ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ଘଟଣା…

{}ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ଘଟଣା,

ଏନ୍‌ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ।

() ଭୁବନେଶ୍ୱର ଉପକଣ୍ଠ ଫୁଲନଖରାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।

ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ କ୍ଷେତ୍ରରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ସମ୍ପୃକ୍ତ ଜମିରେ ସମସ୍ତ ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଲାଗୁ କରିଥିବା ରହିତାଦେଶ ଉପରେ ରୋକ ଲଗାଇଛନ୍ତି । ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ, ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ପ୍ରକଳ୍ପକୁ ଇତିମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତଣାଳୟ ପକ୍ଷରୁ ପରିବେଶ ମଞ୍ଜୁରି ମିଳିସାରିଛି । ତେଣୁ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଏହି ଆଧାର (ବିନା ପରିବେଶ ମଞ୍ଜୁରିରେ ନିର୍ମାଣ) ନିରର୍ଥକ ହୋଇଯାଇଛି । ଏହା ବ୍ୟତୀତ ଟ୍ରିବ୍ୟୁନାଲ୍‌ଙ୍କ ମତରେ ଯାହା ନିର୍ମାଣ କାର୍ଯ୍ୟ ବୋଲି କୁହାଯାଉଛି, ତାହା ବାସ୍ତବରେ କେବଳ ଜମି ସୀମା ଘେରାଯିବା ପାଇଁ ପାଚେରି କାମ ଥିଲା । ଏହାକୁ ନିର୍ମାଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ । ପ୍ରତିପକ୍ଷଙ୍କୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ନ ଦେଇ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏକପାଖିଆ ନିର୍ଦ୍ଦେଶ ଜାରି କରିଛନ୍ତି ବୋଲି ମାନ୍ୟବର ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ।

ହାଇକୋର୍ଟ କହିଛନ୍ତି, ଯେଉଁ ଜମିକୁ ନୟନଜୋରି କିସମ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ତାହା ପ୍ରକୃତରେ ରାସ୍ତା କଡ଼ ଜଳପ୍ରବାହ ସ୍ଥଳ । ଏହାକୁ ନୟନଜୋରି କୁହାଯାଇପାରିବ ନାହିଁ । ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସଂପୃକ୍ତ ଜମି ପ୍ରକଳ୍ପ ନିର୍ମାଣ ପାଇଁ ଦେଇଛନ୍ତି । ଏହା କେଉଁ କିସମର ଏବଂ ଏଠାରେ ନିର୍ମାଣ ସମ୍ଭବ କି ନାହିଁ ତାହା ବିଚାର କରି ବିଭାଗ ଜମି ଦେଇଛନ୍ତି । ସଂପୃକ୍ତ ଜମିରେ ଏକଦା ପ୍ରାଚୀ ନଦୀ ପ୍ରବାହିତ ହେଉଥିଲା ବୋଲି ଯାହା ଦାବୀ କରାଯାଇଛି ତାହାର କୌଣସି ଭିତି କିମ୍ବା ତଥ୍ୟ ପ୍ରମାଣ ନାହିଁ । ପରବର୍ତୀ ତାରିଖ (ଫେବୃଆରୀ ୧୬) ଯାଏ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ଙ୍କ ରହିତାଦେଶ ଉପରେ ଏହି ରୋକ ବଳବତର ରିହବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରେ ଉଲ୍ଲେଖ କରାଯାଇଥିବା ଜମିରେ ଅନ୍ୟାଦେଶ ପର୍ଯ୍ୟନ୍ତ ସବୁପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଏନ୍‌ଜିଟି ରହିତାଦେଶ ଜାରି କରି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଚାରିଟେବଲ ଏଜୁକେସନ୍ ସୋସାଇଟି ଦାୟର କରିଥିବା ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଫେବୃଆରି ୧୬କୁ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍‌ଜିଟି ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଏନ୍‌ଜିଟିରେ ଆବେଦନକାରୀଙ୍କ ତରଫରୁ ଆବେଦନ ଦାୟର କରାଯାଇ ପରିବେଶ ମଞ୍ଜୁରୀ ମିଳି ନଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ଦର୍ଶାଯାଇଥିଲା । ଗତ ଡିସେମ୍ବର ୧୨ରେ ମାମଲାର ଶୁଣାଣି କରି ଏନ୍‌ଜିଟି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ନିର୍ମାଣ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଅନ୍ୟ ପକ୍ଷରେ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୨୦୨୩ ଜାନୁଆରି ୩ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥି ସହିତ ଆବେଦନକାରୀଙ୍କ ପକ୍ଷ ନ ଶୁଣି ଏନ୍‌ଜିଟି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏଭଳି ସ୍ଥିତିରେ ଏନ୍‌ଜିଟି ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ହସ୍ପିଟାଲ୍ ନିର୍ମାଣ ହେଲେ ଏହା ଦ୍ୱାରା ସବୁବର୍ଗର ଲୋକେ ଉପକୃତ ହେବେ । ଉପଯୁକ୍ତ, ଉତମ ଏବଂ ଅଧିକ ମାତ୍ରାରେ ଲୋକମାନଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ । ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ହେଉ ଅଥବା କୋଭିଡ ମହାମାରୀ ସମୟରେ ଜନସାଧାରଣଙ୍କର ଚିକିତ୍ସା ଓ ଜୀବନ ରକ୍ଷା ହେଉ, ସବୁ କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ନିରନ୍ତର ଓ ନିଃସ୍ୱାର୍ଥପର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି । ଏଭଳି କ୍ଷେତ୍ରରେ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ ପ୍ରକଳ୍ପକୁ ବନ୍ଦ କରିବା ନେଇ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କର ଚକ୍ରାନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି ।

ମୋ ସରକାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…

() ମୋ ସରକାର ସମୀକ୍ଷା

ଜିଲ୍ଲାପାଳମାନେ ଅଧିକ ଫିଡ୍‌ବ୍ୟାକ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ସ୍ବାସ୍ଥ୍ୟ ବିଭାଗର ଫିଡ୍‌ବ୍ୟାକ ସର୍ବୋତ୍ତମ

ସବ୍‌ରେଜିଷ୍ଟର ଅଫିସ, ବିଲ୍‌ଡିଂ ପ୍ଲାନ ଅନୁମୋଦନ, ବିଲ୍‌ ପ୍ରଦାନ, ଜାତିଗତ ପ୍ରମାଣପତ୍ର ଆଦି ପ୍ରଦାନ କ୍ଷେତ୍ରରେ ଅଧିକ ପାରଦର୍ଶିତାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

ପେନ୍‌ସନ ପ୍ରଦାନରେ ବ୍ୟବସ୍ଥାଗତ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍‌କୁ ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।ସୂଚନାଯୋଗ୍ୟ ଯେ ମୋ ସରକାର କାର୍ଯ୍ୟକ୍ରମରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଫୋନକଲ୍‌ ଜରିଆରେ ସେମାନେ କିଭଳି ବ୍ୟବହାର ପାଇଲେ ବା ତାଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି କି ନାହିଁ, ସେ ସଂପର୍କରେ ଜାଣିବା ପାଇଁ ବ୍ୟବସ୍ଥା ରହିଛି । ୨୦୧୯ ଅକ୍ଟୋବର ୨ ତାରିଖରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗତ ବର୍ଷ ମଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିଥିଲେ । ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମିଶନ ଶକ୍ତି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା କରାଯାଇଥିଲା ।

ବୈଠକରେ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି । ଆଜି ପର୍ଯ୍ୟନ୍ତ ସମୁଦାୟ ୩.୭୭ କୋଟି ଫିଡବ୍ୟାକ ସଂଗ୍ରହ କରାଯାଇଛି । ମୋ ସରକାରର ୧୧ଟି ପାରାମିଟରରୁ ୯ଟି ପାରାମିଟରରେ ଉନ୍ନତି ଆସିଛି। ସମସ୍ତ ବିଭାଗର ସାମଗ୍ରିକ ପ୍ରଦର୍ଶନ ଦୃଷ୍ଟିରୁ ୯୪.୯ ପ୍ରତିଶତ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂଙ୍ଗ ବା ସର୍ବୋତ୍ତମ ରହିଛି ।ସମୀକ୍ଷାରୁ ଜଣାଯାଇଥିଲା ଯେ ସ୍ବାସ୍ଥ୍ୟ ବିଭାଗର ପ୍ରଦର୍ଶନ ସର୍ବୋତ୍ତମ ରହିଛି। ବିଶେଷକରି ସରକାରୀ ଡାକ୍ତରଖାନା ମାନଙ୍କରେ ମିଳୁଥିବା ସେବା ସଂପର୍କରେ ଜନସାଧାରଣଙ୍କ ଫିଡବ୍ୟାକ ବହୁତ ଭଲ ରହିଛି । ୯୯ ପ୍ରତିଶତରୁ ଅଧିକ ମତ ଉତ୍ତମ ବୋଲି ଜଣାଯାଇଛି। ସେହିପରି ବେସରକାରୀ ଡାକ୍ତରଖାନା ଗୁଡିକରେ ୯୮ ପ୍ରତିଶତ ଫିଡବ୍ୟାକ ଉତ୍ତମ ରହିଛି। ବିଶେଷକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଫିଡବ୍ୟାକ ନିଆଯାଇଛି । ଗୃହ ନିର୍ମାଣ ଓ ନିଗର ଉନ୍ନୟନ ବିଭାଗ କାମରେ ମଧ୍ୟ ଉନ୍ନତି ଆସିଛି ବୋଲି ଜଣାଯାଇଛି ।

ସମୀକ୍ଷାରୁ ଜଣାଯାଇଛି ଯେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୯୬ ପ୍ରତିଶତ, ରାଜସ୍ବ ବିଭାଗର ୯୮ ପ୍ରତିଶତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୯୨ ପ୍ରତିଶତ ଫିଡବ୍ୟାକ ଅତି ଉତ୍ତମ ରହିଛି । ମିଶନ ଶକ୍ତି ବିଭାଗ ଅପେକ୍ଷାକୃତ ନୂତନ ବିଭାଗ ହୋଇଥିବାରୁ ଏହାର ଫିଡବ୍ୟାକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି।ସମୀକ୍ଷାରୁ ଜଣାଯାଇଥିଲା ଯେ ସବ୍‌ରେଜିଷ୍ଟର ଅଫିସ, ବିଲ୍‌ଡିଂ ପ୍ଲାନ ଅନୁମୋଦନ, ବିଲ୍‌ ପ୍ରଦାନ, ଜାତିଗତ ପ୍ରମାଣପତ୍ର ଆଦି ପ୍ରଦାନ କ୍ଷେତ୍ରରେ ସମସ୍ୟା ରହୁଛି ବୋଲି ଫିଡବ୍ୟାକରୁ ଜଣାଯାଇଛି। ଏସବୁ କ୍ଷେତ୍ରରେ ଅଧିକ ପାରଦର୍ଶିତାର ସହ କାମ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଭାଗ ନିଜ ନିଜର ସେବା ପ୍ରଦାନ କାର୍ଯ୍ୟକ୍ରମ ଗୁଡିକୁ ଅତ୍ୟନ୍ତ ଦକ୍ଷତାର ସହ ତୁଲାଇବାର ଆବଶ୍ୟକତା ରହିଛି।ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର କହିଲେ ଯେ ଗତ ସମୀକ୍ଷା ଠାରୁ ବର୍ତ୍ତମାନ ମଧ୍ୟରେ ଫିଡବ୍ୟାକ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲାସ୍ତରରେ ଉତ୍ତମ ଫିଡବ୍ୟାକ ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।

ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା କହିଲେ ଯେ ମୋ ସରକାର କାର୍ଯ୍ୟକ୍ରମ ଯୋଗୁ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆସିଛି । ସେଥିପାଇଁ ଅଭିଯୋଗର ପରିମାଣ ମଧ୍ୟ କମିଛି ବୋଲି ସେ କହିଥିଲେ।ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ସରକାରୀ ସେବା ପାଉଥିବା ବିଭିନ୍ନ ଲୋକଙ୍କ ଠାରୁ ମତାମତ ଗ୍ରହଣ କରି ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ଜାଣିବା ଏବଂ ତଦ୍‌ନୁଯାୟୀ ପଦକ୍ଷେପ ନେବା ହେଉଛି ମୋ ସରକାରର ଲକ୍ଷ୍ୟ । ଏଥିରେ ଫିଡବ୍ୟାକ ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଉଦାହରଣ ଦେଇ ସେ କହିଲେ ଯେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ପେନ୍‌ସନ କ୍ଷେତ୍ରରେ ବ୍ୟବସ୍ଥାଗତ ସମସ୍ୟା ରହିଛି । ତେଣୁ ଏହାର ନିରାକରଣ ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆଗକୁ ଏ ସଂପର୍କରେ ଅଧିକ ଆଲୋଚନା କରାଯାଇ ବ୍ୟବସ୍ଥାଗତ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ନିଜ ନିଜ ବିଭାଗର ମୋ ସରକାର ତଥ୍ୟ ଉପସ୍ଥାପନ କରିଥିଲେ । ଇଲେକ୍ଟଟ୍ରୋନିକ୍‌ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମୋ ସରକାର କାର୍ଯ୍ୟକ୍ରମର ସାମଗ୍ରିକ ତଥ୍ୟ ଉପସ୍ଥାପନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

0

() ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେବେ।

  ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି – ମୁଖ୍ୟମନ୍ତ୍ରୀ।

ବିଦ୍ୟୁତ ଅପଚୟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ।

 OCPL ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ କୋଟି ଟଙ୍କା ପ୍ରଦାନ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ 254 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା, ସୁବର୍ଣ୍ଣପୁରର ବୀରମହାରାଜପୁର ଓ କଟକ ଜିଲ୍ଲାର ଗୋଡିସାହି ଓ ବହୁଗ୍ରାମ। ଏହାଦ୍ବାରା ଏହି ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକାର ପାଇବେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଉତ୍ତମ ବିଦ୍ୟୁତଶକ୍ତିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ ଓ ଆବଣ୍ଟନ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୃଷି, ଶିଳ୍ପ ଓ ସାଧାରଣ ଜୀବନଯାପନ ସବୁ କ୍ଷେତ୍ରରେ ଉତ୍ତମ ଓ ନିରବଚ୍ଛିନ୍ନ ବିଦ୍ୟୁତର ଆବଶ୍ୟକତା ରହିଛି । ବିଜୁଳି ଶକ୍ତି ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହାକୁ ଅଯଥାରେ ନଷ୍ଟ ନ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ।  ସୂଚନାଯୋଗ୍ୟ ଯେ ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ କ୍ଷେତ୍ରରେ ଏକ ଦୃଢ ଭିତ୍ତିଭୂମିର ବିକାଶ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୧୮୫ଟି Extra High Voltage Grid Sub-Station ଥିବାବେଳେ ୧୬,୦୦୦ ସର୍କିଟ କିଲୋମିଟର ନେଟୱାର୍କ ରହିଛି।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଓଡିଶା ବିଦ୍ୟୁତ ଶକ୍ତିରେ ଏକ ବଳକା ରାଜ୍ୟ ହୋଇପାରିଛି । ଓଡିଶାର ଶକ୍ତି ବିତରଣ ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଫଳ ହେଉଛି ବୋଲି ସେ ମତ ଦେଇଥିଲେ ।ଏହି ଅବସରରେ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଓ ମୁଖ୍ୟ ଶାସନ ସଚିବଙ୍କୁ ଏହି ପରିମାଣର ଚେକ୍‌ ପ୍ରଦାନ କରାଯାଇଥିଲା। ଅତି ଅଳ୍ପ ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଏହି ସଂସ୍ଥା ଲାଭ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ଏହାର ଉଚ୍ଚପ୍ରଶଂସା କରିଥିଲେ। ୨୦୨୨-୨୩ର ପ୍ରଥମ ୬ ମାସ ମଧ୍ୟରେ OCPL ୬୨୬ କୋଟି ଟଙ୍କା ଲାଭ କରିଛି ଏବଂ କୋଇଲା ଉତ୍ପାଦନରେ ୬୦ ପ୍ରତିଶତ ବୃଦ୍ଧି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବୀରମହାରାଜପୁର ବିଧାୟକ ଶ୍ରୀ ପଦ୍ମନାଭ ବେହେରା ଓ ବାଙ୍କୀ ବିଧାୟକ ଶ୍ରୀ ଦେବୀରଂଜନ ତ୍ରିପାଠୀ ପ୍ରମୁଖ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ରାଜ୍ୟରେ ବିଦ୍ୟୁତ ଶକ୍ତିର ବିକାଶ ଓ ଶିଳ୍ପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସକ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ OPTCLର ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବଡମ୍ବା ଦଳ ଚକଟା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ….

() ବଡମ୍ବା ଦଳ ଚକଟା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ,

ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା।

{} ଆଜି ମକର ମେଳା ରେ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟା ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି. ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏବଂ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା ଆଜି ତଲସରା ନିର୍ବାଚନ ମଣ୍ଡଳୀ ଇକମାରେ ପଂହଚିଲା…..

() ଗତ ଜାନୁୟାରୀ ୯ ତାରିଖରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା ଆଜି ସୁନ୍ଦରଗଡ଼ ଜିଲ୍ଲା ତଲସରା ନିର୍ବାଚନ ମଣ୍ଡଳୀର ଖୁଟ୍‌ମୁଣ୍ଡାରୁ ଆରମ୍ଭ ହୋଇ ବଡ଼ଗାଁରେ ପ୍ରଥମ ପର୍ଯ୍ୟାୟରେ ପଂହଚିଲା । ଆପରାହ୍ନରେ ପଦଯାତ୍ରା ବଡ଼ଗାଁରୁ ବାହାରି ଦୀର୍ଘ ୨୩ କି.ମି. ଅତିକ୍ରମ କରି ଇକ୍‌ମା ଠାରେ ପଂହଚିଲା । ଏହି ପଦଯାତ୍ରା ସମୟରେ ବଡ଼ଗାଁ ଠାରେ ୧୦୪ ବର୍ଷର ବୃଦ୍ଧ ଗୋକୁଳାନନ୍ଦ ନାୟକ ଯିଏକି ପୂର୍ବତନ ଯୁବ କଂଗ୍ରେସ ସଭାପତିଥିଲେ, ଆଜି ସେ ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଶ୍ରୀଯୁକ୍ତ ଗୋକୁଳାନନ୍ଦ ନାୟକଙ୍କୁ ପୁଷ୍ପମାଲ୍ୟ ଏବଂ ଉତରୀୟ ପ୍ରଦାନକରି ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସମୟରେ ଶ୍ରୀଯୁକ୍ତ ପଟ୍ଟନାୟକ ବଡ଼ଗାଁ ଠାରେ ଭାରତ ଯୋଡ଼ ଯାତ୍ରା ସମୟରେ କଂଗ୍ରେସ ସାଂସଦ ଶ୍ରୀଯୁକ୍ତ ସନ୍ତୋକ ସିଂ ଚୌଧୁରୀଙ୍କ ଆକସ୍ମିତ ନିଧନ ଯୋଗୁଁ ଏକ ଶୋକସଭା ହୋଇଥିଲା । ସମସ୍ତ ନେତୃବର୍ଗ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ । ଏହାପରେ ସେଠାରେ ଏକ ସାଧାରଣ ସଭାରେ ତଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣ, କୃଷକ, ଶ୍ରମିକ, ଯୁବକ, ମହିଳା ଓ ବୁଦ୍ଧୀଜୀବିଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଦୀର୍ଘ ୨୨ ବର୍ଷର ସରକାର ଓଡ଼ିଶାର ବିକାଶ କରିବା ପରିବର୍ତେ କିଛି ନିର୍ଦ୍ଦିଷ୍ଟ ବାବୁ ମାନଙ୍କର ବିକାଶରେ ଲାଗିପଡ଼ିଛି । ଏ ଅଂଚଳର ଅଧିବାସୀ ଖଣି, ଖାଦାନ ଓ ଶିଳ୍ପରୁ ନିର୍ଗତ ହେଉଥିବା ଧୂଆଁ, ଧୂଳି ଖାଇ ବଂଚିବା ହେଉଛି ଏମାନଙ୍କ ପାଇଁ ସାର । ଶିଳ୍ପ ପାଇଁ ଯେଉଁମାନେ ଜମି ହରାଇଛନ୍ତି ଏବଂ ଏ ଅଂଚଳରେ ଲୋକମାନେ ସେହି ସବୁ କଳକାରଖାନାରେ ୭୦ଭାଗ ନିଯୁକ୍ତି ପାଇବା କଥା କିନ୍ତୁ ୭୦ଭାଗ ତ ଦୁରେ ଥାଉ ୩୦ ଭାଗ ଲୋକ ମଧ୍ୟ ନିଯୁକ୍ତି ପାଉନାହାନ୍ତି । ଜିଲ୍ଲା ଖଣିଜ ସଂପଦ ପାଣ୍ଠି ଏ ଖଣି ଅଂଚଳର ଜନସାଧାରଣଙ୍କୁ ସ୍ୱଚ୍ଛ ପିଇବାପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ପାଇଁ ତାଲିମ ଇତ୍ୟାଦି ପ୍ରଦାନ କରିବାପାଇଁ ଖର୍ଚ୍ଚ ହେବା କଥା କିନ୍ତୁ ଏ ପଇସାକୁ ଅନ୍ୟ ଅର୍ଥରେ ଖର୍ଚ୍ଚ କରାଯାଉଛି । ନିଜର ଏବଂ ନିଜ ବାପାଙ୍କର କେବଳ ପ୍ରଚାର ଓ ପ୍ରସାର କରିବା ଛଡ଼ା ଅନ୍ୟ କିଛି ହେଉନାହିଁ । ୨୨ ବର୍ଷର ସରକାର ଏ ଅଂଚଳର ସାମାନ୍ୟ ପାଣି ଟିକିଏ ପିଇବା ପାଇଁ ଯୋଗାଇ ଦେଉନାହାନ୍ତି । ତାହାହେଲେ ବିକାଶ କେଉଁଠି ଓ କେବେ ହେଉଛି । ଏ ଅଂଚଳର ଜନସାଧାରଣ ଓଡ଼ିଶାବାସୀକି ନୁହେଁ ଏ କଥାର ଉତର କିଏ ଦେବ । କଂଗ୍ରେସ ସରକାର ଆସିଲେ ରାଜ୍ୟର ଯୁବକ ମାନଙ୍କ ସ୍ୱାର୍ଥ ସହିତ ସାଲିସ କରାଯିବ ନାହିଁ । ଖଣି ଅଂଚଳର ପଇସା କେବଳ ସେହି ଅଂଚଳର ବିକାଶ ପାଇଁ ଖର୍ଚ୍ଚ କରାଯିବ । କୃଷକ ମାନଙ୍କ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ସହିତ ପ୍ରୋତ୍ସାହନ ରାଶି ଦିଆଯିବ । ପ୍ରତ୍ୟେକ ଜିଲ୍ଳାରେ କୃଷିଭିର୍ତିକ ଶିଳ୍ପ କରାଯିବ ଏବଂ ଏହାକୁ ବଜାର ସହିତ ଯୋଡ଼ା ଯିବ । ପ୍ରତ୍ୟେକ ଜିଲ୍ଳା ଏବଂ ବ୍ଲକରେ ଶୀତଳଭଣ୍ଡାର ଏବଂ ଗୋଦାମଘର ମାନ ପ୍ରତିଷ୍ଠା କରାଯିବ । ବିଜୁଳି ଦର ଉପରେ ଅଂକୁଶ ଲଗାଯିବ । ମହିଳାମାନଙ୍କ ନିରାପତା ଓ ରୋଜଗାର କଂଗ୍ରେସ ଦଳର ପ୍ରାଥମିକତା ହେବ । ଆଜି ପବିତ୍ର ମକରସଂକ୍ରାନ୍ତି । ଓଡ଼ିଶାର ଗଣପର୍ବ । ସୂର୍ଯ୍ୟଙ୍କର ଉତରାୟଣ ଗତି । ଏଭଳି ଏକ ଦୁଲର୍ଭ ସମୟରେ ଓଡ଼ିଶାବାସୀଙ୍କୁ ବିନ୍ରମତା ସହିତ ଅନୁରୋଧ କରୁଛି ଆପଣ କଂଗ୍ରେସକୁ ଆଶୀର୍ବାଦ କରନ୍ତୁ । କଂଗ୍ରେସ ସରକାର ଗଢ଼ିଲେ ଓଡ଼ିଶାର ପ୍ରଗତି ଅନିବାର୍ଯ୍ୟ । ଏହି ପଦଯାତ୍ରାର ଜିଲ୍ଳା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ, ବିଧାୟକ ସିଏସ ରାଜନ ଏକା, ସନ୍ତୋଷ ସିଂ ସାଲୁଜା, ମାନସ ମଲ୍ଲିକ, ମନୋଜ ସାହୁ, ବିଦୁଭୂଷଣ ତ୍ରିପାଠୀ, ବିରେନ ସେନାପତି, ରବି ରାୟ, ରାଜକିଶୋର ଷଡ଼ଙ୍ଗୀ, ବାଙ୍କନିଧି ବେହେରା, ଶୁଭେନ୍ଦୁ ନାୟକ, ଚିନ୍ତାମଣି ସାହୁ, ସଂଜୟ ତ୍ରିପାଠୀ, ଦୀପକ କୁମାର ମହାପାତ୍ର, ସରୋଜିନୀ ଲାକ୍ରା, ଅହଲ୍ୟା ଲାକ୍ରା,ଅମିତା ବିଶ୍ୱାଳ, କୈଳାସ ସାହୁ, ମନୁ ସରଫା, ଆଲବେଟ କିଲୋ ଏବଂ ବହୁ କଂଗ୍ରେସ ନେତୃବର୍ଗ, କୃଷକ ନେତା, ଶ୍ରମିକ ନେତା ଯୋଗଦେଇଥିଲେ ବୋଲି ପିସିସି ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

ବିଦେଶୀ ଖେଳାଳି ଚାଖିବେ ଓଡ଼ିଆ ଖାଦ୍ୟ ମାଣ୍ଡିଆ….

() ବିଦେଶୀ ଖେଳାଳି ଚାଖିବେ ଓଡ଼ିଆ ଖାଦ୍ୟ ମାଣ୍ଡିଆ। ରାଉରକେଲା ବିର୍ଷମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମ୍ ରେ ମାଣ୍ଡିଆ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟକୁ ସେମାନଙ୍କୁ ଉପହାର ସ୍ୱରୂପ ଦିଆଯିବ। ସେମାନଙ୍କୁ ମାଣ୍ଡିଆ ଖାଦ୍ୟ ବି ପରସା ଯିବ। ମିଶନ ଶକ୍ତି ମା ମାନେ ପରସିବେ ମାଣ୍ଡିଆ ଖାଦ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଚଳିତ ଥର “ଚାଖ ଲେ ମିଲେଟ ” ସ୍ଲୋଗାନ ଦିଆଯାଇଛି। ବିଶ୍ୱସ୍ତରରେ ମାଣ୍ଡିଆ କୁ ପରିଚିତ କରିବାକୁ ସୁଯୋଗ ଥିବାରୁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି।

ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କୃଷି ମନ୍ତ୍ରୀ।

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡିଙ୍କୁ ଶିକ୍ଷାଭାରତୀ ସମ୍ମାନ…

() ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସିଇଡିର ସଂସ୍ଥାପକ – ସଭାପତି ତଥା ସେଂଟ ଜାଭିଅର୍ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ଦୟାଶଙ୍କର, ମହିଳା କଲ୍ୟାଣ ଓ ଶିଶୁ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ପ୍ରତିଭା ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ ।

ସିଇଡି ଅଧିନରେ ୯୬୦ଟି ସ୍କୁଲ୍ ଓ ୧୨୦୦ ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ସଦସ୍ୟ ସାମିଲ ଅଛନ୍ତି । ଏହି ଅବସରରେ ଡକ୍ଟର ପ୍ରିୟଦର୍ଶୀ ନାୟକ କହିଥିଲେ ଯେ ସିଇଡି ଜାତୀୟ ଶିକ୍ଷାନୀତିକୁ ୨୦୨୩ରେ ସଂପୂର୍ଣ୍ଣ ଲାଗୁ କରିବାକୁ ସମସ୍ତ ଉଦ୍ୟମ କରିବ । ଫଳରେ ଦେଶର ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଶିକ୍ଷାଦାତାଙ୍କୁ ଅଧିକ ସଶକ୍ତ କରାଯାଇପାରିବ । ଦେଶର ପ୍ରଗତି ପାଇଁ ଶିକ୍ଷାର ଗୁଣବତା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ । ଏହା ନ ହେଲେ ଦେଶର ଭବିଷ୍ୟତ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ ।ଡ. ପ୍ରିୟଦର୍ଶୀ ନାୟକ କହିଥିଲେ ଯେ, ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପ୍ରଗତି ନିମନ୍ତେ ବର୍ତମାନ ଯେଉଁ ସବୁ ଆହ୍ୱାନ ରହିଛି ସେ ସବୁର ଦୃଢ ମୁକାବିଲା କରିବା ଆବଶ୍ୟକ । ଏହା ଫଳରେ ଉଚ୍ଚଶିକ୍ଷାର ମାନରେ ଅଗ୍ରଗତି ଘଟିବ ଏବଂ ଦେଶ ବିଶ୍ୱ ସ୍ତରରେ ଶୀର୍ଷ ସ୍ଥାନରେ ପହଂଚିପାରିବ ।

ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀଙ୍କ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି ଓ ଶିକ୍ଷାବିତ୍ ଭାଗ ନେଇଥିଲେ ।

ଯାଜପୁର ମିଶନ ଶକ୍ତି ଭବନ ଉଦ୍‌ଘାଟିତ…

() ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି 

୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି।

ଆଗାମୀ ୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତି।

ମା ମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଇପାରୁଛନ୍ତି, ଏହା ହିଁ ପ୍ରକୃତ ରୂପାନ୍ତର – ମୁଖ୍ୟମନ୍ତ୍ରୀ।

ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ

ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ମା ମାନଙ୍କର ଏହା ଏକ ଜୀବନଧାରା।

ଯାଜପୁର ମିଶନ ଶକ୍ତି ଭବନ ଉଦ୍‌ଘାଟିତ

{} ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନ୍‌ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳା ମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି । ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ କନ୍‌ଭେନସନ ସେଣ୍ଟରରେ ଉପସ୍ଥିତ ମା ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ୍‌ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ମା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମା ମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟ ଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି । ମା ମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର । ଆଗାମୀ ଦିନରେ ମା ମାନେ ଆହୁରି ବଡ ବଡ ନିଷ୍ପତ୍ତି ନେବେ ଓ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଆଜି ଏହା ମା ମାନଙ୍କର ଏକ ଜୀବନଧାରା । ୭୦ ଲକ୍ଷ ମା ମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡିଶା ବିକାଶର ନୂଆ ଇତିହାସ ଲେଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମିଶନ ଶକ୍ତି ଗ୍ରୁପ ଗୁଡିକୁ ଶକ୍ତିଶାଳି କରିବା ପାଇଁ ବିଭିନ୍ନ ଘୋଷଣା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲ୍ଲାସ୍ତରୀୟ ଫେଡେରେସନକୁ ଏକ କୋଟି ଟଙ୍କା ଓ ବ୍ଲକ୍‌ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ‘ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ’। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ବୋଲି ସେ କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ ।

ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସାମାଜିକ ଓ ଆର୍ଥିକ ସଶକ୍ତିକରଣ କାର୍ଯ୍ୟକ୍ରମ ଆଜି ଏକ ବୈପ୍ଲବିକ ଆନ୍ଦୋଳନରେ ପରିଣତ ହୋଇଛି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ଯେଉଁ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି, ତାହା ମା ମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ ।କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ କହିଲେ ଯେ ଆଗରୁ ସୁଧ ରିହାତି ପାଇବା ପାଇଁ ମା ମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ। ଏବେ ସେ ଅବସ୍ଥା ଆଉ ନାହିଁ। ୫-ଟିରେ ଟେକ୍ଲୋଲୋଜିରେ ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସୁଧ ରିହାତି ହିସାବ କରି ମା ମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯାଉଛି। ମା ମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ ଏବଂ ମା ମାନେ କେବଳ ପାରମ୍ପରିକ ବ୍ୟବସାୟ ନୁହେଁ, ବିଭିନ୍ନ ଆଧୁନିକ ବ୍ୟାବସାୟ ଯଥା – ଫେଶନ ଡିଜାଇନ, କୃଷି ଉଦ୍ୟୋଗ, ବିଉଟି ଓ ୱେଲନେସ୍‌ ଆଦି ବ୍ୟବସାୟ ଯେପରି କରିପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମା ମାନେ ଏବେ ବ୍ୟବସାୟ କରି ନିଜର ପରିଚୟ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ ।

ଓଡିଶା ଜୀବିକା ମିଶନର ସିଇଓ ମାନସୀ ନିମ୍ଭାଲ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍‌ସିପାତ୍ର, ଡଃ ଗୀତା ବସ୍ତିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

ଜୁମଲା ବନାମ ଜନସେବା …..

  1. ()ଜନସେବାର ୨୫ ବର୍ଷ ପୂର୍ତ୍ତି ପାଳନ କରୁଛି ବିଜେଡ଼ି । ପୁରୀରେ ୨୬ ତମ ପ୍ରତିଷ୍ଠା ଦିବସ ପାଳନ ପରେ ଏବେ ଜିଲ୍ଲାସ୍ତରରେ ଦଳ ପ୍ରତିଷ୍ଠା ଦିବସ ପାଳନ କରି ଘରେ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଯୋଜନାରୁ ଯେମିତି କେହି ବଂଚିତ ନହେବେ ତାହା ଉପରେ ଫୋକସ ଦେଇଛି ଦଳ । ସାଢେ ଚାରିକୋଟି ଓଡ଼ିଆ ଯେଉଁ ଆର୍ଶୀବାଦ ଦେଇ ବିଜେଡ଼ିକୁ ସାମାଜିକ ଆନ୍ଦୋଳନରେ ପରିଣତ କରିଛନ୍ତି ତାହାକୁ ଡ଼ବଲ ଋଣ ବିଜେଡ଼ି ତୃଣମୂଳ କର୍ମୀ ଓ ନେତା ଓଡ଼ିଶାବାସୀଙ୍କୁ ତାଙ୍କର ସେବା କରି ସୁଝାଇବା ପାଇଁ ଧର୍ମଶାଳାରେ ଅନୁଷ୍ଠିତ ବିଜେଡ଼ିର ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀ ଓ ନେତାଙ୍କ ସଭା ମଂଚରୁ ଆହ୍ବାନ କରିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବା ପାଇଁ ଯେଉଁ ଲକ୍ଷ୍ୟ ନେଇ କାମ କରୁଛନ୍ତି ତାହାକୁ ଦଳୀୟ କର୍ମୀ ଓ ନେତାଙ୍କ ଭଲଭାବରେ ବୁଝି କାମରେ ଆହୁରୀ ଆଗେଇ ନେବାକୁ ସେ ଆହ୍ବାନ ଦେଇଛନ୍ତି । ଉପସ୍ଥିତି କର୍ମୀଙ୍କୁ ପ୍ରଣବ ସେମାନଙ୍କ ଦାୟିତ୍ବ ବୁଝାଇବା ସହ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ମଜବୁତ କରି କାମ କରିବାକୁ ଗୁରୁମନ୍ତ୍ରୀ ଦେଇଥିଲେ ।

ଧର୍ମଶାଳାରୁ କେନ୍ଦ୍ର ସରକାରଙ୍କ ଜୁମଲା ପୋଲ ଖୋଲିଛନ୍ତି ପ୍ରଣବ । କେନ୍ଦ୍ରରେ ବିଜେପି ସରକାର ଆସିବା ଦିନରୁ ଏଯାଏ ରାଜ୍ୟବାସୀଙ୍କ ପ୍ରତି କିପରି ଜୁମଲା କରିଛନ୍ତି ତାହା ଦୁଇଟି ଉଦାହରଣ ଦେଇ ଜନତାଙ୍କୁ ବୁଝାଇଥିଲେ ସେ । ଗରିବଙ୍କୁ ଚାଉଳ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀମାନେ ରାଜନୀତି କରୁଥିବାରୁ ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସେ । ବିଜେପି ନେତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ପ୍ରଶ୍ନ କରି ପ୍ରଣବ କହିଛନ୍ତି ଯେ ଏବେ ରାଜ୍ୟରେ ୩କୋଟି ୨୫ ଲକ୍ଷ ଲୋକଙ୍କ ଚାଉଳ ଯୋଗଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନେଇ କଟାକ୍ଷ କରି ପ୍ରଣବ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଅଛନ୍ତି, ଗରିବ ଅଛନ୍ତି , ହେଲେ କଲ୍ୟାଣ କୁଆଡ଼େ ଗଲା ବୋଲି ଧର୍ମଶାଳାରୁ ଦିଲ୍ଲୀକୁ ପ୍ରଶ୍ନ କରିଛନ୍ତି ସେ । ଗରିବ ଲୋକଙ୍କ ଉପରେ କଲ୍ୟାଣ ନକରି କେନ୍ଦ୍ର ସରକାର ଯେଉଁ ଅନ୍ନ କାଟିଦେଇଛନ୍ତି ତାହାର ଜବାବ ରାଜ୍ୟବାସୀ ଆଗାମୀ ଦିନରେ ଦେବେ ବୋଲି କହିଛନ୍ତି । ଗରିବ ପେଟକୁ ଲାତ ମାରିଥିବା ଜୁମଲା ସରକାରଙ୍କୁ ଓଡ଼ିଶାବାସୀ ଜବାବ ଦେବେ ବୋଲି ସେ କହିଥିଲେ । ସେହିପରି ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଲା କି ନାହିଁ ସେକଥା ମଧ୍ୟ ଉପସ୍ଥିତ ଜନତାକୁ ପଚାରିଥିଲେ ପ୍ରଣବ ।

ଶେଷରେ କର୍ମୀଙ୍କୁ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ନେଇ ଓଡ଼ିଶା ଯେପରି ଆଗେଇ ଚାଲିଛି ସେଥିରେ ସମସ୍ତେ ଅଧିକ ପରିଶ୍ରମ କରିବାକୁ ଆହ୍ବାନ ଦେଇଥିଲେ ।

୫ଜି ଲ୍ୟାବ୍ ପ୍ରତିଷ୍ଠା ନିମନ୍ତେ ସୋଆ ଏବଂ ଜିଓ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ…

() ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଏବଂ ଅପ୍ଟିକାଲ୍ କମ୍ୟୁନିକେସନ୍ ଏବଂ ୬ ଜି ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଓ ପ୍ଲାଟଫର୍ମ୍‌ସ ଲିମିଟେଡ୍ (ଜେପିଏଲ୍‌) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଛଡ଼ା ସୋଆ ଏବଂ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ୍‌ସ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ମଧ୍ୟରେ ଅନ୍ୟ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମ୍ୟାନେଜମେଂଟ ଏବଂ ନୂତନ ଜ୍ଞାନ କୌଶଳ କ୍ଷେତ୍ରରେ ସହଭାଗିତା ଦ୍ୱାରା କୁଶଳୀ ମାନବ ସମ୍ବଳ ସୃଷ୍ଟି ନିମନ୍ତେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ସୋଆ ଅଡିଟୋରିୟମ୍‌ରେ ଓଡ଼ିଶାରେ ୫ ଜି ସେବାର ଶୁଭାରମ୍ଭ ଅବସରରେ ଏହି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀକରଣ ବିଭାଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ୫ ଜି ସେବାର ଶୁଭାରମ୍ଭ ଉତ୍ସବରେ ଏହି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏସ୍‌ଟିପିଆଇର ଡାଇରେକ୍ଟର ଜେନେରାଲ୍ ଶ୍ରୀ ଅରବିନ୍ଦ କୁମାରଙ୍କ ମଧ୍ୟରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ୫ ଜି ଲ୍ୟାବ୍ ସମ୍ପର୍କିତ ବୁଝାମଣା ପତ୍ରଟି ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏବଂ ଜେପିଏଲ୍‌ର ସଭାପତି ଡକ୍ଟର ରବି.ପି. ଗାନ୍ଧୀଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।

ଜେପିଏଲ୍ ଏବଂ ସୋଆ ମଧ୍ୟରେ ହୋଇଥିବା ବୁଝାମଣା ନେଇ ଜେପିଏଲ୍ ଏବଂ ଏହା ସହ ଅନୁବନ୍ଧିତ ଏବଂ ଗ୍ରୁପ୍‌ର ଅନ୍ୟ କମ୍ପାନୀଗୁଡ଼ିକ ସୋଆ ସହିତ ମିଳିତ ଭାବେ କାମ କରିବେ । ଅତ୍ୟାଧୁନିକ ୫ ଜି ଷ୍ଟାଣ୍ଡାର୍ଡ-୫ ଜି ଷ୍ଟାଣ୍ଡଏଲୋନ୍ (ଏସ୍‌ଏ), ଅପ୍ଟିକାଲ୍ ଫାଇବର୍ ନେଟୱର୍କ୍‌ସ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ ଓ ୫ ଜି ପ୍ଲାଟଫର୍ମରେ ନୂତନ ସେବାର ବିକାଶ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଜେପିଏଲ୍ ସୋଆ ସହିତ “ଜିଓ ଷ୍ଟାଣ୍ଡଏଲୋନ୍ ଟେକ୍ନୋଲୋଜି ଟେଷ୍ଟ ଲ୍ୟାବ” ପ୍ରତିଷ୍ଠା କରିବା ସହିତ ସୋଆର ଗବେଷକମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ । ସୋଆ ବିଶ୍ୱବିଦ୍ୟାଳୟରେ ଜେପିଏଲ୍ ଏକ ୫ ଜି ଟେଷ୍ଟ ବେଡ୍ ମଧ୍ୟ ପ୍ରତିଷ୍ଠା କରିବା ପ୍ରସ୍ତାବ ରହିଛି ।

ଗତ ସେପ୍ଟେମ୍ବର ୧୫ ତାରିଖରେ ସୋଆ ଗସ୍ତରେ ଆସିଥିବା ଶ୍ରୀ ବୈଷ୍ଣବ ସୋଆ ଭଳି ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟରେ ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଆବଶ୍ୟକ ବୋଲି ମତ ଦେଇ ଏହି ପ୍ରକଳ୍ପ ନିମନ୍ତେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୫ ଜି ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆଇଆଇଟି ମାଡ୍ରାସ୍‌ରେ ଏକ ବିଶ୍ୱସ୍ତରୀୟ ୫ ଜି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଛି ବୋଲି ସେ କହିଥିଲେ । ସୋଆ ପକ୍ଷରୁ ଏହି ଲ୍ୟାବ୍‌ର ପ୍ରତିଷ୍ଠା ନିମନ୍ତେ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦିଆଯିବ ଏବଂ ପ୍ରଶିକ୍ଷଣ ଓ ବିକାଶମୂଳକ କାର୍ଯ୍ୟ ଦିଗରେ ସମସ୍ତ ସହଯୋଗ କରାଯିବ ।

ସେହିପରି ସୋଆ ଏବଂ ଏସ୍‌ଟିପିଆଇ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଦୁଇଟି ଅନୁଷ୍ଠାନ ମିଳିତ ଭାବେ କୁଶଳୀ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବା ସହ ଇନ୍‌ଟର୍ଣ୍ଣସିପ୍‌, ପ୍ଲେସ୍‌ମେଂଟ୍ସ, ଫିଲ୍ଡ ଭିଜିଟ୍ ମିଳିତ କାର୍ଯ୍ୟକ୍ରମ, ପ୍ରକଳ୍ପ ଏବଂ କନସଲ୍‌ଟାନି୍ସ କ୍ଷେତ୍ରରେ ଏହି ବୁଝାମଣା ସାହାଯ୍ୟ କରିବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news