CMO ଜିଲ୍ଲା ଗସ୍ତରେ ଲୋକେ ଖୁସି, ବିରୋଧି ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା : ନବୀନ ପଟ୍ଟନାୟକ

() ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି : CMO ଜିଲ୍ଲା ଗସ୍ତରେ ଲୋକେ ଖୁସି, ବିରୋଧି ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା : ନବୀନ ପଟ୍ଟନାୟକ..

• କୋଭିଡ ସମୟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଟକୁ ଲୋକେ ଆସିପାରୁ ନଥିଲେ, ଅଭିଯୋଗ ଦାଖଲ କରିପାରୁ ନଥିଲେ | କୋଭିଡ ପରେ ଅଭିଯୋଗ କମ ଆସିଲା ତେଣୁ ସିଏମ ଅଭିଯୋଗ ପ୍ରକୋଷ୍ଟ ମୋ ନିର୍ଦେଶରେ ଲୋକଙ୍କ ପାଖକୁ ଗଲେ…
• 6 ମାସରେ 190 ଟି ସ୍ଥାନକୁ ଯାଇଛନ୍ତି, 57442 ଅଭିଯୋଗ ଗ୍ରହଣ ହୋଇଛି, ସେଥିମଧ୍ୟରୁ 43536 ସମାଧାନ ହୋଇଛି…
• ଦୁଇ ତିନି ମାସରେ ସମାଧାନ ହୋଇ ନଥିବା ଅଭିଯୋଗକୁ ସମାଧାନ କରାଯିବ।
• ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ସର୍ବଦା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ, ଏଥିରେ ମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ | ଅଭିଯୋଗ ଦାଖଲ ପରେ ବିଭାଗ ଅନୁଯାଇ ମନ୍ତ୍ରୀମାନଙ୍କ ତତ୍ୱାବଧନରେ ଏହାର ସମାଧାନ କରନ୍ତି…
• 57442 ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ହେଲିକପ୍ଟର ବ୍ୟବହାର ହୋଇଥିଲା, ସାଢେ ତିନି ବର୍ଷରେ 40 କୋଟି ଟଙ୍କା ଖର୍ଚ୍ଚ ହୋଇଛି | ମସାକୁ ଏକ କୋଟିରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
• ବିରୋଧି ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି..
• ବିରୋଧୀ ଖୁସି ହେବା ଦରକାର ସେମାନଙ୍କ ଅଂଚଳର ଅନେକ ସମସ୍ୟା ର ସମାଧାନ ହୋଇଛି | ମୁଁ ବୁଝି ପାରୁନାହିଁ, ଲୋକଙ୍କ ସମସ୍ୟାର ସମାଧାନ ହେଉଥିବା ବେଳେ ଏହାକୁ କାହିଁକି ବିରୋଧ କରାଯାଉଛି…
• ବିରୋଧୀଙ୍କ ଏହି ଜନ ବିରୋଧୀ କାର୍ଯ୍ୟର ଲୋକେ ଉଚିତ ଜବାବ ଦେବେ | ବିରୋଧୀ ରାଜନୈତିକ ଉଦେଶ୍ୟ ରଖି ବିରୋଧ କରୁଛନ୍ତି…

ସମ୍ ହସ୍ପିଟାଲ୍‌ରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ..

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି ।

ଏହି ରୋବୋଟ ଦ୍ୱାରା ନିର୍ଭୁଲ ଭାବେ ଅସ୍ତ୍ରୋପଚାର ହୋଇପାରୁଛି ଏବଂ ଗତ ୬ ସପ୍ତାହ ମଧ୍ୟରେ ହସ୍ପିଟାଲ୍‌ରେ ଏଭଳି ୪୦ ଟି ଅସ୍ତ୍ରୋପଚାର ହୋଇ ସାରିଛି ବୋଲି ଏହାର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡଃ) ଅନିରୁଦ୍ଧ ଦାଶ କହିଛନ୍ତି । ଏହି ସ୍ୱୟଂଚାଳିତ ଆକ୍ଟିଭ୍ କ୍ୟୁଭିସ୍ ରୋବୋଟିକ ସିଷ୍ଟମ୍‌ର ଶୁଭାରମ୍ଭ ଶୁକ୍ରବାର ହୋଇଥିଲା । ଏହି ଅବସରରେ ଡକ୍ଟର ଦାଶ କହିଥିଲେ ଯେ ଏହି ରୋବୋଟ ଦ୍ୱାରା ଉନ୍ନତ ମାନର ଏବଂ ସଠିକତାର ସହ ଅସ୍ତ୍ରୋପଚାର ହୋଇପାରୁଛି । ଏହାକୁ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ସିଷ୍ଟମ ବୋଲି କୁହାଯାଇଛି ।

ଏହି ଉପାୟରେ ଅସ୍ତ୍ରୋପଚାର କଲେ ଏହା ଏକ କ୍ଷୁଦ୍ର କ୍ଷତ ମାଧ୍ୟମରେ ଚିକିତ୍ସା କରେ, ଅଧିକ ନମନୀୟତା ପ୍ରଦାନ କରେ ଏବଂ ସଂକ୍ରମଣର ଆଶଙ୍କାକୁ ହ୍ରାସ କରେ ବୋଲି ସେ କହିଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓଡିଶାର ପ୍ରଥମ ହସ୍ପିଟାଲ୍ ଭାବେ ଏଭଳି ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ କରିଛି ବୋଲି ପ୍ରଫେସର (ଡଃ) ଦାଶ କହିଥିଲେ । ଏହି ରୋବୋଟ ଦକ୍ଷିଣ କୋରିଆର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କର ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ ଡାକ୍ତର ସଚିଦାନନ୍ଦ ମହାନ୍ତି, ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଆର୍ତବନ୍ଧୁ ନାୟକ, ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡଃ)ଅଶୋକ କୁମାର ମହାପାତ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡଃ) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡଃ) ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ଏହି ରୋବୋଟ ନିମନ୍ତେ ମାର୍କେଟିଂ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

କମ୍ପାନୀର ଜଣେ ପ୍ରତିନିଧି ଏହି ଅବସରରେ କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦେଶର ପ୍ରଥମ ମେଡିକାଲ୍ କଲେଜ ଭାବେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ନିମନ୍ତେ ଏହି ସ୍ୱୟଂଚାଳିତ ରୋବୋଟର ବ୍ୟବହାର ଆରମ୍ଭ କରିଛି । ଏଥି ନିମନ୍ତେ ହସ୍ପିଟାଲ୍‌ରେ ଏକ ସେଂଟର ଅଫ୍ ଏକ୍ସିଲେନ୍ସ ଆରମ୍ଭ କରାଯିବାର ଯୋଜନା ରହିଛି ଯେଉଁଠାରେ ଅସ୍ଥିଶଲ୍ୟ ବିଭାଗର ସର୍ଜନମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ପାରିବ ବୋଲି ସେ କହିଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ରାଜ୍ୟର ପ୍ରଥମ ଚିକିତ୍ସା କେନ୍ଦ୍ର ଭାବେ ଏହି ନୂତନ ଜ୍ଞାନକୌଶଳ ଆପଣାଇଥିବାରୁ ହସ୍ପିଟାଲ୍‌କୁ ଶୁଭେଚ୍ଛା ଜଣାଇ ପ୍ରଫେସର (ଡଃ) ମହାନ୍ତି କହିଥିଲେ ଯେ ଏଭଳି ଯନ୍ତ୍ରର ବ୍ୟବହାର ନିମନ୍ତେ ଅନ୍ୟ ଫ୍ୟାକଲ୍ଟିମାନଙ୍କୁ ପ୍ରଶିକ୍ଷଣ ଦେବା ଆବଶ୍ୟକ ଯାହାଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ ।

ପ୍ରଫେସର ନନ୍ଦ ରୋବୋଟିକ ଅସ୍ତ୍ରୋପଚାରର ଶୁଭାରମ୍ଭକୁ ଏକ ବଡ଼ ସଫଳତା ବୋଲି କହିବା ସହ ୨୦୦୬ ମସିହାରେ ଇଂଲଣ୍ଡର ଲିଡସ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ବେଳେ ସେ ଏପରି ନୂତନ ଜ୍ଞାନକୌଶଳର ବ୍ୟବହାର ଦେଖିଥିଲେ ବୋଲି କହିଥିଲେ । ସୋଆରେ ଏକ ରୋବୋଟିକ ଲ୍ୟାବ୍ ଆରମ୍ଭ କରାଯିବା ନେଇ ପ୍ରସ୍ତାବ ରହିଥିବା ପ୍ରକାଶ କରି ଏହି ଜ୍ଞାନକୌଶଳ ଦ୍ୱାରା ଅନେକ ଜଟିଳ ଅସ୍ତ୍ରୋପଚାର ହୋଇପ।।ରିବ ବୋଲି ସେ କହିଥିଲେ ।

ଦେଶର ଜଣେ ପ୍ରତିଷ୍ଠିତ ନ୍ୟୁରୋସର୍ଜନ ଭାବେ ଜଣାଶୁଣା ପ୍ରଫେସର ମହାପାତ୍ର ଏହି ଅବସରରେ କହିଥିଲେ ଯେ ରୋବୋଟର ବ୍ୟବହାର ବର୍ତମାନ ସମୟର ଆବଶ୍ୟକତା ଅଟେ । ଏହା ବ୍ୟୟସାପେକ୍ଷ ହୋଇଥିବାରୁ ଟେକ୍ନୋଲଜିକୁ ସଂପୂର୍ଣ୍ଣ ଭାବେ ବ୍ୟବହାର କରିବା ଉଚିତ୍ ବୋଲି ସେ କହିଥିଲେ । ଡାକ୍ତର ନାୟକ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଉନ୍ନତି କରୁଛି ଏବଂ ଏହି ଶିକ୍ଷାନୁଷ୍ଠାନକୁ ନେଇ ରାଜ୍ୟ ଗର୍ବିତ ।

ପ୍ରଫେସର (ଡଃ) ମିଶ୍ର କହିଥିଲେ ଯେ ଏହି ନୂତନ ଜ୍ଞାନ କୌଶଳ ଦ୍ୱାରା ରୋଗୀକୁ ଖୁବ କମ୍ କଷ୍ଟ ହେବା ସହ କମ୍ ହାଡ଼ କ୍ଷୟ ହୋଇଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥତା ପାଇଥାଏ । ନୂତନ ଜ୍ଞାନକୌଶଳକୁ ଆପଣାଇବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସବୁବେଳେ ଆଗରେ ରହିଛି । ରୋଗୀ ସେବା ଏବଂ ଶିକ୍ଷା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ନୂତନ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇ ଦେବାରେ ଖୁବ୍ ଆଗ୍ରହୀ ବୋଲି ସେ କହିଥିଲେ । ପ୍ରଫେସର (ଡଃ) ସାମନ୍ତସିଂହାର କହିଥିଲେ ଯେ ଏହି ଜ୍ଞାନକୌଶଳର ବ୍ୟବହାର ଏକ ବଡ଼ ସଫଳତା । ହସ୍ପିଟାଲ୍ ପକ୍ଷରୁ ଏକ ମଦର ରୋବୋଟ ମଧ୍ୟ ଅଣାଯିବାର ବ୍ୟବସ୍ଥା ହେଉଛି ଯାହାକି ଅନ୍ୟାନ୍ୟ ବିଭାଗର ଅସ୍ତ୍ରୋପଚାରରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ । ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡଃ ସତ୍ୟ ପ୍ରସନ୍ନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୋଆ କ୍ୟାମ୍ପସ୍‌ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍‌” ଆୟୋଜିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ଓ କ୍ୟାମ୍ପସ ୫ ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରି ଲାଇଫ୍‌” ଆୟୋଜିତ ହୋଇଯାଇଛି । ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ (ଏଆଇସିଟିଇ)ର ନିର୍ଦ୍ଦେଶ କ୍ରମେ ଓ “ଆଜାଦୀ କା ଅମୃତ ମହୋତ୍ସବ” ପରିପ୍ରେକ୍ଷୀରେ ତଥା “ମେରି ମାଟି ମେରାଦେଶ” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଦୁଇଟି କ୍ୟାମ୍ପସ୍‌ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ୱାନ୍ ଷ୍ଟୁଡେଂଟ, ୱାନ୍ ଟ୍ରି’ ଆୟୋଜିତ ହୋଇଥିଲା ।

ସୋଆ ଗ୍ରୀନ୍ କ୍ଲବ୍ ଓ ସିଟି ଫରେଷ୍ଟ ଡିଭିଜନ୍‌ର ମିଳିତ ସହଯୋଗରେ କ୍ୟାମ୍ପସ ୫ର ଷ୍ଟାଡିୟମ୍ ଓ କ୍ୟାମ୍ପସ ୪ରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିୁଚ୍ୟଟ୍ ଅଫ୍‌ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍‌ପ୍ରଫେସର ସନ୍ତୋଷ କୁମାର ରାଉତ, ମୁଖ୍ୟ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ , ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଡିନ୍ ପ୍ରଫେସର ଏସ୍‌.ଏ.କେ.ଆଜାଦ, ସିନିୟର ପ୍ରଫେସରପ୍ରବୀର କୁମାର ପ…ନାୟକ, ପ୍ରଫେସର ମଧୁସୁଦନ ଦାସ, ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା….

() ଦ ଇନ୍‌୍‌ଷ୍ଟିୁଚ୍ୟୁଟ୍ ଅଫ୍ ଚାର୍ଟାଡ ଆକାଉନ୍‌ଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ୍ କାଉନ୍‌ସିଲ୍ (ଇଆଇଆର୍‌ସି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ଏଠାରେ ସମ୍ବର୍ଦ୍ଧିତ କରାଯାଇଛି । ଗତ ଅଗଷ୍ଟ ୧୭ ତାରିଖ ଦିନ ସୋଆ ପ୍ରେକ୍ଷାଳୟ ଠାରେ ଆଇସିଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଚାର୍ଟାଡ ଆକାଉନ୍‌ଟାଂଟସ୍ ମାନଙ୍କର ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରଫେସର ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ତେଣୁ ଆଇସିଏଆଇ ପକ୍ଷରୁ କୃତଜ୍ଞତା ପୂର୍ବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ପ୍ରଫେସର (ଡ) ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଆଇସିଏଆଇ ଅନ୍ତର୍ଗତ ଇଆଇଆର୍‌ସିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ ଶ୍ରୀ ଗଗନ ବିହାରୀ ଦାସ, ସଂପାଦକ ଶ୍ରୀ ମହେନ୍ଦ୍ର କୁମାର ସାହୁ, ବରିଷ୍ଠ ସଦସ୍ୟ ତଥା ସୋଆର ଚାର୍ଟାଡ ଆକାଉନ୍‌ଟାଂଟ ଶ୍ରୀ ସରୋଜକାନ୍ତ ସାମଲ, ସଦସ୍ୟ ଶ୍ରୀମତି ଜାହ୍ନବୀ ଦେଓ ଓ ଜାତୀୟ ସିଏ ସମ୍ମିଳନୀର ଅର୍ଥନୈତିକ କମିଟିର ସହ-ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ଜେନା ସୋଆ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ ।

ସମ୍ ହସ୍ପିଟାଲ୍ ପକ୍ଷରୁ “ବିଶ୍ୱ ଅଲ୍‌ଜାଇମର ଦିବସ” ଅବସରରେ ୱାକାଥନ୍ ଆୟୋଜିତ…

() ବିଶ୍ୱ ଅଲ୍‌ଜାଇମର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ଗୁରୁବାର ସକାଳେ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ ମୁଖ୍ୟ ଦ୍ୱାରରେ ଶେଷ ହୋଇଥିଲା ।

ଚଳିତ ବର୍ଷ ବିଶ୍ୱ ଅଲ୍‌ଜାଇମର ଦିବସର ଥିମ୍ ରହିଛି “ ନେଭର ଠୁ ଅର୍ଲି , ନେଭର ଠୁ ଲେଟ୍‌” ଅର୍ଥାତ୍ କେବେବି ଆଗୁଆ ନୁହେଁ କିମ୍ବା କେବେ ଅତି ବିଳମ୍ବ ନୁହେଁ । ଏହି ଥିମ୍‌ର ସଚେତନତା ବାର୍ତା ଲୋକଙ୍କ ନିକଟରେ ପହଂଚାଇବା ନେଇ ୱାକାଥନର ଆୟୋଜନ କରାଯାଇଥିଲା । ଏହି ସମସ୍ୟାରେ ଥିବା ବିପଦ, ଚିକିତ୍ସାରେ ବିଳମ୍ବ ଏବଂ ରୋଗକୁ ଆଗକୁ ଅଧିକ ବଢ଼ିବାକୁ ନ ଦେବାର ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।

ଏହି ୱାକାଥନରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ, ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଓ ଆସୋସିଏଟ୍ ପ୍ରଫେସର ଲଗ୍ନଜିତ ଦାଶ ସମେତ ଅନ୍ୟାନ୍ୟ ଫ୍ୟାକଲ୍ଟି ମେମ୍ବର୍ସ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର…

() ଢେଙ୍କାନାଳ ସହରରେ ବଡ ଆଡମ୍ଭର ସହକାରେ ବିଘ୍ନରାଜ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ଗଣେଶ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ଆଜି ସହରର ବିଭିନ୍ନ କ୍ଲବ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଗଣେଶ ପୂଜା ଅତି ଧୁମଧାମ ର ସହ ଅନୁଷ୍ଠିତ ହୋଇଯାଇଛି। ପୂଜା ଟିକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପ୍ରଶାସନ ପୂର୍ବରୁ ପ୍ରସ୍ତୁତି ବୈଠକରେ ସହରର ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ନିର୍ଦ୍ଦେଶ କ୍ରମେ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ମାନି ପୂଜା ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ଵ ଦେଇଥିବା କହିଛନ୍ତି। ଚଳିତବର୍ଷ ଢେଙ୍କାନାଳ ସହରର ୩୮ ମଣ୍ଡପରେ ବିଘ୍ନ ବିନାଶକଙ୍କ ପୂଜା ଅନୁଷ୍ଠିତ ହୋଇଛି।ଦୀର୍ଘ 30 ବର୍ଷ ଧରି ବସଷ୍ଟାଣ୍ଡ ରେ ଥିବା ଅମ୍ଲପଡା ପୂଜାକମିଟି ଗଣେଶ ପୂଜା ଆୟୋଜନ କରିଆସୁଥିବା ବଳେ ଚଳିତ ବର୍ଷ ମଧ୍ୟ ବେଶ୍ ଧୁମ୍ ଧାମରେ ବିଘ୍ନ ବିନାଶକଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି। କିମିଟି ର ସଭାପତି ଶ୍ରୀଯୁକ୍ତ ଦେଵୀ ପ୍ରସାଦ ମିଶ୍ର , ସମ୍ପାଦକ ଶିବାଶିଷ ମାନସିଂହ ଓ ତାଙ୍କ କମିଟି ର ସଦସ୍ୟ ମାନେ ମିଳିମିଶି ପୂଜା ଟିକୁ ସମ୍ପନ୍ନ କରିଛନ୍ତି।

‘ରାଜ୍ୟ ଯୋଜନା’ରେ ପାନ ଚାଷକୁ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା

() ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର,

ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷର,

ପ୍ରକ୍ରିୟାକରଣ ୟୁନିଟ ପାଇଁ ମିଳିବ ସହାୟତା।

ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ଦିଆଯିବ ସହାୟତା।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆ ଫୁଲ ଚାଷୀ ମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସଂପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ସେ ସବୁର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢୀ, ସମବାୟ ବିଭାଗର ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ସବୁ ପାନ ଚାଷୀ ମାନଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅତି କମ୍‌ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀ ମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ ।

ପାନ ବରଜ ଥିବା ଚାଷୀ ମାନଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ ପିଚ୍ଛା ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଜଣେ ଚାଷୀକୁ ସର୍ବାଧିକ ଦୁଇଟି ୟୁନିଟ ପାଇଁ ସହାୟତା ମିଳିବ। ପାନ ଚାଷ ପାଇଁ କିଶାନ କ୍ରେଡିଟ କାର୍ଡ ଜରିଆରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।ପାନ ପତ୍ର ବ୍ୟବସାୟରେ ଜି.ଏସ୍‌.ଟି ଲାଗୁ ସଂପର୍କରେ ଜିଏସଟି କମିଶନରଙ୍କୁ ଠାରୁ ସ୍ପଷ୍ଟୀକରଣ ମଗାଯିବା ସହିତ ଏହା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାନ ପତ୍ର ପ୍ରକ୍ରିୟାକରଣ ୟୁନିଟ ଗୁଡିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବ୍‌ସିଡି ଯୋଗାଇ ଦିଆଯିବ। ଏଥିପାଇଁ ଆପିକଲ୍‌ ପକ୍ଷରୁ ଏକ ଡି.ପି.ଆର ପ୍ରସ୍ତୁତ କରାଯିବ।

ସେହିପରି ଗଞ୍ଜାମର କିଆଫୁଲ ଚାଷୀ ମାନଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯିବ। ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ କିଆଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବ। କିଆଫୁଲ ଚାଷ ସ୍ଥାନ ଗୁଡିକର scientific mapping କରାଯାଇ ଏହି ସହାୟତା ଦିଆଯିବ। ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗସ୍ତ ହୋଇଥିବା କିଆଫୁଲ ଫସଲ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ସହାୟତା ଦିଆଯିବ। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଗଞ୍ଜାମ ଜିଲ୍ଲାପାଳ ମିଳିତ ଭାବେ modality ପ୍ରସ୍ତୁତ କରିବେ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଆଫୁଲ ପ୍ରକ୍ରିୟାକରଣ ୟୁନିଟକୁ ସାମିଲ କରିବା ପାଇଁ ଯୋଜନାର ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷକୁ ପ୍ରୋତ୍ସାହିତ କରିବାକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହାୟତା ନିଆଯିବ ବୋଲି ନିଷ୍ପତ୍ତି ହୋଇଛି.

ପରଲୋକରେ ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟା…..

() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଅନ୍ତର୍ଜାତୀୟ ସ୍ତରର ଲେଖିକା ଗୀତା ମେହେଟ୍ଟାଙ୍କ ୮୦ ବୟସରେ ପରଲୋକ। ଶନିବାର ନୂଆଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ସବୁଠି ଶୋକର ଛାୟା ଖେଳି ଯାଇଛି l ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଅନେକ ପୁସ୍ତକ ରଚନା କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ୨୦୧୯ରେ ପଦ୍ମ ପୁରସ୍କାର ପାଇଁ ସେ ମନୋନୀତ ହୋଇଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ପୁରା ଦେଶରେ ଚର୍ଚ୍ଚାକୁ ଆସିଥିଲେ ।

ଗୀତା ମେହେଟ୍ଟା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । ୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନ ବି ସି ପାଇଁ ଯୁଦ୍ଧ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଚଳଚ୍ଚିତ୍ର ‘କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ କରି ଭଉଣୀଙ୍କୁ ଶେଷ ଦର୍ଶନ କରୁଛନ୍ତି l ଗୀତା ମେହେଟ୍ଟା ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଠାରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ଶୋକ ପ୍ରକାଶ କରିଛନ୍ତି l

ରାଜ୍ୟରେ ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’

() ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।

ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାମାନଙ୍କ ପାଇଁ ଭିଟାମିନ୍‌ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି। ‘ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ।

ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା। ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା’ ହିଁ ଦେଇ ପାରିବ। ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ । ଆମ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମା’ମାନଙ୍କର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଦାୟ କରାଯିବ ନାହିଁ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ….

() ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ,

ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ।

{} ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆସନ୍ତା ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଚଳିତ ବର୍ଷ ଆଗାମୀ ଦିନରେ ଗଣେଶ ପୂଜା, ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି। ଏସବୁ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଭୁବନେଶ୍ୱର ମହାନିଗମ ପକ୍ଷରୁ ଆଦାୟ କରାଯିବ ନାହିଁ।

Follow us

20,832FansLike
0FollowersFollow
14,700SubscribersSubscribe

Latest news