ସୋଲେ’ ଚଳଚ୍ଚିତ୍ରର ନୂତନ ସଂସ୍କରଣର କ୍ଲାଇମାକ୍ସରେ ଗବର ସିଂହର ମୃତ୍ୟୁ : ଜାଭେଦ ଅଖତର
ପ୍ରସିଦ୍ଧ ହିନ୍ଦୀ ବ୍ଲକ୍ବଷ୍ଟର ସିନେମା ‘ସୋଲେ’ ଏହାର କ୍ଲାଇମାକ୍ସରେ ପରିବର୍ତନ ସହ ଖୁବ୍ ଶୀଘ୍ର ଭାରତର ବିଭିନ୍ନ ସିନେମା ହଲ୍ରେ ରିଲିଜ ହେବାକୁ ଯାଉଥିବା ଶନିବାର ଏଠାରେ ସୂଚନା ଦେଇଛନ୍ତି ପ୍ରଖ୍ୟାତ କବି, ଗୀତିକାର ଓ ସଂଳାପ ଲେଖକ ଜାଭେଦ ଅଖତର । ଅଖତର କହିଛନ୍ତି ଯେ ଏଥର କିନ୍ତୁ ‘ସୋଲେ’ରେ ଦର୍ଶକ ଫିଲ୍ମର କ୍ଲାଇମାକ୍ସରେ ଗବର ସିଂର ମୃତ୍ୟୁ ହେବାର ଦେଖିବାକୁ ପାଇବେ ।
ଆଠଗଡ ଯେଉଁଠି ମୁଁ ସେଇଠି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ଚର୍ଚ୍ଚାରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ) । ଯାହାକୁ ନେଇ ବିଜେପି ଓ ବିଜେଡି ଶିବିର ସହ ରାଜ୍ୟ ରାଜନୀତିରେ ନାନା ଚର୍ଚ୍ଚା ଓ ଆଲୋଚନା । ଏହି ଚର୍ଚ୍ଚା ଭିତରେ ରାଜା ସ୍ବାଇଁ ଗଣମାଧ୍ୟମକୁ ନିଜର ମତ ରଖିଛନ୍ତି । ମନ କୀ ବାତ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାମିଲ ହେବା ଚର୍ଚ୍ଚା ଆଲୋଚନା ଭିତରେ ପ୍ରତିକ୍ରିୟା ରଖି ରାଜା ସ୍ୱାଇଁ କହିଛନ୍ତି
ମୋର ଦିଲ କୀ ବାତ ତୁମେ ଶୁଣିନ, ଆଠଗଡ଼ ଯେଉଁଠି ମୁଁ ସେଇଠି. ଗତକାଲି ଆଠଗଡ଼ ଠାରେ ମନ କୀ ବାତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସାମିଲ ହୋଇଥିଲେ ରାଜା. ଯାହାକୁ ଆରମ୍ଭ ହୋଇଥିଲା ରାଜନୈତିକ ଚର୍ଚ୍ଚା ଆଲୋଚନା । ତେବେ ନିଜ ପୁଅର ଭବିଷ୍ୟତ ପାଇଁ ରାଜା ସ୍ବାଇଁ ଙ୍କ ଆଗାମୀ ରଣନୀତି କଣ ହେବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।
ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ
ସମାଜରେ ଯଦି ଜନଜାତି ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରାଯାଏ ତେବେ ବର୍ତମାନ ସମାଜରେ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ରବିବାର କହିଛନ୍ତି ବିଶିଷ୍ଟ ସାନ୍ତାଳୀ ଲେଖିକା ଶ୍ରୀମତି ଦମୟନ୍ତୀ ବେସ୍ରା ।
ଜନଜାତି ସଂସ୍କୃତିରେ ଯୌତୁକ ପ୍ରଥା ନାହିଁ ଏବଂ ମହିଳାଙ୍କୁ ଆଦିବାସୀ ସମାଜରେ ଅନେକ ସମ୍ମାନ ପ୍ରଦାନ କରାଯାଏ ବୋଲି ତୃତୀୟ ସୋଆ ସାହିତ୍ୟ ଉତ୍ସବର ଦ୍ୱିତୀୟ ଦିନରେ ନିଜ ବକ୍ତବ୍ୟରେ କହିଛନ୍ତି ପଦ୍ମଶ୍ରୀ ପୁରସ୍କାର ବିଜେତା ଶ୍ରୀମତି ବେସ୍ରା ।
ଓଡ଼ିଶାର ଜନଜାତି ସମ୍ପ୍ରଦାୟ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିଥାନ୍ତି ଏବଂ ଓଡ଼ିଶାର ସଂସ୍କୃତି ଆଦିବାସୀମାନଙ୍କର ଜୀବନଶୈଳୀର ଅନୁଶୀଳନ ବୋଲି ଶ୍ରୀମତି ବେସ୍ରା କହିଛନ୍ତି । ଜନଜାତି ସମ୍ପ୍ରଦାୟ ତିନି ମୂର୍ତୀ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ତାଙ୍କର ଭଉଣୀ ଦେବୀ ସୁଭଦ୍ରାଙ୍କୁ ଆରାଧନା କରିଥାନ୍ତି । ସାରା ରାଜ୍ୟର ସାନ୍ତାଳ, କନ୍ଧ ଏବଂ ଶବର ସମ୍ପ୍ରଦାୟ ମଧ୍ୟ ତିନି ଠାକୁରଙ୍କୁ ଆରାଧ୍ୟ ଦେବତା ଭାବେ ବିବେଚନା କରିଥାନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ ୬୪ଟି ଜନଜାତି ଭାଷାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଉ ନଥିବାରୁ ଚିନ୍ତା ବ୍ୟକ୍ତ କରିବା ସହ ଏହା ଫଳରେ ଆଦିବାସୀ ପିଲାମାନେ ଏହି ସବୁ ଭାଷାର ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି ବୋଲି ସେ ଉଦ୍ବେଗ ପ୍ରକାଶ କରିଥିଲେ ।
ସମାରୋହର ଦ୍ୱିତୀୟ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଜରୁରୀ କାର୍ଯ୍ୟବଶତଃ ସେ ଯୋଗ ଦେଇ ପାରିନଥିଲେ । ମୁଖ୍ୟମନ୍ତ୍ରୀ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବାରୁ ସୋଆ ବିଶ୍ୱବିଦ୍ୟାଳୟକୁ ଏକ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।
ନିଜ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଏବଂ ଗୋଟିଏ ଜାତିର ପରିଚୟ ସୃଷ୍ଟି କରିବାରେ ଭାଷାର ଯେତିକି ଭୂମିକା ରହିଛି, ଠିକ ସେମିତି ଭୂମିକା ରହିଛି ଲେଖକଙ୍କର ।
ସାହିତ୍ୟ ଉତ୍ସବର ପ୍ରସଙ୍ଗ ‘ସଂସ୍କୃତି, ସୃଜନଶୀଳତା ଏବଂ କୃତ୍ରିମ ବୁଦ୍ଧିମତା’କୁ ସମୟ ଉପଯୋଗୀ ବୋଲି କହିବା ସହ ଏହି ଉତ୍ସବରେ ଯୋଗ ଦେଇଥିବା ଲେଖକ, କବି ଓ ବକ୍ତାମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସୋଆର ଏଭଳି ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ ବୋଲି ଶ୍ରୀ ମାଝୀ କହିଥିଲେ ।
ଚଳିତ ବର୍ଷ ଆରମ୍ଭ କରାଯାଇଥିବା ସୋଆ ଯୁବ ସାହିତ୍ୟ ପୁରସ୍କାର ଯୁବ ସାହିତ୍ୟିକ ଶ୍ରୀ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆ ପୁଚି ନାରଙ୍ଗ’ ନିମନ୍ତେ ପ୍ରଦାନ କରାଯାଇଥିଲା ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଶ୍ରୀ ତ୍ରିପାଠୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଶ୍ରୀ ତ୍ରିପାଠୀଙ୍କୁ ଏକ ରୌପ୍ୟ ଫଳକ, ମାନପତ୍ର, ଉତରୀୟ ଏବଂ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।
ସମ୍ମାନ ଗ୍ରହଣ କରିବା ଅବସରରେ ନିଜ ଭାଷଣରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଆମେ ସମସ୍ତେ ଅସହିଷ୍ଣୁତା, ଆତ୍ମଗର୍ବ ଓ ଆତ୍ମମୁଗ୍ଧତାର ଗୋଲକଧନ୍ଦା ଭିତରୁ ବାହାରିବାର ଆବଶ୍ୟକତା ରହିଛି । ସାହିତ୍ୟ ଏବଂ ଶିକ୍ଷା ହିଁ ସମାଜକୁ ସୁଦୃଢ଼ କରିପାରିବ ବୋଲି ସେ କହିଥିଲେ ।
ଦୁଇ ଦିନିଆ ସାହିତ୍ୟ ଉତ୍ସବର ମୁଖ୍ୟ ପ୍ରସଙ୍ଗ ଏଆଇ ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଆମ ମଣିଷମାନଙ୍କର ହୃଦୟ ଏବଂ ଭାବାବେଗ ରହିଛି । ତେଣୁ ଏଆଇ ଆମକୁ କବଳିତ କରିପାରିବ ନାହିଁ ।
ନିଜ ଅଭିଭାଷଣରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଥିଲେ ଯେ ସାହିତ୍ୟ ଏବଂ ସଂସ୍କୃତିକୁ ଅଣଦେଖା କରି କୌଣସି ସମାଜ ଅଗ୍ରଗତି କରିପାରିବ ନାହିଁ । ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆଗ୍ରହକୁ ବୃଦ୍ଧି କରିବା ହିଁ ଏଭଳି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।
ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ଓ ଅଧିକ୍ଷକ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ଓ ମୁଖ୍ୟ ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।
ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ଶବ୍ଦର ଯାଦୁକର ଜାଭେଦ ଅଖତର
ସୋଆ ସାହିତ୍ୟ ଉତ୍ସବର ତୃତୀୟ ସଂସ୍କରଣ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କ ଦ୍ୱାରା ଶନିବାର ଉଦ୍ଘାଟିତ ହୋଇଯାଇଛି । ଏହି ସାହିତ୍ୟ ଉତ୍ସବକୁ ଉଦ୍ଘାଟନ କରିବା ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଯଦିଓ ବୈଷୟିକ ଜ୍ଞାନ କୌଶଳ ପରିବ୍ୟାପ୍ତ ହେବାରେ ଲାଗିଛି ଏବଂ ମଣିଷର ସମ୍ପର୍କକୁ ପ୍ରଭାବିତ କରୁଛି ତଥାପି ଏହା ମଣିଷର ଅନୁଭୂତିର ଗଭୀରତାକୁ ପୁନସ୍ଥାପନ କରିପାରିବ ନାହିଁ ।
ବର୍ତମାନ ସମୟରେ କୃତ୍ରିମ ବୁଦ୍ଧିମତା ଯୋଗାଯୋଗ, ସର୍ଜନଶୀଳତା ଏପରିକି ମଣିଷର ସମ୍ପର୍କକୁ ପ୍ରଭାବିତ କରିବାରେ ଲାଗିଛି ତେବେ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ ରହିଥିଲେ ମଧ୍ୟ ମଣିଷ ଏବେ ବି ସମାନୁଭୂତି, ନୈତିକ ବିଚାର ଏବଂ କଳ୍ପନା କରିବାର ଶକ୍ତି ଉପରେ ନିର୍ଭର କରୁଛି ବୋଲି ରାଜ୍ୟପାଳ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଆୟୋଜିତ ୨-ଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍ଘାଟନ ଅବସରରେ କହିଛନ୍ତି ।
ସମାରୋହରେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତର ଯୋଗ ଦେଇଥିବା ବେଳେ ତାଙ୍କୁ ଏହି ଅବସରରେ ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଖତରଙ୍କୁ ଏକ ମାନପତ୍ର, ଉତରୀୟ, ଦେବୀ ସରସ୍ୱତୀଙ୍କ ଏକ ରୌପ୍ୟ ମୂର୍ତିୀ ଏବଂ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା, ସର୍ଜନଶୀଳତା ଏବଂ ବୌଧିକ ଗଭୀରତାର ଦକ୍ଷତା ଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରତି ବର୍ଷ ଏହି ସମ୍ମାନ ପ୍ରଦାନ କରାଯିବ ।
ତୃତୀୟ ସୋଆ ସାହିତ୍ୟ ଉତ୍ସବ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି ସାହିତ୍ୟ ଉତ୍ସବ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷର୍ ଏହି ଉତ୍ସବରେ ସାରା ଦେଶରୁ ୧୦୦ ରୁ ଊର୍ଦ୍ଧ୍ୱ କବି, ଲେଖକ, ଔପନ୍ୟାସିକ, ଚିତ୍ରକର, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ଏହି ଦୁଇ ଦିନିଆ ସାହିତ୍ୟ ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ।
ବୈଷୟିକ ଉଦ୍ଭାବନ ମଣିଷର ସର୍ଜନଶୀଳତା ଓ ସାହିତ୍ୟ ଉପରେ କିଭଳି ପ୍ରଭାବ ପକାଉଛି ତାହା ହିଁ ଚଳିତ ବର୍ଷର ଏହି ସାହିତ୍ୟ ଉତ୍ସବର ପ୍ରସଙ୍ଗ ରହିଛି । ପ୍ରସଙ୍ଗଟି ହେଉଛି ‘କଲ୍ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’ ଅର୍ଥାତ୍ ‘ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା’ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ, ନୁଆଦିଲ୍ଲୀର ପୂର୍ବତନ ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଏବଂ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିବା ସହ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବା ପରିପ୍ରେକ୍ଷୀରେ ଶୁଭେଚ୍ଛା ଜଣାଇଥିଲେ । ପ୍ରାଚୀନର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ଡାଇରେକ୍ଟର ଏବଂ କ୍ୟୁରେଟର ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୋଆ ଛାତ୍ରମଙ୍ଗଳ ଡିନ୍ ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟପାଳ ଡକ୍ଟର କମ୍ଭମପତି ଜାଭେଦ ଅଖତରଙ୍କୁ ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ କରିବା ପରିପ୍ରେକ୍ଷୀରେ ଶୁଭେଚ୍ଛା ଜଣାଇବା ସହ ଜଣେ କବି, ସଂଳାପ ଲେଖକ ଓ ଗୀତିକାର ଭାବେ ଦୀର୍ଘ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କର ଉଲ୍ଲେଖନୀୟ ଅବଦାନ ଭାରତର ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ସେ ଭାରତୀୟ ସାହିତ୍ୟ ଏବଂ ସିନେମାରେ ମଣିଷର ଆବେଗର ଭାଷାକୁ ବେଶ ସୁନ୍ଦର ଭାବେ ପ୍ରସ୍ଫୁଟିତ କରିଥିବା ରାଜ୍ୟପାଳ କହିଥିଲେ ।
ପ୍ରଥମ ବର୍ଷ ଅଖତରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଏହା ପୁରସ୍କାରର ମାନକୁ ସମୃଦ୍ଧ କରିଛି ବୋଲି ରାଜ୍ୟପାଳ କହିଛନ୍ତି ।
ସୋଆ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ଉଠିଛି ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ପ୍ରାଚୀନ ଦ୍ୱାରା କରାଯାଉଥିବା ଗବେଷଣା, ଡିଜିଟାଇଜେସନ୍ ଓ ସଂରକ୍ଷଣ କାର୍ଯ୍ୟ ବେଶ ପ୍ରଶଂସନୀୟ । ସମ୍ବର୍ଦ୍ଧିତ ହେବା ପରିପ୍ରେକ୍ଷୀରେ ଅଖତର କହିଥିଲେ ଯେ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇ ସେ ଖୁବ୍ ଆନନ୍ଦିତ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ନିମନ୍ତେ ଆମନ୍ତ୍ରିତ କରାଯିବା ତାଙ୍କ ପାଇଁ ଏକ ସମ୍ମାନ ବୋଲି ସେ କହିଥିଲେ ।
ଭାଷା, ସଂସ୍କୃତି, ପୁରାଣ, କବିତା ଏବଂ କଳାକୁ ମହାନ ସଂସାଧନ ବୋଲି ଅଭିହିତ କରି ଅଖତର କହିଥିଲେ ଯେ ଭାରତ ଯେତେବେଳେ ସ୍ୱାଧୀନତା ଲାଭ କଲା ସେତେବେଳେ ଦେଶର ଗୋଟିଏ ଛୁଂଚି ମଧ୍ୟ ପ୍ରସ୍ତୁତ କରିବାର କ୍ଷମତା ନ ଥିଲା । କିନ୍ତୁ ବର୍ତମାନ ଏହା ବିଶ୍ୱର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଷ୍ଟ୍ର ।
କିନ୍ତୁ ଏହି ସଫଳତା ଭିତରେ ଆମେ ଆମର କିଛି ବସ୍ତୁକୁ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଭାବି ପ୍ଲାଟଫର୍ମରେ ଛାଡି ଦେଇ ଆସିଛୁ । ଆମେ ଭାବିବା ଆରମ୍ଭ କରିଦେଇଛୁ ଯେ ଆମେ ଆମ ସହିତ ସବୁକିଛି ସାଂଗରେ ନେଇ ଚାଲି ପାରିବୁ ନାହିଁ । ଏହା ମଧ୍ୟରୁ ଆମ ସଂସ୍କୃତି ଅନ୍ୟତମ ବୋଲି ସେ କହିଥିଲେ ।
ଏହି ଅବସରରେ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କ ପୁସ୍ତକ ‘ଦୟାନଦୀ’ର ଇଂରାଜୀ ଅନୁବାଦ ‘ରିଭର ଦୟା’ ଏବଂ ପ୍ରାଚୀନ ପକ୍ଷରୁ ପ୍ରକାଶିତ ତିନୋଟି ପୁସ୍ତକ ‘ସାରୋଳଦାସ ମହାଭାରଥ‘ ର ଦୁଇଟି ସଭାପର୍ବ ଏବଂ ମଧ୍ୟପର୍ବ ଉନ୍ମୋଚିତ ହୋଇଥିଲା ।
କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ବରେ ଅଖତରଙ୍କୁ ଅଭିନେତ୍ରୀ ତଥା ପ୍ରଯୋଜିକା ବାନୀ ତ୍ରିପାଠୀ ଟିକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ସୋଆର ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତର ଦେଇଥିଲେ । ଆର୍ଟିଫିସିଆଲ ଇନ୍ଟେଲିଜେନ୍ସ ଅର୍ଥାତ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତର ଦେଇ ଅଖତର କହିଥିଲେ ଯେ ବୈଷୟିକ ଜ୍ଞାନକୌଶଳର କୌଣସି ନୈତିକତା ନାହିଁ । ଏହାକୁ ଆମେ କିଭଳି ବ୍ୟବହାର କରୁଛୁ ତାହା ଉପରେ ସବୁ ନିର୍ଭର କରେ । ଆଣବିକ ଶକ୍ତିର ଉଦାହରଣ ଦେଇ ସେ କହିଥିଲେ ଯେ ଏହାକୁ ଆମେ ଉଭୟ ଭଲ ଏବଂ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବୁ ।
ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସରେ ଭରି ରହିଥିବା ସଂସାଧନ ମନ୍ଦ ନୁହେଁ । ଆମେ ଯଦି ଇତିହାସ ପୃଷ୍ଠା ଦେଖିବା ମଣିଷ ସମସ୍ତ ଆବିଷ୍କାରକୁ ନେଇ ଭୟଭୀତ ହେଉଥିଲା । ଏପରିକି ରେଳ ଇଞ୍ଜିନ୍କୁ ସୈତାନର ବାହନ ବୋଲି କୁହାଯାଉଥିଲା । ତେବେ ବର୍ତମାନ ସମୟରେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସରେ ସର୍ଜନଶୀଳତା ରହିଥିବା କୁହାଯାଇ ପାରିବ ନାହିଁ ବୋଲି ଅଖତର କହିଛନ୍ତି । ବର୍ତମାନ ସମୟରେ ଏହାର ନିଜସ୍ୱ ପରିସୀମା ରହିଛି ଏବଂ ଏହା ତଥ୍ୟ ଉପରେ ନିର୍ଭରଶୀଳ । ଭବିଷ୍ୟତରେ କ’ଣ ଘଟିବ ତାହା ଆମେ ବର୍ତମାନ କହିପାରିବା ନାହିଁ । କିନ୍ତୁ ବର୍ତମାନ ସମୟରେ ମଣିଷର ସର୍ଜନଶୀଳତାକୁ ନେଇ କୌଣସି ଆହ୍ୱାନ ନାହିଁ ବୋଲି ଅଖତର କହିଥିଲେ ।
ଜୟ ନାରାୟଣଙ୍କୁ ଗଣେଶ୍ୱର ହୁଇସିଲ ଚ୍ୟାଲେଞ୍ଜ
ଜୟ ନାରାୟଣ ଗନେଶ୍ୱରଙ୍କ ହୁଇସିଲ ଚ୍ୟାଲେଞ୍ଜ
୨୦୨୪ ଜୁନ୍ ୪ ତାରିଖ ପରେ ଯେତେବେଳେ ଗଣମାଧ୍ୟମରେ ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ବୟାନ ରଖନ୍ତି ସେତେବେଳେ ବିଜେଡିକୁ ନେଇ ଗୋଟିଏ କଥା ବାରମ୍ୱାର କହି ଚାଲନ୍ତି ଜୟ ନାରାୟଣ ମିଶ୍ର ହୁଇସିଲ ମାରିଲେ ବିଜେଡ଼ି ଭାଙ୍ଗି ଯିବ। ଏହାର କଡା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା।
ଜୟ ନାରାୟଣଙ୍କୁ ହୁଇସିଲ ମାରିବାକୁ ବିଧାନସଭା ପରିସରରେ
ଆହ୍ଵାନ ଗଣେଶ୍ଵର। ସେ କହିଛନ୍ତି ବାରମ୍ୱାର କହିବା ଅପେକ୍ଷା ଥରେ ମାରିଥରେ ଦେଖନ୍ତୁ ଜୟ ନାରାୟଣ। ଗଣମାଧ୍ୟମ ଆଗରେ ଅବାସ୍ତବ କଥା କହୁଛନ୍ତି ଜୟନାରାୟଣ ବୋଲି ଗଣେଶ୍ୱର କହିଚ୍ଚନ୍ତି। ଏହାସହ ଜୟ ନାରାୟଣ ବରଂ ଚେତାଇ ଦେଇଛନ୍ତି ଆଗକୁ ବିଜେଡ଼ି ସଂଗଠିତ ହୋଇ ପୁଣି ଫେରିବ।ସେପଟେ ଗଣେଶ୍ଵରଙ୍କୁ କଡ଼ା କାଉଣ୍ଟର କଲେ ଜୟନାରାୟଣ। ବିଜେପି ବିଧାୟକ ଜୟନାରାୟଣ କହିଛନ୍ତି ଗଣେଶ୍ଵର ନୂଆ ନୂଆ କଂଗ୍ରେସ ଛାଡି ବିଜେଡ଼ି କୁ ଆସିଛନ୍ତି। ନୂଆ ମୁଲ୍ଳା କରତା ଜ୍ୟାଦା ହାଲ୍ଲା। ବିଜେଡ଼ି ଆଉ ନାହିଁ। ଅଣ କଂଗ୍ରେସ ସବୁ ବିଜେପି କୁ ଆସୁଛନ୍ତି। ସେଥିପାଇଁ ମୁଁ କହୁଛି ହୁଇସିଲ ମାରିଲେ ବିଜେଡ଼ି ଭାଙ୍ଗିଯିବ। ଆମେ ଏବେ ଚାହିଁ ନାହୁଁ। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଗଣେଶ୍ଵର ବେହେରା ଓ
ଜୟନାରାୟଣ ମିଶ୍ର ।
ପ୍ରେସ ଗ୍ୟାଲେରୀରେ ଅରୁଣ
ଅରୁଣ ସାହୁ। ବିଜେଡିର ବରିଷ୍ଠ ବିଧାୟକ ସବୁବେଳେ ନିଜର ନିଆରା ଅମଦାଜ୍ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ଓଡ଼ିଶା ରାଜନୀତିରେ ଯେଉଁ କେତେ ଜଣ ବିଧାୟକ ସବୁବେଳେ ସାମ୍ବାଦିକଙ୍କ ସହ ସମୟ କାଟିବାକୁ ଭଲ ପାଆନ୍ତି ତାଙ୍କ ଭିତରୁ ନୟାଗଡ଼ ବିଧାୟକ ଅରୁଣ ସାହୁ ଅନ୍ୟତମ। ବିଧାନସଭା ଯେତେବେଳେ ଚାଲିଥାଏ ସେ ଶାସକ ଦଳରେ ଥାଆନ୍ତୁ କି ବିରୋଧୀ ଦଳରେ। ଅରୁଣସାହୁ କିନ୍ତୁ ପ୍ରେସ ଗ୍ୟାଲେରୀକୁ ଆସିବାକୁ କେବେ ଭୁଲନ୍ତି ନାହିଁ। ପ୍ରେସ ଗ୍ୟାଲେରୀରେ ସାମ୍ବାଦିକମାନଙ୍କ ସହ ବେଶ କିଛି ସମୟ ବିତାଇଥାଆନ୍ତି । ସବୁ ଅଧିବେଶନରେ ପ୍ରେସ ଗ୍ୟାଲେରୀକୁ ଆସି ସାମ୍ବାଦିକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥାନ୍ତି ସେ । ଏଥର ବିଧାନସଭାରେ କେଉଁ ପ୍ରସଙ୍ଗ ଉଠିବା ଦରକାର କେଉଁଠି ଶାସକ ଦଳର ଭୂଲ ରହୁଛି, କଣ ଦୁର୍ବଳତା ରହିଛି ବିରୋଧୀ ଦଳ ପାଖରେ ତାହା ବି ସାମ୍ବାଦିକଙ୍କ ଠାରୁ ପଚାରିବୁଝନ୍ତି। ଗୃହରେ ବିଭିନ୍ନ ପ୍ରସଂଗରେ ସେ ବାଢୁୁଥିବା ଯୁକ୍ତି ଠିକ୍ ହେଉଛି କି ନାହିଁ ତାହା ପ୍ରେସ ଗ୍ୟାଲେରୀରେ ଥିବା ବରିଷ୍ଠ ଓ କନିଷ୍ଠ ସାମ୍ବାଦିକଙ୍କ ଠାରୁ ବୁଝନ୍ତି।
ଏସବୁ ଛାଡ଼ି ସାମ୍ବାଦିକଙ୍କ ସହ ବିଭିନ୍ନ କଥାକୁ ନେଇ ମଜାମସ୍ତି ମଧ୍ୟ କରନ୍ତି । ସେଥିପାଇଁ ସାମ୍ବାଦିକଙ୍କ ପ୍ରିୟ ହୋଇପାରିଛନ୍ତି ବିଧାୟକ ଅରୁଣ ସାହୁ।
ଲୋକଙ୍କୁ ଲୁଟୁଛି ଟାଟା ପାୱାର
ବିଧାନସଭାରେ ଟାଟା ପାୱାର ଝଡ଼। ଓଡ଼ିଶାର ଲୋକଙ୍କୁ ଟାଟା ପାୱାର କିପରି ଲୁଟ କରୁଛି ତାହା ଶୂନ୍ୟକାଳରେ ବିଜେଡି ବିଧାୟକ ଶାରଦା ଜେନା ଉଦାହରଣ ଦେଇ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ OERC ରିପୋର୍ଟ କହୁଛି ରାଜ୍ୟର ବିଦ୍ୟୁତ୍ ଉପଭୁକ୍ତା ମାନଙ୍କ ଠାରୁ ଟାଟା ପାୱାର ଅର୍ଥ ଲୁଟିଛି । ଟାଟା ପାୱାରର 4 ବିଦ୍ୟୁତ୍ ବିତରକ ସଂସ୍ଥା ଉପଭୋକ୍ତାଙ୍କ ଠାରୁ ୧ ହଜାର ୬୫ କୋଟି ଟଙ୍କା ଠକିଛନ୍ତି । ୟୁନିଟ୍ ପିଛା ୩୬ ପଇସା ହିସାବରେ ଲୁଟିଛନ୍ତି । ସେହି ସଂସ୍ଥା ଗୁଡ଼ିକ ବିରୋଧରେ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ହିତାଧିକାରୀ ମାନଙ୍କୁ ସୁଧ ସହ ଟଙ୍କା ଫେରାଇବାକୁ ଦାବି କଲେ ବିଜେଡ଼ି ବିଧାୟକ ଶାରଦା ପ୍ରସନ୍ନ ଜେନା । ବାରମ୍ବାର ଟାଟା ପାୱାର ବିରୁଦ୍ଧରେ ଅଭିଯୋଗ ହେଉଥିଲେ ମଧ୍ୟ ଲୋକଙ୍କ ସରକାର କାହିଁକି ଚୁପ୍ ଅଛନ୍ତି ବୋଲି ସାଧାରଣ ପ୍ରଶ୍ନ ଉଠିଛି।
ବିଧାନସଭାରେ ବିରୋଧୀ ବି ମନ୍ତ୍ରୀ ପୃଥିବୀରାଜ କଲେ ତାରିଫ
ସାଧାରଣ ତ ଦେଖାଯାଏ ଯେ ପୂର୍ତ୍ତ ଓ ନିର୍ମାଣ ବିଭାଗ କାମକୁ ନେଇ ସବୁବେଳେ ଅଭିଯୋଗ ଥାଏ। ବିଧାୟକମାନେ ବିଧାନସଭା ସମୟରେ ଅଭିଯୋଗ ପରେ ଅଭିଯୋଗ କରନ୍ତି । ହେଲେ ଏଥର ଅଧିବେଶନରେ ଟିକେ ବ୍ୟତିକ୍ରମ ଦେଖାଦେଇଛି। ହେଲେ ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ନିର୍ମାଣ ବିଭାଗର ପ୍ରଶ୍ନକାଳରେ ଶାସକ ତ ଶାସକ ବିରୋଧୀ ଦଳର ବିଧାୟକ ମାନେ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି । ବିରୋଧୀ ବିଧାୟକ ଗଣେଶ୍ୱର ବେହେରା, ଅଶ୍ୱନି ପାତ୍ର, ଧ୍ରୁବ ସାହୁ ବିଭାଗର କାମ ପାଇଁ ପୂର୍ତ୍ତ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମନ୍ତ୍ରୀ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ଯାହା ଆଜି ଚର୍ଚ୍ଚାର ବିଷୟ । ଶାସକ ଦଳ ବିଧାୟକ ମଧ୍ୟ ଧନ୍ୟବାଦ ଦେଇଥିଲେ। ମୋହନ ଙ୍କ ମନ୍ତ୍ରୀ ମଣ୍ଡଳର ଦକ୍ଷ ମନ୍ତ୍ରୀ ଭାବେ ପୁଥିବୀରାଜ ହରିଚନ୍ଦନ ।
ମନ୍ତ୍ରୀ ଓ ଶାସକ ବିଧାୟକ କଥା କଟାକଟି
()ବାଲେଶ୍ଵର ରିଂ ରୋଡ ସ୍ଥିତି ନେଇ ପ୍ରଶ୍ନକାଳରେ କଥା କଟାକଟି ହୋଇଛନ୍ତି ନିର୍ମାଣ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଓ ବିଜେପି ବିଧାୟକ ମାନସ ଦତ୍ତ। ବିଭାଗର କାମ ଶୀତଳତା ଗତିରେ ଚାଲିଥିବା କଥା କହିଥିଲେ ବିଧାୟକ । ତେଣୁ ବିଭାଗ କାର୍ଯ୍ୟକୁ ଅଧିକ ତ୍ଵରାନିତ କରିବାକୁ ଦାବି କରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଥିଲେ ବିଧାୟକ ଯେଉଁ ଶୀତଳତା କଥା କହୁଛନ୍ତି ମୋ ବିଭାଗ କେବେ ଶୀତଳତା ନାହିଁ। କାମ ଜୋରଦାର ଚାଲିଛି। ସେହିପରି ଶାସକ ବିଧାୟକ ପଦ୍ମଲୋଚନ ପଣ୍ଡା ମଧ୍ୟ ରାସ୍ତାକାମ ବାରମ୍ବାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କାମ ହେଉନାହିଁ। ୫୦ଥର ମନ୍ତ୍ରୀଙ୍କୁ କହିବା ପରେ ମଧ୍ୟ କାମ ହେଉନଥିବା ବିଧାୟକ ଅଭିଯୋଗ କରିଥିଲେ । ମନ୍ତ୍ରୀ କହିଲେ ସେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇସାରିଛି କାମ ହେବ ।ଅନ୍ୟପଟେ ଗୃହରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ପ୍ରଶଂସା କଲେ ପୂର୍ତ୍ତ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ. ବିଜେଡିର ଏହି ବରିଷ୍ଠ ବିଧାୟକ ନିଜ ଅଞ୍ଚଳର ପ୍ରକଳ୍ପ ଗୁଡିକ ପାଇଁ ବ୍ୟକ୍ତିଗତ ଭାବେ ମାସକୁ ମାସକୁ ପୂର୍ତ୍ତ ମନ୍ତ୍ରୀଙ୍କ ଆଲୋଚନା କରୁଥିବାରୁ କାମ ତୀବ୍ର ଗତିରେ ହୋଇ ପାରୁଛି. ଏପରି ଅନ୍ୟ ସମସ୍ତ ବିଧାୟକ କଲେ, ପ୍ରକଳ୍ପ କାମ ଠିକ ଭାବେ ଆଗେଇ ପାରିବ ବୋଲି ପୂର୍ତ୍ତ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି । ନିର୍ମାଣ କାମକୁ ନେଇ ଖୋଦ ଶାସକ ଦଳର ବିଧାୟକ ପ୍ରକଳ୍ପ କାର୍ଯକାରୀତାକୁ ନେଇ ପ୍ରଶ୍ନ ଉଠାଇବା ଆଜି ପ୍ରଶ୍ନକାଳରେ ଚର୍ଚ୍ଚାର ବିଷୟ ।
ଭୁବନେଶ୍ବର ରେ ପହଁଞ୍ଚିଲେ ଶବ୍ଦର ଯାଦୁକର ଜାଭେଦ ଅଖତର
ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ହେବେ ସମ୍ବର୍ଦ୍ଧିତ
ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରର ଉଜ୍ୱଳ ତାରକା, ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରାଯିବ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ
ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ ।
ଏହି ସମ୍ମାନ ଗ୍ରହଣ କରିବା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଂଚି ଛନ୍ତି ଜାଭେଦ ଅଖତର । ସମ୍ମାନ ଗ୍ରହଣ କରିବା ନେଇ ଜାଭେଦ ଅଖତର ନିଜେ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ସୂଚନା ଦେଇ ଥିଲେ ।
ଅଖତର ଏକାଧାରରେ ଜଣେ ସଂଳାପ ଲେଖକ, ଗୀତିକାର, କବି ଏବଂ ଚିନ୍ତକ । ତାଙ୍କର ଲେଖନୀ ଆଧୁନିକ ଭାରତର ଭାବପ୍ରବଣ ଓ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଆସିଛି । ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିଛି ।
ବିଶିଷ୍ଟ ଊର୍ଦ୍ଦୁ କବି ଓ ସଂଳାପ ଲେଖକ ଜାନ ନିସାର ଅଖତର ଏବଂ ଶିକ୍ଷୟତ୍ରୀ ଓ ଲେଖିକା ସାଫିଆ ଅଖତରଙ୍କ ସୁପୁତ୍ର ଜାଭେଦ ଅଖତରଙ୍କ ସାତ ପିଢ଼ି ସାହିତ୍ୟ ସାଧନାରେ ଜଡ଼ିତ ରହିଥିବାର ସୂଚନା ରହିଛି । ପାଂଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମ ଭୁଷଣ ଓ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କର କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି । ଭାରତୀୟ ସିନେମାର ଶବ୍ଦର ଯାଦୁକର ଭାବେ ପରିଚିତ ଜାଭେଦ ଅଖତରଙ୍କ ସାହିତ୍ୟ କୃତି ଯୁବପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରି ଆସିଛି ।
ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା ।
ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଲେଖକ, କବି, ଚିତ୍ରକାର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନିଆ ଏହି ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି














