କଥାରେ ଅଛି ଆତ୍ମା ଯାହା ଚାହୁଁଛି ତାହା କର ଓ ଇଚ୍ଛାକୁ ମାରନାହଁ l ହେଲେ ବର୍ତମାନର ବ୍ୟସ୍ତବହୁଳ ଜୀବନରେ ତାହା କଣ ସମ୍ଭବ ହୋଇପାରୁଛି l ସମୟ ଚକ୍ରରେ ମଣିଷ ଏମିତି ଘାଣ୍ଟି ହୋଇଯାଇଛି ଯେ ଏସବୁ ବାଟମଣା ହୋଇଛି l ଘର ହେଉ କି ବାହାର, କେଉଁଠି ବି ଆଉ ଆତ୍ମୀୟତା ରହୁନି l ଯେଉଁ କିଛି ଅଛି ତାହାବି ବାହାକୁ ବତା l ଏହାର କାରଣ ଅନେକ ହୋଇପାରେ l ମଣିଷବାଦି ନହୋଇ ଆମେ ବସ୍ତୁପ୍ରେମୀ ହେବା ଗୋଟେ ମାତ୍ର କାରଣ କି? ନା ନିଜ ଭିତରେ ଆତ୍ମୀୟତାର ସୁଗୁଣକୁ ମଣିଷ ନିଜେ ମାରିଦେଉଛି ଆଧୁନିକତାର ମାୟା ଜାଲରେ l କେଜାଣେ କାହିଁକି ମୁନାର ମନ ଏ କଥାକୁ ନେଇ ଘାଣ୍ଟି ହେଲା l ଆତ୍ମୀୟତାର ଅବକ୍ଷୟ ପାଇଁ କଣ ସମୟ ଦାୟୀ ନାଁ ନିଜେ ମଣିଷ ଦାୟୀ l ତାହାରି ଭିତରେ ସମାଜର କଥା ବି ଆସିଲା l ପିଲାଦିନ, କଲେଜ ସମୟ, ଅବସର ସମୟ ସବୁଠି ଧନୀ ଠାରୁ ଗରିବ ଯାଏ ଖୋଜୁଛି ଆତ୍ମୀୟତା ମଧୁର ପଣ l ସ୍ୱାର୍ଥ, ଜଂଜାଳ, ପାଇବା ଓ ହରେଇବା ଆଶାରେ ଜୀବନକୁ କଣ ଯେ ମିଳୁଛି ତାହା କିଏ କହିବ? ନିଜକୁ ଚିହ୍ନି ଓ ପ୍ରଶ୍ନ କଲେ ଜାଣିହେଉଛି ନିଜ ଭିତରେ କେମିତି ଚାପି ହୋଇଯାଇଛି ତାହାର ଆତ୍ମୀୟ ପଣ l ଯାହାର ପ୍ରଭାବ ମଣିଷର ମାନିସିକ ସ୍ଥିତି ଉପରେ ଏମିତି ଚାପ ସୁଷ୍ଟି କରୁଛି ଯେ ମଣିଷ ନିଜକୁ ଭୁଲି ଯାଉଛି l ସମସ୍ତକୁ ଆତ୍ମୀୟତାର ବନ୍ଧନରେ ବାନ୍ଧି ରଖିବା ଓ ନିଜ ଭିତରେ ସେ ପଣ ସୁଷ୍ଟି କରିବାର ସମୟ ଆସିଛି l କିଏ କଣ ଭାବୁଛି, କିଏ କଣ କହୁଛି ତାହାର ଗୁରୁତ୍ୱ ଯେତିକି ନିଜ ମନ ଭିତରେ ଥିବା ଆତ୍ମ ଚେତନା ଜାଗ୍ରତ କରିପାରିଲେ ଦୁନିଆଟା ଆତ୍ମୀୟ ଲାଗିବା ସହ ମନ ଓ ଆତ୍ମ ଶାନ୍ତିମୟ ହେବ l ନା ସେଥିରେ ଥିବ ଛଳନା ଓ କିଛି ବି ଚିନ୍ତା l କେବଳ ମୁକ୍ତି ଓ ତୃପ୍ତି l ନିଜେ ଖୁସି ରହିବ ଓ ସମାଜକୁ ଖୁସିରେ ରଖିବ l ଆଉ ସମୟ କାହିଁ ଚାଲ ଆତ୍ମୀୟତାରେ ବାନ୍ଧି ହେବା ଓ ଏକ ନୂତନ ସମାଜର ଆରମ୍ଭ କରିବା l
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy