ନ୍ୟାୟ ପାଇଁ ନିଆଁରେ ଜଳିଲା ଆମ ଝିଅ

0
237

ନ୍ୟାୟ ପାଇଁ ଗୋଟେ ଝିଅ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରୁଛି।ହେଲେ ବ୍ୟବସ୍ଥା ଓ ସମାଜ କାହିଁକି ସ୍ଥାଣୁ ପାଲଟିଗଲା! କାହିଁକି କଥା ଏତେବାଟ ଗଲା ? ଆଉ କେତେ ନିର୍ଭୟା, କେତେ ମମିତା, କେତେ ବେବିନା ଘଟଣା ଘଟିଲେ ବ୍ୟବସ୍ଥାର ପରିବର୍ତ୍ତନ ହେବ ଓ ସମାଜ ସଜାଗ ହେବ। ନାରୀ ହୋଇ ଜନ୍ମ ନେବା କଣ ପାପ ? ନାରୀ ଜାତି ପ୍ରତି ଏତେ ଅପମାନ କାହିଁକି ? କାହିଁକି ଏତେ କାମପିପାସୁମାନେ ସମାଜରେ ବଢିବଢି ଚାଲିଛନ୍ତି। ଜଣେ ନାରୀ ସ୍ଵତିତ୍ଵ ପାଇଁ ଆଉ କେତେ ସଂଗ୍ରାମ କରିବ। ସମାଜ ଯେତେ ଶିକ୍ଷିତ ହେଉଛି ନାରୀ ନିର୍ଯାତନା କାହିଁକି ସେତେ ମାତ୍ରାରେ ବଢ଼ିବଢ଼ି ଚାଲିଛି ? ସଭିଙ୍କ ଘରେ ଝିଅ, ହେଲେ ପର ଝିଅ ଦେଖିଲେ କାହିଁକି ବାଘପରି ହିଂସ୍ର ହୋଇଯାଉଛି କାମପିପାସୁ କାପୁରୁଷ। ସଂଭୋଗ ପାଇଁ କଣ ସବୁ ସମ୍ପର୍କ ମିଛ। ସମ୍ପର୍କର ଅର୍ଥ କଣ ମୂଲ୍ୟହୀନ ? ନିଜର ସୁଖ ପାଇଁ ଅନ୍ୟକୁ ମାନସିକ ନିର୍ଯାତନା ଦେବା କଣ ଠିକ୍? ଗୋଟେ ଝିଅର ନିଜ ଇଚ୍ଛାରେ ବଂଚିବା ଓ ଉଚ୍ଚ ଶିକ୍ଷିତ ହେବାର ସମାଜରେ ଅଧିକାର ନାହିଁ। କାହିଁକି ଛଦ୍ମବେଶୀ ରାବଣମାନେ ଏ ସମାଜକୁ କଳଙ୍କିତ କରୁଛ। କିଏ ତମକୁ ସେ ଅଧିକାର ଦେଇଛି, ଜଣେ ନାରୀଙ୍କୁ ଏତେ ମାତ୍ରାରେ ନିର୍ଯାତନା ଦେବାକୁ। ଏମିତି ଅନେକ କଥା ଆଜି ମନକୁ ଆନ୍ଦୋଳିତ କରୁଛି ବାଲେଶ୍ଵର ଫକୀର ମୋହନ ମହା ବିଦ୍ୟାଳୟର ଛାତ୍ରୀ ଘଟଣାକୁ ନେଇ। ଏଫଏମ୍ ଅଟୋନୋମସ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ରାଜନୈତିକ ମୋଡ ନେଇଛି। ଶାସକ ଓ ବିରୋଧୀଦଳ ମୁହାମୁହିଁ ହୋଇଛନ୍ତି। ଯେମିତି ଅନ୍ୟ ସବୁ ପ୍ରସଙ୍ଗ ପରି। ସମ୍ବେଦନଶିଳ ଘଟଣା କେମିତି ଆଉ କେବେବି ନ ଘଟିବ ତାହା ଉପରେ ସମସ୍ତେ ସଜାଗ ହେବାର ଆବଶ୍ୟକତା ରହିଛି। ନହେଲେ କେତେ ଯେ ଝିଅ ନ୍ୟାୟ ପାଇଁ ଜୀବନ ମୃତ୍ୟୁ ସହ ଏମିତି ସଂଗ୍ରାମ କରୁଥିବେ କିଏ ବା କହିବ।” ନାରୀ ହେଉଛି ଜନନୀ, ଜଗତ କଲ୍ୟାଣୀ,ସେ ମା, ସେ ପୁଣି ଭଉଣୀ,ସେ ପ୍ରେମିକା ସେ ପୁଣି ସ୍ତ୍ରୀ, ନାରୀ ସୃଷ୍ଟି କର୍ତ୍ତା”। ତେଣୁ ଚାଲ ନାରୀଙ୍କୁ ସମ୍ମାନ ଦେବା, ସେମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିବା। ଗୋଟେ ସୁନ୍ଦର ସମାଜ ଗଢ଼ିତୋଳିବା। ଯେମିତି କେହି ବି ନାରୀ ଓଡ଼ିଶାରେ ନ୍ୟାୟ ପାଇଁ ଦେହରେ ନିଆଁ ନଲଗାଇବ ସେଥିପ୍ରତି ସମସ୍ତେ ସଜାଗ ହେବା। ସାମାଜିକ ବ୍ୟବସ୍ଥା ବଦଳାଇବାକୁ ହେଲେ କେବଳ ଯେ ସରକାର ସୁରକ୍ଷା ଦେବେ ଏପରି କଥା ଚିନ୍ତା ନକରି। ପ୍ରତ୍ୟେକ ବ୍ୟକ୍ତିର ମାନସିକତା ବଦଳିବା ଆବଶ୍ୟକ । ତାହାଲେ ଯାଇ ସମାଜରେ ନାରୀ ନିର୍ଯାତନାର ଅନ୍ତହେବ।