ଓୟୁଜେର ନବଗଠିତ କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ, ପୁଣି ଜୋର୍‌ ହେବ ସାମ୍ବାଦିକଙ୍କୁ ପେନସନ୍ ଦାବି….

ଭୁବନେଶ୍ବର : ଓଡ଼ିଶା ସାମ୍ବାଦିକ ଭବନ ପରିସରରେ ଓୟୁଜେର ନବ ଗଠିତ ଏକଜିକ୍ୟୁଟିଭ୍ ବଡି ମେମ୍ବରଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନବଗଠିତ ଏକଜିକ୍ୟୁଟିଭି ବଡିର ସମସ୍ତ ସଦସ୍ୟ ଯୋଗ ଦାନ କରିଥିଲେ । ଏହି ଅବସରରେ ଓୟୁଜେ ପକ୍ଷରୁ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇଛି । ଆଗାମୀ ୨ ବର୍ଷ ପାଇଁ ରୋଡ୍ ମ୍ୟାପ୍ ତିଆରି କରିବା ସହ ସାମ୍ବାଦିକଙ୍କ ହକ୍ ପାଇଁ ସବୁବେଳେ ଓୟୁଜେ ସ୍ବର ଉତ୍ତୋଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଜାରି ରଖିବ ବୋଲି ମତ ରଖିଛନ୍ତି ଓୟୁଜେ ସଭାପତି । ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଢାଞ୍ଚାରେ ଓଡିଶାରେ ସାମ୍ବାଦିକ ସୁରକ୍ଷା ତଥା ସାମ୍ବାଦିକଙ୍କୁ ପେନସନ୍ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପୁଣି ଥରେ ନିଷ୍ପତ୍ତି ଗ୍ରହଣ ହୋଇଛି । ଏହି ଅବସରରେ କିଛି ନୂଆ, ପୁରୁଣା ସଦସ୍ୟଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଓଡିଶା ସାମ୍ବାଦିକ ୟୁନିଅନର ପୂର୍ବତନ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଓୟୁଜେ ଟ୍ରିବୁନାଲର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଓୟୁଜେ ଭବନରେ ଶୁକ୍ରବାର ଦିନ ଅନୁଷ୍ଠିତ ନବ ନିର୍ବାଚିତ କର୍ମକର୍ତାମାନଙ୍କ ପ୍ରଥମ ବୈଠକ ରେ ସଂଗଠନ କୁ ଅଧିକ କ୍ରିୟାଶୀଳ କରିବା ଲାଗି ବରିଷ୍ଠ ସଦସ୍ୟମାନଙ୍କୁ ବିଭିନ୍ନ ଦାୟିତ୍ବ ନ୍ୟସ୍ତ କରାଯାଇଛି । କାର୍ଯ୍ୟାଳୟ ସମ୍ପାଦକ ଭାବେ ସୁଧାଂଶୁ ପରିଡାଙ୍କୁ ମନୋନୀତ କରାଯାଇଛି । ସେହିପରି କଲ୍ୟାଣ କମିଟିର ଅଧ୍ୟକ୍ଷ ଭାବେ ବରିଷ୍ଠ ସଦସ୍ୟ ଆଚାର୍ଯ୍ୟ ବିଶ୍ୱରଂଜନ, ଓୟୁଜେ ଲିଗାଲ ସେଲ୍‌ର ଅଧ୍ୟକ୍ଷ ସମରଜିତ ମହାନ୍ତି, ସନ୍ତୋଷ କୁମାର ସିଂହ ଦେଓଙ୍କୁ ମୁଖ୍ୟ ମିଡ଼ିଆ ସଂଯୋଜକ ଭାବେ ମନୋନୀତ କରାଯାଇଛି । ଭୁବନେଶ୍ବରର ଯୁବ ସାମ୍ବାଦିକ ଅଶ୍ବିନୀ କୁମାର ସାହୁ ମଧ୍ୟ ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ ହୋଇଛନ୍ତି । କୋରାପୁଟର ବରିଷ୍ଠ ସାମ୍ବାଦିକ ନବୀନ ଚନ୍ଦ୍ର ସାହୁ ଓ ଯାଜପୁରର ଅରୁଣ ରାଉତରାୟ ରାଜ୍ୟ କାର୍ଯ୍ୟକାରିଣୀକୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଓୟୁଜେର ବରିଷ୍ଠ ଉପସଭାପତି ତଥା ରାଜ୍ୟ ବାର୍ କାଉନସିଲ୍ ଉପାଧ୍ୟକ୍ଷ ଆଡଭୋକେଟ୍ ରାଜୀବ ମହାନ୍ତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ନିକଟରେ ଆଡଭୋକେଟ୍ ରାଜୀବ ମହାନ୍ତି, ଷ୍ଟେଟ୍ ବାର୍ କାଉନସିଲର ଭାଇସ୍ ଚେୟାରମ୍ୟାନ୍ ଭାବେ ନିର୍ବାଚିତ ହୋଇଛନ୍ତି ।

5-T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

5-T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୪ର୍ଥ ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୩୮୯ଟି ସ୍କୁଲ ଲୋକାର୍ପିତ

ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ

ପୂର୍ବରୁ ୩ଟି ପର୍ଯ୍ୟାୟରେ ୬୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛି

ଓଡିଶାର ରୂପାନ୍ତରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ

ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ- ମୁଖ୍ୟମନ୍ତ୍ରୀ

୨୦୨୧ ଫେବୃଆରୀ ୧୬ ତାରିଖରୁ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା

5T ସ୍କୁଲ ରୂପାନ୍ତର ଆଜି ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପ୍ରକାଶ କରି ଏହାର ସଫଳତା ପାଇଁ ସ୍ଥାନୀୟ ଜନପ୍ରତିନିଧି, ସ୍କୁଲ ପରିଚାଳନା କମିଟି ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେଲେ 5T ଅଧ୍ୟକ୍ଷ

5-T ସ୍କୁଲ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ବଳ ଓ ସୁଦୃଢ କରିବ – ମନ୍ତ୍ରୀ ଓ ବିଧାୟକଗଣ

ଆଜି ଆମେ ଆମ ସ୍ୱପ୍ନର ସ୍କୁଲ ପାଇଛୁ, ସ୍ମାର୍ଟ ସ୍କୁଲର ସ୍ମାର୍ଟ ଛାତ୍ରଛାତ୍ରୀ ଭାବରେ ଆମର ଭବିଷ୍ୟତ ଉଜ୍ବଳ ଦିଶୁଛି- ଛାତ୍ରଛାତ୍ରୀ

ଡାକ୍ତର, ଶିକ୍ଷକ ଓ କୃଷିବିଜ୍ଞାନୀ ହେବାକୁ ପିଲାମାନଙ୍କ ଲକ୍ଷ୍ୟ

()ପିଲାମାନଙ୍କ ମଧ୍ୟରେ ବିପୁଳ ଆନନ୍ଦ ଉତ୍ସାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5-T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୫ଟି ଜିଲ୍ଲା – ଗଞ୍ଜାମ, ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ ବରଗଡ ଜିଲ୍ଲାର ୩୮୯ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

ଏଥିରେ ଗଞ୍ଜାମ ଜିଲ୍ଲାର ୧୪୯ଟି ହାଇସ୍କୁଲ, ଝାରସୁଗୁଡାର ୧୧ଟି, ଜଗତସିଂହପୁରର ୫୭ଟି, କେନ୍ଦ୍ରାପଡାର ୧୧୨ଟି ଓ ବରଗଡର ୬୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ।ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଆଗାମୀ ଦିନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ 5-T ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର । ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ ।

ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଏକ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି। ତେଣୁ ତୁମେମାନେ ଏହି ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5-T ନୀତିର ପ୍ରୟୋଗ କର । ଏହା ତୁମ ମାନଙ୍କ ପାଇଁ ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ୨୦୨୧ ଫେବୃଆରୀ ୧୬ ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁରୁ ସ୍କୁଲ ରୂପାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ଚତୁର୍ଥ ପର୍ଯ୍ୟାୟରେ ଆମେ ପହଞ୍ଚିଛୁ । ସ୍ଥାନୀୟ ଜନପ୍ରତିନିଧି, ସ୍କୁଲ ପରିଚାଳନା କମିଟି ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେଇ ସେ କହିଲେ ଯେ ଆପଣମାନଙ୍କ ସମସ୍ତଙ୍କ ଆନ୍ତରିକ ସହଯୋଗ ଯୋଗୁଁ ଆମେ ଏହି ସଫଳତା ହାସଲ କରିଛୁ । 5-T ସ୍କୁଲ ରୂପାନ୍ତର ଆଜି ପିଲାଙ୍କ ମଧ୍ୟରେ ଭଲ ପାଠ ପଢି ବଡ ହେବାର ସ୍ବପ୍ନକୁ ଜାଗ୍ରତ କରିପାରିଛି ବୋଲି ସେ କହିଥିଲେ ।

ଏହି ଅବସରରେ 5-T ସ୍କୁଲ ରୂପାନ୍ତର ସଂପର୍କରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଗଞ୍ଜାମରେ ୧୦ମ ଶ୍ରେଣୀର ଛାତ୍ର ଶ୍ରୀ ରୁଦ୍ରପ୍ରସାଦ ସାହୁ, ଝାରସୁଗୁଡାର ୧୦ମ ଶ୍ରେଣୀ ଛାତ୍ରୀ କୁମାରୀ ଋତୁପୂର୍ଣ୍ଣା ବେହେରା, ଜଗତସିଂହପୁରରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପଣ୍ଡା, କେନ୍ଦ୍ରପଡାରେ ୧୦ମ ଶ୍ରେଣୀ ଛାତ୍ର ସୁବ୍ରତ କୁମାର ସାହୁ ଏବଂ ବରଗଡରେ ୧୦ମ ଶ୍ରେଣୀ ଛାତ୍ରୀ ସାଇପ୍ରିୟା ଭୁଏ ପ୍ରମୁଖ ସେମାନଙ୍କ ମତାମତ ଦେଇ କହିଲେ ଯେ ଆମେ ଏବେ ଆମର ସ୍ବପ୍ନର ସ୍କୁଲ ପାଇଛୁ । ଆମ ସ୍କୁଲରେ ଏବେ ସ୍ମାର୍ଟ କ୍ଲାସ ରୁମ୍, ଡିଜିଟାଲ ଇଣ୍ଟରଆକ୍‌ଟିଭ ବୋର୍ଡ, ଇ-ଲାଇବ୍ରେରୀ, କଂପ୍ୟୁଟର, ଇଣ୍ଟରନେଟ, ଆଧୁନିକ ଟଏଲେଟ୍‌, ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା, ଉନ୍ନତ ଖେଳ ପଡିଆ, ଖେଳ ଉପକରଣ – ସବୁ ସୁବିଧା ରହିଛି । ସ୍ମାର୍ଟ ସ୍କୁଲର ଆମେ ଏବେ ସ୍ମାର୍ଟ ଛାତ୍ରଛାତ୍ରୀ । ଆମେ ଏବେ ଆମର ଶିକ୍ଷା ଓ ଆମର ଭବିଷ୍ୟତ ନେଇ ଦୃଢ ଆତ୍ମବିଶ୍ବାସର ସହ ଆଗକୁ ବଢିବାର ପ୍ରେରଣା ପାଇଛୁ ।

ପିଲାମାନେ ସମସ୍ତେ ଶିକ୍ଷକ, ଡାକ୍ତର, କୃଷି ବିଜ୍ଞାନୀ ହେବେ ବୋଲି ଆତ୍ମବିଶ୍ବାସ ସହ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବଂ 5-T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ପିଲାମାନଙ୍କ ଉତ୍ସାହ ଓ ଗଭୀର ଆତ୍ମବିଶ୍ବାସକୁ ଦେଖି ଖୁସି ହେବା ସହିତ ପିଲାମାନଙ୍କ ସ୍ବପ୍ନ ନିଶ୍ଚୟ ପୂରଣ ହେବ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଗଞ୍ଜାମରେ ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଝାରସୁଗୁଡାରେ ବିଧାୟିକା ଦିପାଳୀ ଦାସ, ଜଗତସିଂହପୁରରେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କେନ୍ଦ୍ରାପଡାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବରଗଡରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବରେ ଉଚ୍ଚ ପ୍ରଶଂସା କରିଥିଲେ। ସ୍କୁଲ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ବଳ ଓ ସୁଦୃଢ କରିବ ବୋଲି ସେମାନେ ମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଫେବୃଆରୀ ୧୪ ରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା : ଓଡ଼ିଶାର ୪ଟି ଜିଲ୍ଲାରେ ଯାତ୍ରା…

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୧୪ ତାରିଖରେ ରାହୁଲ ଗାନ୍ଧୀ ମଣିପୁରରୁ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରିବେ । ଓଡ଼ିଶାରେ ଆସନ୍ତା ଫେବୃଆରୀ ୧୪ ତାରିଖରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଝାଡଖଣ୍ଡ ଅତିକ୍ରମ କରି ଓଡ଼ିଶାର ମୟୁରଭଞ୍ଜରେ ପଂହଚିବ । ବର୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ତତ୍ୱାବଧାନରେ ୪ ଦିନ ଧରି ଓଡ଼ିଶାର ୪ଟି ଜିଲ୍ଲା ଯଥା : ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ୩୪୧ କି.ମି. ଅତିକ୍ରମ କରିବ । ଏହି ନ୍ୟାୟ ଯାତ୍ରାରେ ଯେକୌଣସି ଜଣେ ବ୍ୟକ୍ତି ୯୮୯୧୮୦୨୦୨୪ ନମ୍ବରରେ ମିସ୍ କଲ କରି ନିଜକୁ ଜଣେ ନ୍ୟାୟ ଯୋଦ୍ଧା ହିସାବରେ ଏହି ଯାତ୍ରାରେ ଯୋଗଦାନ କରିପାରିବେ । ଯେଉଁ ଅଂଚଳ ଦେଇ ଏହି ଯାତ୍ରା ଅତିକ୍ରମ କରିବ ସେ ସବୁ ଅଂଚଳର ଜନସାଧାରଣ ଏହି ଯାତ୍ରାରେ ନିଜକୁ ସାମିଲ କରିପାରିବେ । ଏଥିପାଇଁ କୌଣସି ଅସୁବିଧା ନାହିଁ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମେଡ଼ିଆ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ ଦେଶର ବଂଚିତ ବର୍ଗଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ରାହୁଲଗାନ୍ଧୀଙ୍କର ଏହି ଭାରତ ଯୋଡ଼ ନ୍ୟାୟ ଅଭିପ୍ରେତ ।

ପ୍ରକାଶଥାଉକି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଭାରତ ବର୍ଷର ୧୫ ଟି ରାଜ୍ୟର ୧୧୦ ଟି ଜିଲ୍ଲା ଦେଇ ୬୭୧୩ କି.ମି. ୬୬ ଦିନରେ ଅତିକ୍ରମ କରିବ । ଏହି ଯାତ୍ରାରେ ଭାରତ ବର୍ଷର ବୁଦ୍ଧିଜୀବି, ସମାଜସେବୀ, କଳାକାର ଏବଂ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ବ୍ୟକ୍ତିବିଶେଷ ଯୋଗଦାନ କରିପାରିବେ । ଦୀର୍ଘ ୧୦ ବର୍ଷର ଅନ୍ୟାୟକାଳ ବିରୁଦ୍ଧରେ ଭାରତ ବର୍ଷର ଜନସାଧାରଣଙ୍କର ସ୍ୱାର୍ଥ ରକ୍ଷା କରିବା ଏବଂ ଭାରତ ବର୍ଷର ସମ୍ବିଧାନ, ସାମ୍ବିଧାନିକ ଅନୁଷ୍ଠାନ, ବିଭିଧତା ଏବଂ ଏକତାକୁ ରକ୍ଷା କରିବାପାଇଁ ଏ ନ୍ୟୟ ଯାତ୍ରା । ଜନସାଧାରଣଙ୍କର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ନ୍ୟାୟର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀଙ୍କର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ।

ଭାରତ ବର୍ଷର ଯୁବବର୍ଗ କର୍ମ ନିଯୁକ୍ତି ପାଇଁ ଆଜି ସଂଘର୍ଷ କରୁଛନ୍ତି । ଭାରତ ବର୍ଷର ଇଂଜିନିୟର ଆଜି କୁଲି ଆକାରରେ କାମ କରୁଛି । ପିଏଚଡି କରିସାରିଥିବା ବ୍ୟକ୍ତିଟି ପିଅନ ଚାକରି ପାଇଁ ଆବେଦନ କରୁଛି କିନ୍ତୁ ଭାରତ ବର୍ଷର ଜାତୀୟ ସମ୍ପତିକୁ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ କତିପୟ ନିଜର ବ୍ୟବସାୟୀ ବନ୍ଧୁଙ୍କ ହାତରେ ଟେକି ଦେଉଛନ୍ତି । ଆମେ ଭାରତ ବର୍ଷର ଜନସାଧାରଣଙ୍କ ପାଇଁ ଅର୍ଥନୈତିକ ନ୍ୟାୟ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକାର ଅଧିକାରକୁ ସୁନିଶ୍ଚିତ କରିବା । ଆଜି ଭାରତ ବର୍ଷରେ ଗରିବ ଓ ଧନୀ ଭିତରେ ତାରତମ୍ୟ ବହୁତ ବଢ଼ିଯାଉଥିଲା ବେଳେ ମଧ୍ୟବିତ ପରିବାରର ସଂଚୟ ଶୂନ ହୋଇଯାଉଛି ଏବଂ ଗରିବ ଅଧିକ ଗରିବ ହୋଇଯାଉଛି କିନ୍ତୁ ଧନୀ ବହୁ ଅଧିକଗୁଣ ଧନୀ ହୋଇଯାଉଛି । ଏହି ଯାତ୍ରା ଏହି ଅର୍ଥନୈତିକ ବିଷମତା ଓ ଅନ୍ୟାୟ ବିରୁଦ୍ଧରେ । କୃଷକ ଏବଂ କୃଷି ଶ୍ରମିକ ଋଣ ବୋଝରେ ବୁଡ଼ି ଯାଉଛି କିନ୍ତୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଧନୀ ମାନଙ୍କର ଋଣ ଛାଡ଼ କରୁଛନ୍ତି । ଆମେ ସୁନିଶ୍ଚିତ କରିବୁ ପ୍ରତ୍ୟେକ କୃଷକ ତା କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଉ ଏବଂ କୃଷି ଶ୍ରମିକଙ୍କର କଠିନ ପରିଶ୍ରମର ଫଳ ମିଳୁ ।

ମୋଦି ସରକାରଙ୍କ ସମୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସବୁ ଆଜି ସଂକଟରେ । ଏହି ଶିଳ୍ପ ଭାରତ ବର୍ଷରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିଥାନ୍ତି । ତେଣୁ ଆମେ ସୁନିଶ୍ଚିତ କରିବୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଅଧିକ ଋଣ, ଭିତିଭୂମି ଏବଂ ବୈଷୟୀକ ଜ୍ଞାନ ପ୍ରଦାନ କରିବା ନିମନ୍ତେ । ମୋଦି ସରକାରଙ୍କ ସମୟରେ ଭାରତ ବର୍ଷର ମହିଳା ସବୁଠାରୁ ଅଧିକ ଅତ୍ୟାଚାରିତ ହୋଇଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ “ବେଟି ବଚାଓ, ବେଟି ପଢ଼ାଓ”ର ନାରା ଦେଇଥିଲା ବେଳେ ତାଙ୍କରି ଦଳର ସାଂସଦ, ବିଧାୟକ, ମନ୍ତ୍ରୀ ଓ ନେତୃବର୍ଗ ବିଭିନ୍ନ ରାଜ୍ୟରେ ମହିଳାମାନଙ୍କ ପ୍ରତି ପାଶବିକ ଅତ୍ୟାଚାର ଓ ଯୌନଉତ୍ପିଡ଼ନ କରୁଛନ୍ତି । ଏହି ୧୦ ବର୍ଷ ଭିତରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗ ସବୁଠାରୁ ଅଧିକ ବଂଚିତ ହୋଇଛନ୍ତି । ଭାରତ ବର୍ଷର ସବୁଠାରୁ ବଡ଼ ବର୍ଗଙ୍କୁ ବଂଚିତ କରି ମୋଦି ସରକାର କେବଳ ନିର୍ଦ୍ଦିଷ୍ଟ କତିପୟ ଶିଳ୍ପପତିଙ୍କୁ ସ୍ୱାର୍ଥ ରକ୍ଷା କରୁଛନ୍ତି । ଘୃଣା, ହିଂସା ଆଜି ଆମ ସମାଜରେ ଏକ ବଡ଼ ଦାଗ ସୃଷ୍ଟି କରିଛି । ଘୃଣା ଓ ହିଂସା ଜନିତ ଅପରାଧ ଆମ ସମାଜରେ ଅହେତୁକ ପରିମାଣରେ ବୃଦ୍ଧି ଘଟିଛି । ତେଣୁ ଏହି ବର୍ଗଙ୍କର ସାମାଜିକ ନ୍ୟାୟ ପାଇଁ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହି ୧୦ ବର୍ଷର ମୋଦି ସରକାର ସମୟରେ ସମସ୍ତ ସାମ୍ବିଧାନିକ ଏବଂ ନିରପେକ୍ଷ ସଂସ୍ଥା ମାନଙ୍କ ଉପରେ ଯୋରଦାର ଆକ୍ରମଣ କରାଯାଉଛି । ଭାରତ ବର୍ଷର ସଂଘୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ହନନ କରାଯାଉଛି । ରାଜ୍ୟ ମାନଙ୍କର ହକକୁ ପ୍ରଦାନ କରାଯାଉନାହିଁ । ପଂଚାୟତ ରାଜ ଏବଂ ନଗର ପାଳିକା ବ୍ୟବସ୍ଥାକୁ ଆଜି ସଂପୂର୍ଣ୍ଣ ରୂପେ ଅଣଦେଖା କରାଯାଉଛି । ତେଣୁ ଭାରତ ବର୍ଷର ଜନସାଧାରଣଙ୍କର ରାଜନୈତିକ ନ୍ୟାୟକୁ ସୁରକ୍ଷା କରିବାପାଇଁ ରାହୁଲ ଗାନ୍ଧୀଙ୍କ ଏହି ଦୀର୍ଘଦିନର ନ୍ୟାୟ ଯାତ୍ରା ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ଦାସରଥି ଗମାଙ୍ଗ, ଏଆଇସିସି ସମ୍ପାଦକ ଶରତ ରାଉତ, ପୁର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ମୁଖପାତ୍ର ରଜନୀ ମହାନ୍ତି ଓ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଅମୀୟ ପାଣ୍ଡବ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଲୋଗୋର ଟ୍ୟାଗ୍‌ଲାଇନ୍ – ‘ଭାଷା ହିଁ ଭବିଷ୍ୟତ’

ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କଲେ

()ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଁ ଆଶା କରୁଛି ।

ସେ କହିଛନ୍ତି ଯେ ଆଧୁନିକ ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭକରି ଆମ ମାଟି ଏବଂ ଭାଷାର ଗୌରବ ବୃଦ୍ଧି କରିଛି । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ।

ସେ ପୁଣି କହିଛନ୍ତି ଯେ ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବରେ ଆମ ଭବିଷ୍ୟତ ପିଢ଼ିଙ୍କ ପାଖରେ କିପରି ଓଡ଼ିଆ ଭାଷାର ଆଦର ବଢ଼ିବ ଏବଂ ଆଧୁନିକ ଜ୍ଞାନକୌଶଳ ଜରିଆରେ ଆମ ଭାଷା କିପରି ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ବିଚାର- ବିମର୍ଷ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ।

ନକରାତ୍ମକ ଖବର ର ବଢୁଛି ଆଦୃତି -ମୁଖ୍ୟ ବକ୍ତା, ବ୍ୟାସନଗର ପ୍ରେସ ଫୋରମର ସପ୍ତଦଶ ବାର୍ଷିକ ଉତ୍ସବ…

() ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବରେ ରହି ଗଣମାଧ୍ୟମ ପ୍ରତିନିଧିମାନେ ସାଧାରଣ ଜନତାଙ୍କ ସ୍ୱର ହେବା ଉଚିତ ବୋଲି ବ୍ୟାସନଗର ପ୍ରେସ ଫୋରମର ସପ୍ତଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବୁଧବାର ପୂର୍ବାହ୍ନରେ ବ୍ୟାସନଗର ପୌରପରିଷଦର ସନ୍ତରା ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଫୋରମର ବାର୍ଷିକ ଉତ୍ସବ ସଭାପତି ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ କୋରାଇର ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ସଠିକ ତଥ୍ୟ ଭିତିକ ସମ୍ବାଦ ପରିବେଶଣ କରିବା ସମସ୍ତ ସାମ୍ବାଦିକଙ୍କ ଧେୟ ହେବା ଉଚିତ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ଟେଲିଭିଜନ୍ ର ବରିଷ୍ଠ ଉପସ୍ଥାପକ ଭବାନୀ ମହାପାତ୍ର ଯୋଗଦେଇ ନକରାତ୍ମକ ଖବରର ପ୍ରସାର ଖୁବ ଶିଘ୍ର ଆଦୃତି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଆଇଜି(ଆଇଟିବିପି) ସୁଧାଂଶୁ ଶେଖର ମିଶ୍ର, ସିନେଅଭିନେତ୍ରୀ ନୈନା ଦାଶତିୱାରୀ ଓ ସିନେଅଭିନେତା ପ୍ରୀତିରାଜ ଶତପଥୀ ପ୍ରମୁଖ ଯୋଗଦେଇ ସମାଜରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ଅଟେ, ସେମାନଙ୍କ ସମସ୍ୟା ଓ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେବା ଉଚିତ ବୋଲି କହିଥିଲେ । ଫୋରମର ସାଧାରଣ ସମ୍ପାଦକ ମଳୟ କୁମାର ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଦୟାନିଧି ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଫୋରମର ମୁଖପତ୍ର ‘ବ୍ୟାସଜ୍ୟୋତ’କୁ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ କରାଯାଇଥିଲା । ପରେ ବ୍ୟାସଜ୍ୟୋତି ମରଣୋତ୍ତର ସମ୍ମାନ ୰ ଅଶୋକ କୁମାର ସାମନ୍ତସିଂହାର ପରିବାରକୁ ଦିଆ ଯାଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦନା ପାଇଁ ଶିକ୍ଷାବିତ୍ ପ୍ରାଧ୍ୟାପକ ଗୋକୁଳା ନନ୍ଦ ବଶ୍ବାଳ, ସାହିତ୍ୟିକ ଡା. ରୁଦ୍ରନାରାୟଣ ପୃଷ୍ଟି, ଚିକିତ୍ସାକ ଡା. ବିଭୁଦତ ମହାନ୍ତି, ଯୁବସମାଜସେବୀ ବନୋଜ କୁମାର ଜେନା, ପରିବେଶବିତ ଟୁଟୁ ମିଶ୍ର, ସାମ୍ବାଦିକ ରବି ନାରାୟଣ କର, ସିନେ ଅଭିନେତ୍ରୀ ନୈନା ଦାଶତିୱାରୀ ଓ ସିନେ ଅଭିନେତା ପ୍ରୀତିରାଜ ଶତପଥୀ, ଯୁବକ୍ରିକେଟର ଅୟେଶ ପତି ଓ ଯୁବାକ୍ରୀଡାବିତ ଶିବାନୀ ମଲ୍ଲିକ, ସଫଳ ଉଦ୍ୟୋଗୀ ରାଜେଶ କୁମାର ଜୈନ ଓ ଯଶୋବନ୍ତ ଜିନ୍ଦଲ, ଖବର କାଗଜ ବିତରକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ୧୪ ଜଣ ପ୍ରତିଭାଙ୍କ ସମେତ ଜିନ୍ଦଲ ଷ୍ଟେନଲେସ୍ ଲିଃ କୁ ଶିଳ୍ପ ନିରାପତା ସମ୍ମାନ, ବରିଷ୍ଠ ନାଗରିକ ମଞ୍ଚ, ଯାଜପୁର ରୋଡ଼ ଓ ଯାଜପୁର ଜିଲ୍ଲା କିନ୍ନର ସଂଘ(ଶାନ୍ତ ସେନା) ଆଦି ୩ଟି ସଙ୍ଗଠନକୁ ଅତିଥିଙ୍କ ଦ୍ବାରା ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବର୍ଦ୍ଧନା ଉତ୍ସବକୁ କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ରୁଦ୍ରପ୍ରତାପ ପାଢୀ ଓ ପ୍ରହଲ୍ଲାଦ ଦେଓ ପ୍ରମୁଖ ପରିଚାଳନା କରିଥିଲା ବେଳେ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଉପସଭାପତି ଜ୍ଞାନରଞ୍ଜନ ଓଝା, ସହସଂପାଦକ ଆଶୁତୋଷ ମହାନ୍ତି, ପ୍ରମୋଦକୁମାର ପାତ୍ର,ଉପଦେଷ୍ଠା ଆଶୁତୋଷ ମିଶ୍ର, ଅସିତାନନ୍ଦ ବିଶ୍ବାଳ, କୁଞ୍ଜବିହାରୀ ମହାନ୍ତି, ଚିତରଞ୍ଜନ ବୋଇତାଇ, ଦୀପକ ଦାସ, ମାନସ ଆଏଚ, ଜିତେନ୍ଦ୍ର ରାଉତ, ପ୍ରକାଶ କୁମାର ସାହୁ, ସୁଶାନ୍ତ କୁମାର ଭୂୟାଁ, ଆଶିଷ ରାଉତ, ସଞ୍ଜୟ ସରକାର ପ୍ରମୁଖ ପରିଚାଳନଦାରେ ସହଯୋଗ କରିଥିଲା ବଳେ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, ରାଜନୈତିକ ନେତୃବନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ….

ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ*

ହାଇଟେକ ହସପିଟାଲ ମାଲିକଙ୍କୁ ଗିରଫ କରାଯାଉ

ଭବନେଶ୍ୱର ତା. ୮.୧- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏବଂ ପ୍ରଦେଶ ଯୁବକ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ମିଳିତ ନେତୃତ୍ୱରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ହାଇଟେକ ହସପିଟାଲରେ ଚିକିତ୍ସିତ ରୋଗୀଙ୍କୁ ହତ୍ୟା କରାଯାଇଛି ବୋଲି ଉଭୟ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

 ଭୁବନେଶ୍ୱର ସ୍ଥିତ ହାଇଟେକ ହସପିଟାଲରେ ଏସି କମ୍ପ୍ରେସରରେ ଗ୍ୟାସ ଭର୍ତି ବେଳେ ହୋଇଥିବା ବିଷ୍ପୋରଣର ମୃତ୍ୟୁ ପାଇଁ ରାଜ୍ୟ ସରକାର ହାଇଟେକ ହସପିଟାଲର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ । ହାଇଟେକ ହସପିଟାଲ ମାଲିକ ନରହତ୍ୟାକାରୀ । ହାଇଟେକ ହସପିଟାଲରେ ରୋଗୀଙ୍କୁ ହତ୍ୟା କରାଯାଏ ।

 ଏହି ନିରୀହ ଲୋକଙ୍କର ମୃତ୍ୟୁ ପାଇଁ ଡାକ୍ତରଖାନା କର୍ତୃପକ୍ଷ ଦାୟୀ । ଏହି ଦୁର୍ଘଟଣାରେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କର ମୃତ୍ୟୁ ହେଲା । ମାତ୍ର ଶବର ସଠିକ ଚିହ୍ନଟ ନକରି ଡାକ୍ତରଖାନା କର୍ତୃପକ୍ଷ ଏହି ଶବକୁ ଅନ୍ୟତମ ଆହତ ଦିଲ୍ଲୀପ ସାମନ୍ତରାୟଙ୍କ ଶବ ବୋଲି କହି ଦିଲ୍ଲୀପ ସାମନ୍ତରାୟଙ୍କ ପରିବାରକୁ ଧରାଇଦେଲେ । ମୃତଦେହ ସଂସ୍କାର ପରେ ଦିଲ୍ଲୀପଙ୍କ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ । ହେଲେ ଚିକିତ୍ସା ଶଯ୍ୟାରେ ଦିଲ୍ଲୀପ ଚେତା ଫେରିବା ପରେ ନିଜ ପରିଚୟ ଦେବାରୁ ଏହି ସାଂଘାତିକ ତ୍ରୁଟି ପଦାକୁ ଆସିଲା । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ହଠାତ ଶୁକ୍ରବାର ରାତି ତିନିଟାରେ ଦିଲ୍ଲୀପଙ୍କର ମୃତ୍ୟୁ ଘୋଷଣା ହେଲା । ଏହି ଘଟଣାକୁ ସହଜରେ ଗ୍ରହଣ କରିହେଉନାହିଁ । ଦିଲ୍ଲୀପର ପରିବାର ଦାବି କରୁଛନ୍ତି ଯେ ଦିଲ୍ଲୀପଙ୍କୁ ହସପିଟାଲରେ ହତ୍ୟା କରାଯାଇଛି । ଦିଲ୍ଳୀପ ସାମନ୍ତରାୟଙ୍କ ଚିକିତ୍ସାକୁନେଇ ତାଙ୍କ ପରିବାର ମଧ୍ୟ ସଂଦେହ ପ୍ରକାଶ କରିଛନ୍ତି । ବର୍ତମାନ ବିଷ୍ପୋରଣ ଘଟଣା ଓ ପରିଚୟର ଦ୍ୱନ୍ଦ ଆହୁରି ଅଧିକ ରହସ୍ୟମୟ ହୋଇପଡ଼ିଛି । ଦିଲ୍ଲୀପଙ୍କ ପରିବାର ଏବେ ନ୍ୟାୟ ଦାବି କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ହସପିଟାଲ ଓ ପୋଲିସର ସୂଚନା ଆଧାରରେ ପ୍ରଥମେ ଜ୍ୟୋତିରଞ୍ଜନଙ୍କ ମୁୃତଦେହକୁ ଦିଲ୍ଲୀପଙ୍କ ମୃତଦେହ ଭାବି ସତ୍କାର କରାଗଲା । ଏଥିରେ ପୋଲିସର ମଧ୍ୟ ତ୍ରୁଟି ରହିଛି । ଦିଲ୍ଲୀପଙ୍କ ପରିବାର ପ୍ରଶ୍ନ କରୁଛନ୍ତି ଯେ ଯଦି ଦିଲ୍ଲୀପଙ୍କ ଅବସ୍ଥା ଶୋଚନୀୟ ଥିଲା ତେବେ ତାଙ୍କୁ ଭେଂଟିଲେଟରରୁ ବାହାରକୁ କାହିଁକି ଅଣାଯାଇଥିଲା ?

 ହାଇଟେକ ହସପିଟାଲରେ ଏ ସଂପୂର୍ଣ୍ଣ ଷଡଯନ୍ତ୍ର ପାଇଁ ହସପିଟାଲ କର୍ତୃପକ୍ଷ ଦାୟୀ । ହସପିଟାଲରେ ରୋଗୀ ସୁରକ୍ଷିତ ନାହାନ୍ତି । ସୁତରାଂ ହାଇଟେକ ହସପିଟାଲର ମାଲିକ ଏବଂ ଏହି ଷଡଯନ୍ତ୍ରରେ ସାମିଲ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । ନିଜ ଦାୟୀତ୍ୱ ନିର୍ବାହରେ ଚରମ ଅବହେଳା ଏବଂ ରୋଗୀକୁ ହତ୍ୟା ଅଭିଯୋଗ ଥିବାରୁ ହସପିଟାଲର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଉ । ନବୀନ ସରକାର କ’ଣ ପାଇଁ ହାଇଟେକ ମାଲିକଙ୍କୁ ସୁରକ୍ଷା ଦେଉଛନ୍ତି?

ଦାବି : ତୁରନ୍ତ ମୃତକଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ହାଇଟେକ ମାଲିକଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । ହାଇଟେକ ହସପିଟାଲର ଲାଇସେନ୍ସ ରଦ୍ଦ କରାଯାଉ ।

ଆଜିର କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଆଲୋକ ଲେଙ୍କା, ଅଜୟ ସାହୁ, ସଂକୁନା କହଁର, ନିହାର ବେହେରା, ମହମ୍ମଦ ଗୁଲଫାମ, କାର୍ତିକେଶ୍ୱର କାଣ୍ଡି, ଅଭିଜିତ ଜେନା, ରଣଜିତ ସେନାପତି, ଜଗଦିଶ ଗଜେନ୍ଦ୍ର, ସ୍ପନ୍ଦନ ସ୍ୱାଇଁ, ଉଦିତ ପ୍ରଧାନ, ସୁଦିପ ସାମଲ, ସମିର ରାଉତ, ସୁରଜ ରାଉତ, ବିଂରଚି ବାରିକ, କମଳ ତାଣ୍ଡି, ବିରେନ୍ଦ୍ର ବାଗ, ଅମରେଶ ପରିଡ଼ା, ସାଗର ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ରାଜ୍ୟ ଆଇନଜୀବୀ ପରିଷଦର ଉପାଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲେ ରାଜୀବ ମହାନ୍ତି…..

()ରାଜ୍ୟ ଆଇନଜୀବୀ ପରିଷଦର ଉପାଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ରାଜୀବ ମହାନ୍ତି l ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ କୋଣରୁ ବହୁ ଆଇନ ଜୀବୀ ତାଙ୍କୁ ଶୁଭେଛା ଜଣାଇଛନ୍ତି l ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇ ପରିଷଦ ସବୁବେଳେ ଆଇନଜୀବୀଙ୍କ ମିଶି ସବୁ କାର୍ଯ୍ୟ ଆଗେଇ ନେବାକୁ ସଂକଳ୍ପ ନେଇଥିଲେ l

ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ହେବ……

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମ ର ଅଗ୍ରଗତି ସମୀକ୍ଷା କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍. ଚାରି ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ .ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଲୋକାର୍ପିତ ହେବ ଅକ୍ଷର ଭୂମି .

ସମ୍ମିଳନୀ ସ୍ମୃତି କୁ ଚିର ସ୍ମରଣୀୟ କରିବଅ କ୍ଷର ଭୂମି

ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ହେବ.

()ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵର ର କଳାମଣ୍ଡଳ ପରିସରରେ ନିର୍ମିତ ରେ ହେଉଛି ଅକ୍ଷରଭୂମି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକୁ ୫-ଟି ତଥା ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ ଆଜି ସକାଳେ କଳା ମଣ୍ଡଲ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।  ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ ସମ୍ମିଳନୀ କେନ୍ଦ୍ର. ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ . କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ. ସୂଚନାଯୋଗ୍ୟ ଯେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଏହି ସମ୍ମିଳନୀ କେନ୍ଦ୍ର ର ନିର୍ମାଣ ଦାୟିତ୍ଵ IDCO ନେଇଛି. ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ଚିର ସ୍ମରଣୀୟ କରିବା ପାଇଁ କଳାମଣ୍ଡଳ ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଅକ୍ଷର ଭୂମି କାମ ମଧ୍ୟ ଶ୍ରୀ ପାଣ୍ଡିଆନ୍ ବୁଲି ଦେଖିଥିଲେ . ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ହେବ . ଏହା .ଆମର ମହାନ୍ ଐତିହ୍ୟ ଓ  ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ଏବଂ ଓଡିଆ ଭାଷା ର ଅସ୍ମିତା ର ପରିଚୟ ହେବ ବୋଲି ଶ୍ରୀ କାର୍ତ୍ତିକ ଆଶା ବ୍ୟକ୍ତ କରିଥିଲେ. ସେଠାରେ ମଧ୍ୟ ଏକ ଓଡ଼ିଆ ଭାଷା ସମ୍ମିଳନୀ ସ୍ମୃତି ତୋରଣ ନିର୍ମାଣ କରାଯାଉଛି ଏହି ଅକ୍ଷର ଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ କାର୍ତ୍ତିକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ ।। ଏହାର ନିର୍ମାଣ କାର୍ଯ୍ୟ ଉଭୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ସହଯୋଗରେ କରାଯାଉଛି ଭବିଷ୍ୟତ ସମ୍ପ୍ରସାରଣ କୁ ଦୃଷ୍ଟିରେ ରଖି ଅଧିକ ଖୋଲା ସ୍ଥାନ ରଖିବା ଏବଂ  ଜନସାଧାରଣଙ୍କ ସୁବିଧା କୁ ଦୃଷ୍ଟିରେ ରଖି basement ରେ ପାର୍କିଂ ବ୍ୟବସ୍ଥାର ବିକାଶ ପାଇଁ ସ୍ଥିର କରାଯାଇଥିଲା .Campus ରେ ଅଧିକ ଗଚ୍ଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ତଥା ବିଭିନ୍ନ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବା ପାଇଁ ଶ୍ରୀ କାର୍ତ୍ତିକ ପରାମର୍ଶ ଦେଇଥିଲେ.

୫-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ , ବିଡିଏ ଉପାଧ୍ୟାକ୍ଷ ଶ୍ରୀ ବଲୱନ୍ତ ସିଂ, MD IDCO ଶ୍ରୀ ଭୂପିନ୍ଦର ସିଂ ପୁନିଆ , ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ନିର୍ଦେଶକ ଶ୍ରୀ ଦିଲୀପ ରାଉତରାୟ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକ ନେଲେ ଡ. ଅଜୟ କୁମାର…

ଭୁବନେଶ୍ୱର –  ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଉପସ୍ଥିତ ଥିବା ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କୁ ସେମାନଙ୍କର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବା ସହ ସେମାନେ ଜିଲ୍ଲା ଠାରୁ ବୁଥସ୍ତରରେ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ ସବୁ ସମ୍ପନ୍ନ କରିଛନ୍ତି ସେ ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଥିଲେ । ଯଥାଶୀଘ୍ର ଜିଲ୍ଳାଠାରୁ ବୁଥ ସ୍ତର ପର୍ଯ୍ୟନ୍ତ କମିଟିର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ସେ କହିଥିଲେ । “ଦେଶପାଇଁ ଦାନ” କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ ଯେପରି ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଏକ ୨୦ ଦିନିଆ ଜନସମ୍ପର୍କ ଯାତ୍ରା କରାଯିବ । ଏକ ସ୍ୱତନ୍ତ୍ର ବସ ଯୋଗେ କଂଗ୍ରେସର ବରିଷ୍ଠ ନେତୃବର୍ଗ ଯାଇ ତୃଣମୂଳ ସ୍ତରର କର୍ମୀମାନଙ୍କ ସହ ଆଲୋଚନା କରିବେ ଏବଂ ମୋଦି ଓ ନବୀନ ସରକାରର ଜନବିରୋଧି ନୀତ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇବେ । ସେ ଭୁବନେଶ୍ୱରରେ ଅଧିକ ଦିନ ରହି ଦଳର କାର୍ଯ୍ୟକ୍ରମକୁ ତଦାରଖ କରିବେ । ସେ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ, କଂଗ୍ରେସ ସଭାପତି ମାଲିକାର୍ଜ୍ଜୁନ ଖଡ଼ଗେ ଓ ସମ୍ମାନନୀୟ ରାହୁଲ ଗାନ୍ଧୀ ତାଙ୍କୁ ଯେଉଁ ଗୁରୁ ଦାୟୀତ୍ୱ ଦେଇଛନ୍ତି ତାହାକୁ ସେ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି କହିଥିଲେ । ସେ କହିଥିଲେ ବୁଥସ୍ତରର ଜଣେ ସାଧାରଣ କର୍ମୀ ମୋତେ ବିନା ଦ୍ୱିଧାରେ ସାକ୍ଷାତ କରି ସଂଗଠନ ସମ୍ପର୍କରେ ଜଣାଇପାରିବେ ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋଦି ଓ ନବୀନ ଶାସନରେ ସାଧାରଣ ଜନତା ଅତିଷ୍ଠ । ୨୦୨୪ ବର୍ଷଟି ପରିବର୍ତନର ବର୍ଷ ହେବ । କଂଗ୍ରେସ ଦଳ ଏ ଦେଶରେ ବ୍ରିଟିଶ ରାଜକୁ ଖତମ କରିଛି । ମୋଦି ରାଜ ଓ ନବୀନ ରାଜର ବେଳକାଳ ସରିଆସୁଛି । ଶ୍ରୀ ପଟ୍ଟନାୟକ ଦୁନିଆରେ ଘଟିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାବଳୀର ଉଦାହରଣ ଦେଇ କହିଥିଲେ ଯେ ଓଡ଼ିଆ ଲୋକ ବହୁ ଅସମ୍ଭବ କଥାକୁ ସମ୍ଭବ କରିଛନ୍ତି । ଉଦାହରଣସ୍ୱରୂପ ୧୨ ବର୍ଷର ଧର୍ମପଦ କୋଣାର୍କ ମୁଣ୍ଡିମାରିବା ଘଟଣା, ୧୨ ବର୍ଷର ବାଜି ରାଉତର ବିରତ୍ୱ କଥା ସମସ୍ତେ ଜାଣନ୍ତି । ଏଣୁ ଏହି ଭ୍ରଷ୍ଟାଚାରୀ ଶାସନକୁ କ୍ଷମତାଚ୍ୟୁତ କରିବା ବଡ଼କଥା ନୁହେଁ । ନବୀନ ସରକାର ଏ ରାଜ୍ୟରେ ଚାଷୀ, ଯୁବକ, ଛାତ୍ର, ମହିଳା, ଓବିସି, ଆଦିବାସୀ ଓ ଦଳିତ ସମସ୍ତ ବର୍ଗଙ୍କୁ ଉପେକ୍ଷା କରିଛନ୍ତି । ନିର୍ବାଚନ ଅତି ନିକଟତର । ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟକରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶରତ ରାଉତ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସପ୍ତଗିରି ଉଲ୍ଲାକା, ଶିବାନନ୍ଦ ରାୟ, ରମେଶ ଜେନା, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହୀ, ଦାସରଥି ଗମାଙ୍ଗୋ, ରଣଜିତ ପାତ୍ର, ୟାସିର ନୱାଜ, ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ମହାପାତ୍ର, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ,ସଂଜୀବ ଗିରି, ହେମନ୍ତ ଦାସ ପ୍ରମୁଖ ଅନ୍ୟାନ୍ୟ ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ କଂଗ୍ରେସ ସଭାପତ, ନଗର କଂଗ୍ରେସ ସଭାପତି ପ୍ରମୁଖ ତୃଣମୂଳସ୍ତରର ସଂଗଠନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।

ରାଜୀବ ମହାନ୍ତି ହେଲେ ରାଜ୍ୟ ବାର କାଉନସିଲର ଉପାଧକ୍ଷ….

() ଓଡ଼ିଶା ବାର କାଉନସିଲର ଉପାଧକ୍ଷ ହେଲେ ବରିଷ୍ଠ ଆଇନଜୀବି ରାଜୀବ କୁମାର ମହାନ୍ତି l ଜଣେ ଲୋକପ୍ରିୟ ଆଇନଜୀବି ଭାବେ ପୁରା ରାଜ୍ୟରେ ସୁନାମ ଅର୍ଜନ କରିଥିବା ରାଜୀବ ମହାନ୍ତି ରାଜ୍ୟ ବାର କାଉନସିଲର ଉପାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି l ନିର୍ବାଚିତ ହେବା ପରେ ସବୁଆଡୁ ଶୁଭେଛାର ସୁଅ ଛୁଟିଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news