( ) ଆଗକୁ ରଙ୍ଗର ପର୍ବ ହୋଲି । ଏଥିପାଇଁ ଚଳଚଞ୍ଚଳ ଯାଜପୁର ସହର। ପ୍ରତ୍ୟେକ ହୋଲସେଲର ବା ସିଜନ୍ ହାଉସରେ ଖୁଚୁରା ବେପାରୀମାନଙ୍କର ଭିଡ଼ ଲାଗି ରହିଛି । ବଜାରରେ ଅନେକ ରଙ୍ଗବେରଙ୍ଗର ଫଗୁ ସହ ହୋଲି ଖେଳ ପାଇଁ ପିଚକାରୀ ମଧ୍ୟ ବିକ୍ରି ହେଉଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ମୁଖା ଓ ଟୋପି ମଧ୍ୟ ବିକ୍ରି ହେଉଛି । ରଙ୍ଗର ପର୍ବ ହୋଲି ପାଇଁ ଦୋକାନରେ ଭଳିକି ଭଳିକି ରଙ୍ଗ ଓ ଅବିରର ପସରା ଦେଖିବା ପାଇଁ ମିଳିଛି। ସହରର ସବୁ ଛୋଟ ବଡ଼ ଦୋକାନରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ପିଚକାରୀ, ମୁଖା, ଟୋପି ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବିକ୍ରି ହେଉଛି । ବଜାରକୁ ଆସିଛି ବିଭିନ୍ନ ରଙ୍ଗର ଅବିର। ରାସାୟନିକ ରଙ୍ଗ ଦେହ ପାଇଁ କ୍ଷତିକାରକ ହୋଇଥିବାରୁ ଦୋକାନୀମାନେ ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି ଏବଂ ଏହାର ଅଧିକ ଚାହିଦା ଚଳିତବର୍ଷ ରହିଛି । ଆଉ ଏଥର ଲୋକେ ହର୍ବାଲ ରଙ୍ଗ ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି । ହର୍ବାଲ ରଙ୍ଗର କିଣାବିକା ବି ବଢିବାରେ ଲାଗିଛି ।
ବଜାରରେ ମିଳୁଥିବା ସାଧାରଣ ଫଗୁ କିଲୋପିଛା ୧୫୦ ଟଙ୍କାରରେ ବିକ୍ରି ହେଉଛି। ବହୁ ଦୋକାନରେ ରାସାୟନିକ ରଙ୍ଗ ଆଉ ବିକ୍ରି କରା ଯାଉନି ନାହିଁ । ସେହିପରି ଛୋଟ ପିଲାଙ୍କ ପାଇଁ ବନ୍ଧୁକରେ କାର୍ଟୁନ ହାତୀ, ବାଘ, ଘୋଡ଼ା ଆଦିର ଚିତ୍ର କରାଯାଇଛି । ଏସବୁର ଦାମ ୪୦ ଟଙ୍କାରୁ ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି । ବିଭିନ୍ନ ଫଳ ଆକୃତିର ପିଚକାରୀ ମଧ୍ୟ ଦୋକାନରେ ଦେଖିବା ପାଇଁ ମିଳୁଛି । ଏହାସହ ଚଳିତ ବର୍ଷ ଲୋକେ ମଧ୍ୟ ବେଶ ଧୁମଧାମର ସହିତ ରଙ୍ଗର ପର୍ବ ହୋଲି ଖେଳ ପାଳନ କରିବେ ବୋଲି ଆଶା ରଖିଛନ୍ତି।
ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି…
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ଗୁଣ୍ଡାରାଜ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ….
( ) ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ବିଶାଳ ରାଲି ଭୁବନେଶ୍ୱର କ୍ଲବ ଠାରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା । ସେହିଠାରେ ଯୁବକଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକଘଂଟା ଧରି ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ ସମସ୍ତ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ବିଧାନସଭା ପରିସରରେ ବିଜେପି ବିଧାୟକ ଓ ମନ୍ତ୍ରୀମାନେ ଆତଙ୍କରାଜ ଚଳାଇଛନ୍ତି । ଯେଉଁ ବିରୋଧି ଦଳର ବିଧାୟକ ମୋହନ ସରକାରର ଅପାରଗତା, ଭ୍ରଷ୍ଟାଚାର ଓ ଦୁର୍ନୀତ ପ୍ରସଙ୍ଗରେ ସ୍ୱରଉତୋଳନ କଲେ ତାଙ୍କୁ ବିଜେପି ବିଧାୟକ ମାନେ ଏକତ୍ରିତ ହୋଇ ଆକ୍ରମଣ କରୁଛନ୍ତି ।
ଓଡ଼ିଶାରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ବିରୁଦ୍ଧରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକମାନେ ବିଧାନସଭାରେ ସ୍ୱର ଉତୋଳନ କରିଥିଲେ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଅନ୍ୟାନ୍ୟ ବିଜେପି ବିଧାୟକମାନେ ଗୃହରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ପବ୍ରିତ ଗୃହର ଗରିମା, ପରମ୍ପରା ଓ ସମ୍ମାନକୁ କ୍ଷୁର୍ଣ୍ଣକରି ସମ୍ବଲପୁର ବିଧାୟକ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କଲର ଧରି ଆକ୍ରମଣ କରିବା ଦୁର୍ଭାଗ୍ୟଜନକ । ସେହିପରି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅତି ଅଶାଳୀନ ଓ ଅସଭ୍ୟ ଭାଷାରେ କଂଗ୍ରେସ ବିଧାୟକ ମାନଙ୍କୁ ଗାଳିଗୁଲଜ କରିଥିଲେ । ସାରା ଓଡ଼ିଶାବାସୀ ବିଧାନସଭାରେ ବିଜେପି ବିଧାୟକ ମାନଙ୍କର ଏହି ହିଟଲରୀ ରାଜକୁ ଦେଖିଛନ୍ତି । ଅନ୍ୟପକ୍ଷରେ ଯେଉଁମାନେ ଗୃହରେ ଅସାମାଜିକ ଆଚରଣ କଲେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ମାତ୍ର ସେମାନଙ୍କର ଗାଳି ଓ ଆକ୍ରମଣର ଶିକାର ହୋଇଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଗୃହରୁ ନିଲମ୍ବନ କରିବା ଘଟଣା ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହୋଇଥିବାର ପ୍ରମାଣିତ ।
ଭୁବନେଶ୍ୱର କଂଗ୍ରେସ ସାସଂଦ ପ୍ରାର୍ଥୀ ସୟଦ ୟାସିର ନୱାଜ କହିଥିଲେ ଯେ ଏହି ସଂପୂର୍ଣ୍ଣ ଘଟଣାରୁ ଯାହା ନିର୍ଯ୍ୟାସ ବାହାରୁଛି, ସେଥିରେ ବିଜେପି ଦଳ ଏବଂ ବିଧାୟକମାନେ ମହିଳା ବିରୋଧି ବୋଲି ପ୍ରମାଣିତ । ଓଡ଼ିଶାରେ ୮ ମାସର ମୋହନ ସରକାରରେ ୧୬ଶହ ମହିଳା ନିର୍ଯ୍ୟାତିତ ହୋଇଥିବାର ପଞ୍ଜିକୃତ ହୋଇଛି ଏବଂ ହଜାର ହଜାର ମହିଳା ନିର୍ଯ୍ୟାତନାର ଶିକାର ହୋଇ ସହିଯାଇଛନ୍ତି । ଆଦିବାସୀ ମହିଳାଙ୍କୁ ଲଙ୍ଗଳାକରି ଗୈରିକ ସଂଗଠନର ସଭ୍ୟମାନେ ମାଡ ମାରୁଛନ୍ତି । ବଲାଙ୍ଗିରରେ ମହିଳାଙ୍କୁ ମଣିଷ ମଳ ଖୁଆଯାଉଛି । କେନ୍ଦୁଝର ଜିଲ୍ଲା ସ୍କୁଲ ଛାତ୍ରୀ ଗର୍ଭବତୀ ହେଉଛନ୍ତି । ଚିତ୍ରକୋଣ୍ଡାରେ ହାଇସ୍କୁଲ ଛାତ୍ରୀ ମା’ ହୋଇଛି । ସ୍କୁଲ, କଲେଜ ଓ ୟୁନିଭର୍ସିଟି ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି । ଏହି ପ୍ରସଙ୍ଗ ବିଧାନସଭାରେ ଉତ୍ଥାପନ କରି ତାରାପ୍ରସାଦ ବାହିନୀପତି କଣ ଭୁଲ କରିଛନ୍ତି ଯାହାଫଳରେ ତାଙ୍କ ମାଡ଼ ମରାଯିବା ସହ ଅସଭ୍ୟ ଭାଷାରେ ଗାଳି ଫାଜିତ କରାଗଲା ।
ମୋହନ ସରକାର ବିରୋଧି ଦଳର କଣ୍ଠରୋଧ କରିପାରିବେ ନାହିଁ । ମହିଳା ଅତ୍ୟାଚାର ବୃଦ୍ଧି ପ୍ରସଙ୍ଗକୁ ସାରା ଓଡ଼ିଶାର ମହିଳାମାନେ ଅନୁଭବ କଲେଣି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଭଳି ଅଭାବନୀୟ ପରିସ୍ଥିତି ପ୍ରସଙ୍ଗରେ ନୀରବ ରହିଛନ୍ତି । ମହିଳାଙ୍କୁ ସୁରକ୍ଷା ଦେବେ ଓ ସ୍ୱାବଲମ୍ବି କରିବେ ବୋଲି କହି କ୍ଷମତାକୁ ଆସିଲେ ମାତ୍ର କ୍ଷମତାପ୍ରାପ୍ତ ହେଲାପରେ ମହିଳାଙ୍କର ଇଜ୍ଜତ ଲୁଟାଯାଉଛି । ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ କରିଥିବା ବିଧାୟକ ଜୟନାରାୟଣ ମିଶ୍ର ଏବଂ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଗୃହରେ ଗୁଣ୍ଡାଗିରି କରିଥିବା ବିଜେପି ବିଧାୟକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବ କଂଗ୍ରେସ ଦାବି କରିଛି । ଏହି ଆକ୍ରମଣର ଜବାବ ବିଧାନସଭା ବାହାରେ ଯୁବ କଂଗ୍ରେସ ଦେବ ବୋଲି ସତର୍କ କରିଦେଇଛି । ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରାଯାଇଛି ଏହି କାର୍ଯ୍ୟକ୍ରମରେ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ନିହାର ବେହେରା, ସୁଦିପ ସାମଲ, ଉଦିତ ପ୍ରଧାନ, ଗୋପନ ମାର୍ଥା, ସ୍ୱାଗତ କର, ମିଲନ ପଟ୍ଟନାୟକ, ମହମ୍ମଦ ପରଭେଜ, ବଟକୃଷ୍ଣ ରାଉତରାୟ, ବଳରାମ ନନ୍ଦ, ସୁରଜ ରାଉତ, କେଦାର ଦଳାଇ, ସଂଦୀପ ରାଉତରାୟ, ଲିପିକା ପାତ୍ର, ଶିଳ୍ପିଶ୍ରୀ ହରିଚନ୍ଦନ, ସସ୍ମିତା ପଣ୍ଡା, ସୁଶ୍ରୀ ବେହେରା, ସୁନିଲ ସାହୁ, ଆଲୋକ ଦାସ, ବିଂରଚି ବାରିକ, ଅଜୟ ପଣ୍ଡା, ପବିତ୍ର ସେଠୀ, ସାହାରୁଖ ଖାନ, ସାହିଲ ମହାନ୍ତି, ଚଣ୍ଡି ପ୍ରସାଦ ମହାପାତ୍ର, ଜଗଦିଶ ରାଉତ, ପ୍ରମୁଖ ଅଂଶଗହଣ କରିଥିଲେ ।
ମାର୍ଚ୍ଚ ୨୭ରେ ବିଧାନସଭା ଘେରିବ କଂଗ୍ରେସ…
• ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ ନେତୃବୃନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
* ଗୃହରେ କଂଗ୍ରେସ ବିଧାୟକ ତାରାବାହିନି ପତିଙ୍କୁ ଆକ୍ରମଣ ଓ ନିଳମ୍ବିନକୁ ଦୃଢ଼ ବିରୋଧ
( ) ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ଗୁରୁତ୍ଵପୂର୍ଣ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲୁ ଓ ଅତ୍କଳ ଭାରତ କଂଗ୍ରେସ ସମ୍ପାଦୀକା ରୋଜାଲୀନା ତିର୍କୀ ଯୋଗ ଦେଇଥିଲେ। ପ୍ରଭାରୀ ଶ୍ରୀ ଲଲ୍କୁ ଓଡ଼ିଶାରେ ଗତ କିଛିଦିନ ଭିତରେ କଂଗ୍ରେସ ଦଳ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କର ପ୍ରିୟ ଭାଜନ ହେବାରେ ସନ୍ତୋଷ ପ୍ରକାଶ କରିବା ସହିତ ବିଜେପି ଶାସନ ସମୟରେ ନାରୀ ଓ କୋମଳମତି ବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଦୁଷ୍କର୍ମ ବିରୋଧରେ ଦଳ ଆହୁରି ପ୍ରଭାବୀ ଢ଼ଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେଇଥିଲେ।
ପ୍ରାରମ୍ଭରେ ବୈଠକ ସଂପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ, ଓଡ଼ିଶାରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ଓ ଶିଶୁମାନଙ୍କ ଉପରେ ଯୌନ ଶୋଷଣ ସୀମା ଲଙ୍ଘିଛି । କଂଗ୍ରେସ ଦଳ ଏହାକୁ ଗୁରୁତ୍ବର ସହିତ ନେଇ ରାଜ୍ୟବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛି । ବିଧାନ ସଭା ଭିତରେ କଂଗ୍ରେସ ଦଳର ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଗଲାବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯିବା ଓ ବରିଷ୍ଠ ବିଧାୟକ ଶ୍ରୀ ତାରାବାହିନି ପତିଙ୍କୁ ୭ ଦିନ ପାଇଁ ନିଳମ୍ବନ କରିବା ଘଟଣାକୁ ସେ ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନି ଦେଇଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ୍ ବକ୍ତବ୍ୟ ରଖ୍ ଶାସକ ବିଜେପି ଦଳ କଂଗ୍ରେସ ବିଧାୟକମାନଙ୍କ ଉପରେ ପ୍ରୟୋଗ କରିଥିବା ଆଶାଳିନ ଭାଷା ଓ ଦହିକ ଆକ୍ରମଣକୁ ଅବତାରାଣା କରିବା ସହିତ ବିଧାନ ସଭା ଇତିହାସରେ ଏହା ବିରଳ ଦୃଷ୍ଟାନ୍ତ ବୋଲି କହିଥିଲେ। ବୈଠକର ପ୍ରାରମ୍ଭରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଗତ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟନିର୍ବାହୀ ବୈଠକ ପର ଠାରୁ ଏ ମଧ୍ୟରେ ବହୁ ମନ୍ତ୍ରୀ, କଂଗ୍ରେସ ନେତୃବୃନ୍ଦ, ସମାଜ ସେବୀ ଓ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ପରଲୋକ ଗମନ କରିଛନ୍ତି । ସେମାନଙ୍କ ଅବର୍ତ୍ତମାନରେ ଆଜିର ବୈଠକରେ ଶୋକ ପ୍ରକାଶ କରାଯିବା ସହିତ ସେମାନଙ୍କର ଆତ୍ମାର ସଦଗତି କାମନା କରାଯାଇଥିଲା।
ଯେଉଁମାନେ ପରଲୋକ ଗମନ କରିଛନ୍ତି ସେମାନେ ହେଲେ-ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ, ପୂର୍ବତନମନ୍ତ୍ରୀ ଡମ୍ବରୁଧର ଉଲାକା, ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ, ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ମାଝୀ, ପୂର୍ବତନ ପିସିସି ଉପସଭାପତି ସାବିତ୍ରୀ ଚୌଧୁରୀ, ପି.ସି.ସି ସଭ୍ୟା, ପ୍ରଭା ପଟେଲ, କାକଟପୁରର କାନନବାଳା ଖୁଣ୍ଟିଆ, ଯାଜପୁରର ସୁଧାଂଶୁବାଳା ରାଉତ, ବିଶିଷ୍ଟ ସିନେ କଳାକାର ଉତ୍ତମ ମହାନ୍ତି, ବାଲେଶ୍ଵରର କଂଗ୍ରେସ ନେତା ବିକାଶ ଦାସ ପ୍ରମୁଖଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ବୈଠକରେ ଓଡ଼ିଶାରେ କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତାମାନେ ବିଭିନ୍ନ ପ୍ରକାର ପ୍ରସ୍ତାବ ଦେଇଥିଲେ। ସାମାଜିକ ନ୍ୟାୟ, ଖଣି ଦୁର୍ନିତି, ଜାତିଗତ ଜନଗଣନା, ମଦର ଦୌରାତ୍ମ୍ୟ, ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍, କୃଷକମାନଙ୍କ ସମସ୍ୟା ଓ ପଞ୍ଚାୟତ ନିର୍ବାଚନ ଇତ୍ୟାଦି ପ୍ରସଙ୍ଗ ଗୁଡ଼ିକ ଆଲୋଚନାରେ ପ୍ରାଧାନ୍ୟ ପାଇଥିଲା । ନାରୀ ନିର୍ଯ୍ୟାତନା ବିରୋଧରେ ଓ ନାରୀ ମାନଙ୍କ ସଶକ୍ତିକରଣକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ବିଧାନ ସଭା ଘେରିବା ପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତି ହୋଇଥିଲା।
ଆଜିର ଏହି ବୈଠକରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଗିରିଧର ଗମାଙ୍ଗୋ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ପଞ୍ଚାନନ କାନୁନ୍ ଗୋ, ଡଃ ରାମଚନ୍ଦ୍ର ଖୁଟିଆ, ତାରାପ୍ରସାଦ ବାହିନିପତି, ସି.ଏସ୍. ରାଜନଏକ୍ଜା, ରମେଶ ଜେନା, ଅଶୋକ ଦାସ, ପ୍ରଫୁଲ ପ୍ରଧାନ, କାଡ୍ରାକା ଆପାଲାସ୍ଟାମି, ସାଗର ଦାସ, ପବିତ୍ର ସାଉଁଟା, ନିଳମାଧମ ହିକ୍କା, ସତ୍ୟଜିତ ଗମାଙ୍ଗ, ସୋଫିଆ ଫିରଦୋଷ, ମଙ୍ଗୁ ଖିଲ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସରସ୍ୱତୀ ହେମ୍ବ୍ରମ୍, ନକୁଳ ନାୟକ, ରାଧାକାନ୍ତ ଦିଗଲ, ସକୁନ୍ତଳା ଲାଗୁରି, ବଳଭଦ୍ର ମାଝୀ, ବିଜୟଲକ୍ଷ୍ମୀ ସାହୁ, ନଗେନ୍ଦ୍ର ପ୍ରଧାନ, ଅମର ପ୍ରଧାନ, ଯୁଧୁଷ୍ଠିର ଜେନା, ସମୀର କୁମାର ରାଉତରାୟ, ସୁଜିତ ପାଢ଼ୀ, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ମହମ୍ମଦ ମୁକିମ୍, ଭୂଜବଳ ମାଝି, ଲଲାଟେନ୍ଦୁ ମହାପାତ୍ର, କୃଷ୍ଣଚନ୍ଦ୍ର ସଗରିଆ, ଯଶୋବନ୍ତ ସିଂ ଲାଗୁରି, ଅଭିମନ୍ୟୁ ବେହେରା, ବିଶ୍ଵରଞ୍ଜନ ମହାନ୍ତି, ନବଜ୍ୟୋତି ପଟ୍ଟନାୟକ, ସମ୍ମିତା ବେହେରା, ମାନସ ଚୌଧୁରୀ, ଗିରିବାଳା ବେହେରା, ଉଦିତ ନାରାୟଣ ପ୍ରଧାନ, ସୁଦର୍ଶନ ଦାସ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମୀନାକ୍ଷି ବାହିନିପତି, ରଞ୍ଜିତ ପାତ୍ର, ବିଶ୍ଵଜିତ୍ ଦାସ, ୟାସିର ନଓ୍ୱାଜ, ବାଙ୍କନିଧ ବେହେରା, ବିଜୟାନନ୍ଦ ଚାଉଳିଆ, ବିଦ୍ୟାଧର ମହାନ୍ତି, ହଳଧର ସେଠୀ, ଅମୀୟ କୁମାର ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଅମୀୟ ପାଣ୍ଡବ ଓ ସ୍ମୃତିରଞ୍ଜନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ହରିଦ୍ଵାରରେ ଏନ୍.ୟୁ.ଜେ (ଆଇ)ର ରାଷ୍ଟ୍ରୀୟ ଅଧିବେଶନ….
{ } ଜାତୀୟ ସାମ୍ବାଦିକ ୟୁନିଅନ୍ ଏନୟୁଜେ (ଆଇ) ର ଦ୍ଵିଦିବସୀୟ ରାଷ୍ଟ୍ରୀୟ ସମ୍ମିଳନୀ ଦେବଭୂମି ଉତ୍ତରାଖଣ୍ଡର ହରିଦ୍ଵାର ଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଭର୍ଚୁଆଲ ମାଧ୍ୟମରେ ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ଓ କଲ୍ୟାଣ ଲାଗି ସବୁ ପ୍ରକାର ପଦକ୍ଷେପ ନେବାକୁ ତାଙ୍କ ସରକାର ସଂକଳ୍ପ ବଦ୍ଧ ବୋଲି କହିଥିଲେ। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଗଣେଶ ଯୋଷୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ୟୁନିଅନ୍ ର ସଭାପତି ରାସ୍ ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶ ରେ ୨୪ଟି ରାଜ୍ୟରୁ ରାଜ୍ୟରୁ ପ୍ରାୟ ୩୦୦ ସାମ୍ବାଦିକ ଯୋଗ ଦେଇଥିଲେ। ସମ୍ମିଳନୀରେ ମିଡିଆ କାଉନସିଲ ଗଠନ,ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ,ପ୍ରତ୍ୟାହୃତ ହୋଇଥିବା ସମସ୍ତ ସୁବିଧା ସୁଯୋଗର ପୁନଃ ପ୍ରଚଳନ ଉପରେ ଗୁରୁତ୍ବ ଦିଆଯାଇଥିଲା। ସଭାପତି ପ୍ରସନ୍ନ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଓୟୂଜେ ର ୭ଜଣିଆ ପ୍ରତିନିଧି ଦଳ ସମ୍ମିଳନୀରେ ସାମିଲ ହୋଇଥିଲେ। ସୁରକ୍ଷା ଆଇନ୍,ପେନସନ ଓ ଅଧିସ୍ବୀକୃତି ଆଦି ପ୍ରସଙ୍ଗରେ ଓ ୟୁ ଜେ ବ୍ୟାପକ ଅଭିଯାନ ଜାରି ରଖିଛି ବୋଲି ସଭାପତି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟ ରେ ଉଲ୍ଲେଖ କରିବା ସହ ନୂଆ ଲେବର କୋଡ କାର୍ଯ୍ୟକାରୀ ହେଲେ ସାମ୍ବାଦିକ ସେମାନଙ୍କର ଅନେକ ମୌଳିକ ଅଧିକାର ହରାଇବେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ସାଧାରଣ ସମ୍ପାଦକ କମ୍ବୁ ଓଡ଼ିଶା ରିପୋର୍ଟ ଉପସ୍ଥାପନ କରି ୟୁନି ଅନ ର ସାଂଗଠନିକ ସଫଳତାର ସୂଚନା ଦେଇଥିଲେ।ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ସାମନ୍ତରାୟ,ଅଭୟ ପତି,ସୁରେଶ ଦାସ, କିଶାନ୍ ରାଉତ ଓ ବରିଷ୍ଠ ସଦସ୍ୟ ପରୀକ୍ଷିତ ବିଶ୍ଵାଳ ପ୍ରମୁଖ ସମ୍ମିଳନୀରେ ଯୋଗ ଦେଇଥିଲେ। ୟୁନିଅନ୍ ର ଆଗାମୀ ଦ୍ଵିବାର୍ଷିକ ନିର୍ବାଚନ ପାଇଁ ଦିଲ୍ଲୀ ର ଅଶୋକ କିଙ୍କର ଙ୍କୁ ନିର୍ବାଚନ ଅଧିକାରୀ ମନୋନୀତ କରାଯାଇଥିଲା।
ଓଡ଼ିଶା ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସଂପୂର୍ଣ ବିଫଳ ହୋଇଛି: କଂଗ୍ରେସ…
- ଓଡ଼ିଶା ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସଂପୂର୍ଣ ବିଫଳ ହୋଇଛି: କଂଗ୍ରେସ
- ରାଜ୍ୟ ଆଜି ଏକ ଅପରାଧ ପ୍ରବଣ ରାଜ୍ୟରୂପେ ପରିଗଣିତ ସାରା ଦେଶରେ ହେଉଛ : କଂଗ୍ରେସ
( ) ରାଜ୍ୟରେ ମହିଳାମାନେ ପ୍ରତି ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ବହୁମାତ୍ରାରେ ଦିନକୁ ଦିନ ବଢ଼ି ବଢ଼ିଚାଲିଛି । ଏହାର ପ୍ରତିବାଦରେ ଓ ନିରାକରଣ ପାଇଁ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ଆହ୍ବାନକ୍ରମେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଓ ପ୍ରତିବାଦ ସଭା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତିଙ୍କ ପୌରହିତରେ ଆୟୋଜନ ହୋଇଥିଲା।
ରାଜ୍ୟରେ ମହିଳାମାନେ ଆଜି ସଂପୂର୍ଣ ରୂପେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଜନସଂଖ୍ୟାର ୫୦ ପ୍ରତିଶତ ମହିଳା ଏବଂ ଏହି ବର୍ଗଙ୍କୁ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରୁନାହାନ୍ତି ବା କରିପାରିନାହାନ୍ତି, ତାହାଲେ କିଭଳି ଏକ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଛନ୍ତି ଓ ଦେଖାଉଛନ୍ତି । ତାହା ଆଜି ବଡ଼ ପ୍ରଶ୍ନବାଚୀ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଏହି ପ୍ରତିବାଦ ସଭାରେ ଉଦ୍ବୋଧନ ଦେଇ କହିଛନ୍ତି ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ଏ ସରକାରଙ୍କୁ ତିଳେମାତ୍ର ସହ୍ୟ କରିବ ନାହିଁ, ଯେପର୍ଯ୍ୟନ୍ତ ମହିଳାମାନଙ୍କୁ ସଂପୂର୍ଣରୂପେ ସୁରକ୍ଷା ପ୍ରଦାନ କରାଯାଇନାହିଁ । ରାଜ୍ୟରେ ଏହି ୮ ମାସର ସରକାର ସମୟରେ ୫୪ଟି ଗଣଧର୍ଷଣ, ଧର୍ଷଣ ଓ ଧର୍ଷଣଜନିତ ମୃତ୍ୟୁ ଘଟିଛି । ରାଜ୍ୟରେ ଏଭଳି ଏକ ଜିଲ୍ଲା ନାହିଁ ଯେଉଁଠାରେ ଏଭଳି ଅମାନୁଷିକ, ବର୍ବର ଓ ପାସବିକ ଅତ୍ୟାଚାର ଏ ରାଜ୍ୟର ମା’ ଭଉଣୀ ଓ ଛାତ୍ରୀମାନଙ୍କ ଉପରେ ହୋଇନାହିଁ । ମହାମହିମ ରାଷ୍ଟ୍ରପତିଙ୍କ ନିଜ ଜିଲ୍ଲାରେ ଜଣେ ଆଦିବାସୀ ଝିଅଙ୍କ ଧର୍ଷଣ କରାଗଲା, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ଚମ୍ପୁଆ, ତେଲକୋଇ ଅଂଚଳରେ ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରୀଙ୍କୁ ଧର୍ଷଣ ଏବଂ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତି । ଯାଜପୁର ଜିଲ୍ଲାର କନ୍ୟାଶ୍ରମର ଛାତ୍ରୀ ଗର୍ଭବତୀ, ମାଲକାନାଗିରିର ଚିତ୍ରକୁଣ୍ଡାର ମାଟ୍ରିକ୍ ପରିକ୍ଷାତ୍ରୀ ଆଦିବାସୀ ଝିଅଟି ମାତୃତ୍ଵ ଲାଭ କରିବା, ଏହା ଆମ ରାଜ୍ୟର ସାମଗ୍ରିକ ମହିଳାମାନଙ୍କ ସୁରକ୍ଷା ଓ ସ୍ଥିତିପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହାମହିମ ରାଷ୍ଟ୍ରପତି ଏ ସମସ୍ତ ଘଟଣା ତାଙ୍କ ଜ୍ଞାତସାରରେ ଥିବ । କିନ୍ତୁ ଅନ୍ୟରାଜ୍ୟରେ ଘଟୁଥିବା ଘଟଣାକୁ ନିନ୍ଦାକରୁଥିଲାବେଳେ ନିଜ ରାଜ୍ୟରେ ଏଭଳି ସ୍ଥିତି ପ୍ରତି ସାମାନ୍ୟ କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଚିନ୍ତାର ବିଷୟ । ମହିଳାମାନଙ୍କୁ ନ୍ୟାୟ ଓ ସୁରକ୍ଷା ଦେବା, ରାଜ୍ୟ କଂଗ୍ରେସର ଏକମାତ୍ର ଦାବି ବୋଲି ସେ ରୋକ୍ ଠୋକ ଶୁଣାଇଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅତିକ୍ଷୋଭ ଓ ଦୁଃଖର ସହିତ କହିଲେ ଯେ, ଗୋଟେ ପଟେ ଏକକୋଟି ସୁଭଦ୍ରାଙ୍କୁ ୫ ହଜାର ଟଙ୍କା ଦେଇ ନିଜକୁ ଭଗବାନ ବୋଲି ଭାବୁଥିବା ଡବଲ ଇଞ୍ଜିନ ସରକାର ଦୟାକରି କହିବେ କି ଆଜି ଶହ ଶହ ସୁଭଦ୍ରାଙ୍କ ପ୍ରତି ପାଶବିକ ଅତ୍ୟାଚାର, ଧର୍ଷଣ ଓ ଗଣଧର୍ଷଣ ଘଟୁଥିଲାବେଳେ ଏ ସରକାର ଚୁପ୍ କାହିଁକି, ଏହା କ’ଣ ଏକ ସରକାରର କର୍ତବ୍ୟ କି ? ବେଟି ପଢ଼ାଓ ଓ ବେଟି ବଚାଓର ନାରା ଆଜି କେବଳ ନାରାରେ ରହିଯାଇଛି। ଏ ରାଜ୍ୟର ମହିଳା ଆଜି ସଂପୂର୍ଣ ଅସୁରକ୍ଷିତ। ରାଜ୍ୟ ଆଜି ଏକ ଅପରାଧ ପ୍ରବଣ ରାଜ୍ୟ ବୋଲି ମାନ୍ୟତା ପାଇସାରିଲାଣି । ଏହା ଆମ ଡବଲ ଇଞ୍ଜିନ ସରକାର ସବୁଠାରୁ ବଡ଼ ଉପଲବ୍ଧ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଥିଲେ ଯେ ଆଇନର ତରାଜୁ ଜଣେ ମହିଳାଙ୍କ ହାତରେ । କିନ୍ତୁ ଏ ଡବଲ ଇଞ୍ଜିନର ସରକାର ଏ ପ୍ରତି ଧ୍ୟାନ ଦେଉନାହାନ୍ତି । ରାଜ୍ୟର ମହିଳା ଯେତେ ସୁରକ୍ଷିତ ହେବେ ରାଜ୍ୟ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସେତେ ମଜଭୂତ ହେବ। ରାଜ୍ୟରେ ଆଦିବାସୀ ସ୍କୁଲ ଛାତ୍ରମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଓ ଗଣଦୁଷ୍କମ ସାରା ଦେଶରେ ରାଜ୍ୟକୁ ବଦନାମ କରିଛି । କିନ୍ତୁ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି ଦଳର କୌଣସି ନେତା ମୁହଁ ଖୋଲୁନାହାନ୍ତି।
ପୂର୍ବତନମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ କଟୁସମାଲୋଚନା କରି କହିଥିଲେ ଯେ, ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ସଂଗୀନ ଅପରାଧ ଓ ଅତ୍ୟାଚାର ଆଜି ବିଜେପି ଦଳର ମନୁବାଦି ଚିନ୍ତାଧାରାର ମୁଖ୍ୟକାରଣ ବୋଲି କହିଥିଲେ । ବିଜେପି ଦଳ ମନୁବାଦି ଚିନ୍ତାଧାରାରେ ଓ ଆଦର୍ଶରେ ଅନୁପ୍ରାଣିତ । ତେଣୁ ମନୁବାଦିମାନେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରନ୍ତି ନାହିଁ। ମହିଳା ମଧୁସ୍ମିତା ଆଚାର୍ଯ୍ୟ, ପ୍ରଭାବତି ପଟ୍ଟନାୟକ, ନିରୁପମା ପାତ୍ର, ଶ୍ରୀୟା ମହାନ୍ତି ଓ ବହୁ ମହିଳା କଂଗ୍ରେସ ନେତ୍ରୀମାନେ ଆଜି ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଅପରାଧକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟ ସରକାର ତୁରନ୍ତ ଏହାର ନିରାକରଣ ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା । ସେହିଭଳି ଭାବରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ଓ ଦେବାଶିଷ ପଟ୍ଟନାୟକ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟଚାର ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ। ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ଵଜିତ ଦାସ ତାଙ୍କ ନିଜ ବକ୍ତବ୍ୟରେ କହିଥିଲେ ଯେ ଯେପର୍ଯ୍ୟନ୍ତ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନ କରାଯାଇପାରିବ ନାହିଁ, ସେ ପର୍ଯ୍ୟନ୍ତ ରାଜ୍ୟ କେବେହେଲେ ଏକ ବିକଶିତ ରାଜ୍ୟ ହୋଇପାରିବ ନାହିଁ ବୋଲି କହିଥିଲେ । ବିଶେଷ କରି ଆଦିବାସୀ ଓ ଅନୁସୂଚିତ ଜାତି ଓ ଜନଜାତିର ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମକୁ କେବେ ବରଦାସ୍ତ ରାଜ୍ୟ କରିବ ନାହିଁ । ରାଜ୍ୟରେ ଏ ୮ ମାସ ଭିତରେ ମହିଳାଙ୍କ ପ୍ରତି ହେଉଥିବା ୧୬ ଶହ ସଂଗୀନ ଅପରାଧ ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଛି । ଏ ସରକାର ବିରୁଦ୍ଧରେ ଏ ଲଢ଼େଇ ଆରମ୍ଭ ମାତ୍ର।
ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ସୁବ୍ରତ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ମାନସ ଆଚାର୍ଯ୍ୟ, ମିହିର ଆଚାର୍ଯ୍ୟ, ମାନସୀ ଦାସ ପଟ୍ଟନାୟକ, ଗୀତାଞ୍ଜଳି ମହାନ୍ତି, ସ୍ନେହା ଜେନା, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ଆଶିଷ ମଲ୍ଲିକ, ରଜନୀ ମହାନ୍ତି ଓ ଅନ୍ୟମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ମନୋରଞ୍ଜନ ଦାଶ, ୟାସିର ନୱାଜ, ଛାତ୍ର କଂଗ୍ରେସ ସଭାପତି ଉବିତ୍ ପ୍ରଧାନ, ମହମ୍ମଦ ଇମବାଦ, ପ୍ରକାଶ ଜେନା, କୁସୁମ ପ୍ରଧାନ, ଚୈତାଳି ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ପ୍ରାଚୀ ରାଉତରାୟ, ଅଞ୍ଜଳି ସାହୁ, କିରଣ ସାହୁ, ନଜିବୁର ରେହମାନଖାନ, ଦେଓ ପ୍ରସାଦ, ପ୍ରସନ୍ନ ନାୟକ, ପ୍ରକାଶ ଜେନା, ସେକ ତାକମ, ମନୋଜ ସାହୁ, ବଳରାମ ନନ୍ଦ, ସୌମେନ୍ଦ୍ର ମହାନ୍ତି, ପ୍ରଶାନ୍ତ ଶତପଥ୍, ସତ୍ୟବ୍ରତ ନାୟକ, ସଂକୁନା କହଁର, ଅମିୟ ପଟ୍ଟନାୟକ, ଦୀପକ ସାହୁ, ପ୍ରଭାତ ପ୍ରତାପ ସିଂ, ଦିଲ୍ଲୀପ ସ୍ୱାଇଁ, ସେକ ସାହାଦୁଲ୍ଲା, ମଂଟୁ ମଲ୍ଲିକ, ପ୍ରଶନ୍ନ ପାଇକରାୟ, ଜୟକୃଷ୍ଣ ମଲ୍ଲିଆ, ଖଗେଶ୍ଵର ମଲ୍ଲିକ, କୃଷ୍ଣଚନ୍ଦ୍ର ପତି ଓ ଆତ୍ମାରାମ ପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
୧୨ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟାଇଟଲ ଜିତିଲା ଭାରତ…
() ଦୀର୍ଘ ୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟାଇଟଲ ଜିତିଛି ଭାରତ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଟ୍ରଫି ହାତେଇଛି। ଟିମ୍ ଇଣ୍ଡିଆର ବିଜୟ ପରେ ପ୍ରତିଟି ଭାରତୀୟ ଓ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରି ଖେଳି ଯାଇଛି। କିଏ ସେଲିବ୍ରେସନ କରୁଛି ତ ଆଉ କିଏ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛି । ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡ଼ାରେନ୍ ମିଚେଲ ସର୍ବାଧିକ ୬୩ରନ୍ ଏବଂ ମାଇକେଲ ବ୍ରେସୱେଲ ୫୩ ଇନିଂସ ବଳରେ ନ୍ୟୁଜିଲାଣ୍ଡ ୨୫୨ ରନର ଟାର୍ଗେଟ ଦେଇଥିଲା।
ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ପରେ, ଶ୍ରେୟସ ଆୟର ଏବଂ କେଏଲ ରାହୁଲ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଭାରତ ୪୯ ଓଭର ଲକ୍ଷ୍ୟ ହାସଲ କରି, ଚାମ୍ପିଅନ୍ସ ଟ୍ରଫିକୁ ନିଜ ନାମରେ କରିଥିଲା। ଭାରତୀୟ ସ୍ପିନରମାନଙ୍କ ଉତ୍କୃଷ୍ଟ ବୋଲିଂ ପ୍ରଦର୍ଶନ ଯୋଗୁଁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୨୫୨ ରନରେ ସୀମିତ ରଖିଥିଲା।
ଫଳରେ ୨୫୨ ରନ୍ ପିଛା କରି,ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଏକ ରେକର୍ଡ କରିଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୧୦୫ ରନ ହାତେଇଥିଲେ। ଚାମ୍ପିଅନ୍ସ ଟ୍ରଫି ଇତିହାସର ଫାଇନାଲରେ ପ୍ରଥମ ୱିକେଟ ପାଇଁ ଏହା ତୃତୀୟ ଶତକୀୟ ଭାଗୀଦାରି। ଏହା ସହିତ, ଦଳ ୨୫୨ ରନ୍ ଲକ୍ଷ୍ୟର ପିଛା କରିବା ସମୟରେ ଏହାର ମିଡିଲ୍ ଅର୍ଡର ବ୍ୟାଟସମ୍ୟାନଙ୍କ ଉପରେ ଚାପକୁ ବହୁ ପରିମାଣରେ ହ୍ରାସ କରିଥିଲା । ରୋହିତ-ଶୁଭମନଙ୍କ ଭଲ ଭାଗୀଦାରି ସତ୍ତ୍ୱେ, ଭାରତ ୩ ୱିକେଟ୍ ହରାଇବା ପରେ ଚାପରେ ପଡ଼ିଯାଇଥିଲା। କିନ୍ତୁ ମଧ୍ୟକ୍ରମରେ, ପ୍ରତ୍ୟେକ ମ୍ୟାଚ୍ରେ ଭଲ ଇନିଂସ ଖେଳି ଆସୁଥିବା ଶ୍ରେୟସ ଆୟର ଗୁରୁତ୍ୱପୂର୍ଣ୍ଣ ୪୮ ରନ୍ କରିଥିଲେ।
ତାଙ୍କ ସହିତ ଅକ୍ଷସର ପଟେଲ ୨୯ ରନର ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୧୮ ବଲ୍ରେ ୧୮ ରନ୍ କରି ଦଳକୁ ବିଜୟର ନିକଟତର କରିଥିଲେ। ଶେଷରେ କେଏଲ ରାହୁଲ ୩୪ ଓ ରବୀନ୍ଦ୍ର ଜାଡେଜା ୯ ରନର ଏକ ଅପରାଜିତ ଇନିଂସ ଖେଳି ଭାରତକୁ ବିଜୟୀ କରାଇଥିଲେ।
ମା ମାନଙ୍କୁ ଦିନକୁ ୨୭ ଟଙ୍କା ଦେଇ ଡବଲ ଇଞ୍ଜିନ ସରକାର ବାହା ବାହା ନେଉଛି : ନବୀନ…
ମା ମାନଙ୍କୁ ଦିନକୁ ୨୭ ଟଙ୍କା ଦେଇ ଡବଲ ଇଞ୍ଜିନ ସରକାର ବାହା ବାହା ନେଉଛି I ୨୭ ଟଙ୍କା ରେ ମା ମାନେ ନିଜ ପରିବାର ପାଇଁ ଏକ ଲିଟର କ୍ଷୀର କିଣି ପାରିବେକି?…ନବୀନ ପଟନାୟକ ପ୍ରଶ୍ନ କରିଛନ୍ତି l ମା ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ର ଅପଚେଷ୍ଟା କୁ ବିରୋଧୀ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ ଦେଇଛନ୍ତି l ଆଜି ବିଶ୍ୱ ମହିଳା ଦିବସ। ଏହି ଅବସରରେ ଶଙ୍ଖ ଭବନ ରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ କହିଥିଲେ ଯେ ମା ମାନେ ପରିବାରର ଶକ୍ତି। ସମାଜର ଶକ୍ତି । ୧୯୯୦ ରେ ପ୍ରିୟ ନେତା ବିଜୁ ବାବୁ ମା ମାନଙ୍କୁ ରାଜନୈତିକ ଭାବେ ସଶକ୍ତ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ । ମା ମାନଙ୍କ ପାଇଁ ପଞ୍ଚାୟତରେ ୩୩%ସଂରକ୍ଷଣ ରଖିଥିଲେ । ସରକାରୀ ଚାକିରୀରେ ମା ମାନଙ୍କ ପାଇଁ ସଂରକ୍ଷଣ କରିଥିଲେ । ତାହା ଆଜି ସଫଳ ହୋଇଛି । ମା ମାନେ ଆଜି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି । କିନ୍ତୁ ପଞ୍ଚାୟତି ରାଜ ଅନୁଷ୍ଠାନ କୁ ମଜବୁତ୍ କରିଥିବା ଓ ମା ମାନଙ୍କ ଅଧିକାର ପାଇଁ ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ Double Engine ସରକାର ଅପମାନିତ କରିଛନ୍ତି ବୋଲି ଶ୍ରୀ ପଟନାୟକ ଦୁଃଖ ପ୍ରକାଶ କରି ଥିଲେ. ବିଜୁ ବାବୁଙ୍କ ଜୟନ୍ତୀକୁ ରାଜନୈତିକ ଉଦେଶ୍ୟ ରଖି ପଞ୍ଚାୟତି ରାଜ ଦିବସ ଭାବେ ପାଳନକରାଗଲା ନାହିଁ ।ଶ୍ରୀ ପଟନାୟକ କହିଥିଲେ ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ସରକାର ପଞ୍ଚାୟତ ଅନୁଷ୍ଠାନ ରେ ମା ମାନଙ୍କ ପ୍ରତିନିଧିତ୍ୱ କୁ ବୃଦ୍ଧି କରିଛନ୍ତି । ପାର୍ଲିଆମେଣ୍ଟ ଓ ରାଜ୍ୟ ବିଧାନ ସଭାରେ ମା ମାନଙ୍କ ପାଇଁ ୧/୩ ପ୍ରତିଶତ ପାଇଁ ବିଜେଡି ଲଢେଇ ଜାରି ରଖିଛି l ଆମର ମିଶନ ଶକ୍ତି କାର୍ଯ୍ୟକ୍ରମ ମା ମାନଙ୍କୁ ସଶକ୍ତ କରିଛି । ଆତ୍ମ ନିର୍ଭର କରିଛି । ଡବଲ ଇଞ୍ଜିନ ସରକାର ମିଶନ ଶକ୍ତି ପରି ଲୋକପ୍ରିୟ କାର୍ଯ୍ୟକ୍ରମ କୁ ବନ୍ଦ ଚକ୍ରାନ୍ତ ବୋଲି ଶ୍ରୀ ପଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱାଭିମାନୀ ମା ମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରକାଶ କରି ଶ୍ରୀ ପଟନାୟକ କହିଥିଲେ ଯେ ପ୍ରଚାର ପାଇଁ ଡବଲ ଇଞ୍ଜିନ ସରକାର ଶହ ଶହ କୋଟି ଟଙ୍କା ଖର୍ଚ କରୁଛନ୍ତି, କିନ୍ତୁ ମା ମାନଙ୍କୁ ଦିନକୁ ମାତ୍ର ୨୭ ଟଙ୍କା ଦେଇ ବାହାଦୁରୀ ନେବାକୁ ଚେଷ୍ଟା କରୁଛନ୍ତି ୨୭ ଟଙ୍କାରେ ମା ମାନେ ନିଜ ପରିବାର ପାଇଁ ଏକ୍ ଲିଟରେ କ୍ଷୀର କିଣିପାରିବେକି ବୋଲି ଶ୍ରୀ ପଟନାୟକ ପ୍ରଶ୍ନ କରିଥିଲେ.
ମା ମାନେ ପରିଶେଷରେ ସୁଭଦ୍ରା ଯୋଜନାରୁ କିଛି ଉପକାର ପାଇବେ ନାହିଁ ବୋଲି ପ୍ରକାଶ କରି ମା ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିବା ପାଇଁ ବିଜେଡି ର ମହିଳା କର୍ମୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ.ବିଜୁ ଜନତା ଦଳ ମା ମାନଙ୍କ ରାଜନୈତିକ.ସାମାଜିକ ଅର୍ଥନୈତିକ ସଶକ୍ତିକରଣ ପାଇଁ କାମ କରୁଛି ଓ ବିଜେଡି ର ଦୂତ ଭାବରେ ପ୍ରତି ପରିବାର କୁ ଦଳ ର ନୀତି ଓ ଆଦର୍ଶ ସମ୍ପର୍କରେ ସଚେତନ କରିବାକୁ ଶ୍ରୀ ପଟନାୟକ ପରାମର୍ଶ ଦେଇଥିଲେ.ପ୍ରାରମ୍ଭ ରେ ଶ୍ରୀ ପଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା ରମା ଦେବୀ,ମାଳତୀ ଚୌଧୁରୀ,ସରଳା ଦେବୀ,ପାର୍ବତୀ ଗିରି,ଶୈଳବାଳା ଦାସ ଓ ନାରୀ କବି କୁନ୍ତଳା କୁମାରୀ ସାବତ ଓ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ photo ଚିତ୍ର ରେ ପୁଷ୍ପାଞ୍ଜଳି ପ୍ରଦାନ କରି ସମ୍ମାନ ଜଣାଇଥିଲେ. ଏହି ଅବସରରେ ଶ୍ରୀ ପଟନାୟକ ବିଭନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଡାକ୍ତର ସେବା ମହାପାତ୍ର,ଶ୍ରୀମତୀ କୁଞ୍ଜଳତା ସାମଲ,ଶ୍ରୀମତୀ ଓଜସ୍ୱିନୀ ମାହାର.ଶ୍ରୀମତୀ ଜୟନ୍ତୀ ପ୍ରଧାନ, ଡ଼କ୍ଟର ଜ୍ୟୋତିର୍ମୟୀ ମହାନ୍ତି ଡ଼କ୍ଟର ଶ୍ରୀମତୀ ରୋଜା ଘୋଷ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ.ଏହି କାର୍ଯ୍ୟକ୍ରମ ରେ ବିଜେଡି ସମନ୍ୱୟ କମିଟି ଅଧକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ଶ୍ରୀମତୀ ସୁଲତା ଦେଓ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ.
ଦକ୍ଷ ସଂଗଠକ ଅଭିଜ୍ଞ ପ୍ରଶାସକ ଥିଲେ ଅନନ୍ତ ଦାସ: ନବୀନ…..
()ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ସ୍ବର୍ଗତ ଦାସ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟନାୟକ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଦକ୍ଷ ସଂଗଠକ ଅଭିଜ୍ଞ ପ୍ରଶାସକ ଥିଲେ ଓ ଲୋକପ୍ରିୟ ରାଜନେତା ଥିଲେ.ଓଡିଶା ସରକାର ର ମନ୍ତ୍ରୀ ଭାବରେ ସେ ଶିଳ୍ପ,ଉଚ୍ଚଶିକ୍ଷା ପରି ଗୁରୁତ୍ୱ ପୂର୍ଣ୍ଣ ବିଭାଗ ର ମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟ ର ବିକାଶ ରେ ଉଲ୍ଲେଖ ନୀୟ ଯୋଗଦାନ ରଖି ଯାଇଛନ୍ତି. ବିଜୁ ଜନତା ଦଳ ବାଲେଶ୍ୱର ଜିଲ୍ଲା ସଭାପତି ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ. ତାଙ୍କ ବିୟୋଗ ରେ ରାଜ୍ୟ ଜଣେ ଅଭିଜ୍ଞ ରାଜନେତା ଙ୍କୁ ହରାଇଲା ଏବଂ ବିଜୁ ଜନତା ଦଳ ଜଣେ ନିଷ୍ଠାପର ସଂଗଠକ କୁ ହରାଇଲା ବୋଲି ଶ୍ରୀ ପଟନାୟକ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରୀ ପଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ମା ବିରଜାଙ୍କ ସିଂହଦ୍ୱାର ଅନ୍ଧାର…
() ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା।ଦେଶର ୫୧ଟି ଶକ୍ତିପୀଠ ମଧ୍ୟରୁ ମା ବିରଜା ପୀଠ ଅନ୍ୟତମ। ଦେଶର ଶକ୍ତିପୀଠ ମଧ୍ୟରେ ବିରଜା ପୀଠରେ କେବଳ ରଥଯାତ୍ରା ହୁଏ।ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠକୁ ପ୍ରତ୍ୟେକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରିବା ପାଇଁ ଛୁଟି ଆସିଛନ୍ତି। ସବୁବେଳେ ମାଙ୍କ ପୀଠ ଚଳଚଂଚଳ। ହେଲେ ବର୍ଷକରୁ ଅଧିକ ସମୟଧରି ବିରଜା ମନ୍ଦିରର ସିଂହଦ୍ୱାର ଷ୍ଟ୍ରିଟ ଲାଇଟ ଖରାପ ହୋଇ ଯାଇଥିବାରୁ ପ୍ରବେଶ ପଥ ଅନ୍ଧାର ରହୁଛି। ଫଳରେ ମାଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ବିରଜା ମନ୍ଦିରର ପୂଜକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ପ୍ରବେଶ ପଥ ଅନ୍ଧାର ଥିବାରୁ ଚୋରୀର ଭୟ ମଧ୍ୟ ରହୁଛି। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ସିଂହଦ୍ଵାର ଲାଇଟ୍ ମରାମତି କରିବାକୁ ସାଧାରଣରେ ଦାବି ହେଉଛି। ସରକାର ବଦଳିବା ପରେ ମା ବିରଜାଙ୍କ ପରିକ୍ରମା ପ୍ରକଳ୍ପ କାମ ମଧ୍ଯ ଠପ୍ ହୋଇଯାଇଥିବାରୁ ଯାଜପୁରବାସୀ ମାନେ ଚିନ୍ତାପ୍ରକଟ କରିଛନ୍ତି। ନିକଟରେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୂର୍ଥିରାଜ ହରିଚନ୍ଦନ ମା ମନ୍ଦିରର ବିକାଶ କାମ ସମୀକ୍ଷା କରିଥିଲେ। ମନ୍ଦିର ବିକାଶ କାମ ଆରମ୍ଭ ହୋଇନଥିବା ବେଳେ ପ୍ରଵେଶ ପଥ ଅନ୍ଧାର ହେବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। କେବେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିବ, ପ୍ରଵେଶ ପଥରେ ଲାଇଟ ଜଳିବ ତାକୁ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁମାନେ।
ମହିଳା ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢ଼ିବ: ସୋଆ ଉପସଭାପତି
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନଙ୍କ ପକ୍ଷରୁ ଶୁକ୍ରବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ଶ୍ରୀମତି ଦାସ ନିଜର ଅଭିଭାଷଣରେ କହିଛନ୍ତି ଯେ ନାରୀ ସମ୍ମାନର ଅଧିକାରିଣୀ । ଆଜି ପୁରୁଷ ସହ ସମସ୍କନ୍ଧ ହୋଇ ଉତୁଙ୍ଗ ଶିଖର ଛୁଇଁବା ସହ ଯୁଦ୍ଧ ବିମାନର ସଫଳ ଚାଳିକା ହୋଇପାରିଛି ନାରୀ । ଉଦ୍ୟୋଗ ଜଗତରେ ସଫଳତା ହାସଲ କରିବା ସହ କଳା, ଭାସ୍କର୍ଯ୍ୟ ଓ ଗବେଷଣା କ୍ଷେତ୍ରରେ ସେ ବେଶ ନିପୁଣା । ଘର ସମ୍ଭାଳିବାରେ ମଧ୍ୟ ନାରୀ ବେଶ ପାରଙ୍ଗମ ବୋଲି କହିଛନ୍ତି ଶ୍ରୀମତି ଦାସ । ମହିଳା ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢ଼ିବ । ନାରୀ ସଶକ୍ତୀକରଣ କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ତା’ର ପ୍ରୟାସ ନିରବଚ୍ଛିନ୍ନ ଭାବେ ଜାରି ରଖିଛି ବୋଲି ଶ୍ରୀମତି ଦାସ କହିଛନ୍ତି ।କେବଳ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ବିଭାଗରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଦୃଷ୍ଟିରୁ ସେମାନେ ବିଶ୍ୱବିଦ୍ୟାଳୟ ଓ ସାରା ରାଜ୍ୟରେ ଉଦାହରଣ ପାଲଟିଛନ୍ତି ବୋଲି ଆନନ୍ଦ ବ୍ୟକ୍ତ କରିଛନ୍ତି ସୋଆର ଉପସଭାପତି ଶ୍ରୀମତି ଦାସ । ଏହି କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି, ସୋଆର କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ପ୍ରାଚୀନ୍ର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ନାରୀ ସଶକ୍ତୀକରଣ ଏବଂ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ । ନିଜ ଅନୁଭୂତି ବଖାଣି ଏହି ପ୍ରମୁଖ ମହିଳାମାନେ ଝିଅମାନଙ୍କ ସମେତ ପୁଅମାନଙ୍କୁ ମଧ୍ୟ ଉପଯୁକ୍ତ ସଂସ୍କାର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ରୁଚି ଭୂୟାଁ, ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଏସ୍ଏନ୍ସି -୧ର ଡିନ୍ ପ୍ରଫେସର ସସ୍ମିତା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ, ପ୍ରଫେସର, ଫ୍ୟାକଲି୍ଟ. କାର୍ଯ୍ୟରତ ମହିଳା କର୍ମଚାରୀ ଏବଂ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ର ମହିଳା ସାମ୍ବାଦିକାମାନେ ଯୋଗ ଦେଇଥିଲେ ।
ସୂଚନା ଯୋଗ୍ୟ ଯେ ସୋଆର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୪ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ବିଭିନ୍ନ ଅନୁଷ୍ଠାନର ମହିଳା ଫ୍ୟାକଲ୍ଟି ଓ କର୍ମଚାରୀଙ୍କ ସଂଖ୍ୟା ୪୨ ପ୍ରତିଶତ ମହିଳା । ସେହିପରି ୪୬ ଜଣ ମହିଳା ସୋଆର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ଅଛନ୍ତି ।ଏହି କାର୍ଯ୍ୟକ୍ରମରେ ଆଡିସ୍ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିିଆର୍ , ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।














