ନିଦ ହଜିଛି ବିକାଶ ପାଇଁ…

ଯାଜପୁର : ଯାଜପୁର ହେଉ କି ବରୀ । କୋରେଇ ହେଉ କି ଧର୍ମଶାଳା , ଅବା ବିଞ୍ଝାରପୁର,ସୁକିନ୍ଦା ଓ ବଡ଼ଚଣା । ପୁରା ଜିଲ୍ଳାରେ କିପରି ବିକାଶ ହେବ ସେଥିପାଇଁ ଯାଜପୁର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଆଖିରେ ନିଦ ନାହିଁ । କଟକ ଚିନ୍ତା ଯେପରି ବାଇମୁଣ୍ଡିକୁ ଠିକ ସେହିପରି ଯାଜପୁରର ୭ଟି ବିଧାନସଭା କ୍ଷେତ୍ରର ବିକାଶ ଓ ଉନ୍ନୟନମୂଳକ କାମ କିପରି ଜୋରଦାର ହେବ ସେ ଦାୟିତ୍ୱ ଏବେ ବବି ନେଇଛନ୍ତି । ଯାହା ୨୦୧୯ ନିର୍ବାଚନ ପରେ ତାଙ୍କ କାର୍ଯ୍ୟଶୈଳୀର ଜଣାପଡ଼ୁଛି । ନୂତନ ଯାଜପୁର ଗଠନର ବିନ୍ଧାଣୀ ବବି ଏବେ ଜିଳ୍ଲାର ଗୋଟିଏ ପରେ ଗୋଟିଏ ନିର୍ବାଚନୀ ମଣ୍ଡଳୀ ବୁଲି ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି । କାରଣ ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ ଘଡ଼ାଇ ବୟସ କାରଣରୁ ସେତେଟା ସକ୍ରୀୟ ନୁହନ୍ତି । ଅନ୍ୟପଟେ କଳ୍ପତରୁ ଦାସ ଦେହାନ୍ତ ପରେ ପୁରା ଜିଲ୍ଲାର ମଙ୍ଗ ଧରିଛନ୍ତି ପ୍ରଣବ । ସବୁ ବିଧାୟକଙ୍କୁ ସାଥିରେ ନେଇ କିପରି ବିକାଶମୂଳକ କାର୍ଯ୍ୟକ୍ରମ ଜିଲ୍ଲାରେ ତ୍ୱରାନୀତ କରି ହେବ ସେ ଚିନ୍ତା ତାଙ୍କୁ ଘାରିଛି । ଏହାରି ଭିତରେ ପ୍ରଣବ ଧର୍ମଶାଳା ବିଧାନସଭା କ୍ଷେତ୍ରର କଣ୍ଟିପଡ଼ିଆ ବଡ଼ ପୋଖରୀ ବୁଲି ଦେଖିବା ସହ ଏହାର ଉନ୍ନତିକରଣ କରିବା ପାଇଁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଜିଲ୍ଳାପ୍ରଶାସନକୁ ସାଙ୍ଗରେ ନେଇ ଘଟଣାସ୍ଥଳ ଯିବା ,ଏହାର ଉନ୍ନତିକରଣ ସହ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଠିକ ସେହିପରି ନିକଟରେ କୋରୋଇ ନିର୍ବାଚନ ମଣ୍ଡଳୀର ବ୍ୟାସନଗର ଷ୍ଟାଡ଼ିୟମ,ବ୍ୟାସ ସରୋବର, ସନ୍ତରା ସଂକୃତି ଭବନ,ଟାଉନହଲ , ଉମାପଡା ଷ୍ଟାଡ଼ିୟମର ଉନ୍ନତିକରଣ ସମୀକ୍ଷା କରିଥିଲେ । ଏହାସହ ସ୍ଥାନୀୟ ବିଧାୟକ ଅଶୋକ ବଳ ଓ ଜିଲ୍ଲାପାଳ ରଂଜନ ଦାସଙ୍କ ସହ ଏସବୁ ଅଚଂଳ ବୁଲି ବିକାଶର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ସେହିପରି ବରୀ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ବିଧାୟିକା ସୁନନ୍ଦା ଦାସ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରୁଛନ୍ତି । କେବଳ ସେତିକି ନୁହେଁ, ଜିଲ୍ଲାର କିପରି ଜୀବନ ବିନ୍ଦୁ କାର୍ଯକ୍ରମ ତ୍ୱରାନୀତ ହେବ ସେଥିଲାଗି ଯୁବଗୋଷ୍ଠୀଙ୍କୁ ଏକାଠି କରି ରକ୍ତଦାନ ପାଇଁ ଉତ୍ସାହିତ କରୁଛନ୍ତି । ନିଜେ ମଧ୍ୟ ଅନେକ ଥର ରକ୍ତଦାନ କରି ଉଦାହରଣ ସାଜୁଛନ୍ତି । ଯେଉଁଥି ପାଇଁ ଯାଜପୁର ନିର୍ବାଚନୀ ମଣ୍ଡଳୀର ପ୍ରତ୍ୟେକ ରବିବାର ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ପୁରା ଯାଜପୁର ଜିଲ୍ଲାକୁ ସବୁଜମୟ କରିବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି । ଗୋଟିଏ ଲକ୍ଷ-କୋଟିଏ ଗଛ ସ୍ଲୋଗାନ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନିଜର ନିର୍ବାଚନୀ ମଣ୍ଡଳୀରେ ବ୍ୟାପକ ବୃକ୍ଷରୋପଣ କରି ଅନେକ ପଂଚାୟତକୁ ସବୁଜ ସୁନ୍ଦର କରିବାରେ ସଫଳ ହୋଇଛନ୍ତି ସେ । କେବଳ ନିର୍ବାଚନ ସମୟ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ ରଖିଛନ୍ତି ତାହାକୁ ବାସ୍ତବ ରୂପ ଦେବା ପାଇଁ ସେ ହନୁମାନ ପରି କାମ କରୁଛନ୍ତି ବୁଲିବୁଲି ପୁରା ଓଡ଼ିଶାରେ । ପ୍ରଥମେ ନିଜ ନିର୍ବାଚନୀ ମଣ୍ଡଳୀର ଓ ନିଜ ଜିଲ୍ଲାରୁ ଏସବୁ କାମ କରି ଅନ୍ୟ ଜିଲ୍ଲାପାଇଁ ସେ ଉଦାହରଣ ସୃଷ୍ଟି କରୁୂଛନ୍ତି । ବିକାଶପାଇଁ ସଭିଁଙ୍କ ଲକ୍ଷ ଏକ ହେବା ଦରକାର ବୋଲି ସେ ନିଜ କାମ ଓ ପରିଶ୍ରମ ମାଧ୍ୟମରେ ଜଣାଇଛନ୍ତି । ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଓ ଲୋକଙ୍କ ସମସ୍ୟା ସହ ଜଡ଼ିତ ରଖି ସୁଖଦୁଃଖର ସାଥି ହେବାପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆହ୍ୱାନ ବିଧାୟକ,ସାଂସଦ,ମନ୍ତ୍ରୀ ଓ ଦଳୀୟ କର୍ମୀଙ୍କୁ ଦେଉଛନ୍ତି ତାହାର ପୁରା ମିନିଟରିଙ୍ଗ କରୁଛନ୍ତି ସଂଗଠନ ସମ୍ପାଦକ ପ୍ରଣବ । ତେବେ ବିରୋଧି ଓ ନିନ୍ଦୁକ ଏନେଇ ତାଙ୍କୁ ଯେତେ ସମାଲୋଚନା କଲେ ବି ଏଥିରେ ସେ ବିଚଳିତ ନହୋଇ ନିଜର କାମ କରନ୍ତି । ଯେଉଁଥି ପାଇଁ ସେ ନବୀନଙ୍କ ଅତି ପ୍ରିୟ ।

ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଲା

ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଲା
ଶହୀଦ କୋଭିଡ ଯୋଦ୍ଧାଙ୍କୁ ନୀରବ ପ୍ରାର୍ଥନା ଜରିଆରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି
ଲଢେଇକୁ ମଜବୁତ କରିବାକୁ ଶପଥ ଗ୍ରହଣ
କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁନାହିଁ – ମୁଖ୍ୟମନ୍ତ୍ରୀ
ମୁଁ ଜିତିବି, ମୋ ଓଡିଶା ଜିତିବ ଏବଂ ମାନବ ଜାତି ବି ଜିତିବ
ଭୁବନେଶ୍ବର : ଗତ ୫ ମାସ ଧରି ଓଡିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ବପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରି ଏହାର ସବୁ ଶ୍ରେୟ କୋଭିଡ ଯୋଦ୍ଧା ଓ ଓଡିଶାବାସୀଙ୍କର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜୀବନକୁ ବାଜି ଲଗାଇ ସେମାନେ ଯେପରି ସେବା କରିଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା ମଧ୍ୟ କରିଛନ୍ତି।

ଏହି ଲଢେଇରେ ୨୫ ଜଣ କୋଭିଡ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେହି ଯୋଦ୍ଧା ମାନଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସାରା ରାଜ୍ୟ ଆଜି ସଂଧ୍ୟା ୬ଟାରେ ଏକ ମିନିଟ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଏହି ନୀରବ ପ୍ରାର୍ଥନାରେ ସାରା ରାଜ୍ୟର ଜନସାଧାରଣ, ବିଭିନ୍ନ ଅଫିସ, ଅନୁଷ୍ଠାନର କର୍ମଚାରୀ ଭାଗ ନେଇ ଶହୀଦ କରୋନା ଯୋଦ୍ଧାଙ୍କ ପ୍ରତି ଜାତିର କୃତଜ୍ଞତା ଅର୍ପଣ କରିଛନ୍ତି ।
ନିଜ ପରିବାର ଓ ବ୍ୟକ୍ତିଗତ ସୁଖ ସୁବିଧାକୁ ପଛରେ ପକାଇ ଆମର କୋଭିଡ ଯୋଦ୍ଧା ମାନେ ଉତ୍ସର୍ଗୀକୃତ ମନୋଭାବ, ତ୍ୟାଗ ଓ ନିଷ୍ଠାର ସହ ଯେପରି ସେବା କରିଚାଲିଛନ୍ତି, ତାକୁ ଉତ୍ସାହିତ କରିବା ଏବଂ ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ଦୃଢ ସମର୍ଥନ ଦେବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସହଯୋଗ, ସଚେତନତା ଓ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାର ଶପଥ ପାଠ କରାଇଥିଲେ। ମୁଁ ଜିତିବି, ମୋ ଓଡିଶା ଜିତିବ ଓ ମାନବ ଜାତି ବି ଜିତିବ; ଏହି ସଂକଳ୍ପ ନେଇ କରୋନା ବିରୁଦ୍ଧରେ ଲଢେଇକୁ ମଜବୁତ କରିବା ସହିତ କୋଭିଡ ନିୟମାବଳୀର ଅନୁପାଳନ ଓ କୋଭିଡ ଯୋଦ୍ଧାଙ୍କୁ ପୂର୍ଣ୍ଣ ସହଯୋଗ ଓ ସମ୍ମାନ ଜଣାଇବା ପାଇଁ ମଧ୍ୟ ସମସ୍ତେ ଶପଥ ନେଇଥିଲେ।

୧୫ ଦିନରେ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ

୧୫ ଦିନରେ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ
ବୁର୍ଲା ଓ ବ୍ରହ୍ମପୁରରେ ଚତୁର୍ଥ ଓ ପଞ୍ଚମ Plasma Bank
ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡିଶାର ସମସ୍ତ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁଲଭ୍ୟ ହେବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରର MKCG Medical College ଓ ବୁର୍ଲାର ଭିମ୍‌ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଦ୍ବାରା ରାଜ୍ୟରେ ସମୁଦାୟ ୫ଟି ପ୍ଲାଜମା କେନ୍ଦ୍ର ପ୍ରତିଷ୍ଠା ହେଲା । ଏହାଦ୍ବାରା ରାଜ୍ୟର ସମସ୍ତ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧାରେ ହୋଇପାରିବ । କୋଭିଡ ଯୁଦ୍ଧର ମୁଖ୍ୟ ମିଶନ ହେଉଛି ଲୋକଙ୍କ ଜୀବନର ସୁରକ୍ଷା। ଏ କ୍ଷେତ୍ରରେ ପ୍ଲାଜମା ଥେରାପି ବହୁତ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ପ୍ଲାଜମା କେନ୍ଦ୍ରକୁ ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍‌ ଗୁଡିକ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ୬୦ ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଦିଆଯାଇଛି ଏବଂ ୪୮ ଜଣ ରୋଗୀଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ ପୁଣିଥରେ ନିବେଦନ କରିଥିଲେ।
ସୂଚନାଯୋଗ୍ୟ ଯେ ପୂର୍ବରୁ କଟକର SCB, ଭୁବନେଶ୍ବରର କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲାର IGH ଠାରେ ତିନୋଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇପାରିଛି । ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ସହିତ ରାଜ୍ୟର ସମୁଦାୟ ୫ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠିତ ହେଲା ।
ବ୍ରହ୍ମପୁରର MKCG Medical Collegeରେ ଉପସ୍ଥିତ ଜଂଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଏହି ପ୍ଲାଜମା ବ୍ୟାଙ୍କ ଦ୍ବାରା ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ଏଣିକି ଆହୁରି ସୁବିଧାଜନକ ହେବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ କୋଭିଡ ଯୁଦ୍ଧକୁ ପ୍ରଭାବଶାଳୀ କରାଯାଇଛି। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସବୁପ୍ରକାର ଉପଲବ୍‌ଧ ପ୍ରଦ୍ଧତିକୁ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୦୦ ଜଣ ପ୍ଲାଜମା ଦାନ ପାଇଁ ଆଗେଇ ଆସିଛନ୍ତି ବୋଲି ସେ ସୂଚନା ଦେଇଥିଲେ।
ବୁର୍ଲାର ଭିମସାର ଠାରେ ଉପସ୍ଥିତ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ କହିଥିଲେ ଯେ ପ୍ଲାଜମା ବ୍ୟାଙ୍କ ପାଇଁ ଆଜି ପଶ୍ଚିମ ଓଡିଶାର ଲୋକମାନଙ୍କ ମଧ୍ୟରେ ଆଶା ସୃଷ୍ଟି କରିଛି। କୋଭିଡ ରୋଗରେ ଲୋକଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ଲୋକମାନଙ୍କୁ ଭଗବାନ ଆଶୀର୍ବାଦ କରିବେ ଏବଂ କରୋନା ଯୁଦ୍ଧରେ ଚାଲିଥିବା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ନିଶ୍ଚୟ ସଫଳ ହେବ ବୋଲି ସେ କହିଥିଲେ।
ଏହି ଅବସରରେ ବ୍ରହ୍ମପୁରର MKCGର ପ୍ରଥମ ପ୍ଲାଜମାଦାତା ଡଃ ଶୁଭ୍ରାଂଶୁ ମୋହନ ସାହୁ ଏବଂ ବୁର୍ଲା ଭିମସାରର ପ୍ରଥମ ପ୍ଲାଜମାଦାତା ଶ୍ରୀ ରବୀନ୍ଦ୍ର ସାହୁ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବା ସହିତ ଅନ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଥିଲେ ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଭିମସାର୍‌ର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ସଚିବ ଯୋଗ ଦେଇଥିଲେ।

ଶପଥ ନେଲା ଓଡ଼ିଶା : ଯୋଦ୍ଧାଙ୍କୁ ଦେଲା ସମ୍ମାନ

ଶପଥ ନେଲା ଓଡ଼ିଶା : ଯୋଦ୍ଧାଙ୍କୁ ଦେଲା ସମ୍ମାନ
ଭୁବନେଶ୍ୱର : କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାକୁ ସାମାନ ଜଣାଇ ଆଜି ରାଜ୍ୟବାସୀ ଏକ ମିନିଟ ପ୍ରାର୍ଥନା କରିଛି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଯିଏ ଯେଉଁଠି ଥିଲେ ଏହି ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରିଥିଲେ। ନିରବ ପ୍ରାର୍ଥନା ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । କୋଭିଡ ନିୟମ ପାଳନ କରିବା ପାଇଁ ଏହି ଶପଥ ପାଠ କରାଇଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ନିରବ ପ୍ରାର୍ଥନା କରିଥିଲେ। ସେହିପରି ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକ ଏହି ନିରବ ପ୍ରାର୍ଥନାରେ ସାମିଲ ହୋଇଥିଲେ। କରୋନା ନିୟମ ମାନିବା ଓ ଅନ୍ୟଙ୍କୁ ସଚେତନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଶପଥ ପାଠ କରାଇଥିଲେ।

ନବୀନ ଦେଲେ କଡା ଚେତାବନୀ : ଶହୀଦ କୋଭିଡ ଯୋଦ୍ଧା ପ୍ରାପ୍ୟ ପ୍ରଦାନରେ ଅବହେଳା ବରଦାସ୍ତ କରାଯିବ ନାହିଁ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ କୋଭିଡ ଯୋଦ୍ଧାମାନେ କୋଭିଡ ଯୁଦ୍ଧରେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ଓ ସେମାନଙ୍କ ବିଭାଗ ଦାୟିତ୍ବରେ ରହିବେ। ଏ କ୍ଷେତ୍ରରେ ସାମାନ୍ୟତମ ଅବହେଳାକୁ ମଧ୍ୟ ବରଦାସ୍ତ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋଭିଡ ହସ୍‌ପିଟାଲ ଓ କୋଭିଡ କେୟାର ହୋମ୍‌ରେ ପ୍ରଦାନ କରାଯାଉଥିବା ସମସ୍ତ ଚିକିତ୍ସା ଓ ସେବାର ମାନ ଉପରେ ସମସ୍ତେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହିତ ଆମ୍ବୁଲାନ୍‌ସ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆଣିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏବେ ବି ମଧ୍ୟ ଗୃହ ସଂଗରୋଧ ସଂପର୍କରେ ବିଭିନ୍ନ ପ୍ରକାର ଭ୍ରାନ୍ତଧାରଣା ଲୋକଙ୍କ ମନରେ ରହୁଛି। ତେଣୁ ଏଥିପାଇଁ ଏକ ପ୍ରଭାବୀ IEC (ସୂଚନା, ମନୋରଂଜନ ଓ ସଂଚାର) କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଏହାକୁ ସର୍ବାଧିକ ପ୍ରାଥମିକତା (Top Priority) ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଅଧିକାରୀମାନଙ୍କ ସହିତ କୋଭିଡ ଯୁଦ୍ଧରେ ସଂପୂର୍ଣ୍ଣ ଭାବେ ସାମିଲ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଆସନ୍ତାକାଲି ରାଜ୍ୟରେ କୋଭିଡ ରୋଗରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାପର କାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଆସନ୍ତାକାଲି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମର ଦୁଇଟି ଅଂଶ ରହିବ ।
୧. କୋଭିଡ ଯୁଦ୍ଧରେ ପ୍ରାଣବଳି ଦେଇଥିବା କୋଭିଡ ଯୋଦ୍ଧାମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା ।
୨. ଓଡିଶାର ଜନସାଧାରଣଙ୍କ ଦ୍ବାରା ଶପଥ ପାଠ । ଏଥିରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା ସହିତ ସେମାନଙ୍କ କାର୍ଯ୍ୟରେ ସହଯୋଗ ଏବଂ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରି ହୋଇଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଶପଥ କରାଯିବ।
ରାଜ୍ୟର ବିଭିନ୍ନ ଅଂଚଳକୁ ପିଜି ଡାକ୍ତରମାନଙ୍କୁ ପଠାଯାଈଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।
କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ
ଆମ୍ବୁଲାନ୍‌ସ ସେବାକୁ ଅଧିକ ଫଳପ୍ରଦ କରିବା ପାଇଁ ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍‌ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯାଇଛି । ପ୍ଲାଜମା ଥେରାପି ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧୦୩ ୟୁନିଟ୍‌ ପ୍ଲାଜମା ସଂଗ୍ରହ ହୋଇଥିବା ବେଳେ ୫୮ ଜଣଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଇଛି । ତନ୍ମଧ୍ୟରୁ ୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେଇଛି। ସାରା ରାଜ୍ୟରେ ଚାଲିଥିବା ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଛି ଏବଂ ଏଥିରେ ୯୯ ପ୍ରତିଶତ ଘର ସର୍ଭେ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଗଞ୍ଜାମ ଗସ୍ତରେ ଯିବେ ବୋଲି ଜଣାଯାଇଛି।
ଏହି ଅବସରରେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ସେଠାରେ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ନବୀନଙ୍କ ଅପିଲ : କୋଭିଡ ଯୋଦ୍ଧାଙ୍କ ପାଇଁ କାଲି ସଂଧ୍ୟା ୬ଟାରେ କର ନୀରବ ପ୍ରାର୍ଥନା…

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ

ଭୁବନେଶ୍ୱର : ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି ।
ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର ଶିକାର ହୋଇଛି। ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି।
ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ବରେ ସର୍ବାଧିକ। ଆମ ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ। ତେଣୁ ଆମେ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ ନୁହେଁ।
ଗତ ୫ ମାସ ହେଲା ଆମେ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିଛୁ ଏବଂ ଓଡିଶାର ଜନସାଧାରଣ ମଧ୍ୟ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି।
ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ। କୋଭିଡ ଯୁଦ୍ଧରେ ଆମର ସଂଗ୍ରାମରେ ଏହା ହେଉଛି ମହତ୍ବପୂର୍ଣ୍ଣ ଘଟଣା। ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ। ଆମର ମୃତ୍ୟୁ ହାର ୦.୫୭ ପ୍ରତିଶତ ଅଟେ, ଯାହାକି ସାରା ଦେଶରେ ସବୁଠାରୁ କମ୍‌।
ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ମିଶନ।
ଆମର ଆରୋଗ୍ୟଙ୍କ ସଂଖ୍ୟାରେ ବୃଦ୍ଧି ଓ ମୃତ୍ୟୁହାର କମ୍‌ ରହିଛି। ଆମର ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା,ନିଷ୍ଠା ଓ ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ବୀକାର କରୁଛନ୍ତି। ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି।
କୋଭିଡ ଯୋଦ୍ଧା ମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଁ ଏକ ନୀରବ ପ୍ରାର୍ଥନାର ନେତୃତ୍ବ ନେବି।
*ଆସନ୍ତାକାଲି ସଂଧ୍ୟା ୬ଟା ସମୟରେ ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଓଡିଶାର ମୋର ସାଢେ ଚାରି କୋଟି ଭାଇଭଉଣୀ ମାନଙ୍କୁ ଅନୁରୋଧ କରୁଛି।
ଏହି ପ୍ରାର୍ଥନା ସଭା ପରେ ପରେ ଆମେ ସମସ୍ତେ ଏକ ଶପଥ ନେବା। କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡାକଡି ପାଳନ ସଂପର୍କରେ ଏହା ଆମକୁ ଦାୟିତ୍ବବାନ ଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେବ।
ଆମର କୋଭିଡ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଆମର ଦାୟିତ୍ବ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ।
•ମୋର ଅନୁରୋଧ ଆସନ୍ତାକାଲି ସଂଧ୍ୟା ୬ଟାରେ ଆପଣମାନେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରନ୍ତୁ ଏବଂ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ । ମୁଁ ନିଜେ ଆପଣମାନଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବି।*

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ । ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଏ କେନ୍ଦ୍ରମନ୍ତ୍ରୀ ନିଜେ  ଟୁଇଟ କରି ସୂଚନା ଦେଇଛନ୍ତି  ।  ପୂର୍ବରୁ ତାଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ କରୋନା ପଜିଟିଭ ହୋଇଥିଲେ ।ସେଥିପାଇଁ ସେ ନିଜକୁ ସଂଗରୋଧରେ ରଖିଥିଲେ। ପୂର୍ବରୁ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା କରୋନାରେ ଆକ୍ରାନ୍ତ ହୋଇସାରିଲେଣି।

ନୂଆରୂପ ନେଵ କୋରେଇ : ପ୍ରଣବ ଆଙ୍କିଲେ ବିକାଶର ନକ୍ସା

ଯାଜପୁର : ଯାହା ପ୍ରତିଶ୍ରୁତି ଦିଅନ୍ତି , ତାହାକୁ ଅକ୍ଷର ଅକ୍ଷରେ ପାଳନ କରନ୍ତି । ଅନ୍ୟ ନେତାଙ୍କ ପରି ନିର୍ବାଚନ ମଂଚରେ କେବଳ ଭୋଟ ହାତେଇବା ଲକ୍ଷରେ ପ୍ରତିଶ୍ରୃତି ଦିଅନ୍ତି ନାହିଁ, ବଂର ଯାହା ପ୍ରତିଶ୍ରୃତି ଦିଅନ୍ତି ତାହାକୁ କିପରି ବାସ୍ତବ ରୂପ ଦେଇ ହେବ ସେ ନେଇ ସବୁବେଳେ ପ୍ରଚେଷ୍ଟା ଜାରୀ ରଖନ୍ତି । ନବୀନଙ୍କ ପରି କଥା କମ୍ ଓ କାମରେ ଅଧିକ ବିଶ୍ୱାସ ରଖୁଥିବା ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଏ ହେଉଛି ମୂଳମନ୍ତ୍ର । ୨୦୧୯ ସାଧାରଣ ନିର୍ବାଚନ ସଭାରେ ପାଣିକୋଇଲି ଠାରୁ ଅନୁଷ୍ଠିତ ନିର୍ବାଚନୀ ସଭାରେ ପ୍ରଣବ ଘୋଷଣା କରିଥିଲେ ଯେ କରୋଇ ବିକାଶର ଦାୟିତ୍ୱ ସେ ନେବେ । ତାଙ୍କ ବାପାଙ୍କ ତଥା ଓଡ଼ିଶାର ସାଲିସ ବିହୀନ ସମ୍ରାଟ ସ୍ୱର୍ଗତ ଅଶୋକ ଦାସ କୋରାଇ ନିର୍ବାଚନୀ ମଣ୍ଡଳୀକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ଯାହା ଅଧୁରା ଅଛି ତାହାକୁ ଅଶୋକ ନନ୍ଦନ ପ୍ରଣବ ଏବେ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଯେଉଁଥି ପାଇଁ ସୁବବେଳେ କୋରେଇ ନିର୍ବାଚନୀ ମଣ୍ଡଳୀର କିପରି ବିକାଶ ହେବ ସେନେଇ ସେ କାମ କରୁଛନ୍ତି। ନିର୍ବାଚିତ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ କୋରେଇବାସୀଙ୍କ ସହ ଆଲୋଚନା କରି ନିର୍ବାଚନ ମଣ୍ଡଳୀର ବିକାଶ ଓ ଉନ୍ନୟନ କାମ ତ୍ୱରାନୀତି କରନ୍ତି ସେ । କୋରାଇ ଅଚଂଳର ବିକାଶମୂଳକ କାମକୁ ଅଧିକ ତ୍ୱରାନୀତ କରିବା ପାଇଁ ପ୍ରଣବ ଆଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ବୁଲି ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।ଏହାସହ ବିିଭିନ୍ନ ସ୍ଥାନକୁ ଯାଇ ନୂଆ କୋରାଇ ଗଠନର ନକ୍ସା ଆଣିଛନ୍ତି । କୋରାଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର, ସନ୍ତରା ସଂସ୍କୃତି ଭବନ, ଟାଉନହଲ, ବ୍ୟାସ ସରୋବର, ଉମାପଦା ଷ୍ଟାଡ଼ିୟମ ଉନ୍ନତି ପାଇଁ କୋରାଇ ବିଧାୟକ , ଜିଲ୍ଲା ପ୍ରଶାସନଙ୍କୁ ସାଙ୍ଗରେ ଧରି କ୍ଷେତ୍ର ପରିଦର୍ଶନ କରିବା ସହ ବିକାଶର ଚିତ୍ର ଆଙ୍କିଛନ୍ତି । ଏହାସହ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି କାମ ଶେଷ ହେବ ତାହା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ପ୍ରଶାସନକୁ ଗୁରୁ ଦାୟିତ୍ୱ ଦେଇଥିଲେ ପ୍ରଣବ । ନୂତନ ଯାଜପୁର ଗଠନର ବିନ୍ଧାଣି ସାଜିଥିବା ପ୍ରଣବଙ୍କ ଏପରି ଉଦ୍ୟମକୁ କୋରାଇବାସୀ ସ୍ୱାଗତ କରିବା ସହ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ କରୋନା

ବାଙ୍ଗାଲୋର : କରୋନା ଜାଲରେ ପୁଣି ଜଣେ ଦେଶର ହେଭିୱେଟ ନେତା ।କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରମେୟା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଏବେ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହାସହ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ୱାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି ସିଦ୍ଦରମୈୟା।

ଅମିତ ଶାହା ହେଲେ କରୋନା ପଜିଟିଭ : ଏପଟେ ଅମିତାଭ ବଚ୍ଚନଙ୍କ ରିପୋର୍ଟ ନେଗେଟିଭ

  1. ଅମିତ ଶାହା ହେଲେ କରୋନା ପୋଜିଟିଭ : ଏପଟେ ଅମିତାଭ ବଚ୍ଚନଙ୍କ ରିପୋର୍ଟ ନେଗେଟିଭ
    ନୂଆଦିଲ୍ଲୀ : ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା କି ସେ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ ଟୁଇଟରରେ ଲେଖିଛନ୍ତି କି ତାଙ୍କ ଠାରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥିଲା।ସେଥିପାଇଁ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ତାଙ୍କୁ କରୋନା ପଜିଟିଭ ଥିବା ଜଣାପଡ଼ିଛି । ହେଲେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏହାସହ ସେ ତାଙ୍କ ସଂପର୍କରେ ଆସିଥିବା ଲୋକମାନେ ସଙ୍ଗରୋଧରେ ରହିବା ସହ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।
    ଅନ୍ୟ ପକ୍ଷରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ ଆସିବା ପରେ ତାଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଡିସଚାର୍ଜ କରିଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଏବେ ହୋମ କ୍ୱାରେଣ୍ଟାଇନରେ ଘରେ ରହିବେ। ସେ ସୁସ୍ଥ ହେଲା ପରେ ତାଙ୍କ ସମସ୍ତ ଶୁଭେଚ୍ଛୁ ଏବଂ ନାନାବତୀ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news