ଧର୍ମେନ୍ଦ୍ରଙ୍କୁ ଛାଡି ଦିଲ୍ଲୀରେ ବିଜେପିର ବଡ ରଣନୀତି 

ବିଜେପି ରାଜନୀତିରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ଦରବାରରେ। ଓଡ଼ିଶାର ପୋଷ୍ଟର ବୟ ଓ ଓଡିଶା ବିଜେପିର ସବୁଠାରୁ ଚର୍ଚ୍ଚିତ ଚେହେରା ତଥା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତିରେ ବିଜେପି ବଡ ବୈଠକ କରିଛି। ସଂସଦ ଅଧିବେଶନ ଚାଲିଥିବା ବେଳେ ବିଜେପିର ୧୮ଜଣ ସାଂସଦ, ରାଜ୍ୟ ସଭାପତି, ପ୍ରଭାରୀ, ସଙ୍ଗଠନ ସମ୍ପାଦକ,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀରେ ବିଜେପି ସାଂସଦଙ୍କ ସହ ସଭାପତି ମନମୋହନ ସାମଲଙ୍କ ଆଲୋଚନା କରିଛନ୍ତି । ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ରହି ଦଳୀୟ ରଣନୀତି ଉପରେ ଆଲୋଚନା ହୋଇଛି। ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ବିରୋଧୀ ସକ୍ରିୟ ହେଉଥିବାରୁ ବିଜେପି ଏହାର କିପରି ଦୃଢ଼ ଜବାବ ଦେବ ତାହା ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।

ସବୁଠାରୁ ବଡ କଥା ହେଉଛି ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶା ନୁହେଁ ଦିଲ୍ଲୀ ଦରବାରରେ ରାଜ୍ୟ ସଭାପତି ଗ୍ରୁପ ଏହି ବୈଠକ ଜରିଆରେ ପାୱାର ଦେଖାଛନ୍ତି । ଯେହେତୁ ଓଡ଼ିଶାର ବିଭିନ୍ନ ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଦିଲ୍ଲୀ ଦରବାରରେ ହାଲାବୋଲ କରିବା ପାଇଁ ଋଣ ହୁଙ୍କାର ଦେଇଛନ୍ତି ଏହାର କାଉଣ୍ଟର ଜବାବ ଦେବାକୁ ବିଜେପି ସାଂସଦ ମାନଙ୍କୁ ନେଇ ବଡ ବୈଠକ କରି ରଣନୀତି ପ୍ରସ୍ତୁତ କରିଛି। ମୋଦୀ ଓ ବିଜେପି ସରକାରଙ୍କୁ ବିରୋଧୀ ଯେତେବେଳେ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ସେତେବେଳ ମୋଦୀ ଓ ଶାହାଙ୍କ ଅତି ଘନିଷ୍ଠ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଆସି କଡା ଜବାବ ଦିଅନ୍ତି ବିରୋଧୀଙ୍କୁ। ୨୦୨୪ ନିର୍ବାଚନ ପରେ ହଠାତ୍ ଓଡିଶା ରାଜନୀତିରୁ କେନ୍ଦ୍ରମନ୍ତ୍ରୀଙ୍କୁ ସାଇଡ କରାଯାଉଛି। ଚର୍ଚ୍ଚା ହେଉଛି ଆଗକୁ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ବଣ୍ଟନ ବେଳେ ଦିଲ୍ଲୀ ବୈଠକର ବଡ ପ୍ରଭାବ ପଡ଼ିବ। ତେବେ କାହିଁକି ଓ କେଉଁ କାରଣରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବୈଠକରେ ଅନୁପସ୍ଥିତ ରହିଲେ ତାହାକୁ ନେଇ ଦିଲ୍ଲୀରୁ ଓଡିଶା ଯାଏ ଚର୍ଚ୍ଚା। ଓଡ଼ିଶାର ଅନ୍ୟ ୨ଜଣ କେନ୍ଦ୍ରମନ୍ତ୍ରୀ ଅନୁପସ୍ଥିତ ରହି ଜାଣିଜାଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଇଡ କରିଦିଆଯାଇ ନାହିଁ ତ ? ତାହା ଏବେ ଓଡିଶା ରାଜନୀତିରେ ବଡ ଚର୍ଚ୍ଚା।

ଅରୁଣଙ୍କ ଟାର୍ଗେଟରେ ମୋହନ ସରକାର

ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ମୋହନ ସରକାରଙ୍କୁ ସିଧା ନିଶାନା କରୁଛନ୍ତି ମିଡିଆରେ। ମୋହନ ସରକାର ଯେତେ ପାକଳ ହେଉଛନ୍ତି ବିରୋଧୀ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଯେତେ ତେରେଛା ବାଣ ମାରୁଛନ୍ତି ସରକାରଂକ ବିଫଳତା ନେଇ । ଅରୁଣଙ୍କ ମିଡିଆ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ବିଜେଡି କର୍ମୀଙ୍କୁ ତୃଣମୂଳ ସ୍ତରରେ ଉତ୍ସାହିତ କରୁଥିବା ବେଳେ ବିଜେପିର ଟେନସନ୍ ବଢ଼ାଇଛି। ଆଜି କେଉଁ ପ୍ରସଙ୍ଗରେ କିପରି ସରକାରଙ୍କୁ ଜବାବ ଦେଇଛନ୍ତି ଅରୁଣ ପଢନ୍ତୁ

୪୭ ଅଫିସରଙ୍କ ଅଦଳବଦଳ କାହିଁକି…

ଅଫିସରଙ୍କ ଅଦଳବଦଳ କରିବା ସରକାରଙ୍କ ନିଷ୍ପତ୍ତି । କିନ୍ତୁ ଅଦଳ ବଦଳ କହୁଛି କି ସରକାର କାହା ଉପରେ ବିଶ୍ୱାସ ରଖି ପାରୁନାହାନ୍ତି । ସରକାରରେ ବିଶ୍ୱାସର ସଙ୍କଟ ବଢିଯାଇଛି। କେଉଁ ଅଫିସରଙ୍କୁ କେଉଁଠି ନିଯୁକ୍ତି ଦେବେ ବୁଝିପାରୁ ନାହାନ୍ତି। ସରକାର ହେଉଛନ୍ତି ଅଫିସରଙ୍କର ଯନ୍ତ୍ରତନ୍ତ୍ର । କେମିତି ସେମାନେ ଡେଲିଭରି କରିବେ ଆଦାୟ କରିବାର ଅଛି । ସରକାର ଅସ୍ଥିର ହୋଇଥିବାରୁ ସମସ୍ତଙ୍କୁ ଅବିଶ୍ୱାସ କରୁଛନ୍ତି । ବିପୁଳ ପରିମାଣରେ ଅଫିସର ବଦଳି ପ୍ରତିଦିନ ହେଉଛନ୍ତି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ।

ମନ୍ତ୍ରିମଣ୍ଡଳ କଟାକ୍ଷ 

ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବ ବୋଲି ଆମେ ବହୁତ ଦିନ ହେଲା ଶୁଣୁଛୁ । ଏବେ ହେବ ହେଇ ଆସିଲା। କିଏ ରାଜ୍ୟପାଳ ଭବନ ଗଲାଣି ତ କିଏ ଦିଲ୍ଲୀ। ସେଟା ତାଙ୍କ ଇଚ୍ଛା ଦିନ ବ୍ୟାପାର। କିନ୍ତୁ ୧୩ମାସରୁ ଅଧିକ ଦିନ ହେଲାଣି ଛଅଟି ମନ୍ତ୍ରୀପଦ ଖାଲି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛଅଟି ବିଭାଗ ଅଛି। ୮୭ଟି କରପୋରେସନ ନିଗମ ମାନ ଖାଲି ପଡିଛି । ଏମାନଙ୍କର ବର୍ଷ ଏକ ଖାଲି ପଡିଥିବାର ଉପଲବ୍ଧି ଅନେକ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ।

 

ପେସା ଆଇନ ଜବାବ.

ପେସା ଆଇନ ଏବେ ପେଶି ହୋଇଗଲାଣି। ତାଙ୍କ ମନ୍ତ୍ରୀ ମଣ୍ଡଳ ଗଢିବା ଚକରରେ। କିଏ ବାଦ ପଡିବ କି ନାହିଁ । ଆଗେ ସେମାନେ ଥଇଥାନ ହୁଅନ୍ତୁ। ବିରୋଧୀ ଦଳରେ ଥିବା ବେଳେ ବଡପାଟିରେ କହୁଥିଲେ ପେସା ଆଇନ ଆଣିବୁ ପେସା ଆଇନ ଆଣିବୁ। ପେସା ଆଇନ ବର୍ତ୍ତମାନ ପେଶି ହୋଇଗଲାଣି ସରକାର ବୋଲି ବିଜେଡି ବିଧାୟକଅରୁଣ ସାହୁ କହିଛନ୍ତି ।

କୋର୍ଟ ପ୍ରସଙ୍ଗରେ…

କେହି ଜଣେ ହାଇକୋର୍ଟରେ ଆବେଦନ କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ନଜରକୁ ଆସିଲା ସେତେବେଳେ କୋର୍ଟ କହିଲେ ତଦନ୍ତ ଯାହା ଅଛି ଠିକ ଅଛି। ଯାହା ସରକାରଙ୍କ ଏଜି ତଥ୍ୟ ଦେଇଛନ୍ତି। ସେଥିରେ ଅନ୍ୟ କେହି ପକ୍ଷ ନାହାନ୍ତି। ହାଇକୋର୍ଟ ନିଜସ୍ଵ ନୋଟିସ ମାଗିଛନ୍ତି କାହିଁକି ବନ୍ଦ କରିଥିଲେ। ତାହାକୁ ତର୍ଜମା କରିବାକୁ ହେବ। କିନ୍ତୁ ବିଜେପି ଓ ତାଙ୍କ ସରକାର ଉଲ୍ଲସିତ ହେବା ଆବଶ୍ୟକ ନାହିଁ । କାହିଁକି ନା ସୁପ୍ରିମ କୋର୍ଟର ଖଣ୍ଡପିଠ ଏକ ମନ୍ତବ୍ୟ ଦେଇଛନ୍ତି ବଳଙ୍ଗା ଏବଂ ବାଲେଶ୍ଵର ଘଟଣାକୁ ନେଇ କହିଛନ୍ତି ଏହା ଏକ ଲଜ୍ଜ୍ୟା। ମାନ୍ୟବର ସୁପ୍ରିମକୋର୍ଟ କହୁଛନ୍ତି ଏହା ଲଜ୍ଜ୍ୟା ତାଠୁ ବଡ ରିମାର୍କ କଣ ହୋଇପାରେ । ଲଜ୍ଜ୍ୟା ଲଜ୍ଜ୍ୟା ଲଜ୍ଜ୍ୟା। ଓଡ଼ିଶାବାସୀଙ୍କ ମୁଣ୍ଡକୁ ତଳକୁ କରିଦେଲେ ବିଜେପି ସରକାର। ଜାତୀୟ ଲଜ୍ଜ୍ୟା ହୋଇଗଲା ନାରୀ ନିର୍ଯ୍ୟାତନା। ଏମାନେ ପଶ୍ଚ୍ୟାତାପ ଓ ଅନୁତାପ କରନ୍ତୁ। ଆଇନଶୃଙ୍ଖଳା ନ ବିଗିଡିବ। ମହିଳା ହିସାଂ ନ ଘଟିବ ତାହାକୁ ଧ୍ୟାନ ଦିଅନ୍ତୁ। ଗତକାଲି ମନ୍ତ୍ରୀ, ଅଫିସରଙ୍କ ବାସଭବନ ଆଗରେ ତଥା ଭୁବନେଶ୍ୱର ବୁକୁ ଉପରେ ଯେଉଁଠି ହଜାର ହଜାର ପୋଲିସ ଅଛନ୍ତି ସେଠି ଅଭାବନୀୟ ଘଟଣା ଘଟିଲା। ଏମାନେ କଣ କରିବେ। ପୋଲିସ କଥା କହି ଘଟଣା ଛୋଟିଆ କରିବା ନାହିଁ । ସରକାର ଦୁର୍ବଳ । ସରକାରଙ୍କୁ ଦୁର୍ବଳ ଭାବିନେଲେଣି ।ସେଥିପାଇଁ ଅପରାଧୀ ଆଉ ମାନୁନାହାନ୍ତି।ସରକାର ଦୁର୍ବଳ ହେବା କାରଣରୁ ସରକାରଙ୍କର ହାତ ଗୋଡ ଅସ୍ତ୍ରସସ୍ତ୍ରବି ଦୁର୍ବଳ ହେବାରେ ଲାଗିଲାଣି ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମନ୍ଦିର ଓ ମଠ

 ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା’ ତାରିଣୀ ପୀଠ, ଯାଜପୁର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।  ସମୀକ୍ଷା ବୈଠକରୁ ଜଣାଯାଇଛି ଯେ, ଘଟଗାଁ ମା’ ତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ୫୯ ଏକର ପରିମିତ ଅଞ୍ଚଳରେ ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି। ଅଢେଇ ବର୍ଷ ମଧ୍ୟରେ ଏହି ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଘଟଗାଁ ମା’ ତାରିଣୀଙ୍କ ପୀଠରେ ୨୦୦ ଶଯ୍ୟା ବିଶିଷ୍ଟ ଏକ ଯାତ୍ରୀ ନିବାସ, ୩୦୦ ସିଟ୍ ବିଶିଷ୍ଟ ବ୍ୟାଖ୍ୟାନ କେନ୍ଦ୍ର, ନଡିଆ ଗୋଦାମ, ୫୦୦ ସିଟ୍ ବିଶିଷ୍ଟ ପ୍ରସାଦ ସେବନ ଗୃହ, ଫୁଡ ପ୍ଲାଜା, ପାର୍କିଂ ସୁବିଧା, ମାର୍କେଟ କମ୍ପ୍ଲେକ୍ସ, ଡ୍ରେନେଜ୍ ସିଷ୍ଟମ, ପୁଷ୍କରିଣୀ ଏବଂ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଇତ୍ୟାଦି ରହିଛି।

 ମନ୍ଦିର କମିଟି ସହିତ ଆଲୋଚନା କରି ଏ ସବୁ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ଘଟଗାଁ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଦୋକାନ ଗୁଡିକୁ ମାର୍କେଟ କମ୍ପ୍ଲେକ୍ସରେ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

 ସେହିଭଳି ପ୍ରସିଦ୍ଧ ଶକ୍ତି ପୀଠ ଯାଜପୁର’ର ମା’ ବିରଜାଙ୍କ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୪ଟି ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଏଥିରେ ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ମନ୍ଦିର ଚତୁଃପାର୍ଶ୍ୱ ବିକାଶ, ବିରଜା ହାଟ ସ୍ଥାପନ, ବ୍ରହ୍ମକୁଣ୍ଡର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ବ୍ୟାଖ୍ୟାନ କେନ୍ଦ୍ର, ଧର୍ମଶାଳା, ହାତୀ ପୋଖରୀ ପୁନରୁଦ୍ଧାର ଏବଂ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା ପାଇଁ କାର୍ଯ୍ୟ ଅନ୍ତର୍ଭୁକ୍ତ ଅଛି।

 ଆହୁରି ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ମନ୍ଦିର ଚତୁଃପାର୍ଶ୍ୱର ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଏକାମ୍ର କ୍ଷେତ୍ର ହେଉଛି ଭାରତ ବର୍ଷର ଏକ ପ୍ରାଚୀନ ଶୈବ ପୀଠ। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ଛୋଟ ବଡ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଆଲୋଚନା କରି ଏ ସବୁ ମନ୍ଦିର ଗୁଡିକର ଉନ୍ନତିକରଣ କରାଗଲେ, ଏକାମ୍ର କ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ବଜାୟ ରହିବ ବୋଲି ସେ କହିଥିଲେ।

 ଏହି ବୈଠକରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂହ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ବଳଙ୍ଗା ନାବାଳିକା ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡି ସଂଖ୍ୟାଲଘୁ ସେଲ୍ର ପ୍ରାର୍ଥନା

 ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ନାବାଳିକା ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଶଙ୍ଖ ଭବନଠାରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରାର୍ଥନା ସଭାରେ ବାଲେଶ୍ୱର ଏଫ୍ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀର ଆତ୍ମାର ସଦ୍ଗତି କାମନା କରାଯିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା ।

 ସଂଖ୍ୟାଲଘୁ ସେଲ୍ ସହସଂଯୋଜକ ରିଜୁୱାନ ବେଗମଙ୍କ ଆବାହକତ୍ୱରେ ଏହି ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରୀଯୁକ୍ତ ସଂଜୟ ଦାସ ବର୍ମା, ଶ୍ରୀଯୁକ୍ତ ସୁଶାନ୍ତ ରାଉତ, ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ମଂଜୁଲତା କହଁର, ଶ୍ରୀଯୁକ୍ତ ମନ୍ମଥ ରାଉତରାୟ, ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ଶ୍ରୀଯୁକ୍ତ ତୁମ୍ବନାଥ ପଣ୍ଡା, ଶ୍ରୀଯୁକ୍ତ ବିଜୟ ନାୟକ, ଶ୍ରୀଯୁକ୍ତ ସୁବ୍ରତ ଛାଟୋଇ, କସ୍ତୁରୀ ମହାପାତ୍ର, ମୋନାଲିସା ବେହେରା, ମିହିର କୁମାର ରାଉତ, ପ୍ରସନ୍ନ ସାହୁ, ଚଗଲା ଜେନା, ବାସନ୍ତୀ ସିଂ, ସୁମିତ୍ରା ଜେନା, ସୋଫିଆ ଆଲାମ, ବନଜା ମହାନ୍ତି, ଇଲା ସ୍ୱାଇଁ ପ୍ରମୁଖ ରହିଥିଲେ ।

ସେହିପରି ସଂଖ୍ୟାଲଘୁ ସଂପ୍ରଦାୟର ଶେଖ ନିଜାମୁଦ୍ଦିନ, ଶକିରୁଲ ରେହମାନ, ମୁଶ୍ରରତ ଖାନ, ମହମ୍ମଦ ମୁବୀନ, ଶେକ୍ ଜଲାଲ, ଶେକ୍ ସବୀର ଅଲ୍ଲୀ, ଜାକିର ଖାନ, ହାଜୀ ସଦୁରୁଲ୍ଲା, ପୀର ମହମ୍ମଦ କଲୀମ, ମେହବୁମ ବେଗ୍ ଓ ଅବୁଲ ଖାୟର ପ୍ରମୁଖ ଯୋଗ ଦେଇ ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା ସହ ପରିବାରକୁ ଏହି କଠିନ ସମୟର ସମ୍ମୁଖୀନ ହେବା ପାଇଁ ଶକ୍ତି ଓ ସାହାସ ପ୍ରଦାନ ନିମନ୍ତେ ପ୍ରାର୍ଥନା କରିଥିଲେ ।

ଅନାସ୍ଥା ବିଜେଡି ଆଣୁ ନଚେତ୍ କଂଗ୍ରେସ ଆଣିବ: ଭକ୍ତ

ରାଜ୍ୟରେ ହେଉଥିବା ନାରୀ ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ କଂଗ୍ରେସ ଦଳର ଅବିରାମ ସଂଗ୍ରାମ ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଆହ୍ଵାନ କ୍ରମେ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ସଭାପତି ଶ୍ରୀ ଦାସ ଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,ଜୟଦେବ ଜେନା ପ୍ରମୁଖ ନାରୀ ନ୍ୟାୟ ଆନ୍ଦୋଳନ ଏକ ସନ୍ତୋଷଜନକ ପର୍ଯ୍ୟାୟକୁ ଏବଂ ଅତ୍ୟାଚାରୀତ ନାରୀଙ୍କ ପାଇଁ ନ୍ୟାୟର ଉପଯୁକ୍ତ ବ୍ୟବସ୍ଥା ନକଲା ପର୍ଯ୍ୟନ୍ତ ଏହା ଆଗକୁ ଯୋରଦାର ହେବା ସହିତ ଅବିରାମ ଜାରି ରହିବ ବୋଲି ବକ୍ତାଗଣ ପ୍ରକାଶ କରିଛନ୍ତି । ତେବେ ଏତେସବୁ ବିଭତ୍ସ ଘଟଣା ଘଟିବା ପରେ ମଧ୍ୟ ସରକାରଙ୍କୁ ସାମାନ୍ୟତମ ଲଜ୍ଜାବୋଧ ହେଉନି ବୋଲି ପିସିସି ସଭାପତି ଶ୍ରୀ ଦାସ କଟୁକ୍ତି ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ନିଜ ବକ୍ତବ୍ୟରେ ଶ୍ରୀ ଦାସ କହିଥିଲେ ଯେ ପ୍ରତ୍ୟହ ନାରୀ ନିର୍ଯାତନା ପାଇଁ ରାଜ୍ୟର ଜନତା ମର୍ମାହତ ଏବଂ ଲଜ୍ଜିତ । କିନ୍ତୁ ରାଜ୍ୟ ସରକାର କିଛି ହୃଦୟଙ୍ଗମ କଲାଭଳି ଦେଖାଯାଉ ନାହିଁ । ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତପରେ ଆମେରିକା ରାଷ୍ଟ୍ରପତି, ଆମେରିକୀୟ ନାଗରିକ ନଯିବା ପାଇଁ ବାରଣ କରିଛନ୍ତି । ଆମ ଦଳର ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେଜୀ ଏବଂ ଲୋକସଭା ବିରୋଧି ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ତାଙ୍କ ଓଡ଼ିଶାଗସ୍ତ ସମୟରେ ନାରୀ ନିର୍ଯାତନା ବିଷୟରେ ସରକାରଙ୍କୁ ସୂଚାଇଥିଲେ । ଏପରିକି ବର୍ତ୍ତମାନ ସୁପ୍ରିମକୋର୍ଟ ଓଡ଼ିଶାରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଆମକୁ ଲଜ୍ଜା ଅନୁଭବ ହେଉଛି ବୋଲି ନିଜ ତରଫରୁ ଉଲ୍ଲେଖ କରିଛନ୍ତି । ବିଧାନସଭାରେ ଗଣ୍ଡଗୋଳ ହେବା ସମୟରେ ଆମେ ଗୃହ କମିଟି ଗଠନ କରିବା ପାଇଁ ଦାବି କରିଥିଲୁ କିନ୍ତୁ ସରକାର କର୍ଣ୍ଣପାତ କଲେ ନାହିଁ । ଯାହାଫଳରେ ଜଗତସିଂହପୁର, ନୟାଗଡ଼, ଗୋପାଳପୁର, ବାଲେଶ୍ୱର ଏବଂ ବଳଙ୍ଗା ଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟି ଚାଲିଛି । ଆମେ କିନ୍ତୁ ବିରୋଧି ଦଳ ହିସାବରେ ଲଜ୍ଜିତ । ତେଣୁ ଆମେ ଚୁପ ହୋଇ ବସିପାରିବୁ ନାହିଁ । ନିର୍ବାଚନ ବର୍ତ୍ତମାନ ନାହିଁ ଏବଂ ଏହା ନିର୍ବାଚିତ ରାଜନୀତି ପାଇଁ ନୁହଁ । ଏହା କେବଳ ନାରୀଙ୍କ ନ୍ୟାୟ ପାଇଁ ଆମେ ଲଢ଼ୁଛୁ ।

 ସରକାର ନା କିଛି କରୁଛନ୍ତି ନା ଗାଦି ଛାଡ଼ୁଛନ୍ତି । ତେଣୁ ମୁଖ୍ୟ ବିରୋଧି ଦଳ ହିସାବରେ ବିଜେଡ଼ି ଅନାସ୍ଥା ପ୍ରସ୍ତାବ ଆଣୁ ଏବଂ କଂଗ୍ରେସ ତାକୁ ସମର୍ଥନ କରିବ । ଯଦି ନ ଆଣୁଛି ତେବେ କଂଗ୍ରେସ ଅନସ୍ଥା ପ୍ରସ୍ତାବ ଆଣିବ ଏବଂ ବିଜେଡ଼ି ସମର୍ଥନ କରୁ । ଯଦି ବିଜେଡ଼ି କିଛିବି କରେନାହିଁ ତେବେ ନାରୀଙ୍କ ନ୍ୟାୟ ପାଇଁ ମୂଲ୍ୟହୀନ ପ୍ରହସନ ରାଜରାସ୍ତାରେ ବନ୍ଦ କରୁ ।

 ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଯେ ସ୍ୱାଧୀନତାକୁ ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଏଭଳି ଲଜ୍ଜାଜନକ ଘଟଣା ସବୁ ଘଟୁଛି ଏବଂ ଆଇନ ଶୃଙ୍ଖଳାକୁ ସମ୍ଭାଳିବାରେ ସରକାର ବିଫଳ ହେଉଛନ୍ତି । ଓଡ଼ିଶାର ବିଜେପି ସରକାର ବିରୋଧରେ କଂଗ୍ରେସ ଯେଉଁ ଅଭିଯୋଗ ଆଣିଥିଲା ସୁପ୍ରିମକୋର୍ଟ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆଜି ମୋହର ଲଗାଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ଭତ୍ସନାପରେ ସରକାର ଅନ୍ତତଃ ଇସ୍ତଫା ଦେଇଦେବା ଉଚିତ । ଏହା ସହିତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଲେ ଯେ ସ୍ୱତଃପ୍ରବୃତ ଭାବେ ଓଡ଼ିଶାର ଜନସାଧାରଣ ଯେଭଳି ଶାନ୍ତପୂର୍ଣ୍ଣ ବନ୍ଦକୁ ସଫଳ କଲେ ଏହା ଜଣାଇ ଦେଉଛି ଯେ ଓଡ଼ିଶାର ଜନସାଧାରଣ ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବେ ନାହିଁ ।

 ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତରରେ ପିସିସି ସଭାପତି ଶ୍ରୀ ଦାସ ଡବଲ ଇଞ୍ଜିନ ସରକାରର ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ କେହି ମଧ୍ୟ ଲଜ୍ଜିତ ନୁହଁନ୍ତି, ଯଦି ଥା’ନ୍ତେ ତେବେ ଘଟୁଥିବା ନାରୀ ଅତ୍ୟାଚାର ବାବଦରେ ରାଜ୍ୟବାସୀଙ୍କୁ ପଦୁଟିଏ ନିଶ୍ଚିତ କହିଥାନ୍ତେ । ଦମ ଯଦି ଅଛି ତେବେ ଛାତିଫାଡ଼ି ନ୍ୟାୟଦିଅ । ନହେଲେ ହଟିଯାଅ ବୋଲି ସେ ସରକାରଙ୍କୁ ଆହ୍ୱାନ କରିଥିଲେ । ଗଣମାଧ୍ୟମର ଅନ୍ୟ ଏକ ପ୍ରସଙ୍ଗର ଉତ୍ତର ରଖି ସଭାପତି ଶ୍ରୀ ଦାସ କହିଲେ ଯେ ନବୀନ ସବୁବେଳେ ଅନ୍ଧକାର ଭିତରେ।ତାଙ୍କୁ ଭେଟିବାକୁ କେବଳ ଜଣଙ୍କୁ ଅନୁମତି ଅଛି । ଭଗବାନ କରନ୍ତୁ ଆମେ ଆହ୍ୱାନ କରିଥିବା ଅନାସ୍ଥା ପ୍ରସ୍ତାବ ବିଷୟ ତାଙ୍କ ପାଖରେ ପହଞ୍ଚୁ ।

 ମୁଁ ପିସିସି ସଭାପତି ଦାୟିତ୍ୱ ନେବ ପରଠୁ ଦୀର୍ଘ ୫ ମାସ ହେଲା ପରିବାର ସହିତ ଶାନ୍ତିରେ ଦିନଟିଏ ମଧ୍ୟ ବିତାଇ ପାରିନି । ଅନବରତ ରାଜ୍ୟ ଜନତାଙ୍କ ପାଇଁ କାମ କରି ଚାଲିଛି । ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ପରଦିନଠୁ ଯେଭଳି ରାଜ୍ୟରେ ନାରୀ ନିର୍ଯାତନା ଘଟି ଚାଲିଛି ମୋତେ ଘୋର ବ୍ୟଥିତ କରିବା ସହିତ ଲଜ୍ଜା ଅନୁଭୁତ ହେଉଛି । ତେଣୁ ନାରୀ ନ୍ୟାୟ ଆନ୍ଦୋଳନ ବର୍ତ୍ତମାନ ରାଜ୍ୟର ପ୍ରଥମ ଆବଶ୍ୟକତା ଚିନ୍ତାକରି କଂଗ୍ରେସ ଦଳ ନାରୀ ନ୍ୟାୟ ଆନ୍ଦୋଳନ ଆରମ୍ଭ କଲା । କେତେବେଳେ କେମିତି ମୋ ବକ୍ତବ୍ୟ କଡ଼ା ହୋଇଯାଏ କିନ୍ତୁ ଏହା ସରକାରଙ୍କୁ କ୍ରିୟାଶୀଳ କରିବା ହେଉଛି ମୋର ଉଦ୍ଦେଶ୍ୟ । କାହାକୁ ବ୍ୟକ୍ତିଗତ କହେନି ଯାହାବି କହେ ରାଜ୍ୟର ସ୍ୱାର୍ଥରେ କୁହେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।

 ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପ ସଭାପତି ତାରା ପ୍ରସାଦ ବାହିନୀପତି,ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର,ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନାରୀ ନ୍ୟାୟ ପାଇଁ ଲଢ଼ିବ ନାରୀ ନ୍ୟାୟ ବାହିନୀ

 ନ୍ୟାୟ ପାଇଁ ଲଢ଼ିବ ନାରୀ ନ୍ୟାୟ ବାହିନୀ। ଆଉ ବାରମ୍ବାର ନାରୀ ଅତ୍ୟାଚାର ହେବନି।ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ନାରୀ ନ୍ୟାୟ ସ୍ୱତଃ ଓଡ଼ିଶାରେ ଜାଗି ଉଠୁ। ସମାଜରେ ନାରୀ ଆଉ ଶୋଷିତ ହେବନି। ଭଗବାନ ରାମଙ୍କୁ ମାଆ ସୀତାଙ୍କୁ ନ୍ୟାୟ ଦେବା ପାଇଁ ଚଉଦ ବର୍ଷ କଷ୍ଟ କରିବାକୁ ପଡିଥିଲା।ସେହିପରି ଦ୍ରୌପଦୀଙ୍କୁ ନ୍ୟାୟ ଦେବା ପାଇଁ ଶ୍ରୀକୃଷ୍ଣ ଆଗେଇଆସିଥିଲେ । ରାଜ୍ୟ କଂଗ୍ରେସର ସମସ୍ତ ଶକ୍ତି ନାରୀ ନ୍ୟାୟ ପାଇଁ ସମର୍ପିତ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।

   ବୁଧବାର ନାରୀ ନ୍ୟାୟ ବାହିନୀ ଆପ ଉନ୍ମୋଚନ ଅବସରରେ ଭକ୍ତ କହିଛନ୍ତି, ଯୁଗ ଯୁଗରେ ନାରୀ ପ୍ରତି ଅତ୍ୟାଚାର ହୋଇ ଆସିଛି। ୟା ପୂର୍ବରୁ ବି ହେଉଥିଲା। ଏବେବି ବିଭିନ୍ନ ସ୍କୁଲ, କଲେଜରେ, ରାସ୍ତା, ଘାଟରେ ନାରୀ ପ୍ରତି ଅନ୍ୟାୟ ହେଉଛି। ଗତକାଲି ରାତିରେ, ଯେଉଁଠି ମନ୍ତ୍ରୀ ରହୁଛନ୍ତି ପିଏମଜି ଛକରେ ଜଣେ ନାରୀଙ୍କୁ ଦୁର୍ବୃତ୍ତ ଟାଣି ନେଲେ।ରାଜ୍ୟରେ ମହିଳା ଏବେ ସୁରକ୍ଷିତ ନୁହନ୍ତି। ରାହୁଲ ଗାନ୍ଧୀ, ଖଡ଼ଗେ ଓଡିଶା ଆସିଲେ। ନାରୀ ନ୍ୟାୟ ଦେବା ପାଇଁ ଆହ୍ୱାନ ଦେଲେ। ଏବେ ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି। କଂଗ୍ରେସ ଏଥିରେ ସାମିଲ ହେବ। ନାରୀ ନ୍ୟାୟକୁ ନେଇ କଂଗ୍ରେସ ରାଜନୀତି କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତ କହିଥିଲେ।

ଏହି ଅବସରରେ ସମାଜସେବୀ ରଂଯୁକ୍ତା କୁମାରୀ ବେହେରା ନାରୀ ନ୍ୟାୟ ଆପ ଉଦଘାଟନ କରି କହିଥିଲେ,ଏବେବି ବହୁ ନାରୀଙ୍କ ନିର୍ଯାତନା ମାମଲା ଲୋକଲୋଚନକୁ ଆସି ପାରୁନି। ଆମେ ବ୍ଲକ ସ୍ତରରେ ସଚେତନ କାର୍ଯ୍ୟକ୍ରମ କରିବୁ। ସେମାନେ କେମିତି ବାହାରକୁ ଆସିବେ, ଏବଂ କହିବେ ତାହା ଚେଷ୍ଟା କରିବୁ ବୋଲି ରଞ୍ଜିତା କହିଛନ୍ତି। ନାରୀ ନ୍ୟାୟ ବାହିନୀ ଆବାହକ ତଥା ସଂଯୋଜିକା ଗାୟତ୍ରୀ ବିଶ୍ଵାଳ କହିଥିଲେ, ସମାଜରେ ଏବେକାର ବ୍ୟବସ୍ଥାରେ ବହୁ ନାରୀ ହିଂସାର ଶିକାର ହେଉଛନ୍ତି। ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି। ବହୁ ସମୟରେ ନାରୀଟିଏ ଅତ୍ୟାଚାର ହେବା ପରେ କେଉଁଠି ଅଭିଯୋଗ କରିବେ, ତାହା ଜାଣି ପାରୁନାହାନ୍ତି। ତେଣୁ ଗାଁକୁ ଯିବ ନାରୀ ନ୍ୟାୟ ବାହିନୀ। ଲୋକଙ୍କୁ ସଚେତନ କରିବ। ଓଡିଶାର ନାରୀମାନେ କିଭଳି ନ୍ୟାୟ ପାଇବେ, ସେ ନେଇ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି।ଆଇନଜୀବୀ ସୂର୍ଯ୍ୟସ୍ମିତା ପଣ୍ଡା କହିଲେ, ନାରୀଙ୍କୁ ସଶକ୍ତିକରଣ କରିବା ପାଇଁ ପୁରୁଷ ମନରେ ଚିନ୍ତାର ପରିବର୍ତ୍ତନ ଆବଶ୍ୟକ। ପୁରୁଷମାନେ ଆଗକୁ ଆଗେଇ ଆସିଲେ ନାରୀକୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ସୂର୍ଯ୍ୟସ୍ମିତା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶେଫାଳି ଶର୍ମା, ସୃଷ୍ଟି ସୋମେନ୍, ନିବେଦିତା ପଟ୍ଟନାୟକ ପ୍ରମୁଖ ନାରୀ ନ୍ୟାୟ ପାଇଁ ଆଗ ଭଲରେ ଚେଷ୍ଟା କରିବୁ, ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବୁ ବୋଲି ସେମାନେ କହିଛନ୍ତି।

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘରକୁ ଅଣ୍ଡା ଫୋପାଡି ଗିରଫ ଛାତ୍ର ନେତା ଜେଲରୁ ମୁକୁଳିଲେ

ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ବାସଭବନ କୁ ଅଣ୍ଡା ମାଡ଼ କରି ଗିରଫ ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ, ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟରଞ୍ଜନ ଜେନା, ସାଧାରଣ ସମ୍ପାଦକ ସୁଭଙ୍କର ସେଠୀ, ଛାତ୍ର ନେତା ବଳରାମ ସାହୁ ଝାରପଡା ଜେଲରୁ ଆଜି ମୁକୁଳିଛନ୍ତି।ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକ ଏବଂ କଂଗ୍ରେସ ନେତା ନିରଞ୍ଜନ ନାୟକ ପ୍ରମୁଖ ଉକ୍ତ ଛାତ୍ର ନେତାଙ୍କୁ ପୂଷ୍ପଗୁଛ ଦେଇ ସ୍ବାଗତ କରି ସେମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ନେଇଥିଲେ । ସେଠାରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସେମାନଙ୍କୁ ସ୍ବାଗତ କରିବା ସହ କହିଥିଲେ କି ଆମ ଛାତ୍ର ନେତା ମାନେ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିଥିଲେ କିନ୍ତୁ ତାଙ୍କୁ ଜାଣି ଶୁଣି ଗିରଫ କରାଗଲା । ଆମ ପିଲାଙ୍କୁ ଜେଲର ଭୟ ଦେଖାଇ ଭୟଭୀତ କରିବା ପାଇଁ ଚେଷ୍ଟା କରାଯାଇଛି। ଯେଉଁ ପର୍ଯ୍ୟନ୍ତ ସୌମ୍ୟାଶ୍ରୀ କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଶ୍ରୀ ଯୁକ୍ତ ଦାସ ଚେତେଇ ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମହୃତି ଦେଇ ମୃତ୍ୟୁ ବରଣ କରିଥିବା ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗତ ୧୬ ତାରିଖ ଦିନ ଛାତ୍ର କଂଗ୍ରେସ କର୍ମୀମାନେ ଘେରାଉ କରିଥିବାବେଳେ ତାଙ୍କ ବାସଭବନକୁ ଅଣ୍ଡାମାଡ ହୋଇଥିଲା । ଆଜି ମୁକୁଳିଥିବା ଛାତ୍ର ନେତାଙ୍କୁ ପୁଲିସ ଅଗଣତାନ୍ତ୍ରିକ ଉପାୟରେ ଜେଲ ପଠାଇଥିଲା ।

ସୌମ୍ୟାଶ୍ରୀଙ୍କ ଜନ୍ମମାଟିରେ ବିଜେଡିର ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୁତି ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଆଜି ତାଙ୍କ ଜନ୍ମମାଟି ଭୋଗରାଇରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇ ଯାଇଛି। ଏଥିରେ, ବିଜେଡିର ରାଜ୍ୟସ୍ତରୀୟ ବରିଷ୍ଠ ନେତାମାନେ ଯୋଗ ଦେଇ ସୌମ୍ୟାଶ୍ରୀଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ଉଚ୍ଚ ନ୍ୟାୟାଳୟର ଏକ କାର୍ୟ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବୀକୁ ଦୋହରାଇଛନ୍ତି।

ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପୌରହିତ୍ୟରେ ପରିଚାଳିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଥିଲେ ଯେ ସୌମ୍ୟାଶ୍ରୀ ଥିଲେ ବହୁ ପ୍ରତିଭାର ଅଧିକାରିଣୀ, ତାଙ୍କୁ ଏ ବିଜେପି ସରକାର ନ୍ୟାୟ ଦେଇ ନପାରିବାରୁ ଶେଷରେ ବାଧ୍ୟହୋଇ ନିଜକୁ ଆତ୍ମାହୁତି ଦେଲା, ମାତ୍ର ତାର ମୃତ୍ୟୁ ପାଇଁ ଦାୟୀଥିବା ବ୍ୟକ୍ତି ମାନଙ୍କୁ ଦଣ୍ଡ ନ ମିଳିବା ପର୍ୟ୍ୟନ୍ତ ଏ ଲଢେ଼ଇ ଜାରି ରହିବ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶା ରାଜ୍ୟର ଯେଉଁ ଇମେଜ ରହିଥିଲା ତାହା ଏକ ବର୍ଷ ମଧ୍ୟରେ ବିଜେପି ସରକାର ଧୂଳିସାତ କରିଛନ୍ତି। ଆଜି ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସମସ୍ତଙ୍କ ଆଖି ଖୋଲିଦେଇଛି । ତାର ମୃତ୍ୟୁ ହୋଇନାହିଁ, ବରଂ ସେ ବଳିଦାନ ଦେଇଛନ୍ତି। ଏହି ବଳୀଦାନ କେବେ ବ୍ୟର୍ଥ ଯିବ ନାହିଁ। ଓଡ଼ିଶାର ମହିଳାମାନେ ଆଜି ଅସୁରକ୍ଷିତ ତେଣୁ ଆଜିଠାରୁ ମହିଳାମାନଙ୍କ ସୁରକ୍ଷା ପାଇଁ ଲଢେଇ ହେବ।

ପୂର୍ବତନ ମନ୍ତ୍ରୀ ତଥା ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସୁଦାମ ମାରାଣ୍ଡି କହିଛନ୍ତି, ନାରୀମାନେ ଜନ୍ମ ହୋଇନାହାନ୍ତି ପୁରୁଷ ପ୍ରଧାନ ସମାଜ ପାଇଁ । ମହିଳା ମାନେ ଦୁର୍ଗା ହୋଇ ଖଣ୍ଡା ଧରନ୍ତୁ ଏବଂ ମହିଷାସୁର ପରି ସଂହାର କରନ୍ତୁ। ସୌମ୍ୟାଶ୍ରୀଙ୍କ ପାଇଁ ଏହି ମାଟିରୁ ସଂଗ୍ରାମ ଆରମ୍ଭ ହୋଇଛି, ଏହା ଆଗକୁ ସାରା ରାଜ୍ୟକୁ ବ୍ୟାପିବ ବୋଲି କହିଥିଲେ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଥିଲେ ସଂଘର୍ଷର ଅନ୍ୟ ନାମ ସୌମ୍ୟାଶ୍ରୀ। ଝିଅଟି ସଂଘର୍ଷ କରି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ବାଛିନେଲା । ସମଗ୍ର ରାଜ୍ୟରେ ଆଜି ନାରୀ ସୁରକ୍ଷିତ ନାହାନ୍ତି । ସେଥିପାଇଁ ଆମକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲିକ କହିଛନ୍ତି ଆମ ଝିଅକୁ କିଏ ନିଆଁ ଲଗାଇଲା କିଏ ପେଟ୍ରୋଲ ଆଣିଲା ଏହି ଆତ୍ମହତ୍ୟା ସହଯୋଗ କିଏ କରିଥିଲେ ତାହାର ବିଧିବଦ୍ଧ ତଦନ୍ତ ନହେବା ପଯ୍ୟନ୍ତ ଲଢେଇ ଜାରୀ ରହିବ। ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ କହିଥିଲେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସରକାରଙ୍କ ବ୍ୟବସ୍ଥାର ନିଦଭାଙ୍ଗି ପାରେ। ଏହି ଘଟଣାରେ ଏ ବିଜେପି ଦଳର ସ୍ଥାନୀୟ ସାଂସଦ, ବିଧାୟକଙ୍କ ସହ ଏ ସରକାରଙ୍କ ପୋଲିସ ପ୍ରଶାସନକୁ ମଧ୍ୟ କାଠଗଡ଼ାକୁ ଟାଣି ନେଇଛି।

ଅନ୍ୟମାନଙ୍କ ମଧ୍ୟରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ର ସୈାମ୍ୟାଶ୍ରୀଙ୍କ ବିଚାର ଧାରାକୁ ଆଗକୁ ନେବା ପଯ୍ୟନ୍ତ ଦୋଷୀକୁ ଦଣ୍ଡ ନ ଦେବା ପଯ୍ୟନ୍ତ ଆମେ ଆନ୍ଦୋଳନ ଚାଲୁରହିବ ବୋଲି କହିଥିଲେ। ବିଜେଡି ମୁଖପାତ୍ର ଡ଼ଃ ଲେଲିନ ମହାନ୍ତି କହିଥିଲେ ଯେ ଏହା ସୌମ୍ୟାଶ୍ରୀଙ୍କ ପାଇଁ କେବଳ ଶ୍ରଦ୍ଧାଞ୍ଜଳି ସଭା ନୁହଁ ଏହା ଆଗାମୀ ଦିନପାଇଁ ଆନ୍ଦୋଳନର ଆହ୍ୱାନ । ନାରୀନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ ଉଭୟ ବିଜେପି ନେତା ଓ ଏଭିବିପି ଛାତ୍ର ମାନେ ସୌମ୍ୟାଶ୍ରୀଙ୍କୁ ମାରିଦେଇଛନ୍ତି। ଭଦ୍ରକ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ମହିଳା ଜନତା ଦଳ ଆମ ଝିଅ ପାଇଁ ଲଢେଇ ଜାରିରଖିବ ବୋଲି କହିଥିଲେ। ବିଜୁ ଜନତାଦଳର ମୁଖପାତ୍ର ଇପ୍ସିତା ସାହୁ କହିଥିଲେ ଯେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ ବିଜୁଜନତା ଦଳର ମହିଳା ମାନେ ରାଜ ରାସ୍ତାରେ ସଂଗ୍ରାମ ଜାରି ରହିବ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ପୂର୍ବତନ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋର ବିଧାୟକ ମାଧବ ଧଡ଼ା, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବିଜେଡି ମୁଖପାତ୍ର ସୋଫିଆ ଆଲମ, ପୂର୍ବତନ ବିଧାୟକ ସ୍ୱରୂପ ଦାସ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ରେମୁଣା ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ା, ରେମୁଣା ବିଧାୟକ ପ୍ରାର୍ଥୀ ଦେବସ୍ମିତା ମହାନ୍ତି, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ମୟୁରଭଞ୍ଜ ବିଜେଡି ନେତ୍ରୀ ବାସନ୍ତୀ ହେମ୍ବ୍ରମ, ପ୍ରମୁଖ ବିଭିନ୍ନ ବ୍ଳକ ରୁ ଆସିଥିବା ବ୍ଲକ ଅଧ୍ୟକ୍ଷ, ଏବଂ ବିଜେଡି ନେତା ମାନେ ଯୋଗଦେଇ ଦିବଙ୍ଗତ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିବା ସହିତ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଥିଲେ।

ସଭା ପ୍ରାରମ୍ଭରେ ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ କରିଥିବା ବେଳେ ବିଜେଡି ସଭାପତି ରମାକାନ୍ତ କରଣ ଧନ୍ୟବାଦ ଅର୍ପଣ କରିଥିଲେ। ଭୋଗରାଇ ବ୍ଲକ ଉପାଧ୍ୟକ୍ଷା ମୀନାରାଣୀ ସାସମଲ, ଜିଲ୍ଲା ପରିଷଦ ସଭ୍ୟା ଦମୟନ୍ତୀ ସାହୁ, ନିବେଦିତା ମହାନ୍ତି, କବିତା ମହାନ୍ତି, ପ୍ରତିମା ଚାନ୍ଦ ପ୍ରମୁଖଙ୍କ ସହ ବିଭିନ୍ନ ପଞ୍ଚାୟତର,ବିଜେଡି ସମର୍ଥୀତ ସମସ୍ତ ସରପଞ୍ଚ ସଦସ୍ୟ ସଦସ୍ୟା ଓ ବିଜୁଜନତା ଦଳର ସମସ୍ତ କର୍ମୀ ମାନେ ଉପସ୍ଥିତ ଥିଲେ। ସଭା ଶେଷରେ ସମସ୍ତ ନେତୃମଣ୍ଡଳୀ ସୌମ୍ୟାଶ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ବାପା ବଳରାମ ବିଶି ଓ ମାଆ ତଥା ଭାଇଙ୍କୁ ସାକ୍ଷାତ କରିବା ସହିତ ସମବେଦନା ଜଣାଇଥିଲେ।

ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ନ୍ୟୁରୋସର୍ଜରୀ କଲେ ସମ୍ ନ୍ୟୁରୋସର୍ଜନ

ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲର ଡାକ୍ତରୀ ଟିମ୍ ସଫଳତାର ସହ ଏକ ଅତ୍ୟାଧୁନିକ ତଥା ଜଟିଳ ନ୍ୟୁରୋସର୍ଜରୀ ସମ୍ପାଦିତ କରିଛନ୍ତି । ରୋଗୀକୁ ସଚେତନ ଅବସ୍ଥାରେ ରଖି କର୍ଟିକାଲ୍ ଓ ସବ୍‌କର୍ଟିକାଲ୍ ବ୍ରେନ୍ ମ୍ୟାପିଂ ପଦ୍ଧତିରେ ମସ୍ତିଷ୍କର ଜଟିଳ ସ୍ଥାନରେ ଥିବା ବ୍ରେନ୍ ଟ୍ୟୁମରକୁ ଚିହ୍ନଟ କରି ଅସ୍ତ୍ରୋପଚାର କରିବାରେ ଏହି ନ୍ୟୁରୋସର୍ଜନ ସଫଳ ହୋଇଛନ୍ତି ।

ମଙ୍ଗଳବାର ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେଇ ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ସ୍ୱାଇଁ କହିଛନ୍ତି ଯେ ଜଣେ ୩୭ ବର୍ଷୀୟ ଯୁବକଙ୍କର ମସ୍ତିଷ୍କର ସ୍ପିଚ୍ ଓ ମୋଟର କଂଟ୍ରୋଲ୍ ଅଂଚଳରେ ଟ୍ୟୁମର ଚିହ୍ନଟ ହୋଇଥିବା ବେଳେ ସେ ସଚେତନ ଥିବା ଅବସ୍ଥାରେ ତାଙ୍କ ଶରୀରରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଛି ।

ଡାକ୍ତର ସ୍ୱାଇଁଙ୍କ ନେତୃତ୍ୱରେ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ଡାକ୍ତର ଏବଂ ଅନ୍ୟ ସଦସ୍ୟମାନେ ମିଳିତ ଭାବେ ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି । ଏହି ଟିମ୍‌ରେ ନ୍ୟୁରୋଲଜି ବିଭାଗର ଆସୋସିଏଟ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ଏବଂ ନ୍ୟୁରୋ ଆନେସ୍‌ଥେସିଷ୍ଟ ଡାକ୍ତର ଦେବୀ ପ୍ରସାଦ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ପ୍ରଦାନ କରି ଡାକ୍ତର ସ୍ୱାଇଁ କହିଥିଲେ ଯେ କର୍ଟିକାଲ୍ ଏବଂ ସବକର୍ଟିକାଲ୍ ବ୍ରେନ୍ ମ୍ୟାପିଂ ଦ୍ୱାରା ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଧାରା ଗୁଡ଼ିକୁ ସୁରକ୍ଷିତ ରଖାଯାଇ ଜୀବନ ପ୍ରତି ବିପଦ ଥିବା ଟ୍ୟୁମରଗୁଡ଼ିକୁ ବାହାର କରାଯାଇଥାଏ ।

ଡାଇରେକ୍ଟ ବ୍ରେନ୍ ଷ୍ଟିମୁଲେସନ୍ ଦ୍ୱାରା ଅସ୍ତ୍ରୋପଚାର ସମୟରେ ଅତ୍ୟାଧୁନିକ ପ୍ରକ୍ରିୟା ମାଧ୍ୟମରେ ଡାକ୍ତରୀ ଟିମ୍ ମସ୍ତିଷ୍କର ବିଭିନ୍ନ ଅଂଶ ଯାହାକି ଶରୀରର ବିିଭିନ୍ନ ସ୍ଥାନର କାର୍ଯ୍ୟଧାରାରେ ସହାୟତା କରିଥାଏ ସେସବୁକୁ ଚିହ୍ନଟ ଏବଂ ପୃଥକ କରିବାରେ ସଫଳ ହୋଇଥାନ୍ତି ବୋଲି ସେ କହିଛନ୍ତି । ଅସ୍ତ୍ରୋପଚାର ପରେ ରୋଗୀ ଜଣକ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏହି ସଫଳ ଅସ୍ତ୍ରୋପଚାରକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହା ଓଡ଼ିଶା ପାଇଁ ଏକ ଗର୍ବର କଥା ବୋଲି କହିଥିଲେ ।

କର୍ଟିକାଲ୍ ଏବଂ ସବ୍‌କର୍ଟିକାଲ୍ ବ୍ରେନ୍ ମ୍ୟାପିଂ ଏକ ଉଚ୍ଚମାନର ଅତ୍ୟାଧୁନିକ ନ୍ୟୁରୋଲଜିକାଲ୍ ପ୍ରକ୍ରିୟା ଏବଂ ଏହାର ସଫଳତା ରାଜ୍ୟର ନ୍ୟୁରୋଲଜିକାଲ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷକୁ ଦର୍ଶାଉଛି ବୋଲି ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ସୋଆର ପୂର୍ବତନ କୁଳପତି ପ୍ରଫେସର ମହାପାତ୍ର କହିଛନ୍ତି ।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ପୂର୍ବ ଭାରତର ପ୍ରଥମ ଥର ପାଇଁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଭଳି ଜଟିଳ ଅସ୍ତ୍ରୋପଚାର ପାଇଁ ରୋଗୀମାନଙ୍କୁ ଆଉ ଦେଶର ଅନ୍ୟ ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ବ୍ରେନ୍ ଟ୍ୟୁମର, ଏପିଲେପ୍ସି ଏବଂ ଅତ୍ୟାଧୁନିକ ବ୍ରେନ୍‌ମ୍ୟାପିଂ ଟେକ୍ନିକ୍ ଭଳି ଅତ୍ୟାଧୁନିକ ନ୍ୟୁରୋଲଜିକାଲ୍ ସ୍ୱାସ୍ଥ୍ୟ ସେବାର ଆଂଚଳିକ କେନ୍ଦ୍ର ଭାବେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ ଏବଂ ନ୍ୟୁରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

ବଳଙ୍ଗା ଛାତ୍ରୀର ନ୍ୟାୟ ଦାବି ସହ ମୁଖ୍ୟମନ୍ତ୍ରୀ , ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କଲା ପୁରୀ ଜିଲ୍ଲା ଯୁବ କଂଗ୍ରେସ।

0

ରାଜ୍ୟରେ ଆଇନ କାନୁନ ବିପର୍ଯ୍ୟୟ ପରିସ୍ଥିତି ରେ। ନାରୀ ସୁରକ୍ଷା କଥା କହିଲେ ନ ଚଳେ, କେତେବେଳେ ଗୋପାଳପୁର ରେ, କେତେବେଳେ ବାଲେଶ୍ୱର ଏଫ.ଏମ କଲେଜ ଏବଂ ଗତ କାଲି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଳଙ୍ଗା ର ଛାତ୍ରୀ ଅବସ୍ଥା ଯାହା ହୋଇଛି ତାହା ସମସ୍ତଙ୍କୁ ଜଣା।୭୦ ଭାଗ ଶରୀର ପଡିଥିବା ଛାତ୍ରୀ ହସ୍ପିଟାଲ ରେ ଜୀବନ ସହ ସଙ୍ଘର୍ଷ କରୁଛି।ଏଠି ପ୍ରଶ୍ନ ଉଠୁଛି ବିଜେପି ସରକାର ଯୋଉ କଥା ପ୍ରଚାର କରୁଥିଲା “ବର୍ଷ ଏକ ବିକାଶ ଅନେକ” ଏଠି କିନ୍ତୁ ଅଲଗା କଥା ” ବର୍ଷ ଏକ ନାରୀ ନିଯ୍ୟାତିତ,ବେବିଚାର ଓ ଧର୍ଷଣ ଅନେକ” ନିମାପଡ଼ା ର ଝିଅ ଖୋଦ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ନିର୍ବାଚନ ମଣ୍ଡଳୀରେ ସକାଳ ୮ଟା ରେ କୁନି ଭଉଣୀ ୧୫ବର୍ଷ ର ଛାତ୍ରୀଙ୍କୁ ବଳଙ୍ଗା ର ଏକ ବନ୍ଧ କଡରେ କିଛି ଆତଙ୍କୀ ତା ଦେହରେ ନିଆଁ ଲଗେଇଦେଲେ।ତାଙ୍କ ସହ କଣ କରିଛନ୍ତି ତା ସହ କିଛି ଜଣାପଡ଼ିନଥିବା ବେଳେ ଘଟଣାର ୩୦ ଘଣ୍ଟା ବିତିଥିଲେ ବି ପୋଲିସ ଏ ପର୍ଯ୍ୟନ୍ତ ୩ ଜଣ ଅଭିଯୁକ୍ତଙ୍କୁ ଧରିପାରିନାହିଁ । ରାଜ୍ୟ ସରକାର ଓ ଆଇନ ବିଭାଗ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପିସିସି ସାଧାରଣ ସମ୍ପାଦକ ୟାସିର ନୱାଜ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୂଦୀପ ସାମଲ ସାମିଲ ହୋଇଥିବା ବେଳେ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଙ୍କ ନେତୃତ୍ୱ ରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏକଜୁଟ ହୋଇ ପୁରୀ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।ଏହି ଘେରାଉ ରେ ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ସେମାନଙ୍କ କୁଶପୁତ୍ତଳିକା ଜାଳିବା ସହ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଜୋର-ଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲା ଜ଼ିଲ୍ଲା ଯୁବ କଂଗ୍ରେସ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news