ମୁଁ ବିଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ ରହିଆସିଛି । ମୋର ସଦାସର୍ବଦା ଏହି ବିଶ୍ୱାସ ରହିଛି ଯେ, ଗୋଟିଏ ସଶକ୍ତ, ସମାବେଶୀ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ଗୋଟିଏ ସଶକ୍ତ ରାଷ୍ଟ୍ରର ଆଧାରଶୀଳା ।
ମୁଁ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କର ନ୍ୟାୟୋଚିତ ଅପେକ୍ଷାକୁ ଗଭୀର ସମ୍ମାନ କରେ । ଭାରତର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କ ରାଜନୈତିକ ଏବଂ ସାମାଜିକ ଜୀବନର ନୈତିକ ସଂକଳ୍ପ ରହିଆସିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ରାଷ୍ଟ୍ରର ସେବା କରିବାର ଯେଉଁ ସୁଯୋଗ ମୋତେ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଜୀଙ୍କୁ କୃତଜ୍ଞତା ଜଣାଉଛି ।
କିନ୍ତୁ ୩ ମଇ ୨୦୨୬ରେ ହୋଇଥିବା NEET-UG ପରୀକ୍ଷାରେ ଅନିୟମିତତା ନଜରକୁ ଆସିଥିଲା। ଭାରତ ସରକାର ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଭାର CBIକୁ ହସ୍ତାନ୍ତର କଲେ, ପରୀକ୍ଷାକୁ ବାତିଲ କଲେ ଏବଂ ପୁନଃ ପରୀକ୍ଷାର ତାରିଖ ଘୋଷଣା କଲେ । ଏହା ସହିତ ଆସନ୍ତା ବର୍ଷ ଠାରୁ ଏହି ପରୀକ୍ଷାକୁ CBT (Computer-based-test) ମୋଡ୍ରେ କରାଇବାକୁ ନିଷ୍ପତ୍ତି ନିଆଗଲା।
ଏହି ସମୟ ମଧ୍ୟରେ ଆମର ମୁଖ୍ୟ ପ୍ରାଥମିକତା ଥିଲା ଯେ, ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯେପରି ସୁଚାରୁରୂପେ ଆୟୋଜିତ ହୋଇପାରିବ । ଏଥିପାଇଁ Whole of Government Approach ଅଧୀନରେ କାମ କରାଗଲା । ଏଥିରେ ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର, ବିଶେଷକରି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହା ସହିତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପିତାମାତାଙ୍କ ସହଯୋଗରେ ୨୧ ଜୁନ୍ ୨୦୨୬ରେ ଏହି ପରୀକ୍ଷା ସମ୍ପୂର୍ଣ୍ଣ ହେଲା।ପ୍ରଥମ ଦିନରୁ ହିଁ, ଏହା ଉପରେ ମୁଁ ନିଜେ ଦାୟିତ୍ୱ ନେଲି ଏବଂ ଏହି ପରିସ୍ଥିତିରୁ କେବେହେଲେ ମୁହଁ ଫେରାଇ ନାହିଁ । ମୋର ଏହି ସଂକଳ୍ପ ଥିଲା ଯେ, ଆମେ କୌଣସି ବି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ଯୋଗୁଁ ନଷ୍ଟ ହେବାକୁ ଦେବୁ ନାହିଁ ଏବଂ କୌଣସି ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ଦେବୁ ନାହିଁ ।
୧୬ ଜୁଲାଇରେ ଘୋଷିତ ନିଟ୍-ୟୁଜି ଫଳାଫଳ ସନ୍ତୋଷଜନକ ରହିଥିଲା, ଯେଉଁଥିରେ ଗରିବ ପୃଷ୍ଠଭୂମିରୁ ଆସିଥିବା ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫଳତା ମିଳିଛି ।
କିନ୍ତୁ ଏହି ସମୟ ମଧ୍ୟରେ ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ପଦବୀରେ ବସିଥିବା ବ୍ୟକ୍ତିବିଶେଷ ବାଧା ସୃଷ୍ଟି କରିବାକୁ ଚେଷ୍ଟା କଲେ, ଯାହା ଦ୍ୱାରା ମନ ଅତ୍ୟନ୍ତ ବ୍ୟଥିତ ହେଲା ।
ମୁଁ ସଦାସର୍ବଦା ଆମ ଗଣତନ୍ତ୍ରର ଶକ୍ତି ଉପରେ ଅଟଳ ବିଶ୍ୱାସ ରଖିଆସିଛି ଏବଂ ଯୁବପିଢ଼ିଙ୍କ ଆକାଂକ୍ଷା, ସ୍ୱପ୍ନ ଓ ଅପେକ୍ଷାକୁ ଗଭୀର ସମ୍ମାନ କରିଆସିଛି । ସେମାନେ କେବଳ ଭାରତର ଭବିଷ୍ୟତ ନୁହଁନ୍ତି, ବରଂ ଏକ ନୂତନ ଓ ବିକଶିତ ଭାରତର ବାହକ, ନିର୍ମାତା ଏବଂ ଭବିଷ୍ୟତର ଶିଳ୍ପକାର ମଧ୍ୟ ଅଟନ୍ତି ।



