ଫେବୃଆରୀ ୧୪ ରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା : ଓଡ଼ିଶାର ୪ଟି ଜିଲ୍ଲାରେ ଯାତ୍ରା…

- Advertisement -

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୧୪ ତାରିଖରେ ରାହୁଲ ଗାନ୍ଧୀ ମଣିପୁରରୁ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରିବେ । ଓଡ଼ିଶାରେ ଆସନ୍ତା ଫେବୃଆରୀ ୧୪ ତାରିଖରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଝାଡଖଣ୍ଡ ଅତିକ୍ରମ କରି ଓଡ଼ିଶାର ମୟୁରଭଞ୍ଜରେ ପଂହଚିବ । ବର୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ତତ୍ୱାବଧାନରେ ୪ ଦିନ ଧରି ଓଡ଼ିଶାର ୪ଟି ଜିଲ୍ଲା ଯଥା : ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ୩୪୧ କି.ମି. ଅତିକ୍ରମ କରିବ । ଏହି ନ୍ୟାୟ ଯାତ୍ରାରେ ଯେକୌଣସି ଜଣେ ବ୍ୟକ୍ତି ୯୮୯୧୮୦୨୦୨୪ ନମ୍ବରରେ ମିସ୍ କଲ କରି ନିଜକୁ ଜଣେ ନ୍ୟାୟ ଯୋଦ୍ଧା ହିସାବରେ ଏହି ଯାତ୍ରାରେ ଯୋଗଦାନ କରିପାରିବେ । ଯେଉଁ ଅଂଚଳ ଦେଇ ଏହି ଯାତ୍ରା ଅତିକ୍ରମ କରିବ ସେ ସବୁ ଅଂଚଳର ଜନସାଧାରଣ ଏହି ଯାତ୍ରାରେ ନିଜକୁ ସାମିଲ କରିପାରିବେ । ଏଥିପାଇଁ କୌଣସି ଅସୁବିଧା ନାହିଁ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମେଡ଼ିଆ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ ଦେଶର ବଂଚିତ ବର୍ଗଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ରାହୁଲଗାନ୍ଧୀଙ୍କର ଏହି ଭାରତ ଯୋଡ଼ ନ୍ୟାୟ ଅଭିପ୍ରେତ ।

ପ୍ରକାଶଥାଉକି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଭାରତ ବର୍ଷର ୧୫ ଟି ରାଜ୍ୟର ୧୧୦ ଟି ଜିଲ୍ଲା ଦେଇ ୬୭୧୩ କି.ମି. ୬୬ ଦିନରେ ଅତିକ୍ରମ କରିବ । ଏହି ଯାତ୍ରାରେ ଭାରତ ବର୍ଷର ବୁଦ୍ଧିଜୀବି, ସମାଜସେବୀ, କଳାକାର ଏବଂ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ବ୍ୟକ୍ତିବିଶେଷ ଯୋଗଦାନ କରିପାରିବେ । ଦୀର୍ଘ ୧୦ ବର୍ଷର ଅନ୍ୟାୟକାଳ ବିରୁଦ୍ଧରେ ଭାରତ ବର୍ଷର ଜନସାଧାରଣଙ୍କର ସ୍ୱାର୍ଥ ରକ୍ଷା କରିବା ଏବଂ ଭାରତ ବର୍ଷର ସମ୍ବିଧାନ, ସାମ୍ବିଧାନିକ ଅନୁଷ୍ଠାନ, ବିଭିଧତା ଏବଂ ଏକତାକୁ ରକ୍ଷା କରିବାପାଇଁ ଏ ନ୍ୟୟ ଯାତ୍ରା । ଜନସାଧାରଣଙ୍କର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ନ୍ୟାୟର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀଙ୍କର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ।

ଭାରତ ବର୍ଷର ଯୁବବର୍ଗ କର୍ମ ନିଯୁକ୍ତି ପାଇଁ ଆଜି ସଂଘର୍ଷ କରୁଛନ୍ତି । ଭାରତ ବର୍ଷର ଇଂଜିନିୟର ଆଜି କୁଲି ଆକାରରେ କାମ କରୁଛି । ପିଏଚଡି କରିସାରିଥିବା ବ୍ୟକ୍ତିଟି ପିଅନ ଚାକରି ପାଇଁ ଆବେଦନ କରୁଛି କିନ୍ତୁ ଭାରତ ବର୍ଷର ଜାତୀୟ ସମ୍ପତିକୁ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ କତିପୟ ନିଜର ବ୍ୟବସାୟୀ ବନ୍ଧୁଙ୍କ ହାତରେ ଟେକି ଦେଉଛନ୍ତି । ଆମେ ଭାରତ ବର୍ଷର ଜନସାଧାରଣଙ୍କ ପାଇଁ ଅର୍ଥନୈତିକ ନ୍ୟାୟ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକାର ଅଧିକାରକୁ ସୁନିଶ୍ଚିତ କରିବା । ଆଜି ଭାରତ ବର୍ଷରେ ଗରିବ ଓ ଧନୀ ଭିତରେ ତାରତମ୍ୟ ବହୁତ ବଢ଼ିଯାଉଥିଲା ବେଳେ ମଧ୍ୟବିତ ପରିବାରର ସଂଚୟ ଶୂନ ହୋଇଯାଉଛି ଏବଂ ଗରିବ ଅଧିକ ଗରିବ ହୋଇଯାଉଛି କିନ୍ତୁ ଧନୀ ବହୁ ଅଧିକଗୁଣ ଧନୀ ହୋଇଯାଉଛି । ଏହି ଯାତ୍ରା ଏହି ଅର୍ଥନୈତିକ ବିଷମତା ଓ ଅନ୍ୟାୟ ବିରୁଦ୍ଧରେ । କୃଷକ ଏବଂ କୃଷି ଶ୍ରମିକ ଋଣ ବୋଝରେ ବୁଡ଼ି ଯାଉଛି କିନ୍ତୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଧନୀ ମାନଙ୍କର ଋଣ ଛାଡ଼ କରୁଛନ୍ତି । ଆମେ ସୁନିଶ୍ଚିତ କରିବୁ ପ୍ରତ୍ୟେକ କୃଷକ ତା କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଉ ଏବଂ କୃଷି ଶ୍ରମିକଙ୍କର କଠିନ ପରିଶ୍ରମର ଫଳ ମିଳୁ ।

ମୋଦି ସରକାରଙ୍କ ସମୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସବୁ ଆଜି ସଂକଟରେ । ଏହି ଶିଳ୍ପ ଭାରତ ବର୍ଷରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିଥାନ୍ତି । ତେଣୁ ଆମେ ସୁନିଶ୍ଚିତ କରିବୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଅଧିକ ଋଣ, ଭିତିଭୂମି ଏବଂ ବୈଷୟୀକ ଜ୍ଞାନ ପ୍ରଦାନ କରିବା ନିମନ୍ତେ । ମୋଦି ସରକାରଙ୍କ ସମୟରେ ଭାରତ ବର୍ଷର ମହିଳା ସବୁଠାରୁ ଅଧିକ ଅତ୍ୟାଚାରିତ ହୋଇଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ “ବେଟି ବଚାଓ, ବେଟି ପଢ଼ାଓ”ର ନାରା ଦେଇଥିଲା ବେଳେ ତାଙ୍କରି ଦଳର ସାଂସଦ, ବିଧାୟକ, ମନ୍ତ୍ରୀ ଓ ନେତୃବର୍ଗ ବିଭିନ୍ନ ରାଜ୍ୟରେ ମହିଳାମାନଙ୍କ ପ୍ରତି ପାଶବିକ ଅତ୍ୟାଚାର ଓ ଯୌନଉତ୍ପିଡ଼ନ କରୁଛନ୍ତି । ଏହି ୧୦ ବର୍ଷ ଭିତରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗ ସବୁଠାରୁ ଅଧିକ ବଂଚିତ ହୋଇଛନ୍ତି । ଭାରତ ବର୍ଷର ସବୁଠାରୁ ବଡ଼ ବର୍ଗଙ୍କୁ ବଂଚିତ କରି ମୋଦି ସରକାର କେବଳ ନିର୍ଦ୍ଦିଷ୍ଟ କତିପୟ ଶିଳ୍ପପତିଙ୍କୁ ସ୍ୱାର୍ଥ ରକ୍ଷା କରୁଛନ୍ତି । ଘୃଣା, ହିଂସା ଆଜି ଆମ ସମାଜରେ ଏକ ବଡ଼ ଦାଗ ସୃଷ୍ଟି କରିଛି । ଘୃଣା ଓ ହିଂସା ଜନିତ ଅପରାଧ ଆମ ସମାଜରେ ଅହେତୁକ ପରିମାଣରେ ବୃଦ୍ଧି ଘଟିଛି । ତେଣୁ ଏହି ବର୍ଗଙ୍କର ସାମାଜିକ ନ୍ୟାୟ ପାଇଁ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହି ୧୦ ବର୍ଷର ମୋଦି ସରକାର ସମୟରେ ସମସ୍ତ ସାମ୍ବିଧାନିକ ଏବଂ ନିରପେକ୍ଷ ସଂସ୍ଥା ମାନଙ୍କ ଉପରେ ଯୋରଦାର ଆକ୍ରମଣ କରାଯାଉଛି । ଭାରତ ବର୍ଷର ସଂଘୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ହନନ କରାଯାଉଛି । ରାଜ୍ୟ ମାନଙ୍କର ହକକୁ ପ୍ରଦାନ କରାଯାଉନାହିଁ । ପଂଚାୟତ ରାଜ ଏବଂ ନଗର ପାଳିକା ବ୍ୟବସ୍ଥାକୁ ଆଜି ସଂପୂର୍ଣ୍ଣ ରୂପେ ଅଣଦେଖା କରାଯାଉଛି । ତେଣୁ ଭାରତ ବର୍ଷର ଜନସାଧାରଣଙ୍କର ରାଜନୈତିକ ନ୍ୟାୟକୁ ସୁରକ୍ଷା କରିବାପାଇଁ ରାହୁଲ ଗାନ୍ଧୀଙ୍କ ଏହି ଦୀର୍ଘଦିନର ନ୍ୟାୟ ଯାତ୍ରା ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ଦାସରଥି ଗମାଙ୍ଗ, ଏଆଇସିସି ସମ୍ପାଦକ ଶରତ ରାଉତ, ପୁର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ମୁଖପାତ୍ର ରଜନୀ ମହାନ୍ତି ଓ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଅମୀୟ ପାଣ୍ଡବ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles