ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍ ମହାନ୍ତି ଅସୁସ୍ଥ…

() ଭୁବନେଶ୍ୱର ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍ ମହାନ୍ତି ଅସୁସ୍ଥ ।ଶରୀରରେ ଅମ୍ଳଜାନ ସ୍ତର କମି ଯିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିସିତ ହେଉଛନ୍ତି।ଦମନ ଫିଲ୍ମର ଡ଼ାଇରେକ୍ଟର ଵିଶାଲ ମୋର୍ଯ୍ୟ ସୋସିଆଲ ମିଡିଆ ରେ ବାବୁଶାନ ଙ୍କ ଫୋଟୋ ପୋଷ୍ଟ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ତାଙ୍କଏଲ୍ର ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍ ପାଇଁ ସେ ଏକ ବାଇକ୍‌ ଯାତ୍ରାରେ ଯାଇଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ଲାଗି ତାଙ୍କୁ ଘରୋଇ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ୬ ଜଣିଆ ଡାକ୍ତରୀ ଟିମ୍ ଅଧୀନରେ ତାଙ୍କର ଚିକିତ୍ସା ଜାରି ରହିଛି। ୬ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲରେ ତାଙ୍କ ନିକଟରେ ପରିବାର ଲୋକ ଥିବା ବେଳେ ସେ ସୁସ୍ଥ ଅଛନ୍ତି।

ଆସନ୍ତା ୨୬ରୁ ମେ-ଫେୟାରରେ ‘ଦାଣ୍ଡିଆ ରାସ-୨୦୨୨’ ଆରମ୍ଭ…

() ଦୀର୍ଘ ୨ ବର୍ଷ ପରେ ଦୁର୍ଗାପୂଜା ଅବସରରେ ଦାଣ୍ଡିଆ ନୃତ୍ୟ ଉପଭୋଗ କରିବେ ଭୁବନେଶ୍ୱରବାସୀ । ଆସନ୍ତା ୨୬ ତାରିଖରୁ ହୋଟେଲ୍ ମେ-ଫେୟାରରେ ଆରମ୍ଭ ହେବ ‘ଦାଣ୍ଡିଆ ରାସ-୨୦୨୨’ ।

ମେ-ଫେୟାର ଓ ଏଂଟରଟେନ୍ ଇଭେନ୍‌ଟ୍ସ ଆଣ୍ଡ ପ୍ରମୋସନ୍ସ ମିଳିତ ଭାବେ ୧୦ ଦିନ ବ୍ୟାପୀ ଏହି ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେବ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଚଳିତବର୍ଷ ପୁଣି ଥରେ ଦାଣ୍ଡିଆ ନୃତ୍ୟରେ ଝୁମିବେ ରାଜଧାନୀବାସୀ ।

ଆସନ୍ତା ୨୬ ତାରିଖରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ‘ଦାଣ୍ଡିଆ ରାସ’ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ, ସଂଗୀତ, ନୃତ୍ୟ ଓ ବକ୍ତୃତା ଭଳି ପ୍ରତିଯୋଗିତା କାର୍ଯ୍ୟକ୍ରମ ରଖାଯାଇଛି । କାର୍ଯ୍ୟକ୍ରମର ଶେଷ ଦିନରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଏହି ଶିଶୁମାନଙ୍କର ମା’ ମାନଙ୍କ ପାଇଁ ରଙ୍ଗୋଲୀ କାଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଦାଣ୍ଡିଆ ନୃତ୍ୟର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ଇଣ୍ଡିଆ ଫେମ୍ ବିନ୍‌ତି ସିଂ, ଇଣ୍ଡିଆ ଆଇଡଲ୍ ଫେମ୍ ରିୟା ଭଟାଚାର୍ଯ୍ୟ, ପ୍ଲେ ବ୍ୟାକ୍ ସିଙ୍ଗର ତୋର୍ସା ସରକାର ଏବଂ କେକା ଘୋଷାଲ୍‌ଙ୍କ ଭଳି କଳାକାର ସଂଗୀତ ପରିବେଷଣ କରିବେ । ଓଡ଼ିଶାର ଅନେକ ପ୍ରତିଷ୍ଠିତ କଳାକାର ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ଦେଇଛନ୍ତି ଆୟୋଜକ ।

ଏହି ଅବସରରେ ଡିଜେ, ଡ୍ୟାନ୍ସ ଗ୍ରୁପ୍ ଓ ଲାଇଭ ଅଫ୍ ବ୍ୟାଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି ।ଏହି ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମରେ ବେଷ୍ଟ କପଲ୍‌ଙ୍କ ସମେତ ଅନ୍ୟ କେତେକ ଆୱାର୍ଡ ରହିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଚାଟ ଓ ନବରାତ୍ରୀ ଖାଦ୍ୟର ବ୍ୟବସ୍ଥା କରାଯାଇଛି ।ଦାଣ୍ଡିଆ ରାସ ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ସନ୍ଧ୍ୟା ୭.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ଏହି ଖାଦ୍ୟର ମଜା ଉଠାଇପାରିବେ ।

ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

() କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।

ମିଶନ ଶକ୍ତି କାମ କରି ଆମେ ଗର୍ବିତ, ଏହା ଆମର ମର୍ଯ୍ୟାଦା ବୃଦ୍ଧି କରିପାରିଛି – ମିଶନ ଶକ୍ତି ମା ମାନେ।

{}ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ପ୍ରଶଂସା କରି କହିଥିଲେ ଯେ ଆପଣମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଭରସା ରହିଛି। ଆପଣମାନେ ମଧ୍ୟ ଗାଁ ଗାଁରେ ବିକାଶର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ ଭରସାକୁ ସାକାର କରିପାରିଛନ୍ତି।

ଜାତୀୟ ପତାକା ତିଆରି ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ମିଶନ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

ହଠାତ୍ ନୀରବି ଗଲା ହସର ସମୁଦ୍ର, ଚାଲିଗଲା ହସ ଦୁନିଆର ପରଶ ମଣି….

() ହସିବାକୁ କାହାକୁ ବା ଭଲ ନଲାଗେ । ହେଲେ ସହରୀ ଜୀବନର ଜାଲରେ ଛନ୍ଦିହୋଇ, ସହରୀ ଜୀବନର ବ୍ୟସ୍ତବହୁଳତାକୁ ପାଥେୟ କରି ଆମେ ଅନେକ ଆଜି ହସିବାକୁ ଭୁଲି ଯାଇଛେ । ନହସିଲେ ଆପଣ ସୁସ୍ଥ ବି ରହିପାରିବେ ନାହିଁ । ଏ କଥା ଡାକ୍ତର କହୁଛନ୍ତି । ହେଲେ ଦେଶର କୋଟି କୋଟି ଲୋକଙ୍କୁ ହସ୍ ଯୋଗାଉଥିବା ଲୋକଟି ଆଜି ନାହିଁ ।  ସେପ୍ଟେମ୍ବର 21 ତାରିଖ ସକାଳ ସମୟରେ ଏମ୍ସରୁ ଖବର ଆସିଲା ରାଜୁ ଶ୍ରୀବାସ୍ତବ ଆଉ ନାହାଁନ୍ତି । ହଠାତ କେମିତି ଗୋଟେ ଖାଲି ଖାଲି ଲାଗିଲା । ଦେଶର କୋଟି କୋଟି ଲୋକଙ୍କୁ ହସେଇ ହସେଇ ବେଦମ କରିବାକୁ ନିଜ ଭିତରେ ଜୋସ୍ ରଖି କାମ କରୁଥିବା ଲୋକଟି ଆହୁରି ଅନେକ ହସ ପାଖରେ ରଖିଥିଲା । ଆହୁରି ଅନେକ ହସ ସେ ତା ହସ ଫ୍ୟାକ୍ଟ୍ରିରୁ ଦେବାର ଥିଲା । ଏମିତି ଅଚାନକ ରାଜୁ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗ ହସ ସବୁକୁ ହଜେଇ ଦେଲା । ଏ ହସ ସବୁକୁ ଆଉ ଖୋଜି ପାଇବା କଷ୍ଟକର ।    1963ରୁ 2022 ଯାଏଁ ଥିଲା ରାଜୁ ଶ୍ରୀବାସ୍ତବଙ୍କ ଜୀବନ ଯାତ୍ରା । 80 ଦଶକରୁ କମେଡିକୁ ନେଇ ସେ କମ୍ ପରିଶ୍ରମ କରିନାହାନ୍ତି । ମାୟାନଗରୀ ମୁମ୍ବାଇରେ ଟିକେ ସୋ କରିବାକୁ ଲୋକଙ୍କୁ ହସେଇବାକୁ ରାଜୁଶ୍ରୀବାସ୍ତବଙ୍କୁ ଅନେକ ଝାଳ ବୁହାଇବାକୁ ପଡ଼ିଥିଲା । ରାଜୁ ଶ୍ରୀବାସ୍ତବ ବି-ଟାଉନର ବେଶ୍ ଜଣାଶୁଣା କମେଡି ଷ୍ଟାର୍ ଥିଲେ। ସେ ଅନେକ ଫିଲ୍ମ ଆଉ ଟିଭି ଶୋ’ରେ କାମ କରିଛନ୍ତି। ରିଆଲିଟି ଶୋ’ରେ ମଧ୍ୟ ରାଜୁ ଭାଗ ନେଇଥିଲେ। କମେଡି ଶୋ’ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫଟର୍ ଚ୍ୟାଲେଞ୍ଜ’ରେ କିନ୍ତୁ ରାଜୁକୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ।

ଏହି ଶୋ’ରୁ ମିଳିଥିବା ସଫଳତା ପରେ ରାଜୁ ଆଉ କେବେବି ପଛକୁ ବୁଲି ଚାହିଁନଥିଲେ। ରାଜୁ ଶ୍ରୀବାସ୍ତବ 1980ରୁ ବଲିଉଡ୍ ସହ ଯୋଡ଼ି ହୋଇ ରହିଥିଲେ।  ବାପା ମା’ ପୁଅ ଆଇପିଏସ ଅଫିସର ହେଉ ବୋଲି ଚିନ୍ତା କରିଥିଲେ କିନ୍ତୁ କମେଡି ତାଙ୍କୁ ମାୟାନଗରୀ ଆଡକୁ ଟାଣି ଆଣିଥିଲା । ପଚାଶ ଟଙ୍କାରୁ କ୍ୟାରିୟର ଆରମ୍ଭ କରିଥିବା ରାଜୁ ପାଲଟିଗଲେ ବଲିଉଡର କମେଡି ଷ୍ଟାର । ମୈନେ ପ୍ୟାର କିଆରୁ ଅଭିନୟ ଜୀବନ ଆରମ୍ଭ କଲେ ,ବମ୍ବେ ଟୁ ଗୋଆ ତାଙ୍କୁ ପରିଚୟ ଦେଲା ଆଉ କପିଲ୍ ଶର୍ମାଙ୍କ ସହ ଶେଷ ଫିଲ୍ମ ଫିରଙ୍ଗୀରେ ଦେଖିବାକୁ ମିଳିଥିଲେ ରାଜୁ । ଷ୍ଟାଣ୍ଡ ଅଫ କମେଡି ସହ ସାଧାରଣ ଲୋକଙ୍କ ଶୈଳୀକୁ ନେଇ କମେଡି ତାଙ୍କୁ ଆହୁରି ପରିଚିତ କରାଇଥିଲ।। ଆଜି ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅନେକ ନେତା ତଥା ବଲିଉଡ୍ ଜଗତର ଅନେକ କଳାକାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସମସ୍ତଙ୍କ ପ୍ରିୟ ‘ଗଜୋଧର ଚାଚା’ ଓରଫ୍ ଫେମସ୍ ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଆଉ ଫେରିବେନି। ହୃଦ୍ଘାତ ପରେ ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ୪୧ ଦିନ ଧରି ଭେଣ୍ଟିଲେଟର୍ରେ ରହିବା ପରେ ବି ରାଜୁଙ୍କ ଚେତା ଫେରୁନଥିଲା। ଶେଷରେ ସମସ୍ତଙ୍କୁ ହସାଉଥିବା ମଣିଷଟି ଏବେ ସମସ୍ତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି।

ଗଭୀର ମାନସିକ ଚାପ ସମୟରେ ଟିକିଏ ହାଲକା ହେବାକୁ ଆମେ ସମସ୍ତେ ୟୁଟ୍ୟୁବରୁ ରାଜୁ ଶ୍ରୀବାସ୍ତବଙ୍କ ଭିଡିଓଟିଏ ଖୋଲିଦେଲେ ବାସ୍, କିଛି ସେକେଣ୍ଡରେ ହଜିଯାଇଥିବା ହସ ଗୁଡିକ ପୁଣି ଆମ ଚାରିପଟେ ପସରା ମେଲାଇ ବସିଯାନ୍ତି । କ୍ଳାନ୍ତମ୍ଳାନ ଦିଶୁଥିବା ମୁହଁ ହଠାତ୍ ପୁନେଇ ଚାନ୍ଦ ପରି ଚହଟି ଉଠେ । ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହସ ଦୁନିଆରେ ଏକ ବଡ ଶୂନ୍ୟ ସ୍ଥାନସୃଷ୍ଟି କରିବ । ଏୟା ନୁହଁ ଯେ ରାଜୁ ଶ୍ରୀବାସ୍ତବ ଚାଲିଗଲେ, ଭାରତର ବଲିଉଡ ଜଗତର , କମେଡି ଜଗତର ଶେଷତାରକା ଚାଲିଗଲେ । କିନ୍ତୁ ଦେଶର ଖଟିଖିଆ, ଗରିବ, ସାଧାରଣ ଲୋକର ଜୀବନ କାହାଣୀକୁ ନେଇ ମଞ୍ଚରେ ସାବଲୀଳ ଢଙ୍ଗରେ ପରସି ଦେବାର ସେ ଯେଉଁ ପରସମଣି ଟି ରଖିଥିଲେ, ତାହା ସମସ୍ତଙ୍କ ହୃଦୟରେ ଘର କରି ନେଉଥିଲା । ସେ ରାଜନେତା ହୁଅନ୍ତୁ, ମନ୍ତ୍ରୀ, ଅଫିସର, ତାରକା ଅବା ଖେଳାଳି, କାହାକୁ ସେ ବାଦ୍ ଦେଇନଥିଲେ । ସେଇଥିପାଇଁ ତ 58 ବର୍ଷ ବୟସରେ ତାଙ୍କର ଏମିତି ଅକାଳ ବିୟୋଗ ସାତରୁ 70ବର୍ଷ ବୟସ୍କଙ୍କୁ ଦୁଃଖ ଦେଇଛି । ସମସ୍ତେ ହୋଇଛନ୍ତି ମର୍ମାହତ ।   ଗଜୋଧର ଚାଚାଙ୍କ ଶୂନ୍ୟ ସ୍ଥାନକୁ ହୁଏତ ଆଉ କିଏ ନେଇପାରେ, କିନ୍ତୁ ହସ ବଜାରରେ ରାଜୁଶ୍ରୀବାସ୍ତଙ୍କ ସ୍ଥାନ ଚିରକାଳ ଅକ୍ଷୂର୍ଣ୍ଣ ରହିବ । ଅଲବିଦା ରାଜୁଶ୍ରୀବାସ୍ତବ । ତୁମେ ପୁଣି ଥରେ ଏ ପୃଥୀବିକୁ ଆସ, ଚେନାଏ ହସ ପାଇଁ ପାଗଳ ପାଲଟୁଥିବା ମଣିଷକୁ ତୁମ ହସରେ ଆଉଥରେ ବିନ୍ଦାସ କରିଯାଅ ।

ଶ୍ରୀ ଅଶ୍ବିନୀ କୁମାର ସାହୁ,ଭୁବନେଶ୍ବର

 

ବନ୍ୟା ପ୍ରବଣ ଅଞ୍ଚଳରେ ଅଧିକ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ନିର୍ଦ୍ଦେଶ…

() ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ କରାଯିବ।

ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ।

ବନ୍ୟା ପ୍ରବଣ ଅଞ୍ଚଳରେ ଅଧିକ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ନିର୍ଦ୍ଦେଶ।    

{} ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ ସହ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ ଏବଂ ଶାଣିତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଦୃତ ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଏଥି ପାଇଁ ଓଡ଼୍ରାଫ୍, ଅଗ୍ନିଶ୍ରମ ସେବା ୟୁନିଟ୍, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ୟୁନିଟ୍ ଗୁଡିକୁ ଅତ୍ୟାଧୂନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦିଆଯିବ । ନିୟମିତ ବ୍ୟବଧାନରେ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ।

ସମ୍ଭାବ୍ୟ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ନିମନ୍ତେ ବଡ଼ ବଡ଼ ସହରମାନଙ୍କରେ ଥିବା ଡ୍ରେନ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଠିକ୍ ଭାବେ ସଂଯୋଜିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ଼୍ରେନ୍ ଗୁଡିକ ଉପରୁ ଜବର ଦଖଲ ହଟାଇବା, ଡ୍ରେନ୍ ପ୍ରଶସ୍ତିକରଣ ଏବଂ ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ କୁହାଯାଇଥିଲା ।

ବନ୍ୟା ପ୍ରବଣ ଅଞ୍ଚଳମାନଙ୍କରେ ଅଧିକ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବାରମ୍ବାର ବନ୍ୟାରେ ପ୍ରଭାବିତ ହେଉଥିବା ଏବଂ ଆବଶ୍ୟକ ପରିମାଣର ଆଶ୍ରୟସ୍ଥଳୀ ନଥିବା ଗ୍ରାମମାନଙ୍କୁ ଚିହ୍ନଟ କରି ସେଠାରେ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବରି, ଧାମନଗର, ଗୋପ ଆଦି ବନ୍ୟା ପ୍ରବଣ ଅଞ୍ଚଳର ବନ୍ୟା ଘେରିବନ୍ଧକୁ ଅଧିକ ଉଚ୍ଚ ଓ ଦୃଢ଼ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଅବିବୃଦ୍ଧି ବାବଦରେ ପ୍ରାୟ ୪୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ବୈଠକର ଆଲୋଚନାରୁ ଜଣାପଡିଥିଲା । ଜରୁରୀ ରିଲିଫ୍, ମରାମତି, ପୁନଃ ସ୍ଥାପନ ଏବଂ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ ଆଦି ବାବଦରେ ବିଭାଗମାନଙ୍କୁ ଦିଆଯାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିବା ପାଇଁ ମଧ୍ୟ ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।

ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ (ପି.ଡ଼ି.ଏନ୍.ଏ) ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଗତ ଅଗଷ୍ଟ ମାସରେ ହୋଇଥିବା ପ୍ରବଳ ବର୍ଷା ଏବଂ ବନ୍ୟାର ପି.ଡ଼ି.ଏନ୍.ଏ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନଙ୍କ ବୈଷୟିକ ସହଯୋଗିତାରେ ଏହି ଆକଳନ କରିବା ପାଇଁ ଉନ୍ନୟନ କମିଶନର ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ମୁଖ୍ୟତଃ ବାସଗୃହ, ଆଶ୍ରୟସ୍ଥଳୀ, ପୁନର୍ବାସ, ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାନୁଷ୍ଠାନ ଆଦି ସର୍ବସାଧାରଣ ସଂପତ୍ତି, ରାସ୍ତା ଓ ପୋଲ ଆଦି ସ୍ଥାନୀୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଆବଶ୍ୟକତା ଆଦି ଭିତ୍ତିରେ ଏହି ବିପର୍ଯ୍ୟୟ ପରବର୍ତ୍ତୀ ଆକଳନ କରାଯିବ ବୋଲି ବୈଠକର ଆଲୋଚନାରୁ ଜଣାପଡିଥିଲା । ଆସନ୍ତା ୧ ମାସ ମଧ୍ୟରେ ଏହି କାମ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ୍ କୁମାର ବଂଶଲ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କିମଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଳ ସଂପଦ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଗ୍ରାମ ଉନ୍ନୟନ ଏବଂ ସୂଚନା ଓ ଲୋକସେବା ସଂପର୍କ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପଂଚାୟତି ରାଜ ଏବଂ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ୍ କୁମାର ଲୋହାନିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତ…

() ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ।

୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ।

ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ର ଗ୍ରାମାଞ୍ଚଳ ପାଇଁ ଅଭିବୃଦ୍ଧିର ଇଞ୍ଜିନ।

୫-ଟି ଉପକ୍ରମ ଅବଲମ୍ବନ କରି ତୃଣମୂଳ ସ୍ତରରେ ପରିବର୍ତ୍ତନ ପାଇଁ କାମ କରନ୍ତୁ – ନବନିଯୁକ୍ତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

{} ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ତୃଣମୂଳ ସ୍ତରରେ ଅଭିବୃଦ୍ଧିର ଏକ ଇଞ୍ଜିନ ବୋଲି ମତ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ଏକସଙ୍ଗେ ଭୁବନେଶ୍ବରର ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ଜୟଦେବ ଭବନ ଠାରେ ଆୟୋଜିତ ହୋଇଥିଲା। ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ମୋଟ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବରେ ନିଯୁକ୍ତ ହୋଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ଏହାର ଗ୍ରାମାଞ୍ଚଳରେ ୭୦ ପ୍ରତିଶତରୁ ଅଧିକ ଲୋକ ବିଭିନ୍ନ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ମାଧ୍ୟମରେ ନିଜର ଆୟ ବୃଦ୍ଧି କରିପାରୁଛନ୍ତି। ରାଜ୍ୟ ସରକାର ଏହି କୃଷକଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା, ରୋଜଗାର ବଢାଇବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରକୁ କୃଷକ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଅଭିବୃଦ୍ଧିର ଏକ ଇଞ୍ଜିନ ଭାବରେ ଚିହ୍ନଟ କରାଯାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳରେ ଲୋକଙ୍କ ପ୍ରୋଟିନ କ୍ୟାଲୋରୀ ଆବଶ୍ୟକତା ପୂରଣ କରିବା, ପୁଷ୍ଟିସାଧନ ଓ ସର୍ବୋପରି ଖାଦ୍ୟ ସୁରକ୍ଷା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରର ସ୍ବତନ୍ତ୍ର ଭୂମିକା ରହିଛି । ତେଣୁ ଏହି ବିଭାଗର ଅଧିକାରୀମାନେ ସେମାନଙ୍କ ଦାୟିତ୍ବ କେତେ ଗୁରୁତ୍ବପୂର୍ଣ୍ଣ ତାହା ଅନୁଭବ କରିବା ଉଚିତ ବୋଲି ସେ ମତ ଦେଇଥିଲେ ।୫-ଟି ଉପକ୍ରମ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା, ଟିମ୍ ସ୍ପିରିଟ୍‌ରେ କାମ କରିବା ଓ ବୈଷୟିକ ଜ୍ଞାନର ପ୍ରୟୋଗ ଦ୍ବାରା ତୃଣମୂଳ ସ୍ତରରେ ପ୍ରକୃତ ପରିବର୍ତ୍ତନକୁ ସୁନିଶ୍ଚିତ କରିହେବ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ପାଇଁ ରାସ୍ତା ତିଆରି ହୋଇପାରିବ। ନବନିଯୁକ୍ତ କର୍ମଚାରୀମାନେ ସ୍ୱଚ୍ଛତା ବଜାୟ ରଖିବା ସହ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ସେ ଆଶା ପ୍ରକଟ କରିଥିଲେ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଆଜି ରାଜ୍ୟରେ ପ୍ରାଣୀଜ ଉତ୍ପାଦନ ବୃଦ୍ଧି ପାଇଛି। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଦୁଗ୍‌ଧ ଉତ୍ପାଦନ ୩ ଗୁଣ, ମାଂସ ଉତ୍ପାଦନ ୬ ଗୁଣ, ଅଣ୍ଡା ୩ ଗୁଣ ଓ ମାଛ ଉତ୍ପାଦନ ୪ ଗୁଣ ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ଏହି ନୂତନ ନିଯୁକ୍ତି ରାଜ୍ୟରେ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ଚାଷୀଙ୍କ ଜୀବନରେ ଖୁସି ଏବଂ ପରିବର୍ତ୍ତନ ଆଣିପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ ।ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟରେ ନିଯୁକ୍ତି କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । ରାଜ୍ୟରେ ବିଭିନ୍ନ କମିଶନ ଓ ବିଭାଗ ଦ୍ବାରା ପ୍ରତି ମାସରେ ହଜାର ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସେ କହିଥିଲେ। ଆନୁସାଙ୍ଗିକ କ୍ଷେତ୍ରରେ ବିକାଶ ଯୋଗୁ ଗ୍ରାମାଞ୍ଚଳରେ ଅଧିକ ଆର୍ଥିକ ଅଭିବୃଦ୍ଧି ଘଟୁଛି ବୋଲି ସେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ନବନିଯୁକ୍ତ କର୍ମଚାରୀ ଓ ଅଧିକାରୀ – ସହକାରୀ ପ୍ରାଣୀ ଚିକିତ୍ସକ ଡଃ ରିଷି ନନ୍ଦ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଶୁଭଶ୍ରୀ ସୌଭାଗ୍ୟଲକ୍ଷ୍ମୀ ବାରିକ ଓ ପ୍ରାଣୀଧନ ନିରୀକ୍ଷକ ସନ୍ତୋଷ କୁମାର ସାହୁ ପ୍ରମୁଖ ନିଯୁକ୍ତି ପ୍ରକ୍ରିୟାରେ ନିଜର ଅଭିଜ୍ଞତା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଯୁବସମାଜକୁ ଭରସା ଦେଇଛି ବୋଲି ପ୍ରକାଶ କରିଥିଲେ। ରାଜ୍ୟର ରୂପାନ୍ତରର ଯୁଗକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ସେମାନେ ସ୍ବଚ୍ଛତାର ସହ ଉତ୍ସର୍ଗୀକୃତ ଭାବରେ କାମ କରିବେ ବୋଲି କହିଥିଲେ ।ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ମତ ବିନିମୟ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରାମର୍ଶ ଦେଇ କହିଲେ ଯେ ସେମାନେ ଯେଭଳି ଏକ ସ୍ବଚ୍ଛ ପ୍ରକ୍ରିୟାରେ ନିଯୁକ୍ତି ପାଇ ନିଜର ଦକ୍ଷତାର ପରିଚୟ ଦେଇପାରିଛନ୍ତି, ସେହିଭଳି ଚାକିରୀ କ୍ଷେତ୍ରରେ ମଧ୍ୟ ସ୍ବଚ୍ଛତା ବଜାୟ ରଖି ରାଜ୍ୟବାସୀଙ୍କ ସେବା କରିବା ଜରୁରୀ। ରାଜ୍ୟରେ ପ୍ରାଣୀଜ ସଂପଦ ବୃଦ୍ଧି କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଛି ଏବଂ ଚାଷୀମାନଙ୍କ ରୋଜଗାର ଦୁଇ ଗୁଣ ବୃଦ୍ଧି ପାଇଁ ପ୍ରାଣୀସଂପଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପ୍ରାଣୀ ଚିକିତ୍ସକ ପଦବୀକୁ ଗ୍ରୁପ-ବି ରୁ ଗ୍ରୁପ-ଏ କରିଛନ୍ତି। ଏକ୍ଷେତ୍ର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଚାଷୀମାନଙ୍କ ରୋଜଗାର ୩ ଗୁଣ କରିବା ପାଇଁ ବିଭାଗର ସମସ୍ତ କର୍ମଚାରୀ ୫-ଟି ଉପକ୍ରମ ଅନୁସରଣ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।ଏହି ଅବସରରେ କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରା ଉପସ୍ଥିତ ଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ଏସ.କେ ବଶିଷ୍ଟ ସ୍ବାଗତ ଭାଷଣ ଦେଇଥିଲେ ଓ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ଗ୍ରାମୀଣ ପରିବାରକୁ ଜୀବିକା, ରୋଜଗାର, ପ୍ରୋଟିନ୍ ସପ୍ଲିମେଣ୍ଟେସନ୍ ଏବଂ ଖାଦ୍ୟ ନିରାପତ୍ତା ଯୋଗାଉଥିବାରୁ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ ଏବଂ ମତ୍ସ୍ୟ ବିଶେଷଜ୍ଞଙ୍କ ଭୂମିକା ଅପରିହାର୍ଯ୍ୟ ହୋଇପଡିଛି। ପ୍ରାଣୀ ସ୍ବାସ୍ଥ୍ୟସେବା ପରିଚାଳନା, ଗ୍ରାମାଞ୍ଚଳ ଲୋକମାନଙ୍କ ଜୀବିକା, ବିଶେଷକରି ମହିଳା ଏବଂ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁରକ୍ଷିତ କରିବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କନିଷ୍ଠ ଯନ୍ତ୍ରୀ ମାନେ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ଭିତ୍ତିଭୂମି ନିର୍ମାଣରେ ସହଯୋଗ କରନ୍ତି। ପ୍ରାଣୀଧନ ନିରୀକ୍ଷକ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମାନେ ତୃଣମୂଳ ସ୍ତରର ପ୍ରମୁଖ କର୍ମଚାରୀ ଯେଉଁମାନେ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାନ୍ତି। ସରକାରଙ୍କ ବିଭିନ୍ନ କାର୍ଯକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସେମାନେ କାର୍ଯ କରିଥାନ୍ତି।

 

ସମ୍ ହସ୍ପିଟାଲ୍‌ରେ ସୁସ୍ଥ ହେଲା ଗୁରୁତର ଭାବେ ପୋଡି ହୋଇଯାଇଥିବା ଶିଶୁ..

() ଏକ ଦୁର୍ଘଟଣାର ଶିକାର ହୋଇ ଶରୀରର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ଏକ ୪ ବର୍ଷର ଶିଶୁ କନ୍ୟା ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛି । ହସ୍ପିଟାଲ୍‌ର ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଫଳ ଚିକିତ୍ସା ଯୋଗୁଁ ଶିଶୁଟି ସୁ୍‌ସ୍ଥ ହୋଇ ଘରକୁ ଫେରିଛି ।

ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ନାମକ ଏହି ଶିଶୁ କନ୍ୟାଟିର ଏକ ଦୁର୍ଘଟଣାରେ ମୁହଁ, ବେକ ଓ ଶରୀରର ଉପର ଭାଗର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ବେଳେ ତାଙ୍କ ମା’ଙ୍କ ଶରୀର ୯୦ ପ୍ରତିଶତ ପୋଡି ହୋଇଯାଇଥିଲା । ତେବେ ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ସମସ୍ତ ଚିକିତ୍ସା ଓ ଉଦ୍ୟମ ସତ୍ୱେ ଶିଶୁଟିର ମା’ ବଂଚିପାରି ନଥିଲେ ।

ତେବେ ଶିଶୁଟିକୁ ଆଇସିୟୁରେ ରଖାଯାଇ ସମସ୍ତ ପ୍ରକାର ଉନ୍ନତ ଧରଣର ଚିକିତ୍ସା ଆରମ୍ଭ କରାଯାଇଥିଲା । ସବୁଦିନ ଡ୍ରେସିଂ ସହିତ ଆବଶ୍ୟକୀୟ ମାତ୍ରାର ଆଂଟିବାୟୋଟିକ ଏବଂ ଅନ୍ୟାନ୍ୟ ଔଷଧ ପ୍ରଦାନ କରାଯାଉଥିଲା । ତା’ର ଶରୀରରେ ଦୁଇଟି ଅସ୍ତ୍ରୋପଚାର କରାଯିବା ସହ ଶିଶୁଟିର ବାପାଙ୍କ ଶରୀରରୁ ଚର୍ମ ଅଣାଯାଇ ଶିଶୁଟିର କ୍ଷତ ସ୍ଥାନରେ ପ୍ରତ୍ୟାରୋପଣ କରାଯାଇଥିଲା । ପ୍ରାୟ ୪୦ ଦିନର ଚିକିତ୍ସା ପରେ ଶିଶୁଟି ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛି । ସେ ଏବେ ସୁସ୍ଥ ଅଛି ଏବଂ ଆଗାମୀ ଦିନରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। ଶିଶୁଟି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରାଜେଶ ଗନ୍ତାୟତଙ୍କ ଅଧୀନରେ ଚିକିତ୍ସିତ ହୋଇଥିବା ବେଳେ ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ ମିଶ୍ର, ଆସୋସିଏଟ୍ ପ୍ରଫେସର ବିନାୟକ ମିଶ୍ର ଏବଂ ଡାକ୍ତର ଏମ୍ ଲୋପାମୁଦ୍ରା ମିଳିତ ଭାବେ ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଥିଲେ ।

୪୦ ବର୍ଷର ସମସ୍ୟାର ୪୦ ମିନିଟ୍‌ରେ ସମାଧାନ…

() ୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ

୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ।

କୋଭିଡ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ସ୍ବତନ୍ତ୍ର ନୀତି ଆସିବ ସବୁ ଇଡ୍‌କୋ ଶିଳ୍ପାଞ୍ଚଳରେ ଶ୍ରମିକ ମାନଙ୍କ ରହିବା ପାଇଁ ହଷ୍ଟେଲ ନିର୍ମାଣ ହେବ।

୪୦ ବର୍ଷର ସମସ୍ୟାର ୪୦ ମିନିଟ୍‌ରେ ସମାଧାନ – ଶିଳ୍ପଦ୍ୟୋଗୀ ମାନଙ୍କ ମତ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ।

ଆଲୋଚନା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦ ଜଣ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ସଂଘର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ଗୁଡିକର ପାର୍କିଂ ସମସ୍ୟା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସବୁ Industrial Estateରେ ଦୁଇ ହଜାରରୁ ତିନି ହଜାର ଶ୍ରମିକ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

କୋଭିଡ ମହାମାରୀ ସମୟରେ ଅନେକ ଶିଳ୍ପାନୁଷ୍ଠାନ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି ଆସିବ ବୋଲି ୫-ଟି ସଚିବ କହିଥିଲେ । ବୈଠକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା । ଏହାପରେ ଶ୍ରୀ ପାଣ୍ଡିଆନ ଜୟମଙ୍ଗଳ ଶିଳ୍ପାଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ସେ କୋଭିଡ ମହାମାରୀ ସମୟରେ ଚାକିରୀ ଛାଡି ଥିବା ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଗ୍ରାଜୁଏଟ ମାନଙ୍କ ସହିତ ଆଲୋଚନା କରିଥିଲେ । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେମାନଙ୍କର ଉଦ୍ୟମରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ ।

୫-ଟି ସଚିବଙ୍କ ଏହି ଗସ୍ତରେ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଖୁସି ପ୍ରକାଶ ପାଇଥିଲା। ସେମାନଙ୍କର ଦୀର୍ଘ ବର୍ଷର ସମସ୍ୟାର ଆଜି ସମାଧାନ ହୋଇଛି ବୋଲି ସନ୍ତୋଷ ପ୍ରକାଶ କରି ସେମାନେ କହିଥିଲେ ଯେ ୪୦ ବର୍ଷର ସମସ୍ୟା ଆଜି ମାତ୍ର ୪୦ ମିନିଟ୍‌ରେ ସମାଧାନ ହୋଇପାରିଛି।

ଏହି ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ପ୍ରଦେଶ ମହିଳା କଂଗ୍ରେସର ପ୍ରସ୍ତୁତି ବୈଠକ…

() ଆଜି ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ପରିଡ଼ା ବୁଥ, ବ୍ଲକ, ଜିଲ୍ଲା ଏବଂ ପ୍ରାଦେଶିକ ସ୍ତରରେ ମହିଳା କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଭାରତ ଯୋଡ଼ ଯାତ୍ରାକୁ ସଫଳ କରିବା ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି କହିଥିଲେ ।

ପ୍ରଦେଶ କଂଗ୍ରେସ ପକ୍ଷରୁ ଯେଉଁ “ଭାରତ ଯୋଡ଼ୋ ଯାତ୍ରା” କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ ହେଉଛି ସେଥିରେ ୩୦ ପ୍ରତିଶତରୁ ଉର୍ଦ୍ଧ୍ୱ ମହିଳା ଅଂଶଗ୍ରହଣ କରିବେ । ପ୍ରତି ବୁଥ, ପଂଚାୟତ ଏବଂ ବ୍ଲକରୁ ମହିଳାମାନେ ଏହି ଯାତ୍ରାରେ ଯୋଗଦେବେ । ବିଶେଷ କରି ବୁଥରୁ ଅନ୍ୟୁନ ଦୁଇଜଣ ଯୋଗଦେବା ପାଇଁ ସ୍ଥିର ହୋଇଛି । ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନା, ହତ୍ୟା, ଗଣଦୁଷ୍କର୍ମ ବଢ଼ିଚାଲିଥିଲା ବେଳେ ନବୀନ ପଟ୍ଟନାୟକଙ୍କ “ମା’କୁ ସମ୍ମାନ” ଆହ୍ୱାନ ଏକ ପ୍ରହଶନରେ ପରିଣତ ହୋଇଛି । ଶ୍ରୀମତୀ ପରିଡ଼ା ଅସୁରକ୍ଷିତ, ଦୁଷ୍କର୍ମ ପୀଡ଼ିତ, ନିର୍ଯ୍ୟାତିତ ଏବଂ ଅନ୍ୟାନ୍ୟ ବିପଦରେ ପଡ଼ିଥିବା ମହିଳାଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇଦେବାପାଇଁ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ସୁଶ୍ରୀ ନିତା ଡି ସୌଜାଙ୍କ ଦ୍ୱାରା ପ୍ରଣୀତ ଟୋଲ ଫ୍ରି ନଂ – ୧୮୦୦-୨୦୩-୦୫୮୯ ଏହି ବୈଠକରେ ଉଦ୍‌ଘାଟନ କରିଥିଲେ । ଏହି ନଂ ଜିଲ୍ଳା, ବ୍ଲକ ଓ ପଂଚାୟତ ସ୍ତରରେ ଉଦ୍‌ଘାଟନ କରାଯିବ ବୋଲି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ମହିଳା ସଶକ୍ତିକରଣ ପାଇଁ ଏହା ସହାୟକ ହେବ । ପ୍ରଦେଶ ମହିଳା କଂଗ୍ରେସ ର ରାଜ୍ୟ କର୍ମକର୍ତା ଓ ଜିଲ୍ଲା ସଭାପତିମାନେ ନିଜ ନିଜ ଜିଲ୍ଲାର ମହିଳାମାନଙ୍କର ସମସ୍ୟା ସଂପର୍କରେ ଅବତାରଣା କରିବା ସହ ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶଗ୍ରହଣ ସଂପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, “କ୍ଷମତା ବାହାରେ ଏକ ପ୍ରତିକୂଳ ପରିସ୍ଥିତିରେ ୨୨ବର୍ଷ ଧରି ବିଜେଡ଼ି ସରକାର, ବିଜେଡ଼ି ଓ ବିଜେପିର ଭାଗୁଆଳି ସରକାର ଓ କେନ୍ଦ୍ରର ଆଠବର୍ଷର ମୋଦି ସରକାର ବିରୁଦ୍ଧରେ ମହିଳା କଂଗ୍ରେସ ନିରନ୍ତର ସଂଗ୍ରାମ କରୁଥିବାରୁ ମୁଁ ସମସ୍ତଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି । ଶ୍ରୀ ପଟ୍ଟନାୟକ ଜନନାୟକ ରାହୁଲ ଗାନ୍ଧୀଙ୍କର ଉତୁଙ୍ଗ ନେତୃତ୍ୱ ପ୍ରତି ମୋଦି, ବିଜେପି ଏବଂ ଆରଏସଏସ ଅସହିଷ୍ଣୁ ହୋଇପଡ଼ିଛନ୍ତି । ଭାରତ ଆଜି ମୋଦି, ବିଜେପି ଏବଂ ଆରଏସଏସ ପାଇଁ ପ୍ରତିଦିନ ଭାଙ୍ଗି ତୁଟି ଯାଉଛି । ଜନନାୟକ ରାହୁଲ ଗାନ୍ଧୀ ଭାରତକୁ ଯୋଡ଼ି ରଖିବା ପାଇଁ ଭାରତର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଭାରତ ଯୋଡ଼ୋ ଯାତ୍ରାରେ ସମସ୍ତଙ୍କର ସହଯୋଗ ଓ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି । ହାଣ୍ଡିଶାଳରେ ଆଜି ମହଙ୍ଗାମାଡ଼ ହୋଇଛି । ଗ୍ୟାସ ଦର ଆକାଶ ଛୁଆଁ, ନିତ୍ୟବ୍ୟବହାର୍ଯ୍ୟ ସୌଦା ଦର ଅତ୍ୟନ୍ତ ବୃଦ୍ଧି ପାଇଛି । ପ୍ରତି ହାଣ୍ଡିଶାଳରୁ ପ୍ରତିବାଦର ସ୍ୱର ଉଠିଲେ ପରିସ୍ଥିତିର ପରିବର୍ତନ ହୋଇପାରିବ । ଜାତି, ଧର୍ମ, ବର୍ଣ୍ଣ, ଭାଷା, ପୋଷାକ ଓ ଅଂଚଳ ଆଧାରରେ କେବଳ ରାଜନୈତିକ ଫାଇଦା ପାଇଁ ଭାରତକୁ ଭାଗ ଭାଗ କରିଦିଆଯାଉଛି । ସାମ୍ବିଧାନିକ ଅନୁଷ୍ଠାନ ଆଜି ବିପଦଗ୍ରସ୍ତ । ଗଣତନ୍ତ୍ରର ହତ୍ୟା ହେଉଛି । ରେଳବାଇ, ଏଲଏାଇସି, ବନ୍ଦର, ଖଣି, ସରକାରୀ ଶିଳ୍ପ ଏ ସମସ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବନ୍ଧୁ ଶିଳ୍ପପତିଙ୍କ ହାତରେ ଟେକି ଦେଉଛନ୍ତି । ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ସମସ୍ତ ପଦାର୍ଥ ଓ ଦ୍ରବ୍ୟର ଦର ଏବଂ ବିଶେଷ କରି ମୁଢ଼ି, ଚୁଡ଼ା, ଛତୁଆ, ପେନସିଲ, କଲମ, ଖାତା ସମସ୍ତ ଜିନିଷ ଉପରେ ଜିଏସଟି ଲଗାଯାଇ ସାଧାରଣ ଜନତାଙ୍କର ରକ୍ତ ଶୋଷଣ କରାଯାଉଛି । ଏ ଦେଶକୁ ଗାନ୍ଧୀ, ନେହେରୁ, ପଟେଲ, ଶାସ୍ତ୍ରୀ, ଇନ୍ଦିରାଜୀ, ସ୍ୱାଧୀନ କରିଥିଲେ । କଂଗ୍ରେସ ନବଭାରତ ନିର୍ମାଣ କରିଛି ମାତ୍ର ସରକାର ପ୍ରତିଦିନ ଭାରତ ଭାଙ୍ଗୁଛି ।

ଦେଶରେ ଓ ରାଜ୍ୟରେ ମହିଳାମାନଙ୍କର ପରିସ୍ଥିତି ସଂପର୍କରେ ଉଦ୍‌ବେଗ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହିଳାମାନେ ବିଶେଷ କରି ନବୀନ ସରକାର ଓ ମୋଦି ସରକାର ବିରୁଦ୍ଧରେ ଶାଣିତ ସ୍ୱର ଉତୋଳନ କରିବାର ସମୟ ଆସିଛି । ଉଭୟ ଦେଶରେ ଓ ରାଜ୍ୟରେ ମହିଳା ଅସୁରକ୍ଷିତ । ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ମହିଳା କଂଗ୍ରେସର ସୁଦୃଢ଼ିକରଣ ପାଇଁ ଉପଦେଶ ଦେଇଥିଲେ । ରାଜ୍ୟରେ ୩୫ ହଜାରରୁ ଉର୍ଦ୍ଧ୍ୱ ବୁଥରେ ମାତ୍ର ଦୁଇ ଦୁଇ ଜଣ ସଂଗ୍ରାମୀ ମହିଳାଙ୍କୁ ମହିଳା କଂଗ୍ରେସରେ ସାମିଲ କଲେ ଖୁବଶୀଘ୍ର ଏକ ବୈପ୍ଳବିକ ପରିବର୍ତନ ହୋଇପାରିବ । ପରିବର୍ତନ ପାଇଁ ଅର୍ଥ ଏକ ସମସ୍ୟା ନୁହେଁ ବଂର ଲଢ଼ିବାର ମାନସିକତା ଜରୁରୀ । ମହିଳା କଂଗ୍ରେସର ଜିଲ୍ଲା, ବ୍ଲକ ଓ ବୁଥ ସ୍ତରର ସଂଗଠନକୁ ତୁରନ୍ତ ସଂପୂର୍ଣ୍ଣ ଭାବରେ ଗଠନ କରି ସେମାନଙ୍କୁ ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ଯୁଦ୍ଧକାଳୀନ ଭିତରେ ପଦକ୍ଷେପ ନିଆଯାଉ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶରେ ମହିଳାମାନଙ୍କର ସଶକ୍ତିକରଣ ପାଇଁ ଉଲ୍ଲେଖନୀୟ ପ୍ରଚେଷ୍ଟା କରିଥିଲେ । ତାଙ୍କର ଉଦ୍ୟମରେ ମହିଳାମାନଙ୍କର ସଂରକ୍ଷଣ ଲୋକସଭାରେ ପାରିତ ହୋଇଛି ମାତ୍ର ରାଜ୍ୟ ସଭାରେ ଅଟକି ଯାଇଥିବା ସ୍ଥଳେ ମୋଦି ସରକାର ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଆଗାମୀ ଦଶହରା ପୂଜା ଏବଂ ମା’ ଦୁର୍ଗାଙ୍କର ମହିମା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ଆଜିର ଦୁର୍ନୀତି ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନ ଓ କୁଶାସନର ପରିବର୍ତନ ପାଇଁ ପ୍ରତ୍ୟେକ ମହିଳା ମା’ ଦୁର୍ଗାଙ୍କୁ ସ୍ମରଣ କରି ଦୁର୍ବାର ଆନ୍ଦୋଳନ କରନ୍ତୁ । ସେ କହିଲେ ଯେ ଏ ଦଳରେ କେବଳ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ହେଉଛନ୍ତି ସର୍ବମୟ ନେତ୍ରୀ ଏବଂ ନେତା । ଆମେ ସମସ୍ତେ ନିଜକୁ ଜଣେ କର୍ମୀ ମନେକରି କାର୍ଯ୍ୟକଲେ ସଫଳତା ବେଶି ଦୁର ନୁହେଁ । ଓଡ଼ିଶାର ଭାରତ ଯୋଡ଼ୋ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ କଂଗ୍ରେସ ବୁଦ୍ଧିଜୀବୀ, ଚାଷୀ, ଶ୍ରମିକ, ଛାତ୍ର ଏବଂ ବିଭିନ୍ନ ସାମାଜିକ ସଂଗଠନମାନଙ୍କ ସହ ଆଲୋଚନା କରୁଛି ଏବଂ ତାଙ୍କର ସହଯୋଗ ମଧ୍ୟ ଲୋଡ଼ୁଛି । ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରର ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି । ବର୍ଷକୁ ଦୁଇଲକ୍ଷ ନିଯୁକ୍ତି ଦେବାକୁ କହିଥିଲେ । ୨୨ ବର୍ଷରେ ୪୪ ଲକ୍ଷ ଦେବା କଥା ତାହା ସମ୍ଭବ ହୋଇପାରିଲା ନାହିଁ । ସରକାରୀ ଚାକିରୀ ବିକ୍ରି ହେଉଛି । ଦାରିଦ୍ର‌୍ୟ, ବେକାରୀ, ନାରୀ ନିର୍ଯ୍ୟାତନା, ଦାଦନ ଓ କ୍ଷୁଧିତଙ୍କ ସଂଖ୍ୟା କ୍ଷେତ୍ରରେ ଦେଶରେ ଓଡ଼ିଶା ଏକନମ୍ବର ସ୍ଥାନର ଅପବାଦ ମୁଣ୍ଡାଇ ଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକନମ୍ବର ପୁରସ୍କାର ଯୋଗାଡ଼ କରିବାରେ ବ୍ୟସ୍ତ । ଓଡ଼ିଶାରେ ୧୦୦ ଦିନର ପଦଯାତ୍ରାରେ ୨୦ ଲୋକସଭା ନିର୍ବାଚନ ମଣ୍ଡଳୀ, ୨୬ଟି ଜିଲ୍ଲା ଓ ୨୨୫୦ କିଲୋମିଟର ଅତିକ୍ରମ କରାଯିବ । ପରିଶେଷରେ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କୁ ନେଇ ଭୁବନେଶ୍ୱରରେ ରାହୁଲ ଗାନ୍ଧୀଙ୍କର ସଭା ଅନୁଷ୍ଠିତ ହେବ । ସମସ୍ତଙ୍କର ସହଯୋଗ, ଦୃଢ଼ ମାନସିକତା ଏବଂ ପ୍ରତିବଦ୍ଧତା ରହିଲେ ଓଡ଼ିଶାରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ବିଜୟ ଲକ୍ଷ୍ମୀ ସାହୁ, ସୁଶିଳା ତିରିଆ, ସାବିତ୍ରୀ ଚୌଧୁରି ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ରାୟ, ଦେବସ୍ମିତା ସାମଲ, ସ୍ୱାଧୀନବାଳା ଦାସ, ବିନ୍ଧାବିନୀ ସାହୁ, ପ୍ରଣତି ମିଶ୍ର, ମଂଜୁଶ୍ରୀ କଳ୍ପନା ରାଉତରାୟ, ମନଜା ମଞ୍ଜରି ଦେବୀ, ସୁବାଶିନି ମହାକୁଡ଼, ପ୍ରତିମା ମଲ୍ଲିକ, କୁସୁମ ପ୍ରଧାନ, ରୁପାଦିପ୍ତା ମହାପାତ୍ର, ସରୋଜିନି ବାକ୍ରା, ନିର୍ମଳା ମଲ୍ଲିକ, ରିତାଶ୍ରୀ ମହାନ୍ତି, ମହେନ୍ଦ୍ରୀ ସାହୁ, ସମସିଦା ତାୟବ, ଏଲ ମାଣିକ ପ୍ରଭା, ନିରୁପମା ପାତ୍ର, ରୀନା ସ୍ୱାଇଁ, କନକଲତା ମଲ୍ଲିକ, ସଂଗୀତା ସିଂ, ପ୍ରଭାବତି ପଟ୍ଟନାୟକ, ସୂର୍ଯ୍ୟକାନ୍ତି ବାକ, ବୈଜୟନ୍ତିବାଳା ଦାସ, ମୋନାଲିସା ଦାସ, ସବିତା ଚାନ୍ଦ, ଶ୍ରୀୟାସ୍ମିତା ପଣ୍ଡା, ଅଣ୍ଣପୂର୍ଣ୍ଣା ସାହୁ, କବିତା ମହାକୁଡ଼, ମୋତି କୈବର୍ତ, ରୁଦ୍ର ମଲ୍ଲିକ, ଶୋଭା ସିଂ, ଚୈତାଳି ପଟ୍ଟନାୟକ, ଦିପ୍ତି ପ୍ରଧାନ, ତପସ୍ୱିନୀ ବିଶ୍ୱାଳ, ପ୍ରଜ୍ଞାପରମିତା ମହାନ୍ତି, ଉର୍ବଶ୍ରୀ ମିଶ୍ର, ସସ୍ମିତା ଘୋଷାଲ, ସିଲି ସେଠୀ, ସୁଭଦ୍ରା ମିଶ୍ର, ସ୍ମିତାରାଣୀ ସାମଲ ପ୍ରମୁଖ ବହୁ ମହିଳା କଂଗ୍ରେସ କର୍ମୀ ଏହି ସଭାରେ ଯୋଗଦେଇଥିଲେ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ…

() ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ।

ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଇଁ ଭିତ୍ତି ପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୨୫ କୋଟି।

ଶିକ୍ଷକ ମାନଙ୍କ କଲ୍ୟାଣ ପାଇଁ ବଜ୍ର ଯୋଜନାର ଶୁଭାରମ୍ଭ।

୫ଟି ଶ୍ରେଷ୍ଠ ବିଦ୍ୟାଳୟ ଓ ୫ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀ ପୁରସ୍କୃତ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମନ୍ତ ବିହାର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୩୦୦ ଶିକ୍ଷକଙ୍କ ଟ୍ରେନିଂ ପାଇଁ auditorium, ୧୦୦ ଜଣ ଶିକ୍ଷକଙ୍କ ରହିବା ପାଇଁ ବ୍ୟବସ୍ଥା ସହିତ ୧୦ ଟି କର୍ମଶାଳା କେନ୍ଦ୍ର ନିର୍ମାଣ କରାଯିବ।

ଶିକ୍ଷକ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ବଜ୍ର ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ।ଏହି ଯୋଜନାରେ ଶିକ୍ଷକ ମାନେ ଶିକ୍ଷକ ମାନେ ସେମାନଙ୍କର ଦିନକର ଦରମା ଏହି କଲ୍ୟାଣ ପାଣ୍ଠିକୁ ଦାନ କରିବେ ଏବଂ ଏହି ପାଣ୍ଠିରୁ ସେମାନଙ୍କ ବିଭିନ୍ନ ଆର୍ଥିକ ସମସ୍ୟା ସମୟରେ ସହାୟତା ଯୋଗାଇ ଦିଆଯିବ।ଏହି ଅବସରରେ ୫ଟି ଶ୍ରେଷ୍ଠ ଆଦର୍ଶ ବିଦ୍ୟାଳୟ, ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୫ ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା (ଶିକ୍ଷା) ଶ୍ରୀ ଉପେନ୍ଦ୍ର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି କେ ପାଣ୍ଡିଆନ, ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ., OAV ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news