ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ
ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବିଶ୍ଳେଷଣାତ୍ମକ ଓ ସତର୍କ ମନୋଭାବ ପୋଷଣ କରିବା ସହିତ ଆଇନ ଓ ଭାଷା ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ ବୋଲି ଶନିବାର ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି ।
ଚିରଞ୍ଜିବୀଙ୍କୁ ନବୀନଙ୍କ ସରପ୍ରାଇଜ୍
ବିଜେଡି ପ୍ରତି ନିଷ୍ଠା ଓ ଆନୁଗତ୍ୟକୁ ନବୀନ ଦେଲେ ପୁରସ୍କାର । ଚିରଞ୍ଜିବୀ ବିଶ୍ବାଳଙ୍କୁ ବିଜେଡିରେ ମିଳିଲା ବଡ଼ ଦାୟିତ୍ଵ । ଦଳର ସଭାପତି ନବୀନ ଚିରଞ୍ଜିବୀଙ୍କୁ ଦଳର ଉପସଭାପତିଭାବେ ଗୁରୁଦାୟିତ୍ଵ ପ୍ରଦାନ କରିଛନ୍ତି।
ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ଵାଳଙ୍କ ପୁଅ ଚିରଞ୍ଜିବୀ ।ଜଗତସିଂହପୁର ଜିଲ୍ଲା ରାଜନୀତିରେ ବଡ ଚେହେରା । ଦୁଇ ଦୁଇ ଥର ବିଧାୟକ । କ୍ଷମତା ଲୋଭ ନୁହେଁ, ଜନସେବାକୁ ଗୁରୁତ୍ବ ଦେଇ ନିର୍ବାଚନ ପୂର୍ବରୁ ବିନା ସ୍ବାର୍ଥ ଆଉ ସର୍ତ୍ତରେ ବିଜେଡିରେ ସାମିଲ ହୋଇଥିଲେ। ଚର୍ଚ୍ଚା ହେଉଥିଲା ସେ ବିଜେଡି ତରଫରୁ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟରେ ଲଢେଇ କରିବେ। ହେଲେ ଟିକେଟ ତାଙ୍କୁ ମିଳିନଥିଲା। ତଥାପି ନିଜ କର୍ତ୍ତବ୍ୟରେ ଅବହେଳା କରିନଥିଲେ ଚିରଞ୍ଜିବୀ। ଦଳର ଶୃଙ୍ଖଳିତ ସଦସ୍ୟ ଭାବେ ପୂରା ଜିଲ୍ଲାରେ ପ୍ରାର୍ଥୀଙ୍କ ପାଇଁ ବୁଲିବା ସହିତ ବିଜେଡି ପାଇଁ ଭୋଟ୍ ଯୋଗାଡ଼ କରିଥିଲେ ।
ନିର୍ବାଚନରେ ବିଜେଡି କ୍ଷମତା ଚ୍ୟୁତ ହୋଇଥିଲେ ବି ଚିରଞ୍ଜିବୀ ନବୀନବାବୁଙ୍କ ହାତ ଛାଡିନଥିଲେ । ବିରୋଧୀ ଭୂମିକାରେ ନବୀନ ବିଜେଡି ସଂଗଠନର ନବକଳେବର କରିଥିଲେ। ଏଥିରେ ବି ସ୍ଥାନ ପାଇନଥିଲେ ଚିରଞ୍ଜିବୀ । ତଥାପି ଅଭିମାନ କରିନଥିଲେ କି ଦାୟିତ୍ଵରେ ଅବହେଳା କରିନଥିଲେ। ଯାହାର ପରିଣାମ ସ୍ବରୂପ କଥା କମ କାମ ଅଧିକା କରୁଥିବା ଚିରଞ୍ଜିବୀଙ୍କୁ ଆଜି ଦୀପାବଳୀ ପୂର୍ବରୁ ସରପ୍ରାଇଜ୍ ଦେଇଛନ୍ତି ନବୀନ। ଏହା ସହିତ ଦଳର କର୍ମକର୍ତ୍ତାଙ୍କୁ ନବୀନ ସ୍ପଷ୍ଟରୂପେ ବାର୍ତ୍ତା ଦେଇଛନ୍ତି ଯେ, ଦଳରେ ସମସ୍ତଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଦଳ ପାଇଁ ଓ ରାଜ୍ୟବାସୀଙ୍କ ପାଇଁ କାମ କରୁଥିବା ଲୋକଙ୍କୁ ଦଳ ନିଶ୍ଚୟ ଗୁରୁଦାୟିତ୍ଵ ଦେବ।
ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି
ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇ ଆସୁଥିବା ବେଳେ, ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅଣାୟତ ହୋଇ ପଡିଛି ବୋଲି ଅଭିଯୋଗ କରି ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, ଗତ ଏକ ସପ୍ତାହରେ ଧାରାବାହିକ ଭାବେ ଘଟିଥିବା ଅପରାଧ ଗୁଡିକ ଉପରେ ଅବଲୋକନ କଲେ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସ୍ପଷ୍ଟ ହୁଏ । କିନ୍ତୁ, ରାଜ୍ୟ ବିଜେପି ସରକାର ନିଦାବିଷ୍ଣୁ । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ବିରୋଧୀ ଦଳର ଚିକ୍ରାର ତାଙ୍କର କର୍ଣ୍ଣପାତ ହେଉ ନାହିଁ ।
ଶ୍ରୀ ବକ୍ସିପାତ୍ର କହିଥିଲେ, ଗତକାଲି ସନ୍ଧ୍ୟାରେ, ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ, ବିଜେପି ଦଳର ଜଣେ ଆଗଧାଡିର ନେତା ତଥା ଜଣେ ରାଜ୍ୟ ବାର କାଉନ୍ସିଲର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାକୁ ୨୦ ଘଣ୍ଟାରୁ ଉଦ୍ଧ୍ୱର୍ ବିତି ଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ଅପରାଧୀଙ୍କ କୌଣସି ଟେର ପୋଲିସ ପାଇନାହିଁ । ଗତ ୨୪ ଘଣ୍ଟାରେ, ଗଞ୍ଜାମ ଜିଲ୍ଲାରେ ୩ଟି ହତ୍ୟାକାଣ୍ଡ ଘଟିଛି । ମୋହନ ସରକାର ଆସିବା ପରଠାରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୨୮ଟି ହତ୍ୟାକାଣ୍ଡ ଘଟିଲାଣି । ଗଞ୍ଜାମ ଜିଲ୍ଲାରେ, ଲଘୁ ଖଣିଜ ସମ୍ପଦ ଯଥା ବାଲି, ଚିପ୍ସ ଇତ୍ୟାଦି ଜିନିଷର ଚୋରି ଲୁଟତରାଜ ଅହେତୁକ ବୃଦ୍ଧି ପାଇଛି ଯାହା ଯୋଗୁ ଅପରାଧ ଦିନକୁ ଦିନ ବୃଦ୍ଧି ପାଇଛି । ରାଜ୍ୟ ବିଜେପି ସରକାରଙ୍କ ପ୍ରୟୋଜନରେ ଏହି ଲୁଟତରାଜ ଚାଲିଛି ଓ ଏଥିଯୋଗୁ ଗଞ୍ଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ପୂର୍ବରୁ ନବୀନ ସରକାରଙ୍କ ସମୟରେ, ଗଞ୍ଜାମରେ ଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା ବେଳେ ବିଜେପି ସରକାରଙ୍କ ସମୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଗଲାଣି ।
ଶ୍ରୀ ବକ୍ସିପାତ୍ର ଆହୁରି କହିଥିଲେ, ରାଜ୍ୟରେ ଏବେ ବହୁଚର୍ଚ୍ଚିତ ଘଟଣା ପୋଲିସ ଏସ୍ଆଇ ଚାକିରି ବିକ୍ରି ଘଟଣା ବ୍ରହ୍ମପୁର ସହରରୁ ଲୋକଲୋଚନକୁ ଆସିଥିଲା । ଏହି ଘଟଣାରେ ସରକାରଙ୍କ ସମ୍ପୃକ୍ତି ଜଳ ଜଳ ହୋଇ ଦିଶୁଛି । ସେହିପରି, ଚୌଦ୍ୱାରରେ ଥିବା ହାଇ ସିକୁ୍ୟରିଟି ଜେଲରୁ ଦୁଇ ଜଣ କୁଖ୍ୟାତ ଅପରାଧୀ ଜେଲରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ଭାଇଚାରା ସହର କଟକରେ ସାମ୍ପ୍ରଦାୟିକ ଦଙ୍ଗା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ୩୬ଘଣ୍ଟା ପାଇଁ କର୍ଫୁ୍ୟ ଲଗାଇବାକୁ ପଡୁଛି । ଆଜି ସକାଳେ, ପୁରୀ ଜିଲାରେ ଲକ୍ଷ୍ମୀ ବସ୍ ଭିତରକୁ ଜଣେ ଦୁବୃର୍ତ୍ତ ପଶି ଆସି କଟୁରୀ ଚୋଟରେ ବସ ଯାତ୍ରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ଯୋଗୁ ଅନୁ୍ୟନ୍ୟ ୭ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ, ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଦୁଷ୍କର୍ମ, ଅସଦାଚରଣ, ନାରୀ ନିର୍ଯାତନା, ହତ୍ୟା ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜ ଗୁଡିକରେ ଶିରୋନାମା ପାଲଟୁଛି । କିନ୍ତୁ, ସରକାର ନିଜର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଡବଲ ଇଞ୍ଜିନ ସରକାର ଗୋଟିଏ ସମ୍ୱେଦନହୀନ ସରକାର ବୋଲି ରାଜ୍ୟବାସୀ ଜାଣିଲେଣି ।
ବିଜେପି ସରକାରରେ ନିଜ ଦଳର ଲୋକେ ବି ଅସୁରକ୍ଷିତ: କଂଗ୍ରେସ
ବିଜେପିର ପନ୍ଦର ମାସ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ। ଏହି ପରିପେକ୍ଷୀରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଆଲୋଚନା ଆରମ୍ଭ କରି ରାଜ୍ୟ କଂଗ୍ରେସ ମୁଖପାତ୍ର ଶ୍ରୀଯୁକ୍ତ ଅଶୋକ ସ୍ବାଇଁ କହିଲେ, ମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ବିଜେପିର ଭିଭିଆଇପିଙ୍କୁ ସେବା ଦେବାରେ ଚରମ ଅବହେଳା ପାଇଁ ସର୍ବସମ୍ମୁଖରେ ତାଚ୍ଛଲ୍ୟର ସହ ତାଗିଦ କରିଥିଲେ। କଟକରେ ଅସାମାଜିକ ମାନେ ଡିସିପିଙ୍କୁ ମାରି ଆହତ କରିଥିଲେ, ଅନ୍ୟ ସ୍ଥାନରେ ରାସ୍ତା ମଝିରେ ଆଇଆଇସିଙ୍କୁ ଲୋକେ ଚାପୁଡା ମଧ୍ଯ ମାରିଲେ। ପୂର୍ବତନ ମନ୍ତ୍ରୀ ତଥା ପିସିସିର ବରିଷ୍ଠ ମୁଖପାତ୍ର ଦେବାଶିଷ ନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗତ କିଛିଦିନ ଭିତରେ ରାଜ୍ଯରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡିଛି, ସରକାର ବିଫଳ। ଏପରି ଶାସନ ବ୍ୟବସ୍ଥାକୁ କେହି ଡରୁନାହାନ୍ତି। ଗତକାଲି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବାର୍ କାଉନସିଲର ବରିଷ୍ଠତମ ସଦସ୍ଯ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କର ଘର ସମ୍ମୁଖରେ ଗୁଳିକରି ଅତି ନିର୍ମମ ଭାବରେ ହତ୍ଯା କରାଯାଇଛି। ଆଜି ରାଜ୍ୟର ଏପରି ଅବସ୍ଥା କୌଣସି ଜାଗାରେ କିଛି ବି ଅଘଟଣ ଘଟିଯାଇପାରେ। ବିଜେପି ନିଜ ବରିଷ୍ଠ ନେତାଙ୍କୁ ସୁରକ୍ଷା ଦେଇ ପାରୁନଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷାରେ ବଡ଼ ପ୍ରଶ୍ନ ଉଠୁଛି। ସାମ୍ବାଦିକ ମାନେ ଯଦି ଦୁର୍ନିତିକୁ ଲୋକଲୋଚନକୁ ଆଣନ୍ତି ତେବେ ସେମାନେ ମଧ୍ଯ ଅସୁରକ୍ଷିତ। ଏଥିରୁ ଜଣାଯାଏ ଶାସନ ଅନୁଶାସନରେ ଅନଭିଜ୍ଞ ସରକାର ଏଠି ଚାଲୁଛି। ଏଠି ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାମ କରିବାକୁ ଦିଆ ଯାଉନାହିଁ ଓ ମୁଖ୍ୟମନ୍ତ୍ରୀ ପଦରେ ରହି ଯଦି ନ୍ୟାୟ ଦେବାରେ ଅସମର୍ଥ ତେବେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନର ସହ ଇସ୍ତଫା ଦେଇଦେବା ଦରକାର। ନଚେତ ଜନତା କ୍ଷମା କରିବେ ନାହିଁ, ଏହା କେବଳ ବିଜେପି ସରକାରରେ ହେଉଛି ତାହା ନୁହେଁ। ଗତ ପଚିଶ ବର୍ଷର ବିଜେଡି ସରକାରରେ ମଧ୍ଯ ଚାଲୁଥିଲା। ଏପରିକି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କରିଥିଲେ। ଏହାର ରିପୋର୍ଟ ମଧ୍ଯ ଲୋକ ଲୋଚନକୁ ଆସିନାହିଁ। ରାଜ୍ଯରେ ବିଜେଡି ସରକାର ସାଧାରଣ ଜନତା ଦେଖିଲେ, ପନ୍ଦର ମାସର ବିଜେପି ସରକାର ମଧ୍ଯ ଦେଖିଲେ, କଂଗ୍ରେସ ଏକମାତ୍ର ଦଳ ଯାହା ସାଧାରଣ ଜନତାଙ୍କ ଆଶା ଭରସା। ଯଦି ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଧ୍ୟାନ ନଦିଅନ୍ତି, ଦୋଷୀଙ୍କୁ ଦଣ୍ଡ ବିଧାନ ନକରନ୍ତି ତେବେ ସାଧାରଣ ଲୋକଙ୍କ ସହ କଂଗ୍ରେସ ରାଜ ରାସ୍ତାରେ ଲଢେଇ କରିବ।
ଖୋଦ୍ ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଗୃହ ବିଭାଗ ରଖିଥିବା ବେଳେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ହୋଇଛି ତାଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ରାଜୀବ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଗତକାଲି ବ୍ରହ୍ମପୁରର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ, ଯିଏ ସର୍ବୋଚ୍ଚ ଭୋଟରେ ରାଜ୍ଯ ବାର୍ କାଉନସିଲକୁ ନିର୍ବାଚିତ ହେଇଥିଲେ ତାଙ୍କୁ ଗୁଳକରି ହତ୍ୟାକରିବା ହେଉ, ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଏବିଭିପି ନେତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ନିମାପଡା ବଳଙ୍ଗା ଛାତ୍ରୀଙ୍କୁ ଜାଳି ମାରିଦେବା ହେଉ ଅବା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମୁଖରେ ପ୍ରକାଶ ରଣବିଜୁଳିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାମାନରୁ ବିଜେପି ସରକାରର ଅପାରଗତା ଜଣାପଡୁଛି। ଏ ସରକାରରେ ଆଇନ ଶୃଙ୍ଖଳା ପୁରା ବିପର୍ଯ୍ୟସ୍ତ। ଯେଉଁମାନେ ନିଜ ଦଳର ନେତାମାନଙ୍କୁ ମୃତ୍ଯୁମୁଖରୁ ରକ୍ଷା କରି ପାରୁନାହାନ୍ତି ସେମାନେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବେ କିପରି? ସେମାନେ ସରକାରରେ ରହିବା ଅଧିକାର ନାହିଁ, ଇସ୍ତଫା ଦେବା ଦରକାର। ଓଡି଼ଶାର ମାଆ ଭଉଣୀମାନେ, ଯେଉଁମାନେ ବ୍ୟବସାୟ କରୁଛନ୍ତି ଯେଉଁମାନେ ସାମ୍ବାଦିକତା କରୁଛନ୍ତି ସେମାନେ ସମସ୍ତେ ଭୟଭୀତ। ସେମାନଙ୍କର ପୋଲିସ ଓ ସରକାରଙ୍କ ଉପରୁ ଭରସା ତୁଟିଯାଇଛି। ହଜାର ବର୍ଷର ଭାଇଚାରାର ସହର କଟକରେ ଯେଉଁଭଳି ଦଙ୍ଗା ହେଲା ଓ କର୍ଫୁ ହେଲା ତାହା ସରକାର ଓ ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଉଛି। ଭୁଲ୍ କାହାର ତାକୁ ଦଣ୍ଡ ମିଳିବା ଦରକାର କିନ୍ତୁ ଏଠି ଏତେବଡ଼ ଦଙ୍ଗା ହେଇଯାଉଛି, ହଜାର ହଜାର ଲୋକ ରାସ୍ତାକୁ ଆସୁଛନ୍ତି ଏଥିପାଇଁ ସରକାର ଓ ପୋଲିସ ଗୁଇନ୍ଦା ବିଭାଗର ଦାୟୀ। କଂଗ୍ରେସ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିପିଙ୍କ ଇସ୍ତଫା ଦାବୀ କରୁଛି କଂଗ୍ରେସ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗ୍ରସ୍ତ ସମୟରେ ନିଶା ବ୍ୟବସାୟକୁ ବିରୋଧ କରୁଥିବା ଯୁବକଙ୍କୁ ରାଜଧାନୀର ରସୁଲଗଡଠାରେ ଗୁଳି କରି ହତ୍ଯା କରିଦେଲେ। ସରକାରର ହାତବାରିସି ସାଜିଥିବା ପୋଲିସ ବିଶେଷ କରି ଡିଜିପି ନୀରବଦ୍ରଷ୍ଟା ସାଜି ଶୋଇପଡି଼ଛନ୍ତି। କେବଳ କେନ୍ଦ୍ରରୁ ଆସୁଥିବା ପ୍ରଧାନମନ୍ତ୍ରୀ, ମନ୍ତ୍ରୀ, ବିଜେପି ନେତା ଏପରିକି ଆଦାନୀ ଅମ୍ବାନୀଙ୍କୁ ସୁରକ୍ଷା ଦେଉଛନ୍ତି।
ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ: ଘାସିରାମ
ଆସନ୍ତା ୧୧ ନଭେମ୍ବର ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତିରେ ଆଗୁଆ ରହିଛି। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ ମଙ୍ଗଳବାର ମୋହର ଲଗାଇଛି ଏଆଇସିସି। ଆଜି ଏହି ମର୍ମରେ ଏଆଇସିସି ପକ୍ଷରୁ ସାଧାରଣ ସଂପାଦକ (ସଙ୍ଗଠନ) ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମାଝୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷିତ ହେବାପରେ ଦଳୀୟ ମହଲରେ ଆନନ୍ଦ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରଠାରୁ ସମ୍ଭାବ୍ୟ ଉପନିର୍ବାଚନ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ମୂଳରୁ ହିଁ ଶ୍ରୀ ମାଝୀ ଦଳର ପ୍ରାର୍ଥୀ ହେବେ ବୋଲି ପିସିସି ସଭାପତିଙ୍କ ଅନୁମାନ ସତ୍ୟ ହୋଇଛି। ଗତ ୨୦୨୪ ନିର୍ବାଚନକୁ ମିଶାଇ ଶ୍ରୀ ମାଝୀ ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩ ଥର ଲଢି ହାରିଥିଲେ। ୨୦୧୪ ଓ ୨୦୧୯ରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ବେଳେ ଗତ ୨୦୨୪ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ଲଢି ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇବା ସହ ଦ୍ବିତୀୟ ସ୍ଥାନରେ ଥିଲେ। କଂଗ୍ରେସର ଦଳୀୟ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ୧୫ ହଜାରରୁ ଅଧିକ ଭୋଟ ପାଇଥିବାରୁ କଂଗ୍ରେସ ଖାତାରେ ୬୫ ହଜାରରୁ ଅଧିକ ଭୋଟ୍ ଥିବା ନେଇ ପିସିସି ସଭାପତି ଆକଳନ କରିଆସୁଥିଲେ। ତେଣୁ ଏ ଥର ସେ ଜିତିବାରେ ଅସୁବିଧା ହେବନାହିଁ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବିଜେଡି ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ଆହୁରି ମଧ୍ୟ ନୂଆପଡା ବିଧାନସଭା ଖଣ୍ଡ ପିସିସି ସଭାପତିଙ୍କ ଲୋକସଭା କ୍ଷେତ୍ର କଳାହାଣ୍ଡିର ଅଂଶବିଶେଷ ହୋଇଥିବାରୁ କଂଗ୍ରେସ ପ୍ରଚାର ଦୃଷ୍ଟିରୁ ଆଗୁଆ ଥିବା ସ୍ପଷ୍ଟ ହୋଇଛି। ଶ୍ରୀ ଦାସ ଗତ ସୋମବାରଠାରୁ ନୂଆପଡ଼ାରେ ୪ ଦିନ ପାଇଁ ଡେରା ପକାଇ ଅଛନ୍ତି । ପ୍ରଥମ ଦିନର ରାଲିରେ ସହସ୍ର ସଂଖ୍ୟାରେ କର୍ମୀମାନେ ଯୋଗଦେବା କଥା ଦଳରେ ଉତ୍ସାହକୁ ପ୍ରମାଣ କରୁଥିବା ସେ କହିଛନ୍ତି।
ସୋଆ ଆଇବିସିଏସ୍ ଏବଂ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ସାଇନସେସ୍ (ଆଇବିସିଏସ୍) ଏବଂ ବିଶ୍ୱବିଦ୍ୟାଳୟର ଏନ୍ଏସଏସ୍ ଶାଖା ପକ୍ଷରୁ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ‘ସ୍ୱଚ୍ଛ ଭାରତ ଅଭିଯାନ’ ପରିପ୍ରେକ୍ଷୀରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ସ୍ୱଚ୍ଛତା, ପରିଚ୍ଛନ୍ନତା ଏବଂ ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ସଚେତନତା ନେଇ ଆଇବିସିଏସ୍ କ୍ୟାମ୍ପସ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଆଇବିସିଏସ୍ର ଡିନ ପ୍ରଫେସର ଅୟସ କାନ୍ତ ମହାନ୍ତି, ଆସୋସିଏଟ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ସ୍ୱଚ୍ଛତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏନ୍ଏସ୍ଏସ୍ ର ପ୍ରୋଗ୍ରାମ ଅଫିସର ଶ୍ରୀ ଅନନ୍ତ ପ୍ରସାଦ ନନ୍ଦଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ‘କ୍ଲିନ୍ କ୍ୟାମ୍ପସ, ଗ୍ରୀନ୍ କ୍ୟାମ୍ପସ’ ଏବଂ ‘ଏ କ୍ଲିନ୍ ଏନ୍ଭାଇରନ୍ମେଂଟ ଇଜ ଏ ହେଲ୍ଦି ଏନ୍ଭାଇରନ୍ମେଂଟ’ ସ୍ଲୋଗାନ୍ ଦେଇ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
କଟକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମୋହନ ଓ ନବୀନଙ୍କ ନିବେଦନ
କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର । କିନ୍ତୁ, ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସହରର ଐତିହ୍ୟକୁ ଆହୁରି ଉପରକୁ ନେବା ପାଇଁ ସମସ୍ତେ ମିଳିମିଶି ଶାନ୍ତି ଶୃଙ୍ଖଳାର ସହିତ ଆଗକୁ ବଢନ୍ତୁ ଏବଂ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ସେହିପରି ବିରୋଧୀ ଦଳ ନେତାଙ୍କକଟକ ରେ ଶାନ୍ତି ରକ୍ଷା ପାଇଁ ନବୀନ ପଟନାୟକଙ୍କ ଅନୁରୋଧ କରିଛନ୍ତି। ଭାଇଚାରା ର ସହର କଟକ ରେ ଆଜି ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏକ ଶାନ୍ତି ପ୍ରିୟ ରାଜ୍ୟ ଭାବରେ ଓଡିଶା ର ସୁନାମ ରହିଛି.ଓଡିଶା ବାସୀ,କଟକ ବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି. ତେଣୁ କଟକସହର ରେ ଶାନ୍ତି ବଜାୟ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ସିବିଆଇ ତଦନ୍ତ ଦାବୀ କଲା ବିଜେଡି
ଭୁବନେଶ୍ୱର: ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭଵନରେ ଗୁରୁବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଟ ନେତା ଶ୍ରୀ ପ୍ରଶାନ୍ତ ମୁଦୁଲି ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ ଲେନିନ ମହାନ୍ତି ଏହି ଘଟଣାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଅଭିଯୋଗ କରିବା ସହିତ ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବା ପାଇଁ ଦାବୀ କରିଥିଲେ।
ଶ୍ରୀ ମୁଦୁଲି କହିଥିଲେ, ରାଜ୍ୟରେ ଗତ ପନ୍ଦର ମାସର ବିଜେପି ଶାସନରେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ଓ ଲଜ୍ଜିତ ହୋଇଥିବା ବେଳେ ଏବେ ସରକାରୀ ଚାକିରୀ ବିକ୍ରି ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଗତ ପନ୍ଦର ମାସରେ ଷୋହଳଟି ନିଯୁକ୍ତି ପରୀକ୍ଷା ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି, ଯାହା ଯୋଗୁ ନିଯୁକ୍ତି ଆଶାୟୀ ମାନେ ହତାଶ ହୋଇଛନ୍ତି। ପୋଲିସ ଏସଆଇ ପଦବୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରା ଯାଇଥିଲା। ଏହାକୁ ଅକ୍ଟୋବର ୭ ଓ ୮ରେ କରିବା ପାଇଁ ସ୍ଥିର କରା ଯାଇଥିଲା, ଯାହାକୁ ୩୦ ସେପ୍ଟେମ୍ବର ଦିନ ଆଉଥରେ ବାତିଲ କରା ଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତିରେ ସମ୍ପୃକ୍ତ ଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କୁ ଶ୍ରୀକାକୁଲମ ପୋଲିସ ଦ୍ୱାରା ଗିରଫ କରା ଯାଇଛି। ନିଯୁକ୍ତି ପାଇଁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ଦ୍ୱାରା ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ମାଧ୍ୟମରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଗିରଫ ପରୀକ୍ଷାର୍ଥୀ ମାନେ ମୋଟା ଅଙ୍କର ଲାଞ୍ଚ ଦେଇ ଏହି ଚାକିରୀ ହାତେଇବା ପାଇଁ ଉଦ୍ୟମ କରୁଥିଲେ ବୋଲି କୁହାଯାଉଛି। କିନ୍ତୁ, ଏଠାରେ ପ୍ରଶ୍ନ ଉଠୁଛି ଯେ, ଲାଞ୍ଚ ଦେବା ଅଭିଯୋଗରେ ପରୀକ୍ଷାର୍ଥୀ ମାନେ ଯଦି ଗିରଫ ହେଲେ, ତାହେଲେ ଲାଞ୍ଚ ଗ୍ରହଣ କରିଥିବା ବ୍ୟକ୍ତିମାନେ ଗିରଫ ହେଉ ନାହାନ୍ତି କାହିଁକି?
ଶ୍ରୀ ମୁଦୁଲି ଆହୁରି କହିଥିଲେ, ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚ ପଦବୀ ଧାରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହେଉଛି। ଏହି ନିଯୁକ୍ତି ଦାୟିତ୍ୱ ଓପିଆରବି ଉପରେ ଥିଲା ବେଳେ ଏହାର ଅଧ୍ୟକ୍ଷ ଭାବେ ସନ୍ତୋଷ ଉପାଧ୍ୟାୟାଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ୯୩୩ ଜଣ ଏସଆଇ ପଦବୀରେ ନିଯୁକ୍ତି ଦେବା ପାଇଁ ଆବଶ୍ୟକୀୟ ପରୀକ୍ଷାକୁ ପରିଚାଳନା କରିବା ପାଇଁ ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇ କୁ ପ୍ରଦାନ କରା ଯାଇଥିଲା। ଏହି କାମ ପାଇଁ ଆଇଟିଆଇ ତାର ସହଯୋଗୀ ଭାବେ ଗୁଜୁରାଟର ରିଚ ମାଇଣ୍ଡ ଡିଜିଟାଲକୁ ନେଇଥିଲା। ଏପ୍ରିଲ ୨୦୨୫ରେ ରାଜ୍ୟ ସରକାର ସନ୍ତୋଷ ଉପାଧ୍ୟାୟାଙ୍କୁ ଅବ୍ୟାହତି ଦେଇ ତାଙ୍କ ଜାଗାରେ ସୁଶାନ୍ତ ନାଥଙ୍କୁ ଦେଇଥିଲେ। ଏହାପରେ, ଆଇଟିଆଇ ଦ୍ୱାରା ରିଚ ମାଇଣ୍ଡକୁ ହଟାଯାଇ ଓଡ଼ିଶାର ଏକ ସଂସ୍ଥା ସିଲିକନ ଡିଜିଟେକକୁ ସହଯୋଗୀ ଭାବେ ନିଆ ଯାଇଥିଲା। ନିଯୁକ୍ତି ସଂସ୍ଥା ଦ୍ୱାରା ଉତ୍କୋଚ ଗ୍ରହଣ କରି ଜାଲିଆତି କରାଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସି ଏଥିରେ ଶହେରୁ ଅଧିକ ପରକ୍ଷାର୍ଥୀ ଗିରଫ ହେବାର ତିନି ଦିନ ବିତି ଯାଇଥିଲେ ସୁଦ୍ଧା ନିଯୁକ୍ତି ଦାୟିତ୍ୱରେ ଥିବା ଆଇଟିଆଇ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଏହି ଘଟଣାରେ ସ୍ୱାଭାବିକ ଭାବେ ରାଜ୍ୟ ସରକାରଙ୍କ ଭୂମିକାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହା ସ୍ୱାର୍ଥରେ, ରିଚ ମାଇଣ୍ଡକୁ ହଟା ଯାଇ ସିଲିକନ ଡିଜିଟେକ ଭଳି ଅନଭିଜ୍ଞ ସଂସ୍ତାକୁ ଦାୟିତ୍ୱ ଦିଆ ଯାଇଥିଲା। ଯଦି ପରୀକ୍ଷାର୍ଥୀ ମାନେ ଲାଞ୍ଚ ଦେଇଥିଲେ, କେଉଁମାନେ ଲାଞ୍ଚ ଗ୍ରହଣ କରିଛନ୍ତି ଓ ସେମାନେ ଗିରଫ କେବେ ହେବେ? ପନ୍ଦର ମାସରେ ଷୋହଳଟି ପରୀକ୍ଷା ବାତିଲ ହେଲାଣି, ଯାହା ତ୍ରୁଟିଶୁନ୍ୟ ପରୀକ୍ଷା ଆୟୋଜନ କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି ସ୍ପଷ୍ଟ ହେଉଛି। ପୋଲିସ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି, ତେଣୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ ରହିଛି। ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ମୁଦୁଲି ଦାବୀ କରିଥିଲେ।
ଡ ଲେନିନ ମହାନ୍ତି କହିଥିଲେ, ରାଜ୍ୟ ସରକାର ନିଯୁକ୍ତି ପରିକ୍ଷାରେ ଦୁର୍ନୀତିକୁ ରୋକିବା ପାଇଁ ଫେବୃଆରୀ ମାସରେ ଆଇନ ଆଣିଥିଲେ। ଏହାଛଡ଼ା, ଏକ ଏସଓପି ଜାରି କରାଯିବା ସହିତ ଏଆଇ ପାୱାର ଡ୍ରିଭେନ ଟେକନୋଲୋଜି ମାଧ୍ୟମରେ ତ୍ରୁଟିଶୁନ୍ୟ ପରୀକ୍ଷା କରାଯିବ ବୋଲି ସରକାର କହିଥିଲେ। ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ସରକାରଙ୍କ ସମସ୍ତ ଦାବୀ କେବଳ ପ୍ରହସନରେ ପରିଣତ ହୋଇଛି। ଗୃହ ବିଭାଗର ନିଯୁକ୍ତି ପ୍ରକ୍ରିୟାରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଗୃହ ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି। ତେଣୁ, ମୁଖ୍ୟମନ୍ତ୍ରୀ ଏହି ଦୁର୍ନୀତି ଅଭିଯୋଗ ବିଷୟରେ ସ୍ପଷ୍ଟୀକରଣ ରଖିବା ଦରକାର। ବିରୋଧୀ ଦଳରେ ଥିବା ସମୟରେ ବିଜେପି କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରେ ଭରସା କରି ପାରୁ ନଥିଲା। କିନ୍ତୁ, ସରକାରକୁ ଆସିଲା ପରେ, କ୍ରାଇମ ବ୍ରାଞ୍ଚକୁ ତଦନ୍ତ ପାଇଁ ଭରସା କରୁଛି। ଏଥିରେ ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ସରକାର ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି। ତେଣୁ, ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ। ସିବିଆଇକୁ ହସ୍ତାନ୍ତର ନକଲେ, ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଡ ମହାନ୍ତି କହିଥିଲେ।
ଏସଆଇ ପରୀକ୍ଷାରେ ଜାଲିଆତି ମାମଲା : ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ
ଏସଆଇ ପରୀକ୍ଷାରେ ଜାଲିଆତି ମାମଲା।
*ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ।*















