ବସନ୍ତପଣ୍ଡା ବିନା ବିକଶିତ ନୂଆପଡ଼ାର ସ୍ବପ୍ନ ଦେଖାଇଲେ ମନମୋହନ !

ନୂଆପଡା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପିର ରାଜନୀତି ସେତେ ଉଷ୍ମ ହେଉଛି। ବସନ୍ତ ପଣ୍ଡା କି ତାଙ୍କ ପୁଅକୁ ଦଳୀୟ ଟିକେଟ ମିଳିନଥିବାରୁ ନୂଆପଡ଼ା ରାଜନୀତିରେ କାହିଁ କେତେ ଚର୍ଚ୍ଚା। ଉପରୁ ବିଜେପି ରାଜନୀତି ଯାହା ଦେଖା ଦେଉଛି ଦଳ ଭିତରେ ନୂଆପଡ଼ା କୁ ସବୁକିଛି ଠିକ୍ ଠାକ୍ ଚାଲିନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରୁଛନ୍ତି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି ନୂଆପଡ଼ାରେ ଘଟୁଥିବା କେତେକ ଘଟଣାବଳି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦ ନୂଆପଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିକଶିତ ନୂଆପଡ଼ା ଗଠନ କରିବ ବୋଲି ନୂଆପଡା ବାସୀଙ୍କୁ ସ୍ବପ୍ନ ଦେଖାଇଛି। ହେଲେ ନୂଆପଡାରେ ଦଳକୁ ସଂଗଠିତ କରିଥିବା ନେତା ପୂର୍ବତନ ରାଜ୍ୟ ସଭାପତି , ସାଂସଦ,ବିଧାୟକ ବସନ୍ତ ପଣ୍ଡାଙ୍କୁ କିନ୍ତୁ ଏହି ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳିନଥିଲା। ବିଜେପି ପ୍ରେସ ମିଟ ବିଜେପି ରାଜ୍ୟ ସଭାପତି କହିଥିଲେ
ଆମ ସରକାର ଗଠନ ପରେ ଏ ପ୍ରଥମ ଉପନିର୍ବାଚନ। ଏ ଉପନିର୍ବାଚନରେ ଜୟ ଢୋଲକିଆ ଆମର ପ୍ରାର୍ଥୀ। କେନ୍ଦ୍ରରେ ମୋଦି ସରକାରଙ୍କ ଜନ ମଙ୍ଗଳ କାର୍ଯ୍ୟ ପାଇଁ ଆମେ ଓଡ଼ିଶାରେ 500 ଦିନ ପୁରଣ କରିଛୁ। ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଯାହା ଲେଖିଥିଲୁ ତାହା କରିଛୁ। ମେଡିକାଲ କଲେଜ ମଧ୍ୟ କେନ୍ଦ୍ରରୁ ଅନୁମୋଦନ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ଏକଥା କରିଛନ୍ତି। ଦାଦନ ସମସ୍ୟାର ସମାଧାନ ପାଇଁ କରିବା ପାଇଁ ସଂକଳ୍ପ ନେଇଛୁ। ନୂଆପଡାକୁ ଉପନିର୍ବାଚନ ଆମ ପାଇଁ ଦାୟିତ୍ୱ। ଆମେ ତାକୁ ସ୍ୱୀକାର କରୁଛୁ।ନୂଆପଡ଼ାର ସାମଗ୍ରିକ ବିକାଶ କରିବା। ତେଣୁ ସବୁ ଜନସାଧାରଣକୁ ଅନୁରୋଧ କରୁଛୁ ନିର୍ବାଚନରେ ଜୟଙ୍କୁ ସମର୍ଥନ କରିନ୍ତୁ। ବିଜେପି ରାଜ୍ୟ ସଭାପତି ସାମ୍ବାଦିକ ସମ୍ମିଳନୀରେ ବସନ୍ତ ପଣ୍ଡା କି ତାଙ୍କ ପୁଅ ନଥିଲେ। ଏ ଘଟଣା ପରେ ସନ୍ଧ୍ୟାରେ ରାଜଧାନୀରେ ଆଉ ଏକ ରୋଚକ ରାଜନୀତି ଦେଖିବାକୁ ମିଳିଲା। ବସନ୍ତ ପଣ୍ଡାଙ୍କ ପୁତୁରା ବିଜେଡିରେ ସାମିଲ ହେଲେ। ବିଜେପିରେ ଜୟ ଢୋଲକିଆ ପ୍ରାର୍ଥୀ ହେବା ପରେ ଦଳରେ ଅସନ୍ତୋଷ ବହୁ ମାତ୍ରାରେ ବଢ଼ି ଯାଇଛି। ରାଜନୈତିକ ସମୀକ୍ଷକ ମତ ବିଜେପିରେ ଗୋଷ୍ଠୀ ବିବାଦ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନୀତିରେ ଅଛି। ଯାହାକୁ ନେଇ ରାଜଧାନୀ ରୁ ନୂଆପଡା ଯାଏ ନାନା ଚର୍ଚ୍ଚା।

ବିଜେଡିରେ ମିଶିଲେ ବସନ୍ତ ପଣ୍ଡାଙ୍କ ପୁତୁରା

ନୂଆପଡା ଉପନିର୍ବାଚନରେ ବିଜେପିକୁ ଝରକା
ବିଜେଡିରେ ମିଶିଲେ ବସନ୍ତ ପଣ୍ଡାଙ୍କ ପୁତୁରା
ନୂଆପଡାର ଦୁଇ ବିଜେପି ସଂଗଠକ ମଧ୍ୟ ବିଜେଡିରେ ମିଶିଲେ
ତିନି ଯୁବନେତା ନବୀନଙ୍କୁ ଭେଟିବା ପରେ ବିଜେଡିରେ ସାମିଲ
ବିଜେପି ନିଜ କର୍ମକର୍ତ୍ତାଙ୍କ ସହିତ ପ୍ରତାରଣା କରିଛି

 ନୂଆପଡା ଉପନିର୍ବାଚନ ମାହୋଲ ସରଗରମ ହୋଇଥିବା ବେଳେ ଆଜି ବିଜେପିର ପୂର୍ବତନ ସଭାପତି ତଥା ନୂଆପଡାର ପୂର୍ବତନ ବିଧାୟକ ଶ୍ରୀ ବସନ୍ତ ପଣ୍ଡାଙ୍କ ପୁତୁରା ଶ୍ରୀ ହରିଶ୍ଚନ୍ଦ୍ର ପଣ୍ଡା, ସରପଞ୍ଚ ସଙ୍ଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ଟେକରାମ ସାହୁ, ପୂର୍ବତନ ନୂଆପଡା ନଗର ସଭାପତି ଶ୍ରୀ ଉମେଶ ସହିଷ, ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ତାଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କୁ ସ୍ୱାଗତ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଶ୍ରୀ ହରିଶଚନ୍ଦ୍ର ପଣ୍ଡା ନୂଆପଡାରେ ଜଣେ ଦୃଢ଼ ସଂଗଠକ । ନିର୍ବାଚନ ପରିଚାଳନାରେ, ଶ୍ରୀ ପଣ୍ଡାଙ୍କର ସକ୍ରିୟ ଅନୁଭୂତି ରହିଛି । ଶ୍ରୀ ପଣ୍ଡା, ଶ୍ରୀ ସାହୁ ଓ ଶ୍ରୀ ସହିଷଙ୍କୁ ଦଳକୁ ସ୍ୱାଗତ କରିବା ସହିତ, ଏମାନଙ୍କ ଯୋଗଦାନ ପରେ ନୂଆପଡାରେ ବିଜୁ ଜନତା ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ନୂଆପଡାରେ ବିଜେଡି ସ୍ଥିତି ମଜବୁତ ରହିଛି । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ନୂଆପଡା ଜିଲ୍ଲା ଗଠନ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ନୂଆପଡାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି, ଯାହାକୁ ଆଜି ବି ନୂଆପଡାବାସୀ ମନେ ରଖିଛନ୍ତି । ଗତ ୧୬ ମାସରେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେବ ।
ଏହି ଅବସରରେ, ଶ୍ରୀ ହରିଶଚନ୍ଦ୍ର ପଣ୍ଡା କହିଥିଲେ, ବିଜେପି ଜୟ ଢୋଲକିଆଙ୍କୁ ନିଜ ଦଳକୁ ନେଇ ପ୍ରାର୍ଥୀ କରି ବିଜେପି କର୍ମକର୍ତ୍ତାଙ୍କୁ ଅଣଦେଖା କରିଛନ୍ତି । ଆମେ ଶୁଣିବାକୁ ପାଉଛୁ, ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭା ସାଂସଦ ଓ ତାଙ୍କ ପୁତ୍ର ଅଭିନନ୍ଦନଙ୍କୁ ନିଗମ ଅଧ୍ୟକ୍ଷ ପଦର ପ୍ରତିଶ୍ରୁତି ଦେଇଛି ବିଜେପି । ନୀତି ଆଦର୍ଶ କଥା କହୁଥିବା ବିଜେପି କେବଳ ଡିଲ୍ କରୁଛି । ଏହାଦ୍ୱାରା ଅସଲ କର୍ମକର୍ତ୍ତାମାନେ ପ୍ରତାରିତ ହେଉଛନ୍ତି । ଆଗାମୀ ସପ୍ତାହରେ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେବେ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ନୂଆପଡାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ନୂଆପଡାବାସୀ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବେ ।

ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା

ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ \”ମୋନ୍ଥା\’ ଉତର – ଉତରପୂର୍ବ ଗୋପାଳପୁର ଠାରୁ ୫୩୦ କି.ମି ଦୂରରେ ରହିଥିବା ବେଳେ ଏହା ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଛି ଏବଂ ମଙ୍ଗଳବାର ରାତି ୧୧ ଟାରୁ ୧.୦୦ଟା ମଧ୍ୟରେ ଦକ୍ଷିଣ ବିଶାଖାପାଟଣା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଂଟା ପ୍ରତି ୭୫ ରୁ ୮୫ କି.ମି ହେବ ବୋଲି ସି.ଇ.ସି ପକ୍ଷରୁ କୁହାଯାଇଛି । ଘଂଟା ପ୍ରତି ୧୨ କି.ମି. ବେଗରେ ଗତି କରୁଥିବା ଏହି ବାତ୍ୟା ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଦେଇ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୪୦ ରୁ ୫୦ କି.ମି. ରହିବ ।
ଏହାର ପ୍ରଭାବରେ ମଙ୍ଗଳବାର ରାତି ଏବଂ ବୁଧବାର ସକାଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ପ୍ରଭୃତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
ସେହିପରି ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସିଇସି ପକ୍ଷରୁ ସୂଚନା ଦିଆଯାଇଛି ।

ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ବିଜେଡି

ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ବିଜେଡି
ସିଆରପି, ଏମବିକେ ଓ ମିଶନଶକ୍ତି କର୍ମୀଙ୍କୁ ନିର୍ବାଚନ ପ୍ରଚାରରେ ନିୟୋଜନ
ତଥ୍ୟ ପ୍ରମାଣ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି
ବାଡ଼ ଯଦି କ୍ଷେତ ଖାଇବ, ତାକୁ ଜଗିବ କିଏ ?

 ନୂଆପଡ଼ା ଉପନିର୍ବାଚନରେ ପ୍ରଚାର କରୁଥିବା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ କରିଥିବା ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରିଛି ବିଜେଡି ।
ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ସିଆରପି ସଂଘର ରାଜ୍ୟ ସଭାପତି ଲକି ହୋତାଙ୍କ ଅଡ଼ିଓ କ୍ଲିପ୍ ପ୍ରଦାନ କରିଛି । ଏହି ଅଡ଼ିଓ କ୍ଲିପ୍ରେ ଶ୍ରୀମତୀ ହୋତା ସିଆରପି ସଂଘର ସମସ୍ତ ସଦସ୍ୟାଙ୍କୁ କହିଛନ୍ତି ଯେ, ନୂଆପଡ଼ା ଗସ୍ତ ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସହ ସାକ୍ଷାତ କରି ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ସିଆରପି ମାନଙ୍କର ବ୍ଲକରେ କଟାଯାଉଥିବା ଇନସେନ୍ଟିଭ୍ ଅର୍ଥରାଶିକୁ ଆଉ କଟାଯିବନି, ଯଦି କାହାର କଟାଯାଏ, ତାହେଲେ ବ୍ୟକ୍ତିଗତ ଭାବେ ଉପମୁଖ୍ୟମନ୍ତ୍ରୀ ନିଜେ ଏହି ଅର୍ଥ ଦେବେ ବୋଲି କହିଥିଲେ । କିଛି ସିଆରପି ସଦସ୍ୟାଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସିଆରପି ମାନଙ୍କର ବକେୟା ଦରମା ଠାରୁ ଆରମ୍ଭ କରି ସମସ୍ତ ଦାବି ପୂରଣ କରାଯିବ ବୋଲି ଘୋଷଣା କରିଥିଲେ ।
କ୍ଷମତାକୁ ଆସିବାର ୧୬ ମାସ ମଧ୍ୟରେ ମିଶନଶକ୍ତି ବିଭାଗର ପୁନଃଗଠନ ନାମରେ ସିଆରପି, ଏମବିକେ ଓ ମିଶନଶକ୍ତି କର୍ମକର୍ତ୍ତାମାନେ ସର୍ବାଧିକ ନିର୍ଯାତିତ ହୋଇ ଆନେ୍ଦାଳନ କରୁଥିବା ବେଳେ ନୂଆପଡ଼ା ଉପନିର୍ବାଚରେ ଶାସକ ବିଜେପି ଦଳ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ହାତେଇବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଏଭଳି ଖୋଲାଖୋଲି ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନକୁ ନେଇ ବିଜୁ ଜନତା ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରତିବାଦ କରିବା ସହ ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସମଗ୍ର ରାଜ୍ୟରେ ମିଶନଶକ୍ତି କର୍ମକର୍ତ୍ତା ଓ ମହିଳା ସଶକ୍ତିକରଣ ଲାଗି ଦିନରାତି ଏକ କରି କାର୍ଯ୍ୟ କରୁଥିବା ସିଆରପି, ଏମବିକେ ମାନେ ରାଜ୍ୟ ବିଜେପି ସରକାର ଦ୍ୱାରା ସର୍ବାଧିକ ନିର୍ଯାତିତ ହୋଇଆସିଛନ୍ତି । କେବଳ ଉପନିର୍ବାଚନରେ ଏସଏଚଜି ମହିଳା ସମର୍ଥନ ହାସଲ କରିବା ପାଇଁ ବିଜେପି ଦଳର ଏହି ଚାଲ କେବେ ହେଲେ ସଫଳ ହେବ ନାହିଁ । ବାରମ୍ବାର ଆନେ୍ଦାଳନ କରି ଆସୁଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ବିଜେପି ସରକାର ଆଜି ନୂଆପଡ଼ାରେ ଯାଇ ନିଜେ ପକେଟରୁ ଅର୍ଥ ଭରଣା କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିବା ହାସ୍ୟାସ୍ପଦ ଏବଂ ନୂଆପଡ଼ାର ମା’ମାନେ ଏହାକୁ କେବେ ହେଲେ ଗ୍ରହଣ କରିବେ ନାହିଁ । ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀରେ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା, ଶ୍ରୀ ମିହିର ରାୟ, ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପରିଡ଼ା, ଶ୍ରୀମତୀ ଆଂଶୁ ତି୍ରପାଠୀ, ଶ୍ରୀମତୀ ରୀତାଞ୍ଜଳି ପ୍ରଧାନ, ଶ୍ରୀମତୀ ଇଲା ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।

ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧିର ଉଲଂଘନ : କଂଗ୍ରେସ

ନୂଆପଡା ମହିଳାଙ୍କୁ ଶକ୍ତିହୀନ କରି ସୁଭଦ୍ରା ଶକ୍ତି ସମାବେଶ କରୁଛନ୍ତି*

*ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧିର ଉଲଂଘନ

:ନୂଆକରି ନୂଆପଡ଼ା ଆସିଥିବା ବିଜେପି ନେତ୍ରୀ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ ଭ୍ରମାତ୍ମକ ତଥ୍ୟ ଏବଂ ବକ୍ତବ୍ୟ ରଖିଛନ୍ତି। ତାହାକୁ କଂଗ୍ରେସ ନିନ୍ଦା କରୁଛି ବୋଲି ଆଜି ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ନୂଆପଡ଼ାରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ସୁଭଦ୍ରା ଶକ୍ତି ସମାବେଶ ନାଁରେ ଦଳୀୟ କାର୍ଯ୍ୟାଳୟରେ ଏବଂ ଦଳୀୟ ବ୍ୟାନର ରେ ଯେଉଁଭଳି ଭାବରେ ମହିଳାମାନଙ୍କୁ ନେଇ ସମାବେଶ କରାଗଲା ତାହା ନିଶ୍ଚିତ ଭାବରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଛି। ଆମେ ମଧ୍ୟ ଏହି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛୁ। ସୁଭଦ୍ରା ଯୋଜନା ନାମରେ ଭୋଟ ଲୁଟ କରିବା ବିଜେପିର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ୨୦୧୯ ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜଣକୁ ୫୦ ହଜାର ଏକ କାଳୀନ ମିଳିବ ବୋଲି ମହିଳାଙ୍କୁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ସରକାରକୁ ଆସିଲା ପରେ ଥରକୁ ୫୦ ହଜାର ସ୍ଥାନରେ ୬ ମାସକୁ ୫ ହଜାର କିସ୍ତି ହୋଇଗଲା । ତାହା ପୁଣି ସରକାରଙ୍କ ପାଖରେ ପଇସା ନାହିଁ ଯେ, ୬୦ ବର୍ଷର ମହିଳା, ଯାହା ଘରେ ୨ ଚକିଆ ଜାନ ଅଛି ଏବେ ପୁଣି ୧୮ ହଜାର ଛାତ୍ରବୃତ୍ତି ପାଉଥିବା ଏସସି ଏସଟି ଛାତ୍ରୀଙ୍କୁ ବଞ୍ଚିତ କରାଯାଇଛି । ନୂଆପଡା ଜିଲ୍ଲାରୁ କେବଳ ୨୦ ହଜାର ଛାତ୍ରୀଙ୍କୁ ସରକାର ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ କରୁଥିବା ଆକଳନ କରାଯାଉଛି। ନୂଆପଡା ମହିଳାଙ୍କୁ ଶକ୍ତିହୀନ କରି ନୂଆପଡାରେ ସୁଭଦ୍ରା ଶକ୍ତି ସମାବେଶ କରିବାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ାଙ୍କୁ କେମିତି ଲଜ୍ଜ୍ୟା ଲାଗୁନି! ରାସ୍ତା କଡରେ ବଡ଼ ହୋର୍ଡି, ବସରେ, ଅଟୋରେ ଚାରିଆଡେ ପୋଷ୍ଟର ମାରି ପ୍ରତାରଣା କରୁଛନ୍ତି । ଯେଉଁ ସରକାର ବେଟୀ ବଚାଓ ବେଟୀ ପଢ଼ାଓର ନାରା ଦେଉଛି ତାଙ୍କ ଶାସିତ ରାଜ୍ୟ ଓଡ଼ିଶାରେ ଦିନକୁ ପ୍ରାୟ ୩୦ ଗୋଟି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ହେଉଛି । ବୋଧହୁଏ ଡବଲ ଇଞ୍ଜିନ ତେଣୁ ଦୁଷ୍କର୍ମ ମଧ୍ୟ ଡବଲ ହେଉଛି । ଓଡ଼ିଶାରେ ବିଜେପି ସରକାର ସୁଭଦ୍ରା ନାମରେ କିଭଳି ଓଡ଼ିଆ ମହିଳାଙ୍କୁ ବୋକା ବନାଉଛି ଦେଖନ୍ତୁ । ଏହି ଯୋଜନାରେ ଦିଲ୍ଲୀରେ ମହିଳାଙ୍କୁ ୨୫୦୦ ଟଙ୍କା ମିଳୁଥିବାବେଳେ ମଧ୍ୟପ୍ରଦେଶରେ ୧୨୫୦, ମହାରାଷ୍ଟ୍ରରେ ୧୩୦୦, ଝାଡ଼ଖଣ୍ଡରେ ୩୩୦୦, ପଶ୍ଚିମବଙ୍ଗରେ ୧୨୦୦, ଆନ୍ଧ୍ରରେ ୧୨୫୦, ତାମିଲନାଡୁରେ ୧୦୦୦, ଆସାମରେ ୧୨୫୦ ଓ ଛତିଶଗଡରେ ୧୦୦୦ ଟଙ୍କା ମିଳୁଛି କିନ୍ତୁ ଓଡ଼ିଶାର ମହିଳା ମାନଙ୍କୁ ମାତ୍ର ୮୩୩ ଟଙ୍କା ମିଳୁଛି । ଓଡ଼ିଶାର ମହିଳା କଣ ଅପାରଗ ନା କୌଣସି ଯୋଗ୍ୟତା ନାହିଁ ଯେ ସରକାର ୧୦୦୦ ଟଙ୍କା ମଧ୍ୟ ଦେଇ ପାରିଲା ନାହିଁ। କଂଗ୍ରେସ ନିଜ ପାଇଁ ନୁହଁ ନୂଆପଡାର ଛାତ୍ରୀ ସମାଜ, ଆଦିବାସୀ ମହିଳା ଏବଂ ସମ୍ପୂର୍ଣ ମହିଳା ସମାଜ ତରଫରୁ ପ୍ରଶ୍ନ ପଚାରୁଛି । ସୁଭଦ୍ରା ନାମରେ ଠକାମୀ କାହିଁକି ? କାହିଁକି ଆମ ୨୦ ହଜାର ଛାତ୍ରୀଙ୍କୁ ତାଙ୍କ ସୁଭଦ୍ରା ଅଧିକାରରୁ ବଞ୍ଚିତ କରାଗଲା ବୋଲି ପିସିସି ମୁଖପାତ୍ର ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।

ଅନ୍ୟତମ ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ କହିଥିଲେ ଶାସକ ଦଳ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଂଘନ କରୁଛନ୍ତି । ଖୋଦ୍ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସରକାରୀ ସୁଭଦ୍ରା ଯୋଜନାକୁ ମହିଳାଙ୍କୁ ପ୍ରତାରଣା କରୁଛନ୍ତି। ଖାଲି ସେତିକି ନୁହେଁ ନିଜର ଦଳୀୟ ପ୍ରଚାର ପ୍ରସାର ପାଇଁ ଲୋକ ସମ୍ପର୍କ ବିଭାଗକୁ ମଧ୍ୟ ଲଗାଇଛନ୍ତି । ତେଣୁ ସରକାର ଏହାର ଜବାବ୍ ରଖିବା ପାଇଁ ସେ ଦାବୀ ରଖିଥିଲେ । ଆଜିର ସାମ୍ବାଦିକ ସମ୍ମୀଳନୀକୁ ସଂଯୋଜନା କରିଥିଲେ ନୂଆପଡ଼ା କଂଗ୍ରେସ କମିଟି ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର।

ବଦଳୁଛି ନୂଆପଡ଼ା ସମୀକରଣ: ଭୋଟର ନିରବ, ଗ୍ରାଉଣ୍ଡରେ ବଢୁଛି ବିଜେଡି

ନୂଆପଡା ଉପ ନିର୍ବାଚନ ନଭେମ୍ୱର ୧୧ ତାରିଖରେ ଅନୁଷ୍ଠିତ ହେବ। ମତଦାନକୁ ଆଉ ୧୪ ଦିନ ବାକି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନୂଆପଡା ରାଜନୀତି ସେତେ ଉଷ୍ମ ହେବାରେ ଲାଗିଛି। ଗ୍ରାଉଣ୍ଡରେ ପ୍ରଚାର ଓ ସମୀକରଣ ମଧ୍ୟ ବଦଳୁଛି। ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତି ସମର୍ଥନ ଲଗାତର ବଢ଼ିବଢ଼ି ଚାଲିଛି । ନୂଆପଡା, ଖରିଆଳ, କୋମନାରେ ବିଜେଡି ଜୋରଦାର ପ୍ରଚାର କରିବା ସହ ନବୀନ ପଟ୍ଟନାୟକ ରାଜନୈତିକ ଆଭିମୁଖ୍ୟ ନେଇ ନୂଆପଡ଼ାବାସୀଙ୍କୁ ବୁଝାଉଛନ୍ତି ବିଜେଡି ନେତା ଓ କର୍ମୀମାନେ। ଫଳରେ ଗ୍ରାଉଣ୍ଡରେ ବିଜେଡି ବଳ ଗୋଟାଇବା ସହ ବିଜେପି ଓ କଂଗ୍ରେସ ଠାରୁ ଅଧିକ ଶକ୍ତିଶାଳୀ ହେଉଛି । ନୂଆପଡ଼ାବାସି ୨୦୨୪ ନିର୍ବାଚନରେ ବିଜେଡିକୁ ଓ ନବୀନଙ୍କ ସେନାପତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ନୂଆପଡାବାସୀଙ୍କ ହୃଦୟରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ (ରାଜୁ) ଭାଇଙ୍କ ସ୍ଵତନ୍ତ୍ର ସ୍ଥାନ ରହିଛି। ତାଙ୍କର ସାମାଜିକ କାର୍ଯ୍ୟକ୍ରମକୁ ନୂଆପଡାବାସି କେବେ ଭୁଲିବେ ନାହିଁ ବୋଲି ବିଜେଡି ନେତାଏ କହିଛନ୍ତି । ତେଣୁ ବିଜେଡିର ଗଡ ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ନିର୍ବାଚନୀ ମଣ୍ଡଳରେ ପୁଣି ଶଙ୍ଖମୟ ହେବ ବିଜେଡି ନେତାଏ ଦମ୍ବୋକ୍ତି ପ୍ରକାଶ କରୁଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜେନ୍ଦ୍ର ଢୋଲକିଆ ଗଡରେ ପୁଣି କିପରି ବିଜେଡି ଭଲ ବ୍ୟବଧାନରେ ବିଜୟ ଲାଭ କରିବ ସେନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ସେନାପତି ଭାବେ ୧୦୦ ଅଧିକ ନେତାଙ୍କୁ ଦାୟିତ୍ଵ ଦେଇଛନ୍ତି । ବିଜେଡି ସରକାର ସମୟରେ ହୋଇଥିବା ବିକାଶ କାମ ଓ ନବୀନ ପଟ୍ଟନାୟକ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ନୂଆପଡ଼ାବାସୀଙ୍କୁ ବୁଝାଉଛନ୍ତି ନେତାମାନେ। ୧୬ମାସର ବିଜେପି ସରକାରରେ ଓଡ଼ିଶାର ବିକାଶ କିପରି ଠପ୍ ହୋଇଛି, ରାଜ୍ୟ ସ୍ବାର୍ଥ କିପରି ବାଧାପ୍ରାପ୍ତ ହୋଇଛି, ଆଇନ ଶୁଙ୍ଖଳା କିପରି ବିଗିଡିଯାଇଛି, ମହାନଦୀ ପାଣି କିପରି ଛତିଶଗଡ଼ ସରକାର ଛାଡୁନି, ଚାଷୀଙ୍କୁ ସାର ମିଳୁନି, କଟଣୀଚଟଣୀ କିପରି ବଢ଼ିଛି, ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି କିପରି ପ୍ରତାରଣାରେ ପରିଣତ ହୋଇଛି ଏପରି ବିଜେପି ସରକାରର ମାଳମାଳ ବିଫଳତାକୁ ନୂଆପଡ଼ା ଭୋଟରଙ୍କୁ ବୁଝାଉଛି ବିଜେଡି। ଯାହା ନୂଆପଡାବାସିଙ୍କର ସମର୍ଥନ ମଧ୍ଯ ଗାଁ ଗାଁରେ ରହୁଛି। ଯେଉଁଥି ପାଇଁ ଗ୍ରାଉଣ୍ଡରେ ବିଜେଡି ବଢ଼ିବାରେ ଲାଗିଛି। ଆରମ୍ଭରୁ ବିଜେଡିକୁ ହାଲକା ଭାବେ ନେଇ ଦୁଇ ଜାତୀୟ ଦଳ ନୂଆପଡ଼ାରେ ବିଜେଡି ହାହ୍ବା ବହିବା ପରେ ଚିନ୍ତାରେ ପଡିଛନ୍ତି । ଆଗକୁ ୩ ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ମାନେ ମଇଦାନକୁ ଓହ୍ଲାଇ ଘମାଘୋଟ ପ୍ରଚାର କରିବେ ନିଜ ପ୍ରାର୍ଥୀଙ୍କ ପାଇଁ। ତାରିଖ ଯେତିକି ପାଖେଇ ଆସୁଛି ଧୀରେ ଧୀରେ ନୂଆପଡା ରାଜନୀତି ରୋଚକ ମୋଡ ନେଉଛି।

ସମ୍ ହସ୍ପିଟାଲ୍‌ରେ ୯ ମାସ ଶିଶୁର ବିରଳ ଅସ୍ତ୍ରୋପଚାର: ଓଡ଼ିଶାରେ ପ୍ରଥମ

 ଥଣ୍ଡା, କାଶ ଓ ଜ୍ୱର ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସମସ୍ୟା ନେଇ ୯ ମାସର ଶିଶୁ ପୁତ୍ରକୁ ତା’ର ପିତାମାତା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଚିକିତ୍ସା ନିମନ୍ତେ ଭର୍ତି କରାଇଥିଲେ ।
ରାୟଗଡ଼ା ଜିଲ୍ଲା ନିବାସୀ ଅନୀଲ ପଲେଇ ଓ ତାଙ୍କ ପତ୍ନୀ ବର୍ଷା ପଲେଇଙ୍କ ୯ ମାସର ଶିଶୁ ପୁତ୍ର ଜନ୍ମ ହେବା ପର ଠାରୁ ହିଁ ଅନବରତ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ରହୁଥିଲା । ଯାହା ଫଳରେ ଶିଶୁଟିକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥିଲା । ଉଭୟ ମାତା ପିତା ଶିଶୁ ପୁତ୍ରର ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇବା ସତ୍ୱେ ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା ।
ଶେଷରେ ଶିଶୁଟିର ପିତାମାତା ସେପ୍ଟେମ୍ବର ୧୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସା ନିମନ୍ତେ ଭର୍ତି କରାଇଥିଲେ । ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ଥିବା ଶିଶୁଟିର ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମମତାଦେବୀ ମହାନ୍ତିଙ୍କ ତତ୍ୱାବଧାନରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଶିଶୁଟିକୁ ଅଧିକ ମାତ୍ରାରେ ନିମୋନିଆ ହୋଇଯାଇଥିବା ଯୋଗୁଁ ତାକୁ ଭେଂଟିଲେଟରରେ ରଖାଯାଇଥିଲା । ସମସ୍ତ ପ୍ରକାର ଚିକିତ୍ସା ସତ୍ୱେ ଶିଶୁଟିର ନିମୋନିଆ ଭଲ ହୋଇନଥିଲା ଯାହା ଫଳରେ ତାକୁ ଭେଂଟିଲେଟରରୁ ବାହାର ମଧ୍ୟ କରାଯାଇ ପାରୁ ନଥିଲା । ଶିଶୁର ଇକୋ ନର୍ମାଲ ଥିବା ସତ୍ୱେ ତାକୁ ୧୫ ଦିନ ଭେଂଟିଲେଟରରେ ରଖାଯାଇଥିଲା ।
ଏଭଳି ଜଟିଳ ସମସ୍ୟାରେ ପୀଡ଼ିତ ଥିବା ଶିଶୁଟିକୁ ହସ୍ପିଟାଲ୍‌ର ସିଟିଭିଏସ୍ (କାର୍ଡିଆକ୍ ସର୍ଜନ) ଡାକ୍ତର ସଂଗ୍ରାମ କେଶରୀ ବେହେରାଙ୍କ ତତ୍ୱାବଧାନରେ ଚିକିତ୍ସା କରାଯିବା ସହ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସିଟି ସ୍କାନ ରିପୋର୍ଟରେ ଶିଶୁଟି ଡବଲ୍ ଆଓର୍ଟିକ୍ ଆର୍ଚ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ସେହି କାରଣରୁ ଶିଶୁଟି ନିଶ୍ୱାସ ପ୍ରଶ୍ୱାସର କଷ୍ଟ ଅନୁଭବ କରିବା ସହ ଭେଂଟିଲେଟରର ଆବଶ୍ୟକତା ପଡ଼ିଥିଲା ବୋଲି ଡାକ୍ତର ବେହେରା କହିଥିଲେ ।
ଶିଶୁର ଛାତିରେ ଏକ ଭାସ୍କୁଲାର ରିଙ୍ଗ୍ ଦେଖାଯାଇଥିବା ଫଳରେ ଏହା ନିଶ୍ୱାସ ନଳୀ ଏବଂ ଖାଦ୍ୟ ନଳୀକୁ ଚାପି ରଖିଥିଲା । ଏହାର ଏକମାତ୍ର ଚିକିତ୍ସା ହେଉଛି ଅସ୍ତ୍ରୋପଚାର । ଶିଶୁର ପିତାମାତାଙ୍କ ପରାମର୍ଶ କ୍ରମେ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଡାକ୍ତର ବେହେରା କହିଥିଲେ ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଶିଶୁକୁ ଚାରି ମାସ ବୟସରୁ ବାରମ୍ବାର କାଶ ଓ କଫ ହେଉଥିଲା । ଡବଲ ଆଓର୍ଟିକ ଆର୍ଚ ସମସ୍ୟା ଏକ ବିରଳ ବ୍ୟାଧି ଯାହାକି ଏକ ଲକ୍ଷ ଶିଶୁଙ୍କ ମଧ୍ୟରେ ୫ ଜଣକ ଠାରେ ଦେଖାଯାଏ । ଏଭଳି ବିରଳ ଅସ୍ତ୍ରୋପଚାର ପ୍ରଥମ ଥର ଓଡ଼ିଶା ଏବଂ ସମ୍ ହସ୍ପିଟାଲ୍‌ରେ ସଫଳ ଭାବେ ସମ୍ପାଦନ କରାଯାଇଥିବା ପ୍ରଫେସର ସାମନ୍ତସିଂହାର କହିଥିଲେ ।
ସିଟିଭିଏସ୍ ସର୍ଜନ ଡାକ୍ତର ବେହେରା ଏବଂ କାର୍ଡିଆକ୍ ଆନେସ୍ଥେସିଆ ବିଭାଗର ଡାକ୍ତରଙ୍କ ଦ୍ୱାରା ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା । ଶିଶୁର ପୋଷ୍ଟ ଅପରେଟିଭ କେୟାର ଭଲ ଭାବରେ ପେଡିଆଟ୍ରିକ ଆଇସିୟୁ ଟିମ୍‌, ଡାକ୍ତର ଏବଂ ନର୍ସମାନଙ୍କ ଦ୍ୱାରା ନିଆଯାଇଥିଲା । ଅସ୍ତ୍ରୋପଚାର ପରେ ଶିଶୁଟି ବର୍ତମାନ ସୁସ୍ଥ ଥିବା ଜଣାପଡ଼ିଛି ।
ଏହି ଅସ୍ତ୍ରୋପଚାରରେ ଡାକ୍ତର ବେହେରାଙ୍କ ବ୍ୟତୀତ ପେଡିଆଟ୍ରିକ୍ ଆଇସିୟୁର ମୁଖ୍ୟ ଡାକ୍ତର ଦେବସ୍ମିତା ରଥ, ପେଡିଆଟ୍ରିକ୍ ଆଇସିୟୁ ଟିମ୍ (ଡାକ୍ତର ସାଗର ଓ ଡାକ୍ତର ଅପର୍ଣ୍ଣା), ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ମମତାଦେବୀ ମହାନ୍ତି, ପେଡିଆଟ୍ରିକ୍ କାର୍ଡିଓଲୋଜିଷ୍ଟ ଡାକ୍ତର ଅନୁସ୍ପନ୍ଦନା ମହାପାତ୍ର, ନର୍ସିଂ ଷ୍ଟାଫ୍ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ । ଏହି ଅସ୍ତ୍ରୋପଚାର ପରେ ଶିଶୁର ପିତାମାତାଙ୍କ ସମେତ ତାଙ୍କ ପରିବାରବର୍ଗ ଓ ସମ୍ ହସ୍ପିଟାଲ୍‌କୁ ଧନ୍ୟବାଦ ଜଣାଇଛନ୍ତି ।

ବିବାଦୀୟ ନେତାଙ୍କୁ ନୂଆପଡ଼ା ଦାୟିତ୍ୱ

ନୂଆପଡ଼ାର ଉପ ନିର୍ବାଚନ ପାଇଁ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ସରିବା ପରେ ୩ପ୍ରମୁଖ ଦଳ ନିଜ ଦଳ ସପକ୍ଷରେ ଭୋଟରଙ୍କ ସମର୍ଥନ ପାଇଁ ଦିନରାତି ଏକ କରିଛନ୍ତି । ଯୋଦ୍ଧା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସେନାପତିଙ୍କୁ ଉପ ନିର୍ବାଚନ ଦାୟିତ୍ୱ ଦେଇଛନ୍ତି । ନୂଆପଡା ବ୍ଲକ ଓ ଦୁଇଟି ଏନଏସି ପାଇଁ ସେନାପତି ମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୫୨ ଜଣ ପରେ ୩୩ ଜଣ ନେତାଙ୍କୁ ନିର୍ବାଚନୀ ଦାୟିତ୍ୱ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଦଳର ବରିଷ୍ଠ ନେତା, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ , ଛାମୁଆ ସଂଗଠନ ର କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ଦେଇଚ୍ଛ୍ଚନ୍ତି। ୪୦ଜଣ ଷ୍ଟାର ପ୍ରଚାରକଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି । ଦାୟିତ୍ୱ ପାଇଥିବା ନେତାଙ୍କ ମଧ୍ୟରେ କିଛି ବିବାଦୀୟ ନେତା ଅଛନ୍ତି । ସେମାନେ ହେଲେ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପରି ନେତା। ସେହିପରି ଶାସକ ବିଜେପି ମଧ୍ୟ ସେନାପତି ମାନଙ୍କୁ ଦାୟିତ୍ୱ ଦେବା ସହ ୮ଜଣ ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି । ନୂଆପଡା ଉପନିର୍ବାଚନ ୮ ଟି ଜୋନ ଜଗିବେ ୮ ମନ୍ତ୍ରୀ । ଜୟଜଂଘା ପାଇଁ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଦିଆଯାଇଛି ଦାୟିତ୍ୱ ଦିଆଯାଇଛି । କୋନାଭଇରା ପାଇଁ ବିଭୁତି ଭୂଷଣ ଜେନା । ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ମିଳିଲା ଦାୟିତ୍ୱ । ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ ଙ୍କୁ ଦାୟିତ୍ଵ ଦିଆଯାଇଛି। ଏହି ମନ୍ତ୍ରୀମାନେ ବହୁ ସମୟରେ ବିବାଦରେ ରହିଛନ୍ତି । ସେହିପରି ବିବାଦୀୟ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କୁ ମଧ୍ୟ ଦଳ ଉପ ନିର୍ବାଚନର ଗୁରୁ ଦାୟିତ୍ବ ଦେଇଛି। କଂଗ୍ରେସ କିନ୍ତୁ ଏ ସବୁ କ୍ଷେତ୍ରରେ ବାଛି ବିଚାରି ନିଷ୍ପତ୍ତି ନେଇଛି। ବିବାଦୀୟ ବହୁ ନେତାଙ୍କୁ ନୂଆପଡ଼ା ନିର୍ବାଚନ ରେ ଦୂରେଇ ରହିଛି। ସେ ରମେଶ ଜେନା ହୁଅନ୍ତୁ କି କିଛି ଯୁବ କଂଗ୍ରେସ୍ ନେତ୍ରୀ କି ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କୁ।
ପ୍ରଚାର ଯେତେବେଳେ ଜମିବ ବିବାଦୀୟ ନେତାମାନେ ଦଳର ଭୋଟ ବଢାଇବେ ନା କମାଇବେ ତାହା ଉପରେ ସଭିଙ୍କ ନଜର।

ଫିଲିପାଇନ୍ସରେ ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା ହେଲେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ମାନସିକ ରୋଗ ବିଶେଷଜ୍ଞ

 ନିକଟରେ ଫିଲିପାଇନ୍ସର ମାନିଲା ଠାରେ ଆୟୋଜିତ ହୋଇଥିବା ସମ୍ମାନଜନକ ମିସେସ ୟୁନିଭର୍ସ ଅଫିସିଆଲ୍ ପ୍ରତିଯୋଗିତାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ବରାଳ ମିସେସ୍ ୟୁନିଭର୍ସ ଗ୍ଲୋବାଲ୍ ୨୦୨୫ ଟାଇଟଲ୍ ହାସଲ କରିଛନ୍ତି ।
ମାନସିକ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର କ୍ଷେତ୍ରରେ ନିଜର ସଶକ୍ତ ମତ ଉପସ୍ଥାପନ କରି ଡକ୍ଟର ବରାଳ ମିସେସ ୟୁନିଭର୍ସ ଗ୍ଲୋବାଲ ଟାଇଟଲ୍ ସହିତ ‘ବେଷ୍ଟ ଇନ୍ ଫୋରମ୍‌’ ଟାଇଟଲ୍ ମଧ୍ୟ ହାସଲ କରିଛନ୍ତି ।
ମାନବିକ ଅଧିକାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ନେଇ ସେ ବର୍ତମାନ ବିଶ୍ୱସ୍ତରରେ ମାନବିକ ଅଧିକାର ଦୂତ ଭାବେ ପ୍ରସିଦ୍ଧି ଲାଭ କରିପାରିଛନ୍ତି ।
ବିଶ୍ୱ ଦରବାରରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଡକ୍ଟର ବରାଳ ନିଜର ବାଗ୍ମିତା, ବୁଦ୍ଧିମତା ଓ ସମ୍ବେଦନଶୀଳ ମନୋଭାବ ସହିତ ଦେଶର ସମୃଦ୍ଧ, ସାଂସ୍କୃତିକ ଐତିହ୍ୟକୁ ଅତ୍ୟନ୍ତ ନମ୍ର ଏବଂ ଦୃଢ଼ ବିଶ୍ୱାସର ସହ ଉପସ୍ଥାପନ କରିଥିଲେ । ‘ମାନସିକ ସ୍ୱାସ୍ଥ୍ୟ ଏକ ମୌଳିକ ମାନବାଧିକାର’ ଶୀର୍ଷକ ପ୍ରସଙ୍ଗକୁ ନେଇ ମାନବିକ ଅଧିକାର ଫୋରମରେ ତାଙ୍କ ବକ୍ତବ୍ୟକୁ ଉପସ୍ଥିତ ଦର୍ଶକ ମଣ୍ଡଳୀ ଉତ୍ସାହପୂର୍ଣ୍ଣ ସ୍ୱାଗତ କରିବା ସହ ଏହା କାର୍ଯ୍ୟକ୍ରମରେ ଉଚ୍ଚକୋଟୀର ଉପସ୍ଥାପନା ବୋଲି ପ୍ରଶଂସା କରିଥିଲେ ।
‘ଏହି ଟାଇଟଲ୍ ସେହି ପ୍ରତ୍ୟେକ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କୁ କୁହାଯାଏ ବାସ୍ ବହୁତ ହୋଇଗଲା ଅଥବା ଏହା ଯଥେଷ୍ଟ ନୁହଁ । ମାନସିକ ସ୍ୱାସ୍ଥ୍ୟ ଏକ ଅଧିକାର । କଷ୍ଟରେ ଥିବା ପ୍ରତ୍ୟେକ ସ୍ୱରକୁ ସମ୍ମାନ, ଉପଯୁକ୍ତ ସ୍ଥାନ ଏବଂ ଆଶା ମିଳିବା ଉଚିତ’ ବୋଲି ପ୍ରତିଯୋଗିତାରେ ବିଜେତା ହେବା ପରେ ଡକ୍ଟର ବରାଳ କହିଛନ୍ତି ।
ଗୁରୁବାର ଦିନ ଡକ୍ଟର ବରାଳ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ପ୍ରଫେସର ନାୟକ ତାଙ୍କ ସଫଳତା ନେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ତାଙ୍କର ଉତୋରତର ସଫଳତା କାମନା କରିଥିଲେ । ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨ ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଉପସ୍ଥିତ ଥିଲେ ।
ଜଣେ ମାନସିକ ରୋଗ ବିଶେଷଜ୍ଞ ଲେଖିକା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇନ୍‌ଫ୍ଲୁଏନ୍ସର ଡକ୍ଟର ବରାଳ ଭୁବନେଶ୍ୱରରେ ସ୍ୱୟଂ ମାଇଣ୍ଡ କ୍ଲିନିକ ଆଣ୍ଡ ୱେଲନେସ ସେଂଟରର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି । ମାନସିକ ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ ଓ ଲିଙ୍ଗଭିତିକ ସମାନତାକୁ ନେଇ ଡକ୍ଟର ବରାଳ ଅନେକ କାର୍ଯ୍ୟ କରୁଛନ୍ତି । ସେ ’୩୦ ଡେଜ ଟୁ ଏ ହେଲ୍‌ଦି ମାଇଣ୍ଡ’ ଶୀର୍ଷକ ଏକ ପୁସ୍ତକ ଲେଖିଛନ୍ତି ।
ରୋଗୀଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ବିଶ୍ୱ ଦରବାରରେ ଭାରତକୁ ପ୍ରତିନିଧିତ୍ୱ କରିବା କ୍ଷେତ୍ରରେ ଡକ୍ଟର ବରାଳଙ୍କ ଯାତ୍ରା ବେଶ ମହତ୍ୱପୂର୍ଣ୍ଣ । ପୂର୍ବରୁ ସେ ରାଂଚି ସ୍ଥିତ ସେଂଟ୍ରାଲ ଇନ୍‌ଷ୍ଟିଚୁୃ୍ୟଟ୍ ଅଫ୍ ସାଇକିଆଟ୍ରିରେ ସିନିୟର ରେସିଡେଂଟ ଏବଂ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରିସାରିଥିବା ବେଳେ ସେଠାରେ ମହିଳାମାନଙ୍କ ଯନ୍ତ୍ରଣା ଏବଂ ଶାରିରୀକ ଅସୁସ୍ଥତା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ସେମାନଙ୍କୁ ଚିକିତ୍ସା କରିବାର ଅନୁଭୂତି ତାଙ୍କୁ ସାରା ଜୀବନ ମାନବାଧିକାର ଦିଗରେ କାର୍ଯ୍ୟ କରିବା ନିମନ୍ତେ ଅନୁପ୍ରାଣିତ କରିଛି ବୋଲି ସେ କହିଛନ୍ତି ।
ଗ୍ଲୋବାଲ୍ ହ୍ୟୁମ୍ୟାନ୍ ରାଇଟ୍‌ସ ଆମ୍ବାସାଡର ଭାବେ ତାଙ୍କର ନୂତନ ଦାୟିତ୍ୱକୁ ନେଇ ଡକ୍ଟର ବରାଳ ମାନବିକ ସ୍ୱାସ୍ଥ୍ୟ ଚିକିତ୍ସା, ମାନବିକ ଅଧିକାର ଏବଂ ବିଶ୍ୱ ଶାନ୍ତିକୁ ନେଇ ଆନ୍ତର୍ଜାତିକ ସହଭାଗିତାରେ ବିଭିନ୍ନ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି ।

ବଞ୍ଜାରୀ ଦେବୀ ମନ୍ଦିରରୁ ନୂଆପଡ଼ାରେ ପ୍ରଚାର ଅଭିଯାନ ଆରମ୍ଭ କଲା ବିଜୁ ଜନତା ଦଳ

ବିଜୁ ଜନତା ଦଳ ଗୁରୁବାର ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା’ ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ତଥା ନୂଆପଡ଼ାର ଶାନ୍ତି, ଉନ୍ନତି ଓ ସମୃଦ୍ଧି ପାଇଁ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
ଦଳର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ତଥା ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଯୋଗ ଦେଇ ବଡ଼ ବ୍ୟବଧାନରେ ବିଜେଡିର ବିଜୟ ପାଇଁ ଆହ୍ୱାନ ଜଣାଇଥିଲେ ।
ବିପୁଳ ଜନସମାଗମକୁ ସମ୍ୱୋଧିତ କରି ଶ୍ରୀମତୀ ଛୁରିଆ କହିଥିଲେ ଯେ ନୂଆପଡ଼ାର ସାମଗ୍ରୀକ ବିକାଶ ପାଇଁ ଆଜିଠାରୁ ତାଙ୍କର ଅଭିଯାନ ଆରମ୍ଭ ହେଲା । ସେ କହିଥିଲେ ଯେ, “ବିଜୁ ଜନତା ଦଳ ସଦା ସେବା ଓ ଲୋକକଲ୍ୟାଣ ପାଇଁ କାମ କରୁଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆମର ସ୍ୱାର୍ଥ ବିହୀନ ସେବା ଓ ଜନକଲ୍ୟାଣ ଧାରା ଜାରି ରହିଛି । ବିଜୁ ପଟ୍ଟନାୟକଙ୍କ ଶାସନକାଳରେ ନୂଆପଡ଼ା ଏକ ଜିଲ୍ଲାର ମାନ୍ୟତା ପାଇଥିଲା । ତାଙ୍କର ଦୂରଦୃଷ୍ଟି ଓ ନେତୃତ୍ୱକୁ ଆଜି ମଧ୍ୟ ନୂଆପଡ଼ାବାସୀ ସମ୍ମାନର ସହ ସ୍ମରଣ କରି ଆସୁଛନ୍ତି ।
ସଭାରେ ବକ୍ତବ୍ୟ ରଖି ଦଳର ନେତୃବୃନ୍ଦ ବିଜେପି ନେତୃତ୍ୱର “ଡବଲ୍ ଇଞ୍ଜିନ୍ ସରକାର” ଉପରେ ତୀବ୍ର ଆକ୍ରମଣ କରି କହିଥିଲେ ଯେ ଗତ ୧୬ ମାସ ଧରି ଏହି ସରକାର ନୂଆପଡ଼ାରେ “ଡବଲ୍ ଧ୍ୱଂସ” ଲୀଳା ଚଳାଇଛି । ବିଜେପି ସରକାର ଜନସାଧାରଣଙ୍କ ଆକାଂକ୍ଷା ପୂରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଜିଲ୍ଲାବାସୀଙ୍କ ଆଶା ଓ ଆକାଂକ୍ଷା ପ୍ରତି ବିଜେପି ସରକାର କୁଠାରଘାତ କରିବା ସହିତ ମୌଳିକ ଭିତ୍ତିଭୂମି, ଜନକଲ୍ୟାଣ କାର୍ଯ୍ୟକ୍ରମ ଏବଂ ବିକାଶମୂଳକ ଯୋଜନାକୁ ଅଟକାଇଛି । ଜିଲ୍ଲାବାସୀଙ୍କ ଜୀବନଜୀବିକା ଘୋର ବିପଦରେ ପଡ଼ିଛି । ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଅବନୀ ରଞ୍ଜନ ଜୋଷୀ (ଜିଲ୍ଲା ସଭାପତି, ବିଜେଡି ନୂଆପଡା), ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ, ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଶ୍ରୀ ମନୋଜ ମିଶ୍ର (ସାଧାରଣ ସମ୍ପାଦକ) ଓ ବରିଷ୍ଠ ନେତା ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ ପ୍ରମୁଖ ଉଦ୍ବୋଧନ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ଲାଗି ଆହ୍ୱାନ ଜଣାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ନୂଆପଡ଼ାର ଲୋକମାନେ ବିଜେପି ସରକାରର ଅପାରଗତା ଓ ସମ୍ୱେଦନହୀନତାର ଫଳ ଭୋଗୁଛନ୍ତି । ବରିଷ୍ଠ ବିଜେଡି ନେତା ଶ୍ରୀ ରମେଶ ମାଝୀ, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ରମେଶ ବେହେରା, ଶ୍ରୀ ବିଜୟ ନାୟକ, ଶ୍ରୀମତୀ ସରସ୍ୱତୀ ବାଗ ଓ ଶ୍ରୀମତୀ ସେଫାନଲି ଶର୍ମା ଉପସ୍ଥିତ ରହି ଶ୍ରୀମତୀ ଛୁରିଆଙ୍କ ବିଜୟ ନେଇ ବିଶ୍ୱାସବ୍ୟକ୍ତ କରିଥିଲେ ।
ଏହା ପୂର୍ବରୁ ନୂଆପଡ଼ାର ତନୁଆଟ ସ୍ଥିତ ଆଦିବାସୀ ସମାଜ ଭବନରେ ଏକ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଠାରେ ଅନେକ ଆଦିବାସୀ ନେତା ଓ ସମୁଦାୟ ନିବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳର ଅନେକ ନେତା ଏବଂ କର୍ମୀମାନେ ବିଜୁ ଜନତା ଦଳରେ ଯୋଗଦେଇ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିଲେ ।
ସଭାରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, “ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଆଦିବାସୀ ଲୋକମାନଙ୍କର ଉନ୍ନତି ତଥା କଲ୍ୟାଣ ପାଇଁ ବହୁ ପଦକ୍ଷେପ ନିଆଯାଇଥିଲା । ଆଦିବାସୀ ସମୁଦାୟର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ସାମାଜିକ ନ୍ୟାୟକୁ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ଆଦିବାସୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀମତୀ ଛୁରିଆ କହିଥିଲେ ଯେ ବର୍ତ୍ତମାନର ବିଜେପି ଶାସନକାଳରେ ଆଦିବାସୀ ମାନଙ୍କର ଅଧୋଗତି ଘଟିଛି । ଆଦିବାସୀମାନେ ଆଜି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଆଦିବାସୀ ହଷ୍ଟେଲରେ ଛାତ୍ରୀମାନେ ଗର୍ଭବତୀ ହେଉଥିବା ବେଳେ ନିର୍ଯାତନା, ବଳାକ୍ରାର-ସମ୍ପର୍କିତ ଘଟଣା ବୃଦ୍ଧି ପାଇବାରେ ଲାଗିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ ।
ଆଗାମୀ ଦିନରେ ମଧ୍ୟ ଆଦିବାସୀ ମାନଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ବିଜେଡି ନିଜର ସଂଘର୍ଷ ଜାରି ରଖିବ । ଏହି ଅବସରରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରତାପ ଜେନା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ରମେଶ ମାଝୀ, ଶ୍ରୀ ରମେଶ ବେହେରା, ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ, ଶ୍ରୀ ବିହାରୀଲାଲ ବିଶ୍ୱାଳ, ଶ୍ରୀ ହରପ୍ରସାଦ ମାଝୀ, ଶ୍ରୀ ତେଜରାଜ ଶବର, ଶ୍ରୀ ଲିଲେଶ୍ୱର ମାଝୀ, ଶ୍ରୀ ପର୍ଶୁରାମ ମାଝୀ, ଶ୍ରୀ କପୁରଚନ୍ଦ ମାଝୀ, ଶ୍ରୀ ମାନିକ ମାଝୀ, ଶ୍ରୀ ହୀରାଲାଲ ମାଝୀ, ଶ୍ରୀ ଚଗନ ମାଝୀ ଓ ଶ୍ରୀ ତୀରଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜୁ ଜନତା ଦଳ ନୂଆପଡ଼ାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ଦୃଢ଼ ସଂକଳ୍ପକୁ ଦୋହରାଇ ଜିଲ୍ଲାର ଭବିଷ୍ୟତ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଗତିଶୀଳ ଶାସନ ଓ ଲୋକକଲ୍ୟାଣମୁଖୀ ଦୃଷ୍ଟିକୋଣରେ ଅନ୍ତର୍ନିହିତ ଅଛି ବୋଲି କହିଥିଲା । ଦଳ ନୂଆପଡ଼ାର ପ୍ରତ୍ୟେକ ବର୍ଗର ଲୋକଙ୍କ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକତାର ସହ ବିଜୁ ଜନତା ଦଳ ପଛରେ ଛିଡ଼ା ହେବା ଲାଗି ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news