ସମ୍ ହସ୍ପିଟାଲ୍ ପକ୍ଷରୁ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

 ଦେଶର ୪୦ ପ୍ରତିଶତ ବ୍ୟକ୍ତି ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ବେଳେ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଉ ନଥିବାରୁ ସେମାନଙ୍କ ଚିକିତ୍ସା ସମ୍ଭବପର ହେଉ ନାହିଁ । ଏଥି ସହିତ ଏହି ରୋଗକୁ ଏକ ସାମାଜିକ କଳଙ୍କ ବୋଲି ଅନେକ ଭ୍ରାନ୍ତ ଧାରଣା ରହିଥିବାରୁ ପୀଡ଼ିତ ବ୍ୟକ୍ତି ଚିକିତ୍ସା ପାଇଁ ଆଗଭର ହେଉ ନାହାଁନ୍ତି । ତେବେ ଉପଯୁକ୍ତ ଚିକିତ୍ସା ଦ୍ୱାରା ଯକ୍ଷ୍ମା ନିରାକରଣ ହୋଇପାରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ)ର ପିଜି ଡିପାର୍ଟମେଂଟ ଅଫ୍ ପଲ୍‌ମୋନାରି ମେଡିସିନ୍ ବିଭାଗ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ଆୟୋଜିତ ସିଏମଇରେ ଶନିବାର ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପଲମୋନାରୀ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଦର୍ଶନ ପୋଥାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ଯଦିଓ ଆମ ସମାଜରେ ଆଜି ବି ଏହାକୁ ଏକ ସାମାଜିକ କଳଙ୍କ ଭାବେ ବିବେଚନା କରାଯାଉଛି ତେବେ ଏହାର ଲକ୍ଷଣକୁ ନ ଲୁଚାଇ ଉପଯୁକ୍ତ ଚିକିତ୍ସା କରାଇବା ସହ ଔଷଧ ସେବନ କଲେ ରୋଗୀଟି ଆରୋଗ୍ୟ ଲାଭ କରିପାରିବ । ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ସାମାଜିକ ସ୍ତରରେ ସଚେତନତାର ଆବଶ୍ୟକତା ରହିଥିବା ସେ କହିଥିଲେ ।

ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ରୋଗର ଚିହ୍ନଟ ସହିତ ସେମାନଙ୍କୁ କିପରି ସଠିକ୍ ଭାବରେ ଚିକିତ୍ସା ପ୍ରଦାନ କରାଯାଇପାରିବ ସେଥି ନିମନ୍ତେ ସମ ହସ୍ପିଟାଲରେ ଖୁବ ଶୀଘ୍ର ଏକ ମଲ୍ଟି ଡ୍ରଗ୍ ରେଜିଷ୍ଟାନ୍ସ ଟିବି ୱାର୍ଡ଼ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ । ଏଥି ସହିତ ଟିବିକୁ ରୋକିବା ନିମନ୍ତେ କେବଳ ଡାକ୍ତର ନୁହଁନ୍ତି ବରଂ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ଜରୁରୀ ବୋଲି ସେ କହିଥିଲେ ।

୨୦୩୬ ସୁଦ୍ଧା ସାରା ବିଶ୍ୱକୁ କିପରି ଟିବି ମୁକ୍ତ କରାଯାଇ ପାରିବ ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଳ୍ୟୁଏଚ୍‌ଓ)ର ମୂଳ ଲକ୍ଷ୍ୟ ରହିଛି । ନ୍ୟାସ୍‌ନାଲ୍ ଟିବି ଇରାଡିକେସନ୍ ପ୍ରୋଗ୍ରାମ୍ ମାଧ୍ୟମରେ ବିଭିନ୍ନ କଲେଜ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଟ୍ୟୁବରକ୍ୟୁଲୋସିସ୍ (ଟିବି) ଏବଂ ଏକ୍ସଟ୍ରା ପଲମୋନାରୀ ଟ୍ୟୁବରକ୍ୟୁଲୋସିସ୍‌(ଟିବି) ରୋଗର ଲକ୍ଷଣ ଓ ଚିହ୍ନଟ ଉପାୟ ଜାଣି ସଠିକ୍ ସମୟରେ ରୋଗୀର ଉପଯୁକ୍ତ ଚିକିତ୍ସା କରାଯାଇପାରିବ ବୋଲି ସେ କହିଥିଲେ ।

ଚଳିତ ବର୍ଷର ଥିମ୍ ‘ୟେସ ! ୱି କ୍ୟାନ୍ ଏଣ୍ଡ ଟିବି: ‘ଲିଡ୍ ବାଏ କନ୍‌ଟ୍ରିଜ୍ , ପାୱାଡ୍‌ର୍ ବାଏ ପିପଲ’ର ମୂଳ ଉଦ୍ଦେଶ୍ୟ ବିଷୟରେ ସେ ବ୍ୟାଖ୍ୟା କରିଥିଲେ ।

ସେହିପରି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମ ଓ ଉପଯୁକ୍ତ ପନ୍ଥା ପ୍ରସ୍ତୁତ କରାଗଲେ ଟିବି ହାରିବ ଓ ଦେଶ ଜିତିବ ବୋଲି କହିଥିଲେ । ସାରା ଓଡିଶାରେ ସମ୍ ହସ୍ପିଟାଲ୍‌କୁ ଆସୁଥିବା ଟିବି ରୋଗୀ ଅଧିକ ମାତ୍ରାରେ ଉପଯୁକ୍ତ ଚିକିତ୍ସା ଲାଭ କରି ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ବୋଲି ସେ କହିଥିଲେ ।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ।

ମୁଖ୍ୟବକ୍ତା ଡାକ୍ତର ପୋଥାଳ ଟିବି ଓ ଲାଟେନ୍‌ଟ ଟିବି କିଭଳି ଜଣେ ରୋଗୀ ପାଇଁ କ୍ଷତିକାରକ ତାହା ବର୍ଣ୍ଣନା କରିବା ସହ ଏହାର ନିରାକରଣ କରିବା ନିମନ୍ତେ ଉପଯୁକ୍ତ ଚିକିତ୍ସା ଓ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଆଇଏମ୍‌ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍‌ର ପିଜି ଡିପାର୍ଟମେଂଟ ଅଫ୍ ପଲ୍‌ମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ବନାନୀ ଜେନା ଯକ୍ଷ୍ମା ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ମତ ଦେଇଥିଲେ । ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ସେବନ ଉପରେ ସେ ଗୁରୁତ୍ୱ ଦେଇଥିଲେ । ସମ୍ ହସ୍ପିଟାଲରେ ସର୍ବାଧିକ ଟିବି ରୋଗୀଙ୍କର ଚିକିତ୍ସା କରାଯାଉଥିବା ପ୍ରଫେସର ଜେନା ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଷ୍ଟେଟ ଟିବି ଅଫିସର ଡାକ୍ତର ଅର୍ଘ୍ୟ ପ୍ରଧାନ, ହସ୍ପିଟାଲ୍‌ର ସମସ୍ତ ବିଭାଗର ଡାକ୍ତର, ନର୍ସ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ । ପଲ୍‌ମୋନାରୀ ମେଡିସନ୍ ବିଭାଗର ପ୍ରଫେସର (ଡାକ୍ତର) ରାଖି ଲୁଦାମ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ପ୍ରତୀମ୍ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯିବା ସହିତ ଏଥିରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ମାର୍ଚ୍ଚ ୨୪ ତାରିଖ ଦିନ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ଏକ ମେଗା ସଚେତନତା ରାଲିର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ରାଲିରେ ପଲ୍‌ମୋନାରୀ ମେଡିସନ୍ ବିଭାଗର ସମସ୍ତ ଫ୍ୟାକଲ୍ଟି, ପିଜି, ନର୍ସିଂ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ଘର ବାହୁଡା଼

0

 ବାଲେଶ୍ୱର ଜିଲ୍ଲାର ଦୁଇ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାସ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

  ଉଭୟ ଶ୍ରୀ ମହାନ୍ତି ଓ ଶ୍ରୀ ଦାସଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏ ଦୁଇ ନେତାଙ୍କ ଯୋଗଦାନ ଦ୍ୱାରା ବିଜେଡି ବାଲେଶ୍ୱର ଜିଲ୍ଲାରେ ଆହୁରି ମଜଭୁ୍ତ ହେବ। ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ଶ୍ରୀ ପଟ୍ଟନାୟକ ଉଭୟଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡିରେ ସେମାନଙ୍କୁ ଗ୍ରହଣ କରିଥିବାରୁ ଶ୍ରୀ ମହାନ୍ତି ଓ ଶ୍ରୀ ଦାସ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ଆଠ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେମାନେ କାମ କରିବେ ବୋଲି ଘୋଷଣା କରିଥିଲେ।

ଏହି ମିଶ୍ରଣ ପର୍ବରେ ବିଜେଡି ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ଗଣ ସର୍ବଶ୍ରୀ ପ୍ରତାପ କେଶରୀ ଦେବ, ଅଶ୍ୱିନୀ ପାତ୍ର, ଅରୁଣ ସାହୁ, ମାଧବ ଧଡା, ଗୌତମ ବୁଦ୍ଧ ଦାସ, ପୂର୍ବତନ ମନ୍ତ୍ରୀ ସର୍ବଶ୍ରୀ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଶ୍ରୀ ସ୍ୱରୂପ ଦାସ, ଶ୍ରୀ ସୁକାନ୍ତ ନାୟକ, ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କ ସମେତ ଜିଲ୍ଲାର ବିଜେଡି ନେତୃବୃନ୍ଦ ଓ ଶହ ଶହ କର୍ମୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଶ୍ରୀ ରଘୁନାଥ ମହାନ୍ତି ପୂର୍ବରୁ ବିଜେଡି ସରକାରରେ ଦୀର୍ଘ ଦିନ ଧରି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ନିକଟରେ ବିଜେପିରୁ ଇସ୍ତଫା ଦେଇଥିଲେ।

ବାଲେଶ୍ୱର ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି

 ବାଲେଶ୍ୱର ଜିଲ୍ଲାର ଦୁଇ ବିଜେପି ନେତା ଯଥା, ପୂର୍ବତନ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାସ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାର ଶତାଧିକ କର୍ମୀ ଓ ଦଳର ବରିଷ୍ଠ ନେତା ମାନଙ୍କ ଉପସ୍ଥିତିରେ, ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଏହି ଦୁଇ ନେତାଙ୍କୁ ସ୍ୱାଗତ କରିଥିଲେ । ଏହି ଦୁଇ ଅଭିଜ୍ଞ ନେତାଙ୍କ ଦଳରେ ଯୋଗଦାନ ପରେ ବିଜୁ ଜନତା ଦଳ ପୁନର୍ବାର ଶକ୍ତିଶାଳୀ ହୋଇ ପାରିବ ବୋଲି ବିଶ୍ୱାସ କରାଯାଉଛି ।

ଶଙ୍ଖ ଭବନ ଠାରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବିଜୁ ଜନତା ଦଳର ବିଧାୟକ ଓ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଦୁଇ ନେତା ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ନିଜର ଖୁସି ବ୍ୟକ୍ତ କରିଥିଲେ । ଶ୍ରୀ ରଘୁନାଥ ମହାନ୍ତି କହିଥିଲେ, ଦଳର ଶୃଙ୍ଖଳିତ କର୍ମୀ ଭାବେ କାମ କରିବୁ । ବିଜୁ ଜନତା ଦଳ ବାଲେଶ୍ୱର ଜିଲ୍ଲାରେ କିପରି ସୁସଂଗଠିତ ହୋଇ ପାରିବ ସେଥିପାଇଁ କାର୍ଯ୍ୟ କରିବି । ବିଜୁ ବାବୁଙ୍କ ସମୟରୁ ତାଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ପାଇଛି । ପରେ ବିଜୁ ଜନତା ଦଳର ଗଠନ ବେଳେ ଜଣେ ପ୍ରତିଷ୍ଠିତ ସଭ୍ୟ ଭାବେ କାର୍ଯ୍ୟ କରିଥିଲି ।

ଜୀବନ ପ୍ରଦୀପ ଦାସ କହିଥିଲେ, ପାଞ୍ଚ ବର୍ଷ ବିଜେଡି ବାହାରେ ରହିବା ପରେ ଦଳକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରି ଅତ୍ୟନ୍ତ ଆନନ୍ଦିତ । ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳ କିପରି ସୁସଂଗଠିତ ହୋଇ ପାରିବ, ସେଥିପାଇଁ ନବୀନ ବାବୁଙ୍କ ନିଦେ୍ର୍ଦଶକ୍ରମେ ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିବି ।

ଏହି ସାମ୍ୱାଦିକ ସମ୍ମିଳନୀକୁ ଦଳର ଗତ ନିର୍ବାଚନରେ ବାଲେଶ୍ୱର ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ ଜଳେଶ୍ୱର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର, ଭୋଗରାଇ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ, ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଶ୍ରୀ ସ୍ୱସୁପ କୁମାର ଦାସ, ରେମୁଣାର ପୂର୍ବତନ ବିଧାୟକ ଶ୍ରୀ ସୁଧାଂଶୁ ପରିଡା, ନୀଳଗିରି ପୂର୍ବତନ ବିଧାୟକ ଶ୍ରୀ ସୁକାନ୍ତ ନାୟକ, ସିମୁଳିଆର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

ଶ୍ବେତପତ୍ରରେ କ୍ରାଇମର ସତ ତଥ୍ୟ : ବଢିଛି ଧର୍ତ୍ତବ୍ୟ ଅପରାଧ 

ବିଧାନସଭାରେ ପ୍ରକାଶ ପାଇଛି ଶ୍ବେତପତ୍ର। ୨୦୨୪ ତୁଳନାରେ ୨୦୨୫ରେ ଧର୍ତ୍ତବ୍ୟ ଅପରାଧରେ ୭.୩ ପ୍ରତିଶତ ବୃଦ୍ଧି ପାଇଛି। ଚୋରି, ଡକାୟତି ସାଙ୍ଗକୁ ମହିଳା ଦୁଷ୍କର୍ମ ଘଟଣା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ ସାମାନ୍ୟ କମିଥିଲେ ବି ଚିନ୍ତାଜନକ ସ୍ଥିତିରେ ରହିଛି।

୨୦୨୪ରେ ସାମଗ୍ରିକ ଭାବେ ରାଜ୍ୟରେ ୩୦୫୪ଟି ଦୁଷ୍କର୍ମ ଘଟଣା ଘଟିଥିବା ବେଳେ ୨୦୨୫ରେ ଏହି ସଂଖ୍ୟା ୨୯୯୪କୁ ହ୍ରାସ ପାଇଛି। ୨୦୨୪ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ଥିଲା ୨ଲକ୍ଷ ୧୪ ହଜାର ୧୧୩ । ୨୦୨୫ରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ୨ଲକ୍ଷ ୨୯ହଜାର ୮୮୧କୁ ବୃଦ୍ଧି ପାଇଛି। ୨୦୨୪ ତୁଳନାରେ ୨୦୨୫ରେ ଅଧିକ ସଂଖ୍ୟାରେ ହତ୍ୟାକାଣ୍ଡ, ଚୋରୀ ଓ ମୋଟରଯାନ ଦୁର୍ଘଟଣା ଘଟିଛି। ୨୦୨୪ରେ ରାଜ୍ୟର ବିଭିନ୍ନ ଥାନାରେ ୧୨୫୮ ହତ୍ୟା, ୧୭ ହଜାର ୮୦୫ ଚୋରୀ ଓ ୧୨ହଜାର ୩୭୫ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୫ରେ ୧୩୦୪ ହତ୍ୟା, ୨୧ହଜାର ୧୯୨ ଚୋରୀ ଓ ୧୨ହଜାର ୭୮୨ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି । ସେହିଭଳି ୨୦୨୫ରେ ୩୫୨ ଡକାୟତି, ୧୮୦୨ ଲୁଟ ଓ ୧୦୯୫ ଦଙ୍ଗା ହୋଇଛି। ଗତବର୍ଷ ରାଜ୍ୟରେ ୬୨୮୨ଟି ସିନ୍ଧି ଚୋରୀ, ୬୦୫୩ଟି ପ୍ରତାରଣା ଓ ୨୯୯୪ଟି ଦୁଷ୍କର୍ମ ମାମଲା ପଂଜିକୃତ ହୋଇଛି। ୨୦୨୫ରେ ୨୮୦୩ଟି ସାଇବର ଅପରାଧ ମାମଲା, ୧୪୫ଟି ଯୌତୁକ ଜନିତ ହତ୍ୟା, ୭୭ଟି ଯୌତୁକ ଜନିତ ଆତ୍ମହତ୍ୟା, ୪୩୬୧ଟି ଯୌତୁକ ନିର୍ଯାତନା ଓ ୫୪୧୯ଟି ଅଣ-ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା।

୨୦୨୫ରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଘଟଣା କମିଛି। ରାଜ୍ୟର ୯ଟି ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାଉରକେଲାର କିଛି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ କମିଛି । ରାଉରକେଲାରେ ୩ଟି ହିଂସାତ୍ମକ ଘଟଣା ଛାଡ଼ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ହିଂସାକାଣ୍ଡ ଘଟିନଥିଲା। ଓଡ଼ିଶା-ଛତିଶଗଡ ମିଳିତ ସର୍ଚ୍ଚ ଅପରେସନରେ ୧୭ ମାଓବାଦୀ ନିହତ ହୋଇଛନ୍ତି ।

ବଢୁଛି ଶିଶୁ ଅଶ୍ଲୀଳତା

ରାଜ୍ୟରେ ଶିଶୁ ଅଶ୍ଲୀଳତା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଅଶ୍ଲୀଳତା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ସମ୍ପର୍କିତ ସାମଗ୍ରୀ ଅପଲୋଡ କରିବା ଅଭିଯୋଗରେ ୨୦୨୩ରେ ୫୬୯ଟି ଅଭିଯୋଗ ହୋଇଥିବା ବେଳେ ୨୦୨୪ରେ ୧୦୨୩ ଓ ୨୦୨୫ରେ ୧୭୮୧ଟି ମାମଲା ରୁଜୁ ହୋଇଛି। ଗତ ବର୍ଷ ରୁଜୁ ହୋଇଥିବା ୧୭୮୧ ମାମଲା ମଧ୍ୟରୁ ୧୫୪୫ ଅଭିଯୋଗର ତଦନ୍ତ ସରିଛି। ତିନୋଟି ମାମଲା ସମ୍ପୃକ୍ତ ଥାନାରେ ତଦନ୍ତ ସ୍ତରରେ ରହିଛି। ୨୦୨୫ ମେ ମାସରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଆରମ୍ଭ ହୋଇଥିଲା ବିଦେଶୀ ନାଗରିକ ଚିହ୍ନଟ ପ୍ରକ୍ରିୟା। ଏଥିପାଇଁ ରାଜ୍ୟରେ ୨୧ଟି ହୋଲ୍ଡିଂ ସେଣ୍ଟର ପ୍ରତିଷ୍ଟା କରାଯାଇଛି। ଏହି ପ୍ରକ୍ରିୟାରେ ୨୨୫୯ଜଣ ସନ୍ଦିଗ୍ଧ ଲୋକଙ୍କ ପରିଚୟ ଯାଞ୍ଚ କରାଯାଇଥିଲା। ସେ ମଧ୍ୟରୁ ୨୧୮୪ଜଣଙ୍କୁ ଭାରତୀୟ ନାଗରିକ ଭାବେ ଚିହ୍ନଟ କରାଯାଇଥିବା ବେଲେ ୭୫ଜଣଙ୍କୁ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି। ସେ ମଧ୍ୟରୁ ୭୩ଜଣଙ୍କୁ ଦେଶାନ୍ତର କରାଯାଇଛି। ଅନ୍ୟ ୨ଜଣ ଜାଲ ପାସପୋର୍ଟ ହାସଲ କରିଥିବା ପ୍ରମାଣିତ ହୋଇଥିବାରୁ ସେମାନଙ୍କୁ ଗରିଫ କରି ଜେଲ ପଠାଯାଇଛି। ସେହିଭଳି ଏବେ ରାଜ୍ୟରେ ୩୭୩୮ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ଭଦ୍ରକରେ ୧୯୯ଜଣ, କେନ୍ଦ୍ରାପଡାରେ ୧୬୪୯ ଜଣ, ଭୁବନେଶ୍ବରରେ ୧୭ଜଣ, ଜଗତସିଂହପୁରରେ ୧୧୧୨ଜଣ, ମାଲକାନଗିରିରେ ୬୫୫ଜଣ ଏବଂ ନବରଙ୍ଗପୁରରେ ୧୦୬ଜଣ ରହୁଛନ୍ତି। ଏହିସବୁ ବାଂଲାଦେଶୀ ନାଗରିକ ହିନ୍ଦୁ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଥିବା ଶ୍ବେତପତ୍ରରେ କୁହାଯାଇଛି।

ବିରୋଧୀଙ୍କ ମହିଳା ବିରୋଧୀ ଅପରାଧ ବୃଦ୍ଧି ଅଭିଯୋଗକୁ ଗୃହରେ ତଥ୍ୟ ରଖି କଡା କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ. କହିଲେ ମହିଳା ବିରୋଧୀ ଅପରାଧ ଗ୍ରହଣୀୟ ନୁହେଁ. ମୁଁ ନମ୍ବର ଗେମ ଖେଳିବାକୁ ଚାହୁଁନାହିଁ. ବିରୋଧୀଙ୍କ ଉତ୍ତର ଦେବାକୁ କହୁଛି. ଆମ ସରକାରରେ 18 ମାସରେ 48789 ମାମଲା ହେଇଛି ପୂର୍ବ ସରକାର ଶେଷ 18 ମାସରେ 48787 ମାମଲା ହୋଇଥିଲା. ଅର୍ଥାତ ମାମଲା ସ୍ଥିର ଅଛି. ଦୁଷ୍କର୍ମ 3.5 ଅସାଦଚରଣ 2.2 ନିବସ୍ତ୍ର 26 ଏସିଡ ଆକ୍ରମଣ 63.3 ଯୌତୁକ ମାମଲା 26.1 ସହ ହତ୍ୟା 7.4 ପ୍ରତିଶତ ଏବଂ ଡକାୟତି 8 ପ୍ରତିଶତ ହ୍ରାସ ଘଟିଛି. ଆଗରୁ ଗୃହରେ ଶ୍ୱେତ ପତ୍ର ପାଇଁ ଦାବି ହେଉଥିଲା ଆମ ସରକାର ସଠିକ ସମୟରେ ଦେଉଛନ୍ତି. ମୁଁ ଦେଇଥିବା ତଥ୍ୟକୁ ଚାଲେଞ୍ଜ ବି କରି ପାରନ୍ତି ବିରୋଧୀ. ଆମ ପୋଲିସ ବିଭାଗ 10 ଦିନ ମଧ୍ୟରେ 5451 ଜଣ ଶିଶୁ ଏବଂ ମହିଳା ଉଦ୍ଧାର ହୋଇଛନ୍ତି. 24 ବର୍ଷ ତଥାକଥିତ ସରକାରରେ ମହିଳା ବିରୋଧୀ ଦଣ୍ଡ ହାର 2022 ରେ ଥିଲା 9.2 ପ୍ରତିଶତ ଆଉ 2023 ରେ 6.7 ଥିଲା. ଦେଶରେ ସବୁଠୁ କମ ଥିଲା. ଏବେ 2025 ରେ ଦଣ୍ଡ ହାର 41 ପ୍ରତିଶତ କୁ ବଢିଥିଲା. ଜୁନରେ 62 ପ୍ରତିଶତକୁ ବଢିଛି. ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ସାଇବର ଅପରାଧ ମୁକାବିଲା କରିବା ପାଇଁ ପୋଲିସ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଉଛି. 39714 ନୀଲ ବ୍ୟାଙ୍କ ଯାଞ୍ଚ ହୋଇ 1422 ମାମଲା କରି 379 ଅଭିଯୁକ୍ତ ଗିରଫ ହୋଇଛନ୍ତି. ନିଶା କାରବାର ରୋକିବା ପାଇଁ 800 କୋଟି ଟଙ୍କା ଗଞ୍ଜେଇ ନଷ୍ଟ କରିବା ସହ 1 ହଜାର କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି. ଅନେକ ଜିଲ୍ଲାରେ ଗଞ୍ଜେଇ ଚାଷକୁ 50 ପ୍ରତିଶତ କମା ଯାଇଛି. 36 କୋଟି ଟଙ୍କାର ବ୍ରାଉନ ସୁଗାର ଏବଂ 7 କୋଟି ଟଙ୍କାର କପ ସିରଫ ଜବତ ହୋଇଛି. ପୋଲିସ ବିଭାଗରେ 17794 ପଦବୀ ସୃଷ୍ଟି ହୋଇଛି. 5790 ନିଯୁକ୍ତି ମିଳିଛି. ପ୍ରତ୍ୟେକ ଥାନାକୁ ଦ୍ଵିତୀୟ ଦ୍ରୁତ ଗାମୀ ଚରି ଚକିଆ ଗାଡି ଦିଆଯାଇଛି ଏବଂ 6 ଟି ମଟର ସାଇକେଲ ଦିଆଯାଇଛି. ପୂର୍ବ ସରକାରରେ

ପୁରା ବ୍ୟବସ୍ଥାକୁ ତାମିଲ ବାବୁଙ୍କୁ ଆଉଟ ସର୍ସିଙ୍ଗ ରେ ଦେଇ ଶୋଇ ପଡିଲେ. ଆଗରୁ ପୋଲିସ ପିଠି ପଛରେ ହାତ ବାନ୍ଧି କାମ କରିବାକୁ କୁହାଯାଉଥିଲା. ଏବେ ମୁଁ ମୁକ୍ତ କରି ଦେଇଛି. ପୋଲିସ ଉପରେ କୌଣସି ରାଜନୈତିକ ଚାପ ନାହିଁ.

ନବୀନଙ୍କ ନୂଆ ଅବତାର: ହଲଚଲ ଓଡିଶା ରାଜନୀତି

ରାଜ୍ୟସଭା ନିର୍ବାଚନରୁ ବଦଳିଯାଇଛି କି ନବୀନ ଆଭିମୁଖ୍ୟ। ନବୀନଙ୍କ ନୂଆ ଅବତାର ଦେଶ ଓ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ। ବିଜେଡିକୁ ପୁଣିଥରେ ସଶକ୍ତ କରିବା ପାଇଁ ନବୀନ ଜୋରଦାର ପ୍ରୟାସ କରିଛନ୍ତି ।ବିଧାୟକ , ସାଂସଦ, ଦଳୀୟ ନେତା ଓ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରି ରଣନୀତି ପ୍ରସ୍ତୁତ କରୁଛନ୍ତି ସଂଗଠନ ମଜବୁତ ପାଇଁ । ବିଜେପି ସରକାରର ବିଫଳତା ବିରୋଧରେ ଲଢେଇ ଜୋରଦାର କରିବା ସହ ବିଧାନସଭାରେ ବି ରଣନୀତିରେ ଶାସକ ଦଳକୁ ଘେରୁଛି ବିଜେଡି । ଯାହା ଚିନ୍ତାରେ ପକାଇଛି ବିଜେପିକୁ । ରାଜ୍ୟସଭା ନିର୍ବାଚନରେ କମନ ପ୍ରାର୍ଥୀ କରି ନବୀନ ରାଜ୍ୟ ରାଜନୀତିରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । କଂଗ୍ରେସ ଧ୍ୟ ନବୀନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରି ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି । କଂଗ୍ରେସ ଓ ବିଜେଡି ମଧ୍ୟରେ ସ୍ବଳ୍ପକାଳିନ ମେଣ୍ଟ ଚିନ୍ତାରେ ପକାଇଛି ଶାସକ ବିଜେପିକୁ କଟକ ବଡ ମେଡିକାଲରେ ଅଗ୍ନୀକାଣ୍ଡରେ ୧୩ ଜଣ ଲୋକଙ୍କ ଜୀବନ ଯିବା ପରେ ବିଧାନସଭା ୯ଦିନ ଧରି ଅଚଳାବସ୍ଥା ଜାରୀ ରହିଛି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନବୀନ ବାରମ୍ବାର ଦୋହରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେଡି ଓ କଂଗ୍ରେସ ମଧ୍ୟ ଗୃହରେ ଏହା ବିରୋଧରେ ଲଢେଇ ଜୋରଦାର କରିଛନ୍ତି । ନବୀନ ନିଜେ ବିଧାନସଭାରେ ଉପସ୍ଥିତ ରଖି ପୁରା ପ୍ରସଙ୍ଗକୁ ଜୋରଦାର କରିଛନ୍ତି ଶାସକ ଦଳ ବିରୋଧରେ। ନବୀନଙ୍କ ଏପରି ନୂଆ ଅବତାର ଚିନ୍ତାରେ ପକାଇଛି ଶାସକ ଦଳ ।

ନବୀନଙ୍କ ନୂଆ ଅବତାରକୁ ନେଇ ବିଜେଡି ନେତାମାନେ ବେଶ ଉତ୍ସାହିତ । ବିଧାନସଭା ମୁଲତବୀ ସମୟରେ ଭିନ୍ନ ମୁଡରେ ଆସି ବିଜେଡି ନୂଆ ବିଧାୟକମାନଙ୍କ ସହ ନବୀନ ୩୦ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଜଣେ ଜଣେ କରି ବିଧାୟକଙ୍କୁ ବିଜେଡି ଗଠନ ,ବିଜେଡିର ଲକ୍ଷ୍ୟ ଓ ବିଜୁ ପଟ୍ଟନାୟକଙ୍କ ଉପରେ ଆଲୋଚନା କରିଛନ୍ତି । ଏପରିକି ବିଜେଡିରେ ରହି ନେତାମାନେ ଦଳ ସହ କିପରି ବିଶ୍ବାସଘାତକ କରିଛନ୍ତି ତାହା ମଧ୍ୟ ନୂଆ ବିଧାୟକମାନଙ୍କୁ କହିଥିଲେ ନବୀନ । ରାଜ୍ୟସଭାରେ କ୍ରସ ଭୋଟିଂ କରି ଯେଉଁ ବିଧାୟକ ମାନେ ଏବେ ବିଜୁ ଲିଗାସୀ କଥା କହୁଛନ୍ତି ସେମାନେ କିପରି ବିଜୁ ପଟ୍ଟନାୟକଙ୍କ ବିଶ୍ବାସରେ ବିଷ ମିଶାଇଥିଲେ ତାହା ନବୀନ ବିଧାୟକମାନଙ୍କୁ ବୁଝାଇଛନ୍ତି ।ବିଜୁ ବାବୁଙ୍କୁ ଅନେକ ନେତା ପଛରୁ ଛୁରୀ ମାରିଛନ୍ତି- ବିଧାନସଭା ଭିତରେ ଦଳର ବିଧାୟକଙ୍କୁ କହିଥିଲେ ନବୀନ lବାବୁଙ୍କୁ ଅନେକ ନେତା ପଛରୁ ଛୁରୀ ମାରିବାରୁ ସେ ପ୍ରଧାନମନ୍ତ୍ରୀ ଓ ଦ୍ଵିତୀୟ ବାର ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ l ବିଧାୟକମାନଙ୍କୁ ନିଜ ନିର୍ବାଚନୀ ମଣ୍ଡଳୀ କଥା ମଧ୍ୟ ନବୀନ ବୁଝିବା ସହ ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସମସ୍ୟା ଦୂର କରିବାକୁ ତୃଣମୂଳସ୍ତରରେ ଲଢେଇ ଜାରୀ ରଖିବାକୁ ଆହ୍ବାନ ଦେଇଥିଲେ ।

ଏମିତିକୁ ନୁହେଁ । ବିଧାୟକଙ୍କ ପରିବାର ସହ ବିଜୁ ପଟ୍ଟନାୟକଙ୍କ ସମ୍ପର୍କ କଥା ମଧ୍ୟ ଆଲୋଚନା କରିଥିଲେ ନବୀନ। ପଦ୍ମମପୁର ବିଧାୟକ ବର୍ଷା ସିଂହ ବରିହାଙ୍କ ବାପାଙ୍କ ବାହାଘରରେ ବିଜୁ ପଟ୍ଟନାୟକ କନ୍ୟାଦାନ କରିଥିବା କଥା ମଧ୍ୟ ବିଧାୟିକାଙ୍କ ସହ କଥା ହେଲେ ବେଳେ ନବୀନ କହିଥିଲେ । ବଜେଟ ଅଧିବେଶନର ନବୀନ ପ୍ରାୟ ସ ବୁ ଦିନ ବିଧାନସଭାକୁ ଆସିବା ଓ ରଣନୀତି ପ୍ରସ୍ତୁତ କରିବା ବିଜେଡି ବିଧାୟକମାନଙ୍କୁ ଉତ୍ସାହିତ କରିବା ସହ ଶାସକ ଦଳକୁ ଚିନ୍ତାରେ ପକାଇଛି । ୨୦୨୪ ନିର୍ବାଚନ ପରେ ନବୀନଙ୍କ ନୂଆ ଅବତାର ରାଜ୍ୟ ଓ ଦେଶର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରଛି । ୨୦୨୯ରେ ନବୀନ ଜାତୀୟ ଓ ରାଜ୍ୟସ୍ତରରେ କି ରାଜନୈତିକ ଗୋଟି ଚାଳନ କରୁଛନ୍ତି ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ।

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

ଆଇନ ବୃତିକୁ ଆପଣେଇବା ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ମୂଳରୁ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ମୂରହରୀ ଶ୍ରୀ ରମଣ କହିଛନ୍ତି ।

ଜଣେ ଆଇନଜୀବିଙ୍କୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ବିଶ୍ୱସ୍ତ ରହିବା ସହ ନିର୍ଭୀକ ତଥା ସ୍ୱାଧୀନ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ହେବା ଆବଶ୍ୟକ କାରଣ ଜନସାଧାରଣଙ୍କର ନ୍ୟାୟପାଳିକା ପ୍ରତି ଅତୁଟ ବିଶ୍ୱାସ ରହିଛି ବୋଲି ସେ କହିଥିଲେ ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବକ୍ତୃତାମାଳା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିବା ଅବସରରେ ନ୍ୟାୟମୂର୍ତୀ ରମଣ ଏହା କହିଥିଲେ ।

ନ୍ୟାୟମୂର୍ତୀ ରମଣ ଆଇନ ଓ କୃଷି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଜଣେ ଆଇନଜୀବିଙ୍କୁ ସତ୍ୟନିଷ୍ଠା ହେବା ସହ ପ୍ରାସଙ୍ଗିକ ତଥ୍ୟ ପ୍ରତି ଅନୁରକ୍ତି ରଖିବା ଆବଶ୍ୟକ । ଆଇନ୍ ବୃତିରେ ପ୍ରବେଶ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଆଇନ ବ୍ୟବସ୍ଥାକୁ ଗଭୀର ଭାବେ ଅଧ୍ୟୟନ କରିବା ଆବଶ୍ୟକ ଏବଂ ଏହା ଏକ ନିରନ୍ତର ପ୍ରଚେଷ୍ଟା ହେବା ଦରକାର । କାରଣ ଏହାର କୌଣସି ବିକଳ୍ପ ନାହିଁ । ଜଣେ ଆଇନ ଶିକ୍ଷାର ବିଦ୍ୟାର୍ଥୀ ସାରା ଜୀବନ ଆଇନକୁ ଅଧ୍ୟୟନ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ଆଦଲତ ସମ୍ମୁଖରେ ଆଇନଜୀବି ଭାବେ କୌଣସି ମକଦମା ପରିଚାଳନା କରିବା ବେଳେ ସେମାନଙ୍କର ଯୁକ୍ତି ପ୍ରାସଙ୍ଗିକ ଓ ସୁସ୍ପଷ୍ଟ ହେବା ଆବଶ୍ୟକ । ଏହି ଯୁକ୍ତିରେ ଆଇନର ସମସ୍ତ ନିୟମ ସମୂହ ରହିବା ଆବଶ୍ୟକ ।

ବର୍ତମାନ ଆଇନ ବୃତିରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ)କୁ ବ୍ୟବହାର କରାଯାଉଥିବା ଦର୍ଶାଇ ନ୍ୟାୟମୂର୍ତୀ ରମଣ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏହାକୁ ଏକ ସାହାଯ୍ୟକାରୀ ଭାବେ ବ୍ୟବହାର କରିପାରିବେ । ମାତ୍ର ଏହା

ଉପରେ ନିର୍ଭର କରିବା ବିପଦ୍‌ଜନକ ହୋଇପାରେ । ଆଇନଜୀବିମାନେ ନିଜର ବୁଦ୍ଧିମତା ଉପରେ ଅଧିକ ନିର୍ଭର କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ’ର ବରିଷ୍ଠ ପ୍ରଫେସର ମଧୁସୂଦନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

୨୫ରେ ବାଲେଶ୍ବର ନେତାଙ୍କ ହେବ ଘରବାହୁଡା

ରାଜ୍ୟସଭା ନିର୍ବାଚନ ପରେ ବାଲେଶ୍ବର ରାଜନୀତି ରୋଚକ ସ୍ଥିତିକୁ ଆସିଛି।ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ମିଶାଣ ଫେଡାଣ ରାଜନୀତି। ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ବିଜେଡି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ବସ୍ତା ବିଧାୟିକା ଶୁଭାସୀନି ଜେନା ରାଜ୍ୟସଭାରେ କ୍ରସ ଭୋଟ କରି ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ରବିନ୍ଦ୍ର ଜେନା ବିଜେପିରେ ସାମିଲ ହେବା ପରେ ବିଜେପି ନେତା ଜୀବନ ପ୍ରଦୀପ ଦାସ ବିଜେପି ଛାଡିଛନ୍ତି ।

ବାଲେଶ୍ବର ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବିଜେଡିକୁ ଫେରିବେ । ତାଙ୍କର ଘର ବାହୁଡା ହେବ । ମାର୍ଚ୍ଚ ୨୫ ତାରିଖରେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ବିଜେଡିକୁ ଫେରିବେ । ବିଜେଡି ମଧ୍ୟ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସଙ୍କୁ ଫେରାଇ ବାଲେଶ୍ବରରେ ବିଜେଡିକୁ ସଶକ୍ତ କରିବାକୁ ବିଜେଡି ରଣନୀତି କରୁଛି ।

ଯଯାତି ମହୋତ୍ସବରେ ଝଲସୁଛି ବବିଙ୍କ ବିକାଶ 

ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି 2026 l ଯାଜପୁର କଳା, ସଂସ୍କୃତି ଓ ପରମ୍ପରାର ଗରିମାକୁ ଉଜ୍ଜୀବିତ କରୁଥିବା ମହୋତ୍ସବ ଜୋରଦାର ପାଳନ କରାଯାଉଛି l ପ୍ରଶାସନିକ ପଡିଆ ମହୋତ୍ସବ କେବଳ ଯାଜପୁର ନୁହେଁ ପଡୋଶୀ ଜିଲ୍ଲାରୁ ଲୋକମାନେ ମଧ୍ୟ ସାମିଲ ହୋଇଛନ୍ତି l ଯିଏ ଜିଲ୍ଲା ମହୋତ୍ସବକୁ ଆସୁଛି, ଯାଜପୁର ନୂଆରୂପ ଦେଖି ତାଜୁବ ହେଉଛି l ଯାଜପୁର ଆଜି ସ୍ମାର୍ଟ ସିଟି ଠାରୁ କିଛି କମ ନୁହେଁ ତାହା ମଧ୍ୟ ଯଯାତି ମହୋତ୍ସବକୁ ଆସୁଥିବା ପ୍ରତ୍ୟେକ ଲୋକ ଅନୁଭବ କରୁଛନ୍ତି l ଆଉ ଏସବୁ ସମ୍ଭବ ହୋଇପାରିଛି ନୂତନ ଯାଜପୁର ବିକାଶର ବିନ୍ଧାଣି ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ ପାଇଁ l

ପ୍ରଣବ ପ୍ରକାଶ ଦାସ 2009 ମସିହାରୁ ବିଧାୟକ ହେବା ଦିନଠାରୁ ଯାଜପୁରକୁ ନୂଆରୂପ ଦେବା ପାଇଁ ବିକାଶର ନକ୍ସା ଆଙ୍କିଥିଲେ l 50ବର୍ଷ ଧରି ଗଳିକନ୍ଦି ଖାଲଢିପ ରାସ୍ତା ଭାବେ ପରିଚିତ ଯାଜପୁର ସହରର ଚାରିକୋଣରେ ରିଙ୍ଗ ରୋଡ଼ ନିର୍ମାଣ କରିଥିଲେ ବବି l ଜିଲ୍ଲାର ବିକାଶ ପାଇଁ ଭିତ୍ତିଭୂମି କୁ ପ୍ରଥମେ ଫୋକସ କରିଥିଲେ l ରାସ୍ତାଘାଟ ସହ ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯଟନ, କ୍ରୀଡା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ନିର୍ମାଣ କରିଥିଲେ ବବି l ପୁରା ଯାଜପୁର ନିର୍ବାଚନୀ ମଣ୍ଡଳୀ ସହ ପୁରା ଜିଲ୍ଲାର ବିକାଶ ଓଡିଶା ପାଇଁ ଉଦାହରଣ ସାଜିଥିଲେ l ଓଡିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ଯେପରି ଯାଜପୁର ଜିଲ୍ଲାକୁ ଭଲ ପାଉଥିଲେ, ତାଙ୍କ ପୁଅ ନବୀନ ପଟନାୟକ ମଧ୍ୟ ସେମିତି ଦୁର୍ବଳତା ଯାଜପୁର ଜିଲ୍ଲା ପ୍ରତିଥିଲା l ଯାହା ଯାଜପୁରର ବିକାଶ ରଥକୁ ଆଗେଇ ନେବାରେ ବବିଙ୍କୁ ବେଶ ସହାୟକ ହୋଇଥିଲା l 15ବର୍ଷରେ ଯାଜପୁରକୁ ବିକାଶର ନୂଆ ନକ୍ସାରେ ଆଙ୍କିଥିଲେ ବବି l ଯାହା ପୁରା ଓଡ଼ିଶା ପାଇଁ ଥିଲା ଉଦାହରଣ l

ମା ବିରଜା ପୀଠ, ବୈତରଣୀ ନଦୀକୂଳ ଠାରୁ ଜଳ ଡ୍ୟାମ ଠାରୁ ଆରମ୍ଭ କରି ମେଡିକାଲ କଲେଜ, କୁସୁମା, ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ମେଡିକାଲ,123 ଫୁଟର ଶିବମୂର୍ତ୍ତି, ପ୍ରଶାସନିକ ଭବନ ଠାରୁ ସ୍ମଶାନ ଯାଏ ସବୁଠି ବିକାଶ ଆଉ ବିକାଶ ଲମ୍ବା ତାଲିକା ଯୋଡିହେଲା l ଯାଜପୁରକୁ ନୂଆରୂପେ ଗଢିବା ପାଇଁ ବବିଙ୍କ ଦିନରାତି ପରିଶ୍ରମ କରିବା ସହ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା l ରାଜନୈତିକ କ୍ଷେତ୍ରରେ ମଧ୍ୟ ଅନେକ ପ୍ରତିବନ୍ଧକ ସୁଷ୍ଟି ହୋଇଥିଲା l ହେଲେ ଏସବୁକୁ ପଛରେ ପକାଇ ନୂତନ ଯାଜପୁରର ବିନ୍ଧାଣି ଗଢିଥିଲେ ନୂଆ ଯାଜପୁର l ଯାହା ଆଜି ଜିଲ୍ଲା ମହୋତ୍ସବକୁ ଯିଏ ଆସୁଛି ସିଏ କହୁଛି ନବୀନ ପଟନାୟକ ଶାସନ ସମୟରେ ବିକାଶ କଣ ଦେଖିବାର ଅଛି ତ ଯାଜପୁର ଆସ l ଜଣେ ରାଜନେତାଙ୍କ ଭିଜନ କେମିତି ନିଜ ନିର୍ବାଚନୀ ମଣ୍ଡଳୀ ଓ ଓଡିଶା ପାଇଁ ତାହା ହେବା ଦରକାର ତାହା ପ୍ରଣବ ପ୍ରକାଶ ଦାସ (ବବି ) ଯାଜପୁର ଜିଲ୍ଲାରେ କରି ଦେଖାଇଛନ୍ତି l ସେଥିପାଇଁ ତ କ୍ଷମତାରେ ଥିବା ବେଳେ ବବି ଯେମିତି ଚର୍ଚ୍ଚାରେ ଥିଲେ କ୍ଷମତାରୁ ଗଲା ପରେ ବି ସେମିତି ଚର୍ଚ୍ଚାରେ ଅଛନ୍ତି ପୁରା ଓଡ଼ିଶାରେ ପ୍ରଣବ l ଲୋକଙ୍କ ବିଶ୍ଵାସ ଓ ଭରଷା ମଧ୍ୟ ତାଙ୍କ ପ୍ରତି ଅତୁଟ ରହିଛି l ଯାହା ପ୍ରତି ଶନିବାର ଓ ରବିବାର ବବିଙ୍କ ଦରବାରକୁ ଦେଖିଲେ ଯିଏ କିଏ ଅନୁମାନ କରିପାରିବ l

କ୍ରସ ଭୋଟିଂ କରିଥିବା ୬ ବିଜେଡି ବିଧାୟକ ନିଲମ୍ବିତ

ରାଜ୍ୟସଭା ନିର୍ବାଚନରେ ୧୧ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ସେଥିରେ ବିଜେଡିର ୬ ବିଧାୟକ ଥିଲେ l ବିଜେଡିରୁ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବସ୍ତା ବିଧାୟିକା ସୁବାସିନୀ ଜେନା, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଦଳୀୟ ନିର୍ଦ୍ଦେଶର ଅବମାନନା କରି ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି। ଏହାକୁ ନେଇ ବିଧାୟକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା l କ୍ରସ ଭୋଟିଙ୍ଗ କରିଥିବା ନେତାମାନେ ମଧ୍ୟ କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇଥିଲେ l ଆଜି ବିଜେଡି ସଭାପତି ନବୀନ ପଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର କମିଟି ବୈଠରେ କ୍ରସ ଭୋଟିଙ୍ଗ କରିଥିବା ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ନବୀନ l ଖୁବଶ୍ରୀଘ୍ର ବାଚସ୍ପତିଙ୍କୁ 6ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଧ କରିବାକୁ ଦଳ ଦାବି କରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି l

ପଖାଳ: ଓଡ଼ିଆ ମନର ଭାବନା, ମାଟିର ସୁଗନ୍ଧ ଓ ସ୍ନେହର ପରିଚୟ”

0

() ଆଜି ସମଗ୍ର ଓଡ଼ିଶାରେ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହେଉଛି “ପଖାଳ ଦିବସ”। ଗରମ ଦିନରେ ଶରୀରକୁ ଶିତଳତା ଦେବା ସହିତ ପଖାଳ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଗାଢ଼ ଭାବନା ଓ ସ୍ମୃତିକୁ ଜାଗ୍ରତ କରେ। ଏହା କେବଳ ଏକ ଦିନ ନୁହେଁ ଏହା ହେଉଛି ଆମ ସଂସ୍କୃତିର ଜୀବନ୍ତ ଅନୁଭୂତି।

ଘରେ ଘରେ ମା’ମାନେ ଆନନ୍ଦରେ ପଖାଳ ତିଆରି କରି, ପିଆଜ, ବଡ଼ିଚୁରା, ଆଳୁଭର୍ତ୍ତା ଓ ମାଛଭଜା ସହିତ ପରିବେଷଣ କରିଥାନ୍ତି । ସେହି ଥାଳିରେ କେବଳ ଖାଦ୍ୟ ନଥାଏ, ଥାଏ ଅପାର ସ୍ନେହ, ମମତା ଓ ମା’ର ଅନନ୍ତ ଭଲପାଇବା। ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ସମସ୍ତେ ପଖାଳର ରସକୁ ଉପଭୋଗ କରନ୍ତି। କେହି କେହି ତାଙ୍କ ଛୋଟବେଳର ସେଇ ସୁନ୍ଦର ସ୍ମୃତିକୁ ମନେ ପକାଇଥାନ୍ତି—ଯେତେବେଳେ ଗାଁର ଅଗଣାରେ ବସି ପରିବାର ସହିତ ପଖାଳ ଖାଉଥିଲେ। ସେହି ସରଳ ମୁହୂର୍ତ୍ତ ଗୁଡ଼ିକ ଆଜି ମଧ୍ୟ ମନକୁ ଭିଜାଇ ଦେଉଛି। ଅନେକ ବୃଦ୍ଧମାନେ କୁହନ୍ତି, “ପଖାଳ ହେଉଛି ଆମ ଜୀବନର ସରଳ ସୁଖ”। ତାଙ୍କର ଆଖିରେ ଦେଖାଯାଉଛି ସେଇ ପୁରୁଣା ଦିନର ଆଲୋକ, ଯେଉଁଠାରେ ସରଳତାରେ ଥିଲା ଅନେକ ଖୁସି ଓ ଭଲ ପାଇବା।

ବିଶେଷଜ୍ଞମାନେ କହୁଛନ୍ତି, ପଖାଳ ଶରୀରକୁ ଶୀତଳ ରଖିବା ସହିତ ଜୀର୍ଣ୍ଣ ପ୍ରକ୍ରିୟାକୁ ସୁଧାରେ। ତେଣୁ ଏହା କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ଆଜିର ଆଧୁନିକ ଜୀବନର ଭିଡ଼ ମଝିରେ ମଧ୍ୟ ପଖାଳ ଆମକୁ ଆମ ମୂଳ ସହିତ ଯୋଡ଼ି ରଖୁଛି। ଏହା ଆମ ପରମ୍ପରା, ଆମ ମୂଳ ଓ ଆମ ପରିଚୟର ଜୀବନ୍ତ ପ୍ରତୀକ। ପଖାଳ ଦିବସ ଆମକୁ ଶିଖାଏ—ଆଧୁନିକତାର ମଝିରେ ଆମ ପରମ୍ପରାକୁ କେବେ ଭୁଲିବା ଉଚିତ୍ ନୁହେଁ। ଏହା ଆମ ମାଟିର ସୁଗନ୍ଧ, ଆମ ମନର ଭାବନା ଓ ଆମ ଗର୍ବର ପ୍ରତୀକ।

ଆସନ୍ତୁ, ଏହି ପଖାଳ ଦିବସରେ ଆମେ କେବଳ ପଖାଳ ଖାଇବା ନୁହେଁ ଏହା ସହିତ ଜଡିତ ଥିବା ସେଇ ଅମୂଲ୍ୟ ସ୍ମୃତି ଓ ଭାବନାକୁ ମଧ୍ୟ ଅନୁଭବ କରିବା ଓ ଆମ ମନକୁ ସ୍ନେହ ଓ ଶାନ୍ତିରେ ଭରିଦେବା।

Follow us

20,832FansLike
0FollowersFollow
14,700SubscribersSubscribe

Latest news