ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
ମିଥ୍ୟା କେସରେ ରାଜନେତାଙ୍କୁ ଗିରଫ କରିବା ବିଜେପିର ପୁରୁଣା ଅଭ୍ୟାସ
ବିଜେପି କର୍ମୀ ନେତାଙ୍କ ସମ୍ପୃକ୍ତିରେ ରାଜ୍ୟରେ ଚୋରା କାରବାର ଅହେତୁକ ବୃଦ୍ଧି ପାଇଛି
ରାଜ୍ୟର ପୋଲିସ ଥାନା ଗୁଡିକ ବିଜେପି ନେତାଙ୍କ ଆଡ୍ଡାସ୍ଥଳୀ ପାଲଟିଛି
ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜୁ ଜନତା ଦଳ ତାର ଆଭିମୁଖ୍ୟ କଡ଼ା କରିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଗତ ୧୬ ମାସର ରାଜ୍ୟରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ବେଳେ ବିଜେପି ହତାଶ ହୋଇ ବିଜେଡି ନେତାମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି ବୋଲି କୁହାଯାଇଛି ।
ଏହି ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ.ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ଓ ମହିଳା ନିର୍ଯାତନା ବୃଦ୍ଧି ପାଇଛି । ଓଡିଶା ଦେଶର ଅପରାଧ ତାଲିକାରେ, ୮ମ ସ୍ଥାନରେ ରହିଛି । ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ, ରାହାଜାନି ଇତ୍ୟାଦି ଘଟଣାମାନ ଅହେତୁକ ବୃଦ୍ଧି ପାଇଛି । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ଜନସାଧାରଣଙ୍କ ହୃଦବୋଧ ହୋଇଛି । ରାଜ୍ୟର ସରକାରୀ ଅଫିସ ଗୁଡିକରେ ଯଥା, ବ୍ଲକ ଓ ପଞ୍ଚାୟତ ଅଫିସ ଇତ୍ୟାଦିରେ ବିଜେପି କର୍ମୀ ମାନଙ୍କ ଦୌରାତ୍ମ ବୃଦ୍ଧି ପାଇଛି । ରାଜ୍ୟର ଥାନା ଗୁଡିକ ବିଜେପି ନେତା ଓ କର୍ମୀମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।
ଡ. ମହାନ୍ତି ଆହୁରି କହିଛନ୍ତି, ରାଜ୍ୟରେ ବିଜେପି କର୍ମୀମାନଙ୍କ ସହାଭାଗିତାରେ ଚୋରା ବାଲି, ଚୋରା ଚିପ୍ସ ଓ ଚୋରା ମଦ କାରବାର ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ବିଜେପି ନେତା, କର୍ମୀ ଓ ଅପରାଧୀଙ୍କ ସହିତ ଏକ ଅସାଧୁ ମେଣ୍ଟ ମାଧ୍ୟମରେ ଏହି ସବୁ ଚୋରା କାରବାର ବୃଦ୍ଧି ପାଇଛି । ଏହାଛଡ଼ା, ସରକାରୀ ଚାକିରୀକୁ ବିକ୍ରୟ କରିବା ପାଇଁ ଏକ ପ୍ରକାରର ନିଲାମ ଡକାଯାଉଛି । ଏହି ସବୁ ବିଫଳତାକୁ ଲୁଚାଇବା ପାଇଁ ବିଜେପି ସରକାର ଏବେ ରକ୍ତମୁଖା ହୋଇ ବିରୋଧୀ ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଛି । ସେହି ନ୍ୟାୟରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ, ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ଗିରଫ କରାଯାଇଛି । ଏହି ଘଟଣାରେ, ବିକ୍ରମଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି । ଦେଶରେ ପ୍ରତିପକ୍ଷ ଦଳର ନେତା ମାନଙ୍କୁ ମିଥ୍ୟା ମାମଲାରେ ଗିରଫ କରିବା, ବିଜେପିର ପୁରୁଣା ଅଭ୍ୟାସ ରହିଛି । ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ, ଏହି ପ୍ରକ୍ରିୟା ଏଠାରେ ମଧ୍ୟ ଆରମ୍ଭ ହୋଇଛି । ଡ.ମହାନ୍ତି କହିଛନ୍ତି, ବିଜୁ ଜନତା ଦଳ ଏହି ଅନ୍ୟାୟ ବିରୋଧରେ ଲଢେଇ ଜାରି ରଖିବ । ଆଇନଗତ ଲଢେଇ ସହିତ ରାଜରାସ୍ତାରେ ମଧ୍ୟ ବିଜେଡି ଏହି ଲଢେଇ ଜାରି ରଖିବ ।

ଓ୍ବେବ୍-ଚାନେଲ ବନ୍ଦ କରିବାକୁ ରାଜ୍ୟବ୍ୟାପୀ ଦାବି ଜଣାଇଲା କଂଗ୍ରେସ

ଭକ୍ତ ଓ କଂଗ୍ରେସର ମାନହାନୀ ଓ କୁତ୍ସାରଟନା
*ଓ୍ବେବ୍-ଚାନେଲ ବନ୍ଦ କରିବାକୁ ରାଜ୍ୟବ୍ୟାପୀ ଦାବି ଜଣାଇଲା କଂଗ୍ରେସ*
> ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ୍ ହେଲେ ବରିଷ୍ଠ ଆଇନଜୀବୀ
> ରାଜ୍ୟବ୍ୟାପୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

 ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଆଗୁଆ ଥିବା ଜାଣି ନିନ୍ଦୁକମାନେ ଜନମତକୁ ବିଭ୍ରାନ୍ତ କରିବାରେ ଲାଗିପଡ଼ିଛନ୍ତି। ଅଙ୍କୁଶବିହୀନ ସାମାଜିକ ଗଣମାଧ୍ୟମରେ ଯାଚ୍ଛାତା ପ୍ରଚାରରେ ମାତିଯାଇଛନ୍ତି। ପିସିସି ସଭାପତି ଜନନେତା ଭକ୍ତ ଚରଣ ଦାସ, ତାଙ୍କ ପୁତ୍ର ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଓ ଏପରିକି କଂଗ୍ରେସ ଦଳକୁ ବଦନାମ କରିବା ପାଇଁ ମନଗଢ଼ା କାହାଣୀମାନ ପ୍ରଚାର କରିଚାଲିଛନ୍ତି। ଅତ୍ୟନ୍ତ ନିମ୍ନ ରୁଚିର ଭାଷା ମଧ୍ୟ ପ୍ରୟୋଗ କରିଚାଲିଛନ୍ତି। ଏ ସବୁ ଶାସକ ଦଳକୁ ସୁହାଉଥିବାରୁ ସ୍ବଚ୍ଛ ନିର୍ବାଚନର ଦ୍ବାହି ଦେଉଥିବା ନିର୍ବାଚନ ଅଧିକାରୀ ଓ ସାଇବର-ଅପରାଧ ସଂସ୍ଥାମାନ ସବୁ ଜାଣି ନ ଜାଣିଲା ପରି ରହୁଥିବାରୁ ରାଜ୍ୟର କଂଗ୍ରେସ ନେତୃବୃନ୍ଦ ଓ ଅଗଣିତ କର୍ମୀ କ୍ଷୋଭପ୍ରକାଶ କରିବା ସହ ସେଇ ସାଇବର ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗୁରୁବାର ଅପରାହ୍ଣ ୩ଟାରେ ପିସିସିର ବରିଷ୍ଠ ଆଇନଜୀବୀମାନଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ବର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଏହି ମର୍ମରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟର ସମସ୍ତ ୩୫ ସାଙ୍ଗଠନିକ ଜିଲ୍ଲାର କଂଗ୍ରେସ ସଭାପତିମାନଙ୍କ ନେତୃତ୍ବରେ ଶହଶହ କର୍ମୀଙ୍କ ଗହଣରେ ନିଜନିଜ ସଦର ମହକୁମା ସାଇବର ଥାନା ଅଧିକାରୀମାନଙ୍କୁ ଉକ୍ତ ଦୁର୍ବୃତ୍ତମାନଙ୍କ ଚାନେଲଗୁଡ଼ିକ ତୁରନ୍ତ ବନ୍ଦ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଏକ ୟୁଟ୍ୟୁବ ଚ୍ୟାନେଲର ମାଲିକ ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନାମରେ ଯେପରି କପୋଳ କଳ୍ପିତ କଥା କହି ଯେଭଳି ଚିତ୍ରଣ କରିଛନ୍ତି ଏବଂ ତାଙ୍କ ନାମରେ ଯେପରି ବଦନାମ କରାଯାଉଛି ତାହା ବିରୋଧରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିତି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟକୁ ଯାଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କ ଅନୁପସ୍ଥିତିରେ ଦାବି ଗ୍ରହଣ କରିଥିବା ଅଧିକାରୀଙ୍କୁ ସବିଶେଷ ତଥ୍ୟ ଓ ପ୍ରମାଣ ଊପସ୍ଥାପନ କରିଥିଲେ। ଦାବି ପତ୍ରରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ବିରୋଧରେ ବିନା ପ୍ରମାଣ, ବିନା ତଥ୍ୟ ଆଧାରରେ ସମ୍ମାନହାନି କରିଥିବା ଉକ୍ତ ତଥାକଥିତ ଗଣମାଧ୍ୟମ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା। ଏଥି ସହିତ କିଛି ଅସାମାଜିକ ବ୍ୟକ୍ତିତ୍ବ କଂଗ୍ରେସ ବିରୋଧରେ କରୁଥିବା ଅପପ୍ରଚାର ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା। ଊକ୍ତ ଟ୍ୟୁବ୍ ଚ୍ୟାନେଲର ସଂପାଦକ କିଛି ଦିନ ଆଗରୁ କିଛି ଆସାମାଜିକ ବ୍ୟକ୍ତିଙ୍କୁ କଂଗ୍ରେସ ଭବନ ଆଗରେ ଧାରଣ ଦେଇ ଗଣ୍ଡଗୋଳ କରିବାକୁ ଉସୁକାଇଥିଲେ। ଆଜି କଂଗ୍ରେସର ଲିଗାଲ ସେଲ ତରଫରୁ ଦାବିପତ୍ର ସହିତ ପ୍ରମାଣ ମଧ୍ୟ ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିନିଧି ଦଳରେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଜିଆ-ଉଲ-ହକ୍ ଆଇନଜୀବୀ ତଥା ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ଦାସ, ନିଶିକାନ୍ତ ମିଶ୍ର, ଡ.ମନିଷା ଦାସପଟ୍ଟନାୟକ, ବରିଷ୍ଠ ମୁଖପାତ୍ର ତଥା ପ୍ରଦେଶ କଂଗ୍ରେସ ତଥ୍ୟ, ଗବେଷଣା ଓ ଅନୁସଂଧାନର ମୁଖ୍ୟ ଜଗଦାନନ୍ଦ ପ୍ରଧାନ, ଆଇନଜୀବୀ ତଥା କଂଗ୍ରେସ ନେତା ମନୋଜ ନାୟକ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭୋଟ୍ ଚୋରି ପ୍ରକ୍ରିୟାରୁ ନୂଆପଡ଼ା ବାଦ୍ ନୁହେଁ : କଂଗ୍ରେସ

ଭୋଟ୍ ଚୋରି ପ୍ରକ୍ରିୟାରୁ ନୂଆପଡ଼ା ବାଦ୍ ନୁହେଁ

*ସୁଭଦ୍ରା ଯୋଜନାରୁ ବୃତ୍ତି ପାଉଥିବା ଛାତ୍ରୀଙ୍କୁ ବାଦ୍‌ ଦେବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ*

> ଏସ୍‌ଆଇ କେଳଙ୍କାରୀ ଓ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ ତଦନ୍ତ ପାଇଁ ଦାବି କଲା କଂଗ୍ରେସ ନୂଆପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ଚୂଡ଼ାନ୍ତ ଭୋଟର ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଗୁରୁବାର ନୂଆପଡାର ଖୁଣ୍ଟିଆ ଭବନଠାରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ କହିଲେ, ଗତ ପନ୍ଦର ଅକ୍ଟୋବରରେ ଆଇସିଡିଏସ ଓ ଏସ୍‌ଡବ୍‌ଲୁ ନିର୍ଦ୍ଦେଶିକା ଅନୁସୂଚିତ ଜାତି, ଓ ଜନଜାତି ବିଭାଗର ସଚିବଙ୍କୁ ପଠାଇଥିବା ଏକ ଚିଠି ଆମର ହସ୍ତଗତ ହୋଇଛି, ଯେଊଁଥିରେ ଉଲ୍ଲେଖ ଅଛି ଯେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କା ବୃତ୍ତି ପାଉଛନ୍ତି, ସେମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଉ। ଯଦି ସରକାରଙ୍କର ଦମ ନ ଥିଲା, ତେବେ କାହିଁକି ଏକକାଳୀନ ପ୍ରତ୍ୟେକ ମହିଲାଙ୍କୁ ପଚାଶ ହଜାର ଟଙ୍କାର ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ? ପରବର୍ତ୍ତୀ ସମୟରେ ସରକାରକୁ ଆସିଲା ପରେ ବିଭିନ୍ନ ଆଳରେ ବିଭିନ୍ନ ବର୍ଗର ମହିଲାମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଛି। ଦିନକୁ ମାତ୍ର ୨୭ ଟଙ୍କା ୩୯ ପଇସା ଦେବାର ସାମର୍ଥ୍ୟ ମଧ୍ୟ ସରକାରଙ୍କର ନାହିଁ ଯେ ବୃତ୍ତି ପାଉଥିବା ଛାତ୍ରୀମାନଙ୍କୁ ଯୋଜନାରୁ ବାଦ୍ ଦେବାକୁ ପଡ଼ୁଛି? କଂଗ୍ରେସର ଦାବି ଏହି ନିର୍ଦ୍ଦେଶାବଳୀକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଆହୁରି ମଧ୍ୟ, ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ଭୋଟ ଚୋରିର ପର୍ଦ୍ଦାଫାସ ସାରା ଭାରତରେ ଲୋକଙ୍କୁ ଜାଗ୍ରତ କରିଛି। ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡୁଛି। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସସୀରାମ ମାଝିଙ୍କ ବିପୁଳ ବିଜଯ ହେଉଥିବା ଜାଣି ବିଜେପି ଭୟଭୀତ ହୋଇ ପଡିଛି। ସରକାର କଂଗ୍ରେସକୁ ହରାଇବା ପାଇଁ ସମସ୍ତ ପ୍ରକାରର କୌଶଳକୁ ଆପଣେଇଛନ୍ତି।ଭୋଟରଙ୍କୁ ନେଇ ଏକ ବିରାଟ ବ୍ୟତିକ୍ରମର ପ୍ରମାଣ ହସ୍ତଗତ ହୋଇଛି। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସଂଶୋଧିତ ତଥା ଚୂଡ଼ାନ୍ତ ଭୋଟର ତାଲିକାରେ ୫ ହଜାର ନୂଆ ଭୋଟରଙ୍କୁ ଯୋଡ଼ିଛନ୍ତି। କଂଗ୍ରେସର ପ୍ରଶ୍ନ ହେଉଛି, ଏହି ୫ ହଜାର ମତଦାତା କୁଆଡୁ ଆସିଲେ? ଏମାନେ ବାହାରୁ ଆମଦାନି ଭୋଟର ନୁହଁନ୍ତି ତ? କର୍ଣ୍ଣାଟକର ମହାଦେବପୁରାରେ ଯେମତି ବାହାର ଭୋଟର ସଂଯୋଗ କରାଯାଇଥିଲା, ସେଭଳି ନିର୍ବାଚନ ଜିତିବା ପାଇଁ ନୂଆପଡ଼ାରେ କୌଶଳ ଅବଲମ୍ବନ କରାଯାଇଛି କି? ପୂର୍ବରୁ ବିଜେପି ହାଇକୋର୍ଟରୁ ଓକିଲ ଡକାଇ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝିଙ୍କ ପ୍ରାର୍ଥୀପତ୍ର ନାକଚ କରିବା ପାଇଁ ଅପଚେଷ୍ଟା କରିଥିଲା। ତେବେ ବିଜେପି ସତ ଉପାୟରେ ନିର୍ବାଚନ ଲଢିବାକୁ ଏତେ ଭୟ କାହିଁକି କରୁଛି? ଏସ୍‌ଆଇ କେଳଙ୍କାରୀ ମାମଲାରେ ସରକାର ସିବିଆ ତଦନ୍ତ କରାଉଥିବା ସ୍ବାଗତଯୋଗ୍ୟ; ତେବେ ଏହା ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହେଲେ ଯାଇ ବିଶ୍ବସନୀୟତା ରହିବ ବୋଲି ସେ କହିଥିଲେ। ଉଭୟ କ୍ରାଇମବ୍ରାଞ୍ଚ ଓ ସିବିଆଇ ଉପରୁ ରାଜ୍ୟବାସୀଙ୍କର ଭରସା ତୁଟିଯାଇଥିବାରୁ ପୀତବାସ ପଣ୍ଡା ହତ୍ୟା ମାମଲାରେ ମଧ୍ୟ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ କରାଇବାକୁ କଂଗ୍ରେସ ପକ୍ଷରୁ ସେ ଦାବି କରିଥିଲେ।

କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ.ହମିଦ ହୁସେନ ଆଜିଯାଏ ବିଜେପି ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦେଇ ନ ପାରିବା ପଶ୍ଚିମ ଓଡ଼ିଶା ପ୍ରତି ଦଳର କିପରି ଆନ୍ତରିକତା ଅଛି ତାକୁ ପ୍ରଶ୍ନ କରିଥିଲେ। କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀ ନୂଆପ଼ାର ବିକାଶ ପାଇଁ କଂଗ୍ରେସର ଭିଜନ ଡକୁମେଣ୍ଟ ବର୍ଣ୍ଣନା କରିଥିଲେ। ପିସିସି ପ୍ରବକ୍ତା ବିଭୂତିଭୂଷଣ ମହାପାତ୍ର ଧନ୍ୟବାଦ ଜଣାଇବା ସହ ଭୋଟ୍ ଚୋରି ରୋକିବାକୁ ବାହାରର ନକଲି ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟ୍ ପୂର୍ବରୁ ଦୁଇତିନିଦିନ ରେଳଷ୍ଟେସନରେ କଡ଼ା ଯାଂଚ କରିବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବକଂଗ୍ରେସ ନେତା ଗଣେଶ ସାହୁ, ନୂଆପଡ଼ା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର, ତୁଲେଶ୍ବର ନାଏକ , ରବି ମଙ୍ଗରାଜ ପ୍ରମୁଖ ମଂଚାସୀନ ଥିଲେ

ସୋଆର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀଙ୍କୁ ନୂଆଦିଲ୍ଲୀରେ ନାରୀଶକ୍ତି ସମ୍ମାନ ପ୍ରଦାନ

 ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ରଙ୍କୁ ନିକଟରେ ନୂଆଦିଲ୍ଳୀରେ ନାରୀଶକ୍ତି ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶାର ପ୍ରଥମ ମହିଳା କ୍ରାଇମ ରିପୋର୍ଟର ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିôବା ହେତୁ ଶୁଭଦର୍ଶିନୀଙ୍କୁ ମହିଳା ସାମ୍ବାଦିକା ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ପିଏସ୍‌ୟୁ ଅନୁଷ୍ଠାନ ପକ୍ଷରୁ କନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ କ୍ଲବ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶୁଭଦର୍ଶିନୀଙ୍କୁ ଉତରାଖଣ୍ଡ ବିଧାନସଭାର ବାଚସ୍ପତି ଶ୍ରୀମତି ରିତୁ ଖଣ୍ଡୁରୀ ଭୁଷଣ ଏହି ସମ୍ମାନ ପ୍ରଦାନ କରିଥିଲେ।
ଶୁଭଦର୍ଶିନୀଙ୍କ ସମେତ ଜୀ ନ୍ୟୁଜର ଆଙ୍କର ଶିବାଙ୍ଗୀ ଠାକୁର, ଦୂରଦର୍ଶନର ପ୍ରୀତି କୌର, ଆଜ ତକର ନେହା ବ୍ୟାଟହମ୍‌, ଭାରତ ଏକ୍ସପ୍ରେସ୍‌ର ପ୍ରୀତି ପାଣ୍ଡେ ଏବଂ ଏନ୍‌ଡି ଟିଭିର ମନୋଜ୍ଞା ଲୋଇୱାଲଙ୍କୁ ମଧ୍ୟ ସାମ୍ବାଦିକା କ୍ଷେତ୍ରରେ ଇଣ୍ଡିଆନ୍ ପିଏସ୍‌ୟୁ ପକ୍ଷରୁ ନାରୀଶକ୍ତି ସମ୍ମାନ ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ପିଏସ୍‌ୟୁର ମୁଖ୍ୟ ବରିଷ୍ଠ ସାମ୍ବାଦକ ଶ୍ରୀ ବିବେକ ଅବସ୍ଥି ମଧ୍ୟ ଉପସ୍ଥିତ ଥିଲେ।
ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶାରେ ଅପରାଧ ଏବଂ ଅନୁସନ୍ଧାନମୂଳକ ରିପୋର୍ଟିଂ କରିବା ପରେ ଶୁଭଦର୍ଶିନୀ ବର୍ତମାନ ସୋଆର ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି। ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍‌)ର‌୍ୟାଙ୍କିଙ୍ଗ ଅନୁଯାୟୀ ସୋଆ ହେଉଛି ଦେଶର ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ।

ବଡ଼ବଡିଆ ଡାକିଲେ , ପିତୃପୁରୁଷଙ୍କୁ ବିଦାୟଦେଲେ

ବଡବଡିଆ ହୋ ଅନ୍ଧାରରେ ଆସି, ଆଲୁୟରେ ଯାଅ। ଦୀପାବଳିରେ ଏ କେହି ପଦକଥା ଆମ ସଂସ୍କୃତି, ସଂସ୍କାର ଓ ପରମ୍ପରାର ପ୍ରତୀକ।ପିତୃଲୋକ ପାଇଁ ମୃତ୍ୟୁଲୋକର ସମ୍ମାନ ଓ କର୍ତ୍ତବ୍ୟର ବାର୍ତ୍ତା ଦିଏ ପୟାଶ୍ରାଦ୍ଧ । ଦୀପାବଳୀ ଦିନ ଘରେ ପୟାଶ୍ରାଦ୍ଧ ଦିଆଯାଏ। ପୟାଶ୍ରାଦ୍ଧ ପରେ ଖାଡିଜାଳି ପରିବାରର ପୁରୁଷ ଲୋକମାନେ ବଡବଡିଆ ହୋ ଅନ୍ଧାରରେ ଆସି, ଆଲୁଅରେ ଯାଅ। ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ମହା ପ୍ରସାଦ ପାଇ ପୁରୀରେ ବାଇଶି ପାହାଚେ ଗଡୁଥାଅ କହି ହସ ହସ ମୁଁହରେ ବିଦାୟ ଦିଅନ୍ତି ପିତୃଲୋକଙ୍କୁ। କାରଣ ଦୀପାବଳୀ ହେଉଛି ଜୀବନ-ମୃତ୍ୟୁ ମଧ୍ୟରେ ଅତୁଟ ଓ ଅନନ୍ୟ ଚେତନାର ଉଦାହରଣ । ପିତୃଲୋକ ପାଇଁ ମୃତ୍ୟୁଲୋକର ସମ୍ମାନ ଓ କର୍ତ୍ତବ୍ୟର ବାର୍ତ୍ତା ଦିଏ। ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ଆମର ପୂର୍ବଜଙ୍କୁ ବିଦାୟ ବେଳାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳିର ମହାନ୍ ପରମ୍ପରା ହେଉଛି ପୟାଶ୍ରାଦ୍ଧ।
ଫେରିଯାଉଥିବା ପିତୃଦେବଙ୍କ ପଥକୁ ଆଲୋକିତ କରିବା, ପୁଣି ଆଗାମୀ ବର୍ଷ ଆସିବା ପାଇଁ ନିମନ୍ତ୍ରଣ ଦେବା, ମୁକ୍ତି ପାଇଁ ପ୍ରାର୍ଥନା କରିବା, ଆମ ପାଇଁ ଅମୃତ ଦୃଷ୍ଟି ମାଗିବା, ଯାହା ଦର୍ଶାଏ, ଏ ଦୁନିଆ ଛାଡ଼ି ଯାଇଥିଲେ ବି ଆମ ଆପଣାର ଆମ ହୃଦୟରୁ କେବେ ଅଲଗା ହୁଅନ୍ତି ନାହିଁ। ସମ୍ପର୍କର ବଡ ବନ୍ଧନର ବାର୍ତ୍ତା ଦେଉଥାଏ ପୟାଶ୍ରାଦ୍ଧ । ପୟାଶ୍ରାଦ୍ଧ ପିଣ୍ଡ ଯେତେବେଳେ ପଡେ ସେତେବେଳେ ଜଣେ ଜଣେ ପିତୃପୁରୁଷଙ୍କୁ ନାମରେ ପିଣ୍ଡ ପଡେ। ପିଣ୍ଡ ଦେଉଥିବା ପୁଅମାନେ ନାମ କହିବା ବେଳେ ପିତୃପୁରୁଷଙ୍କୁ ମନେ ପକାଇଥାନ୍ତି।
ଦୀପାବଳିର ଏହି ବିରଳ ପରମ୍ପରା ଓ ବଡ ଵଡୁଆ ଡାକ ସଂପର୍କର ସତ କାହାଣୀକୁ ବଖାଣିଥାଏ।

କଂଗ୍ରେସର ସ୍ଵରକୁ ମୋହର ମାରିଲେ  ଜୟନାରାୟଣ

ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଦଳ ଗୋଟିଏ ଚିହ୍ନ କେବଳ ଦୁଇଟି। ଓଡିଶା ବିଜେପି ଓ ବିଜେଡିର ରିମୋଟ କଣ୍ଟ୍ରୋଲ ଦିଲ୍ଲୀ ବିଜେପି ଶୀର୍ଷ ନେତୃତ୍ଵଙ୍କ ହାତରେ। ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିର୍ଦ୍ଦେଶରେ ଓଡ଼ିଶାର ଦୁଇ ଦଳ ଚାଲୁଛି। କଂଗ୍ରେସ ହିଁ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ। ଆଗାମୀ ଦିନରେ ବିଜେଡି ଓ ବିଜେପିର ଅସଲ ଚେହେରା ଓଡିଶାବାସି ବୁଝି ଦୁଇ ଦଳକୁ ପ୍ରତ୍ୟାଖାନ କରି କଂଗ୍ରେସକୁ କ୍ଷମତାକୁ ଆଣିବେ। ପିସିସି ସଭାପତି ଭାବେ ଦାୟିତ୍ଵ ନେବା ଦିନଠାରୁ ଭକ୍ତ ଦାସ ବାରମ୍ୱାର ଏପରି ଅଭିଯୋଗ ଆଣିଛନ୍ତି ବିଜେଡି ଓ ବିଜେପି ବିରୋଧରେ । ରାଜନୈତିକ ଅଭିଯୋଗ କରି କଂଗ୍ରେସ କହିଛି ବିଜେପି ଓ ବିଜେଡି ଗୋଟିଏ ଦଳ। ଆଉ କଂଗ୍ରେସର ଏହି ଅଭିଯୋଗରେ ଯେ ସତ୍ୟତା ଅଛି ତାହା ଆଜି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ମୋହର ମାରିଛନ୍ତି ଓଡ଼ିଶାବାସୀଙ୍କ ଆଗରେ। ଏହା ଜୟ ନାରାୟଣଙ୍କ ବ୍ୟକ୍ତିଗତ ମତ କି ରାଜ୍ୟ ବିଜେପି ତାଙ୍କ ମତ ସହ ସହମତ, ତାହା ତ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇନାହିଁ। ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ନୂଆପଡା ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ସମ୍ପର୍କର ଖୁଲାସା କରିଦେଇଛନ୍ତି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର। ଉପ ନିର୍ବାଚନ ସମୟ ରେ ଜୟ ନାରାୟଣଙ୍କ ବୟାନ କଂଗ୍ରେସର ଭୋଟ ବ୍ୟାଙ୍କ ବଢ଼ାଇବାରେ ଯେ ବଡ ସହାୟକ ହୋଇଛି ତାହା ନୂଆପଡାରୁ ରାଜଧାନୀ ଯାଏ ଚର୍ଚ୍ଚା। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଲା ଓଡିଶାରୁ ଦିଲ୍ଲୀ ଯାଏ। ହେଲେ କାଳେ ଓଡିଶା ଭୋଟର ସଚେତନ ହୋଇଯିବେ ଓ କଂଗ୍ରେସକୁ ଅଧିକ ଭୋଟ ମିଳିଯିବ ସେଥିପାଇଁ ମେଣ୍ଟ ହୋଇନଥିଲା ବିଜେଡି ଓ ବିଜେପି ମଧ୍ୟରେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ଯେତେବେଳେ ଦିଲ୍ଲୀରେ ଅଧିକାଶ ପ୍ରସଂଗରେ ବିଜେପିକୁ ବିଜେଡି ସମର୍ଥନ ଦେଇ ଆସୁଛି । ଯାହାକୁ ନେଇ କଂଗ୍ରେସ ବିଜେଡି ଓ ବିଜେପି ସମ୍ପର୍କକୁ ନେଇ ଟାର୍ଗେଟ କରୁଛି ଓଡିଶାରୁ ଦିଲ୍ଲୀ ଯାଏ। ଯାହାକୁ ନେଇ ଉଭୟ ଦଳ ଅଡ଼ୁଆରେ ପଡୁଛନ୍ତି ଠିକ୍ ସେତିକି ବେଳେ ଜୟ ନାରାୟଣ ମିଶ୍ରଙ୍କ ଏ ବୟାନ କଂଗ୍ରେସକୁ ବେଶ ସୁହାଇଛି । ବିଜେଡି- ବିଜେପି ସମ୍ପର୍କକୁ ନେଇ ଜୟ ନାରାୟଣ କହିଛନ୍ତି
ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚାହୁଛନ୍ତି ବିଜେଡି ବଞ୍ଚିକି ରହୁ। ବିଜେପି ଚାହୁଛି ବିଜେଡି ଭୋଟ ଭାଗଭାଗ ନହେଉ। ଅର୍ଥାତ୍ ବିଜେପି ଓ ବିଜେଡି ଦିଲ୍ଲୀରେ କୋଳାକୋଳି ଓ ଓଡ଼ିଶାରେ କଳି। ତାହା ଜୟ ତାଙ୍କ ବୟାନରୁ ସଂକେତ ଦେଇଛନ୍ତି ।
ଦେଶର ସବୁଠାର ଶକ୍ତିଶାଳୀ ଆଂଚଳିକ ଦଳ ହେଉଛି ବିଜେଡି l ବିଜେଡି ସଭାପତି ତଥା ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ରାଜନୀତିରେ ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଶା ନୁହେଁ, ଦେଶର ରାଜନୀତିରେ ନବୀନ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ନେତା। ଓଡ଼ିଶାରେ ଆଜି ବି ବିଜେଡିର ୪୦ ପ୍ରତିଶତ ଭୋଟ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ସରକାର ଗଠନ କରି ନଥିଲେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ଠାରୁ ଅଧିକ ଭୋଟ ପାଇଛି। ସଶକ୍ତ ବିରୋଧୀ ଦଳ ଭାବେ ଓଡିଶାରେ ଉଭା ହୋଇ ଦଳ ତାହାର କାମ କରୁଛି। ବିଜେଡି ନେତା ବାରମ୍ୱାର କହୁଛନ୍ତି ବିଜେଡି ଲୋକଙ୍କ ସ୍ଵର ସାଜିଛି। ବିଜେଡି ଓ ବିଜେପି ସମ୍ପର୍କ ନେଇ ଦଳର ନେତାଙ୍କ ଯୁକ୍ତି ହେଉଛି ବିଜେଡିକୁ ନେଇ କିଏ କଣ କହିଲେ ତାହା ଭିନ୍ନ କଥା। ହେଲେ ବିଜେଡି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମ୍ ଦୂରତା ବଜାୟ ରଖିଛି। ପ୍ରସଙ୍ଗ ଦେଖି ବିଜେପିକୁ ଦିଲ୍ଲୀରେ ସମର୍ଥନ ଅ ବିରୋଧ କରୁଛି ବିଜେଡି।
ବିଜେପି ମଧ୍ୟ ବିଜେଡି ଓ ବିଜେପି ସମ୍ପର୍କ ନେଇ ଭିନ୍ନ ଯୁକ୍ତି ବାଢିଥିଲେ ମଧ୍ୟ ବିଜେପି ନେତାଙ୍କ ବୟାନକୁ ନେଇ ଅନେକ ସମୟରେ ଦ୍ଵନ୍ଦ ସୃଷ୍ଟି ହୋଇଛି। ରାଜନୈତିକ ସମୀକ୍ଷକ କହିଛନ୍ତି ବିଜେପି ଓ ବିଜେଡି ସମ୍ପର୍କ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ପରି। ଯାହା ଆଜି ଜୟ ନାରାୟଣଙ୍କ ବୟାନରୁ ସ୍ପଷ୍ଟ ସଂକେତ ମିଳିଛି।

ଶଙ୍ଖମୟ ନୂଆପଡା : ସ୍ନେହାଙ୍ଗିନୀ କହିଲେ ମୁଁ ନୂଆପଡ଼ାର ଭାଣିଜି

ବିଜେପି ଓ କଂଗ୍ରେସ ପରେ ବିଜେଡି ନୂଆପଡାରେ ଶକ୍ତି ପ୍ରଦର୍ଶନ କରିଛି। ନାମାଙ୍କନ ଦାଖଲ ପୂର୍ବରୁ ହଜାର ହଜାର କର୍ମୀ ଓ ନେତାଙ୍କ ଆସି ବିଜେଡି ସ୍ନେହାଙ୍ଗିନୀ ଛୁରିଆ ମନର କଥା କହିଛନ୍ତି । ନୂଆପଡ଼ାବାସୀଙ୍କୁ ଭୋଟ ଭିକ୍ଷା କରି ସେ କହିଛନ୍ତି, ମୁଁ ନୂଆପଡ଼ାର ଭାଣିଜି, ବିଜୁବାବୁ ନୂଆପଡ଼ା ଜିଲାକୁ ଗଠନ କରିଥିଲେ। ଆଉ ନବୀନ ବାବୁ ଏହାର ବିକାଶ କରିଥିଲେ। ଦଳରୁ କିଏ ଗଲା, କିଏ ଆସିଲା ତାହାର କୌଣସି ଅର୍ଥ ନାହିଁ। ଯିଏ ଗଲା ସିଏ ଗଲା। ମୁଁ ଆପଣଙ୍କୁ ମୋର ପରିବାର ବୋଲି ଭାବେ। ନୂଆପଡ଼ାର ନୂଆ ବିକାଶ ନକ୍ସା ନବୀନ ପଟ୍ଟନାୟକ ଆଙ୍କିଥିଲେ। ତାହାକୁ ବାସ୍ତବରୂପ ମଧ୍ୟ ଦିଆଯାଇଛି। ଆଗକୁ ଏହି ବିକାଶ ଧାରା ଜାରି ରହିବ ବୋଲି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।
ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡ଼ା ଆସି ନୂଆପଡା ସ୍ଥିତ ବାବା କଣା ଭାଇରା ମନ୍ଦିର ରେ ପୂଜାର୍ଚନା କରିବା ସହ ଆଦିବାସୀ ଭାଇଭଉଣୀ ସହ ନାଚ କରିଥିଲେ । ପରେ ପାଟ ପଟୁଆରେ ଆସି ଏକ ସାଧାରଣ ସଭା କରି ନୂଆପଡ଼ାବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି। ନୂଆପଡା ବିଜେଡି ଗଡ ଥିଲା, ଗଡ ବଜାୟ ରହିବ ବୋଲି ନୂଆପଡ଼ାବାସୀଙ୍କ ସମର୍ଥନ ପାଇଁ ଏପରି କହିଛନ୍ତି ବିଜେଡି ପ୍ରାର୍ଥୀ।

ବିଜେଡିର ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ନିରଂଜନ ପୂଜାରୀ, ସଞ୍ଜୟ ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ପ୍ରତାପ ଜେନା, ବିଧାୟକ ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଂଜନ ବିଶ୍ଵାଳ, ଟୁକୁନି ସାହୁ, ବର୍ଷାସିଂହ ବଳିଆ, ପ୍ରଦୀପ ମାଝୀ, ସାଂସଦ ନିରଂଜନ ବିଶି, ଶୁଭାଶିଷ ଖୁଣ୍ଟିଆ, ପୁସ୍ପେନ୍ଧୁ ସିଂହଦେଓ, ବିଧାୟକ ପ୍ରଦୀପ ଦିଶାରୀ , ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ପ୍ରମୁଖ ସାମିଲ ହେଲେ। ବିଜେଡିର ପାୱାର ସୋ ପରେ ଉପ ନିର୍ବାଚନ ରାଜନୀତି ନୂଆପଡାରେ ରାଜଧାନୀ ଯାଏ ଉଷ୍ମ ।

ନୂଆପଡ଼ା ଉପନିର୍ବାଚନ ପାଇଁ ଅଦ୍ୟାବଧି 5 ଜଣ ପ୍ରାର୍ଥୀ 7 ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ରେ ଉପନିର୍ବାଚନ ପାଇଁ ଅଦ୍ୟାବଧି (ତା 18.10.2025) ସୁଦ୍ଧା 5 ଜଣ ପ୍ରାର୍ଥୀ 7 ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଆଶ୍ରୟ ମହାନନ୍ଦ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଆଉ 4 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କ୍ରମାନ୍ୱୟରେ ସେମାନେ ହେଲେ ଶ୍ରୀ ଶୁକଦେବ ଦଣ୍ଡସେନା (ଓଡିଶା ଜନତା ଦଳ ନାମାଙ୍କନ ପତ୍ର – 1), ଶ୍ରୀ ପୁରୁଷୋତ୍ତମ ବେହେରା (ସ୍ୱାଧୀନ ନାମାଙ୍କନ ପତ୍ର – 1), ଶ୍ରୀ ଘାସିରାମ ମାଝୀ (ଭାରତୀୟ ଜାତୀୟ କଂଗ୍ରେସ ନାମାଙ୍କନ ପତ୍ର -2) ଏବଂ ଶ୍ରୀ ଜୟ ଢୋଲକିଆ (ଭାରତୀୟ ଜନତା ଦଳ ନାମାଙ୍କନ ପତ୍ର – 2)।

ଭାରତ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ (ସୋମବାର) ତାରିଖ ଧାର୍ଯ୍ୟ ହୋଇଛି । ସେହିପରି ଅକ୍ଟୋବର ୨୨ (ବୁଧବାର) ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୬ ( ରବିବାର) ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ

ଘାସିରାମ ମାଝି ନାମାଙ୍କନ ଦାଖଲ

 ଆସନ୍ତା ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରଚାରକୁ ଜୋରଦାର କରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ପାର୍ଥି ଘାସିରାମ ମାଝି ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ କହିଥିଲେ କି ଓଡ଼ିଶା ରାଜ୍ୟ ଆଗାମୀ ଦିନରେ ଗାନ୍ଧୀ ପଥେ ଚାଲିବ। ଆମ ଦଳ କ୍ଷମତାକୁ ଆସିଲେ ଆମେ ପଞ୍ଚସୂତ୍ରୀ ନ୍ୟାୟ ବ୍ୟବସ୍ଥା କରିବୁ। ନାରୀ, ବେକାରୀ, ଚାଷୀ, ଶ୍ରମିକ ଏବଂ ପଛୁଆ ବର୍ଗଙ୍କ ପାଇଁ ନ୍ୟାୟ ପାଇଁ ଲଢେଇ କରିବୁ। ନୂଆପଡ଼ାକୁ ଜିଲ୍ଲା ଘୋଷଣାର ତିନି ଦଶନ୍ଧି ବିତି ଯାଇଥିଲେ ମଧ୍ୟ ସଦର ମହକୁମା ନୂଆପଡ଼ା ଏନଏସିରୁ ପୌର ପରିଷଦକୁ ପରିବର୍ତ୍ତିତ ହୋଇପାରିଲା ନାହିଁ। ସାମାନ୍ୟ ବର୍ଷା ହେଲେ ନାଳ, ନର୍ଦ୍ଦମା, ଘର ଏବଂ ରାସ୍ତା ଘାଟ ସବୁ ଏକାକାର ହୋଇଯାଇଛି। ଅନ୍ୟାନ୍ୟ ଭିତ୍ତିଭୂମିର ଘୋର ଅଭାବ ରହିଛି। ଯଦି ସଦର ମହକୁମାର ଏହି ଅବସ୍ଥା ତେବେ ଗ୍ରାମାଞ୍ଚଳ ଅବସ୍ଥା କଣ ନ ଥିବ, ଅନୁମାନ କରାଯାଇପାରେ। ବଜେଟରେ କୌଣସି ଯୋଜନାର ବ୍ୟବସ୍ଥା ନ ଥିବା ସତ୍ତ୍ବେ କେବଳ ନିର୍ବାଚନକୁ ଆଖି ଆଗରେ ରଖି କୋମନାକୁ ଏନଏସି ଏବଂ ଖରିଆର ରୋଡର ଏନଏସିକୁ ପୌର ପରିଷଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ତାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଠକାମୀ। ୟୁପିଏ ସରକାର ସମୟରେ ଏବଂ ମୋ ଚେଷ୍ଟାରେ ନୂଆପଡ଼ା ପାଇଁ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅନୁମୋଦନ କରାଯାଇଥିଲା। କିନ୍ତୁ ଦୁଃଖର କଥା, ଏଠାରେ ୫୦ % ଡାକ୍ତର ନାହାନ୍ତି। ଆମ ସ୍ବପ୍ନ ଥିଲା ମେଡିକାଲ କଲେଜ୍ ପ୍ରତିଷ୍ଠା ହେଉ ଏବଂ ଏଠାକାର ପିଲା ଡାକ୍ତରୀ ଏବଂ ନର୍ସିଂ ପାଠପଢ଼ନ୍ତୁ ଏବଂ ସାଧାରଣ ଜନତାଙ୍କ ଉତ୍ତମ ଚିକିତ୍ସା ଲାଭ କରନ୍ତୁ । ମୁଖ୍ୟମନ୍ତ୍ରୀ ତାଙ୍କ ଦ୍ବିତୀୟ ଗସ୍ତରେ ନୂଆପଡ଼ାର ଏକ ମେଡିକାଲ କଲେଜ୍ ଖୋଲାଯିବାର ଘୋଷଣା କରିଥିଲେ। କିନ୍ତୁ ଏ ପଯ୍ୟନ୍ତ କୌଣସି କାମ ଆଗେଇ ନାହିଁ। ବିଜେପି ସରକାର ମିଥ୍ୟା ପ୍ରତିଶ୍ରୁତିର ଭଣ୍ଡାର ଖୋଲିଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୂଆପଡ଼ା ଜିଲ୍ଲାରେ ଆଦିବାସୀ ସଂପ୍ରଦାୟଙ୍କ ସଂଖ୍ୟା ଶତକଡା ୪୦ରୁ ଉର୍ଦ୍ଧ୍ବ। କିନ୍ତୁ ଆଇଡିଏ ପଇସା ଆଜି ପର୍ଯ୍ୟନ୍ତ ପାଇପାରିଲା ନାହିଁ। ଆମ ପାର୍ଥୀ ଜିତିଲେ ସେ ଆଦିବାସୀଙ୍କ ପାଇଁ ବିଧାନସଭାରେ ଲଢେଇ କରିବେ ଏବଂ କଂଗ୍ରେସ ରାଜରାସ୍ତାରେ ଲଢେଇ କରିବ। ଏହି ସରକାର ଆଦିବାସୀଙ୍କୁ ଅନୁଦାନ ଦେବାକୁ ବାଧ୍ୟ ହେବ। ଏହି ସରକାରର ଆଦିବାସୀଙ୍କ ପ୍ରତି ତିଳେ ମାତ୍ର ସହାନୁଭୂତି ନାହିଁ। ଯଦି ଥାନ୍ତା ତେବେ ଜଳ, ଜମି, ଜଙ୍ଗଲ ଏବଂ ପଟ୍ଟା ପାଇଁ ଏମାନେ ଘୋଷଣା କରିଥାନ୍ତେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ପତୋରା ଡ୍ୟାମ୍ ନିର୍ମାଣ କରାଯାଇଥିଲା। ଶ୍ରୀ ଗାନ୍ଧୀ ନୂଆପଡ଼ା ଗସ୍ତରେ ଆସି ବହୁ ପ୍ରତୀକ୍ଷିତ ତିଖାଲି ଡ୍ୟାମର ଘୋଷଣା କରିଥିଲେ। ଏହି ଦୁଇ ଡ୍ୟାମ ଯୋଗୁଁ ଆଜି ଯାହା ବି କିଛି ଜଳସେଚନ ହେଉଛି କଂଗ୍ରେସର ଅବଦାନ ଥିଲା। କିନ୍ତୁ ଏତେ ବର୍ଷ ବିତିଯାଇଥିଲେ ସୁଦ୍ଧା କାହିଁକି ନୂଆପଡ଼ା ବଡ଼ ବଡ ଯୋଜନା ପାଇଲା ନାହିଁ ? କାହିଁକି ନୂଆପଡ଼ାକୁ ଅଣଦେଖା କରାଗଲା ? ଆଦିବାସୀ ମାନଙ୍କ ଶିକ୍ଷା ପାଇଁ ହେବାକୁ ଥିବା ଆଶ୍ରମ ଏବଂ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରାଗଲା ନାହିଁ ଯାହା ବି ଥିଲା ତାକୁ ମଧ୍ୟ ବନ୍ଦ କରିଦିଆଗଲା। ଏଣୁ ଏହି ସରକାର ଆଦିବାସୀଙ୍କ ହିତାକାଂକ୍ଷୀ ହୋଇ ପାରିବନାହିଁ। ତେଣୁ ଆଦିବାସୀଙ୍କ ଶିକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ଆମ ବିଧାୟକ ପାର୍ଥୀ ଘାସିରାମ ମାଝୀ ଏବଂ କଂଗ୍ରେସ ଦଳ ଦ୍ବାରା ସମ୍ଭବ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମିଛୁଆ ବିଜେଡି-ବିଜେପିକୁ ସମାଲୋଚନା କରି କହିଲେ, ପ୍ରତାରଣା ଛାଡ଼ି ଉଭୟ ଦଳ ଉପନିର୍ବାଚନକୁ ବିକାଶର ବିତର୍କସ୍ଥଳୀ କରିବା ପାଇଁ ଆଗେଇଆସନ୍ତୁ। କଂଗ୍ରେସ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ। ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ନୂଆପଡ଼ାର ଐତିହାସିକ ପୃଷ୍ଠଭୂମି ବିଷୟରେ ସୂଚନା ଦେବାସହ ଏକଦା ପ୍ରାଚୁର୍ଯ୍ୟର ସମ୍ଭାବନା ସୃଷ୍ଟି କରିଥିବା ନୂଆପଡ଼ା ଆଜି ଦାଦନ ପାଇଁ ଅପଖ୍ୟାତି ଲଭିବା ପରିତାପର ବିଷୟ ବୋଲି କହିଥିଲେ। ୨୪ ବର୍ଷର ଶାସନ ପରେ ବିଜେଡି ପ୍ରତ୍ୟାଖ୍ୟାତ ହେଲା, ମାତ୍ର ଦେଡ଼ ବର୍ଷରେ ବିଜେପି ପ୍ରତାରଣର ପ୍ରତୀକ ପାଲଟିଲାଣି। ତେଣୁ କଂଗ୍ରେସର ବଢ଼ୁଥିବା ଜନାଧାରରେ ବ୍ୟତିବ୍ୟସ୍ତ ହୋଇ ଉଭୟ ଦଳ ବିଜେପି-ବିଜେଡି ମିଳିମିଶି ନିର୍ବାଚନ ଲଡ଼ୁଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀଙ୍କର ତୁଳନା ନ ଥିବାରୁ ତାଙ୍କ ବିଜୟ ଅବଶ୍ୟମ୍ଭାବୀ ବୋଲି ଶ୍ରୀ ହରିଚନ୍ଦନ ମତ ଦେଇଥିଲେ। ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସନ୍ତୋଷ ସିଂ ସାଲୁଜା, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ସସ୍ମିତା ବେହେରା, ଅଭୟ ସାହୁ, ଭୁଜବଳ ମାଝୀ, ହମିଦ ହୁସେନ, ସତ୍ୟଭୂଷଣ ସାହୁ, ସସ୍ମିତା ବେହେରା, ଲଲଂଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ ନେତୃବୃନ୍ଦ ଓ କର୍ମୀଙ୍କ ଗହଣରେ ଯାଇ ପ୍ରାର୍ଥୀ ଶ୍ରୀ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଶେଷରେ ସାଈ କଲେଜ ପରିସରରେ ଆୟୋଜିତ କର୍ମୀ ସମ୍ମିଳନୀକୁ ଦଳୀୟ ନେତୃବୃନ୍ଦ ସମ୍ବୋଧନ କରିଥିଲେ।

ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ

ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉକ୍ତ ଆସନ ପୂରଣ ପାଇଁ ନଭେମ୍ବର ୧୧ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମା’ଙ୍କଠାରୁ ଆଶ୍ରୀର୍ବାଦ ନେଇ ଖରିଆର ରୋଡସ୍ଥିତ ବାସଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନୂଆପଡ଼ାସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥଲେ। ଏଥିପାଇଁ ଖରିଆରରୁ ନୂଆପଡା ପର୍ଯ୍ୟନ୍ତ ରାସ୍ତାଘାଟ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇଯାଇଥିଲା। ଶହଶହ ସଂଖ୍ୟାରେ ଗାଡି ଓ ହଜାର ହଜାର ସଂଖ୍ୟାରେ ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନୂଆପଡା କାର୍ଯ୍ୟାଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଏବଂ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଆଶୀର୍ବାଦ ନେଇ ଜୟ ଢୋଲକିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖିଲ କରିଛନ୍ତି। ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ କୋମନା ବ୍ଳକର ସୋମନାଥ ଖମାରୀ ପ୍ରସ୍ତାବକ ରହିଛନ୍ତି। ୨ ସେଟ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ରବି ନାୟକ, ମୁକେଶ ମହାଳିଙ୍ଗ ଓ ଗଣେଶ ରାମ ସିଂ ଖୁଂଟିଆ ଉପସ୍ଥିତ ଥିଲେ।
ନାମାଙ୍କନ ଶୋଭାଯାତ୍ରାରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ସାଂସଦ ମାଳବିକା ଦେବୀ, ବଳଭଦ୍ର ମାଝୀ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ବିଧାୟକ ସୁଧୀର ପାଟ୍ଟଯୋଶୀ, ନବୀନ ଜୈନ, ଲକ୍ଷ୍ମଣ ବାଗ, ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ଷଡ଼ଙ୍ଗୀ, ଅଶୋକ ମହାନ୍ତି, ନିହାର ମହାନନ୍ଦ, ହିମାଂଶୁ ଶେଖର ସାହୁ, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ବରିଷ୍ଠ ନେତା ଲମ୍ବୋଦର ନିଆଲ, ହିତେଶ ବର୍ଗତି, ଅଭିନନ୍ଦନ ପଣ୍ଡା, ଯଦୁମଣୀ ପାଣିଗ୍ରାହୀ, ପସନ୍ନ ପାଢ଼ୀ, ହୋମ୍‌ସିଂ ମାଝୀ, ଖାମ୍‌ସିଂ ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପ୍ରଭାସ ସିଂ, ଖରିଆରରୋଡ ଏନ୍‌ଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ, ନୂଆପଡ଼ା ଏନ୍‌ଏସି, ଖରିଆର ରୋଡ ମ୍ରୁ୍ୟନିସିପାଲିଟି ଉପାଧ୍ୟକ୍ଷ, ଶତାଧିକ ସଂଖ୍ୟାରେ ଜିଲ୍ଲା ପରିଷଦ ସଦସ୍ୟ, ସମିତିସଭ୍ୟ, ସରପଂଚ ଏବଂ ୱାର୍ଡ ମେମ୍ବର, ରାଜ୍ୟ ଓ ଜିଲ୍ଲାପଦାଧିକାରୀ, ବିଭିନ୍ନ ସାମାଜିକବର୍ଗର ପ୍ରତିନିଧି ଏବଂ ନେତୃବୃନ୍ଦଙ୍କ ସମେତ ସଦ୍ୟ ବିଜେପିରେ ସାମିଲ ହୋଇଥିବା ବିଜେଡି ନେତା, କର୍ମୀ, ଢୋଲକିଆ ପରିବାରର ଶୁଭେଚ୍ଛୁ, ୧୦ହଜାରରୁ ଊର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତା ଓ ସମର୍ଥକ ସାମିଲ ହୋଇଥିଲେ।
ନାମାଙ୍କନପତ୍ର ଦାଖଲ ଅବସରରେ ରାଜ୍ୟ ସଭାପତି ସାମଲ କହିଛନ୍ତି ଯେ, ଆଜିର ଏହି ଶୋଭାଯାତ୍ରା ନୂତନ ଇତିହାସ ସୃଷ୍ଟି କରିବ। ନୂଅପାଡ଼ାବାସୀ ବିଜେପିକୁ ଜିତାଇବା ପାଇଁ ମନବନାଇ ସାରିଛନ୍ତି। ନିର୍ବାଚନ ଫଳାଫଳ ଏକପାଖିଆ ହେବ ଏବଂ ବିପୁଳ ସଂଖ୍ୟାରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିବେ। ଆଜିର ଏହି ବିଶାଳ ଜନ ସମାଗମରୁ ଜୟଙ୍କ ବିଜୟ ସୁନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି। ୨ ନମ୍ବର ସ୍ଥାନ ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଲୋକାଭିମୁଖୀ କାର୍ଯ୍ୟ ଦେଶ ଏବଂ ଓଡ଼ିଶାର କୋଣ ଅନୁକୋଣରେ ପହଂଚିପାରିଛି। ପଛୁଆ ଓ ଆଙ୍କାକ୍ଷା ଜିଲ୍ଲାରୁ ନୂଆପଡ଼ାକୁ ବିକଶିତ ଜିଲ୍ଲାଭାବେ ଗଢ଼ି ତୋଳିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏଠାକାର ମୌଳିକ ସମସ୍ୟାର ସମାଧାନ କରି ନୂଆପଡ଼ାରେ ମତ୍ସ୍ୟ, କୃଷି, ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା ଓ ଗମନାଗମନର ବିକାଶ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
ଶ୍ରୀ ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସ୍ୱର୍ଗତ ବିଧାୟକ ତଥା ବାପା ରାଜୁ ଭାଇ ଢୋଲକିଆଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନୂଆପଡ଼ାର ବିକାଶ ପାଇଁ ଆଜି ଉପନିର୍ବାଚନରେ ପ୍ରାର୍ôଥପତ୍ର ଦାଖଲ କରିଛି। ନୂଆପଡ଼ାବାସୀଙ୍କ ବିପୁଳ ଜନସମର୍ଥନ ମନ ଭିତରେ ଉତ୍ସାହ ବଢ଼ାଇଛି। ଆଗାମୀ ଦିନରେ ବାପା ଛାଡ଼ିଯାଇଥିବା ଅଧୁରା ସ୍ୱପ୍ନକୁ ପୂରଣ କରି ନୂଆପଡ଼ାକୁ ରାଜ୍ୟର ୧ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପ୍ରୟାସ କରିବି

Follow us

20,832FansLike
0FollowersFollow
14,700SubscribersSubscribe

Latest news