ଫଟୋ କହୁଛି କଥା :4ଦିନ ଫଟୋଗ୍ରାଫି କର୍ମଶାଳା ଶେଷ

- Advertisement -

ଢେଙ୍କାନାଳ: ଫଟୋରେ ଫଟୋରେ କେତେ କଥା । ଫଟୋରେ ଜୀବନ, ଫଟୋରେ ଜୀବିକା । କ୍ୟାମେରା ଲେନ୍ସରେ ତୋଳାଯାଇଥିବା ଏମିତି କିଛି ଫଟୋ କହୁଛି କାହାଣୀ । କେଉଁ ଫଟୋ ମଣିଷର ସଂଘର୍ଷ କଥା କହୁଛି ତ ପୁଣି କେଉଁ ଫଟୋ ଜୀବନଶୈଳୀ କଥା କହୁଛି । ପୁଣି କିଛି ଫଟୋରେ ପରିବେଶ ପ୍ରସଙ୍ଗ ଫୁଟିକି ବାହାରିଛି । ଏସବୁ ସମସ୍ତଙ୍କୁ ବାନ୍ଧି ରଖୁଛି ।
ଏ ଅବସର ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ । ଚାରିଦିନ ଧରି ଚାଲିଥିବା ଫଟୋଗ୍ରାଫି କର୍ମଶାଳା ‘ଫଟୋଗ୍ରାଫିଆ-୩’ ବୁଧବାର ଉଦ୍‍ଯାପିତ ହୋଇଛି । ଏଥିରେ ଆଇଆଇଏମ୍‍ସିର ୫୦ଜଣ ଛାତ୍ରଛାତ୍ରୀଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୪ଜଣ ଶିକ୍ଷାର୍ଥୀ ଭାଗନେଇଥିଲେ । ଚତୁର୍ଥ ଦିନରେ ଏକ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଏଥିରେ ଶିକ୍ଷାର୍ଥୀଙ୍କ କେତୋଟି ବଛାବଛା ଫଟୋ ସ୍ଥାନ ପାଇଛି । ସବୁ ଫଟୋ ବେଶ୍‍ ଆକର୍ଷଣୀୟ ହୋଇଛି ।
ମା’ ଓ ପୁଅର ସମ୍ପର୍କକୁ ଫଟୋରେ ଅତିସୁନ୍ଦରଭାବେ ଫୁଟାଇଛନ୍ତି ଛାତ୍ରୀ ସୋନାଲି ଖଟ୍ଟା । ମା’ଟିର ଆଙ୍ଗୁଠିକୁ ଛୋଟ ପିଲାଟିଏ କିପରି ଜାବୁଡ଼ି ଧରିଛି ଆଉ ସେ ଆଙ୍ଗୁଠି ଯେ ତା’ ପାଇଁ ସବୁ କିଛି ଏ ଫଟୋ ଦେଖିଲେ ଜଣେ ଅନୁଭବ କରିପାରିବ । ସେହିପରି ଜଣେ ଚା’ ବିକ୍ରେତାଙ୍କ ଚା’ ପ୍ରସ୍ତୁତିକୁ ସୁନ୍ଦର ଭାବେ ତୋଳି ଧରିଛି ଛାତ୍ରୀ ପ୍ରିତିକା ପାଇକଙ୍କ ଫଟୋ । ଅନ୍ୟତମ ଆକର୍ଷଣୀୟ ଫଟୋ ଥିଲା ଅମିତ ଚାଟାର୍ଜୀଙ୍କ ଜୀବନ ସମ୍ପର୍କିତ ଏକ ଫଟୋ । ଜଣେ ମହିଳା ଫୁଟ୍‍ପାଥ୍‍ରେ ଶୋଇ ଦିନରାତି ଜୀବନ କାଟୁଥିବାର ଦୃଶ୍ୟକୁ ସେ କ୍ୟାମେରା ଫ୍ରେମ୍‍ରେ ତୋଳି ଧରିଛନ୍ତି । ସେହିପରି ଛାତ୍ର ଧର୍ମ ସଂଗ୍ରାମ୍‍ ଅମନ୍ତଙ୍କ ଯୋରନ୍ଦା ଉପରେ ଏକ ଫଟୋ ଷ୍ଟୋରୀ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ପରିବେଶ ପ୍ରସଙ୍ଗକୁ ନେଇ ମଧ୍ୟ କିଛି ଫଟୋ ଖୁବ୍‍ ଭଲ ଥିଲା । ଏହାସହ ପ୍ରକୃତିର କିଛି ଦୃଶ୍ୟକୁ ଅନ୍ୟ ଛାତ୍ରଛାତ୍ରୀମାନେ ନିଜ କ୍ୟାମେରାରେ ଉଠାଇଛନ୍ତି।
ଏହି ସବୁ ଫଟୋ ଏବଂ ଫଟୋଗ୍ରାଫିଆର ବିଶେଷ ମୁହୂର୍ତ୍ତକୁ ନେଇ ଏକ କଫି ଟେବୁଲ ବହି ପ୍ରକାଶ କରାଯିବ ବୋଲି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି । ସେ କହିଛନ୍ତି, ଏଥର ଫଟୋଗୁଡ଼ିର ମାନ ଉଚ୍ଚକୋଟୀର ରହିଛି । ଏଗୁଡ଼ିକ ଜୀବନ୍ତ ଅନୁଭବ ଆଣିଦେଉଛି । ତେଣୁ ଏହାକୁ ନେଇ ଆଗାମୀ ଦିନରେ ଏକ ବହି ପ୍ରକାଶ କରାଯିବ ।
ଉଦ୍‍ଯାପନୀ କାର୍ଯ୍ୟକ୍ରମରେ କର୍ମଶାଳାର ବିଶେଷଜ୍ଞ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଫଟୋ ସାମ୍ବାଦିକ ହିମାଂଶୁ ବ୍ୟାସ କହିଛନ୍ତି, ମଣିଷ ଦେଖୁଥିବା ସବୁ ଜିନିଷକୁ ସମ୍ମାନ ଦେବା ଶିଖାଏ ଫଟୋଗ୍ରାଫି । ଏଥର କର୍ମଶାଳାରେ ଭାଗନେଇଥିବା ପିଲାମାନଙ୍କ ପାଖରେ ଫଟୋଗ୍ରାଫିର କଳା ଭରି ରହିଛି । ସେହିପରି ଅନ୍ୟତମ ବିଶେଷଜ୍ଞ ତବିନା ଅଞ୍ଜୁମ୍‍ କ୍ୟୁରେସି କହିଛନ୍ତି, ଫଟୋ ସାମ୍ବାଦିକତାରେ କ୍ୟାରିୟର କରିବା ଦିଗରେ ଫଟୋଗ୍ରାଫିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି କର୍ମଶାଳା ନିଶ୍ଚୟ ଇଚ୍ଛୁକ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ପୁସ୍ତିକା ‘ସାମ୍ବାଦିକ ଓ ସମ୍ପାଦକ ଗାନ୍ଧୀ’ ଉନ୍ମୋଚିତ
ଏହି ଅବସରରେ ପୁସ୍ତିକା ‘ସାମ୍ବାଦିକ ଓ ସମ୍ପାଦକ ଗାନ୍ଧୀ’ ଉନ୍ମୋଚିତ ହୋଇଛି । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆଇଆଇଏମ୍‍ସି ପକ୍ଷରୁ ପ୍ରକାଶିତ ଏହି ପୁସ୍ତିକାର ସମ୍ପାଦନା କରିଛନ୍ତି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଏବଂ ସୁସାମ୍ବାଦିକ ସ୍ନେହାଶିଷ ସୁର । ଏହା ପ୍ରଥମେ ଇଂରାଜୀରେ ପ୍ରକାଶିତ ହୋଇଥିଲା । ସମ୍ପୂର୍ଣ୍ଣ ପ୍ରକାଶନକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଏକାଡେମିକ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନ । ପୁସ୍ତିକାରେ ମୋଟ ୨୧ଟି ନିବନ୍ଧ ସ୍ଥାନ ପାଇଛି । ମହାତ୍ମା ଗାନ୍ଧୀଙ୍କ ସାମ୍ବାଦିକତାଠାରୁ ଆରମ୍ଭ କରି ସମ୍ପାଦକ ପର୍ଯ୍ୟନ୍ତ ବିଭିନ୍ନ ଘଟଣାବଳୀକୁ ନେଇ ଦେଶର ପ୍ରତିଷ୍ଠିତ ବ୍ୟକ୍ତିମାନେ ଏସବୁ ନିବନ୍ଧ ଲେଖିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles