ସମ୍ପର୍କର ଅଜଣା କଥା….

() ସମ୍ପର୍କ ସବୁବେଳେ ମଧୁର l ଯେବେ ମଣିଷର ଦୃଷ୍ଟିଭଙ୍ଗୀ ବଦଳିଯାଏ ସେ ସମୟରୁ ସମ୍ପର୍କ ରେ ଚାଲିଆସେ ଅଦିନିଆ ଭଟ୍ଟା l ବର୍ଷ ବର୍ଷର ଭଲ ପାଇବା ଏହି ଭଟ୍ଟା ଭିତରେ ଉଭାନ୍ ହୋଇଯାଏ l ଥରେ ଭାବନ୍ତୁ କାହିଁକି ଏଭଳି ପରିସ୍ଥିତି ମଣିଷ ସାମ୍ନା କରେ , ଉତ୍ତର ଆପେ ଆପେ ମିଳିଯିବ l ସଂପର୍କରେ ସ୍ଵାର୍ଥ ତାସ୍-ଘର ପରି ଭାଙ୍ଗି ଦିଏ ଅନେକ କିଛି ଆପଣା ଓ ଭଲ ପାଇବା l ସ୍ମୃତି ସବୁ ଅତୀତର ଗ୍ରନ୍ଥ ପରି ଉଈ ଖାଇଯାଏ l ଯାହାକୁ ଚାହିଁଲେ ବି ସାଇତି ରଖିବା କଷ୍ଟକର ବ୍ୟାପାର l ଭାବିବାକୁ ବହୁତ ସମୟ ଥିଲେ ସୁଦ୍ଧା ସେ ସମ୍ପର୍କ କିନ୍ତୁ ଆପେ ଆପେ ଏତେ ଅତୀତ ହୋଇଯାଏ ଯେ ଆମ ଜୀବନରେ ତାହା ଆଉ ଭାବନାକୁ ଆସେନା l ଆଉ ଯଦି ଆସେ ତେବେ ତାହା ଜୀବନଚକ୍ରରେ ବାଧା ସୃଷ୍ଟି କରେ l ତେଣୁ ସମ୍ପର୍କ ଗଢ଼ିବା ଅପେକ୍ଷା ସମ୍ପର୍କକୁ ବଜାୟ ରଖିବା ଆଜିର ସ୍ୱାର୍ଥପର ଦୁନିଆରେ କାଠିକର ପାଠ l ଅନେକ ତ ସ୍ବପ୍ନର ରାଇଜରେ ହଜିବା ପରି ସମ୍ପର୍କ ଗଢନ୍ତି କେବଳ ସ୍ଵାର୍ଥ ହାସଲ କରିବା ପାଇଁ l ଯେମିତି ଫୁଲରୁ ମଧୁ ସଂଗ୍ରହ କରିବା ପରେ ଭଅଁର ଉଡ଼ିଯାଏ, ଠିକ୍ ସେହିପରି ଦୁନିଆରେ ବହୁ ଲୋକ ସ୍ବାର୍ଥ ହାସଲ ପରେ ସମ୍ପର୍କକୁ ଭୁଲି ଯାଆନ୍ତି l ସମ୍ପର୍କ ମଜବୁତ କରିବା ଓ ବଞ୍ଚାଇ ରଖିବାରେ ଯେଉଁମାନେ ସଫଳ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ନା ଥାଏ ସ୍ଵାର୍ଥ ନା କିଛି ପାଇବାର ଆଶା l ଯେଉଁଥି ପାଇଁ ଚିରସ୍ଥାୟୀ ହୋଇ ରହିଥାଏ ସେ ସମ୍ପର୍କ l ସମ୍ପର୍କରେ ରାଗ, ଗର୍ବ, ସ୍ଵାର୍ଥ କୁ ଯିଏ ଯେତେ ଦୁରେଇ ପାରିବ ସେ ସମ୍ପର୍କ ହୁଏ ସେତେ ମଜବୁତ୍ ଓ ଦୀର୍ଘସ୍ଥାୟୀ l ସମୟ ନୁହେଁ ବରଂ ମାନବିକତା ଓ ଭଲ ପାଇବା ସମ୍ପର୍କ ସେତୁର ମଜବୁତ ସ୍ତମ୍ଭ l ଗଭୀର ସମ୍ପର୍କ ପାଇବା ନୁହେଁ, ବରଂ ହରାଇବା ପାଇଁ ସଦା ପ୍ରସ୍ତୁତ ନୁହେଁ l

ଆଜିର ଦୁନିଆରେ କିନ୍ତୁ ସମ୍ପର୍କ ର ପରିଭାଷା ବଦଳି ଯାଇଛି l ରକ୍ତର ସମ୍ପର୍କ ପର ହେଉଛି, ଅଚିହ୍ନା ବ୍ୟକ୍ତି ରକ୍ତ ସମ୍ପର୍କ ଠାରୁ ଅଧିକ ହୋଇପଡୁଛି l ଜନ୍ମ କଲା ବାପା, ମା କୁ ପୁଅ ଓ ଝିଅ ବୟସର ଅପରାହ୍ନରେ ରାସ୍ତାରେ ଛାଡି ଦେଉଛନ୍ତି ତ ଆଉ କେଉଁଠି ଜନ୍ମ କଲା ଶିଶୁକୁ ବାପା ଓ ମାଆ ମାରିଦେଉଛନ୍ତି ଅଥବା ଅଳିଆ ଗଦାରେ ଫିଙ୍ଗି ଦେଉଛନ୍ତି l ସେମିତି ଜମି ଓ ଟଙ୍କା ପାଇଁ ମା ପେଟର ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରୁଛି ଭାଇ l ଯୌନ ପିପାସୁ ବହୁ ଲୋକ ଭଲ ପାଇବାର ବଡ ସମ୍ପର୍କକୁ କିଛି ମିନିଟ୍ ରେ ଜାଳିପୋଡି ଛାରଖାର କରି ଦେଉଛନ୍ତି l ଏମିତି ଅନେକ ଉଦାହରଣ ଦେଖିବାକୁ ମିଳୁଛି ସମାଜରେ l ଆଉ ଏସବୁର ମୁଖ୍ୟ କାରଣ ହେଉଛି ସମ୍ପର୍କ ଭିତରେ ସ୍ବାର୍ଥର ଆବେଗ ବଢିବା l ବ୍ୟତିକ୍ରମ୍ ପାଇଁ ଆମେ ନିଜେ ହିଁ ଦାୟୀ l ତେଣୁ ଚିନ୍ତା, ଚେତନା ନୁହେଁ, ବରଂ ବଡ ସମ୍ପର୍କରେ ବଡ ହୃଦୟ ସୃଷ୍ଟି କରିବା ଚାଲ l ଯେମିତି ସେଦିନ ଥିଲା, ସବୁ ଦିନ ସେପରି ରହିବ l କେବଳ ସମ୍ପର୍କ ଜଣା ଓ ଅଜଣା କଥା ଟିକେ ବୁଝିବା ଦରକାର l

ବଦଳିବ ଗଙ୍ଗାଧର ସ୍ମୃତି ପୀଠ ରୂପରେଖ…

{} ବରପାଲିରେ ଗଙ୍ଗାଧର ସ୍ମୃତି ପୀଠର ହେବ ରୂପାନ୍ତର,

ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨ କୋଟି କୋଟି ଟଙ୍କା,

ନିର୍ମାଣ ହେବ କବି ଭବନ, ସ୍ମୃତି ଭବନ ଓ ଗଙ୍ଗାଧର ମେହର ପାର୍କ,

ଓଡିଆ ସାହିତ୍ୟର ଏକ ଗବେଷଣା କେନ୍ଦ୍ର ଭାବରେ ବିକଶିତ ହେବ।

 ବର୍ଷକୁ ଏକ ଲକ୍ଷ ପର୍ଯ୍ୟଟକ ଆସିବାର ସମ୍ଭାବନା।

()  ବରପାଲି ରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମିକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ସେହିପରି ଜୁନ ୨୬ ତାରିଖ ଦିନ ଶ୍ରୀ ପାଣ୍ଡିଆନ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ବରପାଲିସ୍ଥିତ ଜନ୍ମସ୍ଥାନ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କମିଟି ସଦସ୍ୟମାନଙ୍କ ସହିତ ଜନ୍ମସ୍ଥାନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ସ୍ୱଭାବ କବି ଗଙ୍ଗାଧର ମେହର ଓଡିଆ ଜାତିର ମହାନ୍ ସନ୍ତାନ। ଓଡିଆ ଭାଷା ଓ ସାହିତ୍ୟର ବିକାଶରେ ତାଙ୍କର ଅନବଦ୍ୟ ଅବଦାନ ଥିଲା। ତାଙ୍କ ଜନ୍ମ ପୀଠ ସାହିତ୍ୟପ୍ରେମୀ ତଥା ସାଧାରଣ ଲୋକଙ୍କ ପାଇଁ ଏକ ତୀର୍ଥ ସ୍ଥାନ। ଏହି ଐତିହାସିକ ପୀଠର ସର୍ବାଙ୍ଗୀନ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ଓଡିଆ ସାହିତ୍ୟର ଏକ ଗବେଷଣା କେନ୍ଦ୍ର ତଥା ଏକ ଆକର୍ଷଣୀୟ ପୀଠରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ କବି ଭବନ, ସ୍ମୃତି ଭବନ ଓ ଗଙ୍ଗାଧର ମେହର ପାର୍କ ନିର୍ମାଣ କରାଯିବ। ରୂପାନ୍ତର ପରେ ପ୍ରତି ବର୍ଷ ଏଠାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶା କରାଯାଏ।

ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ…

() 5T ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ।

୨୦୨୪-୨୫ ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ,

୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।

{} ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି। ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ, ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମଧ୍ୟ ପ୍ରତିପାଦନ କରିଆସୁଛନ୍ତି। ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଆସୁଛନ୍ତି।

ବଦଳିବ ପ୍ରାଥମିକ ଶ୍ରେଣୀ ଗୃହ ପରିବେଶ…

()ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ,

  • ବଦଳିବ ପ୍ରାଥମିକ ଶ୍ରେଣୀ ଗୃହ ପରିବେଶ
  • ଦରିରେ ବସିବେ, ରଙ୍ଗୀନ ଡେକ୍ସରେ ଲେଖିବେ।
  • କାନ୍ଥଚିତ୍ର, ଶୈକ୍ଷିକ ଉପକରଣ ବଢ଼ାଇବ ଆଗ୍ରହ। ହେଇ
  • ପ୍ରଥମ ପର୍ଯ୍ୟାୟରେ ୬ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ସାମିଲ କ’ଣ ନୂଆ ହେବ?

{} ଡେକ୍ସ, ଆଲମାରୀ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ର େକ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ୍, ଦରି, ଆବଶ୍ୟକ ମରାମତି, କାନ୍ଥଚିତ୍ର, ବୈଦୁତିକ ଉପକରଣ ଓ ଆଲୋକୀକରଣ ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲ୍ ର ପରିବେଶ ବଦଳିବ । ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ, ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି । ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି ।

ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି । ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ/ଥାକ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ । ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶିକ୍ଷାର ବିକାଶରେ ଅତ୍ୟନ୍ତ ସହାୟକ ହେବ ।

ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ଶିକ୍ଷା । ଏହି ମୂଳଦୁଆ ଉପରେ ଭବିଷ୍ୟତର ଉଚ୍ଚ ଶିକ୍ଷା ଗଢ଼ି ଉଠିଥାଏ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ଏହି ମୂଳଦୁଆକୁ ମଜଭୁତ କରିବା । ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ ହୋଇପାରିବେ ସେଥୁପ୍ରତି ଲକ୍ଷ୍ୟ ସ୍ଥିର ହୋଇଛି । ଲକ୍ଷ୍ୟ ହାସଲ ପାଇଁ ସ୍ଵତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି, ଚିତ୍ତାକର୍ଷକ ଶିକ୍ଷଣ ସାମଗ୍ରୀ(ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ), ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀ ଇତ୍ୟାଦି ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି ।

ଜିଲ୍ଲାରେ ଛାତ୍ରଛାତ୍ରୀ ଅନୁକୂଳ ଶ୍ରେଣୀଗୃହ ନିର୍ମାଣ ପୂର୍ବରୁ ପାଇଲଟ୍‌ ପ୍ରକଳ୍ପ ଭାବେ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗ୍ରହଣ କରାଯାଇଥିଲା । ଏହି ପ୍ରାଥମିକ ବିଦ୍ୟାଳୟରେ ବିକାଶିତ ହୋଇଥିବା ଶ୍ରେଣୀଗୃହକୁ ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି । ଏହି ବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ କରିବା ପରେ ଛାତ୍ରଛାତ୍ରୀଙ୍କ ଭିତରେ ଆକାଂକ୍ଷିତ ଶୈକ୍ଷିକ ବିକାଶ ହେଉଥିବା ଲକ୍ଷ୍ୟ କରାଯାଇଛି । ପରେ ସମାନ ଢାଞ୍ଚାରେ ଶ୍ରେଣୀଗୃହ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି । ସମସ୍ତ ୧୬ଟି ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ଏସ୍ଏଲ୍‌ଏନ୍ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

 () ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ,

ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାର ସୁନିଶ୍ଟିତ ହେବ।

ଜନଜାତି ମାନଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ,

ଜନଜାତିଙ୍କ ବିକାଶରେ ନୂଆ ମାଇଲଷ୍ଟୋନ ସୃଷ୍ଟି ହେବ – ମୁଖ୍ୟମନ୍ତ୍ରୀ।

{} ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ । ଏହାସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡିକୁ ଏହି ଯୋଜନା ସହିତ ଯୋଡି ଜନଜାତି ମାନଙ୍କ ଜୀବିକାରେ ସ୍ଥାୟିତ୍ବ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ।ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ ଜନଜାତି ଭାଇଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ। କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହେବ, ତାକୁ ସୁନିଶ୍ଟିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ଏହି ଯୋଜନା ଏକ ଭଲ ଯୋଜନା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଙ୍ଗଲ ସଂପଦର ନିରନ୍ତର ବିକାଶ ଦିଗରେ ଜନଜାତି ମାନଙ୍କର ଅବଦାନକୁ ସ୍ବୀକୃତି ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ । ଜଳବାୟୁ ପରିବର୍ତ୍ତନ ଓ ଜନଜାତି ମାନଙ୍କ ଅର୍ଥନୀତି ଓ ଜୀବିକାରେ ସ୍ଥାୟିତ୍ବ ଆଣିବାରେ ମଧ୍ୟ ଏହା ସହାୟକ ହେବ ବୋଲି ସେ କହିଥିଲେ ।

ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡିଶା ଏକ ଆଗୁଆ ରାଜ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୦ ହଜାର ଜନଜାତି ଓ ବନବାସୀ ପରିବାରକୁ ଜଙ୍ଗଲ ଜମି ଉପରେ ସତ୍ତ୍ବ ପ୍ରଦାନ କରାଯାଇଛି । ସେହିପରି ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠି ଅଧିକାର ଦିଆଯାଇଛି ବୋଲି ସେ କହିଥିଲେ । ଏହାସହିତ ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁ ଗୁଡିକୁ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଥିଲେ । ପ୍ରଥମରୁ ତାଙ୍କ ସରକାର ଜନଜାତି ମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ପ୍ରକାଶ କରି ସେ କହିଥିଲେ ଯେ ୨୦୦୦ ମସିହାରେ ତାଙ୍କ ସରକାର ଯେତେବେଳେ ପ୍ରଥମେ ଓଡିଶାରେ ସେବାର ଦାୟିତ୍ବ ଗ୍ରହଣ କଲା, ସେତେବେଳେ ତାଙ୍କ ସରକାରର ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ପଞ୍ଚାୟତ ମାନଙ୍କୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ପ୍ରଦାନ। ଆଜି ଏ ଦିଗରେ ଅନେକ କାମ ହୋଇଛି । ଜନଜାତି ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ମଧ୍ୟ ଅର୍ଜନ କରିପାରିଛନ୍ତି ।

ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଯେ ଏହି ଯୋଜନା ଦ୍ବାରା ଜଙ୍ଗଲ ଜମିର ପରିଚାଳକ ଭାବରେ ଜନଜାତି ମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ଏହି ଯୋଜନାର ଲକ୍ଷ୍ୟ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଅଧିକାର ପ୍ରଦାନ କରିବା ପଦକ୍ଷେପ ନିଆଯାଇଛି।ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ ଓଡିଶା ସରକାରଙ୍କ ଏକ ପ୍ରମୁଖ ସଫଳତା। ଏହି ନୂଆ ଯୋଜନା ଦ୍ବାରା ସେମାନଙ୍କ ସାଂସ୍କୃତିକ ବିବିଧତାର ସୁରକ୍ଷା ସହିତ ସବୁ ବିକାଶମୂଳକ ଯୋଜନାରେ ଜନଜାତି ମାନଙ୍କୁ ସାମିଲ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି।

ଏହି ଯୋଜନାରେ ସାମିଲ ହୋଇଥିବା ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ମୟୁରଭଞ୍ଜର ଶ୍ର କପୁର ମାର୍ଣ୍ଡି, କନ୍ଧମାଳର ଶ୍ରୀ ନରେନ୍ଦ୍ର ମଲ୍ଲିକ ଓ ରାୟଗଡାର ଶ୍ରୀ ସୁରେଶ ଚନ୍ଦ୍ର ୱାଡାକା ପ୍ରମୁଖ ୩ ଜଣ ହିତାଧିକାରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଜଙ୍ଗଲ ଜମି ଉପରେ ଅଧିକାର ପାଇବା ଦ୍ବାରା ସେମାନେ କିପରି ପନିପରିବା, ଫଳଚାଷ ଓ ଅନ୍ୟାନ୍ୟ ଜୀବିକା କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କର ପରିବାରର ପ୍ରତିପୋଷଣ କରିବା ସହିତ ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦେଇପାରୁଛନ୍ତି ବୋଲି ପ୍ରକାଶ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, UNDP, ବେସରକାରୀ ଅନୁଷ୍ଠାନ ବସୁନ୍ଧରା, ପ୍ରଦାନ ଆଦି ସଂସ୍ଥାର ପ୍ରତିନିଧି ଏବଂ ବିଭିନ୍ନ ଜିଲ୍ଲାର ଜନଜାତି ହିତାଧିକାରୀମାନେ ଉପସ୍ଥିତ ଥିଲେ ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଓ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସୋଆରେ ଦୁଇ ଦିନିଆ ଜାତୀୟ ଜନଜାତି ସମ୍ମିଳନୀର ଶୁଭାରମ୍ଭ…

() ଲୋପ ପାଇବାକୁ ପାଉଥିବା ମୂଳ ଅଧିବାସୀଙ୍କ ଭାଷାକୁ ନେଇ ଲେଖକମାନଙ୍କ ଉଦ୍‌ବେଗ।

ସୋଆରେ ଦୁଇ ଦିନିଆ ଜାତୀୟ ଜନଜାତି ସମ୍ମିଳନୀର ଶୁଭାରମ୍ଭ।

{} ବିଶ୍ୱର ସ୍ଥାନୀୟ ଅଧିବାସୀମାନେ କଥା ହେଉଥିବା ୭୦୦୦ ଭାଷା ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ସଂପୂର୍ଣ୍ଣ ଲୋପ ପାଇସାରିଥିବା ବେଳେ ଅନେକ ଭାଷା ଲୁପ୍ତ ହେବାକୁ ବସିଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସାରା ବିଶ୍ୱ ବର୍ତମାନ ଅନେକ ଭାଷାକୁ ହରାଇବା ଭଳି ଭୟଙ୍କର ପରିସ୍ଥିତିରେ ପହଂଚିଥିବା ବେଳେ ଭାଷାକୁ ହରାଇବା ନିଜ ସଂସ୍କୃତିକୁ ହରାଇବା ସହ ସମାନ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଦୁଇ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ଅଗଷ୍ଟ ୯ ତାରିଖ ଆନ୍ତର୍ଜାତିକ ବିଶ୍ୱ ମୂଳ ନିବାସୀ ଦିବସ ପରିପ୍ରେକ୍ଷୀରେ ସାହିତ୍ୟ ଏକାଡେମୀ ଏବଂ ସୋଆ ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମିଳିତ ସହଭାଗିତାରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ ଜଣ ଜନଜାତି ଲେଖକ ଯୋଗ ଦେଇଥିଲେ ।

ମୂଳ ନିବାସୀ ଜନଜାତି ଗୋଷ୍ଠୀ ହିଁ ବିଶ୍ୱ ସଂସ୍କୃତିର ମୂଳ ଭଣ୍ଡାର ହୋଇଥିବା ବେଳେ ଯଦି ଏମାନଙ୍କର ଯତ୍ନ ନ ନିଆଯାଏ ତେବେ ଆମେ ଆମ ସଂସ୍କୃତିକୁ ହରାଇ ବସିବା ଏବଂ ସେମାନଙ୍କ ନିକଟରେ ଉପଲବ୍ଧ ପୁରାତନ ଜ୍ଞାନ ମଧ୍ୟ ହଜିଯିବ ବୋଲି ଡକ୍ଟର ଶ୍ରୀନିବାସରାଓ କହିଥିଲେ । ସାହିତ୍ୟ ଏକାଡେମୀ ପକ୍ଷରୁ ଜନଜାତି ଭାଷାରେ ଲିଖିତ ସାହିତ୍ୟକୁ ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପ୍ରକାଶନ କରାଯାଉଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମକୁ ବିଶିଷ୍ଟ ଲେଖକ ତଥା ପଦ୍ମଶ୍ରୀ ବିଜେତା ଡକ୍ଟର ହଳଧର ନାଗ ଉଦ୍‌ଘାଟନ କରିଥିବା ବେଳେ ବିଶିଷ୍ଟ ବିଦ୍ୱାନ ପ୍ରଫେସର ଜଗନ୍ନାଥ ଦାସ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ଓଡ଼ିଶା ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ, ସାନ୍ତାଳୀ ଲେଖକ ତଥା ସାହିତ୍ୟ ଏକାଡେମୀର ସାନ୍ତାଳୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଶ୍ରୀ ଚୈତନ୍ୟ ପ୍ରସାଦ ମାଝି, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ଲେଖିକା ତଥା ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏହି ଅବସରରେ ଉପସ୍ଥିତ ଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହାକୁ ପରିଚାଳନା କରିଥିଲେ ।

ନିଜ କୋଶଳୀ ଭାଷାରେ ଭାଷଣ ଦେଇ ଡକ୍ଟର ନାଗ କହିଥିଲେ ଯେ ସେ ମାତ୍ର ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ମଧ୍ୟ ସମାଜକୁ ଉଚିତ ପଥ ଦେଖାଇବା ପାଇଁ ସାହିତ୍ୟରେ ନିଜକୁ ମନୋନିବେଶ କରାଇଥିଲେ । ଯଦିଓ ମୁଁ ଅଧିକ ପାଠ ପଢ଼ି ନାହିଁ ମୋ ଲେଖାକୁ ବିଶ୍ୱର ଅନ୍ୟ ଭାଷାଗୁଡ଼ିକରେ ଅନୁବାଦ କରାଯାଇଛି ଏବଂ ଆନ୍ତର୍ଜାତିକ ସ୍ତରରେ ଏହା ପରିବ୍ୟାପ୍ତ ହୋଇଛି । ଏପରିକି ତାଙ୍କର କିଛି ଲେଖା ବିଭିନ୍ନ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନ ପାଇଥିବା ସେ କହିଥିଲେ । ମୋ ଲେଖା ମାଟି ସହିତ ଜଡ଼ିତ ଯେଉଁଠାରେ ମୁଁ ଅଛି ବୋଲି ସେ କହିଥିଲେ । ପ୍ରଫେସର ଜଗନ୍ନାଥ ଦାସ ନିଜର ବକ୍ତବ୍ୟରେ କହିଥିଲେ ଯେ ଜନଜାତି ସମ୍ପ୍ରଦାୟ ଆଧୁନିକତାରେ ପ୍ରଭାବିତ ହୋଇ ନିଜ ସଂସ୍କୃତି ଠାରୁ ଦୂରେଇଯାନ୍ତି ନାହିଁ । ସେମାନେ ପାହାଡ, ପର୍ବତ, ନଦୀ ଓ ଝରଣା ସହିତ ଯୋଡି ହୋଇ ରହିଥାନ୍ତି ଏବଂ ହୃଦୟରୁ ସେମାନଙ୍କର ଭାବର ପରିପ୍ରକାଶ କରିଥାନ୍ତି । ଆମକୁ ସେମାନଙ୍କ କବିତା ଶୁଣିବା ସହ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଡକ୍ଟର ଗୌରହରି ଦାସ ଜନଜାତି ଲେଖକ ସମ୍ମିଳନୀ ନେଇ ସାହିତ୍ୟ ଏକାଡେମୀ ଓ ପ୍ରାଚୀନର ନିଷ୍ପତିକୁ ସ୍ୱାଗତ କରିବା ସହ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ଅବହିତ କରିଥିଲେ । ଜନଜାତି ଭାଷାଗୁଡ଼ିକୁ ଉପଯୁକ୍ତ ଭାବେ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଡକ୍ଟର ଦାସ ଏହି ଅବସରରେ ଉପସ୍ଥିତ ଥିବା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଶ୍ରୀ ମାଝି କହିଥିଲେ ଯେ ବିଶ୍ୱର ୭୦୦୦ ମୂଳ ଭାଷାରୁ ୪୦ ପ୍ରତିଶତ ଲୋପ ପାଇସାରିଥିବା ବେଳେ ଏହି ଧାରାକୁ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ୟୁନେସ୍କୋ ପକ୍ଷରୁ ୨୦୨୨-୨୦୩୨ ଦଶକକୁ ମୂଳ ନିବାସୀ ଭାଷାଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣର ବର୍ଷ ଭାବେ ଘୋଷଣା କରାଯାଇଛି । ସ୍ୱତନ୍ତ୍ର ଭାଷା ଓ ସ୍ୱତନ୍ତ୍ର ଲିପିକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ରଖି ସଉରା ଏବଂ ହୋ ଜନଜାତି ଭାଷାର ଲିପି ବିକଶିତ ହୋଇସାରିଛି ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରାଚୀନ୍‌୍ ପକ୍ଷରୁ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ “ଆଦିପର୍ବ” ସଂସ୍କରଣର ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ପୂର୍ବରୁ ୧୮ଟି ପର୍ବରୁ ଏହାର ୧୦ଟି ପର୍ବ ପ୍ରାଚୀନ ଦ୍ୱାରା ପ୍ରକାଶିତ ହୋଇ ସାରିଛି ।

ଏହି ଅବସରରେ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ପଣ୍ଡା କହିିଥିଲେ ଯେ ପ୍ରାଚୀନ ପକ୍ଷରୁ ସାରୋଳଦାସ ମହାଭାରଥ ପୁସ୍ତକ ପ୍ରକାଶନ ଭଳି ଅନେକ ଗୁରୁତ୍ୱପୂ୍‌ର୍ଣ୍ଣ କାର୍ଯ୍ୟ ସମେତ ଡିଜିଟାଲାଇଜେସନ୍‌, ଅନୁବାଦ, ପ୍ରୋଜ୍ ରେଣ୍ଡରିଂ, ପ୍ରଡକ୍ସନ୍ ଅଫ୍ କର୍ପୋରା, ଡିକ୍ସନାରୀ ଆଣ୍ଡ ଲିଟରାରୀ ଏନ୍‌ସାଇକ୍ଲୋପେଡିଆ ଅଫ୍ ସାରଳା ଦାସ ଭଳି କାର୍ଯ୍ୟ ଜାରୀ ରହିଛି ।  ସେ କହିଥିଲେ ଯେ ଜନଜାତି ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଯାହାକି ଲୋପ ପାଇବାକୁ ବସିଛି ସେ ସବୁକୁ ସଠିକ୍ ଭାବରେ ସଂରକ୍ଷିତ କରି ରଖିବାର ଆବଶ୍ୟକତା ରହିଛି । ଉଦ୍‌ଘାଟନୀ ଦିବସରେ ବିଭିନ୍ନ ଭାଷାରେ କବିତାବୃତି, କ୍ଷୁଦ୍ରଗଳ୍ପ ପଠନ ତଥା ଜନଜାତି ସଂଗୀତ, ସଉରା କଳା ଓ ଲିପିର ବିଶ୍ଲେଷଣ କର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେୟରଙ୍କୁ ସ୍ମାରକ ପତ୍ର ପ୍ରଦାନ….

{} ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ, ଜଳବନ୍ଦି ପରିସ୍ଥିତିର ସ୍ଥାୟୀ ସମାଧାନ ଏବଂ ମୁକୁଳା ଡ୍ରେନ୍ ଘୋଡ଼ାଇବା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେୟରଙ୍କୁ ସ୍ମାରକ ପତ୍ର ପ୍ରଦାନ।

()  ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ, ଜଳବନ୍ଦି ପରିସ୍ଥିତିର ସ୍ଥାୟୀ ସମାଧାନ ଏବଂ ମୁକୁଳା ଡ୍ରେନ୍ ଘୋଡ଼ାଇବା ଦାବିରେ ଭୁବନେଶ୍ୱର
ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେୟରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ମେୟରଙ୍କୁ ଦାବୀ ପତ୍ର ପ୍ରଦାନ ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ କହିଥିଲେ ଯେ, ଭୁବନେଶ୍ୱର ମହାନଗର
ନିଗମର ବିଭିନ୍ନ ୱାର୍ଡରେ ଡେଙ୍ଗୁ ସାଙ୍ଘାତିକ ଭାବରେ ବ୍ୟାପୁଥିବାବେଳେ ମହାନଗର ନିଗମ ପକ୍ଷରୁ ଯୁୂଦ୍ଧକାଳୀନ ଭିତିରେ ଏହା ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ଏବେ ସୁଧା ଭୁବନେଶ୍ୱରରେ ୮୦୦ ଡେଙ୍ଗୁ ଆକ୍ରାନ୍ତ ରୋଗୀ ଚିହ୍ନଟ ହେଲାଣି । ବାସ୍ତବ କ୍ଷେତ୍ରରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବହୁତ ଅଧିକ । ଗତ ୬ ଦିନରେ ୩୦୦ ଡେଙ୍ଗୁରୋଗୀ ଚିହ୍ନଟ ହେଲେ । ଏହାର ଅର୍ଥ ଦିନକୁ ୫୦ ଟି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ପ୍ରତିବର୍ଷ ଭୁବନେଶ୍ୱରର ଅଧିବାସୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ବାରମ୍ବାର ଏ ଘଟଣା ଘଟୁଥିଲେ ବି କାହିଁକି ମହାନଗର ନିଗମ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ମହାନଗର ନିଗମ ପକ୍ଷରୁ ୱାର୍ଡ଼ ୱାର୍ଡ଼ ବୁଲି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ । କେବଳ ବର୍ଷାଦିନ ଆସିଲେ ମହାନଗର ନିଗମ କର୍ତୃପକ୍ଷ ଚଳଚଂଚଳ ହୋଇପଡ଼ୁଛନ୍ତି । ଗତବର୍ଷ ମଶା ବୃଦ୍ଧିର ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ସ୍ଥାନରେ ଡ୍ରୋନ ମାଧ୍ୟମରେ ରସାୟନ ସିଂଚନ କରିବେ ବୋଲି ଯେଉଁ ପଦକ୍ଷେପ ନେଇଥିଲେ ତାହା କେବଳ ପ୍ରଚାରରେ ରହିଗଲା । ଗତବର୍ଷ ମଶା ଆତଙ୍କ ରୋକିବା ପାଇଁ ଯେଉଁ ମଶାମରା ଦେଲ ଭୁବନେଶ୍ୱର ମ୍ୟୁନିସ୍‌ପାଲ କର୍ପୋରେସନ ବ୍ୟବହାର କରିଥିଲା ତାହା ନିମ୍ନମାନର ବୋଲି ଅଭିଯୋଗ ହେଲା ପରେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ

କରାଗଲା ନାହିଁ । ସବୁଠାରୁ ବଡ଼ କଥା ହେଉଛି, ବିଭିନ୍ନ ୱାର୍ଡ଼ରେ ଅଳିଆ ଅବର୍ଜନା ଗଦା ହୋଇପଡ଼ୁଛି, ମାତ୍ର ଏହାର ସଫେଇକରାଯାଉନାହିଁ । ଡ୍ରେନ୍ ସଫେଇ ହେଉଛି ବୋଲି କେହି ଜଣେ ବି ଭୁବନେଶ୍ୱରବାସୀ ଦେଖିନାହାନ୍ତି । ଅନେକ ସ୍ଥାନରେ ଡ୍ରେନ୍ ଖୋଲା ହୋଇ ପଡ଼ିଛି । ସେଥିରେ ପାଣି ଜମି ମଶା ଜନ୍ମ ହେଉଛନ୍ତି । ଭୁବନେଶ୍ୱର ବହୁତ ଖାଲ ସ୍ଥାନରେ ପାଣି ଜମା ହୋଇ ରହୁଛି ।

ବାସ୍ତବରେ କହିବାକୁଗଲେ ଭୁବନେଶ୍ୱର ସହର ମଶା ମାନଙ୍କର ସ୍ୱର୍ଗ ବୋଲି କୁହାଯାଇପାରେ । ଅନ୍ୟପକ୍ଷରେ ଭୁବନେଶ୍ୱର ସହରରେ ବେଙ୍ଗ ମୁତିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଭୁବନେଶ୍ୱର ସହର ମହାନଗର ଅଧିନରେ ୬୭ଟି ୱାର୍ଡ଼ରେ ୧,୧୨୩ କି.ମି. ଡ୍ରେନ ରହିଛି । ଯେଉଁଥିରେ ବି.ଏମ୍‌.ସିର ୬୬୩ କି.ମି., ପୂର୍ତ ବିଭାଗର ୩୬୦ କି.ମି., ଇଡ଼୍‌କୋର ୬୫ କି.ମି. ଏବଂ ଜାତୀୟ ରାଜପଥ ବିଭାଗର ୩୪.୪୩ କି.ମି. ଡ୍ରେନ ରହିଛି । ସମୁଦାୟ ଡ୍ରେନର ପାଖାପାଖି ୨୦୦ କିଲୋମିଟରରୁ ଉର୍ଦ୍ଧ୍ୱ ମୁକୁଳା ପଡ଼ିଛି, ଯେଉଁଥିରେ ବି.ଏମ୍‌.ସିର ଅଂଶ ଅଧିକା । ବର୍ଷ ସାରା ଡ୍ରେନ ପାଣି ରାସ୍ତାରେ ଭାସୁଛି ଏବଂ ଏହା ମଶାମାନଙ୍କର ମୁଖ୍ୟ ଉତ୍ପତିସ୍ଥଳ ହୋଇପଡ଼ିଛି । ଭୁବନେଶ୍ୱରରେ ୭ ବର୍ଷରେ ୭ ଜଣ ଲୋକ ଏହି ମୁକୁଳା ଡେନ୍‌ରେ ପଡ଼ି ମୃତ୍ୟୁବରଣ କଲେଣି ।ଭୁବନେଶ୍ୱରର ଜଳ ନିଷ୍ପାସନ ପାଇଁ ସମସ୍ତ ପ୍ରାକୃତିକ ଡ୍ରେନେଜ୍ ବ୍ୟବସ୍ଥାକୁ ବନ୍ଦ କରିଅନୈତିକ ଭାବରେ ଅଟ୍ଟାଳିକା ନିର୍ମାଣ ପାଇଁ ଅନୁମତି ଦିଆଯିବା ଫଳରେ ଭୁବନେଶ୍ୱରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି ।

ଗଙ୍ଗୁଆ ନାଳକୁ ସଂଯୋଗ କରୁଥିବା ଭୁବନେଶ୍ୱରର ମୁଖ୍ୟ ଡ୍ରେନ୍ ସବୁ ବିପର୍ଯ୍ୟନ୍ତ ହେଉଛି । ବିଶେଷ କରି ଗଙ୍ଗୁଆ ନାଳରେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ । ପ୍ରତିବର୍ଷ ଏହି ସମସ୍ୟା ଉପୁଜିଲେ ମଧ୍ୟ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ ।
୨୦୧୯ ମସିହାରେ ଭୁବନେଶ୍ୱରରେ ଡ୍ରେନ୍ ବ୍ୟବସ୍ଥାର ସୁଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ୨୦୨୧ ମସିହାରେ ମଧ୍ୟ ଭୁବନେଶ୍ୱର ତଥା ବିଭିନ୍ନ ସହରର ଡ୍ରେନ, ରାସ୍ତା ଏବଂ ପାଦଚଲା ରାସ୍ତାର ମରାମତି ପାଇଁ ମୁଖ୍ୟମନ୍ତ୍ରୀ ୫୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ । ଏଥିରେ ସତ୍ୟତା କେତେ? ଏହାର ବିନିଯୋଗରେ ବାସ୍ତବତା କ’ଣ ତାହା ସାଧାରଣ ଜନତା ଆଜି ଭୁବନେଶ୍ୱରବାସୀ ପ୍ରଶ୍ନ କରୁଛନ୍ତି ।ସୁତରାଂ ବାସ୍ତବ କ୍ଷେତ୍ରରେ ଭୁବନେଶ୍ୱରରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ବ୍ୟବସ୍ଥା, ଡ୍ରେନ୍ ମରାମତି, ମୁକୁଳା ଡ୍ରେନ୍ ଘୋଡ଼ାଇବା, ଜଳ ନିଷ୍ପାସନର ଉପଯୁକ୍ତ ବ୍ୟବସ୍ଥା ହୋଇପାରି ନାହିଁ । ବିଶେଷ କରି ଡେଙ୍ଗୁ ଆତଙ୍କକୁ ରୋକିବାକୁ ମଧ୍ୟ ବି.ଏମ୍‌.ସି. ବିଫଳ ହୋଇଛି । ତୁରନ୍ତ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ପଦକ୍ଷେପ ଏବଂ ଭୁବନେଶ୍ୱରରେ ବନ୍ୟା ପରିସ୍ଥିତିକୁ ରୋକିବାକୁ ସୁବ୍ୟବସ୍ଥା ଗ୍ରହଣ କରିବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦାବି କରାଯାଇଛି । ଯଦି ଏହା ପୂରଣ ନ ହୁଏ ଏହି ପ୍ରସଙ୍ଗରେ ଜନଆନ୍ଦୋଳନ ହେବ ବୋଲି ଶ୍ରୀ ଦାସ ଚେତାବନି ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ରଶ୍ମି ମହାପାତ୍ର କହିଛନ୍ତି ଯେ, କେବଳ ସଂକ୍ରମଣ ଅଂଚଳକୁ ଚିହ୍ନଟ କରାଯାଇ ପ୍ରଯ୍ୟାପ୍ତ ପରିମାଣରେ ମଶାରୀ, ତେଲ ଏବଂ ବ୍ଲିଚଂ ପାଉଡ଼ର ବଂଟନ କରାଯାଉ । ଏହି କାର୍ଯ୍ୟକ୍ରମରେ ସୁବ୍ରତ ମହାପାତ୍ର, ଅଶୋକ ଦାସ ଓ ମିହିର ଆଚାର୍ଯ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ଦ୍ୱାରା ୧୫ ବର୍ଷ ବାଳକର ଶରୀରରୁ ବଡ଼ ସ୍କଲ ବେସ୍ ଟ୍ୟୁମରକୁ ବାହାର କଲେ ସମ୍ ସର୍ଜନ…

{} ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ଦ୍ୱାରା ୧୫ ବର୍ଷ ବାଳକର ଶରୀରରୁ ବଡ଼ ସ୍କଲ ବେସ୍ ଟ୍ୟୁମରକୁ ବାହାର କଲେ ସମ୍ ସର୍ଜନ।

() ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ମାଧ୍ୟମରେ ଜଣେ ୧୫ ବର୍ଷୀୟ ବାଳକର ଶରୀରରେ ବୃଦ୍ଧି ପାଇଥିବା କ୍ରିକେଟ ବଲ୍ ଆକାରର ସ୍କଲ୍‌ବେସ୍ ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍ । ଗତ ୬ ବର୍ଷ ଧରି ମୟୁରଭଞ୍ଜ ଜିଲ୍ଲାର ସୁଦାମ କିସ୍‌କୁଙ୍କର ବାମ ଆଖି ପାଖରେ ମୁହଁ ଧୀରେ ଧୀରେ ଫୁଲିଯିବା ସହ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହା ଆଖି ନିକଟରେ ବୃଦ୍ଧି ପାଇବାରୁ ପରିବାର ବର୍ଗ ବ୍ୟସ୍ତ ହୋଇପଡ଼ିଥିଲେ ।

ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ବାଳକଟିର ଚିକିତ୍ସା ହୋଇପାରି ନଥିଲା । ଶେଷରେ ତାକୁ ସମ୍ମମ୍‌ରେ ଭର୍ତି କରାଯିବା ପରେ ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ ଚିକିତ୍ସା ଆରମ୍ଭ କରିଥିଲେ । ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ମୁଣ୍ଡରେ ଏକ ୭ ସେମିର ଟ୍ୟୁମର ଥିବାର ଜଣାପଡ଼ିଥିଲା । ଏତେ ବଡ଼ ଆକାରର ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା ବୋଲି ଡାକ୍ତର ସାହୁ କହିବା ସହ ଏଣ୍ଡୋସ୍କୋପ ସହାୟତାରେ ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ମାଧ୍ୟମରେ ଟ୍ରାନ୍ସ ଜାଇଗୋମାଟିକ୍ ପଦ୍ଧତିରେ ଦୀର୍ଘ ୨ ଘଂଟାର ଅପରେସନ୍ ପରେ ଟ୍ୟୁମରଟିକୁ ସଂପୂର୍ଣ୍ଣ ଭାବେ କଢ଼ାଯାଇପାରିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ବର୍ତମାନ ବାଳକଟି ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତ ଅଛି ଏବଂ ଅସ୍ତ୍ରୋପଚାରର ୪ ଦିନ ପରେ ତାକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି । ତା’ର ବାୟୋପ୍ସି ରିପୋର୍ଟରେ ଏହା ଏକ ନର୍ଭ ସିଥ୍ ଟ୍ୟୁମର ଅର୍ଥାତ୍ ସ୍ୱାନୋମା ବୋଲି ଜଣାପଡ଼ିଛି । ତେବେ ଅପରେସନ୍‌ର ପରବର୍ତୀ ସ୍କାନିଂ ରିପୋର୍ଟରେ ଟ୍ୟୁମରଟିକୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯାଇଥିବା ଜଣାପଡ଼ିଛି ।

ଡାକ୍ତର ସାହୁ କହିଛନ୍ତି ଯେ ଜଣେ ୧୫ ବର୍ଷ ବାଳକର ଶରୀରରେ ଏଭଳି ବିଶାଳ ଆକାରର ଟ୍ରାଇଜେମିନାଲ୍ ନର୍ଭ ସ୍ୱାନୋମା ଦେଖାଦେବା ଖୁବ୍ ବିରଳ । କାରଣ ଏଭଳି ଟ୍ୟୁମର ପ୍ରାୟତଃ ୩୦ ରୁ ୫୦ ବର୍ଷର ବୟସ୍କ ବ୍ୟକ୍ତିଙ୍କ ନିକଟରେ ଦେଖାଦେଇଥାଏ । ଏଣ୍ଡୋସ୍କୋପି ସ୍କଲ୍ ବେସ୍ ସର୍ଜରୀ ହେଉଛି ଏକ ଉନ୍ନତମାନର ମିନିମାଲ୍ ଇନ୍େ‌ଭସିଭ୍ ସର୍ଜିକାଲ୍ ପ୍ରକ୍ରିୟା ଯାହାକି ସମ୍ମମରେ ନିୟମିତ ଭାବେ କରାଯାଉଛି । ହସ୍ପିଟାଲ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗ ଅନେକ ରୋଗୀଙ୍କ ମୁହଁରେ ହସ ଫୁଟାଇପାରୁଛି ।

ବନ୍ଧୁତ୍ୱ : ସମୟ କ୍ରମେ….

() ହୃଦୟ ଯାହା ସହ ଆପେ ଆପେ ମିଶିଯାଏ ଓ ମନର ସବୁ କଥା ଯାହାକୁ କହିହୁଏ ସେ ହିଁ ବନ୍ଧୁ l ଏଥିପାଇଁ ନା ଦରକାର କିଛି ସ୍ଵାର୍ଥ ନା ସ୍ଵପ୍ନ l କେବଳ ନିଛକ ଭଲ ପାଇବା l ବନ୍ଧୁ ସଂଜ୍ଞା ପାଇଁ ବୟସ, ଲିଙ୍ଗ, ଜାତି, ଅର୍ଥ କି ରକ୍ତ ସମ୍ପର୍କ ଆବଶ୍ୟକ ପଡେନି l ଭଗବାନଙ୍କ ଆଶିର୍ବାଦରୁ ଆପେ ଆପେ ଯାହା ସହ ସମ୍ପର୍କ ଯୋଡି ହୋଇଯାଏ ତା ନାଁ ହୋଇଯାଏ ବନ୍ଧୁ l ପିଲା ଦିନରୁ ଯେବେ ହେତୁ ଆସେ ସେତେବେଳେ ଆମେ ଖେଳିବା ବେଳେ କି ଖାଇବା ବେଳେ କାହା ସହ ହୃଦୟ ସହ ମିଶିଯାଉ ଆଉ ସେ ସମ୍ପର୍କ ମଲା ଯାଏ ଚିର ସ୍ମରଣୀୟ ହୋଇ ରହେ l ସମୟ ଚକ୍ରରେ ଭଗବାନଙ୍କ ଆଶୀର୍ବାଦରୁ ବନ୍ଧୁ ବହୁତ ଯୋଡ଼ି ହୋଇ ଯାଆନ୍ତି ଓ ସମ୍ପର୍କ ବି ଅତୁଟ ରହେ ସୁଖ ଓ ଦୁଃଖରେ l ପୁଣି ସେହି ସମୟ ବନ୍ଧୁକୁ ଦୂରେଇ ଦିଏ ଆମ ଠାରୁ ବିନା ସ୍ଵାର୍ଥରେ l ବାପା ସହ ପୁଅର ବି ବନ୍ଧୁତା ନିବିଡ ହେଲେ ଯାଇ ସଂସାର ସଠିକ୍ ଭାବେ ଚାଲିବ l ସେଥିପାଇଁ ତ ଗୁରୁଜନ ମାନେ କହନ୍ତି ପୁଅ କି ଝିଅ ବଡ ହୋଇଗଲେ ସେମାନଙ୍କ ସହ ସାଙ୍ଗ ପରି ମିଶିବାକୁ ପଡ଼ିବ l ବନ୍ଧୁତ୍ୱ କଥା ଯେତେବେଳେ ଆସେ ଆପେ ଆପେ ସଭିଙ୍କ ମନରେ ଚାଲିଆସେ ପ୍ରଭୁ କୃଷ୍ଣ ଓ ସୁଦାମାଙ୍କ କଥା l ବଳିଦାନର ବଡ ସେତୁ ବନ୍ଧୁତ୍ୱ l ଭଗବାନଙ୍କ ଆଶୀର୍ବାଦରୁ ଭଲ ବନ୍ଧୁଟିଏ ଯଦି ଆପଣଙ୍କର ଅଛି ତ ଦୁନିଆର କିଛି ଆବଶ୍ୟକ ନାହିଁ l ଶ୍ରୀକୃଷ୍ଣ ଓ ସୁଦାମ ପରି ବନ୍ଧୁ ଆଜି ବି ସମାଜର ବିଭିନ୍ନ କୋଣରେ ଓ ସବୁ ବର୍ଗରେ ଅଛନ୍ତି l ଖାଲି ଏତିକି ଫରକ ଆଜିର ଦିନରେ ଆମର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି ବନ୍ଧୁ ଶବ୍ଦ ପାଖରେ l ଏବେ ଆମେ ବନ୍ଧୁ ସହିତ ହୃଦୟର ସହ ଯୋଡ଼ି ହେବାକୁ ଚାହୁନାହାନ୍ତି ବରଂ ସମୟ ଓ ସ୍ଵାର୍ଥ ପାଇଁ ବନ୍ଧୁ ହୋଇ ପରସ୍ପର ସହିତ ମିଶିବାରେ ଲାଗିଛନ୍ତି l ତ୍ୟାଗ ଅପେକ୍ଷା ଭୋଗବିଳାସ ଅଧିକ ଶକ୍ତିଶାଳୀ ହେଉଛି ବନ୍ଧୁତ୍ୱରେ l ବନ୍ଧୁ ହେବା ପାଇଁ ବିଶ୍ୱାସ ବି ଆସିପାରୁନି ମନରେ l ହେଲେ ଏତେ କଥା କଣ ମ ! ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ୱ ଦିବସ ପାଳନ କରାଯାଏ l ଯାହା ସହ ମନଖୋଲି ଗପି ହେଉଛି ଏ ବ୍ୟସ୍ତ ଜୀବନ ଭିତରେ ସେ ହିଁ ପ୍ରକୃତ ବନ୍ଧୁ l ସେ କିଏ ବି ହୋଇପାରେ ,ହେଲେ ଶେଷରେ ସମୟ କ୍ରମେ ଜୀବନ ଏମିତି ବନ୍ଧୁତ୍ୱର ଛାୟାରେ କଟିଯାଉ l କିଏ ଥାଉ କି ନଥାଉ ତୁ ଅଛୁ ମୋ ପାଇଁ ମୁଁ ଅଛି ତୋ ପାଇଁ….

ବନ୍ଧୁତ୍ୱ ଦିବସର ଅଭିନନ୍ଦନ…..

ଗବେଷଣା ପ୍ରସ୍ତୁତିକୁ ନେଇ ଏନ୍‌ଆର୍‌ଡିସି ଟିମ୍‌ର ସୋଆ ପରିଦର୍ଶନ…

()  ନିକଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନ୍‌ଆର୍‌ଡିସି ଏକ ୨ ଜଣିଆ ଦଳ ସୋଆ ଗବେଷକମାନଙ୍କ ସହ ଆଲୋଚନା କରିବା ନିମନ୍ତେ ଗତ ଅଗଷ୍ଟ ୧ ଓ ୨ରେ ସୋଆ ଗସ୍ତରେ ଆସିଥିଲେ ।

ଶୁଷ୍କ ଆଖି, ଗଳା ସଂକ୍ରମଣ ତଥା କର୍କଟ ଚିକିତ୍ସା ବେଳେ ଉପୁଜୁଥିବା ସମସ୍ୟାର ଉପଶମ ନିମନ୍ତେ ସୋଆର ଗବେଷକମାନେ ସରଳ, ବ୍ୟୟସାପେକ୍ଷ ଓ ଅଭିନବ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ୍ ବିକଶିତ କରିଛନ୍ତି । ଏହି ଟେକ୍ନୋଲୋଜିର ବିକାଶ ନିମନ୍ତେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧିନସ୍ଥ ଏନ୍‌ଆର୍‌ଡିସି ସହ ଏହି ବୁଝାମଣା କରାଯାଇଥିଲା ।

ଏନ୍‌ଆରଡିସିର ପ୍ରମୁଖ ତଥା ମୁଖ୍ୟ (ବାୟୋଟେକ୍ନୋଲୋଜି) ଏବଂ ଲିଗାଲ ରୟାଲଟି ଓ ରେଗୁଲୋଟାରୀ ଆଫେୟାର୍ସର ଇନ୍‌ଚାର୍ଜ ଶ୍ରୀ ଅମିତାଭ ମିଶ୍ର ଓ ଟେକ୍ନିକାଲ୍ ଆସିଷ୍ଟାଂଟ ଶ୍ରୀମତି ପ୍ରିୟଙ୍କା ଅସୱାଲ୍ ସୋଆର ବିଭିନ୍ନ କେନ୍ଦ୍ର ବୁଲି ଗବେଷଣା ସମ୍ବନ୍ଧୀୟ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଗବେଷକମାନଙ୍କ ସହିତ ଆଲୋଚନା କରିଥିଲେ ବୋଲି ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥ କହିଛନ୍ତି ।

ଏନ୍‌ଆର୍‌ଡିସି ଭାରତର ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପାନୁଷ୍ଠାନରେ ଅଭିନବ ଟେକ୍ନୋଲୋଜି ବିକାଶ ନେଇ ସହଯୋଗ କରିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାଏ । ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ ସେ ଏହି ତିନୋଟି ଗବେଷଣା ମଧ୍ୟରୁ ଗୋଟିକୁ ନେଇ ଏକ ବେସିକ୍ ଇଞ୍ଜିନିୟରିଂ ଡିଜାଇନ୍ ପ୍ୟାକେଜ (ବିଇଡିସି) ପ୍ରସ୍ତୁତ କରିବେ ।

ଏହି ଅବସରରେ ଶ୍ରୀ ମିଶ୍ର ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ଏସ୍‌. ସି. ସି ଙ୍କ ସମେତ ଫ୍ୟାକଲ୍ଟିମାନଙ୍କ ସହ ଆଲୋଚନା କରିଥିଲେ । ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news