ବୁଦ୍ଧିମତା ଓ ବୁଝମଣା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ବଜାୟ ରଖାଯାଇପାରିବ: ସ୍ପେନ୍ ରାଷ୍ଟ୍ରଦୂତ…

() ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବୁଦ୍ଧିମତା ଓ ଉତମ ବୁଝାମଣାର ଆବଶ୍ୟକତା ରହିଛି । ଶାନ୍ତି ବଜାୟ ରଖିବା ନିମନ୍ତେ ପ୍ରକୃତ ବୁଝାମଣା, ବୁଦ୍ଧିମତା ଏବଂ ଉତମ ପରିଚାଳନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ପେନ୍‌ର ରାଷ୍ଟ୍ରଦୂତ ମହାମହିମ ଜୁଆନ୍ ଆନ୍‌ଟୋନିଓ ମାର୍ଚ ପୁଜୋଲ ।ସ୍ପେନର ରାଷ୍ଟ୍ରଦୂତ ଭାବେ ସେ ଏକାସଂଗେ ଭାରତ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ନିମନ୍ତେ ନିଯୁକ୍ତ ହୋଇଥିବା ଶ୍ରୀ ପୁଜୋଲ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବା ସହ ଆଲୋଚନା କରିଥିଲେ । ଏହି ଅବସରରେ ନିଜ ଅନୁଭୂତି ବଖାଣି ଶ୍ରୀ ପୁଜୋଲ କହିଥିଲେ ଯେ ବିଫଳତା ହିଁ ସଫଳତାର ବାଟ ଦେଖାଇଥାଏ । ୧୦ ବର୍ଷ ବୟସରେ ୟୁନାଇଟେଡ୍ କିଙ୍ଗଡମ୍‌ରେ ପାଠ ପଢ଼ିବା ସମୟରେ ହିଁ ଜଣେ କୁଟନୀତିଜ୍ଞ ହେବେ ବୋଲି ମନ ସ୍ଥିର କରିଥିଲେ ବୋଲି ସେ କହିଛନ୍ତି ।

କୋଭିଡ ମହାମାରୀ ଓ ଲକ୍ ଡାଉନ୍ ମଣିଷକୁ ଅନେକ ଶିକ୍ଷା ଦେଇଥିବା ବେଳେ ମଣିଷ ଏହି ସମୟ ମଧ୍ୟରେ ନିଜର ଆତ୍ମଚିନ୍ତନ ମଧ୍ୟ କରିବାରେ ସକ୍ଷମ ହୋଇପାରିଛି ବୋଲି ଶ୍ରୀ ପୁଜୋଲ କହିଛନ୍ତି । ଏଥି ସହିତ କରୋନା ମହାମାରୀ ମଣିଷକୁ ପ୍ରକୃତି ସହ ମଧ୍ୟ ଯୋଡ଼ିପାରିଛି ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପୁଜୋଲ କହିଥିଲେ ଯେ ଶିକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ତେବେ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜକୁ ସଠିକ୍ ଭାବେ ପରିଚାଳନା କରିବା । ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ବର୍ତମାନ ମଣିଷ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଏହା ଉପରେ ଅଧିକ ନିର୍ଭରଶୀଳ ନ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ଉପଦେଶ ଦେଇଥିଲେ ।

ସୋଆକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ପୁଜୋଲ କହିଛନ୍ତି ଯେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଏଥିରେ ଡାକ୍ତରୀ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଏହା ମାନବ ସମାଜ ପାଇଁ ଖୁବ୍ ବଡ଼ ଅବଦାନ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ସୋଆରେ ଏକ ସେଂଟର ଫର୍ ଲାଙ୍ଗୁଏଜ୍ ଷ୍ଟଡିଜ୍ ଆରମ୍ଭ କରାଯାଇଥିବାର ସୂଚନା ଦେଇଥିଲେ । ଏଠାରେ ଭାରତୀୟ ଭାଷା ସହ ସ୍ପାନିଶ, ଜାପାନିଓ, ଜର୍ମାନ, ଫ୍ରେଂଚ ଏବଂ ମାଣ୍ଡାରିନ୍ ଭାଷାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଥିଲେ ।

ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସୋଆର ବିଭିନ୍ନ ଅନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ ଓ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ ।

ସୋଆ ପ୍ରତିଷ୍ଠାତା ସଭାପତି ଓ ସ୍ପେନ୍ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ସାକ୍ଷାତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ସ୍ପେନ୍‌ର ରାଷ୍ଟ୍ରଦୂତ ହିଜ ଏକ୍ସିଲେନ୍ସି ଜୁଆନ୍ ଆନ୍‌ଟୋନିଓ ମାର୍ଚ ପୁଜୋଲଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଛି ।

ସ୍ପେନର ରାଷ୍ଟ୍ରଦୂତ ଭାବେ ସେ ଏକାସଂଗେ ଭାରତ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପକୁ ପ୍ରତିନିଧିତ୍ୱ କରୁଛନ୍ତି । ଶୁକ୍ରବାର ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଦୁଇ ଦେଶ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ ସହ ଆଲୋଚନା କରିବା ସହ ସୋଆରେ ସ୍ପାନିଶ ଭାଷାର ଶିକ୍ଷାକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ଥିଲେ ।

ସଭାପତି ପାଇଁ ନାମାଙ୍କନ ଦାଖଲ କଲେ ନବୀନ ପଟନାୟକ.

()ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଆଜି ପୂର୍ବାହ୍ନ ରେ ଶଙ୍ଖ ଭବନ କୁ ଯାଇ ଦଳ ର ବରିଷ୍ଠ ନେତା ମାନଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି..ସୂଚନା ଯୋଗ୍ୟ ଯେ ବିଜୁ ଜନତା ଦଳ ର ସାଂଗଠନିକ ନିର୍ବାଚନ ଏଵେ ଚୂଡାନ୍ତ ପର୍ଯ୍ୟାୟ ରେ ପହଂଚିଛି.

ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନେଇ ଘରୋଇ ଡାକ୍ତରଖାନା ଫୋରମର ଘୋର ଅସନ୍ତୋଷ  …

() ମେଡିକାଲ ଆସୋସିଏସନ, ଭୁବନେଶ୍ବର ସଭାଗୃହରେ ସାରା ଓଡ଼ିଶାର ଘରୋଇ ଡାକ୍ତରଖାନା ଓ କର୍ପୋରେଟ ଡାକ୍ତରଖାନାର ଉଦ୍ୟୋକ୍ତା ଓ ସିଇଓମାନଙ୍କ ଏକ ଜରୁରୀ ବୈଠକ ବସିଥିଲା । ସଦ୍ୟ କରାଯାଇଥିବା ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତର କାର୍ଯ୍ୟକାରିତା ନେଇ ଘୋର ଉଦ୍‌ବେଗ ପ୍ରକାଶ କରାଯାଇଛି ।  ପ୍ରତି ଘରୋଇ ଚିକିତ୍ସାଳୟ ରୋଗୀ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସପ୍ଟୱେରରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ୧୦ଟି ଓଟିପି, କ୍ଷୁଦ୍ରଡାଟା ସାଇଜ, ରୋଗୀର ଅର୍ଥ ପରିମାଣ ଜଣା ପଡୁନଥିବା ଓ ପ୍ରିଣ୍ଟ ହୋଇ ନ ପାରିବା ଭଳି ଅନ୍ଧା ପ୍ୟାକେଜ ଜଣେ ମେଡିକାଲ ସୁପରିଡେଣ୍ଟଙ୍କର ୨୪ ଘଣ୍ଟା ଓଟିପି ଉପରେ ଓଟିପି ବଖାଣିବା ଅସମ୍ଭବ କାର୍ଯ୍ୟ । ଖୁବ ମନ୍ଥର କାର୍ଯ୍ୟ ଏହି ପ୍ୟାକେଜ । ପୁଣି ପ୍ୟାକେଜ୍‌ଗୁଡ଼ିକ ରୋଗୀ ବିଷୟରେ ସ୍ୱୀକୃତି ନେବାରେ ବିଳମ୍ବ ହେଉଥିବାରୁ ଜରୁରୀ ରୋଗୀ ସମୟରେ ସ୍ୱୀକୃତି ନ ପାଇ ହଟହଟା ହେଉଛି । ଅନେକ ଅନାବଶ୍ୟକ ଫଟୋ, ରିପୋର୍ଟ, ବାଧ୍ୟତାମୂଳକ ହେବାରୁ ଏବଂ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ନେଇ ମଧ୍ୟ ବିଲ୍ ମାଗିବାର ଯଥାର୍ଥ ନୁହେଁ । ଜଣେ ରୋଗୀ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ପୁଣି ଦିନେ ଦୁଇ ଦିନରେ ଗୁରୁତର ହୋଇ ବି ଏହି ସ୍କମିରେ ଭର୍ତ୍ତିହେବା ଅସମ୍ଭବ ମନେହୁଏ । ସବୁଠାରୁ ଦୁଃଖର ବିଷୟ ପ୍ରତ୍ୟେକ ରୋଗୀ ପାଇଁ ଯେଉଁ ପ୍ୟାକେଜ୍ ଦେୟ ରହିଛି, ତାହା ନିକଟ ଅତୀତରେ ପରିମାଣ ଠାରୁ ବହୁତ କମ୍ । ପୁଣି ଜୀବନରକ୍ଷାକାରୀ ଅସ୍ଥିଶଲ୍ୟ, ସ୍ନାୟୁଶଲ୍ୟ, ସ୍ତ୍ରୀ ବିଭାଗର ଇମ୍ଲାଣ୍ଟ ପରିମାଣ ନଗଣ୍ୟ ରହିଛି । ହୃଦ୍‌ପିଣ୍ଡର ପେସ୍‌ମେକର ନିମ୍ନତମ ମୂଲ୍ୟ ଦେଢ଼ଲକ୍ଷ ହେଲେ ହେଁ ଆୟୁଷ୍ମାନ ଭାରତର ୭୫ ହଜାର, ଏହା ଅସମ୍ଭବ । ଉପସ୍ଥିତ ଥିବା ଘରୋଇ ଡାକ୍ତରଖାନାରେ ପ୍ରତିନିଧିମାନେ ଏହି ସଫ୍ଟୱେୟାର ରୋଗୀ ଆଡ୍‌ମିସନ ପଦ୍ଧତି ଓ ପ୍ୟାକେଜ୍ ରେଟ୍ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିନିଧିମାନଙ୍କ ପୂର୍ବରୁ ଉନ୍ନତମାନର ପ୍ୟାକେଜ୍ ଓ ପରିବର୍ଦ୍ଧିତ ମୂଲ୍ୟ ଦେବା ଆଶା ଦେଇ ଅସମ୍ଭବ ପରିମାଣ ନିର୍ଦ୍ଧାରଣ କରାଯାଇଛି । ସମସ୍ତେ ମତପ୍ରକାଶ କରିଛନ୍ତି ଯେ ଆସନ୍ତା ୧୫ ଦିନରେ ଏଗୁଡ଼ିକରେ ସଂଶୋଧନ କରାନଗଲେ ଏହି ସ୍ୱାସ୍ଥ୍ୟ ଯୋଜନାରୁ ଓହରିଯିବେ ବୋଲି   ରାଜ୍ୟ ଘରୋଇ ଚିକିତ୍ସାଳୟ ଫୋରମ୍‌ ର ସମ୍ପାଦକ ଡାଃ ଇନ୍ଦ୍ରମଣି ଜେନା କହିଛନ୍ତି

ନବୀନଙ୍କ ନବମ ଇଂନିସ : ବିଜେଡିର ହେବ ନବକଳେବର …

() ନବମ ଥର ବିଜୁ ଜନତା ଦଳର ସଭାପତି ହେବେ ନବୀନ ପଟ୍ଟନାୟକ । ଆସନ୍ତ କାଲି ନାମାଙ୍କନ ଦାଖଲ କରିବେ ନବୀନ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁଣିଥରେ ଓଡିଶାର ବିକାଶ ଓ ସ୍ବାଭିମାନ ପାଇଁ ଲଢେଇ ଜାରି ରଖିବାକୁ ବିଜେଡି ଆରମ୍ଭ କରିଛି ପ୍ରୟାସ । ୧୯୯୭ ମସିହାରୁ ଓଡିଶା ରାଜନୀତିରେ ପାଦ ଥାପିଥିବା ନବୀନ ପ୍ରଥମେ ଅଢେଇରୁ ୩ ବର୍ଷ ଯାଏ ବିରୋଧୀ ଦଳରେ ରହି ୨୦୦୦ ମସିହାରୁ ଓଡିଶା ଶାସନର ମଙ୍ଗ ଧରିଥିଲେ । ଏହାପରେ ନିରନ୍ତର ଭାବେ ୨୪ ବର୍ଷ ଶାସନ କରି ଓଡିଶାବାସୀଙ୍କ ସେବା କରିଛନ୍ତି । ତାଙ୍କ ନେତୃତ୍ବରେ ଓଡିଶା ବିଭିନ୍ନ କ୍ଷେତ୍ରରେ ବିକାଶ ହେବା ସହ ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃ୍‌ଷ୍ଟି କରିଥିଲା । ଶାସନ କଳରେ ଶୂନ୍ୟସହନଶୀଳତା ନୀତିକୁ ଆପଣାଇ ସେ ସାଜିଥିଲେ ଉଦାହହଣ। କଥା କମ କାମ ଅଧିକରେ ନବୀନଙ୍କ ଶାସନର ପରିଚୟ ଥିଲା । ଦଳ ଓ ସରକାର ସହ ସମନ୍ବୟ ରଖି ସେ କାମ କରୁଥିଲେ। ନବୀନ ବିଜେଡିକୁ ଦେଶର ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଉଭା କରି ଜାତୀୟ ରାଜନୀତିରେ ସ୍ବତନ୍ତ୍ର ପରିଚୟ ଦେଇଥିଲେ । ରାଜନୀତିକୁ ନୂଆ ଦିଶାରେ ନେଇ ନବୀନ ସାଜିଥିଲେ ଦେଶର ଅନନ୍ୟ । ଜନସେବା ଥିଲା ତାଙ୍କ ରାଜନୀତିର ମୂଳ ଆଧାର । ଶୃଙ୍ଖଳାକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ ଦଳରେ । ରାଜନୀତି ଯେତେ ହଲଚଲ ହେଲେ ମଧ୍ୟ ନବୀନ ସବୁବେଳେ ସ୍ଥିର ରହି ଚତୁର ଗୋଟି ଚାଳନ କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ସେ । ନବୀନଙ୍କ ରାଜନୀତିର ଗୋଟିଏ ଧାରା ଜନସେବା । ଯେଉଁଥି ପାଇଁ ସେ ଓଡିଶାବାସୀଙ୍କ ହୃଦୟ ଜିତିଛନ୍ତି । ୨୪ ବର୍ଷ ପରେ ନବୀନ ପୁଣିଥରେ ବିରୋଧୀ ଭୁମିକାରେ ଉଭା ହୋଇଛନ୍ତି । ଦଳ କ୍ଷମତା ଯିବା ୧୦ ମାସ ଭିତରେ ନେତାଏ ନବୀନ ଶୃଙ୍ଖଳା ନୀତିରୁ ବାହାରି ପଡିଛନ୍ତି । ଯାହାକୁ ନେଇ ପ୍ରତ୍ୟେକ ଦିନ ବିଜେଡିରେ ହଲଚଲ ଲାଗି ରହିଛି । କେହି କାହାକୁ ମାନିବାକୁ ନାରାଜ । ଏପରିକି ପ୍ରଥମ ଥର ଲାଗି ନବୀନଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରିବାକୁ କିଛି ନେତା ପଛଘୁଞ୍ଚା ଦେଉନାହାନ୍ତି । ଆଉ ଏ ସ ବୁ ଭିତରେ ନବୀନ ବିଜେଡି ସଭାପତି ନବମ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି ।

ନବୀନଙ୍କ ନବୀନ ଇଂନିସ ନବୀନ ପୁଣି ପୂର୍ବ ଷ୍ଟାଇଲକୁ ଫେରିବେ । ଦଳରେ ବିଶୃଙ୍ଖଳାକୁ ସେ ବରଦାସ୍ତ କରିବା ମୁଡରେ ନାହାନ୍ତି । ନେତାଙ୍କ ବୟାନବାଜି , ବିଜେଡିରେ ହଲଚଲ ଓ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ବିଜେଡିରେ ଗୋଷ୍ଠୀ ବିବାଦ ମୁଖ୍ୟ ପ୍ରସଙ୍ଗ ହେବା ନବୀନଙ୍କ ନେତୃତ୍ବ ପ୍ରତି ଅଙ୍ଗୁଳି ଉଠିଛି । ଓ୍ବାକଫ ବିଲ କୁ ନେଇ ମଧ୍ୟ ନବୀନ ସ୍ଫଷ୍ଟତା ଦେବା ପରେ ବି ନେତାମାନେ ବୟାନବାଜି କରି ଦଳକୁ କ୍ଷତିରେ ପହଞ୍ଚାଇଛନ୍ତି । ସବୁବେଳେ ସ୍ଥିର ଓ ନିରବ ରହୁଥିବା ବିଜେଡିର ଏପରି କମ୍ପନ ସମୟରେ ନୂଆ ଅବତାରେ ଆସିବେ । ଦଳ ପୁଣି କେମିତି କ୍ଷମତାକୁ ଆସିବ ତାହାକୁ ନେଇ ସେ ନିରବ ଗୋଟି ଚାଳନା କରୁଛନ୍ତି । ନବମ ଥର ସଭାପତି ହେବା ପରେ ବିଜେଡିର ନବକଳେବର କରିବେ ନବୀନ । ପୁଣିଥରେ ନବୀନ ରାଜନୈତିକ ବ୍ୟାପାର କମିଟି ଗଠନ କରିବା ସହ ମହାସଚିବ ପଦ ସୃଷ୍ଟି କରିବେ । ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ଏଥିଲାଗି ଗୁରୁଦାୟିତ୍ବ ଦିଆଯିବ । ପରେ ଛାମୁଆ ସଂଗଠନକୁ ମଧ୍ୟ ନୂଆରୂପ ଭାବେ ଗଢିତୋଳିବେ ।

ବିଜେଡିକୁ ନବକଳେବର କରିବା ପରେ ସଶକ୍ତ ବିରୋଧୀ ଦଳ ଭାବେ ନବୀନ ଓଡିଶା ହକ ପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ଯାଏ ଲଢେଇ ଜୋରଦାର କରିବା ସହ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଲମ୍ବା ଖସଡ଼ା ପ୍ରସ୍ତୁତ କରିବେ । ଯାହାକୁ ନେଇ ବିଜେଡି ଶିବିର ଉତ୍ସାହିତ ।

ହଲଚଲ ଭିତରେ ନୂଆସମୀକରଣ……

() କାଳବୈଶାଖୀ ପ୍ରଭାବରେ ଗ୍ରୀଷ୍ମ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି l ହେଲେ ରାଜ୍ୟ ରାଜନୀତିରେ କିନ୍ତୁ ପ୍ରତ୍ୟେକ ଦିନ ତାତି ବଢ଼ିବାରେ ଲାଗିଛି l ହଲଚଲ ହେଉଛି ବିଜେଡି ରାଜନୀତି l ନେତାଙ୍କ ବୟାନବାଜି ବିଜେଡି ରାଜନୀତିକୁ ଗୋଳମାଳିଆ କରିଥିବା ବେଳେ କଂଗ୍ରେସ ଓ ବିଜେପିର ଅସନ୍ତୋଷ ନେତାଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି ରାଜ୍ୟ ରାଜନୀତିରେ ନିଜର ଦବଦବା ଜାହିର କରିବା ପାଇଁ l ୨୦୨୪ ନିର୍ବାଚନର ୧୦ ମାସ ପରେ ହଠାତ୍ ସାମାଜିକ ନ୍ୟାୟ ଆନ୍ଦୋଳନ ମୁଣ୍ଡ ଟେକୁଛି l ଗୋଟେ ପଟେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୱାକଫ ବିଲ ନିଷ୍ପତ୍ତି ନେଇ ବିଜେଡିରେ ଅସନ୍ତୋଷ ନିଆଁ ହୁ ହୁ ହୋଇ ବଢ଼ିବାରେ ଲାଗିଛି l ବିଜେଡି ନେତାମାନେ ନବୀନଙ୍କୁ ସର୍ବମାନ୍ୟ ନେତା କହି ଗଣମାଧ୍ୟମ ଆଗରେ ୧୫ ଦିନ ହେବ ଯେପରି ବୟାନବାଜି କରୁଛନ୍ତି ତାହା ଅନ୍ୟ କିଛି ଦିଗକୁ ସୂଚାଉଛି l ରାଜନୀତିରୁ ସନ୍ନ୍ୟାସ ନେଇଥିବା କାର୍ତ୍ତିକ ପାଣ୍ଡିଆନ୍ ଦଳ ପାଇଁ କାମ କରୁନାହାନ୍ତି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି l ସେ ଦଳ ପାଇଁ କାମ କରୁନାହାନ୍ତି ବୋଲି ନବୀନ ପଟ୍ଟନାୟକ କହୁଥିବା ବେଳେ ନେତା କିନ୍ତୁ ବୁଝିବାକୁ ନାରାଜ l ନବୀନ ପଟ୍ଟନାୟକ ଙ୍କ ମନ୍ତବ୍ୟକୁ ମଧ୍ୟ ପ୍ରଥମ ଥର ଲାଗି ବିଜେଡି ନେତାମାନେ ଗ୍ରହଣ କରୁନାହାଁନ୍ତି l ଆଉ ଏସବୁ ପଛରେ ଲୁଚିରହିଛି ନୂଆ ରାଜନୈତିକ ସମୀକରଣ l ସାମାଜିକ ନ୍ୟାୟକୁ ଓଡ଼ିଶାରେ ଆନ୍ଦୋଳନ ରେ ପରିଣତ କରିବାକୁ ନେତାଏ ଅଣ୍ଟା ଭିଡିଛନ୍ତି l ସେପଟେ ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସ ଯେମିତି ସାଥ ଦେବା କଥା ଦେଉନାହିଁ l ଖାସ ସେଥିପାଇଁ ଶ୍ରୀକାନ୍ତ ଏହି ଆନ୍ଦୋଳନକୁ ଘରେ ଘରେ ପହଞ୍ଚିବା ପାଇଁ ଅସନ୍ତୋଷ ବିଜେଡି ନେତା ଏବେ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ବାରମ୍ୱାର ଉଠାଉଛନ୍ତି l ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି ୱାକଫ ଆଳରେ ଓଡିଶାର ୮୦ ଦଶକର କିଛି ହେବିୱେଟ୍ ନେତା ଏବେ ବିଜେଡି ଅସନ୍ତୋଷର ନିଆଁରେ ଘିଅ ଢାଳି ଫାଇଦା ନେବାକୁ ଯାଉଛନ୍ତି l ଯାହା ବିଜେଡି ବିଭାଜନ ହେବାର ଗୋଟେ ବଡ ଦିଗ ହୋଇପାରେ ବୋଲି ସମୀକ୍ଷକ କହିଛନ୍ତି l ଯେଉଁଥି ପାଇଁ ରାଜ୍ୟ ରାଜନୀତିରେ ଏପରି ହଇଚଇ ସୃଷ୍ଟି ହୋଇଛି l ୨୪ ବର୍ଷ ପରେ ଓଡ଼ିଶାରେ ଏପରି ଏକ ବଡ ରାଜନୈତିକ ସମୀକରଣ ନେଇ ଚର୍ଚ୍ଚା ଜୋର l ଯାହା ଉପରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନଜର ରହିଛି l

ସାମ୍ବାଦିକଙ୍କ ସ୍ବାର୍ଥ ପାଇଁ ଓଡ଼ିଶା ସାମ୍ୱାଦିକ ୟୁନିଅନ ସଂଗ୍ରାମ ଜାରି ରଖିବ -ପ୍ରସନ୍ନ ମହାନ୍ତି ସଭାପତି

( )ରାଜ୍ୟରେ ଯୋଉ ସରକାର ରୁହନ୍ତୁ ନାଁ କାହିକିଁ ସାମ୍ୱାଦିକ ମାନଙ୍କ ସ୍ବାର୍ଥ ପାଇଁ, ହକ୍ ପାଇଁ ସାମ୍ୱାଦିକ ୟୁନିଅନ ତା’ର ସଂଗ୍ରାମ ଜାରି ରଖିବ ବୋଲି ଭବାନୀପାଟଣା ଟାଉନ ହଲ୍ ଠାରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ଯ କାର୍ଯ୍ୟକାରିଣୀ ବୈଠକ ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି।ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ସାମ୍ୱାଦିକ ମାନଙ୍କ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ପେନସନ ଲାଗୁ, ଏକ୍ରିଡିଏସନ୍ କମିଟି ତିଆରି ପାଇଁ ସରକାରଙ୍କ ନିକଟରେ ଦାବୀ, ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ଦାବୀ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ରାଜ୍ୟ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ସ୍ଵତନ୍ତ୍ର ଅତିଥି ଭାବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଷୀ, ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ସମାଜ ପ୍ରତିନିଧି ବିନ୍ଦୁ ମହାନନ୍ଦ, ରାଜ୍ଯ ଉପସଭାପତି ରାଜେଶ ପଟ୍ଟନାୟକ, ଉପସଭାପତି ରାଜୀବ ମହାନ୍ତି, କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ୟୁନିଅନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ।ଅତିଥି ମାନଙ୍କୁ ସଂଘ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ଯ ସମ୍ପାଦକ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସିଂଦେଓ ବିବରଣୀ ପଠନ କରିଥିଲେ। ଇତ୍ୟବସରରେ କଳାହାଣ୍ଡି ଜିଲ୍ଲାର ସଂସ୍କୃତିକୁ ଓ ସାମ୍ବାଦିକଙ୍କ ସ୍ୱାଭିମାନ ବହନ କରୁଥିବା ବାର୍ଷିକ ପତ୍ରିକା ‘କାରୁଣ୍ଡ’କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସାମ୍ବାଦିକ ହେମନ୍ତ ସାହୁ।

୫୩ ବର୍ଷର ସାମ୍ୱାଦିକ ୟୁନିଅନ୍ ପ୍ରତି ସବୁବେଳେ ରାଜ୍ଯ ସରକାର ଅବହେଳା କରି ଆସିଛନ୍ତି। ବିହାର ଭଳି ରାଜ୍ୟରେ ସାମ୍ୱାଦିକ ମାନଙ୍କ ସମସ୍ତ ଅଧିକାର ପୂରଣ କରାଯାଇଛି। ପେନସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡିଏସନ୍ ପାଇଁ ଆମେ ଦୀର୍ଘ ଦିନ ଧରି ସ୍ୱର ଉତ୍ତୋଳନ କରି ଆସୁଛୁ। ଆମର ସହିବାର ସୀମା ଟପି ଗଲାଣି। ଏଣୁ ଆଗକୁ ଆମର ହକ ପାଇଁ ଆନ୍ଦୋଳନ କରିବୁ। ପ୍ରତି ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ତାଙ୍କ ଅଗ୍ନିବର୍ଷି ଭାଷଣରେ କହିଥିଲେ।ମୁଖ୍ୟ ବକ୍ତା ଶ୍ରୀ ଯୋଶୀ ପ୍ରକୃତ ସାମ୍ବାଦିକତା ବିଷୟରେ କହିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ଦାସ ସାମ୍ବାଦିକ ସମାଜକୁ ବଞ୍ଚାଇ ରଖିଛି ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ନାରୀ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଇତ୍ୟବସରରେ ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ସକାଳର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସ୍ଵାଧୀନ ପାତ୍ର, ଓଟିଭି ପ୍ରତିନିଧି ଇଙ୍ଗିତ ପଣ୍ଡା, ବିକାଶ ଷଢ଼ଙ୍ଗୀ, କନକ ଟିଭି ଜୟପାଟଣା ପ୍ରତିନିଧି ସମୀକ୍ଷା ପ୍ରହରାଜ, ରୁପ୍ରାରୋଡ ପ୍ରମେୟ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପରେଶ ନାଏକ, ମନମୋହନ ପଧାନ, କିଶୋର ନାଏକ, ଆଶୁତୋଷ ରାଉତ, ସନତ କୁମାର ପ୍ରଧାନୀ, ଖଗେଶ୍ବର ଧଙ୍ଗଡାମାଝୀ, ଶୁଭମ ରୋହିଲା, ଭଦ୍ରାଞ୍ଚଳ ନାଏକ ପ୍ରମୁଖ‌ସାମ୍ବାଦିକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଯାଜପୁର ଜିଲ୍ଲା ସାମ୍ୱାଦିକ ଅଭୟ ପତି, ରାଜ୍ୟ ବାର୍ କାଉନସିଲର ସଦସ୍ୟ ଭାବରେ ମନୋନୀତ ହୋଇଥିବାରୁ ରାଜୀବ ମହାନ୍ତି, ବିକ୍ରମାଦିତ୍ୟ ସିଂ ଦେଓଙ୍କୁ ସ୍ଵତନ୍ତ୍ର ଭାବରେ ସମ୍ମାନୀତ କରାଯାଇଥିଲା। ସଂଘରେ ନୂତନ ଭାବରେ ଯୋଗଦାନ କରିଥିବା ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।ଭୋଜନ ବିରତି ପରେ ପୁଣି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।

ଅସ୍ଥିର ଓଡିଶା ରାଜନୀତି : ନୂଆ ଦିଶାରେ ଶାସକ ଓ ବିରୋଧୀ …

() ୨୦୨୪ ସାଧାରଣ ନିର୍ବାଚନର ୧୦ ମାସ ପରେ ଓଡିଶା ରାଜନୀତି ଅସ୍ଥିର ଆଡକୁ ଗତି କରିବାରେ ଲାଗିଛି । ଶାସକ ଓ ବିରୋଧୀ କ୍ୟାମ୍ପରେ ଯାହା ଘଟୁଛି ତାହା ଏବେ ଚର୍ଚ୍ଚାର ବିଷୟ । ବିଶେଷ କରି ମୁଖ୍ୟ ବିରୋଧୀ ବିଜେଡିରେ ପ୍ରତ୍ୟେକ ଦିନ ନେତାଙ୍କ ବିଶୃଙ୍ଖଳା ଦଳର ସଂଗଠନକୁ ହଲଚଲ କରିଥିବା ବେଳେ ନେତୃତ୍ବକୁ ନେଇ ଶାସକ ଦଳରେ ବିବାଦ ବି କିଛି କମ ନୁହେଁ । ଅନ୍ୟପଟେ ଦ୍ବିତୀୟ ବିରୋଧୀ କଂଗ୍ରେସ ଶିବିର ଯେତିକି ଉତ୍ସାହ ସେତିକି ଧୀମା ମଧ୍ୟ। ଏପରି ସ୍ଥିତିରେ ଚାଲିଛି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ସଂଗଠନ ।

ବିଜେଡି-

ବିଜେଡି କ୍ଷମତାରୁ ଯିବାର ୧୦ ମାସ ମଧ୍ୟରେ ବିଜେଡିରେ ବିଶୃଙ୍ଖଳା ଏବେ ଉଗ୍ରରୂପ ନେଇଛି। ମନ୍ତ୍ରୀ ଓ ବିଭିନ୍ନ ପଦ ପଦବୀରେ ଥିବା ବେଳେ ଯେଉଁନେତାମାନେ ନିଜ ବିଭାଗର କଥାରେ ଟିକେ ମୁହଁ ଖୋଲୁନଥିଲେ , ଏବେ ଦଳ ବିରୋଧରେ କେମିତି ଗଣମାଧ୍ୟମରେ କିଛି କହିବେ ସେହି ନେତାମାନଙ୍କୁ ନିଦ ନାହିଁ । ଯେମିତି ନାଲିରଙ୍ଗ ଦେଖିଲେ ଷଣ୍ଢ ଉତପାତ ଆରମ୍ଭ କରେ ଠିକ ସେହିଭଳି ଗଣମାଧ୍ୟମ ବୁମ ଦେଖିଲେ ବିଜେଡି ନେତାମାନେ ବିଜେଡି ବିରୋଧରେ କହିବାକୁ ଆଗଭର ହେଉଛନ୍ତି । ନିର୍ବାଚନ ହାରିବା ପରେ ବି ନେତାଏ ୨୦୨୯ରେ କିପରି ପୂର୍ଣ୍ଣବାର ଜିତିକି ଆସିବେ ସେ ଚିନ୍ତା ନକରି , ଦଳର ନେତୃତ୍ବ ଓ ନେତାଙ୍କ ସମାଲୋଚନା କରିବାରେ ଲାଗିଛନ୍ତି । କାରଣ ୨୪ ବର୍ଷ ଧରି ଯେଉଁ ଦିନ ନିର୍ବାଚନ ସରେ ସେହିଦିନ ଠାରୁ ପରବର୍ତ୍ତୀ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରେ l ହେଲେ ଏଥର ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ସବୁଠାରୁ ବଡ଼ କଥା ହେଉଛି ବିଜେଡି ରାଜନୀତିରେ ଏପରି ହଲଚଲ ସମୟରେ ଦଳର ନେତା ଓ ମଙ୍ଗୁଆଳ ପରସ୍ପର ବିରୋଧରେ କଥା କଟାକଟି ବାକଯୁଦ୍ଧରେ ଲାଗିପଡିଛନ୍ତି l ଯାହା ବିଭିନ୍ନ ଗଣମାଧ୍ୟମରେ ରାଜନୀତିର ବାଦିପାଲା ପରି ଓଡିଶାବାସୀ ଦେଖୁଛନ୍ତି । ୨୦୨୪ ସର୍ବାଧିକ ଭୋଟ ପାଇଁ ମୁଖ୍ୟ ବିରୋଧୀ ଦଳ ଭୂମିକା ଲିଭାଉଥିବା ବିଜେଡି ନେତାମାନେ ସରକାରଙ୍କ ବିରୋଧରେ ଲଢିବେ କଣ ନିଜ ବିରୋଧରେ ଲଢିବାକୁ ପସନ୍ଦ କରୁଛନ୍ତି ନେତାଏ। ପ୍ରଥମଥର ଲାଗି ଦେଖାଦେଉଛି ନବୀନଙ୍କ ନିଷ୍ପତି ଉପରେ ମଧ୍ୟ ନେତାଏ ପ୍ରଶ୍ନ ଉଠାଉଛନ୍ତି । ଏପରି ସ୍ଥିତିରେ ବିଜେଡିର ଭବିଷ୍ୟତ କଣ ହେବ ତାହାକୁ ନେଇ ଚା ଖଟିରୁ ପାନ ଦୋକାନୀ ଓ ଗାଁ ଗାଁରେ ଆଲୋଚନା ବିଷୟ ହୋଇଛି । ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରୁ ଯେପରି ବିଜେଡି ନେତାମାନେ ଧୀରେଧୀରେ ବାହାରି ଯାଉଛନ୍ତି ତାହା ଏବେ ଜଳଜଳ କରି ଦିଶୁଛି । ବିଜେଡିର ଏପରି ସମୟରେ ଦଳ କିପରି ସଂଗଠିତ ହୋଇ ୨୦୨୭ ପଂଚାୟତ ଓ ପୌର ନିର୍ବାଚନକୁ ସାମ୍ନା କରିବ ତାହା ଦଳ ପାଇଁ ବଡ଼ ଚ୍ୟାଲେଜ ।

ବିଜେପି-

ପ୍ରଥମ ଥର ଲାଗି ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି । ୧୦ ମାସ ଭିତରେ ଦଳ ଓଡିଶାବାସୀଙ୍କ ଯେମିତି ବିଶ୍ବାସ ଭାଜନ ହେବା କଥା ତାହା ହୋଇପାରିନାହିଁ । ବିରୋଧୀ ଅଭିଯୋଗ କରୁଛନ୍ତି ଯେ ବିଜେପିକୁ ସରକାର ଚଳାଇବା ଜଣାନାହିଁ । ୧୦ ମାସ ଭିତରେ ଯାହା ସବୁ ଘଟୁଛି ତାହାକୁ ଦେଖି ଲୋକଙ୍କ ମଧ୍ୟରେ ବିରୋଧୀଙ୍କ ଏପରି ଅଭିଯୋଗ ଧୀରେ ଧୀରେ ବିଶ୍ବାସ ଆଡକୁ ଗତି କରୁଛି । ସରକାର ନିଜର ଭାବମୃର୍ତ୍ତି ତିଆରି କରିବା ପରିବର୍ତ୍ତେ ରଙ୍ଗ , ନାଁ ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ସରକାର ଗଠନର ୧୦ ମାସ ପରେ ଅଧାଗଢା ମନ୍ତ୍ରୀମଣ୍ଡଳ ହୋଇରହିଛି । ଏବେ ବି ୬ଟି ମନ୍ତ୍ରୀ ପଦ ଖାଲି ପଡିଛି । ସେହିପରି ବିଜେପି ସରକାର ଗଠନ ହେବାର ୧୦ ମାସ ପରେ ବି ନିଗମ ବଣ୍ଟନ କରିପାରୁନାହିଁ । ମନ୍ତ୍ରୀମାନେ ମଧ୍ୟ ନିଗ ବିଭାଗ କଥା ଛାଡ଼ି ଅନ୍ୟ ବିଭାଗ ବିଷୟରେ କହି ଗଣମାଧ୍ୟମର ଚର୍ଚ୍ଚାରେ ରହିଛନ୍ତି । ସୁଭଦ୍ରା, ଆୟୁଷ୍ମାନ ଯୋଜନା ଲାଗୁ କରି ବିଜେପି ନିଜର କଥା ରଖିଥିବା ବେଳେ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି ଆଦି ପରି ଅନେକ ପ୍ରତିଶୃତି ଏବେ ବି ପୂରଣ କରିନାହିଁ । ଏତ ଥିଲା ସରକାର କଥା । ଏବେ ବିଜେପି ଦଳ କଥା । ଡେଡଲାଉନ ପୁରିବା ପରେ ମଧ୍ୟ ରାଜ୍ୟ ବିଜେପି ସଭାପତି ଚୟନ କରିପାରୁନାହିଁ। ଯାହାକୁ ନେଇ ଦଳ ଭିତରେ ବିଭିନ୍ନ ଗୋଷ୍ଠୀ ମୁହାମୁହିଁ ହେଉଛନ୍ତି । କିଏ ପରବର୍ତ୍ତୀ ସଭାପତି ହେବ ତାହା ବି ଦଳ ସ୍ଥିର କରିପାରୁନାହିଁ । ସେହିପରି ଚର୍ଚ୍ଚା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଓଡିଶା ଶାସନ ବ୍ୟବସ୍ଥାରୁ ଦୂରେଇ ରଖିବାକୁ ବିଜେପିର ଗୋଟେ ଗୋଷ୍ଠି ସକ୍ରୀୟ ଭାବେ କେନ୍ଦ୍ର ନେତୃତ୍ବ ପାଖରେ ଜିଦ ଧରି ସଫଳ ହୋଇଛନ୍ତି । ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରିବାରେ ମୁଖ୍ୟ ବିନ୍ଧାଣୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ତାଙ୍କୁ ଏକ ଘରିଆ କରାଯାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଧୂଆଁ ନଥିଲେ ନିଆଁ ଆସେ ନାହିଁ ପରି ଏ ଚର୍ଚ୍ଚା । ଏସବୁ ଛାଡ଼ି ବିଜେପି ୨୦୨୭ ପଂଚାୟତ ଓ ପେୌର ନିର୍ବାଚନରେ କିପରି ଭଲ ପ୍ରଦର୍ଶନ କରିବ ତାହା ଦଳ ପାଇଁ ବଡ଼ ଚ୍ୟାଲେଜ ।

କଂଗ୍ରେସ-

ନିର୍ବାଚନର ୧୦ ମାସ ପରେ କଂଗ୍ରେସ ସ୍ଥିତି ଟିକେ ଭିନ୍ନ । ୮ ମାସ ମୁଖିଆ ବିନା ଦଳର ସଂଗଠନ ରସାତଳକୁ ଯିବା ପରେ ଫେବୃଆରୀ ୧୧ ତାରିଖରେ ଭକ୍ତ ଚରଣ ଦାସ ଓଡିଶା ପିସିସିର ସଭାପତି ଭାବେ ନିଯୁକ୍ତ ହେଲେ । ଏହାପରେ କଂଗ୍ରେସ ଶିବିର ବେଶ ଚଳଚଞ୍ଚଳ ହୋଇଛି। ଭକ୍ତଙ୍କ ନେତୃତ୍ବରେ ଦଳ ଆଗକୁ ବଢୁଥିବା ବେଳେ ଦଳର ଦିଗ ଓ ଦିଶା କଣ ହେବ ତାହା ବି ସନ୍ଦେହରେ । କାରଣ ପ୍ରଥମ ଥର ଲାଗି କଂଗ୍ରେସ ବିଧାନସଭାରେ କୌଣସି ରେକର୍ଡ଼ ଠିକ ସେ କରି ପାରିଲା ନାହିଁ କି ବିଜେପି ଓ ବିଜେଡିକୁ ଶାଣିତ ଆକ୍ରମଣ କରିପାରିନାହିଁ । ବଂର ଦଳର ୧୪ ଜଣ ବିଧାୟକ ବିଧାନସଭାରୁ ନିଲମ୍ବନ ହେଲେ । ଗୃହ ବାହାରେ ମାର୍ଚ୍ଚ ୨୭ ତାରିଖରେ ଦଳ ବିକ୍ଷୋଭ ପ୍ରଦର୍ଶନ କରି ଯେଉଁ ଗଣ୍ଡଗୋଳ କଲା ତାହା ବିରୋଧରେ ଶାସକ ଦଳ ବଡ଼ ଆକ୍ସନ ନେଇଛି । ସମସ୍ତ ବିଧାୟକ , ଜଣେ ସାଂସଦ ଓ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ପିସିସି ସଭାପତି ହେବାର ୨ ମାସ ପରେ ବି ପିସିସି ସଭାପତି ନିଜର ଟିମ ଗଠନ କରିପାରିନାହାନ୍ତି । କାହିକିଁ ଟିମ ଗଠନ କରିପାରୁନାହାନ୍ତି ତାହାକୁ ନେଇ କଂଗ୍ରେସରେ ସବୁ କିଛି ଠିକ ଠାକ ଚାଲିନାହିଁ । ବ୍କକ, ଜିଲ୍ଲା ସଭାପତି ଘୋଷଣା ହୋଇନଥିଲେ ମଧ୍ୟ ପିସିସି ସଭାପତି ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଘୋଷଣା କରିଚାଲିଛନ୍ତି । ଯାହାକୁ କଂଗ୍ରେସ କର୍ମୀ ଓ ନେତାମାନେ ନାପସନ୍ଦ କରୁଛନ୍ତି । ଏହସହ ଭକ୍ତଙ୍କ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସର ଗୋଟିଏ ଗୋଷ୍ଠୀ ଅସନ୍ତୋଷ ହୋଇଛନ୍ତି। ଯାହା ଆଗକୁ ଉଗ୍ରରୂପ ନେବାର ସମ୍ଭାବନା ରହିଛି।ବିଶେଷ କରି କଂଗ୍ରେସ ନେତା ମହମ୍ମଦ ମୋକିମ ଭକ୍ତଙ୍କୁ ପିସିସି ସଭାପତି ଭାବେ କେତେ ସହଯୋଗ କରିବେ ଓ ତାଙ୍କ ସହ ଅନ୍ୟ କିଛି ନେତା ଏବେ ସାମିଲ ହୋଇ ଭକ୍ତଙ୍କ ବିରୋଧରେ ଭିତିରିଆ ମେଳି ବାନ୍ଧିଥିବା ଚର୍ଚ୍ଚା ହେଉଛି ।

ସମ୍ ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ..

ଭୁବନେଶ୍ୱର, ଏପ୍ରିଲ୍ ୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୫ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ‘ସୁସ୍ଥ ପ୍ରାରମ୍ଭ, ଆଶାପୂର୍ଣ୍ଣ ଭବିଷ୍ୟତ’ କୁ ନେଇ ଏହି ଦିବସ ପାଳନ କରାଯାଇଛି । ଏହି ଅବସରରେ ଏସ୍‌ଏନ୍‌ସିର ଛାତ୍ରଛାତ୍ରୀମାନେ ଚଳିତ ବର୍ଷର ବିଶ୍ୱ ସ୍ୱାସ୍ଥ୍ୟ ଦିବସର ପ୍ରସଙ୍ଗକୁ ନେଇ ଆୟୋଜିତ ପୋଷ୍ଟର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହାଛଡ଼ା ମା’ ଏବଂ ଶିଶୁର ଯତ୍ନ ସମ୍ପର୍କିତ ଏକ ସଚେତନତା ରାଲି ମଧ୍ୟ ଆୟୋଜନ କରାଯାଇଥିଲା ।କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗର ମୁଖ୍ୟ ପ୍ରଫେସର ତପତି ଶାହା, ଆସୋସିଏଟ ପ୍ରଫେସର ପୁଷ୍ପାଞ୍ଜଳି ମହାପାତ୍ର ଏବଂ ବିଭାଗର ଟ୍ୟୁଟର ଶ୍ରୀମତି ଅର୍ଥ କାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ବିଭାଗର ପିଜି ଓ ପୋଷ୍ଟ ବେସିକ୍ ଛାତ୍ରଛାତ୍ରୀମାନେ ଭରତପୁର ଅଂଚଳରେ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରିଥିଲେ । ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ବିଭାଗର ଟ୍ୟୁଟର ଶ୍ରୀମତି ସୁପ୍ରିୟା ସାହୁ ସମସ୍ତ ପ୍ରତିଯୋଗିତା ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ଏକ କର୍ମଶାଳାରେ ଏସ୍‌ଏନ୍‌ସିର ଡିନ୍ ଡକ୍ଟର ସସ୍ମିତା ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଏନ୍‌ସିଏଚ୍ ଡବ୍ଲୁଏଚ୍‌ଓ ଓଡ଼ିଶାର ମେଡିକାଲ ଅଫିସର ଡକ୍ଟର ଦେବୀପ୍ରସାଦ ଗୋସ୍ୱାମୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ଏବଂ ଶିଶୁ ଏବଂ ମା’ର ଯତ୍ନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ବିଭାଗର ଆସୋସିଏଟ ପ୍ରଫେସର କ୍ରିଷ୍ଣା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶେଷରେ ବିଭାଗର ଟ୍ୟୁଟର ଶ୍ରୀମତି ସୁଚିସ୍ମିତା ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ବର୍ଷର ପ୍ରସଙ୍ଗ “ଐରବକ୍ଷଗ୍ଧଷଚ୍ଚ ଈରଶସଦ୍ଭଦ୍ଭସଦ୍ଭଶ ଐକ୍ଟକ୍ଟ୍ରରଲଙ୍କକ୍ଷ ୠଙ୍କଗ୍ଧଙ୍କକ୍ସର”କୁ ଆଧାର କରି ସେହିପରି ଫୁଲନଖରା ସ୍ଥିତ ସମ୍ ନର୍ସିଂ କଲେଜ -୨ରେ ମଧ୍ୟ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ -୨ ର ଡିନ୍ ପ୍ରଫେସର (ଡ.) ଅରକ୍ଷିତ ସ୍ୱାଇଁ ଓ ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ସିଦ୍ଧାର୍ଥ ଗୌତମ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ପ୍ରଫେସର(ଡ.) ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମୁଖ୍ୟ ବକ୍ତା ଡ. ଅମ୍ରିତା ଲେଙ୍କା ଦିବସର ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।  ଏହି ଅବସରରେ ଉପସ୍ଥିତ ମୁଖ୍ୟ ଅତିଥିମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ମତାମତ ପ୍ରଦାନ କରିଥିଲେ । ଅନୁଷ୍ଠାନର ବି.ଏସ୍‌.ସି ଟ୍ୟୁଟର ଶ୍ରୀମତି ମେଘ୍ନା ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ଦେବିକା ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବାନ୍ଧି ରଖିବାର ମାଧ୍ୟମ ହେଉଛି ‘ପଖାଳ’ : ସୋଆ ଉପସଭାପତି

ଭୁବନେଶ୍ୱର, ଏପ୍ରିଲ ୯: ପଖାଳ ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଓଡ଼ିଶାର ଘରେ ଘରେ ଏହି ପାରମ୍ପରିକ ଖାଦ୍ୟ ବେଶ ଆଦୃତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ପଖାଳର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍ ) ପକ୍ଷରୁ ବୁଧବାର ଆରମ୍ଭ ହୋଇଥିବା ପଖାଳ ଉତ୍ସବକୁ ଉଦ୍‌ଘାଟନ କରି ଏହା କହିଛନ୍ତି ଶ୍ରୀମତି ଦାସ ।
ଓଡ଼ିଶାର ଜନଜାତି ସଂପ୍ରଦାୟର ଇତିହାସ, ଜୀବନଶୈଳୀ, ପରମ୍ପରା ଓ ସଂସ୍କୃତିକୁ ବାନ୍ଧି ରଖିବାର ପ୍ରୟାସ ଏହି ପଖାଳ ଉତ୍ସବର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।
ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏପ୍ରିଲ୍ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି । ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି ।
ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଗ୍ରାମୀଣ ପରିବେଶର ଏକ ଝଲକ ଏହି ପଖାଳ ଉତ୍ସବର ଆୟୋଜନରେ ଦେଖିବାକୁ ମିଳିଛି ।
ଅତିଥିମାନଙ୍କୁ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ । ଏହି ଉତ୍ସବକୁ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀମାନେ ହିଁ ସଂଚାଳନ କରୁଥିବା ବେଳେ ସେମାନଙ୍କୁ ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରୁଛନ୍ତି ।
ଏହି ୫ ଦିନିଆ ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯିବାର ବ୍ୟବସ୍ଥା ହେବ । ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, କୁକୁଡା କଷା, ଚୁନା ମାଛ ଭଜା, ଚିଙ୍ଗୁଡି ଝରଝରି, ପୋହଳା ମାଛ ଭଜା, ଅଣ୍ଡା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ପୋଡା ଆଳୁ , ଗୋଟା ଭେଣ୍ଡି ଭଜା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ପରିବା ଭଜା, ଚିପ୍ସ, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ , ପଣସ ପିଠଉ ଭଜା, ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ସହିତ କାକୁଡି, ପିଆଜ, ଲଙ୍କା ଓ ଲେମ୍ବୁ ପ୍ରଭୃତି ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news