ସୋଆରେ ଦୁଇ ଦିନିଆ ଜାତୀୟ ଜନଜାତି ସମ୍ମିଳନୀର ଶୁଭାରମ୍ଭ…

() ଲୋପ ପାଇବାକୁ ପାଉଥିବା ମୂଳ ଅଧିବାସୀଙ୍କ ଭାଷାକୁ ନେଇ ଲେଖକମାନଙ୍କ ଉଦ୍‌ବେଗ।

ସୋଆରେ ଦୁଇ ଦିନିଆ ଜାତୀୟ ଜନଜାତି ସମ୍ମିଳନୀର ଶୁଭାରମ୍ଭ।

{} ବିଶ୍ୱର ସ୍ଥାନୀୟ ଅଧିବାସୀମାନେ କଥା ହେଉଥିବା ୭୦୦୦ ଭାଷା ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ସଂପୂର୍ଣ୍ଣ ଲୋପ ପାଇସାରିଥିବା ବେଳେ ଅନେକ ଭାଷା ଲୁପ୍ତ ହେବାକୁ ବସିଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସାରା ବିଶ୍ୱ ବର୍ତମାନ ଅନେକ ଭାଷାକୁ ହରାଇବା ଭଳି ଭୟଙ୍କର ପରିସ୍ଥିତିରେ ପହଂଚିଥିବା ବେଳେ ଭାଷାକୁ ହରାଇବା ନିଜ ସଂସ୍କୃତିକୁ ହରାଇବା ସହ ସମାନ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଦୁଇ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ଅଗଷ୍ଟ ୯ ତାରିଖ ଆନ୍ତର୍ଜାତିକ ବିଶ୍ୱ ମୂଳ ନିବାସୀ ଦିବସ ପରିପ୍ରେକ୍ଷୀରେ ସାହିତ୍ୟ ଏକାଡେମୀ ଏବଂ ସୋଆ ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମିଳିତ ସହଭାଗିତାରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ ଜଣ ଜନଜାତି ଲେଖକ ଯୋଗ ଦେଇଥିଲେ ।

ମୂଳ ନିବାସୀ ଜନଜାତି ଗୋଷ୍ଠୀ ହିଁ ବିଶ୍ୱ ସଂସ୍କୃତିର ମୂଳ ଭଣ୍ଡାର ହୋଇଥିବା ବେଳେ ଯଦି ଏମାନଙ୍କର ଯତ୍ନ ନ ନିଆଯାଏ ତେବେ ଆମେ ଆମ ସଂସ୍କୃତିକୁ ହରାଇ ବସିବା ଏବଂ ସେମାନଙ୍କ ନିକଟରେ ଉପଲବ୍ଧ ପୁରାତନ ଜ୍ଞାନ ମଧ୍ୟ ହଜିଯିବ ବୋଲି ଡକ୍ଟର ଶ୍ରୀନିବାସରାଓ କହିଥିଲେ । ସାହିତ୍ୟ ଏକାଡେମୀ ପକ୍ଷରୁ ଜନଜାତି ଭାଷାରେ ଲିଖିତ ସାହିତ୍ୟକୁ ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପ୍ରକାଶନ କରାଯାଉଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମକୁ ବିଶିଷ୍ଟ ଲେଖକ ତଥା ପଦ୍ମଶ୍ରୀ ବିଜେତା ଡକ୍ଟର ହଳଧର ନାଗ ଉଦ୍‌ଘାଟନ କରିଥିବା ବେଳେ ବିଶିଷ୍ଟ ବିଦ୍ୱାନ ପ୍ରଫେସର ଜଗନ୍ନାଥ ଦାସ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ଓଡ଼ିଶା ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ, ସାନ୍ତାଳୀ ଲେଖକ ତଥା ସାହିତ୍ୟ ଏକାଡେମୀର ସାନ୍ତାଳୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଶ୍ରୀ ଚୈତନ୍ୟ ପ୍ରସାଦ ମାଝି, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ଲେଖିକା ତଥା ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏହି ଅବସରରେ ଉପସ୍ଥିତ ଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହାକୁ ପରିଚାଳନା କରିଥିଲେ ।

ନିଜ କୋଶଳୀ ଭାଷାରେ ଭାଷଣ ଦେଇ ଡକ୍ଟର ନାଗ କହିଥିଲେ ଯେ ସେ ମାତ୍ର ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ମଧ୍ୟ ସମାଜକୁ ଉଚିତ ପଥ ଦେଖାଇବା ପାଇଁ ସାହିତ୍ୟରେ ନିଜକୁ ମନୋନିବେଶ କରାଇଥିଲେ । ଯଦିଓ ମୁଁ ଅଧିକ ପାଠ ପଢ଼ି ନାହିଁ ମୋ ଲେଖାକୁ ବିଶ୍ୱର ଅନ୍ୟ ଭାଷାଗୁଡ଼ିକରେ ଅନୁବାଦ କରାଯାଇଛି ଏବଂ ଆନ୍ତର୍ଜାତିକ ସ୍ତରରେ ଏହା ପରିବ୍ୟାପ୍ତ ହୋଇଛି । ଏପରିକି ତାଙ୍କର କିଛି ଲେଖା ବିଭିନ୍ନ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନ ପାଇଥିବା ସେ କହିଥିଲେ । ମୋ ଲେଖା ମାଟି ସହିତ ଜଡ଼ିତ ଯେଉଁଠାରେ ମୁଁ ଅଛି ବୋଲି ସେ କହିଥିଲେ । ପ୍ରଫେସର ଜଗନ୍ନାଥ ଦାସ ନିଜର ବକ୍ତବ୍ୟରେ କହିଥିଲେ ଯେ ଜନଜାତି ସମ୍ପ୍ରଦାୟ ଆଧୁନିକତାରେ ପ୍ରଭାବିତ ହୋଇ ନିଜ ସଂସ୍କୃତି ଠାରୁ ଦୂରେଇଯାନ୍ତି ନାହିଁ । ସେମାନେ ପାହାଡ, ପର୍ବତ, ନଦୀ ଓ ଝରଣା ସହିତ ଯୋଡି ହୋଇ ରହିଥାନ୍ତି ଏବଂ ହୃଦୟରୁ ସେମାନଙ୍କର ଭାବର ପରିପ୍ରକାଶ କରିଥାନ୍ତି । ଆମକୁ ସେମାନଙ୍କ କବିତା ଶୁଣିବା ସହ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଡକ୍ଟର ଗୌରହରି ଦାସ ଜନଜାତି ଲେଖକ ସମ୍ମିଳନୀ ନେଇ ସାହିତ୍ୟ ଏକାଡେମୀ ଓ ପ୍ରାଚୀନର ନିଷ୍ପତିକୁ ସ୍ୱାଗତ କରିବା ସହ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ଅବହିତ କରିଥିଲେ । ଜନଜାତି ଭାଷାଗୁଡ଼ିକୁ ଉପଯୁକ୍ତ ଭାବେ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଡକ୍ଟର ଦାସ ଏହି ଅବସରରେ ଉପସ୍ଥିତ ଥିବା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଶ୍ରୀ ମାଝି କହିଥିଲେ ଯେ ବିଶ୍ୱର ୭୦୦୦ ମୂଳ ଭାଷାରୁ ୪୦ ପ୍ରତିଶତ ଲୋପ ପାଇସାରିଥିବା ବେଳେ ଏହି ଧାରାକୁ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ୟୁନେସ୍କୋ ପକ୍ଷରୁ ୨୦୨୨-୨୦୩୨ ଦଶକକୁ ମୂଳ ନିବାସୀ ଭାଷାଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣର ବର୍ଷ ଭାବେ ଘୋଷଣା କରାଯାଇଛି । ସ୍ୱତନ୍ତ୍ର ଭାଷା ଓ ସ୍ୱତନ୍ତ୍ର ଲିପିକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ରଖି ସଉରା ଏବଂ ହୋ ଜନଜାତି ଭାଷାର ଲିପି ବିକଶିତ ହୋଇସାରିଛି ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରାଚୀନ୍‌୍ ପକ୍ଷରୁ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ “ଆଦିପର୍ବ” ସଂସ୍କରଣର ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ପୂର୍ବରୁ ୧୮ଟି ପର୍ବରୁ ଏହାର ୧୦ଟି ପର୍ବ ପ୍ରାଚୀନ ଦ୍ୱାରା ପ୍ରକାଶିତ ହୋଇ ସାରିଛି ।

ଏହି ଅବସରରେ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ପଣ୍ଡା କହିିଥିଲେ ଯେ ପ୍ରାଚୀନ ପକ୍ଷରୁ ସାରୋଳଦାସ ମହାଭାରଥ ପୁସ୍ତକ ପ୍ରକାଶନ ଭଳି ଅନେକ ଗୁରୁତ୍ୱପୂ୍‌ର୍ଣ୍ଣ କାର୍ଯ୍ୟ ସମେତ ଡିଜିଟାଲାଇଜେସନ୍‌, ଅନୁବାଦ, ପ୍ରୋଜ୍ ରେଣ୍ଡରିଂ, ପ୍ରଡକ୍ସନ୍ ଅଫ୍ କର୍ପୋରା, ଡିକ୍ସନାରୀ ଆଣ୍ଡ ଲିଟରାରୀ ଏନ୍‌ସାଇକ୍ଲୋପେଡିଆ ଅଫ୍ ସାରଳା ଦାସ ଭଳି କାର୍ଯ୍ୟ ଜାରୀ ରହିଛି ।  ସେ କହିଥିଲେ ଯେ ଜନଜାତି ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଯାହାକି ଲୋପ ପାଇବାକୁ ବସିଛି ସେ ସବୁକୁ ସଠିକ୍ ଭାବରେ ସଂରକ୍ଷିତ କରି ରଖିବାର ଆବଶ୍ୟକତା ରହିଛି । ଉଦ୍‌ଘାଟନୀ ଦିବସରେ ବିଭିନ୍ନ ଭାଷାରେ କବିତାବୃତି, କ୍ଷୁଦ୍ରଗଳ୍ପ ପଠନ ତଥା ଜନଜାତି ସଂଗୀତ, ସଉରା କଳା ଓ ଲିପିର ବିଶ୍ଲେଷଣ କର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେୟରଙ୍କୁ ସ୍ମାରକ ପତ୍ର ପ୍ରଦାନ….

{} ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ, ଜଳବନ୍ଦି ପରିସ୍ଥିତିର ସ୍ଥାୟୀ ସମାଧାନ ଏବଂ ମୁକୁଳା ଡ୍ରେନ୍ ଘୋଡ଼ାଇବା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେୟରଙ୍କୁ ସ୍ମାରକ ପତ୍ର ପ୍ରଦାନ।

()  ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ, ଜଳବନ୍ଦି ପରିସ୍ଥିତିର ସ୍ଥାୟୀ ସମାଧାନ ଏବଂ ମୁକୁଳା ଡ୍ରେନ୍ ଘୋଡ଼ାଇବା ଦାବିରେ ଭୁବନେଶ୍ୱର
ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେୟରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ମେୟରଙ୍କୁ ଦାବୀ ପତ୍ର ପ୍ରଦାନ ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ କହିଥିଲେ ଯେ, ଭୁବନେଶ୍ୱର ମହାନଗର
ନିଗମର ବିଭିନ୍ନ ୱାର୍ଡରେ ଡେଙ୍ଗୁ ସାଙ୍ଘାତିକ ଭାବରେ ବ୍ୟାପୁଥିବାବେଳେ ମହାନଗର ନିଗମ ପକ୍ଷରୁ ଯୁୂଦ୍ଧକାଳୀନ ଭିତିରେ ଏହା ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ଏବେ ସୁଧା ଭୁବନେଶ୍ୱରରେ ୮୦୦ ଡେଙ୍ଗୁ ଆକ୍ରାନ୍ତ ରୋଗୀ ଚିହ୍ନଟ ହେଲାଣି । ବାସ୍ତବ କ୍ଷେତ୍ରରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବହୁତ ଅଧିକ । ଗତ ୬ ଦିନରେ ୩୦୦ ଡେଙ୍ଗୁରୋଗୀ ଚିହ୍ନଟ ହେଲେ । ଏହାର ଅର୍ଥ ଦିନକୁ ୫୦ ଟି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ପ୍ରତିବର୍ଷ ଭୁବନେଶ୍ୱରର ଅଧିବାସୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ବାରମ୍ବାର ଏ ଘଟଣା ଘଟୁଥିଲେ ବି କାହିଁକି ମହାନଗର ନିଗମ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ମହାନଗର ନିଗମ ପକ୍ଷରୁ ୱାର୍ଡ଼ ୱାର୍ଡ଼ ବୁଲି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ । କେବଳ ବର୍ଷାଦିନ ଆସିଲେ ମହାନଗର ନିଗମ କର୍ତୃପକ୍ଷ ଚଳଚଂଚଳ ହୋଇପଡ଼ୁଛନ୍ତି । ଗତବର୍ଷ ମଶା ବୃଦ୍ଧିର ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ସ୍ଥାନରେ ଡ୍ରୋନ ମାଧ୍ୟମରେ ରସାୟନ ସିଂଚନ କରିବେ ବୋଲି ଯେଉଁ ପଦକ୍ଷେପ ନେଇଥିଲେ ତାହା କେବଳ ପ୍ରଚାରରେ ରହିଗଲା । ଗତବର୍ଷ ମଶା ଆତଙ୍କ ରୋକିବା ପାଇଁ ଯେଉଁ ମଶାମରା ଦେଲ ଭୁବନେଶ୍ୱର ମ୍ୟୁନିସ୍‌ପାଲ କର୍ପୋରେସନ ବ୍ୟବହାର କରିଥିଲା ତାହା ନିମ୍ନମାନର ବୋଲି ଅଭିଯୋଗ ହେଲା ପରେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ

କରାଗଲା ନାହିଁ । ସବୁଠାରୁ ବଡ଼ କଥା ହେଉଛି, ବିଭିନ୍ନ ୱାର୍ଡ଼ରେ ଅଳିଆ ଅବର୍ଜନା ଗଦା ହୋଇପଡ଼ୁଛି, ମାତ୍ର ଏହାର ସଫେଇକରାଯାଉନାହିଁ । ଡ୍ରେନ୍ ସଫେଇ ହେଉଛି ବୋଲି କେହି ଜଣେ ବି ଭୁବନେଶ୍ୱରବାସୀ ଦେଖିନାହାନ୍ତି । ଅନେକ ସ୍ଥାନରେ ଡ୍ରେନ୍ ଖୋଲା ହୋଇ ପଡ଼ିଛି । ସେଥିରେ ପାଣି ଜମି ମଶା ଜନ୍ମ ହେଉଛନ୍ତି । ଭୁବନେଶ୍ୱର ବହୁତ ଖାଲ ସ୍ଥାନରେ ପାଣି ଜମା ହୋଇ ରହୁଛି ।

ବାସ୍ତବରେ କହିବାକୁଗଲେ ଭୁବନେଶ୍ୱର ସହର ମଶା ମାନଙ୍କର ସ୍ୱର୍ଗ ବୋଲି କୁହାଯାଇପାରେ । ଅନ୍ୟପକ୍ଷରେ ଭୁବନେଶ୍ୱର ସହରରେ ବେଙ୍ଗ ମୁତିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଭୁବନେଶ୍ୱର ସହର ମହାନଗର ଅଧିନରେ ୬୭ଟି ୱାର୍ଡ଼ରେ ୧,୧୨୩ କି.ମି. ଡ୍ରେନ ରହିଛି । ଯେଉଁଥିରେ ବି.ଏମ୍‌.ସିର ୬୬୩ କି.ମି., ପୂର୍ତ ବିଭାଗର ୩୬୦ କି.ମି., ଇଡ଼୍‌କୋର ୬୫ କି.ମି. ଏବଂ ଜାତୀୟ ରାଜପଥ ବିଭାଗର ୩୪.୪୩ କି.ମି. ଡ୍ରେନ ରହିଛି । ସମୁଦାୟ ଡ୍ରେନର ପାଖାପାଖି ୨୦୦ କିଲୋମିଟରରୁ ଉର୍ଦ୍ଧ୍ୱ ମୁକୁଳା ପଡ଼ିଛି, ଯେଉଁଥିରେ ବି.ଏମ୍‌.ସିର ଅଂଶ ଅଧିକା । ବର୍ଷ ସାରା ଡ୍ରେନ ପାଣି ରାସ୍ତାରେ ଭାସୁଛି ଏବଂ ଏହା ମଶାମାନଙ୍କର ମୁଖ୍ୟ ଉତ୍ପତିସ୍ଥଳ ହୋଇପଡ଼ିଛି । ଭୁବନେଶ୍ୱରରେ ୭ ବର୍ଷରେ ୭ ଜଣ ଲୋକ ଏହି ମୁକୁଳା ଡେନ୍‌ରେ ପଡ଼ି ମୃତ୍ୟୁବରଣ କଲେଣି ।ଭୁବନେଶ୍ୱରର ଜଳ ନିଷ୍ପାସନ ପାଇଁ ସମସ୍ତ ପ୍ରାକୃତିକ ଡ୍ରେନେଜ୍ ବ୍ୟବସ୍ଥାକୁ ବନ୍ଦ କରିଅନୈତିକ ଭାବରେ ଅଟ୍ଟାଳିକା ନିର୍ମାଣ ପାଇଁ ଅନୁମତି ଦିଆଯିବା ଫଳରେ ଭୁବନେଶ୍ୱରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି ।

ଗଙ୍ଗୁଆ ନାଳକୁ ସଂଯୋଗ କରୁଥିବା ଭୁବନେଶ୍ୱରର ମୁଖ୍ୟ ଡ୍ରେନ୍ ସବୁ ବିପର୍ଯ୍ୟନ୍ତ ହେଉଛି । ବିଶେଷ କରି ଗଙ୍ଗୁଆ ନାଳରେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ । ପ୍ରତିବର୍ଷ ଏହି ସମସ୍ୟା ଉପୁଜିଲେ ମଧ୍ୟ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ ।
୨୦୧୯ ମସିହାରେ ଭୁବନେଶ୍ୱରରେ ଡ୍ରେନ୍ ବ୍ୟବସ୍ଥାର ସୁଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ୨୦୨୧ ମସିହାରେ ମଧ୍ୟ ଭୁବନେଶ୍ୱର ତଥା ବିଭିନ୍ନ ସହରର ଡ୍ରେନ, ରାସ୍ତା ଏବଂ ପାଦଚଲା ରାସ୍ତାର ମରାମତି ପାଇଁ ମୁଖ୍ୟମନ୍ତ୍ରୀ ୫୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ । ଏଥିରେ ସତ୍ୟତା କେତେ? ଏହାର ବିନିଯୋଗରେ ବାସ୍ତବତା କ’ଣ ତାହା ସାଧାରଣ ଜନତା ଆଜି ଭୁବନେଶ୍ୱରବାସୀ ପ୍ରଶ୍ନ କରୁଛନ୍ତି ।ସୁତରାଂ ବାସ୍ତବ କ୍ଷେତ୍ରରେ ଭୁବନେଶ୍ୱରରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ବ୍ୟବସ୍ଥା, ଡ୍ରେନ୍ ମରାମତି, ମୁକୁଳା ଡ୍ରେନ୍ ଘୋଡ଼ାଇବା, ଜଳ ନିଷ୍ପାସନର ଉପଯୁକ୍ତ ବ୍ୟବସ୍ଥା ହୋଇପାରି ନାହିଁ । ବିଶେଷ କରି ଡେଙ୍ଗୁ ଆତଙ୍କକୁ ରୋକିବାକୁ ମଧ୍ୟ ବି.ଏମ୍‌.ସି. ବିଫଳ ହୋଇଛି । ତୁରନ୍ତ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ପଦକ୍ଷେପ ଏବଂ ଭୁବନେଶ୍ୱରରେ ବନ୍ୟା ପରିସ୍ଥିତିକୁ ରୋକିବାକୁ ସୁବ୍ୟବସ୍ଥା ଗ୍ରହଣ କରିବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦାବି କରାଯାଇଛି । ଯଦି ଏହା ପୂରଣ ନ ହୁଏ ଏହି ପ୍ରସଙ୍ଗରେ ଜନଆନ୍ଦୋଳନ ହେବ ବୋଲି ଶ୍ରୀ ଦାସ ଚେତାବନି ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ରଶ୍ମି ମହାପାତ୍ର କହିଛନ୍ତି ଯେ, କେବଳ ସଂକ୍ରମଣ ଅଂଚଳକୁ ଚିହ୍ନଟ କରାଯାଇ ପ୍ରଯ୍ୟାପ୍ତ ପରିମାଣରେ ମଶାରୀ, ତେଲ ଏବଂ ବ୍ଲିଚଂ ପାଉଡ଼ର ବଂଟନ କରାଯାଉ । ଏହି କାର୍ଯ୍ୟକ୍ରମରେ ସୁବ୍ରତ ମହାପାତ୍ର, ଅଶୋକ ଦାସ ଓ ମିହିର ଆଚାର୍ଯ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ଦ୍ୱାରା ୧୫ ବର୍ଷ ବାଳକର ଶରୀରରୁ ବଡ଼ ସ୍କଲ ବେସ୍ ଟ୍ୟୁମରକୁ ବାହାର କଲେ ସମ୍ ସର୍ଜନ…

{} ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ଦ୍ୱାରା ୧୫ ବର୍ଷ ବାଳକର ଶରୀରରୁ ବଡ଼ ସ୍କଲ ବେସ୍ ଟ୍ୟୁମରକୁ ବାହାର କଲେ ସମ୍ ସର୍ଜନ।

() ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ମାଧ୍ୟମରେ ଜଣେ ୧୫ ବର୍ଷୀୟ ବାଳକର ଶରୀରରେ ବୃଦ୍ଧି ପାଇଥିବା କ୍ରିକେଟ ବଲ୍ ଆକାରର ସ୍କଲ୍‌ବେସ୍ ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍ । ଗତ ୬ ବର୍ଷ ଧରି ମୟୁରଭଞ୍ଜ ଜିଲ୍ଲାର ସୁଦାମ କିସ୍‌କୁଙ୍କର ବାମ ଆଖି ପାଖରେ ମୁହଁ ଧୀରେ ଧୀରେ ଫୁଲିଯିବା ସହ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହା ଆଖି ନିକଟରେ ବୃଦ୍ଧି ପାଇବାରୁ ପରିବାର ବର୍ଗ ବ୍ୟସ୍ତ ହୋଇପଡ଼ିଥିଲେ ।

ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ବାଳକଟିର ଚିକିତ୍ସା ହୋଇପାରି ନଥିଲା । ଶେଷରେ ତାକୁ ସମ୍ମମ୍‌ରେ ଭର୍ତି କରାଯିବା ପରେ ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ ଚିକିତ୍ସା ଆରମ୍ଭ କରିଥିଲେ । ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ମୁଣ୍ଡରେ ଏକ ୭ ସେମିର ଟ୍ୟୁମର ଥିବାର ଜଣାପଡ଼ିଥିଲା । ଏତେ ବଡ଼ ଆକାରର ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା ବୋଲି ଡାକ୍ତର ସାହୁ କହିବା ସହ ଏଣ୍ଡୋସ୍କୋପ ସହାୟତାରେ ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ମାଧ୍ୟମରେ ଟ୍ରାନ୍ସ ଜାଇଗୋମାଟିକ୍ ପଦ୍ଧତିରେ ଦୀର୍ଘ ୨ ଘଂଟାର ଅପରେସନ୍ ପରେ ଟ୍ୟୁମରଟିକୁ ସଂପୂର୍ଣ୍ଣ ଭାବେ କଢ଼ାଯାଇପାରିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ବର୍ତମାନ ବାଳକଟି ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତ ଅଛି ଏବଂ ଅସ୍ତ୍ରୋପଚାରର ୪ ଦିନ ପରେ ତାକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି । ତା’ର ବାୟୋପ୍ସି ରିପୋର୍ଟରେ ଏହା ଏକ ନର୍ଭ ସିଥ୍ ଟ୍ୟୁମର ଅର୍ଥାତ୍ ସ୍ୱାନୋମା ବୋଲି ଜଣାପଡ଼ିଛି । ତେବେ ଅପରେସନ୍‌ର ପରବର୍ତୀ ସ୍କାନିଂ ରିପୋର୍ଟରେ ଟ୍ୟୁମରଟିକୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯାଇଥିବା ଜଣାପଡ଼ିଛି ।

ଡାକ୍ତର ସାହୁ କହିଛନ୍ତି ଯେ ଜଣେ ୧୫ ବର୍ଷ ବାଳକର ଶରୀରରେ ଏଭଳି ବିଶାଳ ଆକାରର ଟ୍ରାଇଜେମିନାଲ୍ ନର୍ଭ ସ୍ୱାନୋମା ଦେଖାଦେବା ଖୁବ୍ ବିରଳ । କାରଣ ଏଭଳି ଟ୍ୟୁମର ପ୍ରାୟତଃ ୩୦ ରୁ ୫୦ ବର୍ଷର ବୟସ୍କ ବ୍ୟକ୍ତିଙ୍କ ନିକଟରେ ଦେଖାଦେଇଥାଏ । ଏଣ୍ଡୋସ୍କୋପି ସ୍କଲ୍ ବେସ୍ ସର୍ଜରୀ ହେଉଛି ଏକ ଉନ୍ନତମାନର ମିନିମାଲ୍ ଇନ୍େ‌ଭସିଭ୍ ସର୍ଜିକାଲ୍ ପ୍ରକ୍ରିୟା ଯାହାକି ସମ୍ମମରେ ନିୟମିତ ଭାବେ କରାଯାଉଛି । ହସ୍ପିଟାଲ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗ ଅନେକ ରୋଗୀଙ୍କ ମୁହଁରେ ହସ ଫୁଟାଇପାରୁଛି ।

ବନ୍ଧୁତ୍ୱ : ସମୟ କ୍ରମେ….

() ହୃଦୟ ଯାହା ସହ ଆପେ ଆପେ ମିଶିଯାଏ ଓ ମନର ସବୁ କଥା ଯାହାକୁ କହିହୁଏ ସେ ହିଁ ବନ୍ଧୁ l ଏଥିପାଇଁ ନା ଦରକାର କିଛି ସ୍ଵାର୍ଥ ନା ସ୍ଵପ୍ନ l କେବଳ ନିଛକ ଭଲ ପାଇବା l ବନ୍ଧୁ ସଂଜ୍ଞା ପାଇଁ ବୟସ, ଲିଙ୍ଗ, ଜାତି, ଅର୍ଥ କି ରକ୍ତ ସମ୍ପର୍କ ଆବଶ୍ୟକ ପଡେନି l ଭଗବାନଙ୍କ ଆଶିର୍ବାଦରୁ ଆପେ ଆପେ ଯାହା ସହ ସମ୍ପର୍କ ଯୋଡି ହୋଇଯାଏ ତା ନାଁ ହୋଇଯାଏ ବନ୍ଧୁ l ପିଲା ଦିନରୁ ଯେବେ ହେତୁ ଆସେ ସେତେବେଳେ ଆମେ ଖେଳିବା ବେଳେ କି ଖାଇବା ବେଳେ କାହା ସହ ହୃଦୟ ସହ ମିଶିଯାଉ ଆଉ ସେ ସମ୍ପର୍କ ମଲା ଯାଏ ଚିର ସ୍ମରଣୀୟ ହୋଇ ରହେ l ସମୟ ଚକ୍ରରେ ଭଗବାନଙ୍କ ଆଶୀର୍ବାଦରୁ ବନ୍ଧୁ ବହୁତ ଯୋଡ଼ି ହୋଇ ଯାଆନ୍ତି ଓ ସମ୍ପର୍କ ବି ଅତୁଟ ରହେ ସୁଖ ଓ ଦୁଃଖରେ l ପୁଣି ସେହି ସମୟ ବନ୍ଧୁକୁ ଦୂରେଇ ଦିଏ ଆମ ଠାରୁ ବିନା ସ୍ଵାର୍ଥରେ l ବାପା ସହ ପୁଅର ବି ବନ୍ଧୁତା ନିବିଡ ହେଲେ ଯାଇ ସଂସାର ସଠିକ୍ ଭାବେ ଚାଲିବ l ସେଥିପାଇଁ ତ ଗୁରୁଜନ ମାନେ କହନ୍ତି ପୁଅ କି ଝିଅ ବଡ ହୋଇଗଲେ ସେମାନଙ୍କ ସହ ସାଙ୍ଗ ପରି ମିଶିବାକୁ ପଡ଼ିବ l ବନ୍ଧୁତ୍ୱ କଥା ଯେତେବେଳେ ଆସେ ଆପେ ଆପେ ସଭିଙ୍କ ମନରେ ଚାଲିଆସେ ପ୍ରଭୁ କୃଷ୍ଣ ଓ ସୁଦାମାଙ୍କ କଥା l ବଳିଦାନର ବଡ ସେତୁ ବନ୍ଧୁତ୍ୱ l ଭଗବାନଙ୍କ ଆଶୀର୍ବାଦରୁ ଭଲ ବନ୍ଧୁଟିଏ ଯଦି ଆପଣଙ୍କର ଅଛି ତ ଦୁନିଆର କିଛି ଆବଶ୍ୟକ ନାହିଁ l ଶ୍ରୀକୃଷ୍ଣ ଓ ସୁଦାମ ପରି ବନ୍ଧୁ ଆଜି ବି ସମାଜର ବିଭିନ୍ନ କୋଣରେ ଓ ସବୁ ବର୍ଗରେ ଅଛନ୍ତି l ଖାଲି ଏତିକି ଫରକ ଆଜିର ଦିନରେ ଆମର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି ବନ୍ଧୁ ଶବ୍ଦ ପାଖରେ l ଏବେ ଆମେ ବନ୍ଧୁ ସହିତ ହୃଦୟର ସହ ଯୋଡ଼ି ହେବାକୁ ଚାହୁନାହାନ୍ତି ବରଂ ସମୟ ଓ ସ୍ଵାର୍ଥ ପାଇଁ ବନ୍ଧୁ ହୋଇ ପରସ୍ପର ସହିତ ମିଶିବାରେ ଲାଗିଛନ୍ତି l ତ୍ୟାଗ ଅପେକ୍ଷା ଭୋଗବିଳାସ ଅଧିକ ଶକ୍ତିଶାଳୀ ହେଉଛି ବନ୍ଧୁତ୍ୱରେ l ବନ୍ଧୁ ହେବା ପାଇଁ ବିଶ୍ୱାସ ବି ଆସିପାରୁନି ମନରେ l ହେଲେ ଏତେ କଥା କଣ ମ ! ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ୱ ଦିବସ ପାଳନ କରାଯାଏ l ଯାହା ସହ ମନଖୋଲି ଗପି ହେଉଛି ଏ ବ୍ୟସ୍ତ ଜୀବନ ଭିତରେ ସେ ହିଁ ପ୍ରକୃତ ବନ୍ଧୁ l ସେ କିଏ ବି ହୋଇପାରେ ,ହେଲେ ଶେଷରେ ସମୟ କ୍ରମେ ଜୀବନ ଏମିତି ବନ୍ଧୁତ୍ୱର ଛାୟାରେ କଟିଯାଉ l କିଏ ଥାଉ କି ନଥାଉ ତୁ ଅଛୁ ମୋ ପାଇଁ ମୁଁ ଅଛି ତୋ ପାଇଁ….

ବନ୍ଧୁତ୍ୱ ଦିବସର ଅଭିନନ୍ଦନ…..

ଗବେଷଣା ପ୍ରସ୍ତୁତିକୁ ନେଇ ଏନ୍‌ଆର୍‌ଡିସି ଟିମ୍‌ର ସୋଆ ପରିଦର୍ଶନ…

()  ନିକଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନ୍‌ଆର୍‌ଡିସି ଏକ ୨ ଜଣିଆ ଦଳ ସୋଆ ଗବେଷକମାନଙ୍କ ସହ ଆଲୋଚନା କରିବା ନିମନ୍ତେ ଗତ ଅଗଷ୍ଟ ୧ ଓ ୨ରେ ସୋଆ ଗସ୍ତରେ ଆସିଥିଲେ ।

ଶୁଷ୍କ ଆଖି, ଗଳା ସଂକ୍ରମଣ ତଥା କର୍କଟ ଚିକିତ୍ସା ବେଳେ ଉପୁଜୁଥିବା ସମସ୍ୟାର ଉପଶମ ନିମନ୍ତେ ସୋଆର ଗବେଷକମାନେ ସରଳ, ବ୍ୟୟସାପେକ୍ଷ ଓ ଅଭିନବ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ୍ ବିକଶିତ କରିଛନ୍ତି । ଏହି ଟେକ୍ନୋଲୋଜିର ବିକାଶ ନିମନ୍ତେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧିନସ୍ଥ ଏନ୍‌ଆର୍‌ଡିସି ସହ ଏହି ବୁଝାମଣା କରାଯାଇଥିଲା ।

ଏନ୍‌ଆରଡିସିର ପ୍ରମୁଖ ତଥା ମୁଖ୍ୟ (ବାୟୋଟେକ୍ନୋଲୋଜି) ଏବଂ ଲିଗାଲ ରୟାଲଟି ଓ ରେଗୁଲୋଟାରୀ ଆଫେୟାର୍ସର ଇନ୍‌ଚାର୍ଜ ଶ୍ରୀ ଅମିତାଭ ମିଶ୍ର ଓ ଟେକ୍ନିକାଲ୍ ଆସିଷ୍ଟାଂଟ ଶ୍ରୀମତି ପ୍ରିୟଙ୍କା ଅସୱାଲ୍ ସୋଆର ବିଭିନ୍ନ କେନ୍ଦ୍ର ବୁଲି ଗବେଷଣା ସମ୍ବନ୍ଧୀୟ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଗବେଷକମାନଙ୍କ ସହିତ ଆଲୋଚନା କରିଥିଲେ ବୋଲି ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥ କହିଛନ୍ତି ।

ଏନ୍‌ଆର୍‌ଡିସି ଭାରତର ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପାନୁଷ୍ଠାନରେ ଅଭିନବ ଟେକ୍ନୋଲୋଜି ବିକାଶ ନେଇ ସହଯୋଗ କରିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାଏ । ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ ସେ ଏହି ତିନୋଟି ଗବେଷଣା ମଧ୍ୟରୁ ଗୋଟିକୁ ନେଇ ଏକ ବେସିକ୍ ଇଞ୍ଜିନିୟରିଂ ଡିଜାଇନ୍ ପ୍ୟାକେଜ (ବିଇଡିସି) ପ୍ରସ୍ତୁତ କରିବେ ।

ଏହି ଅବସରରେ ଶ୍ରୀ ମିଶ୍ର ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ଏସ୍‌. ସି. ସି ଙ୍କ ସମେତ ଫ୍ୟାକଲ୍ଟିମାନଙ୍କ ସହ ଆଲୋଚନା କରିଥିଲେ । ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ କୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ….

{} ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।

ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ।

() ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ ନିମନ୍ତେ ପରୀକ୍ଷା, ନିରାମୟ ଜରିଆରେ ମାଗଣା ଔଷଧ ପ୍ରଦାନ, ସହାୟ ଜରିଆରେ ମାଗଣା ଡାଇଲିସିସ୍ ସେବା, ମାଗଣା ରକ୍ତସେବା, ମାଗଣା ଆମ୍ବୁଲାନ୍ସ ସେବା ଇତ୍ୟାଦି ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ଯୋଗାଇ ଦିଆଯାଉଛି।

ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାଦ୍ୱାର ବାର୍ଷିକ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ। ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁଯାୟୀ ଡାକ୍ତରଖାନାମାନଙ୍କରେ ଶଯ୍ୟା ପିଛା ଦିଆଯାଉଥିବା ସାଧାରଣ ଦୈନିକ ଖାଦ୍ୟ ବାବଦକୁ ୮୫ ଟଙ୍କା ବଦଳରେ ୧୧୦ ଟଙ୍କା, ଶିଶୁମାନଙ୍କ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା, ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୯୫ ଟଙ୍କାରୁ ୧୨୦ ଟଙ୍କା, ଶୁଖିଲା ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା ଏବଂ ତରଳ ଖାଦ୍ୟ ବାବଦକୁ ଦିଆଯାଉଥିବା ଦୈନିକ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି।ସୂଚନାଯୋଗ୍ୟ ଯେ, ରାଜ୍ୟର ୬୧୮ଟି ସରକାରୀ ଡାକ୍ତରଖାନାରେ ଏହି ବର୍ଦ୍ଧିତ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ।

ଓଡିଶା ଅଣସଂଗଠିତ ଶ୍ରମିକ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ ଘୋଷଣା : ସାମିଲ୍ ହେବେ ୫୦ଟି ବର୍ଗର ଅଣସଂଗଠିତ କର୍ମଚାରୀ…

() ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ଡେଲିଭରି ବୟ, କୁମ୍ଭାର, କମାର, ପାଇପମିସ୍ତ୍ରୀ ଆଦି ପଚାଶ ବର୍ଗ  ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି ।

 

ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ହେଲେ – (୧) ଦରଜୀ, ଏମ୍ବ୍ରୋଡୋରୀ କାରିଗର, (୨) ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲୋରରେ କାମ କରୁଥିବା କର୍ମଚାରୀ, (୩) ମହାରଣା, (୪) ମତ୍ସ୍ୟଜୀବୀ, (୫) କମାର, (୬) ରେଳବାଇ କୁଲି, (୭) ମାଲ ଲୋଡିଂ ଏବଂ ଅନ୍‌ଲୋଡିଂରେ ନିୟୋଜିତ ଶ୍ରମିକ ତଥା ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, (୮) କୁମ୍ଭାର, (୯) ପଥର ଶିଳ୍ପୀ ଏବଂ ସହାୟକ, (୧୦) ଜରି ଗୋଟାଳି, (୧୧) ପରିମଳ କର୍ମଚାରୀ, (୧୨) ରଜକ/ ଲଣ୍ଡ୍ରୀ ଓ Dry Cleaner କର୍ମଚାରୀ, (୧୩) ବୁଣାକାର, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର, (୧୪) କତା ଶିଳ୍ପ ଶ୍ରମିକ, (୧୫) ଲୋକକଳା କଳାକାର, (୧୬) ଚିତ୍ରଶିଳ୍ପୀ/ପଟ୍ଟଚିତ୍ର ଶିଳ୍ପୀ, (୧୭) ମାଂସ କଟାଳି, (୧୮) ରତ୍ନ ପଥର ତଥା ସୁନାରୂପା କାରିଗର, (୧୯) ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରେ କାର୍ଯ୍ୟରତ ଶ୍ରମିକ, (୨୦) ଫଟୋଗ୍ରାଫର ଓ ଭିଡିଓଗ୍ରାଫର, (୨୧) ୱେଲ୍‌ଡିଂ କାରିଗର, ୱେଲ୍‌ଡିଂ ସହାୟକ, (୨୨) ଇଲେକ୍ଟ୍ରିସିଆନ, (୨୩) ପାଣି ପାଇପ ମିସ୍ତ୍ରୀ, (୨୪) Tool Maker, Dye Maker, ରଙ୍ଗ ପ୍ରସ୍ତୁତକାରୀ, (୨୫) ମେକାନିକାଲ ଓ ଇଲେକ୍ଟ୍ରିକାଲ ଯନ୍ତ୍ରାଂଶ ମରାମତି କର୍ମଚାରୀ, (୨୬) ମାଳି, (୨୭) ଆସବାବପତ୍ର ମରାମତିରେ ନିୟୋଜିତ ଶ୍ରମିକ, (୨୮) ତେଜରାତି ଓ ପରିବା ଦୋକାନରେ କାର୍ଯ୍ୟରତ ସହାୟକ, (୨୯) ଫୁଲ ଦୋକାନୀ, (୩୦) ଟେଣ୍ଟହାଉସ/ଡେକୋରେସନ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୧) ବ୍ୟାଣ୍ଡପାର୍ଟି ସଦସ୍ୟ, (୩୨) ମନୋରଞ୍ଜନ କଳାକାର, (୩୩) ମ୍ୟୁଜିସିଆନ ଓ କଣ୍ଠଶିଳ୍ପୀ, (୩୪) ଚଳଚ୍ଚିତ୍ର ଅପରେଟର/ସହାୟକ, (୩୫) ସିନେମା ହଲ୍‌ ବୁକିଂ କ୍ଲର୍କ, (୩୬) ବାଦ୍ୟଯନ୍ତ୍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୭) ସମସ୍ତ ପ୍ରକାର କାରିଗର, (୩୮) ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୯) ଡଙ୍ଗା ଚାଳକ/ସହାୟକ, (୪୦) Snacks ମିକ୍ସଚର୍‌ ଫ୍ୟାକ୍ଟ୍ରି ଶ୍ରମିକ, (୪୧) ଆଚାର, ବଡି, ପାମ୍ପଡ ପ୍ରସ୍ତୁତକାରୀ, (୪୨) ସ-ମିଲ୍‌ ଶ୍ରମିକ, (୪୩) କ୍ଷୀର ବିକ୍ରୟ କରୁଥିବା ବ୍ୟକ୍ତି, (୪୪) କେୟାରଟେକର/ହାଉସ କିପର/Bedside Attendant, (୪୫) କେକ୍‌/କ୍ୟାଣ୍ଡି ପ୍ରସ୍ତୁତକାରୀ, (୪୬) ବରଫ ପ୍ରସ୍ତୁତକାରୀ/ ଆଇସକ୍ରିମ ପ୍ରସ୍ତୁତକାରୀ, (୪୭) ଡାଇରୀ ପ୍ରଡକ୍ଟ ପ୍ରସ୍ତୁତକାରୀ, (୪୮) ଟ୍ରାଭେଲ ଓ ଟୁରିଷ୍ଟ ଗାଇଡ, (୪୯) ଡେଲିଭରୀ ବଏ, (୫୦) କୃଷି ଶ୍ରମିକ (Cultivator) ।

ବୋର୍ଡରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକ ମାନଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି । ସେହିପରି ସ୍ବଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୭ ମଇ ପହିଲାରୁ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ।

ଯାଜପୁର ଜିଲ୍ଲାର ୪ ବ୍ଲକରେ ଆସନ୍ତାକାଲି ସ୍କୁଲ କଲେଜ ଓ ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ…

() ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ୪ ବ୍ଲକରେ ଆସନ୍ତାକାଲି ସ୍କୁଲ କଲେଜ ଓ ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ବୈତରଣୀରେ ବନ୍ୟା ଭୟ ଥିବାରୁ ଏହି ୪ ବ୍ଲକରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ ପାଇଁ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ସୂଚନା। କୋରେଇ, ଦଶରଥପୁର, ଯାଜପୁର ଓ ବିଂଝାରପୁର ଵ୍ଲକର ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବୈତରଣ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି l

ବୈତରଣୀ ଆଣିଛି ବିପଦ: ଲୋକଙ୍କ ନେତା, ଲୋକଙ୍କ ପାଖରେ……

() ଦୁର୍ଦ୍ଦିନର ସଖା। ଯେଉଁଠି ବିପଦ ଆସିଲେ ସଙ୍ଗେ ସଙ୍ଗେ ସେଠାରେ ପହଂଚି ଯାଆନ୍ତି। ସେ ରାତି ହେଉ ଅବା ଦିନ। ତାର କୋୖଣସି ଫରକ ପଡେ ନାହିଁ। ଆଉ ନିଜ ନିର୍ବାଚନୀ ମଣ୍ଡଳୀରେ ବିଧାୟକ ଭାବେ ନୁହେଁ ଜଣେ ଦରଦି ବନ୍ଧୁ ଭାବରେ ଅଂଚଳର କାମ କରନ୍ତି। ଏମିତି ଜଣେ ରାଜନେତା ହେଉଛନ୍ତି ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) l ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟା ଆସୁଛି l ବନ୍ୟା ଜଳରେ ପ୍ରଭାବିତ ହେବ ଯାଜପୁର ନିର୍ବାଚନୀ ମଣ୍ଡଳୀର ଦଶରଥପୁର ଅଂଚଳ l ବାସ ବିପଦ ଆସିବା ପୂର୍ବରୁ ଦଶରଥପୁର ଅଞ୍ଚଳରେ ପହଞ୍ଚି ବନ୍ୟା ସ୍ଥିତିର ସମୀକ୍ଷା ଆରମ୍ଭ କରିଦେଲେ ପ୍ରଣବ l ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଦେଖା ଦେବା କ୍ଷଣେ ହିଁ ସେ ସମ୍ପୂକ୍ତ ଅଞ୍ଚଳରେ ପହଂଚି ଲୋକଙ୍କ ସମସ୍ୟାରେ ଠିଆ ହୋଇଛନ୍ତି ଜଣେ ସେବକ ଭାବରେ । କେମିତି ଲୋକଙ୍କୁ ସ୍ଥାନାନ୍ତର କରାଯିବ, କେମିତି ରିଲିଫ ମିଳିବ? ବିଶେଷ ଭାବରେ କାହାର ସ୍ୱାସ୍ଥ୍ୟ ଖରାପ ହେଲେ କେମିତି ସେ ତାକୁ ଡାକ୍ତରଖାନା ନିଆଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଣବ। ବନ୍ୟା ମୁକାବିଲା ପାଇଁ ପ୍ରଶାସନକୁ ମଧ୍ୟ ତତ୍ପର କରି, ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ବିପର୍ଯ୍ୟୟ ପରିଚାଳନା ଦେଶରେ ଏକ ନମ୍ବର। ଯେଉଁଥିରେ ଜନ ପ୍ରତିନିଧିମାନଙ୍କର ଅନେକ ଭୂମିକା ରହିଥାଏ। ଏହି କ୍ରମରେ ପ୍ରଣବ ଗ୍ରାଉଣ୍ଡକୁ ଯାଇ ଯାଜପୁରବାସୀଙ୍କ ସେବାରେ ଲାଗିପଡିଛନ୍ତି । ଜଣେ ନେତା ଭାବରେ ନୁହେଁ ବରଂ ଜଣେ ଦରଦୀ ଯାଜପୁରିଆ ଭାବରେ।

କେବଳ ସେତିକି ନୁହେଁ ନିଜ ଦଳର ସ୍ଥାନୀୟ ବରିଷ୍ଠ, ଯୁବ, ଛାତ୍ର, ମହିଳା ନେତା ଓ କର୍ମୀମାନେ ବନ୍ୟା ସମୟରେ ୨୪ଘଣ୍ଟା ଲୋକଙ୍କ ସହ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ l

ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର…

() ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି । ଅନୁଗୁଳ, ବାଲେଶ୍ଵର, ବରଗଡ,ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ,ଗଜପତି,ଝାରସୁଗୁଡ଼ା, ଯାଜପୁର,କନ୍ଧମାଳ,କେଉଁଝର, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲା କୁ ସତର୍କ କରାଯାଇଛି। ବର୍ଷା ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଯେଉଁ ସ୍ଥାନର ପାଣି ଜମିବାର ଆଶଙ୍କା ରହିଛି ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ ରଖିବାକୁ କୁହାଯାଇଛି। ବର୍ଷା ଜଳ ନିଷ୍କାସନ ଓ ଉପୁଡ଼ିଥିବ ଗଛ ସଫା ପାଇଁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବେ। ଅତ୍ୟଧିକ ବର୍ଷା ହେଲେ ଆବଶ୍ୟକ ସ୍ଥଳେ ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ବୌଦ୍ଧ,ମୟୂରଭଞ୍ଜ, ସୁବର୍ଣ୍ଣପୁର, ଅନୁଗୁଳ, ବଲାଙ୍ଗୀର,କନ୍ଧମାଳ, ସମ୍ୱଲପୁର, ଯାଜପୁର ଓ ଭଦ୍ରକ ରେ ଅଗ୍ନିଶମ ବାହିନୀ ଓ ଜରୁରୀ କାଳୀନ ସେବା କର୍ମଚାରୀ ଙ୍କୁ ମୂତୟନ ପାଇଁ କୁହାଯାଇଛି। ଆଗାମୀ ଦୁଇ ଦିନ ଅଧିକ ରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେଉଁଝର ଓ ସମ୍ୱଲପୁରରେ ଓଡରାଫ ଟିମ ଓ ଭଦ୍ରକ ଓ ଯାଜପୁର ରେ ଏନଡିଆର ଏଫ୍ ଟିମ ମୂତୟନ ପାଈଁ ପରାମର୍ଶ ଦିଆଯାଇଛି। ସମସ୍ତ ନଦୀ ଓ ଜଳଭଣ୍ଡାର ସ୍ଥିତି ସମୀକ୍ଷା କରାଯାଇ ପ୍ରଶାସନ କୁ ଆଲର୍ଟ ରହିବାକୁ କୁହାଯାଇଛି। ୨୪ ଘଣ୍ଟାରେ ରାଜ୍ୟରେ ୮୩.୮୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧ ବ୍ଲକ ରେ ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news