୀ ବାହାଘର ଥିବ ଅବା କିଏ ନୂଆ ମୋବାଇଲ ଫୋନ କିଣିଥିବ । ଏମିତି ବାହାନା ଭିତରେ ଖୋଜପଡନ୍ତି ଦାତା । ଯେଉଁମାନେ କିଛି ପଇସା ଦିଅନ୍ତି ଆଉ ସେଥିରେ ଜଳଖିଆ ଆସେ। ଅଫିସର ଅଧିକାଂଶ କର୍ମଚାରୀ ଯେମିତି ଏସବୁ ଜାଣିବା ପରେ ଚିନୁ ଏ ଅମକ ଭାଇର ଆଜି ଜନ୍ମଦିନ ସେ ଆଜି ଦେବେ ଏମିତି କହନ୍ତି । ଯେମିତି ଯମ ପାଖରେ ମୃତ୍ୟୁର ତାଲିକା ଥାଏ ଠିକ ସେହିପରି ଜନ୍ମଦିନ , ବିବାହ ବାର୍ଷିକ, ପଞ୍ଜିକା ଅଫିସର ରାଜାବାବୁଙ୍କ ପାଖରେ ଥାଏ । ଯମର ତାରିଖ ଭୁଲ ହୋଇଯାଇପାରେ ହେଲେ ରାଜାର ତାଲିକା ଭୁଲ ହୁଏନି। ଏହାଛଡ଼ା ଅଫିସରେ ଯଦି କେଉଁ ଷ୍ଟାଫଙ୍କର କେଉଁ ପ୍ରୋଗ୍ରାମ ୟୁଟୁବରେ ଅଧିକ ଲୋକ ଦେଖିଥିବେ ସେ ସନ୍ଧ୍ୟାରେ ଜଳଖିଆ ପାଇଁ ପଇସା ଦେବା ଥୟ । ଏହି ଦାତାଙ୍କ ମଧ୍ୟରେ ଅନେକ ଭାଇ ଓ ଉପସ୍ଥାପକ ଓ କିଛି କମ୍ ଦରମା ପ୍ରାପ୍ତ କର୍ମଚାରୀ ଦିଲ ଖୋଲାରେ ପଇସା ଦେଉଛଥିବା ବେଳେ କିଛି ଆଙ୍କର ଓ କିଛି ପୁରୁଣା ଓ ଅଧିକ ଦରମା ଓ ଦାୟିତ୍ୱରେ ଥିବା କର୍ମଚାରୀ କିନ୍ତୁ ୩ଶହ ଟଙ୍କା ଦେବାକୁ କୁନ୍ଥୁକୁନ୍ଥ ହୁଅନ୍ତି । କିଏ କିଏ ତ କହନ୍ତି ମୋ ପାଖରେ ମାତ୍ର ୨ଶହ ଟଙ୍କା ଅଛି ଚଳେଇ ଦିଅ । ଆଉ କିଛି ଜୁନିୟର ପିଲା ଓ ରିର୍ପୋଟର, ଓ କିଛି ଷ୍ଟାଫ ଅଛନ୍ତି ଯେଉଁମାନଙ୍କୁ ଯେତେ ଯିଏ କହିଲେବି ସେ ଟଙ୍କାଟିଏ ଦିଅନ୍ତି ନି । ଆରେ ସେମାନେ କଣ ଦେବା ପାଇଁ ବାଧ୍ୟ କି ? ହେଲେ ସେମାନେ ଷୁଣ୍ଠି ନୁହନ୍ତି । ହେଲେ ଦେବାର ମନବୃତି ନାହିଁ । ହେଲେ ଚିନୁ ସେମାନଙ୍କୁ ବି କେବେ ବାଧ୍ୟକରେ ନାହିଁ । ଚିନୁର ସବୁଠାରୁ ବଡ଼ ନିୟମ ହେଲା ଜୁନିୟର ପିଲା କି କମ ଦରମା ପାଉଥିବା ପିଲାଙ୍କୁ ସେ କେବେ ଜଳଖିଆ ଆଣିବା ପଇସା ନିଏ ନାହିଁ । ହେଲେ ଆହୁରୀ ଅନେକ ଷ୍ଟାଫ ଅଛନ୍ତି ଯେ କି କହନ୍ତି ଚିନୁ ମୁଁ ଦେବାକୁ ଚାହୁଛି କେତେ ପଇସା ଦେବି କୁହ ।
ବାସ ଏମିତି ଖୁସିର ଘୋଷଣାରେ ଥାଏ ଆନନ୍ଦ । କାରଣ କଥାରେ ଅଛି ତମେ ଯଦି କାହାକୁ ଖୁସି କରୁଥିବ ତମକୁ ବି କିଏ ଖୁସି କରାଇବେ । ତମେ ଯଦି କାହାକୁ କିଛି ଖାଇବାକୁ ଦେଉଛି , ଦୁଇଗୁଣ ଖାଇବାକୁ ତମ ପାଇଁ କିଏ ରଖିଥିବ । ଏସବୁ ପାଇଁ ଏ ସନ୍ଧ୍ୟା ଜଳଖିଆ ଚିନୁ ଆଣେନାହିଁ । ସେ ଖୁସିର ମାଟିରୁ ଆସିଛି, ସବୁବେଳେ ସଭିଁଏ କେମିତି ଖୁସିରେ ରହିବେ ସେ ଭାବନା ତା ମନରେ ଥାଏ । ତାହାକୁ କିଏ କଣ ଭାବନ୍ତି ସେ ଚିନ୍ତା ସେ କେବେ କରିନି । ଆରେ ଠିକ ଏତିକି ବେଳେ କିଏ ଗୋଟେ ଆସି କହିଲା ଚିନୁ ଆଜି ଆଳୁଚପ ନାହିଁ, କେବଳ ବରା ନେଇଆସିଛି । ଚିନୁ କହିଲା ଚଳିବ… ଆଉ ତା ପରେ..

Follow us

20,832FansLike
0FollowersFollow
14,700SubscribersSubscribe

Latest news