ଯୋରନ୍ଦା ଗସ୍ତରେ ୫-ଟି ସଚିବ…

() ୫-ଟି ସଚିବଙ୍କ ଯୋରନ୍ଦା ଗସ୍ତ

ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା।

ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ଦେବେ ସମସ୍ତ ସହଯୋଗ।

କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ ଦେଇଛନ୍ତି ‘ମହିମା ସେତୁ’ – ଶ୍ରୀ ପାଣ୍ଡିଆନ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିଦର୍ଶନ କରିଥିଲେ। ମହିମା ଧର୍ମର ଏହି ମହାନ ପୀଠ ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଷୟ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ମହିମା ଧର୍ମ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ମହିମା ଧର୍ମ ହେଉଛି ସାରା ବିଶ୍ବ ପାଇଁ ଆଦର୍ଶ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଏହି ସମଭାବର ଚିନ୍ତାଧାରା ସହିତ ବିଶ୍ବ କଲ୍ୟାଣ ହେଉଛି ଏହି ଧର୍ମର ଆଦର୍ଶ। ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହିମା ଧର୍ମର ଆଦର୍ଶରେ ଗଭୀର ଭାବରେ ଅନୁପ୍ରାଣୀତ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସମସ୍ତଙ୍କ କଲ୍ୟାଣ ଓ ଉନ୍ନତି ମୁଖ୍ୟମନ୍ତ୍ରୀଙ୍କ ଜୀବନର ଏକମାତ୍ର ବ୍ରତ। ମହିମା ଧର୍ମର ପ୍ରସିଦ୍ଧ ଏକ ତାଳପତ୍ର ପଙ୍ଖା ମୁଖ୍ୟମନ୍ତ୍ରୀ ତାଙ୍କ ଘରେ ରଖିଛନ୍ତି । ଏହି ପଙ୍ଖା ତାଙ୍କୁ ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ନିଃସ୍ବାର୍ଥପର ସେବା ପାଇଁ ସବୁବେଳେ ଅନୁପ୍ରେରିତ କରିଥାଏ।

ଓଡିଶାରେ ମହିମା ଧର୍ମର ଜନ୍ମ। ତେଣୁ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହିମା ପୀଠର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ମହିମା ଧର୍ମର ମହାନ ସନ୍ଥ ଭୀମଭୋଇଙ୍କ ନାମରେ ବଲାଙ୍ଗୀର ମେଡିକାଲ କଲେଜ ଓ ଭିନ୍ନକ୍ଷମ ଶିବିର ଆଦି ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଶ୍ରୀ ପାଣ୍ଡିଆନ ଏହି ଅବସରରେ ସୂଚନା ଦେଇଥିଲେ । ମହିମା ଧର୍ମର ଗାଦି ଯୋରନ୍ଦା ପରିଦର୍ଶନ କରି ସେଠାରେ ଶ୍ରୀ ପାଣ୍ଡିଆନ କିଛି ସମୟ ଅତିବାହିତ କରିଥିଲେ ଏବଂ ମହିମା ଧର୍ମର ସାଧୁସନ୍ଥ ଓ ଅନୁଗାମୀ ମାନଙ୍କ ସହିତ ଗାଦିର ବିକାଶ ସଂପର୍କରେ ଆଲୋଚନା କରିଥିଲେ । ମହିମା ଧର୍ମର ପ୍ରଚାର ପାଇଁ ରାଜ୍ୟ ସରକାର ସବୁପ୍ରକାସ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶ୍ରୀ ପାଣ୍ଡିଆନ ସେମାନଙ୍କୁ ଜଣାଇଥିଲେ । ମହିମା ଧର୍ମାବଲମ୍ବୀମାନେ ନିଜ ନିଜ ଭିତରେ ଆଲୋଚନା କରି ରାଜ୍ୟ ତଥା ରାଜ୍ୟ ବାହାରେ ମହିମା ଦର୍ଶନର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ସାଧୁସନ୍ଥଙ୍କ ପରାମର୍ଶ ଓ ପ୍ରସ୍ତାବକ୍ରମେ ମନ୍ଦିର ଓ ପ୍ରାର୍ଥନା ଗୃହ ଆଦି ନିର୍ମାଣରେ ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଜଣାଇଥିଲେ।

ଢେଙ୍କାନାଳରେ ଯୋଗାଯୋଗର ବିକାଶ ପାଇଁ କାଲୁରିଆ ଗାଁ ଠାରୁ ସରଦେଇପୁର ପର୍ଯ୍ୟନ୍ତ ବ୍ରାହ୍ଣଣୀ ନଦୀ ଉପରେ ବୃହତ ସେତୁ ନିର୍ମାଣ କରାଯାଇଛି । ଏଥିପାଇଁ ୨୩୫.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ବାରା ୬୨ଟି ଗାଁର ଜନସାଧାରଣଙ୍କ ପାଇଁ ଯୋଗାଯୋଗ କ୍ଷେତ୍ରରେ ବହୁତ ସୁବିଧା ଆସିବା ସହିତ ଯୋରନ୍ଦା ପୀଠକୁ ଭକ୍ତ ଓ ପର୍ଯ୍ୟଟକମାନେ ସୁବିଧାରେ ଆସିପାରିବେ। ମୁଖ୍ୟମନ୍ତ୍ରୀ ଏହାର ନାମକରଣ କରି ଏହାର ନାଁ ‘ମହିମା ସେତୁ’ ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ଏହି ଅବସରରେ ସେ ଯୋରନ୍ଦାସ୍ଥିତ ୫-ଟି ସ୍କୁଲ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ରୂପାନ୍ତରର ସୁଫଳ ସଂପର୍କରେ ଆଲୋଚନା କରିଥିଲେ ।
ପରେ ଶ୍ରୀ ପାଣ୍ଡିଆନ୍ ସାଧୁସନ୍ଥଙ୍କ ସହିତ ସେ ଭୋଜନ କରିଥିଲେ । ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ଶ୍ରୀମତୀ ରୂପାରୋଶନ ସାହୁ, ଜିଲ୍ଲାପାଳ ଶ୍ରୀ ସରୋଜ ସେଠୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ନବୀନଙ୍କ ନୂଆ ଯୋଜନା: ମୋ ଘର

() ନବୀନ ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଜି ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି । ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା, ଆକାଂକ୍ଷା ପରିପୂରଣ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଛନ୍ତି “ମୋ ଘର” ନାମରେ ନୂତନ ଯୋଜନା । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।

‘ମୋ-ଘର’ ର ଶୁଭାରମ୍ଭ

“ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା “-

ଏହି ପ୍ରତିଶ୍ରୁତିକୁ ପୂରଣ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ନୂତନ ଯୋଜନା ‘ମୋ ଘର’କୁ ଅନୁମୋଦନ କରିଛନ୍ତି |ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ବାରା ବାଦ୍ ପଡିଥିବା ପରିବାର କିମ୍ବା ସ୍ବଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଏହି ନୂତନ ଯୋଜନାରେ ଉପକୃତ ହୋଇପାରିବେ । ସେହିପରି ବିଗତ ବର୍ଷରେ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ ।

ଯୋଜନାର ବୈଶିଷ୍ଟ୍ୟ

• ଆବେଦନକାରୀଙ୍କୁ ସରକାରଙ୍କ ସବସିଡି ଥିବା ଗୃହ ଋଣ ମିଳିଥାଏ । ସବସିଡି ରାଶି ସମ୍ପୂର୍ଣ

ରୂପେ ରାଜ୍ୟ ସରକାରଙ୍କର ନିଜସ୍ବ ପାଣ୍ଠିରୁ ପ୍ରଦାନ କରାଯାଇଥାଏ ।

• ଏହି ଯୋଜନାରେ ନୂଆ ଘର ନିର୍ମାଣ କିମ୍ବା ବର୍ତ୍ତମାନ ଗୃହର ସମ୍ପ୍ରସାରଣ /ଉନ୍ନତିକରଣ /ସମ୍ପୂର୍ଣ୍ଣକରଣ କରାଯାଇଥାଏ ।

• ଏହି ଯୋଜନାରେ ହିତାଧ୍ୟାକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇଥାଆନ୍ତି । ପ୍ରଥମ ବର୍ଷର ରିହାତି ଅବଧୂକୁ ବାଦ ଦେଇ ପରବର୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ

ହୁଏ । ଏହି ଯୋଜନାରେ ୧ ଲକ୍ଷ ୧.୫ ଲକ୍ଷ, ୨ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଛି, ଯାହା ମଧ୍ୟରୁ ଆବେଦନକାରୀ କୌଣସି ଗୋଟିଏ ପ୍ରକାରର ରଣକୁ ବାଛିଥାଆନ୍ତି ।

ଯୋଗ୍ୟତା ମାନଦଣ୍ଡ:

ନିମ୍ନଲିଖତ ପରିବାରବର୍ଗ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ

ହୋଇଥାଆନ୍ତି:

• ଯଦି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରି ଥିବା କଂକ୍ରିଟ ଛାତ ଘରେ ବସବାସ

କରୁଥିବେ ।

• ଯଦି ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା

ପାଇ ନଥିବେ ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ରାଶି ପାଇଥିବେ ।

•ଯଦି ପରିବାରର ମାସିକ ଆୟ ୨୫, ୦୦୦ ଟଙ୍କାରୁ କମ୍ ଥିବ।

•ଯଦି ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟରଚାଳିତ ଚାରି -ଚକିଆ ଯାନ ନଥିବ ।

ଯଦି ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତକର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ ।

୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବା ପରିବାର । ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧ୍ୟାକାରୀଙ୍କୁ ଋଣର ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ ଏବଂ ସମାଜର ଅପେକ୍ଷାକୃତ ଦୁର୍ବଳ ବର୍ଗଗୁଡିକ ଯଥା ଅନୁସୂଚିତ ଜାତି/ଜନ ଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ରାଶି ପ୍ରଦାନ କରିବେ ।ହିତାଧ୍ୟାକାରୀଙ୍କ ଆର୍ଥିକ ବୋଝକୁ ଆହୁରି ହ୍ରାସ କରିବାକୁ ଯାଇ, ରାଜ୍ୟସରକାର ବନ୍ଧକ ସମୟରେ ଆବଶ୍ୟକ ପଞ୍ଜିକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ଛାଡ୍ କରିଛନ୍ତି। ସେହିପରି ଋଣ ନିମନ୍ତେ ସବ୍ – ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଆବଶ୍ୟକୀୟ ଦସ୍ତାବିଜର ପ୍ରମାଣୀକୃତ ନକଲ, ଇ.ସି.ଇତ୍ୟାଦି ପାଇବା ପାଇଁ ଆବଶ୍ୟକ ଦେୟକୁ ମଧ୍ୟ ସରକାର ଛାଡ କରିଛନ୍ତି ।ଋଣ ଆବେଦନ ନିମନ୍ତେ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ସର୍ବାଧିକ ୧ ହଜାର ଟଙ୍କା ରାଜ୍ୟ ସରକାର ବହନ କରିବେ ।ଏହି ଯୋଜନାରେ ପୂର୍ବରୁ ପାଇ ନଥିବା ଯୋଗ୍ୟ ହିତାଧ୍ୟାକାରୀଙ୍କୁ ଶୌଚାଳୟ ନିର୍ମାଣ, ବିଦ୍ୟୁତଯୋଗାଣ ଓ ପାନୀୟ ଜଳ ଇତ୍ୟାଦି ଅନ୍ୟ ଯୋଜନାରେ ମଧ୍ୟ ସାମିଲ କରାଯିବ ।

ଯୋଜନାର କାର୍ଯ୍ୟକାରୀତା ହିତାଧ୍ୟାକାରୀଙ୍କ ଋଣ ଖାତାକୁ ଦିଆଯାଉଥିବା ଏହି ସବସିଡିସେମାନଙ୍କର ଋଣ ପରିଶୋଧବାବଦ ମାସିକ କିଛି (EMI) ରେ ଉଲ୍ଲେଖନୀୟ ହ୍ରାସ ଘଟାଇବ ଏବଂ ଋଣ ପରିଶୋଧକୁ ଅଧ୍ଵକ ସୁଗମ କରିପାରିବ ।ବ୍ୟାଙ୍କ ପକ୍ଷରୁ ହିତାଧ୍ୟାକାରୀଙ୍କଠାରୁ ଋଣ ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରାଯିବ ନାହିଁ ।ଏହି ଯୋଜନାରେ ଆବେଦନ ଗ୍ରହଣ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ୱେବସାଇଟhttps://rhodisha.gov.in/moghara କାର୍ଯ୍ୟକ୍ଷମ କରାଯାଉଛି ।ଏହି ୱେବସାଇଟ ମାଧ୍ୟମରେ ଋଣ ଆବେଦନ ତଦାରଖ ଏବଂ ପରିଚାଳନା କରାଯାଇ ପାରିବ ।ଋଣ ପାଇବା ପାଇଁ ଇଛୁକ ବ୍ୟକ୍ତିଙ୍କୁ ଆବେଦନ କରିବା ପୂର୍ବରୁ ଏହି ୱେବସାଇଟ୍ ରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ ଯାହା OTP ମାଧ୍ୟମରେ ବୈଧ ହୋଇଥାଏ ।ଆସନ୍ତା ଜୁନ ମାସ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ ।ଆବେଦନକାରୀ ନିଜେ କିମ୍ବା “ମୋ ସେବା କେନ୍ଦ୍ର ” ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ

କରି ପାରିବେ । ଆବେଦନପତ୍ର ଦାଖଲ ସମୟରେ ଆବେଦନକାରୀଙ୍କୁ ପାସପୋର୍ଟ ଆକାରର ଫଟୋ,ଆଧାରକାର୍ଡ, KYC ଡକ୍ୟୁମେଣ୍ଟ୍ ଭୋଟରାD, ପାନ୍ କାର୍ଡ, ଜବ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ), ଜମିରେକର୍ଡ, ଜାତି ପ୍ରମାଣପତ୍ର ,ଭିନ୍ନକ୍ଷମ ପ୍ରମାଣପତ୍ର ,ଆୟ ପ୍ରମାଣପତ୍ର ଇତ୍ୟାଦି କାଗଜାତ ସଂଲଗ୍ନ କରିବାକୁ ହୋଇଥାଏ । ଆବେଦନକାରୀ ଋଣ ପରିମାଣର ଅନ୍ତତଃ ୧୦% ଅର୍ଥ ରାଶି ମାର୍ଜିନ ଅର୍ଥ (MarginMoney) ହିସାବରେ ବିନିଯୋଗ କରିବେ । ଏହି ସର୍ବନିମ୍ନ ଅର୍ଥ (Margin Money)କୁ ଆବେଦନକାରୀ ଶ୍ରମଦାନ, ଗୃହ ନିର୍ମାଣ ସାମଗ୍ରୀ କ୍ରୟ କିମ୍ବା ଅର୍ଥ ଆକାରରେ ବିନିଯୋଗ କରିପାରିବେ ।

ଗୃହ ନିର୍ମାଣ କରାଯାଉଥିବା ଜମିର ସତ୍ତ୍ଵ ସଠିକ ଥାଇ ସ୍ଥିତିବାନ ବର୍ଗର ଓ ଘରବାରୀ କିସମର ହୋଇଥିବା ଆବଶ୍ୟକ । ଏହି ଜମିକୁ ଆବେଦନକାରୀଙ୍କୁ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଋଣ ପରିଶୋଧ ପର୍ଯ୍ୟନ୍ତ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ହୁଏ ।ଗୃହ ନିର୍ମାଣ ସ୍ତର ଅନୁସାରେ ଋଣ ରାଶି ୨/୩ ପର୍ଯ୍ୟାୟରେ ପ୍ରଦାନ କରାଯାଇଥାଏ ।

ହିତାଧ୍ୟାକାରୀ ଇଚ୍ଛାକଲେ ୧୦ ବର୍ଷ ପୂର୍ବରୁ ମଧ୍ୟ ଋଣ ପରିଶୋଧ କରିପାରିବେ ଓ ମାସିକ କିସ୍ତି ରାଶିର ପରିମାଣ ବୃଦ୍ଧି କରି ପାରିବେ । ବ୍ୟାଙ୍କ ହିତାଧ୍ୟାକାରୀଙ୍କ ଠାରୁ ପ୍ରାକ ଋଣ ପରିଶୋଧ ବାବଦ କୌଣସି ଜୋରିମାନା ଅର୍ଥ ଆଦାୟ କରିପାରିବେ ନାହିଁ । ବିତ୍ତୀୟ ପ୍ରଭାବ ପ୍ରାୟ ୪ ଲକ୍ଷ ହିତାଧ୍ୟାକାରୀଙ୍କ (ପ୍ରତି ସ୍ତରର ଋଣ ପାଇଁ ୧ ଲକ୍ଷ ହିତାଧ୍ୟାକାରୀ )ପାଇଁ ଦୁଇ ବର୍ଷରେ ମଧ୍ୟରେ ୨୧୫୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଅଛି ।

୨୦୨୪ରେ ସବୁ ଗାଁ କୁ ରାସ୍ତା……

() ନିର୍ବାଚନ ପ୍ରତିଶ୍ରୁତି ଅକ୍ଷର ଅକ୍ଷରେ ପାଳନ ହେବ l ୨୦୨୪ ମାର୍ଚ୍ଚ ସୁଧା ସବୁ ଗାଁ କୁ ରାସ୍ତା ସଂଯୋଗ କରାଯିବ l ଖାସ ଏଥିଲାଗି ଏଣିକି ପଂଚାୟତ ଅଧିନରେ ଥିବା ରାସ୍ତାକୁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ଏଣିକି ୫କିମି ନୁହେଁ, ୩କିମି ରାସ୍ତାକୁ ନିର୍ମାଣ କରିବା ପାଇଁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ ।ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୧୫ହଜାର କିମି ରାସ୍ତା ନିର୍ମାଣ କରାଯିବ । ୨୦୧୯ ନିର୍ବାଚନ ଇସ୍ତାହାରରେ ୩ହଜାର ୭୩୧ କିମି ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୬ହଜାର ୨୪ କିମି ରାସ୍ତା ନିର୍ମାଣ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ବଡ଼ ବଡ଼ ବ୍ରିଜ ନିର୍ମାଣ, କୋଠା ନିର୍ମାଣ ଠାରୁ ଆରମ୍ଭ କରି ୧ଲକ୍ଷ ୩ହଜାର ୭୩୧ କିମି ରାସ୍ତା ନିର୍ମାଣ ଓ ରକ୍ଷାଣବେକ୍ଷଣ କରିଛି ବିଭାଗ । ଆଗକୁ ୬ହଜାର କୋଟି ବ୍ୟୟବରାଦରେ ୧୫ଶହ ବିଜୁ ସେନୁ ନିର୍ମାଣ ଟାର୍ଗେଟ କରିଛ ଗ୍ରାମ୍ୟ ଉନ୍ନୟନ ବିଭାଗ । ବଢିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଦା୍ୟିତ୍ବ । ଏଣିକି ପଂଚାୟତ ଅଧିନରେ ଥିବା ରାସ୍ତାକୁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ଏଣିକି ୫କିମି ନୁହେଁ, ୩କିମି ରାସ୍ତାକୁ ନିର୍ମାଣ କରିବା ପାଇଁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତାକୁ ଆଦୃତ ହେଉଥିବା ଯୋଗୁଁ ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅଧିକ ରାସ୍ତା ନିର୍ମାଣ କରୁଛି ବିଭାଗ । ଚଳିତ ବର୍ଷ ୬ହଜାର କିଲୋମଟିର ରାସ୍ତା ନିର୍ମାଣ କରି ଅପହଞ୍ଚ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ହେଉଛି । ଏପରିକି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାରୁ ପ୍ରସକ୍ତିକରଣ କରାଯାଇଛି । ପୂର୍ବରୁ ରାସ୍ତାର ଚଉଡ଼ା ସାଢେ ୩କିମି ଥିବା ବେଳେ ଗତ ଉତ୍କଳ ଦିବସରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ସାଢେ ୫ କିମି ମିଟିର ରାସ୍ତା ନିର୍ମାଣ ଚାଲିଛି । ଯାହାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ନିଦ୍ଦାରିତ ଲକ୍ଷ୍ୟକୁ ସଠିକ ସମୟରେ ସାରିବାକୁ ନିଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୋ ବହୁ ପଡ଼ା ଗାଁକୁ ରାସ୍ତା ସଂଯୋଗ ହୋଇପାରୁନଥିବା ବେଳେ ଚଳିତ ବର୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପଡ଼ା ଗାଁକୁ ରାସ୍ତା ସଂଯୋଗ କରାଯାଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ ରେ ୨୦୧୯ ନିର୍ବାଚନ ସମୟରେ ସରକାର ଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ଲକ୍ଷ୍ୟ ପୂରଣ ନେଇ ମନ୍ତ୍ରୀ ଏବଂ ସଚିବ ଦେଲେ ଓଡ଼ିଶାବାସୀଙ୍କ ପାଖରେ ତଥ୍ୟ ରଖିଛନ୍ତି । ବିଜୁ ସେତୁ ଯୋଜନାରେ ୭୫୦ଟି ସେତୁ ନିର୍ମାଣର ଲକ୍ଷ୍ୟ ଥିବାବେଳେ ୬୭୯ଟି ସେତୁ ନିର୍ମାଣ ସରିଛି।୨ ୦୨୪ସୁଦ୍ଧା ମୋଟ ୯୦୦ଟି ସେତୁ ନିର୍ମାଣ ସରିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧିନରେ ୩୦୦୦ହଜାର କିମି ସଡ଼କ ନିର୍ମାଣ ପ୍ରସ୍ତାବ ରହିଥିବା ବେଳେ ୬୨୪୭ କି ମି ଦୀର୍ଘ ରାସ୍ତା ନିର୍ମାଣ କରଛି ବିଭାଗ । ସେହିପରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୪୩ହଜାର କିମି ମଧ୍ୟରୁ ୩୩୩୨୬ କିମି ରାସ୍ତାର ଉନ୍ନତିକରଣ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ରାଜସ୍ବ ବିଭାଗର ୧୬୪ଟି କୋଠା ବାଡି ନିର୍ମାଣ ହୋଇଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମା ମୁକ୍ତରାସ୍ତା ଏବଂ ଗମନାଗମନକୁ ସୁନିଶ୍ଚିତ କରିବା ପାଇଁ ୫୦ହଜାର କିମି ରାସ୍ତାର ଗୁଣବତ୍ତା ରେ ଉନ୍ନତି ଆଣିବାକୁ ବିଭାଗ ଚେଷ୍ଟା କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ । 18161 ଟି ଗ୍ରାମଞ୍ଚଳ କୁ ସବୁଦିନିଆ ରାସ୍ତା lନିର୍ମାଣ କରାଯାଇ ସଂଯୋଗ କରାଯାଇଛି ବିଭାଗ କହିଛି । ସର୍ବାଧିକ ଲମ୍ବା ସଡ଼କ ନିର୍ମାଣରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜାତୀୟସ୍ତରରେ ପୁରସ୍କୃତ ହୋଇଛି

ପଞ୍ଚମ ଥର ପାଇଁ ଆଇପିଏଲ୍ ତାଜ୍ ପିନ୍ଧିଲା ଚେନ୍ନାଇ ସୁପରକିଙ୍ଗସ…

() ଆଇପିଏଲ୍ ୨୦୨୩ ଟାଇଟଲ ଜିତିଲା ଧୋନୀ ବାହିନୀ। ବର୍ଷା ଓ ଗୁଜରାଟକୁ ମାତ୍ ଦେଇ ଚାମ୍ପିଅନର ଖିତାବ୍ ଜିତିଲା ଚେନ୍ନାଇ ସୁପରକିଙ୍ଗସ। ଗତକାଲି ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ। ଏହି ବିଜୟ ସହ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି ଚେନ୍ନାଇ ।

ଆଇପିଏଲ ଇତିହାସରେ ମୁମ୍ବାଇର ୫ଟି ଟାଇଟଲ ସହ ଚେନ୍ନାଇ ସମକକ୍ଷ ହୋଇଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସାଇ ସୁଦର୍ଶନ ୯୬ ଓ ରିଦ୍ଧିମାନ ଶାହ ୫୪ ରନ କରିବା ଫଳରେ ଗୁଜରାଟ ଟାଇଟନ୍ସ ୪ ୱିକେଟରେ ୨୧୪ ରନ୍ କରିଥିଲା । ଜବାବରେ ୨୧୫ ରନର ବିଜୟ ଲକ୍ଷ ନେଇ କ୍ରିଜକୁ ଓହ୍ଲାଇଥିଲା ଚେନ୍ନାଇ । ୩ଟି ବଲରେ ଖେଳିବା ପରେ ବର୍ଷା ଯୋଗୁ ଖେଳ ୨ଘଣ୍ଟା ୨୦ ମିନିଟ୍ ବନ୍ଦ ରହିଥିଲା ।

ବର୍ଷା ଛାଡ଼ିବା ପରେ ଡିଏଲଏସ ନିୟମ ଅନୁସାରେ ଚେନ୍ନାଇ ଆଗରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ୫ୱିକେଟ ହରାଇ ଶେଷ ବଲରେ ବିଜୟ ହାସଲ କରିନେଲା ଚେନ୍ନାଇ । ଶେଷ ଦୁଇଟି ବଲରେ ରବୀନ୍ଦ୍ର ଜାଡେଜା ଛକା ଓ ଚୌକା ମାରି ଚେନ୍ନାଇକୁ ଦେଇଥିଲେ ଐତିହାସିକ ବିଜୟ।

‘ଆହାର’ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିବା ବାଧ୍ୟତାମୂଳକ…

{} ‘ଆହାର’ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିବା ବାଧ୍ୟତାମୂଳକ ;

 ପରବର୍ତ୍ତୀ ମାସ ୭ ତାରିଖ ସୁଦ୍ଧା ଡବ୍ଲୁଏସଏଚଜିକୁ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ।

() ଅହାର, ଓଡ଼ିଶା ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଯାହା ନାଗରିକଙ୍କ କଲ୍ୟାଣ ପାଇଁ ସେମାନଙ୍କର ଗଭୀର ପ୍ରତିବଦ୍ଧତାର ପ୍ରତୀକ ପାଲଟିଛି। ୫ଟି ମହାନଗର ନିଗମରେ ୨୧ଟି ‘ଆହାର’ କେନ୍ଦ୍ର ସହିତ ଏକ ସାମାନ୍ୟ ପ୍ରୟାସ ଭାବେ ଯାହା ଆରମ୍ଭ ହୋଇଥିଲା, ତାହା ଏବେ ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି। ରାଜ୍ୟର ସମସ୍ତ ୧୧୫ ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ନେଇ ଗଠିତ ଓଡ଼ିଶାରେ ୧୬୭ ଟି ‘ଆହାର’ କେନ୍ଦ୍ର ରହିଛି। ପ୍ରତ୍ୟେକ ଦିନ, ଏହି ସ୍ମାରକୀ ପ୍ରୟାସ ପ୍ରାୟ ଏକଲକ୍ଷ ଯୋଗ୍ୟ ବ୍ୟକ୍ତିଙ୍କ ଜୀବନକୁ ଛୁଇଁଥାଏ, ଯାହା ସୁନିଶ୍ଚିତ କରେ ଯେ କେହି ଭୋକିଲା ଶୋଇବେ ନାହିଁ। ବର୍ତ୍ତମାନ ସୁଦ୍ଧା ୧୫୦ ନିୟୁତରୁ ଅଧିକ ଖାଦ୍ୟ ବିପନ୍ନଙ୍କୁ ଯୋଗାଇ ଦିଆୟାଇଛି।

ସାମୁହିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ‘ଆହାର’ କାର୍ୟ୍ୟକ୍ରମର ଶେଷ ପର୍ଯ୍ୟନ୍ତ କାର୍ଯ୍ୟରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି । ସମସ୍ତ ୧୬୭ ଟି ଆହାର କେନ୍ଦ୍ର ଓ ୨୭ଟି ଆହାର ରୋଷେଇ ଘର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆୟାଇଛି। ଏହାବ୍ୟତୀତ ପାଖାପାଖି ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ୫୬ ଟି ନୂତନ ‘ଆହାର’ ରୋଷେଇ କେନ୍ଦ୍ର ପ୍ରତିଷ୍ଠା କରା ଯାଉଚି, ଯାହା ପ୍ରସ୍ତୁତ ହେବା ପରେ ମିଶନ ଶକ୍ତି ଗ୍ରୁପକୁ ମଧ୍ୟ ହସ୍ତାନ୍ତର କରାଯିବ। ଏହି ପଦକ୍ଷେପ ସମୁଦାୟଙ୍କୁ ସଶକ୍ତ କରିବାରେ ଏବଂ ଆର୍ଥିକ ଆତ୍ମନିର୍ଭରଶୀଳତା ମାଧ୍ୟମରେ ସେମାନଙ୍କ ଜୀବନର ମାନ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

SHGsର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ମିଶନ ଶକ୍ତି SHGsକୁ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରନ୍ତୁ ଏବଂ ପ୍ରତ୍ୟେକ ମାସର ୭ ତାରିଖ ସୁଦ୍ଧା ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ପ୍ରଦାନ ସୁନିଶ୍ଚିତ କରନ୍ତୁ। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ‘ଆହାର’ ଠାରୁ ତଦାରଖ ଶୁଳ୍କ ବାବଦରେ ୧୩ କୋଟି ଟଙ୍କାରୁ ଅଧିକ ଆୟ କରିସାରିଛନ୍ତି।

କାର୍ୟ୍ୟକୁ ସୁରୁଖୁରୁରେ ଚଳାଇବା ଏବଂ ଉଚ୍ଚ ମାନ ବଜାୟ ରଖିବା ପାଇଁ ବିଭିନ୍ନ ସ୍ତରରେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଅଚାନକ ଗସ୍ତ କରିବା ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ନିଆୟାଇଛି। ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ରାଜ୍ୟ ନୋଡାଲ ଅଧିକାରୀ ‘ଆହାର’ ସାରଦା ପ୍ରସାଦ ପଣ୍ଡା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଥିବା ‘ଆହାର’ କେନ୍ଦ୍ରକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ନିର୍ଦ୍ଦେଶାବଳୀର ଅନୁପାଳନକୁ ଅନୁଧ୍ୟାନ କରିବା ପାଇଁ ଏହି ଗସ୍ତ କରାୟାଇଥିଲା। ଦାୟିତ୍ୱରେ ଥିବା ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିଥିଲେ, ଏବଂ ସମ୍ମାନର ସହ ହିତାଧିକାରୀଙ୍କ ସେବା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଖାଦ୍ୟର ଅପଚୟକୁ କମ୍ କରିବା, ଏବଂ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ବିଶେଷ ଧ୍ୟାନ ଦେଉଛି, ସଫେଇ ସାମଗ୍ରୀର ପର୍ୟ୍ୟାପ୍ତ ମହଜୁଦ ରଖିବା, ସେବା କରିବା ସମୟରେ ସୁରକ୍ଷା ପୋଷାକର ବ୍ୟବହାର କରନ୍ତୁ, ସେବା ଅବଧି ମଧ୍ୟରେ ନିୟମିତ ସଫେଇ ଓ ମୋପିଙ୍ଗ କରିବା ପାଇଁ ପରାମର୍ଶ ଦେଇଥିଲେ।

କେନ୍ଦ୍ରରେ ବିଜେପି ସରକାର ୯ବର୍ଷ ଶାସନ କୁ କଂଗ୍ରେସର ୯ ଟି ପ୍ରଶ୍ନ : ଜିତେନ୍ଦ୍ର ସିଂ

() ନରେନ୍ଦ୍ର ମୋଦୀ ନେତୃତ୍ୱାଧିନ କେନ୍ଦ୍ର ବିଜେପି ସରକାରକୁ ଆଜି ୯ ବର୍ଷ ପୁରିଲା । ଏହି ୯ ବର୍ଷ ଭିତରେ ବିଜେପି ଦଳ ତଥା ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା କେନ୍ଦ୍ରରେ ଶାସନକୁ ଆସିବା ପୂର୍ବରୁ ଭାରତ ବର୍ଷର ସରଳ ଜନସାଧାରଣଙ୍କୁ ବହୁଗୁଡ଼ିଏ ମିଛ ପ୍ରତିଶ୍ରୁୀତି ବାଂଟିଥିଲେ । ଗୋଟିଏ ମିଛକୁ ବାରମ୍ବାର କହି ଭାରତ ବର୍ଷର ଜନସାଧାରଣଙ୍କ ମନରେ ଏକ ମିଛି ବିଶ୍ୱାସର ପାହାଡ଼ ସୃଷ୍ଟି କରିଥିଲେ । ଯାହାକୁ ଭାରତ ବର୍ଷର ଜନସାଧାରଣ ବିଶ୍ୱାସକୁ ପ୍ରତିଶ୍ରୁତି ବୋଲି ଭରଷା କରିଥିଲେ । ତାହା ବର୍ଷ ପରେ ବର୍ଷ ଅତିକ୍ରାନ୍ତ ହୋଇ ଆଜି ୯ ବର୍ଷ ପରେ ସେ ସବୁ ବିଶ୍ୱାସ ସଂପୂର୍ଣ୍ଣ ମିଛ ଥିଲା ବୋଲି ଆଜି ତାହା ଜଳ ଜଳ ହୋଇ ଦେଖାଯାଉଛି । ୨୦୧୨ ଓ ୨୦୧୩ ମସିହା ନରେନ୍ଦ୍ର ମୋଦୀ ବିଭିନ୍ନ ସଭା ସମିତିରେ କହିଥିଲେ ଯେ, କାହିଁକି ପେଟ୍ରୋଲ ଓ ଡିଜେଲ ଦାମ୍ ଏତେ ବୃଦ୍ଧି ଘଟୁଛି? କାହିଁକି ଡଲାରର ମୂଲ୍ୟ ବଦ୍ଧି ଘଟୁଛି ଓ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ରନ୍ଧନ ଗ୍ୟାସ, ଡାଲି,ତେଲ, ଲୁଣ , ଦୁଗ୍‌ଧ ଓ ଅଟାର ଦାମ କାହିଁକି ହୁ ହୁ ହୋଇ ବଢ଼ିଚାଲୁଛି । ଠିକ୍ ୯ ବର୍ଷ ପରେ କଂଗ୍ରେସ ନରେନ୍ଦ୍ର ମୋଦୀ ସରକାରଙ୍କୁ ଆଜି ପ୍ରଥମ ପ୍ରଶ୍ନ କରିଛି ଯେ, କାହିଁକି ମୁଦ୍ରା ସ୍ଫିତି ଓ ବେରୋଜଗାରୀ ଆକାଶ ଛୁଆଁ ହୋଇଛି । କାହିଁକି ଧନୀ ଅଧିକ ଧନୀ ହେଉଛି ଓ ଗରୀବ କାହିଁକି ଅଧିକ ଗରୀବ ହୋଇଯାଉଛି । କାହିଁକି ଜାତୀୟ ସମ୍ପତିକୁ ନିଜର କିଛି ବ୍ୟକ୍ତିଗତ ବନ୍ଧୁଙ୍କୁ ବିକ୍ରି କରାଯାଉଛି ।

ଏହାଦ୍ୱାରା କାହାର ହିତସାଧନ କରାଯାଉଛି । ଆଜି ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ, ଆସନ୍ତାକାଲି ସଂସଦ ଭବନ ଉଦ୍‌ଘାଟନ ହେବ କିନ୍ତୁ ମହାମହୀମ ରାଷ୍ଟ୍ରପତିଙ୍କର ଗାରିବା, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନର ନୀତି ନିୟମକୁ ସଂପୂର୍ଣ୍ଣ ରୂପେ ଭୃକ୍ଷେପ ନ କରି ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେଇଛି । ଆପଣ ସମଦୂରତା କଥା କହିଥିଲେ? ସମଦୂରତା ଗଲା କୁଆଡ଼େ? ଆପଣଙ୍କ ଦଳ କହୁଛି ରାଷ୍ଟ୍ରପତିଙ୍କ ପଦ ମର୍ଯ୍ୟଦା ହାନି ହେବା କଥା ନୁହେଁ । ରାଷ୍ଟ୍ରପତି ଯିଏ କି ଆପଣଙ୍କ ଭଉଣୀ ତଥା ଓଡ଼ିଶାର ଝିଅ ଏବଂ ଆଦିବାସୀ ମହିଳା ତାଙ୍କୁ ଖୋଦ୍ ପ୍ରଧାନମନ୍ତ୍ରୀ ଅପମାନିତ କରୁଥିଲାବେଳେ ଆପଣ ଏହାକୁ ସମର୍ଥନ କରୁଛନ୍ତି । ଏହା କ’ଣ ଆପଣଙ୍କର ଓଡ଼ିଶା ପ୍ରୀତି କି? ଆପଣଙ୍କ ଆଦିବାସୀ ପ୍ରିତୀ ଗଲା କୁଆଡ଼େ? ଏହା କେବଳ ନିର୍ବାଚନୀ ଚାଲ? ଆପଣଙ୍କୁ ଆଜି ଜାତୀୟ ପ୍ରସଙ୍ଗ ଓ ମୋଦୀ ସରକାରଙ୍କ ବିଫଳତା ଉପରେ ସମ୍ମାନୀୟ ଜିତେନ୍ଦ୍ର ସିଂ ସମ୍ବୋଦିତ କରିବେ? ଅଖିଳ ଭାରତ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି ନରେନ୍ଦ୍ର ମୋଦୀ ସରକାର ୯ ବର୍ଷର ୯ ଟି ମୁଖ୍ୟ ଅପାରଗତାକୁ ପ୍ରଶ୍ନ ଆକାରରେ ପଚାରିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ମସିହାରେ ଏକ ଏଲପିଜି ସିଲିଣ୍ଡର ଦାମ ୪୧୦ ଟଙ୍କା ଥିଲା ବେଳେ ୨୦୨୩ ମସିହା ବେଳକୁ ତାହା ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି । ପାଖାପାଖି କେବଳ ଏଲପିଜି ସିଲିଣ୍ଡରର ୧୬୯ ପ୍ରତିଶତ ବୃଦ୍ଧି ଘଟିଛି । ଠିକ୍ ସେହିଭଳି ଭାବରେ ଆଜି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨୦୧୪ ମସିହା ଠାରୁ ୫୭ ପ୍ରତିଶତ, ଡିଜେଲ ୭୮ ପ୍ରତିଶତ ବୃଦ୍ଧି ଘଟିଛି । ସବୁଠାରୁ ଦୁଃଖର କଥା ଏହାର ପ୍ରଭାବ ଭାରତ ବର୍ଷର ବହୁ ଗରୀବ ଜନସାଧାରଣଙ୍କ ଉପରେଏକ ବଡ଼ ବୋଝ ସଦୃଶ । ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ତେଲ, ଅଟା ଓ କ୍ଷୀରର ମୂଲ୍ୟ ୨୦୧୪ ମସିହା ତୁଳନାରେ ଆଜି ଶତକଡ଼ା ୫୮ ପ୍ରତିଶତ ବୃଦ୍ଧି ଘଟିଛି । ଦ୍ୱିତୀୟ ପ୍ରଶ୍ନ ଯେ କାହିଁକି କୃଷକମାନଙ୍କୁ କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରାଯାଉନାହିଁ? କାହିଁକି କଳା କୃଷି ଆଇନ୍ ଫେରାଇ ନେଲାବେଳେ କୃଷକ ମାନଙ୍କ ସହିତ ଯେଉଁ ଚୁକ୍ତି ହୋଇଥିଲା ତାହା କାହିଁକି କାର୍ଯ୍ୟକାରୀ ହେଉନାହିଁ । ଭାରତ ବର୍ଷର କୃଷକର ପରିବାର ଆୟ ଦିନକୁ ଆଜି ମାତ୍ର ୨୭ ଟଙ୍କା କାହିଁକି । କୃଷକଙ୍କର ଆୟ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି କେବେ ପାଳନ ହେବ? ଦୁର୍ନିତୀ ଏବଂ ଅସାଧୁ ମେଂଟ ଆଜି ଭାରତ ବର୍ଷର ଅର୍ଥନୀତିକୁ ଅତ୍ୟନ୍ତ ଦୁର୍ବଳ କରିସାରିଲାଣି ବୋଲି ସେ ତୃତୀୟ ପ୍ରଶ୍ନ କରିଥିଲେ । ସେ ପଚାରିଛନ୍ତି କାହିଁକି ଭାରତ ବର୍ଷର ଲକ୍ଷ ଲକ୍ଷ ନିମ୍ନ ମଧ୍ୟବିତ ଏଲଆଇସିର ବୀମାଧାରୀ ଏବଂ ଏସ୍‌.ବି.ଆଇର ଜମାକାରୀଙ୍କ ଟଙ୍କା କାହିଁକି ଓ କାହା ସ୍ୱାର୍ଥରେ ଆପଣଙ୍କ ବନ୍ଧୁ ଆଦାନୀ ଗ୍ରୁପ ଅଫ କମ୍ପାନୀରେ ବିନିଯୋଗ କରାଯାଇଛି । ଆପଣ କାହିଁକି ବିଜେପି ଶାସନାଧିନ ରାଜ୍ୟମାନଙ୍କର ପ୍ରଚୁର ଦୁର୍ନିତକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ଏହା କଣ ଡବଲ ଇଞ୍ଜିନ ସରକାରର ମୂଳଲକ୍ଷ କି? କିଭଳି ଭାବରେ ଯେଉଁମାନେ ଭାରତୀୟ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଠକୁଛନ୍ତି, ସେମାନଙ୍କ ସମ୍ପତି ଜବ୍‌ଦ ହେବା ପରିବର୍ତେ ସେମାନେ କିଭଳି ବିଦେଶକୁ ପଳେଇଯାଉଛନ୍ତି ଏବଂ କେହି ବିଦେଶରୁ ଫେରୁନାହାନ୍ତି । ଆପଣତ ୫୬ ଇଂଚିର ଛାତି କଥା କହିଥିଲେ, ଏହା କ’ଣ ୫୬ ଇଂଚି ଛାତିର କାମ? ବହୁ ସଭାସମିତିରେ ୨୦୧୩ ମସିହାରେ ଚାଇନା ଘଟଣାକୁ ନେଇ କହିଥିଲେ ଯେ, ଯଦି କେହି ଭାରତର ସୀମାକୁ ଅତିକ୍ରମ କରିବ ତାହାଲେ ମୋ ସରକାର ଆସିଲେ ତାଙ୍କୁ ଦୃଢ଼ ଯବାବ ଦିଆଯିବ । କାହିଁକି ଆଜି ଚାଇନା ଭାରତ ବର୍ଷର ୧୫ ଶହ ସ୍କୋୟାର କିଲୋମିଟର ସୀମାକୁ ଅକ୍ତିଆର କରିନେଇଛି । ଏହା ଜାଣି ସୁଧା କାହିଁକି ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଚୁପ୍ ରହିଛନ୍ତି? ଏହି ୯ ବର୍ଷ ମଧ୍ୟରେ ଭାରତ ବର୍ଷର କୌଣସି ଜାତୀୟ ନିରାପତା ନିୟମ ନାହିଁ । ଅଗ୍ନପଥ ଭଳି ଆମ ମିଲିଟାରିର ସ୍ୱଳ୍ପ ମିଆଦି ନିଯୁକ୍ତି ଅତ୍ୟନ୍ତ ଚିନ୍ତାଜନକ ବିଷୟ ।

ଏହା ଆମ ସାମରିକ ଶକ୍ତିକୁ ଦୃର୍ବଳ କରିଦେବା ସହିତ ମାନବ ସମ୍ବଳର ଦକ୍ଷତା ବିକାଶ ପରିବର୍ତେ ତାଙ୍କୁ ବିନାଶ ଆଡ଼କୁ ଟାଣିନେବ । ଏହା କ’ଣ ଆପଣଙ୍କ ସ୍ୱପ୍ନ ଥିଲା କି? ସେ ତାଙ୍କ ପଂଚମ ପ୍ରଶ୍ନରେ ପଚାରିଛନ୍ତି ଯେ, କାହିଁକି ଆପଣଙ୍କ ସରକାର ଏବଂ ଆପଣଙ୍କ ଦଳ ଜାଣିଶୁଣି ଭାରତ ବର୍ଷରେ ଘୃଣା, ବିଦ୍ୱେଶ ଓ ହିଂସା ସୃଷ୍ଟି କରୁଛନ୍ତି? ଏହାଦ୍ୱାରା ଆପଣଙ୍କ ରାଜନୈତିକର ଉଦ୍ୟେଶ ସାଧିତ ହୋଇଥାଇପାରେ କିନ୍ତୁ ଭାରତ ବର୍ଷରେ ଖଣ୍ଡ ବିଖଣ୍ଡିତ ହୋଇଯାଉଛି । ଭାରତବର୍ଷର ଭାଇଚାରା, ସଂହତି ପରସ୍ପରକୁ ଭଲ ପାଇବାକୁ ନଷ୍ଠଭ୍ରଷ୍ଟ କରି ଆପଣ ଜାଣିଶୁଣି ଘୃଣାର ବଜାର ସୃଷ୍ଟି କରୁଛନ୍ତି । ଆପଣଙ୍କ ସରକାରଙ୍କ ସମୟରେ ଏହି ଘୃଣା ଓ ହିଂସା ଯୋଗୁଁ ଦିଲ୍ଲୀ, ମଣିପୁର ଏବଂ ଅନ୍ୟାନ୍ୟ ଜାଗାରେ ଯେଉଁ ଦଙ୍ଗା ସୃଷ୍ଟି ହେଲା ତାହା ଆପଣଙ୍କ ଦଳର ସାମାଜିକ ଧୃବିକରଣର ଏକ ଅଂଶ ବିଶେଷରେ ହୋଇଥାଇପାରେ, କିନ୍ତୁ ଭାରତ ବର୍ଷ ଯେ ଦୃର୍ବଳ ହୋଇଯାଉଛି । ଆପଣ ଭାରତ ବର୍ଷକୁ ଦୃର୍ବଳ କରିବା ପାଇଁ କାହିଁକି ଅଂଟା ଭିଡୁଛନ୍ତି । କାହିଁକି ୨୦୧୪ ମସିହା ଆପଣଙ୍କ ସରକାର ଆସିଲା ପାଖରୁ ଦଳୀତ, ସଂଖ୍ୟାଲଘୁ, ମହିଳା ଓ ଆଦିବାସୀ ବର୍ଗଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି? ୨୦୧୪ ମସିହା ଠାରୁ ପାଖାପାଖି ଏହି ବର୍ଗଙ୍କ ଉପରେ ଶତକଡ଼ା ୨୩ ପ୍ରତିଶତ ଅତ୍ୟାଚାର ବୃଦ୍ଧି ଘଟିଛି । ଆପଣ ଦୟାକରି କହିବେ କି ବେଟି ପଢ଼ାଅ ଓ ବେଟି ବଚାଅ ଅଭିଯାନ କେବଳ ସ୍ଲୋଗାନ କି? ଆପଣଙ୍କ ସରକାର ସମୟରେ ୨୦୨୧ ମସିହାରେ ୪.୨ ଲକ୍ଷ ମହିଳା ଉତ୍ପିଡ଼ନ, ଶାରିରୀକ ନିର୍ଯ୍ୟାତନା ଇତ୍ୟାଦି ଭୋଗ କରୁଥିବାର ମାମଲା ଦାୟର କରିଛନ୍ତି । ଆପଣଙ୍କ ଦଳର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତା କାହିଁକି ମହିଳାଙ୍କୁ ଶାରିରୀକ ନିର୍ଯ୍ୟାତନା ଓ ପାଶବିକ ଅତ୍ୟାଚାର ଘଟଣାରେ ସଂପୃକ୍ତ ଅଛନ୍ତି? ଏମାନଙ୍କ ବିରୋଧରେ କେସ୍ ମଧ୍ୟ ଦାୟର କରିବା ପାଇଁ ସୁପ୍ରିମ୍‌କୋର୍ଟ ଯିବାକୁ ପଡ଼ୁଛି । ନିଭୟା ହତ୍ୟାକାଣ୍ଡ ଘଟଣା ପରେ ନିର୍ଭୟା ଯୋଜନାରେ ଯେଉଁ ବଜେଟ ରାଶି ଦିଆଯାଇଛି ସେଥିରୁ ୮୦ ପ୍ରତିଶତ କେବଳ ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମାଧ୍ୟମକୁ ବିଜ୍ଞାପନ ଆକାରରେ ଦିଆଯାଇଛି । ଏଥିରେ ଦେଶର ମହିଳାମାନଙ୍କର କଣ ସୁରକ୍ଷା ହେଲା । ନା କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଛାପି ପ୍ରଚାର କରାଗଲା । ଆପଣଙ୍କ ସରକାର ଗଣତନ୍ତ୍ର ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି? ୨୦୧୪ ମସିହା ଆପଣଙ୍କ ସରକାର ଆସିଲା ପରେ ୯୫ ଶତପ୍ରତିଶତ ସି.ବି.ଆଇ.,ଇଡ଼ି କେସ କେବଳ ପ୍ରତିପକ୍ଷ ରାଜନୈତିକ ନେତୃବର୍ଗଙ୍କ ପ୍ରତି କରାଯାଇଛି । ଏପରିକି ଗଣତନ୍ତ୍ରକୁ ସଂପୂର୍ଣ୍ଣ ବିଧୋସ୍ତ କରିବାକୁ ଯାଇ ଆପଣ ଗୋଆ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର ଓ ଅରୁଣାଚଳ ପ୍ରଦେଶର ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ଅର୍ଥବଳ ଓ ପ୍ରଶାସନିକ ବଳ ଯୋଗୁ ଭାଙ୍ଗିଦେଇଛନ୍ତି ।

ତଦ୍ୱାରା ଗଣତନ୍ତ୍ରକୁ ଆପଣ ଭଲ ପାଆନ୍ତି କି? ଗଣତାନ୍ତ୍ରୀକ ବ୍ୟବସ୍ଥା ପ୍ରତି ଆପଣଙ୍କର ଓ ଆପଣଙ୍କ ସରକାରଙ୍କର ସମ୍ମାନ ଅଛି କି? ଶ୍ରୀ ସିଂ ତାଙ୍କ ଅଷ୍ଟମ ପ୍ରଶ୍ନରେ କେନ୍ଦ୍ର ସରକାରଙ୍କୁ ତାଚ୍ଛଲ୍ୟ କରି କହିଥିଲେ ଯେ ବହୁଳ ପ୍ରଚାର ଉଜ୍ଜଳା ଯୋଜନା ଆଜି ସଂପୂର୍ଣ୍ଣ ରୁପେ ଫେଲ ମାରିଛି କିନ୍ତୁ ଉପାସରକାର ସମୟରେ ଯେଉଁ ଖାଦ୍ୟ ସୁରକ୍ଷା ଆଇନ କରାଯାଇଥିଲା ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌.ଜି.ଏନ୍‌.ଆର.ଇ.ଜି.ଏ) ଯୋଗୁଁ ଭାରତ ବର୍ଷର କୋଟି କୋଟି କରି ଲୋକଙ୍କୁ କର୍ମନିଯୁକ୍ତି ସହିତ ଖାଦ୍ୟ ସୁରକ୍ଷା ମିଳିଥିଲା । କିନ୍ତୁ ଆପଣଙ୍କର ବୈାଧିକ ଶୂନ୍ୟତା ହେତୁ ସଂସଦ ଭିତରେ ଓ ସଂସଦ ବାହାରେ ଆପଣ ଏମ୍‌.ଜି. ନରେଗା କାର୍ଯ୍ୟକ୍ରମକୁ ଘୋର ବିରୋଧ କରିବା ସହିତ କଂଗ୍ରେସର ବିଫଳତା ବୋଲି କହିଥିଲେ କିନ୍ତୁ ସେହି ଯୋଜନା କୋଭିଡ଼-୧୯ ମହାମାରି ସମୟରେ ଭାରତ ବର୍ଷର କୋଟି କୋଟି ଶ୍ରମିକଙ୍କୁ ନିଜ ଅଂଚଳରେ କର୍ମନିଯୁକ୍ତିର ସୁଯୋଗ ଦେଇଥିଲା । କାହିଁକି ଆପଣଙ୍କ ସରକାର ଗରୀବ ଓ ନିସ୍ୱ ଆଦିବାସୀବର୍ଗଙ୍କ ଯୋଜନା ରାଶିକୁ ବର୍ଷ ପରେ ବର୍ଷ କମାଇ ଚାଲିଛନ୍ତି? ଠିକ୍ ସେହିଭଳି ଭାବରେ ଆପଣଙ୍କ ସରକାର କୋଭିଡ଼-୧୯ ମହାମାରି ପରିଚାଳନା କରିବାର ବିଫଳତା ଯୋଗୁଁ ଆଜି ଦେଶ ବହୁ କିଛି ଦୃର୍ଦ୍ଦଶ ଭୋଗିବାକୁ ପଡ଼ୁଛି । କୋଭିଡ଼ ମହାମାରିର ବହୁ ଦିନ ପୂର୍ବରୁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଥିଲେ ଯେ, କୋଭିଡ଼ ମହାମାରି ଦେଶରେ ବହୁ ବିପତି ସୃଷ୍ଟି କରିବ ? ଏଥିପାଇଁ ସରକାର ସତର୍କ ରହିବାକୁ ପଡ଼ିବ । ଆପଣ ଓ ଆପଣଙ୍କ ସରକାର ଏକଥା ପ୍ରତି କର୍ଣ୍ଣପାତ କରିବା ପରିବର୍ତେ ତାଙ୍କୁ ତାଚ୍ଛଲ୍ୟ କରିଥିଲେ ଏବଂ ଏହାର କିଛିଦିନ ପରେ ଅତି ନର୍ମମ ଭାବରେ ଆପଣ କୋଠର ତାଲାବନ୍ଦ ଘୋଷଣା କରିଥିଲେ । ଭାରତବର୍ଷର ୪ କୋଟି ଶ୍ରମିକ ଭାଇ ଓ ଭଉଣୀମାନେ ରାଜରାସ୍ତାରେ ଶହଶହ କିଲୋମିଟର ଚାଲିଥିଲେ । ବହୁ ଲୋକ ପ୍ରାଣ ହରାଇଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ଼୍ ମହାମାରି ଯୋଗୁଁ ଭାରତ ବର୍ଷର ୪୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ବୋଲି ଏକ ରିପୋର୍ଟରେ କହିଛନ୍ତି । କିନ୍ତୁ ଏ ସରକାର ଭାରତ ବର୍ଷରେ କେହି ଜଣେ ବ୍ୟକ୍ତି ଅକ୍ସିଜେନ ଅଭାବ, ଡାକ୍ତରଖାନାରେ ଶଯ୍ୟା ଅଭାବରୁ ମରିନାହାନ୍ତି ବୋଲି କହିଛନ୍ତି । ଏହା କଣ ଆପଣଙ୍କର ଭାରତ ବର୍ଷର ସାଧାରଣ ଲୋକଙ୍କୁ ଭଲ ପାଇବାର ନିର୍ଦ୍ଦଶନ କି? କୋଭିଡ଼୍ ମହାମାରି ଯୋଗୁ ଭାରତ ବର୍ଷର ୪ କୋଟି ଲୋକ ନିଜର ରୋଜଗାର ହରାଇଛନ୍ତି । ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁଁ ଭାରତର ଅର୍ଥନୀତିକୁ ଅତ୍ୟନ୍ତ ଦୁର୍ବଳ କରିଦେଇଛନ୍ତି ।

ଏ ସରକାର ପ୍ରତିଦିନ ଜିଏସ୍‌ଟିର ନିୟମାବଳୀର ପରିବର୍ତନ କରୁଛନ୍ତି । ଜିଏସ୍‌ଟି ଆୟର ଶତକଡ଼ା ୫୦ ରୁ ୬୦ ଭାଗ ଆୟ କେବଳ ଗରୀବ, ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ଠାରୁ ଆଦାୟ କରାଯାଉଛି । କିନ୍ତୁ ଭାରତ ବର୍ଷର ସବୁଠାରୁ ଧନୀବ୍ୟକ୍ତିମାନେ ଶତକଡ଼ା ୪ ପ୍ରତିଶତ ଜିଏସ୍‌ଟି ଆୟର ଯୋଗଦାନ କରୁଛନ୍ତି । ତେଣୁ ଏହି ଜିଏସ୍‌ଟି ଗରୀବ ଲୋକମାନଙ୍କୁ ଅଧିକ ଗରୀବ କରିବା ପାଇଁ ଉଦ୍ଧିଷ୍ଟ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ସିଂ ସମ୍ବାଦିକ ମାନଙ୍କୁ ଆହୁରି କହିଥିଲେ ଯେ, ଓଡ଼ିଶା ସରକାରଙ୍କର ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମୀତ ଶାହାଙ୍କ ହାତରେ । ତେଣୁ ବିଜେଡ଼ି ଦଳ ସବୁ କଥାରେ ବିଜେପି ସହିତ ଏକ ହୋଇରହିଛି । ଏମାନେ ଓଡ଼ିଶାରେ ମିଛରେ ନାଟକ କରୁଛନ୍ତି । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ମୁଁ ଓଡ଼ିଶା ସହିତ ମାନସିକ ଓ ଶାରିରୀକ ସ୍ତରରେ ଓତପ୍ରୋତ ଭାବରେ ଜଡ଼ିତ । କିନ୍ତୁ ମୋତେ ବହୁ କଷ୍ଟ ଲାଗୁଛି ଓଡ଼ିଶା ଏକ ଗଣତାନ୍ତ୍ରୀକ ସରକାର ଚାଲିନାହିଁ । ଏଠାରେ ଅମଲାତନ୍ତ୍ରୀକ ସରକାର ଚାଲିଛି । ଏ ସରକାରକୁ ତୃତୀୟ ମହଲାରୁ ପରିଚାଳନା କରାଯାଉଛି । ଏ ସରକାରଙ୍କର ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କ ପାଖରେ ସାମାନ୍ୟତମ କିଛି କ୍ଷମତା ନାହିଁ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ । ଜନସାଧାରଣ ଆଜି ଘୋର ଦ୍ୱନ୍ଦରେ ସେମାନେ କାହାକୁ ତାଙ୍କ ଦୁଃଖ ଜଣାଇବେ । ଏ ୨୩ ବର୍ଷର ସରକାର କୃଷକ, ଛାତ୍ର, ମହିଳା, ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ବିରୋଧି । ରାଜ୍ୟରେ ୨୩ ବର୍ଷ ଭିତରେ ଗୋଟିଏ ବୋଲି କୃଷିଭିତିକ ପ୍ରତିଷ୍ଠା ହୋଇନାହିଁ । କଂଗ୍ରେସ ସରକାର ସମୟରେ ଯେଉଁ କିଛି ଶିଳ୍ପ ପ୍ରତିଷ୍ଠା ହୋଇଥିଲା ତାହା ଆଜି ସଂପୂର୍ଣ୍ଣରୁପେ ବନ୍ଦ ହୋଇଯାଇଛି । ଏ ସରକାର ଏପର୍ଯ୍ୟନ୍ତ ଗୋଟେ ଶୀତଳ ଭଣ୍ଡାର କରିନାହିଁ । କୃଷକ ଅଭାବ ବିକ୍ରିରେ ହନ୍ତସନ୍ତ । ରାଜ୍ୟରେ କୃଷକର ଆୟ ୧୩ ବର୍ଷ ପରେ ମଧ୍ୟ ୧୦ ଟଙ୍କା ବୃଦ୍ଧି ଘଟିନାହିଁ । ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଉଚ୍ଚଶିକ୍ଷା କଥା କହିଲେ ନ ସରେ । ରାଜ୍ୟରେ ୬୨ ହଜାର ଶିକ୍ଷକ ପଦବୀ ପୂରଣ ହେଉନାହିଁ । ଠିକ୍ ସେହିଭଳି ଭାବରେ ୩୮ ହଜାରରୁ ଅଧିକ ଡାକ୍ତର ପଦବୀ ପୂରଣ ହେଉନାହିଁ । ୪୫ ହଜାରରୁ ଅଧିକ ନର୍ସସେସ୍‌, ପାରାମେଡ଼ିକ୍‌ସ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ଖଣି ଦୃର୍ନିତି, ଚିଟ୍ ଫଣ୍ଡ ଦୁର୍ନିତରେ ଭାରତ ବର୍ଷ ଏକ ନମ୍ବର ରାଜ୍ୟ । ମହିଳା ହିଂସା, ଅତ୍ୟାଚାର ଓ ଉତ୍ପିଡ଼ନ କ୍ଷେତ୍ରରେ ଭାରତ ବର୍ଷରେ ବହୁ ଆଗରେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ମିଶନ ଶକ୍ତି ମହିଳାଙ୍କ ପାଇଁ ସ୍ଵତନ୍ତ୍ର ପାଣ୍ଠି…….

( ) ମିଶନ ଶକ୍ତି ବିଭାଗ ସମୀକ୍ଷା ପରେ ୪ ବଡ଼ ସଫଳତା ବଖାଣିଲେ ସଚିବ। ଆର୍ଥିକ ପରିଚାଳନା 8 ବର୍ଷରେ 19 ଗୁଣା ବୃଦ୍ଧି ପାଇଛି।ଓଡିଶା ଉପରେ ମାତ୍ର 6ଟି ରାଜ୍ୟ ରହିଛି ।ବିନା ସୁଧରେ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ମହିଳା ମାନଙ୍କ କାର୍ଯ୍ୟକ୍ରମ ବ୍ଲକ ରେ ମିଶନ ଶକ୍ତି କାଫେ, ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା, ମାଛ ଚାଷ, ହର୍ଟି କଲଚର । ମହିଳା ସଂଗଠନ ଗୁଡିକୁ ଶସକ୍ତ କରାଯାଉଛି।ଭିତ୍ତିଭୂମି ଯୋଗାଇ ଦିଆଯାଉଛି, ପ୍ରତି ବ୍ଲକ ରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି। କୋଭିଡ ସମୟରେ ମହିଳାମାନଙ୍କ ଉଲ୍ଲେଖଯୋଗ୍ୟ କାମ ଯୋଗୁ ପ୍ରଶଂସା କରାଯାଇଛି।2 କୋଟି ମିଲ ପ୍ରସ୍ତୁତ କରିଥିଲେ,75 ଲକ୍ଷ ମାସ୍କ ଦେଇଥିଲେ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ…

() ୫-ଟି ଉପକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ।

ୱାଇଫାଇ ସହିତ ଫୁଡ୍‌କୋଟ ସୁବିଧା ମିଳିବ,

କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ୍‌ର ଆୟୋଜନ କରାଯିବ।

ବାପୁଜୀ ନଗରରେ ଖୋଲିବ ଜନ ଲାଇବ୍ରେରୀ।

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥାନ୍ତି । ଏହି ପାଠାଗାରଟି ପୂରୁଣା ହୋଇଯାଇଥିବାରୁ, ଏହାର ପୁନରୁଦ୍ଧାର କରାଯାଇ ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ସହ ଚଟାଣ ଓ ବିଭିନ୍ନ ସିଭିଲ ଷ୍ଟ୍ରକଚରର ମଧ୍ୟ ଉନ୍ନତି କରାଯିବ । ତା ସହିତ ପୁସ୍ତକ ଗୁଡିକ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ ସହ ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ। ପାଠାଗାର ପରିସରରେ ଥିବା ନୂତନ କୋଠାରେ ଆସବାବପତ୍ର ଓ ବାତାନୁକୂଳ ବ୍ୟବସ୍ଥା କରାଯାଇ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ଜନସାଧାରଣ ଯେଭଳି ସୁବିଧାରେ ଅଧ୍ୟୟନ କରିପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ।ଲାଇବ୍ରେରୀ ପ୍ରାଙ୍ଗଣର ଲ୍ୟାଣ୍ଡ ସ୍କେପିଂ କରାଯିବ। ତା ସହିତ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ଫୁଡକୋର୍ଟ ଖୋଲାଯିବ ଓ ମିଶନ ଶକ୍ତି ପକ୍ଷରୁ କାଫେଟେରିଆ ମଧ୍ୟ କରାଯିବ । ଏତ୍‌ଦବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ।

ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ମାନେ, ମୁଖ୍ୟତଃ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାରୁ ଲାଇବ୍ରେରୀରେ ପର୍ଯ୍ୟାପ୍ତ competitive magazine ରଖାଯିବ ଏବଂ ସଂପୂର୍ଣ୍ଣ ଲାଇବ୍ରେରୀକୁ IT Enabled Smart Management ଦ୍ବାରା ପରିଚାଳିତ କରାଯିବ। ଏତ୍‌ଦବ୍ୟତୀତ Career Counseling ପାଇଁ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ବ୍ୟକ୍ତିତ୍ବ ମାନଙ୍କ ଦ୍ବାରା Motivational Talkର ଆୟୋଜନ ମଧ୍ୟ ନିୟମିତ ଭାବରେ କରାଯିବ। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିଶେଷ ସହାୟକ ହେବ।

ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀରେ ୱାଇଫାଇ ବ୍ୟବସ୍ଥା ଉପଲ୍‌ବଧ କରାଯିବ। ରାଜ୍ୟ ପାଠାଗାରରେ ଭିଡ କମାଇବା ପାଇଁ ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲାଯିବ। ସେଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବ। ସେଠାରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ରଖାଯିବ। ଏହି କାର୍ଯ୍ୟକ୍ରମଟି ୫-ଟି ଉପକ୍ରମରେ Odisha Mining Corporation ଦ୍ବାରା କାର୍ଯ୍ୟକାରୀ କରାଯିବ। ୫-ଟି ସଚିବଙ୍କ ଗସ୍ତ ସମୟରେ OMCର ପରିଚାଳନା ନିର୍ଦ୍ଦେଶକ, Culture Departmentର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି…

()ଦିଲ୍ଲୀରେ ନୂଆ ପାର୍ଲିଆମେଣ୍ଟ ( ସଂସଦ ଭବନ) କୁ ଚଳିତ ମାସ ୨୮ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ୧୯ଟି ବିରୋଧୀ ଦଳ ଏହାକୁ ଘୋର ବିରୋଧ କରୁଛନ୍ତି । ବିରୋଧୀଙ୍କ ଯୁକ୍ତି ଏହି ନୂଆ ପାର୍ଲିଆମେଣ୍ଟ କୁ ଦେଶର ରାଷ୍ଟ୍ରପତି ଏହାକୁ ଉଦଘାଟନ କରନ୍ତୁ । ଏହି ଉଦଘାଟନ ଉତ୍ସବ କୁ ଦେଶର ୧୯ଟି ବିରୋଧୀ ଦଳ ବର୍ଜନ କରିବେ ବୋଲି ଘୋଷଣା କରିସାରିଛନ୍ତି । ସାରା ଦେଶର ନଜର ଥିଲା ବିଜେଡି କଣ ନିଷ୍ପତ୍ତି ନେବ l ଶେଷରେ ବିଜୁ ଜନତା ଦଳ ଏହି ନୁଆ ପାର୍ଲିଆମେଣ୍ଟ ଉଦଘାଟନ ଉତ୍ସବ ରେ ଯୋଗ ଦେବବୋଲି ଆଜି ଘୋଷଣା କରିଛି । ପ୍ରେସ ନୋଟ ଜରିଆରେ ଦଳ ଏହି ଉତ୍ସବରେ ସାମିଲ ହେବ ବୋଲି ସ୍ପଷ୍ଟ ମତ ଦେଇଛି ପୁରା ଦେଶକୁ l

ଆଇପିଏଲ-୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ….

() ଆଇପିଏଲ-୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । କ୍ବାଲିଫାଇିଂ ମ୍ୟାଚରେ ଗୁଜରାଟକୁ ମାତ ଦେଲା ଚେନ୍ନାଇ । ୧୫ ରନରେ ଜିତିଲା ଧୋନୀ ବାହିନୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୭୨ ରନ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଜବାବରେ ୧୫୭ରନରେ ଅଲଆଉଟ ହୋଇଗଲା ଗୁଜରାଟ ଟାଇଟନ୍ସ । ଚେନ୍ନାଇ ତରଫରୁ ଓପନର ଋତୁରାଜ ଗାଏକ୍ବାଡ ୬୦ ରନ କରିଥିବାବେଳେ ଡେଭନ କନଓ୍ବେ ୪୦ରନ କରିଥିଲେ । ରବିନ୍ଦ୍ର ଜାଡେଜା ୨୨ରନ କରିବାକୁ ସକ୍ଷମ ହୋଇଥିଲେ । ଗୁଜରାଟ ତରଫରୁ ଶୁଭମନ ଗିଲ ୪୨ ରନ କରିଥିବବେଳେ। ମାତ୍ର ୮ରନ କରି ପାଭିଲିୟନ ଫେରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆ । ଆସନ୍ତାକାଲି ଏଲଏସଜି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ ଅଛି । ଏମାନଙ୍କ ମଧ୍ୟରୁ ଯିଏ ଜିତିବ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ଗୁଜରାଟକୁ ଭେଟିବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news