ମଣିଷ ମନ…

- Advertisement -

ଆରେ, ଆଜି କ’ଣ ତୋ ମନ ଭାରୀ ଖୁସି ? “କ’ଣ ହେଇଛି ? ଆଜି ପୁଣି ମନ ମାରିକି କାହିଁକି ବସିଛୁ? ତୋ ମନଟା କ’ଣ ହୋଇଛି କି? ମୁହଁରୁ ତ ଟେନସନ୍ ଜଣାପଡୁଛି! କେହି ମନର ଖୁସି ପଢ଼ିବାକୁ ଚାହେଁ, କେହି ମନର ଦୁଃଖ।

କେହି ପଚାରେ—ଆଜି ମନ କ’ଣ ଚାହୁଁଛି ?

ଆଉ ମନ?

ମନ କେବେ କହେ ବୁଲିବାକୁ ଇଚ୍ଛା ହେଉଛି, କେବେ ଶୋଇ ରହିବାକୁ, କେବେ କାହା ସହ ଘଣ୍ଟା ଘଣ୍ଟା ଗପିବାକୁ, କେବେ ଭଲକରି ଖାଇବାକୁ,

ଆଉ କେବେ କେବେ… କାରଣ ନଥାଇ ମଧ୍ୟ କାନ୍ଦିବାକୁ।

ସତ କହିଲେ, ପବନଠାରୁ ବି ମନର ଗତି ଅଧିକ। ପବନ କେଉଁ ଦିଗକୁ ବହୁଛି, ତାହା ବୋଧେ ଅନୁମାନ କରିହେବ; ହେଲେ ମନ କେଉଁ ଦିଗକୁ ଧାଉଁଛି ସେକଥା ମନ ନିଜେ ବି ବେଳେବେଳେ ଜାଣେନାହିଁ।

ମନ ସ୍ଥିର ହେଲେ ବି ଭଲ ନୁହେଁ, ଅସ୍ଥିର ହେଲେ ତା’ଠାରୁ ଆହୁରି ଭୟଙ୍କର।କାରଣ…ମଣିଷ ମନର ରାଜା, ହେଲେ ନିଜ ମନର ରାଜ୍ୟରେ ବେଳେବେଳେ ନିଜେ ହିଁ ପ୍ରଜା। କେତେବେଳେ ମନ କ’ଣ ଚାହେଁ, କ’ଣ କରେ—ତାକୁ ସହଜରେ ବୁଝିହୁଏନା। ମନ କେବେ ବୁଝିକି ଅବୁଝା, କେବେ ଭିଡ଼ ଭିତରେ ବି ଏକା,

କେବେ ଆକାଶ ପରି ବିଶାଳ, ଆଉ କେବେ ପୃଥିବୀ ପରି ଶୂନ୍ୟ।

ମନକୁ ନା ଦେଖିହୁଏ, ନା ଛୁଇଁହୁଏ, ନା ପଢ଼ିହୁଏ। ତଥାପି…ମନ ହିଁ ମଣିଷର ସବୁଠାରୁ ଅଧିକ କଥା କହୁଥିବା ନୀରବ ସାଥୀ। ମନେ ମନେ ମଣିଷ କେତେବେଳେ ରାଜା ପାଲଟିଯାଏ, କେତେବେଳେ ପ୍ରଜା। କେତେବେଳେ ଦୁନିଆ ଜିତିବାର ସ୍ୱପ୍ନ ଦେଖେ,  ଆଉ କେତେବେଳେ ନିଜକୁ ହିଁ ହାରିଯାଏ। ଜୀବନରେ ସବୁକିଛି ସମ୍ଭବ ହୋଇପାରେ, ଯଦି ମନ ଚାହେଁ। ମନ ହିଁ ଶାନ୍ତି ଦିଏ, ମନ ହିଁ ଅଶାନ୍ତି ଆଣେ। ମନ ହିଁ ସ୍ୱପ୍ନ ଦେଖାଏ, ପୁଣି ମନ ହିଁ ସେହି ସ୍ୱପ୍ନକୁ ଭାଙ୍ଗିଦିଏ। ହଠାତ୍ ରାତି ଅଧରେ ବିବେକର ମନରେ ଏକ ଭାବନା ଆସିଲା, ସମାଜ ବଦଳିବା ଦରକାର। ସମାଜରେ ସଂସ୍କାର ଆସିବା ଦରକାର। କିନ୍ତୁ ତା’ର ମନ ହସିକି କହିଲା, ବିବେକ, ପ୍ରଥମେ ନିଜ ଭିତରେ ସଂସ୍କାର ଆଣ। ଦୁନିଆ ବଦଳାଇବା ପୂର୍ବରୁ ନିଜକୁ ବଦଳା । ସେ ଭାବିଲା, ମଣିଷ ଜନ୍ମ କ’ଣ କେବଳ ଖାଇବା, ପିଇବା, ପଢ଼ିବା, ଚାକିରି କରିବା, ସଂସାର କରିବା ଓ ଶେଷରେ ଭଗବାନଙ୍କ ଶରଣ ନେବା ପାଇଁ?

ତା’ପରେ ଦିନେ ଜୀବନର ଦୀପଟା ଲିଭିଯିବ? ଏହି ଭାବନାରେ ବିବେକର ମନ କିଛି କ୍ଷଣ ପାଇଁ ବିଚଳିତ ହେଲା। ହେଲେ…କେଜାଣି ମନର ଖେଳ କ’ଣ! କିଛି ମିନିଟ୍ ପରେ ମୋନାଲିସାର ଗୋଟିଏ ମେସେଜ୍ ଆସିଲା। ଜାଗିଛ? ବାସ୍…ସମାଜ ସଂସ୍କାରରୁ ବିବେକର ମନ ନିମିଷକରେ ପ୍ରେମରେ ପଡ଼ିଗଲା। ରାତି ସାରା ଚାଲିଲା ଗପ। ସମାଜ ବଦଳାଇବାକୁ ବାହାରିଥିବା ବିବେକ, ସେହି ରାତିରେ ନିଜ ମନରେ ହିଁ ହାରିଗଲା। ଏହା କେବଳ ବିବେକର କଥା ନୁହେଁ। ପ୍ରତିଦିନ ଲକ୍ଷ ଲକ୍ଷ ମଣିଷର ମନରେ ଏମିତି ହଜାର ଯୁଦ୍ଧ ଚାଲିଥାଏ। କେହି କାହାକୁ ଦେଖାଇପାରେନାହିଁ।

କେହି କାହାକୁ କହିପାରେନାହିଁ। କାରଣ ମନର ଯୁଦ୍ଧରେ ନା ଦର୍ଶକ ଥାଆନ୍ତି,

ନା ବିଚାରକ। କେବଳ ମଣିଷ ଥାଏ… ଆଉ ତା’ର ମନ ଥାଏ।ଆଜିର ଆଧୁନିକ ଯୁଗରେ ମନକୁ ନିୟନ୍ତ୍ରଣ କରିବା ବୋଧେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଚାରିପାଖରେ ଅନେକ ଶବ୍ଦ, ଅନେକ ଲୋଭ, ଅନେକ ସମ୍ପର୍କ, ଅନେକ ଆଶା, ଅନେକ ତୁଳନା…ଆଉ ଏସବୁ ଭିତରେ ନିଜ ମନକୁ ଶୁଣିବା, ସେଇଟା ହିଁ ସବୁଠାରୁ କଷ୍ଟକର। ଯିଏ ନିଜ ମନକୁ ଜିତିପାରେ, ସେ ହୁଏତ ଦୁନିଆ ଜିତିବାର ଆବଶ୍ୟକତା ହିଁ ଅନୁଭବ କରେନାହିଁ । କାରଣ ମନ ଅନେକ ଅକୁହା କଥା କହେ । କେତେବେଳେ ସେହି କଥା ବାସ୍ତବ,  କେତେବେଳେ କେବଳ ଭାବନା। ଅନେକେ କୁହନ୍ତି—ମନର କଥା ମନରେ ରଖିଲେ ମନ ଭାରୀ ହୋଇଯାଏ। କାହାକୁ କହିଦେଲେ ମନ ହାଲୁକା ହୋଇଯାଏ। ହଁ…  କଥାଟା ସତ। କିନ୍ତୁ ସତ ଓ ବାସ୍ତବତା ଭିତରେ କେତେ ବଡ଼ ଦୂରତା ଥାଏ,

ହୁଏତ ସେଦିନ ରାଜା ବୁଝିଥିଲା। ସେ ତା’ର ମନର କଥା ତା’ର ଜଣେ ବନ୍ଧୁ ଆଗରେ କହିଦେଲା। କହିଦେବା ପରେ ମନ ହାଲୁକା ହେଲା କି ନାହିଁ, ସେକଥା ରାଜା ହୁଏତ ଆଜି ବି ଜାଣେନାହିଁ। କିନ୍ତୁ ଗୋଟିଏ କଥା ଜାଣେ, ସେଦିନଠାରୁ ଆଜି ଯାଏ,

ସେ ନିଜ ମନକୁ ବୁଝାଇ ପାରିନାହିଁ। ବୋଧେ ମଣିଷର ସବୁଠାରୁ ବଡ଼ ରହସ୍ୟ ହେଉଛି ତା’ର ମନ। ମଣିଷକୁ ବୁଝିବା ସହଜ, କିନ୍ତୁ ମଣିଷର ମନକୁ ବୁଝିବା?ସେଇଟା ଏକ ଅସୀମ ଯାତ୍ରା। ମନ କେତେବେଳେ କୁଆଡ଼େ ଧାଏଁ, କିଏ କହିପାରିବ?କେତେବେଳେ ଅତୀତକୁ ଫେରେ, କେତେବେଳେ ଭବିଷ୍ୟତକୁ ଦୌଡ଼େ, ଆଉ ବେଳେବେଳେ ବର୍ତ୍ତମାନକୁ ଛାଡ଼ି କୌଣସି ଅଜଣା ସ୍ୱପ୍ନ ଭିତରେ ହଜିଯାଏ। ତେଣୁ…ମନକୁ ସବୁବେଳେ ବୁଝାଇବାକୁ ଯାଅନି। କେବେ କେବେ ତାକୁ ତା’ର ଇଚ୍ଛାରେ ଛାଡ଼ିଦିଅ । ଚାଲନ୍ତୁ…ମନକୁ ମନର ବାଟରେ ଛାଡ଼ିଦେବା। ହୁଏତ ଦିନେ ମନ ନିଜେ ନିଜକୁ ବୁଝିଯିବ। ଆଉ ସେଦିନ…ଆମେ ବୁଝିବା—ଦୁନିଆକୁ ବୁଝିବା ଠାରୁ

ନିଜ ମନକୁ ବୁଝିବା ହିଁ ଥିଲା ଜୀବନର ସବୁଠାରୁ ବଡ଼ ଶିକ୍ଷା।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles