() କଥାରେ ଅଛି ବାର ମାସରେ ତେର ପର୍ବ ସେଥି ମଧ୍ୟରୁ ରଜ ପର୍ବ ଅନ୍ୟତମ। ରଜ ପର୍ବ ହେଉଛି ଆନନ୍ଦ ଓ ଉଲ୍ଲାସର ପର୍ବ, ତେଣୁ ଏହି ଦିନଟିକୁ ପ୍ରତିଟି ଓଡ଼ିଆ ଲୋକ ପାଳନ କରନ୍ତି। ରଜ ପର୍ବ ହେଉଛି ଓଡ଼ିଶାର ଗଣପର୍ବ। ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ଏହି ପର୍ବଟି ହେଉଛି ସାଧାରଣତଃ ଝିଅ ଓ ବୋହୂ ମାନଙ୍କ ପର୍ବ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ।

ତେବେ ରଜ ପୂର୍ବ ଦିନଟିକୁ ସଜବାଜ ବୋଲି କୁହାଯାଏ।  ଏହିଦିନ ଝିଅମାନେ ରଜ ପର୍ବ ପାଇଁ ସଜବାଜ ହୁଅନ୍ତି। ତେଣୁ ରଜ ୩ ଦିନ ଝିଅମାନେ କାମ କରନ୍ତି ନାହିଁ। ଘରେ ଘରେ ନାନାପ୍ରକାର ସୁସ୍ଵାଦୁ ଖାଦ୍ୟ ସହ, ବିଭିନ୍ନ ପ୍ରକାର ପିଠାପଣାର ଆୟୋଜନ କରାଯାଇଥାଏ। ସଜବାଜ ଦିନ ପୋଡ଼ପିଠା ପ୍ରସ୍ତୁତି ହେଉଛି ରଜପର୍ବ ର ବିଶେଷ ଆକର୍ଷଣ। ପହିଲି ରଜଦିନ ସକାଳୁ ସକାଳୁ ଝିଅ ଓ ବୋହୂମାନେ ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ରଜରେ ଦୋଳି ଖେଳ ହେଉଛି ବିଶେଷ ଆକର୍ଷଣ। ଝିଅମାନେ ଦୋଳି ଖେଳିବା ପାଇଁ ସତେ ଯେପରି ଅନେଇ ବସିଥାନ୍ତି । ଏହି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିବା ଲାଗି ସେଥିପାଇଁ ଗାଁର ପ୍ରତିଟି ଗଛରେ ରଜଦୋଳି ଲଗାଯାଏ। ଝିଅ ବୋହୂମାନେ ମନ ଆନନ୍ଦରେ ଗାଁ ଗାଁ ବୁଲି ଦୋଳି ଖେଳି ରଜପର୍ବର ଆନନ୍ଦ ଉଠାଇଥାନ୍ତି।ଏଥି ସହିତ ରଜ ପାନର ମଧ୍ୟ ଆନନ୍ଦ ଉଠାଇଥାନ୍ତି। ଏହି ପର୍ବ ଆସିଲେ ଉତ୍ସବ ମୁଖର ହୋଇ ଉଠିଥାଏ ଗାଁଠୁ ସହର।

ସେହିପରି ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି।ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ୍‌, ବାଗୁଡ଼ି ଆଦି ଖେଳ ଖେଳି ଏହି ଆନନ୍ଦରର ପର୍ବ ରଜକୁ ପାଳନ କରିଥାନ୍ତି। ଗାଁମାନଙ୍କରେ ଧୁମଧାମରେ ପାଳନ କରାଯାଏ ଏହି ପର୍ବ।